इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୦

ଗୀତ ୧୩ ମସୀହ ହାମାରା ଆଦର୍ଶ୍‌

ବାପ୍ତିସ୍ମ ପରେ ବି ଯୀଶୁଙ୍କୁ ‘ଅନୁଗମନ କରନ୍ତୁ’

ବାପ୍ତିସ୍ମ ପରେ ବି ଯୀଶୁଙ୍କୁ ‘ଅନୁଗମନ କରନ୍ତୁ’

“କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ଆପଣା କ୍ରୁଶ [‘ଯାତନା ଖୁଣ୍ଟ,’ NWT] ଘେନି ମୋହର ଅନୁଗମନ କରୁ ।”ଲୂକ ୯:୨୩.

କʼଣ ଶିଖିବା ?

ଏହି ଲେଖାରେ କୁହାଯାଇଛି ଯେ ଆମେ ସମସ୍ତେ କିପରି ଆମ ସମର୍ପଣ ଅନୁସାରେ ବଞ୍ଚିପାରିବା । ଏହି ଲେଖାରୁ ବିଶେଷ କରି ସେହି ଲୋକମାନଙ୍କୁ ସାହାଯ୍ୟ ମିଳିବ ଯେଉଁମାନେ କିଛି ସମୟ ପୂର୍ବରୁ ହିଁ ବାପ୍ତିସ୍ମ ନେଇଛନ୍ତି ଓ ସେମାନଙ୍କୁ ଏହା ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ସାହାଯ୍ୟ କରିବ ।

୧-୨. ବାପ୍ତିସ୍ମ ପରେ ଆମକୁ କେଉଁ ଆଶିଷଗୁଡ଼ିକ ମିଳେ ?

 ଯେବେ ଆମେ ବାପ୍ତିସ୍ମ ନେଉ ଓ ଯିହୋବାଙ୍କ ପରିବାରର ସଦସ୍ୟ ହେଉ ତେବେ ଆମକୁ ବହୁତ ଖୁସି ହୁଏ । ଆମେ ବି ଠିକ୍‌ ଦାଉଦଙ୍କ ଭଳି ଅନୁଭବ କରୁ । ସେ ଗୋଟିଏ ଗୀତସଂହିତାରେ ଲେଖିଲେ, “ତୁମ୍ଭେ ଯାହାକୁ ତୁମ୍ଭ ପ୍ରାଙ୍ଗଣରେ ବାସ କରିବା ପାଇଁ ମନୋନୀତ କର ଓ ଆପଣା ନିକଟକୁ ଆସିବାକୁ ଦିଅ ସେ ଲୋକ ଧନ୍ୟ ।”—ଗୀତ. ୬୫:୪.

ଯିହୋବା କେଉଁ ଲୋକମାନଙ୍କୁ ନିଜ ପ୍ରାଙ୍ଗଣକୁ ଡାକନ୍ତି କିମ୍ବା ନିଜ ପରିବାରର ସଦସ୍ୟ ହେବା ପାଇଁ ଦିଅନ୍ତି ? ଯେପରି ଆମେ ପୂର୍ବ ଲେଖାରେ ଦେଖିଲୁ ଯେ, ସେମାନଙ୍କୁ ସେ ନିଜ ଆଡ଼କୁ ଆକର୍ଷିତ କରନ୍ତି ଯେଉଁମାନେ ପ୍ରକୃତରେ ତାଙ୍କ ନିକଟକୁ ଆସିବା ପାଇଁ ଚାହାନ୍ତି । (ଯାକୁ. ୪:୮) ଯେବେ ତମେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କର ଓ ବାପ୍ତିସ୍ମ ନିଅ ତେବେ ଯିହୋବାଙ୍କ ସହ ତମର ଏକ ବିଶେଷ ସମ୍ପର୍କ ଗଢ଼ି ଉଠେ । ତମେ ଭରସା ରଖିପାରିବ ଯେ ଏହା ପରେ ସେ “ନିଅଣ୍ଟ ହେବା ପର୍ଯ୍ୟନ୍ତ ତୁମ୍ଭମାନଙ୍କ ଉପରେ ଆଶୀର୍ବାଦରୂପ ବୃଷ୍ଟି ବର୍ଷାଇବେ ।”—ମଲାଖି ୩:୧୦; ଯିରି. ୧୭:୭, ୮.

୩. ବାପ୍ତିସ୍ମ ପରେ ଜଣେ ଖ୍ରୀଷ୍ଟିୟାନକୁ କʼଣ କରିବାକୁ ପଡ଼ିବ ? (ଉପଦେଶକ ୫:୪, ୫)

ବାପ୍ତିସ୍ମ କେବଳ ଆରମ୍ଭ ଅଟେ । ଏହା ପରେ ତମକୁ କʼଣ କରିବାକୁ ପଡ଼ିବ ? ତମକୁ ନିଜ ସମର୍ପଣ ଅନୁସାରେ ବଞ୍ଚିବା ପାଇଁ ପୂରା ଚେଷ୍ଟା କରିବାକୁ ପଡ଼ିବ, ସେସମୟରେ ବି ଯେବେ ତମକୁ ପ୍ରଲୋଭିତ କରାଯାଏ କିମ୍ବା ତମକୁ ସମସ୍ୟାର ସାମନା କରିବାକୁ ପଡ଼େ । (ଉପଦେଶକ ୫:୪, ୫ ପଢ଼ନ୍ତୁ ।) ଏବେ ତମେ ଯୀଶୁଙ୍କ ଶିଷ୍ୟ ଅଟ, ତେଣୁ ଯୀଶୁଙ୍କ ଭଳି ହେବା ପାଇଁ ଓ ତାଙ୍କ ଆଜ୍ଞା ପାଳନ କରିବା ପାଇଁ ତମକୁ ପୂରା ଚେଷ୍ଟା କରିବା ଉଚିତ୍‌ । (ମାଥି. ୨୮:୧୯, ୨୦; ୧ ପିତ. ୨:୨୧) ଏହି ଲେଖାରେ ତମେ ଜାଣିବ ଯେ ତମେ ଏହା କିପରି କରିପାରିବ ।

ସମସ୍ୟା ଓ ପରୀକ୍ଷା ଆସିଲେ ବି ଯୀଶୁଙ୍କୁ ‘ଅନୁଗମନ କରନ୍ତୁ’

୪. ଯେବେ ଯୀଶୁ କହିଲେ ଯେ ତାଙ୍କ ଶିଷ୍ୟମାନଙ୍କୁ ‘ଯାତନା ଖୁଣ୍ଟ’ ଉଠାଇବାକୁ ପଡ଼ିବ, ତେବେ ଏହାର ଅର୍ଥ କʼଣ ଥିଲା ? (ଲୂକ ୯:୨୩)

ବାପ୍ତିସ୍ମ ନେବାର ଅର୍ଥ ଏହା ନୁହେଁ ଯେ ତମ ଜୀବନରେ କୌଣସି ସମସ୍ୟା ଆସିବନି । ଯୀଶୁ କହିଥିଲେ ତାଙ୍କ ଶିଷ୍ୟମାନଙ୍କୁ “କ୍ରୁଶ [‘ଯାତନା ଖୁଣ୍ଟ,’ NWT]” ଉଠାଇ ଚାଲିବାକୁ ପଡ଼ିବ । ସେ ଏହା ବି କହିଥିଲେ ଯେ ସେମାନଙ୍କୁ “ପ୍ରତିଦିନ” ଏପରି କରିବାକୁ ପଡ଼ିବ । (ଲୂକ ୯:୨୩ ପଢ଼ନ୍ତୁ ।) କʼଣ ଯୀଶୁଙ୍କ କହିବାର ଅର୍ଥ ଏହା ଥିଲା ଯେ ତାଙ୍କ ଶିଷ୍ୟମାନଙ୍କୁ ସବୁବେଳେ ଏପରି ସମସ୍ୟାଗୁଡ଼ିକର ସାମନା କରିବାକୁ ପଡ଼ିବ ? ନୁହେଁ, ସେ କେବଳ ଏହା ବୁଝାଇବା ପାଇଁ ଚେଷ୍ଟା କରୁଥିଲେ ଯେ ସେମାନଙ୍କୁ ଅନେକ ଆଶିଷ ମିଳିବ କିନ୍ତୁ ତାʼ ସହ ଅନେକ ସମସ୍ୟାର ବି ସାମନା କରିବାକୁ ପଡ଼ିବ । ଆଉ ସେମଧ୍ୟରୁ କିଛି ସମସ୍ୟାଗୁଡ଼ିକ ସାମନା କରିବା ବହୁତ କଠିନ ହେବ ।—୨ ତୀମ. ୩:୧୨.

୫. ଯୀଶୁଙ୍କ ଅନୁସାରେ ଚାଲିବା ପାଇଁ ଯେଉଁମାନେ ତ୍ୟାଗ କରନ୍ତି, ସେମାନଙ୍କୁ କେଉଁ ଆଶିଷଗୁଡ଼ିକ ମିଳେ ?

ତମ ପରିବାର ଲୋକ ତମକୁ ବିରୋଧ କରିଥିବେ କିମ୍ବା ଈଶ୍ୱରଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା ପାଇଁ ତମକୁ ଅଧିକ ପଇସା ରୋଜଗାର କରିବାର ସୁଯୋଗ ଛାଡ଼ିବାକୁ ପଡ଼ିଥିବ । (ମାଥି. ୬:୩୩) ଯଦି ଏପରି ହୁଏ ତେବେ ତମେ ଭରସା ରଖିପାରିବ ଯେ ତମେ ଯାହା ବି ତ୍ୟାଗ କରିଛ ତାହା ଯିହୋବା କେବେ ବି ଭୁଲିବେ ନାହିଁ । (ଏବ୍ରୀ ୬:୧୦) ତାʼଛଡ଼ା ଏହି ତ୍ୟାଗ କରି ତମେ ଯୀଶୁଙ୍କ ଏହି କଥାକୁ ସତ ହେବାର ଦେଖିଥିବ: “ଯେଉଁ ଲୋକ ମୋହର ଓ ସୁସମାଚାର ନିମନ୍ତେ ଗୃହ କିମ୍ବା ଭ୍ରାତା କି ଭଗ୍ନି କି ମାତା କି ପିତା କି ସନ୍ତାନସନ୍ତତି କି ଭୂମି ପରିତ୍ୟାଗ କରିଅଛି, ଆଉ ଏବେ ଇହକାଳରେ ତାଡ଼ନା ସଙ୍ଗେ ସଙ୍ଗେ ଶତ ଗୁଣରେ ଗୃହ, ଭ୍ରାତା, ଭଗ୍ନୀ, ମାତା, ସନ୍ତାନସନ୍ତତି ଓ ଭୂମି, ପୁଣି ପରକାଳରେ ଅନନ୍ତ ଜୀବନ ନ ପାଇବ ଏପରି ଲୋକ କେହି ନାହିଁ ।” (ମାର୍କ ୧୦:୨୯, ୩୦) ସତରେ, ତମେ ଅନୁଭବ କରିଥିବ ଯେ ତମେ ଆଜି ଯାଏ ଯେତେ ତ୍ୟାଗ କରିଛ ତାʼଠାରୁ ଅଧିକ ତମକୁ ଆଶିଷ ମିଳିଛି ।—ଗୀତ. ୩୭:୪.

୬. ବାପ୍ତିସ୍ମ ନେବା ପରେ ମଧ୍ୟ ଆମକୁ କାହିଁକି ‘ଶରୀରର ଅଭିଳାଷ’ ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ ?

ବାପ୍ତିସ୍ମ ନେବା ପରେ ଆମେ ପରିପୂର୍ଣ୍ଣ ହୋଇ ନ ଥାଉ । ଏହା ପରେ ମଧ୍ୟ ଆମକୁ “ଶାରୀରିକ ଅଭିଳାଷ” ବିରୁଦ୍ଧରେ ଲଢ଼ିବାକୁ ପଡ଼ିପାରେ । (୧ ଯୋହ. ୨:୧୬) ଏପରି ସମୟରେ ହୁଏତ ଆମେ ବେଳେ ବେଳେ ପାଉଲଙ୍କ ଭଳି ଅନୁଭବ କରିବା । ସେ କହିଥିଲେ, “ଆନ୍ତରିକ ପୁରୁଷର ଭାବାନୁସାରେ ମୁଁ ଈଶ୍ୱରଙ୍କ ବ୍ୟବସ୍ଥାରେ ଆନନ୍ଦ କରେ । କିନ୍ତୁ ମୁଁ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଗୋଟିଏ ଭିନ୍ନ ବ୍ୟବସ୍ଥା ଦେଖେ, ତାହା ମୋହର ମନର ବ୍ୟବସ୍ଥା ବିପକ୍ଷରେ ଯୁଦ୍ଧ କରେ, ଆଉ ମୋହର ଅଙ୍ଗପ୍ରତ୍ୟଙ୍ଗରେ ଯେଉଁ ପାପର ବ୍ୟବସ୍ଥା ଅଛି, ମୋତେ ସେଥିର ବନ୍ଦୀ କରିଦିଏ ।” (ରୋମୀ. ୭:୨୨, ୨୩) ପାଉଲଙ୍କ ଭଳି ଆମକୁ ମଧ୍ୟ ନିଜ ଇଚ୍ଛା ବିରୁଦ୍ଧରେ ଲଢ଼ିବା କଷ୍ଟକର ଲାଗିପାରେ ଓ ବେଳେ ବେଳେ ଆମେ ନିରାଶ ହୋଇପାରୁ । କିନ୍ତୁ ସେସମୟରେ ଯେବେ ଆମେ ନିଜ ସମର୍ପଣର ପ୍ରତିଜ୍ଞାକୁ ମନେ ରଖିବା, ତାହେଲେ ଯାହା ବି ସମସ୍ୟା ଆସୁ ନା କାହିଁକି ଆମେ ତାହା ସାମନା କରିପାରିବା । ପ୍ରକୃତରେ ଏହି ପ୍ରତିଜ୍ଞାକୁ ମନେ ରଖିଲେ ଆମେ ପ୍ରଲୋଭିତ କରାଯିବା ସମୟରେ ବି ଠିକ୍‌ ନିଷ୍ପତ୍ତି ନେବା ଆମ ପାଇଁ ସହଜ ହୋଇଯିବ । ତାହା କିପରି ?

୭. ତମେ ନିଜ ସମର୍ପଣ କଥା ମନେ ରଖିଲେ କିପରି ଯିହୋବାଙ୍କ ବିଶ୍ୱସ୍ତ ରହିପାରିବ ?

ଯେବେ ତମେ ଯିହୋବାଙ୍କୁ ନିଜ ଜୀବନ ସମର୍ପଣ କର ତେବେ ତମେ ନିଜକୁ ଅସ୍ୱୀକାର କର, ତା ଅର୍ଥ ତମେ ଯିହୋବାଙ୍କ ବିରୁଦ୍ଧରେ ଥିବା ନିଜ ଇଚ୍ଛା ଓ ଅଭିଳାଷଗୁଡ଼ିକୁ ତ୍ୟାଗ କର । (ମାଥି. ୧୬:୨୪) ତେଣୁ ଯେବେ ତମକୁ ପ୍ରଲୋଭିତ କରାଯାଏ କିମ୍ବା ତମକୁ କୌଣସି ସମସ୍ୟାର ସାମନା କରିବାକୁ ପଡ଼େ, ତେବେ ତମକୁ ଭାବିବାକୁ ପଡ଼େନି ଯେ ତମେ କʼଣ କରିବ ଓ କʼଣ ନୁହେଁ । କାରଣ ତମେ ଆଗରୁ ଭାବି ନେଇଛ ଯେ ଯାହା ହୋଇ ଯାଉ ପଛେ ତମେ ଯିହୋବାଙ୍କ ବିଶ୍ୱସ୍ତ ରହିବ । ତମେ ତାହା ହିଁ କରିବ ଯେଉଁଥିରୁ ସେ ଖୁସି ହୁଅନ୍ତି । ଏପରି କରି ତମେ ଆୟୁବଙ୍କ ଭଳି କାମ କରୁଥିବ । ସେ ଅନେକ ବଡ଼ ବଡ଼ ସମସ୍ୟାର ସାମନା କରିଥିଲେ, ତଥାପି ସେ କହିଲେ, “ମୁଁ ମରଣ ପର୍ଯ୍ୟନ୍ତ ମୋ ସରଳତା ଆପଣାଠାରୁ ଦୂର କରିବି ନାହିଁ ।”—ଆୟୁ. ୨୭:୫.

୮. ତମେ ନିଜ ସମର୍ପଣ ସମୟର ପ୍ରାର୍ଥନାକୁ ମନେ ପକାଇଲେ କିପରି ପ୍ରଲୋଭନ ଆସିଲେ ବି ବିଶ୍ୱସ୍ତ ରହିପାରିବ ?

ଯଦି ତମେ ସେହି ପ୍ରାର୍ଥନାକୁ ମନେ ପକାଇବ ଯାହା ତମେ ନିଜ ସମର୍ପଣ ସମୟରେ କରିଥିଲ, ତେବେ ତମେ ପ୍ରଲୋଭିତ କରାଯିବା ସମୟରେ ବି ବିଶ୍ୱସ୍ତ ରହିପାରିବ । ଯେପରି ତମେ କୌଣସି ବିବାହିତ ବ୍ୟକ୍ତିକୁ ଭଲ ପାଇବା ଭଳି କଥା ବାର୍ତ୍ତା (ଫ୍ଲର୍ଟ) କରିବା ବିଷୟରେ କେବେ ବି ଭାବିବ ନାହିଁ । କାରଣ ତମେ ଆଗରୁ ହିଁ ଯିହୋବାଙ୍କୁ ପ୍ରତିଜ୍ଞା କରିଛ ଯେ ତମେ ଯେକୌଣସି ପରିସ୍ଥିତିରେ ବି ଯିହୋବାଙ୍କ ବିଶ୍ୱସ୍ତ ରହିବ । ଏପରି କରିବା ଦ୍ୱାରା ତମ ମନରେ ଖରାପ ଇଚ୍ଛା ଆସିବ ନାହିଁ କିମ୍ବା ପରେ ତମେ ନିଜକୁ ଦୋଷୀ ଅନୁଭବ କରିବ ନାହିଁ ଆଉ ତମେ ‘ପାପୀମାନଙ୍କ ପଥରୁ’ “ବିମୁଖ” ହେବ ।—ହିତୋ. ୪:୧୪, ୧୫.

୯. ତମେ ନିଜ ସମର୍ପଣ ସମୟର ପ୍ରାର୍ଥନାକୁ ମନେ ରଖିଲେ କିପରି ଯିହୋବାଙ୍କୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଇପାରିବ ?

ଭାବିନିଅ, ତମକୁ ଗୋଟିଏ ବଢ଼ିଆ ଚାକିରିଟିଏ ମିଳୁଛି କିନ୍ତୁ ତାʼ ଯୋଗୁଁ ତମେ ପ୍ରତି ସଭାରେ ଯାଇପାରିବ ନାହିଁ । ଏପରି ସମୟରେ ତମକୁ ବେଶି ଭାବିବାକୁ ପଡ଼ିବ ନାହିଁ, ତମେ ତୁରନ୍ତ ସେହି ଚାକିରି କରିବାରୁ ମନା କରିଦେବ । ତାହା ଏଥିପାଇଁ କାରଣ ତମେ ଆଗରୁ ଭାବି ନେଇଛ ଯେ କୌଣସି କଥାକୁ ବି ତମେ ଯିହୋବାଙ୍କ ଉପାସନାରେ ବାଧା ହେବା ପାଇଁ ଦେବନି । ତମେ ଏହା ଭାବିବନି ଯେ ‘ମୁଁ ଏହି ଚାକିରିଟା କରି ନିଏ ଓ ସଭାରେ ଯେମିତି ହେଲେ ଯିବି ।’ ଏହା ପରିବର୍ତ୍ତେ ତମେ ଯୀଶୁଙ୍କ ଉଦାହରଣରେ ଚାଲିବ । ଯିଏ ସବୁ ପରିସ୍ଥିତିରେ ନିଜ ପିତାଙ୍କୁ ଖୁସି କରିବା ପାଇଁ ଚାହୁଁଥିଲେ । ତମେ ଏପରି କୌଣସି କାମ କରିବାରୁ ତୁରନ୍ତ ମନା କରିଦେବ ଯାହା ଯିହୋବାଙ୍କ ଇଚ୍ଛା ପୂରା କରିବାରେ ତମ ପାଇଁ ସମସ୍ୟା ହୋଇପାରେ ।—ମାଥି. ୪:୧୦; ଯୋହ. ୮:୨୯.

୧୦. ବାପ୍ତିସ୍ମ ପରେ ଯୀଶୁଙ୍କୁ “ଅନୁଗମନ” କରିବା ପାଇଁ ଯିହୋବା କିପରି ତମକୁ ସାହାଯ୍ୟ କରିବେ ?

୧୦ ଯେବେ ତମକୁ ପ୍ରଲୋଭିତ କରାଯାଏ କିମ୍ବା କୌଣସି ସମସ୍ୟା ଆସେ, ତେବେ ତମକୁ ଏହା ଦେଖାଇବାର ସୁଯୋଗ ମିଳେ ଯେ ତମେ ଯେକୌଣସି ପରିସ୍ଥିତିରେ ବି ଯୀଶୁଙ୍କୁ “ଅନୁଗମନ” କରିବା ପାଇଁ ଚାହଁ । ଆଉ ତମେ ଭରସା ରଖିପାରିବ ଯେ ଏପରି କରିବା ପାଇଁ ଯିହୋବା ତମକୁ ସାହାଯ୍ୟ କରିବେ । ବାଇବଲରେ ଲେଖାଅଛି, “ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ; କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ, ମାତ୍ର ଯେପରି ତୁମ୍ଭେମାନେ ସହ୍ୟ କରି ପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ ।”—୧ କରି. ୧୦:୧୩.

ତମେ କିପରି ଯୀଶୁଙ୍କୁ ଅନୁଗମନ କରିପାରିବ ?

୧୧. ଯୀଶୁଙ୍କୁ ଅନୁଗମନ କରିବାର ଆଉ ଗୋଟିଏ ଉପାୟ କʼଣ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୧ ଯୀଶୁ ପୂରା ଉତ୍ସାହର ସହ ଯିହୋବାଙ୍କ ସେବା କରୁଥିଲେ ଓ ଲଗାତାର ତାଙ୍କୁ ପ୍ରାର୍ଥନା କରୁଥିଲେ । (ଲୂକ ୬:୧୨) ତେଣୁ ସେ ତାଙ୍କ ନିକଟତର ହୋଇ ରହିପାରିଲେ । ବାପ୍ତିସ୍ମ ପରେ ବି ତମେ କିପରି ଯୀଶୁଙ୍କୁ ଅନୁଗମନ କରିପାରିବ ? ଏହାର ଗୋଟିଏ ଉପାୟ ହେଉଛି ତମେ ସେହି କାମଗୁଡ଼ିକରେ ଲାଗି ରହ ଯାହାଦ୍ୱାରା ତମେ ଯିହୋବାଙ୍କ ନିକଟତର ହୋଇ ରହିବ । ବାଇବଲରେ କୁହାଯାଇଛି, “କେବଳ ଆମ୍ଭେମାନେ ଯିଏ ଯେତେ ପର୍ଯ୍ୟନ୍ତ ଅଗ୍ରସର ହୋଇଅଛୁ, ସେହି ଅନୁସାରେ ଆଚରଣ କରୁ ।” (ଫିଲିପ୍‌. ୩:୧୬) ଆଜି ଅନେକ ଭାଇଭଉଣୀ ଯିହୋବାଙ୍କ ସେବାରେ ଅଧିକ କରିବା ପାଇଁ ପୂରା ଚେଷ୍ଟା କରୁଛନ୍ତି । ଯେପରି କିଛି ଭାଇଭଉଣୀ ରାଜ୍ୟ ପ୍ରଚାରକଙ୍କ ସ୍କୁଲରେ ଯାʼନ୍ତି । ଆଉ କିଛି ଭାଇଭଉଣୀ ସେହି ଜାଗାରେ ଯାଇ ପ୍ରଚାର କାମ କରନ୍ତି ଯେଉଁଠି ପ୍ରଚାରକଙ୍କ ଅଧିକ ଆବଶ୍ୟକତା ରହିଛି । ଯଦି ତମେ ଏପରି ଲକ୍ଷ୍ୟ ରଖିପାରିବ ତାହେଲେ ବହୁତ ଭଲ ହେବ । ଯିହୋବାଙ୍କ ଲୋକମାନେ ତାଙ୍କ ସେବା ଜୋରସୋରରେ କରିବା ପାଇଁ ସବୁବେଳେ ଚେଷ୍ଟା କରନ୍ତି । (ପ୍ରେରି. ୧୬:୯) ଯଦି ତମେ ଏବେ ଏପରି କିଛି କରୁ ନାହଁ ତେବେ ନିରାଶ ହୁଅ ନାହିଁ । ଏପରି ଭାବ ନାହିଁ ଯେ ତମେ ସେହି ଭାଇଭଉଣୀଙ୍କ ତୁଳନାରେ କିଛି କରୁ ନାହଁ । ଜରୁରୀ କଥା ଏହା ଯେ ତମେ ଜୀବନର ଦୌଡ଼ରେ ଦୌଡ଼ୁଛ । (ମାଥି. ୧୦:୨୨) ତମ ନିଜ ଦକ୍ଷତା ଅନୁସାରେ ଯେତେ କରିପାରୁଛ ତାହାକୁ କମ୍‌ ବୋଲି ଭାବ ନାହିଁ । ଯିହୋବା ତମ ସେବାକୁ ବହୁମୂଲ୍ୟ ମନେ କରନ୍ତି । ଏପରି ଭାବେ ମନପ୍ରାଣ ଦେଇ ଯିହୋବାଙ୍କ ସେବା କରିବା ଦ୍ୱାରା ତମେ ବାପ୍ତିସ୍ମ ପରେ ବି ଯୀଶୁଙ୍କୁ ଅନୁଗମନ କରିପାରିବ ।—ଗୀତ. ୨୬:୧.

ବାପ୍ତିସ୍ମ ପରେ ବି ଯିହୋବାଙ୍କ ନିକଟତର ହେବା ଭଳି କାମ କରନ୍ତୁ । (ପାରାଗ୍ରାଫ ୧୧)


୧୨-୧୩. ଯଦି ତମ ଉତ୍ସାହ କମ୍‌ ହେଉଛି ତାହେଲେ ତମେ କʼଣ କରିପାରିବ ? (୧ କରିନ୍ଥୀୟ ୯:୧୬, ୧୭) (“ ଦୌଡ଼ିବା ଜାରି ରଖ” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୨ କʼଣ କିଛି ସମୟରୁ ତମକୁ ଏପରି ଲାଗୁଛି ଯେ ତମେ ସବୁବେଳେ ଏକାଭଳି ପ୍ରାର୍ଥନା କରୁଛ, ପ୍ରଚାରରେ ତମକୁ ଏତେ ମଜା ଲାଗୁନି ଆଉ କʼଣ ବାଇବଲ ପଢ଼ିବା ତମକୁ ବରିଂ ଲାଗୁଛି ? ଯଦି ତମକୁ ଏପରି ଲାଗୁଛି ତାହେଲେ ଏହା ଭାବନ୍ତୁ ନାହିଁ ଯେ ଯିହୋବା ତମଠାରୁ ଖୁସି ନାହାନ୍ତି । ଆମେ ଅପରିପୂର୍ଣ୍ଣ ମଣିଷ ଅଟୁ ତେଣୁ ଆମ ଭାବନାଗୁଡ଼ିକ ବଦଳୁଥାଏ ଓ ଆମ ଉତ୍ସାହ ମଧ୍ୟ ସବୁବେଳେ ଏକା ଭଳି ରହେ ନାହିଁ । ଯଦି ତମ ସହ ବି ଏପରି ହେଉଛି ତାହେଲେ ତମେ ଏକୁଟିଆ ଏପରି ବ୍ୟକ୍ତି ନୁହଁ । ପ୍ରେରିତ ପାଉଲଙ୍କ ସହ ମଧ୍ୟ ଏପରି ହୋଇଥିଲା ସେ ଯୀଶୁଙ୍କୁ ଅନୁଗମନ କରିବା ପାଇଁ ପୂରା ଚେଷ୍ଟା କରୁଥିଲେ । କିନ୍ତୁ ବେଳେ ବେଳେ ତାଙ୍କୁ ସେବା କରିବା ପାଇଁ ଇଚ୍ଛା ହେଉ ନ ଥିଲା । (୧ କରିନ୍ଥୀୟ ୯:୧୬, ୧୭ ପଢ଼ନ୍ତୁ ।) ସେ କହିଲେ, ‘ଯଦି ମୁଁ ସ୍ୱଇଚ୍ଛାରେ ନ କରେ, ତେବେ ହେଁ ସେବକପଦର ଭାର ମୋʼଠାରେ ସମର୍ପିତ ହୋଇଅଛି ।’ ତାଙ୍କ କଥାରୁ ଜଣା ପଡ଼େ ଯେ ସେ ଦୃଢ଼ ନିଷ୍ପତ୍ତି ନେଇଥିଲେ ଯେ ତାଙ୍କୁ ଇଚ୍ଛା ନ ହେଲେ ବି ଯିହୋବାଙ୍କ ସେବାରେ ଲାଗି ରହିବେ ।

୧୩ ପାଉଲଙ୍କଠାରୁ ଆମେ କʼଣ ଶିଖୁ ? ଭାବନାରେ ଆସି ନିଷ୍ପତ୍ତି ନିଅ ନାହିଁ । ତମକୁ ଇଚ୍ଛା ନହେଲେ ବି ଠିକ୍‌ କାମ କରିବା ଜାରି ରଖ । ଏପରି କଲେ ଧିରେ ଧିରେ ଠିକ୍‌ କାମ କରିବା ପାଇଁ ତମକୁ ଇଚ୍ଛା ହେବ । ତେଣୁ ଲଗାତାର ବାଇବଲ ଅଧ୍ୟୟନ କର, ପ୍ରାର୍ଥନା କର । ସଭାରେ ଯାଅ ଓ ପ୍ରଚାର କରିବା ଜାରି ରଖ । ଏହି କାମଗୁଡ଼ିକରେ ଲାଗି ରହିଲେ ତମେ ବାପ୍ତିସ୍ମ ପରେ ମଧ୍ୟ ଯୀଶୁଙ୍କ ପଦ ଚିହ୍ନରେ ଚାଲିବା ବା ଅନୁଗମନ କରିବା ଜାରି ରଖିବ । ଯେବେ ମଣ୍ଡଳୀରେ ଭାଇଭଉଣୀମାନେ ଦେଖିବେ ଯେ ତମେ କିପରି ସେବା କରୁଛ ତେବେ ସେମାନଙ୍କର ମଧ୍ୟ ଉତ୍ସାହ ବଢ଼ିବ ।—୧ ଥେସ. ୫:୧୧.

“ଆପଣା ଆପଣାକୁ ପରୀକ୍ଷା କର . . . ବିଚାର କର”

୧୪. ମଝି ମଝିରେ ସମୟ ବାହାର କରି ତମକୁ କʼଣ ଭାବିବା କଥା ଓ କାହିଁକି ? (୨ କରିନ୍ଥୀୟ ୧୩:୫)

୧୪ ବାପ୍ତିସ୍ମ ପରେ ଲଗାତାର ନିଜକୁ ଯାଞ୍ଚ କରିବା ବି ଜରୁରୀ । ତେଣୁ ମଝି ମଝିରେ ସମୟ ବାହାର କରି ଭାବ ଯେ ତମେ କିପରି ଜୀବନ ବଞ୍ଚୁଛ ଓ ତମର ଅଭ୍ୟାସ କିପରି । (୨ କରିନ୍ଥୀୟ ୧୩:୫ ପଢ଼ନ୍ତୁ ।) ଭାବ, ‘କʼଣ ମୁଁ ପ୍ରତିଦିନ ପ୍ରାର୍ଥନା କରୁଛି, ବାଇବଲ ପଢ଼ୁଛି ଓ ଅଧ୍ୟୟନ କରୁଛି ? କʼଣ ମୁଁ ଲଗାତାର ପ୍ରଚାର ଓ ସଭାରେ ଯାଉଛି ?’ ତାʼପରେ ଭାବ ଯେ ତମେ ଏହି କାମଗୁଡ଼ିକୁ ଆହୁରି ଭଲ ଭାବରେ କିପରି କରିପାରିବ । ଯେପରି, ତମେ ନିଜକୁ ଏହି ପ୍ରଶ୍ନଗୁଡ଼ିକ ପଚାରି ପାରିବ, ‘କʼଣ ମୁଁ ବାଇବଲର ଶିକ୍ଷାଗୁଡ଼ିକୁ ଅନ୍ୟମାନଙ୍କୁ ଭଲ ଭାବେ ବୁଝାଇପାରେ ? ମୁଁ ପ୍ରଚାର କାମକୁ ଆହୁରି ମଜାଦାର କିପରି କରିପାରିବି ? କʼଣ ମୁଁ ପ୍ରାର୍ଥନାରେ ଯିହୋବାଙ୍କୁ ସିଧା ସିଧା କହେ ଯେ ମୋ ମନରେ କʼଣ ଚାଲୁଛି ? କʼଣ ମୋ ପ୍ରାର୍ଥନାରୁ ଜଣା ପଡ଼େ ଯେ ମୋତେ ଯିହୋବାଙ୍କ ଉପରେ ପୂରା ଭରସା ଅଛି ? କʼଣ ମୁଁ ସବୁ ସଭାକୁ ଯାଏ ? ମୁଁ ସଭାରେ ଆହୁରି କିପରି ଧ୍ୟାନ ଦେଇପାରିବି ? ଆଉ ସେଥିରେ ଭଲ ଭାବେ ଭାଗ ନେଇପାରିବି ?’

୧୫-୧୬. ତମେ ଭାଇ ରୋବର୍ଟଙ୍କ ଅନୁଭବରୁ କʼଣ ଶିଖିଲ ?

୧୫ ନିଜ ଦୁର୍ବଳତାଗୁଡ଼ିକୁ ଚିହ୍ନିବା ବି ଜରୁରୀ । କାହିଁକି ? ଭାଇ ରୋବର୍ଟଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ କହନ୍ତି, “ଯେବେ ମୁଁ ପ୍ରାୟ ୨୦ ବର୍ଷର ଥିଲି, ତେବେ ମୁଁ ପାର୍ଟ ଟାଇମ୍‌ ଚାକିରି କରୁଥିଲି । ଦିନେ କାମ ପରେ ଅଫିସର ଜଣେ ଝିଅ ଆସି ମୋତେ ତା ଘରକୁ ଡାକିଲା । ସେ କହିଲା ଯେ ସେ ଘରେ ଏକୁଟିଆ ଥିବ ଆଉ ‘ଆମେ ବହୁତ ମଜା କରିବା ।’ ଆରମ୍ଭରେ ମୁଁ ବାହାନା କରି ତା କଥାକୁ ଏଡ଼ାଇ ଦେଲି । କିନ୍ତୁ ପରେ ମୁଁ ତାକୁ ସିଧା ମନା କରିଦେଲି । ଆଉ ତାକୁ କହିଲି ଯେ ମୁଁ କାହିଁକି ଆସି ପାରିବିନି ।” ଏହା ଭଲ କଥା ଯେ ଭାଇ ରୋବର୍ଟ ସେ ଝିଅର କଥାରେ ଆସିଲେନି । କିନ୍ତୁ ପରେ ଯେବେ ସେ ଏ ବିଷୟରେ ଭାବୁଥିଲେ ତେବେ ତାଙ୍କୁ ଲାଗିଲା ଯେ ସେ ପରିସ୍ଥିତିର ସାମନା ଆହୁରି ଭଲ ଭାବେ କରିପାରିଥାʼନ୍ତେ । ସେ କହନ୍ତି, “ଯୋଷେଫ ତ ପୋଟୀଫରର ସ୍ତ୍ରୀକୁ ତୁରନ୍ତ ମନା କରିଦେଇଥିଲା, କିନ୍ତୁ ମୁଁ ଏପରି କରିପାରିଲିନି । (ଆଦି. ୩୯:୭-୯) ମୁଁ ଏହା ଭାବି ଆଶ୍ଚର୍ଯ୍ୟ ହୋଇଗଲି ଯେ ମୋତେ ଏହା କହିବା କାହିଁକି ଏତେ କଷ୍ଟ ଲାଗୁଥିଲା । ଏଥିରୁ ମୁଁ ଗୋଟିଏ କଥା ଶିଖିଲି, ତାହା ହେଉଛି ମୋତେ ଯିହୋବାଙ୍କ ସହ ନିଜ ସମ୍ପର୍କ ଆହୁରି ମଜବୁତ କରିବାକୁ ପଡ଼ିବ ।”

୧୬ ଏହା କେତେ ଭଲ ହେବ ଯେ ତମେ ଭାଇ ରୋବର୍ଟଙ୍କ ଭଳି ନିଜର ଯାଞ୍ଚ କର । ଏଥିରୁ ତମକୁ ବି ବହୁତ ଲାଭ ହେବ । ଯଦି ପ୍ରଲୋଭିତ କରାଯିବା ସମୟରେ ତମେ ପରିସ୍ଥିତିକୁ ଭଲଭାବେ ସାମନା କରିଥିବ, ତଥାପି ନିଜକୁ ପଚାର, ‘ତମକୁ ମନା କରିବା ପାଇଁ କେତେ ଡେରି ଲାଗିଲା ?’ ଯଦି ତମକୁ ଲାଗେ ଯେ ଏଥିରେ ତମକୁ କିଛି ସୁଧାର କରିବାର ଅଛି, ତେବେ ନିଜକୁ ଦୋଷ ଦିଅ ନାହିଁ, ବରଂ ଖୁସି ହୁଅ ଯେ ତମେ ଏବେ ନିଜ ଦୁର୍ବଳତା ବିଷୟରେ ଜାଣିଛ । ଏବିଷୟରେ ଯିହୋବାଙ୍କୁ ପ୍ରାର୍ଥନା କର । ତାʼପରେ ଏପରି ପଦକ୍ଷେପ ନିଅ ଯେଉଁଥିରୁ ତମେ ଯିହୋବାଙ୍କ ସ୍ତର ଅନୁସାରେ ବଞ୍ଚିବାର ତମ ନିଷ୍ପତ୍ତି ଆହୁରି ଦୃଢ଼ ହେବ ।—ଗୀତ. ୧୩୯:୨୩, ୨୪.

୧୭. ଭାଇ ରୋବର୍ଟ କିପରି ଯିହୋବାଙ୍କ ମହିମା କଲେ ?

୧୭ ଭାଇ ରୋବର୍ଟ ଆଗକୁ ଆହୁରି କିଛି କହନ୍ତି । ସେ କହନ୍ତି, “ଯେବେ ମୁଁ ସେହି ଝିଅକୁ ମନା କରିଦେଲି, ତେବେ ସେ ମୋତେ କହିଲା, ‘ତମେ ପରୀକ୍ଷାରେ ପାସ୍‌ ହୋଇଗଲ ।’ ମୁଁ ତାକୁ ପଚାରିଲି, ‘ତମ କହିବାର ଅର୍ଥ କʼଣ ?’ ସେ କହିଲା ଯେ ତାʼର ଜଣେ ସାଙ୍ଗ ଅଛି ଯିଏ ଆଗରୁ ଜଣେ ଯିହୋବାଙ୍କ ସାକ୍ଷୀ ଥିଲା । ସେ ତାକୁ କହିଥିଲା ଯେ ସବୁ ଯୁବା ସାକ୍ଷୀମାନେ ଏକାଭଳି ହିଁ ଥାʼନ୍ତି, ସେମାନେ ବାହାରୁ ଯେପରି ଦେଖାଯାʼନ୍ତି, ଭିତରୁ ସେପରି ନ ଥାʼନ୍ତି । ଆଉ ଯଦି ସେମାନଙ୍କୁ ସୁଯୋଗ ମିଳିଯାଏ, ତେବେ ସେମାନେ ଭୁଲ କାମ କରିବାରୁ ପଛକୁ ହଟନ୍ତି ନାହିଁ । ସେସମୟରେ ସେହି ଝିଅ ନିଜ ସାଙ୍ଗକୁ କହିଲା, ‘ମୁଁ ବି ଦେଖେ ଯେ ରୋବର୍ଟ ବି ଏପରି ଅଟେ ନା ନୁହେଁ ।’” ଭାଇ କହିଲେ, “ଯେବେ ମୁଁ ଏହି କଥା ଶୁଣିଲି, ମୋତେ ବହୁତ ଖୁସି ଲାଗିଲା ଯେ ମୁଁ ଯିହୋବାଙ୍କ ନାମକୁ ବଦନାମ ହେବା ପାଇଁ ଦେଲିନି ।”

୧୮. ବାପ୍ତିସ୍ମର ପରେ ମଧ୍ୟ ତମେ କʼଣ କରିବା ଜାରି ରଖିବ ? (“ ଏହି ଦୁଇ ଲେଖା ପଢ଼ନ୍ତୁ ଓ ଆଗକୁ ବଢ଼ନ୍ତୁ !” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୮ ଯେବେ ତମେ ନିଜ ଜୀବନ ଯିହୋବାଙ୍କୁ ସମର୍ପଣ କର ଓ ବାପ୍ତିସ୍ମ ନିଅ, ତେବେ ତମେ ଦେଖାଅ ଯେ ତମେ ସବୁ ପରିସ୍ଥିତିରେ ଯିହୋବାଙ୍କ ନାମକୁ ପବିତ୍ର କରିବାକୁ ଚାହଁ । ସମସ୍ୟା ଆସିଲେ ଓ ପ୍ରଲୋଭିତ କରାଯିବା ସମୟରେ ବି ଯେବେ ତମେ ବିଶ୍ୱସ୍ତ ରହିବା ପାଇଁ ପୂରା ଚେଷ୍ଟା କର, ତେବେ ଯିହୋବା ଏସବୁ ଦେଖନ୍ତି ଓ ତମ ଚେଷ୍ଟା ଉପରେ ଆଶିଷ ଦିଅନ୍ତି । କେବଳ ଏତିକି ନୁହେଁ, ସେ ତମକୁ ପବିତ୍ର ଶକ୍ତି ବି ଦିଅନ୍ତି, ଯାହାଦ୍ୱାରା ତମେ ତାଙ୍କର ବିଶ୍ୱସ୍ତ ରହିପାର । (ଲୂକ ୧୧:୧୧-୧୩) ସତରେ, ତମେ ଯିହୋବାଙ୍କ ସାହାଯ୍ୟରେ ନିଜ ବାପ୍ତିସ୍ମ ପରେ ବି ଯୀଶୁଙ୍କୁ ଅନୁଗମନ କରିବା ଜାରି ରଖିପାରିବ ।

ଆପଣ କʼଣ ଉତ୍ତର ଦେବେ ?

  • ଆମେ ଖ୍ରୀଷ୍ଟିୟାନମାନେ କିପରି ପ୍ରତିଦିନ ଆପଣା ଯାତନା ସ୍ତମ୍ଭ ଉଠାଉ ?

  • ବାପ୍ତିସ୍ମ ପରେ ମଧ୍ୟ ଆମେ ଯୀଶୁଙ୍କ ‘ଅନୁଗମନ’ କରିବା ପାଇଁ କʼଣ କରିପାରିବା ?

  • ସମର୍ପଣର ନିଜ ପ୍ରତିଜ୍ଞା ବିଷୟରେ ଭାବିଲେ, ତମେ କିପରି ବିଶ୍ୱସ୍ତ ରହିପାରିବ ?

ଗୀତ ୮୯ ଶୁନ୍‌କେ ଅମଲ୍‌ କରେଁ