इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଜୀବନ କାହାଣୀ

ଯୁଦ୍ଧ ଓ ଶାନ୍ତି ସମୟରେ ଯିହୋବାଙ୍କଠାରୁ ଆମକୁ ସାହସ ମିଳିଲା

ଯୁଦ୍ଧ ଓ ଶାନ୍ତି ସମୟରେ ଯିହୋବାଙ୍କଠାରୁ ଆମକୁ ସାହସ ମିଳିଲା

ପଲ୍‌: ନଭେମ୍ବର ୧୯୮୫ ମସିହାର କଥା । ଆମେ ପ୍ରଥମ ଥର ମିଶନାରୀ କାମ ପାଇଁ ପଶ୍ଚିମ ଆଫ୍ରିକାର ଲାଇବେରିଆକୁ ଯାଉଥିଲୁ । ମୁଁ ଆଉ ମୋର ସ୍ତ୍ରୀ ଏନ୍‌ ବହୁତ ଖୁସି ଥିଲୁ । ରାସ୍ତାରେ ଆମ ଉଡ଼ାଜାହାଜ ସେନେଗାଲରେ ଅଟକିଲା । ଏନ୍‌ କହିଲେ, “ବାସ୍‌, ଗୋଟେ ଘଣ୍ଟାରେ ହିଁ ଆମେ ଲାଇବେରିଆକୁ ପହଞ୍ଚି ଯିବା !” କିନ୍ତୁ ସେତେବେଳେ ହିଁ ଗୋଟିଏ ଘୋଷଣା ହେଲା, “ଲାଇବେରିଆକୁ ଯାଉଥିବା ସମସ୍ତ ଯାତ୍ରୀ ଜାହାଜରୁ ଓହ୍ଲାଇପାରିବେ । କାରଣ ଆମେ ସେଠାକୁ ଯିବା ନାହିଁ । ସେଠାର ବିରୋଧୀ ଦଳ ସରକାରକୁ ହଟାଇବା ପାଇଁ ଚେଷ୍ଟା କରୁଛି ଆଉ ସେଠାକାର ପରିସ୍ଥିତି ବହୁତ ଖରାପ ।” ୧୦ ଦିନ ଯାଏ ଆମେ ସେନେଗାଲରେ ମିଶନାରୀ ଭାଇଭଉଣୀଙ୍କ ପାଖରେ ରହିଲୁ । ଆମେ ଖବରରେ ଶୁଣୁଥିଲୁ ଯେ ଲାଇବେରିଆରେ ବହୁତ ହିଂସା ଓ ମାରକାଟ୍‌ ହେଉଛି, ଜାଗା ଜାଗାରେ ଶବଗୁଡ଼ିକୁ ଟ୍ରକ୍‌ରେ ଭରି ନିଆଯାଉଛି ଓ କର୍ଫ୍ୟୁ ଜାରି କରାଯାଇଛି । କେବଳ ଏତିକି ନୁହେଁ, ଯିଏ କର୍ଫ୍ୟୁର ନିୟମ ଭାଙ୍ଗେ ତାକୁ ଗୁଳି ମାରି ଦିଆଯିବ ।

ଏନ୍‌: କିଛି ଲୋକମାନଙ୍କୁ କୌଣସି କଥା ପାଇଁ ଚିନ୍ତା ନ ଥାଏ । ସେମାନେ ବିପଦପୂର୍ଣ୍ଣ କାମ କରନ୍ତି, କିନ୍ତୁ ଆମେ ସେହି ଲୋକଙ୍କ ଭଳି ନାହୁଁ । ମୁଁ ଛୋଟବେଳୁ ହିଁ ବହୁତ ଡରେ । ଯେବେ ମୁଁ ଛୋଟ ଥିଲି, ମୁଁ ରାସ୍ତା ବି ପାର କରିପାରୁ ନ ଥିଲି, ଲୋକମାନେ ମୋତେ ବହୁତ “ଡରୁଆ ଏନି” କହୁଥିଲେ । କିନ୍ତୁ ମୁଁ ଓ ମୋ ସ୍ୱାମୀ ଭାବି ନେଇଥିଲୁ ଯେ ଆମେ ଲାଇବେରିଆକୁ ନିଶ୍ଚୟ ଯିବା ।

ପଲ୍‌: ମୁଁ ଓ ଏନ୍‌ ଇଂଲଣ୍ଡରେ ଜନ୍ମ ହୋଇଥିଲୁ । ମୋ ଘର ଏନ୍‌ର ଘରଠାରୁ ମାତ୍ର ଆଠ କିଲୋମିଟର (୫ ମାଇଲ) ଦୂର ଥିଲା । ତାଙ୍କ ମାଆ ଓ ମୋ ବାପାମାଆ ଆମକୁ ସବୁବେଳେ ଅଗ୍ରଦୂତ ସେବା କରିବା ପାଇଁ କହୁଥିଲେ । ତେଣୁ ସ୍କୁଲ ପଢ଼ା ସରିବା ପରେ ହିଁ ଆମେ ପୂର୍ଣ୍ଣ ସମୟର ସେବା କରିବାର ନିଷ୍ପତ୍ତି ନେଲୁ, ଆମେ ଅଗ୍ରଦୂତ ସେବା କରିବାକୁ ଲାଗିଲୁ । ଏହି ନିଷ୍ପତ୍ତିରୁ ସେମାନେ ବହୁତ ଖୁସି ଥିଲେ । ଆଉ ମୋତେ ୧୯ ବର୍ଷରେ ବୈଥେଲରେ ସେବା କରିବା ପାଇଁ ଡକାଗଲା । ଆଉ ତାʼପରେ ୧୯୮୨ ମସିହାରେ ଆମ ବିବାହ ପରେ ଏନ୍‌ ବି ବୈଥେଲରେ ସେବା କରିବାକୁ ଲାଗିଲେ ।

୮ ସେପ୍ଟେମ୍ବର, ୧୯୮୫ ମସିହାରେ ଗିଲିଅଡ୍‌ ଗ୍ରାଜୁଏସନ ଦିନର ଚିତ୍ର

ଏନ୍‌: ଆମକୁ ବୈଥେଲରେ ସେବା କରିବା ପସନ୍ଦ ଥିଲା, କିନ୍ତୁ ଆମକୁ ଆଗରୁ ହିଁ ଇଚ୍ଛା ଥିଲା ଯେ ଆମେ ଏପରି ଜାଗାରେ ଯାଇ ସେବା କରୁ ଯେଉଁଠି ଅଧିକ ଆବଶ୍ୟକ ଅଛି । ବୈଥେଲରେ ଏପରି ଅନେକ ଭାଇଭଉଣୀ ଥିଲେ, ଯେଉଁମାନେ ଆଗରୁ ମିଶନାରୀ ଥିଲେ । ତାଙ୍କ ସହିତ ସମୟ ବିତାଇ ମିଶନାରୀ ସେବା କରିବାର ଆମ ଇଚ୍ଛା ଆହୁରି ବଢ଼ିଗଲା । ଆମେ ତିନି ବର୍ଷ ଯାଏ ପ୍ରତିଦିନ ଏବିଷୟରେ ପ୍ରାର୍ଥନା କଲୁ ଓ ୧୯୮୫ ମସିହାରେ ଆମକୁ ନିଜ ପ୍ରାର୍ଥନାର ଉତ୍ତର ମିଳିଲା । ଆମକୁ ଗିଲିଅଡ୍‌ର ୭୯ତମ କ୍ଲାସ ପାଇଁ ଡକାଗଲା । ଆମେ ବହୁତ ଖୁସି ଥିଲୁ ! ସ୍କୁଲ ପରେ ଆମକୁ ପଶ୍ଚିମ ଆଫ୍ରିକାର ଲାଇବେରିଆକୁ ପଠାଗଲା ।

ଭାଇଭଉଣୀଙ୍କ ପ୍ରେମରୁ ସାହସ ମିଳିଲା

ପଲ୍‌: ଯେବେ ଲାଇବେରିଆର ପରିସ୍ଥିତି ଟିକେ ଠିକ୍‌ ହେଲା ଆଉ ସେଠାକୁ ଉଡ଼ାଜାହାଜ ଯିବାକୁ ଲାଗିଲା, ତେବେ ଆମେ ପ୍ରଥମ ଉଡ଼ାଜାହାଜରେ ହିଁ ସେଠାକୁ ଚାଲିଗଲୁ । ସେଇଠି ଏବେ ବି କର୍ଫ୍ୟୁ ଜାରି ଥିଲା ଏବଂ ଲୋକମାନେ ବହୁତ ଡରି ଯାଇଥିଲେ । କାର୍‌ର ଜୋର୍‌ ଶବ୍ଦ ଶୁଣି ମଧ୍ୟ ଲୋକମାନେ ଡରି ଯାଉଥିଲେ ଆଉ ଏପଟେ ସେପଟେ ପଳାଇବାକୁ ଲାଗୁଥିଲେ । ସବୁ ରାତି ଶାନ୍ତ ରହିବା ପାଇଁ ଆମେ ଗୀତସଂହିତାର କିଛି ପଦ ପଢ଼ୁଥିଲୁ । ସେଠାରେ ରହିବା ଏତେ ସହଜ ନ ଥିଲା, କିନ୍ତୁ ଆମକୁ ନିଜ ସେବା ବହୁତ ଭଲ ଲାଗୁଥିଲା । ଏନ୍‌ ପ୍ରତିଦିନ ପ୍ରଚାରକୁ ଯାଉଥିଲେ ଆଉ ମୁଁ ଭାଇ ଜନ୍‌ ଚେରୁକ୍‌ଙ୍କ a ସହ ବୈଥେଲରେ କାମ କରୁଥିଲି । ଭାଇ ଚେରୁକ୍‌ ବହୁତ ଅନୁଭବୀ ଥିଲେ ଆଉ ସେ ଭାଇଭଉଣୀଙ୍କ ପରିସ୍ଥିତିକୁ ଭଲଭାବରେ ବୁଝୁଥିଲେ । ସେ ମୋତେ ବଢ଼ିଆ ଟ୍ରେନିଂ ଦେଲେ ।

ଏନ୍‌: କʼଣ ଆପଣଙ୍କୁ ଜଣା ଅଛି, ଆମକୁ ଲାଇବେରିଆ କାହିଁକି ଏତେ ପସନ୍ଦ ? କାରଣ ସେଠାକାର ଭାଇଭଉଣୀମାନେ ବହୁତ ଭଲ ଥିଲେ ! ସେମାନେ ଆମକୁ ବହୁତ ପ୍ରେମ କରୁଥିଲେ ଆଉ ସବୁଠୁ ବେଶୀ ଯିହୋବାଙ୍କୁ ପ୍ରେମ କରୁଥିଲେ । ସେମାନେ ଆମ ପରିବାର ଭଳି ହୋଇଗଲେ । ଆମକୁ ଗୋଟିଏ ନୂଆ ପରିବାର ମିଳିଲା । ଭାଇଭଉଣୀମାନେ ଆମକୁ ବହୁତ ସାହାଯ୍ୟ କଲେ, ବଢ଼ିଆ ପରାମର୍ଶ ଦେଲେ ଓ ଆମର ଉତ୍ସାହ ବଢ଼ାଇଲେ । ସେଠାରେ ପ୍ରଚାର କରିବା ପାଇଁ ମଧ୍ୟ ବହୁତ ମଜା ଲାଗୁଥିଲା ! ଲୋକମାନେ ଆମ କଥା ଶୁଣିବାକୁ ଚାହୁଁଥିଲେ । ଯଦି ଆମେ ତାଙ୍କ ଘରୁ ଶୀଘ୍ର ବାହାରିବା ପାଇଁ ଚେଷ୍ଟା କରୁଥିଲୁ, ତେବେ ସେମାନେ ତାହା ପସନ୍ଦ କରୁ ନ ଥିଲେ । ଲୋକମାନଙ୍କୁ ବାଇବଲ ବିଷୟରେ କଥା ହେବା ପାଇଁ ଭଲ ଲାଗୁଥିଲା । ଆମେ ରାସ୍ତାରେ ଛିଡ଼ା ହୋଇ ବି ଏବିଷୟରେ କଥା ହୋଇପାରୁ ଥିଲୁ । ଯଦି ଦୁଇଜଣ କଥା ହେଉଛନ୍ତି ଓ ଆମେ ସେମାନଙ୍କ ମଝିରେ ଯାଇ କଥା ହେଉ, ତାହେଲେ ସେମାନେ ଖରାପ ଭାବୁ ନ ଥିଲେ । ଆମ ପାଖରେ ଅନେକ ବାଇବଲ ଅଧ୍ୟୟନ ଥିଲା, ତେଣୁ ସମସ୍ତଙ୍କୁ ସମୟ ଦେବା ଆମ ପାଇଁ କଠିନ ହୋଇଯାଉଥିଲା । ତଥାପି ଏହି ସମୟ ଆମ ପାଇଁ ମଜାଦାର ଥିଲା !

ଡର ଲାଗିଲା, କିନ୍ତୁ ଯିହୋବା ସାହସ ଦେଲେ

୧୯୯୦ ମସିହାରେ ଭାଇଭଉଣୀ ଲାଇବେରିଆ ବୈଥେଲକୁ ପଳାଇ ଆସିଥିବାର ଚିତ୍ର

ପଲ୍‌: ଚାରି ବର୍ଷ ଯାଏ ଟିକେ ହେଲେ ଶାନ୍ତି ଥିଲା, କିନ୍ତୁ ୧୯୮୯ ମସିହାରେ ଗୃହଯୁଦ୍ଧ ଆରମ୍ଭ ହୋଇଗଲା । ବିରୋଧୀ ଦଳର ଲଢ଼େଇ କରୁଥିବା ଲୋକମାନେ ୨ ଜୁଲାଇ, ୧୯୯୦ ମସିହାରେ ବୈଥେଲର ଆଖପାଖ ଅଞ୍ଚଳକୁ ନିଜ କବ୍ଜାରେ କରିନେଲେ । ତିନି ମାସ ଯାଏ ଆମେ ନିଜ ପରିବାର ଲୋକଙ୍କ ସହିତ ଓ ବିଶ୍ୱ ମୁଖ୍ୟାଳୟ ସହ ସମ୍ପର୍କ କରିପାରିଲୁ ନାହିଁ । ସବୁ ଜାଗାରେ ମାରକାଟ୍‌ ହେଉଥିଲା, ଖାଇବାର ବହୁତ ଅଭାବ ହୋଇଯାଇଥିଲା ଓ ସ୍ତ୍ରୀମାନଙ୍କ ସହ ଦୁଷ୍କର୍ମ କରାଯାଉଥିଲା । ୧୪ ବର୍ଷ ଯାଏ ଦେଶର ଏହି ଅବସ୍ଥା ଥିଲା ।

ଏନ୍‌: କିଛି ଜାତିର ଲୋକମାନେ ପରସ୍ପର ସହ ଲଢ଼ୁଥିଲେ ଓ ପରସ୍ପରର ହତ୍ୟା କରୁଥିଲେ । ଲଢ଼େଇ କରୁଥିବା ଲୋକମାନେ ହତିଆର ନେଇ ରାସ୍ତାରେ ବୁଲୁଥିଲେ, ଅଜବ କପଡ଼ା ପିନ୍ଧୁଥିଲେ ଓ ଘରେ ପଶି ଲୋକଙ୍କୁ ଲୁଟୁଥିଲେ । ସେମାନଙ୍କ ପାଇଁ ଅନ୍ୟମାନଙ୍କ ଜୀବନ ନେବା କୁକୁଡ଼ା କାଟିବା ଭଳି ଥିଲା । ସେମାନେ ଜାଗା ଜାଗାରେ ରାସ୍ତା ବନ୍ଦ କରିଥିଲେ ଓ ଯିଏ ପାର କରିବାକୁ ଚେଷ୍ଟା କରୁଥିଲେ, ସେମାନେ ତାଙ୍କ ହତ୍ୟା କରି ଗୋଟିଏ ଜାଗାରେ ଫିଙ୍ଗି ଦେଉଥିଲେ । ଶାଖା କାର୍ଯ୍ୟାଳୟର ଆଖପାଖରେ ବି ଏହି ଅବସ୍ଥା ଥିଲା । ଆମର ଅନେକ ବିଶ୍ୱସ୍ତ ଭାଇଭଉଣୀଙ୍କୁ ହତ୍ୟା କରି ଦିଆଗଲା । ଏମାନଙ୍କ ମଧ୍ୟରୁ ଦୁଇଜଣ ମିଶନାରୀ ଥିଲେ ।

ଲଢ଼େଇ କରୁଥିବା ଲୋକମାନେ ଅନ୍ୟ ଜାତିର ଲୋକମାନଙ୍କୁ ଖୋଜି ଖୋଜି ହତ୍ୟା କରୁଥିଲେ । ଏପରି ସମୟରେ ଭାଇଭଉଣୀମାନେ ନିଜ ଜୀବନକୁ ବିପଦରେ ପକାଇ ଅନ୍ୟ ଜାତିର ଭାଇଭଉଣୀଙ୍କୁ ନିଜ ଘରେ ଲୁଚାଇଲେ । ମିଶନାରୀ ଭାଇଭଉଣୀମାନେ ଓ ବୈଥେଲରେ ସେବା କରୁଥିବା ଭାଇଭଉଣୀମାନେ ମଧ୍ୟ ଏପରି ହିଁ କଲେ । କିଛି ଭାଇଭଉଣୀ ବୈଥେଲକୁ ପଳାଇ ଆସିଥିଲେ । ଏମାନଙ୍କ ମଧ୍ୟରୁ କିଛି ଲୋକମାନେ ଉପର ମହଲାରେ ଶୋଉଥିଲେ ଆଉ କିଛି ଲୋକମାନେ ତଳ ମହଲାରେ । ଆମେ ନିଜ ରୁମ୍‌ରେ ଗୋଟିଏ ପରିବାରକୁ ରହିବା ପାଇଁ ଜାଗା ଦେଲୁ । ଆଉ ସେହି ପରିବାରରେ ସାତଜଣ ଥିଲେ ।

ପଲ୍‌: ଲଢ଼େଇ କରୁଥିବା ଲୋକମାନେ ପ୍ରତିଦିନ ଆସି ଦେଖିବା ପାଇଁ ଚେଷ୍ଟା କରୁଥିଲେ ଯେ କʼଣ ଆମେ ଅନ୍ୟ ଜାତିର ଲୋକଙ୍କୁ ନିଜ ଘରେ ଲୁଚାଇ ରଖିଛୁ । ଜଗିବା ପାଇଁ ଆମେ ଚାରିଜଣ ଭାଇଙ୍କୁ ରଖିଥିଲୁ । ଯେବେ କେହି ଆସୁଥିଲେ, ତେବେ ଦୁଇଜଣ ଭାଇ ଗେଟ୍‌ରେ ଯାଉଥିଲେ ଆଉ ଦୁଇଜଣ ଭାଇ ଝରକାରୁ ତାଙ୍କ ଉପରେ ନଜର ରଖୁଥିଲେ । ଯେଉଁ ଭାଇମାନେ ଗେଟ୍‌ରେ ଯାଉଥିଲେ, ଯଦି ସେମାନେ ନିଜ ହାତକୁ ଆଗ ଆଡ଼କୁ କରି ନେଉଥିଲେ ତାʼର ଅର୍ଥ ଥିଲା ସବୁ ଠିକ୍‌ ଅଛି । କିନ୍ତୁ ଯଦି ସେମାନେ ନିଜ ହାତକୁ ପଛଆଡ଼େ କରି ନେଉଥିଲେ, ତାହେଲେ ବାକି ଦୁଇଜଣ ଭାଇ ବୁଝି ଯାଉଥିଲେ ଯେ ଲଢ଼େଇ କରୁଥିବା ଲୋକମାନେ ବହୁତ ରାଗିଛନ୍ତି ଓ ସେମାନେ ତୁରନ୍ତ ଯାଇ ଭାଇଭଉଣୀଙ୍କୁ ଲୁଚାଇ ଦେଉଥିଲେ ।

ଏନ୍‌: ଅନେକ ସପ୍ତାହ ପରେ କିଛି ଲଢ଼େଇ କରୁଥିବା ଲୋକମାନେ ଜବରଦସ୍ତି ବୈଥେଲ ଭିତରେ ପଶିଗଲେ । ମୁଁ ଜଣେ ଭଉଣୀଙ୍କୁ ନେଇ ବାଥରୁମ୍‌କୁ ଚାଲିଗଲି ଓ କବାଟ ବନ୍ଦ କରିଦେଲି । ବାଥରୁମ୍‌ରେ ଗୋଟିଏ ଆଲମିରା ଥିଲା, ଯେଉଁଥିରେ ଲୁଚିବା ପାଇଁ ଗୋଟିଏ ଛୋଟ ଜାଗା ଥିଲା । ମୁଁ ସେଇଠି ଭଉଣୀଙ୍କୁ ଲୁଚାଇ ଦେଲି । ସେମାନେ ମୋ ପଛେ ପଛେ ଉପରକୁ ଆସିଗଲେ । ତାଙ୍କ ହାତରେ ବନ୍ଧୁକ ଥିଲା । ସେମାନେ ବାଥରୁମ୍‌ର କବାଟକୁ ଜୋର୍‌ ଜୋର୍‌ରେ ବାଡ଼େଇବାକୁ ଲାଗିଲେ । ପଲ୍‌ ତାଙ୍କୁ ରୋକିବା ପାଇଁ ଚେଷ୍ଟା କଲେ ଓ କହିଲେ, “ମୋ ସ୍ତ୍ରୀ ବାଥରୁମ୍‌ ଯାଇଛନ୍ତି ।” ଭଉଣୀଙ୍କୁ ଲୁଚାଇବା ପରେ, ମୁଁ ସେହି ଜିନିଷଗୁଡ଼ିକୁ ପୁଣିଥରେ ଆଲମିରାରେ ରଖିବାକୁ ଲାଗିଲି ଓ ଏଥିରେ ଟିକେ ସମୟ ଲାଗିଗଲା । ମୋତେ ଲାଗିଲା ଯେ ଲଢ଼େଇ କରୁଥିବା ଲୋକମାନେ ଏହି ଆବାଜ୍‌ ଶୁଣି ନେଇଛନ୍ତି ଆଉ ତାଙ୍କୁ ସନ୍ଦେହ ହୋଇଯାଇଛି, ତେଣୁ ମୁଁ ବହୁତ ଡରିଗଲି । ଏପରି ସମୟରେ ମୁଁ କବାଟ କିପରି ଖୋଲିଥାʼନ୍ତି ? ମୁଁ ମନେ ମନେ ପ୍ରାର୍ଥନା କଲି ଓ ଯିହୋବାଙ୍କୁ ସାହାଯ୍ୟ ମାଗିଲି । ତାʼପରେ ମୁଁ କବାଟ ଖୋଲିଲି ଓ ସେମାନଙ୍କୁ ଆରାମରେ ହାଲୋ କହିଲି । ଜଣେ ଲୋକ ମୋତେ ଧକ୍କା ଦେଇ ବାଥରୁମ୍‌ ଭିତରେ ପଶିଗଲା ଆଉ ଆଲମିରା ଖୋଲିକି ଦେଖିବାକୁ ଲାଗିଲା । ସେ ସବୁକିଛି ଏପଟେ ସେପଟେ ଫିଙ୍ଗି ଦେଲା । ସେ ଆଶ୍ଚର୍ଯ୍ୟ ହୋଇଗଲା ଯେ ତାକୁ କିଛି ବି ମିଳିଲା ନାହିଁ । ତାʼପରେ ସେ ଓ ତାʼ ସାଥୀମାନେ ଉପର, ତଳ ସବୁଆଡ଼େ ଖୋଜାଖୋଜି କଲେ, କିନ୍ତୁ ତାଙ୍କୁ କିଛି ବି ମିଳିଲା ନାହିଁ ।

ଅନ୍ଧାରରେ ବି ସତ୍ୟର ଆଲୋକ ପ୍ରକାଶିତ କଲେ

ପଲ୍‌: ଆମ ପାଖରେ ଖାଇବା ପିଇବାର ଜିନିଷ ବହୁତ କମ୍‌ ଥିଲା, କିନ୍ତୁ ଈଶ୍ୱରଙ୍କଠାରୁ ମିଳୁଥିବା ଖାଦ୍ୟର କୌଣସି ଅଭାବ ନ ଥିଲା । ଅନେକ ମାସ ଯାଏ ଆମେ ଜଳଖିଆରେ କେବଳ ସକାଳ ଉପାସନା ଶୁଣୁଥିଲୁ । ଆଉ ସତରେ ଆମକୁ ସେଥିରୁ ବହୁତ ଶକ୍ତି ମିଳିଲା ।

ଆମେ ବାହାରକୁ ଯାଇ ଖାଇବା ଜିନିଷ ଆଣି ପାରୁ ନ ଥିଲୁ, ଯଦି ଆମେ ଯାʼନ୍ତୁ, ତେବେ ଯେଉଁ ଭାଇଭଉଣୀ ବୈଥେଲରେ ଲୁଚିଥିଲେ ସେମାନଙ୍କୁ ମାରି ଦିଆଯାʼନ୍ତା । ଆମେ ଦେଖିଲୁ ଯେ ଅନେକଥର ଯିହୋବା ଆମକୁ ସଠିକ୍‌ ସମୟରେ ଏବଂ ଏପରି ଉପାୟରେ ସାହାଯ୍ୟ କଲେ ଯାହା ଆମେ କେବେ ବି ଭାବି ନ ଥିଲୁ । ସେ ସବୁ ସମୟରେ ଆମକୁ ସମ୍ଭାଳିଲେ ଓ ନିଜ ଡର ଉପରେ କାବୁ କରିବା ପାଇଁ ସାହାଯ୍ୟ କଲେ ।

ଲାଇବେରିଆରେ ପରିସ୍ଥିତି ଦିନକୁ ଦିନ ଖରାପ ହୋଇଯାଉଥିଲା ଓ କୌଣସି ଆଶା ନ ଥିଲା । କିନ୍ତୁ ସତ୍ୟ ଯୋଗୁଁ ଭାଇଭଉଣୀମାନେ ଆଶା ହରାଇଲେ ନାହିଁ । ନିଜ ଜୀବନ ବଞ୍ଚାଇବା ପାଇଁ ଅନେକଥର ପଳାଇବାକୁ ପଡ଼ିଲା, କିନ୍ତୁ ତାଙ୍କ ବିଶ୍ୱାସ କମ୍‌ ହେଲା ନାହିଁ । ସମସ୍ୟାଗୁଡ଼ିକ ସତ୍ତ୍ୱେ ସେମାନେ ଶାନ୍ତ ରହିଲେ । ସେମାନଙ୍କ ମଧ୍ୟରୁ କିଛି ଭାଇଭଉଣୀ କହିଲେ ଯେ ଏହି ସମସ୍ୟାଗୁଡ଼ିକ ତାଙ୍କୁ ମହାକ୍ଳେଶ ପାଇଁ ପ୍ରସ୍ତୁତ କରୁଛି । ପ୍ରାଚୀନମାନେ ଓ ଯୁବା ଭାଇମାନେ ବହୁତ ସାହସ ଦେଖାଇ ଭାଇଭଉଣୀମାନଙ୍କର ସାହାଯ୍ୟ କଲେ । ଭାଇଭଉଣୀମାନେ ମଧ୍ୟ ପରସ୍ପରକୁ ସମ୍ଭାଳିଲେ । ଯେବେ ସେମାନେ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ପଳାଉଥିଲେ, ତେବେ ସେଠାରେ ବି ପ୍ରଚାର କରୁଥିଲେ ଓ ସଭା ଚଲାଉଥିଲେ । ସେମାନେ ଜଙ୍ଗଲରେ ଗଛଗୁଡ଼ିକର ଡାଳ ଓ ପତ୍ରରୁ ରାଜ୍ୟଘର ତିଆରି କଲେ । ଏପରି ସମୟରେ ସଭା ଓ ପ୍ରଚାର କରିବାରୁ ଭାଇଭଉଣୀଙ୍କୁ ବହୁତ ସାହସ ମିଳିଲା । ଯେବେ ଆମେ ଭାଇଭଉଣୀମାନଙ୍କୁ ରିଲିଫ୍‌ ଜିନିଷ ବାଣ୍ଟିଲୁ, ତେବେ ଅନେକ ଲୋକ କପଡ଼ା ପରିବର୍ତ୍ତେ ପ୍ରଚାର କରିବା ପାଇଁ ବ୍ୟାଗ୍‌ ମାଗିଲେ । ଏ କଥା ଆମ ହୃଦୟକୁ ଛୁଇଁଗଲା ! ସେଠାର ଲୋକେ ବହୁତ ଦୁଃଖୀ ଥିଲେ ଓ ଡରି ଯାଇଥିଲେ । ଯେବେ ଆମେ ସେମାନଙ୍କୁ ସୁସମାଚାର ଶୁଣାଉଥିଲୁ, ତେବେ ସେମାନେ ବହୁତ ଧ୍ୟାନର ସହ ଆମ କଥା ଶୁଣୁଥିଲେ । ସେମାନେ ଏହା ଦେଖି ବହୁତ ଆଶ୍ଚର୍ଯ୍ୟ ଥିଲେ ଯେ ଏତେ ସମସ୍ୟାଗୁଡ଼ିକ ସତ୍ତ୍ୱେ ଆମେ ଯିହୋବାଙ୍କ ସାକ୍ଷୀ କେତେ ଖୁସିରେ ଅଛୁ । ସତରେ, ଭାଇଭଉଣୀମାନେ ଅନ୍ଧାରରେ ଆଲୋକ ଭଳି ପ୍ରକାଶ ହେଉଥିଲେ ! (ମାଥି. ୫:୧୪-୧୬) ସେମାନଙ୍କ ଉତ୍ସାହ ଦେଖି କିଛି ଲଢ଼େଇ କରୁଥିବା ଲୋକମାନେ ମଧ୍ୟ ଆଗକୁ ଯାଇ ସତ୍ୟ ଆପଣାଇଲେ ।

ଭାଇଭଉଣୀଙ୍କଠାରୁ ଅଲଗା ହେବା ପରେ ବି ଯିହୋବା ସାହସ ଦେଲେ

ପଲ୍‌: ଆମକୁ ମଝି ମଝିରେ ଲାଇବେରିଆ ଛାଡ଼ି ଯିବାକୁ ପଡ଼ିଲା, ତିନିଥର କିଛି ସମୟ ପାଇଁ ଆଉ ଦୁଇଥର ପୂରା ବର୍ଷ ପାଇଁ । ଜଣେ ମିଶନାରୀ ଭଉଣୀ କହିଲେ, “ଗିଲିଅଡ୍‌ରେ ଆମକୁ ଶିଖାଯାଇଥିଲା ଯେ ଆମକୁ ଯାହା ବି କାମ ମିଳେ ଆମେ ତାକୁ ହୃଦୟରୁ କରିବା । ଆଉ ଆମେ ଏପରି ହିଁ କଲୁ । ତେଣୁ ଯେବେ କଠିନ ସମୟରେ ଆମକୁ ଭାଇଭଉଣୀଙ୍କୁ ଛାଡ଼ିକି ଯିବାକୁ ପଡ଼ିଲା, ତେବେ ଆମକୁ ବହୁତ ଦୁଃଖ ଲାଗିଲା । ଆମେ ପୂରାପୂରି ଭାଙ୍ଗି ପଡ଼ିଲୁ !” ଆମକୁ ବି ପ୍ରତିଥର ଲାଇବେରିଆକୁ ଛାଡ଼ି ଯିବା ସମୟରେ ଏପରି ହିଁ ଲାଗୁଥିଲା । କିନ୍ତୁ ଖୁସିର କଥା ଯେ ଲାଇବେରିଆର ବାହାରେ ଥାଇ ବି ଆମେ ଭାଇଭଉଣୀଙ୍କର ସାହାଯ୍ୟ କରିପାରିଲୁ ।

୧୯୯୭ ମସିହାରେ ଲାଇବେରିଆ ଫେରି ଆମେ ବହୁତ ଖୁସି ଥିଲୁ

ଏନ୍‌: ମେ ୧୯୯୬ ମସିହାର କଥା । ଆମେ ବୈଥେଲରୁ ୧୬ କିଲୋମିଟର (୧୦ ମାଇଲ) ଦୂର ଏକ ସୁରକ୍ଷିତ ଜାଗାକୁ ଯିବା ପାଇଁ ଚାହୁଁଥିଲୁ । ତେଣୁ ଆମେ ଚାରିଜଣ ବୈଥେଲର ଗୋଟିଏ ଗାଡ଼ିରେ ବାହାରି ପଡ଼ିଲୁ । ଆମ ପାଖରେ ଶାଖା କାର୍ଯ୍ୟାଳୟର କିଛି ଜରୁରୀ କାଗଜପତ୍ର ବି ଥିଲା । କିନ୍ତୁ ସେସମୟରେ ହିଁ ଆମ ଅଞ୍ଚଳରେ ଦଙ୍ଗା ହେବାକୁ ଲାଗିଲା । ଲଢ଼େଇ କରୁଥିବା କିଛି ଲୋକମାନେ ଫାଙ୍କାରେ ଗୁଳି ଚଳାଇବାକୁ ଲାଗିଲେ ଆଉ ଆମ ଗାଡ଼ିକୁ ରୋକି ଦେଲେ । ସେମାନେ ଆମ ମଧ୍ୟରୁ ତିନିଜଣଙ୍କୁ ଗାଡ଼ିରୁ ବାହାର କରି ପଲ୍‌କୁ ଗାଡ଼ି ସହିତ ହିଁ ନେଇଗଲେ । ଆମକୁ ବୁଝା ହିଁ ପଡ଼ିଲା ନାହିଁ ଯେ କʼଣ ହେଲା । ତାʼପରେ ହଠାତ୍‌ ପଲ୍‌ ଭିଡ଼ ମଧ୍ୟରୁ ଚାଲି ଚାଲି ଆମ ଆଡ଼କୁ ଆସିବାକୁ ଲାଗିଲେ । ତାଙ୍କ ମୁଣ୍ଡରୁ ରକ୍ତ ବହୁଥୁଲା । ଆମକୁ ଲାଗିଲା ଯେ ତାଙ୍କୁ ଗୁଳି ବାଜିଛି । କିନ୍ତୁ ଆମେ ଭାବିଲୁ ଯଦି ତାଙ୍କୁ ଗୁଳି ବାଜିଥାʼନ୍ତା, ତାହେଲେ ସେ ଚାଲି ପାରନ୍ତେ ନାହିଁ । ପ୍ରକୃତରେ କେହି ତାଙ୍କୁ ମାରିଥିଲେ ଓ ଗାଡ଼ିରୁ ବାହାରକୁ ଫିଙ୍ଗି ଦେଇଥିଲେ । ଭଲ ହେଲା ତାଙ୍କୁ ବେଶୀ ଆଘାତ ଲାଗିଲା ନାହିଁ !

ପାଖରେ ହିଁ ଗୋଟିଏ ମିଲିଟାରୀ ଗାଡ଼ି ଛିଡ଼ା ହୋଇଥିଲା, ଯେଉଁଥିରେ ଲୋକମାନେ ଭରିଥିଲେ ଓ ସେମାନେ ବହୁତ ଡରିଯାଇଥିଲେ । ଆମେ ବହୁତ କଷ୍ଟରେ ସେହି ଗାଡ଼ିରେ ଚଢ଼ିଗଲୁ । ଡ୍ରାଇଭର ଗାଡ଼ିକୁ ଏତେ ଜୋର୍‌ରେ ଚଲାଇଲା ଯେ ଆମେ ପଡ଼ିଯାଇଥାʼନ୍ତୁ । ଆମେ ତାଙ୍କୁ ଅଟକାଇବା ପାଇଁ କହିଲୁ, କିନ୍ତୁ ସେ ଏତେ ଡରି ଯାଇଥିଲା ଯେ ସେ ଆମ କଥା ହିଁ ଶୁଣିଲା ନାହିଁ । ଯାହା ବି ହେଉ ଆମେ ଗାଡ଼ିକୁ ଜୋର୍‌ରେ ଧରି ରଖିଲୁ । ପରେ ଯେବେ ଗାଡ଼ି ରହିଲା ଓ ଆମେ ଓହ୍ଲାଇଲୁ, ତେବେ ଆମ ଅବସ୍ଥା ବହୁତ ଖରାପ ଥିଲା । ଏତେ ଡେରି ଗାଡ଼ିକୁ ଜୋର୍‌ରେ ଧରି ରଖିବାରୁ ଆମ ହାତ ବହୁତ ଥରୁଥିଲା ।

ପଲ୍‌: ଆମ ପାଖରେ କିଛି ନ ଥିଲା । ଆମ କପଡ଼ା ମଇଳା ହୋଇଯାଇଥିଲା ଆଉ ଚିରି ଯାଇଥିଲା । ଆମେ ପରସ୍ପରକୁ ଦେଖି ଭାବିଲୁ ଯେ ଯାହା ହେଉ ପଛେ ଆମେ ଜୀବିତ ତ ଅଛୁ । ଆମେ ଗୋଟିଏ ଖୋଲା ପଡ଼ିଆରେ ହେଲିକପ୍ଟର ପାଖରେ ଶୋଇଲୁ । ସେହି ହେଲିକପ୍ଟରରେ ଗୁଳିର ଅନେକ ଚିହ୍ନ ଥିଲା ଓ ତାʼର ଅବସ୍ଥା ବହୁତ ଖରାପ ଥିଲା । ଆର ଦିନ ଆମେ ସେହି ହେଲିକପ୍ଟରରେ ବସି ସିଏରା ଲିଓନ ଗଲୁ । ଆମେ ଖୁସି ଥିଲୁ ଯେ ଆମେ ଜୀବିତ ଅଛୁ, କିନ୍ତୁ ଆମକୁ ଲାଇବେରିଆର ଭାଇଭଉଣୀଙ୍କର ବହୁତ ଚିନ୍ତା ହେଉଥିଲା ।

ଯିହୋବା ଆଉ ଗୋଟିଏ ସମସ୍ୟାକୁ ସହିବା ପାଇଁ ସାହସ ଦେଲେ

ଏନ୍‌: ଆମେ ସୁରକ୍ଷିତ ଭାବରେ ସିଏରା ଲିଓନର ବୈଥେଲକୁ ପହଞ୍ଚିଗଲୁ, ଯାହା ଫ୍ରିଟାଉନ ସହରରେ ଥିଲା । ସେଠାକାର ଭାଇମାନେ ଆମର ବହୁତ ଭଲଭାବରେ ଦେଖାଶୁଣା କଲେ, କିନ୍ତୁ ମୋତେ ଯୁଦ୍ଧର ଖରାପ ସ୍ମୃତିଗୁଡ଼ିକ ହଇରାଣ କରିବାକୁ ଲାଗିଲା । ମୋତେ ଦିନସାରା ଡର ଲାଗୁଥିଲା । ମୁଁ ଠିକ୍‌ରେ ଭାବିପାରୁ ନ ଥିଲି ଆଉ ମୋତେ ବୁଝା ପଡ଼ୁ ନ ଥିଲା ଯେ ଆଖପାଖରେ ଯାହା ହେଉଛି ତାହା ସତ ନା ସ୍ୱପ୍ନ । ହଠାତ୍‌ ରାତିରେ ମୋ ନିଦ ଭାଙ୍ଗି ଯାଉଥିଲା । ମୋତେ ଲାଗୁଥିଲା କିଛି ଅଘଟଣ ଘଟିବ ଆଉ ମୋତେ ଭାରି ଡର ଲାଗୁଥିଲା । ମୋ ହାତ ଗୋଡ଼ ଥଣ୍ଡା ହୋଇଯାଉଥିଲା ଓ ମୋ ପାଇଁ ନିଶ୍ୱାସ ନେବା ବି ବହୁତ କଠିନ ହୋଇଯାଉଥିଲା । ତେବେ ପଲ୍‌ ମୋତେ କୁଣ୍ଢାଇ ପକାଉଥିଲେ ଓ ପ୍ରାର୍ଥନା କରୁଥିଲେ । ମୁଁ ଶାନ୍ତ ନ ହେବା ପର୍ଯ୍ୟନ୍ତ ଆମେ ରାଜ୍ୟ ଗୀତ ଗାଉଥିଲୁ । ମୋତେ ଲାଗୁଥିଲା ଯେ ମୁଁ ପାଗଳ ହୋଇଯାଇଛି ଆଉ ଏବେ ମୁଁ ମିଶନାରୀ ସେବା କରିପାରିବି ନାହିଁ ।

ତାʼପରେ ଯାହା ହେଲା ମୁଁ ତାହା କେବେ ବି ଭୁଲିପାରିବି ନାହିଁ । ସେହି ସପ୍ତାହ ଆମକୁ ଦୁଇଟି ପତ୍ରିକା ମିଳିଲା । ସେମଧ୍ୟରୁ ଗୋଟିଏ ଥିଲା ୮ ଜୁନ୍‌, ୧୯୯୬ ମସିହାର ସଜାଗ ହୁଅ ! (ଇଂରାଜୀ) ଯେଉଁଥିରେ ଗୋଟିଏ ଲେଖା ଥିଲା, “ପେନିକ୍‌ ଆଟାଏକ୍‌ ଆସିଲେ କʼଣ କରିବା ?” ତାକୁ ପଢ଼ି ମୁଁ ବୁଝିପାରିଲି ଯେ ମୋ ସହ କʼଣ ହେଉଛି । ଆଉ ଅନ୍ୟ ପତ୍ରିକା ଥିଲା ୧୫ ମେ, ୧୯୯୬ ମସିହାର ପ୍ରହରୀଦୁର୍ଗ । (ହିନ୍ଦୀ) ତାʼର ଗୋଟିଏ ଲେଖା ଥିଲା, “ତାଙ୍କୁ ଶକ୍ତି କେଉଁଠୁ ମିଳେ ?” ସେହି ଲେଖାରେ ଗୋଟିଏ ପ୍ରଜାପତିର ଚିତ୍ର ଥିଲା ଯାହାର ଡେଣା ଭାଙ୍ଗି ଯାଇଥିଲା । ସେଥିରେ ବୁଝାଇ ଦିଆଯାଇଥିଲା ଯେ ଡେଣା ଭାଙ୍ଗିବା ପରେ ବି ପ୍ରଜାପତି ଉଡ଼ୁଥାଏ, ଠିକ୍‌ ସେହିପରି ଯେବେ ଆମେ ଭାଙ୍ଗି ପଡ଼ୁ, ତେବେ ଯିହୋବାଙ୍କ ପବିତ୍ର ଶକ୍ତି ଆମକୁ ଶକ୍ତି ଦିଏ ଏବଂ ଆମେ ଅନ୍ୟମାନଙ୍କର ସାହାଯ୍ୟ କରିପାରୁ । ଏହି ଦୁଇଟି ଲେଖା ଯିହୋବାଙ୍କ ତରଫରୁ ଥିବା ସଠିକ୍‌ ସମୟର ଖାଦ୍ୟ ଥିଲା । (ମାଥି. ୨୪:୪୫) ମୁଁ ଏପରି ହିଁ ଆହୁରି ଲେଖାଗୁଡ଼ିକ ଖୋଜିଲି ଏବଂ ସେଗୁଡ଼ିକୁ ଗୋଟିଏ ଫାଇଲରେ ସମ୍ଭାଳି ରଖିଲି । ଏଥିରୁ ମୋତେ ବହୁତ ସାହାଯ୍ୟ ମିଳିଲା । ଧିରେ ଧିରେ ମୋ ଅବସ୍ଥାରେ ସୁଧାର ହେବାକୁ ଲାଗିଲା ଆଉ ମୋର ଡର କମ୍‌ ହେବାକୁ ଲାଗିଲା ।

ଯିହୋବା ନୂଆ ଜାଗା ଯାଇ ସେବା କରିବା ପାଇଁ ସାହସ ଦେଲେ

ପଲ୍‌: ଯେବେ ବି ଆମେ ନିଜ ଘର ଲାଇବେରିଆ ଫେରୁଥିଲୁ, ଆମକୁ ବହୁତ ଖୁସି ଲାଗୁଥିଲା । ୨୦୦୪ ମସିହାର ଶେଷ ଯାଏ ଆମକୁ ସେଠାରେ ସେବା କରି ପ୍ରାୟ ୨୦ ବର୍ଷ ହୋଇଯାଇଥିଲା । ଯୁଦ୍ଧ ଶେଷ ହୋଇଯାଇଥିଲା ଏବଂ ଶାଖା କାର୍ଯ୍ୟାଳୟରେ କିଛି ନିର୍ମାଣ କାମ କରିବାର ଯୋଜନା କରାଯାଉଥିଲା । କିନ୍ତୁ ଆମକୁ କୁହାଗଲା ଯେ ଆମକୁ ସେବା କରିବା ପାଇଁ ଅନ୍ୟ ଜାଗାକୁ ପଠାଯାଉଛି ।

ଏହା ଆମ ପାଇଁ ବହୁତ କଷ୍ଟ ଥିଲା । ଲାଇବେରିଆର ଭାଇଭଉଣୀ ଆମ ପରିବାର ହୋଇଯାଇଥିଲେ, ସେମାନଙ୍କ ବିନା ଆମେ କେମିତି ରହନ୍ତୁ ! ଆମେ ଗିଲିଅଡ୍‌ ଯିବା ପାଇଁ ନିଜ ପରିବାରକୁ ଛାଡ଼ିଥିଲୁ, କିନ୍ତୁ ଯିହୋବା ସେସମୟରେ ଆମକୁ ସମ୍ଭାଳିଲେ ଏବଂ ଆମକୁ ଅନେକ ଆଶିଷ ଦେଲେ । ତେଣୁ ଆମେ ନୂଆ ଜାଗା ଯିବା ପାଇଁ ପ୍ରସ୍ତୁତ ଥିଲୁ । ଏଥର ଆମକୁ ଘାନା ପଠାଗଲା ।

ଏନ୍‌: ଲାଇବେରିଆ ଛାଡ଼ିବା ସମୟରେ ଆମେ ବହୁତ କାନ୍ଦିଲୁ । ଜଣେ ବୃଦ୍ଧ ଭାଇ, ଫ୍ରେନ୍କ ଆମକୁ କହିଲେ, “ତମେମାନେ ଆମକୁ ଭୁଲିଯାଅ ।” ଏହା ଶୁଣି ଆମେ ଆଶ୍ଚର୍ଯ୍ୟ ହୋଇଗଲୁ । କିନ୍ତୁ ସେ ଆମକୁ ବୁଝାଇଲେ, “ଆମେ ଜାଣିଛୁ ଯେ ତମେମାନେ ଆମକୁ ଭୁଲିପାରିବ ନାହିଁ । କିନ୍ତୁ ନୂଆ ଜାଗା ଯାଇ ସେଠାରେ ହୃଦୟର ସହ ସେବା କର । ଏହି କାମ ଯିହୋବା ତମମାନଙ୍କୁ ଦେଇଛନ୍ତି, ତେଣୁ ସେଠାର ଭାଇଭଉଣୀଙ୍କ ଉପରେ ଧ୍ୟାନ ଦେବ ଓ ତାଙ୍କୁ ସାହାଯ୍ୟ କରିବ ।” ସେହି ଭାଇଙ୍କ ପରାମର୍ଶ ବହୁତ ଭଲ ଥିଲା । ଆମେ ପୁଣିଥରେ ଗୋଟିଏ ନୂଆ ଜାଗାରେ ନୂଆ ସାଙ୍ଗ କରିବା ପାଇଁ ପ୍ରସ୍ତୁତ ଥିଲୁ ।

ପଲ୍‌: କିଛି ସମୟ ଭିତରେ ଘାନାର ଭାଇଭଉଣୀ ଆମ ନୂଆ ପରିବାର ହୋଇଗଲେ । ସେଠାରେ ଅନେକ ଭାଇଭଉଣୀ ଥିଲେ ! ସେମାନଙ୍କ ବିଶ୍ୱାସ ଦୃଢ଼ ଥିଲା ଆଉ ସେମାନେ ସମସ୍ୟାଗୁଡ଼ିକ ସତ୍ତ୍ୱେ ବିଶ୍ୱସ୍ତ ଥିଲେ । ଆମେ ସେମାନଙ୍କଠାରୁ ଅନେକ କଥା ଶିଖିଲୁ । ଘାନାରେ ୧୩ ବର୍ଷ ସେବା କରିବା ପରେ ଆମକୁ ଆଉ ଗୋଟିଏ ଖବର ମିଳିଲା ଯେ ଆମକୁ ପୂର୍ବୀୟ ଆଫ୍ରିକାର ଶାଖା କାର୍ଯ୍ୟାଳୟରେ ଯାଇ ସେବା କରିବାର ଅଛି ଯାହା କେନିଆରେ ଅଛି । ଆମକୁ ଘାନା ଓ ଲାଇବେରିଆର ଭାଇଭଉଣୀଙ୍କ ବହୁତ ମନେ ପଡ଼ୁଥିଲା । କିନ୍ତୁ କେନିଆ ପହଞ୍ଚି ଆମେ ଶୀଘ୍ର ନୂଆ ସାଙ୍ଗ କରିନେଲୁ । ଆଜି ବି ଆମେ କେନିଆରେ ସେବା କରୁଛୁ ଆଉ ଏଠାରେ ବହୁତ କାମ ବାକି ଅଛି ।

୨୦୨୩ ମସିହାରେ କେନିଆରେ ନିଜ ନୂଆ ସାଙ୍ଗମାନଙ୍କ ସହିତ

ଯିହୋବା ଆମକୁ ଅନେକ କଥା ଶିଖାଇଲେ

ଏନ୍‌: ଆମେ ଜୀବନରେ ଅନେକ ସମସ୍ୟାର ସାମନା କଲୁ । ଏହାର ମୋ ସ୍ୱାସ୍ଥ୍ୟ ଉପରେ ଆଉ ମୋ ଭାବନା ଉପରେ ବହୁତ ଖରାପ ପ୍ରଭାବ ପଡ଼ିଛି । ଯିହୋବା ଚମତ୍କାର କରି ଆମକୁ ସମସ୍ୟାରୁ ରକ୍ଷା କରନ୍ତି ନାହିଁ । ଆଜି ବି ଯେବେ ମୁଁ ଗୁଳିର ଶବ୍ଦ ଶୁଣେ, ତେବେ ମୁଁ ବ୍ୟସ୍ତ ହୋଇଯାଏ ଏବଂ ମୋ ହାତରେ କିଛି ଅନୁଭବ କରିପାରେ ନାହିଁ । କିନ୍ତୁ ଆମ ସାହସ ବଢ଼ାଇବା ପାଇଁ ଯିହୋବା ଆମକୁ ଅନେକ କିଛି ଦେଇଛନ୍ତି, ଯେପରି ସେ ଆମକୁ ପ୍ରେମ କରୁଥିବା ଭାଇଭଉଣୀ ଦେଇଛନ୍ତି । ମୁଁ ଦେଖିଛି ଯେ ଯେବେ ଆମେ ଅଧ୍ୟୟନ କରୁ, ପ୍ରାର୍ଥନା କରୁ, ସଭାଗୁଡ଼ିକ ଓ ପ୍ରଚାରରେ ଯାଉ, ତେବେ ଆମକୁ ସେବା ଜାରି ରଖିବା ପାଇଁ ସାହସ ମିଳିଯାଏ ।

ପଲ୍‌: କିଛି ଲୋକ ପଚାରନ୍ତି, “କ‘ଣ ଆପଣଙ୍କୁ ମିଶନାରୀ ସେବା ପସନ୍ଦ ?” ମୁଁ ସେମାନଙ୍କୁ କହେ, ଅନେକ ଦେଶ ବହୁତ ସୁନ୍ଦର ଥାଏ, କିନ୍ତୁ ପରିସ୍ଥିତି କେବେ ବି ବଦଳିପାରେ ଏବଂ ସମସ୍ୟାଗୁଡ଼ିକ ଆସିପାରେ । ତେଣୁ ଆମେ ଜାଗା ଅପେକ୍ଷା ଭାଇଭଉଣୀଙ୍କୁ ଅଧିକ ପ୍ରେମ କରୁ, ସେମାନେ ହିଁ ଆମ ପରିବାର । ଯଦିଓ ଆମ ଲାଳନପାଳନ ଅଲଗା ଅଲଗା ପରିବେଶରେ ହୋଇଛି ଏବଂ ଆମେ ଅଲଗା ଅଲଗା ଜାଗାରୁ ଅଟୁ, କିନ୍ତୁ ଆମ ଚିନ୍ତାଧାରା ଏକାଭଳି । ଆମକୁ ଭାଇଭଉଣୀଙ୍କ ଉତ୍ସାହ ବଢ଼ାଇବା ପାଇଁ ପଠାଯାଏ, କିନ୍ତୁ ପ୍ରକୃତରେ ସେମାନଙ୍କୁ ଭେଟି ଆମର ଉତ୍ସାହ ବଢ଼େ ।

ଆମେ ଯେଉଁଠି ବି ଗଲୁ ଆମକୁ ଭାଇଭଉଣୀଙ୍କ ଗୋଟିଏ ପରିବାର ମିଳିଲା । ଏହା କୌଣସି ଚମତ୍କାରରୁ କମ୍‌ ନୁହେଁ ! ଯେବେ ଯାଏ ଆମେ ଯିହୋବାଙ୍କ ମଣ୍ତଳୀର ଭାଗ, ଆମ ପାଖରେ ରହିବା ପାଇଁ ଗୋଟିଏ ସୁନ୍ଦର ଘର ଅଛି । ଆମକୁ ପୂରା ଭରସା ଅଛି ଯେ ଯଦି ଆମେ ଯିହୋବାଙ୍କ ଉପରେ ଭରସା ରଖିବା, ତେବେ ସେ ଆମକୁ ଆବଶ୍ୟକ ଅନୁସାରେ ସାହସ ଓ ଶକ୍ତି ଦେବେ ।—ଫିଲିପ୍‌. ୪:୧୩.

a ୧୫ ମାର୍ଚ୍ଚ, ୧୯୭୩ ମସିହାର ଇଂରାଜୀ ପ୍ରହରୀଦୁର୍ଗରେ ଛପା ଯାଇଥିବା ଭାଇ ଜନ୍‌ ଚେରୁକ୍‌ଙ୍କ ଜୀବନ କାହାଣୀ, “ଆଇ ଏମ୍‌ ଗ୍ରେଟ୍‌ଫୁଲ ଟୁ ଗଡ୍‌ ଏଣ୍ଡ୍‌ କ୍ରାଇସ୍ଟ” ପଢ଼ନ୍ତୁ ।