इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୫୩

ଯୁବା ଭାଇମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ !

ଯୁବା ଭାଇମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୁଅନ୍ତୁ !

‘ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣବୟସ୍କ ପୁରୁଷ ହୁଅନ୍ତୁ ।’—ଏଫି. ୪:୧୩.

ଗୀତ ୧୩୫ ୟହୋୱା କି ପ୍ୟାର୍‌ ଭାରି ଗୁଜାରିଶ୍‌: “ମେରେ ବେଟେ, ବୁଦ୍ଧିମାନ ବନ୍‌”

ଲେଖାର ଝଲକ a

୧. ଜଣେ ଭାଇଙ୍କୁ ପ୍ରୌଢ଼ ହେବା ପାଇଁ କʼଣ କରିବାକୁ ପଡ଼ିବ ?

 ପାଉଲ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ କହିଲେ, ‘ଖ୍ରୀଷ୍ଟଙ୍କ ପୂର୍ଣ୍ଣତାର ପରିମାଣାନୁସାରେ ପୂର୍ଣ୍ଣବୟସ୍କ ପୁରୁଷ ହୁଅନ୍ତୁ ।’ (ଏଫି. ୪:୧୩) ପ୍ରୌଢ଼ ହେବାର ଏହି ପରାମର୍ଶକୁ ଆଜି ସମସ୍ତ ଭାଇମାନଙ୍କୁ ମାନିବା ଉଚିତ୍‌ । ଏହା ପାଇଁ ଜରୁରୀ ଯେ ସେମାନେ ଯିହୋବାଙ୍କ ଆଜ୍ଞାଗୁଡ଼ିକୁ ମାନନ୍ତୁ ଏବଂ ଜୀବନର ପ୍ରତ୍ୟେକ ଛୋଟ ବଡ଼ ନିଷ୍ପତ୍ତି ବାଇବଲର ସିଦ୍ଧାନ୍ତଗୁଡ଼ିକ ଅନୁସାରେ ନିଅନ୍ତୁ । (ଲୂକ ୨:୫୨) କିନ୍ତୁ ଯୁବା ଭାଇମାନଙ୍କୁ ପ୍ରୌଢ଼ ହେବା କାହିଁକି ଜରୁରୀ ?

୨-୩. ଯୁବା ଭାଇମାନଙ୍କୁ ପ୍ରୌଢ଼ ହେବା କାହିଁକି ଜରୁରୀ ଅଟେ ?

ଭାଇମାନଙ୍କୁ ନିଜ ପରିବାର ଆଉ ମଣ୍ଡଳୀରେ ଅନେକ ଦାୟିତ୍ୱ ତୁଲାଇବାର ଥାଏ । ଯୁବା ଭାଇମାନେ ଆପଣ ବି ଆଗକୁ ଯାଇ କିଛି ଦାୟିତ୍ୱ ସମ୍ଭାଳିବା ବିଷୟରେ ନିଶ୍ଚୟ ଭାବିଥିବେ । ଆପଣ ହୁଏତ ପୂର୍ଣ୍ଣ ସମୟର ସେବା କରିବା, ସହାୟକ ସେବକ ହେବା ଏବଂ ପରେ ମଣ୍ଡଳୀରେ ପ୍ରାଚୀନ ଭାବେ ସେବା କରିବା ପାଇଁ ଭାବିଥିବେ । ହୁଏତ ଆପଣ ଏହା ବି ଭାବିଥିବେ ଯେ ଆପଣ ବାହା ହେବେ ଏବଂ ଆପଣଙ୍କ ପିଲାଛୁଆ ହେବେ । (ଏଫି. ୬:୪; ୧ ତୀମ. ୩:୧) ଏହି ଦାୟିତ୍ୱଗୁଡ଼ିକୁ ସମ୍ଭାଳିବା ପାଇଁ ଦକ୍ଷ ହେବା ଏବଂ ଏହାକୁ ଭଲଭାବେ ତୁଲାଇବା ପାଇଁ ଆପଣଙ୍କୁ ପ୍ରୌଢ଼ ହେବାକୁ ପଡ଼ିବ । b

ତାହେଲେ ଆପଣ ପ୍ରୌଢ଼ ଖ୍ରୀଷ୍ଟିୟାନ କିପରି ହୋଇପାରିବେ ? ଆପଣଙ୍କୁ କିଛି ଜରୁରୀ ପଦକ୍ଷେପ ନେବାକୁ ପଡ଼ିବ ଏବଂ କିଛି କୌଶଳ ଶିଖିବାକୁ ପଡ଼ିବ । ଆଉ ଭବିଷ୍ୟତରେ ଆପଣଙ୍କୁ ଯେଉଁ ଦାୟିତ୍ୱଗୁଡ଼ିକ ତୁଲାଇବାକୁ ପଡ଼ିବ, ତାହା ଭଲଭାବେ ତୁଲାଇବା ପାଇଁ ଆପଣଙ୍କୁ ଏବେଠୁ ପ୍ରସ୍ତୁତି କରିବାକୁ ପଡ଼ିବ । ଆସନ୍ତୁ ଗୋଟେ ଗୋଟେ କରି ଧ୍ୟାନ ଦେବା ଯେ ଆପଣ ଏସବୁ କିପରି କରିପାରିବେ ।

ପ୍ରୌଢ଼ ହେବା ପାଇଁ କିଛି ଜରୁରୀ ପଦକ୍ଷେପ

ଯଦି ଜଣେ ଭାଇ ନିଜ ଭିତରେ ଯୀଶୁଙ୍କ ଭଳି ଗୁଣ ବଢ଼ାଇବେ, ତେବେ ସେ ପ୍ରୌଢ଼ ହୋଇପାରିବେ (ପାରାଗ୍ରାଫ ୪)

୪. ଯୁବା ଭାଇମାନେ କେଉଁମାନଙ୍କ ଭଲ ଉଦାହରଣ ଉପରେ ଧ୍ୟାନ ଦେଇପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

କିଛି ପ୍ରୌଢ଼ ଲୋକଙ୍କ ବିଷୟରେ ଭାବନ୍ତୁ ଯେଉଁମାନଙ୍କ ଭଳି ଆପଣ ହେବା ପାଇଁ ଚାହାନ୍ତି । ବାଇବଲରେ ଏପରି ଅନେକ ପୁରୁଷଙ୍କ ବିଷୟରେ କୁହାଯାଇଛି ଯେଉଁମାନେ ଯିହୋବାଙ୍କୁ ପ୍ରେମ କରୁଥିଲେ । ସେମାନେ ଅଲଗା ଅଲଗା ଦାୟିତ୍ୱ ତୁଲାଇଲେ ଏବଂ ଈଶ୍ୱରଙ୍କ ଲୋକମାନଙ୍କ ଭଲଭାବେ ଦେଖାଶୁଣା କଲେ । ଯୁବା ଭାଇମାନେ, ଆପଣ ସେମାନଙ୍କଠୁ ବହୁତ କିଛି ଶିଖିପାରିବେ । ଆପଣଙ୍କ ପରିବାରରେ ଏବଂ ମଣ୍ଡଳୀରେ ମଧ୍ୟ ଅନେକ ପ୍ରୌଢ଼ ଭାଇ ଥିବେ । ସେମାନଙ୍କଠୁ ବି ଆପଣ ଅନେକ କଥା ଶିଖିପାରିବେ । (ଏବ୍ରୀ ୧୩:୭) ଆଉ ଆପଣଙ୍କ ପାଇଁ ସବୁଠୁ ବଢ଼ିଆ ଉଦାହରଣ ହେଉଛନ୍ତି ଯୀଶୁ ଖ୍ରୀଷ୍ଟ । (୧ ପିତ. ୨:୨୧) ଯେବେ ଆପଣ ଯୀଶୁ ଓ ପ୍ରାଚୀନ ସମୟର ପ୍ରୌଢ଼ ଲୋକମାନଙ୍କ ବିଷୟରେ ଅଧ୍ୟୟନ କରିବେ ଏବଂ ଆଜିର ପ୍ରୌଢ଼ ଭାଇମାନଙ୍କ ବିଷୟରେ ଭାବିବେ, ତେବେ ଆପଣ ସେମାନଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । (ଏବ୍ରୀ ୧୨:୧, ୨) ତାʼପରେ ଭାବନ୍ତୁ ଯେ ଆପଣ ସେମାନଙ୍କ ଭଳି କିପରି ହୋଇପାରିବେ ।

୫. ଆପଣ ଭାବିବାର ଦକ୍ଷତା କିପରି ବଢ଼ାଇପାରିବେ ଏବଂ ଏହା କାହିଁକି ଜରୁରୀ ଅଟେ ? (ଗୀତସଂହିତା ୧୧୯:୯)

“ପରିଣାମଦର୍ଶିତା” ଅର୍ଥାତ୍‌ ଭାବିବାର ଶକ୍ତି ବଢ଼ାନ୍ତୁ ଏବଂ ତାʼର “ରକ୍ଷା” କରନ୍ତୁ । (ହିତୋ. ୩:୨୧) ଯେଉଁ ଲୋକର ଭାବିବାର ଦକ୍ଷତା ଥାଏ, ସେ କେବଳ ନିଜ ମନର କରେନି । ସେ ଟିକେ ଅଟକି ଭାବେ ଯେ କୌଣସି କାମ କେଉଁ କେଉଁ ଉପାୟରେ କରାଯାଇପାରିବ ଏବଂ କେଉଁ ଉପାୟ ଠିକ୍‌ ରହିବ । ଯୁବା ଭାଇମାନେ, ଏହି ଦକ୍ଷତା ଆପେ ଆପେ ଆସିବନି, ଆପଣଙ୍କୁ ଲଗାତାର ପରିଶ୍ରମ କରିବାକୁ ପଡ଼ିବ । କାରଣ ଆଜି ଦୁନିଆରେ ଅଧିକାଂଶ ଯୁବା ନିଜ ମନ ଇଚ୍ଛା କାମ କରନ୍ତି କିମ୍ବା ସେମାନେ ଭାବନାରେ ବହି ନିଷ୍ପତ୍ତି ନିଅନ୍ତି । (ହିତୋ. ୭:୭; ୨୯:୧୧) ଆଉ ଫିଲ୍ମଗୁଡ଼ିକ, ଟିଭି ଓ ଇଣ୍ଟରନେଟ୍‌ରେ ଯାହା ଦେଖାଯାଏ, ତାହାର ବି ଆପଣଙ୍କ ଚିନ୍ତାଧାରା ଉପରେ ବହୁତ ପ୍ରଭାବ ପଡ଼ିପାରେ । ତେବେ ଆପଣ ନିଜ ଭାବିବାର ଶକ୍ତିକୁ କିପରି ବଢ଼ାଇପାରିବେ ? ସବୁଠୁ ପ୍ରଥମେ ବାଇବଲ ସିଦ୍ଧାନ୍ତଗୁଡ଼ିକ ବିଷୟରେ ଶିଖନ୍ତୁ ଆଉ ଯିହୋବାଙ୍କ ଚିନ୍ତାଧାରାକୁ ଜାଣନ୍ତୁ । ଏହା ବି ଭାବନ୍ତୁ ଯେ ସେହି ସିଦ୍ଧାନ୍ତଗୁଡ଼ିକୁ ମାନିବାରୁ କାହିଁକି ଲାଭ ହୁଏ । ତାʼପରେ ଏପରି ନିଷ୍ପତ୍ତି ନିଅନ୍ତୁ, ଯେଉଁଥିରୁ ଯିହୋବା ଖୁସି ହେବେ । (ଗୀତସଂହିତା ୧୧୯:୯ ପଢ଼ନ୍ତୁ ।) ସତରେ, ଭାବିବା ଦକ୍ଷତା ବଢ଼ାଇବା କେତେ ଜରୁରୀ ଅଟେ ! ତେବେ ଯାଇ ଆମେ ପ୍ରୌଢ଼ ହୋଇପାରିବା । (ହିତୋ. ୨:୧୧, ୧୨; ଏବ୍ରୀ ୫:୧୪) ଏବେ ଆସନ୍ତୁ ଧ୍ୟାନ ଦେବା ଯେ ଏହି ଦକ୍ଷତା ଥିବା ଯୋଗୁଁ କିପରି ଦୁଇଟି ମାମଲାରେ ଆପଣଙ୍କୁ ଲାଭ ହୋଇପାରିବ: (୧) ଭଉଣୀମାନଙ୍କ ସହ ବ୍ୟବହାର କରିବା ସମୟରେ ଏବଂ (୨) ଯେବେ ଏହା ନିଷ୍ପତ୍ତି ନେବାର ଥାଏ ଯେ ଆପଣ କିଭଳି କପଡ଼ା ପିନ୍ଧିବେ ଏବଂ ଚୁଟି କୁଣ୍ଡାଇବେ ।

୬. ଭାବିବାର ଦକ୍ଷତା ଥିବା ଯୋଗୁଁ ଜଣେ ଭାଇ କିପରି ଭଉଣୀମାନଙ୍କ ସମ୍ମାନ କରିପାରିବେ ?

ଭାବିବାର ଦକ୍ଷତା ହେବା ଯୋଗୁଁ ଆପଣ ମହିଳାମାନଙ୍କୁ ସମ୍ମାନ କରିପାରିବେ । ତାହା କିପରି ? ଯଦି ଜଣେ ଯୁବା ଭାଇ କୌଣସି ଭଉଣୀଙ୍କୁ ବିବାହ କରିବା ବିଷୟରେ ଭାବୁଛନ୍ତି ଆଉ ତାଙ୍କୁ ଭଲଭାବେ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଏହା ଭୁଲ ନୁହେଁ । କିନ୍ତୁ ଯଦି ସେ ଭାଇଙ୍କୁ ସେହି ଭଉଣୀ ସହ ବିବାହ କରିବାର କୌଣସି ଉଦ୍ଦେଶ୍ୟ ନାହିଁ, ତେବେ ସେ କିଛି କଥା ଧ୍ୟାନରେ ରଖିବେ । ସେ ସେହି ଭଉଣୀଙ୍କୁ ଏପରି କିଛି କହିବେନି, ଏପରି କୌଣସି ମେସେଜ୍‌ କରିବେନି ଆଉ ନା ଏପରି କିଛି କରିବେ ଯେଉଁଥିରୁ ଭଉଣୀଙ୍କୁ ଲାଗିବ ଯେ ସେ ତାଙ୍କୁ ପସନ୍ଦ କରନ୍ତି । (୧ ତୀମ. ୫:୧, ୨) ଯଦି ସେହି ଭାଇ କୌଣସି ଭଉଣୀଙ୍କ ସହ ଡେଟିଙ୍ଗ୍‌ କରୁଛନ୍ତି (ଅର୍ଥାତ୍‌ ବାହା ହେବା ଉଦ୍ଦେଶ୍ୟରେ ତାଙ୍କୁ ଅଧିକ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି), ତେବେ ସେ ଏକଥାର ବି ଧ୍ୟାନ ରଖିବେ ଯେ ସେ ତାଙ୍କ ସହ କେବେ ବି ଏକୁଟିଆରେ ଭେଟନ୍ତୁ ନାହିଁ, ବରଂ ସବୁବେଳେ କାହାରିକୁ ସାଙ୍ଗରେ ନିଅନ୍ତୁ । ଏପରି କରି ସେ ତାଙ୍କ ନାମକୁ ବଦନାମ ହେବାକୁ ଦେବେ ନାହିଁ ।—୧ କରି. ୬:୧୮.

୭. ଭାବିବାର ଦକ୍ଷତା ଥିବା ଯୋଗୁଁ ଜଣେ ଯୁବା ଭାଇ କପଡ଼ା ପିନ୍ଧିବା ଏବଂ ଚୁଟି କୁଣ୍ଡାଇବା ମାମଲାରେ କିପରି ସଠିକ୍‌ ନିଷ୍ପତ୍ତି ନେଇପାରିବେ ?

ଯୁବା ଭାଇମାନେ ଯେପରି ଭାବେ କପଡ଼ା ପିନ୍ଧନ୍ତି କିମ୍ବା ଚୁଟି କୁଣ୍ଡାନ୍ତି ସେଥିରୁ ଦେଖାଇପାରିବେ ଯେ ସେମାନଙ୍କଠାରେ ଭାବିବାର ଦକ୍ଷତା ଅଛି କିମ୍ବା ସେମାନେ ଯିହୋବାଙ୍କ ଭଳି ଭାବନ୍ତି । ପ୍ରାୟ ଏପରି ହୁଏ, ଯେଉଁ ଲୋକମାନେ ନୂଆ ନୂଆ ଷ୍ଟାଇଲର କପଡ଼ା ଡିଜାଇନ୍‌ କରନ୍ତି କିମ୍ବା ତାହାକୁ ପିନ୍ଧିବା ପାଇଁ ପ୍ରୋତ୍ସାହନ ଦିଅନ୍ତି, ସେମାନେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନନ୍ତି ନାହିଁ ଏବଂ ଆଉ କିଛି ଲୋକ ଅନୈତିକ ଜୀବନଯାପନ ବି କରନ୍ତି । ତେଣୁ ସେମାନେ ଏପରି ଷ୍ଟାଇଲର କପଡ଼ା ଡିଜାଇନ୍‌ କରନ୍ତି ଯାହା ବହୁତ ଟାଇଟ୍‌ ଫିଟିଙ୍ଗ୍‌ ଥାଏ କିମ୍ବା ଯାହାକୁ ପିନ୍ଧି ପୁରୁଷ ମହିଳାମାନଙ୍କ ଭଳି ଦେଖାଯାʼନ୍ତି । ଯଦି ଜଣେ ଯୁବା ଭାଇ ପ୍ରୌଢ଼ ହେବା ପାଇଁ ଚାହାନ୍ତି, ତେବେ କପଡ଼ା ପିନ୍ଧିବା ମାମଲାରେ କୌଣସି ନିଷ୍ପତ୍ତି ନେବା ସମୟରେ ତାଙ୍କୁ କେଉଁ କଥାଗୁଡ଼ିକର ଧ୍ୟାନ ରଖିବା ଉଚିତ୍‌ ? ତାଙ୍କୁ ଭାବିବା ଉଚିତ୍‌ ଯେ ଯଦି ସେ ଏହି କପଡ଼ା ପିନ୍ଧିବେ, ତେବେ କʼଣ ଯିହୋବା ଏଥିରୁ ଖୁସି ହେବେ । ସେମାନେ ଏହି ବିଷୟରେ ବି ଭାବିପାରିବେ ଯେ ତାଙ୍କ ମଣ୍ଡଳୀରେ ପ୍ରୌଢ଼ ଭାଇମାନେ କିପରି କପଡ଼ା ପିନ୍ଧନ୍ତି । ସେ ନିଜକୁ ପଚାରିପାରିବେ: ‘ମୁଁ ଯେଉଁଭଳି କପଡ଼ା ପିନ୍ଧେ, କʼଣ ସେଥିରୁ ଜଣାପଡ଼େ ଯେ ମୁଁ ସଠିକ୍‌ ଚିନ୍ତାଧାରା ରଖେ ଆଉ ଅନ୍ୟମାନଙ୍କର ଆଦର କରେ ? କʼଣ ମୋର କପଡ଼ାରୁ ଜଣାପଡ଼େ ଯେ ମୁଁ ଈଶ୍ୱରଙ୍କ ଉପାସନା କରୁଥିବା ବ୍ୟକ୍ତି ଅଟେ ?’ (୧ କରି. ୧୦:୩୧-୩୩; ତୀତ. ୨:୬) ଯେଉଁ ଯୁବା ଭାଇ ଭାବିବାର ଦକ୍ଷତା ବଢ଼ାଏ, ତାଙ୍କର ଭାଇଭଉଣୀମାନେ ସମ୍ମାନ କରନ୍ତି, ତାʼସହ ଯିହୋବା ମଧ୍ୟ ତାଙ୍କଠାରୁ ଖୁସି ହୁଅନ୍ତି ।

୮. ଜଣେ ଯୁବା ଭାଇ କିପରି ଭରସାଯୋଗ୍ୟ ହୋଇପାରିବେ ?

ଭରସାଯୋଗ୍ୟ ହୁଅନ୍ତୁ । ଯେଉଁ ଯୁବା ଭରସାଯୋଗ୍ୟ ହୋଇଥାଏ, ସେ ନିଜ ପ୍ରତ୍ୟେକ ଦାୟିତ୍ୱ ଭଲଭାବେ ତୁଲାଏ । (ଲୂକ ୧୬:୧୦) ଏହି ମାମଲାରେ ଯୀଶୁ ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି । ସେ କେବେ ବି ଅବହେଳା କଲେନି । ତାʼଛଡ଼ା ଯିହୋବା ତାଙ୍କୁ ଯାହା ବି କାମ ଦେଲେ, ସେ ତାକୁ ଭଲଭାବେ ପୂରା କଲେ । ଅନେକଥର ଏପରି କରିବା ତାଙ୍କ ପାଇଁ ବହୁତ କଷ୍ଟ ଥିଲା, ତଥାପି ସେ ପଛଘୁଞ୍ଚା ଦେଲେନି । ସେ ଲୋକମାନଙ୍କୁ ବହୁତ ପ୍ରେମ କରୁଥିଲେ, ବିଶେଷ କରି ନିଜ ଶିଷ୍ୟମାନଙ୍କୁ । ତେଣୁ ସେ ସେମାନଙ୍କ ପାଇଁ ଖୁସି ଖୁସି ନିଜ ଜୀବନ ଦେଇଦେଲେ । (ଯୋହ. ୧୩:୧) ଭାଇମାନେ, ଯୀଶୁଙ୍କ ଭଳି ହୁଅନ୍ତୁ ଆଉ ଆପଣଙ୍କୁ ଯେଉଁ କାମ ଦିଆଯାଏ, ତାକୁ ପୂରା କରିବା ପାଇଁ କଠିନ ପରିଶ୍ରମ କରନ୍ତୁ । ଯଦି ଆପଣଙ୍କୁ ଜଣା ନାହିଁ ଯେ ତାହା କିପରି କରିବାର ଅଛି, ତେବେ ନମ୍ର ହୋଇ ପ୍ରୌଢ଼ ଭାଇମାନଙ୍କଠାରୁ ସାହାଯ୍ୟ ନିଅନ୍ତୁ । କେବେ ବି କୌଣସି କାମ କେବଳ କରିବାର ଅଛି ବୋଲି କି କରନ୍ତୁ ନାହିଁ । (ରୋମୀ. ୧୨:୧୧) ତାʼଛଡ଼ା ଆପଣଙ୍କୁ ଯାହା ବି କାମ ଦିଆଯାଏ, ତାକୁ ଭଲଭାବେ ପୂରା କରନ୍ତୁ, ଏହା ଭାବିକି କରନ୍ତୁ ଯେ ଆପଣ ‘ଯିହୋବାଙ୍କ ନିମନ୍ତେ କରୁଛନ୍ତି, ମନୁଷ୍ୟ ନିମନ୍ତେ ନାହିଁ ।’ (କଲ. ୩:୨୩) ଏହା ସତ ଯେ ଆପଣଙ୍କ ଦ୍ୱାରା ଭୁଲଗୁଡ଼ିକ ହେବ, ତେଣୁ ନମ୍ର ହୁଅନ୍ତୁ ଏବଂ ଯେବେ ଭୁଲ ହୁଏ, ତେବେ ତାକୁ ମାନି ନିଅନ୍ତୁ ।—ହିତୋ. ୧୧:୨.

କିଛି କୌଶଳ ଶିଖନ୍ତୁ ଯାହା ଆପଣଙ୍କ କାମରେ ଆସିବ

୯. ଜଣେ ଯୁବା ଭାଇଙ୍କୁ କୌଣସି କୌଶଳ କାହିଁକି ଶିଖିବା ଉଚିତ୍‌ ?

ପ୍ରୌଢ଼ ହେବା ପାଇଁ ଆପଣଙ୍କୁ କିଛି କୌଶଳ ଶିଖିବାକୁ ପଡ଼ିବ ଯାହା ଆପଣଙ୍କ କାମରେ ଆସିବ । ଏପରି କରିବା ଦ୍ୱାରାଆପଣ ମଣ୍ଡଳୀର ଦାୟିତ୍ୱଗୁଡ଼ିକ ସମ୍ଭାଳିପାରିବେ । ଆପଣଙ୍କୁ ଚାକିରି ମିଳିପାରିବ ଯାହାଦ୍ୱାରା ଆପଣ ନିଜ ଓ ନିଜ ପରିବାରର ଆବଶ୍ୟକତାଗୁଡ଼ିକ ପୂରା କରିପାରିବେ ଆଉ ଅନ୍ୟମାନଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ରହିବ । ଆସନ୍ତୁ ଦେଖିବା ଯେ ଆପଣ କେଉଁ କୌଶଳ ବଢ଼ାଇପାରିବେ ।

ଯଦି ଆପଣ ଭଲଭାବେ ଲେଖାପଢ଼ା ଶିଖିବେ, ତେବେ ଆପଣଙ୍କୁ ଓ ମଣ୍ଡଳୀର ଭାଇଭଉଣୀମାନଙ୍କୁ ମଧ୍ୟ ଲାଭ ହେବ (ପାରାଗ୍ରାଫ ୧୦-୧୧)

୧୦-୧୧. ଯଦି ଜଣେ ଯୁବା ଭାଇ ଭଲଭାବେ ଲେଖାପଢ଼ା ଶିଖନ୍ତି, ତେବେ ତାଙ୍କୁ ଓ ମଣ୍ଡଳୀର ଭାଇଭଉଣୀମାନଙ୍କୁ କିପରି ଲାଭ ହେବ ? (ଗୀତସଂହିତା ୧:୧-୩) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ଭଲଭାବେ ଲେଖାପଢ଼ା ଶିଖନ୍ତୁ । ବାଇବଲରେ କୁହାଯାଇଛି ଯେ ଯେଉଁ ପୁରୁଷ ସବୁଦିନ ଈଶ୍ୱରଙ୍କ ବାକ୍ୟ ପଢ଼େ ଆଉ ତାʼ ଉପରେ ଚିନ୍ତନ କରେ, ସେ ଖୁସିରେ ରହେ ଏବଂ ନିଜର ପ୍ରତ୍ୟେକ କାମରେ ସଫଳ ହୁଏ । (ଗୀତସଂହିତା ୧:୧-୩ ପଢ଼ନ୍ତୁ ।) ତେଣୁ ପ୍ରତିଦିନ ବାଇବଲ ପଢ଼ନ୍ତୁ । ଏଥିରୁ ଆପଣ ଯିହୋବାଙ୍କ ଚିନ୍ତାଧାରା ଜାଣିପାରିବେ । ଆଉ ଯିହୋବାଙ୍କ ଚିନ୍ତାଧାରା ଜାଣିଲେ ଆପଣ ବୁଝିପାରିବେ ଯେ ବାଇବଲ ସିଦ୍ଧାନ୍ତଗୁଡ଼ିକୁ କିପରି ମାନିବେ ଏବଂ କିପରି ଭଲ ନିଷ୍ପତ୍ତି ନେବେ । (ହିତୋ. ୧:୩, ୪) ଏପରି ଭାଇମାନଙ୍କ ମଣ୍ଡଳୀରେ ବହୁତ ଆବଶ୍ୟକ ଅଛି । ତାହା କାହିଁକି ?

୧୧ କାରଣ ମଣ୍ଡଳୀରେ ଏପରି ଭାଇମାନଙ୍କ ଆବଶ୍ୟକ ଥାଏ ଯେଉଁମାନେ ସମସ୍ତଙ୍କୁ ବାଇବଲରୁ ଶିଖାଇପାରିବେ ଆଉ ବଢ଼ିଆ ପରାମର୍ଶ ଦେଇପାରିବେ । (ତୀତ. ୧:୯) ଯଦି ଆପଣ ଭଲଭାବେ ଲେଖାପଢ଼ା ଶିଖିବେ, ତେବେ ଆପଣ ଏପରି ଭାଷଣ ପ୍ରସ୍ତୁତି କରିପାରିବେ ଏବଂ ଏପରି ଉତ୍ତର ଦେଇପାରିବେ, ଯେଉଁଥିରୁ ଭାଇଭଉଣୀ କିଛି ଶିଖିପାରିବେ ଏବଂ ସେମାନଙ୍କର ବିଶ୍ୱାସ ବଢ଼ିବ । ଏହା ଛଡ଼ା ଆପଣ ବ୍ୟକ୍ତିଗତ ଅଧ୍ୟୟନ କରିବା ସମୟରେ କିମ୍ବା ସଭା, ସମ୍ମିଳନୀ ଓ ଅଧିବେଶନଗୁଡ଼ିକରେ ନୋଟ୍‌ସ ନେଇପାରିବେ । ଆପଣ ଯେଉଁ ନୋଟ୍‌ସ ନେବେ, ସେଥିରୁ କେବଳ ଆପଣଙ୍କ ବିଶ୍ୱାସ ଦୃଢ଼ ହେବ ନାହିଁ, ବରଂ ଆପଣ ଅନ୍ୟମାନଙ୍କର ବି ଉତ୍ସାହ ବଢ଼ାଇପାରିବେ ।

୧୨. ଭଲଭାବେ କଥାବାର୍ତ୍ତା ହେବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ?

୧୨ ଭଲଭାବେ କଥାବାର୍ତ୍ତା ହେବା ଶିଖନ୍ତୁ । ଜଣେ ଭାଇ ପାଇଁ ଏହି କୌଶଳ ଶିଖିବା ବହୁତ ଜରୁରୀ ଅଟେ । ଯେଉଁ ଭାଇଙ୍କ ପାଖରେ ଏହି କୌଶଳ ଥାଏ, ସେ ଅନ୍ୟମାନଙ୍କ ଧ୍ୟାନର ସହ ଶୁଣନ୍ତି ଏବଂ ଏହା ବୁଝିବା ପାଇଁ ଚେଷ୍ଟା କରନ୍ତି ଯେ ଅନ୍ୟମାନେ କʼଣ ଭାବୁଛନ୍ତି ଓ କିପରି ଅନୁଭବ କରୁଛନ୍ତି । (ହିତୋ. ୨୦:୫) ସେ ସେମାନଙ୍କ କହିବାର ଶୈଳୀରୁ, ତାଙ୍କ ଚେହେରାରୁ ଓ ତାଙ୍କ ଅଙ୍ଗଭଙ୍ଗୀରୁ ସେମାନଙ୍କ ବିଷୟରେ ଅନେକ କିଛି ଜାଣିପାରନ୍ତି । ଆପଣ ଏହା ତେବେ କରିପାରିବେ, ଯେବେ ଆପଣ ଲୋକମାନଙ୍କ ସହ ସମୟ ବିତାଇବେ । ଯଦି ଆପଣ ସବୁବେଳେ ଇମେଲ୍‌ କିମ୍ବା ମେସେଜ୍‌ ଦ୍ୱାରା ହିଁ ଲୋକମାନଙ୍କ ସହ କଥା ହେଉଥିବେ, ତେବେ ସେମାନଙ୍କ ସହ ମିଶି କଥା ହେବା ଆପଣଙ୍କ ପାଇଁ କଷ୍ଟ ହେବ । ତେଣୁ ଲୋକମାନଙ୍କ ସହ ମିଶି କଥା ହେବା ପାଇଁ ଚେଷ୍ଟା କରନ୍ତୁ ।—୨ ଯୋହ. ୧୨.

ଏପରି କୌଣସି କୌଶଳ ଶିଖିବା ଭଲ ରହିବ ଯେଉଁଥିରୁ ଆଗକୁ ଯାଇ ଆପଣଙ୍କୁ ଚାକିରି ମିଳିପାରିବ (ପାରାଗ୍ରାଫ ୧୩)

୧୩. ଜଣେ ଯୁବା ଭାଇଙ୍କୁ ଆଉ କʼଣ ଶିଖିବା ଉଚିତ୍‌ ? (୧ ତୀମଥି ୫:୮) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ନିଜ ଗୋଡ଼ରେ ଛିଡ଼ା ହେବା ଶିଖନ୍ତୁ । ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ଏପରି ହେବା ଉଚିତ୍‌ ଯେ ନିଜର ଓ ନିଜ ପରିବାରର ଦେଖାଶୁଣା କରିପାରିବ । (୧ ତୀମଥି ୫:୮ ପଢ଼ନ୍ତୁ ।) କିଛି ଦେଶରେ ଆମ ଯୁବା ଭାଇମାନେ ନିଜ ବାପା କିମ୍ବା ନିଜ କୌଣସି ସମ୍ପର୍କୀୟଙ୍କଠାରୁ କୌଣସି କାମ କିମ୍ବା କୌଶଳ ଶିଖନ୍ତି । ଅନ୍ୟପଟେ ଅନ୍ୟ ଦେଶଗୁଡ଼ିକରେ ଜଣେ ଯୁବା ଚାହିଁଲେ ସ୍କୁଲରେ ହିଁ କୌଣସି କାମ କିମ୍ବା କୌଶଳ ଶିଖିପାରିବ । ଆପଣ ଘରେ ଶିଖନ୍ତୁ କିମ୍ବା ସ୍କୁଲରେ, କୌଣସି ନା କୌଣସି କୌଶଳ ଶିଖିବା ଭଲ କଥା ଅଟେ । ଏଥିରୁ ଆଗକୁ ଯାଇ ଆପଣଙ୍କୁ ଚାକିରି ମିଳିପାରିବ । (ପ୍ରେରି. ୧୮:୨, ୩; ୨୦:୩୪; ଏଫି. ୪:୨୮) ତେଣୁ କଠିନ ପରିଶ୍ରମ କରିବା ଶିଖନ୍ତୁ ଆଉ ଆପଣଙ୍କୁ ଯାହା ବି କାମ ଦିଆଯାଏ ତାକୁ ପୂରା କରନ୍ତୁ । ଏପରି କରି ଭଲ ନାମ ଅର୍ଜନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ସହଜରେ ଚାକିରି ମିଳିପାରିବ ଆଉ ବୋସ୍‌ ମଧ୍ୟ ଆପଣଙ୍କ କାମରୁ ଖୁସି ହେବେ । ଏବେ ଯାଏଁ ଆମେ ଯେଉଁ ଗୁଣଗୁଡ଼ିକ ଓ କୌଶଳ ବିଷୟରେ କଥା ହେଲୁ, ତାହା ବଢ଼ାଇଲେ ଜଣେ ଖ୍ରୀଷ୍ଟିୟାନ ଭବିଷ୍ୟତରେ ନିଜ ଦାୟିତ୍ୱଗୁଡ଼ିକ ଭଲଭାବେ ତୁଲାଇପାରିବ । ଆସନ୍ତୁ ଏପରି ହିଁ କିଛି ଦାୟିତ୍ୱ ବିଷୟରେ କଥା ହେବା ।

ଭବିଷ୍ୟତରେ ଦାୟିତ୍ୱଗୁଡ଼ିକ ସମ୍ଭାଳିବା ପାଇଁ ପ୍ରସ୍ତୁତି କରନ୍ତୁ

୧୪. ଜଣେ ଯୁବା ଭାଇ ପୂର୍ଣ୍ଣ ସମୟର ସେବା କରିବା ପାଇଁ କିପରି ପ୍ରସ୍ତୁତି କରିପାରିବେ ?

୧୪ ପୂର୍ଣ୍ଣ ସମୟର ସେବକ । ଅନେକ ପ୍ରୌଢ଼ ଭାଇ ପୂର୍ଣ୍ଣ ସମୟର ସେବା କମ୍‌ ବୟସରୁ ହିଁ ଆରମ୍ଭ କରିଦେଇଥିଲେ । ଏଥିରୁ କʼଣ ଲାଭ ହୁଏ ? ଯେବେ ଜଣେ ଯୁବା ଅଗ୍ରଦୂତ ସେବା କରେ, ତେବେ ସେ ଅଲଗା ଅଲଗା ଲୋକଙ୍କ ସହ ଭଲଭାବେ କାମ କରିବା ଶିଖେ । ଅଗ୍ରଦୂତ ସେବା କରିବାରୁ ଜଣେ ଯୁବା ଏହା ବି ଶିଖିପାରେ ଯେ ତାʼ ପାଖରେ ଯେତିକି ଅଛି ସେତିକିରେ ସେ କିପରି ଚଳିବ । (ଫିଲିପ୍‌. ୪:୧୧-୧୩) ପୂର୍ଣ୍ଣ ସମୟର ସେବା କରିବା ପାଇଁ ଭଲ ହେବ ଯେ ଆପଣ ପ୍ରଥମେ କିଛି ସମୟ ପାଇଁ ସହଯୋଗୀ ଅଗ୍ରଦୂତ ସେବା କରନ୍ତୁ । ଯେଉଁମାନେ ଏପରି କରନ୍ତି, ସେମାନେ ଆଗକୁ ଯାଇ ଅଗ୍ରଦୂତ ସେବା କରିବା ପାଇଁ ପ୍ରସ୍ତୁତ ହୋଇପାରନ୍ତି । ଅଗ୍ରଦୂତ ସେବା କରିବାରୁ ଆପଣଙ୍କୁ ପୂର୍ଣ୍ଣ ସମୟର ସେବା କରିବାର ଆହୁରି ସୁଯୋଗ ମିଳିପାରିବ, ଯେପରି ନିର୍ମାଣ କାମରେ ସାହାଯ୍ୟ କରିବା କିମ୍ବା ବୈଥେଲରେ ସେବା କରିବା ।

୧୫-୧୬. ଜଣେ ଯୁବା ଭାଇ ମଣ୍ଡଳୀର ଭାଇଭଉଣୀମାନଙ୍କ ସେବା କରିବା ପାଇଁ କିପରି ଦକ୍ଷ ହୋଇପାରିବେ ?

୧୫ ସହାୟକ ସେବକ କିମ୍ବା ପ୍ରାଚୀନ । ଭାଇମାନଙ୍କୁ ଲକ୍ଷ୍ୟ ରଖିବା ଉଚିତ୍‌ ଯେ ସେମାନେ ଦିନେ ମଣ୍ଡଳୀରେ ପ୍ରାଚୀନ ଭାବେ ଭାଇଭଉଣୀମାନଙ୍କ ସେବା କରିବା ପାଇଁ ଦକ୍ଷ ହୋଇପାରିବେ । ବାଇବଲ କହେ ଯେ ଯେଉଁ ଭାଇ ଏପରି କରିବା ପାଇଁ ଆଗକୁ ବଢ଼େ, “ସେ ଉତ୍ତମ କାର୍ଯ୍ୟ” କରିବାର ଇଚ୍ଛା ରଖେ । (୧ ତୀମ. ୩:୧) ପ୍ରାଚୀନ ଭାବେ ସେବା କରିବା ପୂର୍ବରୁ, ଜଣେ ଭାଇଙ୍କୁ ସହାୟକ ସେବକ ଭାବେ ସେବା କରିବା ପାଇଁ ଦକ୍ଷ ହେବା ଉଚିତ୍‌ । ସହାୟକ ସେବକ ଅଲଗା ଅଲଗା ଉପାୟରେ ପ୍ରାଚୀନମାନଙ୍କ ସାହାଯ୍ୟ କରନ୍ତି । ପ୍ରାଚୀନ ଓ ସହାୟକ ସେବକ ଦୁହେଁ ନମ୍ର ଥାʼନ୍ତି ଏବଂ ସେମାନଙ୍କଠାରେ ଭାଇଭଉଣୀମାନଙ୍କ ସେବା କରିବାର ଉତ୍ସାହ ଥାଏ । ସେମାନେ ଉତ୍ସାହର ସହ ପ୍ରଚାର ମଧ୍ୟ କରନ୍ତି । ଜଣେ ଯୁବା ଭାଇ ୧୭-୧୮ ବର୍ଷ ବୟସରେ ମଧ୍ୟ ସହାୟକ ସେବକ ହେବାର ଦକ୍ଷ ହୋଇପାରିବେ । ଆଉ ଜଣେ ଦକ୍ଷ ସହାୟକ ସେବକଙ୍କୁ ୨୦-୨୨ ବର୍ଷ ବୟସରେ ହିଁ ପ୍ରାଚୀନ ଭାବେ ନିଯୁକ୍ତ କରାଯାଇପାରିବ ।

୧୬ ଆପଣ ସହାୟକ ସେବକ କିମ୍ବା ପ୍ରାଚୀନ ଭାବେ ସେବା କରିବା ପାଇଁ କିପରି ଦକ୍ଷ ହୋଇପାରିବେ ? ଏବିଷୟରେ ବାଇବଲରେ କିଛି ଯୋଗ୍ୟତା ଦିଆଯାଇଛି । ଜଣେ ଭାଇ ଏହି ଯୋଗ୍ୟତାକୁ ତେବେ ପୂରା କରିପାରିବ ଯେବେ ସେ ଯିହୋବାଙ୍କୁ, ପରିବାରର ସଦସ୍ୟମାନଙ୍କୁ ଏବଂ ମଣ୍ଡଳୀର ଭାଇଭଉଣୀମାନଙ୍କୁ ପ୍ରେମ କରିବ । (୧ ତୀମ. ୩:୧-୧୩; ତୀତ. ୧:୬-୯; ୧ ପିତ. ୫:୨, ୩) ଆପଣ ମଧ୍ୟ ବାଇବଲରେ ଦିଆଯାଇଥିବା ଏହି ଯୋଗ୍ୟତାଗୁଡ଼ିକୁ ବୁଝିବା ଏବଂ ଏହାକୁ ପୂରା କରିବା ପାଇଁ ଚେଷ୍ଟା କରିପାରିବେ । ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କୁ ଏପରି କରିବା ପାଇଁ ସାହାଯ୍ୟ କରନ୍ତୁ । c

ଯିହୋବା ଚାହାନ୍ତି ଯେ ଜଣେ ପୁରୁଷ ନିଜ ସ୍ତ୍ରୀ ଏବଂ ପିଲାମାନଙ୍କୁ ପ୍ରେମ କରୁ, ସେମାନଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କରୁ, ସେମାନଙ୍କ ସାଙ୍ଗ ହେଉ ଏବଂ ସବୁଠୁ ଜରୁରୀ ଯିହୋବାଙ୍କ ସହ ସମ୍ପର୍କ ଦୃଢ଼ କରିବା ପାଇଁ ସେମାନଙ୍କୁ ସାହାଯ୍ୟ କରୁ (ପାରାଗ୍ରାଫ ୧୭)

୧୭. ଜଣେ ଯୁବା ଭାଇ ଆଗକୁ ଯାଇ ଜଣେ ଭଲ ସ୍ୱାମୀ ଏବଂ ପରିବାରର ମୁଖିଆ ହେବା ପାଇଁ ଏବେଠୁ କʼଣ କରିପାରିବେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୭ ସ୍ୱାମୀ ଏବଂ ପରିବାରର ମୁଖିଆ । ଯେପରି ଯୀଶୁ କହିଥିଲେ, କିଛି ପ୍ରୌଢ଼ ଭାଇ ଅବିବାହିତ ଥାʼନ୍ତି । (ମାଥି. ୧୯:୧୨) କିନ୍ତୁ ଯଦି ଆପଣ ବାହା ହେବାର ନିଷ୍ପତ୍ତି ନିଅନ୍ତି, ତେବେ ଆପଣଙ୍କୁ ସ୍ୱାମୀ ଓ ମୁଖିଆ ହେବାର ଦାୟିତ୍ୱ ତୁଲାଇବାକୁ ପଡ଼ିବ । (୧ କରି. ୧୧:୩) ଯିହୋବା ଚାହାନ୍ତି ଯେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ପ୍ରେମ କରୁ ଆଉ ତାଙ୍କ ଆବଶ୍ୟକତାଗୁଡ଼ିକୁ ଧ୍ୟାନରେ ରଖୁ, ତାଙ୍କର ଭଲ ସାଙ୍ଗ ହେଉ ଏବଂ ଯିହୋବାଙ୍କ ସହ ତାଙ୍କ ସମ୍ପର୍କ ଦୃଢ଼ କରିବା ପାଇଁ ସାହାଯ୍ୟ କରୁ । (ଏଫି. ୫:୨୮, ୨୯) ଏହି ଲେଖାରେ ଆମେ ଯେଉଁ ଗୁଣଗୁଡ଼ିକ ଏବଂ କୌଶଳ ବିଷୟରେ କଥା ହେଲୁ, ଯଦି ଆପଣ ନିଜଠାରେ ତାହା ବଢ଼ାଇବେ, ତେବେ ଆପଣ ଆଗକୁ ଯାଇ ଭଲ ଜୀବନ ସାଥୀ ହୋଇପାରିବେ । ଯେପରି ଯଦି ଆପଣ ଏବେଠୁ ଭାବିବାର ଶକ୍ତି ବଢ଼ାଇବେ, ମହିଳାମାନଙ୍କ ସମ୍ମାନ କରିବା ଶିଖିବେ ଏବଂ ଭରସାଯୋଗ୍ୟ ହେବେ, ତେବେ ଆପଣ ଆଗକୁ ଯାଇ ଜଣେ ସ୍ୱାମୀ ଓ ମୁଖିଆ ହେବାର ଦାୟିତ୍ୱକୁ ଭଲଭାବେ ତୁଲାଇପାରିବେ ।

୧୮. ଜଣେ ଯୁବା ଭାଇ ଆଗକୁ ଯାଇ ଜଣେ ଭଲ ବାପା ହେବା ପାଇଁ ଏବେଠୁ କʼଣ କରିପାରିବେ ?

୧୮ ବାପା । ବାହା ହେବା ପରେ ହୁଏତ ଆପଣଙ୍କ ପିଲାଛୁଆ ମଧ୍ୟ ଥିବେ । ତେବେ ଆପଣ ଜଣେ ଭଲ ବାପା କିପରି ହୋଇପାରିବେ ? ଆପଣ ଏବିଷୟରେ ଯିହୋବାଙ୍କଠୁ ଅନେକ କଥା ଶିଖିପାରିବେ । (ଏଫି. ୬:୪) ଯିହୋବା ସ୍ପଷ୍ଟ ଭାବେ ନିଜ ପୁଅ ଯୀଶୁଙ୍କୁ କହିଲେ ଯେ ସେ ତାଙ୍କୁ ପ୍ରେମ କରନ୍ତି ଏବଂ ସେ ତାଙ୍କଠୁ ଖୁସି ଅଛନ୍ତି । (ମାଥି. ୩:୧୭) ଆଗକୁ ଯାଇ ଯଦି ଆପଣ ବାପା ହେବେ, ତେବେ ଆପଣ ମଧ୍ୟ ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରିବେ । ଆପଣ ନିଜ ପିଲାଙ୍କୁ ଭରସା କରାଇପାରିବେ ଯେ ଆପଣ ସେମାନଙ୍କୁ ପ୍ରେମ କରନ୍ତି । ଯେବେ ବି ସେମାନେ କିଛି ଭଲ କାମ କରନ୍ତି, ତେବେ ହୃଦୟରୁ ସେମାନଙ୍କ ପ୍ରଶଂସା କରନ୍ତୁ । ଯେବେ ଆପଣ ଏପରି ଭାବେ ନିଜ ପିଲାମାନଙ୍କ ସହ ବ୍ୟବହାର କରିବେ, ତେବେ ଆଗକୁ ଯାଇ ସେମାନେ ମଧ୍ୟ ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରିବେ । ତେଣୁ ଏବେଠୁ ନିଜ ପରିବାରର ସଦସ୍ୟମାନଙ୍କ ଏବଂ ମଣ୍ଡଳୀର ଭାଇଭଉଣୀମାନଙ୍କର ଚିନ୍ତା କରନ୍ତୁ । ସେମାନଙ୍କୁ କହନ୍ତୁ ଯେ ଆପଣ ସେମାନଙ୍କୁ ବହୁତ ପ୍ରେମ କରନ୍ତି ଏବଂ ସେମାନଙ୍କୁ ବହୁମୂଲ୍ୟ ମନେକରନ୍ତି । (ଯୋହ. ୧୫:୯) ଏସବୁ କଲେ ଆପଣ ଆଗକୁ ଯାଇ ଜଣେ ଭଲ ସ୍ୱାମୀ ଓ ବାପା ହୋଇପାରିବେ । କିନ୍ତୁ ଆଜି ମଧ୍ୟ ଆପଣ ଯିହୋବାଙ୍କ କାମରେ ଆସିପାରିବେ ଏବଂ ନିଜ ପରିବାର ଓ ମଣ୍ଡଳୀ ପାଇଁ ଗୋଟିଏ ଆଶିଷ ସାବ୍ୟସ୍ତ ହୋଇପାରିବେ ।

ଏବେ ଆପଣ କʼଣ କରିବେ ?

ଅନେକ ଭାଇ ବାଇବଲର କଥାଗୁଡ଼ିକୁ ଶିଖିଲେ ଏବଂ ତାହାକୁ ମାନିଲେ, ତେଣୁ ସେମାନେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରିଲେ (ପାରାଗ୍ରାଫ ୧୯-୨୦)

୧୯-୨୦. ଯୁବା ଭାଇମାନେ କିପରି ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରିବେ ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

୧୯ ଯୁବା ଭାଇମାନେ ଆପଣ ବିନା ପରିଶ୍ରମରେ ଜଣେ ଭଲ ଓ ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରିବେ ନାହିଁ, ଆପଣମାନଙ୍କୁ ପରିଶ୍ରମ କରିବାକୁ ପଡ଼ିବ । ଆପଣମାନଙ୍କୁ ଏପରି ପ୍ରୌଢ଼ ଲୋକମାନଙ୍କ ବିଷୟରେ ଭାବିବାକୁ ପଡ଼ିବ, ଯେଉଁମାନଙ୍କ ଭଳି ଆପଣ ହେବା ପାଇଁ ଚାହାନ୍ତି । ଆପଣମାନଙ୍କୁ ଭାବିବାର ଶକ୍ତି ବଢ଼ାଇବାକୁ ପଡ଼ିବ, ଭରସାଯୋଗ୍ୟ ହେବାକୁ ପଡ଼ିବ, ଏପରି କିଛି କୌଶଳ ଶିଖିବାକୁ ପଡ଼ିବ ଯାହା ଆପଣଙ୍କ କାମରେ ଆସିବ ଏବଂ ଭବିଷ୍ୟତରେ ଦାୟିତ୍ୱଗୁଡ଼ିକ ସମ୍ଭାଳିବା ପାଇଁ ଏବେଠୁ ପ୍ରସ୍ତୁତି କରିବାକୁ ପଡ଼ିବ ।

୨୦ ଯେବେ ଆପଣ ଏବିଷୟରେ ଭାବିବେ ଯେ ଆପଣଙ୍କୁ କେତେ କʼଣ କରିବାର ଅଛି, ତେବେ ହୁଏତ ଆପଣ ଡରିଯିବେ । କିନ୍ତୁ ହାର୍‌ ମାନନ୍ତୁ ନାହିଁ, ଆପଣ ଜଣେ ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରିବେ । ମନେରଖନ୍ତୁ, ଯିହୋବା ଆପଣଙ୍କ ସାଙ୍ଗରେ ଅଛନ୍ତି, ସେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଚାହାନ୍ତି । (ଯିଶା. ୪୧:୧୦, ୧୩) ଆଉ ମଣ୍ଡଳୀର ଭାଇଭଉଣୀମାନେ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ତାହେଲେ ପ୍ରୌଢ଼ ହେବା ପାଇଁ ପରିଶ୍ରମ କରିବା ଜାରି ରଖନ୍ତୁ । ଯେବେ ଆପଣ ପ୍ରୌଢ଼ ଭାଇ ହୋଇଯିବେ, ତେବେ ଆପଣ ଅନେକ କିଛି କରିପାରିବେ ଏବଂ ନିଜ ଜୀବନରେ ଖୁସିରେ ରହିପାରିବେ । ଯୁବା ଭାଇମାନେ ଆମେ ଆପଣମାନଙ୍କୁ ବହୁତ ପ୍ରେମ କରୁ ! ଆମେ ପ୍ରାର୍ଥନା କରୁ ଯେ ଯିହୋବା ଆପଣଙ୍କ ପରିଶ୍ରମ ଉପରେ ଆଶିଷ ଦିଅନ୍ତୁ ।—ହିତୋ. ୨୨:୪.

ଗୀତ ୬୫ ଆଗେ ବାଢ଼ !

a ମଣ୍ଡଳୀଗୁଡ଼ିକରେ ପ୍ରୌଢ଼ ଖ୍ରୀଷ୍ଟିୟାନମାନଙ୍କ ବହୁତ ଆବଶ୍ୟକ ଅଛି । ଏହି ଲେଖାରେ ଆମେ ଜାଣିବା ଯେ ଯୁବା ଭାଇମାନେ କିପରି ଆହୁରି ଭଲ କିମ୍ବା ପ୍ରୌଢ଼ ଖ୍ରୀଷ୍ଟିୟାନ ହୋଇପାରିବେ ।

b ପୂର୍ବବର୍ତ୍ତୀ ଲେଖାରେ ଦିଆଯାଇଥିବା ଫୁଟନୋଟ୍‌ “ଏହାର ଅର୍ଥ କʼଣ ?” ପଢ଼ନ୍ତୁ ।