इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୧

ବାପ୍ତିସ୍ମ ପାଇଁ କିପରି ପ୍ରସ୍ତୁତି କରିବା ?

ବାପ୍ତିସ୍ମ ପାଇଁ କିପରି ପ୍ରସ୍ତୁତି କରିବା ?

“ମୋହର ବାପ୍ତିଜିତ ହେବା ନିମନ୍ତେ କʼଣ ବାଧା ଅଛି ?”ପ୍ରେରି. ୮:୩୬.

ଗୀତ ୫୦ ସାବ୍‌ ସମର୍ପଣ ତୁଝେ

ଲେଖାର ଝଲକ a

ସାରା ଦୁନିଆରେ ଅନେକ ଯୁବା ଓ ବୃଦ୍ଧବୃଦ୍ଧା ଭାଇଭଉଣୀ ପରିଶ୍ରମ କରୁଛନ୍ତି ଓ ବାପ୍ତିସ୍ମ ନେଉଛନ୍ତି । (ପାରାଗ୍ରାଫ ୧-୨)

୧-୨. ଯଦି ଆପଣ ଏବେ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ନାହାନ୍ତି, ତେବେ ଆପଣଙ୍କୁ କାହିଁକି ନିରାଶ ହେବା ଉଚିତ୍‌ ନୁହେଁ ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

 କʼଣ ଆପଣ ବାପ୍ତିସ୍ମ ନେବା ପାଇଁ ଭାବୁଛନ୍ତି ? ଯଦି ହଁ, ତାହେଲେ ଏହା ବହୁତ ବଢ଼ିଆ ଲକ୍ଷ୍ୟ ଅଟେ । କʼଣ ଆପଣ ଏବେ ବାପ୍ତିସ୍ମ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ? ଯଦି ଆପଣଙ୍କୁ ଓ ଆପଣଙ୍କ ପ୍ରାଚୀନମାନଙ୍କୁ ଲାଗେ ଯେ ଆପଣ ପ୍ରସ୍ତୁତ ଅଛନ୍ତି, ତେବେ ଡ଼େରି କରନ୍ତୁ ନାହିଁ ! ଆଗକୁ ସୁଯୋଗ ମିଳିଲେ ତୁରନ୍ତ ଏହି ପଦକ୍ଷେପ ନିଅନ୍ତୁ । ଏପରି କଲେ ଆପଣ ଯିହୋବାଙ୍କ ପାଇଁ ବହୁତ କିଛି କରିପାରିବେ ଓ ଆପଣଙ୍କୁ ବହୁତ ଆଶିଷ ମିଳିବ ।

ହୋଇପାରେ ଆପଣଙ୍କୁ କୁହାଯାଇଥିବ ଯେ ବାପ୍ତିସ୍ମ ନେବା ପାଇଁ ଆପଣଙ୍କୁ କିଛି ସମୟ ଅପେକ୍ଷା କରିବାକୁ ପଡ଼ିବ ଓ ଏହାର ଯୋଗ୍ୟ ହେବା ପାଇଁ ଆଉ ଟିକେ ପରିଶ୍ରମ କରିବାକୁ ପଡ଼ିବ । କିମ୍ବା ହୁଏତ ଆପଣଙ୍କୁ ନିଜେ ମଧ୍ୟ ଏପରି ଅନୁଭବ ହୋଇଥିବ । କିନ୍ତୁ ଏହାଭାବି ନିରାଶ ହୁଅନ୍ତୁ ନାହିଁ । ଆପଣ ଯୁବା ଥାନ୍ତୁ ବା ବୃଦ୍ଧବୃଦ୍ଧା, ଏହି ଜରୁରୀ ପଦକ୍ଷେପ ନେବା ପାଇଁ ଆପଣ ପ୍ରସ୍ତୁତ ହୋଇପାରିବେ ।

“ମୋହର ବାପ୍ତିଜିତ ହେବା ନିମନ୍ତେ କʼଣ ବାଧା ଅଛି ?”

୩. ଇଥିଓପିଆର ଜଣେ ଅଧିକାରୀ ଫିଲିପ୍ପଙ୍କୁ କʼଣ ପଚାରିଲେ ? ଆଉ ଏଥିରୁ କʼଣ ପ୍ରଶ୍ନ ଉଠେ ? (ପ୍ରେରିତ ୮:୩୬, ୩୮)

ପ୍ରେରିତ ୮:୩୬, ୩୮ ପଢ଼ନ୍ତୁ । ଥରେ ଇଥିଓପିଆର ଜଣେ ଅଧିକାରୀ ଫିଲିପ୍ପ ନାମକ ଜଣେ ପ୍ରଚାରକଙ୍କୁ ପଚାରିଲେ, “ମୋହର ବାପ୍ତିଜିତ ହେବା ନିମନ୍ତେ କʼଣ ବାଧା ଅଛି ?” ସେହି ବ୍ୟକ୍ତି ବାପ୍ତିସ୍ମ ନେବା ପାଇଁ ଚାହୁଁଥିଲେ, କିନ୍ତୁ କʼଣ ସତରେ ସେ ବାପ୍ତିସ୍ମ ପାଇଁ ପ୍ରସ୍ତୁତ ଥିଲେ ?

ଇଥିଓପିଆର ଅଧିକାରୀ ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ ସେ ଯିହୋବାଙ୍କ ବିଷୟରେ ଶିଖିବା ଜାରି ରଖିବେ (ପାରାଗ୍ରାଫ ୪)

୪. ଆମେ କାହିଁକି କହିପାରିବା ଯେ ଇଥିଓପିଆର ଜଣେ ବ୍ୟକ୍ତି ଆହୁରି ଶିଖିବା ପାଇଁ ଚାହୁଁଥିଲେ ?

ଇଥିଓପିଆର ସେହି ବ୍ୟକ୍ତି “ପୂଜା କରିବା ନିମନ୍ତେ ଯିରୂଶାଲମକୁ ଆସିଥିଲେ ।” (ପ୍ରେରି. ୮:୨୭) ଏଥିରୁ ଜଣାପଡ଼େ ଯେ ସେ ଜଣେ ଅଣଯିହୂଦୀ ଥିବେ ଯିଏ ଯିହୂଦୀ ଧର୍ମ ଆପଣାଇ ଥିଲେ । ସେ ନିଶ୍ଚୟ ଏବ୍ରୀ ଶାସ୍ତ୍ରରେ ଲେଖାଥିବା କଥାଗୁଡ଼ିକରୁ ଯିହୋବାଙ୍କ ବିଷୟରେ ଜାଣିଥିବେ । କିନ୍ତୁ ସେ ଆହୁରି ଜାଣିବା ପାଇଁ ଚାହୁଁଥିଲେ । ଆମେ ଏହା କିପରି କହିପାରିବା ? ଧ୍ୟାନ ଦିଅନ୍ତୁ ଯେ ଯେବେ ଫିଲିପ୍ପ ତାଙ୍କୁ ରାସ୍ତାରେ ଭେଟିଲେ, ତେବେ ସେ କʼଣ କରୁଥିଲେ । ସେ ବହୁତ ଧ୍ୟାନର ସହ ଭବିଷ୍ୟଦ୍‌ବକ୍ତା ଯିଶାଇୟଙ୍କର ବହି ପଢ଼ୁଥିଲେ । (ପ୍ରେରି. ୮:୨୮) ଏହାର ଅର୍ଥ, ସେ ଏବେ ଯାଏ ଯାହା ଶିଖିଥିଲେ ତାହା ତାଙ୍କ ପାଇଁ ଯଥେଷ୍ଟ ନ ଥିଲା । ସେ ଆହୁରି ଶିଖିବା ପାଇଁ ଚାହୁଁଥିଲେ ଓ ଶାସ୍ତ୍ରର ଗଭୀର କଥାଗୁଡ଼ିକୁ ବୁଝିବା ପାଇଁ ଚାହୁଁଥିଲେ ।

୫. ଇଥିଓପିଆର ବ୍ୟକ୍ତି ଜଣକ ଯାହା ଶିଖିଥିଲେ, ସେ ଅନୁସାରେ ସେ କʼଣ କଲେ ?

ସେହି ବ୍ୟକ୍ତିଙ୍କୁ ଇଥିଓପିଆର ରାଣୀ କାଣ୍ଡାକୀଙ୍କ ଦରବାରରେ ଉଚ୍ଚ ପଦବୀ ଦିଆଯାଇଥିଲା ଓ ସେ ‘ତାଙ୍କ ସମସ୍ତ ଧନଭଣ୍ଡାରର ଅଧିକାରୀ ଥିଲେ ।’ (ପ୍ରେରି. ୮:୨୭) ଏହା ଅର୍ଥ ତାଙ୍କୁ ବହୁତ କିଛି ଦାୟିତ୍ୱ ସମ୍ଭାଳୀବାକୁ ପଡ଼ୁଥିବ । ତଥାପି ସେ ଯିହୋବାଙ୍କ ଉପାସନା ପାଇଁ ସମୟ ବାହାର କଲେ । ସେ ଶାସ୍ତ୍ରରୁ କେବଳ ସତ୍ୟଗୁଡ଼ିକୁ ଶିଖୁ ନ ଥିଲେ, ବରଂ ତାʼ ଅନୁସାରେ କାମ ମଧ୍ୟ କଲେ । ତେଣୁ ସେ ଯିରୂଶାଲମରୁ ଇଥିଓପିଆ ଯାଏ ଯାତ୍ରା ମଧ୍ୟ କଲେ, ଯାହାଦ୍ୱାରା ସେ ଯିହୋବାଙ୍କ ମନ୍ଦିରରେ ତାଙ୍କ ଉପାସନା କରିପାରନ୍ତେ । ଏହି ଯାତ୍ରାରେ ବହୁତ ସମୟ ଓ ଖର୍ଚ୍ଚ ମଧ୍ୟ ହୋଇଥିବ । କିନ୍ତୁ ଯିହୋବାଙ୍କ ଉପାସନା ପାଇଁ ସେ ଏସବୁ କଥାକୁ ଖାତିର କଲେନି ।

୬-୭. ଇଥିଓପିଆର ଜଣେ ବ୍ୟକ୍ତିଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ କିପରି ବଢ଼ିଲା ?

ଇଥିଓପିଆର ସେହି ବ୍ୟକ୍ତି ଜଣକ ଫିଲିପ୍ପଙ୍କଠାରୁ ଏପରି ଅନେକ ସତ୍ୟଗୁଡ଼ିକ ଶିଖିଲେ ଯାହା ସେ ଆଗରୁ ଜାଣି ନ ଥିଲେ । ଯେପରି ସେ ଶିଖିଲେ ଯେ ଯୀଶୁ ହିଁ ମସୀହ ଅଟନ୍ତି । (ପ୍ରେରି. ୮:୩୪, ୩୫) ଯେବେ ସେ ଜାଣିଲେ ଯେ ଯୀଶୁ ତାଙ୍କ ପାଇଁ କʼଣ କʼଣ କରିଛନ୍ତି, ତେବେ ଏହି କଥା ତାଙ୍କ ହୃଦୟକୁ ନିଶ୍ଚୟ ଛୁଇଁ ଯାଇଥିବ । ତାʼପରେ ସେ କʼଣ କଲେ ? ଦେଖିବାକୁ ଗଲେ ସେ ଯିହୂଦୀ ଧର୍ମ ଆପଣାଇ ସାରିଥିଲେ ଓ ସମାଜରେ ଲୋକେ ତାଙ୍କୁ ବହୁତ ଆଦର ବି କରୁଥିଲେ । ସେ ଚାହିଁଥିଲେ ଏତିକିରେ ହିଁ ଖୁସି ରହି ପାରିଥାନ୍ତେ । କିନ୍ତୁ ଯୀଶୁ ଓ ଯିହୋବାଙ୍କ ପାଇଁ ତାଙ୍କ ପ୍ରେମ ଆହୁରି ଗଭୀର ହୋଇଯାଇଥିଲା, ତେଣୁ ସେ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଭାବିଲେ । ସେ ବାପ୍ତିସ୍ମ ନେଇ ଯୀଶୁଙ୍କ ଶିଷ୍ୟ ହେବା ପାଇଁ ଭାବିଲେ । ତେଣୁ ଯେବେ ଫିଲିପ୍ପ ଦେଖିଲେ ଯେ ସେ ଏପରି କରିବା ପାଇଁ ପ୍ରସ୍ତୁତ ଅଛନ୍ତି, ତେବେ ସେ ତାଙ୍କୁ ବାପ୍ତିସ୍ମ ଦେଲେ ।

ଯଦି ଆପଣ ବି ସେହି ବ୍ୟକ୍ତି ଭଳି କରିବେ, ତେବେ ଆପଣ ବାପ୍ତିସ୍ମ ନେବା ପାଇଁ ଯୋଗ୍ୟ ହୋଇପାରିବେ । ତାʼପରେ ଆପଣ ମଧ୍ୟ ବିଶ୍ୱାସର ସହ କହିପାରିବେ, “ମୋହର ବାପ୍ତିଜିତ ହେବା ନିମନ୍ତେ କʼଣ ବାଧା ଅଛି ?” ଆସନ୍ତୁ ଧ୍ୟାନ ଦେବା ଯେ ଇଥିଓପିଆର ସେହି ବ୍ୟକ୍ତି ଜଣକ ଯାହା କଲେ, ତାହା ଆପଣ ମଧ୍ୟ କିପରି କରିପାରିବେ । (୧) ସେ ଶିଖିବା ଜାରି ରଖିଲେ । (୨) ସେ ଯାହା ଶିଖିଲେ, ତାʼ ଅନୁସାରେ କାମ ମଧ୍ୟ କଲେ ଓ (୩) ଈଶ୍ୱର ପାଇଁ ନିଜ ପ୍ରେମ ବଢ଼ାଇବା ଜାରି ରଖିଲେ ।

ଶିଖିବା ଜାରି ରଖନ୍ତୁ

୮. ଯୋହନ ୧୭:୩ ପଦରୁ ଆପଣ କʼଣ ଶିଖନ୍ତି ?

ଯୋହନ ୧୭:୩ ପଢ଼ନ୍ତୁ । କʼଣ ଯୀଶୁଙ୍କ ଏହି ଶବ୍ଦ ଶୁଣି ଆପଣ ଅଧ୍ୟୟନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ? ଆମ ମଧ୍ୟରୁ ଅନେକ ଲୋକ ଏପରି ହିଁ କରିଥିଲେ । କିନ୍ତୁ କʼଣ ଏହି ଶବ୍ଦଗୁଡ଼ିକରୁ ଏହା ବି ଜଣାପଡ଼େ ଯେ ଆମକୁ ଆଗକୁ ବି ଶିଖିବା ଜାରି ରଖିବାକୁ ପଡ଼ିବ ? ନିଶ୍ଚୟ । ଆମେ ‘ସତ୍ୟ ଈଶ୍ୱରଙ୍କୁ ଜାଣିବା’ କେବେ ବି ବନ୍ଦ କରିବାନି । (ଉପ. ୩:୧୧) ଆମେ ସବୁବେଳେ ଯିହୋବାଙ୍କ ବିଷୟରେ ନୂଆ ନୂଆ କଥା ଶିଖୁଥିବା । ଆଉ ଆମେ ଯେତେ ଭଲଭାବେ ଯିହୋବାଙ୍କୁ ଜାଣିବା, ସେତେ ଅଧିକ ତାଙ୍କ ନିକଟତର ହେବା ।—ଗୀତ. ୭୩:୨୮.   

୯. ବାଇବଲର ମୌଳିକ ଶକ୍ଷାଗୁଡ଼ିକୁ ଶିଖିବା ପରେ ଆମେ କʼଣ କରିବା ଉଚିତ୍‌ ?

ଯେବେ ଆମେ ଯିହୋବାଙ୍କ ବିଷୟରେ ଜାଣିବା ଆରମ୍ଭ କରୁ, ତେବେ ପ୍ରଥମେ ଆମେ କେବଳ ମୌଳିକ କଥାଗୁଡ଼ିକୁ ଶିଖୁ । ପାଉଲ ଏବ୍ରୀର ଖ୍ରୀଷ୍ଟିୟାନମାନଙ୍କୁ ଲେଖିଥିବା ଚିଠିରେ ଏହି କଥାଗୁଡ଼ିକୁ ଶାସ୍ତ୍ରର “ମୌଳିକ ସୂତ୍ରଗୁଡ଼ିକ” କିମ୍ବା ‘ମୌଳିକ ଶିକ୍ଷାଗୁଡ଼ିକ’ ବୋଲି କହିଲେ । ଏପରି କହି ସେ ଏକଥାଗୁଡ଼ିକୁ ଛୋଟ ବୋଲି ମନେକରୁ ନ ଥିଲେ । ସେ ଏହାର ତୁଳନା ସେହି କ୍ଷୀର ସହିତ କଲେ ଯେଉଁଥିରୁ ଛୋଟ ପିଲାକୁ ପୋଷଣ ମିଳେ । (ଏବ୍ରୀ ୫:୧୨; ୬:୧) କିନ୍ତୁ ସେ ସମସ୍ତ ଖ୍ରୀଷ୍ଟିୟାନମାନଙ୍କୁ ଏହା ବି କହିଲେ ଯେ ସେମାନେ ମୌଳିକ ଶିକ୍ଷାଗୁଡ଼ିକରୁ ଆଗକୁ ବଢ଼ନ୍ତୁ ଓ ଈଶ୍ୱରଙ୍କ ବାକ୍ୟର ଗଭୀର କଥାଗୁଡ଼ିକୁ ଶିଖନ୍ତୁ । କʼଣ ସେହି ଗଭୀର କଥାଗୁଡ଼ିକୁ ଶିଖିବା ପାଇଁ ଆପଣଙ୍କ ମନରେ ଇଚ୍ଛା ଅଛି ? କʼଣ ଆପଣ ସେହି ଇଚ୍ଛାକୁ ଆହୁରି ବଢ଼ାଇବା ପାଇଁ ଚାହାନ୍ତି ଓ ଯିହୋବା ଆଉ ତାଙ୍କ ଉଦ୍ଦେଶ୍ୟ ବିଷୟରେ ଆହୁରି ଜାଣିବା ପାଇଁ ଚାହାନ୍ତି ?

୧୦. କିଛି ଲୋକଙ୍କୁ ଅଧ୍ୟୟନ କରିବା କାହିଁକି କଠିନ ଲାଗେ ?

୧୦ କିନ୍ତୁ ଅନେକ ଲୋକଙ୍କ ଆଗରେ ଗୋଟିଏ ସମସ୍ୟା ଥାଏ । ସେମାନଙ୍କୁ ଅଧ୍ୟୟନ କରିବା ବହୁତ କଠିନ ଲାଗେ । ଆପଣ ନିଜ ବିଷୟରେ କʼଣ କହିବେ ? କʼଣ ଆପଣ ସ୍କୁଲରେ ଭଲଭାବେ ପାଠପଢ଼ା ଶିଖିଥିଲେ ? କʼଣ ଆପଣଙ୍କୁ ପାଠପଢ଼ା ଭଲ ଲାଗୁଥିଲା ? କʼଣ ଯେବେ ଆପଣ କୌଣସି ନୂଆ କଥା ଶିଖୁଥିଲେ, ତେବେ କʼଣ ଆପଣଙ୍କୁ ଖୁସି ଲାଗୁଥିଲା ? ନା ଆପଣଙ୍କୁ ଲାଗୁଥିଲା, ‘ପାଠପଢ଼ା ମୋ ଦ୍ୱାରା ଆଉ ହେବନି ?’ ଯଦି ଆପଣ ଏପରି ଭାବନ୍ତି ତାହେଲେ ଆପଣ ଏକୁଟିଆ ନାହାନ୍ତି, ଅନେକ ଲୋକ ଏପରି ହିଁ ଭାବନ୍ତି । କିନ୍ତୁ ଯିହୋବା ଆପଣଙ୍କ ସାହାଯ୍ୟ କରିପାରିବେ । ତାଙ୍କ ଶିଖାଇବାରେ କୌଣସି ବି ଦୋଷ ନାହିଁ । ସେ ଦୁନିଆର ସବୁଠୁ ଭଲ ଶିକ୍ଷକ ଅଟନ୍ତି ।

୧୧. ଆମେ କାହିଁକି କହିପାରିବା ଯେ ଯିହୋବା ଆମର “ଶିକ୍ଷକ” ଅଟନ୍ତି ?

୧୧ ଯିହୋବା ବାଇବଲରେ ଲେଖାଇଛନ୍ତି ଯେ ସେ ଆମ “ଶିକ୍ଷକ” ବା ମହାନ ଉପଦେଶକ ଅଟନ୍ତି । (ଯିଶା. ୩୦:୨୦, ୨୧) ସେ ଜଣେ ଏପରି ଶିକ୍ଷକ ଅଟନ୍ତି ଯିଏ ନିଜ ବିଦ୍ୟାର୍ଥୀମାନଙ୍କ ସହ ଧୈର୍ଯ୍ୟ ଧରନ୍ତି, ପ୍ରେମର ସହ ବ୍ୟବହାର କରନ୍ତି ଓ ସେମାନଙ୍କୁ ଭଲଭାବେ ବୁଝନ୍ତି । ସେ ସେମାନଙ୍କ ଭିତରେ ଭଲ ଗୁଣଗୁଡ଼ିକୁ ଦେଖିବା ପାଇଁ ଚେଷ୍ଟା କରନ୍ତି । (ଗୀତ. ୧୩୦:୩) ସେ କେବେ ବି ଆମଠାରୁ ଏପରି କିଛି କରିବା ପାଇଁ ଆଶା କରନ୍ତିନି, ଯାହା ଆମେ କରିପାରିବାନି । ମନେରଖନ୍ତୁ, ଯିହୋବା ହିଁ ଆମ ମସ୍ତିଷ୍କକୁ ସୃଷ୍ଟି କରିଛନ୍ତି ଓ ତାହା ବହୁତ ନିଆରା ଅଟେ । (ଗୀତ. ୧୩୯:୧୪) ଆମ ଭିତରେ ନୂଆ ନୂଆ ଜିନିଷଗୁଡ଼ିକୁ ଶିଖିବାର ଇଚ୍ଛା ଥାଏ । ଯିହୋବା ଚାହାନ୍ତି ଯେ ଆମେ ସବୁବେଳେ ଶିଖିବା ଜାରି ରଖୁ ଓ ସେଥିରୁ ଖୁସି ପାଉ । ତେଣୁ ଭଲ ହେବ ଯେ ଆମେ ଏବେଠୁ ବାଇବଲର ସତ୍ୟଗୁଡ଼ିକ ବିଷୟରେ ଜାଣିବା ପାଇଁ ‘ଇଚ୍ଛା ବଢ଼ାଉ !’ (୧ ପିତ. ୨:୨, ୩) ଏପରି କରିବା ପାଇଁ ଛୋଟ ଛୋଟ ଲକ୍ଷ୍ୟ ରଖନ୍ତୁ । ଯେପରି, ବାଇବଲ ପଢ଼ିବା ଓ ଅଧ୍ୟୟନ କରିବା ପାଇଁ ସେଡ୍ୟୁଲ ପ୍ରସ୍ତୁତ କରନ୍ତୁ ଓ ତାʼ ଅନୁସାରେ କାମ କରନ୍ତୁ । (ଯିହୋ. ୧:୮) ତେବେ ଯିହୋବା ଆପଣଙ୍କ ପରିଶ୍ରମ ଉପରେ ଆଶିଷ ଦେବେ ଓ ଧିରେ ଧିରେ ଆପଣଙ୍କୁ ବାଇବଲ ପଢ଼ିବା ଭଲ ଲାଗିବ ଓ ଆପଣ ଯିହୋବାଙ୍କ ବିଷୟରେ ଆହୁରି ଜାଣିବା ପାଇଁ ଚାହିଁବେ ।

୧୨. ଆମେ ଯୀଶୁଙ୍କ ଜୀବନ ଓ ସେବା ବିଷୟରେ କାହିଁକି ଅଧ୍ୟୟନ କରିବା ଉଚିତ୍‌ ?

୧୨ ଏବିଷୟରେ ଭାବନ୍ତୁ ଯେ ଯୀଶୁ କିପରି ଜୀବନ ବଞ୍ଚିଥିଲେ ଓ କିପରି ସେବା କରିଥିଲେ । ଯଦି ଆମେ ଯୀଶୁଙ୍କ ଭଳି ହେବା ପାଇଁ ଚେଷ୍ଟା କରିବା ତାହେଲେ ହିଁ ଆମେ ଯିହୋବାଙ୍କ ସେବା କରିପାରିବା, ବିଶେଷ କରି ଏହି କଠିନ ସମୟରେ । (୧ ପିତ. ୨:୨୧) ଯୀଶୁ ନିଜ ଶିଷ୍ୟମାନଙ୍କୁ ସ୍ପଷ୍ଟ ଭାବେ କହିଥିଲେ ଯେ ତାଙ୍କ ଉପରେ ସମସ୍ୟାଗୁଡ଼ିକ ଆସିବ । (ଲୂକ ୧୪:୨୭, ୨୮) କିନ୍ତୁ ତାଙ୍କୁ ଏହା ବି ବିଶ୍ୱାସ ଥିଲା ଯେ ସେମାନେ ସେହି ସମସ୍ୟାଗୁଡ଼ିକୁ ପାର କରିପାରିବେ, ଠିକ୍‌ ଯେପରି ଯୀଶୁ କରିଥିଲେ । (ଯୋହ. ୧୬:୩୩) ତାହେଲେ ଯୀଶୁଙ୍କ ଜୀବନରେ ହୋଇଥିବା ଅଲଗା ଅଲଗା ଘଟଣାଗୁଡ଼ିକ ବିଷୟରେ ଗଭୀର ଭାବେ ଅଧ୍ୟୟନ କରନ୍ତୁ ଓ ଭାବନ୍ତୁ ଯେ ଆପଣ ପ୍ରତିଦିନ ତାଙ୍କ ଭଳି କିପରି ହୋଇପାରିବେ ।

୧୩. ଆପଣ ଯିହୋବାଙ୍କୁ କେଉଁ କେଉଁ କଥା ପାଇଁ ପ୍ରାର୍ଥନା କରିବା ଉଚିତ୍‌ ଓ କାହିଁକି ?

୧୩ ଜ୍ଞାନ ନେବା ଭଲ କଥା ଅଟେ, କିନ୍ତୁ ତାʼ ପଛରେ ଆମ ଉଦ୍ଦେଶ୍ୟ ହେବା କଥା ଯେ ଆମେ ଯିହୋବାଙ୍କୁ ଜାଣୁ, ତାଙ୍କୁ ପ୍ରେମ କରୁ, ତାଙ୍କ ଉପରେ ନିଜ ବିଶ୍ୱାସ ବଢ଼ାଉ ଓ ଅନ୍ୟ ଗୁଣଗୁଡ଼ିକୁ ବଢ଼ାଉ । ତେବେ ହିଁ ଆମକୁ ଲାଭ ହେବ । (୧ କରି. ୮:୧-୩) ଯେବେ ଆପଣ ଯିହୋବାଙ୍କୁ ଜାଣିବାକୁ ଲାଗନ୍ତି, ତେବେ ତାଙ୍କୁ ନିଜର ବିଶ୍ୱାସ ବଢ଼ାଇବା ପାଇଁ ପ୍ରାର୍ଥନା କରନ୍ତୁ । (ଲୂକ ୧୭:୫) ସେ ଏପରି ପ୍ରାର୍ଥନା ନିଶ୍ଚୟ ଶୁଣିବେ । ଯେବେ ଆପଣ ସଠିକ୍‌ ଜ୍ଞାନ ଆଧାରରେ ତାଙ୍କ ଉପରେ ବିଶ୍ୱାସ କରିବେ, ତେବେ ଆପଣ ଉନ୍ନତି କରିପାରିବେ ।—ଯାକୁ. ୨:୨୬.

ଆପଣ ଯାହା ଶିଖନ୍ତି, ତାʼ ଅନୁସାରେ କାମ ମଧ୍ୟ କରନ୍ତୁ

ଜଳପ୍ଳାବନ ଆସିବା ପୂର୍ବରୁ, ନୋହ ଓ ତାଙ୍କ ପରିବାରର ଲୋକମାନଙ୍କୁ ଯାହା କୁହାଯାଇଥିଲା ତାʼ ଅନୁସାରେ ସେମାନେ କାମ ମଧ୍ୟ କଲେ (ପାରାଗ୍ରାଫ ୧୪)

୧୪. ପିତର କିପରି ବୁଝାଇଲେ ଯେ ଆମେ ଯାହା ଶିଖୁ, ତାʼ ଅନୁସାରେ କାମ କରିବା ମଧ୍ୟ ଜରୁରୀ ଅଟେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ପ୍ରେରିତ ପିତର କହିଲେ ଯେ ଯୀଶୁଙ୍କ ଶିଷ୍ୟମାନେ ଯାହା ଶିଖନ୍ତି, ତାʼ ଅନୁସାରେ କାମ ମଧ୍ୟ କରିବା ଜରୁରୀ ଅଟେ । ଏହାକୁ ବୁଝାଇବା ପାଇଁ ସେ ନୋହଙ୍କ ଘଟଣା ବିଷୟରେ କହିଲେ । ଯିହୋବା ନୋହଙ୍କୁ କହିଥିଲେ ଯେ ସେ ଗୋଟିଏ ଜଳପ୍ଳାବନ ଆଣିବାକୁ ଯାଉଛନ୍ତି ଯେଉଁଥିରେ ସେ ଦୁଷ୍ଟ ଲୋକମାନଙ୍କୁ ବିନାଶ କରିଦେବେ । କିନ୍ତୁ ଜଳପ୍ଳାବନ ବିଷୟରେ କେବଳ ଜାଣିବା ଦ୍ୱାରା ନୋହ ଓ ତାଙ୍କ ପରିବାରର ଲୋକମାନଙ୍କ ଜୀବନ ବଞ୍ଚି ନ ଥାନ୍ତା । ଧ୍ୟାନ ଦିଅନ୍ତୁ ଯେ ପିତର ଜଳପ୍ଳାବନ ବିଷୟରେ ନୁହେଁ, ବରଂ ତାʼ ପୂର୍ବେ ହୋଇଥିବା ଘଟଣା ବିଷୟରେ କହିଲେ ଯେବେ ‘ନୋହ ଜାହାଜ ନିର୍ମିତ କରୁଥିଲେ ।’ (୧ ପିତ. ୩:୨୦) ଏଥିରୁ ଜଣାପଡ଼େ ଯେ ଯିହୋବା ନୋହଙ୍କୁ ଯାହା କହିଥିଲେ ତାʼ ଅନୁସାରେ ନୋହ ଓ ତାଙ୍କ ପରିବାରର ଲୋକମାନେ କାମ କଲେ । ସେମାନେ ଗୋଟିଏ ବହୁତ ବଡ଼ ଜାହାଜ ତିଆରି କଲେ । (ଏବ୍ରୀ ୧୧:୭) ନୋହ ଯାହା କରିଥିଲେ, ତାʼ ତୁଳନା ପିତର ବାପ୍ତିସ୍ମ ସହ କଲେ । ସେ ଲେଖିଲେ, ‘ସେଥିର ପ୍ରତିରୂପ ବାପ୍ତିସ୍ମ . . . ଯାହା ଏବେ ତୁମ୍ଭମାନଙ୍କୁ ପରିତ୍ରାଣ କରୁଅଛି ।’ (୧ ପିତ. ୩:୨୧) ତାହେଲେ ଆମେ କହିପାରିବା ଯେ ଆଜି ଆପଣ ବାପ୍ତିସ୍ମ ନେବା ପାଇଁ ଯାହା ପ୍ରସ୍ତୁତି କରନ୍ତି, ତାହା ଏପରି ଅଟେ ଯେପରି ନୋହ ଓ ତାଙ୍କ ପରିବାରର ଲୋକମାନେ ଜାହାଜ ତିଆରି କରିବା ପାଇଁ ଅନେକ ବର୍ଷରୁ ପରିଶ୍ରମ କରିଥିଲେ । ତାହେଲେ ଆପଣ ବାପ୍ତିସ୍ମ ନେବା ପାଇଁ କିପରି ପ୍ରସ୍ତୁତି କରିପାରିବେ ?

୧୫. ହୃଦୟରୁ ପଶ୍ଚାତାପ କରିବାର ଅର୍ଥ କʼଣ ?

୧୫ ସବୁଠୁ ପ୍ରଥମେ ଆମକୁ ନିଜ ଖରାପ କାମଗୁଡ଼ିକ ପାଇଁ ହୃଦୟରୁ ପଶ୍ଚାତାପ କରିବାକୁ ପଡ଼ିବ । (ପ୍ରେରି. ୨:୩୭, ୩୮) ଯେବେ ଆମେ ଏପରି କରିବା, ତେବେ ଆମେ ନିଜଠାରେ ପରିବର୍ତ୍ତନ ମଧ୍ୟ କରିପାରିବା । ଯେପରି ହୋଇପାରେ, କିଛି ଲୋକମାନେ ଅନୈତିକ ଜୀବନ ବିତାନ୍ତି, ତମାଖୁ ଖାନ୍ତି କିମ୍ବା ଗାଳି କରନ୍ତି । ଯଦି ଆପଣଙ୍କର ମଧ୍ୟ ଏପରି କିଛି ଅଭ୍ୟାସ ଥିଲା, ତେବେ କʼଣ ଆପଣ ଯିହୋବାଙ୍କୁ ଖୁସି କରିବା ପାଇଁ ଏସବୁ ଛାଡ଼ି ଦେଇଛନ୍ତି ? (୧ କରି. ୬:୯, ୧୦; ୨ କରି. ୭:୧; ଏଫି. ୪:୨୯) ଯଦି ଆପଣ ଏବେ ଯାଏ ଏହାକୁ ଛାଡ଼ି ପାରି ନାହାନ୍ତି, ତାହେଲେ ବି ଚେଷ୍ଟା କରିବା ଜାରି ରଖନ୍ତୁ । ଯିଏ ଆପଣଙ୍କୁ ବାଇବଲ ଅଧ୍ୟୟନ କରାନ୍ତି, ଆପଣ ତାଙ୍କୁ କିମ୍ବା ମଣ୍ଡଳୀର ପ୍ରାଚୀନମାନଙ୍କ ସହ କଥା ହୋଇପାରିବେ । ଯଦି ଆପଣ ଛୋଟ ଅଛନ୍ତି ଓ ନିଜର ଖରାପ ଅଭ୍ୟାସ ସହ ଲଢ଼ୁଛନ୍ତି ତାହେଲେ ଆପଣ ନିଜ ବାପାମାଆଙ୍କ ସାହାଯ୍ୟ ନେଇପାରିବେ ଓ ବାପ୍ତିସ୍ମ ନେବା ପାଇଁ ଯୋଗ୍ୟ ହୋଇପାରିବେ ।

୧୬. ଆମେ ଉପାସନା ସହ ଜଡ଼ିତ କାମଗୁଡ଼ିକରେ କିପରି ଲାଗି ରହିପାରିବା ?

୧୬ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହିବା ମଧ୍ୟ ବହୁତ ଜରୁରୀ ଅଟେ । ଯେପରି ଲଗାତାର ସଭାଗୁଡ଼ିକରେ ଯିବା ଓ ସେଥିରେ ଭାଗ ନେବା । (ଏବ୍ରୀ ୧୦:୨୪, ୨୫) ଆଉ ଯଦି ଆପଣ ପ୍ରଚାରରେ ଯିବା ପାଇଁ ଯୋଗ୍ୟ ହୋଇଯାଇଛନ୍ତି, ତେବେ ଏହି କାମରେ ଲଗାତାର ଭାଗ ନିଅନ୍ତୁ । ଯେତେ ଅଧିକ ଆପଣ ଲୋକମାନଙ୍କୁ ସାକ୍ଷ୍ୟ ଦେବେ, ସେତେ ଅଧିକ ଆପଣଙ୍କୁ ଏହି କାମ ଭଲ ଲାଗିବ । (୨ ତୀମ. ୪:୫) ଯଦି ଆପଣ ଛୋଟ ଅଛନ୍ତି ତେବେ ନିଜକୁ ପଚାରନ୍ତୁ, ‘କʼଣ ସଭାଗୁଡ଼ିକରେ ଯିବା ଓ ପ୍ରଚାର କରିବା ପାଇଁ ପ୍ରତିଦିନ ବାପାମାଆ ମୋତେ ମନେପକାନ୍ତି ? କିମ୍ବା ମୁଁ ନିଜେ ଏହି କଥାଗୁଡ଼ିକର ଧ୍ୟାନ ରଖେ ?’ ଯେବେ ଆପଣ ନିଜେ ଏହି କଥାଗୁଡ଼ିକର ଧ୍ୟାନ ରଖିନ୍ତି, ତେବେ ଏଥିରୁ ଜଣାପଡ଼େ ଯେ ଆପଣ ଯିହୋବାଙ୍କୁ ପ୍ରେମ କରନ୍ତି, ତାଙ୍କ ଉପରେ ବିଶ୍ୱାସ କରନ୍ତି ଓ ଯିହୋବା ଆପଣଙ୍କ ପାଇଁ ଯାହା କରିଛନ୍ତି ତାʼପାଇଁ ଆପଣ କୃତଜ୍ଞ ମନେକରନ୍ତି । ଏ ସମସ୍ତ “ଈଶ୍ୱରଙ୍କ ଭକ୍ତିର କାମ” ଅଟେ, ଏପରି ବଳିଦାନ ଯାହା ଆପଣ ଯିହୋବାଙ୍କୁ ଦିଅନ୍ତି । (୨ ପିତ. ୩:୧୧ NWT; ଏବ୍ରୀ ୧୩:୧୫) ଯେବେ ଆମେ ଅନ୍ୟମାନଙ୍କ ଚାପରେ ନ ଆସି, ନିଜ ଇଚ୍ଛାରୁ ଯିହୋବାଙ୍କ ପାଇଁ କିଛି କରୁ ତେବେ ତାଙ୍କୁ ଖୁସି ମିଳେ । (୨ କରି. ୯:୭ ପଦରୁ ତୁଳନା କରନ୍ତୁ ।) ଆମେ ଏହିସବୁ ଏଥିପାଇଁ କରୁ, କାରଣ ଯିହୋବାଙ୍କୁ ସବୁଠୁ ଭଲ ବଳିଦାନ ଦେଇ ଆମକୁ ଖୁସି ମିଳେ ।

ଯିହୋବାଙ୍କ ପାଇଁ ନିଜ ପ୍ରେମ ଲଗାତାର ବଢ଼ାନ୍ତୁ

୧୭-୧୮. କେଉଁ ବିଶେଷ ଗୁଣ ଯୋଗୁଁ ଆପଣ ବାପ୍ତିସ୍ମ ନେବା ପାଇଁ ଯୋଗ୍ୟ ହୋଇପାରିବେ ଓ ଏପରି କାହିଁକି ? (ହିତୋପଦେଶ ୩:୩-୬)

୧୭ ବାପ୍ତିସ୍ମ ପାଇଁ ପ୍ରସ୍ତୁତି କରିବା ସମୟରେ ଆପଣଙ୍କ ଆଗରେ କିଛି ସମସ୍ୟା ଆସିବ । ହୋଇପାରେ, ଆପଣ ଯାହା ମାନନ୍ତି ତାʼଯୋଗୁଁ ଲୋକମାନେ ଆପଣଙ୍କ ଥଟ୍ଟା କରିବେ, ଆପଣଙ୍କ ବିରୋଧ କରିବେ କିମ୍ବା ଆପଣଙ୍କ ଉପରେ ଅତ୍ୟାଚାର କରିବେ । (୨ ତୀମ. ୩:୧୨) କିମ୍ବା ଯଦି ଆପଣ କୌଣସି ଖରାପ ଅଭ୍ୟାସ ଛାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ହୋଇପାରେ ଯେ ଆପଣ ପୁଣିଥରେ ସେହି ଖରାପ କାମ କରିଦିଅନ୍ତି । ଅନେକଥର ହୁଏତ ଆପଣ ଏହାଭାବି ବ୍ୟସ୍ତ ହୋଇଯିବେ ଯେ କେଜାଣେ ଆପଣ କେବେ ବାପ୍ତିସ୍ମର ଯୋଗ୍ୟ ହୋଇପାରିବେ ନା ନାହିଁ । ଏପରି ସମୟରେ କେଉଁ କଥା ଆପଣଙ୍କୁ ହାର୍‌ ନ ମାନିବା ପାଇଁ ସାହାଯ୍ୟ କରିବ ? ଯିହୋବଙ୍କ ପାଇଁ ଆପଣଙ୍କ ପ୍ରେମ ।

୧୮ ଆପଣଙ୍କ ଭିତରେ ଯେଉଁ ଭଲ ଗୁଣଗୁଡ଼ିକ ରହିଛି, ସେମଧ୍ୟରୁ ବିଶେଷ ଗୁଣ ହେଉଛି, ଯିହୋବାଙ୍କ ପାଇଁ ଆପଣଙ୍କ ପ୍ରେମ । (ହିତୋପଦେଶ ୩:୩-୬ ପଢ଼ନ୍ତୁ ।) ଯିହୋବାଙ୍କ ପାଇଁ ଗଭୀର ପ୍ରେମ ଆପଣଙ୍କୁ ସମସ୍ୟାରେ ମଧ୍ୟ ଧୈର୍ଯ୍ୟ ଧରିବା ପାଇଁ ସାହସ ଦେଇପାରେ । ବାଇବଲରେ ଅନେକଥର କୁହାଯାଇଛି ଯେ ଯିହୋବା ନିଜ ଲୋକମାନଙ୍କୁ ଅଟଳ ପ୍ରେମ କରନ୍ତି । ତାʼ ଅର୍ଥ ଯିହୋବା ସବୁବେଳେ ନିଜ ଲୋକମାନଙ୍କ ସାଙ୍ଗରେ ଥାନ୍ତି ଓ ସେମାନଙ୍କୁ ପ୍ରେମ କରନ୍ତି । (ଗୀତ. ୧୦୦:୫) ଆପଣଙ୍କୁ ମଧ୍ୟ ଯିହୋବାଙ୍କ ସ୍ୱରୂପରେ ସୃଷ୍ଟି କରାଯାଇଛି । (ଆଦି. ୧:୨୬) ତାହେଲେ ଆପଣ ଏଭଳି ପ୍ରେମ କିପରି ଦେଖାଇପାରିବେ ?

ଆପଣ ପ୍ରତିଦିନ ଯିହୋବାଙ୍କୁ ଧନ୍ୟବାଦ ଦେଇପାରିବେ (ପାରାଗ୍ରାଫ ୧୯) b

୧୯. ଯିହୋବା ଆପଣଙ୍କ ପାଇଁ ଯାହା କରିଛନ୍ତି, ତାʼପାଇଁ ଆପଣ କିପରି କୃତଜ୍ଞତା ଦେଖାଇପାରିବେ ? (ଗାଲାତୀୟ ୨:୨୦)

୧୯ ସବୁଠୁ ପ୍ରଥମେ କୃତଜ୍ଞ ରହିବା ଶିଖନ୍ତୁ । (୧ ଥେସ. ୫:୧୮) ପ୍ରତିଦିନ ନିଜକୁ ପଚାରନ୍ତୁ, ‘ଆଜି ଯିହୋବା କିପରି ଦେଖାଇଲେ ଯେ ସେ ମୋତେ ପ୍ରେମ କରନ୍ତି ?’ ତାʼପରେ ଯେବେ ଆପଣ ପ୍ରାର୍ଥନା କରିବେ, ତେବେ ବିଶେଷ କରି ସେହି କଥାଗୁଡ଼ିକ ପାଇଁ ଯିହୋବାଙ୍କୁ ଧନ୍ୟବାଦ ଦିଅନ୍ତୁ । ପ୍ରେରିତ ପାଉଲଙ୍କ ଭଳି ଦେଖିବା ପାଇଁ ଚେଷ୍ଟା କରନ୍ତୁ ଯେ ଯିହୋବା ଆପଣଙ୍କୁ ପ୍ରେମ କରନ୍ତି, ତେଣୁ ସେ ବିଶେଷ କରି ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି । (ଗାଲାତୀୟ ୨:୨୦ ପଢ଼ନ୍ତୁ ।) ତେବେ ନିଜକୁ ପଚାରନ୍ତୁ, ‘କʼଣ ମୁଁ ମଧ୍ୟ ନିଜ କାମଗୁଡ଼ିକରୁ ଦେଖାଇବା ପାଇଁ ଚାହେଁ ଯେ ମୁଁ ଯିହୋବାଙ୍କୁ ପ୍ରେମ କରେ ?’ ଯିହୋବାଙ୍କ ପାଇଁ ପ୍ରେମ ଆପଣଙ୍କୁ ଭୁଲ କାମଗୁଡ଼ିକରୁ ଦୂରେଇ ରହିବା ଓ ସମସ୍ୟାଗୁଡ଼ିକର ଧୈର୍ଯ୍ୟର ସହ ସାମନା କରିବା ପାଇଁ ସାହସ ଦେବ । ଆପଣଙ୍କୁ ଇଚ୍ଛା ହେବ ଯେ ଆପଣ ଉପାସନା ସହ ଜଡ଼ିତ କାମଗୁଡ଼ିକରେ ଲାଗି ରହନ୍ତୁ ଓ ଆପଣ ନିଜ ପିତା ଯିହୋବାଙ୍କୁ କେତେ ପ୍ରେମ କରନ୍ତି ତାହା ପ୍ରତିଦିନ ଦେଖାନ୍ତୁ ।

୨୦. (କ) ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରିବା ପାଇଁ ଆପଣଙ୍କୁ କʼଣ କରିବାକୁ ପଡ଼ିବ ? (ଖ) ଏହି ନିଷ୍ପତ୍ତି କେତେ ମହତ୍ତ୍ୱ ରଖେ ?

୨୦ କିଛି ସମୟ ପରେ ଯିହୋବାଙ୍କ ପାଇଁ ପ୍ରେମ ଆପଣଙ୍କୁ ପ୍ରେରିତ କରିବ ଯେ ଆପଣ ଗୋଟିଏ ବିଶେଷ ପ୍ରାର୍ଥନା କରି ତାଙ୍କୁ ନିଜ ଜୀବନ ସମର୍ପିତ କରନ୍ତୁ । ଏପରି କଲେ ଆପଣଙ୍କୁ ଗୋଟିଏ ବଢ଼ିଆ ଆଶିଷ ମିଳିପାରେ: ଆପଣ ସବୁଦିନ ପାଇଁ ଯିହୋବାଙ୍କ ହୋଇପାରିବେ । ସମର୍ପଣ କରି ଆପଣ ପ୍ରତିଜ୍ଞା କରନ୍ତି ଯେ ଜୀବନରେ କେତେ ବି ସମସ୍ୟା ଆସୁ ନା କାହିଁକି, ଆପଣ ସବୁବେଳେ ଯିହୋବାଙ୍କ ସେବା କରୁଥିବେ । ଏହା ଏପରି ପ୍ରତିଜ୍ଞା ଅଟେ ଯାହା ଆମକୁ ବାରମ୍ବାର ନେବାକୁ ପଡ଼ି ନ ଥାଏ । ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରିବା ଗୋଟିଏ ବହୁତ ବଡ଼ ନିଷ୍ପତ୍ତି ଅଟେ, କିନ୍ତୁ ଆପଣ ଜୀବନରେ ଯାହା ବି ନିଷ୍ପତ୍ତି ନେବେ ସେମଧ୍ୟରୁ ଏହା ସବୁଠୁ ଭଲ ନିଷ୍ପତ୍ତି ହେବ । (ଗୀତ. ୫୦:୧୪) ଶୟତାନ ଚେଷ୍ଟା କରିବ ଯେ ଯିହୋବାଙ୍କ ପାଇଁ ଆପଣଙ୍କ ପ୍ରେମ କମ୍‌ ହୋଇଯାଉ ଓ ଆପଣ ତାଙ୍କ ବିଶ୍ୱସ୍ତ ରହନ୍ତୁ ନାହିଁ । କିନ୍ତୁ ଶୟତାନକୁ କେବେ ବି ସଫଳ ହେବା ପାଇଁ ଦିଅନ୍ତୁ ନାହିଁ ! (ଆୟୁ. ୨୭:୫) ଯେବେ ଆପଣ ହୃଦୟରୁ ଯିହୋବାଙ୍କୁ ପ୍ରେମ କରିବେ, ତେବେ ଆପଣ ଯେକୌଣସି ପରିସ୍ଥିତିରେ ମଧ୍ୟ ତାଙ୍କୁ କରିଥିବା ନିଜ ପ୍ରତିଜ୍ଞା ପୂରା କରିବେ ଓ ତାଙ୍କ ଆହୁରି ନିକଟତର ହୋଇପାରିବେ ।

୨୧. ଆମେ କାହିଁକି କହିପାରିବା ଯେ ବାପ୍ତିସ୍ମ ନେବା କେବଳ ଗୋଟିଏ ଆରମ୍ଭ ?

୨୧ ଯେବେ ଆପଣ ଯିହୋବାଙ୍କୁ ନିଜ ଜୀବନ ସମର୍ପିତ କରିଦିଅନ୍ତି, ତେବେ ନିଜ ମଣ୍ଡଳୀର ପ୍ରାଚୀନମାନଙ୍କୁ କହନ୍ତୁ ଯେ ଆପଣ ବାପ୍ତିସ୍ମ ନେବା ପାଇଁ ଚାହାନ୍ତି । କିନ୍ତୁ ମନେରଖନ୍ତୁ ଯେ ବାପ୍ତିସ୍ମ ନେଇ ଆପଣଙ୍କ ଖ୍ରୀଷ୍ଟିୟ ଜୀବନର ଯାତ୍ରା ଶେଷ ହୁଏନି । ଏହା ତ କେବଳ ଏହି ଯାତ୍ରାର ଆରମ୍ଭ । ଏହି ଯାତ୍ରାରେ ବାହାରିଲେ ଆପଣ ସବୁବେଳେ ଯିହୋବାଙ୍କ ସେବା କରିପାରିବେ । ତାହେଲେ ଏବେଠୁ ଯିହୋବାଙ୍କ ପାଇଁ ନିଜ ପ୍ରେମ ଆହୁରି ବଢ଼ାନ୍ତୁ । ଛୋଟ ଛୋଟ ଲକ୍ଷ୍ୟ ରଖନ୍ତୁ ଯାହାଦ୍ୱାରା ଦିନକୁ ଦିନ ଯିହୋବାଙ୍କ ପାଇଁ ଆପଣଙ୍କ ପ୍ରେମ ଆହୁରି ଗଭୀର ହୋଇ ହୋଇଯିବ । ଏପରି ଭାବେ ଆପଣ ବାପ୍ତିସ୍ମ ନେବା ପାଇଁ ଯୋଗ୍ୟ ହୋଇପାରିବେ । ଆଉ ଯେଉଁ ଦିନ ଆପଣ ବାପ୍ତିସ୍ମ ନେବେ ତାହା ବହୁତ ଖୁସିର ଦିନ ହେବ ! କିନ୍ତୁ ଏହା ତ କେବଳ ଆରମ୍ଭ ମାତ୍ର । ତାʼପରେ ଯିହୋବା ଆପଣଙ୍କୁ ଅନେକ ଆଶିଷ ଦେବେ । ଆମେ ପ୍ରାର୍ଥନା କରୁ ଯେ ଯିହୋବା ଓ ତାଙ୍କ ପୁତ୍ରଙ୍କ ପାଇଁ ଆପଣଙ୍କ ପ୍ରେମ ଦିନକୁ ଦିନ ବଢ଼ି ବଢ଼ିଯାଉ ।

ଗୀତ ୧୩୫ ୟହୋୱା କି ପ୍ୟାର-ଭରି ଗୁଜାରିଶ: “ମେରେ ବେଟେ, ବୁଦ୍ଧିମାନ ବନ”

a ବାପ୍ତିସ୍ମ ନେବାର ଯୋଗ୍ୟ ହେବା ପାଇଁ ଆମ ଉଦ୍ଦେଶ୍ୟ ଠିକ୍‌ ହେବା ଜରୁରୀ, କିନ୍ତୁ ତାʼ ସହିତ ଆମକୁ କିଛି କରିବାକୁ ମଧ୍ୟ ପଡ଼ିବ । ଏହି ଲେଖାରେ ଆମେ ଇଥିଓପିଆର ଜଣେ ଅଧିକାରୀଙ୍କଠାରୁ ଶିଖିବା ଯେ ଜଣେ ବାଇବଲ ବିଦ୍ୟାର୍ଥୀଙ୍କୁ ବାପ୍ତିସ୍ମର ଯୋଗ୍ୟ ହେବା ପାଇଁ କʼଣ କʼଣ କରିବାକୁ ପଡ଼ିବ ।

b ଚିତ୍ର ବିଷୟରେ: ଜଣେ ଯୁବା ଭଉଣୀ ଏକଥା ପାଇଁ ଯିହୋବାଙ୍କ ଧନ୍ୟବାଦ କରୁଛନ୍ତି ଯେ ସେ ବହୁତ ବଢ଼ିଆ ଜିନିଷଗୁଡ଼ିକ ଦେଇଛନ୍ତି ।