इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୦

ବାପ୍ତିସ୍ମ କାହିଁକି ନେବା ?

ବାପ୍ତିସ୍ମ କାହିଁକି ନେବା ?

“ପ୍ରତ୍ୟେକ ଜଣ . . . ବାପ୍ତିଜିତ ହେଉନ୍ତୁ ।”—ପ୍ରେରି. ୨:୩୮.

ଗୀତ ୩୪ ନିଭାଉ ସଦା ୟାହ ସେ ୱଫା

ଲେଖାର ଝଲକ a

୧-୨. (କ) ଯେବେ ଲୋକେ ବାପ୍ତିସ୍ମ ନିଅନ୍ତି, ତେବେ କʼଣ ହୁଏ ? (ଖ) ଏହି ଲେଖାରେ ଆମେ କେଉଁ କଥାଗୁଡ଼ିକ ଉପରେ ଧ୍ୟାନ ଦେବା ?

 କʼଣ ଆପଣ କେବେ କିଛି ଲୋକଙ୍କୁ ବାପ୍ତିସ୍ମ ନେବାର ଦେଖିଛନ୍ତି ? ଟିକେ ସେହି ଘଟଣା ବିଷୟରେ ଭାବନ୍ତୁ । ବାପ୍ତିସ୍ମ ପୂର୍ବେ ସେମାନଙ୍କୁ ଦୁଇଟି ପ୍ରଶ୍ନ ପଚରାଯାଏ, ଯାହାର ଉତ୍ତର ସେମାନେ ପୂରା ବିଶ୍ୱାସର ସହ ଜୋରଦାର୍‌ ଆବାଜରେ ଦିଅନ୍ତି । ସେମାନଙ୍କ ସାଙ୍ଗ ଓ ପରିବାର ଲୋକେ ସେମାନଙ୍କ ପାଇଁ ବହୁତ ଗର୍ବ ଅନୁଭବ କରନ୍ତି । ଯେବେ ସେମାନେ ବାପ୍ତିସ୍ମ ନେଇ ପାଣିରୁ ଉପରକୁ ଆସନ୍ତି, ତେବେ ଚାରିଆଡ଼େ ତାଳିର ଶବ୍ଦ ଶୁଣିବାକୁ ମିଳେ । ଏହା ଦେଖି ସେମାନେ ବହୁତ ଖୁସିରେ ଭରିଯାନ୍ତି । ଏହିପରି, ପ୍ରତି ସପ୍ତାହ ହଜାର ହଜାର ଲୋକ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରନ୍ତି ଓ ବାପ୍ତିସ୍ମ ନେଇ ଯିହୋବାଙ୍କ ସାକ୍ଷୀ ହୋଇଯାନ୍ତି ।

କʼଣ ଆପଣ ମଧ୍ୟ ବାପ୍ତିସ୍ମ ନେବା ପାଇଁ ଭାବୁଛନ୍ତି ? ଯଦି ହଁ, ତେବେ ଆପଣ ଏହି ଦୁଷ୍ଟ ଦୁନିଆରେ ବହୁତ ବିଶେଷ ଅଟନ୍ତି, କାରଣ ଆପଣ “ପରମେଶ୍ୱରଙ୍କ ଅନ୍ୱଷେଣ” କରୁଛନ୍ତି । (ଗୀତ. ୧୪:୧, ୨) ଆପଣ ବୃଦ୍ଧବୃଦ୍ଧା କିମ୍ବା ଯୁବା ଥାନ୍ତୁ, ଏହି ଲେଖା ବିଶେଷ କରି ଆପଣଙ୍କ ପାଇଁ ପ୍ରସ୍ତୁତ କରାଯାଇଛି । ଏଥିରେ ଆମେ ଯିହୋବାଙ୍କ ସେବା କରିବାର ତିନୋଟି କାରଣ ଉପରେ ଧ୍ୟାନ ଦେବା । ଯେଉଁ ଲୋକମାନେ ବାପ୍ତିସ୍ମ ନେଇ ସାରିଛନ୍ତି, ସେମାନଙ୍କୁ ମଧ୍ୟ ଏହି ଲେଖାରୁ ଲାଭ ହେବ । ଏଥିରୁ ଯିହୋବାଙ୍କ ଲଗାତାର ସେବା କରିବାର ତାଙ୍କର ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଯିବ ।

ଆପଣ ସତ୍ୟ ଓ ଧାର୍ମିକତାକୁ ଭଲ ପାଆନ୍ତି

ଶୟତାନ ହଜାର ହଜାର ବର୍ଷରୁ ଯିହୋବାଙ୍କ ନାମକୁ ବଦନାମ କରି ଆସୁଛି ଓ ଆଜି ମଧ୍ୟ ଏପରି କରୁଛି (ପାରାଗ୍ରାଫ ୩-୪)

୩. ଯିହୋବାଙ୍କ ଲୋକମାନେ ସତ୍ୟ ଓ ଧାର୍ମିକତାକୁ କାହିଁକି ଭଲ ପାଆନ୍ତି ? (ଗୀତସଂହିତା ୧୧୯:୧୨୮, ୧୬୩)

ଯିହୋବା ନିଜ ଲୋକମାନଙ୍କୁ ଆଜ୍ଞା ଦେଲେ ଯେ ସେମାନେ ‘ସତ୍ୟକୁ ଭଲ’ ପାଆନ୍ତୁ । (ଯିଖ. ୮:୧୯) ଯୀଶୁ ମଧ୍ୟ ନିଜ ଶିଷ୍ୟମାନଙ୍କୁ ସବୁବେଳେ ଧାର୍ମିକତା ପଥରେ ଚାଲିବା ପାଇଁ ପ୍ରୋତ୍ସାହନ ଦେଲେ । (ମାଥି. ୫:୬) ତାʼ ଅର୍ଥ ଆମ ଭିତରେ ସେହି କାମଗୁଡ଼ିକ କରିବାର ଗଭୀର ଇଚ୍ଛା ହେବା ଉଚିତ୍‌, ଯାହା ଈଶ୍ୱରଙ୍କ ଅନୁସାରେ ଧାର୍ମିକ ଓ ସଠିକ୍‌ ଅଟେ ଓ ଆମେ ତାଙ୍କ ଦୃଷ୍ଟିରେ ଶୁଦ୍ଧ ହୋଇରହିବା । କʼଣ ଆପଣ ଧାର୍ମିକତା ଓ ସତ୍ୟକୁ ପ୍ରେମ କରନ୍ତି ? ଆମକୁ ବିଶ୍ୱାସ ଅଛି ଯେ ଆପଣ ଏପରି କରନ୍ତି । ଆଉ ଆପଣ ମିଛ ଓ ସବୁ ପ୍ରକାର ଦୁଷ୍ଟତାକୁ ଘୃଣା କରନ୍ତି । (ଗୀତସଂହିତା ୧୧୯:୧୨୮, ୧୬୩ ପଢ଼ନ୍ତୁ ।) ଯେଉଁ ଲୋକମାନେ ମିଛ କହନ୍ତି ସେମାନେ ଏହି ଦୁନିଆର ରାଜା ଶୟତାନର ଅନୁକରଣ କରୁଥାନ୍ତି । (ଯୋହ. ୮:୪୪; ୧୨:୩୧) ଶୟତାନ ଏଦନ ବଗିଚାରେ ହୋଇଥିବା ବିଦ୍ରୋହରୁ ଯିହୋବାଙ୍କ ପବିତ୍ର ନାମକୁ ବଦନାମ କରି ଆସୁଛି । ସେସମୟରେ ସତେ ଯେପରି ସେ କହିଲା ଯେ ଯିହୋବା ମିଛ କହନ୍ତି, ସ୍ୱାର୍ଥୀ ଅଟନ୍ତି ଓ ଏପରି ରାଜା ଅଟନ୍ତି ଯିଏ ନିଜ ଲୋକମାନଙ୍କୁ ଭଲ ଜିନିଷଗୁଡ଼ିକ ଦେବା ପାଇଁ ଚାହାନ୍ତିନି । (ଆଦି. ୩:୧, ୪, ୫) ଶୟତାନ ଆଜି ମଧ୍ୟ ଯିହୋବାଙ୍କ ବିଷୟରେ ମିଛ କହି ଲୋକମାନଙ୍କ ମନ ଓ ହୃଦୟରେ ବିଷ ଭରୁଛି । ତାʼଯୋଗୁଁ ଯେବେ ଲୋକମାନେ ‘ସତ୍ୟକୁ ଭଲ’ ପାଆନ୍ତିନି, ତେବେ ଶୟତାନ ଏହି ସୁଯୋଗର ଲାଭ ଉଠାଇ ଅତି ସହଜରେ ସେମାନଙ୍କୁ ଭୁଲ ବାଟରେ ନେଇଯାଏ ଓ ସେମାନେ ସବୁ ପ୍ରକାରର ଖରାପ କାମ କରନ୍ତି ।—ରୋମୀ. ୧:୨୫-୩୧.

୪. ଯିହୋବା ଏହା କିପରି ପ୍ରମାଣିତ କରିଛନ୍ତି ଯେ ସେ “ସତ୍ୟମୟ ପରମେଶ୍ୱର” ଅଟନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଯିହୋବା “ସତ୍ୟମୟ ପରମେଶ୍ୱର” ଅଟନ୍ତି ଓ ସେ ଏହି ସତ୍ୟ ସେମାନଙ୍କୁ ମଧ୍ୟ କହନ୍ତି, ଯେଉଁମାନେ ତାଙ୍କୁ ପ୍ରେମ କରନ୍ତି । (ଗୀତ. ୩୧:୫) ଯେବେ ଯିହୋବା ଲୋକମାନଙ୍କୁ ସତ୍ୟ ଶିଖାନ୍ତି, ତେବେ ଶୟତାନର ମିଥ୍ୟା ଶିକ୍ଷାଗୁଡ଼ିକରୁ ସେମାନେ ମୁକ୍ତ ହୋଇଯାନ୍ତି । ଯିହୋବା ନିଜ ଲୋକମାନଙ୍କୁ ଏହା ମଧ୍ୟ ଶିଖାନ୍ତି ଯେ ସେମାନେ ସବୁବେଳେ ସତ କହନ୍ତୁ ଓ ଧାର୍ମିକ କାମଗୁଡ଼ିକ କରନ୍ତୁ । ଏପରି କଲେ ସେମାନଙ୍କୁ ମନର ଶାନ୍ତି ମିଳେ ଓ ସେମାନେ ଏହି ଦୁନିଆରେ ସମ୍ମାନର ସହ ବଞ୍ଚିପାରନ୍ତି । (ହିତୋ. ୧୩:୫, ୬) ଯେବେ ଆପଣ ବାଇବଲ ଅଧ୍ୟୟନ କରୁଥିଲେ, ତେବେ କʼଣ ଆପଣଙ୍କୁ ବି ଏପରି ହିଁ ଲାଗିଲା ? ଆପଣ ଜାଣିଲେ ଯେ ଯିହୋବାଙ୍କ ରାସ୍ତାରେ ଚାଲିଲେ ହିଁ ଲୋକମାନଙ୍କର ଲାଭ ହେବ ଓ ଆପଣଙ୍କୁ ମଧ୍ୟ ଏହି ରାସ୍ତାରେ ଚାଲି ବହୁତ ଲାଭ ହୋଇଥିବ । (ଗୀତ. ୭୭:୧୩) ତେଣୁ ଆପଣ ଭାବିଲେ ଯେ ଆପଣ ସେହି କାମଗୁଡ଼ିକ କରିବେ ଯାହା ଯିହୋବାଙ୍କ ଦୃଷ୍ଟିରେ ଠିକ୍‌ ଅଟେ । (ମାଥି. ୬:୩୩) ଆପଣ ସତ୍ୟର ପକ୍ଷ ନେବା ପାଇଁ ଚାହାନ୍ତି ଓ ଶୟତାନ ଯିହୋବାଙ୍କ ଉପରେ ଯେଉଁ ଦୋଷ ଲଗାଇଛି, ତାକୁ ମିଛ ପ୍ରମାଣିତ କରିବା ପାଇଁ ଚାହାନ୍ତି । କିନ୍ତୁ ଆପଣ ଏହା କିପରି କରିପାରିବେ ?

୫. ଆପଣ ଏହା କିପରି ପ୍ରମାଣିତ କରିପାରିବେ ଯେ ଆପଣ ସତ୍ୟ ଓ ଧାର୍ମିକତାକୁ ଭଲ ପାଆନ୍ତି ?

ଆପଣ ଯେପରି ଭାବେ ଜୀବନ ବିତାଇବେ, ସେଥିରୁ ପ୍ରମାଣିତ କରିପାରିବେ ଯେ ଆପଣ ସତ୍ୟ ଓ ଧାର୍ମିକତାକୁ ପ୍ରେମ କରନ୍ତି । ଏପରି ଭାବେ ଆପଣ ଏହା କହୁଥିବେ, “ମୁଁ ଶୟତାନର ମିଛ କଥାଗୁଡ଼ିକୁ ବିଶ୍ୱାସ କରିବିନି, ବରଂ ସତ୍ୟକୁ ସହଯୋଗ ଦେବି । ଯିହୋବା ମୋ ରାଜା ଅଟନ୍ତି ଓ ମୁଁ ତାଙ୍କ ଦୃଷ୍ଟିରେ ଯାହା ଠିକ୍‌ ତାହା ହିଁ କରିବି ।” କିନ୍ତୁ ଆପଣ ଏହା କିପରି କରିପାରିବେ ? ଆପଣ ପ୍ରାର୍ଥନାରେ ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରି ଓ ତାʼପରେ ନିଜ ସମର୍ପଣ ଦେଖାଇବା ପାଇଁ ସମସ୍ତଙ୍କ ଆଗରେ ବାପ୍ତିସ୍ମ ନେଇ ଏପରି କରିପାରିବେ । ସତ୍ୟ ଓ ଧାର୍ମିକତା ପାଇଁ ପ୍ରେମ ଆପଣଙ୍କୁ ବାପ୍ତିସ୍ମ ନେବା ପାଇଁ ପ୍ରେରିତ କରିବ ।

ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେମ କରନ୍ତି

୬. ଗୀତସଂହିତା ୪୫:୪ ପଦରେ ଯୀଶୁଙ୍କୁ ପ୍ରେମ କରିବାର କେଉଁ କାରଣଗୁଡ଼ିକ ବିଷୟରେ କୁହାଯାଇଛି ?

ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ କାହିଁକି ପ୍ରେମ କରନ୍ତି ? ଟିକେ ଗୀତସଂହିତା ୪୫:୪ ପଦ ଉପରେ ଧ୍ୟାନ ଦିଅନ୍ତୁ । (ପଢ଼ନ୍ତୁ ।) ସେଠାରେ କୁହାଯାଇଛି ଯେ ଯୀଶୁ ସତ୍ୟତା, ନମ୍ରତା ଓ ଧର୍ମ ସକାଶେ ବା ଧାର୍ମିକତା ପାଇଁ ଯୁଦ୍ଧ ଲଢ଼ନ୍ତି, ତାଙ୍କ ପାଇଁ ଏହି ତିନୋଟି କଥା ବହୁତ ମହତ୍ତ୍ୱ ରଖେ । ତେଣୁ ଯଦି ଆପଣଙ୍କୁ ସତ୍ୟ ଓ ଧାର୍ମିକତା ପାଇଁ ପ୍ରେମ ଅଛି, ତେବେ ଏହା ନିଶ୍ଚିତ ଯେ ଆପଣ ଯୀଶୁଙ୍କୁ ମଧ୍ୟ ପ୍ରେମ କରିବେ । ମନେପକାନ୍ତୁ ଯେ ଯୀଶୁ କିପରି ସାହସର ସହ ଧାର୍ମିକତା ଓ ସତ୍ୟର ପକ୍ଷ ନେଲେ । (ଯୋହ. ୧୮:୩୭) କିନ୍ତୁ ନମ୍ର ରହିବା ପାଇଁ ସେ କିପରି ପ୍ରୋତ୍ସାହନ ଦେଲେ ? ଆସନ୍ତୁ ଜାଣିବା ।

୭. ଯୀଶୁ ଯେପରି ନମ୍ରତା ଦେଖାଇଲେ, ସେଥିରୁ କେଉଁ କଥା ଆପଣଙ୍କୁ ଭଲ ଲାଗେ ?

ଯୀଶୁ ନିଜ ବଞ୍ଚିବାର ଶୈଳୀରୁ ଶିଖାଇଲେ ଯେ ଆମେ କିପରି ନମ୍ର ରହିପାରିବା । ଯେପରି ସେ କେବେ ବି ଲୋକଙ୍କଠାରୁ ନିଜର ପ୍ରଶଂସା କରାଇଲେନି, ବରଂ ସେ ସବୁ ମହିମା ନିଜ ପିତାଙ୍କୁ ଦେଲେ । (ମାର୍କ ୧୦:୧୭,୧୮; ଯୋହ. ୫:୧୯) ଯେବେ ଆପଣ ଯୀଶୁଙ୍କ ନମ୍ରତା ବିଷୟରେ ଭାବନ୍ତି, ତେବେ ଆପଣଙ୍କୁ କିପରି ଲାଗେ ? କʼଣ ଆପଣଙ୍କୁ ତାଙ୍କୁ ପ୍ରେମ କରିବା ଓ ତାଙ୍କ ଭଳି ହେବା ପାଇଁ ଇଚ୍ଛା ହୁଏନି ? ନିଶ୍ଚୟ ହେଉଥିବ ! କିନ୍ତୁ ଯୀଶୁ ଏତେ ନମ୍ର କାହିଁକି ଅଟନ୍ତି ? କାରଣ ସେ ନିଜ ପିତାଙ୍କୁ ବହୁତ ପ୍ରେମ କରନ୍ତି ଯିଏକି ବହୁତ ନମ୍ର ଅଟନ୍ତି ଓ ତାଙ୍କ ଭଳି ହେବା ପାଇଁ ଚାହାନ୍ତି । (ଗୀତ. ୧୮:୩୫; ଏବ୍ରୀ ୧:୩) ସତରେ, ଯୀଶୁ ଠିକ୍‌ ଯିହୋବାଙ୍କ ଭଳି ଗୁଣଗୁଡ଼ିକ ଦେଖାଇଲେ । ଏହା ଜାଣି କʼଣ ଆପଣ ଯୀଶୁଙ୍କୁ ଆହୁରି ପ୍ରେମ କରିବାକୁ ଲାଗିବେନି ?

୮. ଆମେ ନିଜ ରାଜା ଯୀଶୁଙ୍କୁ କାହିଁକି ପ୍ରେମ କରୁ ?

ଆମେ ଯୀଶୁଙ୍କୁ ବହୁତ ପ୍ରେମ କରୁ ଆଉ ଆମେ ବହୁତ ଖୁସି ଯେ ସେ ଆମ ରାଜା ଅଟନ୍ତି, କାରଣ ତାଙ୍କଠାରୁ ଭଲ ରାଜା ଆଉ କେହି ବି ହୋଇପାରିବେନି । ତାଙ୍କୁ ଯିହୋବା ନିଜେ ଶିଖାଇଛନ୍ତି ଓ ଆମ ରାଜା ନିଯୁକ୍ତ କରିଛନ୍ତି । (ଯିଶା. ୫୦:୪, ୫) ଆଉ ଯୀଶୁ ମଧ୍ୟ ଆମକୁ ବହୁତ ପ୍ରେମ କରନ୍ତି, ତେଣୁ ସେ ଆମ ପାଇଁ ନିଜ ଜୀବନ ବଳିଦାନ କରିଦେଲେ । (ଯୋହ. ୧୩:୧) ଏପରି ରାଜାଙ୍କୁ କିଏ ପ୍ରେମ କରିବନି ? ଯୀଶୁ କହିଲେ ଯେ ଯେଉଁ ଲୋକମାନେ ସତରେ ତାଙ୍କୁ ପ୍ରେମ କରନ୍ତି, ସେମାନେ ତାଙ୍କ ଆଜ୍ଞାଗୁଡ଼ିକୁ ପାଳନ କରନ୍ତି ଓ ଏପରି ଲୋକମାନଙ୍କୁ ସେ ନିଜ ସାଙ୍ଗ କୁହନ୍ତି । (ଯୋହ. ୧୪:୧୫; ୧୫:୧୪, ୧୫) ଭାବନ୍ତୁ, ଯିହୋବାଙ୍କ ପୁତ୍ରଙ୍କ ସାଙ୍ଗ ହେବା କେତେ ବଡ଼ କଥା ଅଟେ !

୯. ଯୀଶୁ ଯେଉଁ ବାପ୍ତିସ୍ମ ନେଲେ ଓ ତାଙ୍କ ଶିଷ୍ୟମାନେ ଯେଉଁ ବାପ୍ତିସ୍ମ ନିଅନ୍ତି, ସେଥିରେ କେଉଁ କଥା ଏକାଭଳି ଅଛି ?

ଯୀଶୁ ନିଜ ଶିଷ୍ୟମାନଙ୍କୁ ବାପ୍ତିସ୍ମ ନେବା ପାଇଁ ଆଜ୍ଞା ଦେଲେ । (ମାଥି. ୨୮:୧୯, ୨୦) ସେ ନିଜେ ମଧ୍ୟ ଏପରି କରିଥିଲେ । କିନ୍ତୁ ଯୀଶୁଙ୍କ ବାପ୍ତିସ୍ମ ଓ ତାଙ୍କ ଶିଷ୍ୟମାନଙ୍କ ବାପ୍ତିସ୍ମରେ କିଛି ଫରକ ଥିଲା । (“ ଯୀଶୁଙ୍କ ବାପ୍ତିସ୍ମ ଓ ତାଙ୍କ ଶିଷ୍ୟମାନଙ୍କ ବାପ୍ତିସ୍ମ ମଧ୍ୟରେ କʼଣ ଫରକ ଅଛି ?” ନାମକ ବକ୍ସ ଦେଖନ୍ତୁ ।) କିନ୍ତୁ କିଛି ମାମଲାରେ ତାହା ଏକାଭଳି ଅଟେ । ଯେପରି ଯେବେ ଯୀଶୁ ବାପ୍ତିସ୍ମ ନେଲେ, ତେବେ ସେ ଦେଖାଇଲେ ଯେ ଏବେଠୁ ସେ ନିଜ ପିତାଙ୍କ ଇଚ୍ଛା ପୂରା କରିବେ । (ଏବ୍ରୀ ୧୦:୭) ସେହିପରି ଯେବେ ତାଙ୍କ ଶିଷ୍ୟମାନେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କରି ବାପ୍ତିସ୍ମ ନିଅନ୍ତି, ତେବେ ସେମାନେ ସମସ୍ତଙ୍କ ଆଗରେ ଏହା ଦେଖାନ୍ତି ଯେ ଏବେଠାରୁ ତାଙ୍କ ପାଇଁ ନିଜ ଇଚ୍ଛା ନୁହେଁ, ବରଂ ଯିହୋବାଙ୍କ ଇଚ୍ଛା ପୂରା କରିବା ସବୁଠୁ ଜରୁରୀ ଅଟେ । ଏପରି ଭାବେ ସେମାନେ ଯୀଶୁଙ୍କ ଭଳି ହୁଅନ୍ତି ।

୧୦. ଆପଣ ଯୀଶୁଙ୍କୁ କାହିଁକି ପ୍ରେମ କରନ୍ତି ଓ ଏହି ପ୍ରେମ ଆପଣଙ୍କୁ କʼଣ କରିବା ପାଇଁ ପ୍ରେରିତ କରିବ ?

୧୦ ବାଇବଲ ଅଧ୍ୟୟନ କରି ଆପଣ ଯୀଶୁଙ୍କ ବିଷୟରେ ବହୁତ କଥା ଜାଣିପାରିଛନ୍ତି । ଆପଣ ମାନନ୍ତି ଯେ ଯୀଶୁ ହିଁ ଯିହୋବାଙ୍କ ଏକମାତ୍ର ପୁତ୍ର ଅଟନ୍ତି ଓ ଆପଣଙ୍କୁ ବହୁତ ଖୁସି ଲାଗେ ଯେ ଈଶ୍ୱର ତାଙ୍କୁ ଆମ ଉପରେ ଶାସନ କରିବା ପାଇଁ ଅଧିକାର ଦେଇଛନ୍ତି । ଆପଣ ଜାଣନ୍ତି ଯେ ସେ ବହୁତ ନମ୍ର ଓ ପୂରାପୂରି ତାଙ୍କ ପିତା ଭଳି ଅଟନ୍ତି । ଆପଣ ବାଇବଲରୁ ଜାଣିଲେ ଯେ ସେ କିପରି ଅନେକ ଲୋକମାନଙ୍କୁ ଖାଇବାକୁ ଦେଲେ, ନିରାଶ ଲୋକମାନଙ୍କୁ ସାନ୍ତ୍ୱନା ଦେଲେ ଓ ରୋଗୀମାନଙ୍କୁ ଠିକ୍‌ କଲେ । (ମାଥି. ୧୪:୧୪-୨୧) ଆପଣ ଆଜି ନିଜେ ଦେଖୁଛନ୍ତି ଯେ ସେ କିପରି ମଣ୍ଡଳୀର ନେତୃତ୍ୱ ନେଉଛନ୍ତି । (ମାଥି. ୨୩:୧୦) ଆଉ ଆପଣ ଜାଣନ୍ତି ଯେ ଜଣେ ରାଜା ଭାବେ ଭବିଷ୍ୟତରେ ସେ ଆହୁରି ବଡ଼ ବଡ଼ କାମ କରିବେ । ଆପଣ କିପରି ଦେଖାଇପାରିବେ ଯେ ଆପଣ ତାଙ୍କୁ ପ୍ରେମ କରନ୍ତି ? ତାଙ୍କ ଭଳି ହୋଇ । (ଯୋହ. ୧୪:୨୧) ଏପରି କରିବା ପାଇଁ ସବୁଠୁ ପ୍ରଥମେ ଆପଣଙ୍କୁ ନିଜ ଜୀବନ ଯିହୋବାଙ୍କୁ ସମର୍ପିତ କରି ବାପ୍ତିସ୍ମ ନେବାକୁ ପଡ଼ିବ ।

ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି

୧୧. ଆପଣଙ୍କୁ କʼଣ ଲାଗେ, ବାପ୍ତିସ୍ମ ନେବାର ସବୁଠୁ ବଡ଼ କାରଣ କʼଣ ଅଟେ ?

୧୧ ବାପ୍ତିସ୍ମ ନେବାର ସବୁଠୁ ବଡ଼ କାରଣ କʼଣ ? ଏପ୍ରଶ୍ନର ଉତ୍ତର ଜାଣିବା ପାଇଁ ଯୀଶୁଙ୍କ ଗୋଟିଏ କଥା ଉପରେ ଧ୍ୟାନ ଦିଅନ୍ତୁ । ସେ କହିଲେ ଯେ ଈଶ୍ୱରଙ୍କ ସବୁଠୁ ବଡ଼ ଆଜ୍ଞା ହେଉଛି: “ତୁମ୍ଭେ ଆପଣା ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ, ସମସ୍ତ ମନ ଓ ସମସ୍ତ ଶକ୍ତି ଦେଇ ପ୍ରଭୁ ଆପଣା ଈଶ୍ୱରଙ୍କୁ ପ୍ରେମ କର ।” (ମାର୍କ ୧୨:୩୦) କʼଣ ଆପଣ ମଧ୍ୟ ଈଶ୍ୱରଙ୍କୁ ଏପରି ହିଁ ପ୍ରେମ କରନ୍ତି ?

ଯିହୋବା ହିଁ ସେସବୁ ଭଲ ଜିନିଷଗୁଡ଼ିକ ଦେଉଛନ୍ତି ଯାହାର ଆଜି ଆମେ ମଜା ନେଉଛୁ ଓ ଆଗକୁ ବି ନେବା (ପାରାଗ୍ରାଫ ୧୨-୧୩)

୧୨. ଆପଣ ଯିହୋବାଙ୍କୁ କାହିଁକି ପ୍ରେମ କରନ୍ତି ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୨ ଯିହୋବାଙ୍କୁ ପ୍ରେମ କରିବାର ଅନେକ କାରଣ ଅଛି । ଯେପରି ଆପଣ ଶିଖିଛନ୍ତି ଯେ ସେ ସମସ୍ତଙ୍କୁ ‘ଜୀବନ ଦିଅନ୍ତି  ।’ ଆଉ ବାଇବଲ କହେ ଯେ “ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ” ମିଳେ । (ଗୀତ. ୩୬:୯; ଯାକୁ. ୧:୧୭) ଆଜି ଆମେ ଯେଉଁ ଜିନିଷଗୁଡ଼ିକର ମଜା ନେଉ, ତାହା ବି ଆମକୁ ପରମେଶ୍ୱର ଯିହୋବା ହିଁ ଦେଇଛନ୍ତି । ସେ ଆମକୁ ବହୁତ ପ୍ରେମ କରନ୍ତି ଓ ସବୁକିଛି ହୃଦୟ ଖୋଲିକି ଦିଅନ୍ତି ।

୧୩. ମୁକ୍ତିର ମୂଲ୍ୟ କାହିଁକି ଗୋଟିଏ ବିଶେଷ ଉପହାର ଅଟେ ?

୧୩ ମୁକ୍ତିର ମୂଲ୍ୟ ମଧ୍ୟ ଯିହୋବାଙ୍କ ତରଫରୁ ମିଳିଥିବା ଗୋଟିଏ ବିଶେଷ ଉପହାର ଅଟେ । ଆମେ ଏପରି କାହିଁକି କହିପାରିବା ? ଟିକେ ଭାବନ୍ତୁ, ଯିହୋବା ଓ ଯୀଶୁଙ୍କ ମଧ୍ୟରେ କିପରି ସମ୍ପର୍କ ଥିବ । ଯୀଶୁ କହିଲେ, “ପିତା ମୋତେ ପ୍ରେମ କରନ୍ତି” ଓ ‘ମୁଁ ପିତାଙ୍କୁ ପ୍ରେମ କରେ ।’ (ଯୋହ. ୧୦:୧୭; ୧୪:୩୧) ସେମାନେ କୋଟି କୋଟି ବର୍ଷ ଧରି ସାଙ୍ଗରେ ଥିଲେ ଆଉ ସେସମୟରେ ସେମାନଙ୍କ ସମ୍ପର୍କ ବହୁତ ଦୃଢ଼ ହୋଇଯାଇଥିବ ! (ହିତୋ. ୮:୨୨, ୨୩, ୩୦) ଏବେ ଟିକେ ଭାବନ୍ତୁ, ଯେବେ ଯିହୋବା ଦେଖିଥିବେ ଯେ ତାଙ୍କ ପୁତ୍ରଙ୍କୁ କିପରି ନିର୍ଦ୍ଦୟୀ ଭାବେ ମାରିଦିଆଗଲା, ତେବେ ତାଙ୍କୁ କିପରି ଲାଗିଥିବ, ତାଙ୍କୁ ବହୁତ କଷ୍ଟ ହୋଇଥିବ ! ସତରେ, ଯିହୋବା ସମସ୍ତ ମଣିଷ ଓ ଆପଣଙ୍କୁ ମଧ୍ୟ ବହୁତ ପ୍ରେମ କରନ୍ତି, ତେଣୁ ସେ ନିଜ ପୁତ୍ରଙ୍କୁ ବଳିଦାନ କରିଦେଲେ ଯାହାଯୋଗୁଁ ଆପଣ ଓ ଅନ୍ୟ ମଣିଷମାନଙ୍କୁ ଅନନ୍ତ ଜୀବନ ମିଳିପାରୁ । (ଯୋହ. ୩:୧୬; ଗଲା. ୨:୨୦) କʼଣ ଯିହୋବାଙ୍କୁ ପ୍ରେମ କରିବାର ଏହାଠୁ ଆଉ କିଛି ବଡ଼ କଥା ହୋଇପାରେ ?

୧୪. ଆପଣଙ୍କ ପାଇଁ ସବୁଠୁ ବଢ଼ିଆ ଲକ୍ଷ୍ୟ କʼଣ ହୋଇପାରେ ?

୧୪ ଯେବେ ଆପଣ ଯିହୋବାଙ୍କୁ ଆହୁରି ଭଲଭାବେ ଜାଣିଲେ, ତେବେ ଆପଣ ତାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିଲେ । ତାଙ୍କ ସହ ଆପଣଙ୍କ ସମ୍ପର୍କ ଭଲ ହୋଇଗଲା ଓ ଏବେ ଆପଣ ଚାହୁଁଥିବେ ଯେ ଆପଣଙ୍କ ଏହି ସମ୍ପର୍କ ଆହୁରି ଦୃଢ଼ ହୋଇଯାଉ । ଏପରି ହୋଇପାରିବ ! ଯିହୋବା ନିଜେ ଚାହାନ୍ତି ଯେ ଆପଣ ତାଙ୍କ ହୃଦୟ ଖୁସି କରନ୍ତୁ ଓ ତାଙ୍କ ନିକଟତର ହୁଅନ୍ତୁ । (ହିତୋ. ୨୩:୧୫, ୧୬) ଆପଣ କେବଳ ନିଜ କଥାରୁ ନୁହେଁ, ବରଂ ନିଜ କାମରୁ ମଧ୍ୟ ଏପରି କରିପାରିବେ । ଆପଣ ଯେପରି ଭାବେ ଜୀବନ ବିତାଇବେ, ସେଥିରୁ ଜଣାପଡ଼ିବ ଯେ ଆପଣ ତାଙ୍କୁ ସତରେ ପ୍ରେମ କରନ୍ତି ଓ ତାଙ୍କ ହୃଦୟ ଖୁସି କରିବା ପାଇଁ ଚାହାନ୍ତି । (୧ ଯୋହ. ୫:୩) ଏହାଠୁ ବଢ଼ିଆ ଲକ୍ଷ୍ୟ ଆଉ କʼଣ ହୋଇପାରେ ?

୧୫. ଆପଣ କʼଣ କରିପାରିବେ ଯେଉଁଥିରୁ ଜଣାପଡ଼ିବ ଯେ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ?

୧୫ ଆପଣ କʼଣ କରିପାରିବେ ଯେଉଁଥିରୁ ଜଣାପଡ଼ିବ ଯେ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ? ଆପଣ ନିଜ ଜୀବନ ସତ୍ୟ ଈଶ୍ୱରଙ୍କୁ ସମର୍ପିତ କରିପାରିବେ । ଏପରି କରିବା ପାଇଁ ଆପଣ ଏକୁଟିଆରେ ଗୋଟିଏ ବିଶେଷ ପ୍ରାର୍ଥନା କରିପାରିବେ । (ଗୀତ. ୪୦:୮) ତାʼପରେ ନିଜ ସମର୍ପଣ ସମସ୍ତଙ୍କ ଆଗରେ ବାପ୍ତିସ୍ମ ନେଇ ଦେଖାଇପାରିବେ । ଯେପରି ଏହି ଲେଖାରେ ଆମେ ପୂର୍ବେ ଚର୍ଚ୍ଚା କଲୁ, ଏହା ଆପଣଙ୍କ ଜୀବନର ଗୋଟିଏ ଖୁସିଭରା ସମୟ ହେବ । ଏବେ ଆପଣ ଗୋଟିଏ ନୂଆ ଜୀବନ ଆରମ୍ଭ କରିବେ । ଏବେଠୁ ଆପଣ ନିଜ ପାଇଁ ନୁହେଁ, ବରଂ ଯିହୋବାଙ୍କ ପାଇଁ ବଞ୍ଚିବେ । (ରୋମୀ. ୧୪:୮; ୧ ପିତ. ୪:୧, ୨) ଆପଣଙ୍କୁ ହୁଏତ ଲାଗେ ଯେ ଏହା ବହୁତ ବଡ଼ ପଦକ୍ଷେପ ଅଟେ । ଆଉ ଏହା ସତ ବି ଅଟେ, କିନ୍ତୁ ଡରନ୍ତୁ ନାହିଁ, ଏପରି କରିବା ଯୋଗୁଁ ଆପଣ ସବୁଠୁ ଭଲ ଜୀବନ ବଞ୍ଚିପାରିବେ । ତାହା କିପରି ?

୧୬. ଯେପରି ଗୀତସଂହିତା ୪୧:୧୨ ପଦରୁ ଜଣାପଡ଼େ ଯେଉଁ ଲୋକମାନେ ଯିହୋବାଙ୍କ ସେବା କରନ୍ତି, ସେ ସେମାନଙ୍କ ପାଇଁ କʼଣ କରିବେ ?

୧୬ ଯିହୋବା ଈଶ୍ୱର ସବୁଠାରୁ ଉଦାର ଅଟନ୍ତି । ଆପଣ ତାଙ୍କ ପାଇଁ ଯାହା ବି କରିବେ, ସେ ସବୁବେଳେ ତାʼଠାରୁ ଅଧିକ ଆପଣଙ୍କ ପାଇଁ କରିବେ । (ମାର୍କ ୧୦:୨୯, ୩୦) ଯେବେ ଆପଣ ତାଙ୍କ ଇଚ୍ଛା ଅନୁସାରେ ବଞ୍ଚିବେ, ତେବେ ସେ ଆପଣଙ୍କୁ ଅନେକ ଆଶିଷ ଦେବେ । ଏହି ଦୁଷ୍ଟ ଦୁନିଆରେ ମଧ୍ୟ ଆପଣଙ୍କୁ କେବେ ବି ଭଲ ଜିନିଗୁଡ଼ିକର ଅଭାବ ହେବନି ଓ ଆପଣ ଗୋଟିଏ ଖୁସିଭରା ଜୀବନ ବଞ୍ଚିପାରିବେ । ଏହା ତ କେବଳ ଆରମ୍ଭ ମାତ୍ର ! ବାପ୍ତିସ୍ମ ପରେ ଆପଣଙ୍କ ଯେଉଁ ଜୀବନ ଆରମ୍ଭ ହେବ, ତାହା କେବେ ବି ଶେଷ ହେବନି । ଆପଣଙ୍କ ନିଜ ପିତା ଯିହୋବାଙ୍କ ସହିତ ଯେଉଁ ସମ୍ପର୍କ ଅଛି, ତାହା ଆହୁରି ଦୃଢ଼ ହୋଇ ହୋଇଯିବ ଓ ଆପଣ ସବୁବେଳେ ତାଙ୍କ ସେବା କରିପାରିବେ । ଆଉ ଯେବେ ଯାଏ ଯିହୋବା ରହିବେ, ଆପଣ ସେସମୟ ଯାଏ ବଞ୍ଚିପାରିବେ ଅର୍ଥାତ୍‌ ଅନନ୍ତକାଳ ପାଇଁ !—ଗୀତସଂହିତା ୪୧:୧୨ ପଢ଼ନ୍ତୁ ।

୧୭. ଆପଣ ଯିହୋବାଙ୍କୁ ଏପରି କʼଣ ଦେଇପାରିବେ ଯାହା ତାଙ୍କ ପାଖରେ ନାହିଁ ?

୧୭ ଯିହୋବା ସାରା ଦୁନିଆର ମାଲିକ ଅଟନ୍ତି, ଆଜି ଆମେ ଯେଉଁ ଭଲ ସମୟର ମଜା ନେଉ ଓ ଆମ ପାଖରେ ଯେଉଁ ଭଲ ଜିନିଷଗୁଡ଼ିକ ଅଛି, ସେସବୁ ଆମକୁ ଯିହୋବା ହିଁ ଦେଇଛନ୍ତି । କିନ୍ତୁ ଆମେ ସମର୍ପଣ କରି ଓ ବାପ୍ତିସ୍ମ ନେଇ ଯିହୋବାଙ୍କୁ କିଛି ଏପରି ଦେବା ପାଇଁ ପ୍ରତିଜ୍ଞା କରୁ ଯାହା ତାଙ୍କ ପାଖରେ ନାହିଁ । ତାହା ହେଉଛି ଆମ ଭକ୍ତି, ଆମେ ନିଜ ଜୀବନ ତାଙ୍କ ସେବା କରିବାରେ ଲଗାଇପାରିବା । (ଆୟୁ. ୧:୮; ୪୧:୧୧; ହିତୋ. ୨୭:୧୧) ଜୀବନ ବଞ୍ଚିବାର ଏହାଠୁ ଭଲ ଉପାୟ ଆଉ କିଛି ବି ହୋଇପାରିବନି ! ବାପ୍ତିସ୍ମ ନେବାର ସବୁଠୁ ବଡ଼ କାରଣ ହେଉଛି ଯେ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି ।

କେଉଁ କଥା ଆପଣଙ୍କୁ ରୋକୁଛି ?

୧୮. ଆପଣ ନିଜକୁ କେଉଁ ପ୍ରଶ୍ନଗୁଡ଼ିକ ପଚାରିପାରିବେ ?

୧୮ ଆପଣ କʼଣ କହିବେ, କʼଣ ଆପଣ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ? ଏହି ପ୍ରଶ୍ନର ଉତ୍ତର କେବଳ ଆପଣ ହିଁ ଦେଇପାରିବେ । କିନ୍ତୁ ଭଲ ହେବ ଯେ ଆପଣ ଏବିଷୟରେ ଭାବନ୍ତୁ, ‘କେଉଁ କଥା ମୋତେ ବାପ୍ତିସ୍ମ ନେବା ପାଇଁ ରୋକୁଛି ?’ (ପ୍ରେରି. ୮:୩୬) ଆମେ ଯେଉଁ ତିନୋଟି କାରଣ ଉପରେ ଚର୍ଚ୍ଚା କଲୁ ସେଗୁଡ଼ିକୁ ମନେରଖନ୍ତୁ । ପ୍ରଥମ, ଆପଣ ସତ୍ୟ ଓ ଧାର୍ମିକତାକୁ ପ୍ରେମ କରନ୍ତି । ତେଣୁ ନିଜକୁ ପଚାରନ୍ତୁ, ‘କʼଣ ମୁଁ ସେହି ଦିନକୁ ଦେଖିବା ପାଇଁ ଉତ୍ସୁକ ଯେବେ ପ୍ରତ୍ୟେକ ଜଣ ସତ କହିବେ ଓ ସଠିକ୍‌ କାମ କରିବେ ?’ ଦ୍ୱିତୀୟ, ଆପଣ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରେମ କରନ୍ତି । ତେବେ ନିଜକୁ ପଚାରନ୍ତୁ, ‘କʼଣ ମୁଁ ଯୀଶୁଙ୍କୁ ନିଜ ରାଜା ମାନିବା ପାଇଁ ପ୍ରସ୍ତୁତ ଅଛି ଓ ତାଙ୍କ ଭଳି ହେବା ପାଇଁ ଚାହୁଁଛି ?’ ତୃତୀୟ ଓ ସବୁଠୁ ଜରୁରୀ କାରଣ, ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି । ତେଣୁ ନିଜକୁ ପଚାରନ୍ତୁ, ‘କʼଣ ମୁଁ ଯିହୋବାଙ୍କ ସେବା କରି ତାଙ୍କ ହୃଦୟ ଖୁସି କରିବା ପାଇଁ ଚାହେଁ ?’ ଯଦି ଏପ୍ରଶ୍ନଗୁଡ଼ିକର ଉତ୍ତର ଆପଣ ହଁରେ ଦିଅନ୍ତି, ତେବେ ଡେରି କରନ୍ତୁ ନାହିଁ, ଯେତେ ଶୀଘ୍ର ହୋଇପାରେ ବାପ୍ତିସ୍ମ ନିଅନ୍ତୁ ?—ପ୍ରେରି. ୧୬:୩୩.

୧୯. ଆପଣ ବାପ୍ତିସ୍ମ ନେବା ପାଇଁ କାହିଁକି ପଛଘୁଞ୍ଚା ଦେବା ଉଚିତ୍‌ ନୁହେଁ ? ଗୋଟିଏ ଉଦାହରଣ ଦିଅନ୍ତୁ । (ଯୋହନ ୪:୩୪)

୧୯ ଯଦି ଆପଣ ବାପ୍ତିସ୍ମ ନେବା ପାଇଁ ପଛଘୁଞ୍ଚା ଦେଉଛନ୍ତି, ତେବେ ଯୀଶୁ କହିଥିବା ଗୋଟେ କଥା ଉପରେ ଧ୍ୟାନ ଦିଅନ୍ତୁ । (ଯୋହନ ୪:୩୪ ପଢ଼ନ୍ତୁ ।) ଧ୍ୟାନ ଦିଅନ୍ତୁ ଯେ ସେ ନିଜ ପିତାଙ୍କ ଇଚ୍ଛା ପୂରା କରିବାର ତୁଳନା ଖାଦ୍ୟ ସହିତ କଲେ । କାହିଁକି ? କାରଣ ଖାଦ୍ୟ ଖାଇଲେ ଆମର ଲାଭ ହୁଏ । ଯୀଶୁ ଜାଣିଥିଲେ ଯେ ଯିହୋବା ଆମକୁ ଯାହା ବି କରିବା ପାଇଁ କହନ୍ତି, ସେଥିରୁ ଆମକୁ ଲାଭ ହିଁ ହୁଏ । ଯିହୋବା କେବେ ବି ଆମକୁ ଏପରି କାମ କରିବା ପାଇଁ କହିବେନି ଯେଉଁଥିରୁ ଆମକୁ କ୍ଷତି ପହଞ୍ଚେ । ଏବେ ଟିକେ ଭାବନ୍ତୁ, କʼଣ ଯିହୋବାଙ୍କ ଇଚ୍ଛା ଅଟେ ଯେ ଆପଣ ବାପ୍ତିସ୍ମ ନିଅନ୍ତୁ ? ନିଶ୍ଚୟ । (ପ୍ରେରି. ୨:୩୮) ତାହେଲେ ଆପଣ ପୂରା ଭରସା ରଖିପାରିବେ ଯେ ଯଦି ଆପଣ ତାଙ୍କ ଆଜ୍ଞା ମାନି ବାପ୍ତିସ୍ମ ନେବେ, ତେବେ ଆପଣଙ୍କୁ କେବଳ ଲାଭ ହିଁ ମିଳିବ । ଯେପରି ଆପଣ କୌଣସି ଭଲ ଖାଦ୍ୟ ଖାଇବା ପାଇଁ କେବେ ବି ପଛଘୁଞ୍ଚା ଦିଅନ୍ତି ନାହିଁ, ତେବେ ବାପ୍ତିସ୍ମ ନେବା ପାଇଁ ଆପଣ କାହିଁକି ପଛଘୁଞ୍ଚା ଦେବେ ?

୨୦. ପରବର୍ତ୍ତୀ ଲେଖାରେ ଆମେ କʼଣ ଜାଣିବା ?

୨୦ କିଛି ଲୋକ ବାପ୍ତିସ୍ମ ନେବା ପାଇଁ ପଛଘୁଞ୍ଚା କାହିଁକି ଦିଅନ୍ତି ? ହୁଏତ ସେମାନେ ଭାବୁଥିବେ, ‘ମୁଁ ଏବେ ଏହି ପଦକ୍ଷେପ ନେବା ପାଇଁ ପ୍ରସ୍ତୁତ ନାହିଁ ।’ ଏକଥା ସତ ଅଟେ ଯେ ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରିବା ଓ ବାପ୍ତିସ୍ମ ନେବା ବହୁତ ବଡ଼ ନିଷ୍ପତ୍ତି ଅଟେ । ଏଥିରେ ସମୟ ତ ଲାଗେ ହିଁ, ବହୁତ କିଛି ଭାବିବାକୁ ବି ପଡ଼େ ଓ ବହୁତ ପରିଶ୍ରମ ବି କରିବାକୁ ପଡ଼େ । ଯଦି ଆପଣ ବାପ୍ତିସ୍ମ ନେବା ପାଇଁ ଭାବୁଛନ୍ତି, ତେବେ ଆପଣ ତାʼପାଇଁ ନିଜକୁ କିପରି ପ୍ରସ୍ତୁତ କରିପାରିବେ ? ଏପ୍ରଶ୍ନର ଉତ୍ତର ଆମେ ପରବର୍ତ୍ତୀ ଲେଖାରେ ଜାଣିବା ।

ଗୀତ ୨୮ କୌନ ହୈ ୟହୋୱାକା ଦୋସ୍ତ ?

a ପ୍ରତ୍ୟେକ ବାଇବଲ ବିଦ୍ୟାର୍ଥୀଙ୍କୁ ବାପ୍ତିସ୍ମ ନେବା ବହୁତ ଜରୁରୀ । କିନ୍ତୁ କେଉଁ କଥା ତାଙ୍କୁ ଏହି ପଦକ୍ଷେପ ନେବା ପାଇଁ ପ୍ରେରିତ କରିବ ? ପ୍ରେମ । କିନ୍ତୁ କାହା ପାଇଁ ପ୍ରେମ ? ଏପ୍ରଶ୍ନର ଉତ୍ତର ଆମେ ଏହି ଲେଖାରେ ଜାଣିବା । ଆଉ ଏହା ବି ଜାଣିବା ଯେ ଯେଉଁମାନେ ବାପ୍ତିସ୍ମ ନିଅନ୍ତି, ସେମାନଙ୍କୁ କେଉଁ ଆଶିଷଗୁଡ଼ିକ ମିଳିପାରେ ।