ଆପଣଙ୍କ ପ୍ରଶ୍ନ
ଗୀତସଂହିତା ୬୧:୮ ପଦରେ ଦାଉଦ କହିଲେ ଯେ ସେ “ସଦାକାଳ,” ଈଶ୍ୱରଙ୍କ ନାମର ପ୍ରଶଂସା କରିବେ । ତାʼ ଅର୍ଥ କʼଣ ସେ ଏହା ଭାବୁଥିଲେ ଯେ ତାଙ୍କର କେବେ ମୃତ୍ୟୁ ହେବନି ଓ ସେ ବଢ଼େଇ ଚଢ଼େଇ ଏହା ବିଷୟରେ କହୁଥିଲେ ?
ନା, ଏପରି କଥା ନୁହେଁ । ଦାଉଦ ବିନା କାରଣରେ ଏହା ଲେଖି ନ ଥିଲେ । ସେ ଯାହା ଲେଖିଲେ ତାହା ସଠିକ୍ ଥିଲା ।
ଗୀତସଂହିତା ୬୧:୮ ପଦରେ ଲେଖାଅଛି, “ତହୁଁ ମୁଁ ସଦାକାଳ ତୁମ୍ଭ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କରିବି ଓ ଦିନକୁ ଦିନ ଆପଣା ମାନତ ପୂର୍ଣ୍ଣ କରିବି ।” “ହେ ପ୍ରଭୋ, ମୋʼ ପରମେଶ୍ୱର, ମୁଁ ସର୍ବାନ୍ତଃକରଣରେ ତୁମ୍ଭର ପ୍ରଶଂସା କରିବି ଓ ମୁଁ ଅନନ୍ତକାଳ ତୁମ୍ଭ ନାମର ଗୌରବ କରିବି ।” “ହେ ରାଜନ୍, ମୋହର ପରମେଶ୍ୱର, ମୁଁ ତୁମ୍ଭର ପ୍ରତିଷ୍ଠା କରିବି; ମୁଁ ସଦାସର୍ବଦା ତୁମ୍ଭ ନାମର ଧନ୍ୟବାଦ କରିବି ।”—ଗୀତ. ୮୬:୧୨; ୧୪୫:୧, ୨.
ଯେବେ ଦାଉଦ ଲେଖିଲେ ଯେ ସେ “ସଦାକାଳ” ଈଶ୍ୱରଙ୍କ ନାମର ପ୍ରଶଂସା କରିବେ, ତେବେ ସେ ଏହା ଭାବୁ ନ ଥିଲେ ଯେ ତାଙ୍କ କେବେ ମୃତ୍ୟୁ ହେବନି । ଆମେ ଏପରି କାହିଁକି କହିପାରିବା ? ଦାଉଦଙ୍କୁ ଜଣାଥିଲା ଯେ ଯିହୋବା କହିଥିଲେ, ପାପ କରିବା ଯୋଗୁଁ ମଣିଷମାନଙ୍କ ମୃତ୍ୟୁ ହୋଇଯିବ । ଆଉ ସେ ନିଜେ ମଧ୍ୟ ଲେଖିଥିଲେ ଯେ ସେ ପାପ କରିଛନ୍ତି, ତେଣୁ ସେ ଜାଣିଥିଲେ ଯେ ଦିନେ ତାଙ୍କର ବି ମୃତ୍ୟୁ ହୋଇଯିବ । (ଆଦି. ୩:୩, ୧୭-୧୯; ଗୀତ. ୫୧:୪,୫) ସେ ଏହା ବି ଜାଣିଥିଲେ ଯେ କିଛି ବିଶ୍ୱସ୍ତ ସେବକମାନଙ୍କର, ଯେପରି ଅବ୍ରହାମ, ଇସ୍ହାକ ଓ ଯାକୁବଙ୍କ ମୃତ୍ୟୁ ହୋଇଯାଇଥିଲା ଓ ତାଙ୍କର ବି ମୃତ୍ୟୁ ହୋଇଯିବ । (ଗୀତ. ୩୭:୨୫; ୩୯:୪) ତେଣୁ ଯେବେ ସେ କହିଲେ ଯେ ସେ “ସଦାକାଳ” ଈଶ୍ୱରଙ୍କ ନାମର ପ୍ରଶଂସା କରିବେ, ତେବେ ସେ କେବଳ ଏହା କହିବା ପାଇଁ ଚାହୁଁଥିଲେ ଯେ ସେ ସବୁଦିନ ଈଶ୍ୱରଙ୍କ ପ୍ରଶଂସା କରିବା ପାଇଁ ଚାହାନ୍ତି ଏବଂ ସେ ନିର୍ଣ୍ଣୟ ନେଇଛନ୍ତି ଯେ ସେ ମରିବା ଯାଏ ଏପରି କରିବେ ।—୨ ଶାମୁ. ୭:୧୨.
ଅନେକଥର ଦାଉଦ ନିଜ ଜୀବନ ସହ ଜଡ଼ିତ କଥାଗୁଡ଼ିକ ବିଷୟରେ ଲେଖିଲେ । ଆମେ ଏହି କଥା ଗୀତସଂହିତା ୧୮, ୫୧ ଓ ୫୨ ଉପରେ ଥିବା ଲେଖା କଥାଗୁଡ଼ିକୁ ପଢ଼ି ଜାଣିପାରିବା । ଆଉ ଯଦି ଗୀତସଂହିତା ୨୩ ଅଧ୍ୟାୟରେ ଦେଖିବା, ଦାଉଦ ସେଠାରେ କହିଲେ, ଯିହୋବା ଜଣେ ମେଷପାଳକ ଅଟନ୍ତି ଯିଏ ନିଜ ଲୋକମାନଙ୍କୁ ସଠିକ୍ ରାସ୍ତା ଦେଖାନ୍ତି, ସେମାନଙ୍କୁ ସତେଜତା ଦିଅନ୍ତି ଓ ସେମାନଙ୍କ ସୁରକ୍ଷା କରନ୍ତି । ଦାଉଦ ନିଜେ ମଧ୍ୟ ଜଣେ ମେଷପାଳକ ଥିଲେ, ତେଣୁ ସେ ଦେଖିପାରିଲେ ଯେ ଯିହୋବା କିପରି ନିଜ ମେଷମାନଙ୍କର ଯତ୍ନ ନିଅନ୍ତି ଏବଂ ସେ ନିଜ “ଜୀବନଯାଏ” ଯିହୋବାଙ୍କ ସେବା କରିବା ପାଇଁ ଚାହୁଁଥିଲେ ।—ଗୀତ. ୨୩:୬.
ଏହା ବି ମନେରଖନ୍ତୁ ଯେ ଦାଉଦ ଈଶ୍ୱରଙ୍କ ପ୍ରେରଣାରେ ହିଁ ଗୀତସଂହିତା ଲେଖିଲେ ଓ ଏଥିରେ କିଛି ଭବିଷ୍ୟତବାଣୀ ଲେଖାଥିଲା । ଉଦାହରଣ ପାଇଁ, ଗୀତସଂହିତା ୧୧୦ ପଦରେ ଆମେ ପଢ଼ୁ, ଦାଉଦ ଲେଖିଲେ ଯେ ଏପରି ଗୋଟିଏ ସମୟ ଆସିବ ଯେବେ ତାଙ୍କ ପ୍ରଭୁ ସ୍ୱର୍ଗରେ ‘ଈଶ୍ୱରଙ୍କ ଦକ୍ଷିଣରେ ବସିବେ’ ଏବଂ ତାଙ୍କୁ ବହୁତ ଅଧିକାର ଦିଆଯିବ । ସେ ଏହା ବି ଲେଖିଲେ ଯେ ତାଙ୍କ ପ୍ରଭୁ ଶତ୍ରୁମାନଙ୍କ ଉପରେ ବିଜୟ ହାସଲ କରିବେ ଓ ପୃଥିବୀର ସମସ୍ତ “ଦେଶରେ ମସ୍ତକ ଚୂର୍ଣ୍ଣ କରିବେ ।” ଏହି ଭବିଷ୍ୟତବାଣୀ ପ୍ରକୃତରେ ମସୀହଙ୍କ ବିଷୟରେ ଥିଲା ଯିଏ ଆଗକୁ ଯାଇ ଦାଉଦଙ୍କ ବଂଶରୁ ଜନ୍ମ ନିଅନ୍ତେ । ସେ ସ୍ୱର୍ଗରୁ ଶାସନ କରନ୍ତେ ଏବଂ ସେ “ଅନନ୍ତକାଳୀନ ଯାଜକ” ହୁଅନ୍ତେ । (ଗୀତ. ୧୧୦:୧-୬) ଯେବେ ଯୀଶୁ ପୃଥିବୀରେ ଥିଲେ, ତେବେ ସେ କହିଲେ ଯେ ଗୀତସଂହିତା ୧୧୦ ପଦରେ ଲେଖାଥିବା ଭବିଷ୍ୟତବାଣୀ ତାଙ୍କ ବିଷୟରେ ହିଁ ଥିଲା ଓ ତାହା ଆଗକୁ ଯାଇ ପୂରା ହେବ ।—ମାଥି. ୨୨:୪୧-୪୫.
ତାʼ ଅର୍ଥ ଦାଉଦ ଯିହୋବାଙ୍କ ପ୍ରେରଣାରୁ କେବଳ ନିଜ ସମୟର ଘଟଣା ବିଷୟରେ ଲେଖି ନ ଥିଲେ, ବରଂ ଭବିଷ୍ୟତ ବିଷୟରେ ମଧ୍ୟ ଲେଖିଲେ, ଯେବେ ତାଙ୍କୁ ପୁଣିଥରେ ଜୀବିତ କରାଯିବ ଓ ସେ “ସଦାକାଳ” ଯିହୋବାଙ୍କ ପ୍ରଶଂସା କରିପାରିବେ । ଆମେ ଗୀତସଂହିତା ୩୭:୧୦, ୧୧ ଓ ୨୯ ପଦରେ ଲେଖାଥିବା କଥାଗୁଡ଼ିକ ବିଷୟରେ ମଧ୍ୟ ଏପରି ହିଁ କହିପାରିବା । ଏହି କଥାଗୁଡ଼ିକ ପ୍ରାଚୀନ କାଳରେ ମଧ୍ୟ ପୂରା ହେଲା ଓ ଭବିଷ୍ୟତରେ ମଧ୍ୟ ପୂରା ହେବ । ଗୋଟିଏ ସମୟରେ ଇସ୍ରାଏଲରେ ମଧ୍ୟ ଏପରି ହିଁ ପରିସ୍ଥିତି ଥିଲା ଯେପରି ଏହି ପଦରେ କୁହାଯାଇଛି ଏବଂ ଭବିଷ୍ୟତରେ ଯେବେ ଯିହୋବା ନିଜ ପ୍ରତିଜ୍ଞା ପୂରା କରିବେ, ସେସମୟରେ ମଧ୍ୟ ପୃଥିବୀରେ ଏପରି ହିଁ ପରିସ୍ଥିତି ହୋଇଯିବ ।—ଏହି ସଂଖ୍ୟାରେ ଦିଆଯାଇଥିବା ଲେଖା “ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ” ତାʼର ପାରାଗ୍ରାଫ ୮ ପଢ଼ନ୍ତୁ ।
ଏହି ସମସ୍ତ କଥାଗୁଡ଼ିକୁ ଧ୍ୟାନରେ ରଖିଲେ ଆମେ କହିପାରିବା ଯେ ଗୀତସଂହିତା ୬୧:୮ ପଦରେ ଲେଖାଥିବା କଥା ବଢ଼େଇ ଚଢ଼େଇ କୁହାଯାଇ ନାହିଁ । ଏହି ପଦରେ ଓ ଅନ୍ୟ ପଦଗୁଡ଼ିକରେ ଯେବେ ଦାଉଦ କହିଲେ ଯେ ସେ “ସଦାକାଳ” ଯିହୋବାଙ୍କ ପ୍ରଶଂସା କରିବା ପାଇଁ ଚାହାନ୍ତି, ତେବେ ସେ କହୁଥିଲେ ଯେ ସେ ତାଙ୍କ ମୃତ୍ୟୁ ହେବା ଯାଏ ଯିହୋବାଙ୍କ ପ୍ରଶଂସା କରିବା ପାଇଁ ଚାହାନ୍ତି । ଆଉ ଆଗକୁ ଯାଇ ସେ ସତରେ “ସଦାକାଳ” ଯିହୋବାଙ୍କ ପ୍ରଶଂସା କରିପାରିବେ, ସେସମୟରେ ଯେବେ ତାଙ୍କୁ ନୂଆ ଦୁନିଆରେ ପୁଣିଥରେ ଜୀବିତ କରାଯିବ !