इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୫୦

“ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ”

“ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ”

“ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।”—ଲୂକ ୨୩:୪୩.

ଗୀତ ୧୪୫ ଫିରଦୋଶ—ୟହୋୱା କା ୱାଦା

ଲେଖାର ଝଲକ a

୧. ନିଜ ମୃତ୍ୟୁ ପୂର୍ବେ ଯୀଶୁ ଜଣେ ଅପରାଧୀକୁ କʼଣ କହିଲେ ? (ଲୂକ ୨୩:୩୯-୪୩)

 ଯୀଶୁ ଓ ଦୁଇ ଅପରାଧୀକୁ କାଠରେ ଲଟକାଇ ଦିଆଯାଇଛି । ସେମାନଙ୍କୁ ବହୁତ ବ୍ୟଥା ହେଉଛି ଓ ସେମାନଙ୍କ ପାଇଁ ନିଶ୍ୱାସ ନେବା ବି ବହୁତ କଷ୍ଟ ହୋଇଯାଉଛି । (ଲୂକ ୨୩:୩୨, ୩୩) ଟିକେ ସମୟ ପୂର୍ବରୁ ସେ ଦୁଇଜଣ ଅପରାଧୀ ଯୀଶୁଙ୍କୁ ନିନ୍ଦା କରୁଥିଲେ, ତେଣୁ ସେମାନେ ଯୀଶୁଙ୍କ ଶିଷ୍ୟ ହୋଇ ନ ଥିବେ । (ମାଥି. ୨୭:୪୪; ମାର୍କ ୧୫:୩୨) କିନ୍ତୁ ତାʼପରେ ସେ ମଧ୍ୟରୁ ଜଣେ ଯୀଶୁଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଲା ଓ ସେ କହେ, “ହେ ଯୀଶୁ, ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମୋତେ ସ୍ମରଣ କରିବେ ।” ତେବେ ଯୀଶୁ ତାକୁ କହିଲେ, “ମୁଁ ତୁମ୍ଭକୁ ସତ୍ୟ କହୁଅଛି, ଆଜି ତୁମ୍ଭେ ମୋହର ସହିତ ପାରଦୀଶରେ ଉପସ୍ଥିତ ହେବ ।” (ଲୂକ ୨୩ :୩୯-୪୩ ପଢ଼ନ୍ତୁ ।) ଯୀଶୁ ତାକୁ ଏହା କହୁ ନ ଥିଲେ ଯେ ସେ ସ୍ୱର୍ଗ ଯିବ । ଆଉ ବାଇବଲରେ ମଧ୍ୟ ଏପରି ଲେଖା ନାହିଁ ଯେ ଯୀଶୁ ଯେଉଁ “ସ୍ୱର୍ଗରାଜ୍ୟ” ବିଷୟରେ ଶିଖାଉଥିଲେ, ସେ ଅପରାଧୀ ତାʼ ଉପରେ ବିଶ୍ୱାସ କରୁଥିଲା । (ମାଥି. ୪:୧୭) ଯୀଶୁ ପ୍ରକୃତରେ ସେହି ପାରଦୀଶ ବିଷୟରେ କଥା ହେଉଥିଲେ ଯାହା ଆଗକୁ ଯାଇ ଏହି ପୃଥିବୀରେ ଆସନ୍ତା । ଆମେ ଏହା କାହିଁକି କହିପାରିବା ?

ଯେଉଁ ଅପରାଧୀ ଯୀଶୁଙ୍କ ସହିତ କଥା ହେଲା, ତାʼ ବିଷୟରେ ଆମେ କʼଣ କହିପାରିବା ଓ ସେ ହୁଏତ କʼଣ ଜାଣିଥିବ ? (ପାରାଗ୍ରାଫ ୨-୩)

୨. ଆମେ କାହିଁକି କହିପାରିବା ଯେ ଯେଉଁ ଅପରାଧୀ ଯୀଶୁଙ୍କ ଉପରେ ବିଶ୍ୱାସ କଲା, ସେ ଜଣେ ଯିହୁଦୀ ଥିଲା ?

ଯେଉଁ ଅପରାଧୀ ଯୀଶୁଙ୍କ ଉପରେ ବିଶ୍ୱାସ କଲା, ସେ ହୁଏତ ଜଣେ ଯିହୁଦୀ ହୋଇଥିବ । ଆମେ ଏପରି କାହିଁକି କହିପାରିବା ? ଧ୍ୟାନ ଦିଅନ୍ତୁ ଯେ ସେ ଅନ୍ୟ ଅପରାଧୀକୁ କʼଣ କହିଲା, “ତୁ ଈଶ୍ୱରଙ୍କୁ କଅଣ ଭୟ ମଧ୍ୟ କରୁ ନାହୁଁ ?” (ଲୂକ ୨୩:୪୦) ଯିହୁଦୀମାନେ ମାନୁଥିଲେ ଯେ କେବଳ ଜଣେ ହିଁ ସତ୍ୟ ଈଶ୍ୱର ଅଛନ୍ତି, କିନ୍ତୁ ଅଣଯିହୁଦୀମାନେ ଅନେକ ଈଶ୍ୱରମାନଙ୍କୁ ମାନୁଥିଲେ । (ଯାତ୍ରା. ୨୦:୨, ୩; ୧ କରି. ୮:୫, ୬) ଯଦି ସେ ଅପରାଧୀ ଜଣେ ଅଣଯିହୁଦୀ ହୋଇଥାʼନ୍ତା, ତେବେ ହୁଏତ ସେ ଅନ୍ୟ ଅପରାଧୀକୁ ଏପରି କହିଥାʼନ୍ତା, “ତୁ ଈଶ୍ୱରମାନଙ୍କୁ କଅଣ ଭୟ ମଧ୍ୟ କରୁ ନାହୁଁ ?” କିନ୍ତୁ ସେ ଏପରି କହିଲାନି । ଆଉ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଯୀଶୁ ସାଧାରଣତଃ ଅଣ ଯିହୁଦୀମାନଙ୍କୁ ପ୍ରଚାର କରୁ ନ ଥିଲେ, କାରଣ ତାଙ୍କୁ “ଇସ୍ରାଏଲ-ବଂଶର ହଜିଯାଇଥିବା ମେଷମାନଙ୍କ” ନିକଟକୁ ପଠାଯାଇଥିଲା । (ମାଥି. ୧୫:୨୪) ତାʼଛଡ଼ା ଯିହୋବା କେବଳ ଇସ୍ରାଏଲୀୟମାନଙ୍କୁ କହିଥିଲେ ଯେ ସେ ମୃତ ଲୋକମାନଙ୍କୁ ଜୀବିତ କରିବେ । ସେ ଅପରାଧୀ ହୁଏତ ଏହି କଥା ଜାଣୁଥିଲା । ଆଉ ସେ ଯାହା କହିଲା ସେଥିରୁ ଜଣାପଡ଼େ ଯେ ତାକୁ ଲାଗୁଥିଲା ଯେ ଯିହୋବା ଯୀଶୁଙ୍କୁ ମଧ୍ୟ ଜୀବିତ କରିଦେବେ ଓ ତାଙ୍କୁ ନିଜ ରାଜ୍ୟର ରାଜା କରିବେ । ତାକୁ ଏହା ବି ଆଶା ଥିଲା ଯେ ଯିହୋବା ତାକୁ ମଧ୍ୟ ଜୀବିତ କରିଦେବେ ।

୩. ଯେବେ ଯୀଶୁ ସେ ଅପରାଧୀକୁ ପାରଦୀଶ ବିଷୟରେ କହିଲେ, ତେବେ ହୁଏତ ସେ କେଉଁ ବିଷୟରେ ଭାବିଥିବ ? ବୁଝାନ୍ତୁ । (ଆଦି ପୁସ୍ତକ ୨:୧୫)

ସେ ଅପରାଧୀ ଜଣେ ଯିହୁଦୀ ଥିଲା, ତେଣୁ ସେ ଆଦମ ଓ ହବା ବିଷୟରେ ଜାଣିଥିବ । ତାକୁ ଏହା ବି ଜଣାଥିବ ଯେ ଯିହୋବା ଆଦମ ଓ ହବା ପାଇଁ ଏହି ପୃଥିବୀରେ ଗୋଟିଏ ପାରଦୀଶ ତିଆରି କରିଥିଲେ । ତେଣୁ ଆମେ କହିପାରିବା ଯେ ଯେବେ ଯୀଶୁ ତାକୁ ପାରଦୀଶ ବିଷୟରେ କହିଲେ, ତେବେ ହୁଏତ ସେ ଗୋଟିଏ ସୁନ୍ଦର ପୃଥିବୀ ବିଷୟରେ ହିଁ ଭାବିଥିବ ।—ଆଦି ପୁସ୍ତକ ୨:୧୫ ପଢ଼ନ୍ତୁ ।

୪. ଆମେ କେଉଁ ବିଷୟରେ ଭାବିବା ଉଚିତ୍‌ ?

ଏହି ଘଟଣା ବିଷୟରେ ପଢ଼ି ହୁଏତ ଆମେ ଏହା ଭାବୁ ଯେ ପାରଦୀଶରେ ଆମର ଜୀବନ କିପରି ଥିବ । ଆଉ ଆମକୁ ଏବିଷୟରେ ଭାବିବା ବି ଉଚିତ୍‌ । ପାରଦୀଶ କିପରି ଥିବ, ଏହାର ଗୋଟିଏ ଝଲକ ଆମକୁ ରାଜା ଶଲୋମନଙ୍କ ଶାସନରୁ ମିଳେ । ତାଙ୍କ ରାଜ୍ୟରେ ବହୁତ ଶାନ୍ତି ଥିଲା । ଆଉ ଯୀଶୁ ତ ଶଲୋମନଙ୍କଠାରୁ ବି ଅଧିକ ମହାନ ଅଟନ୍ତି । ତେଣୁ ଆମେ ଭରସା ରଖିପାରିବା ଯେ ଯୀଶୁ ୧,୪୪,୦୦୦ ଜଣ ଲୋକଙ୍କ ସହିତ ମିଶି ଏହି ପୃଥିବୀକୁ ଗୋଟିଏ ସୁନ୍ଦର ପାରଦୀଶ କରିବେ ଯେଉଁଠି ଚାରିଆଡ଼େ ଶାନ୍ତି ରହିବ । (ମାଥି. ୧୨:୪୨) ଯଦି ଅନ୍ୟ ମେଷର ଲୋକମାନେ ପାରଦୀଶରେ ସବୁଦିନ ଯାଏ ବଞ୍ଚିବା ପାଇଁ ଚାହାନ୍ତି, ତେବେ ସେମାନଙ୍କୁ ଏହା ଭାବିବା ଉଚିତ୍‌ ଯେ ସେଇଠି ବଞ୍ଚିବା ପାଇଁ ସେମାନଙ୍କୁ ଆଜି କʼଣ କରିବାକୁ ପଡ଼ିବ ।—ଯୋହ. ୧୦:୧୬.

ପାରଦୀଶରେ ଜୀବନ କିପରି ଥିବ ?

୫. ଯେବେ ଆପଣ ପାରଦୀଶ ବିଷୟରେ ଭାବନ୍ତି, ତେବେ ଆପଣଙ୍କ ମନରେ କʼଣ ଆସେ ?

ଯେବେ ଆପଣ ପାରଦୀଶ ବିଷୟରେ ଭାବନ୍ତି, ତେବେ ଆପଣଙ୍କ ମନରେ କʼଣ ଆସେ ? ହୁଏତ ଆପଣ ଭାବୁଥିବେ ଯେ ଆପଣ ଗୋଟିଏ ସୁନ୍ଦର ବଗିଚାରେ ଅଛନ୍ତି ଯାହା ଏଦନ ବଗିଚା ଭଳି ଅଛି । ଚାରିଆଡ଼େ ଗଛଲତା ଓ ରଙ୍ଗବେରଙ୍ଗର ଫୁଲ ଅଛି ଓ ପବନରେ ଫୁଲଗୁଡ଼ିକର ସୁଗନ୍ଧ ଭରି ରହିଛି । (ଆଦି. ୨:୭-୯) ହୁଏତ, ଆପଣଙ୍କୁ ମୀଖାଙ୍କ ଭବିଷ୍ୟତବାଣୀ ମନେ ପଡ଼ିବ ଯେଉଁଠି ଲେଖାଅଛି, “ସେମାନେ ଆପଣା ଆପଣା ଦ୍ରାକ୍ଷାଲତା ଓ ଡିମିରି ବୃକ୍ଷ ତଳେ ବସିବେ ।” (ମୀଖା ୪:୩, ୪) ହୁଏତ ଆପଣଙ୍କୁ ଏହା ବି ମନେ ପଡ଼ିବ ଯେ ନୂଆ ଦୁନିଆରେ ଖାଦ୍ୟର କୌଣସି ଅଭାବ ନ ଥିବ । (ଗୀତ. ୭୨:୧୬; ଯିଶା. ୬୫:୨୧, ୨୨) ଆପଣ ହୁଏତ କଳ୍ପନା କରୁଥିବେ ଯେ ସେହି ବଗିଚା ମଝିରେ ଗୋଟିଏ ଟେବୁଲ ରଖା ହୋଇଛି ଯାହା ଉପରେ ଭିନ୍ନ ଭିନ୍ନ ପ୍ରକାରର ସ୍ୱାଦିଷ୍ଟ ଖାଦ୍ୟ ରଖା ହୋଇଛି ଓ ଆପଣ ନିଜ ସାଙ୍ଗ ଓ ପରିବାର ଲୋକଙ୍କ ସହିତ ତାʼର ମଜା ନେଉଛନ୍ତି । ସେମଧ୍ୟରୁ କିଛି ଏପରି ବି ଅଛନ୍ତି ଯେଉଁମାନଙ୍କୁ ଯିହୋବା ପୁଣିଥରେ ଜୀବିତ କରି ଦେଇଛନ୍ତି । ସେମାନଙ୍କ ସହ ସମୟ ବିତାଇ, ସେମାନଙ୍କ କଥାଗୁଡ଼ିକ ଓ ହସ ଶୁଣି ଆପଣଙ୍କୁ ବହୁତ ଭଲ ଲାଗୁଛି । ଏସବୁ କେବଳ ଗୋଟିଏ ସ୍ୱପ୍ନ ନୁହେଁ । ଦିନେ ସାରା ପୃଥିବୀ ପ୍ରକୃତରେ ଏପରି ହୋଇଯିବ ! ଏସବୁ ଜିନିଷର ମଜା ନେବା ସହିତ ନୂଆ ଦୁନିଆରେ ଆମେ ଏପରି କାମ ମଧ୍ୟ କରିବା ଯେଉଁଥିରୁ ଆମକୁ ଖୁସି ମିଳେ ।

ନୂଆ ଦୁନିଆରେ ଯେଉଁ ଲୋକମାନଙ୍କୁ ଜୀବିତ କରାଯିବ, ଆମକୁ ସେମାନଙ୍କୁ ଶିଖାଇବାକୁ ପଡ଼ିବ (ପାରାଗ୍ରାଫ ୬)

୬. ଆମେ ପାରଦୀଶରେ କʼଣ କʼଣ କରିବା ? (ଚିତ୍ର ଦେଖନ୍ତୁ ।)

ଯିହୋବା ଆମକୁ ଏପରି ସୃଷ୍ଟି କରିଛନ୍ତି ଯେ ଯେବେ ଆମେ କୌଣସି କାମ କରୁ, ପରିଶ୍ରମ କରୁ, ତେବେ ଆମକୁ ବହୁତ ଖୁସି ମିଳେ । (ଉପ. ୨:୨୪) ଆଉ ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନ ସମୟରେ ଆମ ପାଖରେ କରିବା ପାଇଁ ବହୁତ କିଛି ଥିବ । ଯେଉଁ ଲୋକମାନେ ମହାକ୍ଳେଶରୁ ବାହାରି ଆସିବେ ଓ ଯେଉଁ ଲକ୍ଷ ଲକ୍ଷ ଲୋକମାନଙ୍କୁ ଜୀବିତ କରାଯିବ, ସେମାନଙ୍କୁ କପଡ଼ା, ଖାଇବା ଓ ରହିବା ପାଇଁ ଜାଗା ଦରକାର ପଡ଼ିବ । ସେହି ସବୁ ଜିନିଷର ବ୍ୟବସ୍ଥା କରି ଆମକୁ ବହୁତ ଖୁସି ମିଳିବ । ଆଉ ଯେପରି ଆଦମ ଓ ହବାକୁ ସାରା ପୃଥିବୀକୁ ପାରଦୀଶ କରିବାର ଥିଲା, ସେହିପରି ଆମକୁ ମଧ୍ୟ ସାରା ପୃଥିବୀକୁ ପାରଦୀଶ କରିବାକୁ ପଡ଼ିବ । ତାʼଛଡ଼ା ଯେଉଁ ଲୋକମାନଙ୍କୁ ନୂଆ ଦୁନିଆରେ ଜୀବିତ କରାଯିବ ସେମାନଙ୍କୁ ଶିଖାଇ ମଧ୍ୟ ଆମକୁ ବହୁତ ଖୁସି ମିଳିବ । ଏପରି ଅନେକ ଲୋକମାନଙ୍କୁ ଜୀବିତ କରାଯିବ ଯେଉଁମାନେ ଯିହୋବାଙ୍କୁ ଭଲଭାବେ ଜାଣି ନ ଥିଲେ । ଆମେ ସେମାନଙ୍କୁ ଯିହୋବା ଓ ତାଙ୍କ ଉଦ୍ଦେଶ୍ୟ ବିଷୟରେ ଶିଖାଇବା । ଯିହୋବା ପ୍ରାଚୀନ ସମୟର ସେହି ବିଶ୍ୱସ୍ତ ଲୋକମାନଙ୍କୁ ମଧ୍ୟ ଜୀବିତ କରିବେ ଯେଉଁମାନେ ଯୀଶୁଙ୍କ ବିଷୟରେ ଜାଣି ନ ଥିଲେ । ଆମକୁ ସେମାନଙ୍କୁ କହିବାକୁ ପଡ଼ିବ ଯେ ସେମାନଙ୍କ ମୃତ୍ୟୁ ପରେ କʼଣ କʼଣ ହେଲା ।

୭. ଆମେ କେଉଁ କଥାର ଭରସା ରଖିପାରିବା ଓ କାହିଁକି ?

ଆମେ ଭରସା ରଖିପାରିବା ଯେ ପାରଦୀଶରେ ଚାରିଆଡ଼େ ଶାନ୍ତି ରହିବ, ଆମ ସବୁ ଆବଶ୍ୟକତା ପୂରା ହେବ ଓ ସବୁକିଛି ବ୍ୟବସ୍ଥିତ ଭାବରେ ହେବ । ଆମେ ଏପରି କାହିଁକି କହିପାରିବା ? କାରଣ ଯିହୋବା ଆମକୁ ପୂର୍ବରୁ ହିଁ ଏହାର ଗୋଟିଏ ଝଲକ ଦେଖାଇ ଦେଇଛନ୍ତି । ଯେବେ ଯୀଶୁ ଶାସନ କରିବେ, ତେବେ ପୃଥିବୀରେ ସେହିଭଳି ପରିସ୍ଥିତି ହେବ ଯେପରି ରାଜା ଶଲୋମନଙ୍କ ଶାସନ ସମୟରେ ଥିଲା ।

ଶଲୋମନଙ୍କ ଶାସନ—ପାରଦୀଶର ଗୋଟିଏ ଝଲକ

୮. ଗୀତସଂହିତା ୩୭:୧୦, ୧୧, ୨୯ ପଦରେ ଲେଖାଥିବା କଥା ପ୍ରାଚୀନ ସମୟରେ କିପରି ପୂରା ହେଲା ? (ଏହି ସଂଖ୍ୟାରେ ଦିଆଯାଇଥିବା ଲେଖା “ଆପଣଙ୍କ ପ୍ରଶ୍ନ” ଦେଖନ୍ତୁ ।)

ରାଜା ଦାଉଦ ଈଶ୍ୱରଙ୍କ ପ୍ରେରଣାରେ କହିଲେ ଯେ ଯେବେ ଜଣେ ଏପରି ରାଜା ଶାସନ କରିବ ଯିଏ ବୁଦ୍ଧିମାନ ଥିବ ଓ ଯିହୋବାଙ୍କ ବିଶ୍ୱସ୍ତ ଥିବ, ସେସମୟରେ ପରିସ୍ଥିତି କିପରି ହେବ । (ଗୀତସଂହିତା ୩୭:୧୦, ୧୧, ୨୯ ପଢ଼ନ୍ତୁ ।) ସାଧାରଣତଃ ଆମେ ଗୀତସଂହିତା ୩୭:୧୧ ପଦ ତେବେ ପଢ଼ୁ ଯେବେ ଆମେ ଲୋକମାନଙ୍କୁ ପାରଦୀଶ ବିଷୟରେ କହିବା ପାଇଁ ଚାହୁଁ । ଆଉ ଏପରି କରିବା ଠିକ୍‌ ବି ଅଟେ । ପାର୍ବତ୍ୟ ଉପଦେଶ ଦେବା ସମୟରେ, ଯେବେ ଯୀଶୁ ଲୋକମାନଙ୍କୁ କହୁଥିଲେ ଯେ ନୂଆ ଦୁନିଆରେ କିପରି ଲୋକେ ରହିବେ, ତେବେ ସେ ଦାଉଦଙ୍କ ଏହି ଶବ୍ଦଗୁଡ଼ିକୁ ପୁଣିଥରେ କହିଲେ । ଏଥିରୁ ଜଣାପଡ଼େ ଯେ ଗୀତସଂହିତା ୩୭:୧୧ ପଦରେ ଲେଖାଥିବା କଥା ଆଗକୁ ଯାଇ ନିଶ୍ଚୟ ପୂରା ହେବ । (ମାଥି. ୫:୫) କିନ୍ତୁ ଏହି କଥା ଶଲୋମନଙ୍କ ଶାସନ ସମୟରେ ମଧ୍ୟ ପୂରା ହେଲା । ଯେବେ ଶଲୋମନ ଶାସନ କରୁଥିଲେ, ତେବେ ଇସ୍ରାଏଲରେ ବହୁତ ଶାନ୍ତି ଥିଲା ଓ ଲୋକମାନଙ୍କୁ କୌଣସି ବି ଜିନିଷର ଅଭାବ ନ ଥିଲା । ଯିହୋବା ପ୍ରତିଜ୍ଞା କରିଥିଲେ ଯେ ଇସ୍ରାଏଲ ଦେଶରେ ‘ଦୁଗ୍ଧମଧୁପ୍ରବାହ’ ହେବ ଓ ସେ ନିଜ ଲୋକମାନଙ୍କୁ ଏହା ବି କହିଥିଲେ, ‘ଯେବେ ତୁମ୍ଭେମାନେ ଆମ୍ଭର ବିଧି ଅନୁସାରେ ଚଳିବ, ତେବେ ଆମ୍ଭେ ଦେଶରେ ଶାନ୍ତି ପ୍ରଦାନ କରିବା, ତହିଁରେ ତୁମ୍ଭେମାନେ ଶୟନ କଲେ, କେହି ତୁମ୍ଭମାନଙ୍କୁ ଭୟ ଦେଖାଇବ ନାହିଁ ।’ (ଲେବୀ. ୨୦:୨୪; ୨୬:୩, ୬) ଶଲୋମନଙ୍କ ଶାସନରେ ଯିହୋବାଙ୍କ ଏସମସ୍ତ ପ୍ରତିଜ୍ଞା ପୂରା ହେଲା । (୧ ବଂଶା. ୨୨:୯; ୨୯:୨୬-୨୮) ଆଉ ଯଦି ଶଲୋମନଙ୍କ ଶାସନରେ ସମସ୍ତେ ଯିହୋବାଙ୍କ ଆଜ୍ଞା ପାଳନ କରିଥାʼନ୍ତେ, ତାହେଲେ ଟିକେ ସମୟ ପରେ ‘ଦୁଷ୍ଟ ଲୋକମାନେ ଆଉ ନ ଥାʼନ୍ତେ ।’ (ଗୀତ. ୩୭:୧୦) ତେବେ ଆମେ କହିପାରିବା ଯେ ଗୀତସଂହିତା ୩୭:୧୦, ୧୧୨୯ ପଦରେ ଲେଖାଥିବା କଥା ପ୍ରାଚୀନ ସମୟରେ ମଧ୍ୟ ପୂରା ହେଲା ଓ ଆଗକୁ ଯାଇ ମଧ୍ୟ ପୂରା ହେବ ।

୯. ଶଲୋମନଙ୍କ ଶାସନର ସମୃଦ୍ଧି ଦେଖି ଶିବାର ରାଣୀ କʼଣ କହିଲେ ?

ଶଲୋମନଙ୍କ ଶାସନ ସମୟରେ ଲୋକମାନଙ୍କୁ କୌଣସି ବି ଜିନିଷର ଅଭାବ ନ ଥିଲା । ପୂରା ଦେଶରେ ଏତେ ଶାନ୍ତି ଓ ଖୁସିର ପରିସ୍ଥିତି ଥିଲା ଯେ ତାʼ ବିଷୟରେ ଦୂର ଦୂର ଯାଏ ଚର୍ଚ୍ଚା ହେଉଥିଲା । (୧ ରାଜା. ୧୦:୧) ଶିବାର ରାଣୀ ମଧ୍ୟ ଏବିଷୟରେ ଶୁଣିଲେ ଓ ବହୁତ ଦୂରରୁ ଯିରୂଶାଲମକୁ ଆସିଲେ, କାରଣ ସେ ନିଜ ଆଖିରୁ ସବୁକିଛି ଦେଖିବା ପାଇଁ ଚାହୁଁଥିଲେ । ଶଲୋମନଙ୍କ ଶାସନର ସମୃଦ୍ଧି ଦେଖି ସେ କହିଲେ, “ଆଉ ଦେଖନ୍ତୁ, ଅର୍ଦ୍ଧେକ ମୋତେ କୁହାଯାଇ ନ ଥିଲା । . . . ଆପଣଙ୍କ ଲୋକମାନେ ଧନ୍ୟ, ଆପଣଙ୍କ ଏହି ଦାସମାନେ ଧନ୍ୟ, ସେମାନେ ନିତ୍ୟ ଆପଣଙ୍କ ସମ୍ମୁଖରେ ଛିଡ଼ା ହୋଇ ଆପଣଙ୍କ ଜ୍ଞାନର କଥା ଶୁଣନ୍ତି !” (୧ ରାଜା. ୧୦:୬-୮) କିନ୍ତୁ ଶଲୋମନଙ୍କ ଶାସନ ତ କେବଳ ଏକଥାର ଗୋଟିଏ ଝଲକ ଥିଲା ଯେ ଯେବେ ଯୀଶୁ ଶାସନ କରିବେ ତେବେ ଆମ ଜୀବନ କିପରି ହେବ ।

୧୦. ଆମେ କାହିଁକି କହିପାରିବା ଯେ ଯୀଶୁ ଶଲୋମନଙ୍କଠାରୁ ଭଲ ରାଜା ଅଟନ୍ତି ?

୧୦ ଯୀଶୁ ସବୁ କ୍ଷେତ୍ରରେ ଶଲୋମନଙ୍କଠାରୁ ଭଲ ରାଜା ଅଟନ୍ତି । ଶଲୋମନ ଅପରିପୂର୍ଣ୍ଣ ଥିଲେ ଓ ସେ ଅନେକଥର ଏପରି ଭୁଲଗୁଡ଼ିକ କରିଥିଲେ ଯେଉଁଥିରୁ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଦୁଃଖକଷ୍ଟ ଆସିଲା । କିନ୍ତୁ ଯୀଶୁ ପରିପୂର୍ଣ୍ଣ ଅଟନ୍ତି ଓ ସେ କେବେ ବି କୌଣସି ଭୁଲ କରି ନାହାନ୍ତି । (ଲୂକ ୧:୩୨; ଏବ୍ରୀ ୪:୧୪, ୧୫) ଯେବେ ଶୟତାନ ତାଙ୍କ ଉପରେ ବଡ଼ ବଡ଼ ପରୀକ୍ଷା ଆଣିଲା, ତେବେ ବି ସେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । ଏପରି ଭାବେ ଯୀଶୁ ପ୍ରମାଣିତ କଲେ ଯେ ସେ କେବେ ବି ପାପ କରିବେ ନାହିଁ ଓ ଏପରି କିଛି କରିବେ ନାହିଁ ଯେଉଁଥିରୁ ତାଙ୍କ ପ୍ରଜାମାନଙ୍କୁ କୌଣସି କଷ୍ଟ ସହିବାକୁ ପଡ଼ିବ । ସତରେ, ଯୀଶୁଙ୍କଠାରୁ ଭଲ ରାଜା ଆଉ କେହି ବି ହୋଇପାରିବେ ନାହିଁ !

୧୧. କେଉଁମାନେ ଯୀଶୁଙ୍କ ସହିତ ମିଶି ଶାସନ କରିବେ ?

୧୧ ଯୀଶୁଙ୍କ ସହିତ ଶାସନ କରିବା ପାଇଁ ପୃଥିବୀରୁ ୧,୪୪,୦୦୦ ଜଣ ପୁରୁଷ ଓ ସ୍ତ୍ରୀମାନଙ୍କୁ ଏକାଠି କରାଯାଉଛି । (ପ୍ରକା. ୧୪:୧-୩) ସେମାନେ ଯୀଶୁଙ୍କ ସହିତ ମିଶି ମଣିଷମାନଙ୍କ ଆବଶ୍ୟକତା ପୂରା କରିବେ ଓ ସେମାନଙ୍କୁ ସାହାଯ୍ୟ କରିବେ । ଏହି ପୃଥିବୀ ପାଇଁ ଯିହୋବାଙ୍କ ଯେଉଁ ଉଦ୍ଦେଶ୍ୟ ରହିଛି, ତାହା ବି ସେମାନେ ପୂରା କରିବେ । ସେମାନେ ପୃଥିବୀରେ ଅନେକ କଷ୍ଟ ଓ ଦୁଃଖ ସହିଛନ୍ତି । ତେଣୁ ସେମାନେ ଆମ କଷ୍ଟ ଭଲଭାବେ ବୁଝିପାରିବେ । କିନ୍ତୁ ସେମାନେ ୧,୦୦୦ ବର୍ଷର ଶାସନ ସମୟରେ କʼଣ କʼଣ କରିବେ ?

ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ କʼଣ କରିବେ ?

୧୨. ଯିହୋବା ୧,୪୪,୦୦୦ ଜଣ ଲୋକଙ୍କୁ କʼଣ ଦାୟିତ୍ୱ ଦେବେ ?

୧୨ ଶଲୋମନଙ୍କୁ ଯେତେ ଲୋକମାନଙ୍କ ଉପରେ ଅଧିକାର ଦିଆଯାଇଥିଲା, ତାʼଠୁ ବି ଅଧିକ ଲୋକମାନଙ୍କ ଉପରେ ଯୀଶୁ ଓ ୧,୪୪,୦୦୦ ଜଣ ଲୋକଙ୍କୁ ଅଧିକାର ଦିଆଯାଇଛି । ଶଲୋମନ ଇସ୍ରାଏଲ ଦେଶରେ ରାଜା ଥିଲେ ଓ ତାଙ୍କୁ କେବଳ କିଛି ଲକ୍ଷ ଲୋକମାନଙ୍କ ଉପରେ ଅଧିକାର ଦିଆଯାଇଥିଲା । କିନ୍ତୁ ଯୀଶୁ ଓ ୧,୪୪,୦୦୦ ଜଣ ଲୋକମାନେ ସାରା ପୃଥିବୀରେ ଶାସନ କରିବେ ଓ ସେମାନଙ୍କୁ ଲକ୍ଷ ଲକ୍ଷ ଲୋକମାନଙ୍କ ଉପରେ ଅଧିକାର ଦିଆଯାଇଛି । ଯିହୋବା ସେମାନଙ୍କୁ କେତେ ବଡ଼ ଦାୟିତ୍ୱ ଦେବେ !

୧୩. ଯୀଶୁଙ୍କ ସହିତ ଯେଉଁ ୧,୪୪,୦୦୦ ଜଣ ଲୋକ ଶାସନ କରିବେ, ସେମାନେ କେଉଁ ବିଶେଷ କାମ କରିବେ ?

୧୩ ଯୀଶୁଙ୍କ ଭଳି ୧,୪୪,୦୦୦ ଜଣ ଲୋକ ମଧ୍ୟ ରାଜା ଓ ଯାଜକ ଭାବେ ସେବା କରିବେ । (ପ୍ରକା. ୫:୧୦) ପ୍ରାଚୀନ ସମୟରେ ଯେବେ ଇସ୍ରାଏଲୀୟମାନଙ୍କୁ ମୋଶାଙ୍କ ବ୍ୟବସ୍ଥା ଦିଆଯାଇଥିଲା, ତେବେ ସେଥିରେ ଯାଜକମାନଙ୍କୁ କୁହାଯାଇଥିଲା ଯେ ସେମାନେ ଏକଥାର ଧ୍ୟାନ ରଖନ୍ତୁ ଯେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହୁ ଓ ସମସ୍ତେ ଯିହୋବାଙ୍କ ନିକଟତର ହୋଇ ରହନ୍ତୁ । ଆଉ ଆମେ ଜାଣୁ ଯେ ମୋଶାଙ୍କ ବ୍ୟବସ୍ଥା “ଆଗାମୀ ଉତ୍ତମ ଉତ୍ତମ ବିଷୟର ଛାୟା ସ୍ୱରୂପ ।” ତେଣୁ ଆମେ କହିପାରିବା ଯେ ୧,୪୪,୦୦୦ ଜଣ ଲୋକ ଯାଜକ ଭାବେ ଏକଥାର ଧ୍ୟାନ ରଖିବେ ଯେ ସମସ୍ତ ମନୁଷ୍ୟମାନଙ୍କ ସ୍ୱାସ୍ଥ୍ୟ ଭଲ ରହୁ ଓ ସେମାନେ ଯିହୋବାଙ୍କ ନିକଟତର ହୋଇ ରହନ୍ତୁ । (ଏବ୍ରୀ ୧୦:୧) ଆମେ ଏହା ତ ଜାଣି ନାହୁଁ ଯେ ଏହି ରାଜା ଓ ଯାଜକମାନେ ପାରଦୀଶରେ କିପରି ଭାବେ ଈଶ୍ୱରଙ୍କ ରାଜ୍ୟର ପ୍ରଜାମାନଙ୍କ ସହିତ କଥା ହେବେ କିମ୍ବା ସେମାନଙ୍କୁ ପରାମର୍ଶ ଦେବେ । କିନ୍ତୁ ଏବିଷୟରେ ଯିହୋବା ଯାହା ବି ବ୍ୟବସ୍ଥା କରିବେ, ଆମେ ଭରସା ରଖିପାରିବା ଯେ ସେ ନିଜ ଲୋକମାନଙ୍କୁ ଠିକ୍‌ ବାଟ ଦେଖାଇବା ଜାରି ରଖିବେ ।—ପ୍ରକା. ୨୧:୩, ୪.

ପାରଦୀଶରେ ବଞ୍ଚିବା ପାଇଁ ‘ଅନ୍ୟ ମେଷର’ ଲୋକମାନଙ୍କୁ କʼଣ କରିବାକୁ ପଡ଼ିବ ?

୧୪. ବାଇବଲରେ “ସାନ ପଲ” ଓ ‘ଅନ୍ୟ ମେଷର’ ଲୋକମାନଙ୍କ ବିଷୟରେ କʼଣ ଲେଖାଅଛି ଓ ଏହି କଥା ଆଜି କିପରି ପୂରା ହେଉଛି ?

୧୪ ଯେଉଁ ଲୋକମାନେ ଯୀଶୁଙ୍କ ସହ ସ୍ୱର୍ଗରେ ଶାସନ କରିବେ, ସେମାନଙ୍କୁ ସେ “ସାନ ପଲ” କହିଲେ । (ଲୂକ ୧୨:୩୨) ଯୀଶୁ ଆଉ ଗୋଟିଏ ସମୂହ ବିଷୟରେ କହିଲେ, ଯେଉଁମାନଙ୍କୁ ସେ “ଅନ୍ୟ ମେଷ” କହିଲେ । ବାଇବଲରେ ଲେଖାଅଛି ଯେ ଏହି ଦୁଇପ୍ରକାରର ସମୂହ ମିଶି ଗୋଟିଏ ପଲ ହୁଅନ୍ତେ । (ଯୋହ. ୧୦:୧୬) ଆଜି ଏହି ଦୁଇ ସମୂହ ମିଶି କାମ କରୁଛନ୍ତି ଓ ସେମାନେ ପାରଦୀଶରେ ମଧ୍ୟ ଏପରି ହିଁ କରୁଥିବେ । ସେସମୟ ଯାଏ ସାନପଲର ସବୁଲୋକମାନେ ସ୍ୱର୍ଗ ଯାଇ ସାରିଥିବେ ଓ “ଅନ୍ୟ ମେଷଗୁଡ଼ିକ” ପାଖରେ ପୃଥିବୀରେ ସବୁଦିନ ଯାଏ ବଞ୍ଚି ରହିବାର ସୁଯୋଗ ଥିବ । କିନ୍ତୁ ପାରଦୀଶରେ ବଞ୍ଚିବା ପାଇଁ ଅନ୍ୟ ମେଷର ଲୋକମାନଙ୍କୁ ଆଜି କʼଣ କରିବାକୁ ପଡ଼ିବ ?

ପାରଦୀଶରେ ବଞ୍ଚିବା ପାଇଁ ଆମେ ଏବେଠୁ ପ୍ରସ୍ତୁତି କରିପାରିବା ! (ପାରାଗ୍ରାଫ ୧୫) b

୧୫. (କ) ‘ଅନ୍ୟ ମେଷର’ ଲୋକମାନେ ଖ୍ରୀଷ୍ଟଙ୍କ ଭାଇମାନଙ୍କୁ କିପରି ସହଯୋଗ କରନ୍ତି ? (ଖ) ଚିତ୍ରରେ ଦିଆଯାଇଥିବା ଭାଇଙ୍କ ଭଳି ଆପଣ କʼଣ କରିପାରିବେ ?

୧୫ ଯୀଶୁଙ୍କ ସହ ଯେଉଁ ଅପରାଧୀକୁ କାଠରେ ଲଟକା ଯାଇଥିଲା, ସେ ଯୀଶୁଙ୍କ ଉପରେ ବିଶ୍ୱାସ ତ କଲା । କିନ୍ତୁ ତାକୁ ଏହା ଦେଖାଇବାର ସୁଯୋଗ ମିଳିନାହିଁ ଯେ ସେ ଯୀଶୁଙ୍କର କେତେ କୃତଜ୍ଞ ଅଟେ । କିନ୍ତୁ ‘ଅନ୍ୟ ମେଷର’ ଲୋକମାନେ ଆଜି ଏହା ଅନେକ ଉପାୟରେ ଦେଖାଇପାରିବେ । ଯେପରି ସେମାନେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସହଯୋଗ କରି ଏହା ଦେଖାଇପାରିବେ ଯେ ସେମାନେ ଯୀଶୁଙ୍କୁ କେତେ ପ୍ରେମ କରନ୍ତି । ଯୀଶୁ ମଧ୍ୟ କହିଥିଲେ ଯେ ଆମେ ଯେପରି ଭାବେ ତାଙ୍କ ଭାଇମାନଙ୍କ ସହ, ଅର୍ଥାତ୍‌ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ସହ ବ୍ୟବହାର କରୁ, ତାʼ ଆଧାରରେ ସେ ଆମର ନ୍ୟାୟ କରିବେ । (ମାଥି. ୨୫:୩୧-୪୦) ଆମେ ପ୍ରଚାର ଓ ଶିଷ୍ୟ କରିବା କାମରେ ଅଧିକରୁ ଅଧିକ ଭାଗ ନେଇ ମଧ୍ୟ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ସହଯୋଗ କରିପାରିବା । (ମାଥି. ୨୮:୧୮-୨୦) ଲୋକମାନଙ୍କୁ ଶିଖାଇବା ପାଇଁ ଆଜି ଆମ ପାଖରେ ଅନେକ ପ୍ରକାଶନ ଅଛି, ଯେପରି ଆମ ନୂଆ ବହି ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ତାହେଲେ ଏହାର ଭଲ ବ୍ୟବହାର କରିବା ପାଇଁ ଆପଣ ପୂରା ଚେଷ୍ଟା କରନ୍ତୁ । ଯଦି ଆପଣ କାହାରି ବାଇବଲ ଅଧ୍ୟୟନ କରାଉ ନାହାନ୍ତି, ତାହେଲେ ଯେଉଁ ଲୋକମାନଙ୍କୁ ଆପଣ ଖୁସିର ଖବର ଶୁଣାନ୍ତି ତାଙ୍କ ସହ ବାଇବଲ ଅଧ୍ୟୟନ ଆରମ୍ଭ କରିବା ପାଇଁ ପୂରା ଚେଷ୍ଟା କରନ୍ତୁ ।

୧୬. ପାରଦୀଶରେ ବଞ୍ଚିବା ପାଇଁ ଆମେ ଏବେଠୁ କʼଣ କରିପାରିବା ?

୧୬ ଜଣେ ଭଲ ବ୍ୟକ୍ତି ହେବା ପାଇଁ ଆମକୁ ନୂଆ ଦୁନିଆର ଅପେକ୍ଷା କରିବା ଦରକାର ନାହିଁ । ତାʼ ପାଇଁ ଆମେ ଏବେଠୁ ପ୍ରସ୍ତୁତି କରିପାରିବା । ଆମେ ଏବେଠୁ ନିଜ ଭିତରେ ଭଲ ଗୁଣ ବଢ଼ାଇପାରିବା । ଆମେ ସଚ୍ଚୋଟ ହୋଇପାରିବା, ସବୁବେଳେ ସତ କହିବା ପାଇଁ ଚେଷ୍ଟା କରିପାରିବା ଓ ଧ୍ୟାନ ରଖିପାରିବା ଯେ ଆମ କାମ ଓ ବ୍ୟବହାରରୁ ଯିହୋବା ଖୁସି ହୁଅନ୍ତୁ । ଆମେ ଯିହୋବା, ନିଜ ଜୀବନସାଥୀ ଓ ଭାଇଭଉଣୀମାନଙ୍କର ବିଶ୍ୱସ୍ତ ରହିପାରିବା । ଆଜି ଏହି ଦୁନିଆରେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିବା ଏତେ ସହଜ କଥା ନୁହେଁ, କିନ୍ତୁ ଯଦି ଆମେ ଏବେଠାରୁ ଏପରି କରିବା, ତାହେଲେ ପାରଦୀଶରେ ମଧ୍ୟ ଆମେ ସହଜରେ ଏପରି କରିପାରିବା । ତାʼଛଡ଼ା ଆମେ ଏବେଠାରୁ କିଛି ଏପରି ଦକ୍ଷତାଗୁଡ଼ିକ ବଢ଼ାଇପାରିବା ଯାହା ନୂଆ ଦୁନିଆରେ ଆମ କାମରେ ଆସିବ ଓ ଭଲ ଅଭ୍ୟାସଗୁଡ଼ିକୁ ମଧ୍ୟ କରିପାରିବା ।—ଏହି ସଂଖ୍ୟାରେ ଦିଆଯାଇଥିବା ଲେଖା “କʼଣ ଆପଣ ‘ପୃଥିବୀର ଅଧିକାରୀ’ ହେବା ପାଇଁ ପ୍ରସ୍ତୁତ ଅଛନ୍ତି ?” ଦେଖନ୍ତୁ ।

୧୭. ଯଦି ଆମେ ପୂର୍ବେ କୌଣସି ପାପ କରିଥିଲୁ, ତାହେଲେ କʼଣ ସେବିଷୟରେ ଭାବି ଆମେ ଦୁଃଖି ହେବା ଉଚିତ୍‌ ? ବୁଝାନ୍ତୁ ।

୧୭ ଯଦି ଆମେ ପୂର୍ବେ କୌଣସି ଗମ୍ଭୀର ପାପ କରିଥିଲୁ, ତାହେଲେ ଆମକୁ ସେବିଷୟରେ ଭାବି ଭାବି ବହୁତ ବେଶି ଦୁଃଖି ହେବା ଉଚିତ୍‌ ନୁହେଁ । ମନେରଖନ୍ତୁ, ଯୀଶୁ ଫାରୂଶୀମାନଙ୍କୁ କହିଥିଲେ, “ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସି ନାହିଁ, ମାତ୍ର ପାପୀମାନଙ୍କୁ ଆହ୍ୱାନ କରିବା ନିମନ୍ତେ ଆସିଅଛି ।” (ମାଥି. ୯:୧୩) ଯୀଶୁଙ୍କ ମୁକ୍ତିର ମୂଲ୍ୟ ଆଧାରରେ ଆମକୁ ନିଜ ପାପଗୁଡ଼ିକରୁ କ୍ଷମା ମିଳିପାରେ । ଏପରିକି ତାହା ଯେତେ ବଡ଼ ପାପ ହୋଇଥାଉ ନା କାହିଁକି । କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ଆମେ ‘ସ୍ୱେଚ୍ଛାପୂର୍ବକ ପାପ କରୁଥିବା’ ବା ଜାଣିଶୁଣି ପାପ କରୁଥିବା ଓ ଭାବିବା ଯେ ଯିହୋବାଙ୍କ ମୁକ୍ତିର ମୂଲ୍ୟର ଆଧାରରେ ସେ ଆମକୁ କ୍ଷମା କରି ହିଁ ଦେବେ । (ଏବ୍ରୀ ୧୦:୨୬-୩୧) କିନ୍ତୁ ଯଦି ଆମେ ପଶ୍ଚାତାପ କରିଛୁ, ଯିହୋବାଙ୍କୁ କ୍ଷମା ମାଗିଛୁ, ପ୍ରାଚୀନମାନଙ୍କର ସାହାଯ୍ୟ ନେଇଛୁ ଓ ନିଜ ଭିତରେ ପରିବର୍ତ୍ତନ କରିଛୁ, ତାହେଲେ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ କ୍ଷମା କରି ଦେଇଛନ୍ତି ।—ଯିଶା. ୫୫:୭; ପ୍ରେରି. ୩:୧୯.

ଆପଣ ପାରଦୀଶରେ ସବୁଦିନ ଯାଏ ବଞ୍ଚିପାରିବେ !

୧୮. ଯେବେ ଆପଣ ନୂଆ ଦୁନିଆରେ ସେହି ଅପରାଧୀକୁ ଭେଟିବେ ଯେ ଯୀଶୁଙ୍କ ଉପରେ ବିଶ୍ୱାସ କରିଥିଲା, ତେବେ ଆପଣ ତାʼ ସହିତ କେଉଁ ବିଷୟରେ କଥା ହେବେ ?

୧୮ କଳ୍ପନା କରନ୍ତୁ ଯେ ଆପଣ ପାରଦୀଶରେ ଅଛନ୍ତି ଓ ସେହି ଅପରାଧୀ ସହିତ କଥା ହେଉଛନ୍ତି ଯେ ଯୀଶୁଙ୍କ ଉପରେ ବିଶ୍ୱାସ କରିଥିଲା । ସବୁଠୁ ପ୍ରଥମେ ହୁଏତ ଆପଣ ପରସ୍ପରକୁ କହିବେ ଯେ ଯୀଶୁ ଆପଣଙ୍କ ପାଇଁ ଯାହା କରିଲେ, ତାʼ ପାଇଁ ଆପଣ କେତେ କୃତଜ୍ଞ ଅଟନ୍ତି । ତାʼପରେ ହୁଏତ ଆପଣ ସେହି ଅଧିକାରୀକୁ ପଚାରିପାରିବେ ଯେ ଯେବେ ତାକୁ ଯୀଶୁଙ୍କ ସହିତ କାଠରେ ଲଟକାଇ ଦିଆଗଲା, ତାʼପରେ କʼଣ କʼଣ ହେଲା ଓ ଯେବେ ଯୀଶୁ ତାକୁ କହିଲେ ଯେ ସେ ତାଙ୍କ ସହିତ ପାରଦୀଶରେ ଥିବେ, ତେବେ ତାକୁ କିପରି ଲାଗିଲା । ତାʼପରେ ହୁଏତ ସେ ଆପଣଙ୍କୁ ମଧ୍ୟ ପଚାରି ପାରିବ ଯେ ଶେଷ କାଳରେ ଆପଣଙ୍କ ଜୀବନ କିପରି ଥିଲା । ଭାବନ୍ତୁ ଏହା କେତେ ବଡ଼ କଥା ଅଟେ ଯେ ଆମେ ଏପରି ଲୋକମାନଙ୍କୁ ଈଶ୍ୱରଙ୍କ ବାକ୍ୟରୁ ଶିଖାଇ ପାରିବା !—ଏଫି. ୪:୨୨-୨୪.

ଖ୍ରୀଷ୍ଟଙ୍କ ହଜାର ବର୍ଷର ଶାସନ ସମୟରେ ଜଣେ ଭାଇ ଏପରି କଳା ଶିଖୁଛନ୍ତି, ଯାହା ସେ ଅନେକ ବର୍ଷରୁ ଶିଖିବାକୁ ଚାହୁଁଥିଲେ (ପାରାଗ୍ରାଫ ୧୯)

୧୯. ଆମେ ପାରଦୀଶରେ କାହିଁକି ବୋର ହେବାନି ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

୧୯ ପାରଦୀଶରେ ସବୁଦିନ ବଞ୍ଚି, ଆମେ ବୋର ହେବାନି । ଆମେ ନୂଆ ନୂଆ ଲୋକଙ୍କ ସହିତ ଭେଟିବା ଓ ଆମ ପାଖରେ କରିବା ପାଇଁ ବହୁତ କିଛି ଥିବ । ସବୁଠୁ ବଢ଼ିଆ କଥା ଆମେ ପ୍ରତିଦିନ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିପାରିବା । ଆମ ପାଖରେ ସବୁଦିନ ତାଙ୍କ ବିଷୟରେ ଶିଖିବା ପାଇଁ କିଛି ନା କିଛି ରହିବ । ଆଉ ଯେପରି ସମୟ ଗଡ଼ି ଚାଲିବ, ଆମେ ତାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିବା । ତାʼଛଡ଼ା ଯିହୋବା ଯାହା ବି ସୃଷ୍ଟି କରିଛନ୍ତି, ଆମେ ସେହି ସୃଷ୍ଟି ବିଷୟରେ ଶିଖିବା ଜାରି ରଖିବା ଓ ତାʼର ମଜା ନେଇ ପାରିବା । ଆମେ କେତେ ଖୁସି ଯେ ଯିହୋବା ଓ ଯୀଶୁ ଆମକୁ ପ୍ରତିଜ୍ଞା କରିଛନ୍ତି ଯେ ଆମେ ପାରଦୀଶରେ ସବୁଦିନ ଯାଏ ବଞ୍ଚିବା !

ଗୀତ ୨୨ ରାଜ ଜାଲ୍‌ଦ ତେରା ଆଏ ୟହାଁ !

a କʼଣ ଆପଣ ପ୍ରାୟ ଭାବନ୍ତି ଯେ ପାରଦୀଶରେ ଆମର ଜୀବନ କିପରି ଥିବ ? ଯେବେ ଆମେ ଏହି ବିଷୟରେ ଭାବୁ ଯେ ଯିହୋବା ପାରଦୀଶରେ ଆମ ପାଇଁ କʼଣ କʼଣ କରିବେ, ତେବେ ଆମର ସାହସ ବଢ଼ିବ ଓ ଆମେ ଆହୁରି ଉତ୍ସାହର ସହ ଲୋକମାନଙ୍କୁ ନୂଆ ଦୁନିଆ ବିଷୟରେ କହିବା । ଏହି ଲେଖା ପଢ଼ି ଆମର ଭରସା ବଢ଼ିଯିବ ଯେ ଯୀଶୁ ଯେଉଁ ପାରଦୀଶ ବିଷୟରେ କହିଥିଲେ, ତାହା ନିଶ୍ଚୟ ଆସିବ ।

b ଚିତ୍ର ବିଷୟରେ: ଜଣେ ଭାଇ ଏବେଠାରୁ ଯିହୋବାଙ୍କ ବିଷୟରେ ଲୋକମାନଙ୍କୁ ଶିଖାଉଛନ୍ତି ଓ ଏପରି କରି ସେ ସେହି ସମୟ ପାଇଁ ପ୍ରସ୍ତୁତି କରୁଛନ୍ତି ଯେବେ ସେ ନୂଆ ଦୁନିଆରେ ଜୀବିତ କରାଯାଇଥିବା ଲୋକମାନଙ୍କୁ ଶିଖାଇବେ ।