इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୧

ଗୀତ ୧୨୯ ହମ୍‌ ଧୀରଜ୍‌ ଧରେଙ୍ଗେ

ନିରାଶ ହେଲେ ମଧ୍ୟ ଯିହୋବାଙ୍କ ସେବା କରିବା ଜାରି ରଖନ୍ତୁ !

ନିରାଶ ହେଲେ ମଧ୍ୟ ଯିହୋବାଙ୍କ ସେବା କରିବା ଜାରି ରଖନ୍ତୁ !

“ପୁଣି ଧୈର୍ଯ୍ୟ ଧରି ଆମ୍ଭ ନାମ ସକାଶେ କଷ୍ଟ ସହିଅଛ ଓ କ୍ଳାନ୍ତ ହୋଇ ନାହଁ ।”ପ୍ରକା. ୨:୩.

କʼଣ ଶିଖିବା ?

ବେଳେବେଳେ ଆମେ ନିଜ କିମ୍ବା ଅନ୍ୟମାନଙ୍କ ଭୁଲ ଯୋଗୁଁ ନିରାଶ ହୋଇଯାଉ । କିନ୍ତୁ ସେସମୟରେ ମଧ୍ୟ ଆମେ ଯିହୋବାଙ୍କ ସେବା କରିବା ଜାରି ରଖିପାରିବା ।

୧. ଯିହୋବାଙ୍କ ସଂଗଠନର ସଦସ୍ୟ ହେବା ଯୋଗୁଁ ଆମକୁ କେଉଁ କେଉଁ ଆଶିଷଗୁଡ଼ିକ ମିଳିଛି ?

 ଆଜି ଏହି ଶେଷ ସମୟରେ ପରିସ୍ଥିତି ଦିନକୁ ଦିନ ଆହୁରି ଖରାପ ହୋଇଯାଉଛି । କିନ୍ତୁ ଆମେ ବହୁତ ଖୁସି ଯେ ଆମେ ଯିହୋବାଙ୍କ ସଂଗଠନର ଭାଗ ଅଟୁ । ଯିହୋବା ଆମକୁ ମଣ୍ଡଳୀରେ ଭାଇଭଉଣୀ ଦେଇଛନ୍ତି, ଏପରି ଏକ ପରିବାର ଯେଉଁଠି ସମସ୍ତେ ପରସ୍ପରକୁ ପ୍ରକୃତ ପ୍ରେମ କରନ୍ତି ଓ ଏକତାରେ ରହନ୍ତି । (ଗୀତ. ୧୩୩:୧) ସେ ଆମକୁ ଏହା ବି ଶିଖାନ୍ତି ଯେ ସ୍ୱାମୀ ସ୍ତ୍ରୀ ଓ ପିଲାମାନେ କିପରି ଖୁସିରେ ରହିପାରିବେ । (ଏଫି. ୫:୩୩–୬:୧) କେବଳ ଏତିକି ନୁହେଁ, ନିଜ ଚିନ୍ତାଗୁଡ଼ିକର ସାମନା କରିବା ଓ ଖୁସି ରହିବା ପାଇଁ ସେ ଆମକୁ ବୁଝିବିଚାରି କାମ କରିବାର ଶକ୍ତି ଓ ବୁଦ୍ଧି ଦେଇଛନ୍ତି ।

୨. ଯିହୋବାଙ୍କ ସେବା କରିବା ଜାରି ରଖିବା ପାଇଁ ଆମକୁ କʼଣ କରିବାକୁ ପଡ଼ିବ ଓ କାହିଁକି ?

ଏହା ସତ ଯେ ଆମକୁ ଯିହୋବାଙ୍କ ସଂଗଠନରେ ଅନେକ ଆଶିଷ ମିଳିଛି, ତଥାପି ଯିହୋବାଙ୍କ ବିଶ୍ୱସ୍ତତାର ସହ ସେବା କରିବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ । ତାହା କାହିଁକି ? କାରଣ ଅନେକଥର ଅନ୍ୟମାନେ ଆମକୁ ଏପରି କିଛି କହି ଦିଅନ୍ତି କିମ୍ବା ଏପରି କିଛି କରିଦିଅନ୍ତି ଯାହାଯୋଗୁଁ ଆମକୁ ଦୁଃଖ ପହଞ୍ଚିପାରେ । କିମ୍ବା ହୁଏତ ଆମେ ନିଜ କୌଣସି ଦୁର୍ବଳତା ଯୋଗୁଁ ଗୋଟିଏ ଭୁଲକୁ ବାରମ୍ବାର କରି ନିରାଶ ହୋଇଯିବା । ଏହି ଲେଖାରେ ଆମେ ଜାଣିବା ଯେ (୧) ଯେବେ କେହି ଭାଇ କିମ୍ବା ଭଉଣୀ ଆମକୁ ଦୁଃଖ ପହଞ୍ଚାନ୍ତି, (୨) ଯେବେ ଆମ ଜୀବନ ସାଥୀ ଆମକୁ ଦୁଃଖ ପହଞ୍ଚାଏ କିମ୍ବା (୩) ଯେବେ ଆମେ ନିଜର କୌଣସି ଭୁଲ ଯୋଗୁଁ ନିରାଶ ହୋଇଯାଉ, ସେସମୟରେ ବି ଆମେ କିପରି ଯିହୋବାଙ୍କ ସେବାରେ ଲାଗି ରହିପାରିବା ଓ ତାଙ୍କର ବିଶ୍ୱସ୍ତ ହୋଇ ରହିପାରିବା । ଆମେ ଈଶ୍ୱରଙ୍କ ତିନିଜଣ ବିଶ୍ୱସ୍ତ ସେବକମାନଙ୍କ ଉପରେ ଧ୍ୟାନ ଦେବା ଆଉ ଜାଣିବା ଯେ ଏପରି ପରିସ୍ଥିତିରେ ସେମାନେ କʼଣ କଲେ ।

ଯେବେ କୌଣସି ଭାଇ କିମ୍ବା ଭଉଣୀ ଆପଣଙ୍କୁ ଦୁଃଖ ପହଞ୍ଚାନ୍ତି

୩. ଯିହୋବାଙ୍କ ଲୋକମାନଙ୍କୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ?

ସମସ୍ୟା । ମଣ୍ଡଳୀରେ ସବୁ ଭାଇଭଉଣୀଙ୍କ ଅଲଗା ଅଲଗା ଅଭ୍ୟାସ ଥାଏ । ହୋଇପାରେ କାହାରି ଅଭ୍ୟାସ ଆମକୁ ଭଲ ଲାଗିବନି କିମ୍ବା ହୁଏତ କେହି ଭାଇ କିମ୍ବା ଭଉଣୀ ଆମକୁ ଦୁଃଖ ପହଞ୍ଚାନ୍ତି କିମ୍ବା ଆମ ସହ ଖରାପ ବ୍ୟବହାର କରନ୍ତି । ଏପରି ବି ହୋଇପାରେ ଯେ ଜଣେ ପ୍ରାଚୀନଙ୍କ ଦ୍ୱାରା କୌଣସି ଭୁଲ ହୋଇଯାଏ ଓ ଏହା ଦେଖି ଆମେ ବହୁତ ଚିନ୍ତିତ ହୋଇଯିବା । ଏସବୁ କାରଣ ଯୋଗୁଁ କିଛି ଲୋକଙ୍କୁ ଲାଗିବ ଯେ ଈଶ୍ୱରଙ୍କ ସଂଗଠନରେ ତ ଏପରି ହେବା ଉଚିତ୍‌ ନୁହଁ ଓ ତାʼପରେ ସେମାନେ ଭାଇଭଉଣୀଙ୍କ ସହ “ଏକମନ” ହୋଇ ସେବା କରିବା ପରିବର୍ତ୍ତେ ସେମାନଙ୍କଠାରୁ ଦୂରେଇ ଯିବେ । କିମ୍ବା ସଭାଗୁଡ଼ିକରେ ଆସିବା ବନ୍ଦ କରିଦେବେ । (ସିଫ. ୩:୯) କʼଣ ଏପରି କରିବା ଠିକ୍‌ ହେବ ? ପ୍ରାଚୀନ ସମୟରେ ଯିହୋବାଙ୍କ ଜଣେ ସେବକଙ୍କୁ ଏପରି ହିଁ ସମସ୍ୟାର ସାମନା କରିବାକୁ ପଡ଼ିଲା । ଆସନ୍ତୁ ଦେଖିବା ଯେ ଆମେ ତାଙ୍କଠାରୁ କʼଣ ଶିଖିପାରିବା ।

୪. ପାଉଲ କେଉଁ ସମସ୍ୟାଗୁଡ଼ିକର ସାମନା କଲେ ?

ଉଦାହରଣ । ଭାଇଭଉଣୀମାନେ ପ୍ରେରିତ ପାଉଲଙ୍କ ବି ମନକୁ ଦୁଃଖ ପହଞ୍ଚାଇଲେ । ଯେପରି, ଯେବେ ସେ ଖ୍ରୀଷ୍ଟିୟାନ ହେଲେ ତେବେ ମଣ୍ଡଳୀର କିଛି ଭାଇଭଉଣୀମାନେ ବିଶ୍ୱାସ କଲେନି ଯେ ସେ ସତରେ ଯୀଶୁଙ୍କ ଶିଷ୍ୟ ହୋଇଯାଇଛନ୍ତି । (ପ୍ରେରି. ୯:୨୬) ତାʼର କିଛି ସମୟ ପରେ କିଛି ଭାଇଭଉଣୀମାନେ ତାଙ୍କ ବିଷୟରେ ଖରାପ କଥା କହିବାକୁ ଲାଗିଲେ ଓ ତାଙ୍କୁ ବଦନାମ କରିବା ପାଇଁ ଚେଷ୍ଟା କଲେ । (୨ କରି. ୧୦:୧୦) ତାʼପରେ ପାଉଲ ଜଣେ ପ୍ରାଚୀନଙ୍କୁ ଏପରି କାମ କରିବାର ଦେଖିଲେ ଯାହା ଅନ୍ୟ ଲୋକମାନଙ୍କର ଝୁଣ୍ଟିବାର କାରଣ ହୋଇପାରନ୍ତା । (ଗାଲା. ୨:୧୧, ୧୨) କେବଳ ଏତିକି ନୁହେଁ, ପାଉଲଙ୍କ ସାଙ୍ଗ ମାର୍କ ମଧ୍ୟ ତାଙ୍କ ହୃଦୟକୁ କଷ୍ଟ ପହଞ୍ଚାଇଲେ । (ପ୍ରେରି. ୧୫:୩୭, ୩୮) ପାଉଲ ଚାହିଁଥିଲେ ସେହି ଭାଇଭଉଣୀଙ୍କ ସହ ମିତ୍ରତା ଭାଙ୍ଗି ପାରିଥାʼନ୍ତେ । କିନ୍ତୁ ସେ ଏପରି କଲେ ନାହିଁ, କାରଣ ସେ ଜାଣିଥିଲେ ଯେ ସେମାନେ ଅପରିପୂର୍ଣ୍ଣ ଅଟନ୍ତି । ସେ ଭାଇଭଉଣୀମାନଙ୍କ ପାଇଁ ସଠିକ୍‌ ଦୃଷ୍ଟିକୋଣ ବଜାୟ ରଖିଲେ ଓ ଯିହୋବାଙ୍କ ସେବାରେ ଲାଗି ରହିଲେ । ତାହା ସେ କିପରି କରିପାରିଲେ ?

୫. ପାଉଲ ଭାଇଭଉଣୀଙ୍କୁ କାହିଁକି କ୍ଷମା କରିପାରିଲେ ? (କଲସୀୟ ୩:୧୩, ୧୪) (ଚିତ୍ର ମଧ୍ୟ ଦେଖନ୍ତୁ ।)

ପାଉଲ ନିଜ ଭାଇଭଉଣୀମାନଙ୍କୁ ବହୁତ ପ୍ରେମ କରୁଥିଲେ । ତେଣୁ ସେ ସେମାନଙ୍କର ଦୁର୍ବଳତାଗୁଡ଼ିକ ଉପରେ ନୁହେଁ, ବରଂ ସେମାନଙ୍କ ଭଲ ଗୁଣଗୁଡ଼ିକ ଉପରେ ଧ୍ୟାନ ଦେଲେ । ପ୍ରେମ ଯୋଗୁଁ ସେ ସେମାନଙ୍କୁ କ୍ଷମା ମଧ୍ୟ କଲେ, ଠିକ୍‌ ଯେପରି ସେ ନିଜେ ଖ୍ରୀଷ୍ଟିୟାନମାନଙ୍କୁ ପରାମର୍ଶ ଦେଇଥିଲେ । (କଲସୀୟ ୩:୧୩, ୧୪ ପଢ଼ନ୍ତୁ ।) ଧ୍ୟାନ ଦିଅନ୍ତୁ ଯେ ସେ ମାର୍କଙ୍କ ସହ କିପରି ବ୍ୟବହାର କଲେ । ପ୍ରଥମ ମିଶନାରୀ ପରିଦର୍ଶନ ସମୟରେ ମାର୍କ ପାଉଲଙ୍କୁ ସହଯୋଗ କଲେ, କିନ୍ତୁ ପରେ ସେ ହଠାତ୍‌ ତାଙ୍କୁ ଛାଡ଼ି ଚାଲିଗଲେ । ଏହା ଯୋଗୁଁ ପାଉଲ ବହୁତ ରାଗିଗଲେ, କିନ୍ତୁ ପରେ ଯେବେ ସେ କଲସୀୟ ମଣ୍ଡଳୀକୁ ଚିଠି ଲେଖିଲେ, ତେବେ ସେ ମାର୍କଙ୍କର ବହୁତ ପ୍ରଶଂସା କଲେ । ସେ କହିଲେ ଯେ ମାର୍କ ତାଙ୍କର ସହକର୍ମୀ ଅଟେ ଓ “ସାନ୍ତ୍ୱନାର କାରଣ ହୋଇଅଛନ୍ତି ।” (କଲ. ୪:୧୦, ୧୧) ଆଉ ଆଗକୁ ଯାଇ ଯେବେ ପାଉଲ ରୋମରେ ବନ୍ଦୀ ଥିଲେ, ତେବେ ସେ ସାହାଯ୍ୟ ପାଇଁ ମାର୍କଙ୍କୁ ଡାକିଲେ । (୨ ତୀମ. ୪:୧୧) ଏହି କଥାଗୁଡ଼ିକରୁ ଜଣାପଡ଼େ ଯେ ପାଉଲ ସେହି ଭାଇଭଉଣୀମାନଙ୍କୁ କ୍ଷମା କରିଦେଇଥିଲେ, ଯେଉଁମାନେ ତାଙ୍କ ମନକୁ କଷ୍ଟ ପହଞ୍ଚାଇଥିଲେ । ଆମେ ପାଉଲଙ୍କଠାରୁ କʼଣ ଶିଖିପାରୁ ?

ପାଉଲଙ୍କ ବର୍ଣ୍ଣବ୍‌ବା ଓ ମାର୍କଙ୍କ ସହ କିଛି କୁହାକୁହି ହୋଇଯାଇଛି, କିନ୍ତୁ ପାଉଲ ସେମାନଙ୍କ ପାଇଁ ରାଗ ରଖିଲେ ନାହିଁ, ସେ ଆଗକୁ ଯାଇ ପୁଣି ମାର୍କଙ୍କ ସହ ଖୁସି ଖୁସି ସେବା କଲେ । (ପାରାଗ୍ରାଫ ୫)


୬-୭. ଆମ ଭାଇଭଉଣୀମାନଙ୍କ ଦୁର୍ବଳତାଗୁଡ଼ିକ ସତ୍ତ୍ୱେ ଆମେ କିପରି ସେମାନଙ୍କୁ ପ୍ରେମ କରିବା ଜାରି ରଖିପାରିବା ? (୧ ଯୋହନ ୪:୭)

ଶିକ୍ଷା । ଯିହୋବା ଚାହାନ୍ତି ଯେ ଆମେ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରୁ, ଆମେ ଏହା ସେସମୟରେ ବି କରିବା ଉଚିତ୍‌ ଯେବେ ଆମକୁ ଏପରି କରିବା କଷ୍ଟ ଲାଗେ । (୧ ଯୋହନ ୪:୭ ପଢ଼ନ୍ତୁ ।) ଯଦି କୌଣସି ଭାଇ କିମ୍ବା ଭଉଣୀ ଆମ ସହ ଖରାପ ବ୍ୟବହାର କରନ୍ତି, ତେବେ ଆମେ ଏହା ଭାବିବା ଉଚିତ୍‌ ନୁହେଁ ଯେ ସେ ଜାଣିଶୁଣି ଏପରି କରୁଛି । ଆମକୁ ମନେରଖିବା ଉଚିତ୍‌ ଯେ ସେ ବି ଯିହୋବାଙ୍କ ଆଜ୍ଞାଗୁଡ଼ିକୁ ମାନିବା ପାଇଁ ପୂରା ଚେଷ୍ଟା କରୁଛି ଆଉ ହୁଏତ ସେ ଅଜାଣତରେ ଆମକୁ କଷ୍ଟ ପହଞ୍ଚାଇଥିବ । (ହିତୋ. ୧୨:୧୮) ଯିହୋବା ମଧ୍ୟ ନିଜ ବିଶ୍ୱସ୍ତ ସେବକମାନଙ୍କର ଦୁର୍ବଳତା ଜାଣନ୍ତି, ତଥାପି ସେ ସେମାନଙ୍କୁ ପ୍ରେମ କରନ୍ତି । ଯେବେ ଆମ ଦ୍ୱାରା କୌଣସି ଭୁଲ ହୋଇଯାଏ, ତେବେ ସେ ଆମ ଉପରେ ରାଗନ୍ତି ନାହିଁ ଓ ଆମ ସହ ନିଜ ସମ୍ପର୍କ ଭାଙ୍ଗି ଦିଅନ୍ତି ନାହିଁ । (ଗୀତ. ୧୦୩:୯) ତେଣୁ ଆସନ୍ତୁ ଆମେ ମଧ୍ୟ ନିଜ ପ୍ରେମମୟ ପିତା ଯିହୋବାଙ୍କ ଭଳି ହେବା ଓ ଅନ୍ୟମାନଙ୍କୁ କ୍ଷମା କରିବା ।—ଏଫି. ୪:୩୨–୫:୧.

ଏହା ବି ମନେ ରଖନ୍ତୁ ଯେ ଯୁଗାନ୍ତ ଯେତେ ପାଖେଇ ଆସୁଛି, ଆମକୁ ସେତେ ଅଧିକ ନିଜ ଭାଇଭଉଣୀମାନଙ୍କର ଆହୁରି ନିକଟତର ହୋଇ ରହିବାର ଅଛି । ଭବିଷ୍ୟତରେ ଆମକୁ ଆହୁରି ଅତ୍ୟାଚାରର ସାମନା କରିବାକୁ ପଡ଼ିବ । ହୁଏତ ଆମ ବିଶ୍ୱାସ ଯୋଗୁଁ ଆମକୁ ଜେଲ ଦଣ୍ଡ ହୋଇଯିବ । ସେସମୟରେ ଆମ ଭାଇଭଉଣୀମାନେ ହିଁ ଆମର ସାହାଯ୍ୟ କରିବେ । (ହିତୋ. ୧୭:୧୭) ଟିକେ ଭାଇ ଜୁସେପଙ୍କ a ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଜଣେ ପ୍ରାଚୀନ ଅଟନ୍ତି ଓ ସ୍ପେନରେ ରହନ୍ତି । ସେ ଓ କିଛି ଭାଇ ସେନାରେ ଭର୍ତ୍ତି ହେବା ପାଇଁ ମନା କରିଦେଇଥିଲେ, ତେଣୁ ସେମାନଙ୍କୁ ଜେଲ ଦଣ୍ଡ ହୋଇଗଲା । ଭାଇ କହନ୍ତି, “ଜେଲରେ ବହୁତ କମ୍‌ ଜାଗା ଥିଲା ଓ ଆମେ ଏକୁଟିଆରେ କିଛି କରିପାରୁ ନ ଥିଲୁ । ଅନେକଥର ଆମେ ପରସ୍ପରଠାରୁ ଚିଡ଼ି ଯାଉଥିଲୁ ଓ ଓଲଟା ସିଧା କହିଦେଉଥିଲୁ । କିନ୍ତୁ ଆମେ ପରସ୍ପରକୁ କ୍ଷମା ମାଗୁଥିଲୁ । ତେଣୁ ଆମ ମଧ୍ୟରେ ପ୍ରେମ ଓ ଏକତା ଥିଲା ଆଉ ଅନ୍ୟ କଏଦୀମାନଙ୍କଠାରୁ ଆମେ ନିଜ ଭାଇମାନଙ୍କୁ ରକ୍ଷା କରିପାରୁଥିଲୁ । ଥରେ ମୋର ହାତ ଭାଙ୍ଗି ଯାଇଥିଲା ଓ ମୁଁ କିଛି କରିପାରୁନଥିଲି । ସେସମୟରେ ଜଣେ ଭାଇ ମୋତେ ବହୁତ ସାହାଯ୍ୟ କଲେ । ସେ ମୋର କପଡ଼ା ଧୋଇ ଦେଲେ ଓ ମୋ ପାଇଁ ଅନ୍ୟ କାମଗୁଡ଼ିକ କଲେ । ସେ ମୋ ପାଇଁ ଯାହା କଲେ, ତାହା ମୁଁ କେବେ ଭୁଲି ପାରିବିନି !” ସତରେ, ଆଜି ସେହି ସମୟ ଅଟେ ଯେବେ ଆମେ ପରସ୍ପରକୁ କ୍ଷମା କରିବା ଓ ଯଦି ଆମ ମଧ୍ୟରେ କିଛି ସମସ୍ୟା ଅଛି ତାହେଲେ ସେଗୁଡ଼ିକୁ ସମାଧାନ କରିବା ।

ଯଦି ଆପଣଙ୍କ ଜୀବନ ସାଥୀ ଆପଣଙ୍କୁ ଦୁଃଖ ପହଞ୍ଚାଏ

୮. ବିବାହିତ ଲୋକମାନଙ୍କୁ କେଉଁ ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼େ ?

ସମସ୍ୟା । ବୈବାହିକ ଜୀବନରେ ଅନେକ ସମସ୍ୟା ଆସିପାରେ । ବାଇବଲରେ ମଧ୍ୟ କୁହାଯାଇଛି ଯେ “ଏପରି ଲୋକେ ଶରୀରରେ କ୍ଳେଶ ଭୋଗିବେ ।” (୧ କରି. ୭:୨୮) ସ୍ୱାମୀ ସ୍ତ୍ରୀ ଦୁହେଁ ଅପରିପୂର୍ଣ୍ଣ ଅଟନ୍ତି, ଦୁହିଁଙ୍କର ପସନ୍ଦ ନାପସନ୍ଦ ଓ ସ୍ୱଭାବ ପରସ୍ପରଠାରୁ ଅଲଗା ଥାଏ । ଏହା ବି ହୋଇପାରେ ଯେ ସେମାନଙ୍କର ଲାଳନପାଳନ ଅଲଗା ଅଲଗା ପରିବେଶରେ ହୋଇଥିବ । କେବଳ ଏତିକି ନୁହେଁ, ବିବାହର କିଛି ସମୟ ପରେ ସେମାନଙ୍କୁ ନିଜ ସାଥୀର କିଛି ଏପରି ଅଭ୍ୟାସ ଓ କଥାଗୁଡ଼ିକ ଜଣାପଡ଼ିବ ଯାହା ସେମାନେ ଆଗରୁ ଧ୍ୟାନ ଦେଇ ନ ଥିବେ । ଏହିସବୁ କାରଣରୁ ସେମାନଙ୍କ ମଧ୍ୟରେ ସମସ୍ୟା ଆସିପାରେ । ଯେବେ ଏପରି ସମସ୍ୟା ଆସେ, ସେସମୟରେ ସ୍ୱାମୀ ସ୍ତ୍ରୀଙ୍କୁ ତାଙ୍କର ନିଜର କʼଣ ଭୁଲ ଥିଲା ତାହା ଦେଖିବା ଉଚିତ୍‌ ଓ ସମସ୍ୟାକୁ ସମାଧାନ କରିବା ପାଇଁ ଚେଷ୍ଟା କରିବା ଉଚିତ୍‌ । କିନ୍ତୁ ଏପରି ନ କରି କିଛି ସ୍ୱାମୀ ସ୍ତ୍ରୀ ପରସ୍ପର ଉପରେ ଦୋଷ ଲଗାଇପାରନ୍ତି । ଆଉ ଏହା ବି ଭାବିପାରନ୍ତି ଯେ ଅଲଗା ହୋଇଯିବା କିମ୍ବା ଛାଡ଼ପତ୍ର ନେଇଯିବା ହିଁ ଭଲ ହେବ । କିନ୍ତୁ କʼଣ ଏପରି କଲେ ସମସ୍ୟାର ସମାଧାନ ହୋଇଯିବ ? b ଆସନ୍ତୁ ପ୍ରାଚୀନ ସମୟର ଜଣେ ବିଶ୍ୱସ୍ତ ସ୍ତ୍ରୀଙ୍କ ଉପରେ ଧ୍ୟାନ ଦେବା । ତାଙ୍କଠାରୁ ଆମେ ଶିଖିବା ଯେ ବୈବାହିକ ଜୀବନରେ ଯେତେ ବି ସମସ୍ୟା ଆସିଲେ ବି ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବା ।

୯. ଅବୀଗଲଙ୍କୁ କେଉଁ ସମସ୍ୟାର ସାମନା କରିବାକୁ ପଡ଼ିଲା ?

ଉଦାହରଣ । ଅବୀଗଲଙ୍କ ବିବାହ ନାବଲ ନାମକ ଜଣେ ବ୍ୟକ୍ତି ସହ ହୋଇଥିଲା । ବାଇବଲରେ କୁହାଯାଇଛି ଯେ ସେ ବହୁତ କଠୋର ସ୍ୱଭାବର ଥିଲା ଓ ସମସ୍ତଙ୍କ ସହ ବହୁତ ଖରାପ ବ୍ୟବହାର କରୁଥିଲା । (୧ ଶାମୁ. ୨୫:୩) ଏପରି ବ୍ୟକ୍ତି ସହିତ ରହିବା ଅବୀଗଲଙ୍କ ପାଇଁ ବହୁତ କଷ୍ଟକର ହୋଇଥିବ । କିନ୍ତୁ କʼଣ ସେ ଏପରି ଭାବିଲେ, ‘ଯେ ମୁଁ ତାଙ୍କୁ ଛାଡ଼ି ପଳାଇ ଯାଏ ?’ ନୁହଁ । ଦେଖିବାକୁ ଗଲେ, ତାଙ୍କୁ ଥରେ ଏପରି କରିବା ପାଇଁ ସୁଯୋଗ ମଧ୍ୟ ମିଳିଥିଲା । ଏହା ସେସମୟର କଥା ଯେବେ ଥରେ ନାବଲ ଦାଉଦ ଓ ତାଙ୍କ ଲୋକମାନଙ୍କର ବହୁତ ଅପମାନ କରିଥିଲା । ତେଣୁ ଦାଉଦ ବହୁତ ରାଗି ଯାଇଥିଲେ ଓ ନାବଲକୁ ମାରିବା ପାଇଁ ବାହାରି ଯାଇଥିଲେ । (୧ ଶାମୁ. ୨୫:୯-୧୩) ଏପରି ସମୟରେ ଅବୀଗଲ ଚାହିଁଥିଲେ ସେଠାରୁ ପଳାଇ ପାରନ୍ତେ ଓ ନାବଲକୁ ଦାଉଦଙ୍କ ହାତରେ ମରିବା ପାଇଁ ଛାଡ଼ି ଦେଇପାରନ୍ତେ, କିନ୍ତୁ ସେ ଏପରି କଲେ ନାହିଁ । ସେ ଦାଉଦଙ୍କୁ ଭେଟିବା ପାଇଁ ଗଲେ ଓ ତାଙ୍କୁ ଅନୁରୋଧ କଲେ ଯେ ସେ ନାବଲକୁ ଛାଡ଼ିଦିଅନ୍ତୁ । ଆଉ ଦାଉଦ ତାଙ୍କ କଥା ଶୁଣିଲେ । (୧ ଶାମୁ. ୨୫:୨୩-୨୭) କିନ୍ତୁ ଅବୀଗଲ କାହିଁକି ଏପରି କଲେ ?

୧୦. ଅବୀଗଲ କାହିଁକି ନିଜ ବିବାହ ବନ୍ଧନକୁ ବଞ୍ଚାଇବା ପାଇଁ ପରିଶ୍ରମ କରିଥିବେ ?

୧୦ ଅବୀଗଲ ଯିହୋବାଙ୍କୁ ବହୁତ ପ୍ରେମ କରୁଥିଲେ ଓ ବିବାହକୁ ଗୋଟିଏ ପବିତ୍ର ବନ୍ଧନ ବୋଲି ବିଶ୍ୱାସ କରୁଥିଲେ । ହୁଏତ ସେ ଏହା ଜାଣିଥିଲେ ଯେ ଯେବେ ଈଶ୍ୱର ଆଦମ ଓ ହବାର ବିବାହ କରାଇଥିଲେ, ତେବେ ସେ ଚାହୁଁଥିଲେ ଯେ ସେମାନେ ସବୁଦିନ ପାଇଁ ସାଙ୍ଗରେ ରହନ୍ତୁ । (ଆଦି. ୨:୨୪) ଅବୀଗଲ ଈଶ୍ୱରଙ୍କୁ ଖୁସି କରିବା ପାଇଁ ଚାହୁଁଥିଲେ, ତେଣୁ ସେ ନିଜ ସ୍ୱାମୀ ଓ ପୂରା ବଂଶର ଜୀବନ ବଞ୍ଚାଇବା ପାଇଁ ତାଙ୍କ ଦ୍ୱାରା ଯାହା ହୋଇପାରନ୍ତା, ତାହା ସେ କଲେ । ସେ ତୁରନ୍ତ ଦାଉଦଙ୍କ ପାଖକୁ ଗଲେ ଓ ତାଙ୍କୁ ଅଟକାଇଲେ । ତାଙ୍କ ନିଜର କୌଣସି ଭୁଲ ନ ଥିଲା ତଥାପି ସେ ଦାଉଦଙ୍କୁ କ୍ଷମା ମାଗିଲେ । ସତରେ ଅବୀଗଲ ବହୁତ ସାହସୀ ଥିଲେ ଓ ସେ ନିଜ ଲାଭ ବିଷୟରେ କେବେ ବି ଭାବିଲେନି । ତେଣୁ ଯିହୋବା ତାଙ୍କୁ ବହୁତ ପ୍ରେମ କରୁଥିଲେ । ଆଜି ସ୍ୱାମୀ ସ୍ତ୍ରୀ ଅବୀଗଲଙ୍କଠାରୁ କʼଣ ଶିଖିପାରିବେ ?

୧୧. (କ) ଯିହୋବା ବିବାହିତ ଲୋକଙ୍କଠାରୁ କʼଣ ଚାହାନ୍ତି ? (ଏଫିସୀୟ ୫:୩୩) (ଖ) ଭଉଣୀ କାର୍‌ମେନ ନିଜ ବିବାହ ବନ୍ଧନକୁ ବଜାୟ ରଖିବା ପାଇଁ କʼଣ କଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଶିକ୍ଷା । ଯିହୋବା ଚାହାନ୍ତି ଯେ ସ୍ୱାମୀ ସ୍ତ୍ରୀ ବିବାହକୁ ଗୋଟିଏ ପବିତ୍ର ବନ୍ଧନ ମନେ କରନ୍ତୁ ଓ ସେସମୟରେ ବି ସାଙ୍ଗରେ ରହନ୍ତୁ ଯେବେ ଏପରି କରିବା ତାଙ୍କୁ କଠିନ ଲାଗେ । ସମସ୍ୟା ଆସିଲେ ଯେବେ ସ୍ୱାମୀ ସ୍ତ୍ରୀ ତାହାକୁ ସମାଧାନ କରିବା ପାଇଁ ପରିଶ୍ରମ କରନ୍ତି, ପରସ୍ପରକୁ ପ୍ରେମ ଓ ଆଦର କରନ୍ତି, ତେବେ ଭାବନ୍ତୁ ଯିହୋବାଙ୍କୁ ଏଥିରୁ କେତେ ଖୁସି ଲାଗୁଥିବ । (ଏଫିସୀୟ ୫:୩୩ ପଢ଼ନ୍ତୁ ।) ଟିକିଏ ଭଉଣୀ କାର୍‌ମେନଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ବିବାହର ୬ ବର୍ଷ ପରେ ସେ ଯିହୋବାଙ୍କ ସାକ୍ଷୀମାନଙ୍କ ସହ ବାଇବଲ ଅଧ୍ୟୟନ କରିବାକୁ ଲାଗିଲେ ଓ ତାʼପରେ ତାଙ୍କ ବାପ୍ତିସ୍ମ ହୋଇଗଲା । ସେ କହନ୍ତି, “ମୋ ସ୍ୱାମୀଙ୍କୁ ଏକଥା ଭଲ ଲାଗିଲାନି । ସେ ଏକଥାକୁ ନେଇ ଚିଡ଼ିବାକୁ ଲାଗିଲେ ଯେ ମୁଁ ଯିହୋବାଙ୍କୁ ଅଧିକ ସମୟ ଦେଉଛି । ସେ ମୋର ଅପମାନ କରୁଥିଲେ ଓ ମୋତେ ଛାଡ଼ି ଦେବେ ବୋଲି ଧମକ ଦେଉଥିଲେ ।” ତଥାପି ଭଉଣୀ କାର୍‌ମେନ ହାର୍‌ ମାନିଲେ ନାହିଁ । ସେ ୫୦ ବର୍ଷରୁ ନିଜ ବିବାହ ବନ୍ଧନକୁ ମଜବୁତ୍‌ କରିବା ଓ ନିଜ ସ୍ୱାମୀଙ୍କୁ ପ୍ରେମ କରିବା ଓ ତାଙ୍କୁ ଆଦର କରିବା ଜାରି ରଖିଲେ । ସେ କହନ୍ତି, “ସମୟ ଗଡ଼ିବା ସହ ମୁଁ ଆହୁରି ବୁଝିବିଚାରି କାମ କରିବା ଶିଖିଲି । ମୁଁ ସବୁବେଳେ ନିଜ ସ୍ୱାମୀଙ୍କ ସହିତ ପ୍ରେମର ସହ କଥା ହେବା ପାଇଁ ଚେଷ୍ଟା କରୁଥିଲି । ମୁଁ ଏହା ବି ମନେ ରଖିଲି ଯେ ଯିହୋବାଙ୍କ ଦୃଷ୍ଟିରେ ବିବାହ ଗୋଟିଏ ପବିତ୍ର ବନ୍ଧନ ଅଟେ ଓ ତାହା ବଜାୟ ରଖିବା ପାଇଁ ମୁଁ ନିଜ ତରଫରୁ ପୂରା ଚେଷ୍ଟା କଲି । ମୁଁ ଯିହୋବାଙ୍କୁ ପ୍ରେମ କରେ, ତେଣୁ ମୁଁ ନିଜ ସ୍ୱାମୀଙ୍କୁ ଛାଡ଼ିବା ପାଇଁ କେବେ ବି ଭାବିଲି ନାହିଁ ।” c ଯଦି ଆପଣଙ୍କ ବୈବାହିକ ଜୀବନରେ କୌଣସି ସମସ୍ୟା ଆସେ, ତେବେ ମନେ ରଖନ୍ତୁ ଯେ ଏହି ସମ୍ପର୍କକୁ ଦୃଢ଼ କରିବା ପାଇଁ ଯିହୋବା ଆପଣଙ୍କୁ ସାହାଯ୍ୟ କରିବେ ।

ନିଜ ବଂଶକୁ ବଞ୍ଚାଇବା ପାଇଁ ଅବୀଗଲ ଯାହା କରିପାରନ୍ତେ, ତାହା ସେ କଲେ । ଏଥିରୁ ଆପଣ କʼଣ ଶିଖିପାରିବେ ? (ପାରାଗ୍ରାଫ ୧୧)


ଯେବେ ଆପଣ ନିଜ ଭୁଲ ଯୋଗୁଁ ନିରାଶ ହୋଇଯିବେ

୧୨. ଯେବେ ଆମ ଦ୍ୱାରା କୌଣସି ବଡ଼ ଭୁଲ ହୋଇଯାଏ, ତେବେ ଆମକୁ କିପରି ଲାଗିପାରେ ?

୧୨ ସମସ୍ୟା । ଯଦି ଆମେ କୌଣସି ବଡ଼ ପାପ କରିଦେଉ, ତେବେ ହୁଏତ ଆମେ ବହୁତ ନିରାଶ ହୋଇଯିବା । ବାଇବଲରେ କୁହାଯାଇଛି ଯେ ପାପ କରିବା ଯୋଗୁଁ ଜଣେ ବ୍ୟକ୍ତି ଭିତରୁ “ଭଗ୍ନ” ଓ “ଚୂର୍ଣ୍ଣ” ମନେ କରିପାରେ । (ଗୀତ. ୫୧:୧୭) ଭାଇ ରୋବର୍ଟଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ସହାୟକ ସେବକ ହେବା ପାଇଁ ଅନେକ ବର୍ଷରୁ ପରିଶ୍ରମ କଲେ, କିନ୍ତୁ ପରେ ସେ ଗୋଟିଏ ବଡ଼ ପାପ କରିଦେଲେ ଓ ତାଙ୍କୁ ଲାଗିଲା ଯେ ସେ ଯିହୋବାଙ୍କ ସହ ବିଶ୍ୱାସଘାତ କରିଛନ୍ତି । ସେ କହନ୍ତି, “ପାପ କରିବା ପରେ ମୋ ବିବେକ ମୋତେ ବହୁତ ହଇରାଣ କରିବାକୁ ଲାଗିଲା । ମୋତେ ନିଜକୁ ବହୁତ ଖରାପ ଲାଗିଲା । ମୁଁ ବହୁତ କାନ୍ଦୁଥିଲି ଓ ଯିହୋବାଙ୍କୁ ପ୍ରାର୍ଥନା କରୁଥିଲି । କିନ୍ତୁ ମୋତେ ଲାଗୁଥିଲା ଯେ ଯିହୋବା ମୋ ପ୍ରାର୍ଥନା କେବେ ଶୁଣିବେ ନାହିଁ ।” ଯଦି ଆମଠୁ କୌଣସି ପାପ ହୋଇଯାଏ, ତେବେ ଆମକୁ ଲାଗିପାରେ ଯେ ଆମେ କୌଣସି କାମର ନାହୁଁ । ହୁଏତ ଆମେ ଏପରି ମଧ୍ୟ ଭାବିବାକୁ ଲାଗିବା ଯେ ଯିହୋବା ଆମକୁ ଛାଡ଼ି ଦେଇଛନ୍ତି ଏବଂ ତାଙ୍କ ସେବା କରିବାରେ କିଛି ଲାଭ ନାହିଁ । (ଗୀତ. ୩୮:୪) ଯଦି ଆପଣ କେବେ ଏପରି ଅନୁଭବ କରିଛନ୍ତି, ତେବେ ଈଶ୍ୱରଙ୍କ ଜଣେ ସେବକଙ୍କ ଉଦାହରଣ ଉପରେ ଧ୍ୟାନ ଦେଲେ ଆପଣଙ୍କୁ ବହୁତ ସାହାଯ୍ୟ ମିଳିପାରେ । ସେହି ସେବକ ମଧ୍ୟ ଗୋଟିଏ ବହୁତ ବଡ଼ ଭୁଲ କରିଦେଇଥିଲେ, ତଥାପି ସେ ଯିହୋବାଙ୍କ ସେବାରେ ଲାଗି ରହିଲେ ।

୧୩. ପିତର କେଉଁ କେଉଁ ଭୁଲ କଲେ ଆଉ ତାʼପରେ ସେ କେଉଁ ବଡ଼ ପାପ କଲେ ?

୧୩ ଉଦାହରଣ । ଯୀଶୁଙ୍କ ମୃତ୍ୟୁର ପୂର୍ବ ରାତିରେ ପ୍ରେରିତ ପିତର ଗୋଟିଏ ପରେ ଗୋଟିଏ ଅନେକ ଭୁଲ କଲେ । ଆଉ ଶେଷରେ ସବୁଠୁ ବଡ଼ ପାପ କଲେ । ସବୁଠୁ ପ୍ରଥମ ଭୁଲ ଯାହା ସେ କଲେ, ତାହା ଥିଲା ସେ ନିଜ ଉପରେ ବହୁତ ବେଶି ଭରସା କରୁଥିଲେ । ତେଣୁ ସେ କହିଲେ ଅନ୍ୟ ପ୍ରେରିତମାନେ ଯୀଶୁଙ୍କୁ ଛାଡ଼ି ଚାଲିଗଲେ ମଧ୍ୟ ମୁଁ କେବେ ଏପରି କରିବି ନାହିଁ । (ମାର୍କ ୧୪:୨୭-୨୯) ତାʼପରେ ଗେଥ୍‌ଶିମାନୀ ନାମକ ଜାଗାରେ ଯେବେ ଯୀଶୁ ସେମାନଙ୍କୁ ଜାଗ୍ରତ ରହିବା ପାଇଁ କହିଲେ, ସେସମୟରେ ସେ ବାରମ୍ବାର ଶୋଇଗଲେ । (ମାର୍କ ୧୪:୩୨, ୩୭-୪୧) ତାʼପରେ ସେ ପୁଣି ଆଉ ଗୋଟିଏ ଭୁଲ କଲେ । ଯେବେ ଭିଡ଼ ଯୀଶୁଙ୍କୁ ଧରିବା ପାଇଁ ଆସିଲା, ସେସମୟରେ ସେ ଯୀଶୁଙ୍କୁ ଛାଡ଼ି ପଳାଇଗଲେ । (ମାର୍କ ୧୪:୫୦) ଆଉ ତାʼପରେ ସେ ସବୁଠାରୁ ବଡ଼ ଭୁଲ କଲେ, ସେ ତିନିଥର ଯୀଶୁଙ୍କୁ ଜାଣିବାରୁ ମନା କରିଦେଲେ । ଏପରିକି ସେ ଯୀଶୁଙ୍କୁ ଜାଣି ନାହାନ୍ତି ବୋଲି ମିଛ ଶପଥ ମଧ୍ୟ ନେଲେ । (ମାର୍କ ୧୪:୬୬-୭୧) କିନ୍ତୁ ଯେତେବେଳେ ପିତରଙ୍କୁ ନିଜ ଭୁଲର ଅନୁଭବ ହେଲା ତେବେ ସେ କʼଣ କଲେ ? ସେ କାନ୍ଦିବାକୁ ଲାଗିଲେ ଓ ପୂରାପୂରି ଭାଙ୍ଗି ପଡ଼ିଲେ । (ମାର୍କ ୧୪:୭୨) ଆଉ ଭାବନ୍ତୁ, ତାʼର କିଛି ଘଣ୍ଟା ପରେ ଯେତେବେଳେ ତାଙ୍କ ସାଙ୍ଗ ଯୀଶୁଙ୍କୁ ମାରି ଦିଆଗଲା, ସେତେବେଳେ ତାଙ୍କୁ କିପରି ଲାଗିଥିବ ! ସେ ନିଜକୁ ବହୁତ ଦୋଷୀ ଅନୁଭବ କରିଥିବେ ।

୧୪. ଭୁଲ କଲା ପରେ ମଧ୍ୟ ପିତର କାହିଁକି ଯିହୋବାଙ୍କ ସେବା କରିବା ଜାରି ରଖିଲେ ? (ବାହାରେ ଥିବା ଚିତ୍ର ଦେଖନ୍ତୁ ।)

୧୪ ତାʼପରେ ମଧ୍ୟ ପିତର ଯିହୋବାଙ୍କ ସେବା କରିବା ଛାଡ଼ିଲେ ନାହିଁ ଓ ହାର୍‌ ମାନିଲେ ନାହିଁ । କାହିଁକି ? ଏହାର ଅନେକ କାରଣ ଥିଲା । ଯେପରି, ଭୁଲ କରିବା ପରେ ସେ ଅନ୍ୟ ପ୍ରେରିତମାନଙ୍କଠାରୁ ଦୂରେଇ ରହିଲେ ନାହିଁ । ସେ ସେମାନଙ୍କ ସହ ଭେଟିବା ପାଇଁ ଗଲେ ଓ ସେ ସେମାନଙ୍କୁ ନିଜ ମନ କଥା ଶୁଣାଇଲେ । ସେସମୟରେ ନିଶ୍ଚୟ ଅନ୍ୟ ପ୍ରେରିତମାନେ ତାଙ୍କୁ ସାନ୍ତ୍ୱନା ଦେଇଥିବେ । (ଲୂକ ୨୪:୩୩) କେବଳ ଏତିକି ନୁହେଁ, ଜୀବିତ ହେବା ପରେ, ଯୀଶୁ ପିତରଙ୍କୁ ଭେଟିବା ପାଇଁ ଆସିଲେ ଓ ନିଶ୍ଚୟ ସେ ପିତରଙ୍କ ଉତ୍ସାହ ବଢ଼ାଇଥିବେ । (ଲୂକ ୨୪:୩୪; ୧ କରି. ୧୫:୫) ତାʼପରେ ମଧ୍ୟ ଯେବେ ଯୀଶୁ ନିଜ ସାଙ୍ଗମାନଙ୍କ ସହ ଥିଲେ, ସେସମୟରେ ସେ ପିତରଙ୍କୁ ତାଙ୍କ ଭୁଲ ପାଇଁ ଗାଳି ଦେଲେ ନାହିଁ, ବରଂ ତାଙ୍କୁ କହିଲେ ଯେ ତାଙ୍କୁ ଆଗକୁ ଯାଇ ବଡ଼ ବଡ଼ ଦାୟିତ୍ୱ ଦିଆଯିବ । (ଯୋହ. ୨୧:୧୫-୧୭) ଏସବୁ କାରଣ ଯୋଗୁଁ ପିତରଙ୍କୁ ପୂରା ଭରସା ହୋଇଯାଇଥିଲା ଯେ ତାଙ୍କ ମାଲିକ ଯୀଶୁ ଏବେ ମଧ୍ୟ ତାଙ୍କୁ ପ୍ରେମ କରନ୍ତି ଓ ଅନ୍ୟ ପ୍ରେରିତମାନେ ମଧ୍ୟ ପିତରଙ୍କୁ ସହଯୋଗ କରିବା ଜାରି ରଖିଲେ । ତେଣୁ ପାପ କରିବା ପରେ ମଧ୍ୟ ପିତର ହାର୍‌ ମାନିଲେ ନାହିଁ । ସେ ଯିହୋବାଙ୍କ ସେବାରେ ଲାଗି ରହିଲେ । ଆଜି ଆମେ ପିତରଙ୍କଠାରୁ କʼଣ ଶିଖିପାରିବା ?

ଯୋହନ ୨୧:⁠୧୫-୧୭ ପଦରୁ ଜଣାପଡ଼େ ଯେ ଯୀଶୁ ପିତରଙ୍କ ଭୁଲଗୁଡ଼ିକୁ କ୍ଷମା କରିଦେଇଥିଲେ । ଏଥିରୁ ପିତରଙ୍କୁ ଯିହୋବାଙ୍କ ସେବା ଜାରି ରଖିବା ପାଇଁ ପ୍ରୋତ୍ସାହନ ମିଳିଲା (ପାରାଗ୍ରାଫ ୧୪)


୧୫. ଯିହୋବା ଆମକୁ କେଉଁ କଥାର ଭରସା କରାଇବା ପାଇଁ ଚାହାଁନ୍ତି ? (ଗୀତସଂହିତା ୮୬:୫; ରୋମୀୟ ୮:୩୮, ୩୯) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୫ ଶିକ୍ଷା । ଯିହୋବା ଆମକୁ ଭରସା କରାଇବା ପାଇଁ ଚାହାନ୍ତି ଯେ ସେ ଆମକୁ ପ୍ରେମ କରନ୍ତି । ଆଉ ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । (ଗୀତସଂହିତା ୮୬:୫; ରୋମୀୟ ୮:୩୮, ୩୯ ପଢ଼ନ୍ତୁ ।) ଯେବେ ଆମେ ପାପ କରୁ, ତେବେ ଆମେ ନିଜକୁ ଦୋଷ ଦେବାକୁ ଲାଗୁ । ଏହା ସମସ୍ତଙ୍କ ସହିତ ହୋଇଥାଏ ଓ ଏପରି ଲାଗିବା ଭଲ ମଧ୍ୟ ଅଟେ । କିନ୍ତୁ ଆମକୁ କେବେ ବି ଏପରି ଭାବିବା କଥା ନୁହେଁ ଯେ ଆମ ଭୁଲ ଯୋଗୁଁ ଯିହୋବା ଆମକୁ ଆଉ ପ୍ରେମ କରନ୍ତି ନାହିଁ ଓ ଆମକୁ କେବେ କ୍ଷମା କରିବେ ନାହିଁ । ତାʼ ପରିବର୍ତ୍ତେ ଆମେ ତୁରନ୍ତ ଭାଇମାନଙ୍କଠାରୁ ସାହାଯ୍ୟ ନେବା ଉଚିତ୍‌ । ଭାଇ ରୋବର୍ଟଙ୍କ ବିଷୟରେ ଆମେ ଆଗରୁ ଦେଖିଥିଲୁ, ସେ ବି ଏପରି ହିଁ କଲେ । ସେ କହନ୍ତି, “ମୋତେ ନିଜ ଉପରେ ବହୁତ ବେଶି ଭରସା ଥିଲା ଓ ମୁଁ କାହାରିଠାରୁ ସାହାଯ୍ୟ ମାଗିଲି ନାହିଁ, ତେଣୁ ମୁଁ ପାପ କରିଦେଲି ।” କିନ୍ତୁ ପରେ ସେ ପ୍ରାଚୀନମାନଙ୍କ ସହ କଥା ହେଲେ । ଭାଇ କହନ୍ତି, “ପ୍ରାଚୀନମାନଙ୍କ ସହ କଥା ହୋଇ ମୋତେ ଅନୁଭବ ହେଲା ଯେ ଯିହୋବା ଏବେ ମଧ୍ୟ ମୋତେ ପ୍ରେମ କରନ୍ତି । ଭାଇମାନେ ମୋତେ ବହୁତ ସାହାଯ୍ୟ କଲେ । ସେମାନେ ମୋତେ ଭରସା କରାଇଲେ ଯେ ଯିହୋବା ମୋତେ ଛାଡ଼ି ନାହାନ୍ତି ।” ଯଦି ଆମ ଦ୍ୱାରା କୌଣସି ବଡ଼ ଭୁଲ ହୋଇଯାଏ, ତାହେଲେ ଆମେ କʼଣ କରିବା ? ଆମେ ପଶ୍ଚାତାପ କରିବା, ପ୍ରାଚୀନମାନଙ୍କଠାରୁ ସାହାଯ୍ୟ ନେବା ଓ ସେହି ଭୁଲ ପୁଣିଥରେ ନ ଦୋହରାଇବା ପାଇଁ ପୂରାପୂରି ଚେଷ୍ଟା କରିବା । ଏପରି କଲେ ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ଆମକୁ ପ୍ରେମ କରନ୍ତି ଓ ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । (୧ ଯୋହ. ୧:୮, ୯) ଆଉ ଏହି ଭରସା ଥିଲେ ଆମେ ଝୁଣ୍ଟି ପଡ଼ିଲେ ମଧ୍ୟ ହାର୍‌ ମାନିବାନି, ବରଂ ପୁଣିଥରେ ଉଠି ଆଗକୁ ବଢ଼ିବା ଜାରି ରଖିବା ।

ଯେବେ ଆପଣ ଦେଖନ୍ତି ଯେ ପ୍ରାଚୀନମାନେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି, ତେବେ ଆପଣଙ୍କୁ କେଉଁ କଥାର ଭରସା ହୋଇଯାଏ ? (ପାରାଗ୍ରାଫ ୧୫)


୧୬. ଆପଣ କାହିଁକି ଯିହୋବାଙ୍କ ସେବା ଜାରି ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି ?

୧୬ ଏହି ଶେଷକାଳର କଠିନ ପରିସ୍ଥିତିରେ ଆମେ ଯିହୋବାଙ୍କ ସେବା କରିବା ପାଇଁ ଯେଉଁ ପରିଶ୍ରମ କରୁଛୁ, ତାହା ଦେଖି ସେ ବହୁତ ଖୁସି ହୁଅନ୍ତି । ହୁଏତ ଆମେ ନିରାଶ ହୋଇଯାଉ, କିନ୍ତୁ ଯିହୋବା ଆମକୁ ତାଙ୍କ ସେବାରେ ଲାଗି ରହିବା ପାଇଁ ସାହାଯ୍ୟ କରିବେ । ଯଦି କୌଣସି ଭାଇ କିମ୍ବା ଭଉଣୀ ଆମକୁ ଦୁଃଖ ପହଞ୍ଚାନ୍ତି, ତେବେ ବି ଆମେ ତାଙ୍କୁ ପ୍ରେମ କରିବା ଓ କ୍ଷମା କରିବା । ଯଦି ଆମ ବୈବାହିକ ଜୀବନରେ କିଛି ସମସ୍ୟା ଆସେ, ତେବେ ଆମେ ତାହାର ସାମନା କରିବା ଓ ତାହାକୁ ସମାଧାନ କରିବା ପାଇଁ ପୂରା ଚେଷ୍ଟା କରିବା । ଏପରି କରି ଆମେ ଦେଖାଇବା ଯେ ଆମେ ବିବାହ ବନ୍ଧନକୁ ବହୁମୂଲ୍ୟ ମନେ କରୁ ଓ ଯିହୋବାଙ୍କୁ ପ୍ରେମ କରୁ । ଆଉ ଯଦି ଆମେ କୌଣସି ବଡ଼ ପାପ କରିଦେଉ ତା’ହେଲେ ଆମେ ଯିହୋବାଙ୍କ ଠାରୁ ସାହାଯ୍ୟ ନେବା । ଆମେ ଭରସା ରଖିବା ଯେ ସେ ଆମକୁ ପ୍ରେମ କରନ୍ତି ଓ ସେ ଆମକୁ କ୍ଷମା କରି ଦେଇଛନ୍ତି ଆଉ ତାଙ୍କ ସେବାରେ ଲାଗି ରହିବା । ତେଣୁ ଆସନ୍ତୁ ଆମ୍ଭେମାନେ ‘ଉତ୍ତମ କର୍ମ କରିବାରେ ଶ୍ରାନ୍ତ ହେବା ନାହିଁ ।’ (ଗାଲା. ୬:୯) ଯଦି ଆମେ ଏପରି କରିବା, ତା’ ହେଲେ ଯିହୋବା ଆମକୁ ଅନେକ ଆଶିଷ ଦେବେ ।

ଆମେ କିପରି ଯିହୋବାଙ୍କ ସେବା କରିବା ଜାରି ରଖିପାରିବା . . .

  • ଯେବେ କୌଣସି ଭାଇ କିମ୍ବା ଭଉଣୀ ଆମକୁ ଦୁଃଖ ପହଞ୍ଚାନ୍ତି ?

  • ଯେବେ ଆମ ଜୀବନ ସାଥୀ ଆମକୁ ଦୁଃଖ ପହଞ୍ଚାଏ ?

  • ଯେବେ ଆମ ଦ୍ୱାରା କୌଣସି ଭୁଲ ହୋଇଯାଏ ?

ଗୀତ ୧୩୯ ଯବ୍‌ ହୋଙ୍ଗେ ନାଇ ଦୁନିଆ ମେ !

a ଏହି ଲେଖାରେ କିଛି ଲୋକମାନଙ୍କ ନାମ ସେମାନଙ୍କ ଅସଲି ନାମ ନୁହେଁ ।

b ବାଇବଲ ସ୍ୱାମୀ ସ୍ତ୍ରୀଙ୍କୁ ଅଲଗା ହେବା ପାଇଁ ପ୍ରୋତ୍ସାହନ ଦିଏ ନାହିଁ ଓ ଏଠାରେ ସ୍ପଷ୍ଟ ଭାବରେ କୁହାଯାଇଛି ଯେ ଯଦି ସେମାନେ ଅଲଗା ହୋଇ ଯାଆନ୍ତି, ତା’ହେଲେ ସ୍ୱାମୀ କିମ୍ବା ସ୍ତ୍ରୀ ମଧ୍ୟରୁ କେହି ବି ପୁଣିଥରେ ବିବାହ କରିପାରିବେ ନାହିଁ । କିନ୍ତୁ ଏପରି କିଛି ପରିସ୍ଥିତି ଆସିପାରେ, ଯାହା’ଯୋଗୁଁ କିଛି ଖ୍ରୀଷ୍ଟିୟାନମାନେ ନିଜ ଜୀବନ ସାଥୀ ଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନିଅନ୍ତି । ଏ ବିଷୟରେ ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ବହିର ଅଧିକ ବିବରଣୀ ୪, ସ୍ୱାମୀ-ସ୍ତ୍ରୀଙ୍କ ଅଲଗା ହେବା ବିଷୟରେ ପଢ଼ନ୍ତୁ ।