इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୧

ପ୍ରାର୍ଥନା ଗୋଟିଏ ନିଆରା ଆଶିଷ, ତାʼ ପାଇଁ କୃତଜ୍ଞ ହୁଅନ୍ତୁ !

ପ୍ରାର୍ଥନା ଗୋଟିଏ ନିଆରା ଆଶିଷ, ତାʼ ପାଇଁ କୃତଜ୍ଞ ହୁଅନ୍ତୁ !

‘ପ୍ରସ୍ତୁତ ଧୂପପରି ମୋ ପ୍ରାର୍ଥନା, ତୁମ୍ଭ ଛାମୁରେ ଉପସ୍ଥିତ ହେଉ ।’—ଗୀତ. ୧୪୧:୨.

ଗୀତ ୪୭ ହାର୍‌ ଦିନ୍‌ ୟହୋୱା ସେ ପ୍ରାର୍ଥନା କରେଁ

ଲେଖାର ଝଲକ a

୧. ଯିହୋବାଙ୍କୁ ପ୍ରାର୍ଥନା କରିବା ବିଷୟରେ ଆମେ କିପରି ଅନୁଭବ କରିବା ଉଚିତ୍‌ ?

 ଟିକେ ଭାବନ୍ତୁ, ଆମେ ସାରା ବିଶ୍ୱର ସୃଷ୍ଟିକର୍ତ୍ତାକୁ ପ୍ରାର୍ଥନା କରିପାରୁ । ଏହା କେତେ ବଡ଼ କଥା ଅଟେ ! ଆମେ ତାଙ୍କ ସହିତ ଯେକୌଣସି ସମୟରେ ଓ ଯେକୌଣସି ଭାଷାରେ କଥା ହୋଇପାରିବା ଆଉ ଆମେ ତାଙ୍କୁ ନିଜ ମନର ସବୁ କଥା କହିପାରିବା । ତାଙ୍କ ସହିତ କଥା କରିବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼େ ନାହିଁ, ଆମେ ଯେବେ ବି ଚାହିଁବା ତାଙ୍କ ସହିତ କଥା ହୋଇପାରିବା । ଆମେ ଡାକ୍ତରଖାନାରେ ଥାଉ କିମ୍ବା ଜେଲ୍‌ରେ ଥାଉ, ଯେଉଁଠି ଥିଲେ ବି ଆମେ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା ଆଉ ଆମେ ଭରସା ରଖିପାରିବା ଯେ ସେ ଆମର ଶୁଣିବେ । ସତରେ, ଯିହୋବା ଆମକୁ ବହୁତ ନିଆରା ଆଶିଷ ଦେଇଛନ୍ତି ଆଉ ଏହି ଆଶିଷ ପାଇଁ ଆମେ ଯିହୋବାଙ୍କ ବହୁତ କୃତଜ୍ଞ ଅଟୁ ।

୨. ଆମେ କାହିଁକି କହିପାରିବା ଯେ ଦାଉଦଙ୍କ ପାଇଁ ପ୍ରାର୍ଥନା କରିବା ବହୁତ ବଡ଼ କଥା ଥିଲା ?

ରାଜା ଦାଉଦଙ୍କ ପାଇଁ ବି ଯିହୋବାଙ୍କୁ ପ୍ରାର୍ଥନା କରିବା ବହୁତ ବଡ଼ କଥା ଥିଲା । ସେଥିପାଇଁ ଥରେ ସେ କହିଲେ, ‘ପ୍ରସ୍ତୁତ ସୁଗନ୍ଧି ଧୂପପରି ମୋ ପ୍ରାର୍ଥନା ତୁମ୍ଭ ଛାମୁରେ ଉପସ୍ଥିତ ହେଉ ।’ (ଗୀତ. ୧୪୧:୧, ୨) ଦାଉଦଙ୍କ ସମୟରେ ଉପାସନା କରିବା ବେଳେ ଯାଜକମାନେ ଯିହୋବାଙ୍କ ସାମନାରେ ଯେଉଁ ଧୂପ ଜାଳୁଥିଲେ, ତାହା ବହୁତ ଧ୍ୟାନର ସହ ତିଆରି କରାଯାଉଥିଲା । (ଯାତ୍ରା. ୩୦:୩୪, ୩୫) ସେଥିପାଇଁ ଯେବେ ଦାଉଦ କହିଲେ ଯେ ସେ ଚାହାନ୍ତି ତାଙ୍କ ପ୍ରାର୍ଥନାଗୁଡ଼ିକ ପ୍ରସ୍ତୁତ କରାଯାଇଥିବା ଧୂପପରି ହେଉ, ସେଥିରୁ ଜଣାପଡ଼େ ଯେ ସେ ପ୍ରାର୍ଥନା କରିବା ପୂର୍ବରୁ ଧ୍ୟାନର ସହ ଭାବୁଥିଲେ ଯେ ସେ ଯିହୋବାଙ୍କୁ କʼଣ କହିବେ । ଦାଉଦଙ୍କ ଭଳି ଆମେ ବି ଚାହୁଁ ଯେ ଯିହୋବା ଆମ ପ୍ରାର୍ଥନାଗୁଡ଼ିକରୁ ଖୁସି ହୁଅନ୍ତୁ, ସେଥିପାଇଁ ଆମେ ଭାବିଚିନ୍ତି ପ୍ରାର୍ଥନା କରିବା ଉଚିତ୍‌ ।

୩. ଆମେ ଯିହୋବାଙ୍କୁ କିପରି ପ୍ରାର୍ଥନା କରିବା ଉଚିତ୍‌ ଏବଂ କାହିଁକି ?

ପ୍ରାର୍ଥନା କରିବା ବେଳେ ଆମେ ଧ୍ୟାନ ଦେବା ଉଚିତ୍‌ ଯେ ଆମେ କାହା ସହିତ କଥା ହେଉଛୁ । ଆମେ ଏପରି ହିଁ କିଛି ବି କହିଦେବା ଉଚିତ୍‌ ନୁହଁ ବରଂ ଯିହୋବାଙ୍କ ସହ ଆଦରର ସହିତ କଥା ହେବା ଉଚିତ୍‌ । ଆମେ ସେହି ନିଆରା ଦର୍ଶନଗୁଡ଼ିକୁ ବି ମନେ ରଖିପାରିବା ଯାହା ଯିଶାଇୟ, ଯିହିଜିକଲ, ଦାନିୟେଲ ଓ ଯୋହନ ଦେଖିଥିଲେ । ସେହି ସବୁ ଦର୍ଶନଗୁଡ଼ିକରେ ଯିହୋବାଙ୍କୁ ଜଣେ ମହାନ ରାଜା ଭାବେ ଦେଖାଇ ଦିଆଯାଇଛି । ଯିଶାଇୟ ଦର୍ଶନରେ ‘ଯିହୋବାଙ୍କୁ ଏକ ଉଚ୍ଚ ଓ ଉନ୍ନତ ସିଂହାସନରେ ଉପବିଷ୍ଟ ଦେଖିଲେ ।’ (ଯିଶା. ୬:୧-୩) ଯିହିଜିକଲ ଦର୍ଶନରେ ଦେଖିଲେ ଯେ ଯିହୋବା ନିଜ ସ୍ୱର୍ଗୀୟ ରଥରେ ବସିଛନ୍ତି ଏବଂ ‘ତାହାଙ୍କ ଚତୁର୍ଦ୍ଦିଗରେ ତେଜ ଥିଲା, ଯେପରି ମେଘରେ ଧନୁର ଆଭା ।’ (ଯିହି. ୧:୨୬-୨୮) ଦାନିୟେଲ ଦର୍ଶନରେ ‘ଅନେକ କାଳର ବୃଦ୍ଧଙ୍କୁ’ ଦେଖିଲେ ଯାହାର ବସ୍ତ୍ର ବରଫ ଭଳି ଶୁକ୍ଳ ବର୍ଣ୍ଣ ଥିଲା ଓ ଯାହାର ସିଂହାସନରୁ ଅଗ୍ନି ଶିଖା ବାହାରୁଥିଲା । (ଦାନି. ୭:୯, ୧୦) ଆଉ ଯୋହନ ଯିହୋବାଙ୍କୁ ଏକ ସିଂହାସନ ଉପରେ ବସିଥିବାର ଦେଖିଲେ, ଯାହାର ଚତୁଃପାର୍ଶ୍ୱରେ ଗୋଟିଏ ମେଘ ଧନୁ ଥିଲା ଯାହା ଦେଖିବାକୁ ଶାଗୁଆ ରଙ୍ଗର ଗୋଟିଏ ବହୁମୂଲ୍ୟ ରତ୍ନ ଭଳି ଲାଗୁଥିଲା । (ପ୍ରକା. ୪:୨-୪) ଯେବେ ଆମେ ଏହି କଥାଗୁଡ଼ିକୁ ଧ୍ୟାନ ରଖିବା ଯେ ଯିହୋବା କେତେ ମହାନ ଅଟନ୍ତି, ତେବେ ଆମେ ବୁଝିପାରିବା ଯେ ପ୍ରାର୍ଥନା କରିବା କେତେ ବଡ଼ କଥା ଓ ଆମେ ତାଙ୍କ ସହ ଆଦରର ସହ କଥା ହେବା ଉଚିତ୍‌ । କିନ୍ତୁ ଆମେ କେଉଁ କଥାଗୁଡ଼ିକ ପାଇଁ ପ୍ରାର୍ଥନା କରିବା ଉଚିତ୍‌ ?

“ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର”

୪. ପ୍ରାର୍ଥନା କରିବା ବିଷୟରେ ଆମେ ମାଥିଉ ୬:୯, ୧୦ ପଦରୁ କʼଣ ଶିଖିପାରିବା ?

ମାଥିଉ ୬:୯, ୧୦ ପଢ଼ନ୍ତୁ । ପାର୍ବତ୍ୟ ଉପଦେଶରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ଶିଖାଇଲେ, ଯେ ସେମାନଙ୍କୁ କିପରି ପ୍ରାର୍ଥନା କରିବା ଉଚିତ୍‌ ଯେଉଁଥିରୁ ଯିହୋବା ଖୁସି ହେବେ । ସେ କହିଲେ, “ତୁମ୍ଭେମାନେ ଏହି ପ୍ରକାରେ ପ୍ରାର୍ଥନା କର” ଆଉ ତାʼପରେ ସବୁଠୁ ଆଗ ଯାହା ଅଧିକ ଜରୁରୀ ତାʼ ବିଷୟରେ କହିଲେ ଅର୍ଥାତ୍‌ ଈଶ୍ୱରଙ୍କ ନାମ ପବିତ୍ର ହେଉ, ଈଶ୍ୱରଙ୍କ ରାଜ୍ୟ ଆସୁ ଯାହା ତାଙ୍କ ସବୁ ଶତ୍ରୁମାନଙ୍କୁ ବିନାଶ କରିଦେବ ଆଉ ସେ ପୃଥିବୀ ଓ ମଣିଷମାନଙ୍କ ପାଇଁ ଯାହା ଭାବିଛନ୍ତି, ତାହା ପୂରା ହେଉ । ଏହି ସବୁ କଥାଗୁଡ଼ିକ ଈଶ୍ୱରଙ୍କ ଉଦ୍ଦେଶ୍ୟ ସହିତ ଜଡ଼ିତ । ଆଉ ଯେବେ ଆମେ ଏହି କଥାଗୁଡ଼ିକ ପାଇଁ ପ୍ରାର୍ଥନା କରିବା, ତେବେ ଏଥିରୁ ଜଣାପଡ଼ିବ ଯେ ଏହା ଆମ ପାଇଁ ବହୁତ ମହତ୍ତ୍ୱ ରଖେ ।

୫. କʼଣ ଆମେ ନିଜ ପାଇଁ ବି ପ୍ରାର୍ଥନା କରିପାରିବା ?

ଏହାପରେ ଯୀଶୁ ଶିଖାଇଲେ ଯେ ଆମେ ନିଜ ପାଇଁ ବି ପ୍ରାର୍ଥନା କରିପାରିବା । ଆମେ ଯିହୋବାଙ୍କୁ କହିପାରିବା ଯେ ଆମ ପାଖରେ ପ୍ରତିଦିନ ଖାଇବା ଜିନିଷ ରହୁ, ସେ ଆମର ପାପ କ୍ଷମା କରନ୍ତୁ, ଯେବେ ପରୀକ୍ଷା ଆସେ ତେବେ ଆମେ ତାଙ୍କ ବିଶ୍ୱସ୍ତ ରହିପାରୁ ଆଉ ସେ ଶୟତାନଠାରୁ ଆମକୁ ରକ୍ଷା କରନ୍ତୁ । (ମାଥି. ୬:୧୧-୧୩) ଏହି କଥାଗୁଡ଼ିକ ପାଇଁ ପ୍ରାର୍ଥନା କରି ଆମେ ଦେଖାଉଥିବା ଯେ ଆମେ ଯିହୋବାଙ୍କ ଉପରେ ନିର୍ଭର ଅଛୁ ଆଉ ଆମେ ଚାହୁଁ ଯେ ସେ ଆମ ଉପରେ ଖୁସି ହୁଅନ୍ତୁ ।

ଜଣେ ସ୍ୱାମୀ ନିଜ ସ୍ତ୍ରୀଙ୍କ ସହ କେଉଁ କଥାଗୁଡ଼ିକ ପାଇଁ ପ୍ରାର୍ଥନା କରିପାରିବେ ? (ପାରାଗ୍ରାଫ ୬) b

୬. ଯୀଶୁ ଆମକୁ ଯେଉଁ କଥାଗୁଡ଼ିକ ବିଷୟରେ ପ୍ରାର୍ଥନା କରିବା ଶିଖାଇଥିଲେ, କʼଣ ଆମକୁ କେବଳ ସେହି ବିଷୟଗୁଡ଼ିକ ପାଇଁ ପ୍ରାର୍ଥନା କରିବା ଉଚିତ୍‌ ? ବୁଝାନ୍ତୁ ।

ଯୀଶୁ ଏହା ଚାହୁଁ ନ ଥିଲେ ଯେ ତାଙ୍କ ଶିଷ୍ୟମାନେ କେବଳ ସେହି କଥାଗୁଡ଼ିକ ପାଇଁ ପ୍ରାର୍ଥନା କରନ୍ତୁ, ଯେଉଁ ବିଷୟରେ ସେ ଶିଖାଇଥିଲେ । ଅନେକ ଥର ଯୀଶୁ ଅନ୍ୟ କିଛି କଥାଗୁଡ଼ିକ ବିଷୟରେ ବି ପ୍ରାର୍ଥନା କଲେ ଯାହା ସେହି ସମୟରେ ତାଙ୍କ ମନରେ ଚାଲୁଥିଲା । (ମାଥି. ୨୬:୩୯, ୪୨; ଯୋହ. ୧୭:୧-୨୬) ଯୀଶୁଙ୍କ ଭଳି ଆମେ ମଧ୍ୟ ଯିହୋବାଙ୍କୁ ନିଜ ଚିନ୍ତାଗୁଡ଼ିକ ବିଷୟରେ କହିପାରିବା । ଯେପରି, ଆମେ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଯିହୋବାଙ୍କୁ ବୁଦ୍ଧି ମାଗିପାରିବା । (ଗୀତ. ୧୧୯:୩୩, ୩୪) ଯଦି କୌଣସି କାମ କିମ୍ବା ଦାୟିତ୍ୱ ତୁଲାଇବା ଆମକୁ କଷ୍ଟ ଲାଗେ, ତେବେ ଆମେ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା ଯେ ସେ ଆମକୁ ବୁଝିବାରେ ସାହାଯ୍ୟ କରନ୍ତୁ ଯେ ଆମକୁ ସେହି କାମ କିପରି କରିବାର ଅଛି । (ହିତୋ. ୨:୬) ବାପାମାଆମାନେ ନିଜ ପିଲାମାନଙ୍କ ପାଇଁ ପ୍ରାର୍ଥନା କରିପାରିବେ ଆଉ ପିଲାମାନେ ନିଜ ବାପାମାଆଙ୍କ ପାଇଁ । ଆମେ ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କ ପାଇଁ ଓ ଯେଉଁମାନଙ୍କୁ ଆମେ ସାକ୍ଷ୍ୟ ଦେଉ, ସେମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବା ଉଚିତ୍‌ । କିନ୍ତୁ ପ୍ରାର୍ଥନା କରିବା ସମୟରେ ଆମେ ସବୁବେଳେ କିଛି ନା କିଛି ମାଗୁଥିବା ଉଚିତ୍‌ ନୁହେଁ ।

ଆମେ କେଉଁ କଥାଗୁଡ଼ିକ ପାଇଁ ଯିହୋବାଙ୍କ ପ୍ରଶଂସା ଓ ଧନ୍ୟବାଦ କରିପାରିବା ? (ପାରାଗ୍ରାଫ ୭-୯) c

୭. ପ୍ରାର୍ଥନା କରିବା ସମୟରେ ଆମେ ଯିହୋବାଙ୍କ ପ୍ରଶଂସା କାହିଁକି କରିବା ଉଚିତ୍‌ ?

ପ୍ରାର୍ଥନା କରିବା ସମୟରେ ଆମେ ଯିହୋବାଙ୍କ ପ୍ରଶଂସା ମଧ୍ୟ କରିବା ଉଚିତ୍‌ । ସେ ‘ମଙ୍ଗଳମୟ ଓ କ୍ଷମା କରିବାକୁ ପ୍ରସ୍ତୁତ ରହନ୍ତି ।’ ସେ ‘ସ୍ନେହଶୀଳ ଓ କୃପାବାନ ପରମେଶ୍ୱର, କ୍ରୋଧରେ ଧୀର, ଦୟା ଓ ସତ୍ୟରେ ପରିପୂର୍ଣ୍ଣ ଅଟନ୍ତି ।’ (ଗୀତ. ୮୬:୫, ୧୫) ଯେବେ ଆମେ ଏ ବିଷୟରେ ଭାବିବା ଯେ ଯିହୋବା କେଉଁ ଭଳି ଈଶ୍ୱର ଅଟନ୍ତି ଆଉ ସେ କେତେ କʼଣ କରନ୍ତି, ତେବେ ଆମେ ନିଜେ ତାଙ୍କ ପ୍ରଶଂସା କରିବା । ତାଙ୍କ ଭଳି ପ୍ରଶଂସା ପାଇବାର ଯୋଗ୍ୟ ଆଉ କେହି ନୁହନ୍ତି ।

୮. ଆମେ କେଉଁ କଥାଗୁଡ଼ିକ ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେଇପାରିବା ? (ଗୀତସଂହିତା ୧୦୪:୧୨-୧୫, ୨୪)

ଯିହୋବାଙ୍କ ପ୍ରଶଂସା କରିବା ଛଡ଼ା, ସେ ଆମ ପାଇଁ ଯାହା ବି କରିଛନ୍ତି ତାʼପାଇଁ ଆମେ ତାଙ୍କୁ ଧନ୍ୟବାଦ କରିବା ଉଚିତ୍‌ । ଟିକେ ଭାବନ୍ତୁ, ସେ ଆମକୁ କେତେ କʼଣ ଦେଇଛନ୍ତି । ସେ ଅନେକ ପ୍ରକାରର ରଙ୍ଗବେରଙ୍ଗ ଫୁଲ ଦେଇଛନ୍ତି, ଭିନ୍ନ ଭିନ୍ନ ସୁଆଦିଆ ଖାଦ୍ୟ ଦେଇଛନ୍ତି ଆଉ ଆମକୁ ଏପରି ସାଙ୍ଗ ଦେଇଛନ୍ତି ଯେଉଁମାନଙ୍କ ସହିତ ସମୟ ବିତାଇ ଆମକୁ ବହୁତ ମଜା ଆସେ । ସେ ଆମ ପାଇଁ ଆଉ ବି ବହୁତ କିଛି କରିଛନ୍ତି ତାହା ବି କେବଳ ଏଥିପାଇଁ ଯେ ସେ ଚାହାନ୍ତି ଆମେ ଖୁସିରେ ରହୁ । (ଗୀତସଂହିତା ୧୦୪:୧୨-୧୫, ୨୪ ପଢ଼ନ୍ତୁ ।) ସବୁଠୁ ବଡ଼ କଥା ହେଉଛି, ଯେ ଯିହୋବା ଆମକୁ ବାଇବଲ ଦେଇଛନ୍ତି ଓ ଅନେକ ପ୍ରକାଶନ ଦେଇଛନ୍ତି ଓ ଭବିଷ୍ୟତ ପାଇଁ ଗୋଟିଏ ବଢ଼ିଆ ଆଶା ଦେଇଛନ୍ତି । ଆମେ ଏ ସବୁ କଥା ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେଇପାରିବା ।

୯. ଯଦି ଆମେ ଯିହୋବାଙ୍କୁ ଧନ୍ୟବାଦ ଦେବା ଭୁଲିଯାଉ, ତେବେ ଆମେ କʼଣ କରିପାରିବା ? (୧ ଥେସଲନୀକୀୟ ୫:୧୭, ୧୮)

ଯିହୋବା ଆମ ପାଇଁ ବହୁତ କିଛି କରନ୍ତି । କିନ୍ତୁ ଅନେକ ଥର ହୁଏତ ଆମେ ତାଙ୍କୁ ଧନ୍ୟବାଦ କହିବା ଭୁଲିଯାଉ । ଯଦି ଆପଣଙ୍କ ସହିତ ବି ଏପରି ହୁଏ, ତେବେ ଆପଣ କʼଣ କରିପାରିବେ । ଆପଣ ଯିହୋବାଙ୍କୁ ଯେଉଁ କଥାଗୁଡ଼ିକ ପାଇଁ ପ୍ରାର୍ଥନା କରନ୍ତି, ସେଗୁଡ଼ିକୁ ଲେଖିକି ରଖିପାରିବେ ଆଉ ତାʼପରେ ସମୟ ସମୟରେ ଦେଖିପାରିବେ ଯେ ଯିହୋବା କିପରି ଆପଣଙ୍କ ପ୍ରାର୍ଥନାର ଉତ୍ତର ଦେଇଛନ୍ତି । ତେବେ ଆପଣ ସେହି କଥାଗୁଡ଼ିକ ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେଇପାରିବେ । (୧ ଥେସଲନୀକୀୟ ୫:୧୭, ୧୮ ପଢ଼ନ୍ତୁ ।) ଯେବେ ଆମେ କାହାରି ପାଇଁ କିଛି କରୁ, ଆଉ ସେ ଆମକୁ ଧନ୍ୟବାଦ ଦିଏ ତେବେ ଆମକୁ ବହୁତ ଖୁସି ଲାଗେ । ସେହିପରି, ଯେବେ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେଉ ଯେ ସେ ଆମ ପ୍ରାର୍ଥନା ଶୁଣିଲେ, ତେବେ ତାଙ୍କୁ ବି ବହୁତ ଭଲ ଲାଗେ । (କଲ. ୩:୧୫) ଯିହୋବାଙ୍କୁ ଧନ୍ୟବାଦ କରିବାର ଆମ ପାଖରେ ଆଉ ଗୋଟିଏ ବିଶେଷ କାରଣ ରହିଛି । ଆସନ୍ତୁ ସେ ବିଷୟରେ ଜାଣିବା ।

ଯିହୋବାଙ୍କୁ ଧନ୍ୟବାଦ କରନ୍ତୁ ଯେ ସେ ନିଜ ପ୍ରିୟ ପୁଅକୁ ଦେଲେ

୧୦. ଯୀଶୁଙ୍କୁ ପଠାଇବା ପାଇଁ ଆମେ ଯିହୋବାଙ୍କୁ କାହିଁକି ଧନ୍ୟବାଦ ଦେବା ଉଚିତ୍‌ ? (୧ ପିତର ୨:୨୧)

୧୦ ପ୍ରଥମ ପିତର ୨:୨୧ ପଢ଼ନ୍ତୁ । ଆମେ ଯିହୋବାଙ୍କୁ ଧନ୍ୟବାଦ ଦେବା ଉଚିତ୍‌ ଯେ ସେ ଆମ ପାଇଁ ନିଜ ପ୍ରିୟ ପୁଅଙ୍କୁ ଦେଲେ, ଯାହାଫଳରେ ଆମେ ତାଙ୍କଠାରୁ ଶିଖିପାରିବା । ଯେବେ ଆମେ ବାଇବଲରେ ଯୀଶୁଙ୍କ ବିଷୟରେ ପଢ଼ୁ, ତେବେ ଆମେ ଯିହୋବାଙ୍କ ବିଷୟରେ ବହୁତ କିଛି ଜାଣିପାରୁ ଆଉ ବୁଝିପାରୁ ଯେ ଆମେ ତାଙ୍କୁ କିପରି ଖୁସି କରିପାରିବା । ତାʼଛଡ଼ା ଯୀଶୁଙ୍କ ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରିବାରୁ ଆମେ ଯିହୋବାଙ୍କ ସାଙ୍ଗ ହୋଇପାରିଛୁ ଏବଂ ତାଙ୍କ ସହିତ ଶାନ୍ତିଭରା ସମ୍ପର୍କ ଗଢ଼ିପାରିଛୁ ।—ରୋମୀ. ୫:୧.

୧୧. ଆମେ ଯୀଶୁଙ୍କ ନାମରେ ପ୍ରାର୍ଥନା କାହିଁକି କରୁ ?

୧୧ ଆମେ ଯିହୋବାଙ୍କୁ ଧନ୍ୟବାଦ ଦେବା ଉଚିତ୍‌ ଯେ ଆମେ ତାଙ୍କ ପୁଅଙ୍କ ଜରିଆରେ ତାଙ୍କୁ ପ୍ରାର୍ଥନା କରିପାରୁ । ଯେବେ ଆମେ ଯୀଶୁଙ୍କ ନାମରେ ତାଙ୍କୁ ପ୍ରାର୍ଥନା କରୁ, ତେବେ ଯିହୋବା ଆମର ଶୁଣନ୍ତି । ଆଉ ଆମେ ତାଙ୍କୁ ଯାହା ବି ମାଗୁ, ତାହା ସେ ଯୀଶୁଙ୍କ ଜରିଆରେ ପୂରା କରନ୍ତି । ଯୀଶୁ କହିଥିଲେ, “ପିତା ଯେପରି ପୁତ୍ରଙ୍କଠାରେ ମହିମାନ୍ୱିତ ହୁଅନ୍ତି, ଏଥିନିମନ୍ତେ ତୁମ୍ଭେମାନେ ମୋʼ ନାମରେ ଯାହା କିଛି ମାଗିବ, ତାହା ମୁଁ କରିବି ।”—ଯୋହ. ୧୪:୧୩, ୧୪.

୧୨. ଆମେ ଆଉ କେଉଁ କଥା ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦେବା ଉଚିତ୍‌ ?

୧୨ ଯୀଶୁ ଯେଉଁ ମୁକ୍ତିର ମୂଲ୍ୟ ଦେଲେ, ତାʼ ଆଧାରରେ ଯିହୋବା ଆମ ପାପକୁ କ୍ଷମା କରନ୍ତି । ବାଇବଲରେ କୁହାଯାଇଛି ଯେ ଯୀଶୁ “ମହାଯାଜକ ଅଛନ୍ତି, ଯେ ସ୍ୱର୍ଗରେ ମହାମହିମଙ୍କ ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଉପବିଷ୍ଟ ହୋଇଅଛନ୍ତି ।” (ଏବ୍ରୀ ୮:୧) ବାଇବଲରେ ଏହା ବି କୁହାଯାଇଛି ଯେ ଯୀଶୁ ଆମର ‘ସପକ୍ଷବାଦୀ [ସାହାଯ୍ୟକାରୀ] ଅଟନ୍ତି, ଯିଏ ପିତାଙ୍କ ଛାମୁରେ ଅଛନ୍ତି ।’ (୧ ଯୋହ. ୨:୧) ଯୀଶୁ ଜାଣନ୍ତି ଯେ ଆମଠାରେ କʼଣ କʼଣ ଦୁର୍ବଳତା ରହିଛି । ସେ ଆମ କଷ୍ଟ ବୁଝନ୍ତି ଏବଂ ‘ଯିହୋବାଙ୍କୁ ଆମ୍ଭମାନଙ୍କ ନିମନ୍ତେ ନିବେଦନ କରନ୍ତି ।’ ଆମେ ଯିହୋବାଙ୍କ ବହୁତ କୃତଜ୍ଞ ଯେ ସେ ଆମକୁ ଏତେ ଭଲ ମହାଯାଜକ ଦେଇଛନ୍ତି ! (ରୋମୀ. ୮:୩୪; ଏବ୍ରୀ ୪:୧୫) ଯଦି ଯୀଶୁ ଆମ ପାଇଁ ଜୀବନ ଦେଇ ନ ଥାʼନ୍ତେ, ତେବେ ଆମେ ପାପୀ ମଣିଷ କେବେ ବି ଯିହୋବାଙ୍କୁ ପ୍ରାର୍ଥନା କରିପାରି ନ ଥାʼନ୍ତୁ । ଯିହୋବା ଆମ ପାଇଁ ନିଜ ପ୍ରିୟ ପୁଅକୁ ଦେଇଦେଲେ ! ତାʼ ପାଇଁ ଆମେ ତାଙ୍କୁ ଯେତେ ଧନ୍ୟବାଦ ଦେଲେ ବି ତାହା କମ୍‌ ପଡ଼ିଯିବ ।

ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ

୧୩. କେଉଁ କଥାରୁ ଜଣାପଡ଼େ ଯେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରେମ କରୁଥିଲେ ?

୧୩ ଯୀଶୁ ନିଜ ମୃତ୍ୟୁର ପୂର୍ବ ରାତିରେ, ନିଜ ଶିଷ୍ୟମାନଙ୍କ ପାଇଁ ଅନେକ ସମୟ ଯାଏ ପ୍ରାର୍ଥନା କଲେ । ସେ ନିଜ ପିତାଙ୍କୁ ପ୍ରାର୍ଥନାରେ କହିଲେ, ‘ସେମାନଙ୍କୁ ମନ୍ଦରୁ [“ଶୟତାନଠାରୁ,” NWT] ରକ୍ଷା କର ।’ (ଯୋହ. ୧୭:୧୫) ଯୀଶୁ ଜାଣୁଥିଲେ ଯେ ତାଙ୍କ ସହ କʼଣ ହେବ ଆଉ ତାଙ୍କୁ ବହୁତ କିଛି ସହିବାକୁ ହେବ । କିନ୍ତୁ ଏପରି ସମୟରେ ବି ସେ ନିଜ ଶିଷ୍ୟମାନଙ୍କ ପାଇଁ ଚିନ୍ତା କରୁଥିଲେ । ସତରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ବହୁତ ପ୍ରେମ କରୁଥିଲେ ।

ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ସମୟରେ ଆମେ କେଉଁ କଥାଗୁଡ଼ିକୁ କହିପାରିବା ? (ପାରାଗ୍ରାଫ ୧୪-୧୬) d

୧୪. ଯଦି ଆମେ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରୁ, ତେବେ ଆମେ କʼଣ କରିବା ?

୧୪ ଆମେ ବି ଯୀଶୁଙ୍କ ଭଳି ହେବା ଉଚିତ୍‌ । କେବଳ ନିଜ ବିଷୟରେ ପ୍ରାର୍ଥନା କରିବା ପରିବର୍ତ୍ତେ, ଆମେ ନିଜ ଭାଇଭଉଣୀଙ୍କ ପାଇଁ ବି ପ୍ରାର୍ଥନା କରିବା ଉଚିତ୍‌ । ଯୀଶୁ ଆମକୁ ଆଜ୍ଞା ଦେଇଛନ୍ତି ଯେ ଆମେ ପରସ୍ପରକୁ ପ୍ରେମ କରୁ । ଯେବେ ଆମେ ନିଜ ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରୁ, ତେବେ ଆମେ ଏହି ଆଜ୍ଞାକୁ ମାନୁଥାଉ ଆଉ ଏପରି ଭାବେ ଯିହୋବା ବି ଦେଖିପାରନ୍ତି ଯେ ଆମେ ନିଜ ଭାଇଭଉଣୀମାନଙ୍କ ପାଇଁ କେତେ ଚିନ୍ତା କରୁ । (ଯୋହ. ୧୩:୩୪) କେବେ କେବେ ହୁଏତ ଆମକୁ ଲାଗିପାରେ, ‘କେଜାଣେ ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବାର କିଛି ଲାଭ ଅଛି ନା ନାହିଁ ।’ କିନ୍ତୁ ଆମକୁ ଏପରି ବିଲକୁଲ୍‌ ଭାବିବା ଉଚିତ୍‌ ନୁହେଁ । ବାଇବଲରେ ଲେଖାଅଛି, ‘ଜଣେ ଧାର୍ମିକ ବ୍ୟକ୍ତିର ପ୍ରାର୍ଥନା ଅନେକ କାର୍ଯ୍ୟ ସାଧନ କରି ପାରେ ।’—ଯାକୁ. ୫:୧୬.

୧୫. ଭାଇଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା କାହିଁକି ଜରୁରୀ ?

୧୫ ଆମ ଭାଇଭଉଣୀମାନେ ବହୁତ କଷ୍ଟ ସହୁଛନ୍ତି, ତେଣୁ ଏହା ବହୁତ ଜରୁରୀ ଯେ ଆମେ ସେମାନଙ୍କ ପାଇଁ ପ୍ରାର୍ଥନା କରୁ । ଅନେକ ଭାଇଭଉଣୀମାନେ ବେମାର ଅଛନ୍ତି, ପ୍ରାକୃତିକ ବିପତ୍ତିର ସାମନା କରୁଛନ୍ତି, ଅନେକ ଭାଇଭଉଣୀମାନେ ଏପରି ଦେଶରେ ରହନ୍ତି, ଯେଉଁଠି ଯୁଦ୍ଧ ଚାଲୁଛି, ଏବଂ କିଛି ଭାଇଭଉଣୀମାନଙ୍କୁ ତାଡ଼ନା ଦିଆଯାଉଛି । ଆମେ ଯିହୋବାଙ୍କୁ ପ୍ରାର୍ଥନା କରିପାରିବା ଯେ ସେମାନେ ଧୈର୍ଯ୍ୟ ଧରିପାରିବେ ଓ ସାହସର ସହ ସବୁ ସହିପାରିବେ । ଆମେ ସେହି ଭାଇଭଉଣୀମାନଙ୍କ ପାଇଁ ବି ପ୍ରାର୍ଥନା କରିପାରିବା, ଯେଉଁମାନେ ସମସ୍ୟାରେ ଥିବା ଭାଇଭଉଣୀମାନଙ୍କୁ ସାହାଯ୍ୟ କରନ୍ତି । କʼଣ ଆପଣ ବି ଏପରି କେହି ଭାଇ କିମ୍ବା ଭଉଣୀଙ୍କୁ ଜାଣନ୍ତି, ଯାହାକୁ ଅନେକ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ୁଛି । ଯଦି ହଁ, ତାହେଲେ ଯେବେ ଆପଣ ଏକୁଟିଆରେ ପ୍ରାର୍ଥନା କରନ୍ତି, ତେବେ ସେମାନଙ୍କୁ ସେମାନଙ୍କ ନାମ ନେଇ ମନେ ପକାଇପାରିବେ । ଏପରି କରି ଆପଣ ଦେଖାଉଥିବେ ଯେ ଆପଣ ସେମାନଙ୍କୁ ପ୍ରକୃତରେ ପ୍ରେମ କରନ୍ତି ।

୧୬. ଆମେ ନେତୃତ୍ୱ ନେଉଥିବା ଭାଇମାନଙ୍କ ପାଇଁ କାହିଁକି ପ୍ରାର୍ଥନା କରିବା ଉଚିତ୍‌ ?

୧୬ ଆମେ ନେତୃତ୍ୱ ନେଉଥିବା ଭାଇମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବା ଉଚିତ୍‌ । ଯେବେ ଆମେ ଏହି ଭାଇମାନଙ୍କ ପାଇଁ ପ୍ରାର୍ଥନା କରୁ, ତେବେ ଯିହୋବା ସେମାନଙ୍କୁ ନିଜ ଦାୟିତ୍ୱ ଭଲଭାବେ ତୁଲାଇବାରେ ସାହାଯ୍ୟ କରନ୍ତି ଆଉ ସେହି ଭାଇମାନେ ତାʼପାଇଁ ବହୁତ କୃତଜ୍ଞ ମନେ କରନ୍ତି । ପାଉଲ ବି ଚାହୁଁଥିଲେ ଯେ ଭାଇଭଉଣୀମାନେ ତାଙ୍କ ପାଇଁ ପ୍ରାର୍ଥନା କରନ୍ତୁ । କାହିଁକି ? ସେ ନିଜ ଚିଠିରେ ଲେଖିଲେ, “ମୋʼ ନିମନ୍ତେ ମଧ୍ୟ ପ୍ରାର୍ଥନା କର, ଯେପରି ସୁସମାଚାର ନିମନ୍ତେ ଶୃଙ୍ଖଳାବଦ୍ଧ ରାଜଦୂତସ୍ୱରୂପ ଯେ ମୁଁ, ମୋତେ ସେହି ସୁସମାଚାରର ନିଗୂଢ଼ତତ୍ତ୍ୱ ସାହସପୂର୍ବକ ଜଣାଇବାକୁ ପ୍ରଚାର କରିବା ସମୟରେ ବାକ୍ୟ ଦିଆଯିବ ।” (ଏଫି. ୬:୧୯) ପାଉଲଙ୍କ ଭଳି ଆଜି ବି ନେତୃତ୍ୱ ନେଉଥିବା ଭାଇମାନେ ଆମ ପାଇଁ ବହୁତ କିଛି କରନ୍ତି । ଆମେ ସେମାନଙ୍କୁ ପ୍ରେମ କରୁ, ସେଥିପାଇଁ ଯିହୋବାଙ୍କୁ ସେମାନଙ୍କ ପାଇଁ ପ୍ରାର୍ଥନା କରୁ ଯେ ସେ ସେମାନଙ୍କ ପରିଶ୍ରମ ଉପରେ ଆଶିଷ ଦିଅନ୍ତୁ ।

ଯେବେ ଆମକୁ ପ୍ରାର୍ଥନା କରିବା ପାଇଁ କୁହାଯାଏ

୧୭-୧୮. ଆମକୁ କେବେ ପ୍ରାର୍ଥନା କରିବା ପାଇଁ କୁହାଯାଇପାରେ ଏବଂ ସେସମୟରେ ଆମେ କʼଣ ମନେରଖିବା ଉଚିତ୍‌ ?

୧୭ ଆମେ ଏକୁଟିଆରେ ତ ପ୍ରାର୍ଥନା କରୁ ହିଁ, କିନ୍ତୁ ଅନେକ ଥର ହୁଏତ କିଛି ଲୋକମାନଙ୍କ ମଝିରେ ଆମକୁ ପ୍ରାର୍ଥନା କରିବା ପାଇଁ କୁହାଯିବ । ଯେପରି ହୋଇପାରେ, ଜଣେ ଭଉଣୀ ଅନ୍ୟ ଭଉଣୀଙ୍କୁ ନିଜ ବାଇବଲ ଅଧ୍ୟୟନରେ ନିଅନ୍ତି ଆଉ ଅଧ୍ୟୟନ ପୂର୍ବରୁ ତାଙ୍କୁ ପ୍ରାର୍ଥନା କରିବାକୁ କୁହନ୍ତି । କିନ୍ତୁ ହୁଏତ ସେ ଭଉଣୀ ସେହି ବିଦ୍ୟାର୍ଥୀଙ୍କୁ ଜାଣି ନ ଥିବେ ଆଉ ସେଥିପାଇଁ ହୁଏତ ସେ କହିବେ ଯେ ସେ ଶେଷରେ ପ୍ରାର୍ଥନା କରିବେ । ଏପରି ସେ ବାଇବଲ ବିଦ୍ୟାର୍ଥୀଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ରାର୍ଥନା କରିପାରିବେ ।

୧୮ ହୋଇପାରେ, ଜଣେ ଭାଇକୁ ପ୍ରଚାର ସଭାରେ କିମ୍ବା ମଣ୍ଡଳୀର ସଭାରେ ପ୍ରାର୍ଥନା କରିବା ପାଇଁ କୁହାଯାଇପାରେ । ଏପରି ସମୟରେ ସେ କିଛି କଥାଗୁଡ଼ିକର ଧ୍ୟାନ ରଖିପାରିବେ । ତାଙ୍କୁ ଧ୍ୟାନ ରଖିବା ଉଚିତ୍‌ ଯେ ସେହି ସଭା କʼଣ ପାଇଁ ରଖାଯାଇଛି । ପ୍ରାର୍ଥନା କରିବା ସମୟରେ ତାଙ୍କୁ କୌଣସି ଭାଇଭଉଣୀମାନଙ୍କୁ କିଛି ବି ପରାମର୍ଶ ଦେବା କିମ୍ବା ଘୋଷଣା କରିବା ଉଚିତ୍‌ ନୁହେଁ । ସାଧାରଣତଃ ଆରମ୍ଭରେ ଗୀତ ଏବଂ ପ୍ରାର୍ଥନା ପାଇଁ ପାଞ୍ଚ ମିନିଟ ଓ ଶେଷରେ ପାଞ୍ଚ ମିନିଟ ଦିଆଯାଏ । ଯେଉଁ ଭାଇକୁ ପ୍ରାର୍ଥନା କରିବା ପାଇଁ କୁହାଯାଏ, ତାଙ୍କୁ ଧ୍ୟାନ ରଖିବା ଉଚିତ୍‌ ଯେ ସେ ‘ବହୁତ କଥା ନ କହନ୍ତୁ,’ ଖାସ୍‌ କରି ଯେବେ ସେ ସଭାର ଆରମ୍ଭରେ ପ୍ରାର୍ଥନା କରନ୍ତି ।—ମାଥି. ୬:୭.

ପ୍ରାର୍ଥନା କରିବାକୁ ମହତ୍ତ୍ୱ ଦିଅନ୍ତୁ

୧୯. ଯଦି ଆମେ ଯିହୋବାଙ୍କ ନ୍ୟାୟର ଦିନ ପାଇଁ ପ୍ରସ୍ତୁତ ରହିବାକୁ ଚାହୁଁ, ତେବେ ଆମକୁ କʼଣ କରିବାକୁ ହେବ ?

୧୯ ଯିହୋବାଙ୍କ ନ୍ୟାୟର ଦିନ ବହୁତ ପାଖରେ ଅଛି, ତେଣୁ ଆଗ ଅପେକ୍ଷା ପ୍ରାର୍ଥନା କରିବା ଅଧିକ ଜରୁରୀ ଅଟେ । ଯୀଶୁ ବି କହିଥିଲେ, “ଯେପରି ଏହିସମସ୍ତ ଆଗାମୀ ଘଟଣାରୁ ରକ୍ଷା ପାଇବାକୁ ଓ ମନୁଷ୍ୟପୁତ୍ରଙ୍କ ଛାମୁରେ ଉଭା ହେବାକୁ ସମର୍ଥ ହୁଅ, ଏନିମନ୍ତେ ସର୍ବଦା ପ୍ରାର୍ଥନା କରି ଜାଗିରୁହ ।” (ଲୂକ ୨୧:୩୬) ଯଦି ଆମେ ଯିହୋବାଙ୍କୁ ପ୍ରାର୍ଥନା କରୁଥିବା, ତେବେ ଆମ ବିଶ୍ୱାସ ବଢ଼ିବ ଆଉ ଯେବେ ତାଙ୍କ ଦିନ ଆସିବ, ତେବେ ଆମେ ତାʼ ପାଇଁ ପ୍ରସ୍ତୁତ ଥିବା ।

୨୦. ଆମକୁ କʼଣ କରିବାକୁ ହେବ, ଯାହାଫଳରେ ଆମ ପ୍ରାର୍ଥନାଗୁଡ଼ିକ ସୁଗନ୍ଧି ଧୂପ ପରି ହେବ ?

୨୦ ଏହି ଲେଖାରେ ଆମେ କʼଣ କʼଣ ଶିଖିଲୁ ? ଯିହୋବାଙ୍କୁ ପ୍ରାର୍ଥନା କରିବା ବହୁତ ବଡ଼ କଥା ଅଟେ । ଆମେ ଧ୍ୟାନ ରଖିବା ଉଚିତ୍‌ ଯେ ଆମେ ସେହି ବିଷୟଗୁଡ଼ିକ ପାଇଁ ପ୍ରାର୍ଥନା କରିବାକୁ ନ ଭୁଲୁ, ଯାହା ବହୁତ ଜରୁରୀ ଅଟେ, ଅର୍ଥାତ୍‌ ସେହି କଥାଗୁଡ଼ିକ ଯାହା ଯିହୋବାଙ୍କ ଉଦ୍ଦେଶ୍ୟ ସହିତ ଜଡ଼ିତ । ଆମେ ଯିହୋବାଙ୍କୁ ଧନ୍ୟବାଦ ଦେବା ଉଚିତ୍‌ ଯେ ସେ ଆମ ପାଇଁ ତାଙ୍କ ପୁଅକୁ ଦେଲେ ଆଉ ଖୁବ୍‌ ଶୀଘ୍ର ସେ ନିଜ ରାଜ୍ୟ ଆଣିବେ । ଆମେ ଭାଇଭଉଣୀମାନଙ୍କ ପାଇଁ ମଧ୍ୟ ପ୍ରାର୍ଥନା କରିବା ଉଚିତ୍‌ । ଆଉ ଏବିଷୟରେ ବି ପ୍ରାର୍ଥନା କରିପାରିବା ଯେ ଆମ ଆବଶ୍ୟକତା ପୂରା ହେଉ ଆଉ ଆମ ବିଶ୍ୱାସ ବଢ଼ୁ । ଯେବେ ଆମେ ବୁଝିବିଚାରି ପ୍ରାର୍ଥନା କରିବା, ତେବେ ଏଥିରୁ ଜଣାପଡ଼ିବ ଯେ ଆମେ ଏହି ନିଆରା ଆଶିଷ ପାଇଁ କୃତଜ୍ଞ ଅଟୁ ଆଉ ତେବେ ଆମ ପ୍ରାର୍ଥନାଗୁଡ଼ିକ ସୁଗନ୍ଧି ଧୂପ ପରି ହେବ ଏବଂ ଯିହୋବା ସେଥିରୁ ଖୁସି ହେବେ ।—ହିତୋ. ୧୫:୮.

ଗୀତ ୪୫ ମେରେ ମାନ୍‌ କେ ବିଚାର

a ଆମେ ଯିହୋବାଙ୍କର ବହୁତ କୃତଜ୍ଞ ଅଟୁ ଯେ ସେ ଆମକୁ ପ୍ରାର୍ଥନା କରିବାର ସୁଯୋଗ ଦେଇଛନ୍ତି । ଆମେ ସମସ୍ତେ ଚାହୁଁ, ଯେ ଆମ ପ୍ରାର୍ଥନା ସୁଗନ୍ଧି ଧୂପପରି ହେଉ ଆଉ ଯିହୋବା ସେଥିରୁ ଖୁସି ହୁଅନ୍ତୁ । ଏହି ଲେଖାରେ ଆମେ ଜାଣିବା ଯେ ଆମେ କେଉଁ କେଉଁ କଥା ପାଇଁ ପ୍ରାର୍ଥନା କରିପାରିବା । ଆମେ ଏହା ବି ଜାଣିବା ଯେ ଯେବେ ଆମକୁ କିଛି ଲୋକଙ୍କ ସାମନାରେ ପ୍ରାର୍ଥନା କରିବାକୁ କୁହାଯାଏ, ତେବେ ଆମେ କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିପାରିବା ।

b ଚିତ୍ର ବିଷୟରେ: ଜଣେ ଭାଇ ନିଜ ସ୍ତ୍ରୀଙ୍କ ସହ ପ୍ରାର୍ଥନା କରୁଛନ୍ତି ଯେ ତାଙ୍କ ଝିଅ ସ୍କୁଲରେ ସୁରକ୍ଷିତ ରହୁ, ତାଙ୍କ ଶଶୁର ରୋଗ ସହ ଲଢ଼ି ପାରନ୍ତୁ ଆଉ ସେମାନଙ୍କ ବାଇବଲ ବିଦ୍ୟାର୍ଥୀ ଭଲଭାବେ ଶିଖିବା ଜାରି ରଖୁ ।

c ଚିତ୍ର ବିଷୟରେ: ଜଣେ ଯୁବା ଭାଇ ଯୀଶୁଙ୍କ ମୁକ୍ତିର ମୂଲ୍ୟ, ଏହି ସୁନ୍ଦର ପୃଥିବୀ ଆଉ ବଢ଼ିଆ ଖାଦ୍ୟ ପାଇଁ ଯିହୋବାଙ୍କୁ ଧନ୍ୟବାଦ କହୁଛନ୍ତି ।

d ଚିତ୍ର ବିଷୟରେ: ଜଣେ ଭଉଣୀ ଯିହୋବାଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ସେ ପ୍ରଶାସନ ଦଳର ଭାଇମାନଙ୍କୁ ପବିତ୍ର ଶକ୍ତି ଦିଅନ୍ତୁ ଆଉ ସେହି ଭାଇଭଉଣୀମାନଙ୍କୁ ସାହାଯ୍ୟ କରନ୍ତୁ, ଯେଉଁମାନେ ପ୍ରାକୃତିକ ବିପତ୍ତି କିମ୍ବା ଅତ୍ୟାଚାର ଯୋଗୁଁ ଦୁଃଖକଷ୍ଟ ସହୁଛନ୍ତି ।