इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୫୨

ଯୁବା ଭଉଣୀମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ !

ଯୁବା ଭଉଣୀମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ !

‘ସ୍ତ୍ରୀମାନଙ୍କୁ ମିତାଚାରିଣୀ [“ସଂଯମ,” NWT] ଓ ସମସ୍ତ ବିଷୟରେ ବିଶ୍ୱସ୍ତା ହେବା ଆବଶ୍ୟକ ।’—୧ ତୀମ. ୩:୧୧.

ଗୀତ ୧୩୩ ଜାୱାନୀ ମେ ୟହୋୱା କି ସେୱା କରେଁ

ଲେଖାର ଝଲକ a

୧. ଜଣେ ଭଲ କିମ୍ବା ପ୍ରୌଢ଼ ଖ୍ରୀଷ୍ଟିୟାନ ହେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

 ପିଲାମାନେ ଖୁବ୍‌ ଶୀଘ୍ର ବଢ଼ିଯାʼନ୍ତି, ସମୟ ଜଣା ହିଁ ପଡ଼େନି ! ଆମ ଖ୍ରୀଷ୍ଟିୟାନମାନଙ୍କୁ ମଧ୍ୟ ଯେପରି ବଢ଼ିବାର ଅଛି, ଆମକୁ ପ୍ରୌଢ଼ ହେବାର ଅଛି । ପିଲାମାନେ ଆପେ ଆପେ ବଢ଼ିଯାʼନ୍ତି, କିନ୍ତୁ ଆମକୁ ଜଣେ ଭଲ କିମ୍ବା ପ୍ରୌଢ଼ ଖ୍ରୀଷ୍ଟିୟାନ ହେବା ପାଇଁ ଲଗାତାର ପରିଶ୍ରମ କରିବାକୁ ପଡ଼ିବ । b (୧ କରି. ୧୩:୧୧; ଏବ୍ରୀ ୬:୧, ୨) ଆମେ ଏହା କିପରି କରିପାରିବା ? ତାʼପାଇଁ ଜରୁରୀ ଯେ ଯିହୋବାଙ୍କ ସହ ଆମ ସମ୍ପର୍କ ଦୃଢ଼ ରହୁ । ଆମକୁ ପବିତ୍ର ଶକ୍ତିର ମଧ୍ୟ ସାହାଯ୍ୟ ନେବାକୁ ପଡ଼ିବ । ତେବେ ଯାଇ ଆମେ ନିଜଠାରେ ଏପରି ଗୁଣ ବଢ଼ାଇପାରିବା ଯେଉଁଥିରୁ ଯିହୋବା ଖୁସି ହେବେ । ଏପରି ଦକ୍ଷତା ଶିଖିପାରିବା ଯାହା ଆମ କାମରେ ଆସିବ ଏବଂ ଭବିଷ୍ୟତରେ ଦାୟିତ୍ୱଗୁଡ଼ିକ ସମ୍ଭାଳିବା ପାଇଁ ଏବେଠୁ ପ୍ରସ୍ତୁତି କରିପାରିବା ।—ହିତୋ. ୧:୫.

୨. (କ) ଆଦି ପୁସ୍ତକ ୧:୨୭ ପଦରୁ କʼଣ ଜଣାପଡ଼େ ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

ଯିହୋବା ମଣିଷମାନଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କରିଥିଲେ । (ଆଦି ପୁସ୍ତକ ୧:୨୭ ପଢ଼ନ୍ତୁ ।) ପୁରୁଷ ଓ ସ୍ତ୍ରୀ ଦେଖିବାରେ ତ ଅଲଗା, କିନ୍ତୁ ସେମାନଙ୍କଠାରେ ଆହୁରି ଅନେକ କଥା ଅଲଗା ରହିଛି । ଯେପରି ଯିହୋବା ଦୁଇଜଣଙ୍କୁ ଅଲଗା ଅଲଗା ଦାୟିତ୍ୱ ଦେଇଛନ୍ତି । ଆଉ ଏହି ଦାୟିତ୍ୱଗୁଡ଼ିକୁ ପୂରା କରିବା ପାଇଁ ସେମାନଙ୍କୁ ନିଜଠାରେ କିଛି ଗୁଣ ବଢ଼ାଇବାର ଥାଏ ଏବଂ କିଛି ଦକ୍ଷତା ଶିଖିବାର ଥାଏ । (ଆଦି. ୨:୧୮) ଏହି ଲେଖାରେ ଆମେ ଜାଣିବା ଯେ ଯୁବା ଭଉଣୀମାନେ କିପରି ପ୍ରୌଢ଼ ହୋଇପାରିବେ । ପରବର୍ତ୍ତୀ ଲେଖାରେ ଆମେ ଜାଣିବା ଯେ ଯୁବା ଭାଇମାନେ କିପରି ପ୍ରୌଢ଼ ହୋଇପାରିବେ ।

ଏପରି ଗୁଣଗୁଡ଼ିକ ବଢ଼ାନ୍ତୁ ଯେଉଁଥିରୁ ଈଶ୍ୱର ଖୁସି ହେବେ

ଯଦି ଆପଣ ରିବିକା, ଏଷ୍ଟର ଓ ଅବୀଗଲ ଭଳି ବିଶ୍ୱସ୍ତ ସ୍ତ୍ରୀମାନଙ୍କ ଭଳି ନିଜଠାରେ ଭଲ ଗୁଣଗୁଡ଼ିକ ବଢ଼ାଇବେ, ତେବେ ଆପଣ ପ୍ରୌଢ଼ ହୋଇପାରିବେ (ପାରାଗ୍ରାଫ ୩-୪)

୩-୪. ଯୁବା ଭଉଣୀମାନେ କାହାର ଉଦାହରଣରୁ ଅନେକ କଥା ଶିଖିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ବାଇବଲରେ ଏପରି ଅନେକ ସ୍ତ୍ରୀମାନଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରୁଥିଲେ ଓ ମନପ୍ରାଣ ଦେଇ ତାଙ୍କ ସେବା କଲେ । (jw.org ୱେବସାଇଟ୍‌ରେ ଦିଆଯାଇଥିବା ଲେଖା “ବାଇବଲ୍‌ ମେ ବତାଇ ଗାଇ ୱୌରତୋ ସେ ହମ୍‌ କ୍ୟା ଶିଖ୍‌ ସାକତେ ହେଁ ?” ପଢ଼ନ୍ତୁ ।) ଯେପରି ଏହି ଲେଖାର ମୁଖ୍ୟ ପଦରେ କୁହାଯାଇଛି ଯେ ସେହି ସ୍ତ୍ରୀମାନେ ସମସ୍ତ ବିଷୟରେ “ସଂଯମ” ରଖୁଥିଲେ ଓ “ସମସ୍ତ ବିଷୟରେ ବିଶ୍ୱସ୍ତା” ଥିଲେ । ଯୁବା ଭଉଣୀମାନେ ଏହି ସ୍ତ୍ରୀମାନଙ୍କଠାରୁ ଅନେକ କଥା ଶିଖିପାରିବେ । ତାʼଛଡ଼ା ହୋଇପାରେ ଆପଣମାନଙ୍କ ମଣ୍ଡଳୀରେ ଏପରି ଅନେକ ପ୍ରୌଢ଼ ଭଉଣୀମାନେ ଥିବେ, ଯେଉଁମାନଙ୍କଠାରୁ ଆପଣମାନେ ଅନେକ କଥା ଶିଖିପାରିବେ ।

ଏପରି କିଛି ପ୍ରୌଢ଼ ଭଉଣୀମାନଙ୍କ ବିଷୟରେ ଭାବନ୍ତୁ ଯାହାଙ୍କ ଭଳି ଆପଣ ହେବାକୁ ଚାହୁଁଛନ୍ତି । ଧ୍ୟାନ ଦିଅନ୍ତୁ ଯେ ସେମାନଙ୍କଠାରେ କେଉଁ ଗୁଣଗୁଡ଼ିକ ଅଛି ଆଉ ତାʼପରେ ଭାବନ୍ତୁ ଯେ ଆପଣ ତାଙ୍କ ଭଳି କିପରି ହୋଇପାରିବେ । ପରବର୍ତ୍ତୀ କିଛି ପାରାଗ୍ରାଫରେ ଆମେ ଏପରି ତିନୋଟି ଗୁଣଗୁଡ଼ିକ ବିଷୟରେ ଚର୍ଚ୍ଚା କରିବା ଯାହା ଆପଣମାନେ ବଢ଼ାଇପାରିବେ ।

୫. ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ହେବା ପାଇଁ ନମ୍ର ହେବା କାହିଁକି ଜରୁରୀ ?

ଜଣେ ପ୍ରୌଢ଼ କିମ୍ବା ଭଲ ଖ୍ରୀଷ୍ଟିୟାନ ହେବା ପାଇଁ ନମ୍ର ହେବା ବହୁତ ଜରୁରୀ । ଯେଉଁ ଭଉଣୀ ନମ୍ର ଥାଏ ତାʼର ଯିହୋବା ଓ ଅନ୍ୟମାନଙ୍କ ସହ ଭଲ ସମ୍ପର୍କ ରହେ । (ଯାକୁ. ୪:୬) ଯେପରି ଯଦି ଜଣେ ଭଉଣୀ ନମ୍ର ଥିବ ଓ ଯିହୋବାଙ୍କୁ ପ୍ରେମ କରୁଥିବ, ତେବେ ସେ ୧ କରିନ୍ଥୀୟ ୧୧:୩ ପଦରେ ଦିଆଯାଇଥିବା ସିଦ୍ଧାନ୍ତକୁ ମାନିବ ଓ ପରିବାର କିମ୍ବା ମଣ୍ଡଳୀରେ ଯେଉଁମାନଙ୍କୁ କିଛି ଅଧିକାର ଦିଆଯାଇଛି, ସେମାନଙ୍କ ଅଧୀନରେ ରହିବ । c

୬. ରିବିକା କିପରି ଦେଖାଇଲେ ଯେ ସେ ନମ୍ର ଅଟନ୍ତି ଏବଂ ଆଜି ଯୁବା ଭଉଣୀମାନେ ତାଙ୍କ ଭଳି କିପରି ହୋଇପାରିବେ ?

ଟିକେ ରିବିକାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ବୁଝିବିଚାରି କାମ କରୁଥିଲେ । ତାଙ୍କୁ ଜଣା ଥିଲା ଯେ କେବେ କେଉଁ କାମ କରିବାର ଅଛି ଓ ସେ ସାରା ଜୀବନ ସାହସର ସହ କାମ କଲେ । (ଆଦି. ୨୪:୫୮; ୨୭:୫-୧୭) କିନ୍ତୁ ସେ ଅନ୍ୟମାନଙ୍କ ଆଦର ବି କରୁଥିଲେ ଏବଂ ଯେଉଁମାନଙ୍କୁ କିଛି ଅଧିକାର ଦିଆଯାଇଥିଲା, ସେମାନଙ୍କ ଅଧୀନରେ ରହୁଥିଲେ । (ଆଦି. ୨୪:୧୭, ୧୮, ୬୫) ତାହେଲେ କେତେ ଭଲ ହେବ ଯେ ଯଦି ଆପଣ ବି ରିବିକାଙ୍କ ଭଳି ନମ୍ର ହେବେ ଓ ସେହି ଲୋକମାନଙ୍କୁ ପୂରା ସହଯୋଗ କରିବେ ଯେଉଁମାନଙ୍କୁ ଯିହୋବା କିଛି ଅଧିକାର ଦେଇଛନ୍ତି । ଏପରି କରିବା ଦ୍ୱାରା ଆପଣ ପରିବାର ଓ ମଣ୍ଡଳୀରେ ଭାଇଭଉଣୀମାନଙ୍କ ପାଇଁ ଭଲ ଉଦାହରଣ ହୋଇପାରିବେ ।

୭. ଆମେ କାହିଁକି କହିପାରିବା ଯେ ଏଷ୍ଟର ମର୍ଯ୍ୟାଦାରେ ରହୁଥିଲେ ଏବଂ ଆଜି ଯୁବା ଭଉଣୀମାନେ ତାଙ୍କ ଭଳି କିପରି ହୋଇପାରିବେ ?

ଜଣେ ଭଲ କିମ୍ବା ପ୍ରୌଢ଼ ଖ୍ରୀଷ୍ଟିୟାନ ମର୍ଯ୍ୟାଦାରେ ରହେ । ସେ କେବେ ଏହା ଭାବେନି ଯେ ତାକୁ ସବୁ କିଛି ଜଣା ଅଛି । ବାଇବଲରେ ଲେଖାଅଛି, ‘ମର୍ଯ୍ୟାଦାଶୀଳ ଲୋକଠାରେ ଜ୍ଞାନ ଥାଏ ।’ (ହିତୋ. ୧୧:୨) ଏଷ୍ଟର ବି ଏପରି ହିଁ ସ୍ତ୍ରୀ ଥିଲେ । ସେ ସବୁବେଳେ ମର୍ଯ୍ୟାଦାରେ ରହୁଥିଲେ ଓ ନିଜ ବଡ଼ ଭାଇ ମର୍ଦ୍ଦଖୟଙ୍କ କଥା ଶୁଣୁଥିଲେ । ରାଣୀ ହେବା ପରେ ବି ସେ ଅହଂକାରୀ ହେଲେନି, ବରଂ ଯେବେ ମର୍ଦ୍ଦଖୟ ତାଙ୍କୁ ଭଲ ପରାମର୍ଶ ଦେଲେ, ତେବେ ସେ ତାହା ମାନିଲେ । (ଏଷ୍ଟ. ୨:୧୦, ୨୦, ୨୨) ଯୁବା ଭଉଣୀମାନେ ଯେବେ ଆପଣ ଅନୁଭବୀ ଭଉଣୀମାନଙ୍କଠାରୁ ପରାମର୍ଶ ନେବେ ଓ ତାହା ମାନିବେ, ତେବେ ଆପଣ ଦେଖାଇବେ ଯେ ଆପଣ ବି ଏଷ୍ଟରଙ୍କ ଭଳି ମର୍ଯ୍ୟାଦାରେ ରହନ୍ତି ।—ତୀତ. ୨:୩-୫.

୮. ୧ ତୀମଥି ୨:୯, ୧୦ ପଦ ଅନୁସାରେ ଜଣେ ଭଉଣୀ ପୋଷାକ ଓ ସଜବାଜ ମାମଲାରେ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବେ ?

ଏଷ୍ଟର ଆଉ ଗୋଟିଏ ଉପାୟରୁ ଦେଖାଇଲେ ଯେ ସେ ମର୍ଯ୍ୟାଦାରେ ରହୁଥିଲେ । ବାଇବଲରେ ଲେଖାଅଛି ଯେ ଏଷ୍ଟର “ପରମସୁନ୍ଦରୀ ଓ ସୁବଦନା” ଥିଲେ । ତଥାପି ସେ ଲୋକମାନଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷିତ କଲେ ନାହିଁ । (ଏଷ୍ଟ. ୨:୭, ୧୫) ଆଜି ଖ୍ରୀଷ୍ଟିୟାନ ଭଉଣୀମାନେ ଏଷ୍ଟରଙ୍କଠାରୁ କʼଣ ଶିଖିପାରିବେ ? ଧ୍ୟାନ ଦିଅନ୍ତୁ ଯେ ଏବିଷୟରେ ୧ ତୀମଥି ୨:୯, ୧୦ ପଦରେ କʼଣ କୁହାଯାଇଛି । (ପଢ଼ନ୍ତୁ ।) ଏହି ପଦରେ ପ୍ରେରିତ ପାଉଲ ଖ୍ରୀଷ୍ଟିୟାନ ଭଉଣୀମାନଙ୍କୁ କହିଲେ ଯେ ସେମାନେ ଏପରି କପଡ଼ା ପିନ୍ଧନ୍ତୁ, ଯେଉଁଥିରୁ ଜଣାପଡ଼ିବ ଯେ ସେମାନେ ମର୍ଯ୍ୟାଦାରେ ରହନ୍ତି ଓ ସଠିକ୍‌ ଚିନ୍ତାଧାରା ରଖନ୍ତି । ଏହି କଥା କହିବା ପାଇଁ ପାଉଲ ଯେଉଁ ଗ୍ରୀକ୍‌ ଶବ୍ଦ କହିଲେ, ସେଥିରୁ ଜଣାପଡ଼େ ଯେ ଖ୍ରୀଷ୍ଟିୟାନ ଭଉଣୀମାନେ ଏପରି କପଡ଼ା ପିନ୍ଧିବା ଉଚିତ୍‌, ଯେଉଁଥିରୁ ଈଶ୍ୱରଙ୍କ ଆଦର ହେଉ ଓ ଏହା ବି ଜଣାପଡ଼ୁ ଯେ ସେମାନେ ଅନ୍ୟମାନଙ୍କ ଚିନ୍ତାଧାରା ଓ ଭାବନାର ବି ଆଦର କରନ୍ତି । ଆମର ଯେଉଁ ଭଉଣୀମାନେ ଏହି ପରାମର୍ଶକୁ ମାନନ୍ତି, ତାଙ୍କ ପାଇଁ ଆମେ ବହୁତ ଗର୍ବ ଅନୁଭବ କରୁ !

୯. ଅବୀଗଲ କିପରି ବୁଝିବିଚାରି କାମ କଲେ ଏବଂ ଆମେ ତାଙ୍କ ଭଳି କିପରି ହୋଇପାରିବା ?

ପ୍ରୌଢ଼ ଭଉଣୀମାନେ ବୁଝିବିଚାରି କାମ କରନ୍ତି । ବୁଝିବିଚାରି କାମ କରିବା ଏପରି ଦକ୍ଷତା ଅଟେ ଯାହାଦ୍ୱାରା ଜଣେ ବ୍ୟକ୍ତି ଠିକ୍‌ ଓ ଭୁଲରେ ଫରକ କରିପାରେ । ଆଉ ତାʼପରେ ସେ ସଠିକ୍‌ କାମ କରେ । ଅବୀଗଲଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ସ୍ୱାମୀ ଭୁଲ ନିଷ୍ପତ୍ତି ନେଇଥିଲେ, ଯାହାଯୋଗୁଁ ତାଙ୍କ ପରିବାରର ସମସ୍ତ ଲୋକଙ୍କ ଜୀବନ ବିପଦରେ ଥିଲା । ତେବେ ଅବୀଗଲ ତୁରନ୍ତ ପଦକ୍ଷେପ ନେଲେ ଓ ସେ ବୁଝିବିଚାରି କାମ କଲେ, ତେଣୁ ସମସ୍ତଙ୍କ ଜୀବନ ରକ୍ଷା ହେଲା । (୧ ଶାମୁ. ୨୫:୧୪-୨୩, ୩୨-୩୫) ଯିଏ ବୁଝିବିଚାରି କାମ କରେ, ତାକୁ ଜଣା ଥାଏ ଯେ କେବେ କହିବାର ଅଛି ଓ କେବେ ଚୁପ୍‌ ରହିବାର ଅଛି । ଏପରି ବ୍ୟକ୍ତି ଯେବେ ଅନ୍ୟମାନଙ୍କ ଭଲ ମନ୍ଦ ଜାଣିବା ପାଇଁ ଚେଷ୍ଟା କରେ ଓ ତାଙ୍କ ସହ କଥା ହୁଏ, ତେବେ ସେ ବିନା ଭାବିଚିନ୍ତି ଏପରି କଥା କହେନି ଯେଉଁଥିରୁ ବ୍ୟକ୍ତି ଜଣକୁ ଅଜବ ଲାଗିବ ।—୧ ଥେସ. ୪:୧୧.

ଏପରି କୌଶଳ ଶିଖନ୍ତୁ ଯାହା ଆପଣଙ୍କ କାମରେ ଆସିବ

ଲେଖାପଢ଼ା ଶିଖିବାରୁ ଆପଣଙ୍କୁ କʼଣ ଲାଭ ହୋଇଛି ? (ପାରାଗ୍ରାଫ ୧୧)

୧୦-୧୧. ଯଦି ଆପଣ ଭଲଭାବେ ଲେଖାପଢ଼ା ଶିଖିବେ, ତେବେ ଏଥିରୁ ଆପଣଙ୍କୁ ଓ ଅନ୍ୟମାନଙ୍କୁ କʼଣ ଲାଭ ହେବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ଖ୍ରୀଷ୍ଟିୟାନ ଭଉଣୀମାନଙ୍କୁ କିଛି କୌଶଳ ବି ଶିଖିବା ଦରକାର । ଯେବେ ଜଣେ ବ୍ୟକ୍ତି କମ୍‌ ବୟସରୁ ହିଁ କିଛି କୌଶଳ ଶିଖେ, ତେବେ ତାହା ଜୀବନ ସାରା ତାʼ କାମରେ ଆସେ । ଆସନ୍ତୁ ଦେଖିବା ଯେ ଭଉଣୀମାନେ କେଉଁ କୌଶଳ ଶିଖିପାରିବେ ।

୧୧ ଭଲଭାବେ ଲେଖାପଢ଼ା ଶିଖନ୍ତୁ । କିଛି ସଂସ୍କୃତିରେ ଲୋକମାନେ ଭାବନ୍ତି ଯେ ସ୍ତ୍ରୀମାନଙ୍କୁ ଲେଖାପଢ଼ା ଶିଖିବା ଜରୁରୀ ନୁହେଁ । କିନ୍ତୁ ପ୍ରତ୍ୟେକ ଖ୍ରୀଷ୍ଟିୟାନମାନଙ୍କୁ ଏହି କୌଶଳ ବଢ଼ାଇବା ବହୁତ ଜରୁରୀ । d (୧ ତୀମ. ୪:୧୩) ଆପଣଙ୍କ ଆଗରେ ଯେକୌଣସି ବି ସମସ୍ୟା ଆସୁ ନା କାହିଁକି, ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ଲେଖାପଢ଼ା ନିଶ୍ଚୟ ଶିଖିବେ । ଏପରି କଲେ କʼଣ ଲାଭ ହେବ ? ଆପଣଙ୍କୁ ଗୋଟିଏ ଭଲ ଚାକିରି ମିଳିପାରିବ ଓ ଆପଣଙ୍କ ମାଲିକ ବି ଆପଣଙ୍କ କାମରୁ ଖୁସି ହେବେ । ଆପଣ ଈଶ୍ୱରଙ୍କ ବାକ୍ୟର ଭଲଭାବେ ଅଧ୍ୟୟନ କରିପାରିବେ ଓ ଅନ୍ୟମାନଙ୍କୁ ବି ସେବିଷୟରେ ଭଲଭାବେ ଶିଖାଇପାରିବେ । ସବୁଠୁ ବଡ଼ କଥା, ଯେବେ ଆପଣ ନିଜେ ଈଶ୍ୱରଙ୍କ ବାକ୍ୟ ପଢ଼ିବେ ଓ ଚିନ୍ତନ କରିବେ, ତେବେ ଆପଣ ଯିହୋବାଙ୍କ ଆହୁରି ନିକଟତର ହୋଇପାରିବେ ।—ଯିହୋ. ୧:୮; ୧ ତୀମ. ୪:୧୫.

୧୨. ଆପଣ ହିତୋପଦେଶ ୩୧:୨୬ ପଦରୁ କʼଣ ଶିଖିପାରିବେ ?

୧୨ ଭଲଭାବେ କଥାବାର୍ତ୍ତା ହେବା ଶିଖନ୍ତୁ । ଖ୍ରୀଷ୍ଟିୟାନମାନଙ୍କୁ ଏହି କୌଶଳ ବଢ଼ାଇବା ବହୁତ ଜରୁରୀ । ଯାକୁବ ଏବିଷୟରେ ବଢ଼ିଆ ପରାମର୍ଶ ଦେଲେ । ସେ ଲେଖିଲେ, “ପ୍ରତ୍ୟେକ ଜଣ ଶୁଣିବାରେ ତତ୍ପର, କହିବାରେ ଧୀର ହେଉ ।” (ଯାକୁ. ୧:୧୯) ଯେବେ ଆମେ ଅନ୍ୟମାନଙ୍କ କଥା ଧ୍ୟାନର ସହ ଶୁଣୁ, ତେବେ ଆମେ ସେମାନଙ୍କ କଷ୍ଟ ବୁଝିପାରୁ ଓ ସେମାନଙ୍କ “ସୁଖଦୁଃଖର ସହଭାଗୀ” ହୋଇପାରୁ । (୧ ପିତ. ୩:୮) କିନ୍ତୁ ଯଦି କେବେ ଆପଣଙ୍କୁ ବୁଝାପଡ଼େନି ଯେ ସେହି ବ୍ୟକ୍ତି କʼଣ କହିବା ପାଇଁ ଚାହେଁ କିମ୍ବା ସେ କିପରି ଅନୁଭବ କରୁଛି, ତେବେ ଆପଣ ତାଙ୍କୁ କିଛି ପ୍ରଶ୍ନ ପଚାରିପାରିବେ । ତାʼପରେ କୌଣସି ଉତ୍ତର ଦେବା ପୂର୍ବରୁ ଟିକେ ଭାବନ୍ତୁ । (ହିତୋ. ୧୫:୨୮) ଆପଣ ନିଜକୁ ପଚାରିପାରିବେ, ‘ମୁଁ ଯାହା କହିବାକୁ ଯାଉଛି, କʼଣ ତାହା ସତ ଅଟେ ? ଆଉ ଯଦି ତାହା ସତ ଅଟେ, ତାହେଲେ ସେଥିରୁ କʼଣ ସେହି ବ୍ୟକ୍ତିର ସାହସ ବଢ଼ିବ ? କʼଣ ଏପରି କହିବା ବୁଦ୍ଧିମତ୍ତା ହେବ ? କʼଣ ଏହି କଥାରୁ ଜଣାପଡ଼ିବ ଯେ ମୋତେ ତାʼର ଚିନ୍ତା ଅଛି ?’ ସେହି ଭଉଣୀମାନଙ୍କଠାରୁ ଶିଖନ୍ତୁ ଯେଉଁମାନେ ଅନ୍ୟମାନଙ୍କ ସହ ଭଲଭାବେ କଥା ହୁଅନ୍ତି । (ହିତୋପଦେଶ ୩୧:୨୬ ପଢ଼ନ୍ତୁ ।) ଧ୍ୟାନ ଦିଅନ୍ତୁ ଯେ ସେମାନେ କʼଣ କହନ୍ତି ଓ କିପରି କହନ୍ତି । ଏପରି ଭାବେ ଆପଣ ବି ଭଲଭାବେ କଥାବାର୍ତ୍ତା ହେବା ଶିଖିପାରିବେ । ଆପଣ ଯେତେ ଅଧିକ ଏହି କୌଶଳ ବଢ଼ାଇବେ, ସେତେ ଅଧିକ ଅନ୍ୟମାନଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ ।

ଯେଉଁ ଭଉଣୀ ଭଲଭାବେ ଘର ସମ୍ଭାଳନ୍ତି, ତାଙ୍କ ଘରେ ପ୍ରେମ ଓ ଖୁସିର ବାତାବରଣ ରହେ ଏବଂ ସେ ମଣ୍ଡଳୀ ପାଇଁ ବି ଆଶିଷ ଥାʼନ୍ତି (ପାରାଗ୍ରାଫ ୧୩)

୧୩. ଆପଣ ଘର ସମ୍ଭାଳିବା କିପରି ଶିଖିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ଘର ସମ୍ଭାଳିବା ଶିଖନ୍ତୁ । ଅନେକ ଜାଗାରେ ସ୍ତ୍ରୀମାନେ ଘରର ଅନେକ କାମ ସମ୍ଭାଳନ୍ତି । ଯୁବା ଭଉଣୀମାନେ, ଆପଣ ନିଜ ମାଆ କିମ୍ବା ଅନ୍ୟ ଦକ୍ଷ ଭଉଣୀମାନଙ୍କଠାରୁ କିଛି କୌଶଳ ଶିଖିପାରିବେ, ଯାହାଦ୍ୱାରା ଆପଣ ଭଲଭାବେ ଘର ସମ୍ଭାଳି ପାରିବେ । ସିଣ୍ଡି ନାମକ ଜଣେ ଭଉଣୀ କହନ୍ତି, “ମାଆ ମୋତେ ଗୋଟିଏ ଭଲ କଥା ଶିଖାଇଲେ । ସେ ଶିଖାଇଲେ ଯେ ପରିଶ୍ରମ କଲେ ହିଁ ଖୁସି ମିଳେ । ମାଆଙ୍କଠାରୁ ମୁଁ ରୋଷେଇ କରିବା, ସଫା ସୁତୁରା କରିବା, ସିଲାଇ କରିବା ଏବଂ ଭାବିଚିନ୍ତି କିଣାକିଣି କରିବା ଶିଖିଲି । ଏହି କଥାଗୁଡ଼ିକ ମୋର ବହୁତ କାମରେ ଆସିଲା । ମୁଁ ନିଜ ଯତ୍ନ ନେଇପାରିଲି ଓ ମୋତେ ଯିହୋବାଙ୍କ ଆହୁରି ଅଧିକ ସେବା କରିବାର ସୁଯୋଗ ମିଳିଲା । ମାଆଙ୍କଠାରୁ ମୁଁ ଅତିଥି ସତ୍କାର କରିବା ଶିଖିଲି, ତେଣୁ ମୁଁ ଏପରି ଅନେକ ଭାଇଭଉଣୀଙ୍କୁ ଭେଟିପାରିଲି ଯେଉଁମାନଙ୍କଠାରୁ ମୁଁ ବହୁତ କିଛି ଶିଖିଲି ।” (ହିତୋ. ୩୧:୧୫, ୨୧, ୨୨) ଯେଉଁ ଭଉଣୀ ପରିଶ୍ରମୀ ଥାʼନ୍ତି, ଅତିଥି ସତ୍କାର କରନ୍ତି ଓ ଭଲଭାବେ ଘର ସମ୍ଭାଳନ୍ତି, ସେ ସତରେ ଅନ୍ୟମାନଙ୍କ ପାଇଁ ଆଶିଷ ଅଟନ୍ତି । ତାଙ୍କ ଘରେ ପ୍ରେମ ଓ ଖୁସିର ବାତାବରଣ ରହେ ଓ ମଣ୍ଡଳୀ ପାଇଁ ବି ସେ ଗୋଟିଏ ଭଲ ଉଦାହରଣ ରଖନ୍ତି ।—ହିତୋ. ୩୧:୧୩, ୧୭, ୨୭; ପ୍ରେରି. ୧୬:୧୫.

୧୪. (କ) ଆପଣ ଭଉଣୀ କ୍ରିଷ୍ଟଲ୍‌ଙ୍କଠାରୁ କʼଣ ଶିଖିଲେ ? (ଖ) ଆପଣଙ୍କୁ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ୍‌ ?

୧୪ ନିଜ ଗୋଡ଼ରେ ଛିଡ଼ା ହେବା ଶିଖନ୍ତୁ । ଏହା ଗୋଟିଏ ଏପରି ଲକ୍ଷ୍ୟ ଅଟେ ଯାହା ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ରଖିବା ଉଚିତ୍‌ । ଏପରି କଲେ ଆପଣ ପ୍ରୌଢ଼ ହୋଇପାରିବେ । (୨ ଥେସ. ୩:୭, ୮) ଭଉଣୀ କ୍ରିଷ୍ଟଲ୍‌ କହନ୍ତି, “ସ୍କୁଲରେ ଯେବେ ବିଷୟ ବାଛିବାର ମାମଲା ଆସିଲା, ତେବେ ମୁଁ ଓ ବାପାମାଆ ମିଶି ନିଷ୍ପତ୍ତି ନେଲୁ ଯେ ମୁଁ କେଉଁ ବିଷୟ ନେବି, ଯାହାଦ୍ୱାରା ମୁଁ କିଛି କୌଶଳ ବି ଶିଖିପାରେ । ବାପା ମୋତେ ଆକାଉଣ୍ଟସ୍‌ ପଢ଼ିବା ପାଇଁ କହିଲେ ଓ ଏହା ମୋର ବହୁତ କାମରେ ଆସିଲା ।” କିନ୍ତୁ କେବଳ ଏପରି କୌଶଳ ଶିଖିବା ଯଥେଷ୍ଟ ନୁହେଁ, ଯାହାଦ୍ୱାରା ଆପଣ କିଛି ପଇସା ରୋଜଗାର କରିପାରିବେ, ଆପଣଙ୍କୁ ଏହା ବି ବୁଝିବାକୁ ପଡ଼ିବ ଯେ କେଉଁଠି କେତେ ପଇସା ଖର୍ଚ୍ଚ କରିବା ଠିକ୍‌ ରହିବ । (ହିତୋ. ୩୧:୧୬, ୧୮) ଯଦି ଆପଣ କମ୍‌ରେ ସନ୍ତୁଷ୍ଟ ହେବା ଶିଖିବେ ଓ ଅଯଥା ଋଣ ନେବେନି, ତେବେ ଆପଣ ନିଜ ଲକ୍ଷ୍ୟଗୁଡ଼ିକୁ ଧ୍ୟାନ ଦେଇପାରିବେ ଅର୍ଥାତ୍‌ ଯିହୋବାଙ୍କ ଆହୁରି ଅଧିକ ସେବା କରିପାରିବେ ।—୧ ତୀମ. ୬:୮.

ଭବିଷ୍ୟତରେ ଦାୟିତ୍ୱଗୁଡ଼ିକ ସମ୍ଭାଳିବା ପାଇଁ ପ୍ରସ୍ତୁତି କରନ୍ତୁ

୧୫-୧୬. ଅବିବାହିତ ଭଉଣୀମାନେ କାହିଁକି ବହୁମୂଲ୍ୟ ଅଟନ୍ତି ? (ମାର୍କ ୧୦:୨୯, ୩୦)

୧୫ ଯେବେ ଆପଣ ଏପରି ଗୁଣଗୁଡ଼ିକ ବଢ଼ାଇବେ ଯେଉଁଥିରୁ ଯିହୋବା ଖୁସି ହେବେ ଓ ଏପରି କିଛି କୌଶଳ ଶିଖିବେ ଯାହା ଆପଣଙ୍କ କାମରେ ଆସିବ, ତେବେ ଆପଣ ଭବିଷ୍ୟତରେ ଭଲଭାବେ ଦାୟିତ୍ୱଗୁଡ଼ିକୁ ସମ୍ଭାଳିପାରିବେ । ଏବେ ଆସନ୍ତୁ ଧ୍ୟାନ ଦେବା ଯେ ଆପଣ ଆଗକୁ ଯାଇ କʼଣ କରିପାରିବେ ।

୧୬ ଆପଣ କିଛି ସମୟ ପାଇଁ ଅବିବାହିତ ରହିପାରିବେ । କିଛି ଦେଶରେ ଯଦି ଝିଅ ପିଲା ବାହା ହୁଅନ୍ତି ନାହିଁ, ତେବେ ତାହା ଖରାପ ବୋଲି ମନେ କରାଯାଏ । ଏପରି ଦେଶରେ ବି ଆମ ଭଉଣୀମାନେ ଯୀଶୁଙ୍କ ପରାମର୍ଶକୁ ଧ୍ୟାନରେ ରଖି ଅବିବାହିତ ରହିବା ପାଇଁ ନିଷ୍ପତ୍ତି ନିଅନ୍ତି । (ମାଥି. ୧୯:୧୦-୧୨) ଆଉ କିଛି ଭଉଣୀମାନେ ହୁଏତ ଅନ୍ୟ କୌଣସି କାରଣ ଯୋଗୁଁ ଅବିବାହିତ ରହିବେ । କିନ୍ତୁ ଆପଣ ଭରସା ରଖିପାରିବେ ଯେ ଯିହୋବା ଓ ଯୀଶୁ ଆପଣ ଅବିବାହିତ ଭଉଣୀମାନଙ୍କୁ ନୀଚ ମନେକରନ୍ତି ନାହିଁ, ଆପଣ ତାଙ୍କ ପାଇଁ ବହୁମୂଲ୍ୟ ଅଟନ୍ତି । ସାରା ଦୁନିଆରେ ଆମ ଅବିବାହିତ ଭଉଣୀମାନେ ବହୁତ ପରିଶ୍ରମ କରନ୍ତି ଓ ସେମାନେ ନିଜ ମଣ୍ଡଳୀ ପାଇଁ ଗୋଟିଏ ଆଶିଷ ଅଟନ୍ତି । ସେମାନେ ଭାଇଭଉଣୀମାନଙ୍କୁ ବହୁତ ପ୍ରେମ କରନ୍ତି ଓ ସେମାନଙ୍କ ଚିନ୍ତା କରନ୍ତି । ତେଣୁ ସେମାନେ ସେହି ଭାଇଭଉଣୀମାନଙ୍କ ପାଇଁ ମାଆ କିମ୍ବା ଭଉଣୀ ଭଳି ଅଟନ୍ତି ।—ମାର୍କ ୧୦:୨୯, ୩୦ ପଢ଼ନ୍ତୁ; ୧ ତୀମ. ୫:୨.

୧୭. ଜଣେ ଯୁବା ଭଉଣୀ ଆଗକୁ ଯାଇ ପୂର୍ଣ୍ଣ ସମୟର ସେବା କରିବା ପାଇଁ ଏବେଠୁ କʼଣ କରିପାରିବେ ?

୧୭ ଆପଣ ପୂର୍ଣ୍ଣ ସମୟର ସେବା କରିପାରିବେ । ସାରା ଦୁନିଆରେ ଯେଉଁ ପ୍ରଚାର କାମ ହେଉଛି, ସେଥିରେ ଭଉଣୀମାନଙ୍କର ବହୁତ ବଡ଼ ଭୂମିକା ରହିଛି । (ଗୀତ. ୬୮:୧୧) କʼଣ ଆପଣ ଆଗକୁ ଯାଇ ପୂର୍ଣ୍ଣ ସମୟର ସେବା କରିବା ପାଇଁ ଭାବିପାରିବେ ? ଆପଣ ଅଗ୍ରଦୂତ ସେବା କରିବା, ନିର୍ମାଣ କାମରେ ସହଯୋଗ ଦେବା କିମ୍ବା ବୈଥେଲରେ ସେବା କରିବା ପାଇଁ ଲକ୍ଷ୍ୟ ରଖିପାରିବେ । ନିଜ ଲକ୍ଷ୍ୟ ବିଷୟରେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ଯେଉଁମାନେ ପୂର୍ଣ୍ଣ ସମୟର ସେବା କରିବାର ଲକ୍ଷ୍ୟ ହାସଲ କରିଛନ୍ତି, ଆପଣ ସେମାନଙ୍କ ସହ ଏବିଷୟରେ କଥା ହୋଇପାରିବେ । ଆପଣ ସେମାନଙ୍କୁ ପଚାରିପାରିବେ ଯେ ଆପଣଙ୍କୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କʼଣ କରିବାକୁ ପଡ଼ିବ । ତାʼପରେ ଗୋଟିଏ ଯୋଜନା ତିଆରି କରିପାରିବେ ଅର୍ଥାତ୍‌ ଆପଣ ଭାବିପାରିବେ ଯେ ଆପଣଙ୍କୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କʼଣ କରିବାକୁ ପଡ଼ିବ । ଥରେ ଯେବେ ଆପଣ ନିଜ ଲକ୍ଷ୍ୟ ହାସଲ କରିନେବେ, ତେବେ ଆପଣଙ୍କ ଆଗରେ ଯିହୋବାଙ୍କ ସେବା କରିବାର ଅନେକ ବଢ଼ିଆ ସୁଯୋଗ ରହିବ ।

ଯଦି ଆପଣ ବାହା ହେବା ପାଇଁ ଭାବୁଛନ୍ତି, ତେବେ ଆପଣଙ୍କୁ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେବା ଉଚିତ୍‌ ଯେ ଆପଣ କାହା ସହିତ ବାହା ହେବେ (ପାରାଗ୍ରାଫ ୧୮)

୧୮. ଜଣେ ଭଉଣୀଙ୍କୁ କାହିଁକି ଭାବିଚିନ୍ତି ନିଷ୍ପତ୍ତି ନେବା ଉଚିତ୍‌ ଯେ ସେ କାହା ସହିତ ବାହା ହେବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୮ ଆପଣ ହୁଏତ ବାହା ହେବା ପାଇଁ ନିଷ୍ପତ୍ତି ନେବେ । ଏହି ଲେଖାରେ ଆମେ ଯେଉଁ ଗୁଣଗୁଡ଼ିକ ଓ କୌଶଳ ବିଷୟରେ କଥା ହେଲୁ, ଯଦି ଆପଣ ସେଗୁଡ଼ିକୁ ନିଜଠାରେ ବଢ଼ାଇବେ, ତେବେ ଆପଣ ଆଗକୁ ଯାଇ ଜଣେ ଭଲ ସ୍ତ୍ରୀ ହୋଇପାରିବେ । ଆଉ ଯଦି ଆପଣ ବାହା ହେବା ପାଇଁ ଭାବୁଛନ୍ତି, ତେବେ ଆପଣଙ୍କୁ ବହୁତ ଭାବିଚିନ୍ତି ନିଷ୍ପତ୍ତି ନେବାକୁ ପଡ଼ିବ ଯେ ଆପଣ କାହାକୁ ବାହା ହେବେ । ଏହା ଆପଣଙ୍କ ଜୀବନର ବହୁତ ବଡ଼ ନିଷ୍ପତ୍ତି ହେବ । ମନେରଖନ୍ତୁ, ଆପଣ ଯାହାଙ୍କ ସହିତ ବାହା ହେବେ, ସେ ଆପଣଙ୍କ ମୁଖିଆ ହେବେ ଏବଂ ଆପଣଙ୍କୁ ତାଙ୍କର ଅଧୀନରେ ରହିବାକୁ ପଡ଼ିବ । (ରୋମୀ. ୭:୨; ଏଫି. ୫:୨୩, ୩୩) ତେଣୁ କାହାରିକୁ ବି “ହଁ” କହିବା ପୂର୍ବେ ନିଜକୁ ପଚାରନ୍ତୁ, ‘କʼଣ ସେ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ଅଟନ୍ତି ? କʼଣ ସେ ନିଜ ଜୀବନରେ ଯିହୋବାଙ୍କୁ ପ୍ରଥମ ସ୍ଥାନ ଦିଅନ୍ତି ? କʼଣ ସେ ସଠିକ୍‌ ନିଷ୍ପତ୍ତି ନିଅନ୍ତି ? କʼଣ ଯଦି ତାଙ୍କ ଦ୍ୱାରା କିଛି ଭୁଲ ହୋଇଯାଏ, ତେବେ ସେ ତାହା ସ୍ୱୀକାର କରନ୍ତି ? କʼଣ ସେ ସ୍ତ୍ରୀମାନଙ୍କ ଆଦର କରନ୍ତି ? କʼଣ ଯିହୋବାଙ୍କ ସହ ମୋ ସମ୍ପର୍କକୁ ଦୃଢ଼ କରିବା ପାଇଁ ସେ ମୋର ସାହାଯ୍ୟ କରିପାରିବେ, ମୋ ଆବଶ୍ୟକତାଗୁଡ଼ିକୁ ପୂରା କରିପାରିବେ, ମୋର ଭଲ ସାଙ୍ଗ ହୋଇପାରିବେ ? କʼଣ ସେ ନିଜ ଦାୟିତ୍ୱଗୁଡ଼ିକୁ ଭଲଭାବେ ତୁଲାନ୍ତି ? ଯେପରି, ତାଙ୍କୁ ମଣ୍ଡଳୀରେ ଯେଉଁ କାମ କିମ୍ବା ଦାୟିତ୍ୱଗୁଡ଼ିକ ମିଳିଛି, ତାହାକୁ ସେ କିପରି ପୂରା କରନ୍ତି ?’ (ଲୂକ ୧୬:୧୦; ୧ ତୀମ. ୫:୮) ଆଉ ହଁ, ଯଦି ଆପଣ ଚାହାନ୍ତି ଯେ ଆପଣଙ୍କୁ ଜଣେ ଭଲ ସ୍ୱାମୀ ମିଳନ୍ତୁ, ତେବେ ଆପଣଙ୍କୁ ବି ଜଣେ ଭଲ ସ୍ତ୍ରୀ ହେବା ପାଇଁ ଏବେଠୁ ପ୍ରସ୍ତୁତି କରିବାକୁ ପଡ଼ିବ ।

୧୯. ଜଣେ “ସହକାରିଣୀ” ହେବା କାହିଁକି ନୀଚ କଥା ନୁହେଁ ?

୧୯ ବାଇବଲରେ କୁହାଯାଇଛି ଯେ ଜଣେ ଭଲ ସ୍ତ୍ରୀ ନିଜ ସ୍ୱାମୀର “ସହକାରିଣୀ” ଥାଏ, ଏପରି ସାଥୀ ଯିଏ ‘ତାହାଙ୍କ ଅନୁରୂପ ଥାଏ ।’ (ଆଦି. ୨:୧୮) କʼଣ ସ୍ତ୍ରୀମାନଙ୍କୁ ସହକାରିଣୀ କହି ନୀଚ ମନେ କରାଯାଇଛି ? ନା, ଏପରି ନୁହେଁ । ଜଣେ ସହକାରିଣୀ ହେବା ବହୁତ ସମ୍ମାନର କଥା ଅଟେ । ବାଇବଲରେ ଯିହୋବାଙ୍କୁ ବି “ସାହାଯ୍ୟକାରୀ” କୁହାଯାଇଛି । (ଗୀତ. ୫୪:୪; ଏବ୍ରୀ ୧୩:୬) ତେବେ ଜଣେ ସ୍ତ୍ରୀ କିପରି ଜଣେ ଭଲ ସହକାରିଣୀ ହୋଇପାରିବେ ? ସେ ନିଜ ସ୍ୱାମୀକୁ ପୂରା ସହଯୋଗ କରିବେ । ଯେପରି, ଯଦି ତାଙ୍କ ସ୍ୱାମୀ ପରିବାର ପାଇଁ କୌଣସି ନିଷ୍ପତ୍ତି ନିଅନ୍ତି, ତେବେ ସେ ତାହା ମାନିବେ । ସେ ଯିହୋବାଙ୍କୁ ବହୁତ ପ୍ରେମ କରନ୍ତି ତେଣୁ ସେ ଅନ୍ୟମାନଙ୍କ ଆଗରେ ନିଜ ସ୍ୱାମୀ ବିଷୟରେ ଖରାପ କଥା କହିବେନି, ବରଂ ସେ ଚେଷ୍ଟା କରିବେ ଯେ ସମସ୍ତଙ୍କ ଆଗରେ ତାଙ୍କ ଭଲ ନାମ ରହୁ । (ହିତୋ. ୩୧:୧୧, ୧୨; ୧ ତୀମ. ୩:୧୧) ତେଣୁ ଭଉଣୀମାନେ, ଯିହୋବାଙ୍କୁ ଆହୁରି ପ୍ରେମ କରନ୍ତୁ ଓ ଘରେ ଆଉ ମଣ୍ଡଳୀରେ ଅନ୍ୟମାନଙ୍କ ସାହାଯ୍ୟ କରନ୍ତୁ । ଏପରି କରିବା ଦ୍ୱାରା ଆପଣ ଆଗକୁ ଯାଇ ଜଣେ ଭଲ ସ୍ତ୍ରୀ ହୋଇପାରିବେ ।

୨୦. ଯଦି ଜଣେ ଭଉଣୀ ଭଲ ମାଆ ହେବା ପାଇଁ ପରିଶ୍ରମ କରିବେ, ତେବେ ତାଙ୍କ ପରିବାରକୁ କʼଣ ଲାଭ ହେବ ?

୨୦ ଆପଣ ହୁଏତ ମାଆ ହେବାର ନିଷ୍ପତ୍ତି ନେବେ । ବାହା ପରେ ହୁଏତ ଆପଣ ଓ ଆପଣଙ୍କ ସ୍ୱାମୀ ଚାହିଁବେ ଯେ ଆପଣଙ୍କ ପିଲା ହେଉ । (ଗୀତ. ୧୨୭:୩) ତେଣୁ ସବୁଠୁ ଆଗ ଏହା ଭାବିବା ଭଲ ହେବ ଯେ ଆପଣ କିପରି ଜଣେ ଭଲ ମାଆ ହୋଇପାରିବେ । ଏହି ଲେଖାରେ ଆମେ ଯେଉଁ ଗୁଣଗୁଡ଼ିକ ଓ କୌଶଳ ବିଷୟରେ କଥା ହେଲୁ, ସେଗୁଡ଼ିକୁ ବଢ଼ାଇବା ଦ୍ୱାରା ଆପଣ ଜଣେ ଭଲ ସ୍ତ୍ରୀ ଓ ଭଲ ମାଆ ହୋଇପାରିବେ । ଯେବେ ଆପଣ ଅନ୍ୟମାନଙ୍କ ସହ ପ୍ରେମର ସହିତ ବ୍ୟବହାର କରିବେ, ସେମାନଙ୍କ ଚିନ୍ତା କରିବେ ଓ ସେମାନଙ୍କ ସହ ଧୈର୍ଯ୍ୟ ଧରିବେ, ତେବେ ଆପଣଙ୍କ ଘରେ ପ୍ରେମର ବାତାବରଣ ରହିବ ଯେଉଁଠି ଆପଣଙ୍କ ପିଲାମାନେ ସୁରକ୍ଷିତ ଅନୁଭବ କରିବେ ଓ ଖୁସିରେ ରହିବେ ।—ହିତୋ. ୨୪:୩.

ଅନେକ ଯୁବା ଭଉଣୀମାନେ ବାଇବଲର କଥାଗୁଡ଼ିକୁ ଶିଖିଲେ ଏବଂ ସେଗୁଡ଼ିକୁ ମାନିଲେ, ତେଣୁ ସେମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରିଲେ (ପାରାଗ୍ରାଫ ୨୧)

୨୧. ଆମେ ନିଜ ଭଉଣୀମାନଙ୍କ ପାଇଁ କିପରି ଅନୁଭବ କରୁ ଓ କାହିଁକି ?

୨୧ ଯୁବା ଭଉଣୀମାନେ, ଆମେ ଆପଣମାନଙ୍କୁ ବହୁତ ପ୍ରେମ କରୁ ! ଆପଣ ଯିହୋବା ଓ ତାଙ୍କ ଲୋକମାନଙ୍କ ପାଇଁ ବହୁତ କିଛି କରୁଛନ୍ତି । (ଏବ୍ରୀ ୬:୧୦) ଆପଣ ନିଜଠାରେ ଏପରି ଗୁଣଗୁଡ଼ିକ ବଢ଼ାଇବା ପାଇଁ ପରିଶ୍ରମ କରୁଛନ୍ତି, ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି । ଆପଣ ଏପରି କିଛି କୌଶଳ ଶିଖନ୍ତି, ଯାହାଦ୍ୱାରା ଆପଣ, ଆପଣଙ୍କ ପରିବାର ଲୋକ ଏବଂ ସାଙ୍ଗମାନେ ଖୁସି ରହନ୍ତି ଆଉ ସେମାନଙ୍କୁ ଆପଣଙ୍କଠାରୁ ଉତ୍ସାହ ମିଳେ । ଆପଣ ଭବିଷ୍ୟତରେ ଦାୟିତ୍ୱଗୁଡ଼ିକ ସମ୍ଭାଳିବା ପାଇଁ ମଧ୍ୟ ଏବେଠୁ ପ୍ରସ୍ତୁତି କରୁଛନ୍ତି । ଆପଣ ସତରେ ଯିହୋବାଙ୍କ ସଂଗଠନ ପାଇଁ ଗୋଟିଏ ଆଶିଷ ଅଟନ୍ତି !

ଗୀତ ୧୩୭ ୱଫାଦାର୍‌ ଔରତେଁ, ମସିହି ବହ୍‌ନେଁ

a ଯୁବା ଭଉଣୀମାନେ ଆପଣମାନେ ଆମ ପାଇଁ ବହୁମୂଲ୍ୟ ଅଟନ୍ତି ! ଯଦି ଆପଣ ନିଜଠାରେ ଏପରି ଗୁଣଗୁଡ଼ିକ ବଢ଼ାଇବେ ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି, କିଛି କୌଶଳ ଶିଖିବେ ଯାହା ଆପଣଙ୍କ କାମରେ ଆସିବ ଏବଂ ଭବିଷ୍ୟତରେ ଦାୟିତ୍ୱଗୁଡ଼ିକ ସମ୍ଭାଳିବା ପାଇଁ ଏବେଠୁ ପ୍ରସ୍ତୁତି କରିବେ, ତେବେ ଆପଣ ପ୍ରୌଢ଼ ହୋଇପାରିବେ । ଏପରି କରିବା ଦ୍ୱାରା ଆପଣ ଭଲଭାବେ ଯିହୋବାଙ୍କ ସେବା କରିପାରିବେ ଆଉ ଆପଣଙ୍କୁ ଅନେକ ଆଶିଷ ମିଳିବ ।

b ଏହାର ଅର୍ଥ କʼଣ ? ଜଣେ ଭଲ କିମ୍ବା ପ୍ରୌଢ଼ ଖ୍ରୀଷ୍ଟିୟାନ ହେବାର ଅର୍ଥ ଦୁନିଆର ଦୃଷ୍ଟିରେ ବୁଦ୍ଧିମାନ ହେବା ନୁହେଁ । ତାʼ ପରିବର୍ତ୍ତେ ଏପରି ଖ୍ରୀଷ୍ଟିୟାନ ସବୁବେଳେ ଯିହୋବାଙ୍କ ଭଳି ଭାବେ ଓ ତାଙ୍କ ସ୍ତରଗୁଡ଼ିକ ଅନୁସାରେ ବଞ୍ଚିବା ପାଇଁ ଚେଷ୍ଟା କରେ । ସେ ଯୀଶୁଙ୍କ ଭଳି ହେବା ପାଇଁ ଚେଷ୍ଟା କରେ, ଯିହୋବାଙ୍କ ସହ ନିଜ ସମ୍ପର୍କ ଦୃଢ଼ କରିବା ପାଇଁ ପରିଶ୍ରମ କରେ ଓ ଅନ୍ୟମାନଙ୍କୁ ପ୍ରକୃତ ପ୍ରେମ କରେ ।

d ଲେଖାପଢ଼ା କରିବା ବହୁତ ଜରୁରୀ ଅଟେ, ଏବିଷୟରେ ଆହୁରି ଜାଣିବା ପାଇଁ ୧୫ ଜୁଲାଇ, ୨୦୧୦ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଅପ୍‌ନେ ବଚ୍ଚୋ ମେଁ ପଢ଼ାଇ ଔର ଅଧ୍ୟୟନ କେ ଲିଏ ପ୍ୟାର ଜଗାଏଁ” ପଢ଼ନ୍ତୁ ।