इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୫

ଯିହୋବାଙ୍କ ସାହାଯ୍ୟରେ ଆମେ ଭଲଭାବେ ପ୍ରଚାର କରିପାରିବା !

ଯିହୋବାଙ୍କ ସାହାଯ୍ୟରେ ଆମେ ଭଲଭାବେ ପ୍ରଚାର କରିପାରିବା !

‘ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍‌ବକ୍ତା ଉପସ୍ଥିତ ହୋଇଥିଲେ ବୋଲି ଜ୍ଞାତ ହେବେ ।’—ଯିହି. ୨:୫.

ଗୀତ ୬୭ “ୱାଚାନ୍‌ କା ପ୍ରାଚାର କାର୍‌”

ଲେଖାର ଝଲକ a

୧. (କ) ଯେବେ ଆମେ ଲୋକମାନଙ୍କୁ ପ୍ରଚାର କରୁ, ତେବେ କʼଣ ହୋଇପାରେ ? (ଖ) କିନ୍ତୁ ଆମେ କେଉଁ କଥାର ଭରସା କରିପାରିବା ?

 ଯେବେ ଆମେ ଲୋକମାନଙ୍କୁ ପ୍ରଚାର କରୁ, ତେବେ ଅନେକଥର ସେମାନେ ଆମର ବିରୋଧ କରନ୍ତି । ଆମେ ଏହା ଦେଖି ଚକିତ ହେବା ଉଚିତ୍‌ ନୁହେଁ, କାରଣ ଆଗକୁ ଯାଇ ଆମ ସହ ଏପରି ଆହୁରି ହେବ । (ଦାନି. ୧୧:୪୪; ୨ ତୀମ. ୩:୧୨; ପ୍ରକା. ୧୬:୨୧) କିନ୍ତୁ ଆମେ ଭରସା ରଖିପାରିବା ଯେ ଏପରି ସମୟରେ ଯିହୋବା ଆମକୁ ସାହାଯ୍ୟ କରିବେ । ସେ ଯେବେ ବି ନିଜ ସେବକମାନଙ୍କୁ କୌଣସି ଦାୟିତ୍ୱ ଦିଅନ୍ତି, ତେବେ ତାହାକୁ ପୂରା କରିବା ପାଇଁ ସେମାନଙ୍କୁ ସାହାଯ୍ୟ ବି କରନ୍ତି । ପ୍ରାଚୀନ ସମୟରେ ଯିହୋବାଙ୍କ ଅନେକ ସେବକମାନଙ୍କୁ ନିଜ ଦାୟିତ୍ୱ ତୁଲାଇବା କଷ୍ଟ ଲାଗିଲା । କିନ୍ତୁ ଯିହୋବାଙ୍କ ସାହାଯ୍ୟରେ ସେମାନେ ତାହା ତୁଲାଇପାରିଲେ । ସେମଧ୍ୟରୁ ଜଣେ ଥିଲେ ଭବିଷ୍ୟଦ୍‌ବକ୍ତା ଯିହିଜିକଲ । ତାଙ୍କୁ ସେହି ଯିହୁଦୀମାନଙ୍କୁ ପ୍ରଚାର କରିବାର ଥିଲା ଯେଉଁମାନଙ୍କୁ ବାବିଲରେ ବନ୍ଦୀ କରି ଅଣାଯାଇଥିଲା । ଆସନ୍ତୁ ଦେଖିବା ଯେ ଯିହୋବା କିପରି ତାଙ୍କୁ ସାହାଯ୍ୟ କଲେ ।

୨. (କ) ଯିହିଜିକଲଙ୍କୁ ଯେଉଁ ଲୋକମାନଙ୍କୁ ପ୍ରଚାର କରିବାର ଥିଲା, ସେମାନଙ୍କ ବିଷୟରେ ଯିହୋବା କʼଣ କହିଲେ ? (ଯିହିଜିକଲ ୨:୩-୬) (ଖ) ଏହି ଲେଖାରେ ଆମେ କʼଣ ଜାଣିବା ?

ଯିହିଜିକଲଙ୍କୁ ଯେଉଁ ଲୋକଙ୍କୁ ପ୍ରଚାର କରିବାର ଥିଲା, ସେମାନେ କିପରି ଲୋକ ଥିଲେ ? ଯିହୋବା ସେମାନଙ୍କ ବିଷୟରେ କହିଲେ ଯେ ସେମାନେ “ନିର୍ଲଜ୍ଜମୁଖ,” “କଠିନଚିତ୍ତ” ଓ “ବିଦ୍ରୋହୀ” ଅଟନ୍ତି । ସେମାନେ କଣ୍ଟକ ତୁଲ୍ୟ ଓ କଙ୍କଡ଼ାବିଛାମାନଙ୍କ ଭଳି ଥିଲେ । ତେଣୁ ଯିହୋବା ଯିହିଜିକଲଙ୍କୁ ଅନେକଥର କହିଲେ, ‘ସେମାନଙ୍କୁ ଭୀତ ହେବ ନାହିଁ ।’ (ଯିହିଜିକଲ ୨:୩-୬ ପଢ଼ନ୍ତୁ ।) ଏହି ଲେଖାରେ ଆମେ ଜାଣିବା ଯେ ଯିହିଜିକଲ ଲୋକମାନଙ୍କୁ ଭଲଭାବେ ପ୍ରଚାର କରିପାରିଲେ, କାରଣ (୧) ଯିହୋବା ତାଙ୍କୁ ପଠାଇଥିଲେ, (୨) ଯିହୋବା ତାଙ୍କୁ ନିଜ ପବିତ୍ର ଶକ୍ତି ଦେଇଥିଲେ ଓ (୩) ଯିହୋବା ନିଜ କଥାରୁ ତାଙ୍କ ବିଶ୍ୱାସ ବଢ଼ାଇଥିଲେ । ଆମେ ଏହା ବି ଜାଣିବା ଯେ ଆଜି ଏହି କଥାଗୁଡ଼ିକୁ ଧ୍ୟାନରେ ରଖିଲେ ଆମେ କିପରି ଭଲଭାବେ ପ୍ରଚାର କରିପାରିବା ।

ଯିହିଜିକଲଙ୍କୁ ଯିହୋବା ପଠାଇଥିଲେ

୩. ଯିହୋବା କିପରି ଯିହିଜିକଲଙ୍କ ସାହସ ବଢ଼ାଇଲେ ଓ ତାଙ୍କୁ ଭରସା ଦେଲେ ଯେ ସେ ତାଙ୍କୁ ସାହାଯ୍ୟ କରିବେ ?

ଯିହୋବା ଯିହିଜିକଲଙ୍କୁ କହିଥିଲେ, ‘ଆମ୍ଭେ ତୁମ୍ଭକୁ ପ୍ରେରଣ କରୁଅଛୁ ।’ (ଯିହି. ୨:୩, ୪) ଏହା ଶୁଣି ଯିହିଜିକଲଙ୍କୁ ବହୁତ ସାହସ ମିଳିଥିବ । ହୁଏତ ତାଙ୍କୁ ମନେ ପଡ଼ିଥିବ ଯେ ଯେବେ ଯିହୋବା ମୋଶା ଓ ଯିଶାଇୟଙ୍କୁ ଭବିଷ୍ୟଦ୍‌ବକ୍ତାର କାମ ଦେଇଥିଲେ, ତେବେ ସେ ସେମାନଙ୍କୁ ଏପରି ହିଁ କିଛି କହିଥିଲେ । (ଯାତ୍ରା. ୩:୧୦; ଯିଶା. ୬:୮) ସେ ଏହା ବି ଜାଣିଥିଲେ ଯେ ତାଙ୍କୁ ଯେଉଁ କାମ ଦିଆଯାଇଥିଲା, ତାହା ସହଜ ନ ଥିଲା, କିନ୍ତୁ ଯିହୋବାଙ୍କ ସାହାଯ୍ୟରେ ସେମାନେ ତାହା ପୂରା କରିପାରିଲେ । ତେଣୁ ଯେବେ ଯିହୋବା ଯିହିଜିକଲଙ୍କୁ ଦୁଇଥର କହିଲେ, ‘ଆମ୍ଭେ ତୁମ୍ଭକୁ ପ୍ରେରଣ କରୁଅଛୁ,’ ତେବେ ତାଙ୍କୁ ପୂରା ଭରସା ହୋଇଗଲା ଯେ ଯିହୋବା ତାଙ୍କ ସାଙ୍ଗରେ ଅଛନ୍ତି ଓ ତାଙ୍କୁ ସାହାଯ୍ୟ କରିବେ । ଯିହିଜିକଲ ବହିରେ ବି ଏହି ଶବ୍ଦ ଅନେକଥର ଲେଖା ହୋଇଛି: “ସଦାପ୍ରଭୁଙ୍କର ବାକ୍ୟ ମୋʼ ନିକଟରେ ଉପସ୍ଥିତ ହେଲା ।” (ଯିହି. ୩:୧୬) ଆଉ ଯିହିଜିକଲ ଅନେକଥର ଏପରି ବି ଲେଖିଲେ, ‘ସଦାପ୍ରଭୁଙ୍କର ଏହି ବାକ୍ୟ ଆଉଥରେ ମୋʼ ନିକଟରେ ଉପସ୍ଥିତ ହେଲା ।’ (ଯିହି. ୬:୧) ଏଥିରୁ ଜଣାପଡ଼େ ଯେ ଯିହିଜିକଲଙ୍କୁ ପୂରା ଭରସା ଥିଲା ଯେ ଯିହୋବା ହିଁ ତାଙ୍କୁ ଏହି କାମ କରିବା ପାଇଁ ପଠାଇଛନ୍ତି । ତାʼଛଡ଼ା ଆମେ ଜାଣୁ ଯେ ଯିହିଜିକଲଙ୍କ ପିତା ଜଣେ ଯାଜକ ଥିଲେ । ସେ ନିଶ୍ଚୟ ଯିହିଜିକଲଙ୍କୁ କହିଥିବେ ଯେ ଯିହୋବା ସବୁବେଳେ ନିଜ ଭବିଷ୍ୟଦ୍‌ବକ୍ତାମାନଙ୍କୁ ଭରସା ଦିଅନ୍ତି ଯେ ସେ ସେମାନଙ୍କୁ ସାହାଯ୍ୟ କରିବେ । ଯେପରି, ଯିହୋବା ଇସ୍‌ହାକ, ଯାକୁବ ଓ ଯିରିମୀୟଙ୍କୁ କହିଥିଲେ ଯେ ସେ ତାଙ୍କ ସାଙ୍ଗରେ ଅଛନ୍ତି ।—ଆଦି. ୨୬:୨୪; ୨୮:୧୫; ଯିରି. ୧:୮.

୪. ଯିହିଜିକଲଙ୍କୁ କʼଣ ଶୁଣି ବହୁତ ସାନ୍ତ୍ୱନା ମିଳିଥିବ ?

ଯିହୋବା ଯିହିଜିକଲଙ୍କୁ ଏହା ବି କହିଥିଲେ ଯେ ଯେବେ ସେ ଲୋକମାନଙ୍କୁ ପ୍ରଚାର କରିବେ, ତେବେ ଅଧିକାଂଶ ଲୋକେ କʼଣ କରିବେ । ଯିହୋବା କହିଲେ, ‘ଇସ୍ରାଏଲ-ବଂଶ ତୁମ୍ଭ କଥା ଶୁଣିବେ ନାହିଁ; କାରଣ ସେମାନେ ମୋ କଥା ଶୁଣିବେ ନାହିଁ ।’ (ଯିହି. ୩:୭) ଏହା ଶୁଣି ଯିହିଜିକଲ ବୁଝିଯାଇଥିବେ ଯେ ଯେବେ ଲୋକମାନେ ତାଙ୍କ କଥା ଶୁଣିବେ ନାହିଁ, ତେବେ ପ୍ରକୃତରେ ସେମାନେ ଯିହୋବାଙ୍କ କଥା ଶୁଣୁ ନ ଥିବେ । ତାʼ ଅର୍ଥ ଏହା ନ ଥିଲା ଯେ ଯିହିଜିକଲ ନିଜ କାମ ଭଲଭାବେ କରିପାରନ୍ତେ ନାହିଁ । ଯିହୋବା ଯିହିଜିକଲଙ୍କୁ ଏହା ବି କହିଲେ ଯେ ଆଗକୁ ଯାଇ ଯେବେ ସେ ସେମାନଙ୍କୁ ଦଣ୍ଡ ଦେବେ, ତେବେ ସେମାନେ ଜାଣିପାରିବେ ଯେ ‘ସେମାନଙ୍କ ମଧ୍ୟରେ ଜଣେ ଭବିଷ୍ୟଦ୍‌ବକ୍ତା ଉପସ୍ଥିତ ହୋଇଥିଲେ ।’ (ଯିହି. ୨:୫; ୩୩:୩୩) ଏଥିରୁ ଯିହିଜିକଲଙ୍କୁ ସାନ୍ତ୍ୱନା ମିଳିଥିବ ଆଉ ଯିହୋବା ତାଙ୍କୁ ଯେଉଁ କାମ ଦେଇଥିଲେ ତାହା ପୂରା କରିବା ପାଇଁ ସାହସ ମିଳିଥିବ ।

ଆମକୁ ବି ଯିହୋବା ପଠାଇଛନ୍ତି

ଯିହିଜିକଲଙ୍କ ଭଳି ହୁଏତ ଲୋକମାନେ ଆମ ସନ୍ଦେଶ ଉପରେ ଧ୍ୟାନ ଦେବେ ନାହିଁ କିମ୍ବା ଆମ ବିରୋଧ କରିବେ, କିନ୍ତୁ ଆମେ ମନେ ରଖିପାରିବା ଯେ ଯିହୋବା ଆମ ସାହାଯ୍ୟ କରିବେ (ପାରାଗ୍ରାଫ ୫-୬)

୫. ଯିଶାଇୟ ୪୪:୮ ପଦ ମୁତାବକ ଆମକୁ କେଉଁ କଥାରୁ ସାହସ ମିଳିପାରେ ?

ଯିହିଜିକଲଙ୍କ ଭଳି ଆମକୁ ବି ଯିହୋବା ପ୍ରଚାର କରିବା ପାଇଁ ପଠାଇଛନ୍ତି । ଏହା ଭାବି ଆମକୁ ବହୁତ ସାହସ ମିଳେ । ଆଉ ଟିକେ ଭାବି ଦେଖନ୍ତୁ, ଏହା କେତେ ବଡ଼ କଥା ଯେ ସେ ଆମକୁ ନିଜ “ସାକ୍ଷୀ” ବୋଲି କହିଛନ୍ତି । (ଯିଶା. ୪୩:୧୦) କିନ୍ତୁ ଯେବେ ଆମେ ଲୋକମାନଙ୍କୁ ପ୍ରଚାର କରିବା ପାଇଁ ଯାଉ, ତେବେ ଅନେକଥର ସେମାନେ ଆମର ବିରୋଧ କରନ୍ତି । ଏପରି ସମୟରେ ଆମକୁ ଡରିବା ଉଚିତ୍‌ ନୁହେଁ । ଆମକୁ ମନେ ରଖିବା ଉଚିତ୍‌ ଯେ ଯିହୋବା ହିଁ ଆମକୁ ପଠାଇଛନ୍ତି ଆଉ ସେ ଆମ ସାଙ୍ଗରେ ଅଛନ୍ତି । ଯେପରି ଯିହୋବା ଯିହିଜିକଲଙ୍କୁ କହିଥିଲେ, ‘ତୁମ୍ଭେ ସେମାନଙ୍କୁ ଭୀତ ହେବ ନାହିଁ’ ସେହିଭଳି ସେ ଆମକୁ ବି କହନ୍ତି, “ତୁମ୍ଭେମାନେ କମ୍ପିତ କିଅବା ଭୀତ ହୁଅ ନାହିଁ ।”ଯିଶାଇୟ ୪୪:୮ ପଢ଼ନ୍ତୁ ।

୬. (କ) ଯିହୋବା ଆମକୁ କʼଣ ପ୍ରତିଜ୍ଞା କରିଛନ୍ତି ? (ଖ) ଆମକୁ କେଉଁ କଥାରୁ ସାହସ ଓ ସାନ୍ତ୍ୱନା ମିଳେ ?

ଯିହୋବା ଆମକୁ ଭରସା ଦେଇଛନ୍ତି ଯେ ସେ ଆମକୁ ସାହାଯ୍ୟ କରିବେ । ସେ କେବଳ ଏହା କହି ନାହାନ୍ତି ଯେ ଆମେ ତାଙ୍କ ସାକ୍ଷୀ ଅଟୁ, ବରଂ ସେ ଆମକୁ ଏହା ବି ପ୍ରତିଜ୍ଞା କରିଛନ୍ତି, “ତୁମ୍ଭେ ଜଳ ମଧ୍ୟ ଦେଇ ଯିବା ବେଳେ ଆମ୍ଭେ ତୁମ୍ଭର ସଙ୍ଗୀ ହେବା ନଦନଦୀ ମଧ୍ୟରେ ଗମନ କଲେ, ସେସବୁ ତୁମ୍ଭକୁ ମଗ୍ନ କରିବ ନାହିଁ; ତୁମ୍ଭେ ଅଗ୍ନି ମଧ୍ୟରେ ଗମନ କରିବା ବେଳେ ଦଗ୍ଧ ନୋହିବ, କିଅବା ଅଗ୍ନିଶିଖା ତୁମ୍ଭର ଦାହ ଜନ୍ମାଇବ ନାହିଁ ।” (ଯିଶା. ୪୩:୨) ଯେବେ ଆମେ ଲୋକମାନଙ୍କୁ ପ୍ରଚାର କରୁ, ତେବେ ଅନେକଥର ଆମ ସାମନାରେ ନଦୀ ଭଳି ସମସ୍ୟାଗୁଡ଼ିକ ଆସେ କିମ୍ବା ଆମକୁ ନିଆଁ ଭଳି ପରୀକ୍ଷାଗୁଡ଼ିକର ସାମନା କରିବାକୁ ପଡ଼େ । (ଯିଶା. ୪୧:୧୩) କିନ୍ତୁ ଯିହୋବାଙ୍କ ସାହାଯ୍ୟରେ ଆମେ ଏଗୁଡ଼ିକୁ ପାର କରିପାରୁ ଆଉ ପ୍ରଚାର କରିବା ଜାରି ରଖୁ । ଆଉ ଅନେକଥର ଲୋକମାନେ ଆମ କଥା ଶୁଣନ୍ତି ନାହିଁ, ଯେପରି ସେମାନେ ଯିହିଜିକଲଙ୍କ ଶୁଣି ନ ଥିଲେ । କିନ୍ତୁ ତାʼ ଅର୍ଥ ଏହା ନୁହେଁ ଯେ ଆମେ ନିଜ କାମ ଭଲଭାବେ କଲୁ ନାହିଁ । ଆମେ ମନେ ରଖିପାରିବା ଯେ ଯିହୋବା ଏହା ଦେଖି ଖୁସି ହୁଅନ୍ତି ଯେ ଆମେ ଏତେ ସମସ୍ୟା ଆସିବା ସତ୍ତ୍ୱେ ମଧ୍ୟ ପ୍ରଚାର କାମରେ ଲାଗି ରହିଛୁ ଆଉ କେତେ ପରିଶ୍ରମ କରୁଛୁ । ପାଉଲ ବି କହିଥିଲେ, “ପ୍ରତ୍ୟେକ ଜଣ ଆପଣା ପରିଶ୍ରମ ଅନୁସାରେ ନିଜର ପୁରସ୍କାର ପାଇବ ।” (୧ କରି. ୩:୮; ୪:୧, ୨) ଏହି କଥାରୁ ଆମକୁ କେତେ ସାହସ ଓ ସାନ୍ତ୍ୱନା ମିଳେ । ଜଣେ ଭଉଣୀ ବହୁତ ସମୟରୁ ଅଗ୍ରଦୂତ ସେବା କରୁଛନ୍ତି, ସେ ମଧ୍ୟ କହିଲେ, “ମୋତେ ଏହା ଭାବି ବହୁତ ଖୁସି ଲାଗେ ଯେ ଯିହୋବା ଆମ ପରିଶ୍ରମ ଉପରେ ଧ୍ୟାନ ଦିଅନ୍ତି ଆଉ ଏହି ପରିଶ୍ରମକୁ ଦେଖି ସେ ଆମକୁ ପୁରସ୍କାର ଦିଅନ୍ତି ।”

ଯିହୋବା ଯିହିଜିକଲଙ୍କୁ ପବିତ୍ର ଶକ୍ତି ଦେଲେ

ଯେବେ ଯିହିଜିକଲ ଗୋଟିଏ ଦର୍ଶନରେ ଯିହୋବାଙ୍କ ସ୍ୱର୍ଗୀୟ ରଥକୁ ଦେଖିଲେ, ତେବେ ତାଙ୍କୁ ଭରସା ହୋଇଗଲା ଯେ ଯିହୋବା ତାଙ୍କୁ ପ୍ରଚାର କରିବା ପାଇଁ ସାହାଯ୍ୟ କରିବେ (ପାରାଗ୍ରାଫ ୭)

୭. ଯେବେ ବି ଯିହିଜିକଲ ଯିହୋବାଙ୍କ ସ୍ୱର୍ଗୀୟ ରଥର ଦର୍ଶନ ବିଷୟରେ ଭାବୁଥିବେ, ତେବେ ତାଙ୍କୁ କିପରି ଲାଗୁଥିବ ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

ଯିହିଜିକଲ ଗୋଟିଏ ଦର୍ଶନରେ ଦେଖିଲେ ଯେ ଯିହୋବାଙ୍କ ପବିତ୍ର ଶକ୍ତି କʼଣ କʼଣ କରିପାରିବ । ସେହି ଦର୍ଶନରେ ସେ ଦେଖିଲେ ଯେ ସ୍ୱର୍ଗଦୂତମାନେ ଯାହା ବି କରୁଥିଲେ, ତାହା ପବିତ୍ର ଶକ୍ତି ଯୋଗୁଁ ହିଁ କରୁଥିଲେ । ଆଉ ସ୍ୱର୍ଗୀୟ ରଥର ବଡ଼ ବଡ଼ ଚକ୍ର ବା ଚକ ମଧ୍ୟ ପବିତ୍ର ଶକ୍ତି ସାହାଯ୍ୟରେ ହିଁ ଆଗକୁ ବଢ଼ୁଥିଲା । (ଯିହି. ୧:୨୦, ୨୧) ଏହି ଦର୍ଶନ ଦେଖି ଯିହିଜିକଲ ଏତେ ଆଶ୍ଚର୍ଯ୍ୟ ହୋଇଗଲେ ଯେ ତାʼପରେ ସେ ‘ମୁହଁ ମାଡ଼ି ପଡ଼ିଲେ ।’ (ଯିହି. ୧:୨୮) ଯେବେ ବି ଏହି ଦର୍ଶନ ବିଷୟରେ ସେ ଭାବୁଥିବେ, ତେବେ ତାଙ୍କ ସାହସ ବଢ଼ି ଯାଉଥିବ । ତାଙ୍କୁ ଭରସା ହୋଇଯାଉଥିବ ଯେ ପବିତ୍ର ଶକ୍ତି ସାହାଯ୍ୟରେ ସେ ନିଜ କାମକୁ ବି ପୂରା କରିପାରିବେ ।

୮-୯. (କ) ଯେବେ ଯିହୋବା ଯିହିଜିକଲଙ୍କୁ ଠିଆ ହେବା ପାଇଁ କହିଲେ, ତେବେ କʼଣ ହେଲା ? (ଖ) ଯିହୋବା ଯିହିଜିକଲଙ୍କୁ କଠିନଚିତ୍ତ ଲୋକମାନଙ୍କୁ ପ୍ରଚାର କରିବା ପାଇଁ କିପରି ସାହାଯ୍ୟ କଲେ ?

ଯିହୋବା ଏହି ଦର୍ଶନ ଦେଖାଇବା ପରେ ଯିହିଜିକଲଙ୍କୁ କହିଲେ, “ହେ ମନୁଷ୍ୟ-ସନ୍ତାନ, ତୁମ୍ଭେ ଆପଣା ଚରଣରେ ଠିଆ ହୁଅ, ଆମ୍ଭେ ତୁମ୍ଭ ସଙ୍ଗେ କଥା କହିବା ।” ତାʼପରେ କʼଣ ହେଲା ? ଯିହିଜିକଲ ଲେଖିଲେ, ‘ପବିତ୍ର ଶକ୍ତି ତାଙ୍କ ମଧ୍ୟରେ ପ୍ରବେଶ କଲା’ ଆଉ ତାଙ୍କୁ ଏତେ ଶକ୍ତି ଦେଲା ଯେ ସେ ନିଜ ‘ଚରଣରେ ଠିଆ ହୋଇପାରିଲେ ।’ (ଯିହି. ୨:୧, ୨) ତାʼପରେ ମଧ୍ୟ ଯିହୋବା ଯିହିଜିକଲଙ୍କ ଉପରେ ପବିତ୍ର ଶକ୍ତି ଦେଲେ ଆଉ ତାଙ୍କୁ କହିଲେ ଯେ ତାଙ୍କୁ କʼଣ କରିବାର ଅଛି । ଏହି କାରଣ ଯୋଗୁଁ ଯିହିଜିକଲ ଅନେକଥର ଲେଖିଲେ ଯେ ଯିହୋବାଙ୍କ “ହସ୍ତ” ତାଙ୍କ ଉପରେ ଆସିଲା । (ଯିହି. ୩:୨୨; ୮:୧; ୩୩:୨୨; ୩୭:୧; ୪୦:୧) ପବିତ୍ର ଶକ୍ତି ତାଙ୍କୁ ଏତେ ସାହସ ମଧ୍ୟ ଦେଲା ଯେ ସେ “କଠିନଚିତ୍ତ” ଲୋକମାନଙ୍କୁ ପ୍ରଚାର କରିପାରିଲେ । (ଯିହି. ୩:୭) ଯିହୋବା ଯିହିଜିକଲଙ୍କୁ କହିଲେ, ‘ଆମ୍ଭେ ସେମାନଙ୍କ ମୁଖରୁ ପ୍ରତିକୂଳରେ ତୁମ୍ଭର ମୁଖ ଓ ସେମାନଙ୍କ କପାଳର ପ୍ରତିକୂଳରେ ତୁମ୍ଭର କପାଳ ଦୃଢ଼ କରିଅଛୁ । ଆମ୍ଭେ ଚକ୍‌ମକି ପ୍ରସ୍ତର ଅପେକ୍ଷା ଦୃଢ଼ ହୀରକ ତୁଲ୍ୟ ତୁମ୍ଭର କପାଳ କରିଅଛୁ; ସେମାନଙ୍କୁ ଭୟ କର ନାହିଁ, କିଅବା ସେମାନଙ୍କ ଚାହାଣିରେ ଉଦ୍‌ବିଗ୍ନ ହୁଅ ନାହିଁ ।’ (ଯିହି. ୩:୮,୯) ଯେପରି ଯିହୋବା ସେମାନଙ୍କୁ କହୁଥିଲେ, ‘ଏହି କଠିନଚିତ୍ତ ଲୋକମାନଙ୍କ କଥା ଶୁଣି ନିରାଶ ହେବ ନାହିଁ । ମୁଁ ଅଛି, ମୁଁ ତମକୁ ସାହସ ଦେବି !’

ତାʼପରେ ଯିହୋବାଙ୍କ ଶକ୍ତି ଯିହିଜିକଲଙ୍କୁ ସେହି ଅଞ୍ଚଳରେ ନେଲା, ଯେଉଁଠି ତାଙ୍କୁ ପ୍ରଚାର କରିବାର ଥିଲା । ସେ କହିଲେ, “ସଦାପ୍ରଭୁଙ୍କର ହସ୍ତ ମୋʼ ଉପରେ ପ୍ରବଳ ଥିଲା ।” ତାʼ ଅର୍ଥ, ଯିହୋବାଙ୍କ ପବିତ୍ର ଶକ୍ତି ସାହାଯ୍ୟରେ ଯିହିଜିକଲ ଲୋକମାନଙ୍କୁ ଈଶ୍ୱରଙ୍କ ସନ୍ଦେଶ ଶୁଣାଇବା ପାଇଁ ନିଜକୁ ପ୍ରସ୍ତୁତ କରିପାରନ୍ତେ । ତାଙ୍କୁ ନିଜେ ବି ସେହି ସନ୍ଦେଶକୁ ଭଲଭାବେ ବୁଝିବାର ଥିଲା, ତେବେ ସେ ଭଲଭାବେ ଲୋକମାନଙ୍କୁ ପ୍ରଚାର କରିପାରନ୍ତେ । ତେଣୁ ସେ ସାତ ଦିନ ଯାଏ ସେହି ଜାଗାରେ ରହିଲେ । (ଯିହି. ୩:୧୪, ୧୫) ତାʼପରେ ଯିହୋବା ତାଙ୍କୁ ଗୋଟିଏ ପଦାଭୂମି ଯିବାକୁ କହିଲେ ଯେଉଁଠି ‘ପବିତ୍ର ଶକ୍ତି ତାଙ୍କ ମଧ୍ୟରେ ପ୍ରବେଶ କଲା ।’ (ଯିହି. ୩:୨୩, ୨୪) ଏବେ ଯିହିଜିକଲ ଲୋକମାନଙ୍କୁ ପ୍ରଚାର କରିବା ପାଇଁ ପ୍ରସ୍ତୁତ ଥିଲେ !

ଯିହୋବା ଆମକୁ ବି ପବିତ୍ର ଶକ୍ତି ଦିଅନ୍ତି

ଯିହିଜିକଲଙ୍କ ଭଳି ଆଜି ଆମକୁ ବି ଭଲଭାବେ ପ୍ରଚାର କରିବା ପାଇଁ କାହାର ଆବଶ୍ୟକତା ରହିଛି ? (ପାରାଗ୍ରାଫ ୧୦)

୧୦. ପ୍ରଚାର କରିବା ପାଇଁ ଆମକୁ କʼଣ ସାହାଯ୍ୟ କରିପାରିବ ଏବଂ କାହିଁକି ?

୧0 ଯିହିଜିକଲଙ୍କୁ ପ୍ରଚାର କରିବା ପାଇଁ ଯିହୋବାଙ୍କ ପବିତ୍ର ଶକ୍ତି ଦରକାର ଥିଲା । ଆଜି ଆମେ ବି ଯିହୋବାଙ୍କ ପବିତ୍ର ଶକ୍ତି ସାହାଯ୍ୟରେ ହିଁ ଲୋକମାନଙ୍କୁ ପ୍ରଚାର କରିପାରୁ । କାହିଁକି ? କାରଣ ଶୟତାନ ଆମ ପ୍ରଚାର କାମକୁ ରୋକିବା ପାଇଁ ଆମ ସହିତ “ଯୁଦ୍ଧ” କରୁଛି । (ପ୍ରକା. ୧୨:୧୭) ଦେଖିବାକୁ ଗଲେ ଶୟତାନ ମଣିଷମାନଙ୍କଠାରୁ ଅଧିକ ଶକ୍ତିଶାଳୀ ଅଟେ । କିନ୍ତୁ ପ୍ରଚାର କରି ଆମେ ଦେଖାଉ ଯେ ଆମେ ଶୟତାନକୁ ଡରି ନ ଥାଉ । ତେଣୁ ଯେବେ ବି ଆମେ ପ୍ରଚାର କରୁ, ତେବେ ଶୟତାନ ହାରି ଯାଏ ଓ ଆମେ ଜିତିଯାଉ । (ପ୍ରକା. ୧୨:୯-୧୧) ଟିକେ ଭାବନ୍ତୁ, ଆଜି ଆମର କେତେ ବିରୋଧ ହେଉଛି, ତଥାପି ଆମେ ପ୍ରଚାର କରିବା ଜାରି ରଖିଛୁ । ଏଥିରୁ ଜଣାପଡ଼େ ଯେ ଯିହୋବା ଆମକୁ ପବିତ୍ର ଶକ୍ତି ଦେଉଛନ୍ତି ଓ ସେ ଆମଠୁ ଖୁସି ଅଛନ୍ତି ।—ମାଥି. ୫:୧୦-୧୨; ୧ ପିତ. ୪:୧୪.

୧୧. ପବିତ୍ର ଶକ୍ତି ସାହାଯ୍ୟରେ ଆମେ କʼଣ କରିପାରିବା ଓ ଏହାକୁ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୧୧ ମନେ ପକାନ୍ତୁ, କଠିନଚିତ୍ତ ଲୋକମାନଙ୍କୁ ପ୍ରଚାର କରିବା ପାଇଁ ଯିହୋବା ଯିହିଜିକଲଙ୍କୁ “ଦୃଢ଼” କରିଥିଲେ । ସେହିପରି ଯିହୋବା ପବିତ୍ର ଶକ୍ତି ଦେଇ ଆମକୁ ବି ଦୃଢ଼ କରିପାରିବେ ଯାହାଫଳରେ ପ୍ରଚାର କରିବା ସମୟରେ କୌଣସି ବି ସମସ୍ୟାର ଆମେ ସାମନା କରିପାରିବା । (୨ କରି. ୪:୭-୯) ତାହେଲେ ପବିତ୍ର ଶକ୍ତି ପାଇବା ପାଇଁ ଆମେ କʼଣ କରିବା ଉଚିତ୍‌ ? ଆମେ ଲଗାତାର ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌ ଆଉ ଭରସା ରଖିବା ଉଚିତ୍‌ ଯେ ସେ ଆମ ପ୍ରାର୍ଥନା ଶୁଣିବେ । ଯୀଶୁ ମଧ୍ୟ ନିଜ ଶିଷ୍ୟମାନଙ୍କୁ କହିଥିଲେ, ‘ମାଗ . . . ଖୋଜ . . . ଦ୍ୱାରରେ ମାର । ଯେଉଁ ପିତା ସ୍ୱର୍ଗରୁ ଦାନ କରନ୍ତି, ସେ ତାହାଙ୍କ ଛାମୁରେ ମାଗିବା ଲୋକମାନଙ୍କୁ କେତେ ଅଧିକ ରୂପେ ପବିତ୍ର ଶକ୍ତି ଦେବେ !’—ଲୂକ ୧୧:୯, ୧୩; ପ୍ରେରି. ୧:୧୪; ୨:୪.

ଯିହୋବାଙ୍କ କଥାଗୁଡ଼ିକରୁ ଯିହିଜିକଲଙ୍କ ବିଶ୍ୱାସ ବଢ଼ିଲା

୧୨. ଯିହିଜିକଲଙ୍କୁ ଯେଉଁ ଚର୍ମପତ୍ର ଦିଆଗଲା, ତାହା କେଉଁଠୁ ଆସିଥିଲା ଓ ସେଥିରେ କʼଣ ଲେଖାଥିଲା ? (ଯିହିଜିକଲ ୨:୯–୩:୩)

୧୨ ଯିହୋବା ଯିହିଜିକଲଙ୍କୁ ଲୋକମାନଙ୍କୁ ସାହସର ସହ ପ୍ରଚାର କରିବା ପାଇଁ ପବିତ୍ର ଶକ୍ତି ଦେଲେ । ତାʼଛଡ଼ା ସେ ନିଜ କଥାରୁ ତାଙ୍କ ବିଶ୍ୱାସ ମଧ୍ୟ ବଢ଼ାଇଲେ । ଯିହୋବା ଗୋଟିଏ ଦର୍ଶନ ଦେଖାଇଲେ, ଯେଉଁଥିରେ ଯିହିଜିକଲଙ୍କୁ ଗୋଟିଏ “ନଳାକାର ପୁସ୍ତକ” ବା ଚର୍ମପତ୍ର ଦିଆଗଲା । (ଯିହିଜିକଲ ୨:୯-୩:୩ ପଢ଼ନ୍ତୁ ।) ସେ ଚର୍ମପତ୍ର କେଉଁଠୁ ଆସିଲା ? ସେଥିରେ କʼଣ ଲେଖାଥିଲା ? ଆଉ ସେଥିରେ ଲେଖାଥିବା କଥାରୁ ଯିହିଜିକଲଙ୍କ ବିଶ୍ୱାସ କିପରି ବଢ଼ିଲା ? ଆସନ୍ତୁ ଏଗୁଡ଼ିକ ବିଷୟରେ ଜାଣିବା । ସେହି ଚର୍ମପତ୍ର ଯିହୋବାଙ୍କ ରାଜଗାଦିରୁ ଆସିଥିଲା । ଏହାପୂର୍ବେ ଯିହିଜିକଲ ଗୋଟିଏ ଦର୍ଶନରେ ଯେଉଁ ଚାରୋଟି ସ୍ୱର୍ଗଦୂତ ଦେଖିଥିଲେ, ହୁଏତ ସେମାନଙ୍କ ମଧ୍ୟରୁ ଜଣେ ଏହି ଚର୍ମପତ୍ର ଦେଲେ । (ଯିହି. ୧:୮; ୧୦:୭, ୨୦) ସେହି ଚର୍ମପତ୍ରରେ ଯିହୋବା ନ୍ୟାୟ ସନ୍ଦେଶ ଲେଖାଇଥିଲେ ଯାହା ଯିହିଜିକଲଙ୍କୁ ସେହି ବିଦ୍ରୋହୀ ଇସ୍ରାଏଲୀୟମାନଙ୍କୁ ଶୁଣାଇବାର ଥିଲା ଯେଉଁମାନଙ୍କୁ ବନ୍ଦୀ କରି ଅଣାଯାଇଥିଲା । (ଯିହି. ୨:୭) ଏହି ସନ୍ଦେଶ ଚର୍ମପତ୍ରର ଦୁଇ ପାର୍ଶ୍ୱରେ ଲେଖା ହୋଇଥିଲା ।

୧୩. ଯିହିଜିକଲଙ୍କୁ ଚର୍ମପତ୍ର ଦେବା ପରେ ଯିହୋବା ତାଙ୍କୁ କʼଣ କହିଲେ ଓ ତାହା ତାଙ୍କୁ କାହିଁକି ମଧୁ ପରି ଲାଗିଲା ?

୧୩ ଯିହୋବା ଯିହିଜିକଲଙ୍କୁ କହିଲେ ଯେ ସେ ସେହି ଚର୍ମପତ୍ରକୁ ଖାଇ ‘ଆପଣା ପେଟ ପୂର୍ଣ୍ଣ କରନ୍ତୁ ।’ ଯିହିଜିକଲ ଯିହୋବାଙ୍କ କଥା ମାନିଲେ ଆଉ ସେହି ଚର୍ମପତ୍ରକୁ ଖାଇ ପକାଇଲେ । ସେହି ଦର୍ଶନର ଅର୍ଥ ଥିଲା ଯେ ଯିହିଜିକଲଙ୍କୁ ସେହି ସନ୍ଦେଶ ଶୁଣାଇବା ପୂର୍ବରୁ ନିଜେ ତାକୁ ଭଲଭାବେ ବୁଝିବାର ଥିଲା, ତେବେ ସେ ପୂରା ଭରସାର ସହ ସେହି ବିଷୟରେ ଲୋକମାନଙ୍କୁ କହିପାରନ୍ତେ । ଆଉ ଯେବେ ଯିହିଜିକଲ ସେହି ଚର୍ମପତ୍ରକୁ ଖାଇବାକୁ ଲାଗିଲେ, ତେବେ ତାହା ତାଙ୍କୁ “ମଧୁ ପରି ଲାଗିଲା ।” (ଯିହି. ୩:୩) ତାʼର ଅର୍ଥ କʼଣ ଥିଲା ? ଯିହିଜିକଲଙ୍କୁ ସେହି ଚର୍ମପତ୍ର ମଧୁ ପରି ଲାଗିଲା, କାରଣ ସେ ବହୁତ ଖୁସି ଥିଲେ ଯେ ଯିହୋବା ତାଙ୍କୁ ନିଜ ସନ୍ଦେଶ ଶୁଣାଇବା ପାଇଁ ବାଛିଛନ୍ତି ।—ଗୀତ. ୧୯:୮-୧୧.

୧୪. ଲୋକମାନଙ୍କୁ ଯିହୋବାଙ୍କ ସନ୍ଦେଶ ଶୁଣାଇବା ପୂର୍ବରୁ ଯିହିଜିକଲଙ୍କୁ କʼଣ କରିବାର ଥିଲା ?

୧୪ ତାʼପରେ ଯିହୋବା ଯିହିଜିକଲଙ୍କୁ କହିଲେ, “ଆମ୍ଭେ ତୁମ୍ଭକୁ ଯାହା ଯାହା କହିବା, ଆମ୍ଭର ସେହିସବୁ କଥା ତୁମ୍ଭେ ଆପଣା ଅନ୍ତଃକରଣରେ ଗ୍ରହଣ କର ଓ ଆପଣା କର୍ଣ୍ଣରେ ଶ୍ରବଣ କର ।” (ଯିହି. ୩:୧୦) ଯିହୋବା ଚାହୁଁଥିଲେ ଯେ ଯିହିଜିକଲ ସେହି ଚର୍ମପତ୍ରରେ ଲେଖାଥିବା କଥାଗୁଡ଼ିକୁ ମନେ ରଖନ୍ତୁ ଆଉ ସେବିଷୟରେ ଭାବନ୍ତୁ ଆଉ ତାʼ ଉପରେ ଚିନ୍ତନ କରନ୍ତୁ । ଯେବେ ଯିହିଜିକଲ ଏପରି କଲେ ତେବେ ତାଙ୍କ ବିଶ୍ୱାସ ବଢ଼ିଲା ଓ ସେ ସେହି କଡ଼ା ସନ୍ଦେଶକୁ ବୁଝିପାରିଲେ ଯାହା ତାଙ୍କୁ ଲୋକମାନଙ୍କୁ ଶୁଣାଇବାର ଥିଲା । (ଯିହି. ୩:୧୧) ଯିହିଜିକଲ ଯିହୋବାଙ୍କ ସନ୍ଦେଶକୁ ନିଜ ମନ ଓ ହୃଦୟରେ ପୂରାଇ ଦେଇଥିଲେ ଆଉ ଏବେ ସେ ତାହା ପୂରା ବିଶ୍ୱାସର ସହ ଲୋକମାନଙ୍କୁ କହିବା ପାଇଁ ପ୍ରସ୍ତୁତ ଥିଲେ ।

ଯିହୋବାଙ୍କ କଥାଗୁଡ଼ିକରୁ ଆମର ବି ବିଶ୍ୱାସ ବଢ଼େ

୧୫. ସମସ୍ୟା ସତ୍ତ୍ୱେ ପ୍ରଚାର କରିବା ଜାରି ରଖିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୧୫ ଯିହିଜିକଲଙ୍କ ଭଳି ଆମକୁ ବି ଯିହୋବାଙ୍କ କଥାଗୁଡ଼ିକ ଉପରେ ଧ୍ୟାନ ଦେବାକୁ ପଡ଼ିବ ଓ ସେଗୁଡ଼ିକୁ ନିଜ “ଅନ୍ତଃକରଣରେ ଗ୍ରହଣ” ବା ହୃଦୟରେ ପୂରାଇବାକୁ ପଡ଼ିବ । ତେବେ ଆମର ବିଶ୍ୱାସ ବଢ଼ିବ ଓ ଆମେ ସମସ୍ୟା ସତ୍ତ୍ୱେ ପ୍ରଚାର କରିବା ଜାରି ରଖିପାରିବା । ଆଜି ଆମେ ତାଙ୍କ କଥାଗୁଡ଼ିକୁ, ତାଙ୍କ ବାକ୍ୟ ବାଇବଲ ପଢ଼ି ଜାଣିପାରିବା । କିନ୍ତୁ ଯଦି ଆମେ ଚାହୁଁ ଯେ ଆମ ଦୃଷ୍ଟିକୋଣ, ଆମ ଭାବନା ଆଉ ଆମେ ଯେଉଁ ଉଦ୍ଦେଶ୍ୟରେ କୌଣସି କାମ କରୁ, ତାହା ବାଇବଲ ମୁତାବକ ହେଉ, ତେବେ ଆମକୁ କʼଣ କରିବାକୁ ପଡ଼ିବ ?

୧୬. (କ) ଚର୍ମପତ୍ରର ଦର୍ଶନରୁ ଆମକୁ କʼଣ ଶିକ୍ଷା ମିଳେ ? (ଖ) ଆମେ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ଭଲଭାବେ ବୁଝିବା ପାଇଁ କʼଣ କରିପାରିବା ?

୧୬ ଯେବେ ଆମେ ଖାଦ୍ୟ ଖାଉ ଓ ତାକୁ ହଜମ କରୁ, ତେବେ ଆମକୁ ସେଥିରୁ ଶକ୍ତି ମିଳେ ଓ ଆମେ ଦୃଢ଼ ହୋଇପାରୁ । ସେହିଭଳି ଯେତେବେଳେ ଆମେ ବାଇବଲ ପଢ଼ୁ ଓ ତାʼ ଉପରେ ଚିନ୍ତନ କରୁ, ସେତେବେଳେ ଆମର ବିଶ୍ୱାସ ଦୃଢ଼ ହୁଏ । ଚର୍ମପତ୍ରର ସେହି ଦର୍ଶନରୁ ଆମେ ଏହା ହିଁ ଶିଖୁ । ଠିକ୍‌ ଯେପରି ଯିହିଜିକଲ ସେହି ଚର୍ମପତ୍ରରୁ ‘ଆପଣା ପେଟ ପୂର୍ଣ୍ଣ କରିଥିଲେ,’ ଠିକ୍‌ ସେହିପରି ଯିହୋବା ଚାହାନ୍ତି ଯେ ଆମେ ତାଙ୍କ ବାକ୍ୟରୁ ନିଜ ପେଟ ଭରୁ ଓ ତାହାକୁ ହଜମ କରୁ ଅର୍ଥାତ୍‌ ତାଙ୍କ ବାକ୍ୟକୁ ଭଲଭାବେ ବୁଝୁ । ଏପରି କରିବା ପାଇଁ ଆମକୁ ତିନୋଟି କାମ କରିବାକୁ ପଡ଼ିବ । ସବୁଠୁ ପ୍ରଥମେ ଆମକୁ ପ୍ରାର୍ଥନା କରିବାକୁ ପଡ଼ିବ ଯାହାଫଳରେ ଈଶ୍ୱରଙ୍କ କଥାଗୁଡ଼ିକୁ ବୁଝିବା ପାଇଁ ଆମେ ନିଜ ମନକୁ ପ୍ରସ୍ତୁତ କରିପାରିବା । ତାʼପରେ ଆମକୁ ବାଇବଲକୁ ଧ୍ୟାନର ସହ ପଢ଼ିବାକୁ ପଡ଼ିବ ଓ ତାʼପରେ ମଝି ମଝିରେ ଅଟକି ଚିନ୍ତନ କରିବାକୁ ପଡ଼ିବ ଓ ଧ୍ୟାନର ସହ ସେହି କଥାଗୁଡ଼ିକୁ ଭାବିବାକୁ ପଡ଼ିବ ଯାହା ଆମେ ପଢ଼ିଲୁ । ଆମେ ଯେତେ ଅଧିକ ଚିନ୍ତନ କରିବା, ସେତେ ଅଧିକ ବାଇବଲରେ ଲେଖାଥିବା କଥାଗୁଡ଼ିକୁ ବୁଝିପାରିବା ଓ ଆମ ବିଶ୍ୱାସ ଦୃଢ଼ ହେବ ।

୧୭. ବାଇବଲରେ ଲେଖାଥିବା କଥାଗୁଡ଼ିକ ଉପରେ ଚିନ୍ତନ କରିବା କାହିଁକି ଜରୁରୀ ଅଟେ ?

୧୭ ବାଇବଲ ପଢ଼ିବା ଓ ଚିନ୍ତନ କରିବା କାହିଁକି ଜରୁରୀ ଅଟେ ? ଏପରି କଲେ ଆଜି ଆମେ ସାହସର ସହ ପ୍ରଚାର କରିପାରିବା ଓ ଭବିଷ୍ୟତରେ ଯଦି ଲୋକମାନଙ୍କୁ ନ୍ୟାୟର କଡ଼ା ସନ୍ଦେଶ ଶୁଣାଇବାକୁ ପଡ଼ିବ, ତେବେ ବି ଆମେ ତାହା ଶୁଣାଇପାରିବା । ବାଇବଲ ଉପରେ ଚିନ୍ତନ କଲେ ଆମେ ଏହା ବି ଜାଣିପାରୁ ଯେ ଯିହୋବାଙ୍କ ଭିତରେ କʼଣ କʼଣ ଗୁଣ ରହିଛି ଓ ସେ କିପରି ଈଶ୍ୱର ଅଟନ୍ତି । ଏପରି କରି ଆମେ ଯିହୋବାଙ୍କ ଆହୁରି ନିକଟତର ହୋଇପାରିବା ଓ ଆମକୁ ମନର ଶାନ୍ତି ଓ ସନ୍ତୁଷ୍ଟି ମିଳିବ । ଏପରିକି ଆମ ଜୀବନ ମଧୁର ହୋଇଯିବ ।—ଗୀତ. ୧୧୯:୧୦୩.

ଯିହୋବାଙ୍କ ସାହାଯ୍ୟରେ ଆମେ ସମସ୍ୟା ଆସିଲେ ବି ପ୍ରଚାର କାମ ଜାରି ରଖିପାରିବା

୧୮. ଯେବେ ଲୋକମାନଙ୍କର ନ୍ୟାୟ କରାଯିବ, ତେବେ ସେମାନଙ୍କୁ କʼଣ ମାନିବାକୁ ପଡ଼ିବ ଓ କାହିଁକି ?

୧୮ ଆମେ ଯିହିଜିକଲଙ୍କ ଭଳି ଭବିଷ୍ୟଦ୍‌ବକ୍ତା ତ ନୁହଁ, କିନ୍ତୁ ଯିହୋବା ଆମକୁ ବି ଏପରି ହିଁ କିଛି କାମ ଦେଇଛନ୍ତି । ଆମକୁ ଲୋକମାନଙ୍କୁ ଯିହୋବାଙ୍କ ସନ୍ଦେଶ ଶୁଣାଇବାର ଅଛି ଆଉ ଆମକୁ ଏହି କାମ ସେସମୟ ଯାଏ କରିବାର ଅଛି ଯେବେ ଯାଏ ଯିହୋବାଙ୍କ ଦୃଷ୍ଟିରେ ଏହା ପୂରା ହୋଇ ନ ଯାଏ । ଆଉ ଯେବେ ଲୋକମାନଙ୍କୁ ପ୍ରଚାର କରାଯିବା ଶେଷ ହୋଇସାରିଥିବ, ତେବେ ଯିହୋବା ଲୋକମାନଙ୍କ ନ୍ୟାୟ କରିବେ । ତେଣୁ ସେସମୟରେ କେହି କହିପାରିବେନି ଯେ କେହି ତାଙ୍କୁ ସତର୍କ କଲେନି କିମ୍ବା ଈଶ୍ୱର ତାଙ୍କୁ ଭୁଲିଗଲେ । (ଯିହି. ୩:୧୯; ୧୮:୨୩) ସମସ୍ତଙ୍କୁ ଏହା ମାନିବାକୁ ପଡ଼ିବ ଯେ ଯେଉଁ ସନ୍ଦେଶ ତାଙ୍କୁ ଶୁଣାଇ ଦିଆଯାଇଥିଲା, ତାହା ଈଶ୍ୱରଙ୍କ ତରଫରୁ ହିଁ ଥିଲା ।

୧୯. କେଉଁ କଥାଗୁଡ଼ିକୁ ଧ୍ୟାନରେ ରଖିଲେ ଆମେ ସାହସର ସହ ପ୍ରଚାର କରିପାରିବା ?

୧୯ ଯିହିଜିକଲଙ୍କୁ ଯେଉଁ ତିନୋଟି କଥାରୁ ସାହସ ମିଳିଲା, ସେଗୁଡ଼ିକୁ ମନେ ରଖିଲେ ଆଜି ଆମେ ବି ସାହସର ସହ ପ୍ରଚାର କରିପାରିବା । ଆମେ ମନେ ରଖିପାରିବା ଯେ ଯିହୋବା ଆମକୁ ପଠାଇଛନ୍ତି, ସେ ଆମକୁ ନିଜ ପବିତ୍ର ଶକ୍ତି ଦିଅନ୍ତି ଓ ବାଇବଲରେ ଲେଖାଥିବା ତାଙ୍କ କଥାଗୁଡ଼ିକ ଉପରେ ଧ୍ୟାନ ଦେଲେ ଆମର ବିଶ୍ୱାସ ବଢ଼େ । ସମସ୍ୟା ତ ଆସିବ ହିଁ, କିନ୍ତୁ ମନେ ରଖନ୍ତୁ ଯେ ଯିହୋବା ଆମ ସାହାଯ୍ୟ କରିବେ । ତାଙ୍କ ସାହାଯ୍ୟରେ ଆମେ ଉତ୍ସାହର ସହ ପ୍ରଚାର କରିବା ଜାରି ରଖିବା ଓ ‘ଶେଷ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରିପାରିବା ।’—ମାଥି. ୨୪:୧୩.

ଗୀତ ୬୫ ଆଗେ ବଢ଼ !

a ଏହି ଲେଖାରେ ଆମେ ଜାଣିବା ଯେ ଭବିଷ୍ୟଦ୍‌ବକ୍ତା ଯିହିଜିକଲ ଯିହୋବାଙ୍କ ସାହାଯ୍ୟରେ କିପରି ଭଲଭାବେ ପ୍ରଚାର କରିପାରିଲେ । ଆମେ ଏପରି ତିନୋଟି କଥା ଉପରେ ଧ୍ୟାନ ଦେବା ଯେଉଁଥିରୁ ଯିହୋବା ତାଙ୍କର ସାହାଯ୍ୟ କଲେ । ଏଥିରୁ ଆମର ଭରସା ବଢ଼ିଯିବ ଯେ ଯିହୋବା ଆମର ବି ସାହାଯ୍ୟ କରିବେ ଆଉ ଆମେ ବି ଲୋକମାନଙ୍କୁ ଭଲଭାବେ ପ୍ରଚାର କରିପାରିବା ।