इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୦

ଗୀତ ୩୬ ଦିଲ୍‌ କି ହିଫାଜତ୍‌ କରେଁ

ଇସ୍ରାଏଲର ରାଜାମାନଙ୍କଠାରୁ ଶିଖନ୍ତୁ

ଇସ୍ରାଏଲର ରାଜାମାନଙ୍କଠାରୁ ଶିଖନ୍ତୁ

“ଆଉ ଧାର୍ମିକ ଓ ଦୁଷ୍ଟ, ଯେ ପରମେଶ୍ୱରଙ୍କ ସେବା କରେ ଓ ଯେ ତାହାଙ୍କର ସେବା ନ କରେ, ସେମାନଙ୍କ ମଧ୍ୟରେ ପ୍ରଭେଦ ଦେଖିବ ।”ମଲାଖି ୩:୧୮.

କʼଣ ଶିଖିବା ?

ଆମେ ଜାଣିବା ଯେ ଯିହୋବା କାହିଁକି ଇସ୍ରାଏଲର କିଛି ରାଜାମାନଙ୍କୁ ଭଲ କହିଲେ ଓ କିଛି ରାଜାଙ୍କୁ ଖରାପ । ଏଥିରୁ ଆମେ ଜାଣିପାରିବା ଯେ ଆଜି ଯିହୋବା ନିଜ ସେବକମାନଙ୍କଠାରୁ କʼଣ ଚାହାନ୍ତି ।

୧-୨. ବାଇବଲରେ ଇସ୍ରାଏଲର କିଛି ରାଜାମାନଙ୍କ ବିଷୟରେ କʼଣ କୁହାଯାଇଛି ?

 ବାଇବଲରେ କୁହାଯାଇଛି ଯେ ଇସ୍ରାଏଲରେ ପ୍ରାୟ ୪୦ ଜଣ ରାଜା ଶାସନ କରିଥିଲେ । a ଏମାନଙ୍କ ମଧ୍ୟରୁ କିଛି ରାଜାମାନଙ୍କ ବିଷୟରେ ବାଇବଲରେ ବହୁତ ସ୍ପଷ୍ଟ ଭାବେ କୁହାଯାଇଛି । ଯେପରି ଏଥିରେ କୁହାଯାଇଛି ଯେ କିଛି ଭଲ ରାଜାମାନେ ବି ଖରାପ କାମ କରିଥିଲେ । ଯଦି ଆମେ ରାଜା ଦାଉଦଙ୍କ ବିଷୟରେ ଦେଖିବା ତାହେଲେ ସେ ଜଣେ ଭଲ ରାଜା ଥିଲେ । ଯିହୋବା ତାଙ୍କ ବିଷୟରେ କହିଲେ: “ଆମ୍ଭ ଦାସ ଦାଉଦ, ଯେ ଆମ୍ଭ ଆଜ୍ଞାସବୁ ପାଳନ କଲା ଓ ଆମ୍ଭ ଦୃଷ୍ଟିରେ ଯାହା ଭଲ, କେବଳ ତାହା କରିବା ପାଇଁ ଆପଣା ସର୍ବାନ୍ତଃକରଣ ସହିତ ଆମ୍ଭର ଅନୁଗତ ହେଲା ।” (୧ ରାଜା. ୧୪:୮) କିନ୍ତୁ ଦାଉଦ କିଛି ଖରାପ କାମ ବି କରିଥିଲେ । ସେ ଜଣେ ବିବାହିତ ସ୍ତ୍ରୀ ସହିତ ଅନୈତିକ ସମ୍ପର୍କ ରଖିଥିଲେ ଓ ଷଡ଼ଯନ୍ତ୍ର କରି ତାʼ ସ୍ୱାମୀକୁ ଯୁଦ୍ଧରେ ହତ୍ୟା କରାଇ ଥିଲେ ।—୨ ଶାମୁ. ୧୧:୪, ୧୪, ୧୫.

ଇସ୍ରାଏଲରେ ଏପରି କିଛି ରାଜା ଥିଲେ ଯେଉଁମାନେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ନାହିଁ, କିନ୍ତୁ ସେମାନେ କିଛି ଭଲ କାମ ବି କରିଥିଲେ । ରାଜା ରିହବୀୟାମ୍‌ଙ୍କ ବିଷୟରେ ଭାବନ୍ତୁ । ଯିହୋବାଙ୍କ ଦୃଷ୍ଟିରେ ସେ “କୁକର୍ମ” କଲେ । (୨ ବଂଶା. ୧୨:୧୪) କିନ୍ତୁ ସେ ଯିହୋବାଙ୍କ ଆଜ୍ଞା ବି ମାନିଲେ । ଯିହୋବାଙ୍କ ଆଜ୍ଞା ମାନି ସେ ଦଶ ଗୋତ୍ରର ରାଜ୍ୟଗୁଡ଼ିକ ସହ ଲଢ଼େଇ କଲେ ନାହିଁ ଏବଂ ସେମାନଙ୍କୁ ନିଜ ପାଇଁ ରାଜା ବାଛିବାକୁ ଦେଲେ । କେବଳ ଏତିକି ନୁହେଁ, ସେ ଅଲଗା-ଅଲଗା ସହରଗୁଡ଼ିକର ପ୍ରାଚୀର ତିଆରି କରାଇଲେ ଓ ସେଗୁଡ଼ିକୁ ଦୃଢ଼ କରାଇଲେ ।—୧ ରାଜା. ୧୨:୨୧-୨୪; ୨ ବଂଶା. ୧୧:୫-୧୨.

୩. ଇସ୍ରାଏଲର ରାଜାମାନଙ୍କ ବିଷୟରେ ଆମ ମନରେ କʼଣ ଜରୁରୀ ପ୍ରଶ୍ନ ଉଠେ ଓ ଏହି ଲେଖାରେ ଆମେ କʼଣ ଜାଣିବା ?

ଆମେ ଦେଖିଲୁ ଯେ ଇସ୍ରାଏଲର ରାଜାମାନେ ଭଲ କାମ ବି କଲେ ଓ ଖରାପ କାମ ବି । ତାହେଲେ ପ୍ରଶ୍ନ ଉଠେ: ଯିହୋବା କାହିଁକି କିଛି ରାଜାମାନଙ୍କୁ ବିଶ୍ୱସ୍ତ ମନେ କଲେ ଓ କିଛି ରାଜାଙ୍କୁ ନୁହେଁ ? ଏହି ପ୍ରଶ୍ନର ଉତ୍ତର ଜାଣିବା ଦ୍ୱାରା ଆମେ ବୁଝିପାରିବା ଯେ ଯିହୋବାଙ୍କୁ ଖୁସି କରିବା ପାଇଁ ଆମକୁ କେଉଁ ପ୍ରକାର ବ୍ୟକ୍ତି ହେବା ଉଚିତ୍‌ । ଆମେ ଏପରି ତିନୋଟି କଥା ଉପରେ ଧ୍ୟାନ ଦେବା ଯାହା ଆଧାରରେ ହୁଏତ ଯିହୋବା ଜଣେ ରାଜାକୁ ଭଲ କହିଲେ କିମ୍ବା ଖରାପ: (୧) ସେ ଯିହୋବାଙ୍କୁ ସମ୍ପୂର୍ଣ୍ଣ ହୃଦୟରୁ ପ୍ରେମ କରିଥିଲେ ନା ନାହିଁ ? (୨) ସେ ନିଜ ଭୁଲ ପାଇଁ ପଶ୍ଚାତାପ କରିଥିଲେ ନା ନୁହେଁ ? ଓ (୩) ସେ ସତ୍ୟ ଉପାସନା କରିବା ଜାରି ରଖିଲେ ନା ନାହିଁ ?

ସେମାନେ ସମ୍ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ ସେବାରେ ଲାଗି ରହିଲେ

୪. ଯେଉଁ ରାଜାମାନେ ବିଶ୍ୱସ୍ତ ଥିଲେ ଓ ଯେଉଁ ରାଜାମାନେ ବିଶ୍ୱସ୍ତ ନ ଥିଲେ, ସେମାନଙ୍କ ମଧ୍ୟରେ କʼଣ ପାର୍ଥକ୍ୟ ଥିଲା ?

ଯିହୋବା ସେହି ରାଜାମାନଙ୍କଠାରୁ ଖୁସି ଥିଲେ ଯେଉଁମାନେ ସମ୍ପୂର୍ଣ୍ଣ ହୃଦୟରୁ b ସେବା କରିଥିଲେ । ଯେପରି ରାଜା ଯିହୋଶାଫଟ୍‌ ଜଣେ ଭଲ ରାଜା ଥିଲେ ଯିଏ “ସର୍ବାନ୍ତଃକରଣ ସହିତ ସଦାପ୍ରଭୁଙ୍କର ଅନ୍ୱଷେଣ କଲେ ।” (୨ ବଂଶା. ୨୨:୯) ଯୋଶୀୟଙ୍କ ବିଷୟରେ ବାଇବଲରେ ଲେଖାଅଛି ଯେ ସେ “ସମସ୍ତ ଅନଃକରଣ ଓ ସମସ୍ତ ପ୍ରାଣ ଓ ସମସ୍ତ ଶକ୍ତି ଦ୍ୱାରା ସଦାପ୍ରଭୁଙ୍କ ପ୍ରତି ଫେରିଲେ, ଏପରି କୌଣସି ରାଜା ତାଙ୍କର ପୂର୍ବେ ନ ଥିଲେ ।” (୨ ରାଜା. ୨୩:୨୫) ଯଦି ଶଲୋମନଙ୍କ ବିଷୟରେ ଦେଖିବା, ସେ ନିଜ ବୃଦ୍ଧ ସମୟରେ ଖରାପ କାମ କରିଥିଲେ । ବାଇବଲରେ ଲେଖାଅଛି, “ତାଙ୍କର ଅନ୍ତଃକରଣ ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ସିଦ୍ଧ ନୋହିଲା ।” (୧ ରାଜା. ୧୧:୪) ଆଉ ରାଜା ଅବିୟାମ ମଧ୍ୟ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ନାହିଁ । ତାଙ୍କ ବିଷୟରେ ଲେଖାଅଛି, “ତାଙ୍କର ଅନ୍ତଃକରଣ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ସେପରି ସିଦ୍ଧ ନ ଥିଲା ।”—୧ ରାଜା. ୧୫:୩.

୫. ଜଣେ ମଣିଷର ହୃଦୟ ଯିହୋବାଙ୍କ ସେବାରେ ଲାଗି ରହିଛି, ଏହାର ଅର୍ଥ କʼଣ ?

ଯେବେ ଜଣେ ମଣିଷ ହୃଦୟରୁ ଯିହୋବାଙ୍କ ସେବାରେ ଲାଗି ରହେ, ତାହେଲେ ସେ କେବଳ କର୍ତ୍ତବ୍ୟ ଭାବି ତାଙ୍କ ସେବା କରେ ନାହିଁ, ବରଂ ମନପ୍ରାଣ ଦେଇ ତାଙ୍କ ସେବା କରେ । ସେ ସାରା ଜୀବନ ଏହି ଉତ୍ସାହ ଓ ପ୍ରେମର ସହ ତାଙ୍କ ସେବା କରେ ।

୬. ସମ୍ପୂର୍ଣ୍ଣ ହୃଦୟରୁ ଯିହୋବାଙ୍କ ସେବାରେ ଲାଗି ରହିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ହିତୋପଦେଶ ୪:୨୩; ମାଥିଉ ୫:୨୯, ୩୦)

ଆମେ ସେହି ବିଶ୍ୱସ୍ତ ରାଜାମାନଙ୍କ ଭଳି କିପରି ହୋଇପାରିବା, ଯେଉଁମାନଙ୍କ ହୃଦୟ ଯିହୋବାଙ୍କ ସେବାରେ ଲାଗି ରହିଥିଲା ? ଆମକୁ ସେହି ବିଷୟଗୁଡ଼ିକରୁ ଦୂରେଇ ରହିବାକୁ ପଡ଼ିବ ଯାହାଯୋଗୁଁ ଯିହୋବାଙ୍କ ପାଇଁ ଆମ ପ୍ରେମ କମ୍‌ ହୋଇପାରେ । ଯେପରି, ଆମେ ଏହା ଧ୍ୟାନ ଦେବା ଯେ ଆମେ ଟିଭି ବା ଇଣ୍ଟରନେଟ୍‌ରେ କʼଣ ଦେଖୁ, କେଉଁଭଳି ଲୋକଙ୍କ ସହ ସାଙ୍ଗ ହେଉ ଆଉ ଦିନ ରାତି କେବଳ ପଇସା ରୋଜଗାର କରିବା ବିଷୟରେ ତ ଭାବୁ ନ ଥାଉ । ଯଦି ଆମକୁ ଅନୁଭବ ହୁଏ ଯେ ଏହି ସବୁ କାରଣ ଯୋଗୁଁ କିମ୍ବା ଅନ୍ୟ କୌଣସି କାରଣ ଯୋଗୁଁ ଯିହୋବାଙ୍କ ପାଇଁ ଆମ ପ୍ରେମ କମ୍‌ ହେବାକୁ ଲାଗିଛି, ତାହେଲେ ଆମେ ଅତି ଶୀଘ୍ର ପଦକ୍ଷେପ ନେବା ଆଉ ଏପରି ବିଷୟଗୁଡ଼ିକରୁ ଦୂରେଇ ରହିବା ।—ହିତୋପଦେଶ ୪:୨୩; ମାଥିଉ ୫:୨୯, ୩୦ ପଢ଼ନ୍ତୁ ।

୭. ଖରାପ ଜିନିଷଗୁଡ଼ିକରୁ ଦୂରେଇ ରହିବା କାହିଁକି ଜରୁରୀ ଅଟେ ?

ଆମକୁ ଏହା ଧ୍ୟାନ ରଖିବା ଉଚିତ୍‌ ଯେ ଆମେ ଯିହୋବାଙ୍କ ଛଡ଼ା ଅନ୍ୟ ଜିନିଷକୁ ଅଧିକ ମହତ୍ତ୍ୱ ନ ଦେଉ, ବରଂ ଯିହୋବାଙ୍କ ସେବାରେ ହିଁ ଲାଗି ରହୁ । ଯଦି ଆମେ ଏହା ଧ୍ୟାନ ନ ଦେଉ, ତାହେଲେ ଆମେ ଭାବିପାରିବା ଯେ ଆମେ ଈଶ୍ୱରଙ୍କ ସେବାରେ ଲାଗି ରହିଛୁ, ସେଥିପାଇଁ ଖରାପ ଜିନିଷଗୁଡ଼ିକର ଆମ ଉପରେ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ଏପରି ଭାବିବା ଭୁଲ ହେବ । ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଭାବନ୍ତୁ ଆପଣ ବହୁତ ପରିଶ୍ରମ କରି ନିଜ ଘର ସଫା କରିଛନ୍ତି । କିନ୍ତୁ ଯଦି ଆପଣ ଘରର ଝରକା ଖୋଲା ଛାଡ଼ି ଦିଅନ୍ତି, ତାହେଲେ କʼଣ ହୋଇପାରେ ? ପବନ ବହିବ ଓ ଘରେ ଧୂଳି ପଶିଯିବ । ଈଶ୍ୱରଙ୍କ ସହିତ ଆମ ସମ୍ପର୍କରେ ବି ଏପରି ହୋଇପାରେ । ଆମକୁ କେବଳ ତାଙ୍କ ସହ ଗୋଟିଏ ଭଲ ସମ୍ପର୍କ ଗଢ଼ିବା ଯଥେଷ୍ଟ ନୁହେଁ, ତାʼସହ ଆମକୁ ନିଜ ମନର ଝରକା ବି ବନ୍ଦ କରିବା ଅଛି, ଯାହାଫଳରେ ଆମ ମନରେ ଶୟତାନର ଦୁନିଆର ଧୂଳି ବସିବନି । ଯଦି ଆମେ ଏପରି କରିବାନି, ତାହେଲେ ଆମେ ଯିହୋବାଙ୍କ ସେବା ସମ୍ପୂର୍ଣ୍ଣ ହୃଦୟରୁ କରିପାରିବାନି ଏବଂ ତାଙ୍କ ପାଇଁ ଆମ ପ୍ରେମ କମ୍‌ ହୋଇପାରେ ।—ଏଫି. ୨:୨.

ସେମାନେ ହୃଦୟରୁ ପଶ୍ଚାତାପ କଲେ

୮-୯. ଯେବେ ରାଜା ଦାଉଦ ଓ ରାଜା ହିଜକୀୟଙ୍କୁ ସୁଧାର କରାଗଲା, ତେବେ ସେ ଦୁହେଁ କʼଣ କଲେ ? (ଚିତ୍ର ଦେଖନ୍ତୁ ।)

ଆମେ ପୂର୍ବରୁ ଦେଖିଲୁ ଯେ ରାଜା ଦାଉଦ ଗମ୍ଭୀର ପାପ କରିଥିଲେ । କିନ୍ତୁ ଯେବେ ନାଥନ ତାଙ୍କୁ ତାଙ୍କ ଭୁଲ ବିଷୟରେ କହିଲେ ଓ ସୁଧାରିଲେ, ତେବେ ସେ ନମ୍ର ହୋଇ ପଶ୍ଚାତାପ କଲେ । (୨ ଶାମୁ. ୧୨:୧୩) ସେ ଏହି ପଶ୍ଚାତାପ ଦେଖେଇ ହେବା ପାଇଁ କରି ନ ଥିଲେ, ଯାହାଫଳରେ ନାଥନ ତାଙ୍କୁ ଭରସା କରନ୍ତୁ ଓ ତାଙ୍କୁ ଦଣ୍ଡ ନ ଦିଅନ୍ତୁ । ଗୀତସଂହିତା ୫୧ ଅଧ୍ୟାୟରେ ଦାଉଦ ଯେଉଁ ବିଷୟରେ ଲେଖିଲେ, ସେଥିରୁ ଜଣାପଡ଼େ ଯେ ସେ ପ୍ରକୃତରେ ନିଜ ଭୁଲ ପାଇଁ ଦୁଃଖି ଥିଲେ ଓ ହୃଦୟରୁ ପଶ୍ଚାତାପ କରିଥିଲେ ।—ଗୀତ. ୫୧:୩, ୪, ୧୭, ଅଧ୍ୟାୟର ଝଲକ

ରାଜା ହିଜକୀୟ ବି ପାପ କରିଥିଲେ ଓ ଯିହୋବାଙ୍କୁ ଦୁଃଖି କରିଥିଲେ । ବାଇବଲରେ ଲେଖାଅଛି, “ତାଙ୍କର ଅନ୍ତଃକରଣ ଗର୍ବିତ ହେଲା; ଏହେତୁ ତାଙ୍କ ଉପରେ, ପୁଣି ଯିହୁଦା ଓ ଯିରୂଶାଲମ ଉପରେ କୋପ ଉପସ୍ଥିତ ହେଲା ।” (୨ ବଂଶା. ୩୨:୨୫) ହିଜକୀୟ କାହିଁକି ଗର୍ବ କରିବାକୁ ଲାଗିଥିଲେ ? ହୁଏତ ତାଙ୍କ ଧନ ସମ୍ପତ୍ତି ଯୋଗୁଁ କିମ୍ବା ଅଶୂରୀୟମାନଙ୍କୁ ହରାଇ ଥିବା ଯୋଗୁଁ କିମ୍ବା ଯିହୋବା ଚମତ୍କାର କରି ତାଙ୍କ ରୋଗ ଦୂର କରିଥିଲେ, ଏହି କାରଣଗୁଡ଼ିକ ଯୋଗୁଁ ସେ ହୁଏତ ଗର୍ବ କରିବାକୁ ଲାଗିଥିବେ । ଯାହା ବି ହେଉ ନା କାହିଁକି, ହୁଏତ ସେ ଗର୍ବ କରିବା କାରଣରୁ ହିଁ ବାବିଲର ଲୋକମାନଙ୍କୁ ନିଜ ସବୁ ଧନ ସମ୍ପତ୍ତି ଦେଖାଇଲେ । ସେଥିପାଇଁ ଯିହୋବା ନିଜ ଭବିଷ୍ୟଦ୍‌ବକ୍ତା ଯିଶାଇୟଙ୍କ ଜରିଆରେ ତାଙ୍କ ଦୃଷ୍ଟିକୋଣ ସୁଧାରିଲେ । (୨ ରାଜା. ୨୦:୧୨-୧୮) ତେବେ ହିଜକୀୟ ଦାଉଦଙ୍କ ଭଳି ନମ୍ର ହୋଇ ନିଜ ଭୁଲ ମାନିଲେ ଓ ପଶ୍ଚାତାପ କଲେ । (୨ ବଂଶା. ୩୨:୨୬) ତାହେଲେ ଯିହୋବାଙ୍କ ଦୃଷ୍ଟିରେ ହିଜକୀୟ କିପରି ବ୍ୟକ୍ତି ଥିଲେ ? ବାଇବଲରେ କୁହାଯାଇଛି ଯେ ସେ ଜଣେ ବିଶ୍ୱସ୍ତ ରାଜା ଥିଲେ ଯିଏ “ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ ।”—୨ ରାଜା. ୧୮:୩.

ଯେବେ ରାଜା ଦାଉଦ ଓ ରାଜା ହିଜକୀୟଙ୍କୁ ସୁଧାର କରାଗଲା, ତେବେ ସେମାନେ ନମ୍ର ହୋଇ ନିଜ ଭୁଲ ମାନିଲେ ଓ ପଶ୍ଚାତାପ କଲେ (ପାରାଗ୍ରାଫ ୮-୯)


୧୦. ଯେବେ ଅମତ୍ସୀୟଙ୍କୁ ତାଙ୍କ ଭୁଲ ବିଷୟରେ କୁହାଗଲା, ତେବେ ସେ କʼଣ କଲେ ?

୧୦ ଯିହୁଦାର ରାଜା ଅମତ୍ସୀୟ, ଦାଉଦ ଓ ହିଜକୀୟଙ୍କଠାରୁ ପୂରାପୂରି ଭିନ୍ନ ଥିଲେ । ସେ ଯିହୋବାଙ୍କ ଦୃଷ୍ଟିରେ ସଠିକ୍‌ କାମ କରିଥିଲେ, “ମାତ୍ର ସିଦ୍ଧ ଅନ୍ତଃକରଣରେ ନାହିଁ ।” (୨ ବଂଶା. ୨୫:୨) ତାଙ୍କ ଦ୍ୱାରା କʼଣ ଭୁଲ ହୋଇଥିଲା ? ଯିହୋବା ତାଙ୍କୁ ଇଦୋମୀୟଙ୍କ ଉପରେ ଜୟ ହାସଲ କରାଇ ଥିଲେ, କିନ୍ତୁ ପରେ ସେ ତାଙ୍କ ଦେବତାମାନଙ୍କୁ ଉପାସନା କରିବାକୁ ଲାଗିଲେ । c ତାʼପରେ ଯେବେ ଯିହୋବାଙ୍କ ଭବିଷ୍ୟଦ୍‌ବକ୍ତା ଆସି ତାଙ୍କ ଭୁଲ ବିଷୟରେ କହିଲେ, ତେବେ ସେ କ୍ରୋଧିତ ହୋଇ ଉଠିଲେ ଓ ତାଙ୍କ କଥା ଶୁଣିଲେ ନାହିଁ ।—୨ ବଂଶା. ୨୫:୧୪-୧୬.

୧୧. ଯେପରି ୨ କରିନ୍ଥୀୟ ୭:୯, ୧୧ ପଦରେ ଯାହା କୁହାଯାଇଛି, ଯିହୋବାଙ୍କଠାରୁ କ୍ଷମା ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୧ ଇସ୍ରାଏଲର ରାଜାମାନଙ୍କଠାରୁ ଆମେ କʼଣ ଶିଖୁ ? ଯେବେ ଆମ ଦ୍ୱାରା କୌଣସି ଭୁଲ ହୋଇଯାଏ, ତେବେ ଆମକୁ ହୃଦୟରୁ ପଶ୍ଚାତାପ କରିବା ଉଚିତ୍‌ ଆଉ ସେହି ଭୁଲଗୁଡ଼ିକୁ ନ ଦୋହରାଇବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଆଉ ଯଦି ପ୍ରାଚୀନମାନେ ଆମକୁ କୌଣସି ଏପରି ବିଷୟରେ ପରାମର୍ଶ ଦିଅନ୍ତି ଯାହା ଆମକୁ ଛୋଟ କଥା ଲାଗେ, ତେବେ ଆମେ କʼଣ କରିବା ? ଏପରି ସମୟରେ ଆମକୁ ଏହା ଭାବିବା ଉଚିତ୍‌ ନୁହେଁ ଯେ ପ୍ରାଚୀନମାନେ ଆମକୁ ପସନ୍ଦ କରନ୍ତି ନାହିଁ କିମ୍ବା ଯିହୋବା ଆମକୁ ପ୍ରେମ କରନ୍ତି ନାହିଁ । ମନେରଖନ୍ତୁ, ଭଲ ରାଜାମାନଙ୍କୁ ବି ପରାମର୍ଶ ଦିଆଯାଇଥିଲା ଓ ସୁଧାର କରାଯାଇଥିଲା । (ଏବ୍ରୀ ୧୨:୬) ସେଥିପାଇଁ ଯେବେ ଆମକୁ ସୁଧାର କରାଯାଏ, ତେବେ ଆମକୁ (୧) ନମ୍ର ହୋଇ ନିଜ ଭୁଲ ମାନିବା ଉଚିତ୍‌, (୨) ପରିବର୍ତ୍ତନ କରିବା ଉଚିତ୍‌ ଓ (୩) ହୃଦୟରୁ ଯିହୋବାଙ୍କ ସେବା କରିବା ଜାରି ରଖିବା ଉଚିତ୍‌ । ଯଦି ଆମେ ହୃଦୟରୁ ପଶ୍ଚାତାପ କରିବା, ତେବେ ଯିହୋବା ଆମକୁ ନିଶ୍ଚୟ କ୍ଷମା କରିଦେବେ ।—୨ କରିନ୍ଥୀୟ ୭:୯, ୧୧ ପଢ଼ନ୍ତୁ ।

ଯେବେ ଆମକୁ ସୁଧାର କରାଯାଏ, ତେବେ ଆମକୁ (୧) ନମ୍ର ହୋଇ ଭୁଲ ମାନିବା ଉଚିତ୍‌, (୨) ଜରୁରୀ ପରିବର୍ତ୍ତନ କରିବା ଉଚିତ୍‌ ଓ (୩) ସମ୍ପୂର୍ଣ୍ଣ ହୃଦୟରୁ ଯିହୋବାଙ୍କ ସେବା କରିବା ଉଚିତ୍‌ (ପାରାଗ୍ରାଫ ୧୧) f


ସେମାନେ ଶୁଦ୍ଧ ଉପାସନାକୁ ସହଯୋଗ କଲେ

୧୨. କିଛି ରାଜା ଏପରି କʼଣ କଲେ, ଯାହାଯୋଗୁଁ ଯିହୋବା ସେମାନଙ୍କୁ ବିଶ୍ୱସ୍ତ ମନେ କଲେ ?

୧୨ ଯେଉଁ ରାଜାମାନେ ସତ୍ୟ ଉପାସନାକୁ ସହଯୋଗ କଲେ, ସେମାନଙ୍କୁ ଯିହୋବା ବିଶ୍ୱସ୍ତ ମନେ କଲେ । ଏହି ରାଜାମାନେ କେବଳ ନିଜେ ଯିହୋବାଙ୍କ ଉପାସନା କଲେନି, ବରଂ ନିଜ ପ୍ରଜାମାନଙ୍କୁ ବି ଏପରି କରିବା ପାଇଁ ପ୍ରୋତ୍ସାହନ ଦେଲେ । ସେମାନଙ୍କ ଦ୍ୱାରା ବି ଭୁଲ ହେଲା, କିନ୍ତୁ ସେମାନେ କେବଳ ଯିହୋବାଙ୍କର ହିଁ ଉପାସନା କଲେ ଓ ଇସ୍ରାଏଲରୁ ମୂର୍ତ୍ତିପୂଜା ହଟାଇବା ପାଇଁ ପୂରାପୂରି ଚେଷ୍ଟା କଲେ । d

୧୩. ଯିହୋବା ରାଜା ଆହାବଙ୍କୁ କାହିଁକି ବିଶ୍ୱସ୍ତ ମନେ କଲେନି ?

୧୩ କିନ୍ତୁ କିଛି ରାଜାଙ୍କୁ ଯିହୋବା ବିଶ୍ୱସ୍ତ ମନେ କଲେ ନାହିଁ । କାହିଁକି ? ଏପରି ନ ଥିଲା ଯେ ସେମାନେ ସବୁବେଳେ ଖରାପ କାମ କରିଥିଲେ । ଉଦାହରଣ ପାଇଁ, ଦୁଷ୍ଟ ରାଜା ଆହାବଙ୍କ ବିଷୟରେ ଭାବନ୍ତୁ । ସେ ବି କିଛି ମାମଲାରେ ନମ୍ର ଥିଲେ । ଯେପରି, ଯେବେ ତାଙ୍କୁ ଜଣାପଡ଼ିଲା ଯେ ତାଙ୍କ ଯୋଗୁଁ ନାବୋତଙ୍କୁ ହତ୍ୟା କରାଯାଇଛି, ତେବେ ତାଙ୍କୁ ବହୁତ ଅବଶୋଷ ହେଲା । (୧ ରାଜା. ୨୧:୨୭-୨୯) ସେ ଆଉ କିଛି ବି ଭଲ କାମ କରିଥିଲେ । ସେ ଅନେକ ସହର ନିର୍ମାଣ କରାଇ ଥିଲେ ଆଉ ଅନେକ ଯୁଦ୍ଧଗୁଡ଼ିକରେ ବି ଇସ୍ରାଏଲୀୟମାନଙ୍କୁ ଜିତାଇ ଥିଲେ । (୧ ରାଜା. ୨୦:୨୧, ୨୯; ୨୨:୩୯) କିନ୍ତୁ ନିଜ ସ୍ତ୍ରୀ କଥାରେ ପଡ଼ି ଆହାବ ମିଥ୍ୟା ଉପାସନା କରିବାକୁ ଲାଗିଲେ ଆଉ ଏପରି କରିବା ପାଇଁ ସେ ଲୋକମାନଙ୍କୁ ବି ପ୍ରୋତ୍ସାହନ ଦେଲେ । ନିଜର ଏହି ଭୁଲ ପାଇଁ ସେ କେବେ ବି ପଶ୍ଚାତାପ କଲେନି ।—୧ ରାଜା. ୨୧:୨୫, ୨୬.

୧୪. (କ) ଯିହୋବାଙ୍କ ଦୃଷ୍ଟିରେ ରାଜା ରିହବୀୟାମ୍‌ କାହିଁକି ବିଶ୍ୱସ୍ତ ନ ଥିଲେ ? (ଖ) ଯେଉଁ ରାଜାମାନେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ନାହିଁ, ସେମାନଙ୍କ ମଧ୍ୟରୁ ଅଧିକାଂଶ କʼଣ କରିଥିଲେ ?

୧୪ ଆସନ୍ତୁ ବର୍ତ୍ତମାନ ଆଉ ଗୋଟିଏ ରାଜା ଉପରେ ଧ୍ୟାନ ଦେବା ଯିଏ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ନାହିଁ, ସେ ଥିଲେ ରିହବୀୟାମ୍‌ । ସେ ଅନେକ ଭଲ କାମ କରିଥିଲେ । କିନ୍ତୁ ଯେତେବେଳେ ତାଙ୍କ ଶାସନ ମଜବୁତ ହୋଇଗଲା, ତେବେ ସେ ଯିହୋବାଙ୍କ ନିୟମ ମାନିବା ଛାଡ଼ିଦେଲେ । (୨ ବଂଶା. ୧୨:୧) ତାʼପରେ ସେ ବେଳେବେଳେ ଯିହୋବାଙ୍କ ଉପାସନା କରୁଥିଲେ ଆଉ ବେଳେବେଳେ ମିଛ ଦେବାଦେବୀଙ୍କ । (୧ ରାଜା. ୧୪:୨୧-୨୪) ରିହବୀୟାମ୍‌ ଓ ଆହାବଙ୍କ ବ୍ୟତୀତ ଏପରି ଆହୁରି ବି ରାଜାମାନେ ଥିଲେ ଯେଉଁମାନେ ସତ୍ୟ ଉପାସନାକୁ ଛାଡ଼ି ଦେଇଥିଲେ । ଦେଖିବାକୁ ଗଲେ ଯେଉଁ ରାଜାମାନେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ ନାହିଁ, ସେମାନଙ୍କ ମଧ୍ୟରୁ ଅଧିକାଂଶ ମିଛ ଉପାସନାକୁ ସହଯୋଗ କଲେ ଆଉ ଅନ୍ୟମାନଙ୍କୁ ବି ଏପରି କରିବା ପାଇଁ ପ୍ରୋତ୍ସାହନ ଦେଲେ । କିନ୍ତୁ ଯିହୋବା କିପରି ସ୍ଥିର କଲେ ଯେ ଜଣେ ରାଜା ବିଶ୍ୱସ୍ତ ନା ନୁହେଁ ? ଯିହୋବା ଏକଥା ପ୍ରତି ବିଶେଷ ଧ୍ୟାନ ଦେଲେ ଯେ ଜଣେ ରାଜା ସତ୍ୟ ଉପାସନାକୁ ସହଯୋଗ କରୁଛି ନା ନାହିଁ ।

୧୫. ଯିହୋବାଙ୍କ ପାଇଁ କାହିଁକି ଏହି କଥା ବହୁତ ମହତ୍ତ୍ୱ ରଖେ ଯେ ଜଣେ ବ୍ୟକ୍ତି ସତ୍ୟ ଉପାସନାକୁ ସହଯୋଗ କରୁ ?

୧୫ ଯିହୋବାଙ୍କ ପାଇଁ ଏହି କଥା କାହିଁକି ଏତେ ମହତ୍ତ୍ୱ ରଖେ ଯେ କେବଳ ତାଙ୍କର ହିଁ ଉପାସନା କରାଯାଉ ? ରାଜାମାନଙ୍କ ବିଷୟରେ ଯଦି ଦେଖିବା ତାହେଲେ ତାଙ୍କର ଏହି ଦାୟିତ୍ୱ ଥିଲା ଯେ ସେମାନେ ଲୋକମାନଙ୍କୁ ସତ୍ୟ ଉପାସନା କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । କିନ୍ତୁ ଯଦି ରାଜାମାନେ ଏପରି କରି ନ ଥାʼନ୍ତେ, ତାହେଲେ ଲୋକମାନେ ମିଥ୍ୟା ଉପାସନା କରିବାକୁ ଲାଗନ୍ତେ । ଏହାର ବହୁତ ଖରାପ ପରିଣାମ ହୁଅନ୍ତା, ଯେପରି ଲୋକମାନେ ବଡ଼ ବଡ଼ ପାପ କରନ୍ତେ ଓ ପରସ୍ପର ସହ ଖରାପ ବ୍ୟବହାର କରିବାକୁ ଲାଗନ୍ତେ । (ହୋଶେ. ୪:୧, ୨) ଏବିଷୟରେ ବି ଭାବନ୍ତୁ, ରାଜା ଓ ପ୍ରଜା ଉଭୟ ଯିହୋବାଙ୍କୁ ସମର୍ପିତ ଥିଲେ । ତେଣୁ ଯଦି ସେମାନେ ଯିହୋବାଙ୍କୁ ଛାଡ଼ି ମିଛ ଦେବାଦେବୀଙ୍କର ଉପାସନା କରିବାକୁ ଲାଗନ୍ତେ, ତେବେ ସେମାନେ ଯିହୋବାଙ୍କ ସହ ବିଶ୍ୱାସଘାତ କରନ୍ତେ । (ଯିରି. ୩:୮, ୯) ଯଦି ଜଣେ ସ୍ୱାମୀ କିମ୍ବା ସ୍ତ୍ରୀ ନିଜ ନିଜ ଜୀବନସାଥୀ ସହ ବିଶ୍ୱାସଘାତ କରେ, ତେବେ ତାଙ୍କ ସାଥୀଙ୍କୁ ବହୁତ ଦୁଃଖ ଲାଗେ । ସେହିପରି, ଯଦି ଯିହୋବାଙ୍କ ଜଣେ ସମର୍ପିତ ସେବକ ତାଙ୍କୁ ଛାଡ଼ି ଅନ୍ୟ ଦେବାଦେବୀଙ୍କ ଉପାସନା କରିବାକୁ ଲାଗେ, ତାହେଲେ ଯିହୋବାଙ୍କୁ ବହୁତ କଷ୍ଟ ପହଞ୍ଚେ । eଦ୍ୱିବି. ୪:୨୩, ୨୪.

୧୬. ଜଣେ ବ୍ୟକ୍ତି ଧାର୍ମିକ ଅଟେ ନା ଦୁଷ୍ଟ ଏହା ଯିହୋବା କେଉଁ ଆଧାରରେ ସ୍ଥିର କରନ୍ତି ?

୧୬ ଏଥିରୁ ଆମେ ଶିଖୁ ଯେ ଆମକୁ ମିଥ୍ୟା ଉପାସନା ନ କରିବା ପାଇଁ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ । କିନ୍ତୁ ଆମକୁ ସତ୍ୟ ଉପାସନାରେ ଓ ଯିହୋବାଙ୍କ ସେବାରେ ଅଧିକରୁ ଅଧିକ କରିବା ଉଚିତ୍‌ । ଭବିଷ୍ୟଦ୍‌ବକ୍ତା ମଲାଖି କହିଥିଲେ ଯେ ଯିହୋବା କିପରି ଭଲ ଓ ଖରାପ ଲୋକଙ୍କ ମଧ୍ୟରେ ଫରକ କରନ୍ତି । ସେ କହିଥିଲେ, “ଯେ ପରମେଶ୍ୱରଙ୍କ ସେବା କରେ,” ସେ ତାଙ୍କ ଦୃଷ୍ଟିରେ “ଧାର୍ମିକ” । କିନ୍ତୁ “ଯେ ତାହାଙ୍କର ସେବା ନ କରେ,” ସେ ତାଙ୍କ ଦୃଷ୍ଟିରେ “ଦୁଷ୍ଟ” ଅଟେ । (ମଲାଖି ୩:୧୮) ଆମେ ବି ଚାହୁଁ ଯେ ଯିହୋବା ଆମକୁ ଧାର୍ମିକ ମନେ କରନ୍ତୁ । ସେଥିପାଇଁ ଆମକୁ କୌଣସି ବି ପରିସ୍ଥିତିରେ ତାଙ୍କ ସେବା କରିବା ଛାଡ଼ିବା ଉଚିତ୍‌ ନୁହେଁ । ଆମକୁ ନିଜ ଭୁଲ ଓ ଦୁର୍ବଳତାଗୁଡ଼ିକ ଯୋଗୁଁ କେବେ ବି ଏତେ ନିରାଶ ହେବା ଉଚିତ୍‌ ନୁହେଁ ଯେ ଆମେ ଯିହୋବାଙ୍କ ଉପାସନା କରିବା ହିଁ ଛାଡ଼ି ଦେଉ । ଯଦି ଆମେ ଏପରି କରିବା ତାହେଲେ ଯିହୋବାଙ୍କ ଦୃଷ୍ଟିରେ ଏହା ଗମ୍ଭୀର ପାପ ହେବ ।

୧୭. ଆମକୁ କାହିଁକି ଭାବିଚିନ୍ତି ଜୀବନସାଥୀ ବାଛିବା ଉଚିତ୍‌ ?

୧୭ କʼଣ ଆପଣ ଅବିବାହିତ ଅଛନ୍ତି ଏବଂ ବିବାହ କରିବା ପାଇଁ ଭାବୁଛନ୍ତି ? ଯଦି ହଁ, ତାହେଲେ ମଲାଖି ଯାହା କହିଲେ ତାକୁ ଧ୍ୟାନରେ ରଖି ଆପଣ କିପରି ଭଲ ଜୀବନସାଥୀ ବାଛିପାରିବେ ? ହୋଇପାରେ ଜଣେ ବ୍ୟକ୍ତିଠାରେ ଭଲ ଗୁଣ ରହିଛି । କିନ୍ତୁ ଯଦି ସେ ଯିହୋବାଙ୍କ ସେବା କରନ୍ତି ନାହିଁ, ତାହେଲେ କʼଣ ସେ ତାଙ୍କ ଦୃଷ୍ଟିରେ ଧାର୍ମିକ ହେବେ ? (୨ କରି. ୬:୧୪) ଆଉ ଯଦି ଆପଣ ତାଙ୍କୁ ବିବାହ କରି ନେବେ, ତାହେଲେ କʼଣ ସେ ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ଦୃଢ଼ କରିବା ପାଇଁ ସାହାଯ୍ୟ କରିପାରିବେ ? ଏବିଷୟରେ ବି ଭାବନ୍ତୁ, ରାଜା ଶଲୋମନ ଅନ୍ୟ ଦେଶର ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସେମାନଙ୍କ ମଧ୍ୟରେ ବି କିଛି ଭଲ ଗୁଣ ରହିଥିବ । କିନ୍ତୁ ସେମାନେ ଯିହୋବାଙ୍କ ଉପାସନା କରୁ ନ ଥିଲେ ଓ ସେମାନଙ୍କ ଯୋଗୁଁ ଶଲୋମନ ବି ଯିହୋବାଙ୍କ ଉପାସନା କରିବା ଛାଡ଼ି ଦେଲେ ଆଉ ସେ ମିଛ ଉପାସନା କରିବାକୁ ଲାଗିଲେ ।—୧ ରାଜା. ୧୧:୧,.

୧୮. ବାପାମାଆମାନେ ନିଜ ପିଲାମାନଙ୍କୁ କʼଣ ଶିଖାଇବା ଉଚିତ୍‌ ?

୧୮ ବାପାମାଆମାନେ, ବାଇବଲରେ ଇସ୍ରାଏଲର ରାଜାମାନଙ୍କ ବିଷୟରେ ଯାହା କୁହାଯାଇଛି, ସେଗୁଡ଼ିକ ବିଷୟରେ ନିଜ ପିଲାମାନଙ୍କ ସହ ଚର୍ଚ୍ଚା କରନ୍ତୁ ଓ ତାଙ୍କ ହୃଦୟରେ ଯିହୋବାଙ୍କ ସେବା କରିବା ପାଇଁ ଉତ୍ସାହ ବଢ଼ାନ୍ତୁ । ସେମାନଙ୍କୁ ଏହା ବି ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଯେଉଁ ରାଜାମାନେ ସତ୍ୟ ଉପାସନାକୁ ସହଯୋଗ କଲେ, ସେମାନଙ୍କୁ ଯିହୋବା ପସନ୍ଦ କରୁଥିଲେ ଓ ଯେଉଁମାନେ ସହଯୋଗ କଲେ ନାହିଁ, ସେମାନେ ତାଙ୍କ ଦୃଷ୍ଟିରେ ଦୁଷ୍ଟ ଥିଲେ । ନିଜ କଥା ଓ କାମଗୁଡ଼ିକରୁ ଦେଖାନ୍ତୁ ଯେ ଆପଣଙ୍କ ପାଇଁ ଯିହୋବାଙ୍କ ସେବା ସହ ଜଡ଼ିତ କାମ, ଅନ୍ୟ କାମଗୁଡ଼ିକରୁ ଅଧିକ ମହତ୍ତ୍ୱ ରଖେ । ସେଥିପାଇଁ ଲଗାତାର ବାଇବଲ ଅଧ୍ୟୟନ କରନ୍ତୁ, ସଭାରେ ଯାʼନ୍ତୁ ଓ ପ୍ରଚାର କରନ୍ତୁ । ତେବେ ଆପଣଙ୍କ ପିଲାମାନେ ମଧ୍ୟ ଏପରି କରିବା ଶିଖିବେ । (ମାଥି. ୬:୩୩) କିନ୍ତୁ ଯଦି ଆପଣ ଏପରି କରିବେ ନାହିଁ, ତେବେ ହୁଏତ ଆପଣଙ୍କ ପିଲାମାନେ କେବଳ ଏଥିପାଇଁ ଯିହୋବାଙ୍କ ଉପାସନା କରିବେ, କାରଣ ଆପଣ ଏପରି କରୁଛନ୍ତି । ଆଉ ହୋଇପାରେ, ଆଗକୁ ଯାଇ ସେମାନେ ଯିହୋବାଙ୍କୁ ପ୍ରଥମ ସ୍ଥାନ ଦେବେନି କିମ୍ବା ତାଙ୍କ ଉପାସନା କରିବା ପୂରାପୂରି ଛାଡ଼ି ଦେବେ ।

୧୯. ଯଦି କେହି ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଛନ୍ତି, ତାହେଲେ କʼଣ ସେ ପୁଣିଥରେ ତାଙ୍କ ସାଙ୍ଗ ହୋଇପାରିବେ ? (“ ଆପଣ ଯିହୋବାଙ୍କ ପାଖକୁ ଫେରି ପାରିବେ !” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୯ ଯେଉଁ ଲୋକମାନେ ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଛନ୍ତି, ସେମାନେ ପୁଣିଥରେ ଯିହୋବାଙ୍କ ସାଙ୍ଗ ହୋଇପାରିବେ । ଏଥିପାଇଁ ତାଙ୍କୁ କʼଣ କରିବାକୁ ପଡ଼ିବ ? ସେମାନଙ୍କୁ ହୃଦୟରୁ ପଶ୍ଚାତାପ କରିବାକୁ ପଡ଼ିବ ଓ ପୁଣିଥରେ ଯିହୋବାଙ୍କ ଉପାସନା କରିବାକୁ ପଡ଼ିବ । କିନ୍ତୁ ଏପରି କରିବା ପାଇଁ ସେମାନଙ୍କୁ ନମ୍ର ହେବାକୁ ପଡ଼ିବ ଓ ପ୍ରାଚୀନମାନଙ୍କ ସାହାଯ୍ୟ ନେବାକୁ ପଡ଼ିବ । (ଯାକୁ. ୫:୧୪) ଏହା ହୁଏତ ସେମାନଙ୍କ ପାଇଁ ସହଜ ନ ଥିବ, କିନ୍ତୁ ଏପରି କଲେ ସେମାନେ ଯିହୋବାଙ୍କ ସାଙ୍ଗ ହୋଇପାରିବେ । ଆଉ ଏହାଠୁ ବଡ଼ ଖୁସିର କଥା ଆଉ କʼଣ ହୋଇପାରିବ !

୨୦. ଯଦି ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା, ତାହେଲେ ଯିହୋବା ଆମ ବିଷୟରେ କʼଣ କହିବେ ?

୨୦ ଏହି ଲେଖାରେ ଆମେ ଶିଖିଲୁ ଯେ ଇସ୍ରାଏଲର ଭଲ ରାଜାମାନଙ୍କ ଭଳି ଆମକୁ ବି ସମ୍ପୂର୍ଣ୍ଣ ହୃଦୟରୁ ଯିହୋବାଙ୍କ ସେବା କରିବା ଉଚିତ୍‌ । ଯଦି ଆମ ଦ୍ୱାରା କୌଣସି ଭୁଲ ହୋଇଯାଏ, ତାହେଲେ ଆମକୁ ପଶ୍ଚାତାପ କରିବା ଉଚିତ୍‌ ଓ ସୁଧାର କରିବା ଉଚିତ୍‌ । ସବୁଠୁ ଜରୁରୀ କଥା, ଆମକୁ କେବଳ ଯିହୋବାଙ୍କ ଉପାସନା କରିବା ଉଚିତ୍‌ । ଯଦି ଆପଣ ଯିହୋବାଙ୍କ ବିଶ୍ୱସ୍ତ ରହିବେ, ତାହେଲେ ଯିହୋବା ଆପଣଙ୍କ ବିଷୟରେ କହିବେ ଯେ ଆପଣ ତାହା କରନ୍ତି ଯାହା ତାଙ୍କ ଦୃଷ୍ଟିରେ ସଠିକ୍‌ ଅଟେ ।

ଗୀତ ୪୫ ମେରେ ମନ୍‌ କେ ୱିଚାର

a ଏହି ଲେଖାରେ “ଇସ୍ରାଏଲର ରାଜାମାନଙ୍କ” ବିଷୟରେ କୁହାଯିବ । ଏଥିରେ ସେସବୁ ରାଜାମାନେ ସାମିଲ୍‌ ଅଛନ୍ତି, ଯେଉଁମାନେ ଯିହୁଦାର ଦୁଇ ଗୋତ୍ର, ଦଶ ଗୋତ୍ର କିମ୍ବା ୧୨ ଗୋତ୍ର ଉପରେ ଶାସନ କରିଥିଲେ ।

b ଏହାର ଅର୍ଥ କʼଣ ? ବାଇବଲରେ ଯେବେ ବି “ହୃଦୟ” ଶବ୍ଦ ଆସିଛି, ପ୍ରାୟ ତାʼର ଅର୍ଥ ହେଉଛି ଯେ ଜଣେ ବ୍ୟକ୍ତି ଭିତରୁ କିପରି ଅଟେ । ଏଥିରେ ତାʼର ଚିନ୍ତାଧାରା, ବିଚାର, ଦୃଷ୍ଟିକୋଣ, ଦକ୍ଷତା, ଲକ୍ଷ୍ୟ ଓ ତାʼର ଉଦ୍ଦେଶ୍ୟ ମଧ୍ୟ ସାମିଲ୍‌ ଅଛି ।

c ଜଣାପଡ଼େ ଯେ ଅଣଯିହୁଦୀ ରାଜାମାନେ ଯେବେ କୌଣସି ଦେଶ ଉପରେ ଜୟ ହାସଲ କରୁଥିଲେ, ତେବେ ସେମାନେ ପ୍ରାୟ ସେହି ଦେଶର ଦେବାଦେବୀମାନଙ୍କୁ ପୂଜା କରୁଥିଲେ ।

d ରାଜା ଆଶା ବହୁତ ଗମ୍ଭୀର ପାପ କରିଥିଲେ । (୨ ବଂଶା. ୧୬:୭, ୧୦) କିନ୍ତୁ ବାଇବଲରେ ତାଙ୍କ ବିଷୟରେ ଲେଖାଅଛି ଯେ ସେ ତାହା ହିଁ କଲେ ଯାହା ଯିହୋବାଙ୍କ ଦୃଷ୍ଟିରେ ସଠିକ୍‌ ଥିଲା । ଯେବେ ଯିହୋବାଙ୍କ ଭବିଷ୍ୟଦ୍‌ବକ୍ତା ତାଙ୍କୁ ସୁଧାରିଲେ, ତେବେ ସେ ଆରମ୍ଭରେ ତାଙ୍କ କଥା ଶୁଣିଲେ ନାହିଁ, କିନ୍ତୁ ହୋଇପାରେ ସେ ପରେ ପଶ୍ଚାତାପ କରିଥିବେ । ଯିହୋବା ତାଙ୍କ ଖରାପ ଗୁଣ ଅପେକ୍ଷା ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେଲେ । ଦେଖିବାକୁ ଗଲେ ରାଜା ଆଶା ଯିହୋବାଙ୍କ ଛଡ଼ା ଆଉ କାହାରି ଉପାସନା କଲେ ନାହିଁ ଓ ନିଜ ରାଜ୍ୟରୁ ମୂର୍ତ୍ତିପୂଜାକୁ ଶେଷ କରିବା ପାଇଁ ପୂରା ଚେଷ୍ଟା କଲେ ।—୧ ରାଜା. ୧୫:୧୧-୧୩; ୨ ବଂଶା. ୧୪:୨-୫.

e ଦେଖିବାକୁ ଗଲେ ମୋଶାଙ୍କ ବ୍ୟବସ୍ଥାର ପ୍ରଥମ ଦୁଇଟି ଆଜ୍ଞା ଏବିଷୟରେ ହିଁ ଥିଲା । ସେଠାରେ କୁହାଯାଇଥିଲା ଯେ ଯିହୋବାଙ୍କ ଛଡ଼ା ଆଉ କାହାରି ଉପାସନା କରାଯିବା ଉଚିତ୍‌ ନୁହେଁ, ଏପରିକି କୌଣସି ବ୍ୟକ୍ତି ଏବଂ କୌଣସି ଜିନିଷର ମଧ୍ୟ ନୁହେଁ ।—ଯାତ୍ରା. ୨୦:୧-୬.

f ଚିତ୍ର ବିଷୟରେ—: ଜଣେ ଯୁବା ପ୍ରାଚୀନ ମଦ ପିଇବା ମାମଲାରେ ଜଣେ ଭାଇଙ୍କୁ ପରାମର୍ଶ ଦେଉଛନ୍ତି । ସେ ଭାଇ ନମ୍ର ହୋଇ ପରାମର୍ଶକୁ ମାନନ୍ତି, ନିଜଠାରେ ସୁଧାର କରୁଛନ୍ତି ଓ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରୁଛନ୍ତି ।