इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କୁ ମନେ ଅଛି କି ?

ଆପଣଙ୍କୁ ମନେ ଅଛି କି ?

କʼଣ ଆପଣ ଏହି ବର୍ଷର ପ୍ରହରୀଦୁର୍ଗ ପତ୍ରିକାଗୁଡ଼ିକୁ ଧ୍ୟାନର ସହ ପଢ଼ିଛନ୍ତି ? ଦେଖନ୍ତୁ ଯେ ଆପଣ ଆଗକୁ ଦିଆଯାଇଥିବା ପ୍ରଶ୍ନଗୁଡ଼ିକର ଉତ୍ତର ଦେଇପାରନ୍ତି ନା ନାହିଁ:

“ମନର ନୂତନୀକରଣ” କରିବାର ଅର୍ଥ କʼଣ ? (ରୋମୀ. ୧୨:୨)

“ମନର ନୂତନୀକରଣ” କରିବାର ଅର୍ଥ କେବଳ କିଛି ଭଲ କାମ କରିବା ନୁହେଁ । ତାʼ ପରିବର୍ତ୍ତେ ଆମକୁ ଯାଞ୍ଚ କରିବାକୁ ପଡ଼ିବ ଯେ ଆମେ ଭିତରୁ କିପରି ମଣିଷ ଅଟୁ ଓ ତାʼପରେ ନିଜକୁ ବଦଳାଇବାକୁ ପଡ଼ିବ, ଯାହାଦ୍ୱାରା ଆମେ ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ବଞ୍ଚିପାରିବା ।—ପ୍ର୨୩.୦୧, ପୃ ୮-୯.

ଦୁନିଆର ଘଟଣାଗୁଡ଼ିକୁ ଧ୍ୟାନ ଦେବା ସମୟରେ ଆମେ କିପରି ସତର୍କ ରହିପାରିବା ?

ଆମେ ଏହି କଥା ପ୍ରତି ଧ୍ୟାନ ଦେଉ ଯେ ଦୁନିଆରେ ହେଉଥିବା ଘଟଣାଗୁଡ଼ିକରୁ ବାଇବଲର ଭବିଷ୍ୟତବାଣୀଗୁଡ଼ିକ କିପରି ପୂରା ହେଉଛି । କିନ୍ତୁ ଏପରି କରିବା ସମୟରେ ଆମକୁ ଅନୁମାନ ଲଗାଇବା ଉଚିତ୍‌ ନୁହେଁ, କାରଣ ଏପରି କଲେ ମଣ୍ଡଳୀର ଏକତା ଭାଙ୍ଗିପାରେ । ଆମକୁ ଯିହୋବାଙ୍କ ସଂଗଠନ ତରଫରୁ ମିଳୁଥିବା ବର୍ତ୍ତମାନର ତଥ୍ୟ ଅନୁସାରେ ପରସ୍ପର ସହ କଥାବାର୍ତ୍ତା ହେବା ଉଚିତ୍‌ । (୧ କରି. ୧:୧୦)—ପ୍ର୨୩.୦୨, ପୃ ୧୬.

ଯୀଶୁଙ୍କ ବାପ୍ତିସ୍ମ ଓ ତାଙ୍କ ଶିଷ୍ୟମାନଙ୍କ ବାପ୍ତିସ୍ମ ମଧ୍ୟରେ କʼଣ ଫରକ ଅଛି ?

ଯୀଶୁଙ୍କୁ ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରିବାର ଆବଶ୍ୟକ ନ ଥିଲା, କାରଣ ସେ ଜଣେ ଏପରି ରାଷ୍ଟ୍ରରେ ଜନ୍ମ ନେଇଥିଲେ ଯାହା ପୂର୍ବରୁ ହିଁ ଈଶ୍ୱରଙ୍କୁ ସମର୍ପିତ ଥିଲା । ତାଙ୍କୁ ପାପଗୁଡ଼ିକ ପାଇଁ ପଶ୍ଚାତାପ କରିବାର ନ ଥିଲା, କାରଣ ସେ ପରିପୂର୍ଣ୍ଣ ଥିଲେ ଓ ସେ କୌଣସି ପାପ କରି ନ ଥିଲେ ।—ପ୍ର୨୩.୦୩, ପୃ ୦୫.

ଆମେ କʼଣ କରିପାରିବା, ଯାହାଦ୍ୱାରା ଅନ୍ୟ ଭାଇଭଉଣୀଙ୍କୁ ବି ସଭାରେ ଉତ୍ତର ଦେବା ପାଇଁ ସୁଯୋଗ ମିଳିପାରିବ ?

ଆମେ ନିଜ ଉତ୍ତର ଛୋଟ ରଖିପାରିବା, ଏଥିରୁ ଅନ୍ୟମାନଙ୍କୁ ବି ଉତ୍ତର ଦେବାର ସୁଯୋଗ ମିଳିବ । ଆମକୁ ଏହା ବି ଧ୍ୟାନ ରଖିବା ଉଚିତ୍‌ ଯେ ଆମେ ନିଜ ଉତ୍ତରରେ ଅନେକ ଗୁଡ଼ିଏ ମୁଖ୍ୟ କଥାଗୁଡ଼ିକୁ କହିବାନି, ଯାହାଦ୍ୱାରା ଅନ୍ୟମାନେ ବି କିଛି ମୁଖ୍ୟ କଥା କହିପାରିବେ ।—ପ୍ର୨୩.୦୪, ପୃ ୨୩.

ଯିଶାଇୟ ୩୫:୮ ପଦରେ ଯେଉଁ “ପବିତ୍ରତାର ପଥ” ବିଷୟରେ କୁହାଯାଇଛି, ତାʼର ଅର୍ଥ କʼଣ ?

ପ୍ରାଚୀନ ସମୟରେ ଏହି “ପବିତ୍ରତାର ପଥ” ସେହି ପଥକୁ ଦର୍ଶାଉଥିଲା, ଯେଉଁ ପଥରେ ଯିହୁଦୀ ବାବିଲରୁ ଇସ୍ରାଏଲକୁ ଫେରି ଆସିଥିଲେ । ଆଜିର ସମୟରେ, ୧୯୧୯ରୁ ଅନେକ ବର୍ଷ ପୂର୍ବେ ଏହି ପଥ ପ୍ରସ୍ତୁତ କରାଯିବାକୁ ଲାଗିଲା, ଯେପରି ବାଇବଲର ଛପାଇ କାମ, ତାʼର ଅନୁବାଦ ଓ ଅନ୍ୟ ଅନେକ କାମ କରାଗଲା । ଈଶ୍ୱରଙ୍କ ଲୋକମାନେ ଏହି ‘ପବିତ୍ରତାର ପଥରେ’ ଚାଲି ଯିହୋବାଙ୍କ ଉପାସନା କରୁଛନ୍ତି ଏବଂ ଭବିଷ୍ୟତରେ ଯେବେ ଈଶ୍ୱରଙ୍କ ଶାସନ ପୃଥିବୀରେ ଆରମ୍ଭ ହେବ, ତେବେ ସେମାନଙ୍କୁ ଆହୁରି ଆଶିଷ ମିଳିବ ।—ପ୍ର୨୩.୦୫, ପୃ ୧୫-୧୯.

ହିତୋପଦେଶ ଅଧ୍ୟାୟ ୯ରେ କେଉଁ ଦୁଇଜଣ ସ୍ତ୍ରୀ ବିଷୟରେ କୁହାଯାଇଛି ଓ ତାଙ୍କ ନିମନ୍ତ୍ରଣ ସ୍ୱୀକାର କରିବାରୁ କʼଣ ହୁଏ ?

ଏଥିରେ ଜଣେ ‘ମୁର୍ଖ ସ୍ତ୍ରୀ’ ବିଷୟରେ କୁହାଯାଇଛି, ଯାହାର ନିମନ୍ତ୍ରଣ ସ୍ୱୀକାର କଲେ ଜଣେ ମଣିଷ ‘କବରର ଗଭୀର ସ୍ଥାନରେ’ ଚାଲିଯାଏ । ଏଥିରେ ଆଉ ଜଣେ ସ୍ତ୍ରୀ ବିଷୟରେ କୁହାଯାଇଛି, ଯାହା “ଜ୍ଞାନ” ଅର୍ଥାତ୍‌ ପ୍ରକୃତ ବୁଦ୍ଧିକୁ ଦର୍ଶାଏ । ଯେକେହି ତାʼର ନିମନ୍ତ୍ରଣ ସ୍ୱୀକାର କରେ, ସେ ସବୁଦିନ ଜୀବିତ ରହିବ ଓ “ସୁବିବେଚନାର ପଥରେ” ଚାଲୁଥିବ । (ହିତୋ. ୯:୧, ୬, ୧୩, ୧୮)—ପ୍ର୨୩.୦୬, ପୃ ୨୨-୨୪.

ଯିହୋବା ଯେପରି ଭାବେ ଲୋଟଙ୍କ ସହ ବ୍ୟବହାର କଲେ, ସେଥିରୁ କିପରି ଜଣାପଡ଼େ ଯେ ସେ ନମ୍ର ଅଟନ୍ତି ଓ ଅନ୍ୟମାନଙ୍କୁ ମୃଦୁପଣ ଦେଖାନ୍ତି ?

ଯିହୋବା ଲୋଟଙ୍କୁ ପରାମର୍ଶ ଦେଲେ ଯେ ସେ ସଦୋମ ଛାଡ଼ି ପର୍ବତ ଆଡ଼କୁ ଚାଲିଯାʼନ୍ତୁ । କିନ୍ତୁ ସେଠାରେ ଯିବା ପରିବର୍ତ୍ତେ ଯେବେ ଲୋଟ ସୋୟର ନାମକ ନଗରରେ ଯିବା ପାଇଁ ଅନୁରୋଧ କଲେ, ତେବେ ଯିହୋବା ତାଙ୍କ କଥା ମାନିନେଲେ ।—ପ୍ର୨୩.୦୭, ପୃ ୨୧.

ଯଦି ଜଣେ ସ୍ତ୍ରୀଙ୍କ ଜୀବନ ସାଥୀ ପର୍ନୋଗ୍ରାଫି ଦେଖେ, ତାହେଲେ ସ୍ତ୍ରୀ କʼଣ କରିପାରିବେ ?

ସେ ନିଜକୁ ଦୋଷ ଦେବା ଉଚିତ୍‌ ନୁହେଁ । ତାʼ ପରିବର୍ତ୍ତେ ତାଙ୍କୁ ଯିହୋବାଙ୍କ ସହ ନିଜ ସମ୍ପର୍କ ଦୃଢ଼ କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ । ତାଙ୍କୁ ବାଇବଲରେ ଏପରି ସ୍ତ୍ରୀମାନଙ୍କ ଘଟଣା ପଢ଼ି ଚିନ୍ତନ କରିବା ଉଚିତ୍‌ ଯେଉଁମାନେ ବହୁତ ଚିନ୍ତିତ ଥିଲେ, ତଥାପି ସେମାନେ ଯିହୋବାଙ୍କୁ ପ୍ରାର୍ଥନା କଲେ ଓ ସାନ୍ତ୍ୱନା ପାଇଲେ । ପର୍ନୋଗ୍ରାଫି ଦେଖିବାର ଇଚ୍ଛାଠାରୁ ଦୂରେଇ ରହିବା ପାଇଁ ସେ ନିଜ ଜୀବନ ସାଥୀକୁ ସାହାଯ୍ୟ କରିପାରିବେ ।—ପ୍ର୨୩.୦୮, ପୃ ୧୪-୧୭.

ଆମେ ଯାହା ବିଶ୍ୱାସ କରୁ, ତାʼ ଉପରେ ଯଦି କେହି ପ୍ରଶ୍ନ କରେ, ତେବେ ସୁବୁଦ୍ଧି ହେବା ଦ୍ୱାରା ଆମେ କିପରି କୋମଳତାର ସହ ବ୍ୟବହାର କରିପାରିବା ?

ଯେବେ କେହି ଆମକୁ ପ୍ରଶ୍ନ କରେ, ତେବେ ଆମେ ଭାବିପାରିବା ଯେ ତାଙ୍କ ମନରେ କʼଣ ଚାଲୁଛି ଏବଂ ତାଙ୍କ ପାଇଁ କେଉଁ କଥାଗୁଡ଼ିକ ମହତ୍ତ୍ୱ ରଖେ । ତାʼପରେ ଆମେ ତାଙ୍କୁ କୋମଳତାର ସହ ଉତ୍ତର ଦେଇପାରିବା ।—ପ୍ର୨୩.୦୯, ପୃ ୧୭.

ସାହସ ପାଇବା ବିଷୟରେ ଆମେ ମରୀୟମଙ୍କଠାରୁ କʼଣ ଶିଖିପାରୁ ?

ଯେବେ ମରୀୟମଙ୍କୁ ଜଣାପଡ଼ିଲା ଯେ ସେ ଜଣେ ଶିଶୁକୁ ଜନ୍ମ ଦେବେ ଯିଏ ଆଗକୁ ଯାଇ ମସୀହ ହେବ, ତେବେ ସେ ଅନ୍ୟମାନଙ୍କ ସାହାଯ୍ୟ ନେଲେ । ଗାବ୍ରିଏଲ ସ୍ୱର୍ଗଦୂତ ଏବଂ ଏଲୀଶାବେଥଙ୍କ ସହ କଥା ହେବା ଦ୍ୱାରା ମରୀୟମଙ୍କ ସାହସ ବଢ଼ିଥିବ ଏବଂ ତାଙ୍କୁ ଭରସା ହୋଇଯାଇଥିବ ଯେ ଯିହୋବା ତାଙ୍କ ସାଙ୍ଗରେ ଅଛନ୍ତି । ମରୀୟମଙ୍କ ଭଳି ଆପଣଙ୍କୁ ବି ଭାଇଭଉଣୀମାନଙ୍କଠାରୁ ସାହସ ମିଳିପାରିବ ।—ପ୍ର୨୩.୧୦, ପୃ ୧୫.

ଯିହୋବା ହୁଏତ କିପରି ଆମ ପ୍ରାର୍ଥନାର ଉତ୍ତର ଦେବେ ?

ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ ଆମ ପ୍ରାର୍ଥନାଗୁଡ଼ିକୁ ଶୁଣିବେ । ସେ ଏକଥା ପ୍ରତି ବି ଧ୍ୟାନ ଦିଅନ୍ତି ଯେ ଆମ ପ୍ରାର୍ଥନାଗୁଡ଼ିକ ତାଙ୍କ ଉଦ୍ଦେଶ୍ୟ ସହ କିପରି ଜଡ଼ିତ ଅଛି । (ଯିରି. ୨୯:୧୨) ଅନେକଥର ହୁଏତ ଯିହୋବା ଏକାଭଳି ପ୍ରାର୍ଥନାଗୁଡ଼ିକର ଉତ୍ତର ଅଲଗା ଅଲଗା ଉପାୟରେ ଦେବେ, କିନ୍ତୁ ସେ ସବୁବେଳେ ଆମ ସହଯୋଗ କରିବେ ।—ପ୍ର୨୩.୧୧, ପୃ ୨୧-୨୨.

ରୋମୀୟ ୫:୨ ପଦରେ ‘ଆଶା’ ବିଷୟରେ କୁହାଯାଇଥିଲା, ତାହେଲେ ପଦ ୪ରେ ପୁଣିଥରେ କାହିଁକି ତାʼର ବ୍ୟବହାର କରାଗଲା ?

ଖୁସିର ଖବର ଶୁଣିବା ଓ ତାହାକୁ ସ୍ୱୀକାର କରିବାରୁ ଜଣେ ବ୍ୟକ୍ତିକୁ ପୃଥିବୀରେ ପାରଦୀଶରେ ବଞ୍ଚିବା ପାଇଁ ଆଶା ମିଳେ । କିନ୍ତୁ ଯେବେ ତାʼ ଉପରେ ଦୁଃଖକଷ୍ଟ ଆସେ, ସେ ଧୈର୍ଯ୍ୟର ସହ ତାʼର ସାମନା କରେ ଓ ତାକୁ ଅନୁଭବ ହୁଏ ଯେ ଈଶ୍ୱର ତାʼଠାରୁ ଖୁସି ଅଛନ୍ତି, ତେବେ ତାʼର ଆଶା ଆହୁରି ଦୃଢ଼ ହୋଇଯାଏ ଓ ତାହା ତାʼପାଇଁ ଆହୁରି ବହୁମୂଲ୍ୟ ହୋଇଯାଏ ।—ପ୍ର୨୩.୧୨, ପୃ ୧୨-୧୩.