ଅଧ୍ୟୟନ ଲେଖା ୫୦
ଧାର୍ମିକ ହେବା ପାଇଁ ବିଶ୍ୱାସର ସହ କାମ ବି ଜରୁରୀ
“ଆମ୍ଭମାନଙ୍କ ପିତା ଅବ୍ରହାମଙ୍କର ଯେଉଁ ବିଶ୍ୱାସ ଥିଲା, ସେଥିର ପଦଚିହ୍ନ ଦେଇ ଯେଉଁମାନେ ଗମନ କରନ୍ତି, ସେମାନଙ୍କର ମଧ୍ୟ ।”—ରୋମୀ. ୪:୧୨.
ଗୀତ ୧୧୯ କ୍ୟା ଈମାନ୍ ହମ୍ ମେଁ ହୈ ଖରା?
ଲେଖାର ଝଲକ a
୧. ଯେବେ ଆମେ ଅବ୍ରହାମଙ୍କ ବିଷୟରେ ଭାବୁ, ତେବେ ଆମ ମନରେ ହୁଏତ କେଉଁ ପ୍ରଶ୍ନ ଆସିବ ?
ଅନେକ ଲୋକମାନେ ଅବ୍ରହାମଙ୍କ ବିଷୟରେ ଶୁଣିଥିବେ କିନ୍ତୁ ଅଧିକାଂଶ ଲୋକେ ତାଙ୍କ ବିଷୟରେ ଏତେ ଜାଣନ୍ତି ନାହିଁ । କିନ୍ତୁ ଆପଣ ଅବ୍ରହାମଙ୍କ ବିଷୟରେ ବହୁତ କିଛି ଜାଣନ୍ତି, ଯେପରି ଆପଣ ଏହା ଜାଣନ୍ତି ଯେ ତାଙ୍କୁ ‘ବିଶ୍ୱାସୀଙ୍କ ପିତା’ ଅର୍ଥାତ୍ ବିଶ୍ୱାସ କରୁଥିବା ସମସ୍ତ ଲୋକଙ୍କ ପିତା କୁହାଯାଇଛି । (ରୋମୀ. ୪:୧୧) କିନ୍ତୁ ହୁଏତ ଆପଣ ଭାବୁଥିବେ, ‘କʼଣ ମୁଁ ବି ଅବ୍ରହାମଙ୍କ ଭଳି ହୋଇପାରିବି ଓ ତାଙ୍କ ଭଳି ଈଶ୍ୱରଙ୍କ ଉପରେ ବିଶ୍ୱାସ କରିପାରିବି ?’ ଆପଣ ନିଶ୍ଚୟ ଏପରି କରିପାରିବେ ।
୨. ଅବ୍ରହାମଙ୍କ ବିଷୟରେ ଅଧ୍ୟୟନ କରିବା କାହିଁକି ଭଲ ହେବ ? (ଯାକୁବ ୨:୨୨, ୨୩)
୨ ଅବ୍ରହାମଙ୍କ ଭଳି ବିଶ୍ୱାସ ଦେଖାଇବାର ଗୋଟିଏ ଉପାୟ ହେଉଛି, ତାଙ୍କ ବିଷୟରେ ଅଧ୍ୟୟନ କରିବା । ଅବ୍ରହାମ ସବୁବେଳେ ଈଶ୍ୱରଙ୍କ କଥା ମାନୁଥିଲେ । ଈଶ୍ୱରଙ୍କ କଥା ମାନି ସେ ଘରଦ୍ୱାର ଛାଡ଼ି ଦୂର ଦେଶକୁ ଚାଲିଗଲେ । ଅନେକ ବର୍ଷ ପର୍ଯ୍ୟନ୍ତ ସେ ତମ୍ବୁଗୁଡ଼ିକରେ ରହିଲେ, ଆଉ ନିଜ ପୁଅ ଯାହାକୁ ସେ ବହୁତ ଭଲ ପାଉଥିଲେ ତାକୁ ବଳିଦାନ କରିବା ପାଇଁ ବି ପ୍ରସ୍ତୁତ ହୋଇଗଲେ । ଏଥିରୁ ଜଣାପଡ଼େ ଯେ ଅବ୍ରହାମ ଈଶ୍ୱରଙ୍କ ଉପରେ କେତେ ବିଶ୍ୱାସ କରୁଥିଲେ । ତାଙ୍କର ଏହି ବିଶ୍ୱାସ ଓ କାମଗୁଡ଼ିକ ଯୋଗୁଁ ସେ ଈଶ୍ୱରଙ୍କୁ ଖୁସି କରିପାରିଲେ ଆଉ ତାଙ୍କ ସାଙ୍ଗ ହୋଇପାରିଲେ । (ଯାକୁବ ୨:୨୨, ୨୩ ପଢ଼ନ୍ତୁ ।) ଭାବନ୍ତୁ, ଏହା କେତେ ବଡ଼ ଆଶିଷ ଥିଲା । ଯିହୋବା ଚାହାନ୍ତି ଯେ ଆପଣଙ୍କୁ ବି ଏହି ଆଶିଷ ମିଳୁ । ସେଥିପାଇଁ ସେ ପାଉଲ ଓ ଯାକୁବଙ୍କ ଦ୍ୱାରା ନିଜ ବାକ୍ୟରେ ଅବ୍ରହାମଙ୍କ ବିଷୟରେ ଲେଖାଇଲେ । ଏବେ ଆସନ୍ତୁ ରୋମୀୟ ୪ ଅଧ୍ୟାୟରେ ଓ ଯାକୁବ ୨ ଅଧ୍ୟାୟରେ ତାଙ୍କ ବିଷୟରେ ଯେଉଁ କଥାଗୁଡ଼ିକ ଲେଖାଯାଇଛି, ସେଗୁଡ଼ିକ ଉପରେ ଧ୍ୟାନ ଦେବା । ଏହି ଦୁଇଟି ଅଧ୍ୟାୟରେ ଅବ୍ରହାମଙ୍କ ବିଷୟରେ ଗୋଟିଏ ଜରୁରୀ କଥା କୁହାଯାଇଛି ।
୩. ପାଉଲ ଓ ଯାକୁବ ନିଜ ଚିଠିଗୁଡ଼ିକରେ କେଉଁ କଥା ଦୋହରାଇଲେ ?
୩ ପାଉଲ ଓ ଯାକୁବ ଉଭୟ ଆଦି ପୁସ୍ତକ ୧୫:୬ ପଦରେ ଲେଖାଥିବା କଥାକୁ ଦୋହରାଇଲେ ଯେଉଁଠି ଲେଖାଅଛି, “ସେତେବେଳେ ସେ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରନ୍ତେ, ସେ ତାଙ୍କ ପକ୍ଷରେ ତାକୁ ଧାର୍ମିକତା ବୋଲି ଗଣନା କଲେ ।” ଈଶ୍ୱର ଜଣେ ବ୍ୟକ୍ତିକୁ ଧାର୍ମିକ ବା ନିର୍ଦ୍ଦୋଷ ତେବେ ମନେକରନ୍ତି ଯେବେ ସେ ତାଙ୍କ ଉପରେ ଖୁସି ହୁଅନ୍ତି । ଭାବନ୍ତୁ ଏହା କେତେ ବଡ଼ କଥା ଅଟେ ଯେ ଜଣେ ଅପରିପୂର୍ଣ୍ଣ ଓ ପାପୀ ମଣିଷ ବି ଈଶ୍ୱରଙ୍କ ଦୃଷ୍ଟିରେ ନିର୍ଦ୍ଦୋଷ ହୋଇପାରେ । ଆପଣ ବି ଚାହୁଁଥିବେ ଯେ ଈଶ୍ୱର ଆପଣଙ୍କୁ ଧାର୍ମିକ ମନେକରନ୍ତୁ ଆଉ ଏହା ସମ୍ଭବ । କିନ୍ତୁ କିପରି ? ଏହା ଜାଣିବା ପାଇଁ ଆସନ୍ତୁ ଦେଖିବା ଈଶ୍ୱର ଅବ୍ରହାମଙ୍କୁ କାହିଁକି ଧାର୍ମିକ କହିଲେ ।
ଧାର୍ମିକ ହେବା ପାଇଁ ବିଶ୍ୱାସ ଜରୁରୀ
୪. ମଣିଷମାନଙ୍କ ପାଇଁ ଧାର୍ମିକ ହେବା କାହିଁକି କଷ୍ଟକର ଅଟେ ?
୪ ରୋମର ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିବା ଚିଠିରେ ପାଉଲ କହିଲେ ଯେ ସମସ୍ତ ମଣିଷ ପାପ କରନ୍ତି । (ରୋମୀ. ୩:୨୩) ତାହେଲେ ଈଶ୍ୱରଙ୍କ ଦୃଷ୍ଟିରେ ଜଣେ ବ୍ୟକ୍ତି ନିର୍ଦ୍ଦୋଷ ବା ଧାର୍ମିକ କିପରି ହୋଇପାରିବ ଆଉ କିପରି ତାଙ୍କୁ ଖୁସି କରିପାରିବ ? ଯେଉଁ ଖ୍ରୀଷ୍ଟିୟାନମାନେ ପ୍ରକୃତରେ ଏହି ପ୍ରଶ୍ନର ଉତ୍ତର ଜାଣିବାକୁ ଚାହାନ୍ତି, ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପାଉଲ ଅବ୍ରହାମଙ୍କ ବିଷୟରେ କହିଲେ ।
୫. ଯିହୋବା ଅବ୍ରହାମଙ୍କୁ କାହିଁକି ଧାର୍ମିକ କହିଲେ ? (ରୋମୀୟ ୪:୨-୪)
୫ ଅବ୍ରହାମ ଯେବେ କିଣାନ ଦେଶରେ ରହୁଥିଲେ, ସେସମୟରେ ଯିହୋବା ତାଙ୍କୁ ଧାର୍ମିକ କହିଲେ । ଏପରି ନୁହେଁ ଯେ ଅବ୍ରହାମ ମୋଶାଙ୍କ ବ୍ୟବସ୍ଥାର ସବୁ କଥା ମାନୁଥିଲେ, ତେଣୁ ତାଙ୍କୁ ଧାର୍ମିକ କୁହାଗଲା । (ରୋମୀ. ୪:୧୩) ଆମେ ଏପରି କାହିଁକି କହିବା ? କାରଣ ସେସମୟ ପର୍ଯ୍ୟନ୍ତ ଈଶ୍ୱର ନିଜ ଲୋକଙ୍କୁ କୌଣସି ବ୍ୟବସ୍ଥା ଦେଇ ନ ଥିଲେ । ତାହା ସେମାନଙ୍କୁ ୪୦୦ ବର୍ଷରୁ ବି ଅଧିକ ସମୟ ପରେ ଦିଆଗଲା । ତାହେଲେ ଯିହୋବା ଅବ୍ରହାମଙ୍କୁ ଧାର୍ମିକ କାହିଁକି କହିଲେ ? ତାଙ୍କ ବିଶ୍ୱାସ ଯୋଗୁଁ । ପ୍ରକୃତରେ ଏହା ଯିହୋବାଙ୍କ ମହାକୃପା ଥିଲା ।—ରୋମୀୟ ୪:୨-୪ ପଢ଼ନ୍ତୁ ।
୬. ଯେଉଁ ବ୍ୟକ୍ତି ପାପ କରିଛି, ଯିହୋବା ତାକୁ ବି ନିର୍ଦ୍ଦୋଷ ମନେ କରିପାରନ୍ତି । ତାହା କିପରି ?
୬ ପାଉଲ ଏହା ବି ବୁଝାଇଲେ ଯେ ଯେବେ କେହି ଈଶ୍ୱରଙ୍କୁ ବିଶ୍ୱାସ କରେ, ତେବେ କାହିଁକି “ତାହା ପକ୍ଷରେ ତାʼର ବିଶ୍ୱାସ ଧାର୍ମିକତା ବୋଲି ଗଣିତ ହୁଏ ।” (ରୋମୀ. ୪:୫) ସେ ଲେଖିଲେ, “ଏହିପ୍ରକାରେ ଯେଉଁ ଲୋକ ପକ୍ଷରେ ଈଶ୍ୱର କ୍ରିୟାକର୍ମ ବ୍ୟତୀତ ଧାର୍ମିକତା ଗଣନା କରନ୍ତି, ଦାଉଦ ମଧ୍ୟ ତାକୁ ଧନ୍ୟ ବୋଲି କହନ୍ତି, ଯଥା, ‘ଯେଉଁମାନଙ୍କର ଅପରାଧସବୁ କ୍ଷମା ହୋଇଅଛି, ଆଉ ଯେଉଁମାନଙ୍କର ପାପସବୁ ଆଚ୍ଛାଦିତ ହୋଇଅଛି, ସେମାନେ ଧନ୍ୟ । ପ୍ରଭୁ ଯେଉଁ ଲୋକର ପାପ ଗଣନା କରିବେ ନାହିଁ, ସେ ଧନ୍ୟ ।’” (ରୋମୀ. ୪:୬-୮; ଗୀତ. ୩୨:୧, ୨) ଏଥିରୁ ଜଣାପଡ଼େ ଯେ ଯଦି କେହି ଈଶ୍ୱରଙ୍କୁ ବିଶ୍ୱାସ କରେ, ତେବେ ଈଶ୍ୱର ତାଙ୍କ ପାପକୁ ଆଚ୍ଛାଦିତ ବା ଢାଙ୍କି ଦିଅନ୍ତି । ସେ ପୂରାପୂରି ତାଙ୍କ ପାପ କ୍ଷମା କରିଦିଅନ୍ତି ଆଉ କେବେ ବି ସେହି ପାପର ହିସାବ ନିଅନ୍ତି ନାହିଁ । ଏହିପରି ଭାବରେ ଜଣେ ବ୍ୟକ୍ତିର ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ନିର୍ଦ୍ଦୋଷ ଆଉ ଧାର୍ମିକ ମନେକରନ୍ତି ।
୭. ଈଶ୍ୱର ନିଜ ବିଶ୍ୱସ୍ତ ସେବକଙ୍କୁ କେଉଁ କାରଣରୁ ଧାର୍ମିକ ମନେ କଲେ ?
୭ ଈଶ୍ୱର ଅବ୍ରହାମ, ଦାଉଦ ଓ ନିଜର ଅନ୍ୟ ବିଶ୍ୱସ୍ତ ସେବକମାନଙ୍କୁ ଧାର୍ମିକ କହିଲେ, କିନ୍ତୁ ସେମାନେ ବି ଅପରିପୂର୍ଣ୍ଣ ଥିଲେ ଆଉ ତାଙ୍କ ଦ୍ୱାରା ବି ଭୁଲ ହେଲା । ତଥାପି ତାଙ୍କ ବିଶ୍ୱାସ ଯୋଗୁଁ ଈଶ୍ୱର ତାଙ୍କୁ ଧାର୍ମିକ କିମ୍ବା ନିର୍ଦ୍ଦୋଷ ମନେକଲେ । ବିଶେଷ କରି ସେହି ଲୋକମାନଙ୍କ ତୁଳନାରେ ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କରୁ ନ ଥିଲେ । (ଏଫି. ୨:୧୨) ପାଉଲ ରୋମର ମଣ୍ଡଳୀକୁ ଲେଖିଥିବା ଚିଠିରେ ବୁଝାଇଲେ ଯେ ଯେଉଁମାନେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି, ସେମାନେ ହିଁ ତାଙ୍କ ସାଙ୍ଗ ହୋଇପାରିବେ । ଅବ୍ରହାମ ଓ ଦାଉଦ ମଧ୍ୟ ଈଶ୍ୱରଙ୍କ ଉପରେ ବିଶ୍ୱାସ କଲେ, ତେଣୁ ସେମାନେ ତାଙ୍କ ସାଙ୍ଗ ହୋଇପାରିଲେ । ସେହିପରି ଯଦି ଆଜି ଆମେ ବି ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବା, ତେବେ ଆମେ ତାଙ୍କ ସାଙ୍ଗ ହୋଇପାରିବା ।
ବିଶ୍ୱାସ ସହିତ କାମ ବି ଜରୁରୀ
୮-୯. ପାଉଲ ଓ ଯାକୁବ ଯାହା ଲେଖିଲେ, ସେବିଷୟରେ କିଛି ଲୋକଙ୍କର କʼଣ ଭୁଲ ଧାରଣା ଅଛି ଓ କାହିଁକି ?
୮ ତାହେଲେ କʼଣ ଈଶ୍ୱରଙ୍କୁ ଖୁସି କରିବା ପାଇଁ କେବଳ ବିଶ୍ୱାସ ଥିବା ଯଥେଷ୍ଟ ନା ଆମକୁ କାମ ମଧ୍ୟ କରିବାକୁ ପଡ଼ିବ ? ଅନେକ ବର୍ଷରୁ ଏବିଷୟରେ ପାଦରିମାନେ ଯୁକ୍ତିତର୍କ କରି ଆସୁଛନ୍ତି । କିଛି ପାଦରି କହନ୍ତି ଯେ ଉଦ୍ଧାର ପାଇବା ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରିବା ହିଁ ଯଥେଷ୍ଟ । ହୁଏତ ଆପଣ ସେମାନଙ୍କୁ ଏପରି କହିବାର ବି ଶୁଣିଥିବେ, “ପ୍ରଭୁଙ୍କ ନାମ ନିଅ ଓ ଉଦ୍ଧାର ପାଅ ।” ସେମାନେ ହୁଏତ କହିବେ ଯେ ପାଉଲ ବି ଏପରି କହିଥିଲେ ଯେ ଜଣେ ମଣିଷକୁ ‘ଈଶ୍ୱର, କ୍ରିୟାକର୍ମ ବ୍ୟତୀତ ଧାର୍ମିକ ଗଣନା କରନ୍ତି ।’ (ରୋମୀ. ୪:୬) କିନ୍ତୁ ଅନ୍ୟ କିଛି ପାଦରି କହନ୍ତି ଯେ ଯଦି ଆମେ ବଡ଼ ବଡ଼ ଚର୍ଚ୍ଚ କିମ୍ବା ଏପରି ହିଁ ଅନ୍ୟ ଧାର୍ମିକ ଜାଗାଗୁଡ଼ିକରେ ଯିବା ଓ ଭଲ କାମ କରିବା, ତାହେଲେ ଆମର ଉଦ୍ଧାର ହେବ । ସେମାନେ ହୁଏତ କହିବେ ଯେ ଯାକୁବ ବି ତ କହିଥିଲେ, “କେବଳ ବିଶ୍ୱାସ ଦ୍ୱାରା ମନୁଷ୍ୟ ଧାର୍ମିକ ଗଣିତ ନ ହୋଇ କର୍ମ ଦ୍ୱାରା ଯେ ଧାର୍ମିକ ଗଣିତ ହୁଏ ।”—ଯାକୁ. ୨:୨୪.
୯ ପାଦରିମାନଙ୍କର ଏପରି କଥା ଯୋଗୁଁ ବାଇବଲର କିଛି ବିଦ୍ୱାନଙ୍କୁ ଲାଗେ ଯେ ପାଉଲ ଓ ଯାକୁବ ଯେଉଁ କଥା ଶିଖାଇଲେ, ତାହା ପରସ୍ପର ସହ ମେଳ ଖାଏନି । ପାଉଲ କହିଲେ ଯେ ଧାର୍ମିକ ହେବା ପାଇଁ ବିଶ୍ୱାସ ଥିବା ହିଁ ଯଥେଷ୍ଟ, କିନ୍ତୁ ଯାକୁବ କହିଲେ ଯେ ଆମକୁ ବିଶ୍ୱାସ ସହିତ ଭଲ କାମ ମଧ୍ୟ କରିବାକୁ ପଡ଼ିବ । ଏହି କଥାକୁ ବାଇବଲର ଜଣେ ପ୍ରଫେସର କହିଲେ, “ଯାକୁବ ଏହା ବୁଝିପାରିଲେ ନାହିଁ ଯେ ପାଉଲ ଏପରି କାହିଁକି କହିଲେ ଯେ ଧାର୍ମିକ ହେବା ପାଇଁ ବିଶ୍ୱାସ ହେବା ହିଁ ଯଥେଷ୍ଟ । ସେ ପାଉଲଙ୍କ କଥାରୁ ସହମତ ନ ଥିଲେ ।” କିନ୍ତୁ ଆମେ ଜାଣୁ ଯେ ଯିହୋବା ହିଁ ପାଉଲ ଓ ଯାକୁବଙ୍କୁ ଏପରି କଥା ଲେଖିବା ପାଇଁ କହିଥିଲେ । (୨ ତୀମ. ୩:୧୬) ସେମାନେ ଏହି କଥାଗୁଡ଼ିକୁ କାହିଁକି ଲେଖିଲେ, ଏହା ବୁଝିବା ପାଇଁ ଆସନ୍ତୁ ଏକଥା ଉପରେ ଧ୍ୟାନ ଦେବା ଯେ ସେମାନେ ନିଜ ଚିଠିଗୁଡ଼ିକରେ ଆଉ କେଉଁ କଥାଗୁଡ଼ିକ ବିଷୟରେ ଲେଖିଲେ ।
୧୦. ପାଉଲ ବିଶେଷ କରି କେଉଁ କାମଗୁଡ଼ିକ ବିଷୟରେ କହୁଥିଲେ ? (ରୋମୀୟ ୩:୨୧, ୨୮) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୦ ରୋମୀୟ ୩ ଓ ୪ ଅଧ୍ୟାୟରେ ପାଉଲ କେଉଁ କାମଗୁଡ଼ିକ ବିଷୟରେ କହୁଥିଲେ ? ସେ ବିଶେଷ କରି “ବ୍ୟବସ୍ଥାର କ୍ରିୟାକର୍ମ” ବିଷୟରେ କହୁଥିଲେ, ଯେଉଁ ବ୍ୟବସ୍ଥା ମୋଶାଙ୍କୁ ସିନୟ ପର୍ବତରେ ଦିଆଯାଇଥିଲା । (ରୋମୀୟ ୩:୨୧, ୨୮ ପଢ଼ନ୍ତୁ ।) ଏପରି ଜଣାପଡ଼େ ଯେ ପାଉଲଙ୍କ ସମୟରେ ଯେଉଁ ଯିହୁଦୀମାନେ ଖ୍ରୀଷ୍ଟିୟାନ ହୋଇଥିଲେ, ସେମାନଙ୍କ ମଧ୍ୟରୁ କିଛି ଯିହୁଦୀଙ୍କୁ ଏକଥା ଠିକ୍ ଲାଗୁ ନ ଥିଲା ଯେ ଏବେ ସେମାନଙ୍କୁ ମୋଶାଙ୍କ ନିୟମ ମାନିବା ଜରୁରୀ ନାହିଁ । ତେଣୁ ପାଉଲ ସେମାନଙ୍କୁ ଅବ୍ରହାମଙ୍କ ଉଦାହରଣ ଦେଇ ବୁଝାଇଲେ ଯେ “ବ୍ୟବସ୍ଥା କ୍ରିୟାକର୍ମ” ଯୋଗୁଁ ଜଣେ ବ୍ୟକ୍ତି ଧାର୍ମିକ ବୋଲି ଗଣାଯାଏ ନାହିଁ । ସେ ନିଜ ବିଶ୍ୱାସ ଯୋଗୁଁ ଧାର୍ମିକ ଗଣିତ ହୁଏ । ତାʼଅର୍ଥ ଯଦି ଆମକୁ ଈଶ୍ୱର ଓ ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ ଅଛି, ତାହେଲେ ଆମେ ଈଶ୍ୱରଙ୍କୁ ଖୁସି କରିପାରିବା । ଏକଥାରୁ ଆମର କେତେ ଉତ୍ସାହ ବଢ଼େ ।
୧୧. ଯାକୁବ କେଉଁ “କର୍ମ” ବିଷୟରେ କହୁଥିଲେ ?
୧୧ କିନ୍ତୁ ଯାକୁବ ୨ ଅଧ୍ୟାୟରେ ଯେଉଁ “କର୍ମ” ବିଷୟରେ କୁହାଯାଇଛି, ତାହା “ବ୍ୟବସ୍ଥା କ୍ରିୟାକର୍ମ” ନୁହେଁ ଯାହା ବିଷୟରେ ପାଉଲ କହିଥିଲେ । ଯାକୁବ ଏଠାରେ ସେହି କାମଗୁଡ଼ିକ ବିଷୟରେ କହୁଥିଲେ ଯାହା ଖ୍ରୀଷ୍ଟିୟାନମାନେ ପ୍ରତିଦିନ ନିଜ ଜୀବନରେ କରନ୍ତି । ଏହି କାମଗୁଡ଼ିକରୁ ଜଣାପଡ଼େ ଯେ ଜଣେ ଖ୍ରୀଷ୍ଟିୟାନକୁ ଈଶ୍ୱରଙ୍କ ଉପରେ ସତରେ ବିଶ୍ୱାସ ଅଛି ନା ନାହିଁ । ଆସନ୍ତୁ ଯାକୁବ ବହିରୁ ଦୁଇଟି ଉଦାହରଣ ଉପରେ ଧ୍ୟାନ ଦେବା ।
୧୨. ଯାକୁବ କିପରି ବୁଝାଇଲେ ଯେ ବିଶ୍ୱାସ ଥିବା ସହିତ କାମ କରିବା ବି ଜରୁରୀ ଅଟେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୨ ପ୍ରଥମ ଉଦାହରଣରେ ଯାକୁବ କହିଲେ ଯେ ଖ୍ରୀଷ୍ଟିୟାନମାନଙ୍କୁ କାହାରି ସହ ଭେଦଭାବ କରିବା ଉଚିତ୍ ନୁହେଁ । ଏହାକୁ ବୁଝିବା ପାଇଁ ସେ ଜଣେ ଏପରି ବ୍ୟକ୍ତିର ଉଦାହରଣ ଦେଲେ, ଯିଏ ଜଣେ ଧନୀ ବ୍ୟକ୍ତି ସହ ବହୁତ ଭଲ ବ୍ୟବହାର କଲା, କିନ୍ତୁ ଜଣେ ଗରିବ ବ୍ୟକ୍ତି ସହ ବହୁତ ଖରାପ ବ୍ୟବହାର କଲା । ଯାକୁବ କହିଲେ ଯେ ଏପରି ବ୍ୟକ୍ତି ହୁଏତ କହିପାରେ ଯେ ତାʼ ପାଖରେ ବିଶ୍ୱାସ ଅଛି, କିନ୍ତୁ ତାʼ କାମରୁ ଏପରି ଜଣାପଡ଼େ ନାହିଁ । (ଯାକୁ. ୨:୧-୫, ୯) ଆଉ ଗୋଟିଏ ଉଦାହରଣରେ ଯାକୁବ ଆଉ ଜଣେ ବ୍ୟକ୍ତି ବିଷୟରେ କହିଲେ । ସେ ବ୍ୟକ୍ତି ଦେଖେ ଯେ ‘ତାʼର ଜଣେ ଭାଇ ବା ଭଉଣୀ ପାଖରେ ବସ୍ତ୍ର ଓ ଦୈନିକ ଖାଦ୍ୟ ନାହିଁ,’ କିନ୍ତୁ ସେ ତାଙ୍କୁ କିଛି ସାହାଯ୍ୟ କରେନି । ଯଦି ଏପରି ବ୍ୟକ୍ତି କହେ ଯେ ତାʼ ପାଖରେ ବିଶ୍ୱାସ ଅଛି, କିନ୍ତୁ ସେ ନିଜ ବିଶ୍ୱାସ ଅନୁସାରେ କାମ କରେନି, ତାହେଲେ ତାʼର ବିଶ୍ୱାସ କିଛି କାମର ନୁହଁ । ତେଣୁ ଯାକୁବ ଲେଖିଲେ, “ସେହିପରି ମଧ୍ୟ ବିଶ୍ୱାସ, କର୍ମ ବିନା ନିଜେ ମୃତ ।”—ଯାକୁ. ୨:୧୪-୧୭.
୧୩. ଯାକୁବ କେଉଁ ଉଦାହରଣ ଦେଇ କହିଲେ ଯେ ବିଶ୍ୱାସ ଥିବା ସହିତ ଭଲ କାମ କରିବା ବି ଜରୁରୀ ? (ଯାକୁବ ୨:୨୫, ୨୬)
୧୩ ଯାକୁବ ରାହାବଙ୍କ ଉଦାହରଣ ଦେଇ କହିଲେ ଯେ ଯଦି ଆମ ପାଖରେ ବିଶ୍ୱାସ ଅଛି, ତାହେଲେ ଆମେ ଏହା ନିଜ କାମରୁ ଦେଖାଇବା । (ଯାକୁବ ୨:୨୫, ୨୬ ପଢ଼ନ୍ତୁ ।) ରାହାବ ଶୁଣିଥିଲେ ଯେ ଯିହୋବା ଇସ୍ରାଏଲୀୟମାନଙ୍କୁ ସାହାଯ୍ୟ କରୁଛନ୍ତି ଆଉ ସେ ବି ଯିହୋବାଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଥିଲେ । (ଯିହୋ. ୨:୯-୧୧) ଆଉ ସେ ନିଜ ବିଶ୍ୱାସ ନିଜ କାମରୁ ଦେଖାଇଲେ । ଯେବେ ଦୁଇଜଣ ଇସ୍ରାଏଲୀୟ ଗୁପ୍ତଚରଙ୍କ ଜୀବନ ବିପଦରେ ଥିଲା, ତେବେ ସେ ସେମାନଙ୍କୁ ରକ୍ଷା କଲେ । ସେ ବି ଅବ୍ରହାମଙ୍କ ଭଳି ଅପରିପୂର୍ଣ୍ଣ ଥିଲେ ଓ ମୋଶାଙ୍କ ବ୍ୟବସ୍ଥାକୁ ମାନୁ ନ ଥିଲେ, ତଥାପି ସେ ଅବ୍ରହାମଙ୍କ ଭଳି ଧାର୍ମିକ ଗଣାଗଲେ । ରାହାବଙ୍କଠାରୁ ଆମେ ଶିଖୁ ଯେ ବିଶ୍ୱାସ ଥିବା ସହିତ କାମ କରିବା ମଧ୍ୟ ବହୁତ ଜରୁରୀ ।
୧୪. ଆମେ କାହିଁକି କହିପାରିବା ଯେ ପାଉଲ ଓ ଯାକୁବଙ୍କ କଥା ପରସ୍ପର ସହ ମେଳ ଖାଏ ?
୧୪ ପାଉଲ ଓ ଯାକୁବ ବିଶ୍ୱାସ ଓ କାମ ବିଷୟରେ ଦୁଇଟି ଅଲଗା ଅଲଗା ଉପାୟରେ ବୁଝାଉଥିଲେ । ପାଉଲ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ କହୁଥିଲେ ଯେ କେବଳ ବ୍ୟବସ୍ଥାରେ କୁହାଯାଇଥିବା କାମଗୁଡ଼ିକ କରି ହିଁ ସେମାନେ ଯିହୋବାଙ୍କୁ ଖୁସି କରିପାରିବେ ନାହିଁ । ଆଉ ଯାକୁବ କହୁଥିଲେ ଯେ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ବିଶ୍ୱାସ ଦେଖାଇବା ସହ ଅନ୍ୟମାନଙ୍କ ପାଇଁ ଭଲ କାମ ମଧ୍ୟ କରିବା ଉଚିତ୍ ।
୧୫. ଆମେ କିପରି ନିଜ କାମରୁ ଦେଖାଇପାରିବା ଯେ ଆମଠାରେ ବିଶ୍ୱାସ ଅଛି ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୧୫ ଯିହୋବା ଆମକୁ ଏପରି କହି ନାହାନ୍ତି ଯେ ଧାର୍ମିକ ଗଣିତ ହେବା ପାଇଁ ଆମକୁ ସେହି କାମ କରିବାକୁ ପଡ଼ିବ ଯାହା ଅବ୍ରହାମ କରିଥିଲେ । ଆମେ ନିଜ ବିଶ୍ୱାସ ଅନେକ ଉପାୟରେ ଦେଖାଇପାରିବା । ଯେପରି, ଆମେ ମଣ୍ଡଳୀରେ ନୂଆ ଲୋକମାନଙ୍କୁ ସ୍ୱାଗତ କରିପାରିବା, ଯେଉଁ ଭାଇଭଉଣୀମାନେ ଅସୁବିଧାରେ ଅଛନ୍ତି ସେମାନଙ୍କୁ ସାହାଯ୍ୟ କରିପାରିବା ଆଉ ନିଜ ପରିବାର ଲୋକମାନଙ୍କ ସହ ଭଲ ବ୍ୟବହାର କରିପାରିବା । ଯଦି ଆମେ ଏପରି କରିବା ତାହେଲେ ଯିହୋବା ଖୁସି ହେବେ ଓ ଆମକୁ ଆଶିଷ ଦେବେ । (ରୋମୀ. ୧୫:୭; ୧ ତୀମ. ୫:୪, ୮; ) ଆଉ ନିଜ ବିଶ୍ୱାସ ଦେଖାଇବାର ସବୁଠୁ ବଡ଼ ଉପାୟ ହେଉଛି, ଉତ୍ସାହର ସହ ଲୋକଙ୍କୁ ଖୁସିର ଖବର ଶୁଣାଇବା । ( ୧ ଯୋହ. ୩:୧୮୧ ତୀମ. ୪:୧୬) ଆମେ ସମସ୍ତେ ନିଜ କାମରୁ ଏହା ଦେଖାଇପାରିବା ଯେ ଆମେ ଏହି କଥା ଉପରେ ବିଶ୍ୱାସ କରୁ ଯେ ଯିହୋବା ନିଜ ପ୍ରତିଜ୍ଞା ପୂରା କରିବେ ଓ ତାଙ୍କ କଥା ମାନିଲେ ହିଁ ଆମକୁ ଲାଭ ହେବ । ତେବେ ଯାଇ ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ଆମକୁ ଧାର୍ମିକ ଗଣନା କରିପାରିବେ ଓ ଆମେ ତାଙ୍କ ସାଙ୍ଗ ହୋଇପାରିବା ।
ବିଶ୍ୱାସ କରିବା ପାଇଁ ଆଶା ଥିବା ଜରୁରୀ
୧୬. ଅବ୍ରହାମ କେଉଁ କାରଣ ଯୋଗୁଁ ଯିହୋବାଙ୍କ ଉପରେ ବିଶ୍ୱାସ କରିପାରିଲେ ?
୧୬ ରୋମୀୟ ୪ ଅଧ୍ୟାୟରେ ଆଉ ଗୋଟିଏ ଜରୁରୀ କଥା ବିଷୟରେ କୁହାଯାଇଛି, ତାହା ହେଉଛି ନିଜ ଆଶା ଉପରେ ଧ୍ୟାନ ଲଗାଇ ରଖିବା ବହୁତ ଜରୁରୀ । ଯିହୋବା ଅବ୍ରହାମଙ୍କୁ ପ୍ରତିଜ୍ଞା କରିଥିଲେ ଯେ ସେ “ଅନେକ ଗୋଷ୍ଠୀର ଆଦିପୁରୁଷ ହେବେ” ଓ ତାଙ୍କ ଜରିଆରେ “ଅନେକ ଗୋଷ୍ଠୀ” ଆଶିଷ ପାଇବ । ଅବ୍ରହାମଙ୍କ ପାଇଁ ଏହା କେତେ ବଡ଼ ଆଶିଷ ଥିଲା ! (ଆଦି. ୧୨:୩; ୧୫:୫; ୧୭:୪; ରୋମୀ. ୪:୧୭) କିନ୍ତୁ ଯେବେ ଅବ୍ରହାମ ଶହେ ବର୍ଷର ହୋଇଯାଇଥିଲେ ଓ ସାରା ନବେ ବର୍ଷର, ସେ ପର୍ଯ୍ୟନ୍ତ ସେମାନଙ୍କର କୌଣସି ପୁଅ ହୋଇ ନ ଥିଲେ । ଆଉ ଏହି ବୟସରେ ତାଙ୍କ ପିଲା ହେବା ଅସମ୍ଭବ ଲାଗୁଥିଲା । ଅବ୍ରହାମଙ୍କ ପାଇଁ ଯିହୋବାଙ୍କ ଉପରେ ବିଶ୍ୱାସ ରଖିବା ବହୁତ କଷ୍ଟକର ହୋଇଥିବ । ତଥାପି ତାଙ୍କ ପାଖରେ ଯେଉଁ “ଆଶା” ଥିଲା, ତାʼଯୋଗୁଁ ସେ ଏହି “ବିଶ୍ୱାସ” ରଖିପାରିଲେ ଯେ ସେ ଅନେକ ଗୋଷ୍ଠୀର ଆଦିପୁରୁଷ ହେବେ । (ରୋମୀ. ୪:୧୮, ୧୯) ଆଉ ଦିନେ ତାଙ୍କ ଆଶା ପୂରା ହେଲା । ତାଙ୍କ ପୁଅ ଇସ୍ହାକ ଜନ୍ମ ହେଲା ଯାହାର ସେ ଅନେକ ବର୍ଷରୁ ଅପେକ୍ଷା କରୁଥିଲେ ।—ରୋମୀ. ୪:୨୦-୨୨.
୧୭. ଆମେ କାହିଁକି କହିପାରିବା ଯେ ଈଶ୍ୱର ଆମକୁ ଧାର୍ମିକ ବୋଲି କହିପାରିବେ ଓ ଆମକୁ ନିଜ ସାଙ୍ଗ ମନେ କରିପାରିବେ ?
୧୭ ଅବ୍ରହାମଙ୍କ ଭଳି ଆମେ ବି ଯିହୋବାଙ୍କ ହୃଦୟକୁ ଖୁସି କରିପାରିବା ଓ ଯିହୋବା ଆମକୁ ଧାର୍ମିକ ମନେ କରିପାରନ୍ତି ଆଉ ତାଙ୍କ ସାଙ୍ଗ ମନେ କରିପାରନ୍ତି । ପାଉଲ ବି ଏବିଷୟରେ ଲେଖିଥିଲେ, “ତାଙ୍କ ପକ୍ଷରେ ଯେ [ଧାର୍ମିକ] ଗଣିତ ହେଲା, ଏହା କେବଳ [ଅବ୍ରହାମଙ୍କ] ନିମନ୍ତେ ଲିଖିତ ହୋଇ ନାହିଁ, ମାତ୍ର ଆମ୍ଭମାନଙ୍କ ନିମନ୍ତେ ମଧ୍ୟ ଲେଖା ହୋଇଅଛି; କାରଣ ଯେ ଆମ୍ଭମାନଙ୍କ ପ୍ରଭୁ ଯୀଶୁଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କଲେ, ତାହାଙ୍କଠାରେ ବିଶ୍ୱାସ କରୁଅଛୁ ଯେ ଆମ୍ଭେମାନେ, ଆମ୍ଭମାନଙ୍କ ପକ୍ଷରେ ମଧ୍ୟ ତାହା ଗଣିତ ହେବ ।” (ରୋମୀ. ) ଅବ୍ରହାମଙ୍କ ଭଳି ଆମକୁ ବି ଯିହୋବାଙ୍କ ଉପରେ ବିଶ୍ୱାସ କରିବାକୁ ପଡ଼ିବ, ଭଲ କାମ କରିବାକୁ ପଡ଼ିବ ଆଉ ଏହା ଆଶା ରଖିବାକୁ ପଡ଼ିବ ଯେ ଯିହୋବାଙ୍କ ପ୍ରତିଜ୍ଞାଗୁଡ଼ିକ ପୂରା ହେବ । ପାଉଲ ଏହି ଆଶା ବିଷୟରେ ୪:୨୩, ୨୪ରୋମୀୟ ୫ ଅଧ୍ୟାୟରେ ବି କହିଛନ୍ତି । ପରବର୍ତ୍ତୀ ଲେଖାରେ ଆମେ ଏବିଷୟରେ ଅଧିକ ଜାଣିବା ।
ଗୀତ ୨୮ କୌନ ହୈ ୟହୋୱା କା ଦୋସ୍ତ?
a ଆମେ ସମସ୍ତେ ଚାହୁଁ ଯେ ଈଶ୍ୱର ଆମଠାରୁ ଖୁସି ହୁଅନ୍ତୁ ଓ ଆମକୁ ଧାର୍ମିକ ମନେକରନ୍ତୁ । ତାʼପାଇଁ ଆମକୁ କʼଣ କରିବାକୁ ପଡ଼ିବ ? ଏହାର ଉତ୍ତର ଜାଣିବା ପାଇଁ ଆସନ୍ତୁ ପାଉଲ ଓ ଯାକୁବ ଲେଖିଥିବା କିଛି କଥାଗୁଡ଼ିକ ଉପରେ ଧ୍ୟାନ ଦେବା । ଏହି ଲେଖାରେ ଆମେ ଏହା ବି ଜାଣିବା ଯେ ଈଶ୍ୱରଙ୍କୁ ଖୁସି କରିବା ପାଇଁ ବିଶ୍ୱାସ ଓ ଭଲ କାମ କରିବା, ଉଭୟ କାହିଁକି ଜରୁରୀ ।
b ଚିତ୍ର ବିଷୟରେ: ପାଉଲ ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ କହିଲେ ଯେ ସେମାନେ ବିଶ୍ୱାସ କରନ୍ତୁ, କେବଳ ‘ବ୍ୟବସ୍ଥାରେ ଦିଆଯାଇଥିବା କ୍ରିୟାକର୍ମ’ ନୁହଁ । ଯେପରି ଝାଲରର ଉପରେ ନୀଳ ରଙ୍ଗର ଫିତା ଲଗାଇବା, ନିସ୍ତାର ପର୍ବ ପାଳନ କରିବା, ଶୁଦ୍ଧ କରିବାର ବିଧି ମାନିବା ।
c ଚିତ୍ର ବିଷୟରେ: ଯାକୁବ କହିଲେ ଯେ ଆମକୁ ଭଲ କାମ କରି ନିଜ ବିଶ୍ୱାସ ଦେଖାଇବା ଉଚିତ୍, ଯେପରି ଗରିବମାନଙ୍କ ସାହାଯ୍ୟ କରିବା ।