इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ପ୍ରକୃତ ସାଙ୍ଗ କିପରି ହୋଇପାରିବା ?

ପ୍ରକୃତ ସାଙ୍ଗ କିପରି ହୋଇପାରିବା ?

କʼଣ ଆପଣଙ୍କୁ ଏକୁଟିଆ ସମସ୍ୟାର ସାମନା କରିବାକୁ ପଡ଼ିଛି ? ଆଜି ଆମେ ‘ଭୀଷଣ ସମୟରେ’ ବଞ୍ଚୁଛୁ, ଯାହାର ସାମନା କରିବା କଠିନ ଲାଗେ । (୨ ତୀମ ୩:୧) ଆଉ ବେଳେବେଳେ ଆମେ ବହୁତ ନିରାଶ ହୋଇଯାଉ ଓ ଆମକୁ ଭାରି ଏକୁଟିଆ ଲାଗେ । ଏଥିପାଇଁ ଚିନ୍ତା କରନ୍ତୁ ନାହିଁ ! କାରଣ ବାଇବଲରେ ଲେଖାଅଛି ଯେ ଏପରି ବି ସାଙ୍ଗମାନେ ଅଛନ୍ତି ଯେଉଁମାନେ ‘ଦୁର୍ଦ୍ଦଶା କାଳରେ’ ଆପଣଙ୍କୁ ସାହାଯ୍ୟ କରିପାରିବେ ।—ହିତୋ. ୧୭:୧୭.

ପ୍ରକୃତ ସାଙ୍ଗମାନେ କିପରି ସାହାଯ୍ୟ କରିପାରିବେ ?

ପାଉଲ ଗୋଟିଏ ଘରେ ବନ୍ଦୀ ରହିବା ସତ୍ତ୍ୱେ ନିଜ ସାଙ୍ଗମାନଙ୍କ ସାହାଯ୍ୟ ଦ୍ୱାରା ଯିହୋବାଙ୍କ ସେବାରେ ଲାଗି ରହିଲେ

ପ୍ରେରିତ ପାଉଲଙ୍କ ଯେଉଁ ସାଙ୍ଗମାନେ ତାଙ୍କ ସହ ମିଶନାରୀ ପରିଦର୍ଶନରେ ଯାଇଥିଲେ, ସେମାନେ ତାଙ୍କୁ ବହୁତ ସାହାଯ୍ୟ କଲେ । (କଲ. ୪:୭-୧୧) ଆଉ ଯେବେ ପାଉଲ ରୋମରେ ବନ୍ଦୀ ଥିଲେ, ତେବେ ତାଙ୍କ ସାଙ୍ଗମାନେ ତାଙ୍କ ପାଇଁ ଏପରି କାମ କଲେ ଯାହା ସେ ନିଜେ କରିପାରି ନ ଥାʼନ୍ତେ । ଯେପରି, ଏପାଫ୍ରାଦିତ ତାଙ୍କ ପାଇଁ ସେହି ଜିନିଷ ଆଣିଲେ ଯାହା ଫିଲିପ୍‌ପୀର ଭାଇଭଉଣୀମାନେ ପଠାଇଥିଲେ । (ଫିଲିପ୍‌. ୪:୧୮) ଆଉ ତୁଖିକ ପାଉଲଙ୍କ ଚିଠିକୁ ଅଲଗା ଅଲଗା ମଣ୍ଡଳୀ ଯାଏ ପହଞ୍ଚାଇଲେ । (କଲ. ୪:୭) ତାଙ୍କ ସାଙ୍ଗମାନଙ୍କ ସାହାଯ୍ୟରେ ହିଁ ପାଉଲ ସେହି ସମୟରେ ବି ଯିହୋବାଙ୍କ ସେବା କରିପାରିଲେ, ଯେବେ ସେ ଗୋଟିଏ ଘରେ ବନ୍ଦୀ ଥିଲେ ଓ ଯେବେ ଜେଲରେ ଥିଲେ । ଆପଣ କିପରି ଅନ୍ୟମାନଙ୍କ ପାଇଁ ପ୍ରକୃତ ସାଙ୍ଗ ହୋଇପାରିବେ ?

ଆଜି ବି ଭାଇଭଉଣୀମାନେ ପ୍ରକୃତ ସାଙ୍ଗ ଭଳି ପରସ୍ପରକୁ ସାହାଯ୍ୟ କରନ୍ତି । ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସ୍ପେନ୍‌ରେ ରହୁଥିବା ଭଉଣୀ ଏଲିଜାବେଥ୍‌ ଅଗ୍ରଦୂତ ସେବା କରନ୍ତି । ଯେବେ ତାଙ୍କ ମାଆଙ୍କୁ କ୍ୟାନସର ହେଲା, ତେବେ ଜଣେ ଭଉଣୀ ପ୍ରକୃତ ସାଙ୍ଗ ଭଳି ଏଲିଜାବେଥ୍‌ଙ୍କୁ ସାହାଯ୍ୟ କଲେ । ସେହି ଭଉଣୀ ପ୍ରାୟ ଏଲିଜାବେଥ୍‌ଙ୍କୁ ବାଇବଲର ଉତ୍ସାହ ବଢ଼ାଉଥିବା କଥାଗୁଡ଼ିକୁ ମେସେଜରେ ଲେଖି ପଠାଉଥିଲେ । ଏଲିଜାବେଥ୍‌ କହନ୍ତି, “ସେହି ମେସେଜ୍‌ ଯୋଗୁଁ ମୋତେ କେବେ ବି ଏକୁଟିଆ ଲାଗିଲା ନାହିଁ ଏବଂ ମୋତେ ପ୍ରତିଦିନ ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ସାହସ ମିଳିଲା ।”—ହିତୋ. ୧୮:୨୪.

ଯଦି ଆମେ ଭାଇଭଉଣୀମାନଙ୍କୁ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ସାହାଯ୍ୟ କରିବା, ତାହେଲେ ସେମାନଙ୍କ ସହିତ ଆମର ବନ୍ଧୁତା ଆହୁରି ଦୃଢ଼ ହୋଇପାରିବ । ଯେପରି, କʼଣ ଆପଣ କୌଣସି ବୃଦ୍ଧ ଭାଇ କିମ୍ବା ଭଉଣୀଙ୍କୁ ନିଜ ସହ ସଭା ଓ ପ୍ରଚାରରେ ନେଇପାରିବେ ? ଯଦି ଆପଣ ଏପରି କରିବେ, ତାହେଲେ ଆପଣ ଦୁହିଁଙ୍କ ଉତ୍ସାହ ବଢ଼ିବ । (ରୋମୀ. ୧:୧୨) କିନ୍ତୁ କିଛି ଭାଇଭଉଣୀ ଏପରି ଅଛନ୍ତି ଯେଉଁମାନେ ନିଜ ଘରୁ ବାହାରି ପାରନ୍ତି ନାହିଁ । ଆପଣ ଏପରି ଭାଇଭଉଣୀମାନଙ୍କର ପ୍ରକୃତ ସାଙ୍ଗ କିପରି ହୋଇପାରିବେ ?

ଯେଉଁ ଭାଇଭଉଣୀମାନେ ଘରୁ ବାହାରି ପାରୁ ନାହାନ୍ତି, ସେମାନଙ୍କ ପ୍ରକୃତ ସାଙ୍ଗ ହୁଅନ୍ତୁ

କିଛି ଭାଇଭଉଣୀ ଖରାପ ସ୍ୱାସ୍ଥ୍ୟ ଯୋଗୁଁ କିମ୍ବା ଅନ୍ୟ କାରଣ ଯୋଗୁଁ ରାଜ୍ୟଘରେ ସଭା ପାଇଁ ଯାଇପାରନ୍ତି ନାହିଁ । ଭାଇ ଡେଭିଡ୍‌ଙ୍କ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କୁ ଲିମ୍ପମା ନାମକ ଗୋଟିଏ ବଡ଼ ରୋଗ ହୋଇଥିଲା । ଏଥିପାଇଁ ତାଙ୍କୁ ପ୍ରାୟ ଛଅ ମାସ ଯାଏ କିମୋଥେରାପି ନେବାକୁ ପଡ଼ିଲା । ଏହି ସମୟ ମଧ୍ୟରେ ସେ ଓ ତାଙ୍କ ପତ୍ନୀ ଲିଡିୟା ଘରୁ ଅନଲାଇନ୍‌ରେ ସଭାରେ ଯୋଗ ଦେଉଥିଲେ ।

ମଣ୍ଡଳୀର ଭାଇଭଉଣୀମାନେ କିପରି ସେମାନଙ୍କ ସାହାଯ୍ୟ କଲେ ? ସେମାନେ ପ୍ରତି ସଭା ପରେ ଭାଇ ଡେଭିଡ୍‌ ଓ ଭଉଣୀ ଲିଡିୟାଙ୍କ ସହ ଭିଡିଓ କନଫ୍ରେନସ ଜରିଆରେ କଥା ହେଉଥିଲେ । ଆଉ ଯେବେ ବି ସେହି ଦୁଇଜଣଙ୍କ ମଧ୍ୟରୁ କେହି ସଭାରେ ଉତ୍ତର ଦେଉଥିଲେ, ତେବେ ଭାଇଭଉଣୀମାନେ ମେସେଜ କରି ତାଙ୍କର ପ୍ରଶଂସା କରୁଥିଲେ । ସେଥିପାଇଁ ଭାଇ ଡେଭିଡ୍‌ ଓ ଭଉଣୀ ଲିଡିୟାଙ୍କୁ ଏପରି ଲାଗିଲା ନାହିଁ ଯେ ଭାଇଭଉଣୀମାନେ ତାଙ୍କଠାରୁ ଦୂରରେ ଅଛନ୍ତି କିମ୍ବା ସେମାନେ ଏକୁଟିଆ ଅଛନ୍ତି ।

ଯେଉଁମାନେ ନିଜ ଘରେ ବନ୍ଦୀ ହୋଇ ଅଛନ୍ତି, ସେମାନଙ୍କ ସହ ପ୍ରଚାର କରନ୍ତୁ

ଯେଉଁ ଭାଇଭଉଣୀମାନେ ଘରୁ ବାହାରି ପାରୁ ନାହାନ୍ତି, କʼଣ ଆମେ ସେମାନଙ୍କ ସହିତ ପ୍ରଚାର କରିବା ପାଇଁ ଯୋଜନା କରିପାରିବା ? ହୁଏତ ତାʼପାଇଁ ଆମକୁ ନିଜ ସେଡ୍ୟୁଲରେ ପରିବର୍ତ୍ତନ କରିବାକୁ ପଡ଼ିବ । କିନ୍ତୁ ଏପରି କରିବା ଦ୍ୱାରା ଭାଇଭଉଣୀମାନେ ଦେଖିପାରିବେ ଯେ ଆମେ ସେମାନଙ୍କୁ ଭୁଲି ନାହୁଁ । (ହିତୋ. ୩:୨୭) କʼଣ ଆପଣ ସେମାନଙ୍କ ସହିତ ମିଶି ଚିଠି କିମ୍ବା ଫୋନ୍‌ ଜରିଆରେ ସାକ୍ଷ୍ୟ ଦେଇପାରିବେ ? ଯେଉଁ ଭାଇଭଉଣୀମାନେ ଘରୁ ବାହାରି ପାରୁ ନାହାନ୍ତି, ସେମାନେ ହୁଏତ ଅନଲାଇନ୍‌ରେ ପ୍ରଚାର ସଭାରେ ଯୋଗ ଦେବେ । ଭାଇ ଡେଭିଡ୍‌ ଓ ଲିଡିୟାଙ୍କୁ ଏହି ବ୍ୟବସ୍ଥା ଯୋଗୁଁ ବହୁତ ଲାଭ ହେଲା । ଭାଇ ଡେଭିଡ୍‌ କହନ୍ତି, “ଏହି ସଭାରେ କିଛି ସମୟ ପାଇଁ ଆସି ଓ ସମସ୍ତଙ୍କ ସହିତ ମିଶି ପ୍ରାର୍ଥନା କରିବା ଦ୍ୱାରା ଆମକୁ ବହୁତ ସାହସ ମିଳୁଥିଲା ।” ଯେଉଁ ଭାଇଭଉଣୀମାନେ ଘରୁ ବାହାରି ପାରୁ ନାହାନ୍ତି, ସେମାନଙ୍କୁ ପଚାରନ୍ତୁ ଯେ କʼଣ ଆପଣ ନିଜ ବାଇବଲ ବିଦ୍ୟାର୍ଥୀଙ୍କୁ ତାଙ୍କ ଘରେ ଡାକିପାରିବେ । ଯଦି ସେ ରାଜି ହୋଇଯାʼନ୍ତି, ତାହେଲେ ଆପଣ ତାଙ୍କ ଘରେ ତାଙ୍କ ସହ ମିଶି ଅଧ୍ୟୟନ କରିପାରିବେ ।

ଯେବେ ଆମେ ସେହି ଭାଇଭଉଣୀମାନଙ୍କ ସହିତ ସମୟ ବିତାଇବା ଯେଉଁମାନେ ଘରୁ ବାହାରି ପାରୁ ନାହାନ୍ତି, ତେବେ ଆମେ ସେମାନଙ୍କୁ ଭଲଭାବେ ଜାଣିପାରିବା । ଆମେ ସେମାନଙ୍କର ଭଲ ଗୁଣ ଦେଖିପାରିବା ଓ ସେମାନଙ୍କର ଭଲ ସାଙ୍ଗ ହୋଇପାରିବା । ଯେପରି, ସେମାନଙ୍କ ସହିତ ପ୍ରଚାର କଲେ ବି ଆମେ ଦେଖିପାରିବା ଯେ ସେମାନେ କିପରି ବାଇବଲର ଭଲ ବ୍ୟବହାର କରନ୍ତି ଓ ଲୋକମାନଙ୍କୁ ଯିହୋବାଙ୍କର ନିକଟତର ହେବା ପାଇଁ ସାହାଯ୍ୟ କରନ୍ତି । ଏଥିରୁ ଆମ ଭିତରେ ତାଙ୍କ ପାଇଁ ସମ୍ମାନ ଆହୁରି ବଢ଼ିଯିବ । ଯେବେ ଆପଣ ଏପରି ଭାବେ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଭାଇଭଉଣୀମାନଙ୍କର ସାହାଯ୍ୟ କରିବେ, ତେବେ ଆପଣଙ୍କର ଅନେକ ଭଲ ସାଙ୍ଗ ହୋଇପାରିବେ ।—୨ କରି. ୬:୧୩.

ଯେବେ ପାଉଲ ସମସ୍ୟାରେ ଥିଲେ ତେବେ ତୀତସ ତାଙ୍କୁ ଭେଟିବା ପାଇଁ ଗଲେ । ଏଥିରୁ ପାଉଲଙ୍କୁ ବହୁତ ସାନ୍ତ୍ୱନା ମିଳିଲା । (୨ କରି. ୭:୫-୭) ଏହି ଘଟଣାରୁ ଆମେ କʼଣ ଶିଖୁ ? ଯେବେ ଭାଇଭଉଣୀମାନେ ସମସ୍ୟାରେ ଥାʼନ୍ତି, ସେସମୟରେ ଆମେ କେବଳ ନିଜ କଥାରୁ ନୁହେଁ ବରଂ ସେମାନଙ୍କ ସହିତ ସମୟ ବିତାଇ ବି ଆମେ ସେମାନଙ୍କର ଉତ୍ସାହ ବଢ଼ାଇବା ଉଚିତ୍‌ । ଆଉ ଆମଦ୍ୱାରା ଯେତିକି ହୋଇପାରିବ ଆମେ ସେମାନଙ୍କୁ ସେତିକି ସାହାଯ୍ୟ ବି କରିବା ଉଚିତ୍‌ ।—୧ ଯୋହ. ୩:୧୮.

ଯେଉଁ ଭାଇଭଉଣୀମାନେ ଅତ୍ୟାଚାର ସହୁଛନ୍ତି, ସେମାନଙ୍କର ପ୍ରକୃତ ସାଙ୍ଗ ହୁଅନ୍ତୁ

ରୁଷର ଭାଇଭଉଣୀମାନେ ପରସ୍ପରକୁ ସାହାଯ୍ୟ କରିବା ମାମଲାରେ ଆମ ପାଇଁ ଭଲ ଉଦାହରଣ ରଖିଛନ୍ତି । ଭାଇ ସର୍ଗେ ଓ ତାଙ୍କ ସ୍ତ୍ରୀ ତାତ୍ୟାନାଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ଥରେ ପୋଲିସ ତାଙ୍କ ଘରେ ଛାନଭିନ୍‌ କଲା ଓ ତାଙ୍କୁ ପଚରାଉଚୁରା କରିବା ପାଇଁ ଧରିକି ନେଇଗଲା । ସେମାନେ ତାତ୍ୟାନାଙ୍କୁ ପ୍ରଥମେ ଛାଡ଼ିଦିଅନ୍ତି ତେଣୁ ସେ ଘରକୁ ଚାଲିଯ ।ଆନ୍ତି । ଭାଇ ସର୍ଗେ କହନ୍ତି, “[ତାତ୍ୟାନା] ଘରକୁ ଆସିବା ପରେ ଜଣେ ଭଉଣୀ ସାହସର ସହ ତାଙ୍କୁ ଭେଟିବା ପାଇଁ ଆସିଲେ । ତାʼପରେ ଆଉ କିଛି ସାଙ୍ଗମାନେ ଆସିଲେ ଓ ସେମାନେ ଆମ ଘରକୁ ସଜାଡ଼ିବା ପାଇଁ ସାହାଯ୍ୟ କଲେ ।”

ଭାଇ ସର୍ଗେ ଏହା ବି କହିଲେ, “ମୋତେ ହିତୋପଦେଶ ୧୭:୧୭ ପଦ ବହୁତ ଭଲ ଲାଗେ, ଏଠାରେ ଲେଖାଅଛି, ‘ବନ୍ଧୁ ସବୁବେଳେ ପ୍ରେମ କରେ, ପୁଣି ଭାଇ ଦୁର୍ଦ୍ଦଶା କାଳ ନିମନ୍ତେ ଜାତ ଅଟେ ।’ ଏହି ଅତ୍ୟାଚାର ସହିବା ସମୟରେ ମୋତେ ନିଜ ସାଙ୍ଗମାନଙ୍କର ବହୁତ ଦରକାର ପଡ଼ିଲା । ମୁଁ ଦେଖିପାରିଲି ଯେ ଏହି ପଦରେ ଦିଆଯାଇଥିବା କଥା ସତ ଅଟେ । ଯିହୋବା ମୋତେ ଏପରି ସାଙ୍ଗ ଦେଲେ ଯେଉଁମାନେ ସାହସ କରି ମୋତେ ସାହାଯ୍ୟ କଲେ ।” a

ଆଜି ସମସ୍ୟା ସମୟରେ ପ୍ରକୃତ ସାଙ୍ଗମାନଙ୍କର ଦରକାର ଅଛି । ଆଉ ମହାକ୍ଳେଶ ସମୟରେ ଆମକୁ ସେହି ସାଙ୍ଗମାନଙ୍କର ଆହୁରି ଦରକାର ପଡ଼ିବ । ଆସନ୍ତୁ ଆମେ ଏବେଠାରୁ ପରସ୍ପରର ପ୍ରକୃତ ସାଙ୍ଗ ହେବା ପାଇଁ ପୂରା ଚେଷ୍ଟା କରିବା !—୧ ପିତ. ୪:୭, ୮.

a jw.org ୱେବସାଇଟ୍‌ରେ ଦିଆଯାଇଥିବା ଲେଖା “Jehovah Has Provided Friends Who Are Fearlessly at My Side” ପଢ଼ନ୍ତୁ ।