इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୬

ଯିହୋବାଙ୍କ ସାହାଯ୍ୟରେ ଆମେ ସମସ୍ୟା ସତ୍ତ୍ୱେ ଖୁସି ରହିପାରିବା !

ଯିହୋବାଙ୍କ ସାହାଯ୍ୟରେ ଆମେ ସମସ୍ୟା ସତ୍ତ୍ୱେ ଖୁସି ରହିପାରିବା !

“ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ, ଆଉ ତହିଁ ସକାଶୁ ତୁମ୍ଭମାନଙ୍କ ପ୍ରତି ଦୟା କରିବା ନିମନ୍ତେ ସେ ଉନ୍ନତ ହେବେ ।”—ଯିଶା. ୩୦:୧୮.

ଗୀତ ୩ ହାମାରି ତାକାତ, ଆଶା ଔର ଭାରୋସା

ଲେଖାର ଝଲକ a

୧-୨. (କ) ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ? (ଖ) ଆମେ କାହିଁକି କହିପାରିବା ଯେ ଯିହୋବା ଆମକୁ ସାହାଯ୍ୟ କରିବା ପାଇଁ ଚାହାନ୍ତି ?

 ଆମେ ଜୀବନରେ ଅନେକ ସମସ୍ୟାର ସାମନା କରିଥାଉ । କିନ୍ତୁ ଯିହୋବାଙ୍କ ସାହାଯ୍ୟରେ ଆମେ ସେଗୁଡ଼ିକୁ ସହିପାରିବା ଓ ଖୁସିରେ ତାଙ୍କ ସେବା କରିବା ଜାରି ରଖିପାରିବା । ଏହି ଲେଖାରେ ଆମେ ଜାଣିବା ଯେ ଯିହୋବା କିପରି ଭାବେ ଆମର ସାହାଯ୍ୟ କରନ୍ତି ଆଉ ତାଙ୍କଠାରୁ ସାହାଯ୍ୟ ପାଇବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ । କିନ୍ତୁ ଆସନ୍ତୁ ପ୍ରଥମେ ଜାଣିବା ଯେ କʼଣ ସତରେ ଯିହୋବା ଆମକୁ ସାହାଯ୍ୟ କରିବା ପାଇଁ ଚାହାନ୍ତି ।

ପ୍ରେରିତ ପାଉଲ ଏବ୍ରୀ ମଣ୍ଡଳୀକୁ ଯେଉଁ ଚିଠି ଲେଖିଲେ, ସେଥିରୁ ଆମେ ଏହି ପ୍ରଶ୍ନର ଉତ୍ତର ଜାଣିପାରିବା । ପାଉଲ ଲେଖିଲେ, “ପ୍ରଭୁ ମୋହର ସହାୟ, ମୁଁ ଭୟ କରିବି ନାହିଁ; ମନୁଷ୍ୟ ମୋହର କଅଣ କରିବ ?” (ଏବ୍ରୀ ୧୩:୬) ଗୋଟିଏ ବହିରେ କୁହାଯାଇଛି ଯେ ଏହି ପଦରେ ଯେଉଁ ଶବ୍ଦର ଅନୁବାଦ “ସହାୟ” କରାଯାଇଛି, ତାʼର ଅର୍ଥ ଏପରି ଜଣେ ବ୍ୟକ୍ତି ଯିଏ ଅନ୍ୟର ଡାକ ଶୁଣି ତୁରନ୍ତ ଦୌଡ଼ି ତାକୁ ସାହାଯ୍ୟ କରିବା ପାଇଁ ଯାଏ । କʼଣ ଆପଣଙ୍କୁ ଲାଗେନି ଯେ ଯିହୋବା ବି ଆମକୁ ଏପରି ଭାବେ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହନ୍ତି ? ଯେବେ ଆମେ କୌଣସି ସମସ୍ୟାରେ ଥାଉ ଓ ତାଙ୍କୁ ଡାକୁ, ତେବେ ସତେ ଯେପରି ସେ ଆମକୁ ସାହାଯ୍ୟ କରିବା ପାଇଁ ଦୌଡ଼ି ଆସନ୍ତି । ସତରେ, ଆମ ସାହାଯ୍ୟ କରିବା ପାଇଁ ସେ ବହୁତ ଇଚ୍ଛୁକ । ଆଉ ଯିହୋବାଙ୍କ ସାହାଯ୍ୟରେ ଆମେ କୌଣସି ବି ସମସ୍ୟାର ସାମନା କରିପାରିବା ଓ ଖୁସିରେ ରହିପାରିବା । 

୩. ଯିହୋବା କେଉଁ ତିନୋଟି ଉପାୟରେ ଆମକୁ ସାହାଯ୍ୟ କରନ୍ତି, ଯାହାଫଳରେ ସମସ୍ୟା ଆସିଲେ ମଧ୍ୟ ଆମେ ଖୁସିରେ ରହୁ ? 

ଯିହୋବା ଆମକୁ କେଉଁ କେଉଁ ଉପାୟରେ ସାହାଯ୍ୟ କରନ୍ତି, ଯାହାଫଳରେ ଆମେ ସମସ୍ୟାଗୁଡ଼ିକୁ ସହିପାରୁ ଓ ଖୁସି ରହିପାରୁ ? ଆମେ ଯିଶାଇୟ ବହିରୁ ଏହି ପ୍ରଶ୍ନର ଉତ୍ତର ଜାଣିପାରିବା । କାରଣ ଏହି ବହିରେ ଏପରି ଅନେକ ଭବିଷ୍ୟତବାଣୀ ଲେଖାଅଛି ଯାହା ଆଜି ଆମ ସମୟରେ ପୂରା ହେଉଛି । ତାʼଛଡ଼ା, ଯିଶାଇୟ ନିଜ ବହିରେ ଯେପରି ଭାବେ ଯିହୋବାଙ୍କ ବିଷୟରେ କହିଲେ, ସେଥିରୁ ଆମେ ଭଲଭାବେ ବୁଝିପାରୁ ଯେ ଯିହୋବା କିପରି ଈଶ୍ୱର ଅଟନ୍ତି । ଯେପରି ଯିଶାଇୟ ୩୦ ଅଧ୍ୟାୟରୁ ଜଣାପଡ଼େ ଯେ ଯିହୋବା କେଉଁ କେଉଁ ଉପାୟରେ ନିଜ ଲୋକମାନଙ୍କୁ ସାହାଯ୍ୟ କରନ୍ତି: (୧) ସେ ଆମ ପ୍ରାର୍ଥନାଗୁଡ଼ିକୁ ଧ୍ୟାନର ସହ ଶୁଣନ୍ତି ଓ ତାʼର ଉତ୍ତର ଦିଅନ୍ତି, (୨) ସେ ଆମକୁ ସଠିକ୍‌ ରାସ୍ତା ଦେଖାନ୍ତି ଓ (୩) ସେ ଆମକୁ ଅନେକ ଆଶିଷ ଦିଅନ୍ତି ଓ ସବୁବେଳେ ଦେଉଥିବେ । ଆସନ୍ତୁ ଗୋଟିଏ ଗୋଟିଏ କରି ଏହି ତିନୋଟି ଉପାୟ ବିଷୟରେ ଜାଣିବା ।  

ଯିହୋବା ଆମ ପ୍ରାର୍ଥନା ଶୁଣନ୍ତି  

୪. (କ) ଯିହୋବା ଯିହୁଦୀମାନଙ୍କ ବିଷୟରେ କʼଣ କହିଲେ ଆଉ ସେ ସେମାନଙ୍କ ସହ କʼଣ ହେବାକୁ ଦେଲେ ? (ଖ) କିନ୍ତୁ ଯେଉଁ ଯିହୁଦୀମାନେ ବିଶ୍ୱସ୍ତ ଥିଲେ, ଯିହୋବା ସେମାନଙ୍କୁ କʼଣ ଆଶା ଦେଲେ ? (ଯିଶାଇୟ ୩୦:୧୮, ୧୯

ଯିଶାଇୟ ୩୦ ଅଧ୍ୟାୟର ଆରମ୍ଭରେ ଯିହୋବା ଯିହୁଦୀମାନଙ୍କୁ “ବିଦ୍ରୋହୀ ସନ୍ତାନଗଣ” କହନ୍ତି ଆଉ ସେ କହନ୍ତି ଯେ ସେମାନେ “ପାପ ଉପରେ ପାପ” କରିଚାଲିଛନ୍ତି । ତାʼପରେ ସେ କହନ୍ତି, ‘ବିଦ୍ରୋହୀ ଗୋଷ୍ଠୀ ସଦାପ୍ରଭୁଙ୍କ ବ୍ୟବସ୍ଥା ଶୁଣିବାକୁ ଅସମ୍ମତ ।’ (ଯିଶା. ୩୦:୧, ୯) ସେହି ଯିହୁଦୀମାନେ ଯିହୋବାଙ୍କ କଥା ଶୁଣିଲେ ନାହିଁ । ତେଣୁ ଯିଶାଇୟ ଭବିଷ୍ୟତବାଣୀ କଲେ ଯେ ଯିହୋବା ସେମାନଙ୍କୁ ଦଣ୍ଡ ଦେବେ । (ଯିଶା. ୩୦:୫, ୧୭; ଯିରି. ୨୫:୮-୧୧) ଆଉ ଠିକ୍‌ ଏପରି ହିଁ ହେଲା । ବାବିଲର ଲୋକମାନେ ସେମାନଙ୍କୁ ବନ୍ଦୀ କରି ନେଇଗଲେ । କିନ୍ତୁ କିଛି ଏପରି ଯିହୁଦୀମାନେ ମଧ୍ୟ ଥିଲେ ଯେଉଁମାନେ ଯିହୋବାଙ୍କ ବିଶ୍ୱସ୍ତ ଥିଲେ । ଯିଶାଇୟ ସେହି ଲୋକମାନଙ୍କୁ କହିଲେ ଯେ ସେମାନେ ଆଶା ରଖିପାରିବେ ଯେ ଦିନେ ଯିହୋବା ସେମାନଙ୍କ ଉପରେ ଅନୁଗ୍ରହ ବା ଦୟା କରିବେ । (ଯିଶାଇୟ ୩୦:୧୮, ୧୯ ପଢ଼ନ୍ତୁ ।) କିନ୍ତୁ ଯିଶାଇୟ ଏହା ବି କହିଥିଲେ, “ସଦାପ୍ରଭୁ ତୁମ୍ଭମାନଙ୍କ ପ୍ରତି ଅନୁଗ୍ରହ କରିବା ପାଇଁ ଅପେକ୍ଷା” କରୁଛନ୍ତି । ଏଥିରୁ ଜଣାପଡ଼େ ଯେ ଯିହୁଦୀମାନଙ୍କୁ ତୁରନ୍ତ ମୁକ୍ତ କରାଯାଇ ନ ଥାʼନ୍ତା । ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ନ୍ତା । ଆଉ ଏପରି ହିଁ ହେଲା । ଯିହୁଦୀମାନେ ସତୁରି ବର୍ଷ ଯାଏ ବାବିଲରେ ବନ୍ଦୀ ଥିଲେ, କିନ୍ତୁ ତାʼପରେ ସେମାନଙ୍କ ମଧ୍ୟରୁ କିଛି ଯିହୁଦୀ ଯିରୂଶାଲମକୁ ଫେରିଆସିଲେ । (ଯିଶା. ୧୦:୨୧; ଯିରି. ୨୯:୧୦) ପୂର୍ବେ ସେମାନେ ଦୁଃଖରେ ଲୁହ ଗୋଡ଼ାଉଥିଲେ, କିନ୍ତୁ ଏବେ ସେମାନଙ୍କ ଲୁହ ଖୁସିର ଲୁହରେ ବଦଳିଗଲା । 

୫. ଯିଶାଇୟ ୩୦:୧୯ ପଦରୁ ଆମକୁ କିପରି ସାନ୍ତ୍ୱନା ମିଳେ ? 

ଯିଶାଇୟ ୩୦:୧୯ ପଦରେ ଲେଖାଥିବା ଶବ୍ଦଗୁଡ଼ିକରୁ ଆଜି ଆମକୁ ବି ବହୁତ ସାନ୍ତ୍ୱନା ମିଳେ । ସେଠାରେ ଲେଖାଅଛି, “ତୁମ୍ଭର କ୍ରନ୍ଦନ ରବରେ ସେ ଅବଶ୍ୟ ତୁମ୍ଭକୁ ଅନୁଗ୍ରହ କରିବେ ।” ଏଥିରୁ ଜଣାପଡ଼େ ଯେ ଯେବେ ଆମେ କୌଣସି ସମସ୍ୟାରେ ଥାଉ ଓ ଯିହୋବାଙ୍କୁ ଡାକୁ, ତେବେ ସେ ଧ୍ୟାନର ସହ ଆମ ପ୍ରାର୍ଥନା ଶୁଣନ୍ତି ଓ ତୁରନ୍ତ ଆମକୁ ସାହାଯ୍ୟ କରନ୍ତି । ଯିଶାଇୟ ଏହା ବି ଲେଖିଲେ, “ସେ ଶୁଣିବା ମାତ୍ରେ ତୁମ୍ଭକୁ ଉତ୍ତର ଦେବେ ।” ଏହାର ଅର୍ଥ, ଯିହୋବା ସେସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ଥାʼନ୍ତି ଯେଉଁମାନେ ତାଙ୍କୁ ଡାକନ୍ତି ଆଉ ସେ ତୁରନ୍ତ ସେମାନଙ୍କୁ ସାହାଯ୍ୟ କରନ୍ତି । ଏହି କଥାକୁ ଧ୍ୟାନରେ ରଖିଲେ ଆମେ ସମସ୍ୟା ଆସିଲେ ମଧ୍ୟ ନିରାଶ ହେବାନି ବରଂ ଧୈର୍ଯ୍ୟ ଧରିପାରିବା । 

୬. ଯିଶାଇୟ ୩୦:୧୯ ପଦରୁ କିପରି ଜଣାପଡ଼େ ଯେ ଯିହୋବା ନିଜ ପ୍ରତ୍ୟେକ ସେବକଙ୍କ ପ୍ରାର୍ଥନା ଶୁଣନ୍ତି ? 

ଯିଶାଇୟ ୩୦:୧୯ ପଦରୁ ଆମକୁ ଏହା ବି ଜଣାପଡ଼େ ଯେ ଯିହୋବା ଆମ ପ୍ରତ୍ୟେକଙ୍କ ପ୍ରାର୍ଥନା ଧ୍ୟାନ ଦେଇ ଶୁଣନ୍ତି । ଆମେ ଏହା କିପରି କହିପାରିବା ? ଧ୍ୟାନ ଦିଅନ୍ତୁ ଯେ ୩୦ ଅଧ୍ୟାୟର ଆରମ୍ଭରେ ଯିହୋବା ଇସ୍ରାଏଲୀୟମାନଙ୍କୁ “ତୁମ୍ଭେମାନେ” ବୋଲି ଡାକିଲେ । କାରଣ ସେଠାରେ ସେ ସମସ୍ତ ଇସ୍ରାଏଲୀୟମାନଙ୍କ ସହ କଥା ହେଉଥିଲେ । କିନ୍ତୁ ୧୯ ପଦରେ ପ୍ରତ୍ୟେକ ଇସ୍ରାଏଲୀୟମାନଙ୍କୁ କୁହାଯାଇଛି, “ତୁମ୍ଭେ ଆଉ ରୋଦନ କରିବ ନାହିଁ,” “ସେ ଅବଶ୍ୟ ତୁମ୍ଭକୁ ଅନୁଗ୍ରହ କରିବେ” ଓ ‘ସେ ତୁମ୍ଭକୁ ଉତ୍ତର ଦେବେ ।’ ଏଥିରୁ ଜଣାପଡ଼େ ଯେ ଯିହୋବା ଆମ ପ୍ରତ୍ୟେକଙ୍କ ବିଷୟରେ ଚିନ୍ତା କରନ୍ତି । ସେ ଜାଣନ୍ତି ଯେ ପ୍ରତ୍ୟେକ ବ୍ୟକ୍ତିର ନିଜର ଦୁର୍ବଳତା ଓ ସମସ୍ୟା ରହିଛି । ତେଣୁ ସେ ଆମ ପ୍ରତ୍ୟେକଙ୍କ ପ୍ରାର୍ଥନା ଧ୍ୟାନ ଦେଇ ଶୁଣନ୍ତି । ସେ କେବେ ବି ଅନ୍ୟମାନଙ୍କ ସହ ଆମ ତୁଳନା କରନ୍ତି ନାହିଁ । ସେ କେବେ ବି ଏହା ଭାବନ୍ତି ନାହିଁ ଯେ ଆମେ ଅନ୍ୟ ଭାଇଭଉଣୀମାନଙ୍କ ଭଳି ସାହସୀ କାହିଁକି ହୋଇପାରିବା ନାହିଁ ।—ଗୀତ. ୧୧୬:୧; ଯିଶା. ୫୭:୧୫.  

ଯେବେ ଯିଶାଇୟ ଯିହୋବାଙ୍କ ବିଷୟରେ ଲେଖିଲେ, “ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ,” ତାʼ ଅର୍ଥ କʼଣ ଥିଲା ? (ପାରାଗ୍ରାଫ ୭)

୭. ଭବିଷ୍ୟଦ୍‌ବକ୍ତା ଯିଶାଇୟ ଓ ଯୀଶୁ କʼଣ କହିଲେ, ଯେଉଁଥିରୁ ଜଣାପଡ଼େ ଯେ ଆମକୁ ଲଗାତାର ପ୍ରାର୍ଥନା କରିବା ଉଚିତ୍‌ ?

ଯେବେ ଆମେ ଯିହୋବାଙ୍କୁ ନିଜର କୌଣସି ସମସ୍ୟା ବିଷୟରେ କହୁ, ତେବେ ହୁଏତ ସେ ତାହା ତୁରନ୍ତ ଦୂର କରିବେ ନାହିଁ, କିନ୍ତୁ ସେ ଆମକୁ ତାହା ସହିବା ପାଇଁ ଶକ୍ତି ଦେଇପାରନ୍ତି । କିନ୍ତୁ ଅନେକଥର ହୁଏତ ଆମର କୌଣସି ସମସ୍ୟା ଲମ୍ବା ସମୟ ଯାଏ ରହିବ, ତେବେ ଆମେ ତାହା ସହିବା ପାଇଁ ଯିହୋବାଙ୍କୁ ବାରମ୍ବାର ପ୍ରାର୍ଥନା କରିବା ଉଚିତ୍‌ । ଯିହୋବା ମଧ୍ୟ ଚାହାନ୍ତି ଯେ ଆମେ ତାଙ୍କୁ ଲଗାତାର ପ୍ରାର୍ଥନା କରୁ । ଭବିଷ୍ୟଦ୍‌ବକ୍ତା ଯିଶାଇୟ ଲେଖିଲେ, “ତାହାଙ୍କୁ ବିଶ୍ରାମ କରିବାକୁ ଦିଅ ନାହିଁ ।” (ଯିଶା. ୬୨:୭) ତାʼଅର୍ଥ, ଆମେ ଯିହୋବାଙ୍କୁ ଏତେଥର ପ୍ରାର୍ଥନା କରିବା ଉଚିତ୍‌ ଯେ ସତେ ଯେପରି ସେ ଆରାମ ହିଁ କରିପାରିବେ ନାହିଁ । ଥରେ ଯୀଶୁ ନିଜ ଶିଷ୍ୟମାନଙ୍କୁ ପ୍ରାର୍ଥନା ବିଷୟରେ କହୁଥିଲେ, ତେବେ ସେ ସେମାନଙ୍କୁ ଦୃଷ୍ଟାନ୍ତ ଦେଇ ଏପରି ହିଁ କିଛି ଶିଖାଇଲେ । ସେ କହିଲେ, “ଥରକୁ ଥର” ବା ନ ଲଜାଇ ଯିହୋବାଙ୍କୁ ପବିତ୍ର ଶକ୍ତି ମାଗୁଥାଅ । (ଲୂକ ୧୧:୮-୧୦, ୧୩) ଆମେ ଯିହୋବାଙ୍କୁ ଏହା ବି ପ୍ରାର୍ଥନା କରିପାରିବା ଯେ ସେ ଆମକୁ ସଠିକ୍‌ ନିଷ୍ପତ୍ତି ନେବା ପାଇଁ ସଠିକ୍‌ ବାଟ ଦେଖାନ୍ତୁ । 

ଯିହୋବା ଆମକୁ ଠିକ୍‌ ବାଟ ଦେଖାନ୍ତି

୮. ପ୍ରାଚୀନ ସମୟରେ ଯିଶାଇୟ ୩୦:୨୦, ୨୧ ପଦରେ ଲେଖାଥିବା ଭବିଷ୍ୟତବାଣୀ କିପରି ପୂରା ହେଲା ?

ଯିଶାଇୟ ୩୦:୨୦, ୨୧ ପଢ଼ନ୍ତୁ । ବାବିଲର ସେନା ଦେଢ଼ ବର୍ଷରୁ ଯିରୂଶାଲମ ସହରକୁ ଘେରି ରଖିଥିଲା । ତାହା ଯିହୁଦୀମାନଙ୍କ ପାଇଁ ବହୁତ କଠିନ ସମୟ ଥିଲା । ଯେପରି ଆମେ ସବୁଦିନ ରୋଟୀ ଖାଉ, ପାଣି ପିଉ ସେହିପରି ସେମାନଙ୍କୁ ସବୁଦିନ କଷ୍ଟ ସହିବାକୁ ପଡ଼ୁଥିଲା । କିନ୍ତୁ ଯେପରି ୨୦ ଓ ୨୧ ପଦରେ କୁହାଯାଇଛି ଯେ ଯିହୋବା ଯିହୁଦୀମାନଙ୍କୁ ପ୍ରତିଜ୍ଞା କଲେ ଯେ ଯଦି ସେମାନେ ପଶ୍ଚାତାପ କରିବେ ଓ ନିଜକୁ ବଦଳାଇବେ, ତେବେ ସେମାନଙ୍କୁ ଯିହୋବା ରକ୍ଷା କରିବେ । ଯିଶାଇୟ ଯିହୋବାଙ୍କୁ ‘ମହାନ ଶିକ୍ଷକ’ ବୋଲି କହିଲେ ଆଉ ଯିହୁଦୀମାନଙ୍କୁ ଭରସା ଦେଲେ ଯେ ସେମାନେ କିପରି ଯିହୋବାଙ୍କ ଉପାସନା କରିବା ଉଚିତ୍‌, ତାହା ଯିହୋବା ସେମାନଙ୍କୁ ଶିଖାଇବେ । ଯେବେ ଯିହୁଦୀମାନେ ବାବିଲରୁ ମୁକ୍ତ ହେଲେ, ତେବେ ଯିଶାଇୟ କରିଥିବା ଭବିଷ୍ୟତବାଣୀ ପୂରା ହେଲା । ଯିହୋବା ନିଜ ଲୋକମାନଙ୍କୁ ଠିକ୍‌ ବାଟ ଦେଖାଇଲେ ଆଉ ସେମାନେ ପୁଣିଥରେ ଶୁଦ୍ଧ ଉପାସନା କରିବାକୁ ଲାଗିଲେ । ଇସ୍ରାଏଲୀୟମାନେ ଦେଖିପାରିଲେ ଯେ ଯିହୋବା ଜଣେ ମହାନ ଶିକ୍ଷକ ଅଟନ୍ତି । ଆଜି ଆମେ ବି ବହୁତ ଖୁସି ଯେ ଯିହୋବା ଆମକୁ ବି ଶିଖାନ୍ତି ଓ ସେ ଆମର ବି ଶିକ୍ଷକ ଅଟନ୍ତି ।

୯. ଆଜି ଯିହୋବା ଆମକୁ କିପରି ଶିଖାନ୍ତି ଓ ଠିକ୍‌ ବାଟ ଦେଖାନ୍ତି ?

ଯେପରି ଜଣେ ଶିକ୍ଷକ ପିଲାମାନଙ୍କୁ ପଢ଼ାନ୍ତି, ସେହିପରି ଯିଶାଇୟ କହନ୍ତି ଯେ ଯିହୋବା ବି ଆମର ‘ମହାନ ଶିକ୍ଷକ’ ଅଟନ୍ତି ଓ ସେ ଆମକୁ ଶିଖାନ୍ତି । ସେ ଦୁଇଟି ଉପାୟରେ ଆମକୁ ଶିଖାନ୍ତି । ଧ୍ୟାନ ଦିଅନ୍ତୁ, ପ୍ରଥମେ ଯିଶାଇୟ ଲେଖିଲେ, “ତୁମ୍ଭର ଚକ୍ଷୁ ତୁମ୍ଭ ଶିକ୍ଷକଗଣକୁ ଦେଖିବ ।” ସେ ସତେ ଯେପରି କହୁଥିଲେ ଯେ ଯିହୋବା ଜଣେ ଶିକ୍ଷକ ଭଳି ଆମ ସାମନାରେ ଠିଆହୋଇ ଆମକୁ ଶିଖାନ୍ତି । ଭାବନ୍ତୁ ଏହା କେତେ ବଡ଼ କଥା ଅଟେ ! ଆଜି ସେ ଆମକୁ ନିଜ ସଂଗଠନ ଜରିଆରେ ଶିଖାନ୍ତି । ସେ ସଭା, ଅଧିବେଶନ, ପ୍ରକାଶନ ଓ JW ବ୍ରୋଡକାଷ୍ଟିଙ୍ଗ୍‌ କାର୍ଯ୍ୟକ୍ରମ ଜରିଆରେ ଏବଂ ଅନ୍ୟ ଉପାୟଗୁଡ଼ିକରେ ଆମକୁ ସ୍ପଷ୍ଟଭାବେ ପରାମର୍ଶ ଦିଅନ୍ତି । ଏଗୁଡ଼ିକୁ ଧ୍ୟାନରେ ରଖିଲେ ଆମେ ସମସ୍ୟା ସମୟରେ ଧୈର୍ଯ୍ୟ ଧରିପାରୁ ଓ ଖୁସି ରହିପାରୁ । ଆମେ ଏହି ପରାମର୍ଶଗୁଡ଼ିକ ପାଇଁ ଯିହୋବାଙ୍କ ବହୁତ କୃତଜ୍ଞ ଅଟୁ !

୧୦. ଆଜି ଆମେ କିପରି ପଛଆଡ଼ୁ ଯିହୋବାଙ୍କ ଆବାଜ୍‌ ଶୁଣୁ ?

୧0 ତାʼପରେ ଯିଶାଇୟ ଆଉ ଗୋଟିଏ ଉପାୟ ବିଷୟରେ କହିଲେ, ଯେଉଁ ଉପାୟରେ ଯିହୋବା ଆମକୁ ଶିଖାନ୍ତି । ସେ ଲେଖିଲେ, “ତୁମ୍ଭର କର୍ଣ୍ଣ ତୁମ୍ଭ ପଛଆଡ଼ୁ ଏହି କଥା ଶୁଣିବ ।” ଏପରି କହି ଯିଶାଇୟ କହିଲେ ଯେ ଯିହୋବା ଏପରି ଶିକ୍ଷକ ଭଳି ଅଟନ୍ତି ଯିଏ ପିଲାମାନଙ୍କ ପଛରେ ଚାଲୁଛନ୍ତି ଆଉ ତାଙ୍କୁ କହୁଛନ୍ତି ଯେ ସେମାନଙ୍କୁ କେଉଁ ରାସ୍ତାରେ ଚାଲିବା ଉଚିତ୍‌ । ଆଜି ଯେବେ ଆମେ ବାଇବଲ ପଢ଼ୁ, ତାହା ଏପରି ଅଟେ ଯେପରି ଆମେ ପଛଆଡ଼ୁ ଯିହୋବାଙ୍କ ଆବାଜ୍‌ ଶୁଣୁଛୁ । କାରଣ ବାଇବଲ ଆଜିଠାରୁ ହଜାର ହଜାର ବର୍ଷ ପୂର୍ବେ ଲେଖା ହୋଇଥିଲା । ତେଣୁ ଯେବେ ଆମେ ସେଥିରେ ଲେଖାଥିବା କଥାଗୁଡ଼ିକୁ ପଢ଼ୁ, ତେବେ ତାହା ଏପରି ଅଟେ ଯେପରି ଆମେ ଯିହୋବାଙ୍କ ଆବାଜ୍‌ ପଛଆଡ଼ୁ ଶୁଣୁ ।—ଯିଶା. ୫୧:୪.

୧୧. ସମସ୍ୟା ଆସିଲେ ମଧ୍ୟ ଧୈର୍ଯ୍ୟ ଧରିବା ପାଇଁ ଓ ଖୁସିରେ ରହିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ଓ କାହିଁକି ?

୧୧ ଆଜି ଯିହୋବା ଆମକୁ ବାଇବଲ ଓ ନିଜ ସଂଗଠନ ଜରିଆରେ ଶିଖାଇବା ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି, ସେଥିରୁ ଆମେ ପୂରା ଲାଭ କିପରି ପାଇପାରିବା ? ଧ୍ୟାନ ଦିଅନ୍ତୁ ଯିଶାଇୟ ଦୁଇଟି କଥା ଲେଖିଲେ । ସେ ଲେଖିଲେ, “ପଥ ଏହି ।” ତାʼପରେ ଲେଖିଲେ, “ଏଥିରେ ହିଁ ତୁମ୍ଭେମାନେ ଗମନ କର ।” (ଯିଶା. ୩୦:୨୧) ତାʼ ଅର୍ଥ ଆମକୁ ଜାଣିବାକୁ ପଡ଼ିବ ଯେ ଆମକୁ କେଉଁ ବାଟରେ ଚାଲିବା ଉଚିତ୍‌ । କିନ୍ତୁ ଏହା ଯଥେଷ୍ଟ ନୁହେଁ । ଆମକୁ ତାʼ ଅନୁସାରେ ଚାଲିବାକୁ ବି ପଡ଼ିବ । ବାଇବଲ ଓ ଈଶ୍ୱରଙ୍କ ସଂଗଠନ ଜରିଆରେ ଆମେ ଜାଣିପାରୁ ଯେ ଯିହୋବା ଆମଠାରୁ କʼଣ ଚାହାନ୍ତି । ଆମେ ଏହା ବି ଜାଣିପାରୁ ଯେ ଆମେ ଈଶ୍ୱର ଦେଖାଉଥିବା ବାଟରେ କିପରି ଚାଲିପାରିବା । କିନ୍ତୁ ଏକଥାଗୁଡ଼ିକୁ କେବଳ ଜାଣିବା ଯଥେଷ୍ଟ ନୁହଁ । ଆମେ ଯେଉଁ କଥାଗୁଡ଼ିକୁ ଶିଖୁ, ତାହା ଆମକୁ ମାନିବାକୁ ବି ପଡ଼ିବ । ତାହେଲେ ଯିହୋବା ନିଶ୍ଚୟ ଆମକୁ ଅନେକ ଆଶିଷ ମଧ୍ୟ ଦେବେ । ଯେବେ ଆମେ ଏପରି କରିବା, ତେବେ ସମସ୍ୟା ଆସିଲେ ବି ଆମେ ଧୈର୍ଯ୍ୟ ଧରିପାରିବା ଓ ଖୁସିରେ ଯିହୋବାଙ୍କ ସେବା କରିବା ଜାରି ରଖିବା ।

ଯିହୋବା ଆମକୁ ଆଶିଷ ଦିଅନ୍ତି

୧୨. ଯିଶାଇୟ ୩୦:୨୩-୨୬ ପଦ ମୁତାବକ, ଯିହୋବା ନିଜ ଲୋକମାନଙ୍କୁ କʼଣ ଆଶିଷ ଦିଅନ୍ତି ?

୧୨ ଯିଶାଇୟ ୩୦:୨୩-୨୬ ପଢ଼ନ୍ତୁ । ଯିହୁଦୀମାନେ ଅନେକ ବର୍ଷରୁ ବାବିଲରେ ବନ୍ଦୀ ଥିଲେ, କିନ୍ତୁ ଯେବେ ସେମାନେ ଇସ୍ରାଏଲକୁ ଫେରି ଆସିଲେ ତେବେ ଏହି ଭବିଷ୍ୟତବାଣୀ କିପରି ପୂରା ହେଲା ? ଯିହୋବା ସେମାନଙ୍କୁ ଅନେକ ଆଶିଷ ଦେଲେ । ସେ ନିଜ ଲୋକମାନଙ୍କୁ ବହୁତ ମାତ୍ରାରେ ଖାଦ୍ୟ ଦେଲେ । ତାʼଠୁ ବି ବଡ଼ କଥା ସେ ତାଙ୍କ ସେବକମାନଙ୍କୁ ପୁଣିଥରେ ଠିକ୍‌ ଉପାୟରେ ଉପାସନା ଆରମ୍ଭ କରିବା ପାଇଁ ଓ ତାଙ୍କ ନିକଟତର ହୋଇ ରହିବା ପାଇଁ ମଧ୍ୟ କିଛି ବ୍ୟବସ୍ଥା କଲେ । ଯିହୋବାଙ୍କ ଲୋକମାନଙ୍କୁ ଏତେ ଆଶିଷ ମିଳିଲା ଯେତେ ସେମାନଙ୍କୁ ପୂର୍ବେ କେବେ ବି ମିଳି ନ ଥିଲା । ଯେପରି ୨୬ ପଦରେ କୁହାଯାଇଛି ଯେ ଯିହୋବା ସେମାନଙ୍କୁ ବହୁତ ଆଲୁଅ ଦେଲେ, ଅର୍ଥାତ୍‌ ନିଜ ବାକ୍ୟକୁ ଆହୁରି ଭଲଭାବେ ବୁଝିବା ପାଇଁ ସାହାଯ୍ୟ କଲେ । (ଯିଶା. ୬୦:୨) ଯିହୋବାଙ୍କ ଏହି ଆଶିଷଗୁଡ଼ିକରୁ ତାଙ୍କ ସେବକମାନଙ୍କୁ ବହୁତ ସାହସ ମିଳିଲା ଓ ସେମାନେ ଖୁସିରେ ତାଙ୍କ ସେବା କରିପାରିଲେ । ଯେପରି ଯିଶାଇୟ କହିଥିଲେ, “ତାଙ୍କ ସେବକମାନଙ୍କ ହୃଦୟ ଖୁସି ହେଲା ।”—ଯିଶା. ୬୫:୧୪, NWT.

୧୩. ଶୁଦ୍ଧ ଉପାସନା ପୁଣିଥରେ ଆରମ୍ଭ ହେବା ବିଷୟରେ ଯେଉଁ ଭବିଷ୍ୟତବାଣୀ କରାଯାଇଥିଲା, ତାହା ଆମ ସମୟରେ କିପରି ପୂରା ହେଉଛି ?

୧୩ କʼଣ ଆଜି ବି ଏହି ଭବିଷ୍ୟତବାଣୀ ପୂରା ହେଉଛି ? ନିଶ୍ଚୟ ! ଯେପରି ପ୍ରାଚୀନ ସମୟରେ ଇସ୍ରାଏଲୀୟମାନେ ବାବିଲରୁ ମୁକ୍ତ ହୋଇଥିଲେ, ସେହିପରି ୧୯୧୯ ମସିହାରୁ ଲକ୍ଷ ଲକ୍ଷ ଲୋକମାନେ ମହାନଗରୀ ବାବିଲରୁ ଅର୍ଥାତ୍‌ ମିଥ୍ୟା ଧର୍ମଗୁଡ଼ିକରୁ ମୁକ୍ତ ହେଉଛନ୍ତି । ଆଉ ଯେପରି ଇସ୍ରାଏଲୀୟମାନେ ବାବିଲରୁ ମୁକ୍ତ ହୋଇ ପ୍ରତିଜ୍ଞାତ ଦେଶରେ ଫେରିଆସିଲେ, ସେହିପରି ଅନେକ ଲୋକମାନେ ମିଥ୍ୟା ଧର୍ମରୁ ବାହାରି ଏକ ଲାକ୍ଷଣିକ ପାରଦୀଶରେ ବାସ କରୁଛନ୍ତି । (ଯିଶା. ୫୧:୩; ୬୬:୮) ଏହି ଲାକ୍ଷଣିକ ପାରଦୀଶ କʼଣ ଅଟେ ?

୧୪. ଲାକ୍ଷଣିକ ପାରଦୀଶ କʼଣ ଅଟେ ଏବଂ ସେଠାରେ କେଉଁମାନେ ବାସ କରିବେ ? (“ଏହାର ଅର୍ଥ କʼଣ ?” ଦେଖନ୍ତୁ ।)

୧୪ ୧୯୧୯ ମସିହାରୁ ଅଭିଷିକ୍ତ ଖ୍ରୀଷ୍ଟିୟାନମାନେ ଏହି ଲାକ୍ଷଣିକ ପାରଦୀଶରେ ବାସ କରୁଛନ୍ତି । b ଧୀରେ ଧୀରେ ‘ଅନ୍ୟ ମେଷର’ ଲୋକମାନେ ଅର୍ଥାତ୍‌, ଯେଉଁ ଖ୍ରୀଷ୍ଟିୟାନମାନଙ୍କୁ ଏହି ପୃଥିବୀରେ ବଞ୍ଚିବାର ଆଶା ଅଛି, ସେମାନେ ମଧ୍ୟ ଏମାନଙ୍କ ସହ ଏହି ଲାକ୍ଷଣିକ ପାରଦୀଶରେ ବାସ କରିବାକୁ ଲାଗିଲେ । ଏହି ଲାକ୍ଷଣିକ ପାରଦୀଶରେ ସମସ୍ତେ ଯିହୋବାଙ୍କଠାରୁ ଅନେକ ଆଶିଷ ପାଉଛନ୍ତି ।—ଯୋହ. ୧୦:୧୬; ଯିଶା. ୨୫:୬; ୬୫:୧୩.

୧୫. ଲାକ୍ଷଣିକ ପାରଦୀଶ କେଉଁଠି ଅଛି ?

୧୫ ଏହି ଲାକ୍ଷଣିକ ପାରଦୀଶ କେଉଁଠି ଅଛି ? ଯିହୋବାଙ୍କ ସେବକମାନେ ଦୁନିଆର ଅନ୍ୟ ଅନ୍ୟ ଜାଗାରେ ରହନ୍ତି । ତେଣୁ ଏହା ପ୍ରକୃତରେ କୌଣସି ଜାଗା ନୁହେଁ । ଏହା ଗୋଟିଏ ପାରଦୀଶ ଭଳି ପରିସ୍ଥିତି ଅଟେ ଯାହା ପୂରା ଦୁନିଆରେ ଯିହୋବାଙ୍କ ଲୋକମାନଙ୍କ ମଧ୍ୟରେ ଦେଖିବାକୁ ମିଳେ । ତେଣୁ ଆମେ ଦୁନିଆର କୌଣସି ବି ଜାଗାରେ ରହୁ ନା କାହିଁକି, ଯଦି ଆମେ ସତ୍ୟ ଉପାସନା କରୁ, ତେବେ ଆମେ ବି ଏହି ଲାକ୍ଷଣିକ ପାରଦୀଶରେ ରହିପାରିବା ।

ଲାକ୍ଷଣିକ ପାରଦୀଶ ଆହୁରି ସୁନ୍ଦର ଦିଶିବା ପାଇଁ ଆମ ମଧ୍ୟରୁ ପ୍ରତ୍ୟେକେ କʼଣ କରିପାରିବା ? (ପାରାଗ୍ରାଫ ୧୬-୧୭)

୧୬. ଆମେ କʼଣ କଲେ ଆମକୁ ଲାକ୍ଷଣିକ ପାରଦୀଶ ସବୁବେଳେ ସୁନ୍ଦର ଲାଗିବ ?

୧୬ ଯଦି ଆମେ ଏହି ଲାକ୍ଷଣିକ ପାରଦୀଶରେ ବାସ କରିବାକୁ ଚାହୁଁ, ତେବେ ଆମକୁ କିଛି କଥାଗୁଡ଼ିକୁ ଧ୍ୟାନ ଦେବାକୁ ପଡ଼ିବ । ସେମଧ୍ୟରୁ ଗୋଟେ ହେଉଛି ଆମକୁ ଏହା ମନେ ରଖିବାକୁ ପଡ଼ିବ ଯେ ଯିହୋବାଙ୍କ ସଂଗଠନ କେତେ ଅଦ୍ଭୁତ ଅଟେ । କିନ୍ତୁ ଯଦି ଆମେ ଭାଇଭଉଣୀମାନଙ୍କ ଦୁର୍ବଳତାଗୁଡ଼ିକୁ ଧ୍ୟାନ ଦେବା, ତେବେ ହୁଏତ ଆମେ ସେମାନଙ୍କୁ ବହୁମୂଲ୍ୟ ମନେ କରିବାନି । ତେଣୁ ଆମେ ସେମାନଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା ବହୁତ ଜରୁରୀ । (ଯୋହ. ୧୭:୨୦, ୨୧) ଆସନ୍ତୁ ଏହାକୁ ଆହୁରି ଭଲଭାବେ ବୁଝିବା । ଭାବନ୍ତୁ, ଆପଣ ଗୋଟିଏ ସୁନ୍ଦର ବଗିଚା କିମ୍ବା ପାର୍କରେ ଯାଇଛନ୍ତି । ସେଠାରେ ବହୁତ ଗଛଲତା ଅଛି ଆଉ ସେସବୁକୁ ଦେଖି ଆପଣଙ୍କୁ ବହୁତ ଭଲ ଲାଗୁଛି । କିନ୍ତୁ ଯଦି ଆପଣ ସେହି ଗଛଲତା ପାଖରେ ଯିବେ, ତେବେ ହୁଏତ ଆପଣଙ୍କୁ ସେଗୁଡ଼ିକରେ କିଛି ଦାଗ ଦେଖାଯିବ । ଠିକ୍‌ ସେହିପରି ଯିହୋବାଙ୍କ ସଂଗଠନ ବି ଗୋଟିଏ ସୁନ୍ଦର ବଗିଚା ଭଳି ଅଟେ ଆଉ ପ୍ରତ୍ୟେକ ଭାଇଭଉଣୀ ଗୋଟିଏ ଗଛ ଭଳି ଅଟନ୍ତି । (ଯିଶା. ୪୪:୪; ୬୧:୩) କିନ୍ତୁ ଯଦି ଆମେ ଅନ୍ୟ ଭାଇଭଉଣୀମାନଙ୍କ ଓ ନିଜ ଦୁର୍ବଳତାଗୁଡ଼ିକ ଉପରେ ଧ୍ୟାନ ଦେଉଥିବା, ତେବେ ଆମେ ଏହା ଦେଖିପାରିବାନି ଯେ ଯିହୋବାଙ୍କ ସଂଗଠନ କେତେ ନିଆରା ଅଟେ ଆଉ ଭାଇଭଉଣୀମାନଙ୍କ ମଧ୍ୟରେ କେତେ ଏକତା ଅଛି । ତେବେ ଆସନ୍ତୁ ଭାଇଭଉଣୀମାନଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା ଜାରି ରଖିବା ଆଉ ମନେ ରଖିବା ଯେ ଏହି ଲାକ୍ଷଣିକ ପାରଦୀଶ କେତେ ସୁନ୍ଦର ଅଟେ ।

୧୭. ସଂଗଠନରେ ଏକତା ବଜାୟ ରଖିବା ପାଇଁ ଆମେ ପ୍ରତ୍ୟେକେ କʼଣ କରିପାରିବା ?

୧୭ ସଂଗଠନରେ ଏକତା ବଜାୟ ରଖିବା ପାଇଁ, ଆମେ ପ୍ରତ୍ୟେକେ କʼଣ କରିପାରିବା ? ଆମେ ସମସ୍ତେ ପରସ୍ପର ମଧ୍ୟରେ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା କରିପାରିବା । (ମାଥି. ୫:୯; ରୋମୀ. ୧୨:୧୮) ଯେବେ ବି ଆମେ ଏପରି କରୁ, ତେବେ ଲାକ୍ଷଣିକ ପାରଦୀଶ ଆହୁରି ସୁନ୍ଦର ଲାଗେ । ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବା ହିଁ ପ୍ରତ୍ୟେକ ଭାଇଭଉଣୀମାନଙ୍କୁ ଏହି ଲାକ୍ଷଣିକ ପାରଦୀଶରେ ଆଣିଛନ୍ତି, ଯାହାଫଳରେ ସେମାନେ ଶୁଦ୍ଧ ଉପାସନା କରିପାରିବେ । (ଯୋହ. ୬:୪୪) ସେମାନେ ସମସ୍ତେ ତାଙ୍କ ଦୃଷ୍ଟିରେ ବହୁମୂଲ୍ୟ ଅଟନ୍ତି । ତେଣୁ ଯେବେ ବି ସେ ଦେଖନ୍ତି ଯେ ଆମେ ଶାନ୍ତି ଓ ଏକତା ବଜାୟ ରଖିବା ପାଇଁ କେତେ ପରିଶ୍ରମ କରୁଛୁ, ତେବେ ତାଙ୍କୁ ବହୁତ ଖୁସି ହୁଏ ।—ଯିଶା. ୨୬:୩; ହାଗ. ୨:୭.

୧୮. ଆମେ କେଉଁ କଥାଗୁଡ଼ିକ ବିଷୟରେ ଗଭୀର ଭାବେ ଭାବିବା ଉଚିତ୍‌ ଓ କାହିଁକି ?

୧୮ ଯିହୋବା ନିଜ ଲୋକମାନଙ୍କୁ ଅନେକ ଆଶିଷ ଦେଇଛନ୍ତି । ଯେବେ ଆମେ ଏଗୁଡ଼ିକୁ ଧ୍ୟାନ ଦେଉ, ତେବେ ଆମକୁ ବହୁତ ଲାଭ ହୁଏ । ଆମେ ବାଇବଲ ଓ ଆମ ପ୍ରକାଶନଗୁଡ଼ିକରେ ଯାହା ବି ପଢ଼ୁ, ସେବିଷୟରେ ଗଭୀର ଭାବେ ଭାବିବା ଉଚିତ୍‌ । ଏପରି ଭାବେ ଅଧ୍ୟୟନ ଓ ଚିନ୍ତନ କଲେ ଆମେ ଏପରି ଗୁଣ ବଢ଼ାଇପାରୁ ଯାହା ଜଣେ ଖ୍ରୀଷ୍ଟିୟାନଠାରେ ହେବା ଉଚିତ୍‌ । ତେବେ ଆମେ ପରସ୍ପରକୁ “ଭ୍ରାତୃପ୍ରେମ” କରିପାରିବା ଓ ‘ପରସ୍ପର ପ୍ରତି ସ୍ନେହଶୀଳ ହେବା ।’ (ରୋମୀ. ୧୨:୧୦) ଯେବେ ଆମେ ସେହି ଆଶିଷଗୁଡ଼ିକ ବିଷୟରେ ଭାବିବା ଯାହା ଆଜି ଯିହୋବା ଆମକୁ ଦେଉଛନ୍ତି, ତେବେ ଆମେ ତାଙ୍କ ଆହୁରି ନିକଟତର ହୋଇପାରିବା ଓ ତାଙ୍କ ସହିତ ଆମ ସମ୍ପର୍କ ଆହୁରି ଦୃଢ଼ ହୋଇଯିବ । ଯିହୋବା ଆମକୁ ଗୋଟିଏ ଆଶା ମଧ୍ୟ ଦେଇଛନ୍ତି ଯେ ଭବିଷ୍ୟତରେ ସେ ଆମକୁ ଅନନ୍ତ ଜୀବନ ଦେବେ । ଯେବେ ଆମେ ଏବିଷୟରେ ଭାବିବା ଯେ ସେସମୟରେ ଆମକୁ କʼଣ କʼଣ ଆଶିଷ ମିଳିବ, ତେବେ ଆମ ଆଶା ଆହୁରି ଦୃଢ଼ ହୋଇଯିବ । ତାʼପରେ ଆମେ ଆହୁରି ଖୁସିର ସହ ଯିହୋବାଙ୍କ ସେବା କରିପାରିବା !

ଆମେ ଧୈର୍ଯ୍ୟ ଧରିବା ଓ ଯିହୋବାଙ୍କ ସେବା କରିବା ଜାରି ରଖିବା

୧୯. (କ) ଯିଶାଇୟ ୩୦:୧୮ ପଦ ମୁତାବକ, ଆମେ କେଉଁ କଥାର ଭରସା ରଖିପାରିବା ? (ଖ) ଧୈର୍ଯ୍ୟ ଧରିବା ପାଇଁ ଓ ଖୁସିରେ ଯିହୋବାଙ୍କ ସେବା କରିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୧୯ ଖୁବ୍‌ ଶୀଘ୍ର ଏହି ଦୁଷ୍ଟ ଦୁନିଆକୁ ବିନାଶ କରିବା ପାଇଁ ଯିହୋବା “ଉନ୍ନତ ହେବେ” ଅର୍ଥାତ୍‌ ପଦକ୍ଷେପ ନେବେ । (ଯିଶା. ୩୦:୧୮) ଯିହୋବା “ନ୍ୟାୟ ବିଚାରକାରୀ ପରମେଶ୍ୱର ଅଟନ୍ତି,” ତେଣୁ ଆମେ ଭରସା ରଖିପାରିବା ଯେ ସେ ଠିକ୍‌ ସମୟରେ ଏପରି କରିବେ, ସେ ଦିନେ ବି ଡେରି କରିବେ ନାହିଁ । (ଯିଶା. ୨୫:୯) ସେହି ଦିନ ନ ଆସିବା ଯାଏ, ଯିହୋବା ଧୈର୍ଯ୍ୟ ରଖିଛନ୍ତି । ତେଣୁ ଆସନ୍ତୁ ଆମେ ବି ଧୈର୍ଯ୍ୟ ଧରିବା ଓ ସେହି ଦିନ ଆସିବା ଯାଏ ଆମେ ଯିହୋବାଙ୍କୁ ପ୍ରାର୍ଥନା କରିବା ଜାରି ରଖିବା, ବାଇବଲ ଅଧ୍ୟୟନ କରିବା ଜାରି ରଖିବା ଆଉ ସେଥିରେ ଲେଖାଥିବା କଥାଗୁଡ଼ିକୁ ମାନିବା ଓ ଯିହୋବା ଆମକୁ ଯେଉଁ ଅନେକ ଆଶିଷ ଦେଇଛନ୍ତି, ତାʼ ବିଷୟରେ ଚିନ୍ତନ କରିବା ଜାରି ରଖିବା । ତେବେ ଯିହୋବା ଆମକୁ ସାହାଯ୍ୟ କରିବେ ଓ ସମସ୍ୟା ଆସିଲେ ବି ଆମେ ଧୈର୍ଯ୍ୟ ଧରିପାରିବା ଓ ଖୁସିରେ ଯିହୋବାଙ୍କ ସେବା କରିପାରିବା ।

ଗୀତ ୧୪୨ ଆଶା ସଞ୍ଜୋଏ ରଖେଁ

a ଏହି ଲେଖାରେ ଆମେ ଏପରି ତିନୋଟି କଥା ଉପରେ ଧ୍ୟାନ ଦେବା ଯାହାଦ୍ୱାରା ଯିହୋବା ଆମକୁ ସମସ୍ୟାଗୁଡ଼ିକୁ ସହିବା ପାଇଁ ଓ ଖୁସିର ସହ ତାଙ୍କ ସେବା ଜାରି ରଖିବା ପାଇଁ ସାହାଯ୍ୟ କରନ୍ତି । ଆମେ ଯିଶାଇୟ ୩୦ ଅଧ୍ୟାୟ ଉପରେ ବି ଆଲୋଚନା କରିବା ଆଉ ଜାଣିବା ଯେ ଆମକୁ କାହିଁକି ଯିହୋବାଙ୍କୁ ପ୍ରାର୍ଥନା କରିବା ଉଚିତ୍‌, ବାଇବଲ ଅଧ୍ୟୟନ କରିବା ଉଚିତ୍‌ ଓ ସେହି ଆଶିଷଗୁଡ଼ିକ ଉପରେ ଚିନ୍ତନ କରିବା ଉଚିତ୍‌ ଯାହା ଯିହୋବା ଆଜି ଆମକୁ ଦେଇଛନ୍ତି ଓ ଭବିଷ୍ୟତରେ ଦେବେ ।

b ଏହାର ଅର୍ଥ କʼଣ ? “ଲାକ୍ଷଣିକ ପାରଦୀଶ” ଗୋଟିଏ ପାରଦୀଶ ଭଳି ପରିସ୍ଥିତି ଅଟେ, ଯେଉଁଠି ଯିହୋବାଙ୍କ ସେବକମାନେ ସୁରକ୍ଷିତ ଭାବେ ବାସ କରନ୍ତି ଓ ଏକା ସହ ମିଶି ଯିହୋବାଙ୍କ ଉପାସନା କରନ୍ତି । ଏହି ଲାକ୍ଷଣିକ ପାରଦୀଶରେ ଖାଦ୍ୟର ବି କୌଣସି ଅଭାବ ନାହିଁ । ଆଜି ଆମ ପାଖରେ ଅନେକ ପ୍ରକାଶନ ଅଛି, ଯେଉଁଥିରେ ବାଇବଲର ସତ୍ୟଗୁଡ଼ିକ ବିଷୟରେ ଦିଆଯାଇଛି ଏବଂ ସେଥିରେ ମିଥ୍ୟା ଧର୍ମର କୌଣସି ବି କଥା ନାହିଁ । ଆମ ପାଖରେ ଏପରି କାମ ମଧ୍ୟ ଅଛି, ଯାହାକୁ କରି ଆମକୁ ଖୁସି ହୁଏ । ଆମେ ଈଶ୍ୱରଙ୍କ ରାଜ୍ୟ ବିଷୟରେ ଖୁସିର ଖବର ମଧ୍ୟ ପ୍ରଚାର କରୁ । ଏହି ପାରଦୀଶରେ ଯେଉଁମାନେ ମଧ୍ୟ ରହନ୍ତି, ସେମାନଙ୍କର ଯିହୋବାଙ୍କ ସହିତ ଭଲ ସମ୍ପର୍କ ଅଛି ଓ ସେମାନଙ୍କ ମଧ୍ୟରେ ଶାନ୍ତି ଅଛି । ସମସ୍ତେ ପରସ୍ପରକୁ ସମସ୍ୟା ସମୟରେ ଧୈର୍ଯ୍ୟ ଧରିବା ଓ ଖୁସିରେ ରହିବା ପାଇଁ ସାହାଯ୍ୟ କରନ୍ତି । କିନ୍ତୁ କେଉଁମାନେ ଏହି ଲାକ୍ଷଣିକ ପାରଦୀଶରେ ବାସ କରିପାରିବେ ? ସେହି ଲୋକମାନେ ଯେଉଁମାନେ ଠିକ୍‌ ଉପାୟରେ ଯିହୋବାଙ୍କ ଉପାସନା କରନ୍ତି ଓ ତାଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତି ।