ଜୀବନ କାହାଣୀ
ପରସ୍ପର ଉପରେ ଆଗ୍ରହ ନେଲେ ଅନେକ ଆଶିଷ ମିଳେ
“ଏଙ୍ଗଲିକନ ଚର୍ଚ୍ଚ ସତ୍ୟ ଶିଖାଏନି । ତମେ ଆଗକୁ ବି ସତ୍ୟର ସନ୍ଧାନ କରିବା ଜାରି ରଖିବ ।” ମୋ ଆଈ ଏଙ୍ଗଲିକନ ଚର୍ଚ୍ଚ ଯାଉଥିଲେ ଓ ଏହି କଥା ସେ ମୋ ମାଆଙ୍କୁ କହିଥିଲେ । ସେସମୟଠାରୁ ମୋ ମାଆ ସତ୍ୟ ଧର୍ମର ଅନୁସନ୍ଧାନ କରିବାକୁ ଲାଗିଲେ । କିନ୍ତୁ ସେ ଯିହୋବାଙ୍କ ସାକ୍ଷୀମାନଙ୍କ ସହ କଥା ହେବାକୁ ଚାହୁଁ ନ ଥିଲେ । ଆଉ ସେମାନେ ଆମ ଘରକୁ ଆସିଲେ ମୋତେ ବି ଲୁଚି ଯିବା ପାଇଁ କହୁଥିଲେ । ସେସମୟରେ ଆମେ କାନାଡ଼ାର ଟରୋଣ୍ଟୋ ସହରରେ ରହୁଥିଲୁ । କିନ୍ତୁ ୧୯୫୦ରେ ଯେବେ ମୋ ମାଉସୀ ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ, ତେବେ ମୋ ମାଆ ବି ତାଙ୍କ ସହ ବସିବାକୁ ଲାଗିଲେ । ସେମାନେ ଦୁହେଁ ମାଉସୀଙ୍କ ଘରେ ବାଇବଲ ଅଧ୍ୟୟନ କରୁଥିଲେ ଓ ପରେ ସେ ବାପ୍ତିସ୍ମ ନେଇଗଲେ ।
ବାପା ୟୁନାଇଟେଡ୍ ଚର୍ଚ୍ଚ ଅଫ୍ କାନାଡ଼ାର ଜଣେ ପାଦ୍ରୀ ଥିଲେ । ବାପା ପ୍ରତି ରବିବାର ସକାଳେ ମୋତେ ଓ ଭଉଣୀକୁ ସଣ୍ଡେ ସ୍କୁଲ ପଠାଉଥିଲେ, ଯେଉଁଠି ଛୋଟ ପିଲାମାନଙ୍କୁ ବାଇବଲର କାହାଣୀଗୁଡ଼ିକ ଶିଖାଯାଉଥିଲା । ତାʼପରେ ୧୧ଟା ବେଳେ ଆମେ ତାଙ୍କ ଚର୍ଚ୍ଚ ଯାଉଥିଲୁ ଓ ଦ୍ୱିପହରରେ ମାଆଙ୍କ ସହ ଯିହୋବାଙ୍କ ସାକ୍ଷୀମାନଙ୍କର ରାଜ୍ୟଘରେ ଯାଉଥିଲୁ । ଆମେ ସ୍ପଷ୍ଟ ଦେଖିପାରିଲୁ ଯେ ଦୁଇଟି ଧର୍ମ ମଧ୍ୟରେ କେତେ ପାର୍ଥକ୍ୟ ଅଛି ।
ବୋବ୍ ହଚେସନ୍ ଓ ତାଙ୍କ ସ୍ତ୍ରୀ ମେରିୟନ ଲମ୍ବା ସମୟରୁ ମାଆଙ୍କ ଭଲ ସାଙ୍ଗ ଥିଲେ । ମାଆ ବାଇବଲରୁ ଯାହା ଶିଖୁଥିଲେ, ତାହା ସେ ସେମାନଙ୍କୁ ମଧ୍ୟ କହିଲେ ଓ ସେମାନେ ମଧ୍ୟ ଯିହୋବାଙ୍କ ସାକ୍ଷୀ ହୋଇଗଲେ । ତାʼପରେ ୧୯୫୮ରେ ନ୍ୟୁୟର୍କ ସିଟିରେ ‘ଈଶ୍ୱରୀୟ ଇଚ୍ଛା ଆନ୍ତଃରାଷ୍ଟ୍ରୀୟ ସମ୍ମିଳନୀ’ ରଖାଗଲା । ଏହି ସମ୍ମିଳନୀ ଆଠ ଦିନର ଥିଲା ଆଉ ବୋବ୍ ଓ ମେରିୟନ ନିଜ ତିନି ପୁଅଙ୍କ ସହିତ ମୋତେ ବି ସେଠାକୁ ନେଇକି ଗଲେ । ଆଜି ଯେବେ ମୁଁ ସେସମୟ ବିଷୟରେ ଭାବେ, ତେବେ ମୋତେ ଅନୁଭବ ହୁଏ ଯେ ତାଙ୍କ ପାଇଁ ମୋତେ ସାଙ୍ଗରେ ନେଇକି ଯିବା ଏତେ ସହଜ ହୋଇ ନ ଥିବ । କିନ୍ତୁ ଆଜି ମଧ୍ୟ ସେହି ସମୟର ମିଠା ସ୍ମୃତି ମୋ ମନରେ ତାଜା ଅଛି ।
ଭାଇଭଉଣୀଙ୍କ ଆଗ୍ରହ, ଦେଲା ମୋତେ ଜୀବନରେ ନୂଆ ବାଟ
ଯେବେ ମୁଁ ଯୁବା ଥିଲି, ତେବେ କିଛି ସମୟ ପାଇଁ ଆମେ ଗୋଟିଏ ଫାର୍ମରେ ରହିଲୁ, ଯେଉଁଠି ଆମେ ଅନେକ ପ୍ରକାରର ପଶୁ ପାଳୁଥିଲେ । ମୋତେ ସେମାନଙ୍କ ଯତ୍ନ ନେବା ବହୁତ ଭଲ ଲାଗୁଥିଲା । ତେଣୁ ମୁଁ ଭାବିଲି ଯେ ମୁଁ ଆଗକୁ ଯାଇ ଗୋଟିଏ ପଶୁ ଡାକ୍ତର ହେବି । ମାଆ ଏହି କଥା ମଣ୍ଡଳୀର ଜଣେ ପ୍ରାଚୀନଙ୍କୁ କହିଲେ, ତାʼପରେ ସେହି ଭାଇ ପ୍ରେମର ସହ ମୋତେ ବୁଝାଇଲେ ଯେ ଆମେ “ଶେଷକାଳରେ” ବଞ୍ଚୁଛୁ ଓ ମୋତେ ଏବିଷୟରେ ଭାବିବା ପାଇଁ କହିଲେ ଯେ ଯଦି ମୁଁ କିଛି ବର୍ଷ ପାଇଁ କଲେଜ ପଢ଼ିବା ପାଇଁ ଯାଏ, ତେବେ ଯିହୋବାଙ୍କ ସହିତ ମୋର ସମ୍ପର୍କ ଉପରେ ତାହାର କʼଣ ପ୍ରଭାବ ପଡ଼ିବ । (୨ ତୀମ. ୩:୧) ମୁଁ ସେବିଷୟରେ ଭାବିଲି ଓ ତାʼପରେ ନିଷ୍ପତ୍ତି ନେଲି ଯେ ମୁଁ କଲେଜ ଯିବି ନାହିଁ ।
ସ୍କୁଲର ପାଠପଢ଼ା ଶେଷ ହେବା ପରେ ମୁଁ ଭାବୁଥିଲି ଯେ ଏବେ ମୁଁ
କʼଣ କରିବି । ଦେଖିବାକୁ ଗଲେ ପ୍ରତି ଶନିବାର ଓ ରବିବାର ମୁଁ ପ୍ରଚାର କରିବାକୁ ଯାଉଥିଲି, କିନ୍ତୁ ମୋତେ ସେଥିରେ ଏତେ ମଜା ଲାଗୁ ନ ଥିଲା ଆଉ ମୋତେ ଲାଗୁ ନ ଥିଲା ଯେ ମୁଁ ଅଗ୍ରଦୂତ ସେବା କରିପାରିବି । ମୋ ବାପା ଓ କକା ସତ୍ୟରେ ନ ଥିଲେ ଆଉ ସେମାନେ ମୋତେ ଟରୋଣ୍ଟୋର ଗୋଟିଏ ବଡ଼ ବୀମା କମ୍ପାନୀରେ ଚାକିରି କରିବା ପାଇଁ କହୁଥିଲେ । କକା ସେହି କମ୍ପାନୀରେ ଗୋଟିଏ ବଡ଼ ଅଧିକାରୀ ଥିଲେ । ତେଣୁ ମୁଁ ମଧ୍ୟ ସେଠାରେ ଚାକିରି କରିବାକୁ ଲାଗିଲି ।ଟରୋଣ୍ଟୋରେ ମୋର ଅଧିକାଂଶ ସମୟ ଅଫିସ୍ କାମରେ ଚାଲିଯାଉଥିଲା । ଆଉ ବାକି ସମୟ ମୁଁ ଦୁନିଆର ଲୋକମାନଙ୍କ ସହ ବିତାଇ ଦେଉଥିଲି । ତେଣୁ ମୁଁ ଲଗାତାର ପ୍ରଚାର ପାଇଁ ଓ ସଭାଗୁଡ଼ିକ ପାଇଁ ଯାଇପାରୁ ନ ଥିଲି । ପୂର୍ବେ ମୁଁ ନିଜ ଜେଜେବାପା ସହ ରହୁଥିଲି, ଯିଏ ଯିହୋବାଙ୍କ ସାକ୍ଷୀ ନ ଥିଲେ । କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଗଲା । ତେଣୁ ଏବେ ମୋତେ ରହିବା ପାଇଁ ଅନ୍ୟ ଜାଗା ଖୋଜିବାର ଥିଲା ।
ବୋବ୍ ଓ ମେରିୟନ, ଯିଏ ମୋତେ ୧୯୫୮ରେ ନିଜ ସହ ସମ୍ମିଳନୀରେ ନେଇକି ଯାଇଥିଲେ, ସେମାନେ ମୋ ବାପାମାଆଙ୍କ ଭଳି ଥିଲେ । ସେମାନେ ମୋତେ କହିଲେ ଯେ ମୁଁ ତାଙ୍କ ଘରେ ରହିପାରେ । ସେମାନେ ଯିହୋବାଙ୍କ ସହ ସମ୍ପର୍କ ଦୃଢ଼ କରିବା ପାଇଁ ମୋତେ ସାହାଯ୍ୟ କଲେ । ତାʼପରେ ୧୯୬୦ରେ ତାଙ୍କ ପୁଅ ଜନ୍ ସହିତ ମୁଁ ବି ବାପ୍ତିସ୍ମ ନେଲି । ତାʼପରେ ଜନ୍ ଅଗ୍ରଦୂତ ସେବା କରିବାକୁ ଲାଗିଲା । ଏଥିରୁ ମୋତେ ପ୍ରଚାର କାମରେ ଆହୁରି ଭାଗ ନେବା ପାଇଁ ଇଚ୍ଛା ହେଲା । ମଣ୍ଡଳୀର ଭାଇମାନେ ଦେଖିଲେ ଯେ ମୁଁ ଭଲ ଉନ୍ନତି କରୁଛି ଆଉ କିଛି ସମୟ ପରେ ମୋତେ ‘ଈଶ୍ୱରଙ୍କ ସେବା ସ୍କୁଲ’ ସେବକ ଭାବେ ନିଯୁକ୍ତ କରାଗଲା । a
ମିଳିଲା ଗୋଟିଏ ପ୍ରିୟ ସାଥୀ, ଆରମ୍ଭ କଲୁ ଅଗ୍ରଦୂତ ସେବା
୧୯୬୬ରେ ମୁଁ ପାଲମାର୍ ବର୍ଗଙ୍କ ସହ ବିବାହ କଲି । ସେ ବହୁତ ଉତ୍ସାହର ସହ ଅଗ୍ରଦୂତ ସେବା କରୁଥିଲେ ଓ ଏପରି ଜାଗାରେ ଯାଇ ସେବା କରିବାକୁ ଚାହୁଁଥିଲେ, ଯେଉଁଠି ଅଧିକ ଆବଶ୍ୟକତା ଅଛି । ଆମ ଭ୍ରମଣକାରୀ ଅଧ୍ୟକ୍ଷ ଆମ ଉପରେ ଆଗ୍ରହ ନେଲେ ଓ ସେ ଆମକୁ ଅଣ୍ଟେରିୟ ପ୍ରାନ୍ତରର ଅରିଲିୟା ସହରର ମଣ୍ଡଳୀରେ ଯାଇ ସେବା କରିବା ପାଇଁ ପ୍ରୋତ୍ସାହନ ଦେଲେ । ତାʼପରେ କʼଣ ଥିଲା, ଆମେ ନିଜ ବ୍ୟାଗ ଧରିଲୁ ଓ ବାହାରି ପଡ଼ିଲୁ ।
ଯେବେ ଆମେ ଅରିଲିୟା ପହଞ୍ଚିଲୁ, ତେବେ ମୁଁ ମଧ୍ୟ ଅଗ୍ରଦୂତ ସେବା ଆରମ୍ଭ କରିଦେଲି । ପାଲମାର୍ଙ୍କ ଉତ୍ସାହ ଦେଖି ମୋ ଭିତରେ ବି ଉତ୍ସାହ ଭରିଗଲା ଓ ଯେବେ ମୁଁ ହୃଦୟର ସହ ଅଗ୍ରଦୂତ ସେବା କରିବାକୁ ଲାଗିଲି, ତେବେ ମୋତେ ମଧ୍ୟ ବହୁତ ଖୁସି ଅନୁଭବ ହେଲା । ଯେବେ ମୁଁ ଲୋକମାନଙ୍କୁ ବାଇବଲରୁ କିଛି ଦେଖାଉଥିଲି ଓ ସେମାନେ ତାହା ବୁଝିଯାଉଥିଲେ, ତେବେ ମୁଁ କହିପାରିବିନି ଯେ ମୋତେ କେତେ ଭଲ ଲାଗୁଥିଲା । ସେଠାରେ ଆମେ ଜଣେ ସ୍ୱାମୀ ସ୍ତ୍ରୀଙ୍କ ସହ ଭେଟିଲୁ ଆଉ ସେମାନଙ୍କୁ ବାଇବଲରୁ ଶିଖାଇବାକୁ ଲାଗିଲୁ । ଆମେ ଦେଖିଲୁ ଯେ ସେମାନେ କିପରି ନିଜ ଜୀବନରେ ପରିବର୍ତ୍ତନ କଲେ ଓ ଯିହୋବାଙ୍କର ସେବକ ହୋଇଗଲେ । ଏହା ଆମ ପାଇଁ ବହୁତ ବଡ଼ ଆଶିଷ ଥିଲା ।
ନୂଆ ଭାଷା, ନୂଆ ଚିନ୍ତାଧାରା
ଥରେ ଆମେ ଟରୋଣ୍ଟୋ ସହର ଯାଇଥିଲୁ, ସେଠି ମୁଁ ଭାଇ ଆର୍ଣ୍ଣଲ୍ଡ ମେକ ନମାରା ସହ ଭେଟିଲି । ସେସମୟରେ ସେ ବୈଥେଲରେ ବହୁତଗୁଡ଼ିଏ
ଦାୟିତ୍ୱ ତୁଲାଉଥିଲେ । ସେ ମୋତେ ପଚାରିଲେ, କʼଣ ତମେ ବିଶେଷ ଅଗ୍ରଦୂତ ସେବା କରିବାକୁ ଚାହିଁବ । ମୁଁ କହିଲି, “ହିଁ ନିଶ୍ଚୟ । କଉଠି ବି ପଠାନ୍ତୁ, କେବଳ କ୍ୟୁବେକ ପଠାନ୍ତୁନି ।” ସେସମୟରେ କ୍ୟୁବେକରେ ଫ୍ରେଞ୍ଚ ଭାଷା କହୁଥିବା ଲୋକମାନେ ସରକାର ବିରୋଧରେ ଆନ୍ଦୋଳନ କରୁଥିଲେ ଆଉ ଚାହୁଁଥିଲେ ଯେ କ୍ୟୁବେକକୁ ଗୋଟିଏ ଅଲଗା ଦେଶ କରି ଦିଆଯାଉ । ତେଣୁ କାନାଡ଼ାର ଯେଉଁ ଜାଗାଗୁଡ଼ିକରେ ଇଂରାଜୀ କୁହାଯାଉଥିଲା, ସେଠାର ଲୋକମାନେ କ୍ୟୁବେକରେ ଫ୍ରେଞ୍ଚ କହୁଥିବା ଲୋକମାନଙ୍କୁ ଭେଦଭାବ କରୁଥିଲେ । ଆଉ ମୁଁ ମଧ୍ୟ ଇଂରାଜୀ କହୁଥିବା ଲୋକମାନଙ୍କ ପରି ଭାବୁଥିଲି, ତେଣୁ ମୁଁ ଏପରି କହିଦେଲି ।ଆର୍ଣ୍ଣଲ୍ଡ କହିଲେ, “ଏବେ ତ ଶାଖା କାର୍ଯ୍ୟାଳୟ ବିଶେଷ ଅଗ୍ରଦୂତ ସେବକଙ୍କୁ କ୍ୟୁବେକକୁ ହିଁ ପଠାଉଛି ।” ପାଲମାର୍ଙ୍କ ଆଗରୁ ହିଁ ସେଠାରେ ଯାଇ ସେବା କରିବାର ଇଚ୍ଛା ଥିଲା । ତେଣୁ ମୁଁ ତୁରନ୍ତ ହଁ କହିଦେଲି । ପରେ ମୋତେ ଅନୁଭବ ହେଲା ଯେ ଏହା ବହୁତ ଭଲ ନିଷ୍ପତ୍ତି ଥିଲା ।
ଆମେ ପାଞ୍ଚ ସପ୍ତାହ ଯାଏ ଫ୍ରେଞ୍ଚ ଭାଷା ଶିଖିଲୁ । ଏହା ପରେ ମୋତେ ଓ ପାଲମାର୍ଙ୍କୁ ଆଉ ଗୋଟିଏ ସ୍ୱାମୀ ସ୍ତ୍ରୀଙ୍କ ସହ ରିମୁସ୍କି ସହର ପଠାଇ ଦିଆଗଲା । ଏହି ସହର ମୋଣ୍ଟ୍ରିୟାଲଠାରୁ ୫୪୦ କିଲୋମିଟର (୩୩୬ ମାଇଲ୍) ଦୂର ଉତ୍ତର-ପୂର୍ବରେ ଅଛି । ଦେଖିବାକୁ ଗଲେ ମୋତେ ଫ୍ରେଞ୍ଚ ଭାଷା ବିଷୟରେ ଆହୁରି ବହୁତ କିଛି ଶିଖିବାର ଥିଲା । ମୋତେ ଏକଥାର ଅନୁଭବ ତେବେ ହେଲା, ଯେବେ ଗୋଟିଏ ସଭାରେ ମୁଁ କିଛି ଘୋଷଣା ପଢ଼ୁଥିଲି । ମୋତେ କହିବାର ଥିଲା ଯେ ଆସନ୍ତା ଅଧିବେଶନରେ “ଅଷ୍ଟ୍ରିୟାରୁ” ଅନେକ ଭାଇଭଉଣୀ ଆସିବେ । କିନ୍ତୁ ମୁଁ କହିଦେଲି “ଓଟ ପକ୍ଷୀରୁ” ଅନେକ ଭାଇଭଉଣୀ ଆସିବେ । ଫ୍ରେଞ୍ଚ ଭାଷାରେ “ଅଷ୍ଟ୍ରିୟା” ଓ “ଓଟପକ୍ଷୀ” ପାଇଁ ଯେଉଁ ଶବ୍ଦ ବ୍ୟବହାର କରାଯାଏ, ତାହା ପ୍ରାୟ ଏକାଭଳି ଅଛି ।
ରିମୁସ୍କି ସହରରେ ଆମ ଚାରିଜଣଙ୍କ ସହ ଚାରିଜଣ ଅବିବାହିତ ଭଉଣୀମାନେ ମଧ୍ୟ ଆସି ରହିବାକୁ ଲାଗିଲେ । ସେମାନେ ବହୁତ ଉତ୍ସାହର ସହ ପ୍ରଚାର କରୁଥିଲେ । ତାʼଛଡ଼ା, ହ୍ୟୁବର୍ଡୋ ଓ ତାଙ୍କ ଦୁଇ ଝିଅ ମଧ୍ୟ ଆମ ସହ ମିଶି ସେବା କରିବାକୁ ଲାଗିଲେ । ଭାଇ ଓ ଭଉଣୀ ହ୍ୟୁବର୍ଡୋ ଗୋଟିଏ ବଡ଼ ଘର ଭଡ଼ାରେ ନେଲେ । ସେଥିରେ ସାତଟି କୋଠରୀ ଥିଲା । ଆମେ ସମସ୍ତେ ସେହି ଘରେ ରହୁଥିଲୁ ଓ ସମସ୍ତେ ମିଶି ତାʼର ଭଡ଼ା ଦେଉଥିଲୁ । ଆମେ ସେହି ଘରକୁ “ହ୍ୱାଇଟ୍ ହାଉସ୍” କହୁଥିଲୁ । କାରଣ ତାହା ଆଗ ପଟୁ ପୂରା ଧଳା ଥିଲା ଓ ତାʼର ପିଲର ମଧ୍ୟ ଧଳା ଥିଲା । ସେହି ଘରେ ପ୍ରାୟ ୧୨ ରୁ ୧୪ ଜଣ ଲୋକ ରହୁଥିଲେ । ମୁଁ ଆଉ ପାଲମାର୍ ବିଶେଷ ଅଗ୍ରଦୂତ ଥିଲୁ । ତେଣୁ ଆମେ ସକାଳ, ଦ୍ୱିପହର ଓ ସନ୍ଧ୍ୟାରେ ପ୍ରଚାର ପାଇଁ ବାହାରୁ ଥିଲୁ । ଆଉ ଖୁସିର କଥା ଯେ ଆମ ସହିତ ଯିବା ପାଇଁ ସବୁବେଳେ କେହି ନ କେହି ରହୁଥିଲେ । ଏପରିକି ଶୀତ ଦିନର ସନ୍ଧ୍ୟାରେ ମଧ୍ୟ ଯେବେ ବହୁତ ଥଣ୍ଡା ହୋଇଥାଏ ।
ସେହି ଅଗ୍ରଦୂତ ଭାଇଭଉଣୀମାନେ ଆମର ବହୁତ ଭଲ ସାଙ୍ଗ ହୋଇଯାଇଥିଲେ ଓ ଆମେ ଗୋଟିଏ ପରିବାର ଭଳି ହୋଇଯାଇଥିଲୁ । ବେଳେବେଳେ ଆମେ ସମସ୍ତେ ଏକାସହ ମିଶି ନିଆଁ ଜଳାଇ ବସୁଥିଲୁ । ଆଉ ବେଳବେଳେ ଆମେ ବିଭିନ୍ନ ପ୍ରକାରର ପିରୋଗି ତିଆରି କରୁଥିଲୁ (ଗୋଟିଏ ପ୍ରକାରର ଖାଦ୍ୟ ଯାହା ଅଟାରେ ଅଲଗା ଅଲଗା ଜିନିଷ ଭରି ତିଆରି କରାଯାଏ) । ଜଣେ ଭାଇଙ୍କୁ ସଙ୍ଗୀତ ବଜାଇବା ଆସୁଥିଲା । ତେଣୁ ଶନିବାର ରାତିରେ ଆମେ ପ୍ରାୟ ଏକାସହ ମିଶି ନାଚଗୀତ କରୁଥିଲୁ ।
ରିମୁସ୍କିରେ ଆମ ପରିଶ୍ରମର ଭଲ ଫଳ ମିଳିଲା । ପାଞ୍ଚ ବର୍ଷ ଭିତରେ ହିଁ ଆମର ଅନେକ ବାଇବଲ ବିଦ୍ୟାର୍ଥୀମାନେ ଉନ୍ନତି କଲେ ଓ ବାପ୍ତିସ୍ମ ନେଲେ । ଦେଖୁ ଦେଖୁ ସେଠାର ମଣ୍ଡଳୀରେ ୩୫ ଜଣ ପ୍ରଚାରକ ହୋଇଗଲେ ।
କ୍ୟୁବେକରେ ଆମକୁ ରାଜ୍ୟ ପ୍ରଚାରକ ଭାବେ ବହୁତ ଭଲ ଟ୍ରେନିଙ୍ଗ ମିଳିଲା । ଆମେ ସ୍ପଷ୍ଟ ଦେଖିପାରିଲୁ ଯେ ଯିହୋବା କିପରି ପ୍ରଚାର କାମରେ ଆମକୁ ସାହାଯ୍ୟ କରୁଛନ୍ତି ଓ ଆମ ଆବଶ୍ୟକତା ପୂରା କରୁଛନ୍ତି । ଆମେ ଫ୍ରେଞ୍ଚ ଭାଷା କହୁଥିବା ଲୋକ, ତାଙ୍କ ଭାଷା ଓ ତାଙ୍କ ସଂସ୍କୃତିକୁ ମଧ୍ୟ ଭଲ ପାଇବାକୁ ଲାଗିଲୁ । ତେଣୁ ଆଗକୁ ଯାଇ ଆମେ ଅନ୍ୟ ସଂସ୍କୃତି ଓ ଭାଷାର ଲୋକମାନଙ୍କୁ ମଧ୍ୟ ପ୍ରେମ କରିବା ଶିଖିପାରିଲୁ ।—୨ କରି. ୬:୧୩.
କିନ୍ତୁ ପରେ ହଠାତ୍ ଶାଖା କାର୍ଯ୍ୟାଳୟ ଆମକୁ ନ୍ୟୁ ବ୍ରନ୍ସୱିକ୍ ପ୍ରାନ୍ତରର ପୂର୍ବ ଭାଗରେ ଥିବା ଟ୍ରୈକଡି ନାମକ ଅଞ୍ଚଳରେ ଯାଇ ସେବା କରିବା ପାଇଁ କହିଲା । ଏଥିରୁ ଗୋଟିଏ ସମସ୍ୟା ସୃଷ୍ଟି ହେଲା । ଆମେ କିଛି ସମୟ ପୂର୍ବରୁ ହିଁ ଗୋଟିଏ ଫ୍ଲାଟ୍ ଭଡ଼ାରେ ନେବା ପାଇଁ କାଗଜରେ ଦସ୍ତଖତ କରିଦେଇଥିଲୁ । ଆଉ ମୁଁ ଗୋଟିଏ ସ୍କୁଲରେ ପ୍ରତି ସପ୍ତାହ କିଛି ଘଣ୍ଟା ପଢ଼ାଇବା ପାଇଁ କଥା ହୋଇସାରିଥିଲି । ତାʼଛଡ଼ା ଆମର କିଛି ବାଇବଲ ବିଦ୍ୟାର୍ଥୀମାନେ ମଧ୍ୟ ନୂଆ ନୂଆ ପ୍ରଚାରକ ହୋଇଥିଲେ । ଆଉ ଆମ ଜାଗାରେ ରାଜ୍ୟଘରର ନିର୍ମାଣ କାମ ମଧ୍ୟ ଚାଲୁଥିଲା ।
ତାʼପରେ ଦୁଇଦିନ ଯାଏ ଆମେ ଟ୍ରୈକଡି ଯିବା ବିଷୟରେ ବହୁତ ପ୍ରାର୍ଥନା କଲୁ ଆଉ ଆମେ ସେହି ଅଞ୍ଚଳ ଦେଖିବା ପାଇଁ ମଧ୍ୟ ଗଲୁ । ତାହା ରିମୁସ୍କିଠାରୁ ବହୁତ ଅଲଗା ଥିଲା । କିନ୍ତୁ ପରେ ଆମେ ଭାବିଲୁ ଯେ ଯଦି ଯିହୋବା ଆମକୁ ସେଠାକୁ ପଠାଉଛନ୍ତି, ତାହେଲେ ଆମେ ତାହା କିପରି ମନା କରିପାରିବା । ଆମେ ଯିହୋବାଙ୍କୁ ପରୀକ୍ଷା କରିକି ଦେଖିଲୁ ଆଉ ସେ ଗୋଟିଏ ଗୋଟିଏ କରି ଆମର ସବୁ ସମସ୍ୟାଗୁଡ଼ିକୁ ଦୂର କରିଦେଲେ । (ମଲା. ୩:୧୦) ପାଲମାର୍ଙ୍କ ଯିହୋବାଙ୍କ ସହିତ ବହୁତ ଦୃଢ଼ ସମ୍ପର୍କ ଥିଲା । ସେ ସବୁବେଳେ ତ୍ୟାଗ କରିବା ପାଇଁ ପ୍ରସ୍ତୁତ ଥିଲେ ଓ ମଜାକିଆ ସ୍ୱଭାବର ଥିଲେ । ତେଣୁ ଟ୍ରୈକଡି ଯିବା ଆମ ପାଇଁ ଟିକେ ସହଜ ହୋଇଗଲା ।
ଆମ ନୂଆ ମଣ୍ଡଳୀରେ କେବଳ ଜଣେ ହିଁ ପ୍ରାଚୀନ ଥିଲେ, ରୋବର୍ଟ ରୋସ ।
ସେ ନିଜ ସ୍ତ୍ରୀ ଲିଣ୍ଡାଙ୍କ ସହ ସେଠାରେ ଅଗ୍ରଦୂତ ସେବା କରୁଥିଲେ । କିଛି ସମୟ ପରେ ତାଙ୍କର ଗୋଟିଏ ପୁଅ ହେଲା । କିନ୍ତୁ ସେମାନେ ସେଠାରେ ହିଁ ରହିବା ପାଇଁ ନିଷ୍ପତ୍ତି ନେଲେ । ଏହା ସତ ଯେ ସେମାନଙ୍କୁ ନିଜ ଛୋଟ ପିଲାର ଯତ୍ନ ନେବାର ଥିଲା, ତଥାପି ସେମାନେ ପ୍ରାୟ ମୋତେ ଓ ପାଲମାର୍ଙ୍କୁ ତାଙ୍କ ଘରେ ଖାଇବା ପାଇଁ ଡାକୁଥିଲେ ଓ ଉତ୍ସାହର ସହ ପ୍ରଚାର କରୁଥିଲେ । ସେମାନେ ଦୁହେଁ ଆମର ବହୁତ ଉତ୍ସାହ ବଢ଼ାଇଲେ ।ଯେଉଁଠି ଆବଶ୍ୟକତା ଥିଲା, ସେଠାରେ ସେବା କରିବାରୁ ମିଳିଲା ଅନେକ ଆଶିଷ
ଆମେ ଦୁଇ ବର୍ଷ ଯାଏ ଟ୍ରୈକଡିରେ ଅଗ୍ରଦୂତ ସେବା କଲୁ । ତାʼପରେ ଆମକୁ ଗୋଟିଏ ଏପରି ଦାୟିତ୍ୱ ଦିଆଗଲା ଯାହା ବିଷୟରେ ଆମେ କେବେ ବି ଭାବି ନ ଥିଲୁ । ଆମକୁ ଭ୍ରମଣକାରୀ ଅଧ୍ୟକ୍ଷ ଭାବେ ସେବା କରିବା ପାଇଁ କୁହାଗଲା । ଆମେ ସାତ ବର୍ଷ ଯାଏ ଇଂରାଜୀ ଭାଷାର ସର୍କିଟରେ ସେବା କଲୁ । ତାʼପରେ ଆମକୁ କ୍ୟୁବେକରେ ଫ୍ରେଞ୍ଚ ଭାଷା କୁହାଯାଉଥିବା ସର୍କିଟରେ ସେବା କରିବା ପାଇଁ ପଠାଗଲା । ସେସମୟର ଆମ ଜିଲ୍ଲା ଅଧ୍ୟକ୍ଷ ଭାଇ ଲେଓନ୍ସ କ୍ରେପୋ, ମୋର ଭାଷଣ ପାଇଁ ମୋତେ ବହୁତ ପ୍ରଶଂସା କରୁଥିଲେ । କିନ୍ତୁ ପରେ ସେ ସବୁବେଳେ କହୁଥିଲେ, “ତୁମେ ନିଜର ଭାଷଣରେ ଆହୁରି ବ୍ୟବହାରିକ କଥାଗୁଡ଼ିକ କିପରି କହିପାରିବ ?” b ଏପରି ଭାବେ ଯେବେ ଭାଇ ମୋ ଉପରେ ଆଗ୍ରହ ନେଲେ, ତେବେ ମୁଁ ନିଜ ଶିଖାଇବାର କଳା ଆହୁରି ବଢ଼ାଇପାରିଲି । ମୁଁ ଏପରି ଭାବେ ଭାଷଣ ଦେବା ପାଇଁ ଚେଷ୍ଟା କରିବାକୁ ଲାଗିଲି ଯେଉଁଥିରୁ ଲୋକମାନଙ୍କୁ ତାହା ସହଜରେ ବୁଝି ଆସିବ ଓ ଯେଉଁଥିରୁ ସେମାନେ କିଛି ବ୍ୟବହାରିକ କଥାଗୁଡ଼ିକ ମଧ୍ୟ ଶିଖିପାରିବେ ।
୧୯୭୮ରେ ମୋତେ ଗୋଟିଏ ଏପରି ଦାୟିତ୍ୱ ଦିଆଗଲା ଯାହା ମୁଁ କେବେ ବି ଭୁଲିପାରିବିନି । ମୋତେ ମୋଣ୍ଟ୍ରିୟାଲରେ ରଖାଯାଇଥିବା “ବିଜୟୀ ବିଶ୍ୱାସ” ଆନ୍ତଃରାଷ୍ଟ୍ରୀୟ ଅଧିବେଶନରେ ସେବା କରିବା ପାଇଁ କୁହାଗଲା । ମୋତେ ଖାଇବା-ପିଇବାର ବ୍ୟବସ୍ଥାରେ ସହଯୋଗ କରିବାର ଥିଲା । ଆମକୁ କୁହାଯାଇଥିଲା ଯେ ସେଠାରେ ପାଖାପାଖି ୮୦,୦୦୦ ଜଣ ଲୋକ ଆସିବେ । ପ୍ରଥମଥର ଅଧିବେଶନରେ ଖାଇବାର ବ୍ୟବସ୍ଥା କରାଯାଇଥିଲା । ସବୁକିଛି ନୂଆ ଥିଲା: ନୂଆ ବାସନକୁସନ, ନୂଆ ମେସିନ୍, ଆମକୁ ଏହା ନିଷ୍ପତ୍ତି ନେବାର ଥିଲା ଯେ ଆମେ ଖାଇବା ପାଇଁ କʼଣ କʼଣ ରଖିବା ଓ ସେଗୁଡ଼ିକୁ କିପରି ତିଆରି କରିବା । ଆମ ପାଖରେ ପ୍ରାୟ ୨୦ଟି ବଡ଼ ବଡ଼ ଫ୍ରିଜ୍ ଥିଲା । କିନ୍ତୁ ସେଗୁଡ଼ିକ ଅଧିକାଂଶ ସମୟରେ କାମ କରୁ ନ ଥିଲା । ଯେଉଁଦିନ ଅଧିବେଶନ ଆରମ୍ଭ ହେବାର ଥିଲା, ତାʼର ଗୋଟିଏ ରାତି ପୂର୍ବରୁ ୧୨ଟା ବେଳେ ଆମକୁ ଷ୍ଟାଡିୟମର ଭିତରେ ଯିବା ପାଇଁ ଅନୁମତି ମିଳିଲା । କାରଣ ସେଦିନ ସେଠାରେ କୌଣସି ଖେଳ କାର୍ଯ୍ୟକ୍ରମ ଚାଲୁଥିଲା । ଭାଇଭଉଣୀମାନଙ୍କ ପାଇଁ ଜଳଖିଆ ତିଆରି କରିବା ପାଇଁ ଆମକୁ ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ଫଟାଫଟ୍ ଓଭନ ଚଳାଇବାର ଥିଲା । ଆମେ ସମସ୍ତେ ବହୁତ ଥକି ଯାଇଥିଲୁ । କିନ୍ତୁ ଭାଇଭଉଣୀମାନେ ବହୁତ ପରିଶ୍ରମୀ ଥିଲେ, ବୁଦ୍ଧିମାନ ଥିଲେ ଓ ବହୁତ ମଜାକିଆ ସ୍ୱଭାବର ଥିଲେ । ସେମାନଙ୍କଠାରୁ ମୁଁ ବହୁତ କିଛି ଶିଖିଲି । ଆମେ ପରସ୍ପର ସହ ଏତେ ଘନିଷ୍ଠ ହୋଇଗଲୁ ଯେ ଆମେ ଆଜି ମଧ୍ୟ ଭଲ ସାଙ୍ଗ ଅଟୁ । କ୍ୟୁବେକରେ ରଖାଯାଇଥିବା ସେହି ଅଧିବେଶନରେ ଯାଇ ଆମକୁ ବହୁତ ଖୁସି ଲାଗୁଥିଲା । କାରଣ ୧୯୪୦ ରୁ ୧୯୬୦ ମଧ୍ୟରେ ଯେଉଁଠି ଭାଇଭଉଣୀମାନଙ୍କ ଉପରେ ବହୁତ ଅତ୍ୟାଚାର କରାଯାଉଥିଲା, ସେଠାରେ ଆଜି ଗୋଟିଏ ଐତିହାସିକ ଅଧିବେଶନ ରଖାଯାଇଥିଲା ।
ମୋଣ୍ଟ୍ରିୟାଲରେ ରଖାଯାଇଥିବା ବଡ଼ ବଡ଼ ଅଧିବେଶନଗୁଡ଼ିକରେ ମୁଁ ଅନ୍ୟ ଅଧ୍ୟକ୍ଷମାନଙ୍କଠାରୁ ମଧ୍ୟ ବହୁତ କିଛି ଶିଖିଲି । ଥରେ ଗୋଟିଏ ଅଧିବେଶନରେ ଡେଭିଡ ସ୍ପ୍ଲେନ ଯିଏ ଏବେ ପ୍ରଶାସନ ଦଳର ସଦସ୍ୟ ଅଟନ୍ତି, ଅଧିବେଶନର ଅଧ୍ୟକ୍ଷ ଥିଲେ । କିଛି ସମୟ ପରେ ଗୋଟିଏ ଅଧିବେଶନରେ ଯେବେ ମୋତେ ସେହି
ଦାୟିତ୍ୱ ତୁଲାଇବା ପାଇଁ କୁହାଗଲା, ତେବେ ଡେଭିଡ ମୋର ପୂରା ସହଯୋଗ କଲେ ।୨୦୧୧ରେ ମୋତେ ଭ୍ରମଣକାରୀ ଅଧ୍ୟକ୍ଷ ଭାବେ ସେବା କରିବାର ୩୬ ବର୍ଷ ହୋଇଗଲା । ତାʼପରେ ମୋତେ ‘ମଣ୍ଡଳୀର ପ୍ରାଚୀନମାନଙ୍କ ପାଇଁ ସ୍କୁଲରେ’ ଭାଇମାନଙ୍କୁ ଶିଖାଇବା ପାଇଁ କୁହାଗଲା । ପରବର୍ତ୍ତୀ ଦୁଇବର୍ଷ ଯାଏ ମୁଁ ଓ ପାଲମାର୍ ୭୫ଟି ଅଲଗା ଅଲଗା ବିଛଣାରେ ଶୋଇଲୁ । ହଁ, ଟିକିଏ ଅସୁବିଧା ତ ହେଉଥିଲା, କିନ୍ତୁ ସ୍କୁଲରେ ଭାଇମାନଙ୍କୁ ଯେଉଁ ଲାଭ ହେଉଥିଲା, ତାହା ଦେଖି ଆମେ ନିଜ କଷ୍ଟ ଭୁଲିଯାଉଥିଲୁ । ପ୍ରତି ସପ୍ତାହର ଶେଷରେ ଯେବେ ପ୍ରାଚୀନମାନଙ୍କୁ ଅନୁଭବ ହେଉଥିଲା ଯେ ପ୍ରଶାସନ ଦଳ ସେମାନଙ୍କର କେତେ ଚିନ୍ତା କରନ୍ତି ଓ ଚାହାନ୍ତି ଯେ ଯିହୋବାଙ୍କ ସହ ତାଙ୍କର ସମ୍ପର୍କ ଦୃଢ଼ ହୋଇ ରହୁ, ତେବେ ସେମାନଙ୍କ ହୃଦୟ କୃତଜ୍ଞତାରେ ଭରି ଯାଉଥିଲା ।
ପରେ ମୋତେ ‘ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ’ ଶିଖାଇବା ପାଇଁ ସୁଯୋଗ ମିଳିଲା । ମୁଁ ପ୍ରାୟ ଦେଖୁଥିଲି ଯେ ବିଦ୍ୟାର୍ଥୀମାନଙ୍କୁ ବହୁତ ଚିନ୍ତା ହେଉଥିଲା ଓ ସେମାନେ ବହୁତ ଥକି ଯାଉଥିଲେ । କାରଣ ସେମାନଙ୍କୁ ପ୍ରତିଦିନ କ୍ଲାସରେ ସାତ ଘଣ୍ଟା ବସିବାକୁ ପଡ଼ୁଥିଲା । ତାʼପରେ ପ୍ରତିଦିନ ତିନି ଘଣ୍ଟା ହୋମୱାର୍କ କରିବାକୁ ପଡ଼ୁଥିଲା ଓ ପ୍ରତି ସପ୍ତାହ ଚାରିରୁ ପାଞ୍ଚଟି ଭାଗ ପରିବେଷଣ କରିବାକୁ ପଡ଼ୁଥିଲା । ମୁଁ ଓ ସ୍କୁଲର ଅନ୍ୟ ଶିକ୍ଷକ ବିଦ୍ୟାର୍ଥୀମାନଙ୍କୁ ବୁଝାଉଥିଲୁ ଯେ ସେମାନେ ନିଜ ବଳରେ ଏହା କରିପାରିବେ ନାହିଁ, କିନ୍ତୁ ଯିହୋବାଙ୍କ ସାହାଯ୍ୟରେ ନିଶ୍ଚୟ କରିପାରିବେ । ଆଉ ସବୁବେଳେ ଏପରି ହିଁ ହେଉଥିଲା । ଆରମ୍ଭରେ ବିଦ୍ୟାର୍ଥୀମାନଙ୍କୁ ଲାଗୁଥିଲା ଯେ ସେମାନେ ତାହା କରିପାରିବେ ନାହିଁ । କିନ୍ତୁ ଯେବେ ସେମାନେ ଦେଖୁଥିଲେ ଯେ ଯିହୋବାଙ୍କ ସାହାଯ୍ୟରେ ସେମାନେ କିପରି ଏତେଗୁଡ଼ିଏ କାମ କରିପାରୁଛନ୍ତି, ତେବେ ସେମାନେ ଆଶ୍ଚର୍ଯ୍ୟ ହୋଇଯାଉଥିଲେ ।
ଅନ୍ୟମାନଙ୍କ ଉପରେ ଆଗ୍ରହ ନେଲେ, ମିଳେ ଅନେକ ଆଶିଷ
ମାଆ ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କ ଉପରେ ଯେଉଁ ଆଗ୍ରହ ଦେଖାଉଥିଲେ, ତାʼଯୋଗୁଁ ସେମାନେ ଉନ୍ନତି କରିପାରିଲେ । ମାଆଙ୍କ ବ୍ୟବହାର ଯୋଗୁଁ ବାପାଙ୍କର ମଧ୍ୟ ସତ୍ୟ ପ୍ରତି ଦୃଷ୍ଟିକୋଣ ବଦଳିଗଲା । ମାଆଙ୍କ ମୃତ୍ୟୁର ତିନି ଦିନ ପରେ ବାପା ରାଜ୍ୟଘରେ ଗୋଟିଏ ଜନଭାଷଣ ଶୁଣିବା ପାଇଁ ଆସିଲେ । ଏହା ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲୁ । ପରବର୍ତ୍ତୀ ୨୬ ବର୍ଷ ଯାଏ ସେ ଲଗାତାର ସଭାରେ ଆସୁଥିଲେ । ବାପା ବାପ୍ତିସ୍ମ ତ ନେଲେନି, କିନ୍ତୁ ପ୍ରାଚୀନମାନେ ମୋତେ କହିଲେ ଯେ ସେ ସଭାରେ ସବୁବେଳେ ସବୁଠୁ ପ୍ରଥମେ ଆସିଯାଉଥିଲେ ।
ମାଆ ଆମ ସବୁ ପିଲାମାନଙ୍କ ପାଇଁ ବହୁତ ବଢ଼ିଆ ଉଦାହରଣ ରଖିଲେ । ମୋର ତିନି ଭଉଣୀ ଓ ସେମାନଙ୍କର ସ୍ୱାମୀ ବିଶ୍ୱସ୍ତତାର ସହ ଯିହୋବାଙ୍କର ସେବା କରୁଛନ୍ତି । ମୋର ଦୁଇଜଣ ଭଉଣୀ ଶାଖା କାର୍ଯ୍ୟାଳୟରେ ସେବା କରୁଛନ୍ତି, ଜଣେ ପର୍ତ୍ତୁଗାଲରେ ଅଛନ୍ତି ଓ ଅନ୍ୟ ଜଣେ ହୈତିରେ ।
ମୁଁ ଓ ପାଲମାର୍ ଏବେ ଅଣ୍ଟେରିୟର ହେମିଲଟନ ସହରରେ ବିଶେଷ ଅଗ୍ରଦୂତ ସେବା କରୁଛୁ । ଯେବେ ମୁଁ ଭ୍ରମଣକାରୀ ଅଧ୍ୟକ୍ଷ ଥିଲି, ତେବେ ଆମେ ଅନ୍ୟ ଭାଇଭଉଣୀମାନଙ୍କ ସହ ସେମାନଙ୍କର ପୁନଃସାକ୍ଷାତ ଓ ବାଇବଲ ଅଧ୍ୟୟନରେ ଯାଉଥିଲୁ । କିନ୍ତୁ ଏବେ ଆମର ନିଜର ବାଇବଲ ବିଦ୍ୟାର୍ଥୀ ଥିଲେ । ଯେବେ ଆମେ ଦେଖୁ ଯେ ସେମାନେ କିପରି ଭାବେ ଯିହୋବାଙ୍କୁ ପ୍ରେମ କରୁଛନ୍ତି, ତେବେ ଆମକୁ ବହୁତ ଖୁସି ଲାଗେ । ଆଉ ଆମେ ନୂଆ ମଣ୍ଡଳୀର ଭାଇଭଉଣୀମାନଙ୍କ ସହ ସାଙ୍ଗ ହେଉ ଓ ଦେଖୁ ଯେ କିପରି ଯିହୋବା ଭଲ ଓ ଖରାପ ସମୟରେ ସେମାନଙ୍କୁ ସମ୍ଭାଳୁଛନ୍ତି, ତେବେ ଆମର ବହୁତ ଉତ୍ସାହ ବଢ଼ିଥାଏ ।
ଆଜି ଯେବେ ଆମେ ପଛକୁ ଦେଖୁ ଯେ କିପରି ଅଲଗା ଅଲଗା ଭାଇଭଉଣୀମାନେ ଆମ ଉପରେ ଆଗ୍ରହ ଦେଖାଇଲେ, ତେବେ ଆମ ହୃଦୟ କୃତଜ୍ଞତାରେ ଭରିଯାଏ । ତାʼବଦଳରେ ଆମେ ବି ଏହା ଦେଖାଇବା ପାଇଁ ଚେଷ୍ଟା କରୁ ଯେ ଆମେ ଭାଇଭଉଣୀମାନଙ୍କ “ଚିନ୍ତା” କରୁ । ଆମେ ସେମାନଙ୍କର ଉତ୍ସାହ ବଢ଼ାଇବା ପାଇଁ ଚେଷ୍ଟା କରୁ, ଯାହାଫଳରେ ସେମାନେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିପାରିବେ । (୨ କରି. ୭:୬, ୭ NWT) ଥରେ ଆମେ ଗୋଟିଏ ପରିବାର ସହ ଭେଟିଲୁ, ଯେଉଁଥିରେ ମାଆ, ପୁଅ ଓ ଝିଅ, ତିନି ଜଣଯାକ ପୂର୍ଣ୍ଣ ସମୟର ସେବା କରୁଥିଲେ । ମୁଁ ପିତାଙ୍କୁ ପଚାରିଲି ଯେ କʼଣ ସେ କେବେ ଅଗ୍ରଦୂତ ହେବା ବିଷୟରେ ଭାବିଛନ୍ତି । ସେ କହିଲେ ଯେ ସେ ସେହି ତିନି ଜଣଙ୍କୁ ଅଗ୍ରଦୂତ ସେବା କରିବା ପାଇଁ ସାହାଯ୍ୟ କରୁଛନ୍ତି । ମୁଁ ତାଙ୍କୁ କହିଲି, “କʼଣ ଆପଣ ଯିହୋବାଙ୍କଠୁ ବି ବେଶି ଭଲଭାବେ ତାଙ୍କୁ ସାହାଯ୍ୟ କରିପାରିବେ ?” ମୁଁ ତାଙ୍କୁ ପ୍ରୋତ୍ସାହନ ଦେଲି ଯେ ସେ ମଧ୍ୟ ସେହି ଖୁସି ପାଆନ୍ତୁ, ଯାହା ସେମାନଙ୍କୁ ମିଳୁଛି । ଆଉ ଛଅ ମାସ ଭିତରେ ହିଁ ସେ ଭାଇ ଅଗ୍ରଦୂତ ସେବା କରିବାକୁ ଲାଗିଲେ ।
ମୁଁ ଆଉ ପାଲମାର୍ ସବୁବେଳେ “ଆସନ୍ତା” ପିଢ଼ିକୁ ଯିହୋବାଙ୍କ “ଆଶ୍ଚର୍ଯ୍ୟ କ୍ରିୟା” ବିଷୟରେ କହିବା ଜାରି ରଖିବୁ । ଆଉ ଆମେ ପ୍ରାର୍ଥନା କରୁ ଯେ ତାଙ୍କ ସେବାରେ ସେମାନଙ୍କୁ ବି ସେହି ଖୁସି ମିଳୁ ଯାହା ଆମକୁ ମିଳିଛି ।—ଗୀତ. ୭୧:୧୭, ୧୮.
a ଏବେ ଯେଉଁ ଭାଇ ଏହି ଦାୟିତ୍ୱ ତୁଲାନ୍ତି, ତାଙ୍କୁ ‘ଖ୍ରୀଷ୍ଟୀୟ ଜୀବନ ଓ ସେବାସଭା’ ଅଧ୍ୟକ୍ଷ କୁହାଯାଏ ।
b ଲେଓନ୍ସ କ୍ରେପୋଙ୍କର ଜୀବନ କାହାଣୀ ପଢ଼ିବା ପାଇଁ ଫେବୃଆରୀ ୨୦୨୦ର ପ୍ରହରୀଦୁର୍ଗର ପୃଷ୍ଠା ୨୬-୩୦ ପଢ଼ନ୍ତୁ ।