ଜୀବନ କାହାଣୀ
ଯିହୋବା ମୋ ପ୍ରାର୍ଥନା ପ୍ରତି ଧ୍ୟାନ ଦେଲେ
ଏହା ସେସମୟର କଥା ଅଟେ ଯେବେ ମୁଁ ଦଶ ବର୍ଷର ଥିଲି । ଗୋଟେ ରାତି ମୁଁ ବହୁତ ଚିନ୍ତିତ ଥିଲି, ମୁଁ ତାରାଭରା ଆକାଶକୁ ଦେଖି ଆଣ୍ଠୁମାଡ଼ି ପ୍ରଥମ ଥର ଯିହୋବାଙ୍କୁ ପ୍ରାର୍ଥନା କରିବାକୁ ଲାଗିଲି । ମୁଁ ମୋ ହୃଦୟ ଖୋଲି ସବୁ କଥା ଯିହୋବାଙ୍କୁ କହିଲି, ସେସମୟରୁ ହିଁ ମୁଁ “ପ୍ରାର୍ଥନା ଶ୍ରବଣକାରୀ” ଯିହୋବାଙ୍କ ନିକଟତର ହେବାକୁ ଲାଗିଲି । (ଗୀତ. ୬୫:୨) କିନ୍ତୁ ମୁଁ କିଛି ସମୟ ପୂର୍ବେ ହିଁ ଯିହୋବାଙ୍କୁ ଜାଣିବା ଆରମ୍ଭ କରିଥିଲି, ତଥାପି ମୁଁ କାହିଁକି ତାଙ୍କୁ ପ୍ରାର୍ଥନା କଲି ? ଏବିଷୟରେ ମୁଁ ଆଗକୁ କହୁଛି ।
ପ୍ରଥମ ଦେଖାରେ ଆମ ଜୀବନ ବଦଳିଗଲା
ମୋ ଜନ୍ମ ୨୨ ଡିସେମ୍ବର ୧୯୨୯ ମସିହାରେ ବେଲଜିୟମ୍ର ବାଷ୍ଟନ୍ ସହରର ନୋୱିଲ୍ ଗାଁରେ ହୋଇଥିଲା । ଆମ ଗାଁ ବହୁତ ଛୋଟ ଥିଲା, ସେଥିରେ କେବଳ ନଅଟି କ୍ଷେତ ଥିଲା । ଏହା ଅର୍ଡେନ୍ ନାମକ ଘଞ୍ଚ ଜଙ୍ଗଲ ପାଖରେ ଥିଲା । ମୋ ପିଲା ବେଳର ସମୟ ବହୁତ ଭଲରେ କଟିଲା । ମୁଁ ଓ ମୋ ଛୋଟ ଭାଇ ରେମଣ୍ଡ ପ୍ରତିଦିନ ଗାଈ କ୍ଷୀର ବାହାର କରୁଥିଲୁ ଏବଂ ଯେବେ ଫସଲ କାଟିବାର ସମୟ ଆସୁଥିଲା, ତେବେ ଆମେ ନିଜ ବାପାମାଆଙ୍କୁ ସାହାଯ୍ୟ କରୁଥିଲୁ । ଆମ ଗାଁର ଲୋକମାନେ ମିଳିମିଶି ରହୁଥିଲେ, ସମସ୍ତେ ପରସ୍ପରକୁ ସାହାଯ୍ୟ କରୁଥିଲେ ।
ମୋ ବାପା ଏମିଲ୍ ଏବଂ ମୋ ମାଆ ଏଲିସ୍ କ୍ୟାଥୋଲିକ୍ ଥିଲେ । ସେମାନେ ପ୍ରତି ରବିବାର ଚର୍ଚ୍ଚ ଯାଉଥିଲେ । ପାଖାପାଖି ୧୯୩୯ ମସିହାରେ ଇଂଲଣ୍ଡରୁ କିଛି ଅଗ୍ରଦୂତ ଆମ ଗାଁକୁ ଆସିଲେ । ସେମାନେ ମୋ ବାପାଙ୍କୁ କନ୍ସୋଲେସନ୍ ପତ୍ରିକା (ଯାହାକୁ ଏବେ ସଜାଗ ହୁଅ ! କୁହାଯାଏ) ଦେଖାଇଲେ ଏବଂ କହିଲେ ଯେ ସେ ଏହାର ସବ୍ସକ୍ରିପସ୍ନ ନେଇପାରିବେ, ଯାହାଫଳରେ ତାଙ୍କୁ ପ୍ରତି ମାସ ଏହି ପତ୍ରିକା ମିଳୁଥିବ । ବାପା ଏହି ପତ୍ରିକା ପଢ଼ିବା ମାତ୍ରେ ବୁଝିଗଲେ ଯେ ସେଥିରେ ଲେଖାଥିବା କଥାଗୁଡ଼ିକ ସତ ଅଟେ । ଆଉ ସେସମୟରୁ ହିଁ ସେ ବାଇବଲ ପଢ଼ିବା ଆରମ୍ଭ କରିଦେଲେ । ଯେବେ ବାପା ଚର୍ଚ୍ଚ ଯିବା ବନ୍ଦ କରିଦେଲେ, ତେବେ ଆମ ପଡ଼ୋଶୀ ଯିଏ ଏବେ ଯାଏ ତାଙ୍କ ଭଲ ସାଙ୍ଗ ଥିଲେ, ତାଙ୍କର ବିରୋଧ କରିବାକୁ ଲାଗିଲେ । ସେ ବାପାଙ୍କ ଉପରେ କ୍ୟାଥୋଲିକ୍ ଧର୍ମ ନ ଛାଡ଼ିବା ପାଇଁ ଚାପ ପକାଇବାକୁ ଲାଗିଲେ । ଆଉ ଏହି କାରଣ ଯୋଗୁଁ ତାଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା ।
ବାପାଙ୍କ ସହିତ ଯାହା ହେଉଥିଲା, ଏହା ଦେଖି ମୋତେ ବହୁତ ଖରାପ ଲାଗୁଥିଲା । ତେଣୁ ମୁଁ ସାହାଯ୍ୟ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କଲି, ଯେପରି ମୁଁ ଆରମ୍ଭରେ ଏବିଷୟରେ କହିଥିଲି । ତାʼପରେ ଯେବେ ପଡ଼ୋଶୀମାନେ ବିରୋଧ କରିବା ବନ୍ଦ କରିଦେଲେ, ତେବେ ମୋତେ ବହୁତ ଖୁସି ଲାଗିଲା । ମୋତେ ଭରସା ହୋଇଗଲା ଯେ ଯିହୋବା “ପ୍ରାର୍ଥନା ଶ୍ରବଣକାରୀ” ଈଶ୍ୱର ଅଟନ୍ତି ।
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ
୧୦ ମେ, ୧୯୪୦ ମସିହାରେ ନାଜି ଜର୍ମାନୀ ସେନା ବେଲଜିୟମ୍ ଉପରେ ଆକ୍ରମଣ କଲା । ତା ଯୋଗୁଁ ଅନେକ ଲୋକମାନଙ୍କୁ ନିଜ ଦେଶ ଛାଡ଼ି ପଳାଇବାକୁ ପଡ଼ିଲା । ଆମେ ବି ଦକ୍ଷିଣ ଫ୍ରାନ୍ସ୍କୁ ଚାଲିଗଲୁ । ସେଠାକୁ ଯିବା ପାଇଁ ଆମକୁ ଏପରି ଅନେକ ଜାଗା ଦେଇ ଯିବାକୁ ପଡ଼ିଲା, ଯେଉଁଠି ଜର୍ମାନୀ ଓ ଫ୍ରାନ୍ସ୍ ସେନା ମଧ୍ୟରେ ଭୀଷଣ ଯୁଦ୍ଧ ଚାଲିଥିଲା ।
ପରେ ଯେବେ ଆମେ ଘରକୁ ଫେରିଲୁ, ତେବେ ଦେଖିଲୁ ଆମର ସବୁକିଛି ଛାରଖାର ହୋଇଯାଇଥିଲା । କେବଳ ଆମର କୁକୁର ବବି ହିଁ ରହିଯାଇଥିଲା । ସେସମୟରେ ମୁଁ ଭାବିବାକୁ ଲାଗିଲି, ‘ଯୁଦ୍ଧ କାହିଁକି ହୁଏ ? ଏତେ ଦୁଃଖ କଷ୍ଟ କାହିଁକି ଅଛି ?’
a ଆମର ବହୁତ ଉତ୍ସାହ ବଢ଼ାଇଲେ । ସେ ଜଣେ ବିଶ୍ୱସ୍ତ ଅଗ୍ରଦୂତ ସେବକ ଏବଂ ପ୍ରାଚୀନ ବି ଥିଲେ । ସେ ବାଇବଲରୁ ପଦ ଦେଖାଇ ଏହା ସ୍ପଷ୍ଟ ଭାବେ ବୁଝାଇଲେ ଯେ ଆଜି କାହିଁକି ଏତେ ଦୁଃଖକଷ୍ଟ ଅଛି । ସେ ମୋର ଅନ୍ୟ ପ୍ରଶ୍ନଗୁଡ଼ିକର ବି ଉତ୍ତର ଦେଲେ । ଏଥିରୁ ମୋତେ ଭରସା ହୋଇଗଲା ଯେ ଯିହୋବା ପ୍ରେମମୟୀ ଈଶ୍ୱର ଅଟନ୍ତି । ସେସମୟଠାରୁ ମୁଁ ତାଙ୍କର ଆହୁରି ନିକଟତର ହେବାକୁ ଲାଗିଲି ।
ସେହି ସମୟରେ ଭାଇ ଏମିଲ୍ ଷ୍ରାନ୍ଜବର୍ତ୍ତମାନ ବି ଯୁଦ୍ଧ ଚାଲୁଥିଲା, ତଥାପି ଆମ ପରିବାର ଅନ୍ୟ ଭାଇଭଉଣୀମାନଙ୍କୁ ଭେଟି ପାରୁଥିଲା । ଅଗଷ୍ଟ ୧୯୪୩ ମସିହାରେ ଭାଇ ଜୋଜେ ନିକୋଲା ମିନେ ଆମ ଏଠାରେ ଆସିଲେ ଏବଂ ଗୋଟିଏ ଭାଷଣ ଦେଲେ । ସେ ପଚାରିଲେ, “କିଏ ବାପ୍ତିସ୍ମ ନେବା ପାଇଁ ଚାହାନ୍ତି ?” ମୁଁ ଓ ବାପା ହାତ ଉଠାଇଲୁ । ତାʼ ପରେ ଆମ କ୍ଷେତ ପାଖରେ ଥିବା ଗୋଟିଏ ଛୋଟ ନଦୀରେ ଆମେ ବାପ୍ତିସ୍ମ ନେଲୁ ।
ଡିସେମ୍ବର ୧୯୪୪ ମସିହାରେ ଜର୍ମାନୀର ସେନା ପଶ୍ଚିମ ୟୁରୋପରେ ନିଜ ଶତ୍ରୁମାନଙ୍କ ଉପରେ ଶେଷ ଥର ଗୋଟିଏ ବଡ଼ ଆକ୍ରମଣ କଲା, ଯାହାକୁ “ବଲ୍ଜ ଯୁଦ୍ଧ” କୁହାଯାଏ । ଏହି ଯୁଦ୍ଧ ଆମ ଘର ପାଖରେ ହେଉଥିଲା, ତେଣୁ ଆମକୁ ପ୍ରାୟ ଗୋଟିଏ ମାସ ଧରି ଘରର ତଳେ ଥିବା ରୁମ୍ରେ ଲୁଚି ରହିବାକୁ ପଡ଼ିଲା । ଦିନେ ମୁଁ ପଶୁମାନଙ୍କୁ ଚାରା ଦେବା ପାଇଁ ବାହାରକୁ ବାହାରି ଥିଲି, ଠିକ୍ ସେହି ସମୟରେ ବୋମା ବର୍ଷଣ ହେବାକୁ ଲାଗିଲା । ଆଉ ତା ଯୋଗୁଁ ଆମ ଗୋଦାମ ଘରର ଛାତ ନଷ୍ଟ ହେଇଗଲା । ଘୋଡ଼ା ରହୁଥିବା ଘର ପାଖରେ ଜଣେ ଆମେରିକୀୟ ସୈନିକ ଥିଲେ, ଯିଏ ଜୋର୍ ଆୱାଜରେ କହିଲେ, “ଶୋଇ ଯାଅ !” ଆଉ ମୁଁ ଦୌଡ଼ି ଯାଇ ତାଙ୍କ ପାଖରେ ଶୋଇଗଲି ଓ ସେ ମୋତେ ରକ୍ଷା କରିବା ପାଇଁ ନିଜ ହେଲ୍ମେଟ୍ ମୋତେ ପିନ୍ଧେଇ ଦେଲେ ।
ଯିହୋବାଙ୍କ ସେବାକୁ ପ୍ରଥମ ସ୍ଥାନ ଦେବାକୁ ଲାଗିଲି
ଯୁଦ୍ଧ ପରେ ଆମେ ଲିଏଜ୍ ସହରରେ ଯେଉଁ ମଣ୍ଡଳୀ ଥିଲା ତାʼର ଭାଇଭଉଣୀମାନଙ୍କ ସମ୍ପର୍କରେ ରହିବାକୁ ଲାଗିଲୁ । ଏହି ସହର ଆମ ଜାଗାଠାରୁ ପ୍ରାୟ ୯୦ କିଲୋମିଟର (୫୬ ମିଲ୍) ଦୂର ଉତ୍ତରରେ ଥିଲା । କିଛି ସମୟ ପରେ, ଆମେ ବାଷ୍ଟନ୍ ରେ ଗୋଟିଏ ଛୋଟିଆ ଅଧ୍ୟୟନ ସମୂହ ଆରମ୍ଭ କଲୁ । ସେହି ସମୟରେ ମୁଁ ଟ୍ୟାକ୍ସ ବିଭାଗରେ କାମ କରିବାକୁ ଲାଗିଲି ଓ ମୋତେ ଓକିଲାତି ପଢ଼ିବାର ସୁଯୋଗ ମିଳିଲା । ପରେ ମୋତେ ଗୋଟିଏ ସରକାରୀ ଅଫିସ୍ରେ ଚାକିରି ମିଳିଗଲା । ୧୯୫୧ ମସିହାରେ ବାଷ୍ଟନ୍ ରେ ଗୋଟିଏ ଛୋଟିଆ ସର୍କିଟ ସମ୍ମିଳନୀ ରଖାଗଲା, ଯେଉଁଠି ପ୍ରାୟ ଶହେ ଜଣ ଲୋକ ଉପସ୍ଥିତ ହେଲେ । ସେହି ସମ୍ମିଳନୀରେ ମୁଁ ଜଣେ ଅଗ୍ରଦୂତ ଭଉଣୀଙ୍କୁ ଭେଟିଲି, ତାଙ୍କ ନାମ ହେଉଛି ଏଲି ରାୟଟର । ସେ ସମ୍ମିଳନୀ ପାଇଁ ୫୦ କିଲୋମିଟର (୩୧ ମିଲ୍) ଦୂର ସାଇକେଲରେ ଆସିଥିଲେ । ଆମେ ପରସ୍ପରକୁ ପସନ୍ଦ କରିବାକୁ ଲାଗିଲୁ ଏବଂ ତାʼପରେ ଆମର ନିର୍ବନ୍ଧ ହୋଇଗଲା । ଏଲିକଙ୍କୁ ଗିଲିଅଡ୍ ସ୍କୁଲ ପାଇଁ ନିମନ୍ତ୍ରଣ ମିଳିଲା, କିନ୍ତୁ ସେ ବିଶ୍ୱ ମୁଖ୍ୟାଳୟକୁ ଚିଠି ଲେଖି କହିଲେ ଯେ ସେ କାହିଁକି ଏହି ସ୍କୁଲରେ ଉପସ୍ଥିତ ହୋଇପାରିବେ ନାହିଁ । ସେସମୟରେ ଭାଇ ନୋର୍ ଯିହୋବାଙ୍କ ଲୋକମାନଙ୍କର ନେତୃତ୍ୱ ନେଉଥିଲେ । ସେ ସେହି ଚିଠିର ଉତ୍ତର ଦେଲେ ଓ ବହୁତ ପ୍ରେମର ସହ କହିଲେ, ‘ହୁଏତ ତମେ ଦିନେ ନିଜ ସ୍ୱାମୀଙ୍କ ସହ
ସ୍କୁଲରେ ଉପସ୍ଥିତ ହେବ ।’ ଫେବୃୟାରୀ ୧୯୫୩ ମସିହାରେ ଆମ ବିବାହ ହୋଇଗଲା ।ସେହି ବର୍ଷ ମୁଁ ଏବଂ ଏଲି “ନୂତନ ଜଗତ ସମାଜ” ସମ୍ମିଳନୀରେ ଉପସ୍ଥିତ ହେଲୁ, ଯାହା ନ୍ୟୁ ୟର୍କର ୟାଙ୍କି ଷ୍ଟାଡିୟମରେ ରଖାଯାଇଥିଲା । ସେଠାରେ ମୁଁ ଜଣେ ଭାଇଙ୍କୁ ଭେଟିଲି । ସେ କହିଲେ ଯେ ଯଦି ମୁଁ ଆମେରିକାରେ ଆସିକି ରହିବି, ତେବେ ସେ ମୋତେ ଗୋଟିଏ ଭଲ ଚାକିରି ଦେବେ । ମୁଁ ଏବଂ ଏଲି ଏବିଷୟରେ ବହୁତ ପ୍ରାର୍ଥନା କଲୁ । ତା ପରେ ଆମେ ନିଷ୍ପତ୍ତି ନେଲୁ ଯେ ମୁଁ ଏହି ଚାକିରି କରିବା ପରିବର୍ତ୍ତେ ଆମେ ବେଲିଜିୟମ୍ ଯାଇ ବାଷ୍ଟନ୍ ସହରର ଛୋଟ ସମୂହକୁ ସାହାଯ୍ୟ କରିବା, ଯେଉଁଥିରେ କେବଳ ୧୦ ଜଣ ପ୍ରଚାରକ ଅଛନ୍ତି । ଆର ବର୍ଷ ଆମର ଗୋଟିଏ ପୁଅ ହେଲା, ଯାହାର ନାମ ଆମେ ସର୍ଜ ରଖିଲୁ । କିନ୍ତୁ ସାତ ମାସ ପରେ ସେ ରୋଗରେ ପଡ଼ିଗଲା ଓ ତାର ମୃତ୍ୟୁ ହୋଇଗଲା । ଆମେ ଯେଉଁ ଦୁଃଖର ସମୟର ସାମନା କରୁଥିଲୁ, ସେ ବିଷୟରେ ଯିହୋବାଙ୍କୁ କହିଲୁ । ଆଉ ପୁନରୁତ୍ଥାନର ଆଶା ବିଷୟରେ ଭାବିକି ମଧ୍ୟ ଆମକୁ ବହୁତ ସାହାଯ୍ୟ ମିଳିଲା ।
ପୂର୍ଣ୍ଣସମୟର ସେବା କଲି
ଅକ୍ଟୋବର ୧୯୬୧ ମସିହାରେ ମୋତେ ଗୋଟିଏ ପାର୍ଟ ଟାଇମ୍ ଚାକିରି ମିଳିଗଲା ଆଉ ଏବେ ମୁଁ ଅଗ୍ରଦୂତ ସେବା ବି କରିପାରିଥାʼନ୍ତି । ସେହି ଦିନ ବେଲଜିୟମ୍ରେ ଶାଖା ସେବକ ମୋତେ ଫୋନ୍ କଲେ । ସେ ପଚାରିଲେ, ‘କʼଣ ତମେ ଗୋଟିଏ ସର୍କିଟ ସେବକ ଭାବେ କାମ କରିବ ?’ (ଆଜି ସର୍କିଟ ସେବକକୁ ସର୍କିଟ ଅଧ୍ୟକ୍ଷ କୁହାଯାଏ ।) ମୁଁ କହିଲି, “ତାହା କରିବା ପୂର୍ବରୁ କʼଣ ଆମେ କିଛି ସମୟ ଅଗ୍ରଦୂତ ସେବା କରିପାରିବା ?” ସେ ଆମ କଥାରେ ରାଜି ହୋଇଗଲେ । ଆମେ ଆଠ ମାସ ଅଗ୍ରଦୂତ ସେବା କଲୁ ଓ ତାʼପରେ ସେପ୍ଟେମ୍ବର ୧୯୬୨ ମସିହାରେ ସର୍କିଟ କାମ ଆରମ୍ଭ କଲୁ ।
ଦୁଇ ବର୍ଷ ସର୍କିଟ କାମ କରିବା ପରେ ଆମକୁ ବୈଥେଲ ଡକାଗଲା, ଯାହା ବେଲଜିୟମ୍ର ରାଜଧାନୀ ବ୍ରୁସେଲ୍ସରେ ଥିଲା । ଅକ୍ଟୋବର ୧୯୬୪ରୁ ଆମେ ସେଠାରେ ସେବା କରିବା ଆରମ୍ଭ କଲୁ । ଆମକୁ ଅନେକଗୁଡ଼ିଏ ଆଶିଷ ମିଳିଲା । ୧୯୬୫ ମସିହାରେ ଭାଇ ନୋର୍ ଆମ ବୈଥେଲର ପରିଦର୍ଶନ କଲେ । ସେ ମୋତେ ଶାଖା ସେବକ ଭାବେ ନିଯୁକ୍ତ କଲେ । ଏହା ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି । କାରଣ ଏବିଷୟରେ ମୁଁ ଭାବି ହିଁ ନ ଥିଲି । ପରେ ମୋତେ ଓ ଏଲିଙ୍କୁ ଗିଲିଅଡ୍ ସ୍କୁଲର ୪୧ତମ କ୍ଲାସ ପାଇଁ ଡକାଗଲା । ଭାଇ ନୋର୍ ୧୩ ବର୍ଷ ପୂର୍ବେ ଯେଉଁ କଥା କହିଥିଲେ, ତାହା ପୂରା ହୋଇଗଲା । ସ୍କୁଲ ପରେ ଆମେ ବେଲଜିୟମ୍ ବୈଥେଲକୁ ଆସିଲୁ ।
ଅଧିକାର ପାଇଁ ଲଢ଼ିଲି
ମୁଁ ଯେଉଁ ଓକିଲାତି ପଢ଼ିଥିଲି, ତା ଯୋଗୁଁ ମୁଁ ୟୁରୋପ ଏବଂ ଅନ୍ୟ ଜାଗାଗୁଡ଼ିକରେ ଯିହୋବାଙ୍କ ସାକ୍ଷୀମାନଙ୍କୁ ଉପାସନା କରିବାର ସ୍ୱାଧୀନତା ପାଇବାରେ ସାହାଯ୍ୟ କରିବା ପାଇଁ କେସ୍ ଲଢ଼ିଲି । (ଫିଲିପ୍. ୧:୭) ମୁଁ ପ୍ରାୟ ୫୫ ଦେଶଗୁଡ଼ିକର ଅଧିକାରୀମାନଙ୍କୁ ଭେଟିଲି ଯେଉଁଠି ଆମ କାମ ଉପରେ କଟକଣା ଲଗାଯାଇଥିଲା କିମ୍ବା ପୂରାପୂରି ରୋକ ଲଗାଯାଇଥିଲା । କିନ୍ତୁ ଯେବେ ମୁଁ ସେମାନଙ୍କୁ ଭେଟିଲି ତେବେ ମୁଁ ସେମାନଙ୍କୁ ନିଜର ଓକିଲାତି ପଢ଼ା ବିଷୟରେ କହୁ ନ ଥିଲି ବରଂ ସେମାନଙ୍କୁ ମୁଁ ଏହା କହୁଥିଲି ଯେ ମୁଁ ଈଶ୍ୱରଙ୍କ ଜଣେ ସେବକ ଅଟେ । ମୁଁ ପ୍ରତ୍ୟେକ ମାମଲାରେ ଯିହୋବାଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କରୁଥିଲି । ମୁଁ ଜାଣିଥିଲି ଯେ “ରାଜାର [ବା ଜଜ୍] ଅନ୍ତଃକରଣ ସଦାପ୍ରଭୁଙ୍କ ହସ୍ତରେ ଜଳପ୍ରଣାଳୀ ତୁଲ୍ୟ ଥାଏ; ସେ ଯେଉଁ ଆଡ଼େ ଇଚ୍ଛା, ସେ ଆଡ଼େ ତାହା ଫେରାନ୍ତି ।”—ହିତୋ. ୨୧:୧.
ମୁଁ ଅନେକ ଥର ଏହା ଅନୁଭବ କରିପାରିଲି ଯେ ଯିହୋବା କିପରି ଅଧିକାରୀମାନଙ୍କ ମନ ପରିବର୍ତ୍ତନ କଲେ । ଗୋଟେ ଘଟଣା ମୋତେ ଆଜି ବି ମନେ ଅଛି । ମୁଁ ୟୁରୋପୀୟ ସଂସଦର ଜଣେ ସଦସ୍ୟଙ୍କୁ ଭେଟିବା ପାଇଁ ଅନେକ ଥର ଚେଷ୍ଟା କଲି । ଆଉ ଶେଷରେ ସେ ମୋତେ ଭେଟିବା ପାଇଁ ରାଜି ହୋଇଗଲେ । ସେ ମୋତେ କହିଲେ “ତମ ପାଖରେ କେବଳ ୫ ମିନିଟ୍ ସମୟ ଅଛି, ଯାହା କହିବାର ଅଛି ଶୀଘ୍ର କୁହ ।” ମୁଁ ମୁଣ୍ଡ ନୁଆଁଇ ପ୍ରାର୍ଥନା କରିବାକୁ ଲାଗିଲି । ଏହାଦେଖି ସେ ଟିକେ ଡରିଗଲେ ଆଉ ମୋତେ ସେ ପଚାରିଲେ , ‘ଏହା ତମେ କʼଣ କରୁଛ ?’ ମୁଁ କହିଲି, “ମୁଁ ଈଶ୍ୱରଙ୍କୁ ଧନ୍ୟବାଦ କହୁଛି, କାରଣ ଆପଣ ତାଙ୍କ ସେବକ ଅଟନ୍ତି ।” ସେ ପଚାରିଲେ, “ତାʼ ଅର୍ଥ ?” ମୁଁ ତାଙ୍କୁ ରୋମୀୟ ୧୩:୪ ପଦ ଦେଖାଇଲି । ସେ ପ୍ରୋଟେଷ୍ଟାଣ୍ଟ ଧର୍ମର ଥିଲେ ଆଉ ସେ ବାଇବଲକୁ ଆଦର କରୁଥିଲେ । ତେଣୁ ସେ ଅଧ ଘଣ୍ଟା ଯାଏ ମୋ ସାଙ୍ଗରେ କଥା ହେଲେ । ଆଉ ଆମ କଥାବାର୍ତ୍ତା ବହୁତ ଭଲ ଭାବରେ ଚାଲିଲା । ସେ ଏହା ବି କହିଲେ ଯେ ସେ ଯିହୋବାଙ୍କ ସାକ୍ଷୀମାନଙ୍କ କାମକୁ ଆଦର କରନ୍ତି ।
ଅନେକ ବର୍ଷରୁ ଯିହୋବାଙ୍କ ଲୋକମାନେ ୟୁରୋପରେ ଅନେକ ମକଦ୍ଦମା ଲଢ଼ିଛନ୍ତି ଯେପରି ସେନାରେ ଭର୍ତ୍ତି ହେବା, ପିଲାଙ୍କ କଷ୍ଟଡି, ଟ୍ୟାକ୍ସ ଭରିବା ଏବଂ ଅନ୍ୟ ମାମଲାଗୁଡ଼ିକରେ । ମୋ ପାଇଁ ଏହା ବହୁତ ସମ୍ମାନର କଥା ଯେ ଏ ମଧ୍ୟରୁ କିଛି ମକଦ୍ଦମା ଜିତିବା ପାଇଁ ମୁଁ ମଧ୍ୟ ସାହାଯ୍ୟ କରିପାରିଲି । ମୁଁ ଦେଖିପାରିଲି ଯେ ଯିହୋବା କିପରି ଆମକୁ ଜିତିବାରେ ସାହାଯ୍ୟ କଲେ । ଯିହୋବାଙ୍କ ସାକ୍ଷୀମାନେ ‘ମାନବ ଅଧିକାରର ୟୁରୋପୀୟ ଅଦାଲତରେʼ ୧୪୦ରୁ ଅଧିକ ମକଦ୍ଦମା ଜିତିଛନ୍ତି ।
କ୍ୟୁବାରେ ରାଜ୍ୟର କାମ ବଢ଼ିବାକୁ ଲାଗିଲା
ପରେ ମୋତେ ବିଶ୍ୱ ମୁଖ୍ୟାଳୟର ଜଣେ ଭାଇ ଫିଲିପ୍ ବ୍ରମଲି ଓ ଇଟାଲୀ ର ଜଣେ ଭାଇ ୱାଲ୍ଟର ଫୋର୍ନେଟିଙ୍କ ସହ କାମ କରିବାର ସୁଯୋଗ ମିଳିଲା । କ୍ୟୁବାରେ ଆମ କାମ ଉପରେ କଟକଣା ଲଗାଯାଇଥିଲା । ତେଣୁ ଆମେ ତିନିଜଣ ମିଶି କ୍ୟୁବାର ଭାଇ-ଭଉଣୀମାନଙ୍କୁ ସାହାଯ୍ୟ କରିବା ପାଇଁ ଚେଷ୍ଟା କଲୁ ଯଦ୍ୱାରା ସେମାନେ ସ୍ୱାଧୀନ ଭାବରେ ଯିହୋବାଙ୍କ ଉପାସନା କରିପାରନ୍ତୁ । ମୁଁ ବେଲଜିୟମ୍ରେ କ୍ୟୁବାର ଦୂତାବାସ (ଏମ୍ବେସି) କୁ ଚିଠି ଲେଖିଲି ଏବଂ ସେଠାରେ ଜଣେ ଅଧିକାରୀଙ୍କୁ ଅନେକଥର ଭେଟିଲି କିନ୍ତୁ କିଛି ଲାଭ ହେଲାନାହିଁ । ଯେଉଁ ଭୁଲ୍ ଧାରଣା ଯୋଗୁଁ ସରକାର ଆମ ଉପରେ କଟକଣା ଜାରି କରିଥିଲେ, ତାହା ଦୂର ହୋଇପାରିଲା ନାହିଁ ।
ତାʼପରେ ଆମେ ଯିହୋବାଙ୍କୁ ସାହାଯ୍ୟ ପାଇଁ ପ୍ରାର୍ଥନା କଲୁ । ଆମେ ସାକ୍ଷୀମାନଙ୍କ ପାଖକୁ ୫,୦୦୦ଟି ବାଇବଲ ପଠାଇବା ପାଇଁ କ୍ୟୁବାର ସରକାରକୁ ଅନୁରୋଧ କଲୁ । ଆଉ ତାʼପାଇଁ ଆମକୁ ମଞ୍ଜୁରି ମିଳିଗଲା । ଯେବେ ବାଇବଲ ଭାଇ-ଭଉଣୀମାନଙ୍କ ଯାଏଁ ପହଞ୍ଚିଗଲା, ତେବେ ଆମେ ବୁଝିଗଲୁ ଯେ ଯିହୋବା ଆମ ପରିଶ୍ରମ ଉପରେ ଆଶିଷ ଦେଇଛନ୍ତି । ତାʼପରେ ଆମେ ଆହୁରି ୨୭,୫୦୦ ବାଇବଲ ପଠାଇବା ପାଇଁ ଅନୁରୋଧ କଲୁ । ଆମକୁ ତାʼପାଇଁ ବି ମଞ୍ଜୁରି ମିଳିଗଲା । ଏପରି ଭାବେ କ୍ୟୁବାର ପ୍ରତ୍ୟେକ ଭାଇ-ଭଉଣୀଙ୍କ ଯାଏଁ ବାଇବଲ ପହଞ୍ଚାଇ ମୋତେ ବହୁତ ଖୁସି ଲାଗିଲା ।
କ୍ୟୁବାରେ ଆମ କାମ ଉପରେ ଯେଉଁ କଟକଣା ଲଗାଯାଇଥିଲା ତାହାକୁ ହଟାଇବା ପାଇଁ ମୁଁ ଅନେକଥର ସେଠାକୁ ଗଲି । ସେ ସମୟରେ ସେଠାର ଅନେକ ଅଧିକାରୀମାନଙ୍କୁ ମୁଁ ଭେଟିଲି ଓ ସେମାନଙ୍କ ସହିତ ମୋର ଚିହ୍ନାପରିଚୟ ହୋଇଗଲା ।
ରୁଆଣ୍ଡାରେ ଭାଇଭଉଣୀମାନଙ୍କୁ ସାହାଯ୍ୟ କଲୁ
୧୯୯୪ ମସିହାରେ ରୁଆଣ୍ଡା ଦେଶରେ ଟୁଟ୍ସି ଜାତିକୁ ପୂରାପୂରି ଶେଷ କରିବା ପାଇଁ ଲୋକଙ୍କ ହତ୍ୟା କରାଗଲା ଆଉ ସେଥିରେ ୧୦ ଲକ୍ଷରୁ ବି ଅଧିକ ଲୋକମାନେ ଜୀବନ ହରାଇଲେ । ଦୁଃଖର କଥା ଆମର କିଛି ଭାଇଭଉଣୀମାନଙ୍କ ମଧ୍ୟ ଏଥିରେ ଜୀବନ ଚାଲିଗଲା । ସେସମୟରେ ଭାଇମାନଙ୍କ ଗୋଟିଏ ସମୂହକୁ କୁହାଗଲା ଯେ ସେମାନେ ରୁଆଣ୍ଡାର ଭାଇଭଉଣୀମାନଙ୍କ ଯାଏଁ ରିଲିଫ ସାମଗ୍ରୀ ପହଞ୍ଚାନ୍ତୁ ।
ଯେବେ ଆମ ସମୂହ ରାଜଧାନୀ କିଗାଲୀ ପହଞ୍ଚିଲା ତେବେ ଆମେ ଦେଖିଲୁ ଯେ ଅନୁବାଦ କାର୍ଯ୍ୟାଳୟ ଏବଂ ପ୍ରକାଶନ ରଖିବାର ଗୋଦାମର କାନ୍ଥସବୁରେ ଗୁଳିଗୁଡ଼ିକର ଚିହ୍ନ ଅଛି । ଆମେ ଅନେକ ଦୁଃଖଦ ଘଟଣା ଶୁଣିଲୁ ଯେ କିପରି ଆମ ଭାଇଭଉଣୀମାନଙ୍କୁ ବଡ଼ ବଡ଼ ଛୁରୀଗୁଡ଼ିକରେ ମାରି ଦିଆଗଲା । କିନ୍ତୁ ଆମକୁ ଏହା ବି ଜଣାଇ ଦିଆଗଲା ଯେ ସେଠାର ଭାଇଭଉଣୀମାନେ କିପରି ପରସ୍ପର ପାଇଁ ପ୍ରେମ ଦେଖାଇଲେ । ଯେପରି ଆମେ ଟୁଟ୍ସି ଜାତିର ଜଣେ ଭାଇଙ୍କୁ ଭେଟିଲୁ ଯାହାଙ୍କୁ ହୁଟୁ ଜାତିର ଜଣେ
ସାକ୍ଷୀ ପରିବାର ୨୮ ଦିନ ଯାଏଁ ଖାଲରେ ଲୁଚାଇ ରଖିଥିଲେ । ଆମେ କିଗାଲୀରେ ଗୋଟିଏ ସଭା ରଖିଲୁ । ସେଠାରେ ୯୦୦ରୁ ବି ଅଧିକ ଭାଇଭଉଣୀ ଆସିଲେ ଓ ଆମେ ବାଇବଲରୁ ସେମାନଙ୍କର ଉତ୍ସାହ ବଢ଼ାଇଲୁ ।ଯେବେ ଆମେ ସୀମା ପାର କରି ଜାୟର୍ ଦେଶ ଗଲୁ (ଯାହାକୁ ଆଜି କଙ୍ଗୋ ଗଣତାନ୍ତ୍ରିକ ଗଣରାଜ୍ୟନାମକ ନାମରେ ଜଣାଯାଏ) ଯଦ୍ୱାରା ଆମେ ସେଠାରେ ରୁଆଣ୍ଡାର ଭାଇଭଉଣୀମାନଙ୍କୁ ଖୋଜି ପାରୁ । ଅନେକ ଭାଇଭଉଣୀ ଗୋମା ସହର ପାଖରେ ଥିବା ଶରଣାର୍ଥୀ ଶିବିରରେ ପଳାଇ ଯାଇଥିଲେ । କିନ୍ତୁ ଆମେ ସେଠାରେ ସେମାନଙ୍କୁ ପାଇଲୁ ନାହିଁ । ତେବେ ଆମେ ଯିହୋବାଙ୍କୁ ପ୍ରାର୍ଥନା କଲୁ ଓ ସାହାଯ୍ୟ ମାଗିଲୁ । ତାʼପରେ ଜଣାଅଛି କʼଣ ହେଲା ? ଆମେ ଜଣେ ବ୍ୟକ୍ତିକୁ ନିଜ ଆଡ଼କୁ ଆସିବାର ଦେଖିଲୁ । ଆମେ ତାଙ୍କୁ ପଚାରିଲୁ ଯେ କʼଣ ସେ କୌଣସି ଯିହୋବାଙ୍କ ସାକ୍ଷୀଙ୍କୁ ଜାଣନ୍ତି ? ସେ କହିଲେ, “ମୁଁ ନିଜେ ଜଣେ ଯିହୋବାଙ୍କ ସାକ୍ଷୀ ଅଟେ । ଚାଲନ୍ତୁ ମୁଁ ଆପଣଙ୍କୁ ରିଲିଫ ସମିତି ପାଖକୁ ନେଇକି ଯାଏ ।” ଆମେ ପ୍ରଥମେ ରିଲିଫ ସମିତିକୁ ଭେଟିଲୁ ତାʼପରେ ପ୍ରାୟ ୧,୬୦୦ ଶରଣାର୍ଥୀ ଭାଇଭଉଣୀମାନଙ୍କୁ ଭେଟିଲୁ । ଆମେ ସେ ସମସ୍ତଙ୍କର ସାହସ ବଢ଼େଇଲୁ । ଆମେ ସେମାନଙ୍କୁ ପ୍ରଶାସନ ଦଳ ତରଫରୁ ଚିଠି ମଧ୍ୟ ପଢ଼ିକି ଶୁଣେଇଲୁ । ସେଥିରେ ଲେଖାଥିଲା, “ଆମେ ଲଗାତାର ଆପଣଙ୍କ ପାଇଁ ପ୍ରାର୍ଥନା କରୁଛୁ । ଆମକୁ ଭରସା ଅଛି ଯେ ଯିହୋବା ଆପଣଙ୍କୁ ଏକୁଟିଆ ଛାଡ଼ିବେ ନାହିଁ ।” ଏହି କଥା ସେହି ଭାଇଭଉଣୀମାନଙ୍କ ହୃଦୟକୁ ଛୁଇଁଗଲା । ପ୍ରଶାସନ ଦଳ ଯେଉଁ କଥା କହିଥିଲା, ତାହା ବିଲକୁଲ୍ ଠିକ୍ ଥିଲା । ଯିହୋବା ରୁଆଣ୍ଡାର ଭାଇଭଉଣୀମାନଙ୍କୁ ଛାଡ଼ିଲେ ନାହିଁ । ଆଜି ରୁଆଣ୍ଡାରେ ୩୦,୦୦୦ରୁ ବି ଅଧିକ ସାକ୍ଷୀ ଖୁସି ଖୁସି ଯିହୋବାଙ୍କ ସେବା କରୁଛନ୍ତି !
ମୁଁ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ନିଷ୍ପତ୍ତି ନେଲି
୨୦୧୧ରେ ମୋର ପ୍ରିୟ ସ୍ତ୍ରୀ ଏଲିଙ୍କ ମୃତ୍ୟୁ ହେଇଗଲା । ଆମେ ପ୍ରାୟ ୫୮ ବର୍ଷ ସାଙ୍ଗରେ ରହିଲୁ । ଏହି ଦୁଃଖର ସମୟରେ ମୁଁ ଯିହୋବାଙ୍କୁ ବହୁତ ପ୍ରାର୍ଥନା କଲି ଏବଂ ସେ ମୋତେ ସାନ୍ତ୍ୱନା ଦେଲେ । ତା ସହିତ ପ୍ରଚାର କାମରେ ଲାଗି ରହିବା ଯୋଗୁଁ ବି ମୋତେ ବହୁତ ସାହସ ମିଳିଲା ।
ମୋର ବୟସ ୯୦ରୁ ବି ଅଧିକ ହୋଇଯାଇଛି ତଥାପି ମୁଁ ପ୍ରତି ସପ୍ତାହ ପ୍ରଚାରରେ ଯାଏ । ମୁଁ ଏଠାରେ ବେଲଜିୟମ୍ ବୈଥେଲର ଆଇନ ବିଭାଗରେ ସାହାଯ୍ୟ କରେ ଏବଂ ଅନ୍ୟମାନଙ୍କୁ ନିଜ ଅନୁଭୂତି ବିଷୟରେ କହି ସେମାନଙ୍କ ଉତ୍ସାହ ବଢ଼ାଏ । ମୁଁ ବୈଥେଲର ଯୁବା ଭାଇଭଉଣୀମାନଙ୍କର ପ୍ରତିପାଳକ ଭେଟ ବି କରେ । ମୁଁ ବହୁତ ଖୁସି ଯେ ମୁଁ ଯିହୋବାଙ୍କ ପାଇଁ ଏତେ ସବୁ କରିପାରୁଛି ।
ଆଜିଠୁ ପ୍ରାୟ ୮୪ ବର୍ଷ ପୂର୍ବେ ମୁଁ ଯିହୋବାଙ୍କୁ ପ୍ରଥମ ଥର ପ୍ରାର୍ଥନା କରିଥିଲି । ଆଉ ଆଜି ମୁଁ ତାଙ୍କ ଆହୁରି ନିକଟତର ହୋଇଯାଇଛି । ମୁଁ ଯିହୋବାଙ୍କ ବହୁତ କୃତଜ୍ଞ ଯେ ସେ ମୋ ପ୍ରାର୍ଥନାଗୁଡ଼ିକୁ ଶୁଣିଲେ ଏବଂ ତାʼର ଉତ୍ତର ଦେଲେ ।—ଗୀତ. ୬୬:୧୯. b