ଗୋଟିଏ ସାଧାରଣ ପ୍ରଶ୍ନର ବଢ଼ିଆ ପରିଣାମ
ମାରିଆ ଓ ତାଙ୍କ ସ୍ୱାମୀ ଜୋନ୍ a ଯେଉଁ ଦେଶରେ ରହନ୍ତି, ସେଠାରେ ଫିଲିପିନ୍ସର ଅନେକ ଲୋକ କାମ କରିବା ପାଇଁ ଓ ରହିବା ପାଇଁ ଆସନ୍ତି । ଏହି ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ସେମାନଙ୍କୁ ବହୁତ ଭଲ ଲାଗେ । କୋଭିଡ୍-୧୯ ମହାମାରୀ ସମୟରେ ମାରିଆ ଅନେକ ବାଇବଲ ଅଧ୍ୟୟନ ଆରମ୍ଭ କଲେ । ତାଙ୍କ ବିଦ୍ୟାର୍ଥୀମାନେ କେବଳ ତାଙ୍କ ଦେଶରେ ନୁହେଁ, ବରଂ ଦୁନିଆର ଭିନ୍ନ ଭିନ୍ନ ଜାଗାରେ ଅଛନ୍ତି । ତାହେଲେ ମାରିଆଙ୍କୁ ଏତେ ବାଇବଲ ଅଧ୍ୟୟନ କିପରି ମିଳିଲା ?
ମାରିଆ ପ୍ରାୟ ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ ପଚାରନ୍ତି, “କʼଣ ଆପଣ କାହାରିକୁ ଜାଣିଛନ୍ତି ଯିଏ ବାଇବଲ ଅଧ୍ୟୟନ କରିବା ପାଇଁ ଚାହିଁବେ ?” ଯଦି ସେମାନେ ହଁ କହନ୍ତି ତାହେଲେ ସେ କହନ୍ତି ଯେ ମୋତେ ତାଙ୍କ ସହ ଭେଟ କରାନ୍ତୁ । ପ୍ରାୟ ଏପରି ପ୍ରଶ୍ନ କଲେ ଏହାର ଭଲ ପରିଣାମ ଦେଖିବାକୁ ମିଳେ । ତାହା କିପରି ? ଜଣେ ବାଇବଲ ବିଦ୍ୟାର୍ଥୀ ଯେବେ ସତ୍ୟ ଶିଖେ, ତେବେ ସେ ଶିଖିଥିବା କଥାଗୁଡ଼ିକୁ ନିଜ ପରିବାର ଲୋକ ଓ ସାଙ୍ଗମାନଙ୍କୁ ବି କହିବା ପାଇଁ ଚାହେଁ । ଆସନ୍ତୁ ଦେଖିବା ଯେ ଏପରି ପ୍ରଶ୍ନ କରି ମାରିଆଙ୍କୁ କʼଣ ଭଲ ପରିଣାମ ମିଳିଲା ?
ମାରିଆଙ୍କ ବିଦ୍ୟାର୍ଥୀ ଜ୍ୟାସମିନ୍ ନିଜ ଚାରିଜଣ ସାଙ୍ଗମାନଙ୍କ ସହିତ ତାଙ୍କ କଥା କରାଇଲେ । ସେମଧ୍ୟରୁ ଜଣେ ଥିଲେ କ୍ରିଷ୍ଟିନ୍ । ତାଙ୍କୁ ଅଧ୍ୟୟନ କରିବା ବହୁତ ଭଲ ଲାଗିଲା, ତେଣୁ ସେ ମାରିଆଙ୍କୁ କହିଲେ ଯେ ସେ ସପ୍ତାହରେ ଦୁଇଥର ଅଧ୍ୟୟନ କରିବା ପାଇଁ ଚାହାନ୍ତି । ଯେବେ ମାରିଆ ତାଙ୍କୁ ପଚାରିଲେ ଯେ କʼଣ ଆଉ କେହି ବାଇବଲ ଅଧ୍ୟୟନ କରିବା ପାଇଁ ଚାହିଁବେ, ତେବେ କ୍ରିଷ୍ଟିନ୍ କହିଲେ, “ହଁ ମୋର କିଛି ସାଙ୍ଗ ଅଛନ୍ତି, ମୁଁ ତାଙ୍କ ସହିତ ଆପଣଙ୍କୁ ଭେଟ କରାଇବି ।” କିଛି ସପ୍ତାହ ମଧ୍ୟରେ ହିଁ କ୍ରିଷ୍ଟିନ୍ ମାରିଆଙ୍କୁ ନିଜର ଚାରିଜଣ ସାଙ୍ଗମାନଙ୍କ ସହିତ ଭେଟ କରାନ୍ତି, ଯେଉଁମାନେ ବାଇବଲ ଅଧ୍ୟୟନ କରିବା ପାଇଁ ଚାହୁଁଥିଲେ । ଆଗକୁ ଯାଇ କ୍ରିଷ୍ଟିନ୍ ନିଜର ଆଉ କିଛି ସାଙ୍ଗମାନଙ୍କ ସହିତ ମାରିଆଙ୍କ ଚିହ୍ନା ପରିଚୟ କରାଇଲେ । ତାʼପରେ ସେହି ସାଙ୍ଗମାନେ ମାରିଆଙ୍କୁ ଆଉ କିଛି ଲୋକମାନଙ୍କ ବିଷୟରେ କହିଲେ ।
କ୍ରିଷ୍ଟିନ୍ଙ୍କ ପରିବାର ଲୋକେ ଫିଲିପିନ୍ସରେ ରହନ୍ତି ଓ ସେ ଚାହୁଁଥିଲେ ଯେ ସେମାନେ ବି ବାଇବଲ ପଢ଼ନ୍ତୁ । ସେଥିପାଇଁ ସେ ନିଜ ଝିଅ ଏଣ୍ଡ୍ରିୟାଙ୍କ ସହ କଥା ହୁଅନ୍ତି । ଏଣ୍ଡ୍ରିୟା ପୂର୍ବେ ଭାବୁଥିଲେ, ‘ଯିହୋବାଙ୍କ ସାକ୍ଷୀମାନଙ୍କ ଧର୍ମ ବିଷୟରେ ମୋତେ କିଛି ବୁଝାପଡ଼େ ନାହିଁ । ସେମାନେ ଯୀଶୁଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ଓ କେବଳ ପୁରାତନ ନିୟମ ପଢ଼ନ୍ତି ।’ କିନ୍ତୁ ପ୍ରଥମ ଅଧ୍ୟୟନରେ ହିଁ ସେ ବୁଝିଗଲେ ଯେ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ସେ ଯାହା ଭାବୁ ଥିଲେ, ତାହା ଠିକ୍ ନ ଥିଲା । ଯେବେ ବି ସେ ଅଧ୍ୟୟନରେ କିଛି ନୂଆ କଥା ଶିଖୁଥିଲେ, ତେବେ ସେ ଏହା କହିବାରୁ ନିଜକୁ ରୋକିପାରୁ ନ ଥିଲେ, “ବାଇବଲରେ ତ ଏବିଷୟରେ ସ୍ପଷ୍ଟ ଭାବେ କୁହାଯାଇଛି, ଆମକୁ ଏହା ହିଁ ମାନିବା ଉଚିତ୍ ।”
କିଛି ସମୟ ମଧ୍ୟରେ ଏଣ୍ଡ୍ରିୟା ତାଙ୍କ ସହିତ କାମ କରୁଥିବା ଜଣେ ସ୍ତ୍ରୀ ଓ ଦୁଇଜଣ ସାଙ୍ଗ ବିଷୟରେ ମାରିଆଙ୍କୁ କହନ୍ତି । ସେହି ତିନିଜଣ ଅଧ୍ୟୟନ କରିବା ଆରମ୍ଭ କଲେ । ଏଣ୍ଡ୍ରିୟାଙ୍କ ଜଣେ ପିଉସୀ ଥିଲେ ଏଞ୍ଜେଲା ଯିଏ ଦେଖିପାରନ୍ତି ନାହିଁ । ଏଣ୍ଡ୍ରିୟା ଯେବେ ବି ଅଧ୍ୟୟନ କରୁଥିଲେ, ତେବେ ସେ ବି ତାହା ଶୁଣୁଥିଲେ, କିନ୍ତୁ ମାରିଆଙ୍କୁ ଏବିଷୟରେ ଜଣା ନ ଥିଲା । ଦିନେ ଏଞ୍ଜେଲା ଏଣ୍ଡ୍ରିୟାଙ୍କୁ କହିଲେ ଯେ ସେ ମାରିଆଙ୍କ ସହିତ ତାଙ୍କର କଥା କରାନ୍ତୁ । ତାʼପରେ ତାଙ୍କର ବି ବାଇବଲ ଅଧ୍ୟୟନ ଆରମ୍ଭ ହେଲା । ଏଞ୍ଜେଲାଙ୍କୁ ଅଧ୍ୟୟନ କରି ବହୁତ ଭଲ ଲାଗୁଥିଲା । ସେ ଗୋଟିଏ ମାସରେ ହିଁ ଅନେକ ପଦ ମୁଖସ୍ଥ କରିଦେଲେ ଏବଂ ସେ ସପ୍ତାହରେ ଚାରି ଥର ଅଧ୍ୟୟନ କରିବା ପାଇଁ ଚାହୁଁଥିଲେ, ତାʼ ସହିତ ସେ ଏଣ୍ଡ୍ରିୟାଙ୍କ ସାହାଯ୍ୟରୁ ଅନଲାଇନ୍ରେ ସଭାରେ ଯୋଗ ଦେଲେ ।
ମାରିଆ ଦେଖିଲେ ଯେ କ୍ରିଷ୍ଟିନ୍ଙ୍କ ଅଧ୍ୟୟନ ହେବା ସମୟରେ ତାଙ୍କ ସ୍ୱାମୀ ଯୋଶୁଆ ତାଙ୍କ ପାଖରେ ହିଁ ରହୁଥିଲେ । ସେଥିପାଇଁ ମାରିଆ ତାଙ୍କୁ ପଚାରିଲେ, “କʼଣ ଆପଣ ବି ଆମ ସହିତ ଅଧ୍ୟୟନ କରିବା ପାଇଁ ଚାହିଁବେ ?” ଯୋଶୁଆ କହିଲେ, “ମୁଁ କେବଳ ବସିକି ଶୁଣିବି । ମୋତେ କିଛି ପଚାରିବ ନାହିଁ । ଯଦି ତମେ ମୋତେ ପ୍ରଶ୍ନ ପଚାରିବ, ତାହେଲେ ମୁଁ ଏଠାରୁ ପଳାଇଯିବି ।” ଅଧ୍ୟୟନ ଆରମ୍ଭ ହେବାର ପାଞ୍ଚ ମିନିଟ୍ ବି ହୋଇ ନ ଥିଲା ଆଉ ଯୋଶୁଆ ଗୋଟିଏ ପରେ ଗୋଟିଏ ଅନେକ ପ୍ରଶ୍ନ ପଚାରିଲେ । ସେ ନିଜ ସ୍ତ୍ରୀଙ୍କଠାରୁ ବି ଅଧିକ ପ୍ରଶ୍ନ ପଚାରିଲେ ଏବଂ କହିଲେ ଯେ ସେ ବି ଅଧ୍ୟୟନ କରିବା ପାଇଁ ଚାହାନ୍ତି ।
ମାରିଆ କେବଳ ଗୋଟିଏ ପ୍ରଶ୍ନ ପଚାରିବା ଦ୍ୱାରା ସେ ଅନେକ ଲୋକଙ୍କୁ ଭେଟିପାରିଲେ । ତାଙ୍କୁ ଏତେ ବାଇବଲ ଅଧ୍ୟୟନ ମିଳିଲା ଯେ ତାଙ୍କୁ କିଛି ଅଧ୍ୟୟନ ଅନ୍ୟ ଭାଇଭଉଣୀମାନଙ୍କୁ ଦେବାକୁ ପଡ଼ିଲା । ସେ ୨୮ ଜଣ ଲୋକମାନଙ୍କ ସହିତ ବାଇବଲ ଅଧ୍ୟୟନ ଆରମ୍ଭ କଲେ, ଯେଉଁମାନେ ଚାରୋଟି ଭିନ୍ନ ଭିନ୍ନ ଦେଶରେ ରହନ୍ତି ।
ଏହି ଅନୁଭୂତିରେ ମାରିଆଙ୍କ ଯେଉଁ ପ୍ରଥମ ବିଦ୍ୟାର୍ଥୀ ଜ୍ୟାସମିନ୍ଙ୍କ ବିଷୟରେ କୁହାଗଲା, ସେ ଏପ୍ରିଲ୍ ୨୦୨୧ ମସିହାରେ ବାପ୍ତିସ୍ମ ନେଲେ । କ୍ରିଷ୍ଟିନ୍ଙ୍କ ବାପ୍ତିସ୍ମ ମେ ୨୦୨୨ ମସିହାରେ ହେଲା ଏବଂ ତାʼପରେ ସେ ନିଜ ପରିବାର ସହିତ ରହିବା ପାଇଁ ଫିଲିପିନ୍ସ ଚାଲିଗଲେ । କ୍ରିଷ୍ଟିନ୍ଙ୍କ ସ୍ୱାମୀ ଯୋଶୁଆ ଏବଂ ତାଙ୍କ ଝିଅ ଏଣ୍ଡ୍ରିୟା ଉନ୍ନତି କରୁଛନ୍ତି । କ୍ରିଷ୍ଟିନ୍, ମାରିଆଙ୍କୁ ଯେଉଁ ଦୁଇଜଣଙ୍କ ସହିତ ଭେଟ କରାଇଥିଲେ ସେମାନେ ବି ବାପ୍ତିସ୍ମ ନେଲେ । ତାହାର କିଛି ମାସ ପରେ ଏଞ୍ଜେଲା ବି ବାପ୍ତିସ୍ମ ନେଲେ ଆଉ ସେ ଏବେ ଅଗ୍ରଦୂତ ସେବା କରୁଛନ୍ତି । ମାରିଆଙ୍କ ଅନ୍ୟ ବିଦ୍ୟାର୍ଥୀମାନେ ଶିଖିବା ଜାରି ରଖିଛନ୍ତି ଏବଂ ସେମାନେ ଯିହୋବାଙ୍କ ନିକଟତର ହେଉଛନ୍ତି ।
ପ୍ରଥମ ଶତାବ୍ଦୀରେ ଯେବେ ଲୋକମାନେ ଖୁସିର ଖବର ଶୁଣିଲେ, ତେବେ ସେମାନେ ନିଜ ପରିବାର ଲୋକ ଓ ସାଙ୍ଗମାନଙ୍କୁ ବି ଜଣାଇଲେ । (ଯୋହ. ୧:୪୧, ୪୨କ; ପ୍ରେରି. ୧୦:୨୪, ୨୭, ୪୮; ୧୬:୨୫-୩୩) ଆପଣ ବି ନିଜ ବାଇବଲ ବିଦ୍ୟାର୍ଥୀମାନଙ୍କୁ ଏବଂ ଆଗ୍ରହ ଦେଖାଉଥିବା ଲୋକମାନଙ୍କୁ ଏହି ପ୍ରଶ୍ନ ପଚାରିପାରିବେ, “କʼଣ ଆପଣ କାହାରିକୁ ଜାଣିଛନ୍ତି ଯିଏ ବାଇବଲ ଅଧ୍ୟୟନ କରିବା ପାଇଁ ଚାହିଁବେ ?” ଏହି ପ୍ରଶ୍ନ ପଚାରିବା ଦ୍ୱାରା ହୁଏତ ଆପଣଙ୍କୁ ଅନେକ ବାଇବଲ ଅଧ୍ୟୟନ ମିଳିବ !
a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।