ଆପଣଙ୍କ ପ୍ରଶ୍ନ
୧ ତୀମଥି ୫:୨୧ ପଦରେ ଯେଉଁ “ମନୋନୀତ ଦୂତମାନଙ୍କ” ବିଷୟରେ କୁହାଯାଇଛି, ସେମାନେ କିଏ ?
ପ୍ରେରିତ ପାଉଲ ନିଜ ସାଥୀ ପ୍ରାଚୀନ ତୀମଥିଙ୍କୁ ଲେଖିଲେ, ‘ଈଶ୍ୱର, ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୂତମାନଙ୍କ ସାକ୍ଷାତରେ ମୁଁ ଦୃଢ଼ ରୂପେ ଆଜ୍ଞା ଦେଉଅଛି, ତୁମ୍ଭେ ପୂର୍ବଧାରଣା ଦ୍ୱାରା ଚାଳିତ ନ ହୋଇ ଏହି ସମସ୍ତ ପାଳନ କର, ପୁଣି ପକ୍ଷପାତ ଭାବରେ କୌଣସି କାର୍ଯ୍ୟ କର ନାହିଁ ।’—୧ ତୀମ. ୫:୨୧.
ସବୁଠୁ ପ୍ରଥମେ ଆମେ ଜାଣିବା ଯେ ଏହି ଦୂତ କେଉଁମାନଙ୍କୁ କୁହାଯାଇପାରିବ ନାହିଁ । ଏହି ଦୂତ ୧,୪୪,୦୦୦ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ କୁହାଯାଇପାରିବ ନାହିଁ । କାହିଁକି ? କାରଣ ଯେବେ ପାଉଲ ତୀମଥିଙ୍କୁ ଏହି କଥା ଲେଖିଥିଲେ, ସେସମୟ ଯାଏ ଜଣେ ବି ଅଭିଷିକ୍ତ ଖ୍ରୀଷ୍ଟିୟାନଙ୍କୁ ସ୍ୱର୍ଗରେ ଜୀବିତ କରାଯାଇ ନ ଥିଲା । ପ୍ରେରିତ ଓ ଅନ୍ୟ ଅଭିଷିକ୍ତ ଲୋକମାନେ ସେସମୟରେ ଅଦୃଶ୍ୟ ପ୍ରାଣୀ ହୋଇ ନ ଥିଲେ । ସେଥିପାଇଁ ସେମାନଙ୍କୁ ‘ମନୋନୀତ ଦୂତ’ ବା ସ୍ୱର୍ଗଦୂତ କୁହାଯାଇପାରିବ ନାହିଁ ।—୧ କରି. ୧୫:୫୦-୫୪; ୧ ଥେସ. ୪:୧୩-୧୭; ୧ ଯୋହ. ୩:୨.
ଏହି ‘ମନୋନୀତ ଦୂତ’ ସେହି ସ୍ୱର୍ଗଦୂତମାନଙ୍କୁ ବି କୁହାଯାଇପାରିବ ନାହିଁ, ଯେଉଁମାନେ ଜଳପ୍ଳାବନ ସମୟରେ ଯିହୋବାଙ୍କ ଆଜ୍ଞା ଭାଙ୍ଗିଥିଲେ । ସେମାନେ ଦୁଷ୍ଟ ସ୍ୱର୍ଗଦୂତ ଶୟତାନର ପକ୍ଷ ନେଇଥିଲେ ଏବଂ ଯୀଶୁଙ୍କ ଶତ୍ରୁ ହୋଇଯାଇଥିଲେ । (ଆଦି. ୬:୨; ଲୂକ ୮:୩୦, ୩୧; ୨ ପିତ. ୨:୪) ଭବିଷ୍ୟତରେ ସେମାନଙ୍କୁ ୧,୦୦୦ ବର୍ଷ ପାଇଁ ପାତାଳ କୁଣ୍ଡରେ ପକାଇ ଦିଆଯିବ ଏବଂ ଶେଷରେ ଶୟତାନ ସହ ସେମାନଙ୍କୁ ବି ବିନାଶ କରିଦିଆଯିବ ।—ଯିହୂ. ୬; ପ୍ରକା. ୨୦:୧-୩, ୧୦.
ଧ୍ୟାନ ଦିଅନ୍ତୁ ଯେ ‘ଈଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ’ ବିଷୟରେ କହିବା ସମୟରେ ଏହି “ମନୋନୀତ ଦୂତମାନଙ୍କ” ବିଷୟରେ କୁହାଯାଇଛି । ଏଥିରୁ ଜଣାପଡ଼େ ଯେ ପାଉଲ ନିଶ୍ଚୟ ସେହି ବିଶ୍ୱସ୍ତ ସ୍ୱର୍ଗଦୂତମାନଙ୍କ ବିଷୟରେ କହୁଥିବେ, ଯେଉଁମାନେ ‘ଈଶ୍ୱର ଓ ଖ୍ରୀଷ୍ଟ ଯୀଶୁଙ୍କ’ ସହଯୋଗ କରନ୍ତି ।
ସ୍ୱର୍ଗରେ ଲକ୍ଷ ଲକ୍ଷ ବିଶ୍ୱସ୍ତ ସ୍ୱର୍ଗଦୂତ ଅଛନ୍ତି । (ଏବ୍ରୀ ୧୨:୨୨, ୨୩) ଆଉ ଏପରି ଲାଗେ ଯେ ଯିହୋବା ପ୍ରତ୍ୟେକ ସ୍ୱର୍ଗଦୂତମାନଙ୍କୁ ଅଲଗା ଅଲଗା ଦାୟିତ୍ୱ ଦିଅନ୍ତି । (ପ୍ରକା. ୧୪:୧୭, ୧୮) ଯେପରି ଥରେ ଜଣେ ସ୍ୱର୍ଗଦୂତଙ୍କୁ ୧,୮୫,୦୦୦ ଅଶୂରୀୟ ସୈନିକମାନଙ୍କୁ ମାରିବା ପାଇଁ ଦାୟିତ୍ୱ ଦିଆଯାଇଥିଲା । (୨ ରାଜା. ୧୯:୩୫) ଅନେକ ସ୍ୱର୍ଗଦୂତମାନଙ୍କୁ ହୁଏତ ଆଗକୁ ଯାଇ ଯୀଶୁଙ୍କ “ରାଜ୍ୟରୁ ସମସ୍ତ ବିଘ୍ନଜନକ ବିଷୟ ଓ ଅଧର୍ମାଚାରୀମାନଙ୍କୁ ସଂଗ୍ରହ” କରିବା ପାଇଁ ଦାୟିତ୍ୱ ଦିଆଯାଇଥିବ । (ମାଥି. ୧୩:୩୯-୪୧) ଆଉ ହୁଏତ ଅନ୍ୟ କିଛି ସ୍ୱର୍ଗଦୂତମାନଙ୍କୁ “[ଯୀଶୁଙ୍କ] ମନୋନୀତ ଲୋକମାନଙ୍କୁ” ସ୍ୱର୍ଗରେ ‘ଏକତ୍ର କରିବାର’ ଦାୟିତ୍ୱ ଦିଆଯାଇଛି । (ମାଥି. ୨୪:୩୧) ତାʼ ଛଡ଼ା ଆଉ କିଛି ସ୍ୱର୍ଗଦୂତମାନଙ୍କୁ ‘ଆମ୍ଭର ସବୁ ଗତିରେ ଆମ୍ଭକୁ ରକ୍ଷା କରିବା ପାଇଁ’ ଆଜ୍ଞା ଦିଆଯାଇଛି ।—ଗୀତ. ୯୧:୧୧; ମାଥି. ୧୮:୧୦; ମାଥି. ୪:୧୧; ପଦକୁ ଲୂକ ୨୨:୪୩ ପଦ ସହ ତୁଳନା କରନ୍ତୁ ।
୧ ତାମଥି ୫:୨୧ ପଦରେ କୁହାଯାଇଥିବା ‘ମନୋନୀତ ଦୂତ’ ହୁଏତ ସେହି ସ୍ୱର୍ଗଦୂତମାନଙ୍କୁ କୁହାଯାଇଥିବ, ଯେଉଁମାନଙ୍କୁ ମଣ୍ଡଳୀରେ ସାହାଯ୍ୟ କରିବାର ଦାୟିତ୍ୱ ଦିଆଯାଇଥିଲା । ଆମେ ଏପରି କାହିଁକି କହିପାରିବା ? ଆଖପାଖ ପଦଗୁଡ଼ିକୁ ଧ୍ୟାନ ଦେଲେ ଜଣାପଡ଼େ ଯେ ପାଉଲ ପ୍ରାଚୀନମାନଙ୍କୁ ଏବିଷୟରେ କହୁଥିଲେ ଯେ ସେମାନଙ୍କୁ ନିଜ ଦାୟିତ୍ୱଗୁଡ଼ିକୁ କିପରି ତୁଲାଇବା ଉଚିତ୍ ଏବଂ ମଣ୍ଡଳୀର ସମସ୍ତଙ୍କୁ ସେମାନଙ୍କ ଆଦର କରିବା ଉଚିତ୍ । ସେ କହିଲେ ଯେ ପ୍ରାଚୀନମାନଙ୍କୁ ‘ପୂର୍ବଧାରଣା ଦ୍ୱାରା ଚାଳିତ ହେବା ଓ ପକ୍ଷପାତ ଭାବରେ କୌଣସି କାର୍ଯ୍ୟ କରି’ ନିଜର ଦାୟିତ୍ୱ ତୁଲାଇବା ଏବଂ ବିନା ଭାବିଚିନ୍ତି କୌଣସି ନିଷ୍ପତ୍ତି ନେବା ଉଚିତ୍ ନୁହେଁ । ପାଉଲ ସେମାନଙ୍କୁ ଏବିଷୟରେ ବି କହିଲେ ଯେ ସେମାନଙ୍କୁ କାହିଁକି ଏହି ପରାମର୍ଶକୁ ଗମ୍ଭୀର ଭାବିବା ଉଚିତ୍ । କାରଣ ପ୍ରାଚୀନମାନେ ‘ଈଶ୍ୱର, ଖ୍ରୀଷ୍ଟ ଯୀଶୁଙ୍କ ଓ ମନୋନୀତ ଦୂତମାନଙ୍କ’ ସାମନାରେ ସେବା କରନ୍ତି । ଅର୍ଥାତ୍ ସେମାନେ ସମସ୍ତେ ଦେଖନ୍ତି ଯେ ପ୍ରାଚୀନମାନେ କିଭଳି ମଣ୍ଡଳୀର ଦେଖାରେଖା କରୁଛନ୍ତି । ସେଥିପାଇଁ ଆମେ କହିପାରିବା ଯେ କିଛି ସ୍ୱର୍ଗଦୂତମାନଙ୍କୁ ମଣ୍ଡଳୀରେ ସାହାଯ୍ୟ କରିବାର ଦାୟିତ୍ୱ ଦିଆଯାଇଛି । ଯେପରି ଈଶ୍ୱରଙ୍କ ସେବକମାନଙ୍କର ରକ୍ଷା କରିବା, ପ୍ରଚାର କାମରେ ଆମକୁ ସାହାଯ୍ୟ କରିବା ଓ ସେମାନେ ଯାହା ଦେଖନ୍ତି, ସେବିଷୟରେ ଯିହୋବାଙ୍କୁ ଖବର ଦେବା ।—ମାଥି. ୧୮:୧୦; ପ୍ରକା. ୧୪:୬.