ଅଧ୍ୟୟନ ଲେଖା ୫୦
ଗୀତ ୧୩୫ ୟହୋୱା କି ପ୍ୟାର୍ ଭାରି ଗୁଜାରିଶ୍: “ମେରେ ବେଟେ, ବୁଦ୍ଧିମାନ ବନ୍”
ବାପାମାଆମାନେ, ନିଜ ପିଲାମାନଙ୍କ ବିଶ୍ୱାସ ଦୃଢ଼ କରିବା ପାଇଁ ସାହାଯ୍ୟ କରନ୍ତୁ
‘ଈଶ୍ୱରଙ୍କ ଇଚ୍ଛା କଅଣ, ଅର୍ଥାତ୍ ଉତ୍ତମ, ସୁଗ୍ରାହ୍ୟ ଓ ସିଦ୍ଧ ବିଷୟ କଅଣ, ଏହା ପରୀକ୍ଷା କରି ଜାଣ ।’—ରୋମୀ. ୧୨:୨.
କʼଣ ଶିଖିବା ?
ଆମେ ଏପରି କିଛି ପରାମର୍ଶ ଉପରେ ଧ୍ୟାନ ଦେବା, ଯାହାକୁ ମାନି ବାପାମାଆମାନେ ନିଜ ପିଲାମାନଙ୍କ ସହିତ ଈଶ୍ୱର ଓ ବାଇବଲ ବିଷୟରେ ଭଲଭାବେ କଥା ହୋଇପାରିବେ ଓ ସେମାନଙ୍କ ବିଶ୍ୱାସ ଦୃଢ଼ କରିପାରିବେ ।
୧-୨. ଯେବେ ପିଲାମାନେ ବାଇବଲର ଶିକ୍ଷା ବିଷୟରେ ପ୍ରଶ୍ନ ପଚାରନ୍ତି, ତେବେ ବାପାମାଆମାନଙ୍କୁ କʼଣ କରିବା ଉଚିତ୍ ?
ପିଲାମାନଙ୍କ ଲାଳନପାଳନ କରିବା ଏତେ ସହଜ କଥା ନୁହେଁ, ଏଥିରେ ବହୁତ ପରିଶ୍ରମ ଲାଗେ । ବାପାମାଆମାନେ, ଆପଣମାନେ ସତରେ ପ୍ରଶଂସାର ଯୋଗ୍ୟ ଅଟନ୍ତି, କାରଣ ଆପଣମାନେ ନିଜ ପିଲାମାନଙ୍କ ବିଶ୍ୱାସ ଦୃଢ଼ କରିବା ପାଇଁ ବହୁତ ପରିଶ୍ରମ କରନ୍ତି । (ଦ୍ୱିବି. ୬:୬, ୭) କିନ୍ତୁ ହୋଇପାରେ ଆପଣଙ୍କ ପିଲାମାନେ ବଡ଼ ହେବା ସହିତ ବାଇବଲରେ ଦିଆଯାଇଥିବା ଶିକ୍ଷା ଓ ସ୍ତର ବିଷୟରେ ପ୍ରଶ୍ନ ପଚାରିବେ ।
୨ ନିଜ ପିଲାମାନଙ୍କ ପ୍ରଶ୍ନ ଶୁଣି ହୁଏତ ଆପଣ ଚିନ୍ତିତ ହୋଇଯିବେ ଓ ଭାବିବେ ଯେ ତାଙ୍କର ବିଶ୍ୱାସ ଦୁର୍ବଳ ତ ହୋଇଯାଉନି । କିନ୍ତୁ ପିଲାମାନେ ବଡ଼ ହେବା ସହିତ ପ୍ରଶ୍ନ ପଚାରିବା ଉଚିତ୍, ତେବେ ଯାଇ ସେମାନଙ୍କର ବିଶ୍ୱାସ ଦୃଢ଼ ହେବ । (୧ କରି. ୧୩:୧୧) ତେଣୁ ଯେବେ ବି ଆପଣଙ୍କ ପିଲାମାନେ ପ୍ରଶ୍ନ ପଚାରନ୍ତି, ତେବେ ଡରନ୍ତୁ ନାହିଁ । ବରଂ ତାହାକୁ ଗୋଟିଏ ଭଲ ସୁଯୋଗ ଭାବି ସେମାନଙ୍କ ବିଶ୍ୱାସ ଦୃଢ଼ କରନ୍ତୁ ଓ କୌଣସି ବିଷୟକୁ ଗଭୀର ଭାବେ ଭାବିବା ପାଇଁ ସାହାଯ୍ୟ କରନ୍ତୁ ।
୩. ଏହି ଲେଖାରେ ଆମେ କʼଣ ଜାଣିବା ?
୩ ଏହି ଲେଖାରେ ଆମେ ଜାଣିବା ଯେ ବାପାମାଆମାନେ ପିଲାମାନଙ୍କୁ କିପରି ସାହାଯ୍ୟ କରିପାରିବେ, ଯାହାଦ୍ୱାରା (୧) ଈଶ୍ୱର ଓ ବାଇବଲ ଉପରେ ସେମାନଙ୍କ ବିଶ୍ୱାସ ଦୃଢ଼ ହେବ, (୨) ବାଇବଲରେ ଦିଆଯାଇଥିବା ସ୍ତର ପାଇଁ କୃତଜ୍ଞତା ବଢ଼ିବ ଏବଂ (୩) ସେମାନେ ନିଜ ବିଶ୍ୱାସ ବିଷୟରେ ଅନ୍ୟମାନଙ୍କୁ ବୁଝାଇପାରିବେ । ଆମେ ଏହା ବି ଜାଣିବା ଯେ ପିଲାମାନେ ପ୍ରଶ୍ନ ପଚାରିବା କାହିଁକି ଭଲ ଓ ଆପଣ ସେମାନଙ୍କ ସହ ମିଶି ଏପରି କିଛି କରିପାରିବେ, ଯାହାଦ୍ୱାରା ଆପଣଙ୍କୁ ସେମାନଙ୍କ ସହିତ ବାଇବଲରେ ଦିଆଯାଇଥିବା ସତ୍ୟଗୁଡ଼ିକ ବିଷୟରେ କଥା ହେବା ପାଇଁ ସୁଯୋଗ ମିଳିବ ।
ଈଶ୍ୱର ଓ ବାଇବଲ ଉପରେ ନିଜ ପିଲାମାନଙ୍କ ବିଶ୍ୱାସ ଦୃଢ଼ କରନ୍ତୁ
୪. ଆପଣଙ୍କ ପିଲାମାନେ ହୁଏତ କʼଣ ପ୍ରଶ୍ନ ପଚାରିବେ ଓ କାହିଁକି ?
୪ ବାପାମାଆମାନେ, ଆପଣ ଈଶ୍ୱରଙ୍କୁ ବିଶ୍ୱାସ କରନ୍ତି, ତାହେଲେ ଜରୁରୀ ନୁହେଁ ଯେ ଆପଣଙ୍କ ପିଲାମାନେ ବି ଆପେ ଆପେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିବେ । ଜନ୍ମରୁ ଆମଠାରେ ବିଶ୍ୱାସ ନ ଥାଏ । ସେଥିପାଇଁ ହୋଇପାରେ ଆପଣଙ୍କ ପିଲାମାନେ ଆପଣଙ୍କୁ କିଛି ପ୍ରଶ୍ନ ପଚାରିବେ । ଯେପରି, ‘ମୁଁ କାହିଁକି ବିଶ୍ୱାସ କରିବି ଯେ ଜଣେ ଈଶ୍ୱର ଅଛନ୍ତି ? କʼଣ ବାଇବଲରେ ଲେଖାଥିବା କଥାଗୁଡ଼ିକ ସତ ?’ ଏହି ଭଳି ପ୍ରଶ୍ନ ପଚାରିବା ଭୁଲ ନୁହେଁ । ବାଇବଲରେ ଆମକୁ ପ୍ରୋତ୍ସାହନ ଦିଆଯାଇଛି ଯେ ଆମେ ‘ବୁଝିବିଚାରି କାମ କରିବାର ଶକ୍ତିର’ ବ୍ୟବହାର କରୁ ଏବଂ ‘ସମସ୍ତ ବିଷୟ ପରୀକ୍ଷା କରୁ ।’ (ରୋମୀ. ୧୨:୧, NWT; ୧ ଥେସ. ୫:୨୧) ତାହେଲେ ବାପାମାଆମାନେ, ଯେବେ ଆପଣଙ୍କ ପିଲାମାନେ ପ୍ରଶ୍ନ ପଚାରନ୍ତି, ତେବେ ସେମାନଙ୍କ ବିଶ୍ୱାସ ଦୃଢ଼ କରିବା ପାଇଁ ଆପଣମାନେ କʼଣ କରିପାରିବେ ?
୫. ବାଇବଲ ଉପରେ ନିଜ ପିଲାମାନଙ୍କର ବିଶ୍ୱାସ ଦୃଢ଼ କରିବା ପାଇଁ ବାପାମାଆମାନେ କʼଣ କରିପାରିବେ ? (ରୋମୀୟ ୧୨:୨)
୫ ନିଜ ପିଲାମାନଙ୍କୁ ବାଇବଲରେ ଲେଖାଯାଇଥିବା କଥାର ପ୍ରମାଣ ଖୋଜିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । (ରୋମୀୟ ୧୨:୨ ପଢ଼ନ୍ତୁ ।) ଯେବେ ଆପଣଙ୍କ ପିଲାମାନେ କୌଣସି ପ୍ରଶ୍ନ ପଚାରନ୍ତି, ତେବେ ସେହି ସୁଯୋଗର ଭଲ ବ୍ୟବହାର କରି ସେମାନଙ୍କୁ ତାଙ୍କ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଶିଖାନ୍ତୁ । ଆପଣ ସେମାନଙ୍କୁୱାଚଟାୱର ଅନଲାଇନ୍ ଲାଇବ୍ରେରୀ ଓ ଯିହୋବାଙ୍କ ସାକ୍ଷୀମାନଙ୍କ ପାଇଁ ଗବେଷଣା ଗାଇଡ୍ରେ ଅନୁସନ୍ଧାନ କରିବା ପାଇଁ ଶିଖାଇପାରିବେ । ଯେପରି ଆପଣ ନିଜ ପିଲାମାନଙ୍କୁ କହିପାରିବେ ଯେ ସେମାନେ ଗବେଷଣା ଗାଇଡ୍ରେ ବିଷୟ ଭାଗରେ “ବାଇବଲରେ” ଯାଇପାରିବେ ଓ “ଈଶ୍ୱରଙ୍କ ପ୍ରେରଣାରେ ଲେଖାଯାଇଛି” (ହିନ୍ଦୀ) ନାମକ ଭାଗ ଦେଖିବେ । ସେଠାରେ ସେମାନଙ୍କୁ ଏପରି ଲେଖା ମିଳିବ, ଯେଉଁଥିରେ ଏ କଥାର ପ୍ରମାଣ ଦିଆଯାଇଛି ଯେ ଯଦିଓ ବାଇବଲକୁ ମଣିଷମାନେ ଲେଖିଛନ୍ତି, ତଥାପି ଏହା “ଈଶ୍ୱରଙ୍କ ବାକ୍ୟ ।” (୧ ଥେସ. ୨:୧୩) ଉଦାହରଣ ପାଇଁ, ସେମାନେ ପ୍ରାଚୀନ ଅଶୂରର ନୀନିବୀ ସହର ବିଷୟରେ ଅନୁସନ୍ଧାନ କରିପାରିବେ । ବାଇବଲ ଉପରେ ପ୍ରଶ୍ନ ଉଠାଉଥିବା କିଛି ଲୋକମାନେ କହୁଥିଲେ ଯେ ନୀନିବୀ ନାମକ ସହର କେବେ ବି ନ ଥିଲା । କିନ୍ତୁ ପାଖାପାଖି ୧୮୫୦ ମସିହାରେ ଖଦନ କଲାବେଳେ ଏହି ସହରର ଧ୍ୱଂସାବଶେଷ ମିଳିଲା, ଯେଉଁଥିରୁ ଏହା ପ୍ରମାଣିତ ହେଲା ଯେ ବାଇବଲରେ ଲେଖାଥିବା କଥା ସତ । (ସିଫ. ୨:୧୩-୧୫) ଏହା ଛଡ଼ା ଆପଣ ପିଲାମାନଙ୍କୁ ନଭେମ୍ବର ୨୦୨୧ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା, “କʼଣ ଆପଣ ଜାଣନ୍ତି ?” ପଢ଼ିବା ପାଇଁ କହିପାରିବେ । ଏଥିରୁ ସେମାନେ ବୁଝିପାରିବେ ଯେ ନୀନିବୀ ସହରର ଯେଉଁଭଳି ଭାବେ ଧ୍ୱଂସ ହେଲା ସେବିଷୟରେ ବାଇବଲରେ ପୂର୍ବରୁ କୁହାଯାଇଥିଲା । ଯେବେ ଆପଣଙ୍କ ପିଲାମାନେ ଆମ ପ୍ରକାଶନ ପଢ଼ିବେ ଓ ଦେଖିବେ ଯେ ଏନସାଇକ୍ଲୋପିଡିଆ ଏବଂ ଅନ୍ୟ ଜଣାଶୁଣା ବହିଗୁଡ଼ିକରେ ବି ସେହି କଥାଗୁଡ଼ିକ ଲେଖାଯାଇଛି, ତାହେଲେ ବାଇବଲ ଉପରେ ସେମାନଙ୍କର ବିଶ୍ୱାସ ଦୃଢ଼ ହେବ ।
୬. ବାପାମାଆମାନେ ନିଜ ପିଲାମାନଙ୍କୁ କିପରି ଏହି କଥାର ପ୍ରମାଣ ଦେଖାଇପାରିବେ ଯେ ବାଇବଲରେ ଲେଖାଥିବା କଥାଗୁଡ଼ିକ ସତ ? ଗୋଟିଏ ଉଦାହରଣ ଦିଅନ୍ତୁ । (ଚିତ୍ର ମଧ୍ୟ ଦେଖନ୍ତୁ ।)
୬ ନିଜ ପିଲାମାନଙ୍କୁ ପ୍ରମାଣ ଦେଖାଇ ଭାବିବା ପାଇଁ କହନ୍ତୁ । ବାପାମାଆଙ୍କ ପାଖରେ ଏପରି ଅନେକ ସୁଯୋଗ ଥାଏ, ଯେବେ ସେମାନେ ନିଜ ପିଲାମାନଙ୍କୁ କହିପାରିବେ ଯେ ସେମାନେ କାହିଁକି ବାଇବଲ ଓ ଈଶ୍ୱରଙ୍କ ଉପରେ ବିଶ୍ୱାସ କରିପାରିବେ । ଯେପରି, ଯେବେ ସେମାନେ କୌଣସି ମ୍ୟୁଜିୟମ୍ ଦେଖିବାକୁ ଯାʼନ୍ତି, ବଗିଚାରେ ବୁଲିବା ପାଇଁ ଯାʼନ୍ତି କିମ୍ବା ଯିହୋବାଙ୍କ ସାକ୍ଷୀମାନଙ୍କ ଶାଖା କାର୍ଯ୍ୟାଳୟର କୌଣସି ମ୍ୟୁଜିୟମ୍ ଦେଖିବାକୁ ଯାʼନ୍ତି । ଉଦାହରଣ ପାଇଁ, କୌଣସି ମ୍ୟୁଜିୟମ୍ ଦେଖିବା ସମୟରେ ବା ତାହାର ଅନଲାଇନ୍ ଟୁର୍ କରିବା ସମୟରେ ଆପଣ ନିଜ ପିଲାମାନଙ୍କୁ କୌଣସି ଏପରି ଜିନିଷ ଦେଖାଇପାରିବେ ବା ଏପରି ଘଟଣା ବିଷୟରେ କହିପାରିବେ, ଯାହା ବାଇବଲରେ ବି କୁହାଯାଇଛି । ଯେପରି, କʼଣ ଆପଣଙ୍କ ପିଲାମାନଙ୍କୁ ଜଣା ଅଛି ଯେ ମୋଆବି ଶିଳା ନାମକ ଗୋଟିଏ ପଥର ଅଛି, ଯାହା ୩୦୦୦ ବର୍ଷ ପୁରୁଣା ଓ ସେଥିରେ ଈଶ୍ୱରଙ୍କ ନାମ ଲେଖା ହୋଇଛି ? ଏହି ପଥର ଫ୍ରାନ୍ସର ପ୍ୟାରିସ ସହରର ଲୁବ୍ର ମ୍ୟୁଜିୟମ୍ରେ ରଖା ହୋଇଛି । ଏହି ପଥରର ଗୋଟିଏ ନକଲ ୱାରୱିକ୍ରେ ଯିହୋବାଙ୍କ ସାକ୍ଷୀମାନଙ୍କ ବିଶ୍ୱ ମୁଖ୍ୟାଳୟର ଗୋଟିଏ ମ୍ୟୁଜିୟମ୍ରେ ମଧ୍ୟ ରଖା ହୋଇଛି । ଏହି ମ୍ୟୁଜିୟମ୍ର ନାମ ହେଉଛି “ବାଇବଲ ଓ ଈଶ୍ୱରଙ୍କ ନାମ ।” ମୋଆବି ଶିଳା ନାମକ ପଥରରେ ଲେଖାଅଛି ଯେ ମୋୟାବର ରାଜା ମେଶା ଇସ୍ରାଏଲ ସହ ବିଦ୍ରୋହ କରିଥିଲା ଏବଂ ଏହି କଥା ବାଇବଲ ସହ ମଧ୍ୟ ମେଳ ଖାଏ । (୨ ରାଜା. ୩:୪, ୫) ଯେବେ ଆପଣଙ୍କ ପିଲାମାନେ ନିଜେ ଏହି ପ୍ରମାଣଗୁଡ଼ିକୁ ଦେଖିବେ, ତେବେ ସେମାନଙ୍କର ବାଇବଲ ଉପରେ ବିଶ୍ୱାସ ଆହୁରି ବଢ଼ିଯିବ ।—୨ ବଂଶାବଳୀ ୯:୬ ପଦ ସହ ତୁଳନା କରନ୍ତୁ ।
୭-୮. (କ) ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ସୃଷ୍ଟିର ସୁନ୍ଦର ଡିଜାଇନ୍ରୁ ଆମେ କʼଣ ଜାଣିପାରୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ନିଜ ପିଲାମାନଙ୍କର ବିଶ୍ୱାସ ବଢ଼ାଇବା ପାଇଁ ଆପଣ ସେମାନଙ୍କୁ କʼଣ ପ୍ରଶ୍ନ ପଚାରିପାରିବେ ?
୭ ନିଜ ପିଲାମାନଙ୍କୁ ସୃଷ୍ଟି ବିଷୟରେ ଭାବିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । ଯେବେ ଆପଣ ବଗିଚାରେ କାମ କରନ୍ତି କିମ୍ବା ପାର୍କରେ ବୁଲିବା ପାଇଁ ଯାʼନ୍ତି, ତେବେ ଆପଣ ନିଜ ପିଲାମାନଙ୍କୁ ସୃଷ୍ଟିର ନିଆରା ଡିଜାଇନ୍ ସବୁ ଦେଖାନ୍ତୁ । ଏପରି କଲେ ସେମାନେ ବୁଝିପାରିବେ ଯେ ନିଶ୍ଚୟ କେହି ଅଛନ୍ତି ଯିଏ ଭାବିଚିନ୍ତି ଏହି ଡିଜାଇନ୍ କରିଛନ୍ତି । ଉଦାହରଣ ପାଇଁ, ସୃଷ୍ଟିର ଅନେକ ଜିନିଷଗୁଡ଼ିକରେ ସ୍ପାଇରଲ ଡିଜାଇନ୍ (ଗୋଟିଏ ବିନ୍ଦୁରୁ ଆରମ୍ଭ ହୋଇ ଗୋଲାକାର ଡିଜାଇନ୍) ଦେଖିବାକୁ ମିଳେ । ବୈଜ୍ଞାନିକମାନେ ଅନେକ ବର୍ଷରୁ ଏହି ଡିଜାଇନ୍ ଉପରେ ଅଧ୍ୟୟନ କରୁଛନ୍ତି । ଏବିଷୟରେ ନିକୋଲା ଫାମେଲି ନାମକ ଜଣେ ବୈଜ୍ଞାନିକ କହନ୍ତି ଯେ ଯଦି ଆପଣ ଏହି ସ୍ପାଇରଲ ରେଖାଗୁଡ଼ିକୁ ଗଣିବେ, ତେବେ ତାହା ଆପଣଙ୍କୁ ସବୁବେଳେ ଗୋଟିଏ ନିର୍ଦ୍ଧିଷ୍ଟ କ୍ରମରେ ହିଁ ଦେଖିବାକୁ ମିଳିବ । ଏହି ସଂଖ୍ୟାର ନିର୍ଦ୍ଧିଷ୍ଟ କ୍ରମକୁ ଫିବୋନାଚି ଅନୁକ୍ରମ କୁହାଯାଏ । ସ୍ପାଇରଲ ଅନେକ ଜିନିଷରେ ଦେଖାଯାଏ । ଯେପରି, ବିଶ୍ୱମଣ୍ଡଳରେ ଥିବା କିଛି ମନ୍ଦାକିନୀରେ, ନ୍ୟାଟିଲସ୍ ନାମକ ସାମୁଦ୍ରିକ ଜୀବର ଶଙ୍ଖରେ, କିଛି ଗଛଲତାର ପତ୍ରରେ ଓ ସୂର୍ଯ୍ୟମୁଖୀ ଫୁଲରେ । a
୮ ଆପଣଙ୍କ ପିଲାମାନେ ସ୍କୁଲରେ ବିଜ୍ଞାନର କ୍ଲାସରେ ସୃଷ୍ଟିରେ ଥିବା ଆହୁରି ଡିଜାଇନ୍ ଓ ଆକୃତି ବିଷୟରେ ଶିଖିବେ । ଯେପରି ଗଛ ବିଷୟରେ । ଅଧିକାଂଶ ଗଛର କାଣ୍ଡରୁ ଡାଳ ବାହାରେ ଓ ଡାଳରୁ ଶାଖା ପ୍ରଶାଖା ବାହାରେ । ଦେଖିବାକୁ ଗଲେ ଏହା ଏକାଭଳି ଡିଜାଇନ୍ରେ ବାହାରେ ଏବଂ ଏହି ଡିଜାଇନ୍କୁ ଫ୍ରାକ୍ଟଲ କୁହାଯାଏ । ଏହି ଡିଜାଇନ୍ ସୃଷ୍ଟିର ଅନ୍ୟ ଜିନିଷଗୁଡ଼ିକରେ ବି ଦେଖାଯାଏ । କିନ୍ତୁ ଭାବନ୍ତୁ, ଏହି ସୁନ୍ଦର ଡିଜାଇନ୍କୁ କିଏ ସୃଷ୍ଟି କରିଥିବେ ? ଆପଣଙ୍କ ପିଲାମାନେ ସୃଷ୍ଟି ବିଷୟରେ ଯେତେ ଅଧିକ ଭାବିବେ ସେମାନଙ୍କର ବିଶ୍ୱାସ ଏହି କଥା ଉପରେ ଆହୁରି ବଢ଼ିବ ଯେ ଈଶ୍ୱର ହିଁ ସବୁକିଛି ସୃଷ୍ଟି କରିଛନ୍ତି । (ଏବ୍ରୀ ୩:୪) ପିଲାମାନେ ବଡ଼ ହେବା ସହିତ ସେମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ଈଶ୍ୱରଙ୍କ ଆଜ୍ଞା ମାନିବା କାହିଁକି ଜରୁରୀ । ସେମାନଙ୍କୁ ପଚାରନ୍ତୁ, “ଯଦି ଈଶ୍ୱର ଆମମାନଙ୍କୁ ସୃଷ୍ଟି କରିଛନ୍ତି, ତାହେଲେ ତମକୁ ଲାଗେନି ଯେ ସେ ଏହା ବି କହିଥିବେ ଯେ ଖୁସିରେ ରହିବା ପାଇଁ ଆମକୁ କିପରି ଜୀବନ ବଞ୍ଚିବା ଉଚିତ୍ ?” ତାʼପରେ ସେମାନଙ୍କୁ କହନ୍ତୁ ଯେ ଈଶ୍ୱର ଆମକୁ ବାଇବଲରେ ବଢ଼ିଆ ପରାମର୍ଶ ଦେଇଛନ୍ତି ଯାହାକୁ ମାନିଲେ ଆମେ ଖୁସିରେ ରହିପାରିବା ।
ନିଜ ପିଲାମାନଙ୍କୁ ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ କାହିଁକି ବାଇବଲର ସ୍ତର ମାନିବା ଭଲ
୯. ଯେବେ ଆପଣଙ୍କ ପିଲାମାନେ ବାଇବଲର ସ୍ତରଗୁଡ଼ିକ ବିଷୟରେ କୌଣସି ପ୍ରଶ୍ନ ପଚାରନ୍ତି, ତେବେ ତାହାର କʼଣ କାରଣ ହୋଇପାରେ ?
୯ ଯଦି ଆପଣଙ୍କ ପିଲାମାନେ ବାଇବଲରେ ଦିଆଯାଇଥିବା ସ୍ତରଗୁଡ଼ିକ ବିଷୟରେ ପ୍ରଶ୍ନ ପଚାରନ୍ତି, ତାହେଲେ ବୁଝିବା ପାଇଁ ଚେଷ୍ଟା କରନ୍ତୁ ଯେ ସେମାନେ କାହିଁକି ପଚାରୁଛନ୍ତି । କʼଣ ସେମାନଙ୍କୁ ପ୍ରକୃତରେ ଲାଗେ ଯେ ବାଇବଲର ସ୍ତରଗୁଡ଼ିକ ଠିକ୍ ନୁହେଁ ? କିମ୍ବା ସେମାନେ କାହିଁକି ବାଇବଲର ସ୍ତର ମାନନ୍ତି, ତାହା ଅନ୍ୟମାନଙ୍କୁ ବୁଝାଇବା କଠିନ ଲାଗେ ? କାରଣ ଯାହା ବି ଥାଉ ନା କାହିଁକି, ଆପଣ ନିଜ ପିଲାମାନଙ୍କୁ ଏହା ବୁଝିବା ପାଇଁ ସାହାଯ୍ୟ କରିପାରିବେ ଯେ ବାଇବଲର ସ୍ତରଗୁଡ଼ିକୁ ମାନିଲେ ଆମକୁ କାହିଁକି ଲାଭ ହୁଏ । ଏହା ପାଇଁ ଆପଣ ସେମାନଙ୍କର ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ଅଧ୍ୟୟନ କରିପାରିବେ । b
୧୦. ଯିହୋବାଙ୍କୁ ସବୁଠୁ ଭଲ ସାଙ୍ଗ କରିବା ପାଇଁ ଆପଣ ନିଜ ପିଲାମାନଙ୍କୁ କିପରି ସାହାଯ୍ୟ କରିପାରିବେ ?
୧୦ ଯିହୋବାଙ୍କୁ ନିଜର ସବୁଠୁ ଭଲ ସାଙ୍ଗ କରିବା ପାଇଁ ନିଜ ପିଲାମାନଙ୍କୁ ପ୍ରୋତ୍ସାହନ ଦିଅନ୍ତୁ । ଯେବେ ଆପଣ ନିଜ ପିଲାମାନଙ୍କ ସହିତ ବାଇବଲ ଅଧ୍ୟୟନ କରନ୍ତି, ତେବେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରେ ଦିଆଯାଇଥିବା ପ୍ରଶ୍ନ ପଚାରି ଓ ଚିତ୍ରଗୁଡ଼ିକ ଦେଖାଇ ଏହା ଜାଣିବା ପାଇଁ ଚେଷ୍ଟା କରନ୍ତୁ ଯେ ଆପଣଙ୍କ ପିଲାମାନେ କʼଣ ଭାବୁଛନ୍ତି । (ହିତୋ. ୨୦:୫) ଯେପରି, ପାଠ ୮ରେ ଯିହୋବାଙ୍କୁ ଜଣେ ଭଲ ସାଙ୍ଗ କୁହାଯାଇଛି, ଯାହାଙ୍କ କଥା ଶୁଣିଲେ ଆମକୁ ଲାଭ ହେବ ଏବଂ ଆମେ ବିପଦଗୁଡ଼ିକରୁ ରକ୍ଷା ପାଇବା । ସେହି ପାଠରେ ୧ ଯୋହନ ୫:୩ ପଦ ଉପରେ ଚର୍ଚ୍ଚା କରିବା ପରେ ଆପଣ ନିଜ ପିଲାମାନଙ୍କୁ ପଚାରିପାରିବେ, “ଯିହୋବା ଆମର ଭଲ ସାଙ୍ଗ ଅଟନ୍ତି, ତାହେଲେ ଭାବ ଯଦି ସେ ଆମକୁ କିଛି କରିବା ପାଇଁ କହନ୍ତି ତେବେ ଆମକୁ କʼଣ କରିବା ଉଚିତ୍ ?” ହୁଏତ ଏହା ବହୁତ ସାଧାରଣ ପ୍ରଶ୍ନ ଲାଗିବ, କିନ୍ତୁ ଏହି ପ୍ରଶ୍ନ ପଚାରିବା ଦ୍ୱାରା ଆପଣଙ୍କ ପିଲାମାନେ ବୁଝିପାରିବେ ଯେ ଯିହୋବା ଆମକୁ ଯାହା ବି କରିବା ପାଇଁ କହନ୍ତି, ତାହା ପ୍ରେମ ଯୋଗୁଁ କହନ୍ତି ।—ଯିଶା. ୪୮:୧୭, ୧୮.
୧୧. ଆପଣ ନିଜ ପିଲାମାନଙ୍କୁ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ମାନିବା ପାଇଁ କିପରି ସାହାଯ୍ୟ କରିପାରିବେ ? (ହିତୋପଦେଶ ୨:୧୦, ୧୧)
୧୧ ନିଜ ପିଲାମାନଙ୍କ ସହ ମିଶି ଚର୍ଚ୍ଚା କରନ୍ତୁ ଯେ ବାଇବଲର ସିଦ୍ଧାନ୍ତ ମାନିଲେ କେତେ ଲାଭ ହୁଏ । ଯେବେ ଆପଣଙ୍କ ପରିବାର ମିଶି ବାଇବଲ କିମ୍ବା ଦୈନିକ ପାଠ ପଢ଼ନ୍ତି, ତେବେ ଏବିଷୟରେ ଚର୍ଚ୍ଚା କରନ୍ତୁ ଯେ ବାଇବଲର ସିଦ୍ଧାନ୍ତ ମାନି ଆପଣଙ୍କୁ କେତେ ଲାଭ ହୋଇଛି । ଉଦାହରଣ ପାଇଁ, କʼଣ ଆପଣଙ୍କ ପିଲାମାନେ ଏହା ବୁଝନ୍ତି ଯେ ପରିଶ୍ରମୀ ହେଲେ ଓ ସଚ୍ଚୋଟ ରହିଲେ, କʼଣ ଲାଭ ହୁଏ ? (ଏବ୍ରୀ ୧୩:୧୮) ଆପଣମାନେ ସେମାନଙ୍କୁ ଏହା ବି କହିପାରିବେ ଯେ ବାଇବଲର ସିଦ୍ଧାନ୍ତ ମାନିଲେ ଆମର ସ୍ୱାସ୍ଥ୍ୟ ଭଲ ରହେ ଓ ଆମେ ଖୁସିରେ ରହୁ । (ହିତୋ. ୧୪:୨୯, ୩୦) ଏପରି କଲେ ପିଲାମାନେ ବୁଝିପାରିବେ ଯେ ବାଇବଲର ସିଦ୍ଧାନ୍ତ ମାନିଲେ କେତେ ଲାଭ ହୁଏ ଏବଂ ସେମାନଙ୍କୁ ବି ଏହି ସିଦ୍ଧାନ୍ତଗୁଡ଼ିକୁ ମାନିବା ପାଇଁ ଇଚ୍ଛା ହେବ ।—ହିତୋପଦେଶ ୨:୧୦, ୧୧ ପଢ଼ନ୍ତୁ ।
୧୨. ଜଣେ ବାପା କିପରି ନିଜ ପୁଅକୁ ବୁଝାନ୍ତି ଯେ ବାଇବଲର ପରାମର୍ଶ ମାନିଲେ ହିଁ ଆମର ଲାଭ ହୁଏ ?
୧୨ ଫ୍ରାନ୍ସରେ ରହୁଥିବା ଭାଇ ସ୍ଟିଉଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ୧୬ ବର୍ଷର ଜଣେ ପୁଅ ଅଛି । ସେ କହନ୍ତି ଯେ ସେ ଓ ତାଙ୍କ ସ୍ତ୍ରୀ କିଭଳି ତାଙ୍କ ପୁଅ ଇଥନ୍କୁ ବୁଝାନ୍ତି ଯେ ଯିହୋବା ଯାହା ବି କହନ୍ତି, ତାହା ପ୍ରେମ ଯୋଗୁଁ କହନ୍ତି: “ଆମେ ତାକୁ କିଛି ଏପରି ପ୍ରଶ୍ନ ପଚାରୁ, ‘ତମକୁ କʼଣ ଲାଗେ, ଆମକୁ ଯିହୋବାଙ୍କ କଥା କାହିଁକି ମାନିବା ଉଚିତ୍ ? ଏଥିରୁ କିପରି ଜଣାପଡ଼େ ଯେ ଯିହୋବା ଆମକୁ ପ୍ରେମ କରନ୍ତି ? ଯେବେ ଆମେ ଏହି କଥା ମାନିବା ନାହିଁ, ତେବେ କʼଣ ହେବ ?’” ଏହିପରି ଭାବେ କଥାବାର୍ତ୍ତା ହୋଇ ଇଥନ୍ର ବିଶ୍ୱାସ ଦୃଢ଼ ହେଲା ଓ ସେ ବୁଝିପାରିଲା ଯେ ଈଶ୍ୱରଙ୍କ କଥା ମାନିଲେ ହିଁ ଆମର ଲାଭ ହୁଏ । ଭାଇ ସ୍ଟିଉ କହନ୍ତି, “ଆମେ ଏହା ହିଁ ଚାହୁଁ ଯେ ଇଥନ୍ ଦେଖିପାରୁ ଯେ ବାଇବଲରେ କେତେ ବୁଦ୍ଧିଭରା କଥାଗୁଡ଼ିକ ଲେଖାଯାଇଛି, ଯାହା ମଣିଷମାନଙ୍କ ଚିନ୍ତାଧାରାଠାରୁ ଉଚ୍ଚତର ଅଟେ ।”
୧୩. ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ବାପାମାଆମାନେ କିପରି ନିଜ ପିଲାମାନଙ୍କୁ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ମାନିବା ପାଇଁ ଶିଖାଇପାରିବେ ?
୧୩ ନିଜ ପିଲାମାନଙ୍କୁ ବାଇବଲର ସିଦ୍ଧାନ୍ତଗୁଡ଼ିକୁ ମାନିବା ପାଇଁ ଶିଖାନ୍ତୁ । ହୁଏତ ଅନ୍ୟ ପିଲାମାନେ ଆପଣଙ୍କ ପିଲାଙ୍କୁ କୌଣସି ଫିଲ୍ମ କିମ୍ବା ଭିଡିଓ ଗେମ୍ ଖେଳିବା ପାଇଁ ଡାକିବେ । ଆଉ ହୁଏତ ସେଥିରେ ଯେଉଁ ଚରିତ୍ରମାନେ ଅଛନ୍ତି, ସେମାନେ ଖରାପ ଜୀବନଯାପନ କରୁଛନ୍ତି କିମ୍ବା ମାରପିଟ୍ କରୁଛନ୍ତି । କିନ୍ତୁ ସେମାନେ ଭଲ କାମ କରୁଛନ୍ତି ବୋଲି ଦେଖାଇ ଦିଆଯାଇଛି । ଏପରି ସମୟରେ ଆପଣ ନିଜ ପିଲାମାନଙ୍କୁ ଏହା ଭାବିବା ପାଇଁ କହିପାରିବେ: “ଏଠାରେ ଥିବା ଚରିତ୍ରମାନେ ଯେପରି ଜୀବନଯାପନ କରୁଛନ୍ତି, କʼଣ ତାହା ବାଇବଲ ସିଦ୍ଧାନ୍ତ ଅନୁସାରେ ଠିକ୍ ? କʼଣ ଯିହୋବା ଏପରି କାମଗୁଡ଼ିକରୁ ଖୁସି ହୁଅନ୍ତି ?” (ହିତୋ. ୨୨:୨୪, ୨୫; ୧ କରି. ୧୫:୩୩; ଫିଲିପ୍. ୪:୮) ଏପରି କଲେ ଆପଣଙ୍କ ପିଲାମାନେ ବୁଝିପାରିବେ ଯେ ଯିହୋବା ଯାହା ବି କହନ୍ତି, ତାହା ଠିକ୍ ଥାଏ ଓ ତାଙ୍କ କଥା ମାନିବା ନିହାତି ଜରୁରୀ । କେବଳ ଏତିକି ନୁହେଁ, ସେମାନେ ଅନ୍ୟ ପିଲାମାନଙ୍କୁ ବି ବୁଝାଇପାରିବେ ଯେ ସେମାନେ କାହିଁକି ଏହି ସବୁ ଜିନିଷଗୁଡ଼ିକୁ ଭୁଲ ବୋଲି ଭାବନ୍ତି ।
ନିଜ ବିଶ୍ୱାସ ବିଷୟରେ କହିବା ପାଇଁ ନିଜ ପିଲାମାନଙ୍କୁ ସାହାଯ୍ୟ କରନ୍ତୁ
୧୪. ପିଲାମାନେ ହୁଏତ କେଉଁ ବିଷୟରେ କହିବା ପାଇଁ ଡରିଯିବେ ଓ କାହିଁକି ?
୧୪ ଅନେକଥର ପିଲାମାନେ ନିଜ ବିଶ୍ୱାସ ବିଷୟରେ କହିବା ପାଇଁ ଡରିଯାʼନ୍ତି । ଯେପରି ହୁଏତ ଯେବେ ସେମାନଙ୍କୁ ସ୍କୁଲରେ ବିବର୍ତ୍ତନ ବିଷୟରେ ପଢ଼ାଯାଏ । କାହିଁକି ? କାରଣ ସେମାନଙ୍କ ଟିଚର ଭରସାର ସହ କହନ୍ତି ଯେ ପ୍ରମାଣରୁ ଏହା ହିଁ ଜଣାପଡ଼େ ଯେ ଆମକୁ ସୃଷ୍ଟି କରାଯାଇ ନାହିଁ, ବରଂ ଆମର ବିକାଶ ହୋଇଛି । ତାହେଲେ ବାପାମାଆମାନେ, ଆପଣ କିପରି ନିଜ ପିଲାମାନଙ୍କୁ ସାହାଯ୍ୟ କରିପାରିବେ, ଯାହାଫଳରେ ସେମାନେ ପୂରା ଭରସାର ସହିତ ଅନ୍ୟମାନଙ୍କୁ ନିଜ ବିଶ୍ୱାସ ବିଷୟରେ କହିପାରିବେ ।
୧୫. ଆପଣ କିପରି ଏହି କଥା ଉପରେ ନିଜ ପିଲାମାନଙ୍କର ଭରସା ବଢ଼ାଇପାରିବେ ଯେ ସେମାନେ ଯାହା ବିଶ୍ୱାସ କରନ୍ତି, ତାହା ହିଁ ଠିକ୍ ?
୧୫ ନିଜ ପିଲାମାନଙ୍କର ଭରସା ବଢ଼ାନ୍ତୁ ଯେ ସେମାନେ ଯାହା ବିଶ୍ୱାସ କରନ୍ତି, ତାହା ହିଁ ଠିକ୍ । ଆପଣଙ୍କ ପିଲାମାନଙ୍କୁ ଏ କଥା ପାଇଁ ଲଜ୍ଜିତ ହେବାର କୌଣସି ଆବଶ୍ୟକତା ନାହିଁ ଯେ ସେମାନେ ଜଣେ ସୃଷ୍ଟିକର୍ତ୍ତାକୁ ମାନନ୍ତି । (୨ ତୀମ. ୧:୮) ତାହା କାହିଁକି ? କାରଣ ଅନେକ ବୈଜ୍ଞାନିକମାନେ ବି ଏହା ମାନନ୍ତି ଯେ ଜୀବନ ଆପେ ଆପେ ଆସି ନାହିଁ । ଜୀବଜନ୍ତୁମାନଙ୍କୁ ଯେପରି ଜଟିଳ ଭାବେ ସୃଷ୍ଟି କରାଯାଇଛି, ତାହା ଦେଖି ସେମାନେ ମାନନ୍ତି ଯେ ସେମାନଙ୍କୁ କୌଣସି ବୁଦ୍ଧିମାନ ବ୍ୟକ୍ତି ସୃଷ୍ଟି କରିଛନ୍ତି । ସେଥିପାଇଁ ଆଜି ଦୁନିଆରେ ଯେଉଁ ବିବର୍ତ୍ତନର ଶିକ୍ଷା ରହିଛି ତାହାକୁ ସେମାନେ ମାନନ୍ତି ନାହିଁ । ଈଶ୍ୱରଙ୍କ ଉପରେ ଭରସା ବଢ଼ାଇବା ପାଇଁ ଆପଣଙ୍କ ପିଲାମାନେ କʼଣ କରିପାରିବେ ? ସେମାନେ ଏପରି ଭାଇଭଉଣୀମାନଙ୍କ ଅନୁଭୂତିଗୁଡ଼ିକୁ ଧ୍ୟାନ ଦେଇପାରିବେ ଯେଉଁମାନେ ପୂର୍ବରୁ ସୃଷ୍ଟିକର୍ତ୍ତାଙ୍କ ଉପରେ ବିଶ୍ୱାସ କରୁ ନ ଥିଲେ । ଆଉ ସେମାନେ ଧ୍ୟାନ ଦେଇପାରିବେ ଯେ କେଉଁ କଥା ଯୋଗୁଁ ସେମାନେ ସୃଷ୍ଟିକର୍ତ୍ତାଙ୍କ ଉପରେ ବିଶ୍ୱାସ କଲେ । c
୧୬. ବାପାମାଆମାନେ କିପରି ନିଜ ପିଲାମାନଙ୍କୁ ସାହାଯ୍ୟ କରିପାରିବେ, ଯାହାଫଳରେ ସେମାନେ ଅନ୍ୟମାନଙ୍କୁ କହିପାରିବେ ଯେ ସେମାନେ ସୃଷ୍ଟିକର୍ତ୍ତାଙ୍କୁ ବିଶ୍ୱାସ କରନ୍ତି ? (୧ ପିତର ୩:୧୫) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୬ ନିଜ ପିଲାମାନଙ୍କୁ ଶିଖାନ୍ତୁ ଯେ ସେମାନେ କିପରି ଅନ୍ୟମାନଙ୍କୁ ବୁଝାଇପାରିବେ ଯେ ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି । (୧ ପିତର ୩:୧୫ ପଢ଼ନ୍ତୁ ।) ଆପଣ ଚାହିଁଲେ ପିଲାମାନଙ୍କ ସହ ମିଶି jw.org ୱେବସାଇଟ୍ରେ ଦିଆଯାଇଥିବା ସିରିଜ୍ “ଯୁବକ-ଯୁବତୀମାନଙ୍କ ପ୍ରଶ୍ନ—ସୃଷ୍ଟି କିମ୍ବା ବିବର୍ତ୍ତନ ?” (ହିନ୍ଦୀ) ଭାଗରେ ଦିଆଯାଇଥିବା ଲେଖାଗୁଡ଼ିକ ଉପରେ ଚର୍ଚ୍ଚା କରିପାରିବେ । ତାʼପରେ ପିଲାମାନଙ୍କୁ ପଚାରନ୍ତୁ ଯେ ଏଠାରେ ଏପରି କେଉଁ ତର୍କ ଦିଆଯାଇଛି ଯାହା ସାହାଯ୍ୟରେ ସେମାନେ ଅନ୍ୟମାନଙ୍କୁ ଭରସା ଦେଇପାରିବେ ଯେ ଜଣେ ସୃଷ୍ଟିକର୍ତ୍ତା ଅଛନ୍ତି । ତାʼପରେ ପିଲାମାନଙ୍କ ସହିତ ଅଭ୍ୟାସ କରନ୍ତୁ ଯେ ସେମାନେ ଏବିଷୟରେ କିପରି ଅନ୍ୟମାନଙ୍କୁ ବୁଝାଇପାରିବେ । ପିଲାମାନଙ୍କୁ କହନ୍ତୁ ଯେ ସେମାନଙ୍କୁ ଅନ୍ୟମାନଙ୍କ ସହିତ ଯୁକ୍ତିତର୍କ କରିବାର ଆବଶ୍ୟକ ନାହିଁ । ଯଦି କେହି ଶୁଣିବା ପାଇଁ ଚାହାନ୍ତି ତାହେଲେ ସେମାନେ ସାଧାରଣ ତର୍କ କରି ସେମାନଙ୍କୁ ବୁଝାଇପାରିବେ । ହୋଇପାରେ କୌଣସି ପିଲା ତାଙ୍କୁ କହନ୍ତି, “ମୁଁ କେବଳ ସେହି ଜିନିଷଗୁଡ଼ିକୁ ବିଶ୍ୱାସ କରେ ଯାହାକୁ ମୁଁ ନିଜ ଆଖିରେ ଦେଖିପାରିବି । ଆଉ ଈଶ୍ୱରଙ୍କୁ ତ ମୁଁ କେବେ ଦେଖି ନାହିଁ ।” ସେସମୟରେ ଜଣେ ଯୁବା ଖ୍ରୀଷ୍ଟିୟାନ ତାଙ୍କୁ କହିପାରିବେ, “ଭାବ ତମେ ଏପରି ଗୋଟିଏ ଘଞ୍ଚ ଜଙ୍ଗଲ ଦେଇ ଯାଉଛ, ଯେଉଁଠି କେହି ମଣିଷ ରହନ୍ତି ନାହିଁ । କିନ୍ତୁ ଯାଉ ଯାଉ ତମେ ଗୋଟିଏ କୂଅ ଦେଖ । କୂଅ ଦେଖି କʼଣ ତମେ ଏହା ଭାବିବ ଯେ ଏହା ଆପେ ଆପେ ଆସିଯାଇଛି ? କିମ୍ବା କʼଣ ଏହା ଭାବିବ ଯେ କେହି ଏହାକୁ ଖୋଳିଛନ୍ତି ? ଯଦି କୂଅକୁ କେହି ଖୋଳିଛନ୍ତି, ତାହେଲେ କʼଣ ଏହି ବିଶ୍ୱମଣ୍ଡଳକୁ କେହି ସୃଷ୍ଟି କରି ନ ଥିବେ ?”
୧୭. ବାପାମାଆମାନେ ନିଜ ପିଲାମାନଙ୍କୁ କିପରି ପ୍ରୋତ୍ସାହନ ଦେଇପାରିବେ ଯେ ସେମାନେ ଅନ୍ୟମାନଙ୍କୁ ସତ୍ୟ କହିବା ପାଇଁ ସୁଯୋଗ ଖୋଜିବେ ? ବୁଝାନ୍ତୁ ।
୧୭ ନିଜ ପିଲାମାନଙ୍କୁ କହନ୍ତୁ ଯେ ସେମାନେ ଅନ୍ୟମାନଙ୍କୁ ବାଇବଲର ସତ୍ୟଗୁଡ଼ିକ ବିଷୟରେ କହିବା ପାଇଁ ସୁଯୋଗ ଖୋଜିବେ । (ରୋମୀ. ୧୦:୧୦) ଅନ୍ୟମାନଙ୍କୁ ନିଜ ବିଶ୍ୱାସ ବିଷୟରେ କହିବା ଗୋଟିଏ ବାଦ୍ୟଯନ୍ତ୍ର ବଜାଇବା ଭଳି ଅଟେ । ଯଦି କେହି ବାଦ୍ୟଯନ୍ତ୍ର ବଜାଇବା ଶିଖୁଛନ୍ତି, ତାହେଲେ ସେ ଆରମ୍ଭରେ କୌଣସି ସହଜ ସଙ୍ଗୀତ ବଜାନ୍ତି । କିନ୍ତୁ ପରେ ଯେବେ ସେ ଦକ୍ଷ ହୋଇଯାʼନ୍ତି, ତେବେ ସେ ଆହୁରି ସଙ୍ଗୀତଗୁଡ଼ିକ ବଜାନ୍ତି । ଠିକ୍ ସେହିଭଳି ଯେବେ କୌଣସି ଯୁବା ଅନ୍ୟମାନଙ୍କୁ ନିଜ ବିଶ୍ୱାସ ବିଷୟରେ କହନ୍ତି, ତେବେ ହୁଏତ ସେ ଆରମ୍ଭରେ କିଛି ସାଧାରଣ ବିଷୟରେ କଥା ହେବେ । ଯେପରି ସେ ସ୍କୁଲରେ କୌଣସି ପିଲାକୁ ପଚାରିପାରିବେ, “କʼଣ ତମେ ଜାଣିଛ, ଇଞ୍ଜିନିୟରମାନେ ପ୍ରାୟ ସୃଷ୍ଟିକୁ ଦେଖି ଡିଜାଇନ୍ କରନ୍ତି ? ଚାଲ ମୁଁ ତମକୁ ଏବିଷୟରେ ଗୋଟିଏ ବଢ଼ିଆ ଭିଡିଓ ଦେଖାଉଛି ।” ତାʼପରେ କʼଣ ଏହାକୁ ସୃଷ୍ଟି କରାଯାଇଥିଲା ? ସିରିଜ୍ର ଗୋଟିଏ ଭିଡିଓ ଦେଖାଇ ତାକୁ ପଚାରିପାରିବେ, “ଯେବେ ସୃଷ୍ଟିକୁ ଦେଖି ବୈଜ୍ଞାନିକମାନେ କୌଣସି ନୂଆ ଜିନିଷ ତିଆରି କରନ୍ତି, ତେବେ ସମସ୍ତେ ତାଙ୍କ ପ୍ରଶଂସା କରନ୍ତି । ତାହେଲେ ସୃଷ୍ଟିକୁ ଦେଖି କାହାର ପ୍ରଶଂସା କରିବା ଉଚିତ୍ ?” ହୁଏତ ଏହି କଥାବାର୍ତ୍ତାରୁ ସେହି ପିଲାକୁ ଆହୁରି ଜାଣିବା ପାଇଁ ଇଚ୍ଛା ହେବ ।
ନିଜ ପିଲାମାନଙ୍କର ବିଶ୍ୱାସ ଦୃଢ଼ କରିବା ପାଇଁ ସାହାଯ୍ୟ କରିବା ଜାରି ରଖନ୍ତୁ
୧୮. ଯିହୋବାଙ୍କ ଉପରେ ନିଜ ପିଲାମାନଙ୍କର ବିଶ୍ୱାସ ବଢ଼ାଇବା ପାଇଁ ବାପାମାଆମାନେ କʼଣ କରିପାରିବେ ?
୧୮ ଆଜି ଅଧିକାଂଶ ଲୋକ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ । (୨ ପିତ. ୩:୩) ତାହେଲେ ବାପାମାଆମାନେ ଆପଣ ଯେତେବେଳେ ନିଜ ପିଲାମାନଙ୍କ ସହ ବାଇବଲ ଅଧ୍ୟୟନ କରନ୍ତି, ସେତେବେଳେ ଆପଣ ସେମାନଙ୍କୁ ଏପରି ବିଷୟ ଉପରେ ଅନୁସନ୍ଧାନ କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ, ଯେଉଁଥିରୁ ସେମାନଙ୍କର ଭରସା ବଢ଼ିବ ଯେ ବାଇବଲରେ ଥିବା କଥାଗୁଡ଼ିକ ସତ ଓ ଏହାକୁ ମାନିଲେ ଆମର ଲାଭ ହେବ । ଯିହୋବାଙ୍କ ନିଆରା ସୃଷ୍ଟି ବିଷୟରେ ନିଜ ପିଲାମାନଙ୍କ ସହ କଥା ହୁଅନ୍ତୁ ଏବଂ ସେବିଷୟରେ ଗଭୀର ଭାବେ ଭାବିବା ପାଇଁ ପ୍ରୋତ୍ସାହନ ଦିଅନ୍ତୁ । ଆଉ ଏହା ବୁଝିବା ପାଇଁ ସାହାଯ୍ୟ କରନ୍ତୁ ଯେ ବାଇବଲରେ ଯେଉଁ ଭବିଷ୍ୟତବାଣୀଗୁଡ଼ିକ ଦିଆଯାଇଛି, ତାହା କିପରି ପୂରା ହୋଇଛି । ଆଉ ସବୁଠୁ ଜରୁରୀ କଥା, ଆପଣ ନିଜ ପିଲାମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ ଓ ସେମାନଙ୍କ ସାଙ୍ଗରେ ମିଶି ବି ପ୍ରାର୍ଥନା କରନ୍ତୁ । ଭରସା ରଖନ୍ତୁ, ଯେବେ ଆପଣ ନିଜ ପିଲାମାନଙ୍କ ବିଶ୍ୱାସ ଦୃଢ଼ କରିବା ପାଇଁ ପରିଶ୍ରମ କରିବେ, ତେବେ ଯିହୋବା ଆପଣଙ୍କ ପରିଶ୍ରମ ଉପରେ ଆଶିଷ ଦେବେ !—୨ ବଂଶା. ୧୫:୭.
ଗୀତ ୧୩୩ ଜୱାନୀ ମେ ୟହୋୱା କି ସେୱା କରେଁ
a ଏବିଷୟରେ ଆହୁରି ଜାଣିବା ପାଇଁ jw.org ୱେବସାଇଟ୍ରେ ଦିଆଯାଇଥିବା ଭିଡିଓ The Wonders of Creation Reveal God’s Glory—Patterns ଦେଖନ୍ତୁ ।
b ଯଦି ଆପଣଙ୍କ ପିଲାମାନଙ୍କର ଅଧ୍ୟୟନ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ହୋଇସାରିଛି, ତାହେଲେ ଆପଣ ଭାଗ ୩ ଓ ୪ରେ ଦିଆଯାଇଥିବା ସେହି ପାଠଗୁଡ଼ିକ ଉପରେ ପୁଣିଥରେ ସେମାନଙ୍କ ସହିତ ଚର୍ଚ୍ଚା କରିପାରିବେ, ଯେଉଁଥିରେ ବାଇବଲର ସ୍ତର ବିଷୟରେ କୁହାଯାଇଛି ।
c ଅକ୍ଟୋବର-ଡିସେମ୍ବର, ୨୦୦୬ ମସିହାର ସଜାଗ ହୁଅରେ ! ଦିଅଯାଇଥିବା ଲେଖା “ହାମ୍ କ୍ୟୁ ବିଶ୍ୱାସ କରତେ ହୈ କି ଏକ୍ ସୃଜନହାର୍ ହୈ” ଏବଂ ଜୀବନର ଆରମ୍ଭ, ପାଞ୍ଚଟି ପ୍ରଶ୍ନ—ଉତ୍ତର ପାଇବା ଜରୁରୀ ନାମକ ପୁସ୍ତିକା ପଢ଼ନ୍ତୁ । ଆହୁରି ଅନ୍ୟ ଭାଇଭଉଣୀମାନଙ୍କ ଅନୁଭୂତି ଶୁଣିବା ପାଇଁ jw.org ୱେବସାଇଟ୍ରେ ଥିବା ଭିଡିଓ ସିରିଜ୍ର ଜୀବନର ଆରମ୍ଭ ବିଷୟରେ ଅନ୍ୟମାନଙ୍କର ମତ ଭାଗରୁ ଦେଖନ୍ତୁ ।
d ଚିତ୍ର ବିଷୟରେ: ଜଣେ ଯୁବା ଭାଇଙ୍କ ସାଙ୍ଗରେ ପଢ଼ୁଥିବା ପୁଅକୁ ଡ୍ରୋନ ଭଲ ଲାଗେ । ସେ ଭାଇ ତାକୁ କʼଣ ଏହାକୁ ସୃଷ୍ଟି କରାଯାଇଥିଲା ? ସିରିଜ୍ରୁ ଗୋଟିଏ ଭିଡିଓ ଦେଖାଉଛନ୍ତି ।