इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କ ପ୍ରଶ୍ନ

ଆପଣଙ୍କ ପ୍ରଶ୍ନ

ଯେବେ ଯୀଶୁ କହିଲେ, “ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ,” ତେବେ ତାʼର ଅର୍ଥ କʼଣ ଥିଲା ?

ଯୀଶୁ ଲୋକମାନଙ୍କୁ ଶିଖାଇଲେ ଯେ ସେମାନେ ସମସ୍ତଙ୍କ ସହ ଶାନ୍ତି ବଜାୟ ରଖନ୍ତୁ । କିନ୍ତୁ ଥରେ ସେ ନିଜ ପ୍ରେରିତମାନଙ୍କୁ ଏହା ବି କହିଲେ, “ମୁଁ ଯେ ପୃଥିବୀରେ ଶାନ୍ତି ଦେବାକୁ ଆସିଅଛି, ଏହା ମନେ କର ନାହିଁ; ଶାନ୍ତି ଦେବାକୁ ନ ଆସି ବରଂ ଖଡ଼୍‌ଗ ଦେବାକୁ ଆସିଅଛି । କାରଣ ମୁଁ ପିତା ସହିତ ପୁତ୍ରର ଓ ମାତା ସହିତ କନ୍ୟାର, ପୁଣି ଶାଶୁ ସହିତ ବୋହୁର ବିରୋଧ ଘଟାଇବାକୁ ଆସିଅଛି ।” (ମାଥି. ୧୦:୩୪, ୩୫) ଯୀଶୁଙ୍କର କହିବାର ଅର୍ଥ କʼଣ ଥିଲା ?

ଯୀଶୁ ଏହା ଚାହୁଁ ନ ଥିଲେ ଯେ ଲୋକମାନଙ୍କ ପରିବାର ଭାଙ୍ଗିଯାଉ । କିନ୍ତୁ ତାଙ୍କୁ ଜଣାଥିଲା ଯେ ଯେବେ ଲୋକମାନେ ତାଙ୍କ ଶିକ୍ଷାଗୁଡ଼ିକୁ ମାନିବେ, ତେବେ ହୁଏତ ସେମାନଙ୍କର ପରିବାର ଲୋକଙ୍କୁ ଏହା ଭଲ ଲାଗି ନ ପାରେ ଓ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇପାରେ । ଏପରି ବି ହୋଇପାରେ ଯେ କାହାରି ଜୀବନସାଥୀ ବା ପରିବାର ଲୋକେ ତାଙ୍କର ବିରୋଧ କରିପାରନ୍ତି, ଯାହାଫଳରେ ତାଙ୍କ ପାଇଁ ଯୀଶୁଙ୍କ ଶିକ୍ଷାଗୁଡ଼ିକୁ ମାନିବା ବହୁତ କଷ୍ଟକର ହୋଇପାରେ । ତେଣୁ ଯୀଶୁ ଚାହୁଁଥିଲେ ଯେ ଯଦି କେହି ତାଙ୍କର ଶିଷ୍ୟ ହେବାକୁ ଚାହେଁ ଓ ବାପ୍ତିସ୍ମ ନେବାକୁ ଚାହେଁ, ତାହେଲେ ସେ ଏକଥାକୁ ବୁଝୁ ଯେ ତାʼ ସହ ମଧ୍ୟ ଏପରି ହୋଇପାରେ ।

ବାଇବଲରେ ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦିଆଯାଇଛି ଯେ ସେମାନେ “ସମସ୍ତ ଲୋକଙ୍କ ସହିତ ଶାନ୍ତିରେ” ରହନ୍ତୁ । (ରୋମୀ. ୧୨:୧୮) କିନ୍ତୁ ଅନେକଥର ଯେବେ ପରିବାରର ଜଣେ ବ୍ୟକ୍ତି ଯୀଶୁଙ୍କ ଶିକ୍ଷାଗୁଡ଼ିକୁ ମାନିବାକୁ ଲାଗେ, ତେବେ ଅନ୍ୟମାନଙ୍କୁ ଏହା ଭଲ ଲାଗେନି ଓ ସେମାନେ ତାʼର ବିରୋଧ କରନ୍ତି । ଏପରି ଭାବେ ଯୀଶୁଙ୍କ ଶିକ୍ଷାଗୁଡ଼ିକ ଏକ “ଖଡ଼୍‌ଗ” ବା ଖଣ୍ଡା ପରି ଅଟେ ଯାହାଫଳରେ ଜଣେ ଲୋକ ନିଜ ପରିବାରରୁ ଅଲଗା ହୋଇଯାଏ ଓ ତାʼ ନିଜ ଘର ଲୋକମାନେ ହିଁ ତାʼର “ଶତ୍ରୁ” ଭଳି ହୋଇଯାʼନ୍ତି ।—ମାଥି. ୧୦:୩୬.

ଆଜି ଯୀଶୁଙ୍କର ଅନେକ ଶିଷ୍ୟମାନଙ୍କର ପରିବାର ଲୋକେ ଯିହୋବାଙ୍କର ସାକ୍ଷୀ ନୁହନ୍ତି । ଅନେକଥର ହୁଏତ ସେମାନେ ତାଙ୍କୁ କିଛି ଏପରି କରିବା ପାଇଁ କହନ୍ତି ଯାହା ଯିହୋବାଙ୍କ ଦୃଷ୍ଟିରେ ଭୁଲ ଅଟେ । ଯେପରି ହୋଇପାରେ, ସେମାନଙ୍କ ପରିବାର ଲୋକେ ସେମାନଙ୍କ ଉପରେ କୌଣସି ପର୍ବପାଳନ କରିବା ପାଇଁ ଚାପ ପକାଇପାରନ୍ତି । ଏପରି ସମୟରେ ସେମାନଙ୍କୁ ନିଷ୍ପତ୍ତି ନେବାକୁ ପଡ଼ିବ ଯେ ସେମାନେ କାହାକୁ ଖୁସି କରିବେ, ଯିହୋବା ଓ ଯୀଶୁଙ୍କୁ ନା ନିଜ ପରିବାରର ଲୋକମାନଙ୍କୁ । ଯୀଶୁ କହିଥିଲେ, “ଯେ ପିତା କି ମାତାକୁ ମୋʼଠାରୁ ଅଧିକ ପ୍ରିୟଜ୍ଞାନ କରେ, ସେ ମୋହର ଯୋଗ୍ୟ ନୁହେଁ ।” (ମାଥି. ୧୦:୩୭) ଏଠାରେ ଯୀଶୁଙ୍କର କହିବାର ଅର୍ଥ ଏହା ନ ଥିଲା ଯେ ତାଙ୍କ ଶିଷ୍ୟମାନଙ୍କୁ ନିଜ ବାପା ମାଆଙ୍କୁ ପ୍ରେମ କରିବା ଉଚିତ୍‌ ନୁହେଁ ବା ସେମାନଙ୍କୁ ତାଙ୍କ ସହ ସବୁ ସମ୍ପର୍କ ଭାଙ୍ଗି ଦେବା ଉଚିତ୍‌ । ବରଂ ସେ କେବଳ ଏହା ଶିଖାଉଥିଲେ ଯେ ଆମେ ମନେ ରଖିବା ଉଚିତ୍‌ ଯେ କେଉଁ କଥା ସବୁଠୁ ଅଧିକ ମହତ୍ତ୍ୱ ରଖେ । ଯଦି କାହାରି ପରିବାର ଲୋକେ ତାକୁ ଯିହୋବାଙ୍କ ସେବା କରିବା ପାଇଁ ରୋକନ୍ତି, ତାʼହେଲେ ମଧ୍ୟ ସେ ସେମାନଙ୍କୁ ପ୍ରେମ କରିବା ଜାରି ରଖିବା ଉଚିତ୍‌ । କିନ୍ତୁ ତାକୁ ସବୁଠୁ ଅଧିକ ଯିହୋବାଙ୍କୁ ପ୍ରେମ କରିବା ଉଚିତ୍‌ ।

ଯେବେ ଆମର ନିଜ ପରିବାର ଲୋକେ ଆମର ବିରୋଧ କରନ୍ତି, ତେବେ ବହୁତ କଷ୍ଟ ହୁଏ । କିନ୍ତୁ ଆମେ ଯୀଶୁଙ୍କର ଏହି ଶବ୍ଦ ମନେ ରଖିପାରିବା, “ଯେ ଆପଣା କ୍ରୁଶ [“ଯାତନା ଖୁଣ୍ଟ,” NWT] ନେଇ ମୋହର ଅନୁଗମନ ନ କରେ, ସେ ମୋହର ଯୋଗ୍ୟ ନୁହେଁ ।” (ମାଥି. ୧୦:୩୮) ଆମେ ଜାଣୁ ଯେ ଯୀଶୁଙ୍କର ଶିଷ୍ୟ ହୋଇଥିବାରୁ ଆମକୁ ଅନେକ କଷ୍ଟ ସହିବାକୁ ପଡ଼ିବ ଓ ଅନେକଥର ତ ଆମର ନିଜ ପରିବାର ଲୋକେ ହିଁ ଆମର ବିରୋଧ କରିବେ । କିନ୍ତୁ ସେମାନଙ୍କର ବିରୋଧ ସତ୍ତ୍ୱେ ଯଦି ଆମେ ସେମାନଙ୍କ ସହ ଭଲଭାବେ ବ୍ୟବହାର କରିବା, ତାʼହେଲେ ହୁଏତ ସେମାନଙ୍କର ଚିନ୍ତାଧାରା ବଦଳିପାରେ ଓ ଦିନେ ସେମାନେ ମଧ୍ୟ ବାଇବଲ ବିଷୟରେ ଜାଣିବା ପାଇଁ ଆଗ୍ରହ ଦେଖାଇ ପାରନ୍ତି ।—୧ ପିତ. ୩ :୧, ୨.