इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଜୀବନ କାହାଣୀ

“ମୁଁ କେବେ ବି ଏକୁଟିଆ ନ ଥିଲି”

“ମୁଁ କେବେ ବି ଏକୁଟିଆ ନ ଥିଲି”

ଜୀବନରେ ଆମେ ଅନେକ ଥର ଏକୁଟିଆ ଅନୁଭବ କରୁ । ଯେପରି—ଯେବେ ଆମ ପ୍ରିୟଜନଙ୍କ ମୃତ୍ୟୁ ହୋଇଯାଏ, ଆମକୁ କୌଣସି ଅଜଣା ଜାଗାରେ ରହିବାକୁ ପଡ଼େ କିମ୍ବା ଯେବେ ଆମ ସହିତ କେହି ନ ଥାʼନ୍ତି । ମୋ ସହିତ ଏସବୁ ହେଲା । କିନ୍ତୁ ଆଜି ଯେବେ ମୁଁ ମୋ ସହିତ ଯାହା ହେଲା ସେହି ବିଷୟରେ ଭାବେ, ତେବେ ମୁଁ ଅନୁଭବ କରିପାରେ ଯେ ମୁଁ କେବେ ବି ଏକୁଟିଆ ନ ଥିଲି । ମୁଁ ଏପରି କାହିଁକି କହୁଛି ଆସନ୍ତୁ ସେହି ବିଷୟରେ ଆଗକୁ ଜଣାଉଛି ।

ବାପାମାଆଙ୍କ ଭଲ ଉଦାହରଣ

ବାପାମାଆ କ୍ୟାଥଲିକ ଥିଲେ ଏବଂ ସେମାନେ ଈଶ୍ୱରଙ୍କ ଉପରେ ବହୁତ ବିଶ୍ୱାସ କରୁଥିଲେ । କିନ୍ତୁ ଯେବେ ସେମାନେ ବାଇବଲରୁ ଈଶ୍ୱରଙ୍କ ନାମ ଯିହୋବା ବୋଲି ଜାଣିଲେ, ତେବେ ସେମାନେ ଯିହୋବାଙ୍କ ସାକ୍ଷୀ ହୋଇଗଲେ ଓ ବହୁତ ଉତ୍ସାହର ସହିତ ଯିହୋବାଙ୍କ ସେବା କରିବାକୁ ଲାଗିଲେ । ବାପା ବଢ଼େଇ କାମ କରୁଥିଲେ ଏବଂ ଯୀଶୁଙ୍କ ମୂର୍ତ୍ତି ଓ ଅନ୍ୟ ଜିନିଷଗୁଡ଼ିକ ତିଆରି କରୁଥିଲେ । କିନ୍ତୁ ସତ୍ୟ ଶିଖିବା ପରେ ସେ ମୂର୍ତ୍ତି ତିଆରି କରିବା ଛାଡ଼ିଦେଲେ ଓ ଆମ ଘରର ତଳ ମହଲାରେ ସେ ରାଜ୍ୟଘର ତିଆରି କଲେ । ତାହା ସାନ୍‌ ଜୁଆନ୍‌ ଡେଲ୍‌ ମୋଣ୍ଟେର ପ୍ରଥମ ରାଜ୍ୟଘର ଥିଲା । ଏହି ସହର ଫିଲିପିନ୍‌ସର ରାଜଧାନୀ ମାନିଲା ପାଖରେ ଥିଲା ।

ନିଜ ବାପାମାଆ ଓ ପରିବାର ଲୋକଙ୍କ ସହିତ

ମୋ ଜନ୍ମ ୧୯୫୨ ମସିହାରେ ହୋଇଥିଲା । ମୋର ଚାରିଜଣ ବଡ଼ ଭାଇ ଓ ତିନିଜଣ ବଡ଼ ଭଉଣୀ ଥିଲେ । ବାପାମାଆ ଆମକୁ ଛୋଟବେଳୁ ହିଁ ଯିହୋବାଙ୍କ ବିଷୟରେ ଶିଖାଇଲେ । ଯେବେ ମୁଁ ଟିକିଏ ବଡ଼ ହେଲି, ବାପା ମୋତେ ପ୍ରତିଦିନ ବାଇବଲର ଗୋଟିଏ ଅଧ୍ୟାୟ ପଢ଼ିବାକୁ କହିଲେ । ସେ ଅଲଗା ଅଲଗା ପ୍ରକାଶନରୁ ମୋତେ ଯିହୋବାଙ୍କ ବିଷୟରେ ଅନେକ କଥା ଶିଖାଇଲେ । ବେଳେବେଳେ ବାପାମାଆ ଭ୍ରମଣକାରୀ ଅଧ୍ୟକ୍ଷ ଓ ଶାଖା କାର୍ଯ୍ୟାଳୟର ଭାଇମାନଙ୍କୁ ଆମ ଘରେ ରହିବା ପାଇଁ କହୁଥିଲେ । ତାଙ୍କ ଅନୁଭୂତି ଶୁଣି ଆମେ ବହୁତ ଖୁସି ହୋଇଯାଉଥିଲୁ ଓ ଆମ ଉତ୍ସାହ ବଢ଼ିଯାଉଥିଲା । ଏଥିରୁ ଆମ ସମସ୍ତଙ୍କୁ ଜୀବନରେ ଯିହୋବାଙ୍କ ସେବାକୁ ପ୍ରଥମ ସ୍ଥାନ ଦେବା ପାଇଁ ପ୍ରୋତ୍ସାହନ ମିଳିଲା ।

ବାପାମାଆ ଯିହୋବାଙ୍କ ବିଶ୍ୱସ୍ତତାର ସହ ସେବା କଲେ । ସେମାନେ ମୋ ପାଇଁ ବଢ଼ିଆ ଉଦାହରଣ ଥିଲେ । ତାʼପରେ ଗୋଟିଏ ରୋଗ ଯୋଗୁଁ ମାଆଙ୍କ ମୃତ୍ୟୁ ହୋଇଗଲା । ତାଙ୍କ ମୃତ୍ୟୁ ପରେ ୧୯୭୧ ମସିହାରେ ମୁଁ ଓ ବାପା ଅଗ୍ରଦୂତ ସେବା ଆରମ୍ଭ କଲୁ । କିନ୍ତୁ ୧୯୭୩ ମସିହାରେ ବାପାଙ୍କ ବି ମୃତ୍ୟୁ ହୋଇଗଲା । ସେସମୟରେ ମୁଁ ମାତ୍ର ୨୦ ବର୍ଷର ଥିଲି । ବାପାମାଆଙ୍କୁ ମୃତ୍ୟୁରେ ହରାଇବା ପରେ ମୁଁ ବହୁତ ଦୁଃଖି ଥିଲି ଓ ମୋତେ ଭାରି ଏକୁଟିଆ ଲାଗୁଥିଲା । କିନ୍ତୁ ବାଇବଲରୁ ଆମକୁ ଯେଉଁ “ଦୃଢ଼ ଓ ଅଟଳ” ଆଶା ମିଳେ, ତାʼଯୋଗୁଁ ମୁଁ ନିଜକୁ ସମ୍ଭାଳିପାରିଲି । ମୁଁ ଭଲ କଥାଗୁଡ଼ିକ ଉପରେ ଧ୍ୟାନ ଦେଇପାରିଲି ଓ ଯିହୋବାଙ୍କ ନିକଟତର ହୋଇରହିଲି । (ଏବ୍ରୀ ୬:୧୯) ବାପାଙ୍କ ମୃତ୍ୟୁର କିଛି ସମୟ ପରେ ମୋତେ ବିଶେଷ ଅଗ୍ରଦୂତ ସେବା କରିବାର ନିମନ୍ତ୍ରଣ ମିଳିଲା । ମୋତେ ପାଲାୱାନ ପ୍ରାନ୍ତର କୋରୋନ୍‌ ଦ୍ୱୀପ ଯିବାର ଥିଲା ।

ଏକୁଟିଆ ଥିବା ସହିତ ଅନେକ ସମସ୍ୟା ବି ଆସିଲା

ଯେବେ ମୁଁ କୋରୋନ୍‌ ପହଞ୍ଚିଲି, ତେବେ ମୁଁ ୨୧ ବର୍ଷର ଥିଲି । ମୁଁ ସହରରେ ବଡ଼ ହୋଇଥିଲି ଓ ପ୍ରଥମ ଥର ଏପରି ଜାଗା ଦେଖିଲି, ଯେଉଁଠି ପାଣି ଓ ବିଜୁଳିର ଏତେ ସୁବିଧା ନ ଥିଲା ଓ ଗାଡ଼ି ସବୁ ବି ବହୁତ କମ୍‌ ଚାଲୁଥିଲା । ସେଠାରେ କିଛି ଭାଇଭଉଣୀ ଥିଲେ, କିନ୍ତୁ ମୋ ସହିତ ପ୍ରଚାରରେ ଯିବା ପାଇଁ କୌଣସି ଅଗ୍ରଦୂତ ଭାଇ ନ ଥିଲେ ତେଣୁ ମୁଁ ପ୍ରାୟ ଏକୁଟିଆ ପ୍ରଚାର କରୁଥିଲି । ପ୍ରଥମ ମାସ ବହୁତ କଠିନ ହେଲା । ମୋତେ ନିଜ ଘରଲୋକ ଓ ସାଙ୍ଗମାନଙ୍କର ବହୁତ ମନେ ପଡ଼ୁଥିଲା । ମୁଁ ରାତିରେ ଏକୁଟିଆ ବସି ତାରାଭରା ଆକାଶକୁ ଦେଖୁଥିଲି ଓ କାନ୍ଦି ପକାଉଥିଲି, ମୋତେ ସବୁକିଛି ଛାଡ଼ିକି ଚାଲିଯିବା ପାଇଁ ଇଚ୍ଛା ହେଉଥିଲା ।

ଯେବେ ମୁଁ ଏକୁଟିଆ ଅନୁଭବ କରୁଥିଲି, ତେବେ ଯିହୋବାଙ୍କୁ ନିଜ ମନକଥା ଖୋଲି କହୁଥିଲି । ମୁଁ ବାଇବଲ ଓ ପ୍ରକାଶନଗୁଡ଼ିକରେ ଥିବା ସେହି କଥାଗୁଡ଼ିକ ମନେ ପକାଉଥିଲି, ଯେଉଁଥିରୁ ମୋର ଉତ୍ସାହ ବଢ଼ୁଥିଲା । ମୁଁ ପ୍ରାୟ ଗୀତସଂହିତା ୧୯:୧୪ ପଦ ବିଷୟରେ ଭାବୁଥିଲି । ଏଥିରୁ ମୁଁ ବୁଝିପାରିଲି ଯେ ମୋତେ ଏପରି କଥାଗୁଡ଼ିକ ବିଷୟରେ ଭାବିବା ଉଚିତ୍‌ ଯେଉଁଥିରୁ ଯିହୋବାଙ୍କର ହୃଦୟ ଖୁସି ହୁଏ, ଯେପରି—ତାଙ୍କ କାମ ଓ ଗୁଣଗୁଡ଼ିକ ବିଷୟରେ, ତାହେଲେ ଯିହୋବା “ମୋହର ଶୈଳ ଓ ମୋହର ମୁକ୍ତିକର୍ତ୍ତା” ହେବେ । ମୋତେ ପ୍ରହରୀଦୁର୍ଗର ଗୋଟିଏ ଲେଖାରୁ ବି ବହୁତ ସାହାଯ୍ୟ ମିଳିଲା । ତାହାର ବିଷୟ ଥିଲା, “ଆପଣ କେବେ ବି ଏକୁଟିଆ ନ ଥାʼନ୍ତି (ହିନ୍ଦୀ) ।” a ମୁଁ ସେହି ଲେଖା ବାରମ୍ବାର ପଢ଼ିଲି ଏବଂ ମୋତେ ଅନୁଭବ ହେଲା ଯେ ମୁଁ ଏକୁଟିଆ ନାହିଁ, ଯିହୋବା ମୋ ସାଙ୍ଗରେ ଅଛନ୍ତି । ସେହି ସମୟ ମୋ ପାଇଁ ବହୁତ ଖାସ୍‌ ଥିଲା । ଆଉ ସେସମୟରେ ମୁଁ ବହୁତ ପ୍ରାର୍ଥନା କଲି ଏବଂ ଅଧ୍ୟୟନ ଓ ଚିନ୍ତନ କଲି ।

କୋରୋନ୍‌ ପହଞ୍ଚିବାର କିଛି ସମୟ ପରେ ମୋତେ ପ୍ରାଚୀନ ଭାବେ ନିଯୁକ୍ତ କରାଗଲା । ସେଠାରେ ମୁଁ ଏକୁଟିଆ ହିଁ ପ୍ରାଚୀନ ଥିଲି, ତେଣୁ ମୁଁ ପ୍ରତି ସପ୍ତାହ ଈଶ୍ୱରଙ୍କ ସେବା ସ୍କୁଲ, ସେବା ସଭା, ମଣ୍ଡଳୀ ପୁସ୍ତକ ଅଧ୍ୟୟନ ଓ ପ୍ରହରୀଦୁର୍ଗ ଅଧ୍ୟୟନ ଚଲାଉଥିଲି । ମୁଁ ପ୍ରତି ସପ୍ତାହ ଜନଭାଷଣ ବି ଦେଉଥିଲି । ଏବେ ମୋ ପାଖରେ ନିଜକୁ ଏକୁଟିଆ ଅନୁଭବ କରିବାର ସମୟ ହିଁ ନ ଥିଲା !

କୋରୋନ୍‌ରେ ପ୍ରଚାର କାମ ବହୁତ ମଜାଦାର ଥିଲା । ମୁଁ ଅନେକ ବାଇବଲ ଅଧ୍ୟୟନ ଆରମ୍ଭ କଲି ଓ ସେମାନଙ୍କ ମଧ୍ୟରୁ କିଛି ବିଦ୍ୟାର୍ଥୀ ଆଗକୁ ଯାଇ ବାପ୍ତିସ୍ମ ନେଲେ । କିନ୍ତୁ କିଛି ସମସ୍ୟା ବି ଥିଲା । ଅନେକ ଥର ମୋତେ ପ୍ରଚାର ଅଞ୍ଚଳକୁ ଚାଲିକି ଯିବା ପାଇଁ ସକାଳରୁ ଦ୍ୱିପହର ହୋଇଯାଉଥିଲା । ଆଉ ମୋତେ ଏହା ବି ଜଣା ନ ଥିଲା ଯେ ସେଠାରେ ପହଞ୍ଚିବା ପରେ ରାତିରେ ମୁଁ କେଉଁଠି ରହିବି । ଆମ ମଣ୍ଡଳୀର ପ୍ରଚାର ଅଞ୍ଚଳରେ କିଛି ଛୋଟ ଛୋଟ ଦ୍ୱୀପ ବି ଥିଲା । ସେହି ଦ୍ୱୀପଗୁଡ଼ିକରେ ମୁଁ ମୋଟର ବୋର୍ଟରେ ଯାଉଥିଲି । ଅନେକ ଥର ସାମୁଦ୍ରିକ ଝଡ଼ର ମଧ୍ୟ ସାମନା କରିବାକୁ ପଡ଼ିଲା ଓ ମୋତେ ପହଁରା ବି ଆସୁ ନ ଥିଲା ! କିନ୍ତୁ ଏହି ସମସ୍ୟାଗୁଡ଼ିକ ସମୟରେ ଯିହୋବା ମୋତେ ସୁରକ୍ଷା ଦେଲେ ଓ ସମ୍ଭାଳିଲେ । ଆଗକୁ ଯାଇ ମୁଁ ବୁଝିପାରିଲି ଯେ ଯିହୋବା ମୋତେ ଆହୁରି କଠିନ ପରିସ୍ଥିତିରେ ତାଙ୍କର ସେବା ଜାରି ରଖିବା ପାଇଁ ପ୍ରସ୍ତୁତ କରୁଥିଲେ ।

ପପୁଆ ନ୍ୟୁ ଗିନି

ମୋତେ ସେବା କରିବା ପାଇଁ ୧୯୭୮ ମସିହାରେ ପପୁଆ ନ୍ୟୁ ଗିନି ପଠାଗଲା, ଯାହା ଅଷ୍ଟ୍ରେଲିଆର ଉତ୍ତର ଭାଗରେ ଅଛି । ପପୁଆ ନ୍ୟୁ ଗିନିରେ ବହୁତ ପାହାଡ଼ ଅଛି । ସେଠାର ଜନସଂଖ୍ୟା ପ୍ରାୟ ୩୦ ଲକ୍ଷ ଥିଲା । ମୋତେ ଏହା ଜାଣି ବହୁତ ଆଶ୍ଚର୍ଯ୍ୟ ହେଲା ଯେ ସେଠାରେ ୮୦୦ରୁ ବି ଅଧିକ ଭାଷା କୁହାଯାଏ । କିନ୍ତୁ ଏହା ଜାଣି ମୋତେ ଖୁସି ଲାଗିଲା ଯେ ସେଠାର ଅଧିକାଂଶ ଲୋକ ମେଲାନେସିଆନ୍‌ ପିଜିନ୍‌ ଭାଷା କହୁଥିଲେ, ଯାହାକୁ ଟକ୍‌ ପିସିନ୍‌ ମଧ୍ୟ କୁହାଯାଏ ।

କିଛି ସମୟ ପାଇଁ ମୋତେ ପପୁଆ ନ୍ୟୁ ଗିନିର ରାଜଧାନୀ, ପୋର୍ଟ ମୋରେସ୍‌ବିରେ ଇଂରାଜୀ ଭାଷା କହୁଥିବା ଗୋଟିଏ ମଣ୍ଡଳୀକୁ ପଠାଗଲା । କିନ୍ତୁ କିଛି ସମୟ ପରେ ମୁଁ ଟକ୍‌ ପିସିନ୍‌ ଭାଷା କହୁଥିବା ମଣ୍ଡଳୀକୁ ଯିବାକୁ ଲାଗିଲି । ଏହି ଭାଷା ଶିଖିବା ପାଇଁ ମୁଁ ଗୋଟିଏ କୋର୍ସ କଲି । ମୁଁ ଯାହା ବି ଶିଖୁଥିଲି ତାହା ମୁଁ ପ୍ରଚାରରେ ବ୍ୟବହାର କରୁଥିଲି, ତେଣୁ ସେହି ଭାଷା ମୁଁ ବହୁତ ଶୀଘ୍ର ଶିଖିପାରିଲି । କିଛି ସମୟ ପରେ ମୁଁ ଟକ୍‌ ପିସିନ୍‌ ଭାଷାରେ ନିଜର ପ୍ରଥମ ଜନଭାଷଣ ଦେଲି । ତାʼପରେ ମୋତେ ଗୋଟିଏ ଏପରି ଖବର ମିଳିଲା, ଯାହା ଶୁଣି ମୁଁ ବହୁତ ଆଶ୍ଚର୍ଯ୍ୟ ହୋଇଗଲି । ପପୁଆ ନ୍ୟୁ ଗିନି ଆସିବାର ଗୋଟିଏ ବର୍ଷ ବି ହୋଇ ନ ଥିଲା ଆଉ ମୋତେ ଟକ୍‌ ପିସିନ୍‌ ଭାଷା କହୁଥିବା କିଛି ମଣ୍ଡଳୀର ସର୍କିଟ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଗଲା । ଏହି ମଣ୍ଡଳୀଗୁଡ଼ିକ ପରସ୍ପରଠାରୁ ବହୁତ ଦୂରରେ ଥିଲା ଏବଂ ଭିନ୍ନ ଭିନ୍ନ ପ୍ରାନ୍ତରେ ବ୍ୟାପିଥିଲା ।

ମଣ୍ଡଳୀଗୁଡ଼ିକ ପରସ୍ପରଠାରୁ ବହୁତ ଦୂରରେ ଥିବା ଯୋଗୁଁ ମୋତେ ଅନେକ ସର୍କିଟ ସମ୍ମିଳନୀର ବ୍ୟବସ୍ଥା କରିବାକୁ ପଡ଼ୁଥିଲା ଏବଂ ବହୁତ ଯାତ୍ରା କରିବାକୁ ପଡ଼ୁଥିଲା । ଆରମ୍ଭରେ ମୋ ପାଇଁ ସବୁକିଛି ନୂଆ ଥିଲା, ନୂଆ ଦେଶ, ନୂଆ ଭାଷା, ଲୋକମାନଙ୍କ ସଂସ୍କୃତି ଓ ସେମାନଙ୍କର ଜୀବନଶୈଳୀ ବି ପୂରାପୂରି ଅଲଗା ଥିଲା । ତେଣୁ ମୋତେ ଭାରି ଏକୁଟିଆ ଲାଗୁଥିଲା । ମୋ ପାଇଁ ଗୋଟିଏ ମଣ୍ଡଳୀରୁ ଅନ୍ୟ ମଣ୍ଡଳୀକୁ ଯିବା ବହୁତ କଠିନ ଥିଲା, କାରଣ ତାହା ଗୋଟିଏ ପାହାଡ଼ିଆ ଅଞ୍ଚଳ ଥିଲା ଓ ରାସ୍ତାଗୁଡ଼ିକ ବି ଶୋଚନୀୟ ଅବସ୍ଥାରେ ଥିଲା । ସେଥିପାଇଁ ମୁଁ ପ୍ରାୟ ପ୍ରତି ସପ୍ତାହ ଉଡ଼ାଜାହାଜରେ ଯାତ୍ରା କରୁଥିଲି । ବେଳେବେଳେ ସେହି ଛୋଟିଆ ଆଉ ଖରାପ ଅବସ୍ଥାରେ ଥିବା ଉଡ଼ାଜାହାଜରେ ମୁଁ ଏକୁଟିଆ ହିଁ ରହୁଥିଲି । ସେଥିରେ ଯାତ୍ରା କରିବା ସେତିକି ହିଁ ବିପଦପୂର୍ଣ୍ଣ ଥିଲା, ଯେତେ ଫିଲିପିନ୍‌ସର ନୌକାରେ ଯାତ୍ରା କରିବା ।

ସେହି ସମୟରେ ବହୁତ କମ୍‌ ଲୋକଙ୍କ ପାଖରେ ଟେଲିଫୋନ୍‌ ରହୁଥିଲା, ତେଣୁ ମୁଁ ମଣ୍ଡଳୀଗୁଡ଼ିକୁ ଚିଠି ଲେଖୁଥିଲି । ପ୍ରାୟ ସମୟରେ ମୋ ଚିଠି ପହଞ୍ଚିବା ଆଗରୁ ମୁଁ ସେଠାରେ ପହଞ୍ଚି ଯାଉଥିଲି । ଭାଇଭଉଣୀମାନଙ୍କ ଘର ଖୋଜିବା ପାଇଁ ମୋତେ ଅନେକ ଲୋକମାନଙ୍କୁ ପଚାରିବାକୁ ପଡ଼ୁଥିଲା । କିନ୍ତୁ ପ୍ରତିଥର ଯେବେ ଭାଇମାନେ ମୋ ସହିତ ଭେଟ ହେଉଥିଲେ, ତେବେ ସେମାନେ ବହୁତ ପ୍ରେମର ସହିତ ମୋର ସ୍ୱାଗତ କରୁଥିଲେ । ମୋତେ ଭାରି ଖୁସି ହେଉଥିଲା ଯେ ମୋର ପରିଶ୍ରମ ବେକାର ହେଲାନି ! ମୁଁ ଦେଖିଲି ଯେ ଯିହୋବା ଅଲଗା ଅଲଗା ଉପାୟରେ ମୋର ସାହାଯ୍ୟ କରୁଛନ୍ତି ଓ ତାଙ୍କ ସହିତ ମୋର ସମ୍ପର୍କ ଆହୁରି ଦୃଢ଼ ହୋଇଗଲା ।

ଯେବେ ମୁଁ ପ୍ରଥମ ଥର ବୁଗେନଭିଲ୍‌ ଦ୍ୱୀପରେ ସଭା ପାଇଁ ଗଲି, ତେବେ ଜଣେ ସ୍ୱାମୀ ସ୍ତ୍ରୀ ହସହସ ମୁହଁରେ ମୋ ପାଖକୁ ଆସିଲେ । ସେମାନେ ମୋତେ ପଚାରିଲେ, “କʼଣ ଆପଣ ଆମକୁ ଚିହ୍ନି ପାରୁଛନ୍ତି ?” ତେବେ ମୋତେ ମନେପଡ଼ିଲା ଯେ ଯେବେ ମୁଁ ପପୁଆ ନ୍ୟୁ ଗିନି ଆସିଥିଲି, ତେବେ ପୋର୍ଟ ମୋରେସ୍‌ବିରେ ମୁଁ ତାଙ୍କୁ ସାକ୍ଷ୍ୟ ଦେଇଥିଲି । ମୁଁ ସେମାନଙ୍କ ସହ ବାଇବଲ ଅଧ୍ୟୟନ ବି ଆରମ୍ଭ କରିଥିଲି । କିନ୍ତୁ ସେଠାରୁ ଯିବା ପୂର୍ବରୁ ମୁଁ ଜଣେ ଭାଇଙ୍କୁ ସେମାନଙ୍କ ଅଧ୍ୟୟନ କରିବା ପାଇଁ କହିଥିଲି । ଏବେ ସେମାନଙ୍କର ବାପ୍ତିସ୍ମ ହୋଇ ସାରିଥିଲା ! ସତରେ ଏହା ଗୋଟିଏ ବଡ଼ ଆଶିଷ ଥିଲା । ମୁଁ ତିନି ବର୍ଷ ପପୁଆ ନ୍ୟୁ ଗିନିରେ ସେବା କଲି ଏବଂ ସେସମୟରେ ଯିହୋବା ମୋତେ ବହୁତ ଆଶିଷ ଦେଲେ ।

ଆମ ଛୋଟ ପରିବାର ଉତ୍ସାହର ସହ ସେବା କଲା

ମୁଁ ଏବଂ ଏଡଲ

କୋରୋନ୍‌ ଛାଡ଼ିବା ପୂର୍ବେ ୧୯୭୮ ମସିହାରେ ମୁଁ ଜଣେ ଭଉଣୀଙ୍କୁ ଭେଟିଲି । ତାଙ୍କ ନାମ ଏଡଲ ଥିଲା । ସେ ବହୁତ ଭଲ ଥିଲେ ଓ ସେ ନିଜଠାରୁ ଅଧିକ ଅନ୍ୟମାନଙ୍କ ପାଇଁ ଚିନ୍ତା କରୁଥିଲେ । ସେ ଅଗ୍ରଦୂତ ସେବା କରୁଥିଲେ ଓ ତାଙ୍କର ଦୁଇଜଣ ପିଲା ଥିଲେ, ସାମୁଏଲ ଓ ଶର୍ଲି । ସେ ନିଜ ବୃଦ୍ଧ ମାଆଙ୍କ ବି ଦେଖାଶୁଣା କରୁଥିଲେ । ମୁଁ ଏଡଲଙ୍କ ସହିତ ବିବାହ କରିବା ପାଇଁ ମେ ୧୯୮୧ ମସିହାରେ ଫିଲିପିନ୍‌ସ ଫେରିଲି । ବିବାହ ପରେ ଆମେ ଦୁହେଁ ସାଙ୍ଗରେ ମିଶି ଅଗ୍ରଦୂତ ସେବା କରିବା ସହିତ ନିଜ ପରିବାରର ମଧ୍ୟ ଦେଖାଶୁଣା କରିବାକୁ ଲାଗିଲୁ ।

ଏଡଲ, ସାମୁଏଲ ଓ ଶର୍ଲିଙ୍କ ସହିତ ପାଲାୱାନରେ ସେବା କରିବା ସମୟର ଚିତ୍ର

ଏବେ ମୋର ଗୋଟିଏ ପରିବାର ଥିଲା, ତଥାପି ୧୯୮୩ ମସିହାରେ ମୋତେ ପୁଣିଥରେ ବିଶେଷ ଅଗ୍ରଦୂତ ଭାବେ ନିଯୁକ୍ତ କରାଗଲା ଓ ପାଲାୱାନ ପ୍ରାନ୍ତର ଲିନାପାକାନ୍‌ ଦ୍ୱୀପ ପଠାଗଲା । ଆମ ପରିବାର ଦୂରରେ ଥିବା ଏହି ଦ୍ୱୀପରେ ଯାଇକି ରହିବାକୁ ଲାଗିଲା ଯେଉଁଠି ଜଣେ ବି ସାକ୍ଷୀ ନ ଥିଲେ । ସେଠାକୁ ଯିବାର ପ୍ରାୟ ଗୋଟିଏ ବର୍ଷ ପରେ ଏଡଲଙ୍କ ମାଆଙ୍କ ମୃତ୍ୟୁ ହୋଇଗଲା । କିନ୍ତୁ ପ୍ରଚାରରେ ଲାଗି ରହିବା ଯୋଗୁଁ ଆମେ ସେହି ଦୁଃଖରୁ ବାହାରିପାରିଲୁ । ଲିନାପାକାନ୍‌ରେ ଆମେ ଅନେକ ଲୋକମାନଙ୍କ ସହିତ ବାଇବଲ ଅଧ୍ୟୟନ କଲୁ ଓ ସେମାନେ ସଭାରେ ବି ଆସିବା ପାଇଁ ଚାହୁଁଥିଲେ । ସେଥିପାଇଁ କିଛି ସମୟ ପରେ ଆମକୁ ଗୋଟିଏ ଛୋଟ ରାଜ୍ୟଘରର ଦରକାର ପଡ଼ିଲା, ତେଣୁ ଆମେ ନିଜେ ହିଁ ଗୋଟିଏ ରାଜ୍ୟଘର ତିଆରି କଲୁ । ସେଠାରେ ସେବା କରିବାର ତିନି ବର୍ଷ ପରେ ହିଁ ସ୍ମାରକରେ ୧୧୦ ଜଣ ଲୋକ ଆସିଲେ । ଏହା ଦେଖି ଆମକୁ ବହୁତ ଖୁସି ଲାଗିଲା । ଆମେ ଏହି ଜାଗା ଛାଡ଼ିବା ପରେ ଅନେକ ଲୋକ ବାପ୍ତିସ୍ମ ନେଲେ ।

୧୯୮୬ ମସିହାରେ ଆମକୁ କୁଲିଅନ୍‌ ଦ୍ୱୀପର ଏପରି ଜାଗାରେ ପଠାଗଲା ଯେଉଁ ଜାଗାରେ କୁଷ୍ଠ ରୋଗୀମାନେ ରହୁଥିଲେ । ସେଠାରେ ପହଞ୍ଚିବାର କିଛି ବର୍ଷ ପରେ ଏଡଲଙ୍କୁ ବି ବିଶେଷ ଅଗ୍ରଦୂତ ଭାବେ ନିଯୁକ୍ତ କରାଗଲା । ଆରମ୍ଭରେ ସେହି ଲୋକମାନଙ୍କୁ ପ୍ରଚାର କରିବା ଟିକିଏ ଡର ଲାଗୁଥିଲା । କିନ୍ତୁ ପରେ ସେଠାର ଭାଇଭଉଣୀମାନେ ଆମକୁ ଭରସା ଦେଲେ ଯେ ଆମକୁ ଏତେ ଡରିବା ଦରକାର ନାହିଁ, କାରଣ ସେମାନଙ୍କ ଚିକିତ୍ସା ହୋଇସାରିଛି । ସେମାନଙ୍କ ମଧ୍ୟରୁ କିଛି ଲୋକ ଜଣେ ଭଉଣୀଙ୍କ ଘରେ ସଭା ପାଇଁ ମଧ୍ୟ ଯାଉଥିଲେ । ତାʼପରେ ଆମେ ସେହି ଲୋକମାନଙ୍କ ସହିତ ମିଳାମିଶା କଲୁ ଓ ସେମାନଙ୍କୁ ପ୍ରଚାର କଲୁ । ସେମାନଙ୍କୁ ଲାଗୁଥିଲା ଯେ ଈଶ୍ୱର କି ମଣିଷ କାହାରିକୁ ବି ସେମାନଙ୍କ ଚିନ୍ତା ନାହିଁ । କିନ୍ତୁ ଯେବେ ଆମେ ସେମାନଙ୍କୁ ବାଇବଲରୁ କହିଲୁ ଯେ ଦିନେ ସେମାନେ ପୂରାପୂରି ଠିକ୍‌ ହୋଇଯିବେ, ତେବେ ସେମାନେ ବହୁତ ଖୁସି ହୋଇଗଲେ । ସେମାନଙ୍କ ଖୁସି ଦେଖି ଆମକୁ ବି ବହୁତ ଖୁସି ଲାଗୁଥିଲା ।—ଲୂକ ୫:୧୨, ୧୩.

ସେଠାରେ ପିଲାମାନଙ୍କୁ କିପରି ଲାଗିଲା ? ସେମାନଙ୍କ ସହ ଭଲ ସମୟ ବିତାଇବା ପାଇଁ ଆମେ କୋରୋନ୍‌ରୁ ଦୁଇଜଣ ଯୁବା ଭଉଣୀଙ୍କୁ ଡାକିଲୁ । ସେହି ଚାରିଜଣ ସାଙ୍ଗରେ ମିଶି ପ୍ରଚାରରେ ଖୁବ୍‌ ମଜା କରୁଥିଲେ । ମୁଁ ଓ ଏଡଲ ଯେଉଁମାନଙ୍କ ବାଇବଲ ଅଧ୍ୟୟନ କରାଉଥିଲୁ ସେମାନଙ୍କର ପିଲାମାନଙ୍କୁ ଏହି ଚାରିଜଣ ଅଧ୍ୟୟନ କରାଉଥିଲେ । ଧିରେ ଧିରେ ଆମେ ୧୧ଟି ପରିବାରକୁ ବାଇବଲ ଅଧ୍ୟୟନ କରାଇବାକୁ ଲାଗିଲୁ । ଦେଖୁ ଦେଖୁ ଏତେ ଲୋକ ଅଧ୍ୟୟନ କରିବାକୁ ଲାଗିଲେ ଯେ ଗୋଟିଏ ନୂଆ ମଣ୍ଡଳୀ ଆରମ୍ଭ ହୋଇପାରନ୍ତା ।

କୁଲିଅନ୍‌ରେ ଆଠଜଣ ପ୍ରଚାରକ ଥିଲେ ଓ ତାହା ପାଖରେ ଥିବା ମ୍ୟାରିଲି ଗାଁରେ ନଅଜଣ ପ୍ରଚାରକ ଥିଲେ । ସେହି ଅଞ୍ଚଳଗୁଡ଼ିକର ଦେଖାରେଖା କରିବା ପାଇଁ କେବଳ ମୁଁ ହିଁ ପ୍ରାଚୀନ ଥିଲି । ତେଣୁ ଶାଖା କାର୍ଯ୍ୟାଳୟ ମୋତେ ସେଠାରେ ସଭା ଚଲାଇବା ପାଇଁ କହିଲା । କୁଲିଅନ୍‌ରୁ ମ୍ୟାରିଲି ଯିବା ପାଇଁ ଆମକୁ ନୌକାରେ ତିନି ଘଣ୍ଟା ଲାଗୁଥିଲା । ସଭା ପରେ ଆମ ପରିବାର ଅନେକ ଘଣ୍ଟା ଧରି ପାହାଡ଼ିଆ ରାସ୍ତା ଦେଇ ଚାଲି ଚାଲି ହ୍ୟାଲସି ଗାଁ ଯାଉଥିଲା । ଆମେ ସେଠାରେ ଅନେକ ବାଇବଲ ଅଧ୍ୟୟନ ଚଲାଉଥିଲୁ ।

ଆଗକୁ ଯାଇ ମ୍ୟାରିଲି ଓ ହ୍ୟାଲସି ଗାଁରୁ ଅନେକ ଲୋକ ସତ୍ୟରେ ଆସିଲେ, ତେଣୁ ଆମକୁ ସେହି ଦୁଇଟି ଜାଗାରେ ରାଜ୍ୟଘର ତିଆରି କରିବାକୁ ପଡ଼ିଲା । ଯେପରି ଲିନାପାକାନ୍‌ରେ ଭାଇଭଉଣୀମାନେ ସାହାଯ୍ୟ କଲେ, ସେହିପରି ଏଠାରେ ମଧ୍ୟ ଭାଇମାନେ ଓ ଆଗ୍ରହ ଦେଖାଉଥିବା ଲୋକମାନେ ରାଜ୍ୟଘର ତିଆରି କରିବାରେ ସାହାଯ୍ୟ କଲେ ଓ ନିର୍ମାଣ ସାମଗ୍ରୀ ଦେଲେ । ମ୍ୟାରିଲିର ରାଜ୍ୟଘରରେ ୨୦୦ ଜଣ ଲୋକ ବସି ପାରୁଥିଲେ ଏବଂ ଏହାକୁ ବଡ଼ ମଧ୍ୟ କରାଯାଇ ପାରୁଥିଲା । ତେଣୁ ଆମେ ସେଠାରେ ସମ୍ମିଳନୀ ମଧ୍ୟ ରଖିପାରିଲୁ ।

ଦୁଃଖ ଓ ଏକୁଟିଆ ଭାରି କଷ୍ଟ ଦେଲା କିନ୍ତୁ ପରେ ଖୁସି ଫେରି ଆସିଲା

ପିଲାମାନେ ବଡ଼ ହେବା ପରେ, ମୁଁ ଓ ଏଡଲ ୧୯୯୩ ମସିହାରେ ଫିଲିପିନ୍‌ସରେ ସର୍କିଟ କାମ କରିବାକୁ ଲାଗିଲୁ । ତାʼପରେ ୨,୦୦୦ ମସିହାରେ ମୁଁ ‘ମଣ୍ଡଳୀ ସେବକ ପ୍ରଶିକ୍ଷଣ ସ୍କୁଲରେ’ ଗଲି, ସେଠାରେ ମୋତେ ସେହି ସ୍କୁଲରେ ଶିଖାଇବା ପାଇଁ ଟ୍ରେନିଙ୍ଗ ଦିଆଗଲା । ମୋତେ ଲାଗୁଥିଲା ଯେ ମୁଁ ଏହି ଦାୟିତ୍ୱ ସମ୍ଭାଳିପାରିବି ନାହିଁ । କିନ୍ତୁ ଏଡଲ ମୋର ସାହସ ବଢ଼ାଇଲେ । ସେ କହିଲେ ଯେ ଏହି ନୂଆ ଦାୟିତ୍ୱ ପୂରା କରିବା ପାଇଁ ଯିହୋବା ମୋତେ ଶକ୍ତି ଦେବେ । (ଫିଲିପ୍‌. ୪:୧୩) ଏଡଲ ନିଜେ ଏହି କଥାର ଅନୁଭବ କରିଥିଲେ, କାରଣ କିଛି ସମୟରୁ ତାଙ୍କ ସ୍ୱାସ୍ଥ୍ୟ ଭଲ ରହୁ ନ ଥିଲା ଏବଂ ଯିହୋବାଙ୍କ ସାହାଯ୍ୟର ହିଁ ସେ ତାଙ୍କ ସେବା କରିପାରୁଥିଲେ ।

୨୦୦୬ ମସିହାରେ ଆମକୁ ଏପରି ଖବର ମିଳିଲା ଯାହା ଶୁଣି ଆମକୁ ବହୁତ ବଡ଼ ଧକ୍କା ଲାଗିଲା । ଡାକ୍ତରମାନେ ଆମକୁ କହିଲେ ଯେ ଏଡଲଙ୍କୁ ପାର୍କିନ୍‌ସନ୍‌ (ସ୍ନାୟୁ ଜନିତ) ରୋଗ ହୋଇଛି । ସେସମୟରେ ମୁଁ ସଂଗଠନ ସ୍କୁଲରେ ଶିଖାଇବାର ଦାୟିତ୍ୱ ତୁଲାଉଥିଲି । ମୁଁ ଏଡଲଙ୍କୁ କହିଲି ଯେ ମୁଁ ତାଙ୍କ ଭଲଭାବେ ଦେଖାରେଖା କରିବା ପାଇଁ ଏହି ଦାୟିତ୍ୱ ଛାଡ଼ିଦେବି । କିନ୍ତୁ ଏଡଲ କହିଲେ, “ଆପଣ କେବଳ ଭଲ ଡାକ୍ତର ଖୋଜି ଦିଅନ୍ତୁ ଯିଏ ମୋର ଚିକିତ୍ସା କରିପାରିବେ । ଆଉ ଯିହୋବା ତ ଅଛନ୍ତି ! ସେ ଆମକୁ ତାଙ୍କର ସେବା ଜାରି ରଖିବା ପାଇଁ ସାହାଯ୍ୟ କରିବେ ।” ଆଗାମୀ ୬ ବର୍ଷ ପର୍ଯ୍ୟନ୍ତ ଏଡଲ ବିନା କୌଣସି ଅଭିଯୋଗ କରି ଯିହୋବାଙ୍କ ସେବାରେ ଲାଗି ରହିଲେ । ଯେବେ ତାଙ୍କୁ ଚାଲିବା ପାଇଁ ଅସୁବିଧା ହେଲା ତେବେ ସେ ହ୍ୱିଲଚେୟାରର ସାହାରା ନେଇ ପ୍ରଚାର କରୁଥିଲେ । ଆଉ ଯେବେ ତାଙ୍କୁ କଥା ହେବା ପାଇଁ ଅସୁବିଧା ହେଲା, ତେବେ ସେ ସଭାରେ ଗୋଟିଏ କିମ୍ବା ଦୁଇଟି ଶବ୍ଦରେ ଉତ୍ତର ଦେଉଥିଲେ । ଏଡଲ ସବୁକିଛି ସାହସର ସହିତ ସହିଲେ । ଭାଇଭଉଣୀମାନେ ପ୍ରାୟ ତାଙ୍କୁ କାର୍ଡ ଓ ମେସେଜ ପଠାଇ ଜଣାଉଥିଲେ ଯେ ସେ ତାଙ୍କ ପାଇଁ ଗୋଟିଏ ବଢ଼ିଆ ଉଦାହରଣ ଅଟନ୍ତି । ଆଉ ୨୦୧୩ ମସିହାରେ ଏଡଲଙ୍କ ମୃତ୍ୟୁ ହୋଇଗଲା । ମୁଁ ନିଜ ପ୍ରିୟ ସ୍ତ୍ରୀଙ୍କ ସହିତ ୩୦ ବର୍ଷ ବିତାଇଲି । ସେ ସବୁବେଳେ ମୋ ସାଙ୍ଗରେ ଥିଲେ ଓ ମୋତେ ସହଯୋଗ କରୁଥିଲେ । ଏବେ ମୋତେ ତାଙ୍କର ଭାରି ମନେପଡ଼େ । ମୁଁ ପୁଣିଥରେ ଏକୁଟିଆ ହୋଇଯାଇଥିଲି ।

ଏଡଲ ଚାହୁଁଥିଲେ ଯେ ମୁଁ ନିଜ ସେବା ଜାରି ରଖେ ଏବଂ ମୁଁ ଏହା ହିଁ କଲି । ମୁଁ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ଜାରି ରଖିଲି । ଏହି କାରଣ ଯୋଗୁଁ ମୋତେ ଏକୁଟିଆର ଭାବନା ସହ ଲଢ଼ିବା ପାଇଁ ସାହାଯ୍ୟ ମିଳିଲା । ୨୦୧୪ ମସିହାରୁ ୨୦୧୭ ମସିହା ମଧ୍ୟରେ ମୋତେ ଟ୍ୟାଗଲଗ୍‌ ଭାଷା କହୁଥିବା କିଛି ମଣ୍ଡଳୀଗୁଡ଼ିକର ପରିଦର୍ଶନ ପାଇଁ ପଠାଗଲା । ଏହି ଜାଗାଗୁଡ଼ିକ ଏପରି ଦେଶରେ ଥିଲା ଯେଉଁଠି ଆମ କାମ ଉପରେ ରୋକ ଲାଗିଥିଲା । ତାʼପରେ ମୁଁ ତାଇୱାନ, ଆମେରିକା ଓ କାନାଡ଼ାରେ ଟ୍ୟାଗଲଗ୍‌ ଭାଷା କହୁଥିବା ମଣ୍ଡଳୀଗୁଡ଼ିକର ପରିଦର୍ଶନ କଲି । ୨୦୧୯ ମସିହାରେ ମୁଁ ଭାରତ ଓ ଥାଇଲାଣ୍ଡରେ ଇଂରାଜୀ ଭାଷାରେ ରାଜ୍ୟ ପ୍ରଚାରକଙ୍କ ପାଇଁ ସ୍କୁଲରେ ଶିଖାଇଲି । ଏହି ଦାୟିତ୍ୱଗୁଡ଼ିକୁ ତୁଲାଇ ମୋତେ ବହୁତ ଖୁସି ଲାଗିଲା । ମୁଁ ଦେଖିପାରିଲି ଯେ ଯେବେ ମୁଁ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରେ, ତେବେ ମୋତେ ସବୁଠୁ ବେଶୀ ଖୁସି ମିଳେ ।

ସବୁବେଳେ ସାହାଯ୍ୟ ମିଳିଲା

ଯେବେ ବି ମୋତେ ସେବା କରିବା ପାଇଁ କୌଣସି ନୂଆ ଜାଗାକୁ ପଠାଯାଏ, ତେବେ ସେଠାର ଭାଇଭଉଣୀମାନେ ମୋର ଭଲ ସାଙ୍ଗ ହୋଇଯାʼନ୍ତି, ତେଣୁ ସେମାନଙ୍କୁ ଛାଡ଼ିକି ଯିବା ମୋ ପାଇଁ ସହଜ ହୋଇ ନ ଥାଏ । କିନ୍ତୁ ମୁଁ ଶିଖିଲି ଯେ ଏପରି ସମୟରେ ମୋତେ ଯିହୋବାଙ୍କ ଉପରେ ଭରସା ରଖିବା ଉଚିତ୍‌ । ଯେବେ ବି ମୋ ପରିସ୍ଥିତି ବଦଳିଗଲା, ତେବେ ଯିହୋବା ମୋତେ ତାହା ଅନୁସାରେ ନିଜକୁ ପରିବର୍ତ୍ତନ କରିବା ପାଇଁ ସବୁବେଳେ ସାହାଯ୍ୟ କଲେ । ଆଜି ମୁଁ ଫିଲିପିନ୍‌ସରେ ବିଶେଷ ଅଗ୍ରଦୂତ ଭାବେ ସେବା କରୁଛି । ମୁଁ ନିଜ ନୂଆ ମଣ୍ଡଳୀକୁ ଆପଣାଇ ନେଇଛି ଓ ଏଠାକାର ଭାଇଭଉଣୀମାନେ ମୋର ପରିବାର ହୋଇଯାଇଛନ୍ତି । ସେମାନେ ମୋର ବହୁତ ଯତ୍ନ ନିଅନ୍ତି । ସାମୁଏଲ ଓ ଶର୍ଲି ମଧ୍ୟ ନିଜ ମାଆଙ୍କ ଭଳି ବିଶ୍ୱସ୍ତତାର ସହିତ ଯିହୋବାଙ୍କ ସେବା କରୁଛନ୍ତି । ଦୁହିଁଙ୍କ ପାଇଁ ମୁଁ ବହୁତ ଗର୍ବ ଅନୁଭବ କରେ ।—୩ ଯୋହ. ୪.

ମଣ୍ଡଳୀର ଭାଇଭଉଣୀମାନେ ମୋର ପରିବାର ହୋଇଯାଇଛନ୍ତି

ମୁଁ ଜୀବନରେ ଅନେକ ସମସ୍ୟାର ସାମନା କଲି । ମୁଁ ନିଜ ପ୍ରିୟ ସ୍ତ୍ରୀଙ୍କୁ କଷ୍ଟକର ରୋଗରେ ଯନ୍ତ୍ରଣା ସହି ମୃତ୍ୟୁ ହେବାର ଦେଖିଲି । ମୋତେ ଅନେକ ଥର ନୂଆ ପରିସ୍ଥିତି ଅନୁସାରେ ନିଜକୁ ପରିବର୍ତ୍ତନ କରିବାକୁ ପଡ଼ିଲା । କିନ୍ତୁ ମୁଁ ସବୁବେଳେ ଏହା ଅନୁଭବ କରିଲି ଯେ ଯିହୋବା “ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି ।” (ପ୍ରେରି. ୧୭:୨୭) ତାଙ୍କ “ହସ୍ତ ଛୋଟ ହୋଇ ଯାଇ ନାହିଁ” ଯେ ସେ ତାଙ୍କ ସେବକମାନେ ଦୂରରେ ଥିଲେ ସେମାନଙ୍କୁ ସମ୍ଭାଳିପାରିବେ ନାହିଁ କି ଶକ୍ତି ଦେଇପାରିବେ ନାହିଁ । (ଯିଶା. ୫୯:୧) ସାରା ଜୀବନ ଯିହୋବା ମୋ ସାଙ୍ଗରେ ରହିଲେ, ସେ ମୋର ଶୈଳ ଅଟନ୍ତି ଓ ମୁଁ ତାଙ୍କ ପାଇଁ ବହୁତ କୃତଜ୍ଞ । ସତରେ, ମୁଁ କେବେ ବି ଏକୁଟିଆ ନ ଥିଲି !