इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୯

ଗୀତ ୧୨୧ ସଂୟମ ରଖନା ଜରୁରୀ

ପାପଠାରୁ ଦୂରେଇ ରହିବା ପାଇଁ ଆପଣ କʼଣ କରିପାରିବେ ?

ପାପଠାରୁ ଦୂରେଇ ରହିବା ପାଇଁ ଆପଣ କʼଣ କରିପାରିବେ ?

“ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗିରହି ପ୍ରାର୍ଥନା କର ।”ମାଥି. ୨୬:୪୧.

କʼଣ ଶିଖିବା ?

ଆମେ ଜାଣିବା ଯେ ଆମକୁ ପାପ କରିବାରୁ ଦୂରେଇ ରହିବା ଜରୁରୀ, କିନ୍ତୁ ତାʼସହ ଆମକୁ ଏପରି କାମଗୁଡ଼ିକରୁ ମଧ୍ୟ ଦୂରେଇ ରହିବାର ଅଛି ଯାହା ଆମକୁ ପାପ କରିବା ପାଇଁ ପ୍ରଲୋଭିତ କରିପାରେ ।

୧-୨. (କ) ଯୀଶୁ ନିଜ ଶିଷ୍ୟମାନଙ୍କୁ କେଉଁ କଥା ପାଇଁ ସତର୍କ କରାଇଥିଲେ ? (ଖ) ଶିଷ୍ୟମାନେ କାହିଁକି ଯୀଶୁଙ୍କୁ ଛାଡ଼ି ପଳାଇଗଲେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

 ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ, ‘ହୃଦୟ ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ।’ (ମାଥି. ୨୬:୪୧ଖ) ଏହି ଶବ୍ଦଗୁଡ଼ିକରୁ ଜଣାପଡ଼େ ଯେ ଯୀଶୁ ଜାଣିଥିଲେ ଯେ ଆମେ ସଠିକ୍‌ କାମ କରିବା ପାଇଁ ଚାହୁଁ, କିନ୍ତୁ ଅପରିପୂର୍ଣ୍ଣ ହେବା ଯୋଗୁଁ ଆମେ ଅନେକଥର ପାପ କରିଦେଉ । କିନ୍ତୁ ଏପରି କହି ଯୀଶୁ ନିଜ ଶିଷ୍ୟମାନଙ୍କୁ ସତର୍କ ମଧ୍ୟ କରାଉଥିଲେ । ସେ ଏହା କହୁଥିଲେ ଯେ ସେମାନଙ୍କୁ ନିଜ ଉପରେ ଅତ୍ୟଧିକ ଭରସା କରିବା ଉଚିତ୍‌ ନୁହେଁ । ଏହାର କିଛି ସମୟ ପୂର୍ବେ ହିଁ ଶିଷ୍ୟମାନେ ଯୀଶୁଙ୍କୁ ପୂରା ଭରସାର ସହିତ କହିଥିଲେ ଯେ ଯାହା ହେଉ ପଛେ ସେମାନେ ତାଙ୍କୁ ଏକୁଟିଆ ଛାଡ଼ିବେନି । (ମାଥି. ୨୬:୩୫) ସେମାନଙ୍କ ଉଦ୍ଦେଶ୍ୟ ତ ଠିକ୍‌ ଥିଲା, କିନ୍ତୁ ସେମାନଙ୍କୁ ଏହା ଜଣା ନ ଥିଲା ଯେ ପରୀକ୍ଷା ସମୟରେ ସେମାନେ ଅତି ସହଜରେ ଦୁର୍ବଳ ହୋଇପଡ଼ିବେ । ତେଣୁ ଯୀଶୁ ସେମାନଙ୍କୁ ସତର୍କ କଲେ ଓ କହିଲେ, “ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗିରହି ପ୍ରାର୍ଥନା କର ।”—ମାଥି. ୨୬:୪୧କ.

ଦୁଃଖର କଥା ଯେ ଶିଷ୍ୟମାନେ ଜାଗ୍ରତ ବା ସତର୍କ ରହିଲେ ନାହିଁ । ତେଣୁ କʼଣ ହେଲା ? ଯେତେବେଳେ ସୈନିକମାନେ ଯୀଶୁଙ୍କୁ ଗିରଫ୍‌ କରିବା ପାଇଁ ଆସିଲେ, ତେବେ ସେମାନେ ଯୀଶୁଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତାଙ୍କୁ ଛାଡ଼ି ପଳାଇଗଲେ । ନିଜର ଦୁର୍ବଳତା ଯୋଗୁଁ ଶିଷ୍ୟମାନେ ଏହି ଭୁଲ କରି ବସିଲେ । ସେମାନେ ଯୀଶୁଙ୍କୁ ଛାଡ଼ିବେ ନାହିଁ ବୋଲି କହିଥିଲେ, କିନ୍ତୁ ସେମାନେ ତାହାଙ୍କୁ ଛାଡ଼ି ପଳାଇଗଲେ ।—ମାଥି. ୨୬:୫୬.

ଯୀଶୁ ନିଜ ଶିଷ୍ୟମାନଙ୍କୁ କହିଥିଲେ ଯେ ସେମାନେ ଜାଗି ରହନ୍ତୁ ଆଉ ପରୀକ୍ଷାରେ ପଡ଼ନ୍ତୁ ନାହିଁ, କିନ୍ତୁ ସେମାନେ ଏପରି କରିପାରିଲେ ନାହିଁ ଓ ତାହାଙ୍କୁ ଛାଡ଼ି ପଳାଇଗଲେ (ପାରାଗ୍ରାଫ ୧-୨)


୩. (କ) ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଏହା କାହିଁକି ଜରୁରୀ ଯେ ଆମେ ନିଜ ଉପରେ ଅତ୍ୟଧିକ ଭରସା କରିବାନି ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

ଆମେ ନିଜ ଉପରେ ଅତ୍ୟଧିକ ଭରସା କରିବା ଉଚିତ୍‌ ନୁହେଁ । ଆମେ କେବେ ବି ଏପରି ଭାବିବା କଥା ନୁହେଁ ଯେ ଆମ ଦ୍ୱାରା କୌଣସି ଭୁଲ ହେବ ନାହିଁ । ଏହା ସତ ଯେ ଆମେ ଏପରି କୌଣସି କାମ କରିବା ପାଇଁ ଚାହୁଁନୁ ଯେଉଁଥିରୁ ଯିହୋବାଙ୍କୁ ଦୁଃଖ ପହଞ୍ଚେ । କିନ୍ତୁ ଆମେ ଅପରିପୂର୍ଣ୍ଣ, ତେଣୁ ଅତି ସହଜରେ ଆମେ ଭୁଲ କାମ ଆଡ଼କୁ ପ୍ରଲୋଭିତ ହୋଇପାରୁ । (ରୋମୀ. ୫:୧୨; ୭:୨୧-୨୩) ଆମ ଆଗରେ ହଠାତ୍‌ ଏପରି ପରିସ୍ଥିତି ଆସିପାରେ ଯେବେ ଭୁଲ କାମ କରିବାରୁ ନିଜକୁ ରୋକିବା ଆମ ପାଇଁ କଷ୍ଟକର ହୋଇଯାଏ । ଏପରି ସମୟରେ ଆମେ ଯିହୋବା ଓ ତାଙ୍କ ପୁତ୍ର ଯୀଶୁଙ୍କର କିପରି ବିଶ୍ୱସ୍ତ ରହିପାରିବା ? ଆମକୁ ଭୁଲ କାମରୁ ଦୂରେଇ ରହିବା ପାଇଁ ସତର୍କ ରହିବାକୁ ପଡ଼ିବ । ଏହି ଲେଖାରେ ଆମେ ଜାଣିବା ଯେ ଆମେ ଏହା କିପରି କରିପାରିବା । ପ୍ରଥମେ ଆମେ ଦେଖିବା ଯେ ଆମକୁ କେଉଁ ମାମଲାଗୁଡ଼ିକରେ ଆହୁରି ଅଧିକ ସତର୍କ ରହିବା ଦରକାର । ତାʼପରେ ଆମେ ଦେଖିବା ଯେ ଆମେ କିପରି ସତର୍କ ରହିପାରିବା ଓ ଶେଷରେ ଆମେ ଜାଣିବା ଯେ ସବୁବେଳେ ସତର୍କ ରହିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ।

କେଉଁ ମାମଲାଗୁଡ଼ିକରେ ସତର୍କ ରହିବା ଜରୁରୀ ?

୪-୫. ଆମକୁ କାହିଁକି ଏପରି ପାପଠାରୁ ମଧ୍ୟ ଦୂରେଇ ରହିବା ଉଚିତ୍‌ ଯାହା ଏତେ ଗମ୍ଭୀର ହୋଇ ନ ଥାଏ ?

ହୁଏତ କିଛି ପାପ ଏତେ ଗମ୍ଭୀର ନ ଥିବ, କିନ୍ତୁ ତାʼଯୋଗୁଁ ଯିହୋବାଙ୍କ ସହିତ ଆମ ସମ୍ପର୍କ ଖରାପ ହୋଇପାରେ । କେବଳ ଏତିକି ନୁହେଁ, ଆମ ଦ୍ୱାରା କୌଣସି ଗମ୍ଭୀର ପାପ ମଧ୍ୟ ହୋଇପାରେ ।

ଆମେ ସମସ୍ତେ ଭୁଲ କାମ କରିବା ପାଇଁ ପ୍ରଲୋଭିତ ହୋଇଥାଉ । କିନ୍ତୁ ଆମ ସମସ୍ତଙ୍କ ନିଜର ବି କିଛି ଦୁର୍ବଳତା ଥାଏ ଯାହାଯୋଗୁଁ ଆମେ ଭୁଲ କାମ କରିପାରୁ । ଉଦାହରଣ ପାଇଁ, କିଛି ଲୋକମାନଙ୍କୁ ଅନୈତିକ ଯୌନ ସମ୍ପର୍କ ରଖିବା ପାଇଁ ଇଚ୍ଛା ହୁଏ । କିଛି ଲୋକମାନଙ୍କୁ ଖରାପ କାମ କରିବା ପାଇଁ ବହୁତ ଇଚ୍ଛା ହୁଏ, ଯେପରି ପୋର୍ନୋଗ୍ରାଫି ଦେଖିବା ବା ହସ୍ତମୈଥୁନ କରିବା । ଆଉ କିଛି ଲୋକମାନେ ଅନ୍ୟ ମାମଲାଗୁଡ଼ିକରେ ଦୁର୍ବଳ ଥାʼନ୍ତି, ଯେପରି ସେମାନେ ମଣିଷମାନଙ୍କୁ ଡରନ୍ତି, ଗର୍ବ କରନ୍ତି କିମ୍ବା ଶୀଘ୍ର ରାଗିଯାʼନ୍ତି । ଯାକୁବ ମଧ୍ୟ ନିଜ ଚିଠିରେ ଲେଖିଥିଲେ, “ପ୍ରତ୍ୟେକ ଲୋକ ଆପଣା କାମନା ଦ୍ୱାରା ଆକର୍ଷିତ ଓ ପ୍ରବଞ୍ଚିତ ହୋଇ ପରୀକ୍ଷିତ ହୁଏ ।”—ଯାକୁ. ୧:୧୪.

୬. ଆମକୁ ନିଜ ବିଷୟରେ କʼଣ ଜଣା ଥିବା ଉଚିତ୍‌ ?

କʼଣ ଆପଣ ଜାଣିଛନ୍ତି ଯେ ଆପଣଙ୍କର କʼଣ ଦୁର୍ବଳତା ଅଛି, ଯାହାଯୋଗୁଁ ଆପଣ ଭୁଲ କାମ ଆଡ଼କୁ ପ୍ରଲୋଭିତ ହୋଇପାରିବେ ? ଯଦି ଆମେ ଏପରି ଭାବିବା ଯେ ଆମଠାରେ କୌଣସି ଦୁର୍ବଳତା ନାହିଁ ଓ ଆମେ କେବେ ପାପ କରିବା ନାହିଁ, ତାହେଲେ ପ୍ରକୃତରେ ଆମେ ନିଜକୁ ଧୋକା ଦେଉଥିବା । (୧ ଯୋହ. ୧:୮) ମନେରଖନ୍ତୁ, ପାଉଲ କହିଥିଲେ ଯେ ଯେଉଁମାନେ “ଆତ୍ମିକ” [“ଈଶ୍ୱରଙ୍କ ନିର୍ଦ୍ଧାରିତ ଯୋଗ୍ୟତା ରଖନ୍ତି,” NWT] ସେମାନେ ବି ଯଦି ସତର୍କ ରହନ୍ତି ନାହିଁ, ତେବେ ସେମାନଙ୍କ ଦ୍ୱାରା ମଧ୍ୟ ପାପ ହୋଇପାରେ । (ଗାଲା. ୬:୧) ତେଣୁ ଆମେ ନିଜକୁ ସଚ୍ଚୋଟତାର ସହ ଯାଞ୍ଚ କରିବା ଜରୁରୀ ଓ ଆମର ଦୁର୍ବଳତାକୁ ଚିହ୍ନିବା ଜରୁରୀ ।—୨ କରି. ୧୩:୫.

୭. ଆମେ କେଉଁ କଥାର ବିଶେଷ ଧ୍ୟାନ ରଖିବା ଉଚିତ୍‌ ? ଉଦାହରଣ ଦେଇ ବୁଝାନ୍ତୁ ।

ନିଜ ଦୁର୍ବଳତାକୁ ଚିହ୍ନିବା ପରେ ଆମକୁ କʼଣ କରିବା ଉଚିତ୍‌ ? ଏହାକୁ ବୁଝିବା ପାଇଁ ଗୋଟିଏ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ପ୍ରାଚୀନ ସମୟରେ ସହରର ଚାରିଆଡ଼େ ପ୍ରାଚୀର ରହୁଥିଲା, ଯାହାର ସବୁଠାରୁ ଦୁର୍ବଳ ଭାଗ ଥିଲା ତାର ଫାଟକ । ଆଉ ପ୍ରାୟ ଶତ୍ରୁମାନେ ଫାଟକରେ ହିଁ ଆକ୍ରମଣ କରୁଥିଲେ । ତେଣୁ ଏ କଥାର ବିଶେଷ ଧ୍ୟାନ ଦିଆଯାଉଥିଲା ଯେ ଫାଟକରେ ଅଧିକରୁ ଅଧିକ ଜଗୁଆଳୀ ରହନ୍ତୁ । ଆମ ଦୁର୍ବଳତାଗୁଡ଼ିକ ମଧ୍ୟ ଫାଟକ ଭଳି ଅଟେ । ତେଣୁ ଆମକୁ ଏହାକୁ ଜଗିବାର ଅଛି ଅର୍ଥାତ୍‌ ସତର୍କ ରହିବାର ଅଛି, ଯାହାଦ୍ୱାରା ଏହି ଦୁର୍ବଳତାଗୁଡ଼ିକ ଆମ ଉପରେ ପ୍ରଭାବ ନ ପକାଉ ।—୧ କରି. ୯:୨୭.

ସତର୍କ କିପରି ରହିବା ?

୮-୯. ହିତୋପଦେଶ ୭ ଅଧ୍ୟାୟରେ ଯେଉଁ ଯୁବକ ବିଷୟରେ କୁହାଯାଇଛି, ସେ କିପରି ପାପ କରିବାରୁ ଦୂରେଇ ରହିପାରିଥାନ୍ତା ? (ହିତୋପଦେଶ ୭:୮, ୯, ୧୩, ୧୪, ୨୧)

ଆମେ କିପରି ପାପରୁ ଦୂରେଇ ରହିବା ପାଇଁ ନିଜକୁ ସତର୍କ କରିପାରିବା ? ଆସନ୍ତୁ ହିତୋପଦେଶ ୭ ଅଧ୍ୟାୟରେ କୁହାଯାଇଥିବା ଯୁବା ବ୍ୟକ୍ତି ଉପରେ ଧ୍ୟାନ ଦେବା ଓ ଜାଣିବା ଯେ ସେ କିପରି ଅନୈତିକ ସମ୍ପର୍କ ରଖିବାର ଫାନ୍ଦରେ ପଡ଼ିଗଲା । ପଦ ୨୨ରେ ଲେଖାଅଛି ଯେ ସେ “ସେହିକ୍ଷଣି” ସେହି ବ୍ୟଭିଚାରିଣୀ ସ୍ତ୍ରୀର ପଛେ ପଛେ ଗଲା । କିନ୍ତୁ ଏହାର ପୂର୍ବ ପଦଗୁଡ଼ିକରୁ ଜଣାପଡ଼େ ଯେ ଏସବୁ ହଠାତ୍‌ ହେଲା ନାହିଁ ବରଂ ଧୀରେ ଧୀରେ ହେଲା । ସେହି ଯୁବକ ଜଣକ ଏପରି ଅନେକ କାମ କରିଥିଲା ଯାହାଯୋଗୁଁ ସେ ଏହି ପାପ କରିଦେଲା ।

ସବୁଠୁ ପ୍ରଥମେ “(ବ୍ୟଭିଚାରିଣୀର) ଗୃହକୋଣ ନିକଟସ୍ଥ ଗଳି ଦେଇ” ଯାଉଥିଲା । ତାʼପରେ ସେ ତାର ଗୃହ ଆଡ଼କୁ ଯିବାକୁ ଲାଗିଲା । (ହିତୋପଦେଶ ୭:୮, ୯ ପଢ଼ନ୍ତୁ ।) ତାʼସହ ଯେବେ ସେ ସେହି ସ୍ତ୍ରୀକୁ ଦେଖିଲା ତେବେ ସେ ସେଠାରୁ ପଳାଇଲା ନାହିଁ । ଆଉ ତାʼପରେ ଯେବେ ସେ ସ୍ତ୍ରୀ ତାକୁ ଧରି ଚୁମ୍ବନ କଲା, ସେସମୟରେ ସେ ନିଜକୁ ଛଡ଼ାଇ ପଳାଇଲା ନାହିଁ, ବରଂ ସେ ତାʼକଥା ଶୁଣିବାକୁ ଲାଗିଲା । ସେ ସ୍ତ୍ରୀ ତାକୁ କହିଲା ଯେ ମୁଁ ଶାନ୍ତି ବଳି ଚଢ଼ାଇଛି । ହୁଏତ ଏପରି କହି ସେହି ସ୍ତ୍ରୀ ସେହି ଯୁବକକୁ ଏହା ଦେଖାଇବାକୁ ଚାହୁଁ ଥିଲା ଯେ ସେ କୌଣସି ଖରାପ ସ୍ତ୍ରୀ ନୁହେଁ । (ହିତୋପଦେଶ ୭:୧୩, ୧୪, ୨୧ ପଢ଼ନ୍ତୁ ।) ଯଦି ସେହି ଯୁବକ ଜଣକ ସତର୍କ ରହନ୍ତା ଓ ବିପଦକୁ ଚିହ୍ନିପାରନ୍ତା, ତାହେଲେ ସେ ପାପ କରନ୍ତା ନାହିଁ ।

୧୦. ହିତୋପଦେଶରେ କୁହାଯାଇଥିବା ସେହି ଯୁବା ଭଳି ଆଜି ଜଣେ ଖ୍ରୀଷ୍ଟିୟାନ କିପରି ପାପ କରିପାରେ ?

୧୦ ସେହି ଯୁବକଙ୍କ ସହିତ ଯାହା ହେଲା, ତାହା ଈଶ୍ୱରଙ୍କ କୌଣସି ବି ସେବକଙ୍କ ସହିତ ହୋଇପାରେ । ହୁଏତ ଜଣେ ଖ୍ରୀଷ୍ଟିୟାନ ଗମ୍ଭୀର ପାପ କରିଦିଏ ଆଉ ପରେ ତାକୁ ଲାଗେ ଯେ ସବୁକିଛି ହଠାତ୍‌ ହୋଇଗଲା । କିମ୍ବା ହୁଏତ ସେ କହେ, “ମୋତେ ଜଣା ନାହିଁ ଏସବୁ କିପରି ହୋଇଗଲା ।” କିନ୍ତୁ ଯଦି ସେ ଧ୍ୟାନର ସହ ଭାବିବ ଯେ ଏପରି କାହିଁକି ହେଲା, ତେବେ ହୁଏତ ସେ ଜାଣିପାରିବ ଯେ ସେ ଭାବିଚିନ୍ତି କାମ କଲାନି ଏବଂ କିଛି ଭୁଲ ନିଷ୍ପତ୍ତି ନେଲା । ଯେପରି ହୁଏତ ସେ ଏପରି ଲୋକମାନଙ୍କ ସହିତ ସାଙ୍ଗ ହେଲା ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତିନି । କିମ୍ବା ସେ ଏପରି ମନୋରଞ୍ଜନ କରିବାକୁ ଲାଗିଲା ଯାହା ଜଣେ ଖ୍ରୀଷ୍ଟିୟାନ ପାଇଁ ଠିକ୍‌ ନୁହେଁ । କିମ୍ବା ହୋଇପାରେ ସେ ଏପରି ୱେବସାଇଟ୍‌କୁ ବା ଏପରି ଜାଗାକୁ ଯିବାକୁ ଲାଗିଲା ଯେଉଁଠି ଜଣେ ଖ୍ରୀଷ୍ଟିୟାନକୁ ଯିବା ଉଚିତ୍‌ ନୁହେଁ । ହୁଏତ ସେ ଏହା ବି ବୁଝିପାରେ ଯେ ସେ ପ୍ରାର୍ଥନା କରିବା, ବାଇବଲ ପଢ଼ିବା, ସଭାକୁ ଯିବା ଏବଂ ପ୍ରଚାରରେ ଯିବା ଛାଡ଼ି ଦେଇଛି । ହିତୋପଦେଶରେ କୁହାଯାଇଥିବା ସେହି ଯୁବା ଭଳି, ଏହି ଖ୍ରୀଷ୍ଟିୟାନ ହଠାତ୍‌ ପାପ କରିଲେ ନାହିଁ । ସେ କିଛି ଭୁଲ ପଦକ୍ଷେପ ନେଇ ଥିଲେ ଯାହାଯୋଗୁଁ ସେ ପାପ କଲେ ।

୧୧. ପାପ ନ କରିବା ପାଇଁ ଆମକୁ କେଉଁ କାମଗୁଡ଼ିକରୁ ଦୂରେଇ ରହିବା ଉଚିତ୍‌ ?

୧୧ ଏଥିରୁ ଆମେ କʼଣ ଶିଖିପାରିବା ? ଆମକୁ କେବଳ ପାପ କରିବାରୁ ଦୂରେଇ ରହିବା ଉଚିତ୍‌ ନୁହେଁ, ବରଂ ଆମକୁ ସେହି କାମଗୁଡ଼ିକରୁ ବି ଦୂରେଇ ରହିବା ଦରକାର ଯାହାଯୋଗୁଁ ଆମେ ଆଗକୁ ଯାଇ ପାପ କରି ବସିବା । ସେହି ଯୁବକ ଓ ବ୍ୟଭିଚାରିଣୀର ଘଟଣା କହିଲା ପରେ ଶଲୋମନ ମଧ୍ୟ ଏହି କଥାକୁ ବୁଝାଇଲେ । ସେ ଲେଖିଲେ, “ତୁମ୍ଭେ ତାହାର ପଥରେ ବିପଥଗାମୀ ହୁଅ ନାହିଁ ।” (ହିତୋ. ୭:୨୫) ସେ ଏହା ମଧ୍ୟ କହିଲେ, “(ସେହି ସ୍ତ୍ରୀ) ଠାରୁ ଆପଣା ପଥ ଦୂରରେ ରଖ ଏବଂ ତାହାର ଗୃହଦ୍ୱାର ନିକଟକୁ ଯାଅ ନାହିଁ ।” (ହିତୋ. ୫:୩,) ଆମକୁ ବି ଏହି ପରାମର୍ଶ ମାନିବା ଉଚିତ୍‌ । ଆମକୁ ଏପରି କାମ ଓ ପରିସ୍ଥିତିଠାରୁ ଦୂରେଇ ରହିବା ଉଚିତ୍‌ ଯାହାଯୋଗୁଁ ଆମେ ପାପ ଆଡ଼କୁ ପ୍ରଲୋଭିତ ହୋଇପାରୁ । a ତାʼଛଡ଼ା ଆମକୁ ଏପରି କାମଗୁଡ଼ିକରୁ ମଧ୍ୟ ଦୂରେଇ ରହିବା ଉଚିତ୍‌ ଯାହା ହୁଏତ ଆମ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଭୁଲ ନ ଥିବ, କିନ୍ତୁ ଯାହାଯୋଗୁଁ ଆମେ ପାପ କରିବା ପାଇଁ ପ୍ରଲୋଭିତ ହୋଇପାରୁ ।—ମାଥି. ୫:୨୯, ୩୦.

୧୨. ଆୟୁବ କʼଣ ଦୃଢ଼ ନିଷ୍ପତ୍ତି ନେଇଥିଲେ ଓ ଏହା ଯୋଗୁଁ ସେ କିପରି ପାପ କରିବାରୁ ଦୂରେଇ ରହିପାରିଲେ ? (ଆୟୁବ ୩୧:୧)

୧୨ ଆମେ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ଯେ ଆମେ ଏପରି ପରସ୍ଥିତିରୁ ଦୂରେଇ ରହିବା ଯାହାଯୋଗୁଁ ଆମେ ପାପରେ ପଡ଼ିପାରୁ । ଆୟୁବ ମଧ୍ୟ ଏପରି ହିଁ କରିଥିଲେ । ସେ “ଆପଣା ଚକ୍ଷୁ ସଙ୍ଗେ ନିୟମ” କରିଥିଲେ ଯେ ସେ କୌଣସି ଯୁବତୀ ପ୍ରତି ଖରାପ ଦୃଷ୍ଟି ଦେବେ ନାହିଁ । (ଆୟୁବ ୩୧:୧ ପଢ଼ନ୍ତୁ ।) ଏପରି କରିବା ଯୋଗୁଁ ଆୟୁବ ବ୍ୟଭିଚାରଠାରୁ ଦୂରେଇ ରହିପାରିଲେ । ଆୟୁବଙ୍କ ଭଳି ଯଦି ଆମେ ବି ଦୃଢ଼ ନିଷ୍ପତ୍ତି ନେବା, ତାହେଲେ ଆମେ ଏପରି କୌଣସି କାମ କରିବାନି, ଯାହାଯୋଗୁଁ ଆମେ ପାପ ଆଡ଼କୁ ପ୍ରଲୋଭିତ ହୋଇପାରୁ ।

୧୩. ଆମକୁ କାହିଁକି ଧ୍ୟାନ ଦେବାର ଅଛି ଯେ ଆମେ କେଉଁ କଥାଗୁଡ଼ିକ ବିଷୟରେ ଭାବୁ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୩ ପାପ କରିବାରୁ ଦୂରେଇ ରହିବା ପାଇଁ ଏହା ଧ୍ୟାନ ଦେବା ବହୁତ ଜରୁରୀ ଯେ ଆମେ କେଉଁ କଥାଗୁଡ଼ିକ ବିଷୟରେ ଭାବୁ । (ଯାତ୍ରା. ୨୦:୧୭) କିଛି ଲୋକମାନେ ଭାବନ୍ତି ଯେ ଖରାପ କାମଗୁଡ଼ିକ ବିଷୟରେ ଚିନ୍ତା କରିବାରେ କିଛି ଭୁଲ ନାହିଁ । ସେମାନେ କହନ୍ତି, ‘ମୁଁ ତ କେବଳ ଏବିଷୟରେ ଭାବୁଛି, ଏପରି କାମ ତ କିଛି କରୁନି ।’ କିନ୍ତୁ ପ୍ରକୃତରେ ଯେଉଁ ମଣିଷ ଖରାପ କାମଗୁଡ଼ିକ ବିଷୟରେ ଭାବୁଥାଏ, ତାʼ ଭିତରେ ଖରାପ କାମ କରିବାର ଇଚ୍ଛା ଆହୁରି ବଢ଼ିଯାଏ । ଖରାପ କଥାଗୁଡ଼ିକ ବିଷୟରେ ଭାବିବା ଏପରି ଅଟେ ଯେପରି ଜଣେ ବ୍ୟକ୍ତି ନିଜ ପାଇଁ ଗୋଟିଏ ଗାତ ଖୋଳୁଛି ଏବଂ ତାʼପରେ ତାକୁ ଧ୍ୟାନ ରଖିବାର ଅଛି ଯେ ସେ ସେଥିରେ ପଡ଼ି ନ ଯାଉ । ଏହା ସତ ଯେ ଖରାପ କଥାଗୁଡ଼ିକ ଆମ ମନରେ ଆସିପାରେ କିନ୍ତୁ ଏହା ବହୁତ ଜରୁରୀ ଯେ ଆମେ ତୁରନ୍ତ ଏପରି କଥାଗୁଡ଼ିକୁ ନିଜ ମନରୁ ବାହାର କରିଦେବା ଉଚିତ୍‌ ଆଉ ନିଜ ମନରେ ଭଲ କଥାଗୁଡ଼ିକୁ ଚିନ୍ତା କରିବା ଉଚିତ୍‌ । ଏପରି କଲେ, ଭୁଲ କାମ କରିବାର ଇଚ୍ଛା ଆମ ମନ ଭିତରେ ବଢ଼ିବ ନାହିଁ । ଯଦି ଆମେ ଏପରି କରିବାନି, ତେବେ ହୁଏତ ଏହି ଇଚ୍ଛାଗୁଡ଼ିକ ଆମ ମନରେ ଏତେ ବଢ଼ିଯିବ ଯେ ଏହାକୁ ବାହାର କରିବା ବହୁତ କଠିନ ହୋଇଯିବ ଆଉ ଆମେ କୌଣସି ଗମ୍ଭୀର ପାପ ମଧ୍ୟ କରିଦେବା ।—ଫିଲିପ୍‌. ୪:୮; କଲ. ୩:୨; ଯାକୁ. ୧:୧୩-୧୫.

ଆମକୁ ଏପରି ସବୁ କାମ ଓ ପରିସ୍ଥିତିରୁ ଦୂରେଇ ରହିବା ଉଚିତ୍‌, ଯେଉଁଥିରୁ ଆମେ ଖରାପ କାମ କରିବା ପାଇଁ ପ୍ରଲୋଭିତ ହୋଇପାରୁ (ପାରାଗ୍ରାଫ ୧୩)


୧୪. ପାପ ନ କରିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୧୪ ପ୍ରଲୋଭିତ ହୋଇ କୌଣସି ପାପ ନ କରିବା ପାଇଁ, ଆମକୁ ଆଉ ଗୋଟିଏ କାମ କରିବାକୁ ପଡ଼ିବ । ତାହା କʼଣ ? ଆମକୁ ଏକଥା ଉପରେ ପୂରା ଭରସା ହେବା ଉଚିତ୍‌ ଯେ ଯିହୋବାଙ୍କ ଆଜ୍ଞା ମାନିଲେ ହିଁ ଆମର ଲାଭ ହେବ । ବେଳେବେଳେ ଆମକୁ ସଠିକ୍‌ ଚିନ୍ତା କରିବା ଓ ଖରାପ ଇଚ୍ଛାଗୁଡ଼ିକୁ କାବୁ କରିବା କଠିନ ହୋଇପାରେ । କିନ୍ତୁ ଯଦି ଆମେ ଈଶ୍ୱରଙ୍କ ଇଚ୍ଛା ଅନୁସାରେ କାମ କରିବା ପାଇଁ ପୂରା ଚେଷ୍ଟା କରିବା, ତେବେ ଆମକୁ ଶାନ୍ତି ମିଳିବ ।

୧୫. ସଠିକ୍‌ କାମ କରିବାର ଇଚ୍ଛାକୁ ବଢ଼ାଇଲେ ଆମେ କିପରି ପାପ କରିବାରୁ ଦୂରେଇ ରହିପାରିବା ?

୧୫ ପାପ କରିବାରୁ ଦୂରେଇ ରହିବା ପାଇଁ ଆମକୁ ନିଜଠାରେ ସଠିକ୍‌ କାମ କରିବାର ଇଚ୍ଛା ବଢ଼ାଇବାକୁ ପଡ଼ିବ । ଯଦି ଆମେ ‘ମନ୍ଦକୁ ଘୃଣା କରିବା ଓ ଭଲକୁ ଭଲ ପାଇବା,’ ତେବେ ସଠିକ୍‌ କାମ କରିବାର ଆମର ଇଚ୍ଛା ଆହୁରି ଦୃଢ଼ ହୋଇଯିବ ଏବଂ ଆମେ ଏପରି ପ୍ରତ୍ୟେକ ପରିସ୍ଥିତିରୁ ଦୂରେଇ ରହିପାରିବା, ଯାହାଯୋଗୁଁ ଆମେ ପାପ କରିପାରୁ । (ଆମୋ. ୫:୧୫) ସଠିକ୍‌ କାମ କରିବାର ଇଚ୍ଛା ବଢ଼ାଇଲେ ଆମକୁ ଆଉ ଗୋଟିଏ ଲାଭ ହେବ । ଯଦି ଆମ ଆଗରେ ହଠାତ୍‌ ଏପରି ପରିସ୍ଥିତି ଆସେ, ଯେବେ ଆମକୁ ଖରାପ କାମ କରିବା ପାଇଁ ପ୍ରଲୋଭିତ କରାଯାଏ ଆଉ ସେଥିରୁ ବାହାରିବା ଆମ ପାଇଁ କଠିନ ହୋଇଯାଏ, ତେବେ ବି ଆମର ଇଚ୍ଛା ଦୃଢ଼ ରହିବ ଏବଂ ଆମେ ପାପ କରିବାନି ।

୧୬. ଈଶ୍ୱରଙ୍କ ସେବାରେ ଲାଗି ରହିଲେ ଆମେ କିପରି ସତର୍କ ରହିପାରୁ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୬ ଆମେ ନିଜଠାରେ ସଠିକ୍‌ କାମ କରିବାର ଇଚ୍ଛା କିପରି ବଢ଼ାଇପାରିବା ? ଏହା ପାଇଁ ଆମକୁ ପରମେଶ୍ୱରଙ୍କ ସେବା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହିବାକୁ ପଡ଼ିବ । ଯେବେ ଆମେ ସଭା ଓ ପ୍ରଚାରକୁ ଯାଉ, ତେବେ ଆମ ଭିତରେ ଯିହୋବାଙ୍କୁ ଖୁସି କରିବାର ଇଚ୍ଛା ବଢ଼ିଯାଏ ଏବଂ ଆମେ ଖରାପ କାମ କରିବା ପାଇଁ ପ୍ରଲୋଭିତ ହୋଇ ନ ଥାଉ । (ମାଥି. ୨୮:୧୯, ୨୦; ଏବ୍ରୀ ୧୦:୨୪, ୨୫) ଈଶ୍ୱରଙ୍କ ବାକ୍ୟ ପଢ଼ିଲେ ଏବଂ ତାʼ ଉପରେ ଚିନ୍ତନ କଲେ ଭଲ କଥାଗୁଡ଼ିକ ପ୍ରତି ଆମର ପ୍ରେମ ବଢ଼ିଯାଏ ଏବଂ ଆମକୁ ଖରାପ କାମଗୁଡ଼ିକରୁ ଘୃଣା ହେବାକୁ ଲାଗେ । (ଯିହୋ. ୧:୮; ଗୀତ. ୧:୨, ୩; ୧୧୯:୯୭, ୧୦୧) ଆଉ ମନେରଖନ୍ତୁ, ଯୀଶୁ ନିଜ ଶିଷ୍ୟମାନଙ୍କୁ କʼଣ କହିଥିଲେ, “ପରୀକ୍ଷାରେ ଯେପରି ନ ପଡ଼, ଏଥିପାଇଁ ଜାଗିରହି ପ୍ରାର୍ଥନା କର ।” (ମାଥି. ୨୬:୪୧) ଯଦି ଆମେ ନିଜ ପିତା ଯିହୋବାଙ୍କୁ ପ୍ରାର୍ଥନା କରିବା, ତେବେ ସେ ଆମକୁ ସତର୍କ ରହିବା ପାଇଁ ସାହାଯ୍ୟ କରିବେ ଏବଂ ତାଙ୍କୁ ଖୁସି କରିବାର ଆମର ଇଚ୍ଛା ଆହୁରି ଦୃଢ଼ ହୋଇଯିବ ।—ଯାକୁ. ୪:୮.

ଯଦି ଆମେ ଈଶ୍ୱରଙ୍କ ସେବା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହିବା, ତେବେ ଆମେ ଖରାପ କାମ କରିବା ପାଇଁ ପ୍ରଲୋଭିତ ହେବା ନାହିଁ (ପାରାଗ୍ରାଫ ୧୬) b


ସବୁବେଳେ ସତର୍କ ରହନ୍ତୁ

୧୭. ପିତରଙ୍କୁ ନିଜର କେଉଁ ଦୁର୍ବଳତା ସହ ବାରମ୍ବାର ଲଢ଼ିବାକୁ ପଡ଼ୁଥିଲା ?

୧୭ ହୋଇପାରେ ଆମେ ନିଜ କିଛି ଦୁର୍ବଳତା ଉପରେ ପୂରାପୂରି କାବୁ କରିନେବା । କିନ୍ତୁ କିଛି ଦୁର୍ବଳତାଗୁଡ଼ିକ ଏପରି ଥାଏ ଯାହା ସହିତ ଆମକୁ ଲମ୍ବା ସମୟ ଯାଏ ଲଢ଼ିବାକୁ ପଡ଼ିପାରେ । ପ୍ରେରିତ ପିତରଙ୍କ ବିଷୟରେ ଭାବନ୍ତୁ । ମଣିଷର ଡର ଯୋଗୁଁ ସେ ଯୀଶୁଙ୍କୁ ଚିହ୍ନିବାରୁ ତିନିଥର ଅସ୍ୱୀକାର କରିଦେଲେ । (ମାଥି. ୨୬:୬୯-୭୫) କିନ୍ତୁ ଏହାର କିଛି ସମୟ ପରେ ସେ ମହାସଭା ଆଗରେ ପୂରା ସାହସର ସହିତ ସାକ୍ଷ୍ୟ ଦେଲେ । (ପ୍ରେରି. ୫:୨୭-୨୯) ଏପରି ଲାଗେ ଯେ ସେସମୟ ଯାଏ ସେ ନିଜ ଡର ଉପରେ କାବୁ କରି ନେଇଥିଲେ । କିନ୍ତୁ ଧ୍ୟାନ ଦିଅନ୍ତୁ ଯେ କିଛି ବର୍ଷ ପରେ କʼଣ ହେଲା । ସେ “ସୁନ୍ନତି ବିଶ୍ୱାସୀମାନଙ୍କ ଭୟରେ” କିଛି ସମୟ ପାଇଁ ବିଜାତୀୟ ଖ୍ରୀଷ୍ଟିୟାନମାନଙ୍କ ସହ ଖାଇବା ପିଇବା ବନ୍ଦ କରିଦେଲେ । (ଗାଲା. ୨:୧୧, ୧୨) ପୁଣିଥରେ ପିତରଙ୍କ ଉପରେ ମଣିଷମାନଙ୍କ ଡର ପ୍ରଭାବ ପକାଇଲା । ଏପରି ଲାଗେ ଯେ ପିତର କେବେ ବି ନିଜର ଏହି ଦୁର୍ବଳତା ଉପରେ କାବୁ କରିପାରିଲେ ନାହିଁ ।

୧୮. ନିଜର କିଛି ଦୁର୍ବଳତାଗୁଡ଼ିକ ବିଷୟରେ ହୁଏତ ଆମକୁ କʼଣ ଲାଗିପାରେ ?

୧୮ ଆମ ସହିତ ମଧ୍ୟ ଏପରି ହୋଇପାରେ । ହୁଏତ ଆମକୁ ଲାଗିପାରେ ଯେ ଆମେ କୌଣସି ଦୁର୍ବଳତା ଉପରେ କାବୁ କରି ନେଇଛୁ । କିନ୍ତୁ ହୁଏତ ଆମକୁ ପୁଣିଥରେ ସେହି ଦୁର୍ବଳତା ସହିତ ଲଢ଼ିବାକୁ ପଡ଼ିପାରେ । ଏହାକୁ ବୁଝିବା ପାଇଁ ଜଣେ ଭାଇଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ କହନ୍ତି, “ମୁଁ ୧୦ ବର୍ଷ ପୂର୍ବେ ଖରାପ ଚିତ୍ର ଓ ଭିଡିଓଗୁଡ଼ିକୁ ଦେଖିବା ଛାଡ଼ି ଦେଇଥିଲି । ଆଉ ମୋତେ ଲାଗୁଥିଲା ଯେ ମୁଁ ନିଜ ଏହି ଖରାପ ଅଭ୍ୟାସ ଉପରେ କାବୁ କରି ନେଇଛି । କିନ୍ତୁ ଏହି ଅଭ୍ୟାସ ମୋ ଭିତରେ ଲୁଚିକି ରହିଥିଲା ଆଉ ପରେ ପୁଣିଥରେ ମୋତେ କାବୁ ନେଲା ।” କିନ୍ତୁ ଖୁସିର କଥା ଏହା ଯେ ଭାଇ ହାର୍‌ ମାନିଲେ ନାହିଁ । ସେ ବୁଝିଗଲେ ଯେ ତାଙ୍କୁ ପ୍ରତିଦିନ ଏହି ଦୁର୍ବଳତା ସହିତ ଲଢ଼େଇ କରିବା ପାଇଁ ପରିଶ୍ରମ କରିବାକୁ ପଡ଼ିବ । ହୁଏତ ନୂଆ ଦୁନିଆ ଆସିବା ଯାଏ ତାଙ୍କୁ ଏପରି କରିବାକୁ ପଡ଼ିପାରେ । ନିଜର ଏହି ଦୁର୍ବଳତାକୁ କାବୁ କରିବା ପାଇଁ ଭାଇଙ୍କୁ ନିଜ ସ୍ତ୍ରୀ ଓ ପ୍ରାଚୀନମାନଙ୍କଠାରୁ ବି ବହୁତ ସାହାଯ୍ୟ ମିଳିଛି ।

୧୯. ଯଦି ଆପଣ ଏବେ ଯାଏ ନିଜର କୌଣସି ଦୁର୍ବଳତା ଉପରେ କାବୁ କରି ନାହାନ୍ତି, ତେବେ ଆପଣ କʼଣ କରିପାରିବେ ?

୧୯ ଏହା ସତ ଯେ କିଛି ଦୁର୍ବଳତାଗୁଡ଼ିକ ଏପରି ଥାଏ ଯାହାକୁ କାବୁ କରିବା ବହୁତ କଠିନ ହୁଏ । କିନ୍ତୁ ଆମେ ପାପ ନ କରିବା ପାଇଁ କʼଣ କରିପାରିବା ? ଯୀଶୁଙ୍କ ପରାମର୍ଶ ମାନନ୍ତୁ, “ଜାଗି” ରହନ୍ତୁ, ସତର୍କ ରହନ୍ତୁ । ଯେବେ ଆପଣଙ୍କୁ ଲାଗେ ଯେ ଆପଣ ସ୍ଥିର ଅଛନ୍ତି, ତେବେ ବି ଆପଣ ସେହି କାମ ଏବଂ ପରିସ୍ଥିତିଗୁଡ଼ିକରୁ ଦୂରେଇ ରହନ୍ତୁ, ଯାହାଯୋଗୁଁ ଆପଣଙ୍କୁ ନିଜ ଦୁର୍ବଳତା ସହ ଲଢ଼ିବା କଷ୍ଟକର ହୋଇପାରେ । (୧ କରି. ୧୦:୧୨) ମନେପକାନ୍ତୁ ଯେ ଆପଣ ନିଜର ଏହି ଦୁର୍ବଳତା ସହିତ ଲଢ଼ିବା ପାଇଁ ଆଗରୁ କେଉଁ ଉପାୟ ଆପଣାଇ ଥିଲେ । ତାʼପରେ ସେପରି ହିଁ କରନ୍ତୁ । ବାଇବଲରେ ଲେଖାଅଛି “ଯେଉଁ ଲୋକ ସବୁବେଳେ ଭୟ ରଖେ, ସେ ଧନ୍ୟ ।”—ହିତୋ. ୨୮:୧୪; ୨ ପିତ. ୩:୧୪.

ସତର୍କ ରହନ୍ତୁ ଓ ଆଶିଷ ପାଆନ୍ତୁ

୨୦-୨୧. (କ) ଯଦି ଆମେ ସତର୍କ ରହିବା, ତେବେ ଆମକୁ କେଉଁ ଆଶିଷଗୁଡ଼ିକ ମିଳିବ ? (ଖ) ଯଦି ଆମେ ନିଜ ତରଫରୁ ପରିଶ୍ରମ କରିବା, ତେବେ ଯିହୋବା ଆମ ପାଇଁ କʼଣ କରିବେ ? (୨ କରିନ୍ଥୀୟ ୪:୭)

୨୦ ସତର୍କ ରହିବାରେ ପରିଶ୍ରମ ଲାଗେ, କିନ୍ତୁ ଆମର ଏହି ପରିଶ୍ରମ କେବେ ବି ବେକାର ଯିବ ନାହିଁ । ହୋଇପାରେ ପାପ କଲେ ଆମକୁ “କ୍ଷଣିକ ସୁଖ” ମିଳିବ କିନ୍ତୁ ଯିହୋବାଙ୍କ ସ୍ତର ଅନୁସାରେ ବଞ୍ଚିଲେ ଆମେ ସବୁ ଦିନ ଯାଏ ଖୁସିରେ ରହିପାରିବା । (ଏବ୍ରୀ ୧୧:୨୫; ଗୀତ. ୧୯:୮) ଆଉ ଆମ ମଣିଷମାନଙ୍କୁ ଏପରି ସୃଷ୍ଟି କରାଯାଇଛି ଯେ ଆମେ ଯିହୋବାଙ୍କ କଥା ମାନିକି ଖୁସିରେ ବଞ୍ଚିପାରିବା । (ଆଦି. ୧:୨୭) ଯଦି ଆମେ ତାଙ୍କ କଥା ମାନୁ, ତାହେଲେ ଆମ ବିବେକ ମଧ୍ୟ ଶୁଦ୍ଧ ରହେ ଆଉ ଆଗକୁ ଯାଇ ଆମକୁ ଅନନ୍ତ ଜୀବନ ମଧ୍ୟ ମିଳିପାରେ ।—୧ ତୀମ. ୬:୧୨; ୨ ତୀମ. ୧:୩; ଯିହୂ. ୨୦, ୨୧.

୨୧ ଏହା ସତ ଯେ ଆମ “ଶରୀର ଦୁର୍ବଳ” ଅଟେ । କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଆମେ ନିଜ ଦୁର୍ବଳତା ଉପରେ କାବୁ କରିପାରିବା ନାହିଁ । ଯିହୋବା ଆମ ସାଙ୍ଗରେ ଅଛନ୍ତି ଏବଂ ସେ ଆମକୁ ନିଜ ଦୁର୍ବଳତା ଉପରେ କାବୁ କରିବା ପାଇଁ ଶକ୍ତି ଦେଇପାରନ୍ତି । (୨ କରିନ୍ଥୀୟ ୪:୭ ପଢ଼ନ୍ତୁ ।) ବାଇବଲ କହେ ଯେ ଈଶ୍ୱର ଆମକୁ ଯେଉଁ ଶକ୍ତି ଦିଅନ୍ତି ତାହା ସାଧାରଣ ଲୋକଙ୍କ ଶକ୍ତିରୁ ବହୁତ ବେଶି । କିନ୍ତୁ ଆମକୁ ନିଜ ଦୁର୍ବଳତା ସହ ଲଢ଼ିବା ପାଇଁ ନିଜ ଶକ୍ତି ମଧ୍ୟ ଲଗାଇବାକୁ ପଡ଼ିବ । ଏହା ପାଇଁ ଆମକୁ ପ୍ରତିଦିନ ପରିଶ୍ରମ କରିବାକୁ ପଡ଼ିବ । ଯଦି ଆମେ ଏପରି କରିବା, ତେବେ ଆମେ ଭରସା ରଖିପାରିବା ଯେ ଯିହୋବା ଆମ ପ୍ରାର୍ଥନାଗୁଡ଼ିକର ଉତ୍ତର ଦେବେ ଓ ଆବଶ୍ୟକ ସମୟରେ ସେ ଆମକୁ ଶକ୍ତି ଦେବେ । (୧ କରି. ୧୦:୧୩) ନିଶ୍ଚୟ, ଯିହୋବାଙ୍କ ସାହାଯ୍ୟରେ ଆମେ ସତର୍କ ରହିପାରିବା ଏବଂ ପାପ କରିବାରୁ ଦୂରେଇ ରହିପାରିବା ।

ଗୀତ ୪୭ ରୋଜ କରେଁ ବାତେଁ ୟାହ୍‌ ସେ

b ଚିତ୍ର ବିଷୟରେ: ଜଣେ ଭାଇ ସକାଳୁ ଦୈନିକ ପାଠ ପଢ଼ୁଛନ୍ତି ଓ ଦ୍ୱିପହରରେ ଖାଇବା ସମୟରେ ବାଇବଲ ପଢ଼ୁଛନ୍ତି । ଆଉ ସନ୍ଧ୍ୟାରେ ସପ୍ତାହ ମଝିରେ ହେଉଥିବା ସଭାରେ ଉପସ୍ଥିତ ହୋଇଛନ୍ତି ।