इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୮

ବିଶ୍ୱସ୍ତ ରହିବା କଷ୍ଟ ହେଲେ, ସଚେତନ ହୁଅନ୍ତୁ

ବିଶ୍ୱସ୍ତ ରହିବା କଷ୍ଟ ହେଲେ, ସଚେତନ ହୁଅନ୍ତୁ

“ସମସ୍ତ ବିଷୟରେ ସଚେତନ ହୁଅ”—୨ ତୀମ. ୪:୫.

ଗୀତ ୧୨୩ ୟହୋୱା କି ହୁକୂମାତ୍‌ କାବୁଲ କରେଁ

ଲେଖାର ଝଲକ a

୧. ସଚେତନ ରହିବାର ଅର୍ଥ କʼଣ ? (୨ ତୀମଥି ୪:୫)

 ଅନେକଥର ଯେବେ ଆମ ଉପରେ ସମସ୍ୟା ଆସେ, ତେବେ ଯିହୋବା ଓ ତାଙ୍କ ସଂଗଠନର ବିଶ୍ୱସ୍ତ ରହିବା ଆମ ପାଇଁ ବହୁତ କଷ୍ଟକର ହୋଇଯାଏ । ଏପରି ସମୟରେ ଆମେ କʼଣ କରିପାରିବା ? ବାଇବଲରେ ଲେଖାଅଛି, ଏପରି ସମୟରେ ଆମେ ସଚେତନ ରହିବା, ଜାଗ୍ରତ ରହିବା ଓ ବିଶ୍ୱାସରେ ଦୃଢ଼ ରହିବା ଉଚିତ୍‌ । (୨ ତୀମଥି ୪:୫ ପଢ଼ନ୍ତୁ ।) ସଚେତନ ରହିବାର ଅର୍ଥ, ଶାନ୍ତ ରହିବା, ଭଲଭାବେ ଭାବିବା ଓ କୌଣସି ମାମଲାକୁ ଯିହୋବାଙ୍କ ଦୃଷ୍ଟିକୋଣରେ ଦେଖିବା ପାଇଁ ଚେଷ୍ଟା କରିବା । ଯେବେ ଆମେ ଏପରି କରିବା, ତେବେ ଆମେ ଭାବନାରେ ବହି କୌଣସି ନିଷ୍ପତ୍ତି ନେବା ନାହିଁ ବରଂ ଭାବିଚିନ୍ତି ନିଷ୍ପତ୍ତି ନେବା ।

୨. ଏହି ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ?

ପୂର୍ବ ଲେଖାରେ ଆମେ କିଛି ଏପରି ସମସ୍ୟାଗୁଡ଼ିକ ବିଷୟରେ ଚର୍ଚ୍ଚା କଲୁ ଯାହା ଶୟତାନର ଦୁନିଆରେ ଆମ ଉପରେ ଆସିପାରେ । କିନ୍ତୁ ଅନେକଥର ମଣ୍ଡଳୀ କିମ୍ବା ଯିହୋବାଙ୍କ ସଂଗଠନରେ ମଧ୍ୟ ଏପରି ପରିସ୍ଥିତି ଉପୁଜିପାରେ ଯାହାଯୋଗୁଁ ଯିହୋବାଙ୍କ ବିଶ୍ୱସ୍ତ ରହିବା ଆମ ପାଇଁ କଷ୍ଟକର ହୋଇପାରେ । ଏହି ଲେଖାରେ ଆମେ ଏପରି ତିନୋଟି ପରିସ୍ଥିତି ଉପରେ ଧ୍ୟାନ ଦେବା । ସେଗୁଡ଼ିକ ହେଉଛି: (୧) ଯେବେ ଆମକୁ ଲାଗେ ଯେ କୌଣସି ଭାଇ କିମ୍ବା ଭଉଣୀ ଆମ ସହ କିଛି ଖରାପ କରିଛନ୍ତି, (୨) ଯେତେବେଳେ ଆମକୁ ସୁଧାର କରାଯାଏ ଓ (୩) ଯେତେବେଳେ ସଂଗଠନରେ କିଛି ପରିବର୍ତ୍ତନ କରାଯାଏ । ଆସନ୍ତୁ ଦେଖିବା ଯେ ଏପରି ସମୟରେ ଆମେ କିପରି ଭାବିଚିନ୍ତି କାମ କରିପାରିବା ଓ ଯିହୋବା ଓ ତାଙ୍କ ସଂଗଠନର ବିଶ୍ୱସ୍ତ ରହିପାରିବା ।

ଯେବେ ଆମକୁ ଲାଗେ ଯେ କୌଣସି ଭାଇ କିମ୍ବା ଭଉଣୀ ଆମ ସହ କିଛି ଖରାପ କରିଛନ୍ତି

୩. ଯଦି ଆମକୁ ଲାଗେ ଯେ କୌଣସି ଭାଇ କିମ୍ବା ଭଉଣୀ ଆମ ସହ ଖରାପ କରିଛନ୍ତି, ତାହେଲେ ଆମେ କʼଣ ଭାବିବାକୁ ଲାଗିପାରୁ ?

କʼଣ କେବେ କୌଣସି ଭାଇଭଉଣୀ କିମ୍ବା କୌଣସି ପ୍ରାଚୀନ ଆପଣଙ୍କୁ ଏପରି କିଛି କହିଛନ୍ତି କିମ୍ବା ଏପରି କିଛି କରିଛନ୍ତି ଯାହା ଆପଣଙ୍କୁ ଭଲ ଲାଗିଲାନି ? ଆପଣଙ୍କୁ ହୁଏତ ଲାଗିଥିବ ଯେ ଆପଣଙ୍କ ସହ ଖରାପ ହୋଇଛି । ହୁଏତ ସେମାନେ ଆପଣଙ୍କୁ ଦୁଃଖ ପହଞ୍ଚାଇବା ପାଇଁ ଚାହୁଁ ନ ଥିଲେ କିନ୍ତୁ ସେମାନଙ୍କ କଥା ଆପଣଙ୍କୁ ବହୁତ ଖରାପ ଲାଗିଲା । (ରୋମୀ. ୩:୨୩; ଯାକୁ. ୩:୨) ହୁଏତ ତାʼ ଯୋଗୁଁ ଆପଣ ରାତିରେ ଭଲଭାବେ ଶୋଇ ବି ପାରିଲେନି କିମ୍ବା ଆପଣ ଭାବିବାକୁ ଲାଗିଲେ, ‘କʼଣ ସତରେ ଏମାନେ ଯିହୋବାଙ୍କ ଲୋକ ? କʼଣ ଯିହୋବା ହିଁ ଏହି ସଂଗଠନ ଚଳାଉଛନ୍ତି ?’ କିନ୍ତୁ ଯଦି ଆପଣ ଏବିଷୟରେ ହିଁ ଭାବୁଥିବେ, ତାହେଲେ ଆପଣ ଧିରେ ଧିରେ ଯିହୋବା ଓ ତାଙ୍କ ସଂଗଠନଠାରୁ ଦୂରେଇ ଯାଇପାରନ୍ତି । ଆଉ ଶୟତାନ ବି ଏହା ହିଁ ଚାହେଁ ! (୨ କରି. ୨:୧୧) ତେଣୁ ଆମେ ନିଜ ମନରୁ ଏପରି ଭାବନାକୁ ବାହାର କରିବା, ସଚେତନ ରହିବା ଓ ବୁଝିବିଚାରି କାମ କରିବା ଉଚିତ୍‌ । ଆମେ ଏହା କିପରି କରିପାରିବା ?

୪. (କ) ଯେବେ ଯୋଷେଫଙ୍କ ଭାଇମାନେ ତାଙ୍କ ସହ ଖରାପ କଲେ, ତେବେ ସେ କିପରି ବୁଝିବିଚାରି କାମ କଲେ ? (ଖ) ଆମେ ଯୋଷେଫଙ୍କଠାରୁ କʼଣ ଶିଖୁ ? (ଆଦି ପୁସ୍ତକ ୫୦:୧୯-୨୧)

ମନରେ ରାଗ ରଖନ୍ତୁ ନାହିଁ । ଟିକେ ଯୋଷେଫଙ୍କ ବିଷୟରେ ଭାବନ୍ତୁ । ଯେବେ ସେ ଯୁବା ଥିଲେ, ତେବେ ତାଙ୍କ ବଡ଼ ଭାଇମାନେ ତାଙ୍କ ସହ ବହୁତ ଖରାପ ବ୍ୟବହାର କଲେ, ସେମାନେ ତାଙ୍କୁ ଘୃଣା କରୁଥିଲେ ଓ କିଛି ଭାଇ ତାଙ୍କୁ ଜୀବନରୁ ମାରିବା ପାଇଁ ମଧ୍ୟ ଚାହୁଁଥିଲେ । (ଆଦି. ୩୭:୪, ୧୮-୨୨) ଏପରିକି ଦିନେ ସେମାନେ ତାଙ୍କୁ ଦାସ ଭାବେ ବିକ୍ରି କରିଦେଲେ । ତାʼପରେ ୧୩ ବର୍ଷ ଯାଏ ଯୋଷେଫଙ୍କ ଉପରେ ଗୋଟେ ପରେ ଗୋଟେ ଅନେକ ସମସ୍ୟା ଆସିଲା । ହୁଏତ ସେସମୟରେ ସେ ଭାବିଥିବେ, ‘କʼଣ ଯିହୋବା ମୋତେ ପ୍ରେମ କରନ୍ତି ?’ ହୁଏତ ସେ ଏହା ବି ଭାବିଥିବେ, ‘କʼଣ ଯିହୋବା ମୋତେ ଛାଡ଼ି ଦେଇଛନ୍ତି ? ଏବେ ତ ମୋତେ ତାଙ୍କର ବେଶି ଆବଶ୍ୟକତା ରହିଛି ।’ କିନ୍ତୁ ଯୋଷେଫ ନିଜ ମନରେ ରାଗ ରଖିଲେ ନାହିଁ । ସେ ସଚେତନ ରହିଲେ ଓ ଶାନ୍ତ ରହିଲେ । ଆମେ ଏପରି କାହିଁକି କହିପାରିବା ? କାରଣ ଯେବେ ତାଙ୍କୁ ପ୍ରତିଶୋଧ ନେବାର ସୁଯୋଗ ମିଳିଲା, ତେବେ ସେ ଏପରି କଲେନି । ସେ ନିଜ ଭାଇମାନଙ୍କୁ ବହୁତ ପ୍ରେମ କରୁଥିଲେ, ତେଣୁ ସେମାନଙ୍କୁ କ୍ଷମା କରିଦେଲେ ଓ ସେମାନଙ୍କ ସହ ଭଲ ବ୍ୟବହାର କଲେ । (ଆଦି. ୪୫:୪, ୫) ଯୋଷେଫ କେବଳ ନିଜ ସମସ୍ୟାଗୁଡ଼ିକ ବିଷୟରେ ଭାବିଲେନି ବରଂ ସେ ଭାବିଲେ ଯେ ଯିହୋବାଙ୍କ ଇଚ୍ଛା କʼଣ, ତେଣୁ ସେ ବୁଝିବିଚାରି କାମ କରିପାରିଲେ । (ଆଦି ପୁସ୍ତକ ୫୦:୧୯-୨୧ ପଢ଼ନ୍ତୁ ।) ଆମେ ଯୋଷେଫଙ୍କଠାରୁ କʼଣ ଶିଖୁ ? ଯଦି କେହି ଆପଣଙ୍କ ସହ କିଛି ଖରାପ କରିଛନ୍ତି, ତାହେଲେ ଯିହୋବାଙ୍କ ପାଇଁ ନିଜ ମନରେ ରାଗ ରଖନ୍ତୁ ନାହିଁ ଓ ଏହା ଭାବନ୍ତୁ ନାହିଁ ଯେ ଯିହୋବା ଆପଣଙ୍କୁ ଛାଡ଼ି ଦେଇଛନ୍ତି । ତାʼ ପରିବର୍ତ୍ତେ ଏହା ଭାବନ୍ତୁ ଯେ ଯିହୋବା କିପରି ଆପଣଙ୍କୁ ସମସ୍ୟାର ସାମନା କରିବା ପାଇଁ ସାହାଯ୍ୟ କରୁଛନ୍ତି ଓ ଅନ୍ୟମାନଙ୍କୁ କ୍ଷମା କରିଦିଅନ୍ତୁ । ମନେ ରଖନ୍ତୁ, “ପ୍ରେମ ବହୁଳ ପାପ ଆଚ୍ଛାଦନ କରେ ।”—୧ ପିତ. ୪:୮.

୫. ଯେବେ ଭାଇ ମିକେୟାସଙ୍କୁ ଲାଗିଲା ଯେ ତାଙ୍କ ସହିତ କିଛି ଖରାପ ହୋଇଛି, ତେବେ ସେ କିପରି ବୁଝିବିଚାରି କାମ କଲେ ?

ଦକ୍ଷିଣ ଆମେରିକାରେ ରହୁଥିବା ମିକେୟାସ ନାମକ ଜଣେ ପ୍ରାଚୀନଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । b ଥରେ ସେ ଭାବିଲେ ଯେ କିଛି ପ୍ରାଚୀନମାନେ ତାଙ୍କ ସହିତ ଭୁଲ ବ୍ୟବହାର କରିଛନ୍ତି ଓ ତାଙ୍କ ସହିତ ଭୁଲ ହୋଇଛି । ସେ କହନ୍ତି, “ମୁଁ ଏତେ ଚିନ୍ତା କରୁଥିଲି ଯେ ମୁଁ ରାତିରେ ଭଲଭାବେ ଶୋଇ ବି ପାରୁ ନ ଥିଲି । ମୁଁ ବହୁତ କାନ୍ଦୁଥିଲି, କାରଣ ମୋ ହାତରେ କିଛି ବି ନ ଥିଲା । ମୁଁ କେବେ ଏତେ ଚିନ୍ତା କରୁ ନ ଥିଲି ।” କିନ୍ତୁ ଭାଇ ନିଜ ଭାବନାକୁ କାବୁରେ ରଖିଲେ ଓ ବୁଝିବିଚାରି କାମ କଲେ । ସେ ବାରମ୍ବାର ଯିହୋବାଙ୍କୁ ପ୍ରାର୍ଥନା କଲେ, ପବିତ୍ର ଶକ୍ତି ମାଗିଲେ ଓ ସାହସ ମଧ୍ୟ ମାଗିବା ଜାରି ରଖିଲେ । ସେ ଏପରି ଲେଖାଗୁଡ଼ିକ ମଧ୍ୟ ପଢ଼ିଲେ ଯେଉଁଠି କିଛି ଭଲ ପରାମର୍ଶ ମଧ୍ୟ ଦିଆଯାଇଥିଲା । ଭାଇ ମିକେୟାସଙ୍କଠାରୁ ଆମେ କʼଣ ଶିଖୁ ? ଯଦି ଆପଣଙ୍କୁ ଲାଗେ ଯେ କୌଣସି ଭାଇଭଉଣୀ ଆପଣଙ୍କ ସହ କିଛି ଭୁଲ କରିଛନ୍ତି, ତେବେ ଶାନ୍ତ ରହନ୍ତୁ ଓ ତାଙ୍କ ବିଷୟରେ ଖରାପ ଭାବନ୍ତୁ ନାହିଁ । ହୁଏତ ଆପଣ ଜାଣି ନ ଥିବେ ଯେ ଯେବେ ସେମାନେ ଏପରି କିଛି କହିଲେ ବା ଏପରି କିଛି କଲେ, ସେସମୟରେ ତାଙ୍କ ମନରେ କʼଣ ଚାଲୁଥିଲା । ମାମଲାକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିବା ପାଇଁ ତାଙ୍କୁ ପ୍ରାର୍ଥନା କରନ୍ତୁ । ତେବେ ହୁଏତ ଆପଣ ବୁଝିପାରିବେ ଯେ ଆପଣଙ୍କୁ ମାମଲା ବିଷୟରେ ସବୁକିଛି ଜଣାନାହିଁ ଓ ହୁଏତ ସେହି ଭାଇ କିମ୍ବା ଭଉଣୀଙ୍କ ଉଦ୍ଦେଶ୍ୟ ଆପଣଙ୍କୁ କଷ୍ଟ ପହଞ୍ଚାଇବାର ନ ଥିଲା । ଏପରି କଲେ ଆପଣ ତାଙ୍କ ଭୁଲଗୁଡ଼ିକୁ ଅଣଦେଖା କରିପାରିବେ ଓ ତାଙ୍କୁ କ୍ଷମା କରିପାରିବେ । (ହିତୋ. ୧୯:୧୧) ମନେ ରଖନ୍ତୁ, ଯେ ଯିହୋବା ଜାଣନ୍ତି ଯେ ଆପଣଙ୍କ ସହ କʼଣ ହୋଇଛି ଓ ଆପଣ କେଉଁ ପରିସ୍ଥିତିର ସାମନା କରୁଛନ୍ତି । ସେ ତାହା ସାମନା କରିବା ପାଇଁ ଆପଣଙ୍କୁ ସାହସ ଦେବେ ।—୨ ବଂଶା. ୧୬:୯; ଉପ. ୫:୮.

ଯେତେବେଳେ ଆମକୁ ସୁଧାର କରାଯାଏ

୬. ଆମେ କାହିଁକି ମନେ ରଖିବା ଉଚିତ୍‌ ଯେ ଯିହୋବା ଯେଉଁମାନଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ହିଁ ସୁଧାରନ୍ତି ? (ଏବ୍ରୀ ୧୨:୫, ୬, ୧୧)

ଯେବେ ଆମକୁ ସୁଧାର କରାଯାଏ, ତେବେ ଆମକୁ ଭଲ ଲାଗେନି । କିନ୍ତୁ ଯଦି ଆମେ କେବଳ ଏକଥା ଉପରେ ଧ୍ୟାନ ଦେବା ଯେ ଆମକୁ ସୁଧାର କରାଯାଇଛି, ଆଉ ଦୁଃଖି ହେଉଥିବା, ତେବେ ହୁଏତ ଆମକୁ ଲାଗିପାରେ ଯେ ଆମ ସହିତ ଅନ୍ୟାୟ ହୋଇଛି । କିମ୍ବା ହୁଏତ ଆମେ ଏହା ଭାବିବା, ‘ମୁଁ ଏତେ ବଡ଼ ତ ଭୁଲ କରିନି ଯେ ଭାଇମାନଙ୍କୁ ମୋତେ ସୁଧାର କରିବାକୁ ପଡ଼ିଲା ।’ କିନ୍ତୁ ଯଦି ଆମେ ଏପରି ଭାବୁଥିବା, ତାହେଲେ ଆମେ ବହୁତ ଜରୁରୀ କଥାକୁ ଅଣଦେଖା କରୁଥିବା । ତାହା ହେଉଛି, ଯିହୋବା ଯାହାକୁ ପ୍ରେମ କରନ୍ତି ତାଙ୍କୁ ସୁଧାରନ୍ତି । (ଏବ୍ରୀ ୧୨:୫, ୬, ୧୧ ପଢ଼ନ୍ତୁ ।) ଯଦି ଆମେ ଏହା ଭାବି ଦୁଃଖି ହେଉଥିବା ଯେ ଆମକୁ ସୁଧାର କରାଯାଇଛି, ତାହେଲେ ହୁଏତ ଆମେ ପରାମର୍ଶକୁ ମାନିବାନି ଏବଂ ଧିରେ ଧିରେ ଯିହୋବା ଓ ତାଙ୍କ ସଂଗଠନରୁ ଦୂରେଇ ଯିବା । ମନେ ରଖନ୍ତୁ, ଶୟତାନ ଏହା ହିଁ ଚାହେଁ । ତେଣୁ ଯଦି ଆପଣଙ୍କୁ ସୁଧାର କରାଯାଏ, ତେବେ ଆପଣ କିପରି ସଚେତନ ରହିପାରିବେ ଓ ଭାବିଚିନ୍ତି କାମ କରିପାରିବେ ?

ପିତର ନମ୍ର ଥିଲେ ଏବଂ ସେ ପରାମର୍ଶ ମାନିଲେ, ତେଣୁ ସେ ଯିହୋବାଙ୍କ ଆହୁରି କାମରେ ଆସିଲେ (ପାରାଗ୍ରାଫ ୭)

୭. (କ) ଯେପରି ଚିତ୍ରରେ ଦିଆଯାଇଛି, ଯେବେ ପିତର ପରାମର୍ଶକୁ ମାନିଲେ, ତେବେ ସେ କିପରି ଯିହୋବାଙ୍କର ଆହୁରି କାମରେ ଆସିପାରିଲେ ? (ଖ) ଆମେ ପିତରଙ୍କଠାରୁ କʼଣ ଶିଖୁ ?

ପରାମର୍ଶକୁ ମାନନ୍ତୁ ଓ ସୁଧାର କରନ୍ତୁ । ଯୀଶୁ ଅନେକଥର ପ୍ରେରିତମାନଙ୍କ ସାମନାରେ ପିତରଙ୍କୁ ସୁଧାରିଲେ । (ମାର୍କ ୮:୩୩; ଲୂକ ୨୨:୩୧-୩୪) ସେସମୟରେ ପିତରଙ୍କୁ ନିଶ୍ଚୟ ବହୁତ ଖରାପ ଲାଗିଥିବ, ତଥାପି ସେ ଯୀଶୁଙ୍କ ବିଶ୍ୱସ୍ତ ରହିଲେ । ସେ ପରାମର୍ଶଗୁଡ଼ିକୁ ମାନିଲେ ଓ ସେହି ଭୁଲକୁ ପୁଣି ନ କରିବା ପାଇଁ ଚେଷ୍ଟା କଲେ । ତାʼଯୋଗୁଁ ଯିହୋବା ତାଙ୍କୁ ବହୁତ ଆଶିଷ ଦେଲେ ଓ ତାଙ୍କୁ ଅନେକ ବଡ଼ ବଡ଼ ଦାୟିତ୍ୱ ମଧ୍ୟ ଦେଲେ । (ଯୋହ. ୨୧:୧୫-୧୭; ପ୍ରେରି. ୧୦:୨୪-୩୩; ୧ ପିତ. ୧:୧) ଆମେ ପିତରଙ୍କଠାରୁ କʼଣ ଶିଖୁ ? ଯଦି ଆମକୁ ସୁଧାର କରାଯାଏ, ତାହେଲେ ସେବିଷୟରେ ଭାବି ଲଜ୍ଜିତ ଅନୁଭବ କରିବା ଉଚିତ୍‌ ନୁହେଁ, ବରଂ ପରାମର୍ଶକୁ ମାନିବା ଓ ସୁଧାର କରିବା ଉଚିତ୍‌ । ଯଦି ଆମେ ଏପରି କରିବା, ତାହେଲେ ଆମେ ଯିହୋବା ତାଙ୍କ ସଂଗଠନର ଆହୁରି କାମରେ ଆସିପାରିବା ।

୮-୯. (କ) ଯେବେ ଭାଇ ବର୍ଣ୍ଣାଡୋଙ୍କୁ ସୁଧାର କରାଗଲା, ତେବେ ଆରମ୍ଭରେ ତାଙ୍କୁ କିପରି ଲାଗିଲା ? (ଖ) ଭାଇ ନିଜ ଚିନ୍ତାଧାରାକୁ କିପରି ସୁଧାରିଲେ ?

ଏବେ ଆସନ୍ତୁ ଦେଖିବା ଯେ ମୋଜାମ୍ବିକରେ ରହୁଥିବା ଭାଇ ବର୍ଣ୍ଣାଡୋଙ୍କ ସହ କʼଣ ହେଲା । ପୂର୍ବେ ସେ ଜଣେ ପ୍ରାଚୀନ ଥିଲେ, କିନ୍ତୁ ପରେ ତାଙ୍କଠାରୁ ଏହି ଦାୟିତ୍ୱ ଫେରାଇ ନିଆଗଲା । ସେସମୟରେ ତାଙ୍କୁ କିପରି ଲାଗିଲା ? ସେ କହନ୍ତି, “ଯେବେ ମୋତେ ସୁଧାର କରାଗଲା, ତେବେ ମୋତେ ଜମା ଭଲ ଲାଗିଲାନି ଓ ମୁଁ ଭାଇମାନଙ୍କ ଉପରେ ରାଗ ରଖିବାକୁ ଲାଗିଲି ।” ସେ ଏକଥାକୁ ନେଇ ଚିନ୍ତା କରୁଥିଲେ ଯେ ମଣ୍ଡଳୀର ଭାଇଭଉଣୀମାନେ ତାଙ୍କ ବିଷୟରେ କʼଣ ଭାବିବେ । ସେ କହନ୍ତି, “ମୋତେ ଯିହୋବା ଓ ତାଙ୍କ ସଂଗଠନ ଉପରେ ଭରସା କରିବା ପାଇଁ ଓ ଭାଇମାନଙ୍କ ନିଷ୍ପତ୍ତିକୁ ଠିକ୍‌ ବୋଲି ମାନିବା ପାଇଁ ବହୁତ ମାସ ଲାଗିଗଲା ।” ଭାଇ ବର୍ଣ୍ଣାଡୋ କିପରି ନିଜ ଚିନ୍ତାଧାରା ବଦଳାଇପାରିଲେ ?

ସବୁଠୁ ଆଗ ଭାଇ ବର୍ଣ୍ଣାଡୋଙ୍କୁ ନିଜ ଚିନ୍ତାଧାରା ସୁଧାରିବାର ଥିଲା । ସେ କହନ୍ତି, “ଯେବେ ମୁଁ ପ୍ରାଚୀନ ଥିଲି, ତେବେ ମୁଁ ପ୍ରାୟ ଭାଇଭଉଣୀମାନଙ୍କୁ ଏବ୍ରୀ ୧୨:୭ ପଦ ପଢ଼ିକି ଶୁଣାଉଥିଲି ଆଉ କହୁଥିଲି ଯେବେ ଯିହୋବା ଆମକୁ ସୁଧାରନ୍ତି, ତେବେ ଆମର ହିଁ ଲାଭ ହୁଏ । କିନ୍ତୁ ଏବେ ମୋତେ ବି ଏହି କଥାକୁ ମାନିବାର ଥିଲା ।” ତାʼପରେ ଭାଇ ପୁଣିଥରେ ଯିହୋବା ଓ ତାଙ୍କ ସଂଗଠନ ଉପରେ ଭରସା କରିବା ପାଇଁ ଆଉ କିଛି କଲେ । ସେ ଆହୁରି ଅଧିକ ବାଇବଲ ପଢ଼ିବା ଓ ତାʼଉପରେ ଚିନ୍ତନ କରିବାକୁ ଲାଗିଲେ । ତଥାପି ଭାଇଙ୍କୁ ଲାଗୁଥିଲା ଯେ ଭାଇଭଉଣୀମାନେ ତାଙ୍କ ବିଷୟରେ କʼଣ ଭାବୁଥିବେ । କିନ୍ତୁ ତାʼଯୋଗୁଁ ସେ ଭାଇଭଉଣୀମାନଙ୍କ ସହ ପ୍ରଚାର କରିବା ଓ ସଭାଗୁଡ଼ିକରେ ଉତ୍ତର ଦେବା ଛାଡ଼ିଲେ ନାହିଁ । କିଛି ସମୟ ପରେ ତାଙ୍କୁ ପୁଣିଥରେ ପ୍ରାଚୀନ ଭାବେ ନିଯୁକ୍ତ କରାଗଲା । ଯଦି ଆପଣଙ୍କୁ ଭାଇ ବର୍ଣ୍ଣାଡୋଙ୍କ ଭଳି ସୁଧାର କରାଯାଇଛି, ତେବେ ଅଧିକ ଲଜ୍ଜିତ ଅନୁଭବ କରନ୍ତୁ ନାହିଁ, ବରଂ ପରାମର୍ଶକୁ ମାନନ୍ତୁ ଓ ନିଜଠାରେ ସୁଧାର କରନ୍ତୁ । c (ହିତୋ. ୮:୩୩; ୨୨:୪) ଯେବେ ଆପଣ ଯିହୋବା ଓ ତାଙ୍କ ସଂଗଠନର ବିଶ୍ୱସ୍ତ ରହିବେ ତେବେ ଯିହୋବା ଆପଣଙ୍କୁ ବହୁତ ଆଶିଷ ଦେବେ ।

ଯେତେବେଳେ ସଂଗଠନରେ କିଛି ପରିବର୍ତ୍ତନ କରାଯାଏ

୧୦. ଇସ୍ରାଏଲୀୟମାନଙ୍କ ସମୟରେ ହୋଇଥିବା କେଉଁ ପରିବର୍ତ୍ତନ ଯୋଗୁଁ ହୁଏତ ସେମାନଙ୍କୁ ଯିହୋବାଙ୍କ ବିଶ୍ୱସ୍ତ ରହିବା କଷ୍ଟକର ଲାଗିଥିବ ?

୧0 ଯେବେ ସଂଗଠନରେ କିଛି ପରିବର୍ତ୍ତନ ହୁଏ, ତେବେ ମଧ୍ୟ ଆମ ପାଇଁ ଯିହୋବାଙ୍କ ବିଶ୍ୱସ୍ତ ରହିବା କଠିନ ହୋଇପାରେ । ଯଦି ଆମେ ସେଗୁଡ଼ିକୁ ମାନିବା ନାହିଁ, ତେବେ ଆମେ ଯିହୋବାଙ୍କଠାରୁ ଦୂରେଇ ଯାଇପାରୁ । ପ୍ରାଚୀନକାଳରେ ମଧ୍ୟ ଏପରି ହିଁ ପରିସ୍ଥିତି ଆସିଥିଲି । ମୋଶାଙ୍କ ବ୍ୟବସ୍ଥା ପୂର୍ବରୁ ପ୍ରତ୍ୟେକ ପରିବାରର ମୁଖିଆ ବେଦି ତିଆରି କରୁଥିଲେ ଓ ନିଜ ପରିବାର ତରଫରୁ ବଳି ଚଢ଼ାଉଥିଲେ । (ଆଦି. ୮:୨୦, ୨୧; ୧୨:୭; ୨୬:୨୫; ୩୫:୧, ୬, ୭; ଆୟୁ. ୧:୫) କିନ୍ତୁ ତାʼପରେ ଯିହୋବା ନିଜ ଲୋକମାନଙ୍କୁ ନିୟମ ଦେଲେ ଯେ ଏବେଠାରୁ ଯାଜକମାନେ ହିଁ ବଳିଦାନ ଚଢ଼ାଇବେ, ପରିବାରର ମୁଖିଆ ନୁହଁ । ଆଉ ଯିହୋବା ହାରୋଣଙ୍କ ପରିବାରକୁ ଯାଜକ ଭାବେ ବାଛିଲେ । ଯଦି କୌଣସି ପରିବାରର ମୁଖିଆ ହାରୋଣଙ୍କ ବଂଶର ନ ଥାଇ ମଧ୍ୟ ବଳି ଚଢ଼ାଉଥିଲା, ତେବେ ତାକୁ ମୃତ୍ୟୁ ଦଣ୍ଡ ଦିଆଯାଇପାରନ୍ତା । d (ଲେବୀ. ୧୭:୩-୬, ୮, ୯) ଆମେ ସ୍ପଷ୍ଟ ଭାବେ ତ କହିପାରିବାନି, କିନ୍ତୁ ହୁଏତ ଏହି କାରଣ ଯୋଗୁଁ କୋରହ, ଦାଥନ୍‌, ଅବୀରାମ ଓ ୨୫୦ ଜଣ ଅଧିପତିମାନେ ମୋଶା ଓ ହାରୋଣଙ୍କ ବିରୋଧରେ ଯାଇଥିବେ । (ଗଣ. ୧୬:୧-୩) ସେମାନେ ଏପରି କରିବାର କାରଣ ଯାହା ବି ଥାଉ ନା କାହିଁକି, ସେମାନେ ଯିହୋବାଙ୍କ ବିଶ୍ୱସ୍ତ ରହି ନ ଥିଲେ । ଯଦି ଏପରି କିଛି ପରିବର୍ତ୍ତନ କରାଯାଏ ଆଉ ଆପଣଙ୍କୁ ତାହା ମାନିବା କଷ୍ଟ ଲାଗେ, ତେବେ ଆପଣ କʼଣ କରିପାରିବେ ?

ଯେବେ କହାତୀୟମାନଙ୍କୁ ଅନ୍ୟ କାମ ଦିଆଗଲା, ତେବେ ସେମାନେ ଖୁସିର ସହ ସେହି କାମଗୁଡ଼ିକ କଲେ । କିଛି ଲୋକମାନଙ୍କୁ ଗୀତ ଗାଇବା ପାଇଁ କୁହାଗଲା, ଆଉ କିଛି ଲୋକମାନଙ୍କୁ ଦ୍ୱାରପାଳ ଭାବେ ନିଯୁକ୍ତ କରାଗଲା ଆଉ କିଛି ଲୋକମାନଙ୍କୁ ଭଣ୍ଡାର ଘରେ କାମ କରିବା ପାଇଁ କୁହାଗଲା (ପାରାଗ୍ରାଫ ୧୧)

୧୧. ଆମେ କହାତୀୟ ବଂଶରୁ କʼଣ ଶିଖୁ ?

୧୧ ସଂଗଠନରେ ଯାହା ପରିବର୍ତ୍ତନ କରାଯାଏ, ତାହା ମାନନ୍ତୁ । ଯେବେ ଇସ୍ରାଏଲୀୟମାନେ ପ୍ରାନ୍ତର ବା ମରୁଭୂମିରେ ଯାତ୍ରା କରୁଥିଲେ, ସେସମୟରେ କହାତୀୟ ବଂଶ ବିଶେଷ କାମ କରୁଥିଲେ । ଯେବେ ବି ଇସ୍ରାଏଲୀୟମାନେ ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯାଉଥିଲେ, ତେବେ କହାତୀୟମାନେ ନିୟମ ସିନ୍ଦୁକକୁ ବୋହିକି ନେଉଥିଲେ ଓ ଲୋକମାନଙ୍କ ଆଗେ ଆଗେ ଯାଉଥିଲେ । (ଗଣ. ୩:୨୯, ୩୧; ୧୦:୩୩; ଯିହୋ. ୩:୨-୪) ଏହା ସେମାନଙ୍କ ପାଇଁ ବହୁତ ସମ୍ମାନର କଥା ଥିଲା । କିନ୍ତୁ ଯେବେ ଇସ୍ରାଏଲୀୟମାନେ ପ୍ରତିଜ୍ଞାତ ଦେଶରେ ରହିବାକୁ ଲାଗିଲେ, ତେବେ କିଛି ପରିବର୍ତ୍ତନ ହେଲା । ଏବେ ପୂର୍ବ ଭଳି ନିୟମ ସିନ୍ଦୂକକୁ ପ୍ରତିଥର ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ନେବାକୁ ପଡ଼ନ୍ତାନି । ତେଣୁ କହାତୀୟମାନଙ୍କୁ ଅନ୍ୟ କାମ ଦିଆଗଲା । ଯେବେ ଶଲୋମନ ଶାସନ କରୁଥିଲେ, ତେବେ କିଛି କହାତୀୟମାନେ ଗୀତ ଗାଉଥିଲେ, ଆଉ କିଛି ଲୋକମାନଙ୍କୁ ଦ୍ୱାରପାଳ ଭାବେ ନିଯୁକ୍ତ କରାଯାଇଥିଲା, ଆଉ କିଛି ଲୋକମାନଙ୍କୁ ଭଣ୍ଡାର ଘର ସମ୍ଭାଳିବାର ଦାୟିତ୍ୱ ଦିଆଯାଇଥିଲା । (୧ ବଂଶା. ୬:୩୧-୩୩; ୨୬:୧, ୨୪) କିନ୍ତୁ ବାଇବଲରେ କେଉଁଠି ବି ଏପରି ଲେଖାଯାଇନାହିଁ ଯେ ସେମାନେ ଅଭିଯୋଗ କଲେ କିମ୍ବା ଏପରି କହିଲେ, ‘ପୂର୍ବେ ଆମେ ବଡ଼ ବଡ଼ କାମ କରୁଥିଲୁ, ଆମକୁ ଏବେ ବି ବଡ଼ ଦାୟିତ୍ୱ ମିଳିବା ଉଚିତ୍‌ ।’ କହାତୀୟମାନଙ୍କଠାରୁ ଆମେ କʼଣ ଶିଖୁ ? ଯଦି ଯିହୋବାଙ୍କ ସଂଗଠନରେ କୌଣସି ପରିବର୍ତ୍ତନ କରାଯାଏ, ତେବେ ତାହା ମାନନ୍ତୁ । ହୁଏତ ଆପଣ କିଛି ଦାୟିତ୍ୱ ସମ୍ଭାଳୁଛନ୍ତି, କିନ୍ତୁ ପରେ ତାହା ଆପଣଙ୍କଠାରୁ ଫେରାଇ ନିଆଯାଏ ଓ ଅନ୍ୟ କାମ ଦିଆଯାଏ । ତେବେ ତାହା ମଧ୍ୟ ଖୁସିର ସହ କରନ୍ତୁ । ମନେରଖନ୍ତୁ ଯିହୋବା ଏହା ଦେଖନ୍ତି ନାହିଁ ଯେ ଆପଣ କେଉଁ କାମ କରନ୍ତି । ସେ ଆପଣଙ୍କୁ ବହୁମୂଲ୍ୟ ମନେ କରନ୍ତି, କାରଣ ଆପଣ ତାଙ୍କ କଥା ମାନନ୍ତି !—୧ ଶାମୁ. ୧୫:୨୨.

୧୨. ଯେବେ ଭଉଣୀ ଯଏନାଙ୍କୁ ବୈଥେଲରୁ ଯିବା ପାଇଁ କୁହାଗଲା, ତେବେ ତାଙ୍କୁ କିପରି ଲାଗିଲା ?

୧୨ ଧ୍ୟାନ ଦିଅନ୍ତୁ ଯେ ଭଉଣୀ ଯଏନାଙ୍କ ସହ କʼଣ ହେଲା । ସେ ୨୩ ବର୍ଷଯାଏ ବୈଥେଲରେ ସେବା କଲେ କିନ୍ତୁ ପରେ ସଂଗଠନ ତାଙ୍କୁ ବିଶେଷ ଅଗ୍ରଦୂତ ଭାବେ ସେବା କରିବା ପାଇଁ କହିଲା । ସେ ବୈଥେଲରେ ଯେଉଁ କାମ କରୁଥିଲେ ତାହା ତାଙ୍କୁ ବହୁତ ଭଲ ଲାଗୁଥିଲା । ତେଣୁ ଏହି ପରିବର୍ତ୍ତନକୁ ଆପଣାଇବା ତାଙ୍କ ପାଇଁ ଏତେ ସହଜ ନ ଥିଲା । ସେ କହନ୍ତି, “ଯେବେ ମୋତେ ବୈଥେଲରୁ ଯିବା ପାଇଁ କୁହାଗଲା, ତେବେ ମୋତେ ବହୁତ ବଡ଼ ଧକ୍କା ଲାଗିଲା । ଏପରି ଲାଗିଲା ଯେ ମୁଁ କିଛି କାମର ନୁହେଁ ଏବଂ ମୁଁ ବାରମ୍ବାର ଭାବୁଥିଲି ଯେ ମୁଁ ଏପରି କʼଣ ଭୁଲ କଲି ।” ତାʼସହ ଭଉଣୀର ନିଜ ମଣ୍ଡଳୀର କିଛି ଭାଇଭଉଣୀମାନେ ଏପରି କିଛି କଥା କହିଲେ, ଯାହା ଭଉଣୀଙ୍କୁ ବହୁତ ଖରାପ ଲାଗିଲା । ସେମାନେ ଭଉଣୀଙ୍କୁ କହିଲେ, “ତମେ ହିଁ ନିଜ କାମ ଭଲଭାବେ କରି ନ ଥିବ, ନ ହେଲେ ତମକୁ ବୈଥେଲରୁ ଯିବା ପାଇଁ କାହିଁକି କହନ୍ତେ ।” କିଛି ଦିନଯାଏ ଭଉଣୀ ସବୁଦିନ ରାତିରେ ବହୁତ କାନ୍ଦୁଥିଲେ । କିନ୍ତୁ ସେ କହନ୍ତି, “ମୁଁ କେବେ ବି ଭାବିଲି ନାହିଁ ଯେ ଯିହୋବାଙ୍କ ସଂଗଠନ ଯେଉଁ ନିଷ୍ପତ୍ତି ନେଇଛି ତାହା ଠିକ୍‌ ନୁହେଁ କିମ୍ବା ଯିହୋବା ମୋତେ ପ୍ରେମ କରନ୍ତି ନାହିଁ ।” ଯେବେ ଭଉଣୀ ଯଏନାଙ୍କ ସହ ଏହି ସବୁ ଘଟଣା ଘଟିଲା, ତେବେ ସେ କିପରି ବୁଝିବିଚାରି କାମ କଲେ ?

୧୩. ଭଉଣୀ ଯଏନାଙ୍କୁ ଆରମ୍ଭରେ ବହୁତ ଖରାପ ଲାଗିଲା, କିନ୍ତୁ ତାʼପରେ ସେ କʼଣ କଲେ ?

୧୩ ଭଉଣୀ ଯଏନାଙ୍କୁ ଆରମ୍ଭରେ ବହୁତ ଖରାପ ଲାଗିଲା, କିନ୍ତୁ କିଛି ସମୟ ପରେ ସେ ପୁଣିଥରେ ଖୁସିର ସହ ଯିହୋବାଙ୍କ ସେବା କରିବା ଆରମ୍ଭ କଲେ । ସେ କʼଣ କଲେ ? ସେ କିଛି ଲେଖା ପଢ଼ିଲେ ଯେଉଁଥିରେ ଏପରି କିଛି ଲୋକଙ୍କ ବିଷୟରେ କୁହାଯାଇଥିଲା, ଯେଉଁମାନେ ତାଙ୍କ ଭଳି ହିଁ ସମସ୍ୟାର ସାମନା କରିଥିଲେ । ସେହି ଲେଖାଗୁଡ଼ିକରେ କିଛି ଭଲ ପରାମର୍ଶଗୁଡ଼ିକ ବି ଦିଆଯାଇଥିଲା । ଯେପରି ଗୋଟିଏ ଲେଖାଥିଲା, “ଆପ୍‌ ହାତାସା ସେ ଜୁଝ୍‌ ସାକତେ ହୈ !” ଯାହା ୧ ଫେବୃଆରୀ, ୨୦୦୧ର ପ୍ରହରୀଦୁର୍ଗରେ (ହିନ୍ଦୀ) ଆସିଥିଲା । ସେହି ଲେଖାରେ କୁହାଯାଇଥିଲା ଯେ ଯେବେ ମାର୍କଙ୍କଠାରୁ ତାଙ୍କ ଦାୟିତ୍ୱ ଫେରାଇ ନିଆଗଲା, ତେବେ ତାଙ୍କୁ ବି ବହୁତ କଷ୍ଟ ହୋଇଥିବ । ଭଉଣୀ ଯଏନା କହନ୍ତି, “ମାର୍କଙ୍କ ବିଷୟରେ ଥିବା ସେହି ଲେଖା ମୋ ପାଇଁ ଔଷଧ ଭଳି କାମ କଲା ।” ଭଉଣୀ ଅନ୍ୟ ଭାଇଭଉଣୀମାନଙ୍କ ସହିତ ସଙ୍ଗତି କରିବା ଓ ସେମାନଙ୍କ ସହିତ ପ୍ରଚାର କରିବା ଜାରି ରଖିଲେ । ସେମାନେ ଏପରି ଭାବିଲେ ନାହିଁ ଯେ ସେ ଏବେ ବୈଥେଲରେ ସେବା କରୁନାହିଁ, ତାʼମାନେ ସେ କିଛି କାମର ନୁହେଁ । ସେ ଏହା ବି ମନେ ରଖିଲେ ଯେ ଯେବେ ଯିହୋବାଙ୍କ ସଂଗଠନରେ କିଛି ନିଷ୍ପତ୍ତି ନିଆଯାଏ, ତେବେ ପବିତ୍ର ଶକ୍ତି ସେମାନଙ୍କର ମାର୍ଗଦର୍ଶନ କରେ ଆଉ ଯେଉଁ ଭାଇମାନେ ନେତୃତ୍ୱ ନେଉଛନ୍ତି ସେମାନେ ଭାଇଭଉଣୀମାନଙ୍କୁ ବହୁତ ପ୍ରେମ କରନ୍ତି । ଭଉଣୀ ଅନୁଭବ କଲେ ଯେ ଯିହୋବାଙ୍କ ସଂଗଠନରେ ପରିବର୍ତ୍ତନ ହେଉଥାଏ କିନ୍ତୁ ସବୁଠୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଯେ ଯିହୋବାଙ୍କ କାମ ଜାରି ରହୁ ।

୧୪. ଭାଇ ଭ୍ଲାଦୋଙ୍କୁ କେଉଁ ନିଷ୍ପତ୍ତି ମାନିବା କଷ୍ଟ ଲାଗିଲା, କିନ୍ତୁ ସେ କʼଣ ମନେ ରଖିଲେ ?

୧୪ ସ୍ଲୋଭେନିଆରେ ରହୁଥିବା ୭୩ ବର୍ଷର ଜଣେ ପ୍ରାଚୀନ ଭ୍ଲାଦୋଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ମଣ୍ଡଳୀକୁ ଅନ୍ୟ ମଣ୍ଡଳୀ ସହିତ ମିଶାଇ ଦିଆଗଲା ଓ ଯେଉଁ ରାଜ୍ୟଘରେ ସେ ସଭା ଯାଉଥିଲେ ତାହା ବନ୍ଦ ହୋଇଗଲା । ଭାଇ କହନ୍ତି ଯେ ସେସମୟରେ ତାଙ୍କୁ କିପରି ଲାଗିଲା । ସେ କହନ୍ତି, “ଆମ ରାଜ୍ୟଘର ବହୁତ ସୁନ୍ଦର ଥିଲା ! ମୁଁ ବୁଝିପାରୁ ନ ଥିଲି ଯେ ତାହା ବନ୍ଦ କାହିଁକି କରିଦିଆଗଲା । ଆମେ କିଛି ଦିନ ତଳେ ହିଁ ତ ଏହାର ମରାମତି କରିଥିଲୁ ଓ ଅନେକ ନୂଆ ଜିନିଷ ଲଗାଇଥିଲୁ । ତେଣୁ ମୋତେ ବହୁତ ଦୁଃଖ ଲାଗୁଥିଲା । ମୁଁ ବି ସେଠାରେ କାଠର ଅନେକ ଜିନିଷ ତିଆରି କରିଥିଲି । ରାଜ୍ୟଘର ବଦଳି ଯିବା ଯୋଗୁଁ ଭାଇଭଉଣୀମାନଙ୍କୁ ଅନେକ ପରିବର୍ତ୍ତନ କରିବାକୁ ପଡ଼ିଲା । ଆମ ଭଳି ପରିଣତ ବୟସର ଭାଇଭଉଣୀମାନଙ୍କ ପାଇଁ ଏସବୁ କରିବା ଏତେ ସହଜ ନ ଥିଲା ।” କିନ୍ତୁ ଭାଇ ଭ୍ଲାଦୋ ସଂଗଠନର ଏହି ନିଷ୍ପତ୍ତିକୁ ମାନିଲେ । ସେ କହନ୍ତି, “ଯେବେ ଆମେ ସଂଗଠନ ତରଫରୁ ଦିଆଯାଉଥିବା ପରାମର୍ଶଗୁଡ଼ିକୁ ମାନୁ, ତେବେ ଆମକୁ ସବୁବେଳେ ଆଶିଷ ମିଳେ ।” ଆଉ ଆଗକୁ ତ ଆହୁରି ପରିବର୍ତ୍ତନ ହେବ । ତେଣୁ ଯଦି ଆମେ ଆଜି ପରାମର୍ଶଗୁଡ଼ିକୁ ମାନିବା, ତେବେ ଆଗକୁ ବି ଆମେ ସେଗୁଡ଼ିକୁ ସହଜରେ ମାନିପାରିବା ।” କʼଣ ଆପଣଙ୍କ ମଣ୍ଡଳୀକୁ ବି ଅନ୍ୟ ମଣ୍ଡଳୀ ସହିତ ମିଶାଇ ଦିଆଯାଇଛି ? କିମ୍ବା ଆପଣ ସଂଗଠନରେ ଯେଉଁ କାମ କରୁଥିଲେ, ତାʼ ବଦଳରେ ଆପଣଙ୍କୁ ଅନ୍ୟ କୌଣସି କାମ କରିବା ପାଇଁ କୁହାଯାଇଛି ? ଯଦି ଏପରି ଅଟେ, ତେବେ ଭରସା ରଖନ୍ତୁ ଯେ ଯିହୋବା ବୁଝନ୍ତି ଯେ ଆପଣ କିପରି ଅନୁଭବ କରୁଛନ୍ତି । ଯେବେ ଏପରି କୌଣସି ପରିବର୍ତ୍ତନ ହୁଏ ଓ ଆପଣ ତାହା ମାନନ୍ତି ଏବଂ ଯିହୋବା ଓ ତାଙ୍କ ସଂଗଠନର ବିଶ୍ୱସ୍ତ ରହନ୍ତି, ତେବେ ଭରସା ରଖନ୍ତୁ ଯେ ଯିହୋବା ଆପଣଙ୍କୁ ଅନେକ ଆଶିଷଗୁଡ଼ିକ ଦେବେ ।—ଗୀତ. ୧୮:୨୫.

ସବୁ କଥାରେ ସଚେତନ ରହନ୍ତୁ

୧୫. ଯେବେ ମଣ୍ଡଳୀରେ କିଛି ସମସ୍ୟା ସୃଷ୍ଟି ହୁଏ, ତେବେ ମଧ୍ୟ ଆମେ କିପରି ବୁଝିବିଚାରି କାମ କରିପାରିବା ?

୧୫ ଯୁଗାନ୍ତ ଯେତେ ପାଖେଇ ଆସୁଛି, ହୁଏତ ମଣ୍ଡଳୀରେ ଏପରି କିଛି ପରିସ୍ଥିତି ସୃଷ୍ଟି ହେବ, ଯାହାଯୋଗୁଁ ଆମକୁ ଯିହୋବା ଓ ତାଙ୍କ ସଂଗଠନର ବିଶ୍ୱସ୍ତ ରହିବା କଷ୍ଟ ଲାଗିପାରେ । ତେଣୁ ଏହା ବହୁତ ଜରୁରୀ ଯେ ଆମେ ସଚେତନ ରହୁ ଏବଂ ବୁଝିବିଚାରି କାମ କରୁ । ଯଦି ଆପଣଙ୍କୁ ଲାଗେ ଯେ କୌଣସି ଭାଇ କିମ୍ବା ଭଉଣୀ ଆପଣଙ୍କ ସହ କିଛି ଖରାପ କରିଛନ୍ତି, ତେବେ ସେମାନଙ୍କ ପ୍ରତି ନିଜ ମନରେ ରାଗ ରଖନ୍ତୁ ନାହିଁ । ଯଦି ଆପଣଙ୍କୁ ସୁଧାର କରାଯାଏ, ତେବେ ହୁଏତ ଆପଣ ଲଜ୍ଜା ଅନୁଭବ କରିପାରନ୍ତି, କିନ୍ତୁ ସେବିଷୟରେ ବାରମ୍ବାର ଭାବନ୍ତୁ ନାହିଁ, ବରଂ ପରାମର୍ଶ ମାନନ୍ତୁ ଓ ନିଜଠାରେ ସୁଧାର କରନ୍ତୁ । ଆଉ ଯଦି ସଂଗଠନରେ କିଛି ପରିବର୍ତ୍ତନ ହୁଏ ଆଉ ତାହା ଆପଣଙ୍କୁ ମାନିବା କଠିନ ଲାଗେ, ତେବେ ମଧ୍ୟ ତାହା ମାନନ୍ତୁ ।

୧୬. ଆପଣ ଯିହୋବା ଓ ତାଙ୍କ ସଂଗଠନ ଉପରେ କିପରି ଲଗାତାର ଭରସା କରିପାରିବେ ?

୧୬ ଯେବେ ସମସ୍ୟା ଆସେ, ତେବେ ମଧ୍ୟ ଆପଣ ଯିହୋବା ଓ ତାଙ୍କ ସଂଗଠନର ବିଶ୍ୱସ୍ତ ରହିପାରିବେ ଏବଂ ସେମାନଙ୍କ ଉପରେ ଭରସା କରିପାରିବେ । କିନ୍ତୁ ଏପରି କରିବା ପାଇଁ ଆପଣଙ୍କୁ ସଚେତନ ରହିବାକୁ ପଡ଼ିବ, ଶାନ୍ତ ରହିବାକୁ ପଡ଼ିବ, ବୁଝିବିଚାରି କାମ କରିବାକୁ ପଡ଼ିବ ଏବଂ ମାମଲାକୁ ଯିହୋବାଙ୍କ ଦୃଷ୍ଟିରେ ଦେଖିବା ପାଇଁ ଚେଷ୍ଟା କରିବାକୁ ପଡ଼ିବ । ବାଇବଲରେ ଯିହୋବାଙ୍କ ସେହି ସେବକମାନଙ୍କ ବିଷୟରେ ପଢ଼ନ୍ତୁ, ଯେଉଁମାନେ ଆପଣଙ୍କ ଭଳି ପରିସ୍ଥିତିର ସାମନା କରିଥିଲେ ଏବଂ ଭାବନ୍ତୁ ଯେ ଆପଣ ସେମାନଙ୍କଠାରୁ କʼଣ ଶିଖିପାରିବେ । ସାହାଯ୍ୟ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଏବଂ ଭାଇଭଉଣୀମାନଙ୍କ ସହିତ ମିଳାମିଶା କରିବା ଛାଡ଼ନ୍ତୁ ନାହିଁ । ଏପରି କଲେ ଶୟତାନ ଆପଣଙ୍କୁ ଯିହୋବା ଓ ତାଙ୍କ ସଂଗଠନଠାରୁ କେବେ ବି ଅଲଗା କରିପାରିବ ନାହିଁ ।—ଯାକୁ. ୪:୭.

ଗୀତ ୧୨୬ ଜାଗତେ ରାହୋ, ଶାକ୍ତିଶାଳୀ ବାନତେ ଜାଓ

a ଅନେକଥର ମଣ୍ଡଳୀ ବା ସଂଗଠନରେ ଏପରି କିଛି ପରିସ୍ଥିତି ସୃଷ୍ଟି ହୁଏ ଯାହା ଯୋଗୁଁ ଯିହୋବା ଓ ତାଙ୍କ ସଂଗଠନର ବିଶ୍ୱସ୍ତ ରହିବା ଆମକୁ କଷ୍ଟକର ଲାଗେ । ଏହି ଲେଖାରେ ଆମେ ଏପରି ହିଁ ତିନୋଟି ପରିସ୍ଥିତି ଉପରେ ଧ୍ୟାନ ଦେବା ଓ ଜାଣିବା ଯେ ଏପରି ସମୟରେ ଆମେ ଯିହୋବା ଓ ତାଙ୍କ ସଂଗଠନର କିପରି ବିଶ୍ୱସ୍ତ ରହିପାରିବା ।

b ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

c ୧୫ ଅଗଷ୍ଟ, ୨୦୦୯ ପ୍ରହରୀଦୁର୍ଗର (ହିନ୍ଦୀ) ପୃଷ୍ଠା ୩୦ରେ ଦିଆଯାଇଥିବା “କ୍ୟା ଆପ୍‌ ପେହେଲେ ସେୱା କରତେ ଥେ ? କ୍ୟା ଆପ୍‌ ଦୋବାରା ସେବା କରନା ଚାହେଙ୍ଗେ ?” ଲେଖାରେ ଆହୁରି କିଛି ଭଲ ପରାମର୍ଶ ଦିଆଯାଇଛି ।

d ମୋଶାଙ୍କ ବ୍ୟବସ୍ଥା ଅନୁସାରେ ଯଦି କୌଣସି ପରିବାରର ମୁଖିଆକୁ କୌଣସି ପଶୁର ମାଂସ ଖାଇବା ପାଇଁ ତାକୁ କାଟିବାର ଥିଲା, ତାହେଲେ ତାକୁ ସେହି ପଶୁକୁ ପବିତ୍ର ସ୍ଥାନକୁ ନେବାର ଥିଲା । କିନ୍ତୁ ଯଦି କାହାରି ଘର ପବିତ୍ର ସ୍ଥାନରୁ ବହୁତ ଦୂରରେ ଥିଲା, ତାହେଲେ ତାକୁ ପବିତ୍ର ସ୍ଥାନକୁ ଯିବାର ଆବଶ୍ୟକ ନ ଥିଲା ।—ଦ୍ୱିବି. ୧୨:୨୧.