इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୮

ଗୀତ ୧୨୩ ୟହୋୱା କି ହୁକୁମତ୍‌ କବୁଲ୍‌ କରେଁ

ଆପଣ ସତ ଓ ମିଛକୁ ଚିହ୍ନିପାରିବେ !

ଆପଣ ସତ ଓ ମିଛକୁ ଚିହ୍ନିପାରିବେ !

“ସତ୍ୟରୂପ କଟିବନ୍ଧନୀରେ କଟି ବାନ୍ଧି . . . ଅଟଳ ହୋଇଥାଅ ।”ଏଫି. ୬:୧୪, ୧୫.

କʼଣ ଶିଖିବା ?

ଯିହୋବା ଆମକୁ ଯେଉଁ ସତ୍ୟ ଶିଖାଇଛନ୍ତି ଏବଂ ଶୟତାନ ଓ ଆମ ବିରୋଧୀ ଯେଉଁ ମିଛ କଥା ପ୍ରସାର କରନ୍ତି, ଆମେ ଏହି ଦୁଇଟି ମଧ୍ୟରେ କିପରି ପାର୍ଥକ୍ୟ କରିବା ଶିଖିପାରିବା ?

୧. ବାଇବଲରେ ଦିଆଯାଇଥିବା ସତ୍ୟଗୁଡ଼ିକ ବିଷୟରେ ଆପଣ କିପରି ଅନୁଭବ କରନ୍ତି ?

 ଆମେ ଈଶ୍ୱରଙ୍କ ବାକ୍ୟରେ ଥିବା ସତ୍ୟଗୁଡ଼ିକୁ ବହୁତ ପ୍ରେମ କରୁ । ଏହା ହିଁ ଆମ ବିଶ୍ୱାସର ଆଧାର । (ରୋମୀ. ୧୦:୧୭) ଆମକୁ ଭରସା ଅଛି ଯେ ଖ୍ରୀଷ୍ଟୀୟ ମଣ୍ଡଳୀ “ସତ୍ୟର ସ୍ତମ୍ଭ ଓ ଭିତ୍ତିମୂଳ” ଅଟେ ଏବଂ ଯିହୋବା ଖ୍ରୀଷ୍ଟିୟାନ ମଣ୍ଡଳୀର ବ୍ୟବସ୍ଥା କରିଛନ୍ତି । (୧ ତୀମ. ୩:୧୫) ଆଉ “ଯେଉଁମାନେ ଆମର ନେତୃତ୍ୱ ନିଅନ୍ତି,” ସେମାନେ ଆମକୁ ବାଇବଲରେ ଦିଆଯାଇଥିବା ସତ୍ୟଗୁଡ଼ିକୁ ବୁଝାନ୍ତି ଓ ଯାହା ବି ନିର୍ଦ୍ଦେଶ ଦିଅନ୍ତି, ତାହା ଈଶ୍ୱରଙ୍କ ଇଚ୍ଛା ଅନୁସାରେ ହୋଇଥାଏ । ତେଣୁ ଆମେ ଖୁସିର ସହ ସେହି ଭାଇମାନଙ୍କର ଅଧୀନରେ ରହୁ ।—ଏବ୍ରୀ ୧୩:୧୭ NWT.

୨. ଯେପରି ଯାକୁବ ୫:୧୯ ପଦରେ କୁହାଯାଇଛି, ସତ୍ୟ ଶିଖିବା ପରେ ମଧ୍ୟ ଆମ ସହ କʼଣ ହୋଇପାରେ ?

ଆମେ ବାଇବଲର ସତ୍ୟଗୁଡ଼ିକୁ ମାନୁ ଏବଂ ଆମକୁ ପୂରା ଭରସା ଅଛି ଯେ ଆଜି ଯିହୋବାଙ୍କ ସଂଗଠନ ଯେଉଁ ନିର୍ଦ୍ଦେଶ ଦିଏ, ତାହା ସମ୍ପୂର୍ଣ୍ଣ ଭାବେ ସଠିକ୍‌ ଅଟେ । ତଥାପି ଆମେ ସତ୍ୟର ପଥରେ ଭ୍ରାନ୍ତ ହୋଇପାରୁ । (ଯାକୁବ ୫:୧୯ ପଢ଼ନ୍ତୁ ।) ଆଉ ଶୟତାନ ଏହା ହିଁ ଚାହେଁ ଯେ ଆମେ ବାଇବଲର କଥାଗୁଡ଼ିକ ଉପରେ ଆଉ ସଂଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକ ଉପରେ ସନ୍ଦେହ କରୁ ଓ ଭରସା କରିବା ଛାଡ଼ି ଦେଉ ।—ଏଫି. ୪:୧୪.

୩. ଆମେ କାହିଁକି ସତ୍ୟକୁ ଦୃଢ଼ ଭାବରେ ଧରି ରଖିବା ଉଚିତ୍‌ ? (ଏଫିସୀୟ ୬:୧୩, ୧୪)

ଏଫିସୀୟ ୬:୧୩, ୧୪ ପଢ଼ନ୍ତୁ । ଅତି ଶୀଘ୍ର ଶୟତାନ ସମସ୍ତ ରାଷ୍ଟ୍ରକୁ ଭ୍ରାନ୍ତ କରିବା ପାଇଁ ମିଛ କଥାଗୁଡ଼ିକ ପ୍ରସାର କରିବ ଆଉ ସେମାନେ ଯିହୋବା ଓ ତାଙ୍କ ଲୋକଙ୍କ ବିରୋଧୀ ହୋଇଯିବ । (ପ୍ରକା. ୧୬:୧୩, ୧୪) କେବଳ ଏତିକି ନୁହେଁ, ଶୟତାନ ଯିହୋବାଙ୍କ ଲୋକମାନଙ୍କୁ ଭ୍ରାନ୍ତ କରିବା ପାଇଁ ମଧ୍ୟ ପୂରାପୂରି ଚେଷ୍ଟା କରିବ । (ପ୍ରକା. ୧୨:୯) ତେଣୁ ଏହା ବହୁତ ଜରୁରୀ ଯେ ଆମେ ସତ ଓ ମିଛରେ ପାର୍ଥକ୍ୟ କରିବା ଶିଖୁ ଓ ସତ୍ୟକୁ ଦୃଢ଼ ଭାବରେ ଧରି ରଖୁ । (ରୋମୀ. ୬:୧୭; ୧ ପିତ. ୧:୨୨) ଏପରି କରିବା ଦ୍ୱାରା ଆମେ ମହାକ୍ଳେଶରୁ ବଞ୍ଚିପାରିବା ।

୪. ଏହି ଲେଖାରେ ଆମେ କʼଣ ଜାଣିବା ?

ଏହି ଲେଖାରେ ଆମେ ଦୁଇଟି ଗୁଣ ଉପରେ ଧ୍ୟାନ ଦେବା, ଯାହାଦ୍ୱାରା ଆମେ ସତ ଓ ମିଛରେ ପାର୍ଥକ୍ୟ କରିପାରିବା ଆଉ ସଂଗଠନରୁ ମିଳୁଥିବା ନିର୍ଦ୍ଦେଶ ମାନିପାରିବା । ଏହା ବ୍ୟତୀତ, ଆମେ ତିନୋଟି ବିଷୟ ଉପରେ ଚର୍ଚ୍ଚା କରିବା ଯାହାକୁ ମାନିବା ଦ୍ୱାରା ଆମେ ସତକୁ ଦୃଢ଼ ଭାବରେ ଧରି ରଖିପାରିବା ।

ସତ ଓ ମିଛରେ ପାର୍ଥକ୍ୟ କରିବା ପାଇଁ କେଉଁ ଗୁଣ ଜରୁରୀ ?

୫. ଯଦି ଆମେ ଯିହୋବାଙ୍କୁ ଡରିବା, ତେବେ ଆମେ କʼଣ କରିବା ?

ଯିହୋବାଙ୍କୁ ଡରନ୍ତୁ । ଯିହୋବାଙ୍କୁ ଡରିବାର ଅର୍ଥ ହେଉଛି ଯେ ଆମେ ତାଙ୍କୁ ବହୁତ ପ୍ରେମ କରୁ, ତେଣୁ ଆମେ ଏପରି କିଛି ବି କାମ କରି ନ ଥାଉ ଯେଉଁଥିରୁ ତାଙ୍କୁ ଦୁଃଖ ପହଞ୍ଚେ । ଆମେ ଏହା ଜାଣିବା ପାଇଁ ଚେଷ୍ଟା କରୁ ଯେ ଯିହୋବାଙ୍କ ଦୃଷ୍ଟିରେ କʼଣ ଠିକ୍‌ ଓ କʼଣ ଭୁଲ ଏବଂ କʼଣ ସତ ଓ କʼଣ ମିଛ । ଆଉ ତାʼପରେ ଆମେ ତାହା ହିଁ କରୁ ଯେଉଁଥିରୁ ସେ ଖୁସି ହୁଅନ୍ତି । (ହିତୋ. ୨:୩-୬; ଏବ୍ରୀ ୫:୧୪) କିନ୍ତୁ ଆମେ ମଣିଷମାନଙ୍କୁ ଅତ୍ୟଧିକ ଡରିବା ଉଚିତ୍‌ ନୁହେଁ, ନହେଲେ ଯିହୋବାଙ୍କ ପାଇଁ ଆମ ପ୍ରେମ କମ୍‌ ହୋଇଯିବ । ଆଉ ଯଦି ଏପରି ହୁଏ, ତାହେଲେ ଆମେ ଲୋକମାନଙ୍କୁ ଖୁସି କରିବା ପାଇଁ ଚେଷ୍ଟା କରିବା ଆଉ ଯିହୋବାଙ୍କୁ ଦୁଃଖ ପହଞ୍ଚାଇବା ।

୬. କିଣାନୀୟମାନଙ୍କ ଡର ଯୋଗୁଁ ଇସ୍ରାଏଲର ଦଶ ଜଣ ଅଧିପତି ଏପରି କʼଣ କହିଲେ ଯାହା ସତ ନ ଥିଲା ?

ଯଦି ଆମେ ଯିହୋବାଙ୍କଠୁ ଅଧିକ ମଣିଷମାନଙ୍କୁ ଡରିବାକୁ ଲାଗିବା ତେବେ ଆମେ ସତ୍ୟର ପଥରୁ ଦୂରେଇ ଯାଇ ପାରିବା । ଧ୍ୟାନ ଦିଅନ୍ତୁ ଯେ ଇସ୍ରାଏଲର ସେହି ୧୨ଜଣ ଅଧିପତିଙ୍କ ସହ କʼଣ ହେଲା ଯେଉଁମାନେ ଲୁଚିଛପି ପ୍ରତିଜ୍ଞାତ ଦେଶରେ ଅନୁସନ୍ଧାନ କରିବା ପାଇଁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦଶଜଣ ଗୁପ୍ତଚର, କିଣାନୀୟ ଲୋକମାନଙ୍କଠାରୁ ଏତେ ଡରିଗଲେ ଯେ ଯିହୋବାଙ୍କ ପ୍ରତି ତାଙ୍କ ପ୍ରେମ କମ୍‌ ହୋଇଗଲା । ସେମାନେ ଅନ୍ୟ ଇସ୍ରାଏଲୀୟମାନଙ୍କୁ କହିଲେ, “ଆମ୍ଭେମାନେ ସେହି ଲୋକମାନଙ୍କ ବିରୁଦ୍ଧରେ ଯାଇ ନ ପାରୁ, କାରଣ ସେମାନେ ଆମ୍ଭମାନଙ୍କଠାରୁ ବଳବାନ ।” (ଗଣ. ୧୩:୨୭-୩୧) କିନ୍ତୁ ଏହା ସତ ଥିଲା ଯେ କିଣାନୀୟମାନେ ଇସ୍ରାଏଲୀୟମାନଙ୍କଠାରୁ ଅଧିକ ବଳବାନ ଥିଲେ । କିନ୍ତୁ ଏହା ସତ ନ ଥିଲା ଯେ ଇସ୍ରାଏଲୀୟମାନେ ସେମାନଙ୍କୁ ହରାଇପାରି ନ ଥାʼନ୍ତେ । ଯିହୋବା ଇସ୍ରାଏଲୀୟମାନଙ୍କ ସାଙ୍ଗରେ ଅଛନ୍ତି, ଏହି କଥା ସେହି ୧୦ ଜଣ ଗୁପ୍ତଚର ଭୁଲିଗଲେ । ସେମାନଙ୍କୁ ଏକଥା ଭାବିବାର ଥିଲା ଯେ ଯିହୋବା ସେମାନଙ୍କଠାରୁ କʼଣ ଚାହାନ୍ତି । ସେମାନଙ୍କୁ ଏହା ବି ଭାବିବାର ଥିଲା ଯେ ଯିହୋବା ଇସ୍ରାଏଲୀୟମାନଙ୍କ ପାଇଁ କʼଣ କʼଣ କରିଥିଲେ । ଯଦି ସେମାନେ ଏପରି କରିଥାʼନ୍ତେ, ତେବେ ବୁଝିପାରିଥାʼନ୍ତେ ଯେ ସର୍ବଶକ୍ତିମାନ ଈଶ୍ୱରଙ୍କ ଆଗରେ ସେହି କିଣାନୀୟ ଲୋକମାନେ କିଛି ବି ନୁହଁନ୍ତି । କିନ୍ତୁ ଯିହୋଶୂୟ ଓ କାଲେବ ଦଶଜଣ ଗୁପ୍ତଚରଙ୍କଠାରୁ ପୂରାପୂରି ଅଲଗା ଥିଲେ । ସେମାନେ ଯିହୋବାଙ୍କୁ ଡରୁଥିଲେ ଓ ତାଙ୍କୁ ଖୁସି କରିବା ପାଇଁ ଚାହୁଁଥିଲେ । ତେଣୁ ସେମାନେ ଲୋକମାନଙ୍କୁ କହିଲେ, “ଯେବେ ସଦାପ୍ରଭୁ ଆମ୍ଭମାନଙ୍କଠାରେ ସନ୍ତୁଷ୍ଟ ହୁଅନ୍ତି, ତେବେ ସେ ଆମ୍ଭମାନଙ୍କୁ ସେହି ଦେଶକୁ ଆଣିବେ ଓ ତାହା ଆମ୍ଭମାନଙ୍କୁ ଦେବେ ।”—ଗଣ. ୧୪:୬-୯.

୭. ଆମେ ନିଜଠାରେ ଯିହୋବାଙ୍କ ପ୍ରତି ଡର କିପରି ବଢ଼ାଇପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଯଦି ଆମେ ଯିହୋବାଙ୍କୁ ଡରିବା, ତେବେ ଆମେ କୌଣସି ବି ନିଷ୍ପତ୍ତି ନେବା ପୂର୍ବରୁ ଭାବିବା ଯେ ଏହା ଯିହୋବାଙ୍କୁ ପସନ୍ଦ ଆସିବ ନା ନାହିଁ । (ଗୀତ. ୧୬:୮) ନିଜଠାରେ ଯିହୋବାଙ୍କ ପ୍ରତି ଡର ବଢ଼ାଇବା ପାଇଁ ଆମେ କʼଣ କରିପାରିବା ? ବାଇବଲର କୌଣସି ଘଟଣା ପଢ଼ିବା ସମୟରେ ନିଜକୁ ପଚାରନ୍ତୁ, ‘ଯଦି ମୁଁ ସେହି ପରିସ୍ଥିତିରେ ଥାʼନ୍ତି, ତେବେ ମୁଁ କʼଣ କରିଥାʼନ୍ତି ?’ ଯେପରି ଭାବନ୍ତୁ ଯେ ଦଶଜଣ ଅଧିପତି ମିଛ ଖବର ଦେଉଛନ୍ତି ଏବଂ ଆପଣ ତାଙ୍କ ପାଖରେ ହିଁ ଛିଡ଼ା ହୋଇଛନ୍ତି । ସେମାନେ କହୁଛନ୍ତି ଯେ ଆମେ କିଣାନୀୟ ଲୋକମାନଙ୍କ ଉପରେ ଜୟ କରିପାରିବା ନାହିଁ । ଏବେ ଆପଣ କʼଣ କରିବେ ? କʼଣ ଆପଣ ସେମାନଙ୍କ କଥାକୁ ସତ ବୋଲି ଭାବି ନେବେ ଏବଂ ମଣିଷମାନଙ୍କୁ ଡରିବେ ? କିମ୍ବା ଆପଣ ଯିହୋବାଙ୍କୁ ଡରିବେ ଏବଂ ତାହା ହିଁ କରିବେ ଯେଉଁଥିରୁ ସେ ଖୁସି ହୁଅନ୍ତି ? କିନ୍ତୁ ଦୁଃଖର କଥା ଯେ ଇସ୍ରାଏଲର ସେହି ପିଢ଼ି ସତ ଓ ମିଛ ମଧ୍ୟରେ ପାର୍ଥକ୍ୟ କରିପାରିଲେ ନାହିଁ । ସେମାନେ ଯିହୋଶୂୟ ଓ କାଲେବଙ୍କ କଥା ଉପରେ ଭରସା କଲେ ନାହିଁ ଯେଉଁମାନେ ସତ କହୁଥିଲେ । ଏହି କାରଣ ଯୋଗୁଁ ସେମାନେ ପ୍ରତିଜ୍ଞାତ ଦେଶକୁ ଯିବାର ସୁଯୋଗ ହରାଇ ଦେଲେ ।—ଗଣ. ୧୪:୧୦, ୨୨, ୨୩.

ଆପଣ କାହା କଥାକୁ ସତ ବୋଲି ଭାବନ୍ତି ? (ପାରାଗ୍ରାଫ ୭)


୮. ଆମକୁ ନିଜଠାରେ କେଉଁ ଗୁଣ ବଢ଼ାଇବା ଉଚିତ୍‌ ଓ କାହିଁକି ?

ନମ୍ର ରହନ୍ତୁ । ଯିହୋବା ନମ୍ର ଲୋକମାନଙ୍କ ଉପରେ ସତ୍ୟ ପ୍ରକାଶ କରନ୍ତି । (ମାଥି. ୧୧:୨୫) ଆମେ ନମ୍ର ଥିଲୁ, ତେଣୁ ଆମେ ସତ୍ୟ ଶିଖିବା ପାଇଁ ଅନ୍ୟମାନଙ୍କର ସାହାଯ୍ୟ ନେଲୁ । (ପ୍ରେରି. ୮:୩୦, ୩୧) କିନ୍ତୁ ଆମକୁ ଧ୍ୟାନ ରଖିବାର ଅଛି ଯେ ଆମେ ସବୁବେଳେ ନମ୍ର ରହୁ, କେବେ ବି ଅହଂକାରୀ ହୋଇ ନ ଯାଉ । ଅହଂକାରୀ ବ୍ୟକ୍ତି ଏହା ମାନେ ଯେ ବାଇବଲର ସିଦ୍ଧାନ୍ତଗୁଡ଼ିକ ଓ ସଂଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକ ସଠିକ୍‌ ଅଟେ । କିନ୍ତୁ ତାକୁ ଏହା ବି ଲାଗେ ଯେ ସେ ଯାହା ଭାବୁଛି, ତାହା ବି ସେତେ ହିଁ ସଠିକ୍‌ ଅଟେ ।

୯. ଆମେ କିପରି ନମ୍ର ହୋଇ ରହିପାରିବା ?

ନମ୍ର ରହିବା ପାଇଁ ଏହା ଜରୁରୀ ଯେ ଆମେ ମନେ ରଖୁ ଯେ ଯିହୋବା କେତେ ମହାନ ଅଟନ୍ତି ଓ ଆମେ ତାଙ୍କ ଆଗରେ କେତେ ଛୋଟ । (ଗୀତ. ୮:୩, ୪) ଆମକୁ ଯିହୋବାଙ୍କୁ ପ୍ରାର୍ଥନା ବି କରିବାକୁ ପଡ଼ିବ ଯେ ଆମେ ସବୁବେଳେ ନମ୍ର ଓ ଶିଖିବା ପାଇଁ ପ୍ରସ୍ତୁତ ରହୁ । ତେବେ ଆମେ ଯିହୋବାଙ୍କ ଚିନ୍ତାଧାରାକୁ ନିଜ ଚିନ୍ତାଧାରାଠାରୁ ଅଧିକ ମହତ୍ତ୍ୱ ଦେଇପାରିବା । ଆଉ ସେ ନିଜ ବାକ୍ୟ ଓ ସଂଗଠନ ଜରିଆରେ ଯାହା ନିର୍ଦ୍ଦେଶ ଦିଅନ୍ତି ତାହାକୁ ମାନିପାରିବା । ଆଉ ଯେବେ ଆମେ ବାଇବଲ ପଢ଼ୁ, ତେବେ ଆମକୁ ଏହା ଜାଣିବା ପାଇଁ ଚେଷ୍ଟା କରିବା ଉଚିତ୍‌ ଯେ ଯିହୋବା କିପରି ନମ୍ର ଲୋକମାନଙ୍କୁ ପ୍ରେମ କରନ୍ତି, କିନ୍ତୁ ଗର୍ବୀ ଓ ଅହଂକାରୀ ଲୋକମାନଙ୍କୁ ଘୃଣା କରନ୍ତି । ଯଦି ଆମକୁ କୌଣସି ବଡ଼ ଦାୟିତ୍ୱ ମିଳେ ଆଉ ଭାଇଭଉଣୀମାନେ ଆମ ଉପରେ ଧ୍ୟାନ ଦେବାକୁ ଲାଗନ୍ତି, ତେବେ ଆମକୁ ଆହୁରି ଧ୍ୟାନ ଦେବାର ଅଛି ଯେ ଆମେ ନମ୍ର ହୋଇ ରହୁ ।

ସତ୍ୟକୁ କିପରି ଧରି ରଖିବା ?

୧୦. ଯିହୋବା କେଉଁମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ନିର୍ଦ୍ଦେଶ ଦେଇ ଆସୁଛନ୍ତି ?

୧୦ ଯିହୋବାଙ୍କ ସଂଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକ ଉପରେ ଭରସା କରନ୍ତୁ । ପ୍ରାଚୀନ ସମୟରେ ଯିହୋବା ମୋଶା ଓ ପରେ ଯିହୋଶୂୟଙ୍କ ଜରିଆରେ ନିଜ ଲୋକମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । (ଯିହୋ. ୧:୧୬, ୧୭) ଆଉ ଇସ୍ରାଏଲୀୟମାନେ ଜାଣିଥିଲେ ଯେ ଯିହୋବା ଏହି ଲୋକମାନଙ୍କୁ ବାଛିଛନ୍ତି ଓ ସେମାନଙ୍କ ଜରିଆରେ ନିର୍ଦ୍ଦେଶ ଦେଉଛନ୍ତି । ଆଉ ଯେବେ ସେମାନେ ତାହାକୁ ମାନିଲେ ତେବେ ସେମାନଙ୍କୁ ଆଶିଷ ମିଳିଲା । ଏହାର ବହୁତ ବର୍ଷ ପରେ ଯେବେ ଖ୍ରୀଷ୍ଟିୟାନ ମଣ୍ଡଳୀର ଆରମ୍ଭ ହେଲା, ତେବେ ଯିହୋବା ୧୨ ଜଣ ପ୍ରେରିତଙ୍କ ଜରିଆରେ ଖ୍ରୀଷ୍ଟିୟାନମାନଙ୍କୁ ନିର୍ଦ୍ଦେଶ ଦେଲେ । (ପ୍ରେରି. ୮:୧୪, ୧୫) ଆଗକୁ ଯାଇ ଆଉ କିଛି ପ୍ରାଚୀନ ଏହି ପ୍ରେରିତମାନଙ୍କ ସହିତ ମିଶି ଯିରୂଶାଲମରେ କାମ କରିବାକୁ ଲାଗିଲେ । ଆଉ ଯେବେ ଭାଇଭଉଣୀମାନେ ସେମାନଙ୍କ ନିର୍ଦ୍ଦେଶ ମାନିଲେ, ତେବେ ସେମାନେ ‘ବିଶ୍ୱାସରେ ଦୃଢ଼ୀଭୂତ ହୋଇ ଦିନକୁ ଦିନ ସଂଖ୍ୟାରେ ବୃଦ୍ଧି ପାଇବାକୁ ଲାଗିଲେ ।’ (ପ୍ରେରି. ୧୬:୪, ୫) ଆଜି ଯେବେ ଆମେ ଯିହୋବାଙ୍କ ସଂଗଠନରୁ ମିଳୁଥିବା ନିର୍ଦ୍ଦେଶଗୁଡ଼ିକୁ ମାନୁ, ତେବେ ଆମକୁ ଅନେକ ଆଶିଷ ମିଳେ । କିନ୍ତୁ ଭାବନ୍ତୁ, ଯିହୋବା ଯେଉଁ ଲୋକମାନଙ୍କୁ ନିଯୁକ୍ତ କରିଛନ୍ତି, ଯଦି ଆମେ ସେମାନଙ୍କ କଥା ଶୁଣିବାନି, ତେବେ ଯିହୋବାଙ୍କୁ କିପରି ଲାଗିବ ? ଉତ୍ତର ଜାଣିବା ପାଇଁ ଆସନ୍ତୁ ଦେଖିବା ଯେ ପ୍ରତିଜ୍ଞାତ ଦେଶକୁ ଯିବା ପୂର୍ବରୁ ଇସ୍ରାଏଲୀୟମାନଙ୍କ ସହିତ କʼଣ ହେଲା ।

୧୧. ଯେବେ ଇସ୍ରାଏଲୀୟମାନେ ଯିହୋବାଙ୍କ ଦ୍ୱାରା ନିଯୁକ୍ତ ଅଧିପତି ମୋଶାଙ୍କ ଉପରେ ପ୍ରଶ୍ନ ଉଠାଇଲେ, ତେବେ କʼଣ ହେଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଇସ୍ରାଏଲୀୟମାନଙ୍କ ନେତୃତ୍ୱ ନେବା ପାଇଁ ଯିହୋବା ମୋଶାଙ୍କୁ ବାଛିଥିଲେ, କିନ୍ତୁ ଇସ୍ରାଏଲର କିଛି ଜଣାଶୁଣା ଲୋକ ମୋଶାଙ୍କ ଉପରେ ପ୍ରଶ୍ନ ଉଠାଇଲେ । ସେମାନେ କହିଲେ ଯେ କେବଳ ମୋଶା ହିଁ କାହିଁକି, “ସମସ୍ତ ମଣ୍ଡଳୀର ପ୍ରତ୍ୟେକ ଜଣ ତ ପବିତ୍ର, ପୁଣି ସଦାପ୍ରଭୁ ସେମାନଙ୍କ ମଧ୍ୟରେ ଅଛନ୍ତି ।” (ଗଣ. ୧୬:୧-୩) ଏହା ସତ ଯେ “ମଣ୍ଡଳୀର ପ୍ରତ୍ୟେକ ଜଣ” ଯିହୋବାଙ୍କ ପାଇଁ ପବିତ୍ର, କିନ୍ତୁ ଯିହୋବା ମୋଶାଙ୍କୁ ନେତୃତ୍ୱ ନେବା ପାଇଁ ବାଛିଥିଲେ । (ଗଣ. ୧୬:୨୮) ତେଣୁ ଯେବେ ସେମାନେ ମୋଶାଙ୍କ ଉପରେ ଆଙ୍ଗୁଳି ଉଠାଇଲେ, ତେବେ ପ୍ରକୃତରେ ସେମାନେ ମୋଶାଙ୍କ ଉପରେ ନୁହଁ ବରଂ ଯିହୋବାଙ୍କ ଉପରେ ଆଙ୍ଗୁଳି ଉଠାଇ ଥିଲେ । ସେମାନେ ଅଧିକାର ପାଇବା ପାଇଁ ଏତେ ଅନ୍ଧ ହୋଇଯାଇଥିଲେ ଯେ ଯିହୋବା କʼଣ ଚାହାନ୍ତି ସେବିଷୟରେ ଭାବିଲେନି, ବରଂ କେବଳ ନିଜ ବିଷୟରେ ଭାବୁଥିଲେ । ତେଣୁ ଯିହୋବା ସେହି ବିରୋଧୀମାନଙ୍କୁ ଓ ତାଙ୍କୁ ସହଯୋଗ କରୁଥିବା ହଜାର ହଜାର ଇସ୍ରାଏଲୀୟଙ୍କୁ ମାରିଦେଲେ । (ଗଣ. ୧୬:୩୦-୩୫, ୪୧, ୪୯) ଆଜି ବି ଯଦି କେହି ଯିହୋବାଙ୍କ ସଂଗଠନରୁ ମିଳୁଥିବା ନିର୍ଦ୍ଦେଶକୁ ମାନନ୍ତି ନାହିଁ, ତେବେ ଯିହୋବା ତାଙ୍କ ଉପରେ ଯିହୋବା ଖୁସି ହୁଅନ୍ତି ନାହିଁ ।

ଆପଣ କାହାର ସହଯୋଗ କରନ୍ତେ ? (ପାରାଗ୍ରାଫ ୧୧)


୧୨. ଆମେ ଯିହୋବାଙ୍କ ସଂଗଠନ ଉପରେ କାହିଁକି ପୂରା ଭରସା ରଖିପାରିବା ?

୧୨ ଆମେ ଯିହୋବାଙ୍କ ସଂଗଠନ ଉପରେ ପୂରା ଭରସା ରଖିପାରିବା । ତାହା କାହିଁକି ? ଯେବେ ନେତୃତ୍ୱ ନେଉଥିବା ଭାଇମାନଙ୍କୁ ଲାଗେ ଯେ ଆମେ ଯାହା ମାନୁ ସେଥିରେ କିଛି ପରିବର୍ତ୍ତନର ଦରକାର ଅଛି କିମ୍ବା ଯେପରି ଭାବେ ରାଜ୍ୟର କାମ କରାଯାଉଛି, ସେଥିରେ କିଛି ପରିବର୍ତ୍ତନର ଦରକାର ଅଛି, ତେବେ ସେମାନେ ପରିବର୍ତ୍ତନ କରିବା ପାଇଁ ପଛଘୁଞ୍ଚା ଦିଅନ୍ତି ନାହିଁ । (ହିତୋ. ୪:୧୮) ସେମାନେ ଏଥିପାଇଁ ଏପରି କରନ୍ତି କାରଣ ସେମାନେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହାନ୍ତି ଏବଂ ଏହି କଥା ସେମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ବ୍ୟତୀତ ସେମାନେ ଏହି କଥା ପ୍ରତି ଧ୍ୟାନ ଦିଅନ୍ତି ଯେ ସେମାନଙ୍କ ପ୍ରତ୍ୟେକ ନିଷ୍ପତ୍ତି ବାଇବଲ ଉପରେ ଅର୍ଥାତ୍‌ ହିତଜନକ ବାକ୍ୟ ଆଧାରିତ ହେଉ ।

୧୩. ‘ହିତଜନକ ବାକ୍ୟର’ ଅର୍ଥ କʼଣ ଆଉ ଆମକୁ କʼଣ କରିବାର ଅଛି ?

୧୩ ‘ହିତଜନକ ବାକ୍ୟକୁ ଆଦର୍ଶ ରୂପେ ଧରି ରଖନ୍ତୁ ।’ (୨ ତୀମ. ୧:୧୩) ‘ହିତଜନକ ବାକ୍ୟର’ ଅର୍ଥ ହେଉଛି, ବାଇବଲରେ ଦିଆଯାଇଥିବା ଖ୍ରୀଷ୍ଟୀୟ ଶିକ୍ଷାଗୁଡ଼ିକ । (ଯୋହ. ୧୭:୧୭) ଏହି ଶିକ୍ଷା ଉପରେ ଆମ ବିଶ୍ୱାସ ଆଧାରିତ । ଯିହୋବାଙ୍କ ସଂଗଠନ ଆମକୁ ଶିଖାଏ ଯେ ଆମେ ଏହି ଶିକ୍ଷାକୁ ଧରି ରଖିବା । ଯଦି ଆମେ ଏପରି କରିବା, ତେବେ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ ଅନେକ ଆଶିଷ ଦେବେ ।

୧୪. କିଛି ଖ୍ରୀଷ୍ଟିୟାନମାନେ କାହିଁକି ‘ହିତଜନକ ବାକ୍ୟକୁ’ ଧରି ପାରିଲେ ନାହିଁ ?

୧୪ ଯଦି ‘ହିତଜନକ ବାକ୍ୟକୁ’ ଆମେ ଧରି ରଖିବା ନାହିଁ, ତେବେ କʼଣ ହେବ ? ଧ୍ୟାନ ଦିଅନ୍ତୁ ଯେ ପ୍ରଥମ ଶତାବ୍ଦୀରେ କʼଣ ହୋଇଥିଲା । ସେସମୟରେ କିଛି ଖ୍ରୀଷ୍ଟିୟାନମାନେ ଏହି ଭୁଲ କଥା ପ୍ରସାରିତ କଲେ ଯେ ପ୍ରଭୁଙ୍କ ଦିନ ଆସିଗଲା । ଏପରି ଜଣାପଡ଼େ ଯେ ସେମାନଙ୍କୁ ଗୋଟିଏ ଚିଠି ମିଳିଥିଲା, ଯେଉଁଥିରେ ଏହା ଲେଖା ହୋଇଥିଲା । ଆଉ ସେମାନେ ଏହା ମାନି ନେଲେ ଯେ ଏହି ଚିଠି ପାଉଲଙ୍କ ତରଫରୁ ଆସିଛି । ସେମାନେ ଏହା ଜାଣିବା ପାଇଁ ଚେଷ୍ଟା ହିଁ କଲେନି ଯେ ତାହା ସତ ଅଟେ ନା ନୁହେଁ । ସେମାନେ କେବଳ ଏହି ମିଛ କଥା ଉପରେ ବିଶ୍ୱାସ କରିନେଲେ ଆଉ ଅନ୍ୟମାନଙ୍କୁ ବି କହିବାକୁ ଲାଗିଲେ । ଯଦି ସେମାନେ ମନେ ରଖିଥାʼନ୍ତେ ଯେ ପାଉଲ ତାଙ୍କ ସାଙ୍ଗରେ ଥିବା ବେଳେ ତାଙ୍କୁ କʼଣ ଶିଖାଇଥିଲେ, ତେବେ ସେମାନେ ଭ୍ରାନ୍ତ ହୋଇ ନ ଥାʼନ୍ତେ । (୨ ଥେସ. ୨:୧-୫) ତେଣୁ ପାଉଲ ସେମାନଙ୍କୁ ପରାମର୍ଶ ଦେଲେ ଯେ ସେମାନେ ସବୁ କଥାକୁ ଆଖି ବନ୍ଦ କରି ବିଶ୍ୱାସ କରନ୍ତୁ ନାହିଁ । ଆଉ ସେ ଏବିଷୟରେ ବି କହିଲେ ଯେ ସେମାନେ କିପରି ଚିହ୍ନିପାରିବେ ଯେ କୌଣସି ଚିଠି ତାଙ୍କ ତରଫରୁ ଅଟେ ନା ନୁହେଁ । ଚିଠିର ଶେଷରେ ଲେଖିଲେ, “ମୁଁ ପାଉଲ ମୋହର ନିଜ ହସ୍ତରେ ଲେଖି ନମସ୍କାର ଜଣାଉଅଛି; ପ୍ରତ୍ୟେକ ପତ୍ରରେ ଏହା ଚିହ୍ନ ସ୍ୱରୂପ, ମୁଁ ଏହିପରି ଲେଖେ ।”—୨ ଥେସ. ୩:୧୭.

୧୫. ମିଛ କଥାଗୁଡ଼ିକରୁ ଭ୍ରାନ୍ତ ନ ହେବା ପାଇଁ ଆମକୁ କʼଣ କରିବା ଉଚିତ୍‌ ? ଗୋଟିଏ ଉଦାହରଣ ଦିଅନ୍ତୁ । (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୫ ପାଉଲ ଥେସଲନୀକୀୟ ମଣ୍ଡଳୀକୁ ଯାହା ଲେଖିଲେ, ସେଥିରୁ ଆମେ କʼଣ ଶିଖୁ ? ଯେବେ ଆମେ କୌଣସି ଏପରି କଥା ଶୁଣୁ ଯାହା ବାଇବଲର ଶିକ୍ଷାଗୁଡ଼ିକ ସହ ମେଳ ଖାଏ ନାହିଁ ବା ଆଶ୍ଚର୍ଯ୍ୟଜନକ ଥାଏ, ତେବେ ଆମକୁ ଭାବିଚିନ୍ତି କାମ କରିବାର ଅଛି । ଧ୍ୟାନ ଦିଅନ୍ତୁ ଯେ ସୋଭିଏତ ସଂଘରେ ଆମ ଭାଇମାନଙ୍କ ସହିତ କʼଣ ହୋଇଥିଲା । ଥରେ ସରକାରୀ ଅଧିକାରୀମାନେ ଭାଇମାନଙ୍କୁ ଗୋଟିଏ ଚିଠି ଦେଲେ ଯାହାକୁ ଦେଖି ଲାଗୁଥିଲା ଯେ ଏହା ବିଶ୍ୱ ମୁଖ୍ୟାଳୟରୁ ଆସିଛି । ସେଥିରେ କିଛି ଭାଇମାନଙ୍କୁ ଅଲଗା ହୋଇ ନିଜର ଗୋଟିଏ ସଂଗଠନ ଆରମ୍ଭ କରିବା ପାଇଁ କୁହାଯାଇଥିଲା । ଚିଠି ଦେଖିବାକୁ ପୂରାପୂରି ଅସଲି ଲାଗୁଥିଲା, କିନ୍ତୁ ବିଶ୍ୱସ୍ତ ଭାଇମାନେ ଭ୍ରାନ୍ତ ହେଲେ ନାହିଁ । ସେମାନେ ବୁଝିଗଲେ ଯେ ସେଥିରେ ଲେଖାଯାଇଥିବା କଥାଗୁଡ଼ିକ ବାଇବଲ ସହ ମେଳ ଖାଏ ନାହିଁ । ଆଜି ମଧ୍ୟ ଆମ ଶତ୍ରୁମାନେ ଆମକୁ ଭ୍ରାନ୍ତ କରିବା ପାଇଁ ଚେଷ୍ଟା କରନ୍ତି । ସେମାନେ ଇଣ୍ଟରନେଟ୍‌ ଏବଂ ସୋସିଆଲ୍‌ ମିଡିଆ ଜରିଆରେ ଆମ ବିଷୟରେ ମିଛ କଥାଗୁଡ଼ିକ ପ୍ରସାରିତ କରନ୍ତି ଆଉ ଆମ ମଧ୍ୟରେ ଥିବା ଏକତାକୁ ଭାଙ୍ଗିବା ପାଇଁ ଚେଷ୍ଟା କରନ୍ତି । ତେଣୁ କେବେ ବି କୌଣସି କଥାରେ ‘ଶୀଘ୍ର ବିଚଳିତ ଓ ଉଦ୍‌ବିଗ୍ନ ହୁଅନ୍ତୁ ନାହିଁ ।’ ଏହା ପରିବର୍ତ୍ତେ ଯେବେ ଆପଣ କିଛି ପଢ଼ନ୍ତି ବା ଶୁଣନ୍ତି, ତେବେ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ କʼଣ ତାହା ବାଇବଲ ଅନୁସାରେ ସଠିକ୍‌ ଅଟେ ନା ନୁହେଁ, ତେବେ ଆପଣ ଭ୍ରାନ୍ତ ହେବେ ନାହିଁ ।—୨ ଥେସ. ୨:୨; ୧ ଯୋହ. ୪:୧.

ସେହି ମିଛ କଥାଗୁଡ଼ିକରୁ ଭ୍ରାନ୍ତ ହୁଅନ୍ତୁ ନାହିଁ ଯାହା ସତ ଭଳି ଲାଗେ (ପାରାଗ୍ରାଫ ୧୫) a


୧୬. ଯେବେ କିଛି ଲୋକ ସତ୍ୟରେ ସ୍ଥିର ରହନ୍ତି ନାହିଁ, ତେବେ ଆମକୁ କʼଣ କରିବା ଉଚିତ୍‌ ? (ରୋମୀୟ ୧୬:୧୭, ୧୮)

୧୬ ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କ ସହିତ ମିଶି ତାଙ୍କ ଉପାସନା କରନ୍ତୁ । ଯିହୋବା ଚାହାନ୍ତି ଯେ ଆମେ ସାଙ୍ଗରେ ମିଶି ତାଙ୍କ ଉପାସନା କରୁ । ଯେବେ ଯାଏ ଆମେ ସତ୍ୟକୁ ଧରି ରଖିବା, ସେତେ ଯାଏ ଆମ ମଧ୍ୟରେ ଏକତା ବଜାୟ ରହିବ । କିନ୍ତୁ ଯେଉଁ ଲୋକମାନେ ସତ୍ୟରେ ସ୍ଥିର ରହନ୍ତି ନାହିଁ ଓ ମିଛ କଥାଗୁଡ଼ିକୁ ପ୍ରସାରିତ କରନ୍ତି, ସେମାନେ ମଣ୍ଡଳୀର ଏକତାକୁ ଭଙ୍ଗ କରନ୍ତି । ଯିହୋବା ଚାହାନ୍ତି ଯେ ଆମେ ଏପରି ଲୋକଙ୍କଠାରୁ ‘ପୃଥକ୍‌ ରହୁ,’ ନହେଲେ ଆମେ ମଧ୍ୟ ସତ୍ୟର ପଥରୁ ଭ୍ରାନ୍ତ ହୋଇପାରିବା ।—ରୋମୀୟ ୧୬:୧୭, ୧୮ ପଢ଼ନ୍ତୁ ।

୧୭. ଯଦି ଆମେ ସତ ଓ ମିଛ ମଧ୍ୟରେ ପାର୍ଥକ୍ୟ କରିବା ଶିଖିବା ଓ ସତ୍ୟକୁ ଦୃଢ଼ତାର ସହ ଧରି ରଖିବା, ତେବେ ଆମକୁ କʼଣ ଲାଭ ହେବ ?

୧୭ ଯେବେ ଆମେ ସତ ଓ ମିଛ ମଧ୍ୟରେ ପାର୍ଥକ୍ୟ କରିବା ଶିଖିବା ଏବଂ ସତ୍ୟକୁ ଦୃଢ଼ତାର ସହ ଧରି ରଖିବା, ତେବେ ଆମେ ଯିହୋବାଙ୍କ ଆହୁରି ନିକଟତର ହୋଇପାରିବା ଏବଂ ଆମର ବିଶ୍ୱାସ ଆହୁରି ଦୃଢ଼ ହେବ । (ଏଫି. ୪:୧୫, ୧୬) ତେବେ ଆମେ ଶୟତାନ ଦ୍ୱାରା ପ୍ରସାରିତ ମିଛ ଶିକ୍ଷା ଓ କଥାଗୁଡ଼ିକରୁ ଭ୍ରାନ୍ତ ହେବାନି ଏବଂ ଯିହୋବା ମଧ୍ୟ ଆମକୁ ମହାକ୍ଳେଶ ସମୟରେ ସୁରକ୍ଷିତ ରଖିବେ । ତାହେଲେ ଆସନ୍ତୁ ସତ୍ୟକୁ ଦୃଢ଼ତାର ସହ ଧରି ରଖିବା, ତେବେ ‘ଶାନ୍ତିଦାତା ଈଶ୍ୱର ଆମ୍ଭମାନଙ୍କର ସହବର୍ତ୍ତୀ ହେବେ ।’—ଫିଲି. ୪:୮, ୯.

ଗୀତ ୧୨୨ ଅଟଲ୍‌ ରହେଁ !

a ଚିତ୍ର ବିଷୟରେ: ଏଠାରେ ଦେଖାଇ ଦିଆଯାଇଛି ଯେ ଅନେକ ବର୍ଷ ପୂର୍ବେ ସୋଭିଏତ ସଂଘରେ କʼଣ ହୋଇଥିଲା । ଆମ ଭାଇମାନଙ୍କୁ ଗୋଟିଏ ଚିଠି ମିଳିଥିଲା ଯାହାକୁ ଦେଖି ଲାଗୁଥିଲା ଯେ ଏହା ବିଶ୍ୱ ମୁଖ୍ୟାଳୟରୁ ଆସିଛି, କିନ୍ତୁ ପ୍ରକୃତରେ ତାହା ଆମ ଶତ୍ରୁମାନଙ୍କ ତରଫରୁ ଥିଲା । ଆଜି ଆମ ଶତ୍ରୁମାନେ ଆମକୁ ଭ୍ରାନ୍ତ କରିବା ପାଇଁ ହୁଏତ ଇଣ୍ଟରନେଟ୍‌ ଏବଂ ସୋସିଆଲ୍‌ ମିଡିଆ ଜରିଆରେ ଯିହୋବାଙ୍କ ସଂଗଠନ ବିଷୟରେ ମିଛ କଥାଗୁଡ଼ିକ ପ୍ରସାରିତ କରିପାରନ୍ତି ।