इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୬

ଗୀତ ୪୯ ୟାହୋୱା କା ଦିଲ୍‌ ଖୁସ୍‌ କାରେଁ

ଭାଇମାନେ, କʼଣ ଆପଣ ସହାୟକ ସେବକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?

ଭାଇମାନେ, କʼଣ ଆପଣ ସହାୟକ ସେବକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ?

“ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର ।”ପ୍ରେରି. ୨୦:୩୫.

କʼଣ ଶିଖିବା ?

ଯେଉଁ ଭାଇମାନଙ୍କର ବାପ୍ତିସ୍ମ ହୋଇସାରିଛି, ସେମାନେ ସହାୟକ ସେବକ ହେବା ପାଇଁ କିପରି ଆଗକୁ ବଢ଼ିପାରିବେ ?

୧. ପ୍ରେରିତ ପାଉଲ ସହାୟକ ସେବକମାନଙ୍କ ବିଷୟରେ କʼଣ ଭାବୁଥିଲେ ?

 ସହାୟକ ସେବକମାନେ ମଣ୍ଡଳୀରେ ଅନେକ ଜରୁରୀ ଦାୟିତ୍ୱଗୁଡ଼ିକ ତୁଲାନ୍ତି । ପ୍ରେରିତ ପାଉଲ ଏହି ବିଶ୍ୱସ୍ତ ଭାଇମାନଙ୍କ ପାଇଁ ବହୁତ କୃତଜ୍ଞ ମନେ କରୁଥିଲେ । ତେଣୁ ସେ ଯେବେ ଫିଲିପ୍‌ପୀୟ ମଣ୍ଡଳୀର ଖ୍ରୀଷ୍ଟିୟାନମାନଙ୍କୁ ଚିଠି ଲେଖିଲେ, ତେବେ ସେ ପ୍ରାଚୀନମାନଙ୍କ ବିଷୟରେ କହିବା ସହିତ ସହାୟକ ସେବକମାନଙ୍କ ବିଷୟରେ ବି କହିଲେ ।—ଫିଲିପ୍‌. ୧:୧.

୨. ଭାଇ ଲୁଇସ୍‌ ଏହି ସେବା ବିଷୟରେ କʼଣ କହନ୍ତି ?

ଆଜି ବାପ୍ତିସ୍ମ ପ୍ରାପ୍ତ ଅନେକ ଯୁବା କିମ୍ବା ବୟସ୍କ ଭାଇମାନେ ସହାୟକ ସେବକ ଭାବେ ସେବା କରୁଛନ୍ତି । ସେମାନଙ୍କୁ ଏଥିରୁ ବହୁତ ଖୁସି ମିଳେ । ଯେପରି, ଭାଇ ଦେୱନ ୧୮ ବର୍ଷର ଥିବା ସମୟରେ ତାଙ୍କୁ ସହାୟକ ସେବକ ଭାବେ ନିଯୁକ୍ତ କରାଗଲା । ଆଉ, ଭାଇ ଲୁଇସ୍‌ ପାଖାପାଖି ୫୦ ବର୍ଷ ବୟସରେ ସହାୟକ ସେବକ ହେଲେ । ସେ ଏହି ସେବା ବିଷୟରେ କହନ୍ତି, “ଏପରି ଭାବେ ମଣ୍ଡଳୀର ଭାଇଭଉଣୀମାନଙ୍କ ସେବା କରିବା ଦ୍ୱାରା ମୋତେ ବହୁତ ଖୁସି ଲାଗେ । ସେମାନେ ମୋତେ ବହୁତ ପ୍ରେମ କରନ୍ତି ଓ ଏହି ସେବା କରିବା ଦ୍ୱାରା ମୁଁ ବି ସେମାନଙ୍କୁ ନିଜ ପ୍ରେମ ଦେଖାଇପାରିବି ।” ସାରା ଦୁନିଆରେ ଥିବା ସହାୟକ ସେବକମାନଙ୍କୁ ମଧ୍ୟ ଏପରି ହିଁ ଲାଗେ ।

୩. ଏହି ଲେଖାରେ ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?

ଯଦି ଆପଣଙ୍କ ବାପ୍ତିସ୍ମ ହୋଇସାରିଛି, କିନ୍ତୁ ଆପଣ ଜଣେ ସହାୟକ ସେବକ ନୁହଁନ୍ତି, ତାହେଲେ କʼଣ ଆପଣ ଏହି ସେବା କରିବା ପାଇଁ ଲକ୍ଷ୍ୟ ରଖିପାରିବେ ? କେଉଁ କଥାରୁ ଆପଣଙ୍କୁ ଏପରି କରିବା ପାଇଁ ପ୍ରୋତ୍ସାହନ ମିଳିବ ? ଆଉ ସହାୟକ ସେବକ ହେବା ପାଇଁ ଆପଣଙ୍କୁ ବାଇବଲରେ ଦିଆଯାଇଥିବା କେଉଁ ଯୋଗ୍ୟତାଗୁଡ଼ିକୁ ପୂରା କରିବାକୁ ପଡ଼ିବ ? ଏହି ଲେଖାରେ ଆମେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା । କିନ୍ତୁ ପ୍ରଥମେ ଆମେ ଜାଣିବା ଯେ ସହାୟକ ସେବକମାନେ କେଉଁ କେଉଁ ଦାୟିତ୍ୱ ତୁଲାନ୍ତି ।

ସହାୟକ ସେବକମାନେ କେଉଁ ଦାୟିତ୍ୱଗୁଡ଼ିକ ତୁଲାନ୍ତି ?

୪. ସହାୟକ ସେବକମାନେ କେଉଁ ଦାୟିତ୍ୱଗୁଡ଼ିକ ତୁଲାନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ସହାୟକ ସେବକମାନେ ବାପ୍ତିସ୍ମ ପ୍ରାପ୍ତ ଏପରି ଭାଇ ଅଟନ୍ତି, ଯେଉଁମାନଙ୍କୁ ପବିତ୍ର ଶକ୍ତି ଦ୍ୱାରା ନିଯୁକ୍ତ କରାଯାଏ । ସେମାନେ ମଣ୍ଡଳୀର ଅନେକ ଦାୟିତ୍ୱ ତୁଲାଇବା ପାଇଁ ପ୍ରାଚୀନମାନଙ୍କୁ ସାହାଯ୍ୟ କରନ୍ତି । ଯେପରି, ସେମାନେ ଏ କଥାର ଧ୍ୟାନ ରଖନ୍ତି ଯେ ଭାଇଭଉଣୀମାନଙ୍କ ପାଖରେ ପ୍ରଚାରର ଅଞ୍ଚଳ ଏବଂ ଲୋକମାନଙ୍କୁ ଦେବା ପାଇଁ ବହି ପତ୍ରିକାଗୁଡ଼ିକ ରହୁ । ସେମାନେ ରାଜ୍ୟଘରର ସଫାସୁତୁରା କରିବା ଓ ତାʼର ଦେଖାରେଖା କାମରେ ମଧ୍ୟ ସାହାଯ୍ୟ କରନ୍ତି । କିଛି ସହାୟକ ସେବକ ଅଟେଣ୍ଡାଣ୍ଟ ଭାବେ କାମ କରନ୍ତି ଏବଂ କିଛି ଭାଇ ସଭା ସମୟରେ ଅଡିଓ ଭିଡିଓ ସମ୍ଭାଳନ୍ତି । କିନ୍ତୁ ସବୁଠୁ ଜରୁରୀ କଥା, ସେମାନେ ଏପରି ଭାଇ ଅଟନ୍ତି ଯେଉଁମାନଙ୍କର ଯିହୋବାଙ୍କ ସହିତ ଗୋଟିଏ ଭଲ ସମ୍ପର୍କ ଥାଏ । ସେମାନେ ଯିହୋବାଙ୍କୁ ପ୍ରେମ କରନ୍ତି ଓ ତାଙ୍କ ସ୍ତର ଅନୁସାରେ ବଞ୍ଚନ୍ତି ଏବଂ ମଣ୍ଡଳୀର ଭାଇଭଉଣୀମାନଙ୍କୁ ମଧ୍ୟ ବହୁତ ପ୍ରେମ କରନ୍ତି । (ମାଥି. ୨୨:୩୭-୩୯) ତାହେଲେ ବାପ୍ତିସ୍ମ ପ୍ରାପ୍ତ ଜଣେ ଭାଇ, କିପରି ସହାୟକ ସେବକ ହେବା ପାଇଁ ଆଗକୁ ବଢ଼ିପାରିବେ ?

ସହାୟକ ସେବକମାନେ ଯୀଶୁଙ୍କ ଭଳି ଖୁସିର ସହ ଅନ୍ୟମାନଙ୍କ ସେବା କରିବା ପାଇଁ ପ୍ରସ୍ତୁତ ରହନ୍ତି (ପାରାଗ୍ରାଫ ୪)


୫. ସହାୟକ ସେବକ ହେବା ପାଇଁ ଜଣେ ଭାଇଙ୍କୁ କʼଣ କରିବାକୁ ପଡ଼ିବ ?

ବାଇବଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯେଉଁ ଭାଇ ସହାୟକ ସେବକ ହେବା ପାଇଁ ଚାହାନ୍ତି, ତାଙ୍କଠାରେ କେଉଁ ଯୋଗ୍ୟତାଗୁଡ଼ିକ ହେବା ଉଚିତ୍‌ । (୧ ତୀମ. ୩:୮-୧୦, ୧୨, ୧୩) ଯଦି ଆପଣ ବି ସହାୟକ ସେବକ ହେବା ପାଇଁ ଚାହାନ୍ତି, ତାହେଲେ ଏହି ଯୋଗ୍ୟତାଗୁଡ଼ିକ ଉପରେ ଭଲଭାବେ ଅଧ୍ୟୟନ କରନ୍ତୁ ଓ ସେଗୁଡ଼ିକୁ ପୂରା କରିବା ପାଇଁ ସମ୍ପୂର୍ଣ୍ଣ ଚେଷ୍ଟା କରନ୍ତୁ । କିନ୍ତୁ ପ୍ରଥମେ ଆପଣଙ୍କୁ ଏବିଷୟରେ ଗଭୀର ଭାବେ ଚିନ୍ତା କରିବା ଉଚିତ୍‌ ଯେ ଆପଣ କାହିଁକି ସହାୟକ ସେବକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଆପଣ କାହିଁକି ଆଗକୁ ବଢ଼ିବା ପାଇଁ ଚାହାନ୍ତି ?

୬. ଆମେ କେଉଁ କାରଣ ଯୋଗୁଁ ଭାଇଭଉଣୀମାନଙ୍କ ସେବା କରିବା ଉଚିତ୍‌ ? (ମାଥିଉ ୨୦:୨୮; ଚିତ୍ର ମଧ୍ୟ ଦେଖନ୍ତୁ ।)

ଯୀଶୁଙ୍କ ଉପରେ ଧ୍ୟାନ ଦିଅନ୍ତୁ । ସେ ଆମ ପାଇଁ ଗୋଟିଏ ବଢ଼ିଆ ଉଦାହରଣ ଅଟନ୍ତି । ସେ ନିଜ ପିତା ଯିହୋବା ଓ ଲୋକମାନଙ୍କୁ ବହୁତ ପ୍ରେମ କରୁଥିଲେ । ତେଣୁ ସେ ଅନ୍ୟମାନଙ୍କ ପାଇଁ କଠିନ ପରିଶ୍ରମ କଲେ ଓ ଏପରି କାମ କଲେ ଯାହାକୁ ଲୋକେ ସାଧାରଣ ବୋଲି ଭାବୁଥିଲେ । (ମାଥିଉ ୨୦:୨୮ ପଢ଼ନ୍ତୁ; ଯୋହ. ୧୩:୫, ୧୪, ୧୫) ଯଦି ଆପଣ ବି ପ୍ରେମ ଯୋଗୁଁ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବେ, ତେବେ ଯିହୋବା ଆପଣଙ୍କୁ ଆଶିଷ ଦେବେ ଓ ସହାୟକ ସେବକ ହେବା ପାଇଁ ଆପଣ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହାକୁ ହାସଲ କରିବା ପାଇଁ ସେ ଆପଣଙ୍କୁ ସାହାଯ୍ୟ କରିବେ ।—୧ କରି. ୧୬:୧୪; ୧ ପିତ. ୫:୫.

ଯୀଶୁ ନିଜ ପ୍ରେରିତମାନଙ୍କ ପାଇଁ ଭଲ ଉଦାହରଣ ରଖିଲେ ଏବଂ ଏପରି ଭାବେ ସେମାନଙ୍କୁ ଶିଖାଇଲେ ଯେ ଉଚ୍ଚ ପଦବୀ ପାଇବା ଅପେକ୍ଷା ନମ୍ର ରହି ଅନ୍ୟମାନଙ୍କ ସେବା କରିବା ଉଚିତ୍‌ (ପାରାଗ୍ରାଫ ୬)


୭. ଜଣେ ଭାଇଙ୍କୁ ଅନ୍ୟମାନଙ୍କଠାରୁ ବଡ଼ ହେବା ଉଦ୍ଦେଶ୍ୟରେ କାହିଁକି ଆଗକୁ ବଢ଼ିବା ଉଚିତ୍‌ ନୁହେଁ ?

ଆଜି ଦୁନିଆରେ ଯେଉଁମାନେ ନିଜକୁ ଅନ୍ୟମାନଙ୍କଠାରୁ ବଡ଼ ଦେଖାନ୍ତି, ଲୋକମାନେ ସେମାନଙ୍କର ହିଁ ପ୍ରଶଂସା କରନ୍ତି । କିନ୍ତୁ ଯିହୋବାଙ୍କ ସଂଗଠନରେ ଏପରି ହୁଏ ନାହିଁ । ଯେଉଁ ଭାଇ ଯୀଶୁଙ୍କ ଭଳି ଅନ୍ୟମାନଙ୍କୁ ପ୍ରେମ କରନ୍ତି, ସେ କୌଣସି ବଡ଼ ପଦବୀ କିମ୍ବା ଅନ୍ୟମାନଙ୍କ ଉପରେ ଅଧିକାର ପାଇବା ପାଇଁ ଚେଷ୍ଟା କରିବେ ନାହିଁ । ଯଦି ଏପରି କୌଣସି ଭାଇଙ୍କୁ ମଣ୍ଡଳୀରେ ନିଯୁକ୍ତ କରାଯାଏ, ଯିଏ ନିଜକୁ ଅନ୍ୟମାନଙ୍କଠାରୁ ବଡ଼ ବୋଲି ଭାବନ୍ତି, ତାହେଲେ ହୁଏତ ସେ ଏପରି ସାଧାରଣ କାମ କରିବା ପାଇଁ ମନା କରିଦେବେ ଯାହା ଯିହୋବାଙ୍କ ମେଷମାନଙ୍କ ଦେଖାଶୁଣା କରିବା ପାଇଁ ଜରୁରୀ । ହୁଏତ ସେ ଏହି କାମକୁ ଛୋଟ ବୋଲି ମନେ କରିବେ । (ଯୋହ. ୧୦:୧୨) ଯଦି କୌଣସି ଭାଇ ଅହଂକାର ଯୋଗୁଁ କିମ୍ବା ନିଜକୁ ଅନ୍ୟମାନଙ୍କଠାରୁ ବଡ଼ ଦେଖାଇବା ଉଦ୍ଦେଶ୍ୟରେ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରନ୍ତି, ତେବେ ଯିହୋବା ତାଙ୍କ ପରିଶ୍ରମ ଉପରେ ଆଶିଷ ଦେବେ ନାହିଁ ।—୧ କରି. ୧୦:୨୪, ୩୩; ୧୩:୪, ୫.

୮. ଯୀଶୁ ପ୍ରେରିତମାନଙ୍କୁ କʼଣ ପରାମର୍ଶ ଦେଲେ ?

ବେଳେବେଳେ ଯୀଶୁଙ୍କ ନିକଟତର ସାଙ୍ଗମାନେ ମଧ୍ୟ ଭୁଲ ଉଦ୍ଦେଶ୍ୟରେ ଦାୟିତ୍ୱ ପାଇବା ପାଇଁ ଚେଷ୍ଟା କଲେ । ଧ୍ୟାନ ଦିଅନ୍ତୁ ଥରେ ପ୍ରେରିତ ଯାକୁବ ଓ ପ୍ରେରିତ ଯୋହନ କʼଣ କଲେ । ସେମାନେ ଯୀଶୁଙ୍କୁ ନିଜ ରାଜ୍ୟରେ ଗୋଟିଏ ବିଶେଷ ସ୍ଥାନ ଦେବା ପାଇଁ କହିଲେ । ଯୀଶୁଙ୍କୁ ଏହି କଥା ଠିକ୍‌ ଲାଗିଲା ନାହିଁ । ସେ ନିଜ ୧୨ ଜଣ ପ୍ରେରିତମାନଙ୍କୁ ପରାମର୍ଶ ଦେଲେ, “ତୁମ୍ଭମାନଙ୍କ ମଧ୍ୟରେ ଯେକେହି ମହାନ ହେବାକୁ ଇଚ୍ଛା କରେ, ସେ ତୁମ୍ଭମାନଙ୍କର ସେବକ ହେଉ, ପୁଣି ତୁମ୍ଭମାନଙ୍କ ମଧ୍ୟରେ ଯେକେହି ପ୍ରଧାନ ହେବାକୁ ଇଚ୍ଛା କରେ, ସେ ସମସ୍ତଙ୍କର ଦାସ ହେଉ ।” (ମାର୍କ ୧୦:୩୫-୩୭, ୪୩, ୪୪) ଯେଉଁ ଭାଇ ସଠିକ୍‌ ଉଦ୍ଦେଶ୍ୟରେ ଅର୍ଥାତ୍‌ ଭାଇଭଉଣୀମାନଙ୍କ ସେବା କରିବା ଉଦ୍ଦେଶ୍ୟରେ ଆଗକୁ ବଢ଼ନ୍ତି, ସେ ମଣ୍ଡଳୀ ପାଇଁ ଆଶିଷ ସାବ୍ୟସ୍ତ ହୁଅନ୍ତି ।—୧ ଥେସ. ୨:୮.

ଆପଣ ନିଜଠାରେ ଅନ୍ୟମାନଙ୍କ ସେବା କରିବାର ଇଚ୍ଛା କିପରି ବଢ଼ାଇପାରିବେ ?

୯. ଆପଣ ଅନ୍ୟମାନଙ୍କ ସେବା କରିବାର ନିଜ ଇଚ୍ଛାକୁ କିପରି ବଢ଼ାଇପାରିବେ ?

ଏହା ସତ ଯେ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ଓ ଅନ୍ୟମାନଙ୍କ ସେବା ମଧ୍ୟ କରିବା ପାଇଁ ଚାହାନ୍ତି । ତଥାପି ହୁଏତ ଆପଣଙ୍କୁ ସେହି କାମ କରିବା ପାଇଁ ଇଚ୍ଛା ହେବ ନାହିଁ, ଯାହା ସହାୟକ ସେବକମାନେ କରନ୍ତି । ଏପରି ସମୟରେ ଆପଣ କʼଣ କରିପାରିବେ ? ଆପଣ ନିଜଠାରେ ଅନ୍ୟମାନଙ୍କ ସେବା କରିବାର ଇଚ୍ଛାକୁ କିପରି ବଢ଼ାଇପାରିବେ ? ଭାବନ୍ତୁ, ଭାଇଭଉଣୀମାନଙ୍କ ସେବା କରିବା ଦ୍ୱାରା କେତେ ଖୁସି ମିଳେ । ଯୀଶୁ କହିଥିଲେ, “ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର ।” (ପ୍ରେରି. ୨୦:୩୫) ଯୀଶୁ ଏହା ନିଜ କାମରୁ ମଧ୍ୟ ଦେଖାଇଲେ । ଯୀଶୁଙ୍କୁ ଅନ୍ୟମାନଙ୍କ ସେବା କରି ବହୁତ ଖୁସି ମିଳିଲା । ଆପଣ ମଧ୍ୟ ଏହି ଖୁସି ପାଇପାରିବେ ।

୧୦. ଅନ୍ୟମାନଙ୍କ ସେବା କରିବା ଦ୍ୱାରା ଯୀଶୁଙ୍କୁ ଖୁସି ମିଳୁଥିଲା, ଏହା କିପରି ଜଣାପଡ଼େ ? (ମାର୍କ ୬:୩୧-୩୪)

୧୦ ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଥିରୁ ଜଣାପଡ଼େ ଯେ ଯୀଶୁ ଖୁସିର ସହ ଅନ୍ୟମାନଙ୍କ ସେବା କରିବା ପାଇଁ ଚାହୁଁଥିଲେ । (ମାର୍କ ୬:୩୧-୩୪ ପଢ଼ନ୍ତୁ ।) ଥରେ ଯୀଶୁ ଓ ତାଙ୍କ ପ୍ରେରିତମାନେ ବହୁତ ଥକି ଯାଇଥିଲେ ଏବଂ ସେମାନେ ଆରାମ କରିବା ପାଇଁ ଗୋଟିଏ ନିର୍ଜ୍ଜନ ସ୍ଥାନକୁ ଯାଉଥିଲେ । କିନ୍ତୁ ଭିଡ଼ ସେମାନଙ୍କୁ ଦେଖି ସେହି ନିର୍ଜ୍ଜନ ସ୍ଥାନକୁ ସେମାନଙ୍କ ପହଞ୍ଚିବା ଆଗରୁ ହିଁ ପହଞ୍ଚିଗଲା । ସେମାନେ ଭାବିଥିଲେ ଯେ ଯୀଶୁ ସେମାନଙ୍କୁ କିଛି ଶିଖାଇବେ । ଯୀଶୁ ଚାହିଁଥିଲେ ତାଙ୍କୁ ମନା କରିପାରିଥାʼନ୍ତେ, କାରଣ ସେମାନଙ୍କୁ ଖାଇବା ପାଇଁ ବି ସମୟ ମିଳି ନ ଥିଲା । କିମ୍ବା ସେ ଚାହିଁଥିଲେ ସେମାନଙ୍କୁ କିଛି କଥା ହିଁ ଶିଖାଇ ପାରିଥାʼନ୍ତେ । କିନ୍ତୁ ଯୀଶୁ ସେମାନଙ୍କୁ ବହୁତ ପ୍ରେମ କରୁଥିଲେ, ତେଣୁ ସେ ସେମାନଙ୍କୁ ‘ଅନେକ ବିଷୟରେ ଶିକ୍ଷା ଦେଲେ’ ଏବଂ “ବହୁତ ବେଳ” ଯାଏ ଅର୍ଥାତ୍‌ ସନ୍ଧ୍ୟା ହେବା ଯାଏ ଶିଖାଇଲେ । (ମାର୍କ ୬:୩୫) ଯୀଶୁ ଏପରି ନିଜର କର୍ତ୍ତବ୍ୟ ଭାବି କରିଲେ ନାହିଁ, ବରଂ ସେ ସତରେ ସେମାନଙ୍କୁ ଶିଖାଇବା ପାଇଁ ଚାହୁଁଥିଲେ, କାରଣ ସେ ସେମାନଙ୍କୁ ଦେଖି “ଦୟାରେ ବିଗଳିତ ହେଲେ ।” ସତରେ, ଅନ୍ୟମାନଙ୍କର ସେବା କରି ଯୀଶୁଙ୍କୁ ବହୁତ ଖୁସି ଲାଗୁଥିଲା ।

୧୧. ଯୀଶୁ ଆଉ କେଉଁ ଉପାୟରେ ଲୋକମାନଙ୍କୁ ସାହାଯ୍ୟ କଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଯୀଶୁ ଭିଡ଼କୁ ଶିଖାଇବା ସହିତ ଅନ୍ୟ ଉପାୟରେ ମଧ୍ୟ ସାହାଯ୍ୟ କଲେ । ସେ ଚମତ୍କାର କରି ଲୋକମାନଙ୍କ ପାଇଁ ଖାଇବାର ବ୍ୟବସ୍ଥା କଲେ ଏବଂ ଶିଷ୍ୟମାନଙ୍କୁ ଖାଇବା ଜିନିଷ ବାଣ୍ଟିବା ପାଇଁ କହିଲେ । (ମାର୍କ ୬:୪୧) ଏପରି ଭାବେ ସେ ଶିଷ୍ୟମାନଙ୍କୁ ଅନ୍ୟମାନଙ୍କ ସେବା କରିବା ଶିଖାଇଲେ ଏବଂ ଏହା ବି ଶିଖାଇଲେ ଯେ ଖାଇବା ବାଣ୍ଟିବା ଭଳି କାମ ମଧ୍ୟ ଜରୁରୀ କାମ ଅଟେ । ସହାୟକ ସେବକମାନେ ମଧ୍ୟ ଏପରି ହିଁ କିଛି ଜରୁରୀ କାମ କରନ୍ତି । କଳ୍ପନା କରନ୍ତୁ ଯେ ଯେବେ ଶିଷ୍ୟମାନେ ଲୋକମାନଙ୍କୁ ଖାଇବା ବାଣ୍ଟିଥିବେ ଏବଂ ଏହା ଦେଖିଥିବେ ଯେ “ସମସ୍ତେ ଭୋଜନ କରି ତୃପ୍ତ ହେଲେ,” ତେବେ ସେମାନଙ୍କୁ କେତେ ଖୁସି ଲାଗିଥିବ । (ମାର୍କ ୬:୪୨) ଅନ୍ୟ ସମୟରେ ମଧ୍ୟ ଯୀଶୁ ନିଜ ବିଷୟରେ ନ ଭାବି ଅନ୍ୟମାନଙ୍କ ବିଷୟରେ ଭାବିଲେ ଓ ସେମାନଙ୍କର ସାହାଯ୍ୟ କଲେ । ସେ ନିଜର ସାରା ଜୀବନ ଅନ୍ୟମାନଙ୍କ ସେବା କରିବାରେ ଲଗାଇ ଦେଲେ । (ମାଥି. ୪:୨୩; ୮:୧୬) ତାଙ୍କୁ ଅନ୍ୟମାନଙ୍କୁ ଶିଖାଇବା ଏବଂ ଅନ୍ୟମାନଙ୍କର ଆବଶ୍ୟକତା ପୂରା କରି ବହୁତ ଖୁସି ଲାଗୁଥିଲା । ସତରେ, ଯଦି ଆପଣ ବି ଅନ୍ୟମାନଙ୍କ ବିଷୟରେ ଭାବିବେ ଓ ସହାୟକ ସେବକ ହେବା ପାଇଁ ଆଗକୁ ବଢ଼ିବା ପାଇଁ ଚେଷ୍ଟା କରିବେ, ତେବେ ଆପଣଙ୍କୁ ବି ବହୁତ ଖୁସି ଲାଗିବ ।

ଯିହୋବାଙ୍କ ପାଇଁ ପ୍ରେମ ଓ ଅନ୍ୟମାନଙ୍କ ପାଇଁ ସେବା କରିବାର ଇଚ୍ଛା ଥିଲେ ଆପଣ ମଣ୍ଡଳୀରେ ଯେକୌଣସି ସେବା କରିବା ପାଇଁ ପ୍ରସ୍ତୁତ ରହିବେ (ପାରାଗ୍ରାଫ ୧୧) a


୧୨. ଆମକୁ କାହିଁକି ଏପରି ଭାବିବା ଉଚିତ୍‌ ନୁହେଁ ଯେ ଆମ ପାଖରେ କୌଣସି ଦକ୍ଷତା ନାହିଁ ?

୧୨ ଯଦି ଆପଣଙ୍କୁ ଲାଗେ ଯେ ଆପଣଙ୍କଠାରେ କୌଣସି ବିଶେଷ ଦକ୍ଷତା ନାହିଁ ତାହେଲେ ନିରାଶ ହୁଅନ୍ତୁ ନାହିଁ । ଆପଣଙ୍କ ପାଖରେ ବି ନିଶ୍ଚୟ ଏପରି କୌଣସି ଭଲ ଗୁଣ ଥିବ, ଯାହାଦ୍ୱାରା ମଣ୍ଡଳୀକୁ ଲାଭ ହୋଇପାରିବ । ତାହେଲେ ଭଲ ହେବ ଯେ ଆପଣ ୧ କରିନ୍ଥୀୟ ୧୨:୧୨-୩୦ ପଦରେ ପାଉଲ ଯାହା କହିଲେ ତାହାକୁ ପଢ଼ନ୍ତୁ ଓ ସେବିଷୟରେ ପ୍ରାର୍ଥନା କରନ୍ତୁ । ପାଉଲ ସ୍ପଷ୍ଟ ଭାବେ କହିଲେ ଯେ ମଣ୍ଡଳୀର ପ୍ରତ୍ୟେକ ଜଣ ଏପରିକି ଆପଣ ବି ବହୁମୂଲ୍ୟ ଅଟନ୍ତି ଏବଂ ନିଶ୍ଚୟ ଆପଣ ଯେକୌଣସି ଉପାୟରେ ମଧ୍ୟ ଭାଇଭଉଣୀମାନଙ୍କୁ ସାହାଯ୍ୟ କରିପାରିବେ । କିନ୍ତୁ ଯଦି ବର୍ତ୍ତମାନ ଆପଣ ସହାୟକ ସେବକମାନଙ୍କ ପାଇଁ ବାଇବଲରେ ଦିଆଯାଇଥିବା ଯୋଗ୍ୟତା ପୂରା କରିପାରିବେ ନାହିଁ, ତାହେଲେ ହାର ମାନନ୍ତୁ ନାହିଁ । ଆପଣଙ୍କ ଦ୍ୱାରା ଯେତେ ହୋଇପାରିବ, ଆପଣ ସେ ଅନୁସାରେ ଯିହୋବାଙ୍କ ସେବା କରିବା ଜାରି ରଖନ୍ତୁ ଏବଂ ଭାଇଭଉଣୀମାନଙ୍କ ସାହାଯ୍ୟ କରନ୍ତୁ । ଭରସା ରଖନ୍ତୁ ଯେ ପ୍ରାଚୀନମାନେ ଆପଣଙ୍କ ଦକ୍ଷତା ଅନୁସାରେ ହିଁ ଆପଣଙ୍କୁ ଦାୟିତ୍ୱ ଦେବେ ।—ରୋମୀ. ୧୨:୪-୮.

୧୩. ସହାୟକ ସେବକମାନଙ୍କ ପାଇଁ ବାଇବଲରେ ଯେଉଁ ଯୋଗ୍ୟତାଗୁଡ଼ିକ ଦିଆଯାଇଛି, ସେଗୁଡ଼ିକୁ ପୂରା କରିବା କାହିଁକି କଠିନ ନୁହେଁ ?

୧୩ ଆଉ ଗୋଟିଏ କାରଣ ଉପରେ ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କୁ କାହିଁକି ସହାୟକ ସେବକ ହେବା ପାଇଁ ଆଗକୁ ବଢ଼ିବା ଉଚିତ୍‌ । ବାଇବଲରେ ସହାୟକ ସେବକମାନଙ୍କ ପାଇଁ ଯେଉଁ ଯୋଗ୍ୟତାଗୁଡ଼ିକ ଦିଆଯାଇଛି, ସେ ମଧ୍ୟରୁ ଅଧିକାଂଶ ଯୋଗ୍ୟତା ପ୍ରତ୍ୟେକ ଖ୍ରୀଷ୍ଟିୟାନମାନଙ୍କୁ ପୂରା କରିବାକୁ ପଡ଼େ । ଯେପରି ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଯିହୋବାଙ୍କ ନିକଟତର ହେବା ଦରକାର, ଖୁସିର ସହ ଅନ୍ୟମାନଙ୍କର ସାହାଯ୍ୟ କରିବା ଏବଂ ଏପରି ଜୀବନ ବଞ୍ଚିବା ଦରକାର, ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି । ଦେଖିବାକୁ ଗଲେ ଏହି ଯୋଗ୍ୟତାଗୁଡ଼ିକ ମଧ୍ୟରୁ ଅଧିକାଂଶ ଯୋଗ୍ୟତା ଆପଣ ପୂର୍ବରୁ ହିଁ ପୂରା କରୁଛନ୍ତି । ତାହେଲେ ଜଣେ ଭାଇ ଆଗକୁ ବଢ଼ିବା ପାଇଁ ଆଉ କʼଣ କରିପାରିବେ ?

ସହାୟକ ସେବକ ହେବା ପାଇଁ ଆପଣ କʼଣ କରିପାରିବେ ?

୧୪. “ଗମ୍ଭୀର” ହେବାର ଅର୍ଥ କʼଣ ? (୧ ତୀମଥି ୩:୮-୧୦, ୧୨)

୧୪ ଆସନ୍ତୁ ୧ ତୀମଥି ୩:୮-୧୦, ୧୨ ପଦରେ ଦିଆଯାଇଥିବା ଯୋଗ୍ୟତାଗୁଡ଼ିକ ଉପରେ ଧ୍ୟାନ ଦେବା । (ପଢ଼ନ୍ତୁ ।) ଜଣେ ସହାୟକ ସେବକଙ୍କୁ “ଗମ୍ଭୀର” ହେବା ଉଚିତ୍‌ । ଏହି ଶବ୍ଦର ଅନୁବାଦ “ଆଦର ଯୋଗ୍ୟ” ଓ “ମୃଦୁଶୀଳ” ବି କରାଯାଇପାରିବ । ଏହାର ଅର୍ଥ ନୁହେଁ ଯେ ଆପଣ ମଜା କରିପାରିବେ ନାହିଁ । (ଉପ. ୩:୧,) ବରଂ ଏହାର ଅର୍ଥ ହେଉଛି, ଆପଣଙ୍କୁ ନିଜ ଦାୟିତ୍ୱ ପାଇଁ ଗମ୍ଭୀର ହେବା ଉଚିତ୍‌ । ଆପଣଙ୍କୁ ଯାହା ବି ଦାୟିତ୍ୱ ମିଳେ, ଯଦି ଆପଣ ତାହାକୁ ଭଲଭାବେ ଓ ଠିକ୍‌ ସମୟରେ ପୂରା କରିବେ, ତେବେ ମଣ୍ଡଳୀରେ ଆପଣଙ୍କ ଭଲ ନାମ ରହିବ । ଭାଇଭଉଣୀମାନେ ଆପଣଙ୍କ ଉପରେ ଭରସା କରିବେ ଓ ଆଦର କରିବେ ।

୧୫. ଜଣେ ସହାୟକ ସେବକଙ୍କୁ “ଛଳନାବାକ୍ୟରହିତ” ଓ “କୁତ୍ସିତ ଧନଲାଭରେ ନିର୍ଲୋଭ” ହେବା ଉଚିତ୍‌, ଏହାର ଅର୍ଥ କʼଣ ?

୧୫ ‘ଛଳନାବାକ୍ୟରହିତ ହୁଅନ୍ତୁ ।’ ଏହାର ଅର୍ଥ ଆପଣଙ୍କୁ ସଚ୍ଚୋଟ ଓ ଭରସାଯୋଗ୍ୟ ହେବା ଉଚିତ୍‌ । ଆପଣ ଯାହା କହନ୍ତି ସେ ଅନୁସାରେ କାମ କରିବା ଉଚିତ୍‌ ଓ ଅନ୍ୟମାନଙ୍କୁ ଧୋକା ଦେବା ଉଚିତ୍‌ ନୁହେଁ । (ହିତୋ. ୩:୩୨) “କୁତ୍ସିତ ଧନଲାଭରେ ନିର୍ଲୋଭ,” ଅର୍ଥାତ୍‌ ଆପଣଙ୍କୁ ବ୍ୟବସାୟ ଓ ପଇସା ଦେବା ନେବା ମାମଲାରେ ସଚ୍ଚୋଟ ହେବା ଉଚିତ୍‌ । ଟଙ୍କା ପାଇଁ ଆପଣଙ୍କୁ ଭାଇଭଉଣୀମାନଙ୍କର ଲାଭ ଉଠାଇବା ପାଇଁ ଚେଷ୍ଟା କରିବା ଉଚିତ୍‌ ନୁହଁ ।

୧୬. (କ) “ମଦ୍ୟପାନରେ ଅନାଶକ୍ତ,” ଏହାର ଅର୍ଥ କʼଣ ? (ଖ) “ଶୁଦ୍ଧ ବିବେକ,” ଏହାର ଅର୍ଥ କʼଣ ?

୧୬ “ମଦ୍ୟପାନରେ ଅନାଶକ୍ତ ।” ଏହାର ଅର୍ଥ ହେଉଛି ଯେ ଆପଣଙ୍କୁ ଅତ୍ୟଧିକ ମଦ୍ୟପାନ କରିବା ଉଚିତ୍‌ ନୁହଁ ଆଉ ନା ଅନ୍ୟମାନଙ୍କୁ ଲାଗିବା ଉଚିତ୍‌ ଯେ ଆପଣ ଅତ୍ୟଧିକ ମଦ ପିଅନ୍ତି । “ଶୁଦ୍ଧ ବିବେକ,” ଏହାର ଅର୍ଥ ହେଉଛି ଯେ ଆପଣ ଯିହୋବାଙ୍କ ସ୍ତର ଅନୁସାରେ ଜୀବନ ବଞ୍ଚନ୍ତି । ଏହା ସତ ଯେ ବେଳେବେଳେ ଆପଣଙ୍କ ଦ୍ୱାରା ବି ଭୁଲ ହୋଇଯାଏ, ତଥାପି ଈଶ୍ୱରଙ୍କ ସହିତ ଆପଣଙ୍କର ଗୋଟିଏ ଭଲ ସମ୍ପର୍କ ଅଛି ଆଉ ଏହି କାରଣ ଯୋଗୁଁ ଆପଣଙ୍କୁ ମନର ଶାନ୍ତି ମିଳେ ।

୧୭. ଯୋଗ୍ୟ ଅଛନ୍ତି ନା ନାହିଁ, ତାହା “ପରୀକ୍ଷିତ” କରିବା, ଏହାର ଅର୍ଥ କʼଣ ? (୧ ତୀମଥି ୩:୧୦; ଚିତ୍ର ମଧ୍ୟ ଦେଖନ୍ତୁ ।)

୧୭ ସେମାନେ ଯୋଗ୍ୟ ଅଟନ୍ତି ନା ନାହିଁ, “ପ୍ରଥମେ ପରୀକ୍ଷିତ ହେଉନ୍ତୁ ।” ଏହାର ଅର୍ଥ ହେଉଛି ଯେ ଆପଣ ପ୍ରମାଣିତ କରିଛନ୍ତି ଯେ ଆପଣ ନିଜ ଦାୟିତ୍ୱକୁ ଭଲଭାବରେ ତୁଲାନ୍ତି ଓ ଆପଣ ଭରସାଯୋଗ୍ୟ ଅଟନ୍ତି । ସେଥିପାଇଁ ପ୍ରାଚୀନମାନେ ଯେବେ ବି ଆପଣଙ୍କୁ କୌଣସି ଦାୟିତ୍ୱ ଦିଅନ୍ତି, ତେବେ ତାଙ୍କର ନିର୍ଦ୍ଦେଶ ମାନନ୍ତୁ ଓ ସଂଗଠନ ତରଫରୁ ଯାହା ବି ମାର୍ଗଦର୍ଶନ ମିଳେ, ତାʼ ଅନୁସାରେ କାମ କରନ୍ତୁ । ସେହି କାମଗୁଡ଼ିକ କିପରି କରିବାର ଅଛି ଓ କେବେ ଯାଏ ତାହା ପୂରା କରିବାର ଅଛି, ତାହାକୁ ଭଲଭାବରେ ବୁଝନ୍ତୁ । ଯଦି ଆପଣ ନିଜର ଦାୟିତ୍ୱକୁ ଭଲଭାବେ ତୁଲାଇବେ, ତେବେ ମଣ୍ଡଳୀର ଭାଇଭଉଣୀମାନେ ଆପଣଙ୍କର ଉନ୍ନତି ଦେଖିପାରିବେ । ପ୍ରାଚୀନମାନେ ଏ କଥାର ଧ୍ୟାନ ରଖିବା ଉଚିତ୍‌ ଯେ ଆପଣ ବାପ୍ତିସ୍ମ ପ୍ରାପ୍ତ ଭାଇମାନଙ୍କୁ ଟ୍ରେନିଂ ଦିଅନ୍ତୁ । (୧ ତୀମଥି ୩:୧୦ ପଢ଼ନ୍ତୁ ।) କʼଣ ଆପଣଙ୍କ ମଣ୍ଡଳୀରେ ଏପରି ଭାଇ ଅଛନ୍ତି ଯେଉଁମାନଙ୍କ ବୟସ ୧୦-୧୪ ବର୍ଷ ମଧ୍ୟରେ ଅଛି ? କʼଣ ସେମାନଙ୍କର ବ୍ୟକ୍ତିଗତ ଅଧ୍ୟୟନ କରିବାର ଅଭ୍ୟାସ ଅଛି ? କʼଣ ସେମାନେ ସଭାର ଭଲଭାବରେ ପ୍ରସ୍ତୁତି କରନ୍ତି ଓ ସେଥିରେ ଭାଗ ନିଅନ୍ତି ? ଆଉ କʼଣ ସେମାନେ ଲଗାତାର ପ୍ରଚାରରେ ଭାଗ ନିଅନ୍ତି ? ଯଦି ହଁ, ତେବେ ତାଙ୍କର ବୟସ ଓ ପରିସ୍ଥିତିକୁ ଧ୍ୟାନରେ ରଖି ସେମାନଙ୍କୁ କିଛି ଦାୟିତ୍ୱ ଦିଅନ୍ତୁ । ଏହିପରି ଭାବରେ ସେହି ଯୁବା ଭାଇମାନେ “ପରୀକ୍ଷିତ” ହୋଇପାରିବେ ଯେ ସେମାନେ ଯୋଗ୍ୟ ଅଟନ୍ତି ନା ନୁହଁନ୍ତି । ତାʼପରେ ଯେବେ ସେମାନେ ୧୭-୧୮ ବୟସର ହେବେ, ତେବେ ହୁଏତ ସେମାନେ ସହାୟକ ସେବକ ହେବା ପାଇଁ ପ୍ରସ୍ତୁତ ହୋଇଯିବେ ।

ବାପ୍ତିସ୍ମ ପ୍ରାପ୍ତ ଭାଇମାନଙ୍କୁ ପ୍ରାଚୀନମାନେ କୌଣସି କାମ ଦେଇ “ପରୀକ୍ଷିତ” କରିପାରିବେ ଯେ ସେମାନେ ଯୋଗ୍ୟ ଅଟନ୍ତି ନା ନୁହଁ (ପାରାଗ୍ରାଫ ୧୭)


୧୮. “ନିର୍ଦ୍ଦୋଷ” ହେବାର ଅର୍ଥ କʼଣ ?

୧୮ “ନିର୍ଦ୍ଦୋଷ” ହେବାର ଅର୍ଥ ହେଉଛି ଯେ କେହି ଆପଣଙ୍କ ଉପରେ କୌଣସି ଗମ୍ଭୀର ପାପ କରିବାର ଦୋଷ ଲଗାଇ ନ ପାରନ୍ତୁ । ହୋଇପାରେ ଜଣେ ଖ୍ରୀଷ୍ଟିୟାନଙ୍କ ଉପରେ ମିଛ ଆରୋପ ଲଗାଯିବ । ଏପରି ସମୟରେ ମନେ ରଖନ୍ତୁ ଯେ ଯୀଶୁଙ୍କ ଉପରେ ବି ମିଛ ଆରୋପ ଲଗାଯାଇଥିଲା ଓ ସେ କହିଥିଲେ ଯେ ତାଙ୍କ ଶିଷ୍ୟମାନଙ୍କ ସହିତ ବି ଏପରି ହେବ । (ଯୋହ. ୧୫:୨୦) କିନ୍ତୁ ଯଦି ଆପଣ ଯୀଶୁଙ୍କ ଭଳି ଶୁଦ୍ଧ ଚାଲିଚଳନ ରଖିବେ, ତେବେ ମଣ୍ତଳୀରେ ଆପଣଙ୍କର ଭଲ ନାମ ରହିବ ।—ମାଥି. ୧୧:୧୯.

୧୯. ଜଣେ ବିବାହିତ ଭାଇ “ଏକ ସ୍ତ୍ରୀର ସ୍ୱାମୀ ହେଉନ୍ତୁ,” ଏହାର ଅର୍ଥ କʼଣ?

୧୯ “ଏକ ସ୍ତ୍ରୀର ସ୍ୱାମୀ ହେଉନ୍ତୁ ।” ଯଦି ଆପଣ ବିବାହିତ, ତେବେ ଏବିଷୟରେ ଆପଣଙ୍କୁ ଯିହୋବାଙ୍କ ସେହି ସ୍ତର ମାନିବା ଉଚିତ୍‌ ଯାହା ଯିହୋବା ଆରମ୍ଭରୁ ନିର୍ଦ୍ଧାରିତ କରିଥିଲେ । ଅର୍ଥାତ୍‌ ଜଣେ ପୁରୁଷକୁ କେବଳ ଜଣେ ସ୍ତ୍ରୀ ସହ ବିବାହ କରିବା ଉଚିତ୍‌ । (ମାଥି. ୧୯:୩-୯) ଜଣେ ଖ୍ରୀଷ୍ଟିୟାନଙ୍କୁ ଅନ୍ୟ କାହାରି ସହିତ ଯୌନ ସମ୍ପର୍କ ରଖିବା ଉଚିତ୍‌ ନୁହେଁ । (ଏବ୍ରୀ ୧୩:୪) କିନ୍ତୁ ଆପଣଙ୍କୁ ଆହୁରି କିଛି କଥା ଧ୍ୟାନ ଦେବା ଉଚିତ୍‌ । ଯେପରିକି ଆପଣଙ୍କୁ ନିଜ ସ୍ତ୍ରୀର ବିଶ୍ୱସ୍ତ ରହିବା ଉଚିତ୍‌, କେବେ ବି ଅନ୍ୟ ସ୍ତ୍ରୀକୁ ଖରାପ ଦୃଷ୍ଟିରେ ଦେଖିବା ଏବଂ ତାଙ୍କ ସହ ଅଧିକ ମିଳାମିଶା କରିବା ଉଚିତ୍‌ ନୁହେଁ ।—ଆୟୁ. ୩୧:୧.

୨୦. ଜଣେ ଭାଇ ନିଜ ପରିବାରର “ଉତ୍ତମ ରୂପେ ଶାସନ” କିପରି କରିପାରିବେ ?

୨୦ “ଆପଣା ଆପଣା ସନ୍ତାନମାନଙ୍କୁ ଓ ପରିବାରକୁ ଉତ୍ତମ ରୂପେ ଶାସନ କରନ୍ତୁ ।” ଯଦି ଆପଣ ପରିବାରର ମୁଖିଆ ଅଟନ୍ତି, ତାହେଲେ ଆପଣଙ୍କୁ ପରିବାରର ଦାୟିତ୍ୱ ଭଲଭାବରେ ତୁଲାଇବା ଉଚିତ୍‌ । ପ୍ରତି ସପ୍ତାହ ପାରିବାରିକ ଉପାସନା କରନ୍ତୁ । ଯେତେ ସମ୍ଭବ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ସହିତ ପ୍ରଚାର କରନ୍ତୁ । ପିଲାମାନେ ଯିହୋବାଙ୍କ ସହିତ ଦୃଢ଼ ସମ୍ପର୍କ ଗଢ଼ି ପାରନ୍ତୁ, ତାʼପାଇଁ ସେମାନଙ୍କୁ ସାହାଯ୍ୟ କରନ୍ତୁ । (ଏଫି. ୬:୪) ଯଦି ଆପଣ ନିଜ ପରିବାରର ଭଲଭାବେ ଦେଖାଶୁଣା କରିବେ, ତାହେଲେ ଏଥିରୁ ଜଣାପଡ଼ିବ ଯେ ଆପଣ ମଣ୍ତଳୀର ଭାଇଭଉଣୀମାନଙ୍କ ମଧ୍ୟ ଭଲଭାବେ ଯତ୍ନ ନେଇପାରିବେ ।—୧ ତୀମଥି ୩:୫ ପଦ ସହ ତୁଳନା କରନ୍ତୁ ।

୨୧. ଯଦି ଆପଣ ସହାୟକ ସେବକ ହେବା ପାଇଁ ଚାହାନ୍ତି, ତାହେଲେ ଆପଣ କʼଣ କରିପାରିବେ ?

୨୧ ଭାଇମାନେ ଯଦି ସହାୟକ ସେବକ ହେବା ପାଇଁ ଚାହାନ୍ତି, ତାହେଲେ ଏହି ଲେଖାକୁ ଭଲଭାବେ ପଢ଼ନ୍ତୁ ଏବଂ ଏବିଷୟରେ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । ତାʼ ସହିତ ବାଇବଲରେ ସହାୟକ ସେବକମାନଙ୍କ ପାଇଁ ଯେଉଁ ଯୋଗ୍ୟତାଗୁଡ଼ିକ ଦିଆଯାଇଛି, ସେଗୁଡ଼ିକ ଉପରେ ଅଧ୍ୟୟନ କରନ୍ତୁ ଏବଂ ସେହି ଯୋଗ୍ୟତାଗୁଡ଼ିକୁ ପୂରା କରିବା ପାଇଁ କଠିନ ପରିଶ୍ରମ କରନ୍ତୁ । ଭାବନ୍ତୁ, ଆପଣ ଯିହୋବା ଓ ଭାଇଭଉଣୀଙ୍କୁ କେତେ ପ୍ରେମ କରନ୍ତି । ନିଜଠାରେ ଅନ୍ୟମାନଙ୍କ ସେବା କରିବାର ଇଚ୍ଛା ବଢ଼ାନ୍ତୁ । (୧ ପିତ. ୪:୮, ୧୦) ଯେବେ ଆପଣ ସହାୟକ ସେବକ ହେବେ ଏବଂ ଭାଇଭଉଣୀମାନଙ୍କ ସେବା କରିବେ, ତେବେ ଆପଣଙ୍କୁ ଖୁସି ମିଳିବ । ଆମ ପ୍ରାର୍ଥନା ଯେ ଆପଣ ଆଗକୁ ବଢ଼ିବା ପାଇଁ ଯେଉଁ ପରିଶ୍ରମ କରୁଛନ୍ତି, ଯିହୋବା ତାʼ ଉପରେ ଆଶିଷ ଦିଅନ୍ତୁ ।—ଫିଲିପ୍‌. ୨:୧୩.

ଗୀତ ୧୭ “ମୈ ଚାହତା ହୁଁ”

a ଚିତ୍ର ବିଷୟରେ: ବାମ ଆଡ଼କୁ ଦେଖାଯାଇଛି ଯେ ଯୀଶୁ ନମ୍ର ହୋଇ ନିଜ ଶିଷ୍ୟମାନଙ୍କ ସାହାଯ୍ୟ କରୁଛନ୍ତି; ଡାହାଣ ଆଡ଼କୁ ଦେଖାଯାଇଛି ଯେ ଜଣେ ସହାୟକ ସେବକ ମଣ୍ଡଳୀରେ ଜଣେ ବୃଦ୍ଧ ଭାଇଙ୍କୁ ସାହାଯ୍ୟ କରୁଛନ୍ତି ।