ଅଧ୍ୟୟନ ଲେଖା ୨୬
ଗୀତ ୮ ୟହୋବା ହମାରା ଗଢ଼ ହେ
କʼଣ ଯିହୋବା ଆପଣଙ୍କ ଶୈଳ ଅଟନ୍ତି ?
“ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ।”—୧ ଶାମୁ. ୨:୨.
କʼଣ ଶିଖିବା ?
ଯିହୋବାଙ୍କଠାରେ ଏପରି କେଉଁ ଗୁଣଗୁଡ଼ିକ ରହିଛି ଯାହାଯୋଗୁଁ ତାଙ୍କୁ ଶୈଳ କୁହାଯାଇଛି । ଆଉ ଆମେ ତାଙ୍କ ଭଳି କିପରି ହୋଇପାରିବା ।
୧. ଯେପରି ଗୀତସଂହିତା ୧୮:୪୬ ପଦରେ ଲେଖାଅଛି, ଦାଉଦ ଯିହୋବାଙ୍କୁ କାହା ସହିତ ତୁଳନା କଲେ ?
ଆଜି ଆମେ ଏପରି ସମୟରେ ବଞ୍ଚୁଛୁ ଯେଉଁଠି ଆମକୁ ହଠାତ୍ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିପାରେ । ଯେକୌଣସି ମୁହୂର୍ତ୍ତରେ ଆମ ଜୀବନ ଓଲଟପାଲଟ ହୋଇପାରେ । ଏପରି ସମୟରେ ଆମକୁ କେଉଁଠୁ ସାହାଯ୍ୟ ମିଳିପାରିବ ? ଆମେ ଯିହୋବାଙ୍କ ଉପରେ ଭରସା ରଖିପାରିବା । ପୂର୍ବ ଲେଖାରେ ଆମେ ଶିଖିଥିଲୁ ଯେ ଯିହୋବା ଜୀବିତ ଈଶ୍ୱର ଅଟନ୍ତି । ଆଉ ସେ ଆମକୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାʼନ୍ତି । ଯେବେ ଆମେ ଦେଖୁ ଯେ ସେ ଆମ ସହିତ ଅଛନ୍ତି ଓ ଆମକୁ ସାହାଯ୍ୟ କରୁଛନ୍ତି ତାହେଲେ ଆମ ଭରସା ବଢ଼ିଯାଏ ଯେ ପ୍ରକୃତରେ ‘ସଦାପ୍ରଭୁ ଜୀବିତ ଈଶ୍ୱର’ ଅଛନ୍ତି । (ଗୀତସଂହିତା ୧୮:୪୬ ପଢ଼ନ୍ତୁ ।) ଏହି ପଦରେ ଦାଉଦ ଏହା ବି କହିଲେ ଯେ ଯିହୋବା “ମୋହର ଶୈଳ” ଅଟନ୍ତି । କିନ୍ତୁ ସଦାପ୍ରଭୁ ଜୀବିତ ଅଟନ୍ତି ତାହେଲେ ଦାଉଦ ତାଙ୍କୁ ଶୈଳ ବୋଲି କାହିଁକି କହିଲେ ?
୨. ଏହି ଲେଖାରେ ଆମେ କʼଣ ଜାଣିବା ?
୨ ଏହି ଲେଖାରେ ଆମେ ଜାଣିବା ଯେ ଯିହୋବାଙ୍କୁ କାହିଁକି ଶୈଳ ବୋଲି କୁହାଯାଇଛି, ଏଥିରୁ ଆମେ କʼଣ ଶିଖିପାରିବା ? ଆମେ ଏହା ବି ଜାଣିବା ଯେ ଆମେ ଯିହୋବାଙ୍କୁ ନିଜ ଶୈଳ ରୂପେ କିପରି ଦେଖିପାରିବା । ଶେଷରେ ଆମେ ଦେଖିପାରିବା ଯେ ଆମେ ଯିହୋବାଙ୍କ ଭଳି କିପରି ହୋଇପାରିବା ।
ଯିହୋବାଙ୍କୁ କାହିଁକି ଶୈଳ କୁହାଯାଇଛି ?
୩. ବାଇବଲରେ ଯିହୋବାଙ୍କୁ ପ୍ରାୟତଃ “ଶୈଳ” ବୋଲି କାହିଁକି କୁହାଯାଇଛି ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)
୩ ବାଇବଲରେ ଯିହୋବାଙ୍କୁ “ଶୈଳ” ଏଥିପାଇଁ କୁହାଯାଇଛି ଯାହାଫଳରେ ଆମେ ତାଙ୍କୁ ଭଲଭାବେ ଜାଣିପାରିବା । ବାଇବଲରେ ପ୍ରାୟତଃ ଯିହୋବାଙ୍କ ସେବକ ମାନେ ତାଙ୍କର ପ୍ରଶଂସା କରିବା ପାଇଁ କହିଲେ ଯେ ଯିହୋବା ଶୈଳ ଅଟନ୍ତି ଓ ତାଙ୍କ ତୁଲ୍ୟ କେହି ନାହାନ୍ତି । ଦ୍ୱିତୀୟ ବିବରଣ ୩୨:୪ ପଦରେ ପ୍ରଥମ ଥର ଯିହୋବାଙ୍କୁ “ଶୈଳ” କୁହାଗଲା । ତାʼପରେ ହାନ୍ନା ନିଜ ପ୍ରାର୍ଥନାରେ କହିଲେ, “ଆମ୍ଭମାନଙ୍କ ପରମେଶ୍ୱରଙ୍କ ତୁଲ୍ୟ କୌଣସି ଶୈଳ ନାହିଁ ।” (୧ ଶାମୁ. ୨:୨) ହବକ୍କୂକ ଲେଖିଲେ, ଯିହୋବା “ଶୈଳସ୍ୱରୂପ” ଅଟନ୍ତି । (ହବ. ୧:୧୨) ଆଉ ଗୀତସହିଂତା ୭୩ର ଲେଖକ କହିଲେ, ଯିହୋବା ସେହି ଶୈଳ ଅଟନ୍ତି ଯିଏ ମୋ ‘ଚିତ୍ତକୁ ବଳ’ ଦିଅନ୍ତି । (ଗୀତ. ୭୩:୨୬) ଯିହୋବା ନିଜେ ବି କହିଲେ ଯେ ସେ ଜଣେ ଶୈଳ ଅଟନ୍ତି । (ଯିଶା. ୪୪:୮) ଏବେ ଆସନ୍ତୁ ଯିହୋବାଙ୍କ ତିନୋଟି ଗୁଣ ବିଷୟରେ ଜାଣିବା ଯାହା ଯୋଗୁଁ ତାଙ୍କୁ ଶୈଳ କୁହାଯାଇଛି । ଆଉ ଏହା ବି ଜାଣିବା ଯେ ଆମେ କିପରି ତାଙ୍କୁ ‘ନିଜ ଶୈଳ’ ରୂପେ ଦେଖିପାରିବା ।—ଦ୍ୱିବି. ୩୨:୩୧.
୪. ଯିହୋବା କିପରି ଆମକୁ ଆଶ୍ରୟ ଦିଅନ୍ତି ? (ଗୀତସଂହିତା ୯୪:୨୨)
୪ ଯିହୋବା ଆଶ୍ରୟ ଦିଅନ୍ତି । ଯେପରି ଝଡ଼ ତୋଫାନ ସମୟରେ ଶୈଳ ଆଶ୍ରୟ ଦିଏ, ଠିକ୍ ସେହିଭଳି ଯେବେ ଆମେ କୌଣସି ସମସ୍ୟାର ସାମନା କରୁ ସେତେବେଳେ ଯିହୋବା ଆମକୁ ଆଶ୍ରୟ ଦିଅନ୍ତି ଏବଂ ଆମର ସୁରକ୍ଷା କରନ୍ତି । (ଗୀତସଂହିତା ୯୪:୨୨ ପଢ଼ନ୍ତୁ ।) ଯିହୋବାଙ୍କ ସହ ଆମର ଯେଉଁ ସମ୍ପର୍କ ଅଛି, ତାହାକୁ ସେ କୌଣସି କ୍ଷତି ପହଞ୍ଚିବା ପାଇଁ ଦିଅନ୍ତି ନାହିଁ । ସେ ଆମକୁ ଭରସା ଦିଅନ୍ତି ଯେ ଆଜି ଆମେ ଯାହା ବି ସମସ୍ୟାଗୁଡ଼ିକର ସାମନା କରୁ, ତାହା ସବୁଦିନ ପାଇଁ ରହିବ ନାହିଁ । କେବଳ ଏତିକି ନୁହେଁ ସେ ପ୍ରତିଜ୍ଞା କରିଛନ୍ତି ଯେ ଆଗକୁ ଯାଇ ସେ ଏପରି ସବୁ କାରଣକୁ ଶେଷ କରିଦେବେ ଯାହା ଯୋଗୁଁ ଆମକୁ କଷ୍ଟ ପହଞ୍ଚେ ଓ ଆମ ମନର ଶାନ୍ତି ଚାଲିଯାଏ ।—ଯିହି. ୩୪:୨୫, ୨୬.
୫. ଆମେ କିପରି ଯିହୋବାଙ୍କୁ ନିଜ ଶୈଳ ରୂପେ ଦେଖିପାରିବା ଓ ତାଙ୍କ ଆଶ୍ରୟ ନେଇପାରିବା ?
୫ ଯିହୋବାଙ୍କୁ ନିଜ ଶୈଳ ରୂପରେ ଦେଖିବା ଏବଂ ତାଙ୍କ ଆଶ୍ରୟ ନେବାର ଗୋଟିଏ ଉପାୟ ହେଉଛି ଯେ ଆମେ ତାଙ୍କୁ ପ୍ରାର୍ଥନା କରିବା । ଯେବେ ଆମେ ପ୍ରାର୍ଥନା କରୁ ତେବେ ଆମକୁ “ଈଶ୍ୱରଙ୍କ ଶାନ୍ତି” ମିଳେ ଯାହା ଆମ ହୃଦୟ ଓ ବିବେକର ସୁରକ୍ଷା କରେ । (ଫିଲିପ୍. ୪:୬, ୭) ଭାଇ ଆର୍ଟମଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ, ଯାହାଙ୍କୁ ନିଜ ବିଶ୍ୱାସ ଯୋଗୁଁ ଜେଲ ହୋଇଯାଇଥିଲା । ଜେଲରେ ଜଣେ ଅଫିସର ବାରମ୍ବାର ତାଙ୍କୁ ପଚରାଉଚୁରା କରିବା ପାଇଁ ଡାକୁଥିଲେ, ତାଙ୍କୁ ଧମକ ଦେଉଥିଲେ ଏବଂ ତାଙ୍କର ଅପମାନ କରୁଥିଲେ । ଭାଇ କହନ୍ତି, ‘ଯେବେ ବି ମୋତେ ସେ ଅଫିସର ଡାକୁଥିଲେ, ମୋତେ ବହୁତ ଚିନ୍ତା ହେଉଥିଲା । ତେବେ ମୁଁ ଯିହୋବାଙ୍କୁ ପ୍ରାର୍ଥନା କରୁଥିଲି ଯେ ସେ ମୋ ମନକୁ ଶାନ୍ତ କରନ୍ତୁ ଏବଂ ମୋତେ ଭଲଭାବେ ଭାବିବା ପାଇଁ ସାହାଯ୍ୟ କରନ୍ତୁ । ସେହି ଅଫିସର ଅନେକ ଥର ଚେଷ୍ଟା କଲେ, କିନ୍ତୁ ମୁଁ ହାର ମାନିଲିନି । ମୁଁ ଅନୁଭବ କଲି ଯେ ଯିହୋବା କାନ୍ଥ ଭଳି ମୋ ଆଗରେ ଛିଡ଼ା ହୋଇଛନ୍ତି ଏବଂ ମୋର ସୁରକ୍ଷା କରୁଛନ୍ତି ।’
୬. ଆମେ କାହିଁକି ଯିହୋବାଙ୍କ ଉପରେ ଭରସା କରିପାରିବା ? (ଯିଶାଇୟ ୨୬:୩, ୪)
୬ ଯିହୋବା ଭରସାଯୋଗ୍ୟ ଅଟନ୍ତି । ଯେପରି ଗୋଟିଏ ଶୈଳ ସବୁବେଳେ ନିଜ ଜାଗାରେ ସ୍ଥିର ରହେ, ଠିକ୍ ସେହିପରି ଯିହୋବା ସବୁବେଳେ ସ୍ଥିର ରହିବେ । ସେ ଆମକୁ ସାହାଯ୍ୟ କରିବେ ଓ ଆମକୁ କେବେ ବି ଛାଡ଼ିବେ ନାହିଁ । ବାଇବଲରେ କୁହାଯାଇଛି, “ଯିହୋବାଙ୍କଠାରେ ଅନନ୍ତକାଳସ୍ଥାୟୀ ଶୈଳ ଅଛି ।” ତେଣୁ ଆମେ ତାଙ୍କ ଉପରେ ପୂରା ଭରସା ରଖିପାରିବା । (ଯିଶାଇୟ ୨୬:୩, ୪ ପଢ଼ନ୍ତୁ ।) ଯିହୋବା ଜୀବିତ ଈଶ୍ୱର ଅଟନ୍ତି, ତେଣୁ ଆମେ ପୂରା ଭରସା ରଖିପାରିବା ଯେ ସେ ଯେଉଁ ପ୍ରତିଜ୍ଞା କରିଛନ୍ତି ତାହାକୁ ସେ ନିଶ୍ଚୟ ପୂରା କରିବେ ଓ ଆମ ପ୍ରାର୍ଥନା ଶୁଣିବେ ଏବଂ ଦରକାର ସମୟରେ ସେ ଆମକୁ ସମ୍ଭାଳିବେ । ଆମେ ଏଥିପାଇଁ ବି ଯିହୋବାଙ୍କ ଉପରେ ଭରସା ରଖିପାରିବା କାରଣ ଯେଉଁମାନେ ତାଙ୍କର ବିଶ୍ୱସ୍ତ ରହନ୍ତି ସେ ବି ତାଙ୍କ ପ୍ରତି ବିଶ୍ୱସ୍ତ ରହନ୍ତି । (୨ ଶାମୁ. ୨୨:୨୬) ଆମେ ତାଙ୍କ ପାଇଁ ଯାହା ବି କରିଛୁ ଯିହୋବା ତାହା କେବେ ବି ଭୁଲିବେ ନାହିଁ ଓ ଆମକୁ ତାʼର ପୁରସ୍କାର ମଧ୍ୟ ଦେବେ ।—ଏବ୍ରୀ ୬:୧୦; ୧୧:୬.
୭. ଯଦି ଆମେ ଯିହୋବାଙ୍କ ଉପରେ ଭରସା ରଖିବା, ତାʼହେଲେ ଆମେ କʼଣ ଦେଖିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୭ ଯିହୋବାଙ୍କୁ ନିଜ ଶୈଳ ରୂପେ ଦେଖିବାର ଗୋଟିଏ ଉପାୟ ହେଉଛି, ତାଙ୍କ ଉପରେ ପୂରା ଭରସା ରଖିବା । ଆମକୁ ଭରସା ଅଛି ଯେ ସମସ୍ୟା ସମୟରେ ଆମେ ତାଙ୍କ ଆଜ୍ଞା ମାନିବା ତାହେଲେ ଆମର ହିଁ ଭଲ ହେବ । (ଯିଶା. ୪୮:୧୭, ୧୮) ଆଉ ଯେବେ ଆମେ ଦେଖୁ ଯେ ସମସ୍ୟା ସମୟରେ ଯିହୋବା କିପରି ଆମକୁ ସମ୍ଭାଳୁଛନ୍ତି, ତେବେ ତାଙ୍କ ଉପରେ ଆମ ଭରସା ଆହୁରି ବଢ଼ିଯାଏ । ଆଉ ଏପରି କୌଣସି ସମସ୍ୟା ଆସେ ଯେବେ ଯିହୋବାଙ୍କ ଛଡ଼ା ଆଉ କେହି ବି ଆମକୁ ସାହାଯ୍ୟ କରିପାରନ୍ତି ନାହିଁ, ତେବେ ସେହି ସମସ୍ୟାକୁ ବି ଆମେ ଭଲଭାବେ ସାମନା କରିପାରୁ । ଆମେ ସ୍ପଷ୍ଟ ଭାବେ ଦେଖିପାରୁ ଯେ ଯିହୋବା ଆମ ସାଙ୍ଗରେ ଅଛନ୍ତି ଓ ଆମେ ତାଙ୍କ ଉପରେ ପୂରା ଭରସା ରଖିପାରିବା । ଭାଇ ଭ୍ଲାଦିମିରଙ୍କ ଏପରି ହିଁ ଅନୁଭବ ରହିଛି । ସେ କହନ୍ତି, “ଯେବେ ମୁଁ ଜେଲରେ ଥିଲି, ତେବେ ଯିହୋବାଙ୍କୁ ଆହୁରି ନିକଟତର ଅନୁଭବ କଲି । ସେହି ସମୟ ମୋ ଜୀବନର ସବୁଠୁ ବଢ଼ିଆ ସମୟ ଥିଲା । ମୁଁ ଜେଲରେ ଏକୁଟିଆ ଥିଲି ପରିସ୍ଥିତି ବହୁତ ଖରାପ ଥିଲା । ସେ ସମୟରେ ମୁଁ ଯିହୋବାଙ୍କ ଉପରେ ଆହୁରି ଭରସା କରିବା ଶିଖିଲି ।”
୮. (କ) ଆମେ କାହିଁକି କହିପାରିବା ଯେ ଯିହୋବା ଶୈଳ ଭଳି ସ୍ଥିର ଅଟନ୍ତି ? (ଖ) ଯିହୋବା ଆମ ଶୈଳ ଅଟନ୍ତି ତେଣୁ ଆମେ କେଉଁ କଥା ପାଇଁ ଭରସା ରଖିପାରିବା ? (ଗୀତସଂହିତା ୬୨:୬, ୭)
୮ ଯିହୋବା ବଦଳନ୍ତି ନାହିଁ । ଯିହୋବା ଗୋଟିଏ ଶୈଳ ଭଳି ଦୃଢ଼ ଓ ସ୍ଥିର ଅଟନ୍ତି । ତାଙ୍କ ସ୍ୱଭାବ କେବେ ବଦଳେ ନାହିଁ ଓ ତାଙ୍କ ଉଦ୍ଦେଶ୍ୟ ମଧ୍ୟ କେବେ ବଦଳେ ନାହିଁ । (ମଲାଖି ୩:୬) ଯେପରି ଏଦନ ବଗିଚାରେ ଆଦମ ଓ ହବା ଯିହୋବାଙ୍କ ସହ ବିଦ୍ରୋହ କଲେ, ତେବେ ଯିହୋବା ପୃଥିବୀ ଓ ମଣିଷମାନଙ୍କ ପାଇଁ ତାଙ୍କ ଉଦ୍ଦେଶ୍ୟ ବଦଳାଇଲେ ନାହିଁ । ସେ ଯାହା କରିବାପାଇଁ ସ୍ଥିର କରିନିଅନ୍ତି, ତାହା ସେ ଯେକୌଣସି ପରିସ୍ଥିତିରେ ପୂରା କରନ୍ତି । ପ୍ରେରିତ ପାଉଲ ମଧ୍ୟ ଯିହୋବାଙ୍କୁ ଏବିଷୟରେ କହିଲେ, “ସେ ଆପଣାକୁ ଅସ୍ୱୀକାର କରିପାରନ୍ତି ନାହିଁ ।” (୨ ତୀମ. ୨:୧୩) ତାʼ ଅର୍ଥ ଯାହା ବି ହୋଇଯାଉ କିମ୍ବା ଯିଏ ଯାହା ବି କରନ୍ତୁ ନା କାହିଁକି, ଯିହୋବାଙ୍କ ସ୍ୱଭାବ ଓ ତାଙ୍କ ଉଦ୍ଦେଶ୍ୟ ଏବଂ ତାଙ୍କ ସ୍ତରଗୁଡ଼ିକ ସବୁବେଳେ ଏକା ଭଳି ଥାଏ । ତେଣୁ ଆମେ ଭରସା ରଖିପାରିବା ଯେ ଯିହୋବା କେବେ ବି ବଦଳିବେ ନାହିଁ । ସେ ସବୁବେଳେ ସ୍ଥିର ରହିବେ । ସମସ୍ୟା ସମୟରେ ସେ ଆମକୁ ସମ୍ଭାଳିବେ ଓ ସେ ନିଜ ପ୍ରତ୍ୟେକ ପ୍ରତିଜ୍ଞାକୁ ପୂରା କରିବେ ।—ଗୀତସଂହିତା ୬୨:୬, ୭ ପଢ଼ନ୍ତୁ ।
୯. ଆପଣ ଭଉଣୀ ତାତ୍ୟାନାଙ୍କ ଉଦାହରଣରୁ କʼଣ ଶିଖିଲେ ?
୯ ଯିହୋବାଙ୍କୁ ନିଜ ଶୈଳ ରୂପେ ଦେଖିବାର ଆଉ ଗୋଟିଏ ଉପାୟ ହେଉଛି, ଯେ ଆମେ ଏବିଷୟରେ ଭାବିବା ଯେ ସେ କିପରି ଈଶ୍ୱର ଅଟନ୍ତି । ଆଉ ସେ ଆମ ପାଇଁ ଓ ପୃଥିବୀ ପାଇଁ କେତେ ବଢ଼ିଆ ଉଦ୍ଦେଶ୍ୟ ସ୍ଥିର କରିଛନ୍ତି । ଏପରି କରିବା ଦ୍ୱାରା ତାଙ୍କ ଉପରେ ଆମ ଭରସା ବଢ଼ିବ ଓ ସମସ୍ୟା ସମୟରେ ଆମେ ଶାନ୍ତ ରହିପାରିବା ଏବଂ ତାଙ୍କ ବିଶ୍ୱସ୍ତ ରହିପାରିବା । (ଗୀତ. ୧୬:୮) ଭଉଣୀ ତାତ୍ୟାନାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କୁ ତାଙ୍କ ବିଶ୍ୱାସ ଯୋଗୁଁ ଘରେ ବନ୍ଦୀ କରି ରଖାଯାଇଥିଲା । ସେ କହନ୍ତି, “ଏକୁଟିଆ ଘରେ ବନ୍ଦୀ ହୋଇ ରହିବା ମୋ ପାଇଁ ବହୁତ କଷ୍ଟ ଥିଲା । ପ୍ରାୟ ମୁଁ ନିରାଶ ହୋଇଯାଉଥିଲି ।” କିନ୍ତୁ ଯେବେ ଭଉଣୀ ଚିନ୍ତନ କଲେ ଯେ ତାଙ୍କ ପାଇଁ ବିଶ୍ୱସ୍ତ ରହିବା କେତେ ଜରୁରୀ ଓ ଏହା ଯିହୋବା ଓ ତାଙ୍କ ଉଦ୍ଦେଶ୍ୟ ସହ ଜଡ଼ିତ ରହିଛି, ତେବେ ସେ ଶାନ୍ତ ରହିପାରିଲେ ଓ ନିଜ ସମସ୍ୟାର ସାମନା କରିପାରିଲେ । ସେ କହନ୍ତି, “ଯେବେ ମୁଁ ଏକଥା ବୁଝିଲି ଯେ ମୋ ସହିତ ଏସବୁ ଏଥିପାଇଁ ହେଉଛି କାରଣ ମୁଁ ଯିହୋବାଙ୍କୁ ପ୍ରେମ କରେ ଓ ତାଙ୍କୁ ଖୁସି କରିବା ପାଇଁ ଚାହେଁ, ଏପରି ଭାବିବା ଯୋଗୁଁ ମୁଁ ନିଜ ବିଷୟରେ ଓ ନିଜ ସମସ୍ୟାଗୁଡ଼ିକ ବିଷୟରେ ଭାବିବା ବନ୍ଦ କରିଦେଲି ।”
୧୦. ଆମେ ଆଜି ଯିହୋବାଙ୍କୁ ନିଜ ଶୈଳ ରୂପେ କିପରି ଦେଖିପାରିବା ?
୧୦ ଆଗକୁ ଯାଇ ଆମକୁ ଅନେକ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିବ । ସେ ସମୟରେ ଆମକୁ ଯିହୋବାଙ୍କ ଉପରେ ଆଗ ଅପେକ୍ଷା ଆହୁରି ଭରସା ବଢ଼ାଇବାକୁ ପଡ଼ିବ । ତେଣୁ ଆଜି ଆମକୁ ଯିହୋବାଙ୍କ ଉପରେ ନିଜ ଭରସା ବଢ଼ାଇବା ଉଚିତ, ତାʼ ସହ ଆମକୁ ଏକଥା ଉପରେ ଭରସା ବଢ଼ାଇବାର ଅଛି ଯେ ଆଗକୁ ଯାହା ବି ହୋଇଯାଉନା କାହିଁକି ଯିହୋବା ଆମକୁ ବିଶ୍ୱସ୍ତ ରହିବା ପାଇଁ ସାହାଯ୍ୟ କରିବେ । ଆମେ ତାଙ୍କ ଉପରେ ନିଜ ଭରସା କିପରି ବଢ଼ାଇପାରିବା ? ବାଇବଲରେ ଯେଉଁ ବିଶ୍ୱସ୍ତ ସେବକମାନଙ୍କ ଘଟଣାଗୁଡ଼ିକ ଦିଆଯାଇଛି ଓ ଆଜି ଯେଉଁ ସେବକମାନଙ୍କର ଅନୁଭୂତିଗୁଡ଼ିକ ପ୍ରକାଶିତ କରାଯାଉଛି, ସେସବୁକୁ ପଢ଼ନ୍ତୁ ଓ ସେଗୁଡ଼ିକ ଉପରେ ଚିନ୍ତନ କରନ୍ତୁ, ଧ୍ୟାନ ଦିଅନ୍ତୁ ଯେ ଯିହୋବା କିପରି ତାଙ୍କ ପାଇଁ ଶୈଳ ପ୍ରମାଣିତ ହେଲେ, କିପରି ସେମାନଙ୍କୁ ସାହାଯ୍ୟ କଲେ ଓ ସେମାନଙ୍କୁ ସମ୍ଭାଳିଲେ । ଏହିପରି ଭାବେ ଆପଣ ଯିହୋବାଙ୍କୁ ନିଜ ଶୈଳ ରୂପେ ଦେଖିପାରିବେ ।
ନିଜ ଶୈଳ ଯିହୋବାଙ୍କ ଭଳି ହୁଅନ୍ତୁ
୧୧. ଆମେ କିପରି ଯିହୋବାଙ୍କ ଭଳି ହୋଇପାରିବା ? (“ ଯୁବା ଭାଇମାନଙ୍କ ପାଇଁ ଲକ୍ଷ୍ୟ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୧୧ ଆମେ ଯିହୋବାଙ୍କର କିଛି ଗୁଣଗୁଡ଼ିକ ଉପରେ ଧ୍ୟାନ ଦେଲୁ ଯାହା ଯୋଗୁଁ ତାଙ୍କୁ ଶୈଳ କୁହାଯାଇଛି । ଏବେ ଆସନ୍ତୁ ଆମେ ଦେଖିବା ଯେ ଆମେ ନିଜ ଭିତରେ ଏହି ଗୁଣଗୁଡ଼ିକ କିପରି ବଢ଼ାଇ ପାରିବା ଓ ଯିହୋବାଙ୍କ ଭଳି ହୋଇପାରିବା । ଆମେ ଯେତେ ଅଧିକ ସେହି ଗୁଣଗୁଡ଼ିକ ନିଜ ଭିତରେ ବଢ଼ାଇବା, ସେତେ ଅଧିକ ଆମେ ମଣ୍ଡଳୀର ଭାଇଭଉଣୀମାନଙ୍କୁ ଆହୁରି ଦୃଢ଼ କରିପାରିବା । ଯୀଶୁ ନିଜ ଜଣେ ଶିଷ୍ୟ ଶିମୋନଙ୍କୁ କେଫା ନାମ ଦେଇଥିଲେ, ଯାହାର ଅର୍ଥ ହେଉଛି “ଶୈଳର ଖଣ୍ଡ” (ଯୋହ. ୧:୪୨) ଯୀଶୁ ତାଙ୍କୁ ଏପରି ନାମ ଦେବାର କାରଣ ଥିଲା ଯେ ପିତର ଆଗକୁ ଯାଇ ମଣ୍ଡଳୀର ଅନ୍ୟ ଭାଇଭଉଣୀମାନଙ୍କୁ ସାନ୍ତ୍ୱନା ଦିଅନ୍ତୁ ଓ ସେମାନଙ୍କୁ ଦୃଢ଼ କରନ୍ତୁ । ବାଇବଲରେ ପ୍ରାଚୀନମାନଙ୍କ ବିଷୟରେ ଏହା ବି କୁହାଯାଇଛି ଯେ ସେମାନେ “ବୃହତ୍ ଶୈଳର ଛାୟା ସ୍ୱରୂପ ହେବେ,” ତାʼ ଅର୍ଥ ସେମାନେ ମଣ୍ଡଳୀର ଭାଇଭଉଣୀମାନଙ୍କ ସୁରକ୍ଷା କରିବେ । (ଯିଶା. ୩୨:୨) ପ୍ରାଚୀନମାନଙ୍କ ଛଡ଼ା ଆମେମାନେ ମଧ୍ୟ ଏପରି କରିପାରିବା ଓ ଆମେ ନିଜ ଶୈଳ ଯିହୋବାଙ୍କ ଭଳି ହୋଇପାରିବା । (ଏଫି. ୫:୧) ଆସନ୍ତୁ ଦେଖିବା ଏହା ଆମେ କିପରି କରିପାରିବା ।
୧୨. ଆମେ କିପରି ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା ?
୧୨ ସମସ୍ୟା ସମୟରେ ସାହାଯ୍ୟ କରନ୍ତୁ । ଯେବେ ପ୍ରାକୃତିକ ବିପର୍ଯ୍ୟୟ ଆସେ କିମ୍ବା ଦଙ୍ଗା ହୁଏ କିମ୍ବା ଯୁଦ୍ଧ ହୁଏ, ତେବେ ଆମେ ନିଜ ଭାଇଭଉଣୀମାନଙ୍କୁ ନିଜ ଘରେ ଆଶ୍ରୟ ଦେଇପାରିବା । ଏହି “ଶେଷକାଳରେ” ପରିସ୍ଥିତି ଆହୁରି ଖରାପ ହୋଇଯିବ ଓ ଆମକୁ ନିଜ ଭାଇଭଉଣୀମାନଙ୍କ ସାହାଯ୍ୟ କରିବା ପାଇଁ ଅନେକ ସୁଯୋଗ ମିଳିବ । (୨ ତୀମ. ୩:୧) ଆମେ ଆଉ ଗୋଟିଏ ଉପାୟରେ ନିଜ ଭାଇଭଉଣୀମାନଙ୍କୁ ତାଙ୍କର ସାହାଯ୍ୟ କରିପାରିବା । ଆମେ ସେମାନଙ୍କର ଉତ୍ସାହ ବଢ଼ାଇପାରିବା ଓ ସେମାନଙ୍କୁ ପ୍ରେମ ଦେଖାଇପାରିବା । ରାଜ୍ୟଘରେ ଆମେ ଭାଇଭଉଣୀମାନଙ୍କୁ ଭେଟିପାରିବା, ସେମାନଙ୍କ ସହ କଥା ହୋଇପାରିବା ଓ ସେମାନଙ୍କର ଉତ୍ସାହ ବଢ଼ାଇପାରିବା । ଆଜି ଆମେ ଏପରି ଏକ ଦୁନିଆରେ ବଞ୍ଚୁଛୁ ଯେଉଁଠି ଲୋକମାନେ ଆହୁରି ସ୍ୱାର୍ଥୀ ହୋଇଯାଉଛନ୍ତି, କେହି କାହାର ଚିନ୍ତା କରନ୍ତି ନାହିଁ । ତେଣୁ ଯେବେ ଭାଇଭଉଣୀମାନେ ସଭାରେ ଆସନ୍ତି, ତେବେ ଆମେ ସେମାନଙ୍କୁ ଅନୁଭବ କରାଇବା ଉଚିତ୍ ଯେ ଆମେ ସେମାନଙ୍କୁ ପ୍ରେମ କରୁ ଓ ସେମାନଙ୍କର ଚିନ୍ତା କରୁ । ତେବେ ସେମାନଙ୍କୁ ବହୁତ ସାନ୍ତ୍ୱନା ମିଳିବ ଓ ସେମାନେ ସୁରକ୍ଷିତ ଅନୁଭବ କରିବେ ।
୧୩. ପ୍ରାଚୀନମାନେ ଭାଇଭଉଣୀମାନଙ୍କୁ କିପରି ସାହାଯ୍ୟ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ପ୍ରାଚୀନମାନେ ମଧ୍ୟ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବେ । ତାହା କିପରି ? ଯେବେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସେ କିମ୍ବା ଯେବେ ହଠାତ୍ କୌଣସି ଭାଇ କିମ୍ବା ଭଉଣୀଙ୍କ ଦେହ ଖରାପ ହୋଇଯାଏ, ତେବେ ସେମାନେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ କିଛି ବ୍ୟବସ୍ଥା କରିପାରିବେ । କିମ୍ବା ଭାଇଭଉଣୀ ନିଜ ଜୀବନରେ ବଡ଼ ବଡ଼ ସମସ୍ୟାର ସାମନା କରନ୍ତି, ତେବେ ସେମାନଙ୍କର ଉତ୍ସାହ ବଢ଼ାଇପାରିବେ । କିନ୍ତୁ ଭାଇଭଉଣୀମାନେ କେତେବେଳେ ବିନା ଡରି ଜଣେ ପ୍ରାଚୀନଙ୍କ ପାଖକୁ ଯାଇ ନିଜ ସମସ୍ୟା ବିଷୟରେ କହିପାରିବେ ? ଯେବେ ସେମାନଙ୍କୁ ଏହି କଥାର ବିଶ୍ୱାସ ଥିବ ଯେ ସେମାନେ ତାଙ୍କ ସହ ପ୍ରେମର ସହ କଥା ହେବେ, ତାଙ୍କୁ ଧ୍ୟାନ ଦେଇ ଶୁଣିବେ ଓ ସେମାନଙ୍କ ଭାବନାଗୁଡ଼ିକୁ ବୁଝିବା ପାଇଁ ଚେଷ୍ଟା କରିବେ । ଯେବେ ଜଣେ ପ୍ରାଚୀନ ଏପରି କରନ୍ତି, ତେବେ ଭାଇଭଉଣୀମାନେ ତାଙ୍କ ପ୍ରେମକୁ ଅନୁଭବ କରିପାରିବେ । ଆଉ ଯେବେ ସେ ବାଇବଲରୁ କୌଣସି ପରାମର୍ଶ ଦେବେ ତାହେଲେ ସେମାନେ ସହଜରେ ତାକୁ ସ୍ୱୀକାର କରିପାରିବେ ।—୧ ଥେସ. ୨:୭, ୮, ୧୧.
୧୪. ଆମେ ଜଣେ ଭରସାଯୋଗ୍ୟ ବ୍ୟକ୍ତି କିପରି ହୋଇପାରିବା ?
୧୪ ଭରସାଯୋଗ୍ୟ ହୁଅନ୍ତୁ । ଭାଇଭଉଣୀମାନଙ୍କୁ ଭରସା ହେବା ଉଚିତ୍ ଯେ ଆମେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଅଛୁ, ବିଶେଷ କରି ସମସ୍ୟା ସମୟରେ । (ହିତୋ. ୧୭:୧୭) କିନ୍ତୁ ଆମେ ଅନ୍ୟମାନଙ୍କ ଦୃଷ୍ଟିରେ ଭରସାଯୋଗ୍ୟ ବ୍ୟକ୍ତି କିପରି ହୋଇପାରିବା ? ଆମଠାରେ ଈଶ୍ୱରଙ୍କ ଭଳି ଗୁଣଗୁଡ଼ିକ ହେବା ଉଚିତ୍ । ଯେପରି ଆମେ ନିଜ ପ୍ରତିଜ୍ଞା ପୂରା କରିବା ଉଚିତ୍ ଓ ସବୁକିଛି ଠିକ୍ ସମୟରେ କରିବା ଉଚିତ୍ । (ମାଥି. ୫:୩୭) ଯେବେ ଆମେ ଧ୍ୟାନ ଦେଉ ଯେ କାହାରିକୁ ସାହାଯ୍ୟ ଦରକାର ଅଛି, ତେବେ ଆମେ ତୁରନ୍ତ ସେମାନଙ୍କୁ ସାହାଯ୍ୟ କରିବା ଉଚିତ୍ । ଏହାଛଡ଼ା ଆମକୁ ଯାହା ବି ଦାୟିତ୍ୱ ମିଳେ, ଆମକୁ ତାହା ପୂରା କରିବା ଉଚିତ୍ ଓ ଯେଉଁ ପରାମର୍ଶ ଦିଆଯାଏ ସେ ଅନୁସାରେ କାମ କରିବା ଉଚିତ୍ । ଯେବେ ଆମେ ଏପରି କରିବା ତେବେ ଅନ୍ୟମାନେ ଆମ ଉପରେ ଭରସା କରିପାରିବେ ।
୧୫. ଯେବେ ପ୍ରାଚୀନମାନେ ଭରସାଯୋଗ୍ୟ ରହନ୍ତି, ତାହେଲେ ଭାଇଭଉଣୀଙ୍କୁ କʼଣ ଲାଭ ହୁଏ ?
୧୫ ଭରସାଯୋଗ୍ୟ ପ୍ରାଚୀନମାନେ ମଣ୍ଡଳୀ ପାଇଁ ଆଶିଷ ଥାʼନ୍ତି । ତାହା କିପରି? ଯେବେ ଭାଇଭଉଣୀମାନଙ୍କୁ ଜଣାଥାଏ ଯେ ସେମାନେ ଯେତେବେଳେ ବି ଚାହିଁବେ ସାହାଯ୍ୟ ପାଇଁ ପ୍ରାଚୀନମାନଙ୍କୁ ଏପରିକି ସମୂହ ଅଧ୍ୟକ୍ଷଙ୍କୁ ଡାକିପାରିବେ, ତେବେ ସେମାନଙ୍କୁ ଚିନ୍ତା ହୁଏନି । ଏହାଛଡ଼ା ଯେବେ ପ୍ରାଚୀନମାନେ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାʼନ୍ତି, ତେବେ ଭାଇଭଉଣୀମାନେ ଦେଖିପାରନ୍ତି ଯେ ସେମାନେ ତାଙ୍କର କେତେ ଚିନ୍ତା କରନ୍ତି । ଆଉ ଯେବେ ପ୍ରାଚୀନମାନେ ନିଜ ମନରୁ ନୁହେଁ ବରଂ ବାଇବଲ ଓ ଆମ ପ୍ରକାଶନଗୁଡ଼ିକରୁ ପରାମର୍ଶ ଦିଅନ୍ତି ତେବେ ଭାଇଭଉଣୀମାନେ ତାଙ୍କ ଉପରେ ଆହୁରି ଭରସା କରିବାକୁ ଲାଗନ୍ତି । କେବଳ ଏତିକି ନୁହେଁ, ଯେବେ ପ୍ରାଚୀନମାନେ ଭାଇଭଉଣୀମାନଙ୍କ କଥାଗୁଡ଼ିକୁ କେବଳ ନିଜ ପାଖରେ ସୀମିତ ରଖନ୍ତି ଓ ଅନ୍ୟମାନଙ୍କୁ କୁହନ୍ତିନି ଓ ନିଜ ସବୁ ପ୍ରତିଜ୍ଞାକୁ ପୂରା କରନ୍ତି ତେବେ ମଧ୍ୟ ଭାଇଭଉଣୀମାନଙ୍କର ଭରସା ବଢ଼ିଯାଏ ।
୧୬. ଯଦି ଆମେ ସତ୍ୟରେ ଦୃଢ଼ ରହିବା, ତାହେଲେ ଆମକୁ ଓ ଅନ୍ୟମାନଙ୍କୁ କʼଣ ଲାଭ ହେବ?
୧୬ ଦୃଢ଼ ରହନ୍ତୁ । ଯେବେ ଭାଇଭଉଣୀ ଦେଖିବେ ଯେ ଆମେ ସବୁବେଳେ ଯିହୋବାଙ୍କ ଆଜ୍ଞା ପାଳନ କରୁ ଓ ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ ନିଷ୍ପତ୍ତି ନେଉ, ତେବେ ସେମାନେ ବି ଏପରି କରିବା ଶିଖିବେ । ଯେବେ ଆମେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରୁ, ତେବେ ଆମ ବିଶ୍ୱାସ ଆହୁରି ବଢ଼ିଯାଏ ଓ ଆମେ ସତ୍ୟରେ ଆହୁରି ଦୃଢ଼ ରହିପାରୁ । ଏହାଛଡ଼ା ଆମେ ମିଥ୍ୟା ଶିକ୍ଷାଗୁଡ଼ିକୁ ଆପଣାଇ ନ ଥାଉ ଆଉ ଦୁନିଆର ଚିନ୍ତାଧାରାକୁ ନିଜ ଉପରେ ପ୍ରଭାବ ପକାଇବା ପାଇଁ ଦେଇ ନ ଥାଉ । (ଏଫି. ୪:୧୪; ଯାକୁ. ୧:୬-୮) ଆମକୁ ଯିହୋବାଙ୍କ ଉପରେ ଓ ତାଙ୍କ ପ୍ରତିଜ୍ଞାଗୁଡ଼ିକ ଉପରେ ପୂରା ଭରସା ଥାଏ । ତେଣୁ ଆମେ ବଡ଼ ବଡ଼ ଘଟଣାଗୁଡ଼ିକ ବିଷୟରେ ଶୁଣି ଚିନ୍ତାରେ ପଡ଼ି ନ ଥାଉ, ବରଂ ଶାନ୍ତ ରହୁ । (ଗୀତ. ୧୧୨:୭, ୮) କେବଳ ଏତିକି ନୁହେଁ, ଆମେ ସେମାନଙ୍କର ବି ସାହାଯ୍ୟ କରିପାରୁ ଯେଉଁମାନେ ସମସ୍ୟାର ସାମନା କରୁଛନ୍ତି ।—୧ ଥେସ. ୩:୨, ୩.
୧୭. ପ୍ରାଚୀନମାନେ କିପରି ଭାବେ ଭାଇଭଉଣୀମାନଙ୍କୁ ଦୃଢ଼ କରିପାରିବେ ?
୧୭ ପ୍ରାଚୀନମାନେ ସବୁ କଥାରେ ସଂଯମ ରଖନ୍ତି, ସଠିକ୍ ଚିନ୍ତାଧାରା ରଖନ୍ତି, ବ୍ୟବସ୍ଥିତ ଭାବରେ କାମ କରନ୍ତି ଓ ମୃଦୁଶୀଳ ଥାʼନ୍ତି । ସେମାନେ “ଶିକ୍ଷାନୁଯାୟୀ ବିଶ୍ୱାସଯୋଗ୍ୟ ବାକ୍ୟକୁ ଦୃଢ଼ ଭାବରେ” ଧରିଥାʼନ୍ତି । ତେଣୁ ସେମାନେ ଭାଇଭଉଣୀମାନଙ୍କୁ ଦୃଢ଼ କରିପାରନ୍ତି ଓ ଯିହୋବାଙ୍କ ଉପରେ ସେମାନଙ୍କ ବିଶ୍ୱାସ ବଢ଼ାଇପାରନ୍ତି । (ତୀତ. ୧:୯; ୧ ତୀମ. ୩:୧-୩) ପ୍ରାଚୀନମାନେ ଲଗାତାର ସଭାଗୁଡ଼ିକରେ ଯାʼନ୍ତି, ପ୍ରଚାରରେ ଯାʼନ୍ତି ଓ ବ୍ୟକ୍ତିଗତ ଅଧ୍ୟୟନ କରନ୍ତି, ଏପରି ଭାବେ ସେମାନେ ଅନ୍ୟମାନଙ୍କ ପାଇଁ ଗୋଟିଏ ବଢ଼ିଆ ଉଦାହରଣ ରଖନ୍ତି । ଆଉ ଯେବେ ସେମାନେ ଭାଇଭଉଣୀମାନଙ୍କର ପ୍ରତିପାଳକ ସାକ୍ଷାତ କରନ୍ତି, ତେବେ ସେମାନେ ତାଙ୍କୁ ମଧ୍ୟ ଏହି କାମଗୁଡ଼ିକରେ ଲାଗି ରହିବା ପାଇଁ ପ୍ରୋତ୍ସାହନ ଦିଅନ୍ତି । ସମସ୍ୟା ସମୟରେ ଯେବେ ଭାଇଭଉଣୀ ଚିନ୍ତା କରିବାକୁ ଲାଗନ୍ତି, ତେବେ ପ୍ରାଚୀନମାନେ ସେମାନଙ୍କୁ ମନେ ପକାଇ ଦିଅନ୍ତି ଯେ ସେମାନେ ଯିହୋବାଙ୍କ ଉପରେ ଭରସା ରଖନ୍ତୁ ଓ ତାଙ୍କ ପ୍ରତିଜ୍ଞାଗୁଡ଼ିକ ବିଷୟରେ ଭାବନ୍ତୁ ।
୧୮. ଆମେ କାହିଁକି ଯିହୋବାଙ୍କ ପ୍ରଶଂସା କରିବା ପାଇଁ ଚାହୁଁ ଓ ତାଙ୍କର ଆହୁରି ନିକଟତର ହେବା ପାଇଁ ଚାହୁଁ ? (“ ଯିହୋବାଙ୍କ ନିକଟତର ହେବାର ଗୋଟିଏ ଉପାୟ” ନାମକ ବକ୍ସ ଦେଖନ୍ତୁ ।)
୧୮ ଯିହୋବାଙ୍କ ଏହି ଗୁଣଗୁଡ଼ିକ ବିଷୟରେ ଆଲୋଚନା କରିବା ପରେ ଆମେ ମଧ୍ୟ ରାଜା ଦାଉଦଙ୍କ ଭଳି କହିପାରିବା “ମୋହର ଶୈଳ ସ୍ୱରୂପ ସଦାପ୍ରଭୁ ଧନ୍ୟ ହେଉନ୍ତୁ ।” (ଗୀତ. ୧୪୪:୧) ଆମେ ଯିହୋବାଙ୍କ ଉପରେ ପୂରା ଭରସା ରଖିପାରିବା । ଯଦିଓ ଆମେ ବୃଦ୍ଧ ହୋଇଯିବା, ତଥାପି ଯିହୋବା ସବୁବେଳେ ଆମ ସାହାଯ୍ୟ କରିବେ ଓ ଆମର ନିକଟତର ରହିବେ । ତେଣୁ ଆମେ ପୂରା ଭରସାର ସହ କହିପାରିବା ଯେ ଯିହୋବା “ମୋହର ଶୈଳ” ଅଟନ୍ତି !—ଗୀତ. ୯୨:୧୪, ୧୫.
ଗୀତ ୧୫୦ ହିଫାଜତ୍ କେ ଲିଏ ୟହୋବା କି ଖୋଜ୍ କରେଁ
a ଚିତ୍ର ବିଷୟରେ—ବାହାରେ ଦିଆଯାଇଥିବା ଚିତ୍ର: ରାଜ୍ୟଘରେ ଜଣେ ଭଉଣୀ ବିନା ସଂକୋଚରେ ପ୍ରାଚୀନମାନଙ୍କ ସହ କଥା ହେଉଛନ୍ତି ।