इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୪

ଗୀତ ୩୩ ଆପନା ବୋଝ୍‌ ୟହୋୱା ପର୍‌ ଡାଲ୍‌ ଦେ !

ଅନ୍ୟାୟ କିପରି ସହିବା ?

ଅନ୍ୟାୟ କିପରି ସହିବା ?

“କୁକ୍ରିୟାରେ ପରାଜିତ ନ ହୋଇ ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର ।”ରୋମୀ. ୧୨:୨୧.

କʼଣ ଶିଖିବା ?

ଯେବେ ଆପଣଙ୍କ ସହିତ ଅନ୍ୟାୟ ହୁଏ, ତେବେ ଆପଣ କʼଣ କରିପାରିବେ ଯାହାଦ୍ୱାରା ସମସ୍ୟା ବଢ଼ିବ ନାହିଁ ।

୧-୨. ଆମ ସହିତ ଅନ୍ୟାୟ କାହିଁକି ହୁଏ ? ବୁଝାନ୍ତୁ ।

 ଥରେ ଯୀଶୁ ଜଣେ ବିଧବା ସ୍ତ୍ରୀଙ୍କ ଉଦାହରଣ ଦେଲେ । ସେହି ସ୍ତ୍ରୀ ନ୍ୟାୟ ପାଇବା ପାଇଁ ବାରମ୍ବାର ଜଣେ ନ୍ୟାୟୀଙ୍କ ପାଖକୁ ଯାଉଥିଲେ । ସେସମୟରେ ପ୍ରାୟ ଲୋକମାନଙ୍କ ସହିତ ଏପରି ହିଁ ଅନ୍ୟାୟ ହେଉଥିଲା । ତେଣୁ ଶିଷ୍ୟମାନେ ଏହି ଉଦାହରଣ ଶୁଣି ବୁଝିଯାଇଥିବେ ଯେ ସେହି ବିଧବାଙ୍କ ଉପରେ କʼଣ ଘଟିଥିବ । (ଲୂକ ୧୮:୧-୫) ଆଜି ଆମେ ମଧ୍ୟ ସେହି ବିଧବାଙ୍କ କଷ୍ଟକୁ ଭଲଭାବେ ବୁଝିପାରିବା, କାରଣ ବେଳେବେଳେ ଆମ ସମସ୍ତଙ୍କୁ ଅନ୍ୟାୟର ସାମନା କରିବାକୁ ପଡ଼େ ।

ଆଜି ଚାରିଆଡ଼େ ଭେଦଭାବ ହେଉଛି, ଲୋକମାନେ ନିଜକୁ ବଡ଼ ଭାବନ୍ତି ଓ ଅନ୍ୟମାନଙ୍କ ସହିତ ଅନ୍ୟାୟ କରନ୍ତି । ସେଥିପାଇଁ ଯେବେ ଲୋକମାନେ ଆମର ବିରୋଧ କରନ୍ତି ଓ ଆମ ଉପରେ ଅତ୍ୟାଚାର କରନ୍ତି, ତେବେ ଆମକୁ ଆଶ୍ଚର୍ଯ୍ୟ ଲାଗେ ନାହିଁ । (ଉପ. ୫:୮) କିନ୍ତୁ ଯେବେ ଭାଇଭଉଣୀମାନେ ଆମ ସହ ଖରାପ ବ୍ୟବହାର କରନ୍ତି, ତେବେ ଆମକୁ ବହୁତ କଷ୍ଟ ଲାଗେ । କାହିଁକି ? କାରଣ ସେମାନେ ଆମ ସହିତ ଏପରି କରିବେ ବୋଲି ଆମେ ଆଶା କରି ନ ଥାଉ, କିନ୍ତୁ ସେମାନେ ବି ଅପରିପୂର୍ଣ୍ଣ ଅଟନ୍ତି ଓ ସେମାନେ ଜାଣିଶୁଣି ଆମକୁ କଷ୍ଟ ପହଞ୍ଚାଇବା ପାଇଁ ଚାହାନ୍ତି ନାହିଁ । ତେଣୁ ଆମକୁ ସେସବୁ ସହିବା ଉଚିତ୍‌ । ଯୀଶୁଙ୍କ ସହିତ ମଧ୍ୟ ଅନ୍ୟାୟ ହୋଇଥିଲା, କିନ୍ତୁ ଯୀଶୁ ବିରୋଧୀମାନଙ୍କ ସହିତ ଧୈର୍ଯ୍ୟ ଧରିଲେ ଓ ସବୁକିଛି ସହିଲେ । ଯେବେ ବିରୋଧୀମାନେ ଆମ ସହିତ ଖରାପ ବ୍ୟବହାର କରନ୍ତି, ତେବେ ଆମେ ବି ଯୀଶୁଙ୍କ ଭଳି ଧୈର୍ଯ୍ୟ ଧରୁ । ଭାବନ୍ତୁ, ଯଦି ଆମେ ବିରୋଧୀମାନଙ୍କ ସହିତ ଧୈର୍ଯ୍ୟ ଧରୁ, ତାହେଲେ କʼଣ ଆମକୁ ନିଜ ଭାଇଭଉଣୀମାନଙ୍କ ସହିତ ଆହୁରି ଅଧିକ ଧୈର୍ଯ୍ୟ ଧରିବା ଉଚିତ୍‌ ନୁହେଁ ? ଏବେ ପ୍ରଶ୍ନ ଉଠେ ଯେ ଯେବେ ଦୁନିଆର ଲୋକମାନେ କିମ୍ବା ଆମ ଭାଇଭଉଣୀମାନେ ଆମ ସହ ଅନ୍ୟାୟ କରନ୍ତି, ତେବେ ଯିହୋବାଙ୍କୁ କିପରି ଲାଗେ ? କʼଣ ତାଙ୍କୁ କିଛି ଫରକ ପଡ଼େ ?

୩. ଯେବେ ଆମ ସହିତ ଅନ୍ୟାୟ ହୁଏ, ତେବେ ଯିହୋବାଙ୍କୁ କିପରି ଲାଗେ ଓ କାହିଁକି ?

ଯିହୋବା ଚାହାନ୍ତି ଯେ ତାଙ୍କ ପ୍ରତ୍ୟେକ ସେବକମାନଙ୍କ ସହିତ ଭଲ ବ୍ୟବହାର କରାଯାଉ । ବାଇବଲରେ ଲେଖାଅଛି, ‘ଯିହୋବା ନ୍ୟାୟ ବିଚାର ଭଲ ପାଆନ୍ତି ।’ (ଗୀତ. ୩୭:୨୮) ତେଣୁ ଯେବେ ଆମ ସହ ଅନ୍ୟାୟ ହୁଏ, ତେବେ ଏହା ଦେଖି ଯିହୋବାଙ୍କୁ ବହୁତ କଷ୍ଟ ପହଞ୍ଚେ । ଯୀଶୁ ଆମକୁ ଭରସା ଦେଇଥିଲେ ଯେ ଠିକ୍‌ ସମୟରେ ଯିହୋବା “ଶୀଘ୍ର . . . ଅନ୍ୟାୟର ପ୍ରତିକାର କରିବେ ।” (ଲୂକ ୧୮:୭, ୮) ସେ ଖୁବ୍‌ ଶୀଘ୍ର ଆମକୁ ଯେଉଁ କ୍ଷତି ହୋଇଛି ତାହାକୁ ପୂରଣ କରିବେ ଆଉ ସବୁ ପ୍ରକାରର ଅନ୍ୟାୟକୁ ଶେଷ କରିଦେବେ ।—ଗୀତ. ୭୨:୧, ୨.

୪. ଅନ୍ୟାୟ ସହିବା ପାଇଁ ଯିହୋବା ଆମକୁ କିପରି ସାହାଯ୍ୟ କରନ୍ତି ?

ଆମେ ସେହି ଦିନକୁ ବହୁତ ଆଗ୍ରହର ସହ ଅପେକ୍ଷା କରିଛୁ, ଯେବେ ଯିହୋବା ସବୁ ପ୍ରକାରର ଅନ୍ୟାୟକୁ ଶେଷ କରିଦେବେ । କିନ୍ତୁ ସେ ଆଜି ମଧ୍ୟ ଆମକୁ ସାହାଯ୍ୟ କରୁଛନ୍ତି, ଯାହାଦ୍ୱାରା ଆମେ ଅନ୍ୟାୟ ସହିପାରିବା । (୨ ପିତ. ୩:୧୩) ସେ ଆମକୁ ଶିଖାନ୍ତି ଯେ ଯେବେ ଆମ ସହିତ ଅନ୍ୟାୟ ହୁଏ, ତେବେ ଆମେ ଏପରି କୌଣସି ପଦକ୍ଷେପ ନ ନେଉ ଯାହାଦ୍ୱାରା ଆମକୁ କ୍ଷତି ହେବ । ସେ ନିଜ ପୁତ୍ର ଯୀଶୁଙ୍କ ଜରିଆରେ ଆମକୁ ଶିଖାଇଛନ୍ତି ଯେ ଅନ୍ୟାୟ ହେଲେ ଆମେ କʼଣ କରିପାରିବା । କେବଳ ଏତିକି ନୁହେଁ, ସେ ବାଇବଲରେ ଆମକୁ ବଢ଼ିଆ ପରାମର୍ଶ ଦେଇଛନ୍ତି, ଯାହାକୁ ମାନିଲେ ଆମେ ଅନ୍ୟାୟର ସାମନା କରିପାରିବା ।

ଭୁଲ ପଦକ୍ଷେପ ନିଅନ୍ତୁ ନାହିଁ

୫. ଯେବେ ଆମ ସହ ଅନ୍ୟାୟ ହୁଏ, ତେବେ ଆମକୁ କେଉଁ କଥାର ଧ୍ୟାନ ରଖିବା ଉଚିତ୍‌ ?

ଯେବେ ଆମ ସହିତ ଅନ୍ୟାୟ ହୁଏ, ତେବେ ଆମକୁ ବହୁତ ଦୁଃଖ ଲାଗେ ଓ ଆମେ ନିରାଶ ହୋଇଯାଉ । (ଉପ. ୭:୭) ଈଶ୍ୱରଙ୍କ ବିଶ୍ୱସ୍ତ ସେବକ ଆୟୁବ ଓ ହବକ୍‌କୂକଙ୍କୁ ମଧ୍ୟ ଏପରି ହିଁ ଲାଗିଥିଲା । (ଆୟୁ. ୬:୨, ୩; ହବ. ୧:୧-୩) ଅନ୍ୟାୟ ହେଲେ ଦୁଃଖ କିମ୍ବା ରାଗ ଲାଗିବା ସ୍ୱାଭାବିକ ଅଟେ, କିନ୍ତୁ ଆମକୁ ଧ୍ୟାନ ଦେବା ଉଚିତ୍‌ ଯେ ଭାବନାରେ ଆସି ଆମ ଦ୍ୱାରା କୌଣସି ଭୁଲ ହୋଇ ନ ଯାଉ ।

୬. ଅବଶାଲୋମଙ୍କଠାରୁ ଆମେ କʼଣ ଶିଖିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଯେବେ କେହି ଆମ ସହିତ କିମ୍ବା ଆମ ସମ୍ପର୍କୀୟମାନଙ୍କ ସହିତ ଅନ୍ୟାୟ କରେ, ତେବେ ହୁଏତ ଆମେ ପ୍ରତିଶୋଧ ନେବା ପାଇଁ ଭାବିବା । କିନ୍ତୁ ଏପରି କଲେ ସମସ୍ୟା ଆହୁରି ବଢ଼ିପାରେ । ଦାଉଦଙ୍କ ପୁଅ ଅବଶାଲୋମଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ଶାବତ ଭାଇ ଅମ୍ନୋନ, ଅବଶାଲୋମଙ୍କ ଭଉଣୀ ତାମରଙ୍କ ସହିତ ବଳତ୍କାର କଲା । ଏହି କାରଣରୁ ଅବଶାଲୋମ ବହୁତ ରାଗିଗଲେ । ଏହା ସ୍ୱାଭାବିକ ଥିଲା । ମୋଶାଙ୍କ ନିୟମ ଅନୁସାରେ ମଧ୍ୟ ଅମ୍ନୋନକୁ ମୃତ୍ୟୁ ଦଣ୍ଡ ମିଳିବାର ଥିଲା । (ଲେବୀ. ୨୦:୧୭) କିନ୍ତୁ ଅବଶାଲୋମ ଭାବନାରେ ଆସି ମାମଲାକୁ ନିଜ ହାତରେ ନେଲେ ଓ ନିଜ ଭାଇ ଅମ୍ନୋନକୁ ମାରିଦେଲେ ।—୨ ଶାମୁ. ୧୩:୨୦-୨୩, ୨୮, ୨୯.

ଯେବେ ଅବଶାଲୋମଙ୍କ ଭଉଣୀ ତାମରଙ୍କ ସହିତ ବଳାତ୍କାର ହେଲା, ତେବେ ଅବଶାଲୋମ ନିଜ ରାଗକୁ କାବୁ କରିପାରିଲେ ନାହିଁ (ପାରାଗ୍ରାଫ ୬)


୭. ଯେବେ ଗୀତସଂହିତାର ଲେଖକ ଅନ୍ୟାୟ ହେବାର ଦେଖିଲେ, ତେବେ ତାଙ୍କୁ କିପରି ଲାଗିଲା ?

ଯେବେ ଅନ୍ୟାୟ କରୁଥିବା ଲୋକମାନଙ୍କୁ କୌଣସି ଦଣ୍ଡ ମିଳେ ନାହିଁ, ତେବେ ହୁଏତ ଆମେ ଭାବିବା, ‘କʼଣ ସଠିକ୍‌ କାମ କରିବାର କୌଣସି ଲାଭ ଅଛି ?’ ଗୀତସଂହିତା ୭୩ ଅଧ୍ୟାୟର ଲେଖକଙ୍କ ବିଷୟରେ ଭାବନ୍ତୁ, ଯେବେ ସେ ଦେଖିଲେ ଯେ ଦୁଷ୍ଟ ଲୋକମାନେ ଭଲ ଲୋକମାନଙ୍କ ସହ ଅନ୍ୟାୟ କରି ଉନ୍ନତି କରୁଛନ୍ତି, ତେବେ ସେ କହିଲେ, “ଏମାନେ ଦୁଷ୍ଟଲୋକ; ପୁଣି, ସେମାନେ ସର୍ବଦା ନିର୍ବିଘ୍ନରେ” ଥାʼନ୍ତି । (ଗୀତ. ୭୩:୧୨) ସେ ଏତେ ଚିନ୍ତିତ ହୋଇଗଲେ ଯେ ତାଙ୍କ ଚିନ୍ତାଧାରା ବଦଳିଗଲା । ସେ ଭାବିଲେ ଯେ ଯିହୋବାଙ୍କ ସେବା କରି କୌଣସି ଲାଭ ନାହିଁ । ସେ କହିଲେ, “ମୁଁ ତାହା କିରୂପେ ଜାଣିବି ବୋଲି ଭାବନା କଲା ବେଳେ ମୋʼ ପ୍ରତି ତାହା ଅତି କଷ୍ଟକର ହେଲା ।” (ଗୀତ. ୭୩:୧୪, ୧୬) ସେ ଏହା ବି କହିଲେ, “ମୋହର ଚରଣ ପ୍ରାୟ ଟଳିଗଲା; ମୋହର ପାଦବିକ୍ଷେପ ପ୍ରାୟ ଖସିଗଲା ।” (ଗୀତ. ୭୩:୨) ଗୀତସଂହିତା ୭୩ ଅଧ୍ୟାୟର ଲେଖକଙ୍କ ଭଳି ଭାଇ ଆଲବର୍ଟଙ୍କ a ସହ ବି ଏପରି ହିଁ କିଛି ହେଲା ।

୮. ଯେବେ ଜଣେ ଭାଇଙ୍କ ସହିତ ଅନ୍ୟାୟ ହେଲା, ତେବେ ତାଙ୍କ ଉପରେ ଏହାର କʼଣ ପ୍ରଭାବ ପଡ଼ିଲା ?

ଭାଇ ଆଲବର୍ଟଙ୍କ ଉପରେ ମଣ୍ଡଳୀର ପଇସା ଚୋରି କରିବାର ମିଛ ଆରୋପ ଲଗାଗଲା । ଏହାର ପରିଣାମ କʼଣ ହେଲା ? ତାଙ୍କ ପାଖରେ ଆଉ କୌଣସି ଦାୟିତ୍ୱ ରହିଲା ନାହିଁ ଏବଂ ଯେଉଁମାନେ ଏବିଷୟରେ ଜାଣିଥିଲେ ସେମାନଙ୍କ ଦୃଷ୍ଟିରେ ଭାଇଙ୍କ ମାନସମ୍ମାନ ଚାଲିଗଲା । ସେସମୟକୁ ମନେ ପକାଇ ସେ କହନ୍ତି, “ମୁଁ ବହୁତ ରାଗି ଯାଇଥିଲି, କ୍ରୋଦ୍ଧରେ ଭରି ଯାଇଥିଲି ଏବଂ ମୋତେ କିଛି ବୁଝାପଡ଼ୁ ନ ଥିଲା ।” ଭାଇ ଆଲବର୍ଟ ଏବିଷୟରେ ଭାବି ଏତେ ନିରାଶ ହୋଇଗଲେ ଯେ ଯିହୋବାଙ୍କ ସହିତ ତାଙ୍କର ସମ୍ପର୍କ ଦୁର୍ବଳ ହେବାକୁ ଲାଗିଲା । ସେ ପାଞ୍ଚ ବର୍ଷ ଯାଏ ସଭାରେ ଗଲେ ନାହିଁ ଏବଂ ପ୍ରଚାର ବି କଲେ ନାହିଁ । ଏହି ଅନୁଭୂତିରୁ ଜଣାପଡ଼େ ଯେ ଯେବେ ଆମ ସହିତ ଅନ୍ୟାୟ ହୁଏ ଓ ତାʼଯୋଗୁଁ ଆମେ ନିଜ ମନରେ ରାଗ ରଖୁ, ତେବେ ଏହାର କʼଣ ପରିଣାମ ହୋଇପାରେ ।

ଯୀଶୁଙ୍କ ଭଳି ହୁଅନ୍ତୁ

୯. ଯୀଶୁଙ୍କୁ କେଉଁ ଅନ୍ୟାୟ ସବୁ ସହିବାକୁ ପଡ଼ିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଅନ୍ୟାୟ ସହିବା ବିଷୟରେ ଯୀଶୁ ଆମମାନଙ୍କ ପାଇଁ ସବୁଠାରୁ ବଢ଼ିଆ ଉଦାହରଣ ଅଟନ୍ତି । ତାଙ୍କ ପରିବାର ଲୋକେ ଓ ବାହାର ଲୋକମାନେ ତାଙ୍କ ସହ ବହୁତ ଖରାପ ବ୍ୟବହାର କରୁଥିଲେ । ତାଙ୍କ ସମ୍ପର୍କୀୟମାନେ ତାଙ୍କୁ ପାଗଳ ବୋଲି କହିଲେ । ଧର୍ମଗୁରୁମାନେ ତାଙ୍କ ଉପରେ ଆରୋପ ଲଗାଇଲେ ଯେ ସେ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସାହାଯ୍ୟରୁ ଚମତ୍କାର କରନ୍ତି । ରୋମୀୟ ସୈନିକମାନେ ତାଙ୍କର ମଜାକ ଉଡ଼ାଇଲେ, ମାରପିଟ୍‌ କଲେ, ଏପରିକି ତାଙ୍କୁ ଜୀବନରୁ ମାରିଦେଲେ । (ମାର୍କ ୩:୨୧, ୨୨; ୧୪:୫୫; ୧୫:୧୬-୨୦, ୩୫-୩୭) କିନ୍ତୁ ଯୀଶୁ ଚୁପଚାପ୍‌ ସବୁକିଛି ସହିଲେ ଏବଂ ପ୍ରତିଶୋଧ ବି ନେଲେ ନାହିଁ । ଏଥିରୁ ଆମେ କʼଣ ଶିଖିପାରିବା ?

ଅନ୍ୟାୟ ସହିବା ମାମଲାରେ ଯୀଶୁ ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି (ପାରାଗ୍ରାଫ ୯-୧୦)


୧୦. ଯୀଶୁ କିପରି ଅନ୍ୟାୟ ସହିଲେ ? (୧ ପିତର ୨:୨୧-୨୩)

୧୦ ୧ ପିତର ୨:୨୧-୨୩ ପଢ଼ନ୍ତୁ । b ଯୀଶୁ ଆମ ପାଇଁ ଆଦର୍ଶ ଅଟନ୍ତି ଏବଂ ଆମେ ତାଙ୍କଠାରୁ ବହୁତ କିଛି ଶିଖିପାରିବା । ଧ୍ୟାନ ଦିଅନ୍ତୁ ଯେ ଅନ୍ୟାୟ ହେବା ସମୟରେ ସେ କʼଣ କଲେ । ସେ ଜାଣିଥିଲେ ଯେ କେବେ ଚୁପ୍‌ ରହିବାର ଅଛି ଆଉ କେବେ କହିବାର ଅଛି । (ମାଥି. ୨୬:୬୨-୬୪) ଯେବେ ତାଙ୍କ ଉପରେ ମିଛ ଆରୋପ ଲଗାଗଲା, ତେବେ ସେ ସବୁବେଳେ ନିଜକୁ ଠିକ୍‌ ବୋଲି ପ୍ରମାଣିତ କଲେ ନାହିଁ । (ମାଥି. ୧୧:୧୯) କିନ୍ତୁ ଯେବେ ବି ସେ ବିରୋଧୀମାନଙ୍କୁ ଉତ୍ତର ଦେଲେ, ତେବେ ସେ ଆଦରର ସହିତ କଥା ହେଲେ ଏବଂ ଧମକ୍‌ ଦେଲେ ନାହିଁ । ଯୀଶୁ ସଂଯମ ରଖିଲେ ଏବଂ “ନ୍ୟାୟବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କଲେ ।” ଯୀଶୁ ଜାଣିଥିଲେ ଯେ ଯିହୋବା ସବୁକିଛି ଦେଖୁଛନ୍ତି ଏବଂ ତାଙ୍କୁ ଭରସା ଥିଲା ଯେ ଯିହୋବା ସଠିକ୍‌ ସମୟରେ ନ୍ୟାୟ କରିବେ ଓ ସବୁକିଛି ଠିକ୍‌ କରିଦେବେ ।

୧୧. ଆମକୁ କେଉଁ ସମୟରେ ଚୁପ୍‌ ରହିବାକୁ ପଡ଼ିପାରେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୧ ଯେବେ ଆମ ସହିତ ଖରାପ ବ୍ୟବହାର ହୁଏ, ତେବେ ଆମେ କିପରି ଯୀଶୁଙ୍କ ଭଳି ହୋଇପାରିବା ? ହୁଏତ ଆମକୁ ସେସମୟରେ ଚୁପ୍‌ ରହିବାକୁ ପଡ଼ିବ । କିଛି କଥାଗୁଡ଼ିକ ଏତେ ବଡ଼ ନ ଥାଏ ତେଣୁ ଆମେ ସେଗୁଡ଼ିକୁ ଅଣଦେଖା କରିପାରିବା । କିମ୍ବା ହୁଏତ ସେସମୟରେ ଆମେ ଚୁପ୍‌ ରହିବା ଏବଂ ଏପରି କିଛି କହିବା ନାହିଁ ଯେଉଁଥିରୁ ସମସ୍ୟା ବଢ଼ିଯିବ । (ଉପ. ୩:୭; ଯାକୁ. ୧:୧୯, ୨୦) କିନ୍ତୁ ବେଳେବେଳେ ହୁଏତ ଆମକୁ କହିବାକୁ ବି ପଡ଼ିବ । ଯେପରି ଯେବେ କାହାରି ସହିତ ଖରାପ ବ୍ୟବହାର କରାଯାଏ, ତେବେ ହୁଏତ ଆମକୁ ତାଙ୍କ ତରଫରୁ କିଛି କହିବାକୁ ପଡ଼ିବ । କିମ୍ବା ହୁଏତ ଆମକୁ ନିଜ ବିଶ୍ୱାସ ବିଷୟରେ କହିବାକୁ ପଡ଼ିବ । (ପ୍ରେରି. ୬:୧, ୨) କିନ୍ତୁ ଏପରି ସମୟରେ ଆମକୁ ଶାନ୍ତ ରହି, ଆଦରର ସହିତ କଥା ହେବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌ ।—୧ ପିତ. ୩:୧୫. c

ଅନ୍ୟାୟ ସହିବା ସମୟରେ ଆମେ ବି ଯୀଶୁଙ୍କ ଭଳି ଭାବିଚିନ୍ତି ଏହା ନିଷ୍ପତ୍ତି ନେବା ଯେ ଆମେ କେଉଁ ସମୟରେ କହିବା ଓ କʼଣ କହିବା (ପାରାଗ୍ରାଫ ୧୧-୧୨)


୧୨. ଆମେ କିପରି ‘ନ୍ୟାୟବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିବା ?’

୧୨ ଆମେ ଆଉ ଗୋଟିଏ ଉପାୟରୁ ମଧ୍ୟ ଯୀଶୁଙ୍କ ଭଳି ହୋଇପାରିବା । ଆମେ ‘ନ୍ୟାୟବିଚାରକର୍ତ୍ତାଙ୍କ ହସ୍ତରେ ସମସ୍ତ ବିଷୟ ସମର୍ପଣ କରିବା ।’ ଆମେ ଏହା କିପରି କରିପାରିବା ? ଯେବେ ଲୋକମାନେ ଆମ ସହ ଖରାପ ବ୍ୟବହାର କରନ୍ତି କିମ୍ବା ଆମକୁ ଭୁଲ ବୁଝନ୍ତି, ତେବେ ଆମେ ମନେ ରଖିବା ଯେ ଯିହୋବା ସବୁକିଛି ଜାଣନ୍ତି ଏବଂ ସେ ଦିନେ ନା ଦିନେ ସବୁକିଛି ଠିକ୍‌ କରିଦେବେ । ଏପରି କଲେ ଆମେ ଅନ୍ୟାୟ ସହିପାରିବା । ଯେବେ ଆମେ ମାମଲାକୁ ଯିହୋବାଙ୍କ ହାତରେ ଛାଡ଼ିଦେବା, ତେବେ ଆମକୁ ଚିନ୍ତା ହେବ ନାହିଁ ଏବଂ ଆମେ ନିଜ ମନରେ ରାଗ ରଖିବା ନାହିଁ । କେବଳ ଏତିକି ନୁହେଁ, ଏପରି କଲେ ଆମେ ନିଜକୁ କାବୁରେ ରଖିପାରିବା, ଖୁସି ରହିପାରିବା ଏବଂ ଯିହୋବାଙ୍କ ସହିତ ଆମ ସମ୍ପର୍କକୁ ଦୁର୍ବଳ ହେବା ପାଇଁ ଦେବା ନାହିଁ ।—ଗୀତ. ୩୭:୮.

୧୩. ଅନ୍ୟାୟ ସହିବା ପାଇଁ କେଉଁ କଥା ଆମକୁ ସାହାଯ୍ୟ କରିବ ?

୧୩ ଏହା ସତ ଯେ ଆମେ କେବେ ବି ପୂରାପୂରି ଯୀଶୁଙ୍କ ଭଳି ହୋଇପାରିବା ନାହିଁ । ହୋଇପାରେ ବେଳେବେଳେ ଆମେ ଏପରି କିଛି କହିବା ବା କରିବା, ଯାହାଦ୍ୱାରା ପରେ ଆମକୁ ଅବଶୋଷ ହେବ । (ଯାକୁ. ୩:୨) ଏପରି ବି ହୋଇପାରେ ଯେ ଅନ୍ୟାୟ ସହିବା ଯୋଗୁଁ ଆମେ ପୂରାପୂରି ଭାଙ୍ଗି ପଡ଼ିବା କିମ୍ବା ଆମ ଦେଖ ଖରାପ ହୋଇଯିବ । କେବଳ ଏତିକି ନୁହେଁ, ହୁଏତ ସାରା ଜୀବନ ଆମକୁ ଏହି କଷ୍ଟ ସହିବାକୁ ପଡ଼ିବ । ଯଦି ଆପଣଙ୍କ ସହିତ ଏପରି ହୋଇଛି, ତାହେଲେ ମନେ ରଖନ୍ତୁ ଯେ ଯିହୋବା ଆପଣଙ୍କ ଦୁଃଖକୁ ଭଲଭାବେ ଜାଣନ୍ତି । ଆଉ ଯୀଶୁ ମଧ୍ୟ ସେହି କଷ୍ଟକୁ ଭଲଭାବେ ବୁଝନ୍ତି, କାରଣ ସେ ସବୁ ପ୍ରକାରର ଅନ୍ୟାୟ ସହିଛନ୍ତି । (ଏବ୍ରୀ ୪:୧୫, ୧୬) ଆମେ ଯିହୋବାଙ୍କ ବହୁତ କୃତଜ୍ଞ ଯେ ସେ ଯୀଶୁଙ୍କୁ ଏହି ପୃଥିବୀରେ ପଠାଇଲେ, ଯାହାଦ୍ୱାରା ଆମେ ତାଙ୍କଠାରୁ ଶିଖିପାରିବା । ଏହା ବ୍ୟତୀତ ଯିହୋବା ବାଇବଲ ଜରିଆରେ ଆମକୁ ଯେଉଁ ବଢ଼ିଆ ପରାମର୍ଶ ଦେଇଛନ୍ତି, ସେଗୁଡ଼ିକୁ ମାନିଲେ ଆମେ ଅନ୍ୟାୟ ସହିପାରିବା । ତାହେଲେ ଆସନ୍ତୁ ରୋମୀୟ ବହିର ଦୁଇଟି ପଦ ଉପରେ ଧ୍ୟାନ ଦେବା ।

“କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ”

୧୪. “କ୍ରୋଧ ପାଇଁ ସ୍ଥାନ ଛାଡ଼ିଦିଅ” ଏହାର ଅର୍ଥ କʼଣ ? (ରୋମୀୟ ୧୨:୧୯)

୧୪ ରୋମୀୟ ୧୨:୧୯ ପଢ଼ନ୍ତୁ । ଏହି ପଦରେ ପାଉଲ କାହାର “କ୍ରୋଧ ପାଇଁ ସ୍ଥାନ” ଛାଡ଼ିଦେବା ବିଷୟରେ କହୁଥିଲେ ? ଏହାର ଆଖପାଖ ପଦଗୁଡ଼ିକରୁ ଜଣାପଡ଼େ ଯେ ପାଉଲ ଯିହୋବାଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ିଦେବା ବିଷୟରେ କହୁଥିଲେ । କିନ୍ତୁ ଆମେ କିପରି ଯିହୋବାଙ୍କ କ୍ରୋଧ ପାଇଁ ସ୍ଥାନ ଛାଡ଼ି ପାରିବା ? ଆମେ ଭରସା ରଖିବା ଯେ ଯିହୋବା ଠିକ୍‌ ସମୟରେ ଓ ନିଜ ଉପାୟରୁ ନ୍ୟାୟ କରିବେ । ଭାଇ ଜୋନ୍‌ଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ସହିତ ଅନ୍ୟାୟ ହୋଇଥିଲା । ସେ କହନ୍ତି, “ମୁଁ ନିଜ ଉପାୟରେ ମାମଲା ସମାଧାନ ନ କରିବା ପାଇଁ ବହୁତ ସଂଘର୍ଷ କରୁଥିଲି । ରୋମୀୟ ୧୨:୧୯ ପଦରୁ ମୋତେ ଯିହୋବାଙ୍କ ଉପରେ ଭରସା କରିବା ଓ ତାଙ୍କ ସମୟକୁ ଅପେକ୍ଷା କରିବା ପାଇଁ ସାହାଯ୍ୟ ମିଳିଲା ।”

୧୫. କୌଣସି ମାମଲାକୁ ଯିହୋବାଙ୍କ ହାତରେ ଛାଡ଼ିଦେବା କାହିଁକି ଭଲ ହେବ ?

୧୫ ଯେବେ ଆମେ ଯିହୋବାଙ୍କ ଉପରେ ଭରସା ରଖୁ ଏବଂ ମାମଲାକୁ ତାଙ୍କ ହାତରେ ଛାଡ଼ିଦେଉ, ତେବେ ଏଥିରୁ ଆମକୁ ହିଁ ଲାଭ ହୁଏ । ଆମେ ମାମଲାକୁ କିପରି ସମାଧାନ କରିବା, ଏହା ଆମକୁ ଚିନ୍ତା କରିବାକୁ ପଡ଼େ ନାହିଁ । ଆଉ ଏବିଷୟରେ ଅତ୍ୟଧିକ ଭାବି ନିରାଶ ହୋଇ ନ ଥାଉ । ଯିହୋବା ପ୍ରତିଜ୍ଞା କରିଛନ୍ତି ଯେ ସେ “ପ୍ରତିଶୋଧ” ନେବେ । ସେ ଯେପରି କହୁଛନ୍ତି, ‘ଚିନ୍ତା କର ନାହିଁ, ମୁଁ ସବୁକିଛି ସମ୍ଭାଳି ନେବି ।’ ଯଦି ଆମେ ଏହି ପ୍ରତିଜ୍ଞା ଉପରେ ଭରସା କରିବା, ତେବେ ଆମେ ମାମଲାକୁ ଯିହୋବାଙ୍କ ହାତରେ ଛାଡ଼ିଦେବା । ଆଉ ଭରସା ରଖିବା ଯେ ସେ ସବୁଠାରୁ ବଢ଼ିଆ ଉପାୟରେ ମାମଲାକୁ ସମାଧାନ କରିବେ । ଏହି କଥାକୁ ମନେ ରଖିବା ଦ୍ୱାରା ଭାଇ ଜୋନ୍‌ଙ୍କୁ ବି ସାହାଯ୍ୟ ମିଳିଲା, ଯାହାଙ୍କ ବିଷୟରେ ଆମେ ପୂର୍ବେ ଚର୍ଚ୍ଚା କରିଥିଲୁ । ସେ କହନ୍ତି, “ମୁଁ ଜାଣିଛି ଯେ ଯଦି ମୁଁ ଯିହୋବାଙ୍କ ଉପରେ ଭରସା ରଖିବି, ତେବେ ସେ ମୋଠାରୁ ବି ବଢ଼ିଆ ଉପାୟରେ ମାମଲାକୁ ସମାଧାନ କରିବେ ।”

“ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର”

୧୬-୧୭. ପ୍ରାର୍ଥନା କରିବା ଦ୍ୱାରା ଆମେ କିପରି “ସୁକ୍ରିୟାରେ କୁକ୍ରିୟାକୁ ପରାଜୟ” କରିପାରିବା ? (ରୋମୀୟ ୧୨:୨୧)

୧୬ ରୋମୀୟ ୧୨:୨୧ ପଢ଼ନ୍ତୁ । ପାଉଲ ଖ୍ରୀଷ୍ଟିୟାନମାନଙ୍କୁ ଏହା ବି କହିଲେ ଯେ “ସୁକ୍ରିୟାରେ କୁକ୍ରିୟାକୁ ପରାଜୟ କର ।” ଯୀଶୁ ବି ପାର୍ବତ୍ୟ ଉପଦେଶରେ କହିଥିଲେ, “ତୁମ୍ଭମାନଙ୍କ ଶତ୍ରୁମାନଙ୍କୁ ପ୍ରେମ କର, ପୁଣି ଯେଉଁମାନେ ତୁମ୍ଭମାନଙ୍କୁ ତାଡ଼ନା କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର ।” (ମାଥି. ୫:୪୪) ଯୀଶୁ ଏପରି ନିଜର କାମରୁ ମଧ୍ୟ ଦେଖାଇଲେ । ଯେବେ ରୋମୀୟ ସୈନିକମାନେ ତାଙ୍କୁ କଣ୍ଟା ପିଟି ମାରିଦେଲେ, ତେବେ ଯୀଶୁଙ୍କୁ ବହୁତ କଷ୍ଟ ସହିବାକୁ ପଡ଼ିଲା, ଯାହା ଆମେ କଳ୍ପନା ବି କରିପାରିବା ନାହିଁ । ଏହା ବ୍ୟତୀତ ସେମାନେ ତାଙ୍କୁ ବଦନାମ ଓ ଅପମାନ କଲେ ।

୧୭ କିନ୍ତୁ ଯୀଶୁ ଏସବୁ ସହିଲେ ଆଉ ସୈନିକମାନଙ୍କ ବିରୁଦ୍ଧରେ କିଛି କହିବା ପରିବର୍ତ୍ତେ ସେମାନଙ୍କ ପାଇଁ ପ୍ରାର୍ଥନା କଲେ । ସେ କହିଲେ, “ପିତଃ, ଏମାନଙ୍କୁ କ୍ଷମା କର, କାରଣ ଏମାନେ କଅଣ କରୁଅଛନ୍ତି, ତାହା ଜାଣନ୍ତି ନାହିଁ ।” (ଲୂକ ୨୩:୩୪) ଯଦି ଆମେ ବି ସେମାନଙ୍କ ପାଇଁ ପ୍ରାର୍ଥନା କରୁ ଯେଉଁମାନେ ଆମକୁ କଷ୍ଟ ପହଞ୍ଚାନ୍ତି ବା ଆମ ସହ ଖରାପ ବ୍ୟବହାର କରନ୍ତି, ତେବେ ଆମେ ଶାନ୍ତ ରହୁ ଏବଂ ମନରେ ରାଗ ରଖି ନ ଥାଉ । କେବଳ ଏତିକି ନୁହେଁ, ତାଙ୍କ ପ୍ରତି ଆମର ଦୃଷ୍ଟିକୋଣ ବଦଳିଯାଏ ।

୧୮. ପ୍ରାର୍ଥନା କରିବା ଯୋଗୁଁ ଭାଇ ଆଲବର୍ଟ ଓ ଭାଇ ଜୋନ୍‌ କିପରି ଅନ୍ୟାୟ ସହିପାରିଲେ ?

୧୮ ଏହି ଲେଖାରେ ଯେଉଁ ଦୁଇଜଣ ଭାଇଙ୍କ ବିଷୟରେ କୁହାଯାଇଛି, ସେମାନେ ପ୍ରାର୍ଥନା କରିବା ଦ୍ୱାରା ଅନ୍ୟାୟ ସହିପାରିଲେ । ଭାଇ ଆଲବର୍ଟ କହନ୍ତି, “ମୁଁ ସେହି ଭାଇମାନଙ୍କ ପାଇଁ ପ୍ରାର୍ଥନା କଲି ଯେଉଁମାନେ ମୋତେ କଷ୍ଟ ପହଞ୍ଚାଇଥିଲେ । ମୁଁ ବାରମ୍ବାର ଯିହୋବାଙ୍କୁ କହିଲି ଯେ ଯାହା ବି ହେଲା ତାହାକୁ ଭୁଲିବା ପାଇଁ ମୋତେ ସାହାଯ୍ୟ କରନ୍ତୁ ।” ଖୁସିର କଥା ଯେ ଭାଇ ପୁଣିଥରେ ଯିହୋବାଙ୍କ ସେବା କଲେ । ପ୍ରାର୍ଥନା କରିବା ଯୋଗୁଁ ଭାଇ ଜୋନ୍‌ଙ୍କୁ ମଧ୍ୟ ସାହାଯ୍ୟ ମିଳିଲା । ସେ କହନ୍ତି, “ମୁଁ ଅନେକଥର ସେହି ଭାଇଙ୍କ ପାଇଁ ପ୍ରାର୍ଥନା କଲି ଯିଏ ମୋତେ କଷ୍ଟ ପହଞ୍ଚାଇ ଥିଲେ । ଏପରି କରିବା ଦ୍ୱାରା ମୋ ରାଗ ଶାନ୍ତ ହୋଇଗଲା ଏବଂ ମୁଁ ତାଙ୍କ ବିଷୟରେ କିଛି ଖରାପ କଥା ଭାବିଲି ନାହିଁ । ମୁଁ ତାଙ୍କୁ ହୃଦୟରୁ କ୍ଷମା କଲି ଏବଂ ପ୍ରାର୍ଥନା କରିବା ଯୋଗୁଁ ମୋତେ ମନର ଶାନ୍ତି ବି ମିଳିଲା ।”

୧୯. ଯେଉଁ ପର୍ଯ୍ୟନ୍ତ ଏହି ଦୁଷ୍ଟ ଦୁନିଆର ବିନାଶ ହୋଇ ନ ଯାଏ, ଆମକୁ କʼଣ କରିବାକୁ ପଡ଼ିବ ? (୧ ପିତର ୩:୮, ୯)

୧୯ ଆମକୁ ଜଣା ନାହିଁ ଯେ ଏହି ଦୁଷ୍ଟ ଦୁନିଆର ବିନାଶ ପୂର୍ବେ ଆମକୁ କେଉଁ କେଉଁ ଅନ୍ୟାୟ ସହିବାକୁ ପଡ଼ିବ । ଆମ ସହିତ ଯାହା ବି ଅନ୍ୟାୟ ହେଉ ନା କାହିଁକି, ଆମେ ଯିହୋବାଙ୍କୁ ପ୍ରାର୍ଥନା କରିବା ଛାଡ଼ିବା ନାହିଁ, ଯୀଶୁଙ୍କ ଉଦାହରଣରେ ଚାଲିବା ଏବଂ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ମାନିବା ଜାରି ରଖିବା । ଯଦି ଆମେ ଏପରି କରିବା, ତାହେଲେ ଆମେ ଭରସା ରଖିପାରିବା ଯେ ଯିହୋବା ଆମକୁ ନିଶ୍ଚୟ ଆଶିଷ ଦେବେ ।—୧ ପିତର ୩:୮, ୯ ପଢ଼ନ୍ତୁ ।

ଗୀତ ୩୮ ୱହ୍‌ ତୁମ୍‌ହେ ମଜବୁତ୍‌ କରେଗା

a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

b ୧ ପିତର ୨ ଓ ୩ ଅଧ୍ୟାୟରେ ପିତର କହିଲେ ଯେ ପ୍ରଥମ ଶତାବ୍ଦୀର ଅନେକ ଖ୍ରୀଷ୍ଟିୟାନମାନଙ୍କ ସହ ସେମାନଙ୍କ ମାଲିକମାନେ ଅନ୍ୟାୟ କଲେ । କେବଳ ଏତିକି ନୁହେଁ, ଏପରି ଅନେକ ଭଉଣୀ ବି ଥିଲେ ଯେଉଁମାନଙ୍କ ସ୍ୱାମୀ ସେମାନଙ୍କ ସହ ଖରାପ ବ୍ୟବହାର କଲେ ।—୧ ପିତ. ୨:୧୮-୨୦; ୩: ୧-୬, ୮, ୯.

c jw.org ୱେବସାଇଟ୍‌ରେ ଦିଆଯାଇଥିବା ଭିଡିଓ ପ୍ରେମ ଥିଲେ ପ୍ରକୃତ ଶାନ୍ତି କିପରି ମିଳେ ? ଦେଖନ୍ତୁ ।