इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଆପଣଙ୍କ ପ୍ରଶ୍ନ

ଆପଣଙ୍କ ପ୍ରଶ୍ନ

ରୂତ ୪:୧ ପଦରେ ଯେଉଁ ମୁକ୍ତିକର୍ତ୍ତା ବ୍ୟକ୍ତି ବିଷୟରେ କୁହାଯାଇଛି, ସେ ଏପରି କାହିଁକି କହିଲେ ଯେ ଯଦି ସେ ରୂତଙ୍କ ସହ ବିବାହ କରିବେ, ତେବେ ତାଙ୍କ “ଅଧିକାରର କ୍ଷତି” ହେବ ? (ରୂତ ୪:୬)

ପ୍ରାଚୀନ ସମୟରେ ଯଦି ଜଣେ ବିବାହିତ ଇସ୍ରାଏଲୀୟ ବ୍ୟକ୍ତିର ମୃତ୍ୟୁ ହୋଇଯାଉଥିଲା ଓ ତାʼର କୌଣସି ପିଲା ନ ଥିଲା, ତେବେ କିଛି ମାମଲା ସୃଷ୍ଟି ହେଉଥିଲା । ଯେପରି, ଯଦି ତାʼର କୌଣସି ଜମି ଥାନ୍ତା ତେବେ ତାʼର କʼଣ ହୁଅନ୍ତା ? କʼଣ ସେହି ପରିବାରର ନାମ ଲୋପ ପାଇଯାନ୍ତା ? ଏହି ପ୍ରଶ୍ନର ଉତ୍ତର ମୋଶାଙ୍କ ବ୍ୟବସ୍ଥାରୁ ମିଳିପାରେ ।

ଯଦି ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଯାଉଥିଲା, ତେବେ ତାʼ ଭାଇ କିମ୍ବା ନିକଟ ସମ୍ପର୍କୀୟକୁ ସେହି ଜମି ଉତ୍ତରାଧିକାରୀ ଭାବେ ମିଳୁଥିଲା । ଯଦି ଦରିଦ୍ରତା ଯୋଗୁଁ ତାକୁ ନିଜ ଜମି ବିକ୍ରି କରିବାକୁ ପଡ଼ିଲା, ତେବେ ତାʼ ଭାଇ କିମ୍ବା ନିକଟ ସମ୍ପର୍କୀୟ ସେହି ଜମିକୁ ପୁଣିଥରେ କିଣି ପାରୁଥିଲେ । ଏପରି ଭାବେ ସେହି ବ୍ୟକ୍ତିର ଜମି ତାʼ ବଂଶରେ ହିଁ ସବୁଦିନ ଯାଏ ରହୁଥିଲା ।—ଲେବୀ. ୨୫:୨୩-୨୮; ଗଣ. ୨୭:୮-୧୧.

କିନ୍ତୁ ଯେଉଁ ବ୍ୟକ୍ତିର ମୃତ୍ୟୁ ହୋଇଯାଉଥିଲା, ତେବେ ତାʼ ନାମକୁ କିପରି ରକ୍ଷା କରାଯାଉଥିଲା ? ତାʼ ଭାଇ ସେହି ବିଧବାକୁ ବିବାହ କରୁଥିଲା । ଏହି ପରମ୍ପରାକୁ ଦିଅର-ଭାଉଜ ବିବାହ କୁହାଯାଉଥିଲା । ରୂତଙ୍କ ଘଟଣାରେ ମଧ୍ୟ ଏପରି ହିଁ ହୋଇଥିଲା । ଏପରି ଭାବେ ବିବାହ କରିବା ଯୋଗୁଁ ସେମାନଙ୍କ ଯେଉଁ ପ୍ରଥମ ପୁତ୍ର ହୁଅନ୍ତା, ସେ ସେହି ମରିଯାଇଥିବା ବ୍ୟକ୍ତିର ବଂଶକୁ ଆଗକୁ ବଢ଼ାନ୍ତା ଯାହାଦ୍ୱାରା ତାʼ ନାମର ରକ୍ଷା ହୁଅନ୍ତା । ତାକୁ ସେହି ବ୍ୟକ୍ତିର ଜମି ମଧ୍ୟ ଉତ୍ତରାଧିକାରୀ ଭାବେ ମିଳନ୍ତା । ଏହି ବଢ଼ିଆ ବ୍ୟବସ୍ଥା ଯୋଗୁଁ ସେହି ବିଧବା ସ୍ତ୍ରୀର ମଧ୍ୟ ଦେଖାଶୁଣା ହୋଇପାରୁଥିଲା ।—ଦ୍ୱିବି. ୨୫:୫-୭; ମାଥି. ୨୨:୨୩-୨୮.

ଟିକେ ନୟମୀଙ୍କ ଘଟଣା ଉପରେ ଧ୍ୟାନ ଦିଅନ୍ତୁ । ତାଙ୍କ ବିବାହ ଏଲିମେଲକଙ୍କ ସହ ହୋଇଥିଲା ଓ ସେମାନଙ୍କ ଦୁଇ ଜଣ ପୁଅ ଥିଲେ । କିନ୍ତୁ ପରେ ଏଲିମେଲକ ଓ ସେହି ଦୁଇ ଜଣ ପୁଅଙ୍କ ମୃତ୍ୟୁ ହୋଇଗଲା । ଏବେ ନୟମୀଙ୍କ ଯତ୍ନ ନେବା ପାଇଁ କେହି ବି ନ ଥିଲେ । (ରୂତ ୧:୧-୫) ତାʼପରେ ନୟମୀ ନିଜ ଦେଶ ଯିହୂଦାକୁ ଫେରିଗଲେ । ନିଜ ବୋହୂ ରୂତକୁ ସେ କହିଲେ ଯେ ବୋୟଜ ତାଙ୍କର ନିକଟ ସମ୍ପର୍କୀୟ ଅଟନ୍ତି । ତେଣୁ ସେ ଯାଇ ତାଙ୍କୁ କହୁ ଯେ ସେ ତାଙ୍କ ଜମିକୁ ପୁଣିଥରେ କିଣନ୍ତୁ । (ରୂତ ୨:୧, ୧୯, ୨୦; ୩:୧-୪) କିନ୍ତୁ ବୋୟଜ ଜାଣିଥିଲେ ଯେ ଆଉ ଜଣେ ବ୍ୟକ୍ତି ଅଛନ୍ତି, ଯାହାଙ୍କ ପାଖରେ ଏହି ଜମିକୁ କିଣିବାର ପ୍ରଥମ ଅଧିକାର ଅଛି । କାରଣ ସେହି ବ୍ୟକ୍ତି, ବୋୟଜଙ୍କଠାରୁ ନୟମୀଙ୍କ ଅଧିକ ନିକଟ ସମ୍ପର୍କୀୟ ଥିଲେ । ସେହି ବ୍ୟକ୍ତିର ନାମ ବାଇବଲରେ ଦିଆଯାଇନାହିଁ ।—ରୂତ ୩:୯, ୧୨, ୧୩.

ସେହି ବ୍ୟକ୍ତି ସେହି ଜମିକୁ କିଣିବା ପାଇଁ ରାଜି ହୋଇଗଲା । (ରୂତ ୪:୧-୪) ଏଥିରେ ଅଳ୍ପ ବହୁତ ଖର୍ଚ୍ଚ ହୁଅନ୍ତା, କିନ୍ତୁ ସେ ଜାଣିଥିଲା ଯେ ଏହି ବୟସରେ ନୟମୀର କୌଣସି ପିଲା ହେବେନି, ଯାହାକୁ ଏହି ଜମି ଉତ୍ତରାଧିକାରୀ ଭାବେ ମିଳନ୍ତା । ତେଣୁ ସେ ଭାବିଥିବ ଯେ ଏଥିରେ ନିବେଶ କଲେ ବହୁତ ଲାଭ ହେବ, କାରଣ ଏଲିମେଲକର ସବୁ ଜମି ତାʼର ହୋଇଯିବ ।

କିନ୍ତୁ ଯେବେ ସେହି ବ୍ୟକ୍ତିକୁ ଜଣାପଡ଼ିଲା ଯେ ତାକୁ ରୂତଙ୍କ ସହ ବିବାହ କରିବାକୁ ପଡ଼ିବ, ତେବେ ସେ ନିଜ ମନ ପରିବର୍ତ୍ତନ କରିଦେଲା । ସେ କହିଲା “ମୁଁ ଆପଣା ନିମନ୍ତେ ତାହା କରି ନ ପାରେ, ତାହା କଲେ, ମୋହର ନିଜ ଅଧିକାରର କ୍ଷତି ହେବ ।” (ରୂତ ୪:୫, ୬) ସେହି ବ୍ୟକ୍ତି ନିଜ କଥାରୁ କାହିଁକି ପଛଘୁଞ୍ଚା ଦେଲା ?

ଯଦି ସେହି ବ୍ୟକ୍ତି କିମ୍ବା ଅନ୍ୟ କେହି ବ୍ୟକ୍ତି ରୂତଙ୍କ ସହ ବିବାହ କରନ୍ତେ ଓ ରୂତଙ୍କ ଗୋଟିଏ ପୁଅ ହୁଅନ୍ତା, ତାହେଲେ ଏଲିମେଲକଙ୍କ ସବୁ ଜମି ସେହି ପୁଅକୁ ମିଳନ୍ତା । କିନ୍ତୁ ଏଥିରୁ ସେହି ବ୍ୟକ୍ତିର ନିଜ “ଅଧିକାରର କ୍ଷତି” କିପରି ହୁଅନ୍ତା ? ବାଇବଲରେ ଏବିଷୟରେ ସିଧା ସିଧା କିଛି କୁହାଯାଇନାହିଁ । କିନ୍ତୁ ହୋଇପାରେ, ଆଗକୁ ଦିଆଯାଇଥିବା କାରଣଗୁଡ଼ିକ ଯୋଗୁଁ ତାକୁ ଏପରି ଲାଗିଥିବ ।

  • ପ୍ରଥମ, ହୁଏତ ସେ ଭାବିଥିବ ଯେ ଏଲିମେଲକଙ୍କ ଜମି ଆଗକୁ ଯାଇ ରୂତଙ୍କ ପୁଅକୁ ମିଳିବ, ତେଣୁ ସେହି ଜମିକୁ କିଣିବା ପାଇଁ ପଇସା ଦେବା ବେକାର ଅଟେ ।

  • ଦ୍ୱିତୀୟ, ଯଦି ସେ ଏହି ଦାୟିତ୍ୱ ନିଅନ୍ତା, ତାହେଲେ ତାକୁ ନୟମୀ ଓ ରୂତ ଦୁଇ ଜଣଙ୍କ ଖାଇବା ପିଇବା ଓ ରହିବାର ଖର୍ଚ୍ଚ ଉଠାଇବାକୁ ପଡ଼ନ୍ତା ।

  • ତୃତୀୟ, ଯଦି ସେହି ବ୍ୟକ୍ତିର ରୂତଙ୍କଠାରୁ ଆହୁରି ସନ୍ତାନ ହୁଅନ୍ତେ ଓ ସେହି ବ୍ୟକ୍ତିର ପୂର୍ବରୁ ମଧ୍ୟ ଆଉ କିଛି ସନ୍ତାନ ଥାନ୍ତେ, ତାହେଲେ ତାʼ ପୂର୍ବେ ଥିବା ପିଲାମାନଙ୍କୁ ମିଳୁଥିବା ସମ୍ପତ୍ତି ରୂତଙ୍କ ପିଲାମାନଙ୍କ ସହ ବାଣ୍ଟିବାକୁ ପଡ଼ନ୍ତା ।

  • ଚତୁର୍ଥ, ଯଦି ସେହି ବ୍ୟକ୍ତିର ପୂର୍ବରୁ କୌଣସି ପିଲା ନ ଥାନ୍ତେ ଓ ରୂତଙ୍କୁ ବିବାହ କରିବା ଯୋଗୁଁ ତାଙ୍କ ଗୋଟିଏ ପୁଅ ହୁଅନ୍ତା, ତାହେଲେ ସେହି ପୁଅକୁ ଏଲିମେଲକଙ୍କ ଜମି ମିଳନ୍ତା, ତାʼସହ ସେହି ବ୍ୟକ୍ତିର ଜମି ମଧ୍ୟ ସେହି ପୁଅକୁ ହିଁ ମିଳନ୍ତା । ଏପରି ଭାବେ ସେହି ବ୍ୟକ୍ତିର ଜମି ଏପରି ପୁଅକୁ ମିଳନ୍ତା ଯିଏ ସେହି ବ୍ୟକ୍ତିର ନୁହେଁ, ବରଂ ଏଲିମେଲକଙ୍କ ପୁଅ କୁହାଯାନ୍ତା । ସେହି ବ୍ୟକ୍ତି ଚାହୁଁ ନ ଥିଲା ଯେ ନୟମୀଙ୍କୁ ସାହାଯ୍ୟ କରିବା ଯୋଗୁଁ ତାʼ ନିଜ ସମ୍ପତ୍ତିକୁ କ୍ଷତି ପହଞ୍ଚୁ । ତେଣୁ ସେ ବୋୟଜଙ୍କୁ କହିଲା ଯେ ସେ ତାଙ୍କ ଜମିକୁ କିଣି ନେଉ, କାରଣ ସେହି ବ୍ୟକ୍ତି ପରେ ବୋୟଜଙ୍କୁ ହିଁ ଏପରି କରିବାର ଅଧିକାର ଥିଲା । ବୋୟଜ ଏପରି କରିବା ପାଇଁ ପ୍ରସ୍ତୁତ ହୋଇଗଲେ, ଯାହାଦ୍ୱାରା ‘ସେହି ମୃତଲୋକର ଅଧିକାରରେ ତାହାର ନାମ ରକ୍ଷା ହେଉ ।’—ରୂତ ୪:୧୦.

ଏପରି ଲାଗେ ଯେ ସେହି ବ୍ୟକ୍ତି କେବଳ ନିଜ ବିଷୟରେ ହିଁ ଭାବୁଥିଲା । ତାକୁ କେବଳ ନିଜ ନାମ ଓ ନିଜ ସମ୍ପତ୍ତିର ହିଁ ଚିନ୍ତା ଥିଲା । କିନ୍ତୁ ତାʼ ନାମ ସବୁଦିନ ପାଇଁ ଲୋପ ପାଇଗଲା । କେବଳ ଏତିକି ନୁହେଁ, ସେ ବହୁତ ବଡ଼ ଆଶିଷ ପାଇବାର ସୁଯୋଗକୁ ହରାଇଦେଲା, ଯାହା ବୋୟଜଙ୍କୁ ମିଳିଲା, ତାʼ ବଂଶରୁ ମସୀହ ଜନ୍ମ ହୋଇପାରନ୍ତେ । କିନ୍ତୁ ସ୍ୱାର୍ଥ୍ୟ ଯୋଗୁଁ ସେ ଦରକାର ସମୟରେ ଜଣେ ସ୍ତ୍ରୀଙ୍କ ସାହାଯ୍ୟ କଲାନି, ତାʼଯୋଗୁଁ ତାକୁ ବହୁତ ଖରାପ ପରିଣାମ ଭୋଗିବାକୁ ପଡ଼ିଲା ।—ମାଥି. ୧:୫; ଲୂକ ୩:୨୩, ୩୨.