इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୮

ଗୀତ ୧୨୩ ୟହୋୱା କି ହୁକୁମତ୍‌ କବୁଲ୍‌ କରେଁ

ଯିହୋବା ଯେଉଁ ପଥ ଦେଖାନ୍ତି, ସେଥିରେ ଚାଲିବା ଜାରି ରଖନ୍ତୁ

ଯିହୋବା ଯେଉଁ ପଥ ଦେଖାନ୍ତି, ସେଥିରେ ଚାଲିବା ଜାରି ରଖନ୍ତୁ

“ଆମ୍ଭେ ସଦାପ୍ରଭୁ, ତୁମ୍ଭ ପରମେଶ୍ୱର . . . ତୁମ୍ଭର ଗନ୍ତବ୍ୟ ପଥରେ ତୁମ୍ଭକୁ ଗମନ କରାଉ ।”ଯିଶା. ୪୮:୧୭.

କʼଣ ଶିଖିବା ?

ଆଜି ଯିହୋବା ନିଜ ଲୋକମାନଙ୍କୁ କିପରି ଠିକ୍‌ ପଥ ଦେଖାଉଛନ୍ତି ଓ ସେହି ପଥରେ ଚାଲିଲେ ଆମକୁ କେଉଁ ଆଶିଷଗୁଡ଼ିକ ମିଳେ ?

୧. ଉଦାହରଣ ଦେଇ ବୁଝାନ୍ତୁ ଯେ ଯିହୋବା ଯେଉଁ ପଥ ଦେଖାନ୍ତି ଆମକୁ ସେଥିରେ କାହିଁକି ଚାଲିବା ଉଚିତ୍‌ ।

 ଭାବନ୍ତୁ ଆପଣ ଗୋଟିଏ ଘଞ୍ଚ ଜଙ୍ଗଲରେ ହଜିଯାଇଛନ୍ତି । ଚାରି ଆଡ଼େ ବଡ଼ ବଡ଼ ଚଟାଣ ଅଛି ଓ ହିଂସ୍ର ଜୀବଜନ୍ତୁ ବୁଲୁଛନ୍ତି ଓ ଚାରିଆଡ଼େ ବିଷଧର କୀଟପତଙ୍ଗ ଓ ଗଛଲତା ଭରି ରହିଛି । କିନ୍ତୁ ଯଦି ଆପଣଙ୍କ ସହିତ ଜଣେ ଏପରି ବ୍ୟକ୍ତି ଅଛି, ଯାହାକୁ ଜଣାଅଛି ଯେ କେଉଁ ଜାଗାରେ ବିପଦ ଅଛି ଓ ସେଥିରୁ ଆମେ କିପରି ରକ୍ଷା ପାଇପାରିବା, ତାହେଲେ ଏହା ଜାଣି ଆପଣଙ୍କ ଚିନ୍ତା ଦୂର ହୋଇଯିବ ଓ ଆପଣ ତାʼର ବହୁତ କୃତଜ୍ଞ ବି ହେବେ । ଏହି ଦୁନିଆ ମଧ୍ୟ ସେହି ଘଞ୍ଚ ଜଙ୍ଗଲ ଭଳି ଅଟେ । ଏଠାରେ ମଧ୍ୟ ଚାରିଆଡ଼େ ବିପଦ ଭରି ରହିଛି । ଯଦି ଆମେ ଧ୍ୟାନ ନ ଦେଉ, ତାହେଲେ ଯିହୋବାଙ୍କ ସହ ଆମ ସମ୍ପର୍କ ଖରାପ ହୋଇପାରେ । କିନ୍ତୁ ଆମକୁ ଡରିବା ଦରକାର ନାହିଁ, କାରଣ ଆମ ସହିତ ଯିହୋବା ଅଛନ୍ତି । ସେ ଆମକୁ ବିପଦରୁ ରକ୍ଷା କରନ୍ତି ଓ ସେହି ରାସ୍ତାରେ ଚାଲିବା ପାଇଁ ସାହାଯ୍ୟ କରନ୍ତି, ଯାହା ଆମକୁ ଆମ ଲକ୍ଷ୍ୟସ୍ଥଳ ଯାଏ ପହଞ୍ଚାଇପାରିବ, ଅର୍ଥାତ୍‌ ନୂଆ ଦୁନିଆରେ ଯେଉଁଠି ଆମେ ସବୁଦିନ ପାଇଁ ବଞ୍ଚିବା ।

୨. ଯିହୋବା ଆମକୁ କିପରି ଠିକ୍‌ ପଥ ଦେଖାନ୍ତି ?

ଆଜି କିପରି ଯିହୋବା ଆମକୁ ପଥ ଦେଖାଉଛନ୍ତି ? ସେ ନିଜ ବାକ୍ୟ ବାଇବଲ ଜରିଆରେ ଆମକୁ ପଥ ଦେଖାଉଛନ୍ତି । ତାʼଛଡ଼ା ମଣିଷମାନଙ୍କ ଜରିଆରେ ମଧ୍ୟ ଆମକୁ ସାହାଯ୍ୟ କରନ୍ତି । ଯେପରି, ଯିହୋବା “ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସ” ଜରିଆରେ ଆମକୁ ଠିକ୍‌ ସମୟରେ ଆଧ୍ୟାତ୍ମିକ ଖାଦ୍ୟ ଦିଅନ୍ତି, ଯାହାଫଳରେ ଆମେ ଠିକ୍‌ ନିଷ୍ପତ୍ତି ନେଇପାରୁ । (ମାଥି. ୨୪:୪୫) ସେ ଅନ୍ୟ ଦକ୍ଷ ଭାଇମାନଙ୍କ ଜରିଆରେ ମଧ୍ୟ ଆମକୁ ପଥ ଦେଖାନ୍ତି । ଯେପରି, ସେ ସର୍କିଟ ଅଧ୍ୟକ୍ଷ ଓ ମଣ୍ଡଳୀର ପ୍ରାଚୀନମାନଙ୍କ ଜରିଆରେ ଆମର ଉତ୍ସାହ ବଢ଼ାନ୍ତି ଓ ଆମକୁ ନିର୍ଦ୍ଦେଶ ଦିଅନ୍ତି । ଆଉ ଏହା ସାହାଯ୍ୟରେ ଆମେ ସମସ୍ୟାଗୁଡ଼ିକର ସାମନା କରିପାରୁ । ଏହି ଶେଷକାଳରେ ଯିହୋବା ଯେପରି ଭାବେ ଆମକୁ ସାହାଯ୍ୟ କରୁଛନ୍ତି, ତାʼପାଇଁ ଆମେ ବହୁତ କୃତଜ୍ଞ । ଆଉ ଏହା ସାହାଯ୍ୟରେ ଆମେ ଯିହୋବାଙ୍କର ସାଙ୍ଗ ହୋଇପାରୁ ଓ ଜୀବନର ପଥରେ ଚାଲିବା ଜାରି ରଖିପାରୁ ।

୩. ଏହି ଲେଖାରେ ଆମେ କʼଣ ଜାଣିବା ?

କିନ୍ତୁ ବେଳେବେଳେ ଯିହୋବା ଯେଉଁ ନିର୍ଦ୍ଦେଶ ଦିଅନ୍ତି, ତାହାକୁ ମାନିବା ଆମକୁ କଷ୍ଟ ଲାଗିପାରେ । ବିଶେଷ କରି ଆମକୁ ସେହି ନିର୍ଦ୍ଦେଶଗୁଡ଼ିକୁ ମାନିବା କଷ୍ଟ ଲାଗିପାରେ, ଯାହା ଆମକୁ ଅପରିପୂର୍ଣ୍ଣ ଭାଇମାନଙ୍କଠାରୁ ମିଳେ । ହୁଏତ ଭାଇମାନେ ଆମକୁ ଯେଉଁ ନିର୍ଦ୍ଦେଶ ଦିଅନ୍ତି, ତାହା ଆମକୁ ଭଲ ଲାଗେନି କିମ୍ବା ତାହା ଠିକ୍‌ ଲାଗେନି । ତେଣୁ ହୁଏତ ଆମେ ଭାବିବା ଯେ କʼଣ ଏହା ସତରେ ଯିହୋବାଙ୍କ ତରଫରୁ ଅଟେ । ତାହେଲେ ଏପରି ସମୟରେ ଆମେ କʼଣ କରିପାରିବା ? ଆମେ ପୂରା ଭରସା ରଖିବା ଉଚିତ୍‌ ଯେ ଯିହୋବା ସେହି ଭାଇମାନଙ୍କ ଜରିଆରେ ହିଁ ଆମକୁ ନିର୍ଦ୍ଦେଶ ଦେଉଛନ୍ତି ଓ ସେଗୁଡ଼ିକୁ ମାନିଲେ ହିଁ ଆମର ଲାଭ ହେବ । ଏହି ଲେଖାରେ ଆମେ ଜାଣିବା ଯେ ଆମେ ନିଜର ଏହି ଭରସାକୁ କିପରି ବଢ଼ାଇପାରିବା । ଆମେ ତିନୋଟି କଥା ଉପରେ ଆଲୋଚନା କରିପାରିବା: (୧) ପ୍ରାଚୀନ ସମୟରେ ଯିହୋବା କିପରି ନିଜ ଲୋକମାନଙ୍କୁ ଠିକ୍‌ ପଥ ଦେଖାଇଲେ ? (୨) ଯିହୋବା ଆଜି କିପରି ଆମକୁ ପଥ ଦେଖାଉଛନ୍ତି ? ଓ (୩) ସେ ଯେଉଁ ପଥ ଦେଖାନ୍ତି, ସେଥିରେ ଚାଲିଲେ ଆମକୁ କʼଣ କʼଣ ଆଶିଷ ମିଳିବ ?

ପ୍ରାଚୀନ ସମୟରୁ ଆଜି ଯାଏ ଯିହୋବା ମଣିଷମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ପଥ ଦେଖାଉଛନ୍ତି (ପାରାଗ୍ରାଫ ୩)


ଯିହୋବା ଇସ୍ରାଏଲୀୟମାନଙ୍କୁ କିପରି ପଥ ଦେଖାଇଲେ ?

୪-୫. ଯିହୋବା କିପରି ପ୍ରମାଣିତ କଲେ ଯେ ସେ ମୋଶାଙ୍କ ଜରିଆରେ ଇସ୍ରାଏଲୀୟମାନଙ୍କୁ ପଥ ଦେଖାଉଛନ୍ତି ? (ବାହାରେ ଥିବା ଚିତ୍ର ଦେଖନ୍ତୁ ।)

ଇସ୍ରାଏଲୀୟମାନଙ୍କୁ ମିସରରୁ ବାହାର କରିବା ପାଇଁ ଯିହୋବା ମୋଶାଙ୍କୁ ବାଛିଲେ । ଆଉ ଯିହୋବା ଅନେକ ଉପାୟରେ ପ୍ରମାଣିତ କଲେ ଯେ ସେ ହିଁ ମୋଶାଙ୍କ ଜରିଆରେ ନିଜ ଲୋକମାନଙ୍କୁ ପଥ ଦେଖାଉଛନ୍ତି । ଟିକେ ଏବିଷୟରେ ଭାବନ୍ତୁ । ଯିହୋବା ଦିନରେ ମେଘସ୍ତମ୍ଭ ଓ ରାତିରେ ଅଗ୍ନିସ୍ତମ୍ଭର ବ୍ୟବସ୍ଥା କଲେ । (ଯାତ୍ରା. ୧୩:୨୧) ମୋଶା ସେହି ସ୍ତମ୍ଭର ପଛେ ପଛେ ଚାଲିଲେ ଓ ଇସ୍ରାଏଲୀୟମାନଙ୍କୁ ନେଇ ଲୋହିତ ସାଗର ପାଖରେ ପହଞ୍ଚିଗଲେ । କିନ୍ତୁ ଯେବେ ଇସ୍ରାଏଲୀୟମାନେ ଦେଖିଲେ ଯେ ସେମାନଙ୍କ ଆଗରେ ଲୋହିତ ସାଗର ଅଛି ଓ ପଛରେ ମିସ୍ରୀୟ ସେନା ଆସୁଛି, ତେବେ ସେମାନେ ବହୁତ ଡରିଗଲେ । ସେମାନଙ୍କୁ ଲାଗିଲା ଯେ ଏବେ ସେମାନେ ଫସିଗଲେ ଓ ମୋଶା ସେମାନଙ୍କୁ ସେଠାକୁ ନେଇ ବହୁତ ବଡ଼ ଭୁଲ କରିଦେଇଛନ୍ତି । କିନ୍ତୁ ତାହା କୌଣସି ଭୁଲ ନ ଥିଲା । ଯିହୋବା ଜାଣିଶୁଣି ମୋଶାଙ୍କ ଜରିଆରେ ନିଜ ଲୋକମାନଙ୍କୁ ସେଠାକୁ ନେଇଥିଲେ । (ଯାତ୍ରା. ୧୪:୨) ତାʼପରେ ଯିହୋବା ସେମାନଙ୍କୁ ବହୁତ ବଢ଼ିଆ ଉପାୟରେ ରକ୍ଷା କଲେ ।—ଯାତ୍ରା. ୧୪:୨୬-୨୮.

ମରୁଭୂମିରେ ଲୋକମାନଙ୍କୁ ପଥ ଦେଖାଇବା ପାଇଁ ମୋଶା ମେଘସ୍ତମ୍ଭ ଉପରେ ନିର୍ଭର ରହିଲେ (ପାରାଗ୍ରାଫ ୪-୫)


ତାʼପରେ ୪୦ ବର୍ଷ ଯାଏଁ ମୋଶା ମେଘସ୍ତମ୍ଭର ପଛେ ପଛେ ଚାଲିବା ଜାରି ରଖିଲେ ଓ ମରୁଭୂମିରେ ଲୋକମାନଙ୍କୁ ପଥ ଦେଖାଇବା ଜାରି ରଖିଲେ । a କିଛି ସମୟ ପାଇଁ ଯିହୋବା ମେଘସ୍ତମ୍ଭକୁ ମୋଶାଙ୍କ ତମ୍ବୁ ଉପରେ ସ୍ଥିର କଲେ ଓ ଏହା ସବୁ ଇସ୍ରାଏଲୀୟ ସ୍ପଷ୍ଟ ଦେଖିପାରୁଥିଲେ । (ଯାତ୍ରା. ୩୩:୭, ୯, ୧୦) ଏହି ସ୍ତମ୍ଭ ଜରିଆରେ ଯିହୋବା ମୋଶାଙ୍କ ସହ କଥା ହେଉଥିଲେ ଓ ତାଙ୍କୁ ନିର୍ଦ୍ଦେଶ ଦେଉଥିଲେ । ଆଉ ତାʼପରେ ମୋଶା ସେହି ନିର୍ଦ୍ଦେଶଗୁଡ଼ିକୁ ଲୋକମାନଙ୍କୁ କହୁଥିଲେ । (ଗୀତ. ୯୯:୭) ସତରେ, ଇସ୍ରାଏଲୀୟମାନେ ସ୍ପଷ୍ଟ ଦେଖିପାରୁଥିଲେ ଯେ ଯିହୋବା ମୋଶାଙ୍କ ଜରିଆରେ ସେମାନଙ୍କୁ ପଥ ଦେଖାଉଛନ୍ତି ।

ମୋଶା ଓ ତାଙ୍କ ପରେ ବଛାଯାଇଥିବା ମୁଖିଆ, ଯିହୋଶୂୟ (ପାରାଗ୍ରାଫ ୫, ୭)


୬. ଅଧିକାଂଶ ଇସ୍ରାଏଲୀୟମାନେ କʼଣ କଲେ ? (ଗଣନା ପୁସ୍ତକ ୧୪:୨, ୧୦, ୧୧)

ଯିହୋବା ବାରମ୍ବାର ଏକଥାର ପ୍ରମାଣ ଦେଲେ ଯେ ସେ ମୋଶାଙ୍କ ଜରିଆରେ ଇସ୍ରାଏଲୀୟମାନଙ୍କୁ ନିର୍ଦ୍ଦେଶ ଦେଉଛନ୍ତି । କିନ୍ତୁ ଦୁଃଖର କଥା, ଅଧିକାଂଶ ଇସ୍ରାଏଲୀୟମାନେ ସେହି କଥାକୁ ଶୁଣିଲେ ନାହିଁ । (ଗଣନା ପୁସ୍ତକ ୧୪:୨, ୧୦, ୧୧ ପଢ଼ନ୍ତୁ ।) ସେମାନେ ବାରମ୍ବାର ସେହି ଭୁଲ କଲେ । ତେଣୁ ଯିହୋବା ଇସ୍ରାଏଲୀୟମାନଙ୍କ ସେହି ପିଢ଼ିକୁ ପ୍ରତିଜ୍ଞାତ ଦେଶରେ ଯିବାକୁ ଦେଲେ ନାହିଁ ।—ଗଣ. ୧୪:୩୦.

୭. କିଛି ଏପରି ଲୋକମାନଙ୍କ ଉଦାହରଣ ଦିଅନ୍ତୁ ଯେଉଁମାନେ ଯିହୋବାଙ୍କ ପଥରେ ଚାଲିବା ଜାରି ରଖିଲେ । (ଗଣନା ପୁସ୍ତକ ୧୪:୨୪) (ଚିତ୍ର ମଧ୍ୟ ଦେଖନ୍ତୁ ।)

କିନ୍ତୁ କିଛି ଇସ୍ରାଏଲୀୟ ଏପରି ବି ଥିଲେ ଯେଉଁମାନେ ଯିହୋବାଙ୍କ ପଥରେ ଚାଲିବା ଜାରି ରଖିଲେ । ସେମାନଙ୍କ ମଧ୍ୟରୁ ଜଣେ ଥିଲେ କାଲେବ । ଯିହୋବା କାଲେବଙ୍କ ବିଷୟରେ କହିଲେ, “ସେ ସମ୍ପୂର୍ଣ୍ଣ ରୂପେ ଆମ୍ଭର ଅନୁଗତ ହୋଇଅଛି ।” (ଗଣନା ପୁସ୍ତକ ୧୪:୨୪ ପଢ଼ନ୍ତୁ ।) ଆଉ ଯିହୋବା ତାʼପାଇଁ ତାଙ୍କୁ ପୁରସ୍କାର ଦେଲେ । ଏପରିକି ପ୍ରତିଜ୍ଞାତ ଦେଶରେ ସେ କେଉଁଠି ରହିବେ, ତାହା ବାଛିବା ପାଇଁ ତାଙ୍କୁ ସୁଯୋଗ ବି ଦେଲେ । (ଯିହୋ. ୧୪:୧୨-୧୪) ତାʼଛଡ଼ା ଇସ୍ରାଏଲୀୟମାନଙ୍କ ଆସନ୍ତା ପିଢ଼ି ବି ଯିହୋବାଙ୍କ ପଥରେ ଚାଲିବା ଜାରି ରଖିଲେ । ମୋଶାଙ୍କ ପରେ ଯିହୋଶୂୟଙ୍କୁ ଇସ୍ରାଏଲୀୟମାନଙ୍କ ନେତୃତ୍ୱ ନେବା ପାଇଁ ବଛାଗଲା । ତାʼପରେ ସେମାନେ “ଯାବଜ୍ଜୀବନ ତାଙ୍କୁ ଭୟ କଲେ ।” (ଯିହୋ. ୪:୧୪) ତେଣୁ ସେମାନଙ୍କୁ ଯିହୋବା ଅନେକ ଆଶିଷ ଦେଲେ ଓ ସେମାନଙ୍କୁ ପ୍ରତିଜ୍ଞାତ ଦେଶକୁ ନେଇ କି ଗଲେ ।—ଯିହୋ. ୨୧:୪୩, ୪୪.

୮. କୁହନ୍ତୁ ଯେ ରାଜାମାନଙ୍କ ସମୟରେ ଯିହୋବା କିପରି ନିଜ ଲୋକମାନଙ୍କୁ ପଥ ଦେଖାଇଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଅନେକ ବର୍ଷ ପରେ ଯିହୋବା ନିଜ ଲୋକମାନଙ୍କୁ ପଥ ଦେଖାଇବା ପାଇଁ ବିଚାରକର୍ତ୍ତାମାନଙ୍କୁ ବାଛିଲେ । ତାʼପରେ ରାଜାମାନଙ୍କ ସମୟରେ ଯିହୋବା ଭବିଷ୍ୟଦ୍‌ବକ୍ତାମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ପଥ ଦେଖାଇଲେ । ବିଶ୍ୱସ୍ତ ରାଜାମାନେ ଏହି ଭବିଷ୍ୟଦ୍‌ବକ୍ତାମାନଙ୍କ କଥା ଶୁଣିଲେ । ଉଦାହରଣ ପାଇଁ, ଯେବେ ଭବିଷ୍ୟଦ୍‌ବକ୍ତା ନାଥନ ରାଜା ଦାଉଦଙ୍କୁ ତାଙ୍କ ଭୁଲ ବିଷୟରେ କହିଲେ, ତେବେ ରାଜା ଦାଉଦ ନମ୍ର ହୋଇ ନିଜ ଭୁଲ ମାନିଲେ । (୨ ଶାମୁ. ୧୨:୭, ୧୩; ୧ ବଂଶା. ୧୭:୩, ୪) ରାଜା ଯିହୋଶାଫଟ୍‌ ଭବିଷ୍ୟଦ୍‌ବକ୍ତା ଯହସୀୟେଲଙ୍କ ପରାମର୍ଶ ମାନିଲେ ଓ ଯିହୁଦାର ଲୋକମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ “ଭବିଷ୍ୟଦ୍‌ବକ୍ତାମାନଙ୍କୁ ବିଶ୍ୱାସ” କରନ୍ତୁ । (୨ ବଂଶା. ୨୦:୧୪, ୧୫, ୨୦) ରାଜା ହିଜକୀୟ ବହୁତ ଚିନ୍ତାରେ ଥିବା ବେଳେ ଭବିଷ୍ୟଦ୍‌ବକ୍ତା ଯିଶାଇୟଙ୍କଠାରୁ ସାହାଯ୍ୟ ମାଗିଲେ । (ଯିଶା. ୩୭:୧-୬) ଯେବେ ବି ରାଜାମାନେ ଯିହୋବାଙ୍କ ପଥରେ ଚାଲୁଥିଲେ, ତେବେ ଯିହୋବା ସେମାନଙ୍କୁ ଆଶିଷ ଦେଉଥିଲେ ଓ ପୂରା ରାଷ୍ଟ୍ରକୁ ରକ୍ଷା କରୁଥିଲେ । (୨ ବଂଶା. ୨୦:୨୯, ୩୦; ୩୨:୨୨) ଏସବୁ ଦେଖି ସମସ୍ତେ ବୁଝିପାରୁଥିଲେ ଯେ ଯିହୋବା ନିଜ ଭବିଷ୍ୟଦ୍‌ବକ୍ତାମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ରାସ୍ତା ଦେଖାଉଛନ୍ତି । ତଥାପି ଅଧିକାଂଶ ରାଜା ଓ ଲୋକମାନେ ଯିହୋବାଙ୍କ ଭବିଷ୍ୟଦ୍‌ବକ୍ତାମାନଙ୍କ କଥା ଶୁଣିଲେ ନାହିଁ ।—ଯିରି. ୩୫:୧୨-୧୫.

ରାଜା ହିଜକୀୟ ଓ ଭବିଷ୍ୟଦ୍‌ବକ୍ତା ଯିଶାଇୟ (ପାରାଗ୍ରାଫ ୮)


ଯିହୋବା ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ କିପରି ପଥ ଦେଖାଇଲେ ?

୯. ଯିହୋବା ପ୍ରଥମ ଶତାବ୍ଦୀର ଲୋକମାନଙ୍କୁ କିପରି ପଥ ଦେଖାଇଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ପ୍ରଥମ ଶତାବ୍ଦୀରେ ଯିହୋବା ଖ୍ରୀଷ୍ଟିୟାନ ମଣ୍ଡଳୀର ଆରମ୍ଭ କଲେ । ସେସମୟରେ ଯିହୋବା କିପରି ଖ୍ରୀଷ୍ଟିୟାନମାନଙ୍କୁ ପଥ ଦେଖାଇଲେ ? ସେ ଯୀଶୁଙ୍କୁ ମଣ୍ଡଳୀର ମସ୍ତକ ବା ମୁଖିଆ ଭାବେ ନିଯୁକ୍ତ କଲେ । (ଏଫି. ୫:୨୩) କିନ୍ତୁ ଯୀଶୁ ପ୍ରତ୍ୟେକ ଶିଷ୍ୟ ପାଖକୁ ଯାଇ ନିର୍ଦ୍ଦେଶ ଦେଉ ନ ଥିଲେ, ବରଂ ସେ ପ୍ରେରିତ ଓ ପ୍ରାଚୀନମାନଙ୍କ ଜରିଆରେ ସେମାନଙ୍କ ନେତୃତ୍ୱ ନେଉଥିଲେ । ଏହି ପ୍ରେରିତ ଓ ପ୍ରାଚୀନମାନେ ସେସମୟରେ ଯିରୂଶାଲମରେ ରହୁଥିଲେ । (ପ୍ରେରି. ୧୫:୧, ୨) ତାʼଛଡ଼ା ମଣ୍ଡଳୀଗୁଡ଼ିକର ନେତୃତ୍ୱ ନେବା ପାଇଁ ପ୍ରାଚୀନମାନଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା ।—୧ ଥେସ. ୫:୧୨; ତୀତ. ୧:୫.

ଯିରୂଶାଲମରେ ପ୍ରେରିତ ଓ ପ୍ରାଚୀନମାନେ (ପାରାଗ୍ରାଫ ୯)


୧୦. (କ) ଯିହୋବା ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ଯେପରି ପଥ ଦେଖାଇଲେ, ତାହା ଦେଖି ସେମାନଙ୍କୁ କିପରି ଲାଗିଲା ? (ପ୍ରେରିତ ୧୫:୩୦, ୩୧) (ଖ) ପ୍ରାଚୀନ ସମୟରେ କିଛି ଲୋକ କାହିଁକି ଯିହୋବାଙ୍କ ଦ୍ୱାରା ବଛାଯାଇଥିବା ଲୋକମାନଙ୍କ ଉପରେ ଭରସା କଲେ ନାହିଁ ? (“ କିଛି ଲୋକ ସ୍ପଷ୍ଟ ପ୍ରମାଣଗୁଡ଼ିକୁ ଦେଖି ମଧ୍ୟ କାହିଁକି ବିଶ୍ୱାସ କଲେ ନାହିଁ ?” ନାମକ ବକ୍ସ ଦେଖନ୍ତୁ ।)

୧୦ ଯିହୋବା ଯେପରି ଭାବରେ ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ ପଥ ଦେଖାଇଲେ, ତାହା ଦେଖି ସେମାନଙ୍କୁ କିପରି ଲାଗିଲା ? ଅଧିକାଂଶ ଖ୍ରୀଷ୍ଟିୟାନମାନଙ୍କୁ ତାହା ଭଲ ଲାଗିଲା ଓ ସେମାନେ ଖୁସିର ସହ ସେହି ନିର୍ଦ୍ଦେଶ ମାନିଲେ । ଏପରିକି ସେମାନେ ସେହି ନିର୍ଦ୍ଦେଶଗୁଡ଼ିକ ଯୋଗୁଁ “ଆଶ୍ୱାସନା ପାଇ ଆନନ୍ଦିତ” ହେଲେ । (ପ୍ରେରିତ ୧୫:୩୦, ୩୧ ପଢ଼ନ୍ତୁ ।) କିନ୍ତୁ ଯିହୋବା ଆମ ସମୟରେ କିପରି ନିଜ ଲୋକଙ୍କୁ ପଥ ଦେଖାଉଛନ୍ତି ?

ଯିହୋବା କିପରି ଆମ ସମୟରେ ଲୋକମାନଙ୍କୁ ପଥ ଦେଖାଉଛନ୍ତି ?

୧୧. ଉଦାହରଣ ଦେଇ ବୁଝାନ୍ତୁ ଯେ ଆମ ସମୟରେ ଯିହୋବା କିପରି ନେତୃତ୍ୱ ନେଉଥିବା ଭାଇମାନଙ୍କୁ ଲଗାତାର ସଠିକ୍‌ ପଥ ଦେଖାଉଛନ୍ତି ।

୧୧ ଯିହୋବା ଆମ ସମୟରେ ମଧ୍ୟ ନିଜ ଲୋକମାନଙ୍କୁ ପଥ ଦେଖାଉଛନ୍ତି । ସେ ନିଜ ବାକ୍ୟ ବାଇବଲ ଓ ମଣ୍ଡଳୀର ମୁଖିଆ, ଯୀଶୁଙ୍କ ଜରିଆରେ ଏପରି କରୁଛନ୍ତି । ତାʼଛଡ଼ା, ଯେପରି ସେ ପ୍ରାଚୀନ ସମୟରେ ନିଜ ଲୋକମାନଙ୍କୁ ପଥ ଦେଖାଉଥିଲେ, ସେହିପରି ଆଜି ମଧ୍ୟ ମଣିଷମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ପଥ ଦେଖାଉଛନ୍ତି । ଆମେ ଏପରି କାହିଁକି କହିପାରିବା ? ଧ୍ୟାନ ଦିଅନ୍ତୁ ଯେ ୧୮୭୦ ମସିହା ପରେ କʼଣ ହେଲା । ଚାର୍ଲସ୍‌ ଟେଜ୍‌ ରସେଲ୍‌ ଓ ତାଙ୍କ ସାଙ୍ଗମାନେ ଭବିଷ୍ୟତବାଣୀଗୁଡ଼ିକ ବିଷୟରେ ପଢ଼ିଲେ ଓ ଅଧ୍ୟୟନ କରିବାକୁ ଲାଗିଲେ । ଏଥିରୁ ସେମାନଙ୍କୁ ଭରସା ହୋଇଗଲା ଯେ ୧୯୧୪ ମସିହା ଈଶ୍ୱରଙ୍କ ରାଜ୍ୟର ଏକ ବିଶେଷ ବର୍ଷ ହେବାକୁ ଯାଉଛି । (ଦାନି. ୪:୨୫, ୨୬) କʼଣ ଏହା ପଛରେ ଯିହୋବାଙ୍କ ହାତ ଥିଲା ? ନିଶ୍ଚୟ । ୧୯୧୪ ମସିହାରେ ଯାହା ଯାହା ଘଟଣା ଘଟିଲା, ସେଥିରୁ ପ୍ରମାଣିତ ହୋଇଗଲା ଯେ ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହୋଇଯାଇଛି । ସେହି ବର୍ଷ ପ୍ରଥମ ବିଶ୍ୱଯୁଦ୍ଧ ହେଲା, ମହାମାରୀ ବ୍ୟାପିଲା, ଅନେକ ଜାଗାରେ ଭୂମିକମ୍ପ ହେଲା ଓ ଦୁର୍ଭିକ୍ଷ ପଡ଼ିଲା । (ଲୂକ ୨୧:୧୦, ୧୧) ସତରେ, ଯିହୋବା ସେହି ବାଇବଲ ବିଦ୍ୟାର୍ଥୀମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ପଥ ଦେଖାଉଥିଲେ ।

୧୨-୧୩. ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆହୁରି ବଡ଼ ମାତ୍ରାରେ ଲୋକମାନଙ୍କୁ ପ୍ରଚାର କରିବା ଓ ଶିଖାଇବା କାମ ପାଇଁ କʼଣ ବ୍ୟବସ୍ଥା କରାଗଲା ?

୧୨ ଏବେ ଟିକେ ଧ୍ୟାନ ଦିଅନ୍ତୁ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ କʼଣ ହେଲା । ବିଶ୍ୱ ମୁଖ୍ୟାଳୟରେ ଦାୟିତ୍ୱ ତୁଲାଉଥିବା ଭାଇମାନେ ପ୍ରକାଶିତ ବାକ୍ୟ ୧୭:୮ ପଦରେ ଲେଖାଥିବା କଥା ଉପରେ ଅଧ୍ୟୟନ କଲେ । ସେଥିରୁ ସେମାନେ ବୁଝିଗଲେ ଯେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ହର୍ମିଗିଦ୍ଦୋନ୍‌ ଆସିବ ନାହିଁ । ତାʼ ପରିବର୍ତ୍ତେ ଗୋଟିଏ ଏପରି ସମୟ ଅବଧିର ଆରମ୍ଭ ହେବ, ଯେବେ କିଛି ମାତ୍ରାରେ ଶାନ୍ତି ଥିବ । ଆଉ ସେମାନେ ଉତ୍ସାହର ସହ ପ୍ରଚାର କରିପାରିବେ । ତେଣୁ ଯିହୋବାଙ୍କ ସଂଗଠନ ୱାଚ୍‌ଟାୱାର ବାଇବଲ କଲେଜ୍‌ ସ୍କୁଲ ଓଫ୍‌ ଗିଲିୟଡର ଆରମ୍ଭ କଲା । ମଣିଷ ଦୃଷ୍ଟିରେ ଦେଖିଲେ ଆମକୁ ଲାଗିପାରେ ଯେ ହୁଏତ ସେସମୟରେ ଏପରି କରିବା ଠିକ୍‌ ନ ଥିଲା । ତଥାପି ଭାଇମାନେ ସାରା ଦୁନିଆରେ ଲୋକମାନଙ୍କୁ ପ୍ରଚାର କରିବା ଓ ଶିଖାଇବାର କାମ ପାଇଁ ମିସନାରୀମାନଙ୍କୁ ଟ୍ରେନିଙ୍ଗ ଦେବା ପାଇଁ ଏହି ବ୍ୟବସ୍ଥା କଲେ । ଯୁଦ୍ଧ ଚାଲୁଥିବା ସମୟରେ ହିଁ ମିସନାରୀମାନଙ୍କୁ ଅଲଗା ଅଲଗା ଜାଗାକୁ ପଠାଗଲା । ତାʼଛଡ଼ା ବିଶ୍ୱସ୍ତ ଦାସ ‘ଈଶ୍ୱରଙ୍କ ସେବା ସ୍କୁଲ ପାଠ୍ୟକ୍ରମର’ b ମଧ୍ୟ ଆରମ୍ଭ କଲା । ଏହା ସାହାଯ୍ୟରେ ମଣ୍ଡଳୀରେ ଥିବା ଭାଇଭଉଣୀମାନଙ୍କୁ ଭଲଭାବେ ପ୍ରଚାର କରିବା ପାଇଁ ଓ ଶିଖାଇବା ପାଇଁ ଟ୍ରେନିଙ୍ଗ ଦିଆଗଲା । ଏପରି ଭାବେ ଯିହୋବା ନିଜ ଲୋକମାନଙ୍କୁ ଆହୁରି ବଡ଼ ମାତ୍ରାରେ ହେବାକୁ ଥିବା ପ୍ରଚାର କାମ ପାଇଁ ପ୍ରସ୍ତୁତ କରୁଥିଲେ ।

୧୩ ସେସମୟରେ ଯାହା ଘଟିଲା ସେଥିରୁ ସ୍ପଷ୍ଟ ଜଣାପଡ଼େ ଯେ ସେହି କଠିନ ସମୟରେ ମଧ୍ୟ ଯିହୋବା ନିଜ ଲୋକମାନଙ୍କୁ ପଥ ଦେଖାଉଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଯିହୋବାଙ୍କ ଲୋକମାନେ ଅନେକ ଦେଶରେ ଶାନ୍ତିର ସହ ଓ ଖୋଲା ଖୋଲି ଭାବେ ପ୍ରଚାର କରିପାରୁଛନ୍ତି । ଈଶ୍ୱରଙ୍କ ଲୋକମାନେ ସାରା ଦୁନିଆରେ ଲୋକମାନଙ୍କୁ ଖୁସିର ଖବର ଶୁଣାଉଛନ୍ତି । ଆଉ ଅନେକ ଲୋକ ଯିହୋବାଙ୍କୁ ଜାଣି ପାରୁଛନ୍ତି ।

୧୪. ଯିହୋବାଙ୍କ ସଂଗଠନରୁ ଓ ପ୍ରାଚୀନମାନଙ୍କଠାରୁ ଆଜି ଆମକୁ ଯେଉଁ ନିର୍ଦ୍ଦେଶ ମିଳେ, ତାʼଉପରେ ଆମେ କାହିଁକି ପୂରା ଭରସା ରଖିପାରିବା ? (ପ୍ରକାଶିତ ବାକ୍ୟ ୨:୧) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ପ୍ରଶାସନ ଦଳର ଭାଇମାନେ ସବୁବେଳେ ଏକଥାକୁ ଜାଣିବା ପାଇଁ ଚେଷ୍ଟା କରନ୍ତି ଯେ ଯୀଶୁ ଖ୍ରୀଷ୍ଟ ସେମାନଙ୍କଠାରୁ କʼଣ ଚାହାନ୍ତି । କାରଣ ସେମାନେ ଭାଇଭଉଣୀମାନଙ୍କୁ ଏପରି ନିର୍ଦ୍ଦେଶ ଦେବା ପାଇଁ ଚାହାନ୍ତି ଯେଉଁଥିରୁ ଯିହୋବା ଓ ଖ୍ରୀଷ୍ଟଙ୍କ ଚିନ୍ତାଧାରା ଦେଖାଯିବ । ସେମାନେ ଏହି ନିର୍ଦ୍ଦେଶଗୁଡ଼ିକୁ ସର୍କିଟ ଅଧ୍ୟକ୍ଷ ଓ ପ୍ରାଚୀନମାନଙ୍କ ଜରିଆରେ ମଣ୍ଡଳୀ ଯାଏଁ ପହଞ୍ଚାନ୍ତି । c ଅଭିଷିକ୍ତ ପ୍ରାଚୀନ ଓ ମଣ୍ଡଳୀର ଅନ୍ୟ ସମସ୍ତ ପ୍ରାଚୀନମାନେ ଖ୍ରୀଷ୍ଟଙ୍କ “ଦକ୍ଷିଣ ହସ୍ତରେ” ଅଛନ୍ତି । (ପ୍ରକାଶିତ ବାକ୍ୟ ୨:୧ ପଢ଼ନ୍ତୁ ।) କିନ୍ତୁ ସମସ୍ତ ପ୍ରାଚୀନମାନେ ଅପରିପୂର୍ଣ୍ଣ ଅଟନ୍ତି ଓ ସେମାନଙ୍କ ଦ୍ୱାରା ଭୁଲ ହୋଇଯାଏ । ଠିକ୍‌ ଯେପରି, ମୋଶା, ଯିହୋଶୂୟ ଓ ପ୍ରେରିତମାନଙ୍କଠାରୁ ବେଳେବେଳେ ଭୁଲ ହୋଇଯାଇଥିଲା । (ଗଣ. ୨୦:୧୨; ଯିହୋ. ୯:୧୪, ୧୫; ରୋମୀ. ୩:୨୩) ତଥାପି ଏକଥାର ସ୍ପଷ୍ଟ ପ୍ରମାଣ ମିଳେ ଯେ ଖ୍ରୀଷ୍ଟ ଭଲଭାବରେ ବିଶ୍ୱସ୍ତ ଦାସ ଓ ପ୍ରାଚୀନମାନଙ୍କୁ ମାର୍ଗଦର୍ଶନ ଦେଉଛନ୍ତି । ଆଉ ସେ “ଯୁଗାନ୍ତ ପର୍ଯ୍ୟନ୍ତ ସଦାସର୍ବଦା” ଏପରି କରୁଥିବେ । (ମାଥି. ୨୮:୨୦) ତେଣୁ ଆମେ ପ୍ରାଚୀନମାନଙ୍କ ଜରିଆରେ ମିଳୁଥିବା ନିର୍ଦ୍ଦେଶଗୁଡ଼ିକ ଉପରେ ପୂରା ଭରସା ରଖିପାରିବା । ଯାହା ଜରିଆରେ ଯୀଶୁ ନିଜ ଲୋକମାନଙ୍କର ନେତୃତ୍ୱ ନେଉଛନ୍ତି ।

ବର୍ତ୍ତମାନ ସମୟରେ ପ୍ରଶାସନ ଦଳ (ପାରାଗ୍ରାଫ ୧୪)


ଯିହୋବା ଯେଉଁ ପଥ ଦେଖାନ୍ତି ସେଥିରେ ଚାଲିଲେ ଆଶିଷ ମିଳେ

୧୫-୧୬. ଯେଉଁ ଲୋକମାନେ ସବୁବେଳେ ଯିହୋବାଙ୍କ ପଥରେ ଚାଲନ୍ତି, ସେମାନଙ୍କ ଅନୁଭୂତିରୁ ଆପଣ କʼଣ ଶିଖିଲେ ?

୧୫ ଯିହୋବା ଯେଉଁ ପଥ ଦେଖାନ୍ତି ସେଥିରେ ଚାଲିବା ଜାରି ରଖିଲେ, ଆଜି ବି ଆମକୁ ଅନେକ ଆଶିଷ ମିଳେ । ଟିକେ ଭାଇ ଏଣ୍ଡ୍ରୁ d ଓ ଭଉଣୀ ରୁବିଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ନିଜ ଜୀବନ ସାଦା ରଖିବା ପାଇଁ ଆମକୁ ଲଗାତାର ଯେଉଁ ପରାମର୍ଶ ଦିଆଯାଏ, ତାହା ସେମାନେ ମାନିଲେ । ତେଣୁ ସେମାନେ ସଂଗଠନର ନିର୍ମାଣ କାମରେ ସହଯୋଗ କରିପାରିଲେ । ଭଉଣୀ କହନ୍ତି, “ବେଳେବେଳେ ଆମକୁ ବହୁତ ଛୋଟିଆ ଘରେ ରହିବାକୁ ପଡ଼ୁଥିଲା । ଅନେକ ଥର ତ ସେଠାରେ ରୋଷେଇ ଘର ବି ରହୁ ନ ଥିଲା । ଏହାଛଡ଼ା, ମୋତେ ଫଟୋ ଉଠାଇବା ବହୁତ ପସନ୍ଦ, କିନ୍ତୁ ମୋତେ ମୋ କ୍ୟାମେରା ଓ ଅନ୍ୟ ଜିନିଷଗୁଡ଼ିକୁ ବିକ୍ରି କରିବାକୁ ପଡ଼ିଲା । ଏପରି କରିବା ମୋ ପାଇଁ ସହଜ ନ ଥିଲା । କିନ୍ତୁ ମୁଁ ବି ଅବ୍ରହାମଙ୍କ ସ୍ତ୍ରୀ ସାରାଙ୍କ ଭଳି ଦୃଢ଼ ନିଷ୍ପତ୍ତି ନେଇଥିଲି ଯେ ମୁଁ ପଛକୁ ଛାଡ଼ି ଦେଇଥିବା ଜିନିଷଗୁଡ଼ିକ ଉପରେ ନୁହେଁ ବରଂ ମୁଁ ଆଜି କʼଣ କରିପାରୁଛି ତା ଉପରେ ଧ୍ୟାନ ଦେବି ।” (ଏବ୍ରୀ ୧୧:୧୫) ଏହି ସ୍ୱାମୀ ସ୍ତ୍ରୀ ଯେଉଁ ନିଷ୍ପତ୍ତି ନେଲେ ସେଥିରୁ ସେମାନଙ୍କୁ ବହୁତ ଆଶିଷ ମିଳିଲା । ଭଉଣୀ କହନ୍ତି, “ଆମେ ବହୁତ ଖୁସି ଯେ ଆମେ ଯିହୋବାଙ୍କୁ ନିଜ ସବୁକିଛି ଦେଉଛୁ । ସଂଗଠନର ନିର୍ମାଣ କାମରେ ସହଯୋଗ କରିବା ଯୋଗୁଁ ଆମେ ଦେଖିପାରୁଛୁ ଯେ ନୂଆ ଦୁନିଆରେ ଆମ ଜୀବନ କିପରି ହେବ ।” ଭାଇ ଏଣ୍ଡ୍ରୁ ବି ଏପରି ଅନୁଭବ କରନ୍ତି । ସେ କହନ୍ତି, “ଆମେ ରାଜ୍ୟର କାମରେ ନିଜକୁ ପୂରାପୂରି ଲଗାଇ ଦେଇଛୁ । ତେଣୁ ଆମେ ସତରେ ବହୁତ ଖୁସି ଅଛୁ ।”

୧୬ ଯିହୋବା ଯେଉଁ ପଥ ଦେଖାନ୍ତି ସେଥିରେ ଚାଲିବା ଜାରି ରଖିଲେ ଆମକୁ ଆଉ କʼଣ ଲାଭ ହୁଏ ? ଆସନ୍ତୁ ଧ୍ୟାନ ଦେବା ଯେ ଭଉଣୀ ମାର୍ସିଆଙ୍କ କʼଣ ଅନୁଭବ ରହିଛି । ସ୍କୁଲ ପଢ଼ା ସାରିଲା ପରେ ସେ ସଂଗଠନରୁ ମିଳୁଥିବା ପରାମର୍ଶକୁ ମାନିଲେ ଓ ଆଗକୁ ଯିହୋବାଙ୍କ ସେବା କରିବେ ବୋଲି ନିଶ୍ଚିତ କଲେ । (ମାଥି. ୬:୩୩; ରୋମୀ. ୧୨:୧୧) ସେ କହନ୍ତି, “ମୋ ପାଖରେ ସୁଯୋଗ ଥିଲା ଯେ ମୁଁ ବିନା ପଇସାରେ ଚାରି ବର୍ଷ ଗୋଟିଏ ବିଶ୍ୱ ବିଦ୍ୟାଳୟରେ ପଢ଼ିପାରିଥାʼନ୍ତି । କିନ୍ତୁ ମୁଁ ଯିହୋବାଙ୍କ ସେବା କରିବା ପାଇଁ ଚାହୁଁଥିଲି । କିଛି ପଇସା ରୋଜଗାର କରିବା ଓ ପ୍ରଚାରରେ ଅଧିକ କରିବା ପାଇଁ ମୁଁ ଗୋଟିଏ ଛୋଟିଆ ଟେକ୍ନିକାଲ୍‌ କୋର୍ସ କରିଲି । ତାହା ମୋ ଜୀବନର ସବୁଠୁ ବଢ଼ିଆ ନିଷ୍ପତ୍ତି ଥିଲା । ଏବେ ମୁଁ ଅଗ୍ରଦୂତ ସେବା କରୁଛି ଓ ବହୁତ ଖୁସି ଅଛି । ମୁଁ ନିଜ ସମୟ ଅନୁସାରେ କାମ କରେ । ତେଣୁ ମୁଁ ବୈଥେଲରେ ବି ସେବା କରିପାରୁଛି । ଆଉ ମୋତେ ଯିହୋବାଙ୍କ ସେବାରେ ଆହୁରି କରିବା ପାଇଁ ଅନେକ ସୁଯୋଗ ମିଳିପାରୁଛି ।”

୧୭. ଯିହୋବା ଯେଉଁ ପଥ ଦେଖାନ୍ତି, ସେଥିରେ ଚାଲିଲେ ଆଉ କʼଣ କʼଣ ଆଶିଷ ମିଳେ ? (ଯିଶାଇୟ ୪୮:୧୭, ୧୮)

୧୭ ଆମକୁ ମଝି ମଝିରେ ସଂଗଠନରୁ ଏପରି ପରାମର୍ଶ ମିଳେ, ଯାହାକୁ ମାନିଲେ ଆମକୁ ସୁରକ୍ଷା ମିଳେ । ଯେପରି, ଆମକୁ ସତର୍କ କରାଇ ଦିଆଯାଏ ଯେ ଆମେ ପଇସା ପଛରେ ଗୋଡ଼ାଇବା ଉଚିତ୍‌ ନୁହେଁ ଆଉ ଏପରି କାମ କରିବା ଉଚିତ୍‌ ନୁହେଁ, ଯାହାଯୋଗୁଁ ଆମ ଦ୍ୱାରା ଭୁଲ ହୋଇଯାଇପାରେ । ଏପରି ଭାବେ ପରାମର୍ଶଗୁଡ଼ିକୁ ମାନିଲେ ମଧ୍ୟ ଆମକୁ ଆଶିଷ ମିଳେ । ଆମ ବିବେକ ଶୁଦ୍ଧ ରହେ ଆଉ ଆମେ କୌଣସି ସମସ୍ୟାରେ ପଡ଼ି ନ ଥାଉ । (୧ ତୀମ. ୬:୯, ୧୦) ଏହାଯୋଗୁଁ ଆମେ ପୂର୍ଣ୍ଣ ହୃଦୟର ସହ ଯିହୋବାଙ୍କ ଉପାସନା କରିପାରୁ । ଏଥିରୁ ଆମକୁ ଯେତେ ଖୁସି ଓ ଶାନ୍ତି ମିଳେ, ସେତେ ଆଉ କୌଣସି ଜିନିଷରୁ ମିଳିପାରିବ ନାହିଁ ।—ଯିଶାଇୟ ୪୮:୧୭, ୧୮ ପଢ଼ନ୍ତୁ ।

୧୮. ଆପଣ କାହିଁକି ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଯେ ଯିହୋବା ଯେଉଁ ପଥ ଦେଖାନ୍ତି, ଆପଣ ସେହି ପଥରେ ଚାଲିବା ଜାରି ରଖିବେ ?

୧୮ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯିହୋବା ମହାକ୍ଳେଶ ସମୟରେ ଓ ଖ୍ରୀଷ୍ଟଙ୍କ ହଜାର ବର୍ଷ ଶାସନ ସମୟରେ ମଧ୍ୟ ମଣିଷମାନଙ୍କ ଜରିଆରେ ନିଜ ଲୋକମାନଙ୍କୁ ଠିକ୍‌ ପଥ ଦେଖାଇବା ଜାରି ରଖିବେ । (ଗୀତ. ୪୫:୧୬) ସେସମୟରେ ଆମକୁ ଯେଉଁ ନିର୍ଦ୍ଦେଶ ଦିଆଯିବ, ହୁଏତ ସେଗୁଡ଼ିକ ଆମକୁ ଭଲ ଲାଗି ନ ପାରେ । କʼଣ ଆମେ ସେସମୟରେ ବି ସେଗୁଡ଼ିକୁ ମାନିବା ? ଯଦି ଆମେ ଆଜି ଯିହୋବାଙ୍କ ନିର୍ଦ୍ଦେଶଗୁଡ଼ିକୁ ମାନିବା ଶିଖିବା, ତାହେଲେ ଆମେ ସେସମୟରେ ବି ଏପରି କରିପାରିବା । ତେଣୁ ଆସନ୍ତୁ ଆମେ ସବୁବେଳେ ଯିହୋବା ଯେଉଁ ପଥରେ ଚାଲିବା ପାଇଁ କହନ୍ତି, ସେହି ପଥରେ ଚାଲିବା । ଆଉ ସେହି ଲୋକମାନଙ୍କ ପରାମର୍ଶକୁ ମାନିବା ଯେଉଁମାନଙ୍କୁ ଯିହୋବା ନେତୃତ୍ୱ ନେବା ପାଇଁ ନିଯୁକ୍ତ କରିଛନ୍ତି । (ଯିଶା. ୩୨:୧, ୨; ଏବ୍ରୀ ୧୩:୧୭) ଏପରି କରି ଆମେ ଦେଖାଇବା ଯେ ଆମକୁ ଯିହୋବାଙ୍କ ଉପରେ ପୂରା ଭରସା ଅଛି । ଆଉ ଆମେ ଭରସା କରୁ ଯେ ସେ ହିଁ ଆମକୁ ସଠିକ୍‌ ରାସ୍ତା ଦେଖାନ୍ତି । ସେ ଆମକୁ ଏପରି ସବୁ ବିପଦରୁ ରକ୍ଷା କରିବେ, ଯେଉଁଥିରୁ ତାଙ୍କ ସହ ଆମ ସମ୍ପର୍କ ଖରାପ ହୋଇପାରେ । ଆଉ ସେ ଆମକୁ ସେହି ପଥରେ ଚାଲିବାରେ ସାହାଯ୍ୟ କରିବେ ଯାହା ଆମକୁ ଆମ ଲକ୍ଷ୍ୟ ଯାଏଁ ପହଞ୍ଚାଇ ପାରିବ । ଅର୍ଥାତ୍‌ ନୂଆ ଦୁନିଆ ଯାଏଁ, ଯେଉଁଠି ଆମେ ସମସ୍ତେ ଅନନ୍ତ ଜୀବନ ଯାଏ ବଞ୍ଚିବା !

ଆପଣ କʼଣ ଉତ୍ତର ଦେବେ ?

  • ଯିହୋବା ଇସ୍ରାଏଲୀୟମାନଙ୍କୁ କିପରି ପଥ ଦେଖାଇଲେ ?

  • ଯିହୋବା ପ୍ରଥମ ଶତାବ୍ଦୀର ଖ୍ରୀଷ୍ଟିୟାନମାନଙ୍କୁ କିପରି ପଥ ଦେଖାଇଲେ ?

  • ଯିହୋବା ଯେଉଁ ପଥ ଦେଖାନ୍ତି, ସେଥିରେ ଚାଲିଲେ ଆମକୁ କʼଣ କʼଣ ଆଶିଷ ମିଳେ ?

ଗୀତ ୪୮ ୟହୋୱା କେ ସାଥ୍‌ ହର୍‌ ଦିନ୍‌ ଚଲେଁ

a ଯିହୋବା ଜଣେ ସ୍ୱର୍ଗଦୂତଙ୍କୁ ମଧ୍ୟ ବାଛିଲେ ଯିଏ ଇସ୍ରାଏଲୀୟମାନଙ୍କ ଆଗେ ଆଗେ ଚାଲୁଥିଲେ । ଆଉ ସେ ସେମାନଙ୍କୁ ପ୍ରତିଜ୍ଞାତ ଦେଶରେ ଯିବା ପାଇଁ ରାସ୍ତା ଦେଖାଉଥିଲେ । ପ୍ରମାଣରୁ ଜଣାପଡ଼େ ଯେ ଏହି ସ୍ୱର୍ଗଦୂତ, ମୀଖାୟେଲ ଥିଲେ । ପୃଥିବୀରେ ଆସିବା ପୂର୍ବରୁ ସ୍ୱର୍ଗରେ ଯୀଶୁଙ୍କ ନାମ ମୀଖାୟେଲ ଥିଲା ।—ଯାତ୍ରା. ୧୪:୧୯; ୩୨:୩୪.

b ପରେ ଏହାକୁ ‘ଈଶ୍ୱରଙ୍କ ସେବା ସ୍କୁଲ’ କୁହାଗଲା । ଆଜି ଏହି ଟ୍ରେନିଙ୍ଗ ସପ୍ତାହ ମଝିରେ ହେଉଥିବା ସଭାରେ ଦିଆଯାଏ ।

c ଫେବୃଆରୀ ୨୦୨୧ର ପ୍ରହରୀଦୁର୍ଗର ୧୮ ପୃଷ୍ଠାରେ ଦିଆଯାଇଥିବା ବକ୍ସ “ସାସିନିକାୟ କ୍ୟା କାମ କର୍‌ତା ହେ ?” ପଢ଼ନ୍ତୁ ।

d ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।