इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

କʼଣ ଆପଣ ଜାଣନ୍ତି ?

କʼଣ ଆପଣ ଜାଣନ୍ତି ?

କʼଣ ମର୍ଦ୍ଦଖୟ ନାମକ ଜଣେ ବ୍ୟକ୍ତି ସତରେ ଥିଲେ ?

ବାଇବଲର ଏଷ୍ଟର ବହିରେ ମର୍ଦ୍ଦଖୟ ନାମକ ଜଣେ ଯିହୁଦୀ ବ୍ୟକ୍ତି ବିଷୟରେ ଅନେକଥର ଲେଖାଯାଇଛି । ଖ୍ରୀଷ୍ଟ ପୂର୍ବ ପଞ୍ଚମ ଶତାବ୍ଦୀର ଆରମ୍ଭରେ ଯେବେ ପାରସ୍ୟ ସାମ୍ରାଜ୍ୟରେ ରାଜା ଅକ୍ଷଶ୍ୱେରଶ ଶାସନ କରୁଥିଲେ, ତେବେ ମର୍ଦ୍ଦଖୟ ରାଜମହଲରେ କାମ କରୁଥିଲେ । (ଆଜି ଅନେକ ଲୋକ ମାନନ୍ତି ଯେ ରାଜା ଅକ୍ଷଶ୍ୱେରଶ ପ୍ରକୃତରେ କ୍ଷୟର୍ଷ ପ୍ରଥମ ଥିଲେ ।) ଥରେ କିଛି ଲୋକମାନେ ରାଜା ଅକ୍ଷଶ୍ୱେରଶଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କଲେ, କିନ୍ତୁ ମର୍ଦ୍ଦଖୟଙ୍କୁ ଏକଥା ଜଣାପଡ଼ିଗଲା ଓ ସେ ତୁରନ୍ତ ଯାଇ ରାଜାଙ୍କୁ ଏକଥା ଜଣାଇଲେ । ରାଜା ତାଙ୍କ ଉପରେ ବହୁତ ଖୁସି ହେଲେ ଓ ଘୋଷଣା କଲେ ଯେ ସମସ୍ତେ ମର୍ଦ୍ଦଖୟଙ୍କ ଆଦର ସମ୍ମାନ କରନ୍ତୁ । କିଛି ସମୟ ପରେ ହାମାନ୍‌ ନାମକ ଜଣେ ବ୍ୟକ୍ତି ପୂରା ପାରସ୍ୟ ସାମ୍ରାଜ୍ୟରୁ ଯିହୁଦୀମାନଙ୍କୁ ଶେଷ କରିବା ପାଇଁ ଚାହୁଁଥିଲା । କିନ୍ତୁ ହାମାନ୍‌ ଯେଉଁ ଷଡ଼ଯନ୍ତ୍ର କରିଥିଲା, ତାʼର ପର୍ଦ୍ଦାଫାସ ହୋଇଗଲା ଓ ତାକୁ ମାରିଦିଆଗଲା । ତାʼପରେ ରାଜା ଅକ୍ଷଶ୍ୱେରଶ, ମର୍ଦ୍ଦଖୟଙ୍କୁ ପ୍ରଧାନମନ୍ତ୍ରୀ କରିଦେଲେ ଓ ମର୍ଦ୍ଦଖୟ ଗୋଟିଏ ଆଦେଶ ଜାରି କଲେ ଯାହାଦ୍ୱାରା ଯିହୁଦୀମାନଙ୍କର ଜୀବନ ରକ୍ଷା ହେଲା ।—ଏଷ୍ଟ. ୧:୧; ୨:୫, ୨୧-୨୩; ୮:୧, ୨; ୯:୧୬.

ବିଂଶ ଶତାବ୍ଦୀର ଆରମ୍ଭରେ କିଛି ଇତିହାସକାରମାନେ କହୁଥିଲେ ଯେ ଏଷ୍ଟରର ବହିରେ କେବଳ କାହାଣୀଗୁଡ଼ିକ ଲେଖାଅଛି ଓ ମର୍ଦ୍ଦଖୟ ନାମକ କୌଣସି ବ୍ୟକ୍ତି ସତରେ ନ ଥିଲେ । କିନ୍ତୁ ୧୯୪୧ ମସିହାରେ ଯେବେ ଅନୁସନ୍ଧାନକାରୀମାନେ ଖଦନ କରୁଥିଲେ, ତେବେ ସେମାନଙ୍କୁ ଏପରି କିଛି ମିଳିଲା ଯାହାକୁ ଯାଞ୍ଚ କଲେ ଏପରି ଲାଗେ ଯେ ବାଇବଲରେ ଯାହା ଲେଖାହୋଇଛି, ତାହା ଠିକ୍‌ ଅଟେ ଓ ମର୍ଦ୍ଦଖୟ ନାମକ ବ୍ୟକ୍ତି ସତରେ ଥିଲେ । ତାଙ୍କୁ ଏପରି କʼଣ ମିଳିଲା ?

ସେହି ଅନ୍ୱଷେଣକାରୀମାନଙ୍କୁ ମାଟିରେ ଗୋଟିଏ ଏପରି ଖୋଦିତ ଲେଖା ମିଳିଲା ଯେଉଁଥିରେ ମରଦୂକା ନାମକ ଜଣେ ବ୍ୟକ୍ତି ବିଷୟରେ କୁହାଯାଇଥିଲା (ଓଡ଼ିଆରେ ମର୍ଦ୍ଦଖୟ) । ସେଠାରେ କୁହାଯାଇଥିଲା ଯେ ସେ ଶୂଶନ୍‌ ସହରରେ ଜଣେ ଅଧିକାରୀ ଥିଲେ ଓ ହୁଏତ ସେ ଖର୍ଚ୍ଚର ହିସାବ ରଖୁଥିଲେ । ଧ୍ୟାନ ଦିଅନ୍ତୁ ଯେ ସେହି ଖୋଦିତ ଲେଖା ବିଷୟରେ ଆର୍ଥର ଉଙ୍ଗନାଡ ନାମକ ଜଣେ ବିଶେଷଜ୍ଞ କʼଣ କହିଲେ ଯିଏ ସେହି ଅଞ୍ଚଳର ଇତିହାସ ବିଷୟରେ ଭଲ ଜ୍ଞାନ ରଖୁଥିଲେ: ‘ଏବେଯାଏ ଆମେ କେବଳ ବାଇବଲରେ ହିଁ ମର୍ଦ୍ଦଖୟଙ୍କ ବିଷୟରେ ପଢ଼ିଥିଲୁ । ପ୍ରଥମଥର ଆମକୁ ମର୍ଦ୍ଦଖୟଙ୍କ ନାମ ଅନ୍ୟ କୌଣସି ଜାଗାରେ ପଢ଼ିବାକୁ ମିଳିଲା ।’

ଆଗକୁ ଯାଇ ଅନ୍ୱଷେଣକାରୀମାନଙ୍କୁ ଏପରି ହଜାର ହଜାର ଖୋଦିତ ଲେଖା ମିଳିଲା ଓ ତାʼଉପରେ ଲେଖାଥିବା କଥାଗୁଡ଼ିକର ଅନୁବାଦ କରାଗଲା । ଯେପରି ଯେବେ ପରସେ-ପୋଲିସ ସହରର ଧ୍ୱଂସାବଶେଷରେ ଖଦନ କରାଗଲା, ତେବେ ନଗରପ୍ରାଚୀନର ରାଜ ଭଣ୍ଡାରର ଧ୍ୱଂସାବଶେଷରେ ମାଟିର ଅନେକ ଛୋଟ ଛୋଟ ଖୋଦିତ ଲେଖା ମିଳିଲା । ଏହା କ୍ଷୟର୍ଷ ପ୍ରଥମଙ୍କ ସମୟର ଅଟେ ଓ ଏହା ଉପରେ ଏଲାମୀ ଭାଷାର ବି କିଛି କଥା ଲେଖାହୋଇଛି । ଏଠାରେ ଏପରି ଅନେକ ଲୋକମାନଙ୍କ ନାମ ଲେଖାହୋଇଛି ଯେଉଁମାନଙ୍କ ନାମ ଏଷ୍ଟର ବହିରେ ମଧ୍ୟ ମିଳେ । a

ପ୍ରାଚୀନ ସମୟର ଖୋଦିତ ଲେଖାର ଲିପିରେ ମର୍ଦ୍ଦଖୟଙ୍କ ନାମ

ପରସେ-ପୋଲିସରେ ମିଳିଥିବା ଖୋଦିତ ଲେଖାରେ ମରଦୂକା ନାମ ଅନେକ ଜାଗାରେ ମିଳେ । ଆଉ ଏପରି ଜଣାପଡ଼େ ଯେ ଯେବେ କ୍ଷୟର୍ଷ ପ୍ରଥମଙ୍କ ଶାସନ ଚାଲୁଥିଲା, ତେବେ ସେ ଶୂଶନ୍‌ ମହଲରେ ଜଣେ ଶାସ୍ତ୍ରୀ ଥିଲେ । ଗୋଟିଏ ଖୋଦିତ ଲେଖାରୁ ଏହା ବି ଜଣାପଡ଼େ ଯେ ମରଦୂକା ଗୋଟିଏ ଭାଷାରୁ ଆଉ ଗୋଟିଏ ଭାଷାରେ ଅନୁବାଦ କରୁଥିଲା । ବାଇବଲରେ ବି ମର୍ଦ୍ଦଖୟଙ୍କ ବିଷୟରେ ଏପରି ହିଁ କିଛି କୁହାଯାଇଛି । ଏଷ୍ଟର ନାମକ ବହି ପଢ଼ିଲେ ଜଣାପଡ଼େ ଯେ ସେ ରାଜା ଅକ୍ଷଶ୍ୱେରଶଙ୍କ (କ୍ଷୟର୍ଷ ପ୍ରଥମ) ମହଲର ଦ୍ୱାରପାଳ ଥିଲେ ଓ ସେ କମ୍‌ରୁ କମ୍‌ ଦୁଇଟି ଭାଷା ଜାଣୁଥିଲେ । ବାଇବଲରେ ଏହା ବି ଲେଖାଅଛି ଯେ ମର୍ଦ୍ଦଖୟ ରାଜାର ମହଲର ଫାଟକରେ ବସୁଥିଲେ । (ଏଷ୍ଟ. ୨:୧୯, ୨୧; ୩:୩) ମହଲର ଫାଟକ ପ୍ରକୃତରେ ଗୋଟିଏ ବହୁତ ବଡ଼ ଘର ଥିଲା ଯେଉଁଠି ମହଲର ଦ୍ୱାରପାଳମାନେ କାମ କରୁଥିଲେ ।

ପରସେ-ପୋଲିସର ଖୋଦିତ ଲେଖାରେ ଯେଉଁ ମରଦୂକା ବିଷୟରେ କୁହାଯାଇଛି ଓ ବାଇବଲରେ ଯେଉଁ ମର୍ଦ୍ଦଖୟଙ୍କ ବିଷୟରେ କୁହାଯାଇଛି, ସେ ଦୁହିଁଙ୍କର ଅନେକ କଥା ଏକାଭଳି ଅଟେ । ସେମାନେ ଦୁହେଁ ଏକା ସମୟରେ ବଞ୍ଚିଥିଲେ, ଏକା ଜାଗାରେ ହିଁ ରହୁଥିଲେ ଓ ଏକା ଜାଗାରେ ଏକା ପ୍ରକାରର ହିଁ କାମ କରୁଥିଲେ । ଏସବୁ କଥାଗୁଡ଼ିକରୁ ଏପରି ଲାଗେ ଯେ ମରଦୂକା ଏଷ୍ଟରଙ୍କ ବହିରେ କୁହାଯାଇଥିବା ମର୍ଦ୍ଦଖୟ ହିଁ ହୋଇଥିବେ ।

a ୧୯୯୨ ମସିହାରେ ପ୍ରଫେସର ଏଡୱିନ ଏମ୍‌. ୟାମାଉଚି ଏକ ଲେଖାରେ ପରସେ-ପୋଲିସର ଖୋଦିତ ଲେଖାରେ ଲେଖାଥିବା ଏପରି ଦଶଜଣ ଲୋକମାନଙ୍କର ନାମ କହିଲେ ଯେଉଁମାନଙ୍କ ନାମ ଏଷ୍ଟର ବହିରେ ମଧ୍ୟ ମିଳେ ।