ଅଧ୍ୟୟନ ଲେଖା ୧୨
ଗୀତ ୭୭ ଅନ୍ଧେରି ଦୁନିଆ ମେଁ ସଚ୍ଚାଇ କି ରୌଶନି
ଅନ୍ଧକାରରୁ ଦୂରେଇ ରହନ୍ତୁ ଓ ଆଲୋକ ପଥରେ ଚାଲିବା ଜାରି ରଖନ୍ତୁ
‘ତୁମ୍ଭେମାନେ ପୂର୍ବେ ଅନ୍ଧକାରସ୍ୱରୂପ ଥିଲ, କିନ୍ତୁ ଏବେ ଆଲୋକସ୍ୱରୂପ ହୋଇଅଛ ।’—ଏଫି. ୫:୮.
କʼଣ ଶିଖିବା ?
ଏଫିସୀୟ ୫ ଅଧ୍ୟାୟରେ ଯେବେ ପାଉଲ ଅନ୍ଧକାର ଓ ଆଲୋକ ବିଷୟରେ କହିଲେ, ତେବେ ତାʼର ଅର୍ଥ କʼଣ ଥିଲା ?
୧-୨. (କ) ପାଉଲ କେଉଁ ସମୟରେ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ଚିଠି ଲେଖିଲେ ? (ଖ) ଆମେ କେଉଁ ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ?
ଯେବେ ପ୍ରେରିତ ପାଉଲ ରୋମରେ ଗୋଟିଏ ଘରେ ବନ୍ଦୀ ଥିଲେ, ସେସମୟରେ ସେ ଭାଇଭଉଣୀମାନଙ୍କୁ ଭେଟିପାରୁ ନ ଥିଲେ । ତେଣୁ ସେମାନଙ୍କର ଉତ୍ସାହ ବଢ଼ାଇବା ପାଇଁ ସେ ସେମାନଙ୍କୁ ଚିଠି ଲେଖିଲେ । ସେମଧ୍ୟରୁ ଗୋଟିଏ ଚିଠି ସେ ୬୦ ବା ୬୧ ଖ୍ରୀଷ୍ଟାବ୍ଦରେ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ଲେଖିଲେ ।—ଏଫି. ୧:୧; ୪:୧.
୨ ପ୍ରାୟ ଦଶ ବର୍ଷ ପୂର୍ବେ ପାଉଲ ଏଫିସରେ ଥିଲେ । ସେଠାରେ ସେ ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ଓ ଶାସ୍ତ୍ରରୁ ଶିଖାଇବା ପାଇଁ ବହୁତ ସମୟ ଦେଲେ । (ପ୍ରେରି. ୧୯:୧, ୮-୧୦; ୨୦:୨୦, ୨୧) ସେ ସେଠାର ଭାଇଭଉଣୀମାନଙ୍କୁ ବହୁତ ପ୍ରେମ କରୁଥିଲେ ଆଉ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ସେମାନଙ୍କ ସାହାଯ୍ୟ କରିବାକୁ ଚାହୁଁଥିଲେ । ସେ ନିଜ ଚିଠିରେ ସେଠାକାର ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଅନ୍ଧକାର ଓ ଆଲୋକ ବିଷୟରେ ଲେଖିଲେ । ସେ ଏବିଷୟରେ ସେମାନଙ୍କୁ କାହିଁକି ଲେଖିଲେ ? ଆଉ ସେ ସେମାନଙ୍କୁ ଯେଉଁ ପରାମର୍ଶ ଦେଲେ, ସେଥିରୁ ଆମେ ଖ୍ରୀଷ୍ଟିୟାନମାନେ କʼଣ ଶିଖିପାରିବା ? ଆସନ୍ତୁ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଜାଣିବା ।
ଅନ୍ଧକାରରୁ ଆଲୋକରେ
୩. ଏଫିସର ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ଲେଖିଲା ବେଳେ ପାଉଲ କେଉଁ କେଉଁ ଶବ୍ଦର ବ୍ୟବହାର କଲେ ?
୩ ପାଉଲ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ଲେଖିଲେ, ‘ତୁମ୍ଭେମାନେ ପୂର୍ବେ ଅନ୍ଧକାରସ୍ୱରୂପ ଥିଲ, କିନ୍ତୁ ଏବେ ଆଲୋକସ୍ୱରୂପ ହୋଇଅଛ ।’ (ଏଫି. ୫:୮) ପାଉଲ ଏଠାରେ “ଅନ୍ଧକାରସ୍ୱରୂପ” ଓ “ଆଲୋକସ୍ୱରୂପ” ଶବ୍ଦ ବ୍ୟବହାର କାହିଁକି କଲେ ? କାରଣ ସେ ଏହା ବୁଝାଇବା ପାଇଁ ଚାହୁଁଥିଲେ ଯେ ଏଫିସର ଖ୍ରୀଷ୍ଟିୟାନମାନେ ସତ୍ୟ ଶିଖିବା ପୂର୍ବେ ଯେପରି ବଞ୍ଚୁଥିଲେ ଆଉ ଏବେ ଯେପରି ବଞ୍ଚୁଛନ୍ତି, ସେଥିରେ ବହୁତ ବଡ଼ ପାର୍ଥକ୍ୟ ଅଛି । ଆସନ୍ତୁ ଦେଖିବା ଯେ ପାଉଲ ଏପରି କାହିଁକି କହିଲେ ଯେ ସେଠାର ଖ୍ରୀଷ୍ଟିୟାନମାନେ ‘ପୂର୍ବେ ଅନ୍ଧକାରସ୍ୱରୂପ ଥିଲେ ।’
୪. ଆମେ କାହିଁକି କହିପାରିବା ଯେ ଏଫିସର ଲୋକମାନେ ଅନ୍ଧକାରରେ ଥିଲେ ?
୪ ମିଛ ଧର୍ମଗୁଡ଼ିକ ଯୋଗୁଁ ଅନ୍ଧକାରରେ ଥିଲେ । ଏଫିସର ଖ୍ରୀଷ୍ଟିୟାନମାନେ ସତ୍ୟ ଶିଖିବା ପୂର୍ବରୁ ମିଛ ଧର୍ମଗୁଡ଼ିକର ଶିକ୍ଷାଗୁଡ଼ିକୁ ମାନୁଥିଲେ ଆଉ ଯାଦୁବିଦ୍ୟା କରୁଥିଲେ । ଏଫିସ ସହରରେ ଆର୍ତ୍ତେମୀ ଦେବୀର ଗୋଟିଏ ପ୍ରସିଦ୍ଧ ମନ୍ଦିର ଥିଲା । ସେହି ସମୟରେ ଏହି ମନ୍ଦିର ଦୁନିଆର ସପ୍ତମ ଆଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ ଥିଲା । ସେଠାର ଲୋକମାନେ ମୂର୍ତ୍ତିପୂଜାରେ ଲାଗି ରହୁଥିଲେ । କେତେକ ଲୋକମାନେ ଆର୍ତ୍ତେମୀ ଦେବୀର ଛୋଟ ଛୋଟ ମନ୍ଦିର ତିଆରି କରି ବିକ୍ରି କରୁଥିଲେ ଓ ବହୁତ ପଇସା ରୋଜଗାର କରୁଥିଲେ । ଏହା ତାଙ୍କର ଗୋଟିଏ ବଡ଼ ବ୍ୟବସାୟ ଥିଲା । (ପ୍ରେରି. ୧୯:୨୩-୨୭) ଏହା ବ୍ୟତୀତ ସେହି ସହର ଯାଦୁବିଦ୍ୟା ପାଇଁ ବି ଜଣାଶୁଣା ଥିଲା ।—ପ୍ରେରି. ୧୯:୧୯.
୫. ଆମେ କାହିଁକି କହିପାରିବା ଯେ ଏଫିସର ଲୋକମାନେ ଅନୈତିକ କାମଗୁଡ଼ିକ ଯୋଗୁଁ ଅନ୍ଧକାରରେ ଥିଲେ ?
୫ ଅନୈତିକ କାମଗୁଡ଼ିକ ଯୋଗୁଁ ଅନ୍ଧକାରରେ ଥିଲେ । ଏଫିସର ଲୋକମାନେ ବହୁତ ଅନୈତିକ ଓ ନିର୍ଲଜ କାମଗୁଡ଼ିକରେ ଲାଗି ରହିଥିଲେ । ସେଠାରେ ଥିବା ଥିଏଟରଗୁଡ଼ିକରେ ବହୁତ ଅଶ୍ଳୀଳ ନାଟକ ଦେଖାଇ ଦିଆଯାଉଥିଲା । ଆଉ ଧାର୍ମିକ ପର୍ବଗୁଡ଼ିକରେ ବି ଖରାପ କଥାଗୁଡ଼ିକ ଶୁଣିବା ପାଇଁ ମିଳୁଥିଲା । (ଏଫି. ୫:୩) ସେଠାର ଅଧିକାଂଶ ଲୋକ “ନିର୍ଲଜତାର ସବୁ ସୀମା ପାର କରି ସାରିଥିଲେ” ଆଉ ଯେପରି ନୂତନ ଜଗତ ଅନୁବାଦର ଫୁଟନୋଟ୍ରେ କୁହାଯାଇଛି ଯେ “ସେମାନଙ୍କୁ ଅନୁଭବ ହିଁ ହେଉ ନ ଥିଲା” ଯେ ସେମାନେ ଖରାପ କାମ କରୁଛନ୍ତି । (ଏଫି. ୪:୧୭-୧୯, NWT) ଯେବେ ଯାଏଁ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ଯିହୋବାଙ୍କ ସ୍ତର ଜଣା ନ ଥିଲା, ସେମାନଙ୍କୁ ଭୁଲ କାମ କରିବାରେ କୌଣସି ଫରକ ପଡ଼ୁ ନ ଥିଲା, ସେମାନଙ୍କ ବିବେକ ଯେପରି କାମ କରିବା ବନ୍ଦ କରି ଦେଇଥିଲା । ସେମାନେ ଏହା ବି ଭାବିପାରୁ ନ ଥିଲେ ଯେ ସେମାନଙ୍କ ଖରାପ କାମ ଯୋଗୁଁ ସେମାନଙ୍କୁ ଯିହୋବାଙ୍କୁ ହିସାବ ଦେବାକୁ ପଡ଼ିବ । ଏହି କାରଣ ଯୋଗୁଁ ପାଉଲ ତାଙ୍କ ବିଷୟରେ କହିଲେ ଯେ ସେମାନେ “ଆପଣା ଆପଣା ବୁଦ୍ଧିରେ ଅନ୍ଧକାରଚ୍ଛନ୍ନ ପୁଣି ଈଶ୍ୱରଙ୍କ ଜୀବନରୁ ବିଚ୍ଛିନ୍ନ ହୋଇଅଛନ୍ତି ।”
୬. ପାଉଲ ଏଫିସର ଖ୍ରୀଷ୍ଟିୟାନମାନଙ୍କ ବିଷୟରେ ଏପରି କାହିଁକି କହିଲେ ଯେ ସେମାନେ ‘ଏବେ ଆଲୋକସ୍ୱରୂପ’ ହୋଇଅଛନ୍ତି ?
୬ ଏଫିସର କିଛି ଲୋକମାନେ ସବୁଦିନ ପାଇଁ ଅନ୍ଧକାରରେ ନ ଥିଲେ । ପାଉଲ ତାଙ୍କ ବିଷୟରେ ଲେଖିଲେ ଯେ ସେମାନେ ‘ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକସ୍ୱରୂପ’ ହୋଇଅଛନ୍ତି । (ଏଫି. ୫:୮) ସେମାନେ ବାଇବଲରେ ଦିଆଯାଇଥିବା ସତ୍ୟ ଅନୁସାରେ ବଞ୍ଚିବାକୁ ଲାଗିଥିଲେ, ଯାହା ଆଲୋକ ଭଳି ଅଟେ । (ଗୀତ. ୧୧୯:୧୦୫) ସେମାନେ ମିଛ ଧର୍ମଗୁଡ଼ିକର ରୀତିନୀତିଗୁଡ଼ିକୁ ମାନିବା ଓ ଅନୈତିକ କାମ କରିବା ଛାଡ଼ି ଦେଇଥିଲେ । ସେମାନେ “ଈଶ୍ୱରଙ୍କ ଅନୁକାରୀ” ହେଲେ ଆଉ ତାଙ୍କ ଉପାସନା କରିବା ଓ ତାଙ୍କୁ ଖୁସି କରିବା ପାଇଁ ପୂରା ଚେଷ୍ଟା କରୁଥିଲେ ।—ଏଫି. ୫:୧.
୭. ଆମେ କାହିଁକି କହିପାରିବା ଯେ ଆମେ ବି ଏଫିସର ଖ୍ରୀଷ୍ଟିୟାନମାନଙ୍କ ଭଳି ଅନ୍ଧକାରରେ ଥିଲୁ ?
୭ ଠିକ୍ ସେହିପରି ସତ୍ୟ ଶିଖିବା ପୂର୍ବରୁ ଆମେ ବି ଅନ୍ଧକାରରେ ଥିଲୁ । ଅର୍ଥାତ୍ ଆମ ମଧ୍ୟରୁ କିଛି ଭାଇଭଉଣୀମାନେ ପୂର୍ବେ ମିଛ ଧର୍ମଗୁଡ଼ିକର ପର୍ବଗୁଡ଼ିକୁ ମାନୁଥିଲେ ଏବଂ ଆଉ କିଛି ଭାଇଭଉଣୀମାନେ ଅନୈତିକ ଜୀବନ ବଞ୍ଚୁଥିଲେ । କିନ୍ତୁ ଯେବେ ଆମେ ଯିହୋବାଙ୍କ ସ୍ତରଗୁଡ଼ିକ ବିଷୟରେ ଶିଖିଲୁ ଅର୍ଥାତ୍ ଏହା ଜାଣିଲୁ ଯେ କʼଣ ଠିକ୍ ଅଟେ ଏବଂ କʼଣ ଭୁଲ, ତେବେ ଆମେ ନିଜଠାରେ ପରିବର୍ତ୍ତନ କଲୁ ଏବଂ ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ବଞ୍ଚିବାକୁ ଲାଗିଲୁ । ଆଉ ଏପରି କରିବା ଦ୍ୱାରା ଆମକୁ ଅନେକ ଲାଭ ହେଲା । (ଯିଶା. ୪୮:୧୭) କିନ୍ତୁ ଆମକୁ ଆଗକୁ ବି ପରିଶ୍ରମ କରିବାର ଅଛି । ଆମକୁ ଅନ୍ଧକାରରୁ ଦୂରେଇ ରହିବାର ଅଛି ଅର୍ଥାତ୍ ଏପରି କାମଗୁଡ଼ିକରୁ ଦୂରେଇ ରହିବାର ଅଛି, ଯାହା ଆମେ ଛାଡ଼ି ଦେଇଛୁ ଏବଂ “ଆଲୋକର ସନ୍ତାନ ମାନଙ୍କ ପରି ଆଚରଣ” କରିବାର ଅଛି । ଆମେ ଏହା କିପରି କରିପାରିବା ?
ଅନ୍ଧକାରରୁ ଦୂରେଇ ରହନ୍ତୁ
୮. ଏଫିସୀୟ ୫:୩-୫ ପଦ ଅନୁସାରେ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ କେଉଁ କେଉଁ କଥାରୁ ଦୂରେଇ ରହିବାର ଥିଲା ?
୮ ଏଫିସୀୟ ୫:୩-୫ ପଢ଼ନ୍ତୁ । ଏଫିସରେ ଅନୈତିକ କାମଗୁଡ଼ିକ ଯୋଗୁଁ ଯେଉଁ ଅନ୍ଧକାର ବ୍ୟାପିଥିଲା, ତାʼଠାରୁ ଦୂରେଇ ରହିବା ପାଇଁ ସେଠାର ଖ୍ରୀଷ୍ଟିୟାନମାନଙ୍କୁ କʼଣ କରିବାର ଥିଲା ? ସେମାନଙ୍କୁ ସବୁବେଳେ ଏପରି କାମଗୁଡ଼ିକରୁ ଦୂରେଇ ରହିବାର ଥିଲା ଯାହାକୁ ଯିହୋବା ଘୃଣା କରନ୍ତି । ତାʼଅର୍ଥ ସେମାନଙ୍କୁ ଅନୈତିକ କାମଗୁଡ଼ିକରୁ ଦୂରେଇ ରହିବା ସହିତ ଖରାପ କଥାଗୁଡ଼ିକ କହିବା ଓ ଶୁଣିବାର ବି ନ ଥିଲା । ପାଉଲ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ମନେ ପକାଇ ଦେଲେ ଯେ ଯଦି ସେମାନେ “ଖ୍ରୀଷ୍ଟ ଓ ଈଶ୍ୱରଙ୍କର ରାଜ୍ୟରେ ଅଧିକାର” ପାଇବା ପାଇଁ ଚାହାନ୍ତି, ତାହେଲେ ସେମାନଙ୍କୁ ଏପରି ସମସ୍ତ କଥା ଓ କାମଗୁଡ଼ିକରୁ ଦୂରେଇ ରହିବାକୁ ପଡ଼ିବ ।
୯. ଆମକୁ ସବୁ ପ୍ରକାରର ଅନୈତିକ କାମ ଓ କଥାଗୁଡ଼ିକରୁ କାହିଁକି ଦୂରେଇ ରହିବା ଉଚିତ୍ ?
୯ ଆମକୁ ମଧ୍ୟ ସବୁବେଳେ ଏକଥାର ଧ୍ୟାନ ରଖିବା ଉଚିତ୍ ଯେ ଆମେ ପୁଣିଥରେ “ଅନ୍ଧକାରର ନିଷ୍ଫଳ କର୍ମସବୁ” କରିବାକୁ ଲାଗି ନ ଯାଉ । (ଏଫି. ୫:୧୧) କାରଣ ଯେଉଁ ମଣିଷ ଖରାପ ଚିତ୍ରଗୁଡ଼ିକ ଦେଖେ, ଅଶ୍ଳୀଳ କଥା କହେ କିମ୍ବା ଏପରି କଥାଗୁଡ଼ିକ ଶୁଣେ, ତେବେ ସେ ବହୁତ ସହଜରେ ଅନୈତିକ କାମ କରିବାକୁ ଲାଗିପାରେ । ଆଉ ଏପରି ଅନେକ ଲୋକଙ୍କ ସହିତ ବି ହୋଇଛି । (ଆଦି. ୩:୬; ଯାକୁ. ୧:୧୪, ୧୫) ଗୋଟିଏ ଦେଶରେ ଅନେକ ସାକ୍ଷୀମାନେ ଅନଲାଇନ୍ ଗ୍ରୁପ୍ ତିଆରି କରିଥିଲେ, ଯେଉଁଥିରେ ସେମାନେ ପରସ୍ପରକୁ ମେସେଜ୍ ପଠାଉଥିଲେ । ଆରମ୍ଭରେ ଅଧିକାଂଶ ସାକ୍ଷୀମାନେ ଆଧ୍ୟାତ୍ମିକ ବିଷୟ ଉପରେ କଥା ହେଲେ, କିନ୍ତୁ ଧିରେ ଧିରେ ସେମାନେ ଏପରି କଥାଗୁଡ଼ିକ କହିବାକୁ ଲାଗିଲେ ଯାହା ଯିହୋବା ପସନ୍ଦ କରନ୍ତି ନାହିଁ । ଯେପରି, ସେମାନେ ଅଧିକାଂଶ ସମୟ ଅନୈତିକ କାମଗୁଡ଼ିକ ବିଷୟରେ ହିଁ କଥା ହେବାକୁ ଲାଗିଲେ । ଆଉ ପରେ ସେମଧ୍ୟରୁ ଅନେକ ସାକ୍ଷୀମାନେ କହିଲେ ଯେ ଏପରି ଖରାପ କଥା କହିବା ଯୋଗୁଁ ସେମାନେ ଅନୈତିକ କାମ କଲେ ।
୧୦. ଶୟତାନ କେଉଁ ଉପାୟଗୁଡ଼ିକର ବ୍ୟବହାର କରି ଆମକୁ ଭୁଲ ବାଟରେ ନେବା ପାଇଁ ଚେଷ୍ଟା କରେ ? (ଏଫିସୀୟ ୫:୬)
୧୦ ଶୟତାନର ଦୁନିଆ ଆମକୁ ଭୁଲ ବାଟରେ ନେବା ପାଇଁ ଚାହେଁ । ଏହି ଦୁନିଆ ଆମକୁ ବିଶ୍ୱାସ କରାଇବା ପାଇଁ ଚାହେଁ ଯେ ଯେଉଁ କଥାଗୁଡ଼ିକୁ ଯିହୋବା ଅନୈତିକ ଓ ଖରାପ ବୋଲି ମନେକରନ୍ତି, ସେଥିରେ କିଛି ଭୁଲ ନାହିଁ । (୨ ପିତ. ୨:୧୯) କିନ୍ତୁ ଏହା ଆଶ୍ଚର୍ଯ୍ୟର କଥା ନୁହେଁ, କାରଣ ଶୟତାନ ଆଗରୁ ଏପରି ହିଁ କରିଆସୁଛି । ସେ ଆରମ୍ଭରୁ ହିଁ ଲୋକମାନଙ୍କୁ ଭୁଲ ବାଟରେ ନେଉଛି, ଯାହାଦ୍ୱାରା ସେମାନେ ଠିକ୍ ଓ ଭୁଲ ମଧ୍ୟରେ ଫରକ ଜାଣିପାରନ୍ତୁ ନାହିଁ । (ଯିଶା. ୫:୨୦; ୨ କରି. ୪:୪) ଏହି କାରଣ ଯୋଗୁଁ ଆଜି ଅଧିକାଂଶ ଫିଲ୍ମ, ଟିଭି କାର୍ଯ୍ୟକ୍ରମ ଏବଂ ୱେବସାଇଟ୍ରେ ଏପରି କଥାଗୁଡ଼ିକୁ ପ୍ରୋତ୍ସାହନ ଦିଆଯାଏ ଯାହା ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ଭୁଲ ଅଟେ । ଶୟତାନ ଆମକୁ ଏହା ବି ବିଶ୍ୱାସ କରାଇବା ପାଇଁ ଚେଷ୍ଟା କରେ ଯେ ଖରାପ କାମ କରିବା ଏବଂ ଅନୈତିକ ଜୀବନ ବଞ୍ଚିବାରେ କୌଣସି ଭୁଲ ନାହିଁ, ବରଂ ଏଥିରୁ ଆମକୁ ବହୁତ ମଜା ଲାଗେ ଏବଂ ଏପରି କରିବା ଦ୍ୱାରା କୌଣସି କ୍ଷତି ହୁଏନି ।—ଏଫିସୀୟ ୫:୬ ପଢ଼ନ୍ତୁ ।
୧୧. ଭଉଣୀ ଏଞ୍ଜେଲାଙ୍କ ଅନୁଭୂତିରୁ କିପରି ଜଣାପଡ଼େ ଯେ ଏଫିସୀୟ ୫:୭ ପଦରେ ଦିଆଯାଇଥିବା ପରାମର୍ଶ ମାନିବା ବହୁତ ଜରୁରୀ ଅଟେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୧ ଶୟତାନ ଚାହେଁ ଯେ ଆମେ ଏପରି ଲୋକମାନଙ୍କ ସହିତ ସାଙ୍ଗ ହେଉ, ଯେଉଁମାନଙ୍କ ଯୋଗୁଁ ଆମମାନଙ୍କୁ ଯିହୋବାଙ୍କ ସ୍ତର ମାନିବା କଠିନ ହୋଇଯିବ । ତେଣୁ ପାଉଲ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ଏପରି ଲୋକମାନଙ୍କ ସହିତ “ସହଭାଗୀ” ହୁଅନ୍ତୁ ନାହିଁ, ଯେଉଁମାନେ ଯିହୋବାଙ୍କ ଦୃଷ୍ଟିରେ ଖରାପ କାମ କରନ୍ତି । (ଏଫି. ୫:୭) ଆମକୁ ମନେ ରଖିବାର ଅଛି ଯେ ସାଙ୍ଗ ହେବାର ଅର୍ଥ କେବଳ ଏହା ନୁହେଁ ଯେ ଆମେ କେଉଁ ଲୋକମାନଙ୍କ ସହିତ ଅଧିକ ସମୟ ବିତାଉ, ତାʼଅର୍ଥ ଏହା ବି ଅଟେ ଯେ ଆମେ କେଉଁ ଲୋକମାନଙ୍କ ସହିତ ସୋସିଆଲ୍ ମିଡିଆରେ କଥାବାର୍ତ୍ତା ହେଉ । ଏଫିସର ଖ୍ରୀଷ୍ଟିୟାନମାନଙ୍କ ଆଗରେ ସୋସିଆଲ୍ ମିଡିଆର ବିପଦ ନ ଥିଲା, କିନ୍ତୁ ଆମ ଆଗରେ ଅଛି, ତେଣୁ ଆମକୁ ଆହୁରି ଅଧିକ ସାବଧାନ ରହିବା ଦରକାର । ଏସିଆର ଗୋଟିଏ ଦେଶରେ ରହୁଥିବା ଭଉଣୀ ଏଞ୍ଜେଲା a ଜାଣିପାରିଲେ ଯେ ସୋସିଆଲ୍ ମିଡିଆ କେତେ ବିପଦପୂର୍ଣ୍ଣ ହୋଇପାରେ । ସେ କହନ୍ତି, “ସୋସିଆଲ୍ ମିଡିଆ ଆମ ପାଇଁ ଫାନ୍ଦ ହୋଇପାରେ । ଏହା ଦ୍ୱାରା ଆମ ବିବେକ ଧିରେ ଧିରେ କାମ କରିବା ବନ୍ଦ କରିପାରେ । ମୋ ସହିତ ଏପରି ହିଁ ହେଲା । ମୁଁ ଏପରି ଲୋକମାନଙ୍କ ସହିତ ସାଙ୍ଗ ହେବାକୁ ଲାଗିଲି, ଯେଉଁମାନେ ଯିହୋବାଙ୍କ ସ୍ତରଗୁଡ଼ିକୁ ଆଦର କରନ୍ତି ନାହିଁ ଆଉ ମୋତେ ଏକଥାର କୌଣସି ଫରକ ବି ପଡ଼ୁ ନ ଥିଲା । ମୁଁ ଜାଣିଥିଲି ଯେ ଯିହୋବା କେଉଁ କାମଗୁଡ଼ିକୁ ଘୃଣା କରନ୍ତି, କିନ୍ତୁ ପରେ ମୁଁ ଭାବିବାକୁ ଲାଗିଲି ଯେ ଏଗୁଡ଼ିକ ଏତେ ବି ଖରାପ ନୁହେଁ ।” କିନ୍ତୁ ପ୍ରାଚୀନମାନଙ୍କ ସାହାଯ୍ୟରୁ ଭଉଣୀ ଏଞ୍ଜେଲା ନିଜର ଦୃଷ୍ଟିକୋଣରେ ପରିବର୍ତ୍ତନ କରିପାରିଲେ । ସେ କହନ୍ତି, “ଏବେ ମୁଁ ନିଜ ମନ ଯିହୋବାଙ୍କ କଥାଗୁଡ଼ିକରେ ଲଗାଏ, ସୋସିଆଲ୍ ମିଡିଆରେ ନୁହେଁ ।”
୧୨. ଯିହୋବାଙ୍କ ସ୍ତରଗୁଡ଼ିକ ଅନୁସାରେ ଚାଲିବା ପାଇଁ ଆମକୁ କେଉଁ କଥାଗୁଡ଼ିକର ଧ୍ୟାନ ରଖିବାକୁ ପଡ଼ିବ ?
୧୨ ଏହି ଦୁନିଆ ବାରମ୍ବାର ଆମକୁ ଏହା ବିଶ୍ୱାସ କରାଇବା ପାଇଁ ଚେଷ୍ଟା କରେ ଯେ ଅନୈତିକ କାମ କରିବାରେ କୌଣସି ଭୁଲ ନାହିଁ । କିନ୍ତୁ ଆମକୁ ଜଣା ଅଛି ଯେ ଏହା ଭୁଲ ଅଟେ, ତଥାପି ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ ଯଦ୍ୱାରା ଦୁନିଆର ଚିନ୍ତାଧାରା ଆମ ଉପରେ ପ୍ରଭାବ ନ ପକାଉ । (ଏଫି. ୪:୧୯, ୨୦) ଆମକୁ ନିଜକୁ ପଚାରିବା ଉଚିତ୍, ‘ଯେବେ ଯିହୋବାଙ୍କ ସ୍ତର ମାନିବା ଯୋଗୁଁ ଲୋକମାନେ ମୋର ଥଟ୍ଟା କରନ୍ତି କିମ୍ବା ମୋ ବିଷୟରେ ଖରାପ କଥା କହନ୍ତି, କʼଣ ତେବେ ବି ମୁଁ ସାହସର ସହ କାମ କରେ ଓ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନେ ? କʼଣ ମୁଁ ଏକଥାର ଧ୍ୟାନ ରଖେ ଯେ ମୁଁ ଏପରି ଲୋକମାନଙ୍କ ସହିତ ଅଧିକ ସମୟ ନ ବିତାଏ, ଯେଉଁମାନେ ଯିହୋବାଙ୍କ ସ୍ତରଗୁଡ଼ିକୁ ମାନନ୍ତି ନାହିଁ, ଯେପରି ସାଙ୍ଗରେ ପଢ଼ୁଥିବା ପିଲାମାନେ, ଅଫିସ୍ରେ କାମ କରୁଥିବା ଲୋକ ଏବଂ ଏପରି ହିଁ ଅନ୍ୟ ଲୋକମାନେ ?’ ୨ ତୀମଥି ୨:୨୦-୨୨ ପଦରୁ ଜଣାପଡ଼େ ଯେ ଆମକୁ ମଣ୍ଡଳୀରେ ମଧ୍ୟ ଭାବିଚିନ୍ତି ସାଙ୍ଗ କରିବା ଉଚିତ୍ । କାରଣ ମଣ୍ଡଳୀରେ ବି ଏପରି କିଛି ଲୋକ ଥାଇପାରନ୍ତି, ଯେଉଁମାନେ ଆମକୁ ଯିହୋବାଙ୍କଠାରୁ ଦୂରେଇ ନେଇପାରିବେ ।
“ଆଲୋକର ସନ୍ତାନମାନଙ୍କ ପରି” କାମ କରନ୍ତୁ
୧୩. “ଆଲୋକର ସନ୍ତାନ ମାନଙ୍କ ପରି ଆଚରଣ” କରିବାର ଅର୍ଥ କʼଣ ? (ଏଫିସୀୟ ୫:୭-୯)
୧୩ ପାଉଲ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ କହିଲେ ଯେ ସେମାନଙ୍କୁ ସବୁବେଳେ ଅନ୍ଧକାରରୁ ଦୂରେଇ ରହିବା ଉଚିତ୍, କିନ୍ତୁ ତାʼ ସହିତ ସେମାନଙ୍କୁ “ଆଲୋକର ସନ୍ତାନମାନଙ୍କ ପରି ଆଚରଣ” ବି କରିବାର ଅଛି । (ଏଫିସୀୟ ୫:୭-୯ ପଢ଼ନ୍ତୁ ।) ତାʼଅର୍ଥ କʼଣ ? ଏହାର ଅର୍ଥ ହେଉଛି ଯେ ଆମକୁ ସବୁବେଳେ ମନେ ରଖିବା ଉଚିତ୍ ଯେ ଆମେ ପ୍ରକୃତ ଖ୍ରୀଷ୍ଟିୟାନ ଅଟୁ ଏବଂ ଆମକୁ ତାʼ ଅନୁସାରେ ହିଁ ଜୀବନ ବଞ୍ଚିବାର ଅଛି । ଏପରି କରିବାର ଗୋଟିଏ ଉପାୟ ହେଉଛି ଯେ ଆମେ ମନ ଦେଇ ବାଇବଲ ଓ ତାʼ ଆଧାରିତ ପ୍ରକାଶନ ପଢ଼ୁ ଏବଂ ସେଗୁଡ଼ିକର ଅଧ୍ୟୟନ କରୁ । ଆମ ପାଇଁ ଏହା ବି ଜରୁରୀ ଅଟେ ଯେ ଆମେ ଯୀଶୁଙ୍କ ଭଳି ହେବା ପାଇଁ ପୂରା ଚେଷ୍ଟା କରୁ ଯିଏ ‘ଜଗତର ଆଲୋକ’ ଅଟନ୍ତି ଏବଂ ତାଙ୍କ ଶିକ୍ଷାଗୁଡ଼ିକ ଉପରେ ପୂରା ଧ୍ୟାନ ଦେବା ଉଚିତ୍ ।—ଯୋହ. ୮:୧୨; ହିତୋ. ୬:୨୩.
୧୪. ପବିତ୍ର ଶକ୍ତିରୁ ଆମକୁ କʼଣ କରିବା ପାଇଁ ସାହାଯ୍ୟ ମିଳିପାରିବ ?
୧୪ ଆମକୁ ପବିତ୍ର ଶକ୍ତିର ମଧ୍ୟ ସାହାଯ୍ୟ ନେବାକୁ ପଡ଼ିବ ଯଦ୍ୱାରା ଆମେ ସବୁବେଳେ “ଆଲୋକର ସନ୍ତାନମାନଙ୍କ ପରି” କାମ କରିପାରିବା । କାରଣ ଏହି ଦୁନିଆ ଅନୈତିକ ଲୋକମାନଙ୍କରୁ ଭରି ରହିଛି । ଏପରି ଦୁନିଆରେ ଆମକୁ ନିଜକୁ ଶୁଦ୍ଧ ରଖିବା ସହଜ ନୁହେଁ । (୧ ଥେସ. ୪:୩-୫, ୭, ୮) କିନ୍ତୁ ପବିତ୍ର ଶକ୍ତି ସାହାଯ୍ୟରୁ ଆମେ ଦୁନିଆର ଚିନ୍ତାଧାରାଠାରୁ ଦୂରେଇ ରହିପାରିବା । ତାʼ ସହିତ ଆମେ ଏପରି ଚିନ୍ତାଧାରାକୁ ମଧ୍ୟ ନିଜ ଉପରେ ପ୍ରଭାବ ପକାଇବାକୁ ଦେବାନି, ଯାହା ଈଶ୍ୱରଙ୍କ ଚିନ୍ତାଧାରାଠାରୁ ଅଲଗା ଅଟେ । ତାʼ ବ୍ୟତୀତ ପବିତ୍ର ଶକ୍ତିର ସାହାଯ୍ୟରୁ ଆମେ ‘ସମସ୍ତ ପ୍ରକାର ଉତ୍ତମତା ଓ ଧାର୍ମିକତାର’ କାମ ବି କରିପାରିବା ।—ଏଫି. ୫:୯.
୧୫. ପବିତ୍ର ଶକ୍ତି ପାଇବା ପାଇଁ ଆମେ କʼଣ କରିପାରିବା ? (ଏଫିସୀୟ ୫:୧୯, ୨୦)
୧୫ ପବିତ୍ର ଶକ୍ତି ପାଇବାର ଗୋଟିଏ ଉପାୟ ହେଉଛି, ତାʼପାଇଁ ପ୍ରାର୍ଥନା କରିବା । ଯୀଶୁ କହିଥିଲେ ଯେ ଯିହୋବା ‘ମାଗିବା ଲୋକମାନଙ୍କୁ ପବିତ୍ର ଶକ୍ତି’ ନିଶ୍ଚୟ ଦେବେ । (ଲୂକ ୧୧:୧୩) ତାʼଛଡ଼ା ସଭାଗୁଡ଼ିକରେ ସାଙ୍ଗରେ ମିଶି ଯିହୋବାଙ୍କ ଉପାସନା କଲେ ବି ଆମକୁ ପବିତ୍ର ଶକ୍ତି ମିଳେ । (ଏଫିସୀୟ ୫:୧୯, ୨୦ ପଢ଼ନ୍ତୁ ।) ଯେବେ ପବିତ୍ର ଶକ୍ତି ଆମ ଉପରେ କାମ କରେ, ତେବେ ଆମେ ଏପରି ଜୀବନ ବଞ୍ଚିପାରୁ ଯେଉଁଥିରୁ ଯିହୋବା ଖୁସି ହୁଅନ୍ତି ।
୧୬. ସଠିକ୍ ନିଷ୍ପତ୍ତି ନେବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ? (ଏଫିସୀୟ ୫: ୧୦, ୧୭)
୧୬ ଯେବେ ଆମକୁ କୌଣସି ଜରୁରୀ ନିଷ୍ପତ୍ତି ନେବାର ଥାଏ, ତେବେ ଆମକୁ ଏହା ବୁଝିବା ପାଇଁ ଚେଷ୍ଟା କରିବା ଉଚିତ୍ ଯେ ସେହି ମାମଲାରେ “ପ୍ରଭୁଙ୍କର ଇଚ୍ଛା କଅଣ” ଏବଂ ତାʼ ଅନୁସାରେ କାମ କରିବା ଉଚିତ୍ । (ଏଫିସୀୟ ୫:୧୦, ୧୭ ପଢ଼ନ୍ତୁ ।) ଏପରି ସମୟରେ ଯେବେ ଆମେ ବାଇବଲ ସିଦ୍ଧାନ୍ତଗୁଡ଼ିକୁ ଜାଣିବା ପାଇଁ ଚେଷ୍ଟା କରୁ, ତେବେ ପ୍ରକୃତରେ ଆମେ ଯିହୋବାଙ୍କ ଦୃଷ୍ଟିକୋଣ ଜାଣିପାରୁ । ଆଉ ତାʼପରେ ସେହି ସିଦ୍ଧାନ୍ତଗୁଡ଼ିକ ଅନୁସାରେ ଆମେ ସଠିକ୍ ନିଷ୍ପତ୍ତି ନେଇପାରୁ ।
୧୭. ଆମେ କିପରି ନିଜ ସମୟର ସଦ୍ବ୍ୟବହାର କରିପାରିବା ? (ଏଫିସୀୟ ୫:୧୫, ୧୬) (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୭ ପାଉଲ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦେଲେ ଯେ ସେମାନେ ସମୟର ଭାବିଚିନ୍ତି ବ୍ୟବହାର କରନ୍ତୁ । (ଏଫିସୀୟ ୫:୧୫, ୧୬ ପଢ଼ନ୍ତୁ ।) ଶୟତାନ “ପାପାତ୍ମା” [“ଦୁଷ୍ଟ,” NWT] ଅଟେ, ତାʼର ଏହା ଚେଷ୍ଟା ରହେ ଯେ ଆମେ ଦୁନିଆର କାମଗୁଡ଼ିକରେ ଏତେ ବ୍ୟସ୍ତ ହୋଇଯାଉ ଯେ ଯିହୋବାଙ୍କ ସେବା ପାଇଁ ଆମ ପାଖରେ ସମୟ ହିଁ ନ ରହୁ । (୧ ଯୋହ. ୫:୧୯) ଏହି କାରଣ ଯୋଗୁଁ ହୋଇପାରେ ଜଣେ ଖ୍ରୀଷ୍ଟିୟାନ ପଇସା ରୋଜଗାର କରିବା, ପାଠପଢ଼ା ପାଇଁ ଓ ନିଜର କ୍ୟାରିଅର କରିବାରେ ଏତେ ବ୍ୟସ୍ତ ହୋଇଯିବ ଯେ ଯିହୋବାଙ୍କ ସେବା କରିବା ପାଇଁ ତାʼ ପାଖରେ ସମୟ ହିଁ ରହିବନି । ଯଦି ଜଣେ ଖ୍ରୀଷ୍ଟିୟାନ ସହିତ ଏପରି ହୁଏ, ତାʼଅର୍ଥ ଏହା ଅଟେ ଯେ ତାʼ ଉପରେ ଦୁନିଆର ଚିନ୍ତାଧାରା ପ୍ରଭାବ ପକାଇଛି । ଦେଖିବାକୁ ଗଲେ ପଇସା ରୋଜଗାର କରିବା, ପାଠପଢ଼ା କରିବାରେ କୌଣସି ଭୁଲ ନାହିଁ, କିନ୍ତୁ ଆମକୁ କେବେ ବି ଏସବୁକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ଉଚିତ୍ ନୁହେଁ । “ଆଲୋକର ସନ୍ତାନମାନଙ୍କ ପରି” କାମ କରିବା ପାଇଁ ଏହା ବହୁତ ଜରୁରୀ ଯେ ଆମେ “ସୁଯୋଗର” [‘ସମୟର,’ NWT] ସଦ୍ବ୍ୟବହାର କରୁ ଅର୍ଥାତ୍ ଅଧିକ ମହତ୍ତ୍ୱ ରଖୁଥିବା କଥାଗୁଡ଼ିକ ଉପରେ ଧ୍ୟାନ ଦେଉ ।
୧୮. ନିଜ ସମୟର ସଦ୍ବ୍ୟବହାର କରିବା ପାଇଁ ଭାଇ ଡୋନ୍ଲ୍ଡ କʼଣ କଲେ ?
୧୮ ଏବିଷୟରେ ଭାବନ୍ତୁ ଯେ ଆପଣ କିପରି ଆହୁରି ଅଧିକ ଯିହୋବାଙ୍କ ସେବା କରିପାରିବେ । ଦକ୍ଷିଣ ଆଫ୍ରିକାରେ ରହୁଥିବା ଭାଇ ଡୋନ୍ଲ୍ଡ ଏପରି ହିଁ କଲେ । ସେ କହନ୍ତି, “ମୁଁ ଏବିଷୟରେ ଭାବିଲି ଯେ ମୁଁ ଆହୁରି ଅଧିକ ପ୍ରଚାରରେ ସମୟ ଦେବା ପାଇଁ କʼଣ କରିପାରିବି ଏବଂ ଏବିଷୟରେ ମୁଁ ହୃଦୟ ଖୋଲି ଯିହୋବାଙ୍କୁ ପ୍ରାର୍ଥନା କଲି । ମୁଁ ତାଙ୍କୁ କହିଲି ଯେ ମୋତେ ଏପରି କାମ ମିଳିଯାଉ ଯାହାଦ୍ୱାରା ମୁଁ ପ୍ରଚାରରେ ଅଧିକ ସମୟ ଦେଇପାରିବି । ଯିହୋବା ମୋର ସାହାଯ୍ୟ କଲେ ଓ ମୋତେ ଗୋଟିଏ ଏପରି ହିଁ ଚାକିରି ମିଳିଗଲା । ତାʼପରେ ମୁଁ ଓ ମୋ ସ୍ତ୍ରୀ ସାଙ୍ଗରେ ମିଶି ପୂର୍ଣ୍ଣ ସମୟର ସେବା କରିବା ଆରମ୍ଭ କରି ଦେଲୁ ।”
୧୯. “ଆଲୋକର ସନ୍ତାନ ମାନଙ୍କ ପରି” କାମ କରିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ?
୧୯ ପାଉଲ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ଯେଉଁ ଚିଠି ଲେଖିଲେ, ସେଥିରୁ ସେମାନଙ୍କୁ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ବହୁତ ସାହାଯ୍ୟ ମିଳିଥିବ । ଯିହୋବାଙ୍କ ତରଫରୁ ସେମାନଙ୍କୁ ଯେଉଁ ପରାମର୍ଶ ମିଳିଲା, ତାହାକୁ ମାନି ଆଜି ଆମକୁ ବି ଲାଭ ହେଉଛି । ଯେପରି, ଆମେ ମନୋରଞ୍ଜନ କରିବା ମାମଲାରେ ଏବଂ ସାଙ୍ଗ ବାଛିବା ସମୟରେ ଭାବିଚିନ୍ତି ନିଷ୍ପତ୍ତି ନେଇପାରିବା । ଆମେ ଲଗାତାର ବାଇବଲ ଅଧ୍ୟୟନ କରିବା, ଯାହାଦ୍ୱାରା ଆମେ ସତ୍ୟର ଆଲୋକରେ ଚାଲିପାରିବା । ଆମେ ଏହା ବି ବୁଝିପାରିବା ଯେ ପବିତ୍ର ଶକ୍ତିର ସାହାଯ୍ୟ ନେବା ବହୁତ ଜରୁରୀ ଅଟେ, କାରଣ ଏପରି କଲେ ହିଁ ଆମେ ନିଜଠାରେ ଭଲ ଗୁଣ ବଢ଼ାଇପାରିବା । ତାʼ ସହିତ ଆମେ ଯିହୋବାଙ୍କ ଇଚ୍ଛା ମୁତାବକ ନିଷ୍ପତ୍ତି ନେଇପାରିବା । ଏସବୁ କରିବା ଦ୍ୱାରା ଆମେ ଅନ୍ଧକାରଠାରୁ ଦୂରେଇ ରହିପାରିବା ଏବଂ ଆଲୋକ ପଥରେ ଚାଲିବା ଜାରି ରଖିପାରିବା !
ଆପଣ କʼଣ ଉତ୍ତର ଦେବେ ?
-
ଏଫିସୀୟ ୫:୮ ପଦରେ କୁହାଯାଇଥିବା “ଅନ୍ଧକାର” ଓ “ଆଲୋକ” ଶବ୍ଦର ଅର୍ଥ କʼଣ ?
-
ଆମେ ‘ଅନ୍ଧକାରରୁ’ କିପରି ଦୂରେଇ ରହିପାରିବା ?
-
ଆମେ କିପରି “ଆଲୋକର ସନ୍ତାନମାନଙ୍କ ପରି” କାମ କରିପାରିବା ?
ଗୀତ ୯୫ ବଢ଼ତି ହୈ ରୌଶନି ସଚ୍ଚାଇ କି
a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।
b ଚିତ୍ର ବିଷୟରେ: ପ୍ରେରିତ ପାଉଲ ଏଫିସର ଖ୍ରୀଷ୍ଟିୟାନମାନଙ୍କୁ ଯେଉଁ ଚିଠି ଲେଖିଥିଲେ, ତାʼର ଗୋଟିଏ ବହୁତ ପୁରୁଣା ନକଲ