ଅଧ୍ୟୟନ ଲେଖା ୪୯
ଗୀତ ୧୪୭ ହମେସା କି ଜିନ୍ଦଗୀ କା ୱାଦା
ଆପଣ ଅନନ୍ତ ଜୀବନ କିପରି ପାଇପାରିବେ ?
‘ଯେକେହି ପୁତ୍ରଙ୍କୁ ଦର୍ଶନ କରି ତାହାଙ୍କଠାରେ ବିଶ୍ୱାସ କରେ, ସେ ଅନନ୍ତ ଜୀବନ ପ୍ରାପ୍ତ କରିବ ।’—ଯୋହ. ୬:୪୦.
କʼଣ ଶିଖିବା ?
ଅଭିଷିକ୍ତ ଖ୍ରୀଷ୍ଟିୟାନ ଏବଂ ଅନ୍ୟ ମେଷର ଲୋକମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ମୁକ୍ତିର ମୂଲ୍ୟରୁ କେଉଁ ଆଶିଷଗୁଡ଼ିକ ମିଳିବ ?
୧. ଅନେକ ଲୋକ କାହିଁକି ସବୁଦିନ ବଞ୍ଚିବା ବିଷୟରେ ଭାବନ୍ତି ନାହିଁ ?
ଅନେକ ଲୋକ ନିଜ ଖାଇବା ଉପରେ ଧ୍ୟାନ ଦିଅନ୍ତି ଓ ସ୍ୱାସ୍ଥ୍ୟବାନ ରହିବା ପାଇଁ ବ୍ୟାୟାମ କରନ୍ତି । କିନ୍ତୁ ସେମାନେ କେବେ ବି ଏହା ଭାବନ୍ତି ନାହିଁ ଯେ ସେମାନେ ସବୁଦିନ ପାଇଁ ବଞ୍ଚିପାରିବେ କାରଣ ସେମାନଙ୍କୁ ଲାଗେ ଯେ ଏହା ଅସମ୍ଭବ, ଆଉ ଦିନେ ନା ଦିନେ ସମସ୍ତଙ୍କ ମୃତ୍ୟୁ ହୋଇଯିବ । ଆଉ ବୟସ ବଢ଼ିବା ସହ ଅନେକ ଦୁଃଖକଷ୍ଟ ସହିବାକୁ ପଡ଼େ, ତେଣୁ ଅନେକ ଲୋକ ସବୁଦିନ ବଞ୍ଚିବା ପାଇଁ ଚାହାନ୍ତି ନାହିଁ । କିନ୍ତୁ ଯୋହନ ୩:୧୬ ଓ ୫:୨୪ ପଦରୁ ଜଣାପଡ଼େ, ଯୀଶୁ କହିଲେ ଯେ ମଣିଷ ପାଇଁ ସବୁଦିନ ବଞ୍ଚିବା ସମ୍ଭବ ଅଟେ ଏବଂ ଏହା ଈଶ୍ୱରଙ୍କ ତରଫରୁ ଏକ ଆଶିଷ ଅଟେ ।
୨. ଯୋହନ ୬ ଅଧ୍ୟାୟରେ ଅନନ୍ତ ଜୀବନ ବିଷୟରେ କʼଣ କୁହାଯାଇଛି ? (ଯୋହନ ୬:୩୯, ୪୦)
୨ ଥରେ ଯୀଶୁ ଚମତ୍କାର କରି ହଜାର ହଜାର ଲୋକଙ୍କୁ ରୋଟୀ ଓ ମାଛ ଖୁଆଇଲେ । a ଏହା ଏକ ଅଦ୍ଭୁତ କଥା ଥିଲା । କିନ୍ତୁ ତାʼ ଆର ଦିନ ଯେବେ ଲୋକମାନଙ୍କ ଭିଡ଼ ତାଙ୍କ ପଛରେ ଗାଲିଲୀ ସମୁଦ୍ର କୂଳ କଫର୍ନାହୂମ ଆସିଲା, ସେସମୟରେ ସେ ସେମାନଙ୍କୁ ଯାହା କହିଲେ ତାହା ତାʼଠୁ ବି ଅଧିକ ଅଦ୍ଭୁତ କଥା ଥିଲା । ସେ ସେମାନଙ୍କୁ କହିଲେ ଯେ ଯେଉଁମାନଙ୍କ ମୃତ୍ୟୁ ହୋଇଯାଇଛି ସେମାନଙ୍କୁ ସେ ପୁଣି ଜୀବିତ କରିପାରିବେ ଏବଂ ସେମାନଙ୍କୁ ଅନନ୍ତ ଜୀବନ ମିଳିପାରିବ । (ଯୋହନ ୬:୩୯, ୪୦ ପଢ଼ନ୍ତୁ ।) ଯୀଶୁଙ୍କ କଥାରୁ ଜଣାପଡ଼େ ଯେ ହୁଏତ ଅନେକ ଲୋକମାନଙ୍କୁ ଜୀବିତ କରାଯିବ । ଭାବନ୍ତୁ ଆପଣ ନିଜର ଯେଉଁ ପ୍ରିୟଜନମାନଙ୍କୁ ମୃତ୍ୟୁରେ ହରାଇଛନ୍ତି, ସେମାନଙ୍କ ସହ ଆପଣ ପୁଣି ଭେଟିପାରିବେ ଏବଂ ଆପଣ ନିଜ ସାଙ୍ଗ ଓ ପରିବାର ଲୋକଙ୍କ ସହ ସବୁଦିନ ପାଇଁ ବଞ୍ଚିପାରିବେ । କିନ୍ତୁ ଯୀଶୁ ଯୋହନ ୬ ଅଧ୍ୟାୟରେ ଆଗକୁ ଯାହା କହିଲେ ତାହାକୁ ବୁଝିବା ଅନେକ ଲୋକଙ୍କ ପାଇଁ ବହୁତ କଷ୍ଟ ହୋଇଥାଏ । ଆସନ୍ତୁ ସେହି ଶବ୍ଦଗୁଡ଼ିକୁ ଆହୁରି ଭଲଭାବେ ଯାଞ୍ଚ କରିବା ।
୩. ଯୋହନ ୬:୫୧ ପଦ ଅନୁସାରେ ଯୀଶୁ ନିଜ ବିଷୟରେ କʼଣ କହିଲେ ?
୩ ଯେବେ ଯୀଶୁ ଚମତ୍କାର କରି ଲୋକମାନଙ୍କୁ ରୋଟୀ ଖୁଆଇଲେ, ତେବେ ସେମାନଙ୍କୁ ମାନ୍ନାର ମନେ ପଡ଼ିଥିବ, ଯାହା ଯିହୋବା ଇସ୍ରାଏଲୀୟମାନଙ୍କୁ ପ୍ରାନ୍ତରରେ ଖାଇବାକୁ ଦେଇଥିଲେ । ବାଇବଲରେ ମାନ୍ନାକୁ ‘ସ୍ୱର୍ଗରୁ [ମିଳିଥିବା] ଆହାର’ କୁହାଯାଇଛି । (ଗୀତ. ୧୦୫:୪୦; ଯୋହ. ୬:୩୧) ତେଣୁ ଯୀଶୁ ମାନ୍ନା ବିଷୟରେ କହି ଲୋକମାନଙ୍କୁ ଗୋଟେ ଜରୁରୀ କଥା ଶିଖାଇଲେ । ସେ ନିଜ ବିଷୟରେ କହିଲେ ଯେ ସେ ‘ସ୍ୱର୍ଗରୁ ମିଳିଥିବା ପ୍ରକୃତ ଆହାର,’ “ଈଶ୍ୱରଦତ୍ତ ଆହାର” ଓ “ଜୀବନଦାୟକ ଆହାର” ଅଟନ୍ତି । (ଯୋହ. ୬:୩୨, ୩୩, ୩୫) ତାʼପରେ ସେ ମାନ୍ନା ଓ ନିଜ ଭିତରେ ଗୋଟିଏ ବଡ଼ ପାର୍ଥକ୍ୟ ବିଷୟରେ କହିଲେ । ମାନ୍ନା ଈଶ୍ୱରଙ୍କ ତରଫରୁ ମିଳିଥିବା ଉପହାର ଥିଲା, କିନ୍ତୁ ଯେଉଁମାନେ ତାହା ଖାଇଲେ ସେମାନେ ସବୁଦିନ ଯାଏ ବଞ୍ଚି ରହିଲେ ନାହିଁ । (ଯୋହ. ୬:୪୯) କିନ୍ତୁ ଯୀଶୁ ନିଜ ବିଷୟରେ କହିଲେ, “ମୁଁ ସ୍ୱର୍ଗରୁ ଅବତୀର୍ଣ୍ଣ ସେହି ଜୀବନ୍ତ ଆହାର; କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ ।” (ଯୋହନ ୬:୫୧ ପଢ଼ନ୍ତୁ ।) ଏହା ଶୁଣି ଯିହୁଦୀମାନେ ଭାବିବାକୁ ଲାଗିଲେ: ‘ଯୀଶୁ ନିଜକୁ ସ୍ୱର୍ଗରୁ ଆସିଥିବା “ଆହାର” ବା ରୋଟୀ କିପରି କହିପାରିବେ ? ଆଉ ସେ ମାନ୍ନାରୁ ଉତ୍ତମ କିପରି ହୋଇପାରିବେ ଯାହା ଈଶ୍ୱର ଆମ ପୂର୍ବପୁରୁଷମାନଙ୍କୁ ଦେଇଥିଲେ ?’ ତାʼପରେ ଯୀଶୁ ଏପରି କଥା କହିଲେ ଯାହାର ଉତ୍ତର ଏହି ପ୍ରଶ୍ନରେ ଲୁଚି ରହିଥିଲା । ସେ କହିଲେ, ‘ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ ବା ଶରୀର ।’ ତାଙ୍କ ଏପରି କହିବାର ଅର୍ଥ କʼଣ ଥିଲା ? ଆମ ପାଇଁ ଏହା ବୁଝିବା ବହୁତ ଜରୁରୀ ଅଟେ, କାରଣ ଏଥିରୁ ଜଣାପଡ଼େ ଯେ ଆମକୁ ଆଉ ଆମ ପ୍ରିୟଜନମାନଙ୍କୁ ଅନନ୍ତ ଜୀବନ କିପରି ମିଳିବ । ଆସନ୍ତୁ ଜାଣିବା ଯୀଶୁ କʼଣ କହିବା ପାଇଁ ଚାହୁଁଥିଲେ ।
ଜୀବନ ଦେଉଥିବା ରୋଟୀ ଓ ଯୀଶୁଙ୍କ ଶରୀରର ମହତ୍ତ୍ୱ
୪. ଯୀଶୁଙ୍କ କଥା ଶୁଣି କିଛି ଯିହୁଦୀ କାହିଁକି ଆଶ୍ଚର୍ଯ୍ୟ ହୋଇଗଲେ ?
୪ ଯେବେ ଯୀଶୁ କହିଲେ ଯେ ସେ ତାଙ୍କ ଶରୀର ‘ଜଗତର ଜୀବନ ନିମନ୍ତେ ଦେବେ,’ ତେବେ କିଛି ଯିହୁଦୀ ଆଶ୍ଚର୍ଯ୍ୟ ହୋଇଗଲେ । ହୁଏତ ସେମାନଙ୍କୁ ଲାଗିଲା ଯେ ଯୀଶୁ ସତରେ ସେମାନଙ୍କୁ ନିଜ ମାଂସ ଖାଇବା ପାଇଁ ଦେବେ । (ଯୋହ. ୬:୫୨) ଏହା ପରେ ଯୀଶୁ ଯାହା କହିଲେ ସେଥିରୁ ସେମାନେ ଆହୁରି ଆଶ୍ଚର୍ଯ୍ୟ ହୋଇ ଯାଇଥିବେ । ସେ କହିଲେ, “ମନୁଷ୍ୟପୁତ୍ରଙ୍କର ମାଂସ ଭୋଜନ ନ କଲେ ଓ ତାହାଙ୍କ ରକ୍ତ ପାନ ନ କଲେ, ତୁମ୍ଭମାନଙ୍କଠାରେ ଜୀବନ ନାହିଁ ।”—ଯୋହ. ୬:୫୩.
୫. ଆମେ କାହିଁକି କହିପାରିବା ଯେ ଯୀଶୁ ଲୋକମାନଙ୍କୁ ସତରେ ନିଜ ରକ୍ତ ପିଇବା ପାଇଁ କହି ନ ଥିଲେ ?
୫ ନୋହଙ୍କ ଦିନରେ ଯିହୋବା ମଣିଷକୁ ରକ୍ତ ଖାଇବା ମନା କରିଥିଲେ । (ଆଦି. ୯:୩, ୪) ଆଗକୁ ଯାଇ ଯିହୋବା ଏହି ନିୟମ ଇସ୍ରାଏଲୀୟମାନଙ୍କୁ ବି ଦେଲେ । ଯଦି କେହି ରକ୍ତ ଖାʼନ୍ତେ, ତେବେ ତାଙ୍କୁ “ମୃତ୍ୟୁ ଦଣ୍ଡ” ମିଳନ୍ତା । (ଲେବୀ. ୭:୨୭, NWT) ଯୀଶୁ ଈଶ୍ୱରଙ୍କ ନିୟମ ମାନୁଥିଲେ ଏବଂ ଅନ୍ୟମାନଙ୍କୁ ବି ଏପରି କରିବା ପାଇଁ ପ୍ରୋତ୍ସାହନ ଦେଉଥିଲେ । (ମାଥି. ୫:୧୭-୧୯) ତେଣୁ ଏହା ସମ୍ଭବ ନ ଥିଲା ଯେ ଯୀଶୁ ସତରେ ଯିହୁଦୀମାନଙ୍କୁ ତାଙ୍କ ମାଂସ ଖାଇବା କିମ୍ବା ରକ୍ତ ପିଇବା ପାଇଁ କହନ୍ତେ । କିନ୍ତୁ ଯୀଶୁ ଏହା କହି ଲୋକମାନଙ୍କୁ ଜଣାଇବା ପାଇଁ ଚାହୁଁଥିଲେ ଯେ ସେମାନେ “ଅନନ୍ତ ଜୀବନ” କିପରି ପାଇପାରିବେ ।—ଯୋହ. ୬:୫୪.
୬. ଆମେ କାହିଁକି ଏହା କହିପାରିବା ଯେ ଯୋହନ ୬:୫୩ ପଦରେ ଯୀଶୁ ଉଦାହରଣ ଦେଇ ଗୋଟିଏ ଜରୁରୀ କଥା ଶିଖାଉଥିଲେ ?
୬ ପ୍ରକୃତରେ ଯୀଶୁ ଉଦାହରଣ ଦେଇ ଗୋଟିଏ ଜରୁରୀ କଥା କହିବା ପାଇଁ ଚାହୁଁଥିଲେ । ସେ ଏପରି ହିଁ ପୂର୍ବେ ଜଣେ ଶମିରୋଣୀୟା ସ୍ତ୍ରୀଙ୍କ ସହ କଥା ହେବା ସମୟରେ କରିଥିଲେ । ସେ କହିଲେ, “ମୁଁ ଯେଉଁ ଜଳ ଦେବି, ତାହା ଯେକେହି ପାନ କରିବ, ସେ କେବେ ହେଁ ତୃଷାର୍ତ୍ତ ହେବ ନାହିଁ, ବରଂ ମୁଁ ତାହାକୁ ଯେଉଁ ଜଳ ଦେବି, ତାହା ଅନନ୍ତ ଜୀବନଦାୟକ ଜଳର ନିର୍ଝର ସ୍ୱରୂପେ ତାହାଠାରେ ଉଚ୍ଛୁଳି ଉଠୁଥିବ ।” (ଯୋହ. ୪:୭, ୧୪) b ଯୀଶୁ ସେହି ସ୍ତ୍ରୀଙ୍କୁ ଏହା କହୁ ନ ଥିଲେ ଯେ ସେ ସତରେ ପାଣି ପିଇ ଅନନ୍ତ ଜୀବନ ପାଇପାରିବେ । ଠିକ୍ ସେହିଭଳି କଫର୍ନାହୂମରେ ଯୀଶୁ ଲୋକମାନଙ୍କୁ ଏହା କହିଲେ ନାହିଁ ଯେ ସେମାନଙ୍କୁ ଅନନ୍ତ ଜୀବନ ପାଇବା ପାଇଁ ସତରେ ତାଙ୍କ ମାଂସ ଖାଇବା ଓ ତାଙ୍କ ରକ୍ତ ପିଇବାକୁ ପଡ଼ିବ ।
ଦୁଇଟି ଘଟଣା ମଧ୍ୟରେ ପାର୍ଥକ୍ୟ
୭. ଯୋହନ ୬:୫୩ ପଦରେ ଯୀଶୁ ଯେଉଁ କଥା କହିଲେ, ସେବିଷୟରେ କିଛି ଲୋକ କʼଣ ମାନନ୍ତି ?
୭ କିଛି ଲୋକମାନେ କହନ୍ତି ଯେ ଯୋହନ ୬:୫୩ ପଦରେ ଯୀଶୁ ବୁଝାଉଥିଲେ ଯେ ପ୍ରଭୁଙ୍କ ସନ୍ଧ୍ୟାଭୋଜ କିପରି ପାଳନ କରିବା ଉଚିତ୍, କାରଣ ଯେବେ ଆଗକୁ ଯାଇ ଏହାକୁ ପାଳନ କରାଗଲା ସେସମୟରେ ଯୀଶୁ ଏକାଭଳି ଶବ୍ଦର ବ୍ୟବହାର କଲେ । (ମାଥି. ୨୬:୨୬-୨୮) ତେଣୁ ସେମାନେ ମାନନ୍ତି ଯେ ପ୍ରଭୁଙ୍କ ସନ୍ଧ୍ୟାଭୋଜରେ ଯିଏ ବି ଆସନ୍ତି, ସେଥିରେ ପ୍ରତ୍ୟେକ ଜଣଙ୍କୁ ରୋଟୀ ଖାଇବା ଓ ଦ୍ରାକ୍ଷାରସ ପିଇବା ଉଚିତ୍ । କିନ୍ତୁ କʼଣ ଏପରି ମାନିବା ଠିକ୍ ହେବ ? ଏ ପ୍ରଶ୍ନର ଉତ୍ତର ଜାଣିବା ବହୁତ ଜରୁରୀ, କାରଣ ପ୍ରତି ବର୍ଷ ସାରା ଦୁନିଆରେ ଲକ୍ଷ ଲକ୍ଷ ଲୋକ ପ୍ରଭୁଙ୍କ ସନ୍ଧ୍ୟାଭୋଜ ପାଇଁ ଏକାଠି ହୁଅନ୍ତି । ଆମେ ଦେଖିବା ଯେ ଯୋହନ ୬:୫୩ ପଦରେ ଯାହା କୁହାଯାଇଛି ଓ ପ୍ରଭୁଙ୍କ ସନ୍ଧ୍ୟାଭୋଜ ସମୟରେ ଯୀଶୁ ଯାହା କହିଲେ, ସେଥିରେ କʼଣ କʼଣ ପାର୍ଥକ୍ୟ ଅଛି ।
୮. ଉଭୟ ଘଟଣା ମଧ୍ୟରେ କʼଣ କʼଣ ପାର୍ଥକ୍ୟ ଅଛି ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)
୮ ଏବେ ଆସନ୍ତୁ ଏହି ଦୁଇଟି ଘଟଣା ମଧ୍ୟରେ ଦୁଇଟି ପାର୍ଥକ୍ୟ ଦେଖିବା । ପ୍ରଥମ, ଯୋହନ ୬:୫୩-୫୬ ପଦରେ ଲେଖାଥିବା କଥା ଯୀଶୁ କେବେ ଓ କେଉଁଠି କହିଲେ ? ସେ ଏହି କଥା ୩୨ ଖ୍ରୀଷ୍ଟାବ୍ଦରେ ଗାଲିଲୀରେ ଯିହୁଦୀମାନଙ୍କ ଗୋଟିଏ ଭିଡ଼କୁ କହିଥିଲେ । କିନ୍ତୁ ଯୀଶୁ ସନ୍ଧ୍ୟାଭୋଜର ଆରମ୍ଭ ତାʼର ବର୍ଷେ ପରେ ଯିରୂଶାଲମରେ କରିଥିଲେ । ଦ୍ୱିତୀୟ, ଏ କଥା ସେ କାହାକୁ କହିଲେ ? ସେ ଗାଲିଲୀରେ ଯେଉଁ ଲୋକମାନଙ୍କ ସହ କଥା ହେଲେ, ସେମାନଙ୍କ ପୂରା ଧ୍ୟାନ କେବଳ ଖାଇବା ପିଇବାରେ ଥିଲା, ଯିହୋବା ଓ ତାଙ୍କ ରାଜ୍ୟ ବିଷୟରେ ଶିଖିବା ଉପରେ ନୁହେଁ । (ଯୋହ. ୬:୨୬) ପ୍ରକୃତରେ ଯେବେ ଯୀଶୁ ଏପରି କିଛି କଥା କହିଲେ, ଯାହା ସେମାନଙ୍କ ପାଇଁ ବୁଝିବା କଷ୍ଟ ଥିଲା, ତେବେ ଯୀଶୁଙ୍କ ଉପରେ ସେମାନଙ୍କ ବିଶ୍ୱାସ ରହିଲା ନାହିଁ । ଏପରିକି କିଛି ଶିଷ୍ୟ ମଧ୍ୟ ତାଙ୍କୁ ଛାଡ଼ି ପଳାଇଲେ । (ଯୋହ. ୬:୧୪, ୩୬, ୪୨, ୬୦, ୬୪, ୬୬) କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ଏହାର ଗୋଟିଏ ବର୍ଷ ପରେ, ୩୩ ଖ୍ରୀଷ୍ଟାବ୍ଦରେ କʼଣ ହେଲା । ସେସମୟରେ ପ୍ରଭୁଙ୍କ ସନ୍ଧ୍ୟାଭୋଜରେ ଯୀଶୁଙ୍କ ୧୧ ଜଣ ବିଶ୍ୱସ୍ତ ପ୍ରେରିତ ତାଙ୍କ ସହିତ ଥିଲେ । ଯଦିଓ ସେମାନଙ୍କୁ ଯୀଶୁଙ୍କ କିଛି କଥା ବୁଝା ପଡ଼ିଲାନି, ତଥାପି ସେମାନେ ତାଙ୍କୁ ଛାଡ଼ିଲେ ନାହିଁ । ସେମାନଙ୍କୁ ପୂରା ଭରସା ଥିଲା ଯେ ଯୀଶୁ ହିଁ ଈଶ୍ୱରଙ୍କ ପୁତ୍ର ଅଟନ୍ତି ଯିଏ ସ୍ୱର୍ଗରୁ ଆସିଛନ୍ତି । (ମାଥି. ୧୬:୧୬) ଯୀଶୁ ସେମାନଙ୍କ ପ୍ରଶଂସା କରି ସେମାନଙ୍କୁ କହିଲେ, “ତୁମ୍ଭେମାନେ ମୋହର ସମସ୍ତ ପରୀକ୍ଷାରେ ମୋʼ ସହିତ ରହିଆସିଅଛ ।” (ଲୂକ ୨୨:୨୮) ଏବେ ଆମେ ଯେଉଁ ଦୁଇଟି ପାର୍ଥକ୍ୟ ଦେଖିଲୁ, ସେଥିରୁ କʼଣ ଜଣାପଡ଼େ ? ସେଥିରୁ ଜଣାପଡ଼େ, ଏହା ମାନିବା ଭୁଲ ହେବ ଯେ ଯୋହନ ୬:୫୩ ପଦରେ ଯୀଶୁ ଏହା କହିଲେ ଯେ ପ୍ରଭୁଙ୍କ ସନ୍ଧ୍ୟାଭୋଜ କିପରି ପାଳନ କରିବା ଉଚିତ୍ । ଏ କଥାର ଆହୁରି ଅନେକ ପ୍ରମାଣ ଅଛି ।
ଯୀଶୁଙ୍କ କଥାରୁ ଆପଣଙ୍କୁ କିପରି ଲାଭ ହୋଇପାରିବ ?
୯. ପ୍ରଭୁଙ୍କ ସନ୍ଧ୍ୟାଭୋଜରେ ଯୀଶୁ ଯେଉଁ କଥା କହିଲେ, ତାହା କେଉଁ ଲୋକମାନଙ୍କ ପାଇଁ ଥିଲା ?
୯ ଯୀଶୁ ସନ୍ଧ୍ୟାଭୋଜରେ ନିଜ ପ୍ରେରିତମାନଙ୍କୁ ଖମୀରଶୂନ୍ୟ ରୋଟୀ ଦେଲେ ଏବଂ ସେମାନଙ୍କୁ କହିଲେ ଯେ ଏହା ତାଙ୍କ ଶରୀରର ପ୍ରତୀକ । ତାʼପରେ ସେ ସେମାନଙ୍କୁ ପାନପାତ୍ରରେ ଦ୍ରାକ୍ଷାରସ ଦେଲେ ଏବଂ କହିଲେ ଯେ “ଯେଉଁ ନିୟମର ରକ୍ତ ଅନେକଙ୍କ ନିମନ୍ତେ ପାତିତ ହେଉଅଛି, ଏ ମୋହର ସେହି ରକ୍ତ ।” (ମାର୍କ ୧୪:୨୨-୨୫; ଲୂକ ୨୨:୨୦; ୧ କରି. ୧୧:୨୪) ଏହା ବହୁତ ମହତ୍ତ୍ୱ ରଖେ । କାରଣ ନୂଆ ଚୁକ୍ତି ସମସ୍ତ ଲୋକଙ୍କ ସହ ନୁହେଁ, କେବଳ “ଇସ୍ରାଏଲ ବଂଶ” ସହ କରାଯାଇଥିଲା ଅର୍ଥାତ୍ ସେହି ଲୋକମାନଙ୍କ ସହ ଯେଉଁମାନେ “ଈଶ୍ୱରଙ୍କ ରାଜ୍ୟରେ” ଯୀଶୁଙ୍କ ସହିତ ଥାʼନ୍ତେ । (ଏବ୍ରୀ ୮:୬, ୧୦; ୯:୧୫) ସେସମୟରେ ପ୍ରେରିତମାନେ ଏ କଥା ବୁଝିପାରିଲେ ନାହିଁ । କିନ୍ତୁ ଖୁବ୍ ଶୀଘ୍ର ପବିତ୍ର ଶକ୍ତି ଦ୍ୱାରା ସେମାନଙ୍କୁ ଅଭିଷେକ କରାଯାʼନ୍ତା ଆଉ ସେମାନେ ନୂଆ ଚୁକ୍ତିରେ ସାମିଲ୍ ହୋଇଯାʼନ୍ତେ । ଆଉ ଏଥିରୁ ସେମାନଙ୍କୁ ସ୍ୱର୍ଗରେ ଯୀଶୁଙ୍କ ସହ ଶାସନ କରିବାର ସୁଯୋଗ ମିଳନ୍ତା ।—ଯୋହ. ୧୪:୨, ୩.
୧୦. ଯୀଶୁ ଗାଲିଲୀରେ ଯାହା କହିଲେ ଏବଂ ପ୍ରଭୁଙ୍କ ସନ୍ଧ୍ୟାଭୋଜରେ ଯାହା କହିଲେ, ଏହି ଦୁଇଟି ଘଟଣା ମଧ୍ୟରେ ଆଉ ଏକ ପାର୍ଥକ୍ୟ କʼଣ ଅଟେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୦ ଏହି କଥା ଉପରେ ବି ଧ୍ୟାନ ଦିଅନ୍ତୁ ଯେ ପ୍ରଭୁଙ୍କ ସନ୍ଧ୍ୟାଭୋଜରେ ଯୀଶୁ ‘ସାନ ପଲକୁ’ ଧ୍ୟାନରେ ରଖି କଥା ହେଲେ । ଏହି ସାନ ପଲର ସବୁଠୁ ପ୍ରଥମ ସଦସ୍ୟ ଯୀଶୁଙ୍କ ୧୧ ଜଣ ବିଶ୍ୱସ୍ତ ପ୍ରେରିତ ଥିଲେ, ଯେଉଁମାନେ ସେସମୟରେ ତାଙ୍କ ସହିତ ଥିଲେ । (ଲୂକ ୧୨:୩୨) କେବଳ ସେହି ପ୍ରେରିତମାନେ ଏବଂ ଆଗକୁ ଯାଇ ଯେଉଁମାନେ ଏହି ସମୂହର ଭାଗ ହୁଅନ୍ତେ, ସେମାନଙ୍କୁ ହିଁ ରୋଟୀ ଓ ଦ୍ରାକ୍ଷାରସ ନେବା ଉଚିତ୍ । ଆଉ କେବଳ ଏହି ଲୋକମାନଙ୍କୁ ଯୀଶୁଙ୍କ ସହ ସ୍ୱର୍ଗରେ ଶାସନ କରିବାର ସୁଯୋଗ ମିଳନ୍ତା । କିନ୍ତୁ ଗାଲିଲୀରେ ଯୀଶୁ ଯେଉଁ ଭିଡ଼ ସହ କଥା ହୋଇଥିଲେ, ସେସମୟରେ ସେ ଏପରି ସମୂହ ବିଷୟରେ କହୁଥିଲେ ଯାହାକୁ କେହି ଗଣିପାରିବେ ନାହିଁ । ଏହା ସେହି ଦୁଇଟି ଘଟଣା ମଧ୍ୟରୁ ଆଉ ଗୋଟିଏ ଘଟଣା ଅଟେ ।
୧୧. ଯୀଶୁ ଗାଲିଲୀରେ ଏପରି କʼଣ କହିଲେ, ଯେଉଁଥିରୁ ଜଣାପଡ଼େ ଯେ ସେ କେବଳ ବଛାଯାଇଥିବା କିଛି ଲୋକମାନଙ୍କ ବିଷୟରେ କହୁ ନ ଥିଲେ ?
୧୧ ଯେବେ ଯୀଶୁ ୩୨ ଖ୍ରୀଷ୍ଟାବ୍ଦରେ ଗାଲିଲୀରେ ଥିଲେ, ତେବେ ସେ ଯେଉଁ ଲୋକମାନଙ୍କ ସହ କଥା ହେଉଥିଲେ, ସେମାନଙ୍କ ମଧ୍ୟରୁ ଅଧିକାଂଶ ଏହି ଆଶା ଯୋଗୁଁ ତାଙ୍କ ପାଖକୁ ଆସିଥିଲେ ଯେ ସେମାନଙ୍କୁ ଖାଇବାକୁ ମିଳିଯିବ । କିନ୍ତୁ ଯୀଶୁ ସେମାନଙ୍କୁ ଏହା ବୁଝାଇବା ପାଇଁ ଚେଷ୍ଟା କରୁଥିଲେ ଯେ ଖାଦ୍ୟରୁ ବି ଅଧିକ ଜରୁରୀ କିଛି ଅଛି । ସେ ସେମାନଙ୍କୁ ଏପରି ବ୍ୟବସ୍ଥା ବିଷୟରେ କହିଲେ, ଯେଉଁଥିରୁ ସେମାନେ ଅନନ୍ତ ଜୀବନ ପାଇପାରନ୍ତେ । ଯୀଶୁ ଏହା ବି କହିଲେ ଯେ ଯେଉଁ ଲୋକମାନଙ୍କ ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ ଶେଷ ଦିନରେ ଜୀବିତ କରାଯିବ ଆଉ ସେମାନେ ଅନନ୍ତ ଜୀବନ ପାଇପାରିବେ । ଯୀଶୁ ସେମାନଙ୍କୁ ଏହି ଆଶିଷ ବିଷୟରେ କହିଲେ । ଆଉ ଏହି ଆଶିଷ କେବଳ ବଛାଯାଇଥିବା କିଛି ଲୋକମାନଙ୍କ ପାଇଁ ନୁହଁ ଯେପରି ସେ ପ୍ରଭୁଙ୍କ ସନ୍ଧ୍ୟାଭୋଜରେ କହିଥିଲେ, ବରଂ ଏହା ସମସ୍ତଙ୍କ ପାଇଁ ଥିଲା । ପ୍ରକୃତରେ ଯୀଶୁ ଏହା କହିବା ପାଇଁ ଚାହୁଁଥିଲେ, “କେହି ଯଦି ଏହି ଆହାର ଭୋଜନ କରେ, ସେ ଅନନ୍ତ କାଳ ପର୍ଯ୍ୟନ୍ତ ଜୀବିତ ରହିବ; ହଁ, ମୁଁ ଯେଉଁ ଆହାର ଦେବି, ତାହା ମୋହର ମାଂସ [ଶରୀର], ମୁଁ ତାହା ଜଗତର ଜୀବନ ନିମନ୍ତେ ଦେବି ।”—ଯୋହ. ୬:୫୧.
୧୨. ଅନନ୍ତ ଜୀବନ ପାଇବା ପାଇଁ ଜଣେ ବ୍ୟକ୍ତିଙ୍କୁ କʼଣ କରିବାକୁ ପଡ଼ିବ ?
୧୨ ଗାଲିଲୀର ଯିହୁଦୀଙ୍କୁ ଯୀଶୁ ଏହା କହିଲେ ନାହିଁ ଯେ ପୃଥିବୀରେ ରହୁଥିବା ପ୍ରତ୍ୟେକ ଲୋକଙ୍କୁ ଅନନ୍ତ ଜୀବନ ମିଳିବ । ଏହା ପରିବର୍ତ୍ତେ ସେ କହିଲେ ଯେ ସେହି ଲୋକମାନଙ୍କୁ ଆଶିଷ ମିଳିବ, ଯେଉଁମାନେ ‘ଏହି ଆହାର ଭୋଜନ କରନ୍ତି’ ଅର୍ଥାତ୍ ତାଙ୍କ ଉପରେ ବିଶ୍ୱାସ କରନ୍ତି । ଆଜି ଅଧିକାଂଶ ଖ୍ରୀଷ୍ଟିୟାନମାନଙ୍କୁ ଲାଗେ ଯେ ଯଦି ସେମାନେ ଯୀଶୁଙ୍କୁ ନିଜ ଉଦ୍ଧାରକର୍ତ୍ତା ମାନିବେ, ତେବେ ସେମାନଙ୍କ ଉଦ୍ଧାର ହୋଇଯିବ । (ଯୋହ. ୬:୨୯) କିନ୍ତୁ ଏହା ଯଥେଷ୍ଟ ନୁହେଁ । ଦେଖିବାକୁ ଗଲେ ଗାଲିଲୀରେ ଭିଡ଼ର କିଛି ଲୋକ ମଧ୍ୟ ଆରମ୍ଭରେ ଯୀଶୁଙ୍କ ଉପରେ ଭରସା କରିଥିଲେ । କିନ୍ତୁ ପରେ ସେମାନେ ତାଙ୍କୁ ଛାଡ଼ି ପଳାଇଗଲେ । ସେମାନେ ଏପରି କାହିଁକି କଲେ ?
୧୩. ଯଦି ଜଣେ ବ୍ୟକ୍ତି ସତରେ ଯୀଶୁଙ୍କ ଶିଷ୍ୟ ହେବା ପାଇଁ ଚାହାନ୍ତି, ତେବେ ତାଙ୍କୁ କʼଣ କରିବାକୁ ପଡ଼ିବ ?
୧୩ ଭିଡ଼ରେ ଥିବା ଅଧିକାଂଶ ଲୋକ ସେଯାଏ ଯୀଶୁଙ୍କ ପଛେ ପଛେ ଚାଲିଲେ, ଯେଯାଏ ସେ ସେମାନଙ୍କ ଆବଶ୍ୟକତା ପୂରା କଲେ । ସେମାନେ ଚାହୁଁଥିଲେ ଯେ ଯୀଶୁ ଚମତ୍କାର କରି ସେମାନଙ୍କ ରୋଗ ଠିକ୍ କରନ୍ତୁ, ସେମାନଙ୍କୁ ମାଗଣାରେ ଖାଇବା ପାଇଁ ଦିଅନ୍ତୁ ଆଉ ସେମାନଙ୍କୁ ସେହି କଥା ଶିଖାନ୍ତୁ ଯାହା ସେମାନେ ଶୁଣିବା ପାଇଁ ଚାହାନ୍ତି । କିନ୍ତୁ ଯୀଶୁ ସ୍ପଷ୍ଟ କହିଲେ ଯେ ସେ ପୃଥିବୀରେ ସେମାନଙ୍କ ଇଚ୍ଛାଗୁଡ଼ିକ ପୂରା କରିବା ପାଇଁ ଆସି ନାହାନ୍ତି । ଏହା ପରିବର୍ତ୍ତେ, ସେ ସେମାନଙ୍କୁ ଏହା ଶିଖାଇବା ପାଇଁ ଆସିଛନ୍ତି ଯେ ଯଦି ସେମାନେ ସତରେ ତାଙ୍କ ଶିଷ୍ୟ ହେବା ପାଇଁ ଚାହାନ୍ତି, ତେବେ ସେମାନଙ୍କୁ କʼଣ କରିବାକୁ ପଡ଼ିବ । ସେମାନଙ୍କୁ ଯୀଶୁଙ୍କ “ନିକଟକୁ” ଆସିବାର ଥିଲା ଅର୍ଥାତ୍ ସେ ଯାହା ଶିଖାଉଥିଲେ, ତାହା ମାନିବାର ଥିଲା ।—ଯୋହ. ୫:୪୦; ୬:୪୪.
୧୪. ଯୀଶୁଙ୍କ ବଳିଦାନ ଯୋଗୁଁ ଯେଉଁ ଆଶିଷ ମିଳିବ, ତାହା ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?
୧୪ ଯୀଶୁ ଲୋକମାନଙ୍କୁ କହିଲେ ଯେ ସେମାନଙ୍କୁ ବିଶ୍ୱାସ କରିବା ଜରୁରୀ । କିନ୍ତୁ କେଉଁ କଥା ଉପରେ ? ସେମାନଙ୍କୁ ଏହି କଥା ଉପରେ ବିଶ୍ୱାସ କରିବାର ଥିଲା ଯେ ଯୀଶୁ ଯେଉଁ ରକ୍ତ ଓ ଶରୀର ବଳିଦାନ କରିବାକୁ ଯାଉଥିଲେ, ତାʼଯୋଗୁଁ ସେମାନଙ୍କୁ ଅନନ୍ତ ଜୀବନ ମିଳିପାରିବ । ଆଜି ଆମକୁ ବି ଏହି କଥା ଉପରେ ବିଶ୍ୱାସ କରିବା ଜରୁରୀ । (ଯୋହ. ୬:୪୦) ତେବେ ଯୋହନ ୬:୫୩ ପଦରେ ଯୀଶୁ ଯାହା କହିଲେ ତାʼର ଅର୍ଥ ହେଉଛି ଅନନ୍ତ ଜୀବନ ପାଇବା ପାଇଁ ଲୋକମାନଙ୍କୁ ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରିବାକୁ ପଡ଼ିବ । ଏହି ଆଶିଷ ପାଇବାର ସୁଯୋଗ କେବଳ କିଛି ଲୋକଙ୍କ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ଅଛି ।—ଏଫି. ୧:୭.
୧୫-୧୬ ଯୋହନ ୬ ଅଧ୍ୟାୟରୁ ଆମେ କʼଣ କʼଣ ଶିଖିଲୁ ?
୧୫ ଯୋହନ ୬ ଅଧ୍ୟାୟରେ ଯାହା କୁହାଯାଇଛି, ସେଥିରୁ ଆମକୁ ଏବଂ ଆମ ପ୍ରିୟଜନମାନଙ୍କୁ ବହୁତ ଲାଭ ହୋଇପାରିବ । ଆମେ ଶିଖିଲୁ ଯେ ଯୀଶୁ ଲୋକଙ୍କ ବହୁତ ଚିନ୍ତା କରନ୍ତି । ସେ ଗାଲିଲୀରେ ରୋଗୀମାନଙ୍କୁ ଠିକ୍ କଲେ, ସେମାନଙ୍କୁ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଶିଖାଇଲେ ଏବଂ ସେମାନଙ୍କ ଆବଶ୍ୟକତାଗୁଡ଼ିକ ପୂରା କଲେ । (ଲୂକ ୯:୧୧; ଯୋହ. ୬:୨, ୧୧, ୧୨) କିନ୍ତୁ ସବୁଠୁ ଜରୁରୀ କଥା, ସେ ଏହା ଶିଖାଇଲେ ଯେ ସେ “ଜୀବନଦାୟକ ଆହାର” ଅଟନ୍ତି ।—ଯୋହ. ୬:୩୫, ୪୮.
୧୬ ଯୀଶୁ ଯେଉଁମାନଙ୍କୁ ‘ଅନ୍ୟ ମେଷ’ କହିଲେ, ସେମାନେ ପ୍ରଭୁଙ୍କ ସନ୍ଧ୍ୟାଭୋଜରେ ରୋଟୀ ଓ ଦ୍ରାକ୍ଷାରସ ନିଅନ୍ତି ନାହିଁ ଆଉ ସେମାନଙ୍କୁ ଏପରି କରିବା ଉଚିତ୍ ବି ନୁହେଁ । (ଯୋହ. ୧୦:୧୬) କିନ୍ତୁ ସେମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଶରୀର ଓ ରକ୍ତରୁ ଲାଭ ମିଳେ । କାରଣ ସେମାନେ ଯୀଶୁଙ୍କ ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କରନ୍ତି ଏବଂ ମାନନ୍ତି ଯେ ତାଙ୍କ ଯୋଗୁଁ ଲୋକମାନଙ୍କୁ ବଡ଼ ବଡ଼ ଆଶିଷ ମିଳିବ । (ଯୋହ. ୬:୫୩) ଏହାର ଓଲଟା, ଯେଉଁମାନେ ରୋଟୀ ଓ ଦ୍ରାକ୍ଷାରସ ନିଅନ୍ତି ସେମାନେ ଏହା ଦେଖାନ୍ତି ଯେ ସେମାନେ ନୂଆ ଚୁକ୍ତିରେ ସାମିଲ୍ ଅଛନ୍ତି ଆଉ ସେମାନଙ୍କୁ ସ୍ୱର୍ଗରେ ରାଜା ହୋଇ ଶାସନ କରିବାର ଆଶା ଅଛି । ଆମେ ଅଭିଷିକ୍ତ ଖ୍ରୀଷ୍ଟିୟାନ ଥାଉ କିମ୍ବା ‘ଅନ୍ୟ ମେଷ,’ ଆମେ ସମସ୍ତେ ଯୋହନ ୬ ଅଧ୍ୟାୟରୁ ଅନେକ କଥା ଶିଖିପାରିବା, ବିଶେଷକରି ଏହା ଯେ ଆମେ ମୁକ୍ତିର ମୂଲ୍ୟ ଉପରେ ବିଶ୍ୱାସ କଲେ ହିଁ ଆମକୁ ଅନନ୍ତ ଜୀବନ ମିଳିପାରିବ ।
ଗୀତ ୧୫୦ ହିଫାଜାତ୍ କେ ଲିଏ ୟହୋୱା କି ଖୋଜ୍ କରେଁ
a ପୂର୍ବବର୍ତ୍ତୀ ଲେଖାରେ ଯୋହନ ୬:୫-୩୫ ପଦ ଉପରେ ଚର୍ଚ୍ଚା କରାଯାଇଥିଲା ।
b ଯୀଶୁ ଯେଉଁ ପାଣି ବିଷୟରେ କହିଲେ ତାʼର ଅର୍ଥ ଅଟେ ଯିହୋବାଙ୍କ ସେହି ବ୍ୟବସ୍ଥାଗୁଡ଼ିକ ଯେଉଁଥିରୁ ଆମେ ଅନନ୍ତ ଜୀବନ ପାଇପାରିବା ।