ଅଧ୍ୟୟନ ଲେଖା ୫୧
ଗୀତ ୩ ହମାରି ତାକତ୍, ଆଶା ଔର ଭରୋସା
ଆପଣଙ୍କ ଲୁହ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟେ !
“ତୁମ୍ଭେ ଆପଣା ପାତ୍ରରେ ଆମ୍ଭର ନେତ୍ରଜଳ ରଖିଥାଅ; ତାହାସବୁ କʼଣ ତୁମ୍ଭ ପୁସ୍ତକରେ ନାହିଁ ?”—ଗୀତ. ୫୬:୮.
କʼଣ ଶିଖିବା ?
ଯେବେ ଆମେ ବହୁତ ଦୁଃଖି ଓ ନିରାଶ ହୋଇଯାଉ, ତେବେ ଯିହୋବା ଆମ କଷ୍ଟ ବୁଝନ୍ତି ଓ ସେ ଆମକୁ ସାନ୍ତ୍ୱନା ଦିଅନ୍ତି ।
୧-୨. ଅନେକଥର ଆମ ଆଖିରେ କାହିଁକି ଲୁହ ଆସିଯାଏ ?
ଆମ ସମସ୍ତଙ୍କ ଆଖିରେ କେବେ ନା କେବେ ଲୁହ ଆସିଥାଏ । ଯେବେ ଆମ ଜୀବନରେ ଭଲ ସମୟ ଆସେ, ତେବେ ବି ଆମ ଆଖିରେ ଖୁସିର ଲୁହ ଭରିଆସେ । ଯେପରି, ଯେବେ ଆପଣ ପ୍ରଥମ ଥର ନିଜ ଛୁଆକୁ ନିଜ କୋଳରେ ଧରିଥିବେ, କୌଣସି ଭଲ ସ୍ମୃତି ମନେ ପକାଇ ଥିବେ କିମ୍ବା ଅନେକ ବର୍ଷ ପରେ ନିଜର ପ୍ରିୟ ସାଙ୍ଗକୁ ଭେଟିଥିବେ, ତେବେ ଆପଣଙ୍କ ଆଖିରେ ଲୁହ ଆସି ଯାଇଥିବ ।
୨ କିନ୍ତୁ ଅନେକଥର ଆମେ ନିଜର ଦୁଃଖକଷ୍ଟ ପାଇଁ କାନ୍ଦିଥାଉ । ଯେପରି, ଯେବେ ଆମର ନିଜର କେହି ଆମକୁ ଧୋକା ଦିଅନ୍ତି କିମ୍ବା ଆମର ଭରସା ଭାଙ୍ଗନ୍ତି, ତେବେ ହୁଏତ ଆମେ କାନ୍ଦିଥାଉ । ହୋଇପାରେ କୌଣସି ବଡ଼ ରୋଗ ଯାହା ଆମକୁ ବହୁତ କଷ୍ଟ ପହଞ୍ଚାଉଛି କିମ୍ବା ମୃତ୍ୟୁ ଯୋଗୁଁ ଆମେ ନିଜ ପ୍ରିୟଜନଙ୍କଠାରୁ ଦୂରେଇ ଯାଇଛୁ, ତେବେ ବି ଆମେ ବହୁତ କାନ୍ଦିଥାଉ । ଏପରି ସମୟରେ ହୁଏତ ଆମେ ଭବିଷ୍ୟଦ୍ବକ୍ତା ଯିରିମୀୟଙ୍କ ଭଳି ଅନୁଭବ କରିବା । ଯେବେ ବାବିଲର ଲୋକମାନେ ଯିରୂଶାଲମ ସହରକୁ ବିନାଶ କଲେ, ତେବେ ସେ କହିଲେ, ‘ମୋʼ ଚକ୍ଷୁରୁ ଜଳଧାରା ବହୁଅଛି । ମୋର ଚକ୍ଷୁ ଅବିଶ୍ରାନ୍ତ ଅଶ୍ରୁ ବର୍ଷାଉଅଛି, ନିବୃତ୍ତ ହେଉ ନାହିଁ ।’—ବିଳା. ୩:୪୮, ୪୯, ୫୦.
୩. ଯେବେ ଯିହୋବା ନିଜ ସେବକମାନଙ୍କୁ କଷ୍ଟରେ ଦେଖନ୍ତି, ତେବେ ତାଙ୍କୁ କିପରି ଲାଗେ ? (ଯିଶାଇୟ ୬୩:୯)
୩ ଆମ ଜୀବନରେ ଆମେ ଯେତେ କଷ୍ଟ ସହିଛୁ, ଯିହୋବା ସେସବୁ ଦେଖିଛନ୍ତି । ବାଇବଲରେ କୁହାଯାଇଛି ଯେ ଯିହୋବା ଭଲଭାବେ ଜାଣନ୍ତି ଯେ ତାଙ୍କ ସେବକମାନଙ୍କ ଉପରେ କʼଣ ବିତୁଛି ଏବଂ ଯେବେ ସେମାନେ ସାହାଯ୍ୟ ପାଇଁ ତାଙ୍କୁ ଡାକନ୍ତି, ତେବେ ସେ ସେମାନଙ୍କର ଶୁଣନ୍ତି । (ଗୀତ. ୩୪:୧୫) କିନ୍ତୁ ଏପରି ନୁହେଁ ଯେ ଯିହୋବା କେବଳ ଆମ ଲୁହ ଦେଖନ୍ତି କିମ୍ବା ଆମର କଥା ଶୁଣନ୍ତି, ବରଂ ଆମକୁ କାନ୍ଦିବାର ଦେଖି ସେ ବହୁତ ଦୁଃଖି ହୋଇଯାʼନ୍ତି ଏବଂ ତୁରନ୍ତ ଆମର ସାହାଯ୍ୟ କରନ୍ତି । କାରଣ ସେ ଆମକୁ ବହୁତ ପ୍ରେମ କରନ୍ତି ।—ଯିଶାଇୟ ୬୩:୯ ପଢ଼ନ୍ତୁ ।
୪. ଏହି ଲେଖାରେ ଆମେ କେଉଁମାନଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ଏବଂ ଯିହୋବାଙ୍କ ବିଷୟରେ କʼଣ ଜାଣିବା ?
୪ ଯିହୋବା ନିଜ ବାକ୍ୟରେ ଲେଖାଇଛନ୍ତି ଯେ ଯେବେ ତାଙ୍କ ସେବକମାନେ କାନ୍ଦିଲେ, ସେସମୟରେ ତାଙ୍କୁ କିପରି ଲାଗିଲା ଏବଂ ସେ ସେମାନଙ୍କର କିପରି ସାହାଯ୍ୟ କଲେ । ଏହି ଲେଖାରେ ଆମେ ହାନ୍ନା, ଦାଉଦ ଓ ରାଜା ହିଜକୀୟଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ଓ ଜାଣିବା ଯେ (୧) ସେମାନେ କାହିଁକି କାନ୍ଦିଲେ, (୨) ଯିହୋବା ସେମାନଙ୍କର କିପରି ସାହାଯ୍ୟ କଲେ ଏବଂ (୩) ଆଜି ଯେବେ ଆମେ ଦୁଃଖି ହୋଇଯାଉ, କେହି ଆମକୁ ଧୋକା ଦିଅନ୍ତି କିମ୍ବା ଆମକୁ ଲାଗେ ଯେ ଆମଠାରେ କୌଣସି ଆଶା ନାହିଁ, ତେବେ ଯିହୋବା ଆମକୁ କିପରି ସାନ୍ତ୍ୱନା ଦିଅନ୍ତି ।
ଯେବେ ଆପଣ ବହୁତ ଦୁଃଖି ଥାʼନ୍ତି
୫. ହାନ୍ନାଙ୍କ ଜୀବନରେ ଯେଉଁ ସମସ୍ୟା ଥିଲା, ତାʼଯୋଗୁଁ ତାଙ୍କୁ କିପରି ଲାଗୁଥିଲା ?
୫ ହାନ୍ନାଙ୍କ ଜୀବନରେ ଅନେକ ସମସ୍ୟା ଥିଲା, ତେଣୁ ସେ ବହୁତ ଲୁହ ଗୋଡ଼ାଇ ଥିଲେ । ଗୋଟିଏ ସମସ୍ୟା ଥିଲା, ତାଙ୍କ ସ୍ୱାମୀଙ୍କ ଆଉ ଜଣେ ସ୍ତ୍ରୀ ଥିଲେ ଏବଂ ହାନ୍ନାଙ୍କ ସଉତୁଣୀ ପନ୍ନିନା ହାନ୍ନାଙ୍କୁ ଘୃଣା କରୁଥିଲେ । ଆଉ ଗୋଟିଏ ସମସ୍ୟା ଥିଲା, ହାନ୍ନାଙ୍କ କୌଣସି ସନ୍ତାନ ନ ଥିଲେ, କିନ୍ତୁ ପନ୍ନିନାଙ୍କ ଅନେକ ସନ୍ତାନ ଥିଲେ । (୧ ଶାମୁ. ୧:୧, ୨) ହାନ୍ନାଙ୍କ କୌଣସି ସନ୍ତାନ ନ ଥିବା ଯୋଗୁଁ ପନ୍ନିନା ତାଙ୍କର ବହୁତ ଅପମାନ କରୁଥିଲେ । ଭାବି ଦେଖନ୍ତୁ, ଯଦି ଆପଣ ହାନ୍ନାଙ୍କ ଜାଗାରେ ଥାʼନ୍ତେ, ତାହେଲେ ଆପଣଙ୍କୁ କିପରି ଲାଗନ୍ତା ? ବାଇବଲରେ କୁହାଯାଇଛି ଯେ ହାନ୍ନା ବହୁତ ଦୁଃଖି ହୋଇ ଯାଉଥିଲେ, ତେଣୁ ‘ସେ ରୋଦନ କରୁଥିଲେ, ଆଉ କିଛି ଖାଉ’ ନ ଥିଲେ । ତାଙ୍କ ହୃଦୟ “ତିକ୍ତମନା” ହୋଇଯାଉଥିଲା ।—୧ ଶାମୁ. ୧:୬, ୭, ୧୦.
୬. ହାନ୍ନା ସାନ୍ତ୍ୱନା ପାଇବା ପାଇଁ କʼଣ କଲେ ?
୬ ହାନ୍ନାଙ୍କୁ କେଉଁ କଥାରୁ ସାନ୍ତ୍ୱନା ମିଳିଲା ? ହାନ୍ନା ଯିହୋବାଙ୍କ ଉପାସନା କରିବା ପାଇଁ ପବିତ୍ର ତମ୍ବୁକୁ ଗଲେ । ସେଠାରେ ହୁଏତ ଅଗଣାର ଦ୍ୱାର ପାଖରେ ସେ ‘ପ୍ରାର୍ଥନା କରୁ କରୁ ଅତିଶୟ ରୋଦନ କଲେ ।’ ସେ ଯିହୋବାଙ୍କୁ ବିନତି କଲେ, ‘ଆପଣା ଦାସୀର ଦୁଃଖ ପ୍ରତି ନିତାନ୍ତ ଦୃଷ୍ଟିପାତ କର ଓ ମୋତେ ସ୍ମରଣ କର ।’ (୧ ଶାମୁ. ୧:୧୦ଖ, ୧୧) ହାନ୍ନା ଯିହୋବାଙ୍କୁ ନିଜର ସବୁ ଦୁଃଖ ଜଣାଇଲେ । ଯିହୋବା ନିଜ ପ୍ରିୟ ଝିଅକୁ କାନ୍ଦିବାର ଦେଖି, ହୁଏତ ସେ ବି ଦୁଃଖି ହୋଇ ଯାଇଥିବେ !
୭. ଯିହୋବାଙ୍କୁ ନିଜ ଦୁଃଖ ଜଣାଇବା ପରେ ହାନ୍ନାଙ୍କୁ କିପରି ଲାଗିଲା ?
୭ ହାନ୍ନା ଯିହୋବାଙ୍କୁ ନିଜ ଦୁଃଖ ଜଣାଇଲେ ଆଉ ତାʼପରେ ମହାଯାଜକ ଏଲି ତାଙ୍କୁ ଭରସା ଦେଲେ ଯେ ଯିହୋବା ତାଙ୍କ ପ୍ରାର୍ଥନାର ଉତ୍ତର ଦେବେ । ସେସମୟରେ ହାନ୍ନାଙ୍କୁ କିପରି ଲାଗିଲା ? ବାଇବଲରେ ଲେଖାଅଛି, ‘ସେ ସ୍ତ୍ରୀ ଆପଣା ପଥରେ ଗଲେ ଓ ଭୋଜନ କଲେ, ପୁଣି ତାହାର ମୁଖ ଆଉ ବିଷର୍ଣ୍ଣ ନୋହିଲା ।’ (୧ ଶାମୁ. ୧:୧୭, ୧୮) ହାନ୍ନାଙ୍କ ପରିସ୍ଥିତି ଏବେ ବି ଠିକ୍ ହୋଇ ନ ଥିଲା, ତଥାପି ତାଙ୍କୁ ଶାନ୍ତି ମିଳିଲା । କାହିଁକି ? କାରଣ ସେ ନିଜର ଚିନ୍ତାର ଭାର ଯିହୋବାଙ୍କୁ ଦେଇ ଦେଲେ ଏବଂ ଯିହୋବା ତାଙ୍କ ପ୍ରାର୍ଥନା ଶୁଣିଲେ, ତାଙ୍କ କଷ୍ଟ ବୁଝିଲେ ଓ ତାଙ୍କୁ ଆଶିଷ ଦେଲେ, ଯାହାଫଳରେ ଆଗକୁ ଯାଇ ସେ ଅନେକ ସନ୍ତାନର ମାଆ ହେଲେ ।—୧ ଶାମୁ. ୧:୧୯, ୨୦; ୨:୨୧.
୮-୯. ଆମକୁ କାହିଁକି ସଭାରେ ଯିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍ ? (ଏବ୍ରୀ ୧୦:୨୪, ୨୫) (ଚିତ୍ର ମଧ୍ୟ ଦେଖନ୍ତୁ ।)
୮ ଆମେ କʼଣ ଶିଖୁ ? କʼଣ ଆପଣ କୌଣସି ଏପରି ସମସ୍ୟାର ସାମନା କରୁଛନ୍ତି, ଯାହାଯୋଗୁଁ ଆପଣ ବହୁତ ଦୁଃଖି ଅଛନ୍ତି ? ହୁଏତ ଆପଣଙ୍କ ଘରେ ନିଜର କାହାରି କିମ୍ବା ଆପଣଙ୍କ କୌଣସି ସାଙ୍ଗର ମୃତ୍ୟୁ ହୋଇଯାଇଛି । ଏପରି ସମୟରେ ଆପଣ ହୁଏତ ଏକୁଟିଆ ରହିବା ପାଇଁ ଚାହିଁବେ ଏବଂ ଆପଣଙ୍କୁ କାହାରି ସହିତ କଥା ହେବା ପାଇଁ ଇଚ୍ଛା ହେବ ନାହିଁ । କିନ୍ତୁ ହାନ୍ନାଙ୍କ ବିଷୟରେ ଭାବନ୍ତୁ । ଯେବେ ସେ ପବିତ୍ର ତମ୍ବୁକୁ ଗଲେ, ତେବେ ତାଙ୍କୁ ଶାନ୍ତି ଓ ସାହସ ମିଳିଲା । ସେହିପରି ସଭାରେ ଗଲେ ଆପଣଙ୍କୁ ବି ସାହସ ମିଳିପାରିବ । ହୋଇପାରେ, ଆପଣ ଏତେ ଦୁଃଖି ଅଛନ୍ତି ଯେ ଆପଣଙ୍କୁ ସଭାକୁ ଯିବା ପାଇଁ ଇଚ୍ଛା ହେବ ନାହିଁ । ତଥାପି ଯେବେ ଆପଣ ଯିବେ, ତେବେ ଆପଣଙ୍କୁ ସାନ୍ତ୍ୱନା ମିଳିବ । (ଏବ୍ରୀ ୧୦:୨୪, ୨୫ ପଢ଼ନ୍ତୁ ।) ସଭାରେ ଯେବେ ଆମେ ବାଇବଲର ପଦଗୁଡ଼ିକୁ ଶୁଣୁ, ତେବେ ଆମର ବହୁତ ଉତ୍ସାହ ବଢ଼େ । ଏପରି ଭାବରେ ଯିହୋବା ଆମକୁ ଖରାପ ବିଷୟଗୁଡ଼ିକ ଭାବିବା ପରିବର୍ତ୍ତେ ଭଲ ବିଷୟଗୁଡ଼ିକ ଭାବିବା ପାଇଁ ସାହାଯ୍ୟ କରନ୍ତି । ଆଉ ହୁଏତ ପରିସ୍ଥିତି ତୁରନ୍ତ ଠିକ୍ ହେବ ନାହିଁ, ତଥାପି ଆମକୁ ଶାନ୍ତି ମିଳେ ଓ ଆମେ ନିଜକୁ ସମ୍ଭାଳିପାରୁ ।
୯ ଏହା ଛଡ଼ା ଯେବେ ଆମେ ସଭାରେ ଭାଇଭଉଣୀମାନଙ୍କ ସହ ଭେଟୁ, ତେବେ ବି ଆମକୁ ସାନ୍ତ୍ୱନା ମିଳେ । ଭାଇଭଉଣୀମାନେ ଆମର ଉତ୍ସାହ ବଢ଼ାନ୍ତି ଓ ଦେଖାନ୍ତି ଯେ ସେମାନେ ଆମକୁ ବହୁତ ପ୍ରେମ କରନ୍ତି । (୧ ଥେସ. ୫:୧୧, ୧୪) ଜଣେ ଭାଇ ଯିଏ ବିଶେଷ ଅଗ୍ରଦୂତ ସେବା କରୁଛନ୍ତି, ତାଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ସ୍ତ୍ରୀଙ୍କ ମୃତ୍ୟୁ ହୋଇଯାଇଛି । ଭାଇ କହନ୍ତି, “ଆଜି ବି ଯେବେ ମୋ ସ୍ତ୍ରୀଙ୍କ କଥା ମନେ ପଡ଼େ, ମୋ ଆଖିରେ ଲୁହ ଭରିଯାଏ । ଅନେକଥର ମୁଁ ଗୋଟିଏ କୋଣରେ ବସି କାନ୍ଦୁଥାଏ । କିନ୍ତୁ ସଭାକୁ ଗଲେ ମୋତେ ବହୁତ ସାହସ ମିଳେ । ଭାଇଭଉଣୀମାନଙ୍କ ଉତ୍ତର ଶୁଣି ଏବଂ ସେମାନେ ଯେପରି ମୋ ସହିତ ପ୍ରେମର ସହ କଥା ହୁଅନ୍ତି, ଏହା ମୋତେ ବହୁତ ଭଲ ଲାଗେ । ଅନେକଥର ସଭା ଯିବା ପୂର୍ବରୁ ମୋ ମନ ଭାରି ଅଶାନ୍ତ ଥାଏ, କିନ୍ତୁ ସଭାକୁ ଯାଇ ମୋତେ ବହୁତ ଭଲ ଲାଗେ ।” ଯେବେ ଆମେ ସଭାକୁ ଯାଉ, ତେବେ ଯିହୋବା ଭାଇଭଉଣୀମାନଙ୍କ ଜରିଆରେ ଆମକୁ ସାହାଯ୍ୟ କରିଥାʼନ୍ତି ଓ ଆମକୁ ସାନ୍ତ୍ୱନା ଦେଇଥାʼନ୍ତି ।
୧୦. ଯେବେ ଆମେ ବହୁତ ଦୁଃଖି ଥାଉ, ତେବେ ଆମେ ହାନ୍ନାଙ୍କ ଭଳି କʼଣ କରିପାରିବା ?
୧୦ ହାନ୍ନାଙ୍କୁ ଆଉ ଗୋଟିଏ କଥାରୁ ସାନ୍ତ୍ୱନା ମିଳିଲା: ସେ ଯିହୋବାଙ୍କୁ ନିଜ ଦୁଃଖ ଜଣାଇଲେ । ଆପଣ ବି ନିଜ ‘ସମସ୍ତ ଚିନ୍ତାର ଭାର [ଯିହୋବାଙ୍କ] ଉପରେ ପକାଇ ପାରିବେ’ ଆଉ ଭରସା ରଖିପାରିବେ ଯେ ସେ ଆପଣଙ୍କର ଶୁଣିବେ । (୧ ପିତ. ୫:୭) ଜଣେ ଭଉଣୀଙ୍କ ସ୍ୱାମୀଙ୍କୁ କିଛି ଡକାୟତମାନେ ଜୀବନରୁ ମାରି ଦେଇଥିଲେ, ସେ କହନ୍ତି, “ଯେବେ ମୋ ସ୍ୱାମୀଙ୍କ ମୃତ୍ୟୁ ହେଲା, ତେବେ ମୋତେ ଲାଗିଲା ଯେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଛି ଆଉ ମୁଁ ନିଜକୁ କେବେ ସମ୍ଭାଳିପାରିବି ନାହିଁ । କିନ୍ତୁ ଯେବେ ବି ମୁଁ ନିଜ ପ୍ରିୟ ପିତା ଯିହୋବାଙ୍କୁ ପ୍ରାର୍ଥନା କରୁଥିଲି, ମୋତେ ବହୁତ ସାନ୍ତ୍ୱନା ମିଳୁଥିଲା । ଅନେକଥର ମୁଁ ନିଜ ଦୁଃଖ ଯିହୋବାଙ୍କୁ କହିପାରୁ ନ ଥିଲି, କିନ୍ତୁ ମୁଁ ଜାଣିଥିଲି ଯେ ସେ ମୋ ହୃଦୟ କଥା ବୁଝନ୍ତି । ଯେବେ ଦୁଃଖ ଓ ଚିନ୍ତା ଯୋଗୁଁ ମୋତେ କିଛି ବୁଝାପଡ଼ୁ ନ ଥିଲା, ତେବେ ମୁଁ ଯିହୋବାଙ୍କୁ ମନର ଶାନ୍ତି ମାଗୁଥିଲି । ସେସମୟରେ ମୋତେ ଭାରି ଭଲ ଲାଗୁଥିଲା ଆଉ ଗୋଟେ ଗୋଟେ ଦିନ କଟାଇବା ପାଇଁ ମୋତେ ସାହସ ମିଳି ଯାଉଥିଲା ।” ଯେବେ ଆପଣ କାନ୍ଦି କାନ୍ଦି ଯିହୋବାଙ୍କୁ ନିଜର ଦୁଃଖ ଜଣାନ୍ତି, ତେବେ ତାଙ୍କୁ ବି ଦୁଃଖ ହୁଏ ଓ ସେ ଆପଣଙ୍କ କଷ୍ଟ ଭଲଭାବେ ବୁଝନ୍ତି । ହୋଇପାରେ ଆପଣଙ୍କ ଚିନ୍ତା ତୁରନ୍ତ ଦୂର ହେବ ନାହଁ, କିନ୍ତୁ ପ୍ରାର୍ଥନା କଲେ ଯିହୋବା ଆପଣଙ୍କୁ ସାନ୍ତ୍ୱନା ଓ ମନର ଶାନ୍ତି ଦେବେ । (ଗୀତ. ୯୪:୧୯; ଫିଲିପ୍. ୪:୬, ୭) ଏତେ ସବୁ ସହି ବି ଆପଣ ବିଶ୍ୱସ୍ତତାର ସହିତ ଯିହୋବାଙ୍କ ସେବା କରୁଛନ୍ତି, ଏହା ପାଇଁ ସେ ଆପଣଙ୍କୁ ନିଶ୍ଚୟ ପୁରସ୍କାର ଦେବେ ।—ଏବ୍ରୀ ୧୧:୬.
ଯେବେ ଆପଣଙ୍କୁ କେହି ଧୋକା ଦିଅନ୍ତି
୧୧. ଯେବେ ଦାଉଦଙ୍କ ଜୀବନରେ ଅନେକ ସମସ୍ୟା ଆସିଲା, ତେବେ ତାଙ୍କୁ କିପରି ଲାଗିଲା ?
୧୧ ଯେବେ ଦାଉଦଙ୍କ ଜୀବନରେ ଅନେକ ସମସ୍ୟା ଆସିଲା, ତେବେ ସେ ଅନେକଥର କାନ୍ଦିଲେ । ଅନେକ ଲୋକ ତାଙ୍କୁ ଘୃଣା କରୁଥିଲେ, ତାଙ୍କ ପରିବାର ଲୋକ ଓ ତାଙ୍କ ସାଙ୍ଗମାନେ ତାଙ୍କୁ ଧୋକା ଦେଲେ । (୧ ଶାମୁ. ୧୯:୧୦, ୧୧; ୨ ଶାମୁ. ୧୫:୧୦-୧୪, ୩୦) ଥରେ ଦାଉଦ ବହୁତ ଦୁଃଖି ଥିଲେ ଆଉ ସେ ଲେଖିଲେ, “ମୁଁ ଆପଣା କାତରୋକ୍ତିରେ କ୍ଳାନ୍ତ ହୋଇଅଛି; ପ୍ରତି ରାତ୍ରି ମୁଁ ଆପଣ ଶଯ୍ୟା ଭସାଏ, ମୁଁ ଲୋତକରେ ଆପଣା ବିଛଣା ତିନ୍ତାଏ ।” ଦାଉଦଙ୍କୁ ଏପରି କାହିଁକି ଲାଗୁଥିଲା ? ସେ କହିଲେ, “ମୋହର ସକଳ ବିପକ୍ଷଙ୍କ ସକାଶୁ ।” (ଗୀତ. ୬:୬, ୭) ଲୋକମାନେ ଦାଉଦଙ୍କ ସହିତ ବହୁତ ଖରାପ ବ୍ୟବହାର କଲେ, ତାʼଯୋଗୁଁ ସେ ବହୁତ କାନ୍ଦିଲେ ।
୧୨. ଯେପରି ଗୀତସଂହିତା ୫୬:୮ ପଦରୁ ଜଣାପଡ଼େ ଦାଉଦଙ୍କୁ କେଉଁ କଥାର ପୂରା ଭରସା ଥିଲା ?
୧୨ ଦାଉଦଙ୍କ ଜୀବନରେ ଅନେକ ସମସ୍ୟା ଆସିଲା, କିନ୍ତୁ ତାଙ୍କୁ ଭରସା ଥିଲା ଯେ ଯିହୋବା ତାଙ୍କୁ ପ୍ରେମ କରନ୍ତି ଓ ତାଙ୍କ ସାଙ୍ଗରେ ଅଛନ୍ତି । ସେ ଲେଖିଲେ, ‘ସଦାପ୍ରଭୁ ମୋʼ ରୋଦନର ରବ ଶୁଣିବେ ।’ (ଗୀତ. ୬:୮) ଆଉ ଗୋଟିଏ ସମୟରେ ଦାଉଦ ଏପରି କଥା ଲେଖିଲେ ଯାହା ଆମ ହୃଦୟକୁ ଛୁଇଁଯାଏ ଓ ତାହା ଗୀତସଂହିତା ୫୬:୮ ପଦରେ ଲେଖାଅଛି । (ପଢ଼ନ୍ତୁ ।) ଦାଉଦଙ୍କ ଶବ୍ଦରୁ ଜଣାପଡ଼େ ଯେ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି ଓ ଆମର ଚିନ୍ତା କରନ୍ତି । ଦାଉଦ କହିଲେ ଯେ ଯିହୋବା ଯେପରି ତାଙ୍କ ଲୁହକୁ ଗୋଟିଏ ବୋତଲରେ ଭରୁଛନ୍ତି ଏବଂ ଗୋଟିଏ ବହିରେ ତାଙ୍କର ପ୍ରତ୍ୟେକ ଲୁହର ହିସାବ ଲେଖାଅଛି । ଦାଉଦଙ୍କୁ ପୂରା ଭରସା ଥିଲା ଯେ ଯିହୋବା ତାଙ୍କ ଉପରେ ଧ୍ୟାନ ଦେଉଛନ୍ତି ଓ ତାଙ୍କର ସମସ୍ୟା ବିଷୟରେ ସେ ଜାଣନ୍ତି । କେବଳ ଏତିକି ନୁହେଁ, ଯିହୋବାଙ୍କୁ ଏହା ବି ଜଣା ଅଛି ଯେ ଏସବୁ ସମସ୍ୟା ଯୋଗୁଁ ତାଙ୍କ ଉପରେ କʼଣ ବିତୁଛି ।
୧୩. ଯେବେ କେହି ଆମର ଭରସା ଭାଙ୍ଗନ୍ତି କିମ୍ବା ଆମକୁ ଧୋକା ଦିଅନ୍ତି, ତେବେ କେଉଁ କଥାରୁ ଆମକୁ ସାନ୍ତ୍ୱନା ମିଳିପାରିବ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୩ ଆମେ କʼଣ ଶିଖୁ ? କʼଣ ଆପଣଙ୍କର ନିଜର କେହି ଆପଣଙ୍କ ଭରସା ଭାଙ୍ଗିଛନ୍ତି କିମ୍ବା ଆପଣଙ୍କୁ ଧୋକା ଦେଇଛନ୍ତି ଆଉ ଏହି କାରଣ ଯୋଗୁଁ ଆପଣ ବହୁତ ଦୁଃଖି ଅଛନ୍ତି ? ହୁଏତ ଆପଣ ଯାହାଙ୍କ ସହିତ ଡେଟିଙ୍ଗ୍ କରୁଥିଲେ ସେ ଆପଣଙ୍କ ସହିତ ସମ୍ପର୍କ ଭାଙ୍ଗି ଦେଇଛନ୍ତି, ହଠାତ୍ ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ଛାଡ଼ି ଦେଲେ କିମ୍ବା ହୁଏତ ଆପଣଙ୍କର ନିଜର କେହି ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଛନ୍ତି । ଧ୍ୟାନ ଦିଅନ୍ତୁ ଯେ ଯେବେ ଜଣେ ଭାଇଙ୍କ ସ୍ତ୍ରୀ ତାଙ୍କ ସହିତ ବିଶ୍ୱାସଘାତ କଲେ ଓ ତାଙ୍କୁ ଛାଡ଼ି ଚାଲିଗଲେ, ତେବେ ଭାଇଙ୍କ ଉପରେ କʼଣ ବିତିଲା । ସେ କହନ୍ତି, “ମୋତେ ବିଶ୍ୱାସ ହେଉ ନ ଥିଲା ଯେ ମୋ ସହିତ ଏପରି ହୋଇଛି । ମୋତେ ବହୁତ ଖରାପ ଲାଗୁଥିଲା, ରାଗ ଲାଗୁଥିଲା ଏବଂ ମୁଁ ନିଜକୁ ବେକାର ଭାବୁଥିଲି ।” ଯଦି କେହି ଆପଣଙ୍କ ଭରସା ଭାଙ୍ଗିଛନ୍ତି କିମ୍ବା ଆପଣଙ୍କୁ ଧୋକା ଦେଇଛନ୍ତି, ତାହେଲେ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ କେବେ ବି ଏକୁଟିଆ ଛାଡ଼ିବେ ନାହିଁ । କʼଣ ଏହା ଜାଣି ଆପଣଙ୍କୁ ସାନ୍ତ୍ୱନା ମିଳେ ନାହିଁ ? ଭାଇ ଏହା ବି କହନ୍ତି, “ମୁଁ ଗୋଟିଏ କଥା ବୁଝିଯାଇଛି, ଯଦିଓ ମଣିଷମାନେ ଆମକୁ ଛାଡ଼ି ଦେବେ କିନ୍ତୁ ଯିହୋବା ଆମକୁ କେବେ ବି ଛାଡ଼ନ୍ତି ନାହିଁ । ସେ ଆମର ଶୈଳ ଅଟନ୍ତି । ଯାହା ବି ହୋଇଯାଉ ନା କାହିଁକି, ସେ ସବୁବେଳେ ନିଜର ବିଶ୍ୱସ୍ତ ସେବକମାନଙ୍କ ସାଙ୍ଗରେ ରହିବେ ।” (ଗୀତ. ୩୭:୨୮) ଏହା ବି ମନେ ରଖନ୍ତୁ ଯେ ଯିହୋବା ଆପଣଙ୍କୁ ମନୁଷ୍ୟମାନଙ୍କ ଅପେକ୍ଷା ଅଧିକ ପ୍ରେମ କରନ୍ତି । ଏହି କଥା ସତ ଯେ ଯେବେ କେହି ଆମକୁ ଧୋକା ଦିଅନ୍ତି, ତେବେ ବହୁତ ଦୁଃଖ ଲାଗେ । କିନ୍ତୁ ଏହି କାରଣ ଯୋଗୁଁ ଆପଣଙ୍କ ପାଇଁ ଯିହୋବାଙ୍କ ପ୍ରେମ କମ୍ ହୁଏ ନାହିଁ । ଆପଣ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟନ୍ତି ! (ରୋମୀ. ୮:୩୮, ୩୯) ସାର କଥା ଏହା ଯେ କୌଣସି ବ୍ୟକ୍ତି ଆପଣଙ୍କ ସହିତ ଯେପରି ବି ବ୍ୟବହାର କରନ୍ତୁ ନା କାହିଁକି, କିନ୍ତୁ ଆପଣଙ୍କ ପିତା ଯିହୋବା ଆପଣଙ୍କୁ ବହୁତ ପ୍ରେମ କରନ୍ତି ।
୧୪. ଗୀତସଂହିତା ୩୪:୧୮ ପଦରୁ ଆମକୁ କେଉଁ କଥାର ଭରସା ହୋଇଯାଏ ?
୧୪ ଯଦି କେହି ଆପଣଙ୍କୁ ଧୋକା ଦେଇଛନ୍ତି, ତେବେ ଦାଉଦଙ୍କ ଏହି ଶବ୍ଦରୁ ମଧ୍ୟ ଆପଣଙ୍କୁ ସାନ୍ତ୍ୱନା ମିଳିପାରିବ, ଯାହା ଗୀତସଂହିତା ୩୪:୧୮ ପଦରେ ଲେଖାଅଛି । (ପଢ଼ନ୍ତୁ ।) ଗୋଟିଏ ବହିରେ ଏହି ପଦ ବିଷୟରେ ବୁଝାଇ ଦିଆଯାଇଛି ଯେ ହୁଏତ ଯେଉଁମାନଙ୍କ ପାଖରେ କୌଣସି ଆଶା ନାହିଁ, ସେମାନଙ୍କୁ ‘ଚୂର୍ଣ୍ଣମନା’ ବୋଲି କୁହାଯାଇଛି । ଯିହୋବା ସେହି ଲୋକମାନଙ୍କର କିପରି ସାହାଯ୍ୟ କରନ୍ତି ? ଭାବି ଦେଖନ୍ତୁ, ଯେବେ ଜଣେ ଛୁଆ କାନ୍ଦେ, ତେବେ ମାଆ କିମ୍ବା ବାପା ତାକୁ ତୁରନ୍ତ ନିଜ କୋଳରେ ନିଅନ୍ତି ଓ ସାନ୍ତ୍ୱନା ଦିଅନ୍ତି । ଠିକ୍ ସେହିଭଳି ଯେବେ କେହି ଆମକୁ ଧୋକା ଦିଅନ୍ତି କିମ୍ବା ଆମକୁ ଛାଡ଼ି ଚାଲିଯାʼନ୍ତି, ତେବେ ଯିହୋବା ଆମର “ନିକଟବର୍ତ୍ତୀ” ରହନ୍ତି । ସେ ଜାଣନ୍ତି ଯେ ଆମ ଉପରେ କʼଣ ବିତୁଛି ଏବଂ ସେ ତୁରନ୍ତ ଆମର ସାହାଯ୍ୟ କରନ୍ତି । ସେ ଆମକୁ ସାନ୍ତ୍ୱନା ଦିଅନ୍ତି । କେବଳ ଏତିକି ନୁହେଁ, ସେ ଆମକୁ ଆଶା ଦେଇଛନ୍ତି, ଭବିଷ୍ୟତ ପାଇଁ ଅନେକ ପ୍ରତିଜ୍ଞା କରିଛନ୍ତି ଯାହା ବିଷୟରେ ଭାବିବା ଦ୍ୱାରା ଆମକୁ ନିଜ ସମସ୍ୟାଗୁଡ଼ିକୁ ସହିବା ପାଇଁ ସାହସ ମିଳେ ।—ଯିଶା. ୬୫:୧୭.
ଯେବେ ଆପଣଙ୍କଠାରେ କୌଣସି ଆଶା ନ ଥାଏ
୧୫. ହିଜକୀୟ କାହିଁକି ବହୁତ କାନ୍ଦିଲେ ?
୧୫ ଯେବେ ଯିହୁଦାର ରାଜା ହିଜକୀୟ ୩୯ ବର୍ଷର ଥିଲେ, ତେବେ ତାଙ୍କୁ ଗୋଟିଏ ବଡ଼ ରୋଗ ହୋଇଗଲା । ଭବିଷ୍ୟଦ୍ବକ୍ତା ଯିଶାଇୟ ତାଙ୍କୁ ଯିହୋବାଙ୍କର ଏହି ସନ୍ଦେଶ ଦେଲେ ଯେ ତାଙ୍କର ରୋଗ ଠିକ୍ ହେବ ନାହିଁ ଏବଂ ତାଙ୍କ ମୃତ୍ୟୁ ହୋଇଯିବ । (୨ ରାଜା. ୨୦:୧) ଏପରି ଲାଗୁଥିଲା ଯେ ହିଜକୀୟଙ୍କ ବଞ୍ଚିବାର କୌଣସି ଆଶା ନାହିଁ । ସେ ବହୁତ ଦୁଃଖି ହୋଇଗଲେ ଏବଂ ବହୁତ କାନ୍ଦିବାକୁ ଲାଗିଲେ । ଆଉ ତେବେ ସେ ଯିହୋବାଙ୍କୁ ବହୁତ ବିନତି କଲେ ।—୨ ରାଜା. ୨୦:୨, ୩.
୧୬. ହିଜକୀୟଙ୍କ କାନ୍ଦିବା ଦେଖି ଓ ତାଙ୍କର ବିନତି ଶୁଣି ଯିହୋବା କʼଣ କଲେ ?
୧୬ ହିଜକୀୟଙ୍କ କାନ୍ଦିବା ଦେଖି ଓ ତାଙ୍କର ବିନତି ଶୁଣି ଯିହୋବା କରୁଣାରେ ଭରିଗଲେ ଏବଂ ସେ କହିଲେ, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଲୁ, ଆମ୍ଭେ ତୁମ୍ଭର ଲୋତକ ଦେଖିଲୁ; ଦେଖ, ଆମ୍ଭେ ତୁମ୍ଭକୁ ସୁସ୍ଥ କରିବୁ ।” ଯିହୋବା ହିଜକୀୟଙ୍କୁ ଦେଖି ଦୟାରେ ବିଗଳିତ ହେଲେ ଓ ସେ ଯିଶାଇୟଙ୍କ ଜରିଆରେ ତାଙ୍କୁ ପ୍ରତିଜ୍ଞା କଲେ ଯେ ସେ ତାଙ୍କର ଆୟୁଷ ବଢ଼ାଇବେ ଓ ଯିରୂଶାଲମକୁ ଅଶୂରୀୟମାନଙ୍କ ହାତରୁ ରକ୍ଷା କରିବେ ।—୨ ରାଜା. ୨୦:୪-୬.
୧୭. ଯେବେ ଆମକୁ କୌଣସି ବଡ଼ ରୋଗ ହୋଇଯାଏ, ତେବେ ଯିହୋବା କିପରି ଆମକୁ ସମ୍ଭାଳନ୍ତି ? (ଗୀତସଂହିତା ୪୧:୩) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୭ ଆମେ କʼଣ ଶିଖୁ ? କʼଣ ଆପଣଙ୍କୁ ଏପରି କୌଣସି ରୋଗ ହୋଇଛି ଯାହାର ଚିକିତ୍ସା ନାହିଁ ? ତାହେଲେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ଯଦି ଆପଣଙ୍କୁ କାନ୍ଦିବା ପାଇଁ ଇଚ୍ଛା ହୁଏ, ତାହେଲେ କାନ୍ଦନ୍ତୁ ଏବଂ ଯିହୋବାଙ୍କୁ ନିଜ ଦୁଃଖ ଜଣାନ୍ତୁ । ବାଇବଲ ଆମକୁ ଭରସା ଦିଏ ଯେ “ଦୟାମୟ ପିତା ଓ ସମସ୍ତ ସାନ୍ତ୍ୱନାଦାତା ଈଶ୍ୱର” ଆମକୁ ସବୁ ପରୀକ୍ଷାରେ ସାନ୍ତ୍ୱନା ଦେବେ । (୨ କରି. ୧:୩, ୪) ଆଜି ଆମେ ଏହା ଆଶା କରିପାରିବା ନାହିଁ ଯେ ଯିହୋବା ଆମର ସବୁ ସମସ୍ୟାକୁ ଦୂର କରିଦେବେ, କିନ୍ତୁ ଆମେ ଏ କଥାର ନିଶ୍ଚୟ ଭରସା ରଖିପାରିବା ଯେ ସେ ଆମକୁ ସମ୍ଭାଳିବେ । (ଗୀତସଂହିତା ୪୧:୩ ପଢ଼ନ୍ତୁ ।) ଯିହୋବା ଆମକୁ ସମସ୍ୟାଗୁଡ଼ିକୁ ସହିବା ପାଇଁ ନିଜର ପବିତ୍ର ଶକ୍ତି ଜରିଆରେ ଆମକୁ ଶକ୍ତି, ବୁଦ୍ଧି ଓ ମନର ଶାନ୍ତି ଦେବେ । (ହିତୋ. ୧୮:୧୪; ଫିଲିପ୍. ୪:୧୩) କେବଳ ଏତିକି ନୁହେଁ, ଯିହୋବା ଆମକୁ ଭବିଷ୍ୟତ ପାଇଁ ଆଶା ଦେଇଛନ୍ତି ଯେ ସେ ଖୁବ୍ ଶୀଘ୍ର ଆମ ପ୍ରତ୍ୟେକ ରୋଗ ଦୂର କରିଦେବେ । ଏହା ଜାଣି ମଧ୍ୟ ଆମକୁ ବହୁତ ସାହସ ମିଳେ ।—ଯିଶା. ୩୩:୨୪.
୧୮. ଯେବେ ଆପଣ କୌଣସି ବଡ଼ ସମସ୍ୟାର ସାମନା କରୁଥିଲେ, ତେବେ ଆପଣଙ୍କୁ କେଉଁ ପଦରୁ ସାନ୍ତ୍ୱନା ମିଳିଲା ? (“ ସାନ୍ତ୍ୱନା ଦେଉଥିବା ପଦଗୁଡ଼ିକ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)
୧୮ ଯିହୋବାଙ୍କ କଥା ଶୁଣି ହିଜକୀୟଙ୍କୁ ସାନ୍ତ୍ୱନା ମିଳିଲା । ଆମକୁ ବି ଈଶ୍ୱରଙ୍କ ବାକ୍ୟରୁ ସାନ୍ତ୍ୱନା ମିଳିପାରିବ । ଯିହୋବା ବାଇବଲରେ ସାନ୍ତ୍ୱନା ଦେଉଥିବା କଥାଗୁଡ଼ିକୁ ଏଥିପାଇଁ ଲେଖାଇଛନ୍ତି, ଯାହାଦ୍ୱାରା ଆମେ ଦୁଃଖୀ କିମ୍ବା ନିରାଶ ଥିବା ସମୟରେ ସେଗୁଡ଼ିକୁ ପଢ଼ି ଆମକୁ ସାହସ ଓ ମନର ଶାନ୍ତି ମିଳୁ । (ରୋମୀ. ୧୫:୪) ଯେବେ ପଶ୍ଚିମ ଆଫ୍ରିକାରେ ରହୁଥିବା ଆମ ଜଣେ ଭଉଣୀଙ୍କୁ ଜଣାପଡ଼ିଲା ଯେ ତାଙ୍କୁ କ୍ୟାନସର ଅଛି, ତେବେ ସେ ବହୁତ କାନ୍ଦିଲେ । ସେ କହନ୍ତି, “ଯିଶାଇୟ ୨୬:୩ ପଦରୁ ମୋତେ ବହୁତ ସାନ୍ତ୍ୱନା ମିଳିଲା । ଏହି ପଦରେ ଯିହୋବା ଆମକୁ ପ୍ରତିଜ୍ଞା କରିଛନ୍ତି ଯେ ସେ ଆମକୁ ମନର ଶାନ୍ତି ଦେବେ । ଅନେକଥର ଆମେ ନିଜ ପରିସ୍ଥିତିକୁ ସୁଧାରି ପାରିବା ନାହିଁ, କିନ୍ତୁ ଯିହୋବା ଆମକୁ ଯେଉଁ ଶାନ୍ତି ଦିଅନ୍ତି, ତାʼଯୋଗୁଁ ଆମେ ପ୍ରତ୍ୟେକ ସମସ୍ୟାର ସାମନା କରିପାରିବା ।” କʼଣ ଏପରି କୌଣସି ପଦ ଅଛି ଯାହାକୁ ପଢ଼ି ଆପଣଙ୍କୁ ସାନ୍ତ୍ୱନା ମିଳିଛି, ବିଶେଷକରି ଯେବେ ଆପଣ କୌଣସି ସମସ୍ୟାର ସାମନା କରୁଥିଲେ ଏବଂ ଆପଣଙ୍କଠାରେ କୌଣସି ଆଶା ନ ଥିଲା ?
୧୯. ଆମ ଭବିଷ୍ୟତ କିପରି ହେବ ?
୧୯ ଆମେ ଏହି ଦୁଷ୍ଟ ଦୁନିଆର ଶେଷ ସମୟରେ ବଞ୍ଚୁଛୁ । ଆମେ ଜାଣିଛୁ ଯେ ଆମ ସମସ୍ୟା ଆହୁରି ବଢ଼ିବ ଏବଂ ଅନେକଥର ଆମ ଆଖିରେ ଲୁହ ଆସିଯିବ । କିନ୍ତୁ ଯେପରି ଆମେ ହାନ୍ନା, ଦାଉଦ ଓ ରାଜା ହିଜକୀୟଙ୍କ ଉଦାହରଣରୁ ଶିଖିଲୁ, ଯିହୋବା ଆମ ଲୁହ ପ୍ରତି ଧ୍ୟାନ ଦିଅନ୍ତି । ଆଉ ଯେବେ ଆମେ କାନ୍ଦୁ, ତେବେ ସେ ବି ଦୁଃଖି ହୋଇଯାʼନ୍ତି । ଆମ ଲୁହ ଯିହୋବାଙ୍କ ପାଇଁ ବହୁମୂଲ୍ୟ ଅଟେ । ଯେବେ ଆମେ କୌଣସି ସମସ୍ୟାର ସାମନା କରୁ, ତେବେ ଆମେ ଯିହୋବାଙ୍କୁ ନିଜ ଦୁଃଖ ଜଣାଇବା, ଭାଇଭଉଣୀମାନଙ୍କୁ ଭେଟିବା, ସେମାନଙ୍କର ନିକଟବର୍ତ୍ତୀ ହୋଇ ରହିବା ଏବଂ ବାଇବଲ ପଢ଼ି ସେଥିରୁ ସାନ୍ତ୍ୱନା ପାଇବା । ଯଦି ଆମେ ସମସ୍ୟାଗୁଡ଼ିକରେ ମଧ୍ୟ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରିବା ଜାରି ରଖିବା, ତେବେ ସେ ଆମକୁ ନିଶ୍ଚୟ ପୁରସ୍କାର ଦେବେ । ଆଉ ଖୁବ୍ ଶୀଘ୍ର ସେ ନିଜ ପ୍ରତିଜ୍ଞା ପୂରା କରିବେ ଏବଂ ଆମ ଆଖିରୁ ସବୁ ଅଶ୍ରୁଜଳ ପୋଛି ଦେବେ । (ପ୍ରକା. ୨୧:୪) ଆଜି ଯେବେ ଆମେ ଦୁଃଖି ଥାଉ, କେହି ଆମକୁ ଧୋକା ଦିଅନ୍ତି, କିମ୍ବା ଏପରି ଲାଗେ ଯେ ଆମଠାରେ କୌଣସି ଆଶା ନାହିଁ, ତେବେ ଆମେ କାନ୍ଦି ପକାଉ । କିନ୍ତୁ ନୂଆ ଦୁନିଆରେ ଆମ ଆଖିରେ କେବଳ ଖୁସିର ଲୁହ ଥିବ !
ଗୀତ ୪ “ୟହୋୱା ମେରା ଚରୱାହା ହୈ”