इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୮

ଗୀତ ୧୩୦ ଦିଲ୍‌ ସେ ମାଫ୍‌ କରେଁ

ଯିହୋବା ଆପଣଙ୍କୁ କ୍ଷମା କରନ୍ତି—କʼଣ ଆପଣ ଅନ୍ୟମାନଙ୍କୁ କ୍ଷମା କରିବେ ?

ଯିହୋବା ଆପଣଙ୍କୁ କ୍ଷମା କରନ୍ତି—କʼଣ ଆପଣ ଅନ୍ୟମାନଙ୍କୁ କ୍ଷମା କରିବେ ?

“ପ୍ରଭୁ ଯେପରି ତୁମ୍ଭମାନଙ୍କୁ କ୍ଷମା କରିଅଛନ୍ତି, ତୁମ୍ଭେମାନେ ମଧ୍ୟ ସେହିପରି କର ।”କଲ. ୩:୧୩.

କʼଣ ଶିଖିବା ?

ଏହି ଲେଖାରେ ଆମେ ଶିଖିବା ଯେ ଯେବେ କେହି ଆମକୁ ଦୁଃଖ ପହଞ୍ଚାନ୍ତି, ତାହେଲେ ତାଙ୍କୁ କ୍ଷମା କରିବା ପାଇଁ ଆମେ କʼଣ କରିପାରିବା ।

୧-୨. (କ) ଆମକୁ ବିଶେଷକରି କେବେ ଅନ୍ୟମାନଙ୍କୁ କ୍ଷମା କରିବା କଠିନ ଲାଗିପାରେ ? (ଖ) କ୍ଷମା କରିବା ମାମଲାରେ ଭଉଣୀ ଡେନିସ୍‌ କିପରି ବଢ଼ିଆ ଉଦାହରଣ ଅଟନ୍ତି ?

 କʼଣ ଆପଣଙ୍କୁ ଅନ୍ୟମାନଙ୍କୁ କ୍ଷମା କରିବା କଠିନ ଲାଗେ ? ଆମ ସମସ୍ତଙ୍କୁ ଏପରି ଲାଗେ, ବିଶେଷକରି ଯେବେ କେହି ଆମକୁ ନିଜ କଥା ବା କାମରୁ ଦୁଃଖ ପହଞ୍ଚାନ୍ତି । ଏପରି ସମୟରେ କʼଣ ଆମେ ରାଗ ନ ରଖି ଅନ୍ୟମାନଙ୍କୁ କ୍ଷମା କରିପାରିବା ? ଆମେ ନିଶ୍ଚୟ ଏପରି କରିପାରିବା । ଭଉଣୀ ଡେନିସ୍‌ଙ୍କ a ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯିଏ କ୍ଷମା କରିବା ମାମଲାରେ ଆମ ସମସ୍ତଙ୍କ ପାଇଁ ସବୁଠୁ ବଢ଼ିଆ ଉଦାହରଣ ଅଟନ୍ତି । ୨୦୧୭ ମସିହାରେ ଭଉଣୀ ନିଜ ପରିବାର ସହ ଯିହୋବାଙ୍କ ସାକ୍ଷୀମାନଙ୍କ ନୂଆ ବିଶ୍ୱ ମୁଖ୍ୟାଳୟ ଦେଖିବାକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ଜଣେ ଲୋକ ତାʼ କାରକୁ ସମ୍ଭାଳି ନ ପାରି ଭଉଣୀଙ୍କ କାରକୁ ଧକ୍କା ଦେଇ ଦେଲା । ଭଉଣୀ ବେହୋସ ହୋଇଗଲେ । ଯେବେ ତାଙ୍କ ଚେତା ଫେରିଲା, ତେବେ ସେ ଦେଖିଲେ ଯେ ତାଙ୍କ ପିଲାମାନଙ୍କ ଅବସ୍ଥା ଗୁରୁତର ହୋଇଯାଇଛି ଆଉ ତାଙ୍କ ସ୍ୱାମୀ ବ୍ରାଏନ୍‌ଙ୍କର ମୃତ୍ୟୁ ହୋଇଯାଇଛି । ସେସମୟକୁ ମନେ ପକାଇ ଭଉଣୀ କହନ୍ତି, “ଯେବେ ମୁଁ ଏହା ଶୁଣିଲି, ତେବେ ମୁଁ ପୂରାପୂରି ଭାଙ୍ଗି ପଡ଼ିଲି । ମୋତେ କିଛି ବୁଝା ହିଁ ପଡ଼ୁ ନ ଥିଲା ଯେ ମୁଁ କʼଣ କରିବି ।” ପରେ ଭଉଣୀଙ୍କୁ ଜଣାପଡ଼ିଲା ଯେ ଦୁର୍ଘଟଣା ଏଥିପାଇଁ ହୋଇ ନ ଥିଲା ଯେ ସେହି ଲୋକ ମଦ ପିଇ ଥିଲା କିମ୍ବା ଅନ୍ୟମନସ୍କ ଥିଲା । ଏହା ଜାଣିବା ପରେ ଭଉଣୀ ନିଜ ମନର ଶାନ୍ତି ପାଇଁ ଯିହୋବାଙ୍କୁ ପ୍ରାର୍ଥନା କଲେ, ଯାହାଦ୍ୱାରା ସେ ନିଜକୁ ସମ୍ଭାଳିପାରନ୍ତେ ।

ସେହି ବ୍ୟକ୍ତିକୁ ଗିରଫ କରାଗଲା, କାରଣ ସେ ଭଉଣୀଙ୍କ ସ୍ୱାମୀଙ୍କ ମୃତ୍ୟୁର ଦୋଷୀ ଥିଲା । ତାʼ ଉପରେ ମକଦ୍ଦମା ଚାଲିଲା, ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତା ତାହେଲେ ତାକୁ ଜେଲ ହୋଇଯାʼନ୍ତା । ଭଉଣୀଙ୍କୁ କୁହାଗଲା ଯେ ସେହି ବ୍ୟକ୍ତିକୁ ଦଣ୍ଡ ମିଳିବ ନା ନାହିଁ ତାହା ତାଙ୍କର ସାକ୍ଷ୍ୟ ଉପରେ ନିର୍ଭର କରେ । ଭଉଣୀ ଡେନିସ୍‌ କହନ୍ତି, “ମୋତେ ନିଜ ଜୀବନର ସବୁଠୁ କଷ୍ଟଭରା ସମୟକୁ ପୁଣିଥରେ ମନେ ପକାଇବାର ଥିଲା । ମୋତେ ଏପରି ଲାଗିଲା ଯେପରି କେହି ମୋର କଟି ଯାଇଥିବା ଘାʼର ସିଲେଇ ଖୋଲି ସେଥିରେ ଲୁଣ ପକାଇ ଦେଲା ।” କିଛି ସପ୍ତାହ ପରେ ଭଉଣୀଙ୍କୁ ଅଦାଲତ ଆସିବାକୁ ପଡ଼ିଲା ଏବଂ ତାଙ୍କୁ ସେହି ବ୍ୟକ୍ତି ଆଗରେ ସାକ୍ଷ୍ୟ ଦେବାର ଥିଲା, ଯାହା ପାଇଁ ତାଙ୍କ ଜୀବନ ଛାରଖାର ହୋଇଗଲା । ତେବେ ଭଉଣୀ କʼଣ କହିଲେ ? ସେ ଜଜ୍‌ଙ୍କୁ ଅନୁରୋଧ କଲେ ଯେ ସେ ସେହି ବ୍ୟକ୍ତି ଉପରେ ଦୟା କରନ୍ତୁ । b ଏହା ଶୁଣି ଜଜ୍‌ କାନ୍ଦି ପକାଇଲେ ଏବଂ ସେ କହିଲେ, “ମୁଁ ଗତ ୨୫ ବର୍ଷରୁ ଜଜ୍‌ ଅଛି । କିନ୍ତୁ ମୁଁ କେବେ ବି ଏହା ଦେଖି ନାହିଁ ଯେ ଯାହା ସହିତ ଅନ୍ୟାୟ ହୋଇଛି, ସେ ଦୋଷୀ ପାଇଁ ଦୟାର ଭିକ ମାଗୁଛି । କୌଣସି ଦୋଷୀ ପାଇଁ ଏତେ ପ୍ରେମ ମୁଁ ପ୍ରଥମ ଥର ଦେଖୁଛି ।”

୩. ଭଉଣୀ ଡେନିସ୍‌ କାହିଁକି ସେହି ବ୍ୟକ୍ତିକୁ କ୍ଷମା କରିପାରିଲେ ?

ଭଉଣୀ ଡେନିସ୍‌ କାହିଁକି ସେହି ଲୋକର ଏତେ ବଡ଼ ଭୁଲକୁ କ୍ଷମା କରିପାରିଲେ ? କାରଣ ସେ ଏବିଷୟରେ ଭାବିଲେ ଯେ ଯିହୋବା କିପରି ଆମକୁ କ୍ଷମା କରନ୍ତି, ତେଣୁ ସେ ଏପରି କରିପାରିଲେ । (ମୀଖା ୭:୧୮) ଯେବେ ଆମେ ବି ଏବିଷୟରେ ଭାବିବା ଯେ ଯିହୋବା ଆମକୁ କିପରି କ୍ଷମା କରନ୍ତି, ତେବେ ଆମକୁ ବି ଅନ୍ୟମାନଙ୍କୁ କ୍ଷମା କରିବା ପାଇଁ ଇଚ୍ଛା ହେବ ।

୪. ଯିହୋବା ଆମଠାରୁ କʼଣ ଚାହାନ୍ତି ? (ଏଫିସୀୟ ୪:୩୨)

ଯିହୋବା ଆମକୁ ହୃଦୟରୁ କ୍ଷମା କରନ୍ତି ଏବଂ ସେ ଚାହାନ୍ତି ଯେ ଆମେ ବି ଅନ୍ୟମାନଙ୍କୁ ଏପରି ହିଁ କ୍ଷମା କରୁ । (ଏଫିସୀୟ ୪:୩୨ ପଢ଼ନ୍ତୁ) ସେ ଚାହାନ୍ତି ଯେ ଯେଉଁ ଲୋକମାନେ ଆମକୁ ଦୁଃଖ ପହଞ୍ଚାନ୍ତି ଆମେ ସେମାନଙ୍କୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହୁ । (ଗୀତ. ୮୬:୫; ଲୂକ ୧୭:୪) ଏହି ଲେଖାରେ ଆମେ ଏପରି ତିନୋଟି ବିଷୟ ଉପରେ ଚର୍ଚ୍ଚା କରିବା ଯାହାକୁ ଧ୍ୟାନରେ ରଖିଲେ ଆମେ ପୂରା ହୃଦୟରୁ ଅନ୍ୟମାନଙ୍କୁ କ୍ଷମା କରିପାରିବା ।

ନିଜ ଦୁଃଖ ନିଜ ମନରେ ହିଁ ରଖନ୍ତୁ ନାହିଁ

୫. ଯେବେ କେହି ଆମକୁ ବହୁତ ଦୁଃଖ ପହଞ୍ଚାନ୍ତି, ତେବେ ଆମକୁ କିପରି ଲାଗେ ? (ହିତୋପଦେଶ ୧୨:୧୮)

ଅନେକ ଥର ଅନ୍ୟମାନଙ୍କ କଥା ଓ କାମରୁ ଆମକୁ ବହୁତ ଦୁଃଖ ପହଞ୍ଚେ । ଯଦି ଆମ ସାଙ୍ଗ ବା ପରିବାରର ସଦସ୍ୟ ଏପରି କରନ୍ତି, ତାହେଲେ ଆମକୁ ଆହୁରି ଅଧିକ ଦୁଃଖ ପହଞ୍ଚେ । (ଗୀତ. ୫୫:୧୨-୧୪) ବେଳେବେଳେ ଆମ ଦୁଃଖ ଅସହ୍ୟ ହୋଇଯାଏ, ଏପରି ଲାଗେ ଯେପରି କେହି ଆମକୁ ଛୁରୀ ଭୂଷି ଦେଇଛନ୍ତି । (ହିତୋପଦେଶ ୧୨:୧୮ ପଢ଼ନ୍ତୁ) ଯଦି ଆମେ ନିଜ ଦୁଃଖକୁ ନିଜ ମନରେ ହିଁ ରଖିଥିବା ଓ ଭାବିବା ଯେ ଆମ ସହିତ କିଛି ହୋଇ ନାହିଁ, ସବୁ ଠିକ୍‌ ଅଛି ତାହେଲେ ଆମ ଦୁଃଖ କମ୍‌ ହୋଇଯିବ ନାହିଁ । ଏହା ଏପରି ହେବ ଯେପରି ଆମେ ସେହି ଛୁରୀକୁ ବାହାର ହିଁ କରୁ ନାହୁଁ । ମନେ ରଖନ୍ତୁ, ଦୁଃଖକୁ ଅଣଦେଖା କଲେ ଆମର କଷ୍ଟ କମ୍‌ ହେବ ନାହିଁ ।

୬. ଯେବେ କେହି ଆମକୁ ଦୁଃଖ ପହଞ୍ଚାନ୍ତି, ତେବେ କʼଣ ହୋଇପାରେ ?

ଯେବେ କେହି ଆମକୁ ଦୁଃଖ ପହଞ୍ଚାନ୍ତି, ତେବେ ହୁଏତ ଆମେ ତାଙ୍କୁ ବହୁତ ରାଗିଯିବା । ବାଇବଲରେ କୁହାଯାଇଛି ଯେ ଆମମାନଙ୍କୁ ରାଗ ଲାଗିପାରେ । କିନ୍ତୁ ଏଥିରେ ଏହା ବି କୁହାଯାଇଛି ଯେ ଆମକୁ ନିଜ ଭାବନାଗୁଡ଼ିକ ଉପରେ କାବୁ କରିବା ଉଚିତ୍‌ । (ଗୀତ. ୪:୪; ଏଫି. ୪:୨୬) ଆମେ ଏପରି କାହିଁକି କରିବା ? କାରଣ ଆମେ ଯେପରି ଭାବୁ ବା ଅନୁଭବ କରୁ, ଆମେ ସେପରି ହିଁ କାମ କରିଥାଉ । ସେଥିପାଇଁ ଯଦି ଆମେ ନିଜ ମନରେ ରାଗ ରଖିଥିବା, ତାହେଲେ ଏହାର ଖରାପ ପରିଣାମ ହୋଇପାରେ । (ଯାକୁ. ୧:୨୦) ମନେ ରଖନ୍ତୁ, ଆମକୁ ରାଗ ଲାଗିପାରେ କିନ୍ତୁ ଆମେ ଅନ୍ୟମାନଙ୍କ ଉପରେ ରାଗ ରଖିବା ନା ନାହିଁ, ଏହା ଆମ ଉପରେ ନିର୍ଭର କରେ ।

ଆମକୁ ରାଗ ଲାଗିପାରେ କିନ୍ତୁ ଆମେ ଅନ୍ୟମାନଙ୍କ ଉପରେ ରାଗ ରଖିବା ନା ନାହିଁ, ଏହା ଆମ ଉପରେ ନିର୍ଭର କରେ ।

୭. ଯେବେ କେହି ଆମକୁ ଦୁଃଖ ପହଞ୍ଚାନ୍ତି, ତେବେ ଆମକୁ କିପରି ଲାଗେ ?

ଯେବେ କେହି ଆମକୁ ଦୁଃଖ ପହଞ୍ଚାନ୍ତି, ତେବେ ଆମକୁ କିପରି ଲାଗେ ? ଏହି ଅନୁଭୂତିଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ଭଉଣୀ ଏନ୍‌ କହନ୍ତି, “ଯେବେ ମୁଁ ଛୋଟ ଥିଲି, ତେବେ ବାପା ମୋ ମାଆଙ୍କୁ ଛାଡ଼ି ଚାଲିଗଲେ ଏବଂ ସେ ଆମ ଚାକରାଣୀ ସହ ବିବାହ କଲେ । ମୁଁ ପୂରା ଏକୁଟିଆ ହୋଇଗଲି । ଆଉ ଯେବେ ବାପାଙ୍କ ଅନ୍ୟ ପିଲାମାନେ ହେଲେ, ତେବେ ମୋତେ ଲାଗିଲା ଯେ ସେମାନେ ମୋ ଜାଗା ନେଇଗଲେ । ମୁଁ ଭାବିବାକୁ ଲାଗିଲି, ଏବେ କାହାରିକୁ ମୋର ଦରକାର ନାହିଁ, ମୁଁ କାହାରି କାମରେ ଆସିବି ନାହିଁ ।” ଭଉଣୀ ଜର୍ଜେଟ କହନ୍ତି ଯେ ଯେବେ ତାଙ୍କ ସ୍ୱାମୀ ତାଙ୍କ ସହ ବିଶ୍ୱାସଘାତ କଲେ, ତେବେ ତାଙ୍କୁ କିପରି ଲାଗିଲା । ସେ କହନ୍ତି, “ଆମେ ପିଲାବେଳର ସାଙ୍ଗ ଥିଲୁ, ଆମେ ସାଙ୍ଗରେ ମିଶି ଅଗ୍ରଦୂତ ସେବା କରିଥିଲୁ । କିନ୍ତୁ ଯେବେ ସେ ଏପରି କଲେ, ତେବେ ମୁଁ ପୂରାପୂରି ଭାଙ୍ଗି ପଡ଼ିଲି ।” ଆଉ ଭଉଣୀ ନେଓମି କହନ୍ତି, “ମୁଁ କେବେ ବି ଭାବି ନ ଥିଲି ଯେ ମୋ ସ୍ୱାମୀ ମୋତେ ଏତେ ଦୁଃଖ ପହଞ୍ଚାଇବେ । ଯେବେ ସେ ମୋତେ କହିଲେ ଯେ ସେ ଲୁଚିଛପି ଅଶ୍ଳୀଳ ଚିତ୍ର ଓ ଭିଡିଓ ଦେଖନ୍ତି, ତେବେ ମୋତେ ଏପରି ଲାଗିଲା ଯେପରି ସେ ମୋତେ ଧୋକା ଦେଲେ ଆଉ ମୋ ଭରସା ଭାଙ୍ଗି ଦେଲେ ।”

୮. (କ) ଆମକୁ ଅନ୍ୟମାନଙ୍କୁ କାହିଁକି କ୍ଷମା କରିବା ଉଚିତ୍‌ ? (ଖ) ଅନ୍ୟମାନଙ୍କୁ କ୍ଷମା କଲେ କʼଣ ଲାଭ ହେବ ? (“ ଯେବେ କେହି ଆମକୁ ଗଭୀର ଦୁଃଖ ପହଞ୍ଚାନ୍ତି, ତେବେ କʼଣ କରିବା ?” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

ଅନ୍ୟମାନଙ୍କ କଥା ଓ କାମକୁ ଆମେ ରୋକିପାରିବା ନାହିଁ । କିନ୍ତୁ ସେସମୟରେ ଆମେ କʼଣ କରିବା, ତାହା ଆମ ଉପରେ ନିର୍ଭର କରେ । ତେଣୁ ସେମାନଙ୍କୁ କ୍ଷମା କରିଦେବା ସବୁଠୁ ଭଲ ହେବ । କାରଣ ଆମେ ଯିହୋବାଙ୍କୁ ପ୍ରେମ କରୁ ଓ ସେ ଚାହାନ୍ତି ଯେ ଆମେ ଅନ୍ୟମାନଙ୍କୁ କ୍ଷମା କରୁ, କିନ୍ତୁ ଯଦି ଆମେ ରାଗ ରଖିଥିବା ଓ ଅନ୍ୟମାନଙ୍କୁ କ୍ଷମା କରିବା ନାହିଁ, ତାହେଲେ ହୁଏତ ଆମେ କୌଣସି ମୂର୍ଖତାର କାମ କରି ବସିବା ଏବଂ ଆମର ସ୍ୱାସ୍ଥ୍ୟ ବି ଖରାପ ହୋଇପାରେ । (ହିତୋ. ୧୪:୧୭, ୨୯, ୩୦) ଭଉଣୀ କ୍ରିଷ୍ଟିନ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ କହନ୍ତି, “ଯେବେ ମୋତେ ରାଗ ଲାଗେ, ତେବେ ମୁଁ ହସିବା ହିଁ ଭୁଲି ଯାଏ । ମୁଁ ମୋ ସ୍ୱାସ୍ଥ୍ୟର ଯତ୍ନ ନିଏ ନାହିଁ ଆଉ ଯାହା ଇଚ୍ଛା ତାହା ଖାଇଦିଏ । ମୁଁ ଠିକ୍‌ରେ ଶୋଇ ବି ପାରେ ନାହିଁ ଆଉ ବିନା ଭାବିଚିନ୍ତି କିଛି ବି କହେ ବା କିଛି ବି କରିଦିଏ । ଏହି କାରଣ ଯୋଗୁଁ ମୋର ନିଜ ସ୍ୱାମୀ ଓ ଅନ୍ୟମାନଙ୍କ ସହ ସମ୍ପର୍କ ଖରାପ ହୋଇଯାଏ ।”

୯. ଆମକୁ କାହିଁକି ରାଗ ରଖିବା ଉଚିତ୍‌ ନୁହେଁ ?

ହୁଏତ ଯିଏ ଆମକୁ ଦୁଃଖ ପହଞ୍ଚାନ୍ତି, ସେ ଆମକୁ କ୍ଷମା ମାଗିବେ ନାହିଁ । ଏପରି ସମୟରେ ଆମେ କʼଣ କରିପାରିବା ? ଯଦି ଆମେ ତାଙ୍କୁ କ୍ଷମା କରିଦେଉ, ତାହେଲେ ଆମର ହିଁ ଲାଭ ହେବ । ପୁଣିଥରେ ଭଉଣୀ ଜର୍ଜେଟଙ୍କ ଉପରେ ଧ୍ୟାନ ଦିଅନ୍ତୁ । ଭଉଣୀ କହନ୍ତି, “ଛାଡ଼ପତ୍ର ହେଲା ପରେ ବି ମୋତେ ବହୁତ ରାଗ ଲାଗୁଥିଲା ଆଉ ମୁଁ ନିଜ ମନରୁ ରାଗ କାଢ଼ିପାରୁ ନ ଥିଲି । ତେଣୁ ମୁଁ ଅଶାନ୍ତ ରହୁଥିଲି । ମୋତେ ମୋ ମନରୁ ରାଗ କାଢ଼ିବା ପାଇଁ ସମୟ ଲାଗିଲା, କିନ୍ତୁ ପରେ ମୁଁ ଏପରି କରିପାରିଲି ଏବଂ ମୋତେ ବହୁତ ଶାନ୍ତି ମିଳିଲା ।” ଯଦି ଆମେ ବି ରାଗ ରଖିଥିବା ଓ ଆମ ମନରୁ ରାଗକୁ କାଢ଼ିବା ନାହିଁ, ତାହେଲେ ଏଥିରୁ ଆମର ହିଁ କ୍ଷତି ହେବ । ତେଣୁ ଯେବେ ଆମେ ଅନ୍ୟମାନଙ୍କୁ କ୍ଷମା କରିଦେଉ, ତେବେ ଏଥିରୁ ଆମକୁ ହିଁ ଲାଭ ହୁଏ । ଆମେ ପୁରୁଣା କଥାଗୁଡ଼ିକୁ ଭୁଲିଯାଉ ଓ ଜୀବନରେ ଆଗକୁ ବଢ଼ିପାରୁ ଏବଂ ଆମର ଖୁସି ଫେରି ଆସେ । (ହିତୋ. ୧୧:୧୭) ତଥାପି ଯଦି ଆପଣଙ୍କୁ କ୍ଷମା କରିବା କଠିନ ଲାଗେ, ତାହେଲେ ଆପଣ କʼଣ କରିପାରିବେ ?

ରାଗ ରଖନ୍ତୁ ନାହିଁ

୧୦. କାହାରିକୁ ହୃଦୟରୁ କ୍ଷମା କରିବା ପାଇଁ ଆମକୁ କେଉଁ କଥା ମନେ ରଖିବାକୁ ପଡ଼ିବ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୦ ହୋଇପାରେ କେହି ଆପଣଙ୍କୁ ଦୁଃଖ ପହଞ୍ଚାଇଛନ୍ତି ଓ ଆପଣ ତାହା ଭୁଲିପାରୁ ନାହାନ୍ତି । ଏପରି ସମୟରେ ଆପଣ କʼଣ କରିପାରିବେ ? ମନେ ରଖନ୍ତୁ, କାହାରିକୁ ହୃଦୟରୁ କ୍ଷମା କରିବା ପାଇଁ ସମୟ ଲାଗେ । ଯେପରି ଯେବେ ଜଣେ ଲୋକକୁ ଗଭୀର ଆଘାତ ଲାଗେ, ତେବେ ତାହା ଠିକ୍‌ ହେବା ପାଇଁ ସମୟ ଲାଗେ । ଠିକ୍‌ ସେହିପରି, ହୃଦୟରେ ବି ଯେବେ ଆଘାତ ଲାଗେ, ତେବେ ତାହା ବି ଠିକ୍‌ ହେବା ପାଇଁ ସମୟ ଲାଗିପାରେ । ଏହା ପରେ ହିଁ ଆମେ କାହାରିକୁ ହୃଦୟରୁ କ୍ଷମା କରିପାରୁ ।—ଉପ. ୩:୩; ୧ ପିତ. ୧:୨୨.

ଯେବେ ଜଣେ ବ୍ୟକ୍ତିକୁ ଗଭୀର ଆଘାତ ପହଞ୍ଚେ, ତେବେ ତାʼର ଯତ୍ନ ନେବାର ଆବଶ୍ୟକ ପଡ଼େ ଆଉ ତାକୁ ଠିକ୍‌ ହେବା ପାଇଁ ସମୟ ଲାଗେ । ହୃଦୟରେ ପହଞ୍ଚିଥିବା ଆଘାତକୁ ମଧ୍ୟ ଠିକ୍‌ ହେବା ପାଇଁ ସମୟ ଲାଗେ (ପାରାଗ୍ରାଫ ୧୦)


୧୧. ଅନ୍ୟମାନଙ୍କୁ କ୍ଷମା କରିବା ପାଇଁ ପ୍ରାର୍ଥନା କରିବା କାହିଁକି ଜରୁରୀ ?

୧୧ କ୍ଷମା କରିବା ପାଇଁ ପ୍ରାର୍ଥନା କରିବା ବି ଜରୁରୀ । c ପୁଣିଥରେ ଭଉଣୀ ଏନ୍‌ଙ୍କ ଅନୁଭୂତି ଉପରେ ଧ୍ୟାନ ଦିଅନ୍ତୁ । ସେ କହନ୍ତି ଯେ ପ୍ରାର୍ଥନା କରି କିପରି ତାଙ୍କୁ ସାହାଯ୍ୟ ମିଳିଲା: “ମୁଁ ଯିହୋବାଙ୍କୁ ପ୍ରାର୍ଥନା କଲି ଯେ ସେ ଆମ ସମସ୍ତଙ୍କୁ କ୍ଷମା କରିଦିଅନ୍ତୁ, କାରଣ ଆମେ ସମସ୍ତେ ଏପରି କିଛି କହିଥିଲୁ ବା କରିଥିଲୁ ଯାହା ଠିକ୍‌ ନ ଥିଲା । ତାʼପରେ ମୁଁ ମୋ ବାପା ଓ ତାଙ୍କ ସ୍ତ୍ରୀଙ୍କୁ ଗୋଟିଏ ଚିଠି ଲେଖିଲି ଏବଂ କହିଲି ଯେ ମୁଁ ସେମାନଙ୍କୁ କ୍ଷମା କରି ଦେଇଛି ।” ଭଉଣୀ ଏନ୍‌ଙ୍କ ପାଇଁ ଏପରି କରିବା ସହଜ ନ ଥିଲା, ତଥାପି ସେ ସେମାନଙ୍କୁ କ୍ଷମା କଲେ । ସେ କହନ୍ତି, “ଯିହୋବା ଆମକୁ ସବୁବେଳେ କ୍ଷମା କରନ୍ତି, ସେଥିପାଇଁ ମୁଁ ମୋ ବାପା ଓ ତାଙ୍କ ସ୍ତ୍ରୀଙ୍କୁ କ୍ଷମା କଲି । ହୁଏତ ଏପରି ଦ୍ୱାରା ସେମାନେ ଦୁହେଁ ଯିହୋବାଙ୍କ ବିଷୟରେ ଜାଣିବାକୁ ଚାହିଁବେ !”

୧୨. ନିଜ ହୃଦୟର କଥା ଶୁଣିବା ପରିବର୍ତ୍ତେ ଆମକୁ କାହିଁକି ଯିହୋବାଙ୍କ ଉପରେ ଭରସା ରଖିବା ଉଚିତ୍‌ ? (ହିତୋପଦେଶ ୩:୫, ୬)

୧୨ ଯିହୋବାଙ୍କ ଉପରେ ଭରସା ରଖନ୍ତୁ । ନିଜ ହୃଦୟର କଥା ଶୁଣନ୍ତୁ ନାହିଁ । (ହିତୋପଦେଶ ୩:୫, ୬ ପଢ଼ନ୍ତୁ) ଆମ ପାଇଁ କʼଣ ଭଲ, ଏହା ଯିହୋବା ହିଁ ଭଲଭାବେ ଜାଣନ୍ତି । (ଯିଶା. ୫୫:୮, ୯) ସେ କେବେ ବି ଏପରି କିଛି କରିବା ପାଇଁ କହିବେ ନାହିଁ ଯେଉଁଥିରୁ ଆମକୁ ହିଁ କ୍ଷତି ପହଞ୍ଚିବ । ସେଥିପାଇଁ ଯେବେ ସେ ଆମକୁ, ଅନ୍ୟମାନଙ୍କୁ କ୍ଷମା କରିବା ପାଇଁ କହନ୍ତି ତେବେ ଆମେ ପୂରା ଭରସା ରଖିପାରିବା ଯେ ସେଥିରୁ ଆମକୁ ହିଁ ଲାଭ ହେବ । (ଗୀତ. ୪୦:୪; ଯିଶା. ୪୮:୧୭, ୧୮) କିନ୍ତୁ ଯଦି ଆମେ ନିଜ ହୃଦୟର କଥା ଶୁଣିବା, ତେବେ ହୁଏତ ଆମେ କେବେ ବି ଅନ୍ୟମାନଙ୍କୁ କ୍ଷମା କରିପାରିବା ନାହିଁ । (ହିତୋ. ୧୪:୧୨; ଯିରି. ୧୭:୯) ପୂର୍ବରୁ ଆମେ ଯେଉଁ ଭଉଣୀ ନେଓମିଙ୍କ ବିଷୟରେ କଥା ହୋଇଥିଲୁ ସେ କହନ୍ତି, “ମୁଁ ଭାବି ନେଇଥିଲି ଯେ ଯାହା ବି ହୋଇଯାଉ ନା କାହିଁକି ମୁଁ ମୋ ସ୍ୱାମୀଙ୍କୁ କ୍ଷମା କରିବି ନାହିଁ । କାରଣ ଯଦି ମୁଁ ତାଙ୍କୁ କ୍ଷମା କରିଦିଏ ତାହେଲେ ସେ କେବେ ବି ନିଜକୁ ସୁଧାରିବେ ନାହିଁ । ସେ ପୁଣିଥରେ ସେହି ଭୁଲ କରିବେ ଓ ଭୁଲିଯିବେ ଯେ ସେ ମୋତେ କେତେ ଦୁଃଖ ପହଞ୍ଚାଇଥିଲେ । ମୁଁ ଭାବୁଥିଲି ଯେ ଏପରି କରି ମୁଁ ଠିକ୍‌ କରିଛି, ଯିହୋବା ତ ମୋତେ ବୁଝନ୍ତି । କିନ୍ତୁ ପରେ ମୋତେ ଅନୁଭବ ହେଲା, ଏହା ସତ ଯେ ଯିହୋବା ମୋ ଭାବନାକୁ ବୁଝନ୍ତି କିନ୍ତୁ ଜରୁରୀ ନୁହେଁ ଯେ ସେ ମୋ ସହ ସହମତ ହେବେ । ସେ ଜାଣନ୍ତି ଯେ ମୋ ଉପରେ କʼଣ ବିତୁଛି ଓ ମୋର ଆଘାତ ଠିକ୍‌ ହେବାରେ ସମୟ ଲାଗିବ । କିନ୍ତୁ ସେ ଏହା ବି ଚାହାନ୍ତି ଯେ ମୁଁ ମୋର ସ୍ୱାମୀଙ୍କୁ କ୍ଷମା କରିଦିଏ ।” d

ନିଜ ଦୃଷ୍ଟିକୋଣ ବଦଳାନ୍ତୁ

୧୩. ରୋମୀୟ ୧୨:୧୮-୨୧ ପଦ ଅନୁସାରେ ଆମକୁ କʼଣ କରିବାକୁ ପଡ଼ିବ ?

୧୩ ହୋଇପାରେ ଯେଉଁ ବ୍ୟକ୍ତି ଆମକୁ ଦୁଃଖ ପହଞ୍ଚାଇଛି ଆମେ ତାକୁ କ୍ଷମା କରିଦେବା ଓ ସେବିଷୟରେ ପୁଣିଥରେ କେବେ ବି ଭାବିବା ନାହିଁ । କିନ୍ତୁ ଯଦି ଆମେ ତାକୁ ସତରେ କ୍ଷମା କରିଦେଇଛୁ ତେବେ ଆମେ ଆହୁରି କିଛି କରିବା । ଯଦି ସେହି ବ୍ୟକ୍ତି ଆମ ଖ୍ରୀଷ୍ଟିୟାନ ଭାଇ କିମ୍ବା ଭଉଣୀ, ତାହେଲେ ଆମେ ତାଙ୍କ ସହ ଶାନ୍ତି ବଜାୟ ରଖିବା ପାଇଁ ଆହୁରି ଅଧିକ ଚେଷ୍ଟା କରିବା । (ମାଥି. ୫:୨୩, ୨୪) ରାଗିବା ପରିବର୍ତ୍ତେ ଆମେ ତାଙ୍କ ଉପରେ ଦୟା କରିବା ଏବଂ ତାଙ୍କୁ କ୍ଷମା କରିଦେବା । (ରୋମୀୟ ୧୨:୧୮-୨୧ ପଢ଼ନ୍ତୁ; ୧ ପିତ. ୩:୯) କିନ୍ତୁ ଏପରି କରିବା ପାଇଁ ଆମକୁ କେଉଁ କଥା ସାହାଯ୍ୟ କରିବ ?

୧୪. ଆମକୁ କʼଣ କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ ଏବଂ କାହିଁକି ?

୧୪ ଯିହୋବା ଲୋକମାନଙ୍କଠାରେ ଭଲ ଗୁଣଗୁଡ଼ିକୁ ଦେଖନ୍ତି । (୨ ବଂଶା. ୧୬:୯; ଗୀତ. ୧୩୦:୩) ଆମକୁ ବି ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରିବା ଉଚିତ୍‌ ଏବଂ ଯିଏ ଆମକୁ ଦୁଃଖ ପହଞ୍ଚାଇଛନ୍ତି ତାଙ୍କ ଭଲ ଗୁଣଗୁଡ଼ିକ ଦେଖିବା ଉଚିତ୍‌ । ଯଦି ଆମେ କାହାରି ଭଲ ଗୁଣଗୁଡ଼ିକୁ ଦେଖିବା ପାଇଁ ଚେଷ୍ଟା କରିବା, ତେବେ ଆମକୁ ତାହା ହିଁ ଦେଖାଯିବ କିନ୍ତୁ ଯଦି ଆମେ ଖରାପ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେବା ତାହେଲେ ଆମକୁ ଖରାପ ଗୁଣଗୁଡ଼ିକ ହିଁ ଦେଖାଯିବ । ତେଣୁ ଯେବେ ଆମେ ଅନ୍ୟମାନଙ୍କର ଭଲ ଗୁଣଗୁଡ଼ିକୁ ଦେଖିବା, ତେବେ ତାଙ୍କୁ କ୍ଷମା କରିବା ଆମ ପାଇଁ ସହଜ ହୋଇଯିବ । ଭାଇ ଜେରଡ କହନ୍ତି, “ଯେବେ କୌଣସି ଭାଇ ମୋତେ ଦୁଃଖ ପହଞ୍ଚାନ୍ତି, ତେବେ ତାଙ୍କର ଭୁଲ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ମୁଁ ତାଙ୍କ ଭଲ ଗୁଣଗୁଡ଼ିକ ବିଷୟରେ ଭାବେ । ତେବେ ତାଙ୍କୁ କ୍ଷମା କରିବା ମୋ ପାଇଁ ସହଜ ହୋଇଯାଏ ।”

୧୫. ଜଣେ ବ୍ୟକ୍ତିକୁ ଏହା କହିବା କାହିଁକି ଜରୁରୀ ଯେ ଆପଣ ତାଙ୍କୁ କ୍ଷମା କରିଦେଇଛନ୍ତି ?

୧୫ ଯେଉଁ ଭାଇ କିମ୍ବା ଭଉଣୀ ଆମକୁ ଦୁଃଖ ପହଞ୍ଚାଇଛନ୍ତି, ତାଙ୍କ ସହିତ ପୁଣିଥରେ ଶାନ୍ତି ବଜାୟ ରଖିବା ପାଇଁ ଆମକୁ ଆଉ କିଛି କରିବାକୁ ପଡ଼ିବ । ଆମକୁ ତାଙ୍କୁ କହିବାକୁ ପଡ଼ିବ ଯେ ଆମେ ତାଙ୍କୁ କ୍ଷମା କରିଦେଇଛୁ । ଏପରି କରିବା କାହିଁକି ଜରୁରୀ ? ଧ୍ୟାନ ଦିଅନ୍ତୁ ଯେ ଭଉଣୀ ନେଓମି କʼଣ କହନ୍ତି, “ଯେବେ ମୋ ସ୍ୱାମୀ ମୋତେ ପଚାରିଲେ, ‘କʼଣ ତମେ ମୋତେ କ୍ଷମା କଲ ?’ ତେବେ ମୁଁ କିଛି ବି କହିପାରିଲି ନାହିଁ । ସେସମୟରେ ମୋତେ ଅନୁଭବ ହେଲା ଯେ ମୁଁ ତାଙ୍କୁ ସତରେ କ୍ଷମା କରି ନାହିଁ । କିନ୍ତୁ କିଛି ସମୟ ପରେ ମୁଁ ହୃଦୟରୁ ତାଙ୍କୁ କହିଲି, ‘ମୁଁ ଆପଣଙ୍କୁ କ୍ଷମା କରିଦେଲି ।’ ଏହା ଶୁଣି ତାଙ୍କ ଆଖିରେ ଲୁହ ଭରିଗଲା ଓ ତାଙ୍କ ମନର ବୋଝ ହାଲୁକା ହୋଇଗଲା । ମୋତେ ବି ବହୁତ ଶାନ୍ତି ଲାଗିଲା । ମୁଁ ପୁଣିଥରେ ତାଙ୍କୁ ଭରସା କରିବାକୁ ଲାଗିଲି ଓ ଆମେ ଦୁହେଁ ଭଲ ସାଙ୍ଗ ହୋଇଗଲୁ ।”

୧୬. ଅନ୍ୟମାନଙ୍କୁ କ୍ଷମା କରିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?

୧୬ ଯିହୋବା ଚାହାନ୍ତି ଯେ ଆମେ ଅନ୍ୟମାନଙ୍କୁ କ୍ଷମା କରିଦେଉ । (କଲ. ୩:୧୩) କିନ୍ତୁ ଅନେକ ଥର ଏପରି କରିବା ଆମକୁ କଠିନ ଲାଗିପାରେ, ତଥାପି ଆମେ ଏପରି କରିପାରିବା । ତାହା କିପରି ? ଯେବେ କେହି ଆମକୁ ଦୁଃଖ ପହଞ୍ଚାନ୍ତି, ତେବେ ଆମେ ନିଜ ଭାବନାଗୁଡ଼ିକୁ ଅଣଦେଖା କରିବା ଉଚିତ୍‌ ନୁହେଁ । ଏପରି କରିବା ସହ ଆମକୁ ସେହି ଲୋକ ଉପରେ ରାଗ ନ ରଖିବା ପାଇଁ ବି ଚେଷ୍ଟା କରିବା ଉଚିତ୍‌ ଆଉ ତାʼ ବିଷୟରେ ନିଜ ଦୃଷ୍ଟିକୋଣ ବଦଳାଇବା ଉଚିତ୍‌ ।—“ ଅନ୍ୟମାନଙ୍କୁ କିପରି କ୍ଷମା କରିବା—ତିନୋଟି ପରାମର୍ଶ” ନାମକ ବକ୍ସ ଦେଖନ୍ତୁ ।

କ୍ଷମା କରିବାର ଲାଭ

୧୭. ଆମକୁ କାହିଁକି ଅନ୍ୟମାନଙ୍କୁ କ୍ଷମା କରିବା ଉଚିତ୍‌ ?

୧୭ ଅନ୍ୟମାନଙ୍କୁ କ୍ଷମା କରିବା ପାଇଁ ଆମ ପାଖରେ ଅନେକ କାରଣ ରହିଛି । ସେମଧ୍ୟରୁ ତିନୋଟି କାରଣ ଉପରେ ଧ୍ୟାନ ଦିଅନ୍ତୁ । ଯେବେ ଆମେ ଅନ୍ୟମାନଙ୍କୁ କ୍ଷମା କରୁ ତେବେ (୧) ଆମେ ନିଜ ଦୟାଳୁ ପିତା ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରୁ ଏବଂ ତାଙ୍କୁ ଖୁସି କରିଥାଉ । (ଲୂକ ୬:୩୬) (୨) ଯିହୋବା ଆମକୁ କ୍ଷମା କରିଛନ୍ତି ତେଣୁ ଆମେ ନିଜ କୃତଜ୍ଞତା ଦେଖାଇଥାଉ । (ମାଥି. ୬:୧୨) (୩) ଆମ ସ୍ୱାସ୍ଥ୍ୟ ଭଲ ରହିବା ସହିତ ଅନ୍ୟମାନଙ୍କ ସହ ଆମ ସମ୍ପର୍କ ବି ଭଲ ରହେ ।

୧୮-୧୯. ଅନ୍ୟମାନଙ୍କୁ କ୍ଷମା କଲେ, ତାʼର କʼଣ ପରିଣାମ ହୋଇପାରେ ?

୧୮ ଯେବେ ଆମେ ଅନ୍ୟମାନଙ୍କୁ କ୍ଷମା କରୁ, ତେବେ ଆମକୁ ଏତେଗୁଡ଼ିଏ ଆଶିଷ ମିଳିପାରେ ଯେତେ ଆମେ ଭାବି ବି ନ ଥିବା । ଆସନ୍ତୁ ପୁଣିଥରେ ଭଉଣୀ ଡେନିସ୍‌ଙ୍କ ଅନୁଭୂତି ଉପରେ ଧ୍ୟାନ ଦେବା । ଯେଉଁ ଲୋକ ତାଙ୍କ କାରକୁ ଧକ୍କା ଦେଇଥିଲା, ସେ ଭାବୁଥିଲା ଯେ ମକଦ୍ଦମା ପରେ ସେ ଆତ୍ମହତ୍ୟା କରିବ । ଭଉଣୀ ଡେନିସ୍‌ ଏହି କଥା ଜାଣି ନ ଥିଲେ । କିନ୍ତୁ ଯେବେ ଭଉଣୀ ତାକୁ କ୍ଷମା କରିଦେଲେ, ତେବେ ଏହା ସେହି ଲୋକର ହୃଦୟକୁ ଛୁଇଁଗଲା ଓ ସେ ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କରିବାକୁ ଲାଗିଲା ।

୧୯ ଆମକୁ ବି ହୁଏତ ଅନ୍ୟମାନଙ୍କୁ କ୍ଷମା କରିବା କଠିନ ଲାଗିପାରେ । କିନ୍ତୁ ଯଦି ଆମେ ଏପରି କରିବା ତେବେ ଆମକୁ ଅନେକ ଆଶିଷ ମିଳିବ । (ମାଥି. ୫:୭) ତେଣୁ ଆସନ୍ତୁ ଆମେ ଯିହୋବାଙ୍କ ଭଳି ହେବା ଓ ଅନ୍ୟମାନଙ୍କୁ କ୍ଷମା କରିବା ।

ଗୀତ ୧୨୫ ଖୁସ୍‌ ହୈ ରହମ୍‌ଦିଲ୍‌ !

a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

b ଏପରି ମାମଲାରେ ପ୍ରତ୍ୟେକ ଖ୍ରୀଷ୍ଟିୟାନଙ୍କୁ ନିଜେ ନିଷ୍ପତ୍ତି ନେବାକୁ ପଡ଼େ ଯେ ସେ କʼଣ କରିବେ ।

c jw.org ୱେବସାଇଟ୍‌ରେ ଦିଆଯାଇଥିବା ବ୍ରୋଡକାଷ୍ଟିଙ୍ଗ୍‌ର ଏହି ଗୀତ ଦେଖନ୍ତୁ, “ଏକ ଦୁସ୍‌ରେ କୋ ମାଫ୍‌ କାରେ,” “ଦିଲ ସେ ମାଫ୍‌ କାରୁଁ” ଏବଂ “ଆଓ ସୁଲାହ୍‌ କାରେ ।

d ଅଶ୍ଳୀଳ ଚିତ୍ରଗୁଡ଼ିକ ଓ ଭିଡିଓ ଦେଖିବା ଗୋଟିଏ ବଡ଼ ପାପ ଅଟେ ଏବଂ ଏଥିରୁ ନିର୍ଦ୍ଦୋଷ ସାଥୀଙ୍କୁ ବହୁତ କଷ୍ଟ ପହଞ୍ଚେ । କିନ୍ତୁ ବାଇବଲ ଅନୁସାରେ ନିର୍ଦ୍ଦୋଷ ସାଥୀ ଏହି କାରଣରୁ ଛାଡ଼ପତ୍ର ଦେଇପାରିବେ ନାହିଁ ।