इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୭

କୌଣସି ବି କଥା ଆପଣଙ୍କୁ ଯିହୋବାଙ୍କଠୁ ଅଲଗା କରିପାରିବ ନାହିଁ !

କୌଣସି ବି କଥା ଆପଣଙ୍କୁ ଯିହୋବାଙ୍କଠୁ ଅଲଗା କରିପାରିବ ନାହିଁ !

“ହେ ସଦାପ୍ରଭୋ, ମୁଁ ତୁମ୍ଭଠାରେ ନିର୍ଭର ରଖିଲି ।”—ଗୀତ. ୩୧:୧୪ 

ଗୀତ ୧୨୨ ଆଟାଲ୍‌ ରାହେଁ !

ଲେଖାର ଝଲକ a

୧. ଆମେ କାହିଁକି କହିପାରିବା ଯେ ଯିହୋବା ଆମ ନିକଟତର ହେବା ପାଇଁ ଚାହାନ୍ତି ?

 ଯିହୋବା ଆମକୁ ତାଙ୍କ ନିକଟତର ହେବା ପାଇଁ ପ୍ରୋତ୍ସାହନ ଦିଅନ୍ତି । (ଯାକୁ. ୪:୮) ସେ ଆମର ଈଶ୍ୱର, ପିତା ଓ ସାଙ୍ଗ ହେବାକୁ ଚାହାନ୍ତି । ଯେବେ ଆମେ ତାଙ୍କୁ ପ୍ରାର୍ଥନା କରୁ, ତେବେ ସେ ତାହା ଶୁଣନ୍ତି ଓ ଯେବେ ଆମ ଉପରେ ସମସ୍ୟା ଆସେ, ତେବେ ସେ ଆମକୁ ସାହାଯ୍ୟ କରନ୍ତି । ଯିହୋବା ନିଜ ସଂଗଠନ ଜରିଆରେ ଆମକୁ ଶିଖାନ୍ତି ଓ ଆମକୁ ରକ୍ଷା କରନ୍ତି । କିନ୍ତୁ ତାଙ୍କ ନିକଟତର ହେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୨. ଆମେ ଯିହୋବାଙ୍କ ନିକଟତର କିପରି ହୋଇପାରିବା ?

ଯିହୋବାଙ୍କ ନିକଟତର ହେବା ପାଇଁ ଆମକୁ ପ୍ରାର୍ଥନା କରିବାକୁ ପଡ଼ିବ, ବାଇବଲ ପଢ଼ିବାକୁ ପଡ଼ିବ ଓ ତାʼଉପରେ ଚିନ୍ତନ କରିବାକୁ ପଡ଼ିବ । ଏପରି କଲେ ଆମେ ଜାଣିପାରିବା ଯେ ଯିହୋବା କେତେ ଭଲ ଅଟନ୍ତି ଓ ତାଙ୍କୁ ଆମେ ଆହୁରି ପ୍ରେମ କରିବାକୁ ଲାଗିବା । ତାʼପରେ ଆମକୁ ତାଙ୍କ ଆଜ୍ଞା ମାନିବା ପାଇଁ ଓ ତାଙ୍କ ମହିମା କରିବା ପାଇଁ ଇଚ୍ଛା ହେବ । (ପ୍ରକା. ୪:୧୧) ଆମେ ଯେତେ ଅଧିକ ଯିହୋବାଙ୍କୁ ଜାଣିବା, ତାଙ୍କ ଉପରେ ଆମ ଭରସା ସେତେ ବଢ଼ି ବଢ଼ି ଯିବ । ଆମେ ତାଙ୍କ ସଂଗଠନ ଉପରେ ମଧ୍ୟ, ଯାହା ଜରିଆରେ ସେ ଆମକୁ ସାହାଯ୍ୟ କରୁଛନ୍ତି, ତାʼଉପରେ ଆହୁରି ଭରସା କରିବାକୁ ଲାଗିବା । 

୩. (କ) ଶୟତାନ କିପରି ଆମକୁ ଯିହୋବାଙ୍କଠାରୁ ଦୂରେଇ ନେବା ପାଇଁ ଚେଷ୍ଟା କରେ ? (ଖ) କିନ୍ତୁ ଆମେ କିପରି ନିଜକୁ ତାʼ ଫାନ୍ଦରୁ ରକ୍ଷା କରିପାରିବା ? (ଗୀତସଂହିତା ୩୧:୧୩, ୧୪

କିନ୍ତୁ ଶୟତାନ ଚାହେଁ ନାହିଁ ଯେ ଆମେ ଯିହୋବାଙ୍କ ନିକଟତର ହେଉ । ତେଣୁ ସେ ଚେଷ୍ଟା କରେ ଯେ ଆମେ ଯିହୋବାଙ୍କଠାରୁ ଦୂରେଇଯାଉ ଓ ତାଙ୍କ ସେବା କରିବା ଛାଡ଼ିଦେଉ । ସେ ଏହା କିପରି କରେ ? ଅନେକଥର ଯେତେବେଳେ ଆମେ କୌଣସି ସମସ୍ୟାର ସାମନା କରୁଥାଉ, ସେତେବେଳେ ସେ ଧିରେ ଧିରେ ଯିହୋବା ଓ ତାଙ୍କ ସଂଗଠନ ଉପରେ ଥିବା ଆମ ଭରସାକୁ ଭାଙ୍ଗିବା ପାଇଁ ଚେଷ୍ଟା କରେ । କିନ୍ତୁ ଆମେ ନିଜକୁ ତାʼ ଫାନ୍ଦରୁ ରକ୍ଷା କରିପାରିବା । ଯଦି ଯିହୋବାଙ୍କ ଉପରେ ଆମର ଦୃଢ଼ ବିଶ୍ୱାସ ଥିବ ଓ ତାଙ୍କ ଉପରେ ପୂରା ଭରସା ଥିବ, ତାହେଲେ କିଛି ବି ହୋଇଯାଉ ନା କାହିଁକି, ଆମେ ତାଙ୍କୁ ଓ ତାଙ୍କ ସଂଗଠନକୁ କେବେ ବି ଛାଡ଼ିବାନି ।ଗୀତସଂହିତା ୩୧:୧୩, ୧୪ ପଢ଼ନ୍ତୁ । 

୪. ଏହି ଲେଖାରେ ଆମେ କʼଣ ଜାଣିବା ? 

ଶୟତାନର ଦୁନିଆରେ ଆମକୁ ଅନେକଥର ଖରାପ ପରିସ୍ଥିତିର ସାମନା କରିବାକୁ ପଡ଼େ । ଏହି ଲେଖାରେ ଆମେ ଏପରି ତିନୋଟି ପରିସ୍ଥିତି ଉପରେ ଧ୍ୟାନ ଦେବା, ଯାହାର ଲାଭ ଉଠାଇ ଶୟତାନ ଯିହୋବା ଓ ତାଙ୍କ ସଂଗଠନ ଉପରେ ଥିବା ଆମ ଭରସାକୁ ଭାଙ୍ଗିବାକୁ ଚେଷ୍ଟା କରେ । ଆମେ ଜାଣିବା ଯେ ଏପରି ପରିସ୍ଥିତିରେ ଆମେ କାହିଁକି ଯିହୋବାଙ୍କଠାରୁ ଦୂରେଇବାକୁ ଲାଗୁ । ଆମେ ଏହା ମଧ୍ୟ ଜାଣିବା ଯେ ଆମେ ଶୟତାନର ଏହି ଚେଷ୍ଟାକୁ କିପରି ବିଫଳ କରିପାରିବା । 

ଯେବେ ସମସ୍ୟା ଆସେ  

୫. ଯେବେ ଆମ ଉପରେ ସମସ୍ୟା ଆସେ, ତେବେ ଯିହୋବା ଓ ତାଙ୍କ ସଂଗଠନ ଉପରୁ ଆମ ଭରସା କିପରି ଉଠିଯାଇପାରେ ? 

ଯେବେ ଆମ ଉପରେ କୌଣସି ସମସ୍ୟା ଆସେ, ଯେପରି ଯଦି ଆମ ଚାକିରି ଚାଲିଯାଏ କିମ୍ବା ଆମ ପରିବାର ଲୋକେ ଆମକୁ ବିରୋଧ କରନ୍ତି, ତେବେ ଯିହୋବାଙ୍କ ସଂଗଠନ ଉପରୁ ଆମ ଭରସା ଉଠିଯାଇପାରେ ଓ ଆମେ ଯିହୋବାଙ୍କଠାରୁ ଦୂରେଇ ଯାଇପାରୁ । କିପରି ? ହୁଏତ ଆମେ ଲମ୍ବା ସମୟରୁ କୌଣସି ସମସ୍ୟାର ସାମନା କରୁଥିବା । ଏପରି ସମୟରେ ଆମେ ନିରାଶ ହୋଇପାରୁ ଓ ଏହା ଭାବିବାକୁ ଲାଗିପାରୁ ଯେ ଏହା କେବେ ଶେଷ ହେବନି । ଶୟତାନ ଚାହେଁ ଯେ ଆମେ ଏହା ସନ୍ଦେହ କରୁ ଯେ କେଜାଣେ ଯିହୋବା ଆମକୁ ପ୍ରେମ କରନ୍ତି ନା ନାହିଁ ଓ ଏହା ଭାବୁ ଯେ ଆମ ଉପରେ ଯାହା ବି ସମସ୍ୟା ଆସୁଛି, ତାହା ଯିହୋବା ଓ ତାଙ୍କ ସଂଗଠନ ଯୋଗୁଁ ହିଁ ଆସୁଛି । ପ୍ରାଚୀନ କାଳରେ ଶୟତାନ ଇସ୍ରାଏଲୀୟମାନଙ୍କ ସହ ମଧ୍ୟ ଏପରି କରିବା ପାଇଁ ଚେଷ୍ଟା କରିଥିଲା । ସେସମୟରେ ଇସ୍ରାଏଲୀୟମାନେ ମିଶରରେ ଦାସ ଭାବେ ଥିଲେ । ଯେବେ ଯିହୋବା ମୋଶା ଓ ହାରୋଣଙ୍କୁ ସେମାନଙ୍କ ପାଖକୁ ପଠାଇଲେ, ତେବେ ଆରମ୍ଭରେ ସେମାନେ ବିଶ୍ୱାସ କଲେ ଯେ ଯିହୋବା ସେ ଦୁହିଁଙ୍କ ଜରିଆରେ ସେମାନଙ୍କୁ ଦାସତ୍ୱରୁ ମୁକ୍ତ କରିବେ । (ଯାତ୍ରା. ୪:୨୯-୩୧) କିନ୍ତୁ ପରେ ଯେବେ ଫାରୋ ଇସ୍ରାଏଲୀୟମାନଙ୍କୁ ଆହୁରି କଠିନ ପରିଶ୍ରମ କରାଇବାକୁ ଲାଗିଲା, ତେବେ ସେମାନେ ମୋଶା ଓ ହାରୋଣଙ୍କୁ ଦୋଷ ଦେଲେ ଓ କହିଲେ, “ତୁମ୍ଭେମାନେ ଫାରୋ ଓ ତାଙ୍କର ଦାସମାନଙ୍କ ସାକ୍ଷାତରେ ଆମ୍ଭମାନଙ୍କର ସୁଗନ୍ଧକୁ ଦୁର୍ଗନ୍ଧ କରି ଆମ୍ଭମାନଙ୍କ ହତ୍ୟା ନିମିତ୍ତ ସେମାନଙ୍କ ହସ୍ତରେ ଖଡ଼୍‌ଗ ଦେଲ ।” (ଯାତ୍ରା. ୫:୧୯-୨୧) ଦୁଃଖର କଥା ଇସ୍ରାଏଲୀୟମାନଙ୍କୁ ଯେଉଁମାନଙ୍କ ଉପରେ ଭରସା କରିବାର ଥିଲା, ସେମାନେ ସେମାନଙ୍କୁ ହିଁ ଦୋଷ ଦେବାକୁ ଲାଗିଲେ । ଯଦି ଆପଣ ଲମ୍ବା ସମୟରୁ କୌଣସି ସମସ୍ୟାର ସାମନା କରୁଛନ୍ତି, ତାହେଲେ ଆପଣ କିପରି ଯିହୋବା ଓ ତାଙ୍କ ସଂଗଠନ ଉପରେ ଲଗାତାର ଭରସା କରିପାରିବେ । 

୬. ସମସ୍ୟା ସମୟରେ ହବକ୍‌କୂକ କʼଣ କଲେ ଓ ସେଥିରୁ ଆମେ କʼଣ ଶିଖୁ ? (ହବକ୍‌କୂକ ୩:୧୭-୧୯

ଯିହୋବାଙ୍କୁ ମନର ସବୁ କଥା କହନ୍ତୁ ଓ ତାଙ୍କ ଉପରେ ଭରସା ରଖନ୍ତୁ । ପ୍ରାଚୀନ କାଳରେ ଭବିଷ୍ୟଦ୍‌ବକ୍ତା ହବକ୍‌କୂକଙ୍କୁ ଅନେକ ସମସ୍ୟାର ସାମନା କରିବାକୁ ପଡ଼ିଥିଲା । ଥରେ ସେ ଏତେ ନିରାଶ ହୋଇଯାଇଥିଲେ ଯେ ସେ ଭାବିବାକୁ ଲାଗିଲେ ଯେ କେଜାଣେ ଯିହୋବା ମୋ ଚିନ୍ତା କରନ୍ତି ନା ନାହିଁ । ସେସମୟରେ ସେ ନିଜ ମନର ସବୁ କଥା ତାଙ୍କୁ କହିଲେ । ସେ କହିଲେ, ‘ହେ ସଦାପ୍ରଭୁ, ମୁଁ କେତେ କାଳ ଆର୍ତ୍ତନାଦ କରିବି, ଆଉ ତୁମ୍ଭେ ଶୁଣିବ ନାହିଁ ? ତୁମ୍ଭେ କାହିଁକି କୁଟିଳତା ପ୍ରତି ଦୃଷ୍ଟିପାତ କରୁଅଛ ?’ (ହବ. ୧:୨, ୩.) ଯିହୋବା ତାଙ୍କ ପ୍ରାର୍ଥନା ଶୁଣିଲେ ଆଉ ତାଙ୍କୁ ଭରସା ଦେଲେ ଯେ ପରିସ୍ଥିତି ଭଲ ହୋଇଯିବ । (ହବ. ୨:୨, ୩) ଯେବେ ସେ ଏବିଷୟରେ ଭାବିଲେ ଯେ ପ୍ରାଚୀନ କାଳରେ ଯିହୋବା ନିଜ ଲୋକମାନଙ୍କୁ କିପରି ରକ୍ଷା କରିଥିଲେ, ତେବେ ତାଙ୍କ ଖୁସି ଫେରି ଆସିଲା । ତାଙ୍କୁ ଭରସା ହୋଇଗଲା ଯେ ଯିହୋବା ତାଙ୍କର ଚିନ୍ତା କରନ୍ତି ଆଉ ସେ ତାଙ୍କ ସାହାଯ୍ୟରେ ଯେକୌଣସି ସମସ୍ୟାର ବି ସାମନା କରିପାରିବେ । (ହବକ୍‌କୂକ ୩:୧୭-୧୯ ପଢ଼ନ୍ତୁ ।) ଆମେ ହବକ୍‌କୂକଙ୍କଠାରୁ କʼଣ ଶିଖୁ ? ଯେବେ ଆପଣଙ୍କ ଉପରେ ସମସ୍ୟା ଆସେ, ତେବେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ, ନିଜ ମନର ସବୁ କଥା କହନ୍ତୁ ଆଉ ତାଙ୍କ ଉପରେ ଭରସା ରଖନ୍ତୁ । ତାʼଛଡ଼ା ଏହା ବି ଭାବନ୍ତୁ ଯେ ପୂର୍ବେ ଯିହୋବା ଆପଣଙ୍କୁ କିପରି ସାହାଯ୍ୟ କରିଥିଲେ । ଏପରି କଲେ ଆପଣଙ୍କୁ ଭରସା ହୋଇଯିବ ଯେ ଯିହୋବା ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବେ ଓ ଆପଣଙ୍କୁ ସମସ୍ୟାର ସାମନା କରିବା ପାଇଁ ବଳ ଦେବେ । ଯେବେ ଆପଣ ଦେଖିବେ ଯେ ଯିହୋବା ଆପଣଙ୍କୁ କିପରି ସାହାଯ୍ୟ କରୁଛନ୍ତି, ତେବେ ଆପଣଙ୍କ ବିଶ୍ୱାସ ଆହୁରି ଦୃଢ଼ ହୋଇଯିବ । 

୭. (କ) ଭଉଣୀ ସେର୍ଲୀଙ୍କ ସମ୍ପର୍କୀୟମାନେ କʼଣ କରିବା ପାଇଁ ଚେଷ୍ଟା କଲେ ? (ଖ) ଭଉଣୀ ସେର୍ଲୀଙ୍କର ଯିହୋବାଙ୍କ ଉପରୁ ଭରସା ନ ଉଠୁ, ତାʼ ପାଇଁ ସେ କʼଣ କଲେ ?

ଯିହୋବାଙ୍କ ସହ ଭଲ ସମ୍ପର୍କ ବଜାୟ ରଖନ୍ତୁ । ଯେବେ ପପୁଆ ନ୍ୟୁ ଗିନିରେ ରହୁଥିବା ଭଉଣୀ ସେର୍ଲୀଙ୍କ ଉପରେ ସମସ୍ୟା ଆସିଲା, ତେବେ ସେ ବି ଏପରି କଲେ । b ତାଙ୍କ ପରିବାର ବହୁତ ଗରିବ ଥିଲା ଓ ସେମାନଙ୍କ ପାଇଁ ଦୁଇ ଅଳିର ଖାଦ୍ୟ ବି ଯୋଗାଡ଼ କରିବା ବହୁତ କଷ୍ଟ ଥିଲା । ଏପରି ସମୟରେ ତାଙ୍କ ଜଣେ ସମ୍ପର୍କୀୟ ତାଙ୍କୁ କହନ୍ତି, “ତମେ ତ କହୁଥିଲ ତମ ଉପରେ ପବିତ୍ର ଶକ୍ତି ଅଛି, ଏବେ କୁଆଡ଼େ ଗଲା ସେହି ପବିତ୍ର ଶକ୍ତି ? ତମେ ଆଗ ବି ଗରିବ ଥିଲ, ଏବେ ବି ଗରିବ ଅଛ, କେବଳ ସେତିକି ନୁହଁ, ତମେ ସାରାଦିନ ପ୍ରଚାର କରି ନିଜ ସମୟ ବରବାଦ କର ।” ଏପରି କହି ସେମାନେ ଭଉଣୀ ସେର୍ଲୀଙ୍କ ବିଶ୍ୱାସକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କଲେ । ଭଉଣୀ କହନ୍ତି, “ଥରଟିଏ ପାଇଁ ମୋତେ ବି ଲାଗିଲା ଯେ କʼଣ ଈଶ୍ୱର ମୋ ବିଷୟରେ ଚିନ୍ତା କରନ୍ତି ।” କିନ୍ତୁ ସେ ଯିହୋବାଙ୍କ ଉପରେ ଭରସା କରିବା ଛାଡ଼ିଲେ ନାହିଁ । ସେ କହନ୍ତି, “ମୁଁ ତୁରନ୍ତ ଯିହୋବାଙ୍କୁ ପ୍ରାର୍ଥନା କଲି ଆଉ ନିଜ ମନର ସବୁକଥା କହିଲି । ମୁଁ ବାଇବଲ ପଢ଼ିବା, ପ୍ରକାଶନ ପଢ଼ିବା, ସଭାକୁ ଯିବା ଓ ପ୍ରଚାର କରିବା ଛାଡ଼ିଲି ନାହିଁ ।” ଭଉଣୀ ସେର୍ଲୀଙ୍କ ପରିବାରକୁ ଦିନେ ବି ଖାଲି ପେଟରେ ରହିବାକୁ ପଡ଼ିଲାନି । ସେମାନେ ଖୁସିରେ ରହୁଥିଲେ । ଏଥିରୁ ଭଉଣୀଙ୍କୁ ବିଶ୍ୱାସ ହୋଇଗଲା ଯେ ଯିହୋବା ସେମାନଙ୍କର ପରିବାରର ଦେଖାଶୁଣା କରୁଛନ୍ତି ଓ ସେ କହନ୍ତି, “ଯିହୋବା ମୋ ପ୍ରାର୍ଥନା ଶୁଣିଲେ ।” (୧ ତୀମ. ୬:୬-୮) ଯେବେ ଆପଣଙ୍କ ଉପରେ ସମସ୍ୟା ଆସେ, ତେବେ ଯିହୋବାଙ୍କ ସହ ଭଲ ସମ୍ପର୍କ ଗଢ଼ନ୍ତୁ । ତେବେ କୌଣସି କଥା ଆପଣଙ୍କୁ ଯିହୋବାଙ୍କଠାରୁ ଅଲଗା କରିପାରିବ ନାହିଁ । 

ଯେବେ ନେତୃତ୍ୱ ନେଉଥିବା ଭାଇମାନଙ୍କ ସହ ଖରାପ ବ୍ୟବହାର କରାଯାଏ 

୮. ସଂଗଠନରେ ନେତୃତ୍ୱ ନେଉଥିବା ଭାଇମାନଙ୍କ ସହ କʼଣ ହୋଇପାରେ ? 

ଯେଉଁମାନେ ଆମ କାମର ବିରୋଧ କରନ୍ତି ସେମାନେ ଅନେକଥର ଟିଭି, ଖବରକାଗଜ, ଇଣ୍ଟରନେଟ୍‌ ଓ ସୋସିଆଲ୍‌ ମିଡିଆ ଜରିଆରେ ଯିହୋବାଙ୍କ ସଂଗଠନରେ ନେତୃତ୍ୱ ନେଉଥିବା ଭାଇମାନଙ୍କ ବିଷୟରେ ମିଛ କଥା ପ୍ରସାରିତ କରନ୍ତି । (ଗୀତ. ୩୧:୧୩) କିଛି ଭାଇମାନଙ୍କୁ ଗିରଫ କରି ଦିଆଯାଇଛି ଓ ସେମାନଙ୍କ ଉପରେ ଅପରାଧୀ ଭଳି ଆରୋପ ଲଗାଯାଇଛି । ପ୍ରଥମ ଶତାବ୍ଦୀରେ ପାଉଲଙ୍କ ସହ ମଧ୍ୟ ଏପରି ହିଁ ହେଲା । ତାଙ୍କ ଉପରେ ବି ମିଛ ଆରୋପ ଲଗାଗଲା ଓ ତାଙ୍କୁ ଗିରଫ କରିଦିଆଗଲା । କିନ୍ତୁ ସେସମୟରେ ଭାଇଭଉଣୀମାନେ କʼଣ କଲେ ? 

୯. ଯେବେ ପାଉଲଙ୍କୁ ବନ୍ଦୀ କରାଗଲା, ତେବେ କିଛି ଖ୍ରୀଷ୍ଟିୟାନମାନେ କʼଣ କଲେ ? 

ଯେବେ ପାଉଲ ରୋମରେ ବନ୍ଦୀ ଥିଲେ, ତେବେ କିଛି ଭାଇଭଉଣୀ ତାଙ୍କଠାରୁ ଦୂରେଇ ଗଲେ । (୨ ତୀମ. ୧:୮, ୧୫) ପାଉଲଙ୍କୁ ଅପରାଧୀ ଭଳି ରଖାଯାଇଥିଲା, ତେଣୁ ହୁଏତ ସେମାନେ ଭାବିଥିବେ ଯେ ଯଦି ସେମାନେ ପାଉଲଙ୍କୁ ଭେଟିବେ ତେବେ ଲୋକମାନେ କʼଣ କହିବେ । (୨ ତୀମ. ୨:୮, ୯) କିମ୍ବା ହୁଏତ ସେମାନଙ୍କୁ ଡରଥିବ ଯେ ସେମାନଙ୍କ ଉପରେ ବି ଅତ୍ୟାଚାର କରାଯିବ । ଆମେ ଏହା ତ ଜାଣିନୁ ଯେ ସେମାନଙ୍କ ମନରେ କʼଣ ଚାଲୁଥିଲା, କିନ୍ତୁ ଭାବନ୍ତୁ ଯେ ସେସମୟରେ ପାଉଲଙ୍କୁ କିପରି ଲାଗିଥିବ । ସେ ସେମାନଙ୍କ ପାଇଁ ବହୁତ କଷ୍ଟ ସହିଥିଲେ, ଏପରିକି ନିଜ ଜୀବନ ବି ବିପଦରେ ପକାଇଥିଲେ । (ପ୍ରେରି. ୨୦:୧୮-୨୧; ୨ କରି. ୧:୮) କିନ୍ତୁ ଯେବେ ପାଉଲଙ୍କୁ ସେମାନଙ୍କର ଅଧିକ ଆବଶ୍ୟକତା ଥିଲା, ସେସମୟରେ ସେମାନେ ତାଙ୍କୁ ସହଯୋଗ କଲେନି । ଆମେ ପ୍ରଥମ ଶତାବ୍ଦୀର ସେହି ଖ୍ରୀଷ୍ଟିୟାନମାନଙ୍କ ଭଳି ହେବାକୁ ଚାହୁଁନୁ । ତେଣୁ ଯେବେ ନେତୃତ୍ୱ ନେଉଥିବା ଭାଇମାନଙ୍କ ଉପରେ ଅତ୍ୟାଚାର କରାଯାଏ, ତେବେ ଆମେ କʼଣ କରିପାରିବା ? 

୧୦. ଯେବେ ନେତୃତ୍ୱ ନେଉଥିବା ଭାଇମାନଙ୍କ ଉପରେ ଅତ୍ୟାଚାର କରାଯାଏ, ତେବେ ଆମେ କʼଣ ମନେ ରଖିବା ଉଚିତ୍‌ ? 

୧0 ମନେ ରଖନ୍ତୁ ଆମ ଉପରେ କାହିଁକି ଅତ୍ୟାଚାର କରାଯାଏ ଓ ତାʼ ପଛରେ କାହାର ହାତ ଅଛି । ବାଇବଲରେ ପୂର୍ବରୁ ହିଁ କୁହାଯାଇଥିଲା, “ଯେଉଁମାନେ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଧର୍ମଜୀବନ ଯାପନ କରିବାକୁ ଇଚ୍ଛା କରନ୍ତି, ସେମାନେ ତାଡ଼ନା ଭୋଗ କରିବେ ।” (୨ ତୀମ. ୩:୧୨) ତେଣୁ ଯେବେ ଆମେ ଦେଖୁ ଯେ ଶୟତାନ ବିଶେଷ କରି ନେତୃତ୍ୱ ନେଉଥିବା ଭାଇମାନଙ୍କ ଉପରେ ଆକ୍ରମଣ କରୁଛି, ତେବେ ଆମେ ଆଶ୍ଚର୍ଯ୍ୟ ହେବା କଥା ନୁହେଁ । କାରଣ ଶୟତାନ ଚାହେଁ ଯେ ଏହି ଭାଇମାନେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ ନାହିଁ ଆଉ ଯେବେ ଆମେ ଦେଖୁ ଯେ ସେମାନଙ୍କ ଉପରେ ଅତ୍ୟାଚାର ହେଉଛି, ତେବେ ଆମ ମନରେ ବି ଡର ଆସିଯାଇପାରେ ।—୧ ପିତ. ୫:୮.  

ଯେବେ ପାଉଲ ଜେଲରେ ଥିଲେ, ତେବେ ଅନୀସିଫର ସାହସ ଦେଖାଇ ତାଙ୍କୁ ସହଯୋଗ କଲେ । ଆଜି ବି ଯେବେ ଯିହୋବାଙ୍କ ସେବକମାନଙ୍କୁ ଗିରଫ କରାଯାଏ, ତେବେ ଭାଇଭଉଣୀମାନେ ସେମାନଙ୍କୁ ସହଯୋଗ କରନ୍ତି  (ପାରାଗ୍ରାଫ ୧୧-୧୨) 

୧୧. ଆମେ ଅନୀସିଫରଙ୍କଠାରୁ କʼଣ ଶିଖୁ ? (୨ ତୀମଥି ୧:୧୬-୧୮)

୧୧ ନେତୃତ୍ୱ ନେଉଥିବା ଭାଇମାନଙ୍କର ହାତ ଛାଡ଼ନ୍ତୁ ନାହିଁ, ବରଂ ଲଗାତାର ସେମାନଙ୍କୁ ସାହାଯ୍ୟ କରନ୍ତୁ । (୨ ତୀମଥି ୧:୧୬-୧୮ ପଢ଼ନ୍ତୁ ।) ଯେବେ ପାଉଲ ରୋମରେ ବନ୍ଦୀ ଥିଲେ, ତେବେ ଜଣେ ଭାଇ ତାଙ୍କୁ ବହୁତ ସାହାଯ୍ୟ କଲେ । ତାଙ୍କ ନାମ ଥିଲା ଅନୀସିଫର । ବାଇବଲରେ ଲେଖାଅଛି, ‘ସେ ପାଉଲଙ୍କ ଶୃଙ୍ଖଳ ସମ୍ବନ୍ଧରେ ଲଜ୍ଜିତ ହୋଇ ନାହାନ୍ତି ।’ ଅର୍ଥାତ୍‌ ପାଉଲଙ୍କୁ ଶିକୁଳିରେ ବନ୍ଧାଥିବା ଦେଖି ଲଜ୍ଜିତ ହେଲେ ନାହିଁ । ଯେବେ ସେ ରୋମରେ ଥିଲେ, ତେବେ ସେ ପାଉଲଙ୍କୁ ଖୋଜିବା ପାଇଁ ବହୁତ ପରିଶ୍ରମ କଲେ । ଆଉ ଯେବେ ସେ ପାଉଲଙ୍କୁ ଭେଟନ୍ତି, ତେବେ ସେ ତାଙ୍କୁ ଯାହା ଦରକାର, ତାହା ଆଣିକି ଦିଅନ୍ତି । ସେ ପାଉଲଙ୍କୁ ସାହାଯ୍ୟ କରିବା ପାଇଁ ନିଜ ଜୀବନକୁ ବି ବିପଦରେ ପକାଇବା ପାଇଁ ପଛଘୁଞ୍ଚା ଦେଲେନି । ଆମେ ଅନୀସିଫରଙ୍କଠାରୁ କʼଣ ଶିଖୁ ? ଯେବେ ନେତୃତ୍ୱ ନେଉଥିବା ଭାଇମାନଙ୍କ ଉପରେ ଅତ୍ୟାଚାର ହୁଏ, ତେବେ ଆମେ ଡରିଯାଇ ପଛଘୁଞ୍ଚା ଦେବା ଉଚିତ୍‌ ନୁହେଁ ବରଂ ସେମାନଙ୍କୁ ସହଯୋଗ କରିବା ଉଚିତ୍‌ । ଆମେ ସେମାନଙ୍କ ପାଇଁ ଯାହା ବି କରିପାରିବା, ସେସବୁ କରିବା ଉଚିତ୍‌ । (ହିତୋ. ୧୭:୧୭) ଏପରି ସମୟରେ ସେମାନଙ୍କୁ ଆମ ପ୍ରେମ ଓ ସହଯୋଗର ଆହୁରି ଅଧିକ ଆବଶ୍ୟକତା ଥାଏ ।

୧୨. ଆମେ ରୁଷର ଭାଇଭଉଣୀମାନଙ୍କଠାରୁ କʼଣ ଶିଖୁ ?

୧୨ ଯେବେ ରୁଷରେ ଆମର କିଛି ଭାଇଭଉଣୀମାନଙ୍କୁ ଜେଲରେ ପୂରେଇ ଦିଆଗଲା, ତେବେ ଅନ୍ୟ ଭାଇଭଉଣୀମାନେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ପଛଘୁଞ୍ଚା ଦେଲେନି । ଆଉ ଯେବେ ସେମାନଙ୍କ ଉପରେ ମକଦ୍ଦମା ଦାୟର କରାଗଲା, ତେବେ ସେମାନଙ୍କ ସାହାଯ୍ୟ କରିବା ପାଇଁ କିଛି ଭାଇଭଉଣୀମାନେ ଅଦାଲତ ଯାଏ ଗଲେ । ଆମେ ସେମାନଙ୍କଠାରୁ କʼଣ ଶିଖୁ ? ଯେବେ ନେତୃତ୍ୱ ନେଉଥିବା ଭାଇମାନଙ୍କୁ ବଦନାମ କରାଯାଏ, ଗିରଫ କରାଯାଏ କିମ୍ବା ଅତ୍ୟାଚାର କରାଯାଏ, ତେବେ ଡରନ୍ତୁ ନାହିଁ ବରଂ ସେମାନଙ୍କୁ ସାହାଯ୍ୟ କରନ୍ତୁ । ସେମାନଙ୍କ ପାଇଁ ପ୍ରାର୍ଥନା କରନ୍ତୁ, ସେମାନଙ୍କର ପରିବାର ଲୋକଙ୍କ ସାହସ ବଢ଼ାନ୍ତୁ ଓ ଆପଣଙ୍କ ଦ୍ୱାରା ଯାହା ହୋଇପାରିବ ତାହା କରନ୍ତୁ ।—ପ୍ରେରି. ୧୨:୫; ୨ କରି. ୧:୧୦, ୧୧.

ଯେବେ ଲୋକେ ଆମକୁ ଓଲଟା ସିଧା କଥା କହନ୍ତି

୧୩. ଯେବେ ଆମର ମଜାକ ଉଡ଼ାଯାଏ, ତେବେ କିପରି ଯିହୋବା ଓ ତାଙ୍କ ସଂଗଠନ ଉପରୁ ଆମ ଭରସା ଉଠିବା ଆରମ୍ଭ ହୋଇପାରେ ?

୧୩ ଆମେ ପ୍ରଚାର କରୁ ଓ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନୁ, ତେଣୁ ହୁଏତ ଆମ ସମ୍ପର୍କୀୟ, ସାଙ୍ଗରେ କାମ କରୁଥିବା ଲୋକମାନେ କିମ୍ବା ସାଙ୍ଗରେ ପଢ଼ୁଥିବା ପିଲାମାନେ ଆମର ମଜାକ ଉଡ଼ାଇ ପାରନ୍ତି । (୧ ପିତ. ୪:୪) ସେମାନେ ହୁଏତ କହିବେ, “ମୁଁ ମାନେ ଯେ ତମେ ଜଣେ ଭଲ ବ୍ୟକ୍ତି ଅଟ, କିନ୍ତୁ ତମ ଧର୍ମରେ କେତେ ନିୟମ କାନୁନ ଅଛି । ଆଜି କିଏ ଏସବୁକୁ ମାନେ !” ଆଉ ଯେଉଁ ଲୋକମାନଙ୍କର ବହିଷ୍କାର ହୋଇଯାଇଛି, ଆମେ ସେମାନଙ୍କ ସହ କୌଣସି ସମ୍ପର୍କ ରଖି ନ ଥାଉ । ତେଣୁ ହୁଏତ କିଛି ଲୋକମାନେ କହିବେ, “ତମେ ତ କହ ତମେ ସମସ୍ତଙ୍କୁ ପ୍ରେମ କର । କʼଣ ଏଇଟା ତମ ପ୍ରେମ ?” ଏହା ଶୁଣି ହୁଏତ ଯିହୋବା ଓ ତାଙ୍କ ସଂଗଠନ ଉପରୁ ଆମ ଭରସା ଉଠିଯାଇପାରେ ଓ ଆମ ମନରେ କିଛି ପ୍ରଶ୍ନ ଆସିପାରେ । ହୁଏତ ଆମେ ଭାବିପାରୁ, ‘ଯିହୋବା ବହୁତ ଅଧିକ ନିୟମ କାନୁନ ଦେଇ ଦେଇଛନ୍ତି ? ତାଙ୍କ ସଂଗଠନ ତ ଆମକୁ ନିଜ ଇଚ୍ଛାରେ କିଛି ବି କରିବାକୁ ଦିଏନି । ଏତେ ସବୁ କିଏ କରିପାରିବ !’ ଯଦି ଲୋକମାନେ ଆପଣଙ୍କର ବି ମଜାକ ଉଡ଼ାନ୍ତି କିମ୍ବା ଆପଣଙ୍କୁ ଓଲଟା ସିଧା କଥା କହନ୍ତି, ତାହେଲେ ଆପଣ ଯିହୋବା ଓ ତାଙ୍କ ସଂଗଠନରୁ ନ ଦୂରେଇବା ପାଇଁ କʼଣ କରିପାରିବେ ?

ଆୟୁବଙ୍କ ସାଙ୍ଗମାନେ ତାଙ୍କୁ ଓଲଟା ସିଧା କଥା କହିଲେ, କିନ୍ତୁ ସେ ସେମାନଙ୍କ କଥାଗୁଡ଼ିକ ଉପରେ ଧ୍ୟାନ ଦେଲେ ନାହିଁ । ସେ ଦୃଢ଼ ନିଷ୍ପତ୍ତି ନେଲେ ଯେ ସେ ଯିହୋବାଙ୍କ ବିଶ୍ୱସ୍ତ ରହିବେ  (ପାରାଗ୍ରାଫ ୧୪)

୧୪. ଯେବେ ଲୋକମାନେ ଆମ ବିଷୟରେ ଓଲଟା ସିଧା କଥା କହନ୍ତି, ତେବେ ଆମେ କʼଣ କରିବା ଉଚିତ୍‌ ? (ଗୀତସଂହିତା ୧୧୯:୫୦-୫୨)

୧୪ ଯିହୋବାଙ୍କ ସ୍ତରଗୁଡ଼ିକୁ ଲଗାତାର ମାନିବା ପାଇଁ ଦୃଢ଼ ନିଷ୍ପତ୍ତି ନିଅନ୍ତୁ । ଆୟୁବ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନୁଥିଲେ । ତେଣୁ ଲୋକମାନେ ତାଙ୍କ ବିଷୟରେ ଓଲଟା ସିଧା କଥା କହୁଥିଲେ । ଥରେ ତାଙ୍କ ଜଣେ ସାଙ୍ଗ ଏହା ବି କହିଦେଲା ଯେ ସେ ଯିହୋବାଙ୍କ ସ୍ତର ମାନନ୍ତୁ ବା ନ ମାନନ୍ତୁ, ଏଥିରୁ ଯିହୋବାଙ୍କୁ କୌଣସି ଫରକ ପଡ଼େନି । (ଆୟୁ. ୪:୧୭, ୧୮; ୨୨:୩) କିନ୍ତୁ ଆୟୁବ ଏପରି କଥାଗୁଡ଼ିକ ଉପରେ ଧ୍ୟାନ ଦେଲେ ନାହିଁ । ସେ ଜାଣିଥିଲେ ଯେ ଯିହୋବା ଠିକ୍‌ ଓ ଭୁଲର ଯେଉଁ ସ୍ତର ନିର୍ଦ୍ଧାରିତ କରିଛନ୍ତି, ତାହା ଠିକ୍‌ ଅଟେ ଆଉ ଯେକୌଣସି ପରିସ୍ଥିତିରେ ବି ସେ ଯିହୋବାଙ୍କ ସ୍ତର ମାନିବା ପାଇଁ ଚାହୁଁଥିଲେ । ଲୋକମାନେ ତାଙ୍କୁ ବହୁତ କିଛି କହୁଥିଲେ, ତଥାପି ସେ ଯିହୋବାଙ୍କ ବିଶ୍ୱସ୍ତ ରହିଲେ । (ଆୟୁ. ୨୭:୫, ୬) ଆୟୁବଙ୍କଠାରୁ ଆମେ କʼଣ ଶିଖୁ ? ଯଦି ଲୋକମାନେ ଆପଣଙ୍କୁ ଓଲଟା ସିଧା କଥା କହନ୍ତି, ତେବେ ବି ଆପଣ ଏହା ଭାବନ୍ତୁ ନାହିଁ ଯେ କେଜାଣେ ଯିହୋବାଙ୍କ ସ୍ତର ଠିକ୍‌ ଅଟେ ନା ନୁହେଁ କିମ୍ବା ଯିହୋବାଙ୍କ ସ୍ତରଗୁଡ଼ିକୁ ମାନିଲେ ଲାଭ ହେବ ନା ନାହିଁ । ତାʼ ପରିବର୍ତ୍ତେ ଆପଣ ଭାବନ୍ତୁ ଯେ ଏବେ ଯାଏ ଯିହୋବାଙ୍କ ସ୍ତର ମାନି ଆପଣଙ୍କୁ କେତେ ଲାଭ ହୋଇଛି । ଆପଣ ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଯେକୌଣସି ବି ପରିସ୍ଥିତିରେ ଆପଣ ଯିହୋବାଙ୍କ ସଂଗଠନଠାରୁ ଅଲଗା ହେବେ ନାହିଁ । ତାହେଲେ ଲୋକମାନେ ଆପଣଙ୍କର ଯେତେ ମଜାକ ଉଡ଼ାଇଲେ ବି ଆପଣ ଯିହୋବାଙ୍କଠୁ ଦୂରକୁ ଯିବେନାହିଁ ।—ଗୀତସଂହିତା ୧୧୯:୫୦-୫୨ ପଢ଼ନ୍ତୁ ।

୧୫. ଭଉଣୀ ବ୍ରିଜିଟ୍‌ଙ୍କ ପରିବାର ଲୋକେ ତାଙ୍କୁ ଓଲଟା ସିଧା କଥା କାହିଁକି କହିଲେ ?

୧୫ ଭାରତର ଜଣେ ଭଉଣୀ ବ୍ରିଜିଟ୍‌ ମଧ୍ୟ ଯେବେ ଯିହୋବାଙ୍କ ସାକ୍ଷୀ ହେଲେ, ତେବେ ତାଙ୍କ ପରିବାର ଲୋକେ ତାଙ୍କୁ ଓଲଟା ସିଧା କଥା କହିଲେ ଓ ତାଙ୍କ ମଜାକ ଉଡ଼ାଇଲେ । ୧୯୯୭ ମସିହାରେ ଭଉଣୀଙ୍କର ବାପ୍ତିସ୍ମ ହେଲା ଆଉ ତାʼର କିଛି ସମୟ ପରେ ତାଙ୍କ ସ୍ୱାମୀଙ୍କର ଚାକିରି ଚାଲିଗଲା । ସେ ଜଣେ ଯିହୋବାଙ୍କ ସାକ୍ଷୀ ନ ଥିଲେ । ତାଙ୍କ ଚାକିରି ଯିବା ପରେ ତାଙ୍କ ସ୍ୱାମୀ ନିଷ୍ପତ୍ତି ନେଲେ ଯେ ସେମାନେ ଦୁହେଁ ଓ ତାଙ୍କ ତିନି ଝିଅ ଅନ୍ୟ ସହରରେ ଯାଇ ରହିବେ । କିନ୍ତୁ ସେଇଠି ଯାଇ ଭଉଣୀଙ୍କୁ ଆହୁରି କଷ୍ଟ ସହିବାକୁ ପଡ଼ିଲା । ଏବେ ଭଉଣୀଙ୍କୁ ନିଜ ଶାଶୁଘର ଲୋକମାନଙ୍କ ସାଙ୍ଗରେ ରହିବାର ଥିଲା ଓ ତାଙ୍କୁ ଘର ଚଲାଇବା ପାଇଁ ଘର କାମ ସହିତ ଚାକିରି ମଧ୍ୟ କରିବାର ଥିଲା । ରାଜ୍ୟ ଘର ତାଙ୍କ ଘରଠାରୁ ୩୫୦ କିଲୋମିଟର (୨୨୦ ମାଇଲ) ଦୂରରେ ଥିଲା । କେବଳ ଏତିକି ନୁହେଁ, ତାଙ୍କ ଶାଶୁଘର ଲୋକେ ତାଙ୍କୁ ବହୁତ ବିରୋଧ କଲେ, ଏପରିକି ତାʼଯୋଗୁଁ ତାଙ୍କୁ ଘରଛାଡ଼ି ଯିବାକୁ ମଧ୍ୟ ପଡ଼ିଲା । ତାʼପରେ କିଛି ଏପରି ହେଲା ଯାହାର ସେମାନେ ସ୍ୱପ୍ନରେ ବି ଭାବି ନ ଥିଲେ । ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ତାʼର କିଛି ସମୟ ପରେ ତାଙ୍କ ଜଣେ ଝିଅକୁ କ୍ୟାନସର ହୋଇଗଲା ଆଉ ୧୨ ବର୍ଷ ବୟସରେ ତାʼର ମୃତ୍ୟୁ ହୋଇଗଲା । ସେସମୟରେ ବି ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ହିଁ ଦୋଷ ଦେବାକୁ ଲାଗିଲେ ଯେ ଯଦି ସେ ଯିହୋବାଙ୍କ ସାକ୍ଷୀ ହୋଇ ନ ଥାʼନ୍ତେ, ତାହେଲେ ଏସବୁ ହୁଅନ୍ତାନି । କିନ୍ତୁ ଭଉଣୀ ଏତେ ସବୁ ହେଲା ପରେ ମଧ୍ୟ ଯିହୋବା ଓ ତାଙ୍କ ସଂଗଠନ ଉପରେ ଭରସା କରିବା ଛାଡ଼ିଲେନି ।

୧୬. ଯିହୋବା ଓ ତାଙ୍କ ସଂଗଠନ ଉପରେ ଭରସା କରିବା ଯୋଗୁଁ ଭଉଣୀ ବ୍ରିଜିଟ୍‌ଙ୍କୁ କେଉଁ କେଉଁ ଆଶିଷ ମିଳିଲା ?

୧୬ ଭଉଣୀ ବ୍ରିଜିଟ୍‌ଙ୍କ ଘରଠାରୁ ତାଙ୍କ ରାଜ୍ୟଘର ବହୁତ ଦୂରରେ ଥିଲା । ତେଣୁ ଜଣେ ସର୍କିଟ ଅଧ୍ୟକ୍ଷ ତାଙ୍କୁ ଗୋଟିଏ ପରାମର୍ଶ ଦେଲେ ଯେ ସେ ନିଜ ଅଞ୍ଚଳରେ ହିଁ ପ୍ରଚାର କରନ୍ତୁ ଆଉ ନିଜ ଘରେ ହିଁ ସଭା ଚଲାନ୍ତୁ । ପ୍ରଥମେ ତ ଭଉଣୀଙ୍କୁ ଲାଗିଲା ଯେ ତାଙ୍କ ଦ୍ୱାରା ଏହା ହୋଇପାରିବନି, କିନ୍ତୁ ପରେ ସେ ଭାଇଙ୍କ କଥା ମାନିଲେ । ସେ ନିଜ ଘର ଆଖପାଖରେ ପ୍ରଚାର କଲେ ଓ ନିଜ ଘରେ ସଭା ଚଲାଇଲେ । ସେ ନିଜ ଝିଅମାନଙ୍କ ସହିତ ଲଗାତାର ପାରିବାରିକ ଉପାସନା ମଧ୍ୟ କଲେ । କିଛି ସମୟ ପରେ ସେ ଅନେକ ଲୋକମାନଙ୍କର ବାଇବଲ ଅଧ୍ୟୟନ କଲେ । ଆଗକୁ ଯାଇ ସେ ମଧ୍ୟରୁ କିଛି ଲୋକମାନେ ବାପ୍ତିସ୍ମ ମଧ୍ୟ ନେଲେ । ତାʼପରେ ଭଉଣୀ ୨୦୦୫ ମସିହାରେ ଅଗ୍ରଦୂତ ସେବା ଆରମ୍ଭ କଲେ । ଭଉଣୀ ଯେଉଁ ଅଞ୍ଚଳରେ ପ୍ରଚାର କରୁଥିଲେ, ସେଇଠି ଆଜି ଦୁଇଟି ମଣ୍ଡଳୀ ଅଛି ଓ ତାଙ୍କ ଝିଅମାନେ ମଧ୍ୟ ଯିହୋବାଙ୍କ ସେବା କରୁଛନ୍ତି । ସେ ଯିହୋବା ଓ ତାଙ୍କ ସଂଗଠନ ଉପରେ ଭରସା କରିବା ଜାରି ରଖିଲେ, ତେଣୁ ଯିହୋବା ତାଙ୍କୁ ଅନେକ ଆଶିଷ ଦେଲେ ! ତାଙ୍କୁ ନିଜ ପରିବାର ଲୋକଙ୍କଠାରୁ ଓଲଟା ସିଧା କଥା ଶୁଣିବାକୁ ପଡ଼ିଲା ଓ ବହୁତ ସମସ୍ୟାର ସାମନା ମଧ୍ୟ କରିବାକୁ ପଡ଼ିଲା । କିନ୍ତୁ ସେ କହନ୍ତି ଯେ ଯିହୋବା ତାଙ୍କୁ ଶକ୍ତି ଦେଲେ, ତେଣୁ ସେ ଏସବୁ ସହିପାରିଲେ ।

ଯିହୋବା ଓ ତାଙ୍କ ସଂଗଠନକୁ ପୂରା ସହଯୋଗ କରନ୍ତୁ

୧୭. ଆମେ କେଉଁ ଦୃଢ଼ ନିଷ୍ପତ୍ତି ନେବା ଉଚିତ୍‌ ?

୧୭ ଯେବେ ଆମ ଉପରେ ସମସ୍ୟା ଆସେ, ତେବେ ଶୟତାନ ଚାହେଁ ଯେ ଆମେ ଏହା ଭାବୁ ଯେ ଯିହୋବା ଆମକୁ ଛାଡ଼ି ଦେଇଛନ୍ତି ଓ ଯଦି ଆମେ ଯିହୋବାଙ୍କ ସଂଗଠନ ସହିତ ଯୋଡ଼ି ହୋଇରହିବା, ତେବେ ଆମ ସମସ୍ୟା ଆହୁରି ବଢ଼ୁଥିବ । ଯେବେ ନେତୃତ୍ୱ ନେଉଥିବା ଭାଇମାନଙ୍କୁ ବଦନାମ କରାଯାଏ, ସେମାନଙ୍କ ଉପରେ ଅତ୍ୟାଚାର କରାଯାଏ କିମ୍ବା ସେମାନଙ୍କୁ ଜେଲରେ ପୂରେଇ ଦିଆଯାଏ, ତେବେ ଶୟତାନ ଚାହେଁ ଯେ ଆମେ ଏହା ଦେଖି ଡରିଯାଉ । ସେ ଏହା ବି ଚାହେଁ ଯେ ଲୋକମାନଙ୍କ ଓଲଟା ସିଧା କଥା ଶୁଣି ଯିହୋବାଙ୍କ ସଂଗଠନ ଉପରୁ ଆମର ଭରସା ଉଠିଯାଉ ଓ ଆମେ ଏହା ଭାବିବାକୁ ଲାଗୁ ଯେ ଯିହୋବାଙ୍କ ସ୍ତର ମାନିଲେ କିଛି ଲାଭ ନାହିଁ । କିନ୍ତୁ ଆମେ ଭଲଭାବେ ଜାଣୁ ଯେ ଏହା ଶୟତାନର ଫାନ୍ଦ ଅଟେ । (୨ କରି. ୨:୧୧) ତେଣୁ ଦୃଢ଼ ନିଷ୍ପତ୍ତି ନିଅନ୍ତୁ ଯେ ଆପଣ ତାʼ ଫାନ୍ଦରେ ପଡ଼ିବେନି ଓ ଯିହୋବା ଓ ତାଙ୍କ ସଂଗଠନକୁ ପୂରା ସହଯୋଗ କରିବେ । ସବୁବେଳେ ମନେ ରଖନ୍ତୁ ଯେ ଯିହୋବା ଆପଣଙ୍କୁ କେବେ ବି ଛାଡ଼ିବେନି । (ଗୀତ. ୨୮:୭) ତେବେ କୌଣସି ବି କଥା ଆପଣଙ୍କୁ ଯିହୋବାଙ୍କଠାରୁ ଅଲଗା କରିପାରିବ ନାହିଁ !—ରୋମୀ. ୮:୩୫-୩୯.

୧୮. ପରବର୍ତ୍ତୀ ଲେଖାରେ ଆମେ କେଉଁ ବିଷୟରେ ଆଲୋଚନା କରିବା ?

୧୮ ଏହି ଲେଖାରେ ଆମେ ଏପରି କିଛି ସମସ୍ୟା ବିଷୟରେ ଆଲୋଚନା କଲୁ ଯାହା ଶୟତାନର ଏହି ଦୁନିଆରେ ଆମ ଉପରେ ଆସିଥାଏ । କିନ୍ତୁ ଅନେକଥର ମଣ୍ଡଳୀରେ ଏପରି କିଛି ସମସ୍ୟା ହୋଇପାରେ, ଯାହାଫଳରେ ଯିହୋବା ଓ ତାଙ୍କ ସଂଗଠନ ଉପରୁ ଧିରେ ଧିରେ ଆମ ଭରସା ଉଠିଯାଇପାରେ । ପରବର୍ତ୍ତୀ ଲେଖାରେ ଆମେ ଆଲୋଚନା କରିବା ଯେ ଯଦି ମଣ୍ଡଳୀରେ ଏପରି କିଛି ହୁଏ, ତେବେ ଆମେ କʼଣ କରିପାରିବା ।

ଗୀତ ୧୧୮ “ହାମାରା ବିଶ୍ୱାସ ବଢ଼ା”

a ଏହି ଶେଷକାଳରେ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ଆମକୁ ତାଙ୍କ ଉପରେ ଓ ତାଙ୍କ ସଂଗଠନ ଉପରେ ଭରସା କରିବା ଜରୁରୀ । କିନ୍ତୁ ଶୟତାନ ଏହା ଚାହେଁନି । ଏହି ଲେଖାରେ ଆମେ ଦେଖିବା ଯେ ଆମର ଏହି ଭରସାକୁ ଭାଙ୍ଗିବା ପାଇଁ ଶୟତାନ କେଉଁ ତିନୋଟି ଉପାୟ ଆପଣାଏ । ଆମେ ଏହା ମଧ୍ୟ ଦେଖିବା ଯେ ଆମେ ଶୟତାନର ଫାନ୍ଦଗୁଡ଼ିକରୁ କିପରି ନିଜକୁ ରକ୍ଷା କରିପାରିବା ଆଉ ଯିହୋବା ଓ ତାଙ୍କ ସଂଗଠନ ଉପରେ କିପରି ଭରସା କରିବା ଜାରି ରଖିପାରିବା । 

b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।