इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ମଦ ବିଷୟରେ ଈଶ୍ୱରଙ୍କ ଚିନ୍ତାଧାରା ଆପଣାନ୍ତୁ

ମଦ ବିଷୟରେ ଈଶ୍ୱରଙ୍କ ଚିନ୍ତାଧାରା ଆପଣାନ୍ତୁ

ଯିହୋବା ଆମକୁ ଅନେକ ଗୁଡ଼ିଏ ବଢ଼ିଆ ଉପହାର ଦେଇଛନ୍ତି । ଆଉ ଖୁସିର କଥା ଯେ ଏହି ଉପହାର ଗୁଡ଼ିକୁ କିପରି ବ୍ୟବହାର କରିବାର ଅଛି, ତାହା ଯିହୋବା ଆମ ଉପରେ ଛାଡ଼ିଛନ୍ତି । ବାଇବଲରେ କୁହାଯାଇଛି ଯେ ମଦ ମଧ୍ୟ ଈଶ୍ୱରଙ୍କ ତରଫରୁ ଗୋଟେ ଉପହାର ଅଟେ । ଏଥିରେ ଲେଖାଅଛି, “ହାସ୍ୟ ନିମନ୍ତେ ଭୋଜ ପ୍ରସ୍ତୁତ ହୁଏ, ପୁଣି ଦ୍ରାକ୍ଷାରସ ଜୀବନ ଆନନ୍ଦିତ କରେ ।” (ଉପ. ୧୦:୧୯; ଗୀତ. ୧୦୪:୧୫) କିନ୍ତୁ ଆପଣ ଦେଖିଥିବେ ଯେ ମଦ ଯୋଗୁଁ ଅନେକ ଲୋକମାନଙ୍କୁ ସମସ୍ୟାଗୁଡ଼ିକର ବି ସାମନା କରିବାକୁ ପଡ଼େ । ଏହାଛଡ଼ା ମଦ ବିଷୟରେ ସାରା ଦୁନିଆରେ ଲୋକମାନଙ୍କ ଅଲଗା ଅଲଗା ମତ ରହିଛି । ତେବେ ଖ୍ରୀଷ୍ଟିୟାନମାନେ ଏହି ବିଷୟରେ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବେ ?

ଆମେ ଯେଉଁଠି ବି ରହୁ କିମ୍ବା ଆମ ଲାଳନପାଳନ ଯେଉଁଠି ବି ହୋଇଥାଉ ନା କାହିଁକି, ଏହି ମାମଲାରେ ଈଶ୍ୱରଙ୍କ ଚିନ୍ତାଧାରା ଆପଣାଇବା ଭଲ ହେବ । ଯଦି ଆମେ ତାଙ୍କ ଅନୁସାରେ ନିଷ୍ପତ୍ତି ନେବା, ତେବେ ଆମକୁ ନିଶ୍ଚୟ ଲାଭ ହେବ ଆଉ ଆମେ ଖୁସିରେ ରହିପାରିବା ।

ଆପଣ ଦେଖିଥିବେ, ଦୁନିଆରେ ଅନେକ ଲୋକ ପ୍ରାୟ ମଦ ପିଅନ୍ତି ଆଉ ବହୁତ ବେଶୀ ପିଅନ୍ତି । କିଛି ଲୋକ ଥକା ଦୂର କରିବା ପାଇଁ ପିଅନ୍ତି, କିଛି ଲୋକ ଚିନ୍ତା କିମ୍ବା ଦୁଃଖ ଭୁଲିବା ପାଇଁ ପିଅନ୍ତି ଆଉ କିଛି ଅନ୍ୟମାନଙ୍କୁ ଦେଖେଇବା ପାଇଁ ପିଅନ୍ତି । କିଛି ଜାଗାରେ ଲୋକମାନେ ଏହା ବି ମାନନ୍ତି ଯେ ଯିଏ ଅଧିକ ପିଇପାରିବ ସେ ହିଁ ଅସଲି ପୁରୁଷ ଅଟେ ।

କିନ୍ତୁ ଈଶ୍ୱର ଖ୍ରୀଷ୍ଟିୟାନମାନଙ୍କୁ ଏହି ବିଷୟରେ ବହୁତ ବଢ଼ିଆ ପରାମର୍ଶ ଦେଇଛନ୍ତି । ଯେପରି ସେ ଆମକୁ କହିଛନ୍ତି ଅତ୍ୟଧିକ ମଦ ପିଇଲେ କେଉଁ କେଉଁ ପରିଣାମ ଭୋଗିବାକୁ ପଡ଼ିପାରେ । ହିତୋପଦେଶ ୨୩:୨୯-୩୫ ପଦରେ ସ୍ପଷ୍ଟଭାବେ କୁହାଯାଇଛି ଯେ ଯେଉଁମାନେ ନିଶାରେ ବୁଡ଼ି ରହନ୍ତି, ତାଙ୍କର କʼଣ ଅବସ୍ଥା ହୁଏ ଆଉ ଅତ୍ୟଧିକ ପିଇବା ଯୋଗୁଁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିପାରେ । a ଟିକେ ୟୁରୋପରେ ରହୁଥିବା ଜଣେ ପ୍ରାଚୀନ, ଭାଇ ଡାନିଏଲଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ସେ କହନ୍ତି ସତ୍ୟରେ ଆସିବା ପୂର୍ବରୁ ତାଙ୍କ ଜୀବନ କିପରି ଥିଲା, “ମୁଁ ବହୁତ ମଦ ପିଉଥିଲି ଆଉ ଏହି କାରଣରୁ ମୁଁ ଅନେକ ଭୁଲ ନିଷ୍ପତ୍ତି ନେଲି । ମୁଁ କହିପାରିବିନି ଯେ ଏହା ଯୋଗୁଁ ମୋ ସହ କʼଣ କʼଣ ହେଲା । ଆଜି ଯେବେ ମୁଁ ସେହି ସମୟକୁ ମନେପକାଏ, ମୁଁ ବହୁତ ବ୍ୟସ୍ତ ହୋଇଯାଏ ।”

ଖ୍ରୀଷ୍ଟିୟାନମାନେ ଏହି ମାମଲାରେ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବେ ଆଉ ଅତ୍ୟଧିକ ପିଇବାର ଖରାପ ପରିଣାମଗୁଡ଼ିକରୁ କିପରି ବଞ୍ଚିପାରିବେ ? ଆମକୁ ଏହା ଧ୍ୟାନ ଦେବା ଉଚିତ୍‌ ଯେ ଏହି ମାମଲାରେ ଈଶ୍ୱରଙ୍କ ଚିନ୍ତାଧାରା କʼଣ ଆଉ ତାʼ ଅନୁସାରେ ନିଷ୍ପତ୍ତି ନେବା ଉଚିତ୍‌ ।

ଆସନ୍ତୁ ଦେଖିବା ଯେ ମଦ ବିଷୟରେ ବାଇବଲରେ କʼଣ କୁହାଯାଇଛି ଆଉ ଏହା ବି ଜାଣିବା ଯେ କିଛି ଲୋକ କାହିଁକି ପିଅନ୍ତି ।

ବାଇବଲରେ କʼଣ କୁହାଯାଇଛି ?

ସୀମାରେ ରହି ମଦ ପିଇବାକୁ ବାଇବଲରେ ଭୁଲ କୁହାଯାଇ ନାହିଁ । ଏଥିରେ ଏହା ବି କୁହାଯାଇଛି ଯେ ମଦ ପିଇବା ଦ୍ୱାରା ଆମକୁ ଖୁସି ମିଳେ । ଏଥିରେ ଲେଖାଅଛି, “ଆନନ୍ଦରେ ଆପଣା ଆହାର ଭୋଜନ କର ଓ ହୃଷ୍ଟଚିତ୍ତରେ ଆପଣା ଦ୍ରାକ୍ଷାରସ ପାନ କର ।” (ଉପ. ୯:୭) କେତେକ ଅବସରରେ ଯୀଶୁ ମଧ୍ୟ ଦ୍ରାକ୍ଷାରସ ପିଇଥିଲେ ଏବଂ ଯିହୋବାଙ୍କ ଅନ୍ୟ ବିଶ୍ୱସ୍ତ ସେବକମାନେ ବି ପିଉଥିଲେ ।—ମାଥି. ୨୬:୨୭-୨୯; ଲୂକ ୭:୩୪; ୧ ତୀମ. ୫:୨୩.

କିନ୍ତୁ ବାଇବଲରେ ସ୍ପଷ୍ଟଭାବେ କୁହାଯାଇଛି ଯେ ଟିକେ ମଦ ପିଇବା ଓ ମଦ ପିଇ ନିଶାରେ ବୁଡ଼ି ରହିବାରେ ବହୁତ ପାର୍ଥକ୍ୟ ଅଛି । ଏଥିରେ ଲେଖାଅଛି, “ଦ୍ରାକ୍ଷାରସରେ ମତ୍ତ ନ ହୁଅ ।” (ଏଫି. ୫:୧୮) ଏଥିରେ ଏହା ବି କୁହାଯାଇଛି ଯେ “ମତୁଆଳ . . . ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ ।” (୧ କରି. ୬:୧୦) ଏଥିରୁ ଜଣାପଡ଼େ ଯେ ଯିହୋବା ଅତ୍ୟଧିକ ମଦ ପିଇବା ଆଉ ମଦ ପିଇ ନିଶାରେ ବୁଡ଼ି ରହିବାକୁ ଘୃଣା କରନ୍ତି । ଏଥିପାଇଁ ଏହି ମାମଲାରେ ଯେବେ କୌଣସି ନିଷ୍ପତ୍ତି ନେବାର ଥାଏ, ତେବେ ଆମେ ଆମ ଆଖପାଖ ଲୋକଙ୍କ ଦେଖାଦେଖି ତାଙ୍କ ପରି କରି ନ ଥାଉ ବରଂ ଏହା ଧ୍ୟାନ ଦେଉ ଯେ ଏବିଷୟରେ ଈଶ୍ୱରଙ୍କ ଚିନ୍ତାଧାରା କʼଣ ।

କିଛି ଲୋକଙ୍କୁ ଲାଗେ ଯେ ସେମାନେ ଯେତେ ପିଇଲେ ବି, ନିଶାରେ ବୁଡ଼ିବେନି । କିନ୍ତୁ ଏପରି କରିବା ବିପଦପୂର୍ଣ୍ଣ ହୋଇପାରେ । ବାଇବଲରେ ସ୍ପଷ୍ଟଭାବେ କୁହାଯାଇଛି ଯେ କୌଣସି ପୁରୁଷ କିମ୍ବା ମହିଳା “ମଦ୍ୟପାନରେ ଆସକ୍ତା” ହୋଇଯାʼନ୍ତି, ତେବେ ସେମାନେ ବହୁତ ବଡ଼ ପାପ କରିପାରନ୍ତି ଏବଂ ଯିହୋବାଙ୍କ ସହ ସେମାନଙ୍କ ସମ୍ପର୍କ ଖରାପ ହୋଇପାରେ । (ତୀତ. ୨:୩; ହିତୋ. ୨୦:୧) ଯୀଶୁ ତ ଏହା ବି କହିଥିଲେ ଯେ ଯେଉଁ ଲୋକ ‘ମଦ୍ୟପାନ କରି ମାତାଲ ହୋଇଥା’ନ୍ତି,’ ନୂଆ ଦୁନିଆରେ ଯିବା ସେମାନଙ୍କ ପାଇଁ ସମ୍ଭବ ହୋଇ ନ ପାରେ । (ଲୂକ ୨୧:୩୪-୩୬, ଇଜି-ଟୁ-ରିଡ୍‌ ଭର୍ସନ) ତେବେ ଜଣେ ଖ୍ରୀଷ୍ଟିୟାନ ସେହି ଖରାପ ପରିଣାମରୁ କିପରି ବଞ୍ଚିପାରିବ ଯାହା ମଦ ପିଇବା ଯୋଗୁଁ ହୋଇଥାଏ ?

ଆପଣ କାହିଁକି, କେବେ ଓ କେତେ ପିଅନ୍ତି ?

ମଦ ବିଷୟରେ କୌଣସି ନିଷ୍ପତ୍ତି ନେବା ସମୟରେ ଯଦି ଆପଣ ନିଜ ଆଖପାଖ ଲୋକମାନଙ୍କର ଚିନ୍ତାଧାରା ଉପରେ ଧ୍ୟାନ ଦିଅନ୍ତି, ତେବେ ଏହା ବହୁତ ବିପଦପୂର୍ଣ୍ଣ ହୋଇପାରେ । ଯେବେ ଖାଇବା ପିଇବାର କଥା ଆସେ, ତେବେ ଖ୍ରୀଷ୍ଟିୟାନମାନେ ଏହି କଥା ଉପରେ ଧ୍ୟାନ ଦିଅନ୍ତି ଯେ ଯିହୋବା କେଉଁ କଥାରୁ ଖୁସି ହେବେ । ବାଇବଲରେ ଲେଖାଅଛି, “ତୁମ୍ଭେମାନେ ଭୋଜନ କର କି ପାନ କର ଅବା ଯାହା କିଛି କର, ଈଶ୍ୱରଙ୍କ ଗୌରବ ନିମନ୍ତେ ସବୁ କର ।” (୧ କରି. ୧୦:୩୧) ଆସନ୍ତୁ କିଛି ପ୍ରଶ୍ନ ଉପରେ ଧ୍ୟାନ ଦେବା ଏବଂ ଜାଣିବା ଯେ ଏବିଷୟରେ ବାଇବଲରେ କʼଣ ସିଦ୍ଧାନ୍ତ ଦିଆଯାଇଛି ।

କʼଣ ମୁଁ ଏଥିପାଇଁ ପିଏ ଯେ ଲୋକମାନେ ମୋ ଥଟ୍ଟା କରନ୍ତୁ ନାହିଁ ? ଯାତ୍ରା ପୁସ୍ତକ ୨୩:୨ ପଦରେ ଲେଖାଅଛି, ‘ତୁମ୍ଭେ ବହୁ ଲୋକର ପଶ୍ଚାଦ୍‌ବର୍ତ୍ତୀ ହେବ ନାହିଁ ।’ ଏଠାରେ ଯିହୋବା ଇସ୍ରାଏଲୀୟମାନଙ୍କୁ ସତର୍କ କରାଉଥିଲେ ଯେ ସେମାନେ ସେହି ଲୋକମାନଙ୍କ ଭଳି ହୁଅନ୍ତୁ ନାହିଁ ଯେଉଁମାନେ ଖରାପ କାମଗୁଡ଼ିକ କରୁଥିଲେ । ଆଜି ଆମ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଏହି କଥା ଉପରେ ଧ୍ୟାନ ଦେବା ଉଚିତ୍‌ । ମଦ ବିଷୟରେ ଯଦି ଆମେ ନିଜ ସାଙ୍ଗସାଥୀମାନଙ୍କ ଭଳି ଭାବିବାକୁ ଲାଗିବା ଏବଂ ତାଙ୍କ ଦେଖାଦେଖି କରିବାକୁ ଲାଗିବା, ତେବେ ହୋଇପାରେ ଯେ ଆମେ ଧୀରେ ଧୀରେ ବାଇବଲର ସ୍ତରଗୁଡ଼ିକୁ ମାନିବା ଛାଡ଼ିଦେବା ଏବଂ ଯିହୋବାଙ୍କଠାରୁ ଦୂରେଇ ଯିବା ।—ରୋମୀ. ୧୨:୨.

କʼଣ ମୁଁ ଏହା ଦେଖାଇବା ପାଇଁ ପିଏ ଯେ ମୁଁ କେତେ ପିଇପାରୁଛି ? କିଛି ସଂସ୍କୃତିରେ ଲୋକେ ପ୍ରାୟ ଅତ୍ୟଧିକ ମଦ ପିଅନ୍ତି ଏବଂ ଏହି କଥାକୁ ଖରାପ ବୋଲି ଭାବନ୍ତି ନାହିଁ । (୧ ପିତ. ୪:୩) କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ବାଇବଲରେ କେତେ ବଢ଼ିଆ ପରାମର୍ଶ ଦିଆଯାଇଛି, “ତୁମ୍ଭେମାନେ ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇଥାଅ, ସାହସିକ ହୋଇ ବଳବାନ ହୁଅ ।” (୧ କରି. ୧୬:୧୩) କʼଣ ମଦ ପିଇବା ଯୋଗୁଁ ଜଣେ ବ୍ୟକ୍ତି ପୁରୁଷତ୍ତ୍ୱ ଭଳି କାମ କରେ ଆଉ ତାକୁ ବହୁତ ଶକ୍ତି ମିଳେ ? ନୁହେଁ, ବରଂ ଏହାର ଓଲଟା ହିଁ ହୋଇଥାଏ । ଲୋକମାନେ ପ୍ରାୟ ମଦ ପିଇ ନିଜ ଚେତା ହରାଇ ବସନ୍ତି, ସେମାନେ ସଠିକ୍‌ ଭାବରେ ଭାବିପାରନ୍ତି ନାହିଁ ଆଉ କୌଣସି କାମ ବି ଠିକ୍‌ରେ କରିପାରନ୍ତି ନାହିଁ । ପ୍ରକୃତରେ ଅତ୍ୟଧିକ ପିଇବା ପୁରୁଷପଣିଆ ନୁହେଁ, ବରଂ ଦୁର୍ବଳତାର ସଂକେତ ଅଟେ । ଯିଶାଇୟ ୨୮:୭ ପଦରେ କୁହାଯାଇଛି ଯେ ଯେଉଁମାନେ ମଦ ନିଶାରେ ଭ୍ରାନ୍ତ ହୋଇଯାʼନ୍ତି, ସେମାନେ ବିପଥ ହୋଇଯାʼନ୍ତି ଆଉ ବିଚାରରେ ଝୁଣ୍ଟି ପଡ଼ନ୍ତି ।

ପ୍ରକୃତରେ ସେହି ବ୍ୟକ୍ତି ଶକ୍ତିଶାଳୀ ହୋଇଥାଏ ଯିଏ ‘ଜାଗ୍ରତ ରହି ବିଶ୍ୱାସରେ ସ୍ଥିର ହୋଇ ରହିଥାଏ ।’ ଏହି ଭଳି ବ୍ୟକ୍ତି ସବୁବେଳେ ସତର୍କ ରହିଥାଏ ଏବଂ ପୂରା ଧ୍ୟାନ ରଖେ ଯେ ସେ ଏବେ କିଛି ଏପରି ନ କରୁ ଯେଉଁଥିରୁ ଯିହୋବାଙ୍କ ସହ ତାʼର ସମ୍ପର୍କ ଖରାପ ହୋଇଯାଉ । ଆଉ ଯିହୋବାଙ୍କ ସାହାଯ୍ୟରୁ ହିଁ ଜଣେ ବ୍ୟକ୍ତି ଏପରି କରିପାରିବ, ସେ ହିଁ ତାକୁ ଶକ୍ତିଶାଳୀ କରିଥାʼନ୍ତି । (ଗୀତ. ୧୮:୩୨) ଏହି ମାମଲାରେ ଯୀଶୁ ଆମ ପାଇଁ ବଢ଼ିଆ ଉଦାହରଣ ଅଟନ୍ତି । ତାଙ୍କର ଯିହୋବାଙ୍କ ସହ ଦୃଢ଼ ସମ୍ପର୍କ ଥିଲା । ଏହା ଯୋଗୁଁ ସେ ସାହସର ସହ କାମ କରିପାରୁଥିଲେ ଆଉ ସବୁବେଳେ ସଠିକ୍‌ କାମ କରୁଥିଲେ । ଆଉ ଅନେକ ଲୋକ ଏହି କଥା ଯୋଗୁଁ ତାଙ୍କ ସମ୍ମାନ କରୁଥିଲେ ।

କʼଣ ମୁଁ ନିଜ ଚିନ୍ତା କିମ୍ବା ଦୁଃଖ ଭୁଲିବା ପାଇଁ ପିଏ ? ଗୀତସଂହିତାର ଜଣେ ଲେଖକ କହିଲେ, “ମୋʼ ଆନ୍ତରିକ ଭାବନାର ବାହୁଲ୍ୟ ସମୟରେ [ଯିହୋବା] ତୁମ୍ଭର ସାନ୍ତ୍ୱନାସବୁ ମୋʼ ପ୍ରାଣକୁ ଆହ୍ଲାଦିତ କରେ ।” (ଗୀତ. ୯୪:୧୯) ଯେବେ ଚିନ୍ତାଗୁଡ଼ିକ ଆପଣଙ୍କୁ ଘେରିଯାଏ, ତେବେ ମଦର ସାହାଯ୍ୟ ନେବା ପରିବର୍ତ୍ତେ ଯିହୋବାଙ୍କ ଆଡ଼େ ଧ୍ୟାନ ଦିଅନ୍ତୁ, ସେ ଆପଣଙ୍କୁ ଶାନ୍ତି ଦେବେ । ଯିହୋବାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ବାରମ୍ବାର ତାଙ୍କୁ ପ୍ରାର୍ଥନା କରନ୍ତୁ । ଏହା ବ୍ୟତୀତ ଆପଣ ମଣ୍ଡଳୀରେ କୌଣସି ପ୍ରୌଢ଼ ସାଙ୍ଗଠାରୁ ପରାମର୍ଶ ନେଇପାରିବେ । ଏପରି କରିବାରୁ ଅନେକ ଲୋକଙ୍କୁ ଲାଭ ହୋଇଛି । ମଦ ପିଇବା ଯୋଗୁଁ ଆମ ଚିନ୍ତା ଓ ସମସ୍ୟାଗୁଡ଼ିକ କମ୍‌ ହୋଇ ନ ଥାଏ, ବରଂ ସଠିକ୍‌ କାମ କରିବାର ଆମ ଉଦ୍ଦେଶ୍ୟ ଦୁର୍ବଳ ହୋଇଯାଏ । (ହୋଶେ. ୪:୧୧) ଭାଇ ଡାନିଏଲ ଯାହାଙ୍କ ବିଷୟରେ ଆଗରୁ କୁହାଯାଇଥିଲା, କହନ୍ତି, “ମୋତେ ଚିନ୍ତାଗୁଡ଼ିକ ଘେରି ଯାଉଥିଲା ଏବଂ ମୋ ଦ୍ୱାରା ଯେଉଁ ଭୁଲଗୁଡ଼ିକ ହୋଇଥିଲା ସେବିଷୟରେ ଭାବି ମୁଁ ବହୁତ ଦୁଃଖୀତ ରହୁଥିଲି । ତେଣୁ ମୁଁ ମଦ ପିଇବାକୁ ଲାଗିଲି । କିନ୍ତୁ ଏଥିରୁ ମୋ ସମସ୍ୟା ଆହୁରି ବଢ଼ିଗଲା । ଲୋକମାନଙ୍କ ସହ ମୋ ସମ୍ପର୍କ ଖରାପ ହୋଇଗଲା ଆଉ ମୁଁ ନିଜକୁ ନୀଚ ମନେ କରିବାକୁ ଲାଗିଲି ।” ତେବେ ଭାଇ ଡାନିଏଲକୁ କେଉଁ କଥାରୁ ସାହାଯ୍ୟ ମିଳିଲା ? ସେ କହନ୍ତି, “ମୋତେ ଅନୁଭବ ହେଲା ଯେ ମୋ ସମସ୍ୟାଗୁଡ଼ିକର ସମାଧାନ ମଦ ନୁହେଁ, ବରଂ ଯିହୋବା ଅଟନ୍ତି । ଆଉ ଯେବେ ମୁଁ ତାଙ୍କଠାରୁ ସାହାଯ୍ୟ ନେଲି, ତେବେ ମୁଁ ନିଜ ସମସ୍ୟାଗୁଡ଼ିକର ସାମନା କରିପାରିଲି, ଆଉ ମୋତେ ବହୁତ ଶାନ୍ତି ମିଳିଲା ।” ଅନେକଥର ହୁଏତ ଆମେ ଚିନ୍ତାରେ ଏତେ ବୁଡ଼ିଯାଉ ଯେ ଆମକୁ କୌଣସି ରାସ୍ତା ଦେଖାଯାଏ ନାହିଁ, କିନ୍ତୁ ଯିହୋବା ସବୁବେଳେ ଆମ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହନ୍ତି ।—ଫିଲିପ୍‌. ୪:୬, ୭; ୧ ପିତ. ୫:୭.

ଯଦି ଆପଣ ବେଳେବେଳେ ମଦ ପିଅନ୍ତି, ତେବେ ଆପଣ ନିଜକୁ କିଛି ପ୍ରଶ୍ନ ପଚାରି ଜାଣିପାରିବେ ଯେ ଏହି ମାମଲାରେ କʼଣ ଆପଣଙ୍କୁ କିଛି ପରିବର୍ତ୍ତନ କରିବାର ଅଛି ନା ନାହିଁ । ଯେପରି ଆପଣ ନିଜକୁ ପଚାରିପାରିବେ, ‘କʼଣ ପରିବାରର କୌଣସି ସଦସ୍ୟ କିମ୍ବା ମୋ ସାଙ୍ଗମାନେ ଏବିଷୟରେ ମୋତେ କିଛି କହିଛନ୍ତି ?’ ଯଦି ହଁ, ତେବେ ଏହାର ଅର୍ଥ ହୋଇପାରେ ଆପଣଙ୍କୁ ପିଇବାର ଅଭ୍ୟାସ ହେବାକୁ ଲାଗିଛି ଏବଂ ଆପଣଙ୍କୁ ଏହା ଜଣା ହିଁ ପଡ଼ୁନି । କିମ୍ବା ଆପଣ ଭାବିପାରିବେ, ‘କʼଣ ମୁଁ ଆଗ ଅପେକ୍ଷା ବେଶୀ ପିଇବାକୁ ଲାଗିଛି ?’ ଯଦିଓ ଏବେ ଯାଏଁ ଜଣେ ବ୍ୟକ୍ତିକୁ ମଦ ପିଇବାର ଅଭ୍ୟାସ ହୋଇନାହିଁ, କିନ୍ତୁ ଯଦି ସେ ଏପରି ଭାବେ ପିଇବାରେ ଲାଗି ରହିବ ତେବେ ନିଶ୍ଚୟ ଦିନେ ତାକୁ ଏହାର ଅଭ୍ୟାସ ହୋଇଯିବ । କିମ୍ବା ଏବିଷୟରେ ଭାବନ୍ତୁ, ‘କʼଣ ଏପରି ହୁଏ ଯେ ଯଦି କିଛି ଦିନ ମୋତେ ମଦ ନ ମିଳେ, ତେବେ ମୁଁ ରହିପାରେନି ?’ ଯଦି ଏପରି ହୁଏ, ତେବେ ହୁଏତ ଆପଣଙ୍କୁ ଏହାର ଅଭ୍ୟାସ ହୋଇଯାଇଛି । ଏବେ ଏହାକୁ ଛାଡ଼ିବା ପାଇଁ ହୁଏତ ଆପଣଙ୍କୁ ଡାକ୍ତର ଇତ୍ୟାଦିଙ୍କଠାରୁ ସାହାଯ୍ୟ ନେବାକୁ ପଡ଼ିପାରେ ।

ଯେପରି ଆମେ ଦେଖିଲୁ, ମଦ ପିଇବା ଯୋଗୁଁ ଅନେକ ସମସ୍ୟା ସୃଷ୍ଟି ହୋଇପାରେ । ସେଥିପାଇଁ କିଛି ଖ୍ରୀଷ୍ଟିୟାନ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ କେବେ ବି ପିଇବେ ନାହିଁ । ଆଉ କିଛି ଖ୍ରୀଷ୍ଟିୟାନ ଏଥିପାଇଁ ପିଅନ୍ତି ନାହିଁ କାରଣ ସେମାନଙ୍କୁ ତାʼର ସ୍ୱାଦ ଭଲ ଲାଗେ ନାହିଁ । ଯଦି ଆପଣଙ୍କ କୌଣସି ସାଙ୍ଗ ମଦ ପିଏ ନାହିଁ, ତେବେ ତାଙ୍କ ବିଷୟରେ ଓଲଟା ସିଧା କହିବା ପରିବର୍ତ୍ତେ ଆପଣ ତାଙ୍କ ନିଷ୍ପତ୍ତିକୁ ଆଦର କରିପାରିବେ । ଏପରି କରି ଆପଣ ତାଙ୍କ ପାଇଁ ନିଜ ପ୍ରେମ ଦେଖାଉଥିବେ ।

ହୋଇପାରେ, ଆପଣ ଭାବିନେଇ ଥିବେ ଯେ ଆପଣ ସୀମାରେ ରହି ମଦ ପିଇବେ । କିମ୍ବା ହୁଏତ ଆପଣ ଏହା ନିର୍ଦ୍ଧାରିତ କରିବେ ଯେ ଆପଣ କେତେ ଥର ପିଇବେ, ଯେପରି ହୁଏତ ସପ୍ତାହରେ ଥରେ କିମ୍ବା ଖାଇବା ସମୟରେ ବେଳେବେଳେ କମ୍‌ ମାତ୍ରାରେ ପିଇବେ । କିନ୍ତୁ ଆଉ କିଛି ଖ୍ରୀଷ୍ଟିୟାନ ହୁଏତ ଏହା ନିର୍ଦ୍ଧାରିତ କରନ୍ତି ଯେ ସେମାନେ କିଛି ପ୍ରକାରର ମଦ ପିଇବେ, କିନ୍ତୁ କିଛି ପ୍ରକାରର ନାହିଁ । ଯେପରି ହୁଏତ ସେମାନେ ଭାବିପାରନ୍ତି ଯେ ସେମାନେ ୱାଇନ କିମ୍ବା ବିୟର କିଛି ମାତ୍ରାରେ ପିଇପାରିବେ ଯେଉଁଥିରେ କମ୍‌ ନିଶା ଥାଏ, କିନ୍ତୁ ଏପରି ମଦ ପିଇବେ ନାହିଁ ଯେଉଁଥିରେ ବେଶୀ ନିଶା ଥାଏ, ଏପରିକି ଜୁସ୍‌ କିମ୍ବା କୋଲଡ୍ରିଙ୍ଗରେ ମିଶାଇ ମଧ୍ୟ ପିଇବେ ନାହିଁ । ଥରେ ଯେବେ ଜଣେ ବ୍ୟକ୍ତି ପିଇବା ମାମଲାରେ ସୀମା ନିର୍ଦ୍ଧାରିତ କରିନିଏ, ତେବେ ତାʼ ଅନୁସାରେ ଚଳିବା ତାʼପାଇଁ ସହଜ ହୋଇଯାଏ । ଯଦି ଜଣେ ଖ୍ରୀଷ୍ଟିୟାନ ନିଜ ପାଇଁ କିଛି ସୀମା ନିର୍ଦ୍ଧାରିତ କରିଛି ଆଉ ତାʼ ଅନୁସାରେ ଚାଲୁଛି, ତେବେ ଏହା ଭାବି ଚିନ୍ତା କରିବା ଉଚିତ୍‌ ନୁହେଁ ଯେ ଅନ୍ୟମାନେ କʼଣ କହିବେ ।

ମଦ ବିଷୟରେ କୌଣସି ନିଷ୍ପତ୍ତି ନେବା ଆଗରୁ ଆମକୁ ଅନ୍ୟମାନଙ୍କ ବିଷୟରେ ମଧ୍ୟ ଭାବିବା ଉଚିତ୍‌ । ରୋମୀୟ ୧୪:୨୧ ପଦରେ ଲେଖାଅଛି, “ମାଂସ ଭୋଜନ କିମ୍ବା ଦ୍ରାକ୍ଷାରସ ପାନ ଅବା ଯେକୌଣସି ବିଷୟରେ ତୁମ୍ଭର ଭାଇର ବାଧା ଜନ୍ମେ, ତାହା ନ କଲେ ଭଲ ।” ଆପଣ ଏହି ପରାମର୍ଶକୁ କିପରି ମାନିପାରିବେ ? ଭାଇଭଉଣୀଙ୍କୁ ପ୍ରେମ କରି । କୌଣସି ଅବସରରେ ହୋଇପାରେ ଆପଣଙ୍କୁ ଲାଗେ ଯେ ଆପଣ ମଦ ପିଇବା ଯୋଗୁଁ କାହାରି ଝୁଣ୍ଟିବାର କାରଣ ହୋଇପାରିବେ । ଏପରି ସମୟରେ କʼଣ ପ୍ରେମ ଯୋଗୁଁ ଆପଣ ମଦ ପିଇବା ମନା କରିବେ ? ଏପରି କରି ଆପଣ ଦେଖାଉଥିବେ ଯେ ଆପଣଙ୍କୁ କେବଳ ନିଜର ଚିନ୍ତା ନାହିଁ, ବରଂ ଆପଣ ଅନ୍ୟମାନଙ୍କ ବିଷୟରେ ଭାବନ୍ତି ଓ ସେମାନଙ୍କର ଆଦର ମଧ୍ୟ କରନ୍ତି ।—୧ କରି. ୧୦:୨୪.

ଏହାଛଡ଼ା, ଜଣେ ଖ୍ରୀଷ୍ଟିୟାନ ଯେଉଁ ଦେଶରେ ରହେ, ହୋଇପାରେ ସେଠାର ସରକାର ମଦ ପିଇବା ମାମଲାରେ କିଛି ନିୟମ ତିଆରି କରିଛି । ତାଙ୍କୁ ସେହି ନିୟମଗୁଡ଼ିକୁ ଧ୍ୟାନରେ ରଖି ନିଷ୍ପତ୍ତି ନେବା ଉଚିତ୍‌ । ଯେପରି, ହୁଏତ ସରକାର ନିୟମ କରିଛି ଯେ ଗୋଟିଏ ନିର୍ଦ୍ଧିଷ୍ଟ ବୟସ ହେବା ପରେ ହିଁ ଲୋକମାନେ ମଦ ପିଇପାରିବେ, ତାʼଠାରୁ କମ୍‌ ବୟସର ନୁହେଁ କିମ୍ବା ଏହି ନିୟମ ଯେ ମଦ ପିଇ ଗାଡ଼ି ଚଲାଇବା କିମ୍ବା କୌଣସି ମେସିନ୍‌ ଚଲାଇବା ମନା ଅଟେ ।—ରୋମୀ. ୧୩:୧-୫.

ଯିହୋବା ଆମକୁ ଯେଉଁ ବଢ଼ିଆ ଉପହାରଗୁଡ଼ିକ ଦେଇଛନ୍ତି ତାହାର ଆମେ କିପରି ବ୍ୟବହାର କରିବା, ଏହା ସେ ଆମ ଉପରେ ଛାଡ଼ିଛନ୍ତି । ଏହି ସ୍ୱାଧୀନତା ବି କୌଣସି ଉପହାରଠାରୁ କମ୍‌ ନୁହେଁ । ତେବେ ଆମେ ନିଜେ ନିଷ୍ପତ୍ତି ନେଇପାରିବା ଯେ ଆମେ କʼଣ ଖାଇବା ଓ କʼଣ ପିଇବା । ଆସନ୍ତୁ ଏପରି ନିଷ୍ପତ୍ତି ନେବା ଯେଉଁଥିରୁ ଆମ ପିତା ଯିହୋବା ଖୁସି ହେବେ ଏବଂ ଏପରି କରି ଆମେ ଦେଖାଇପାରିବା ଯେ ଆମେ ଏହି ଉପହାରଗୁଡ଼ିକର ଆଦର କରୁ ।

a ଆମେରିକାର ଏକ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ କେବଳ ଥରେ ବି ଅତ୍ୟଧିକ ପିଇବା ଯୋଗୁଁ ଅନେକ ବିପଦ ହୋଇପାରେ । ଯେପରି ହୁଏତ ଜଣେ ବ୍ୟକ୍ତି କାହାରିକୁ ହତ୍ୟା କରିଦେବ, ଆତ୍ମହତ୍ୟା କରିନେବ, କାହାରି ଯୌନ ଶୋଷଣ କରିବ କିମ୍ବା ନିଜ ସାଥୀକୁ ମାରପିଟ୍‌ କରିବ କିମ୍ବା ଜଣେ ଗର୍ଭବତୀ ମହିଳାର ଜନ୍ମ ହୋଇ ନ ଥିବା ଶିଶୁର ମୃତ୍ୟୁ ହୋଇଯିବ । ଏହା ବି ହୋଇପାରେ ଯେ ଜଣେ ବ୍ୟକ୍ତି ନିଶାରେ କାହାରି ସହ ଶାରୀରିକ ସମ୍ପର୍କ ରଖିବ ଏବଂ ତାକୁ କୌଣସି ବଡ଼ ରୋଗ ହୋଇଯିବ କିମ୍ବା ଜଣେ ମହିଳା ଇଚ୍ଛା ନ ଥାଇ ମଧ୍ୟ ଗର୍ଭବତୀ ହୋଇଯିବ ।