इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୯

ପ୍ରକାଶିତ ବାକ୍ୟରୁ ଆମକୁ ମିଳୁଥିବା ଶିକ୍ଷା

ପ୍ରକାଶିତ ବାକ୍ୟରୁ ଆମକୁ ମିଳୁଥିବା ଶିକ୍ଷା

‘ଯେ ଭବିଷ୍ୟତବାଣୀ ପାଠ କରେ, ସେମାନେ ଧନ୍ୟ ।’—ପ୍ରକା. ୧:୩.

ଗୀତ ୧୫ ୟହୋୱା କି ପେହଲୋଟେ କି ତାରିଫ୍‌ କରେଁ !

ଲେଖାର ଝଲକ a

୧-୨. ଆମେ ପ୍ରକାଶିତ ବାକ୍ୟରେ ଲେଖାଯାଇଥିବା କଥାଗୁଡ଼ିକ ବିଷୟରେ କାହିଁକି ଜାଣିବା ଉଚିତ୍‌ ?

 ମନେ କରନ୍ତୁ, ଆପଣ କୌଣସି ପରିବାରକୁ ଭେଟିବାକୁ ଯାଇଛନ୍ତି ଓ ସେମାନେ ଆପଣଙ୍କୁ ତାଙ୍କର ଫଟୋ ଆଲବମ୍‌ ଦେଖାନ୍ତି । ଆପଣ ସେଠାରେ ଅନେକ ନୂଆ ନୂଆ ଲୋକଙ୍କୁ ଦେଖନ୍ତି । ଠିକ୍‌ ସେତିକି ବେଳେ ଆପଣଙ୍କ ନଜର ଗୋଟିଏ ଫଟୋ ଉପରେ ପଡ଼େ । ସେଥିରେ ଆପଣ ମଧ୍ୟ ଅଛନ୍ତି । ଆପଣ ସେହି ଫଟୋକୁ ବହୁତ ଧ୍ୟାନର ସହ ଦେଖନ୍ତି । ଆପଣ ଦେଖନ୍ତି ଯେ ସେଥିରେ ଆପଣଙ୍କ ସହ କିଏ କିଏ ଅଛନ୍ତି ଓ ମନେ ପକାନ୍ତି ଯେ ସେହି ଫଟୋ କେବେ ଓ କେଉଁଠାରେ ଉଠାଯାଇଥିଲା ।

ପ୍ରକାଶିତ ବାକ୍ୟର ବହି ମଧ୍ୟ ସେହି ଫଟୋ ଭଳି ଅଟେ । ଆମେ ଏପରି କାହିଁକି କହିପାରିବା ? ଏହାର ଦୁଇଟି କାରଣ ଅଛି । ପ୍ରଥମ, ଏହି ବହି ଆମ ପାଇଁ ଲେଖାଯାଇଛି । ଏହି ବହିର ପ୍ରଥମ ପଦରେ ଲେଖାଅଛି, “ଯୀଶୁ ଖ୍ରୀଷ୍ଟଙ୍କ ପ୍ରକାଶିତ ବାକ୍ୟ; ଅବିଳମ୍ବରେ ଯାହା ଯାହା ଅବଶ୍ୟ ଘଟିବ, ସେହିସବୁ ସେ ଯେପରି ଆପଣା ଦାସମାନଙ୍କୁ ଜଣାନ୍ତି, ଏଥିପାଇଁ ଈଶ୍ୱର ଏହା ତାହାଙ୍କ ନିକଟରେ ସମର୍ପଣ କଲେ ।” (ପ୍ରକା. ୧:୧) ଏହି ଶବ୍ଦଗୁଡ଼ିକରୁ ଜଣାପଡ଼େ ଯେ ଏହି ବହି ସମସ୍ତ ମଣିଷମାନଙ୍କ ପାଇଁ ନୁହେଁ, ବରଂ ବିଶେଷ କରି ଈଶ୍ୱରଙ୍କ ଲୋକମାନଙ୍କ ପାଇଁ ଲେଖାଯାଇଛି ଓ ତାʼଠୁ ବି ବଡ଼ କଥା ହେଉଛି ଯେ ଈଶ୍ୱରଙ୍କ ଲୋକ ହୋଇଥିବା ଯୋଗୁଁ ଆମେ ପ୍ରକାଶିତ ବାକ୍ୟର ଭବିଷ୍ୟତବାଣୀଗୁଡ଼ିକୁ ପୂରା କରିବାରେ ଭାଗ ନେଉଛୁ । ଏହା ବିଲକୁଲ୍‌ ଏପରି ଅଟେ ଯେପରି ଆମେ ସେହି ଫଟୋରେ ନିଜକୁ ଦେଖୁଛୁ ।

୩-୪. (କ) ପ୍ରକାଶିତ ବାକ୍ୟ ବହି ଅନୁସାରେ, ଏଥିରେ ଲେଖାଥିବା ଭବିଷ୍ୟତବାଣୀଗୁଡ଼ିକ କେବେ ପୂରା ହୁଅନ୍ତା ? (ଖ) ଆଜି ଆମ ପ୍ରତ୍ୟେକଙ୍କୁ କʼଣ କରିବା ଜରୁରୀ ?

ପ୍ରକାଶିତ ବାକ୍ୟର ଭବିଷ୍ୟତବାଣୀଗୁଡ଼ିକ ଉପରେ ଧ୍ୟାନ ଦେବାର ଦ୍ୱିତୀୟ କାରଣ ହେଉଛି ଯେ ଏସବୁ ଆମ ସମୟରେ ପୂରା ହେଉଛି । ଆମେ ଏହା କାହିଁକି କହିପାରିବା ? ପ୍ରେରିତ ଯୋହନ ଲେଖିଲେ, ‘ମୁଁ ପ୍ରଭୁଙ୍କ ଦିନରେ ଆତ୍ମାରେ ଆବିଷ୍ଟ ହୋଇଗଲି ।’ (ପ୍ରକା. ୧:୧୦) ଏହି କଥା ଯୋହନ ୯୬ ଖ୍ରୀଷ୍ଟାବ୍ଦରେ ଲେଖିଲେ । କିନ୍ତୁ ସେତେବେଳେ ଯାଏଁ ‘ପ୍ରଭୁଙ୍କ ଦିନ’ ଆରମ୍ଭ ହୋଇ ନ ଥିଲା । (ମାଥି. ୨୫:୧୪, ୧୯; ଲୂକ ୧୯:୧୨) ବାଇବଲର ଭବିଷ୍ୟତବାଣୀଗୁଡ଼ିକରୁ ଜଣାପଡ଼େ ଯେ ‘ପ୍ରଭୁଙ୍କ ଦିନ’ ୧୯୧୪ ମସିହାରେ ଆରମ୍ଭ ହେଲା, ଯେବେ ଯୀଶୁ ସ୍ୱର୍ଗରେ ରାଜା ହେଲେ । ତେବେଠାରୁ ଈଶ୍ୱରଙ୍କ ଲୋକମାନଙ୍କ ବିଷୟରେ ପ୍ରକାଶିତ ବାକ୍ୟରେ ଦିଆଯାଇଥିବା ଭବିଷ୍ୟତବାଣୀଗୁଡ଼ିକ ପୂରା ହେବାକୁ ଲାଗିଲା । ଆଜି ଆମେ ସମସ୍ତେ “ପ୍ରଭୁଙ୍କ ଦିନରେ” ହିଁ ବଞ୍ଚୁଛୁ ।

ତେଣୁ ଆମେ ପ୍ରକାଶିତ ବାକ୍ୟ ୧:୩ ପଦରେ ଦିଆଯାଇଥିବା ପରାମର୍ଶକୁ ମାନିବା ବହୁତ ଜରୁରୀ । ସେଠାରେ ଲେଖାଅଛି, ‘ଯେ ଉଚ୍ଚ ଆବାଜ୍‌ରେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି, ପୁଣି ସେଥିରେ ଲିଖିତ ବିଷୟସବୁ ପାଳନ କରନ୍ତି, ସେମାନେ ଧନ୍ୟ; କାରଣ ସମୟ ସନ୍ନିକଟ ।’ ଆମକୁ ଏହି କଥାଗୁଡ଼ିକୁ ‘ଉଚ୍ଚ ଆବାଜ୍‌ରେ ପଢ଼ିବାର ଅଛି,’ ‘ଶ୍ରବଣ କରିବାର ଅଛି’ ଓ ଏସବୁ ‘ପାଳନ କରିବାର ଅଛି ।’ ଆସନ୍ତୁ ଏମଧ୍ୟରୁ କିଛି କଥାଗୁଡ଼ିକ ଉପରେ ଧ୍ୟାନ ଦେବା ।

କʼଣ ଯିହୋବା ଆପଣଙ୍କ ଉପାସନାରୁ ଖୁସି ଅଛନ୍ତି ?

୫. ଯଦି ଆମେ ଚାହୁଁ ଯେ ଯିହୋବା ଆମ ଉପାସନାରୁ ଖୁସି ହୁଅନ୍ତୁ, ତେବେ ଆମେ କାହାର ପରାମର୍ଶ ମାନିବା ଉଚିତ୍‌ ଓ କାହିଁକି ?

ପ୍ରକାଶିତ ବାକ୍ୟର ଆରମ୍ଭର ଅଧ୍ୟାୟଗୁଡ଼ିକରେ କୁହାଯାଇଛି ଯେ ଯୀଶୁ ଏସିଆ ମାଇନରର ସାତଟି ମଣ୍ଡଳୀଗୁଡ଼ିକୁ ଅଲଗା ଅଲଗା ସନ୍ଦେଶ ପଠାଇଲେ । ସେଗୁଡ଼ିକୁ ପଢ଼ିଲେ ଜଣାପଡ଼େ ଯେ ସେ ସେମାନଙ୍କ ପରିସ୍ଥିତିକୁ ଭଲଭାବେ ଜାଣୁଥିଲେ । (ପ୍ରକା. ୧:୧୨-୧୬, ୨୦; ୨:୧) ସେ ସେମାନଙ୍କୁ ସ୍ପଷ୍ଟ ଭାବେ ପରାମର୍ଶ ଦେଲେ ଯେ ଯିହୋବା ଯେପରି ସେମାନଙ୍କର ଉପାସନାରୁ ଖୁସି ହେବେ, ତାʼପାଇଁ ସେମାନଙ୍କୁ କʼଣ କରିବା ଉଚିତ୍‌ । ଏଥିରୁ ଆମେ କʼଣ ଶିଖୁ ? ଆଜି ମଧ୍ୟ ଯୀଶୁ ଭଲଭାବେ ଜାଣନ୍ତି ଯେ ମଣ୍ଡଳୀରେ କʼଣ ହେଉଛି । ସେ ଆମର ନେତୃତ୍ୱ ନିଅନ୍ତି ଓ ଆମକୁ ମାର୍ଗଦର୍ଶନ ଦିଅନ୍ତି । ତାଙ୍କ ନଜରରୁ କିଛି ବି କଥା ଲୁଚେନାହିଁ । ସେ ଜାଣନ୍ତି ଯେ ଆମ ପ୍ରତ୍ୟେକଙ୍କର ଯିହୋବାଙ୍କ ସହ କିପରି ସମ୍ପର୍କ ଅଛି ଓ ଏହା ବି ଜାଣନ୍ତି ଯେ ଯିହୋବାଙ୍କ ମଞ୍ଜୁରି ପାଇବା ପାଇଁ ଆମକୁ କʼଣ କରିବା ଉଚିତ୍‌ । ସେ ଏସିଆ ମାଇନରର ମଣ୍ଡଳୀଗୁଡ଼ିକୁ ଯେଉଁ ପରାମର୍ଶ ଦେଇଥିଲେ, ସେଥିରୁ ଆମେ ମଧ୍ୟ ଅନେକ କଥା ଶିଖିପାରିବା । ଆସନ୍ତୁ ଜାଣିବା ଯେ ସେ ସେହି ମଣ୍ଡଳୀଗୁଡ଼ିକୁ କʼଣ କହିଥିଲେ ।

୬. (କ) ଯେପରି ପ୍ରକାଶିତ ବାକ୍ୟ ୨:୩, ୪ ପଦରୁ ଜଣାପଡ଼େ, ଏଫିସର ମଣ୍ଡଳୀରେ କʼଣ ସମସ୍ୟା ଥିଲା ? (ଖ) ଏଥିରୁ ଆମେ କʼଣ ଶିଖୁ ?

ପ୍ରକାଶିତ ବାକ୍ୟ ୨:୩, ୪ ପଢ଼ନ୍ତୁ । ଆମେ ଯିହୋବାଙ୍କ ପାଇଁ ନିଜ ପ୍ରେମ କମ୍‌ ହେବାକୁ ଦେବା ଉଚିତ୍‌ ନୁହେଁ । ଯୀଶୁ ଏଫିସର ମଣ୍ଡଳୀକୁ ଯେଉଁ ସନ୍ଦେଶ ପଠାଇଲେ, ସେଥିରୁ ଜଣାପଡ଼େ ଯେ ସେଠାର ଭାଇଭଉଣୀମାନେ ଅନେକ ସମସ୍ୟାର ସାମନା କରିଥିଲେ, ତଥାପି ସେମାନେ ଧୈର୍ଯ୍ୟ ଧରିଲେ ଓ ଯିହୋବାଙ୍କ ସେବା କରିବା ଜାରି ରଖିଲେ । କିନ୍ତୁ ସେମାନଙ୍କଠାରେ ଯିହୋବାଙ୍କ ପାଇଁ ପ୍ରେମ ଆଗଭଳି ନ ଥିଲା । ସେମାନଙ୍କୁ ସେହି ପ୍ରେମ ବଢ଼ାଇବାର ଥିଲା, ତାହେଲେ ହିଁ ଯିହୋବା ସେମାନଙ୍କର ଉପାସନାରୁ ଖୁସି ହୁଅନ୍ତେ । ସେହିଭଳି, ଯେତେବେଳେ ଆମ ଉପରେ ସମସ୍ୟା ଆସେ, ସେତେବେଳେ ଆମେ ଧୈର୍ଯ୍ୟ ଧରିଥାଉ । କିନ୍ତୁ ଯିହୋବା କେବଳ ଏହା ଦେଖନ୍ତି ନାହିଁ ଯେ ଆମେ ଧୈର୍ଯ୍ୟ ଧରିଛୁ, ବରଂ ସେ ଏହା ମଧ୍ୟ ଦେଖନ୍ତି ଯେ ଆମେ କାହିଁକି ଏପରି କରୁଛୁ । ସେ ଚାହାନ୍ତି ଆମେ ତାଙ୍କର ଉପାସନା ଏଥିପାଇଁ କରୁ, କାରଣ ଆମେ ତାଙ୍କୁ ହୃଦୟରୁ ପ୍ରେମ କରୁ ଓ ତାଙ୍କର କୃତଜ୍ଞ ଅଟୁ ।—ହିତୋ. ୧୬:୨; ମାର୍କ ୧୨:୨୯, ୩୦.

୭. (କ) ପ୍ରକାଶିତ ବାକ୍ୟ ୩:୧-୩ ପଦ ଅନୁସାରେ, ସାର୍ଦ୍ଦୀ ମଣ୍ଡଳୀରେ କʼଣ ସମସ୍ୟା ଥିଲା ? (ଖ) ଆମେ ଜାଗ୍ରତ ରହିବା ପାଇଁ କʼଣ କରିବା ଉଚିତ୍‌ ?

ପ୍ରକାଶିତ ବାକ୍ୟ ୩:୧-୩ ପଢ଼ନ୍ତୁ । ଆମେ ଜାଗ୍ରତ ରହିବା ଉଚିତ୍‌ । ସାର୍ଦ୍ଦୀ ମଣ୍ଡଳୀର ଭାଇଭଉଣୀମାନେ ଆଗରୁ ଉତ୍ସାହର ସହ ସେବା କରୁଥିଲେ । କିନ୍ତୁ ଏବେ ସେମାନେ ଆଗଭଳି କରୁ ନ ଥିଲେ । ତେଣୁ ଯୀଶୁ ସେମାନଙ୍କୁ “ଜାଗ୍ରତ” ରହିବା ପାଇଁ କହିଲେ । ଏହା ସତ ଯେ ଯିହୋବା ଆମ କାମକୁ କେବେ ଭୁଲନ୍ତି ନାହିଁ, କିନ୍ତୁ ଆମେ କେବେ ବି ଏପରି ଭାବିବା ଉଚିତ୍‌ ନୁହେଁ, ‘ମୁଁ ଅନେକ ବର୍ଷରୁ ଯିହୋବାଙ୍କ ସେବା କରୁଛି । ଏବେ କମ୍‌ କଲେ ବି ଚଳିବ ।’ (ଏବ୍ରୀ ୬:୧୦) ହୁଏତ ଆମେ ନିଜ ପରିସ୍ଥିତି ଯୋଗୁଁ ଅଧିକ ସେବା କରି ନ ପାରୁ, କିନ୍ତୁ “ପ୍ରଭୁଙ୍କ ସେବାରେ” ଆମଦ୍ୱାରା ଯେତେ ହୋଇପାରେ ଆମେ ସେତେ କରିବା ଉଚିତ୍‌ । ଏପରି ଭାବେ ଆମେ ଶେଷ ପର୍ଯ୍ୟନ୍ତ ଜାଗ୍ରତ ରହିପାରିବା ।—୧ କରି. ୧୫:୫୮; ମାଥି. ୨୪:୧୩; ମାର୍କ ୧୩:୩୩.

୮. ଯୀଶୁ ଲାଅଦିକୀଆ ମଣ୍ଡଳୀକୁ ଯେଉଁ ପରାମର୍ଶ ଦେଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ରକାଶିତ ବାକ୍ୟ ୩:୧୫-୧୭)

ପ୍ରକାଶିତ ବାକ୍ୟ ୩:୧୫-୧୭ ପଢ଼ନ୍ତୁ । ଆମେ ହୃଦୟରୁ ଯିହୋବାଙ୍କ ଉପାସନା କରିବା ଉଚିତ୍‌ । ଲାଅଦିକୀଆ ମଣ୍ଡଳୀର ଭାଇଭଉଣୀମାନେ ଉପାସନା କରିବା ମାମଲାରେ “ଈଷଦୁଷ୍ଣ” ହୋଇଯାଇଥିଲେ । ତେଣୁ ଯୀଶୁ ସେମାନଙ୍କୁ ‘ଦୁର୍ଭାଗା ଓ ଦୀନହୀନ’ କହିଲେ । ସେ ସେମାନଙ୍କୁ ପରାମର୍ଶ ଦେଲେ ଯେ ସେମାନେ ଉତ୍ସାହର ସହ ଯିହୋବାଙ୍କ ସେବା କରନ୍ତୁ । (ପ୍ରକା. ୩:୧୯) ଏଥିରୁ ଆମେ କʼଣ ଶିଖୁ ? ଯଦି ଯିହୋବାଙ୍କ ସେବା କରିବା ପାଇଁ ଆମ ଉତ୍ସାହ କମ୍‌ ହେବାକୁ ଲାଗିଛି, ତାହେଲେ ଆମେ ତାହାକୁ ବଢ଼ାଇବା ଉଚିତ୍‌ । ଆମେ ମନେ ରଖିବା ଉଚିତ୍‌ ଯେ ଯିହୋବା ଓ ତାଙ୍କ ସଂଗଠନ ଆମ ପାଇଁ କେତେ କିଛି କରୁଛି । (ପ୍ରକା. ୩:୧୮) ଆମେ କେବେ ବି ଆରାମଦାୟକ ଜିନିଷ ପାଇବା ପଛରେ ଗୋଡ଼ାଇବା ଉଚିତ୍‌ ନୁହେଁ, ନ ହେଲେ ଆମେ ଯିହୋବାଙ୍କ ସେବା ଅଣଦେଖା କରିପାରୁ ।

୯. ପର୍ଗମ ଓ ଥୁୟତୀରାର ଖ୍ରୀଷ୍ଟିୟାନମାନଙ୍କ ଭଳି ଆଜି ଆମ ସାମନାରେ କେଉଁ ବିପଦ ରହିଛି ?

ଆମେ ଧର୍ମତ୍ୟାଗୀମାନଙ୍କ ଶିକ୍ଷାଠାରୁ ପୂରାପୂରି ଦୂରେଇ ରହିବା ଉଚିତ୍‌ । ଯୀଶୁ ପର୍ଗମ ମଣ୍ଡଳୀର କିଛି ଭାଇଭଉଣୀମାନଙ୍କୁ କଡ଼ା ଅନୁଶାସନ ଦେଲେ, କାରଣ ସେମାନେ ମଣିଷମାନଙ୍କ ଚିନ୍ତାଧାରାକୁ ପ୍ରସାରିତ କରି ମଣ୍ଡଳୀରେ ଫାଟ ସୃଷ୍ଟି କରୁଥିଲେ । (ପ୍ରକା. ୨:୧୪-୧୬) କିନ୍ତୁ ସେ ଥୁୟତୀରା ମଣ୍ଡଳୀର ସେହି ଭାଇଭଉଣୀମାନଙ୍କୁ ପ୍ରଶଂସା କଲେ, ଯେଉଁମାନେ ନିଜକୁ ‘ଶୟତାନର ନିଗୂଢ଼ ଶିକ୍ଷାଠାରୁ’ ଦୂରେଇ ରଖିଲେ । ସେ ସେମାନଙ୍କୁ ପ୍ରୋତ୍ସାହନ ଦେଲେ ଯେ ସେମାନେ ସତ୍ୟକୁ ‘ଦୃଢ଼ ରୂପେ ଧରି ରଖନ୍ତୁ ।’ (ପ୍ରକା. ୨:୨୪-୨୬) ଏହି ଦୁଇଟିଯାକ ମଣ୍ଡଳୀରେ କିଛି ଖ୍ରୀଷ୍ଟିୟାନମାନଙ୍କ ବିଶ୍ୱାସ ଦୁର୍ବଳ ହୋଇଯାଇଥିଲା, ଯାହା ଯୋଗୁଁ ସେମାନେ ଧର୍ମତ୍ୟାଗୀମାନଙ୍କ କଥାରେ ଆସିଗଲେ । ତେଣୁ ସେମାନଙ୍କୁ ପଶ୍ଚାତାପ କରିବାର ଥିଲା । ଆଜି ଆମ ସମୟରେ ମଧ୍ୟ ଧର୍ମତ୍ୟାଗୀମାନେ, ଯିହୋବାଙ୍କ ସଂଗଠନ ବିରୁଦ୍ଧରେ କଥା କହନ୍ତି । ହୁଏତ ସେମାନଙ୍କୁ ଦେଖିଲେ ଲାଗିପାରେ ଯେ ସେମାନେ ବାଇବଲର ଶିକ୍ଷାକୁ ମାନନ୍ତି, କିନ୍ତୁ ସେମାନଙ୍କର କାମରୁ ଏପରି ଦେଖାଯାଏ ନାହିଁ । (୨ ତୀମ. ୩:୫) ତେଣୁ ଆମେ ସେମାନଙ୍କ କଥା ବିଲକୁଲ୍‌ ଶୁଣିବା ଉଚିତ୍‌ ନୁହଁ । ଯଦି ଆମେ ବାଇବଲକୁ ଗଭୀର ଭାବେ ଅଧ୍ୟୟନ କରିବା, ତାହେଲେ ହିଁ ଆମେ ଧର୍ମତ୍ୟାଗୀମାନଙ୍କ ଦ୍ୱାରା ପ୍ରସାରିତ ମିଥ୍ୟା ଶିକ୍ଷାଗୁଡ଼ିକୁ ଚିହ୍ନପାରିବା ଓ ସେଥିରୁ ଦୂରେଇ ରହିପାରିବା ।—୨ ତୀମ. ୩:୧୪-୧୭; ଯିହୂ. ୩, ୪.

୧୦. ଯୀଶୁ ପର୍ଗମ ଓ ଥୁୟତୀରା ମଣ୍ଡଳୀକୁ ଯେଉଁ ପରାମର୍ଶ ଦେଲେ, ସେଥିରୁ ଆମେ କʼଣ ଶିଖୁ ?

୧୦ ଆମେ ସବୁ ପ୍ରକାରର ଅନୈତିକ କାମଠାରୁ ଦୂରେଇ ରହିବା ଉଚିତ୍‌ । ପର୍ଗମ ଓ ଥୁୟତୀରା ମଣ୍ଡଳୀରେ ଆଉ ଗୋଟିଏ ସମସ୍ୟା ଥିଲା । ସେଠାର କିଛି ଲୋକମାନେ ଅନୈତିକ ଯୌନ ସମ୍ପର୍କ ଭଳି ଗମ୍ଭୀର ପାପକୁ ସାଧାରଣ କଥା ମନେ କରୁଥିଲେ । ତେଣୁ ଯୀଶୁ ସେମାନଙ୍କୁ କଡ଼ା ଅନୁଶାସନ ଦେଲେ । (ପ୍ରକା. ୨:୧୪, ୨୦) ଏଥିରୁ ଆମେ କʼଣ ଶିଖୁ ? ଆମେ ସବୁ ପ୍ରକାରର ଅନୈତିକ କାମଠାରୁ ଦୂରେଇ ରହିବା ଉଚିତ୍‌ । ଆଉ ଯେକୌଣସି ପରିସ୍ଥିତିରେ ବି ଏଗୁଡ଼ିକୁ ଅଣଦେଖା କରିବା ଉଚିତ୍‌ ନୁହେଁ । ଆମେ କେବେ ବି ଏହା ଭାବିବା ଉଚିତ୍‌ ନୁହେଁ ଯେ ମୁଁ ଏତେ ବର୍ଷରୁ ଯିହୋବାଙ୍କ ସେବା କରୁଛି ଓ ଏତେ ଦାୟିତ୍ୱ ତୁଲାଉଛି, ତେଣୁ ଯଦି ମୁଁ ଏହି ପାପ କରେ, ତାହେଲେ ଯିହୋବା ମୋତେ କ୍ଷମା କରିଦେବେ । (୧ ଶାମୁ. ୧୫:୨୨; ୧ ପିତ. ୨:୧୬) ଦୁନିଆର ନୈତିକ ସ୍ତର ଯେତେ ବି ତଳକୁ ଖସି ଖସି ଯାଉ ନା କାହିଁକି, ଯିହୋବା ଚାହାନ୍ତି ଯେ ଆମେ ତାଙ୍କର ଉଚ୍ଚ ନୈତିକ ସ୍ତରକୁ ମାନୁ ।—ଏଫି. ୬:୧୧-୧୩.

୧୧. ଏବେ ଯାଏ ଆମେ କʼଣ ଶିଖିଲୁ ? (“ ଆମ ପାଇଁ ଶିକ୍ଷା” ନାମକ ବକ୍ସ ମଧ୍ୟ ଦେଖନ୍ତୁ ।)

୧୧ ଏହି ଲେଖାରେ ଆମେ ଏବେ ଯାଏ କʼଣ ଶିଖିଲୁ ? ଆମେ ଯିହୋବାଙ୍କ ଉପାସନା କରିବା ସହିତ ଠିକ୍‌ କାମ ମଧ୍ୟ କରିବା ଉଚିତ୍‌ । ଯଦି ଆମେ କିଛି ଏପରି କରୁଛୁ ଯାହା ଯିହୋବା ଘୃଣା କରନ୍ତି, ତାହେଲେ ଆମକୁ ସେହି କାମ ତୁରନ୍ତ ବନ୍ଦ କରିବା ଉଚିତ୍‌, ନ ହେଲେ ଆମ ଉପାସନା ବେକାର ହୋଇଯିବ । (ପ୍ରକା. ୨:୫, ୧୬; ୩:୩, ୧୬) ଯୀଶୁ ଏସିଆ ମାଇନରର ମଣ୍ଡଳୀଗୁଡ଼ିକୁ ଯେଉଁ ସନ୍ଦେଶ ପଠାଇଲେ, ସେଥିରୁ ଆମେ ଆଉ କିଛି ବି ଶିଖିପାରିବା । ଆସନ୍ତୁ ଜାଣିବା ।

ଅତ୍ୟାଚାର ସହିବା ପାଇଁ ପ୍ରସ୍ତୁତ ରହନ୍ତୁ

ଯେବେଠାରୁ ଶୟତାନକୁ ସ୍ୱର୍ଗରୁ ବାହାର କରାଗଲା, ତେବେଠାରୁ ସେ ଈଶ୍ୱରଙ୍କ ଲୋକମାନଙ୍କ ଉପରେ କିପରି ଆକ୍ରମଣ କରୁଛି ? (ପାରାଗ୍ରାଫ ୧୨-୧୬)

୧୨. ଯୀଶୁ ସ୍ମୃର୍ଣ୍ଣା ଓ ଫିଲାଦେଲ୍ଫିଆ ମଣ୍ଡଳୀଗୁଡ଼ିକୁ ଯେଉଁ ସନ୍ଦେଶ ପଠାଇଲେ, ସେଥିରୁ ଆମେ କʼଣ ଶିଖୁ ? (ପ୍ରକାଶିତ ବାକ୍ୟ ୨:୧୦)

୧୨ ଏବେ ଆସନ୍ତୁ ଦେଖିବା ଯେ ଯୀଶୁ ସ୍ମୃର୍ଣ୍ଣା ଓ ଫିଲାଦେଲ୍ଫିଆ ମଣ୍ଡଳୀକୁ କʼଣ ସନ୍ଦେଶ ପଠାଇଲେ । ସେ ସେଠାର ଭାଇଭଉଣୀମାନଙ୍କୁ କହିଲେ ଯେ ସେମାନେ ଅତ୍ୟାଚାରଗୁଡ଼ିକୁ ଡରନ୍ତୁ ନାହିଁ, କାରଣ ଯଦି ସେମାନେ ବିଶ୍ୱସ୍ତ ରହିବେ ତାହେଲେ ଆଗକୁ ଯାଇ ସେମାନଙ୍କୁ ପୁରସ୍କାର ମିଳିବ । (ପ୍ରକାଶିତ ବାକ୍ୟ ୨:୧୦ ପଢ଼ନ୍ତୁ; ୩:୧୦) ଏଥିରୁ ଆମେ କʼଣ ଶିଖୁ ? ଏହା ନିଶ୍ଚିତ ଯେ ଆମ ଉପରେ ମଧ୍ୟ ଅତ୍ୟାଚାର କରାଯିବ, କିନ୍ତୁ ଆମେ ଅତ୍ୟାଚାରକୁ ସହିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ । (ମାଥି. ୨୪:୯, ୧୩; ୨ କରି. ୧୨:୧୦) ଆଜି ଏହି ପରାମର୍ଶ ଉପରେ ଧ୍ୟାନ ଦେବା ଆହୁରି ଜରୁରୀ ।

୧୩-୧୪. ଯେବେଠାରୁ ଶୟତାନକୁ ପୃଥିବୀରେ ଫିଙ୍ଗି ଦିଆଯାଇଛି, ତେବେଠୁ ଈଶ୍ୱରଙ୍କ ଲୋକମାନଙ୍କ ସହ କʼଣ ହେଉଛି ?

୧୩ ପ୍ରକାଶିତ ବାକ୍ୟ ବହିରୁ ଜଣାପଡ଼େ ଯେ ଈଶ୍ୱରଙ୍କ ଲୋକମାନଙ୍କ ଉପରେ “ପ୍ରଭୁଙ୍କ ଦିନରେ” ଅର୍ଥାତ୍‌ ଆମ ସମୟରେ ଅତ୍ୟାଚାର କରାଯିବ । ଆସନ୍ତୁ ଜାଣିବା ଯେତେବେଳେ ‘ପ୍ରଭୁଙ୍କ ଦିନ’ ଆରମ୍ଭ ହୁଏ, ସେତେବେଳେ କʼଣ ହୁଏ ? ପ୍ରକାଶିତ ବାକ୍ୟ ୧୨ ଅଧ୍ୟାୟରେ କୁହାଯାଇଛି ଯେ ଯେତେବେଳେ ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟ ଆରମ୍ଭ ହେଲା, ତାʼର ତୁରନ୍ତ ପରେ ସେଠାରେ ଗୋଟିଏ ଯୁଦ୍ଧ ହେଲା । ମୀଖାୟେଲ ଅର୍ଥାତ୍‌ ଯୀଶୁ ଖ୍ରୀଷ୍ଟ ଓ ତାଙ୍କ ସେନା ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କ ସହ ଯୁଦ୍ଧ କଲେ । (ପ୍ରକା. ୧୨:୭, ୮) ଏହି ଯୁଦ୍ଧରେ ଶୟତାନ ଓ ତା ସାଥୀମାନେ ହାରିଗଲେ ଏବଂ ସେମାନଙ୍କୁ ପୃଥିବୀରେ ଫିଙ୍ଗି ଦିଆଗଲା । ତାʼପରଠୁ ସେମାନେ ସବୁ ମଣିଷମାନଙ୍କ ଉପରେ ଆହୁରି ଅଧିକ ଦୁଃଖକଷ୍ଟ ଆଣିବାକୁ ଲାଗିଲେ । (ପ୍ରକା. ୧୨:୯, ୧୨) ଆଉ ଈଶ୍ୱରଙ୍କ ଲୋକମାନଙ୍କ ସହ କʼଣ ହେବାକୁ ଲାଗିଲା ?

୧୪ ଶୟତାନ ପାଇଁ ସ୍ୱର୍ଗକୁ ଯିବା ପାଇଁ ରାସ୍ତା ବନ୍ଦ ହୋଇଯାଇଥିଲା, ତେଣୁ ସେ ନିଜ ରାଗ ପୃଥିବୀରେ ଥିବା ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ଉପରେ ବାହାର କରିବାକୁ ଲାଗିଲା । ସେ ଜାଣିଛି ଯେ ସେମାନେ ଆଗକୁ ଯାଇ ଈଶ୍ୱରଙ୍କ ରାଜ୍ୟରେ ଶାସନ କରିବେ ଓ ସେମାନଙ୍କୁ ‘ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦେବାର କାମ ମିଳିଛି ।’ ତେଣୁ ସେ ସେମାନଙ୍କ ଉପରେ ଆହୁରି ଅଧିକ ଅତ୍ୟାଚାର କରିବାକୁ ଲାଗିଲା । (ପ୍ରକା. ୧୨:୧୭; ୨ କରି. ୫:୨୦; ଏଫି. ୬:୧୯, ୨୦) ଆସନ୍ତୁ ଜାଣିବା ସେ ଏହା କିପରି କଲା ।

୧୫. ପ୍ରକାଶିତ ବାକ୍ୟ ୧୧ ଅଧ୍ୟାୟରେ କୁହାଯାଇଥିବା “ଦୁଇ ସାକ୍ଷୀ” କିଏ ଓ ସେମାନଙ୍କ ସହ କʼଣ ହେଲା ?

୧୫ ଶୟତାନ ସେହି ଅଭିଷିକ୍ତ ଭାଇମାନଙ୍କ ଉପରେ ଆକ୍ରମଣ କଲା, ଯେଉଁମାନେ ପ୍ରଚାର କାମର ନେତୃତ୍ୱ ନେଉଥିଲେ । ସେହି ଭାଇମାନଙ୍କୁ ପ୍ରକାଶିତ ବାକ୍ୟ ୧୧ ଅଧ୍ୟାୟରେ “ଦୁଇ ସାକ୍ଷୀ” କୁହାଯାଇଛି, ଯେଉଁମାନଙ୍କୁ ମାରି ଦିଆଯାʼନ୍ତା । b (ପ୍ରକା. ୧୧:୩, ୭-୧୧) ଏହି ଭବିଷ୍ୟତବାଣୀ କିପରି ପୂରା ହେଲା ? ୧୯୧୮ରେ ନେତୃତ୍ୱ ନେଉଥିବା ଆଠଜଣ ଭାଇଙ୍କ ଉପରେ ମିଥ୍ୟା ଅଭିଯୋଗ ଲଗାଗଲା ଓ ସେମଧ୍ୟରୁ ପ୍ରତ୍ୟେକଙ୍କୁ ଲମ୍ବା ସମୟ ପାଇଁ ଜେଲ୍‌ ଦଣ୍ଡର ଆଦେଶ ଦିଆଗଲା । ସେସମୟରେ ଏପରି ଲାଗୁଥିଲା ଯେ ପ୍ରଚାର କାମ ପୂରାପୂରି ବନ୍ଦ ହୋଇଯାଇଛି ।

୧୬. ୧୯୧୯ ମସିହାରେ କʼଣ ହେଲା ଆଉ ତେବେଠାରୁ ଶୟତାନ କʼଣ କରୁଛି ?

୧୬ ପ୍ରକାଶିତ ବାକ୍ୟ ୧୧ ଅଧ୍ୟାୟରେ ଏହା ମଧ୍ୟ କୁହାଯାଇଥିଲା ଯେ ସେହି ଦୁଇ ସାକ୍ଷୀଙ୍କୁ କିଛି ସମୟ ପରେ ପୁଣି ଜୀବିତ କରାଯିବ । ଏକଥା କିପରି ପୂରା ହେଲା ? ନେତୃତ୍ୱ ନେଉଥିବା ଭାଇମାନଙ୍କୁ ଜେଲ୍‌ରେ ବନ୍ଦୀ କରାଯିବାର ପରବର୍ଷ ହିଁ, ଅର୍ଥାତ୍‌ ୧୯୧୯ରେ ଜେଲ୍‌ରୁ ମୁକ୍ତ କରାଗଲା ଓ ସେମାନଙ୍କ ଉପରେ ଲଗାଯାଇଥିବା ସବୁ ଆରୋପକୁ ହଟାଇ ଦିଆଗଲା । ଜେଲ୍‌ରୁ ବାହାରିବା ପରେ ସେମାନେ ଆହୁରି ଅଧିକ ଉତ୍ସାହର ସହ ପ୍ରଚାର କରିବାକୁ ଲାଗିଲେ । କିନ୍ତୁ ଶୟତାନ ଚୁପ୍‌ ରହିଲା ନାହିଁ । ସେ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ‘ନଦୀର ଉଦ୍‌ଗାର’ ଛାଡ଼ିଛି, ଅର୍ଥାତ୍‌ ସେ ସେମାନଙ୍କ ଉପରେ ଲଗାତାର ଅତ୍ୟାଚାର କରୁଛି । (ପ୍ରକା. ୧୨:୧୫) ତେଣୁ ଆଜି ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ‘ଧୈର୍ଯ୍ୟ ଧରିବାର ଅଛି ଓ ବିଶ୍ୱାସ ରଖିବାର ଅଛି ।’—ପ୍ରକା. ୧୩:୧୦.

ଯିହୋବାଙ୍କଠାରୁ ମିଳିଥିବା କାମ ଭଲଭାବେ କରନ୍ତୁ

୧୭. ଈଶ୍ୱରଙ୍କ ଲୋକମାନଙ୍କୁ କେଉଁମାନଙ୍କଠାରୁ ସାହାଯ୍ୟ ମିଳେ ?

୧୭ ପ୍ରକାଶିତ ବାକ୍ୟ ଅଧ୍ୟାୟ ୧୨ରେ ଆଗକୁ କୁହାଯାଇଛି ଯେ ଈଶ୍ୱରଙ୍କ ଲୋକମାନଙ୍କୁ କିଛି ସାହାଯ୍ୟ ମିଳେ, ଯାହାର ସେମାନେ ଆଶା କରନ୍ତି ନାହିଁ । ପଦ ୧୬ରେ ଲେଖାଅଛି ଯେ ଶୟତାନ ସେମାନଙ୍କ ଉପରେ ଯେଉଁ ‘ନଦୀର ଉଦ୍‌ଗାର’ ଛାଡ଼ିଛି, ତାହାକୁ “ପୃଥିବୀ” ଗ୍ରାସ କରିନିଏ । ଏହାର ଅର୍ଥ କʼଣ ? ଏହା ସତ ଯେ ଶୟତାନ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଦୁଃଖକଷ୍ଟ ଆଣେ, କିନ୍ତୁ ଅନେକ ଥର ତାʼର ହିଁ ଦୁନିଆର ଅଧିକାରୀମାନେ ଈଶ୍ୱରଙ୍କ ଲୋକମାନଙ୍କୁ ସାହାଯ୍ୟ କରନ୍ତି । ଉଦାହରଣ ପାଇଁ ଅନେକ ସମୟରେ, ଅଦାଲତ ଅନେକ ଥର ଯିହୋବାଙ୍କ ସାକ୍ଷୀମାନଙ୍କର ପକ୍ଷରେ ନିଷ୍ପତ୍ତି ଶୁଣାଇଛି । ଏଥିରୁ ସେମାନଙ୍କୁ ନିଜ କାମ କରିବା ପାଇଁ ସ୍ୱାଧୀନତା ମିଳିଛି ଓ ସେମାନେ ଭଲଭାବେ ପ୍ରଚାର କରିପାରନ୍ତି । (୧ କରି. ୧୬:୯) କିନ୍ତୁ ସେମାନେ କେଉଁ ସନ୍ଦେଶର ପ୍ରଚାର କରନ୍ତି ?

ଆଜି ଈଶ୍ୱରଙ୍କ ଲୋକମାନେ କେଉଁ ଦୁଇଟି ସନ୍ଦେଶ ଶୁଣାଉଛନ୍ତି ? (ପାରାଗ୍ରାଫ ୧୮-୧୯)

୧୮. ଯୁଗାନ୍ତ ଆସିବା ପୂର୍ବରୁ କେଉଁ କାମ କରିବାର ଅଛି ?

୧୮ ଯୀଶୁ ଭବିଷ୍ୟତବାଣୀ କରିଥିଲେ ଯେ ତାଙ୍କ ଶିଷ୍ୟମାନେ ଯୁଗାନ୍ତ ଆସିବା ପୂର୍ବରୁ ସାରା ପୃଥିବୀରେ ଈଶ୍ୱରଙ୍କ ରାଜ୍ୟର ସୁସମାଚାର ପ୍ରଚାର କରିବେ । (ମାଥି. ୨୪:୧୪) କିନ୍ତୁ ସେମାନେ ଏହି କାମ ଏକୁଟିଆ କରନ୍ତି ନାହିଁ । ପ୍ରକାଶିତ ବାକ୍ୟରେ ଲେଖାଅଛି ଯେ ଜଣେ ସ୍ୱର୍ଗଦୂତ ପାଖରେ ‘ପୃଥିବୀ ନିବାସୀ ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କ ନିକଟରେ ପ୍ରଚାର କରିବା ନିମନ୍ତେ ଏକ ଅନନ୍ତକାଳସ୍ଥାୟୀ ସୁସମାଚାର ଅଛି ।’ ଏଥିରୁ ଜଣାପଡ଼େ ଯେ ରାଜ୍ୟର ପ୍ରଚାର କରିବାରେ ସ୍ୱର୍ଗଦୂତମାନେ ମଧ୍ୟ ଈଶ୍ୱରଙ୍କ ଲୋକମାନଙ୍କୁ ସାହାଯ୍ୟ କରନ୍ତି ।—ପ୍ରକା. ୧୪:୬.

୧୯. ଯିହୋବାଙ୍କ ଲୋକମାନେ ଆଉ କେଉଁ ସନ୍ଦେଶ ଶୁଣାନ୍ତି ?

୧୯ ଈଶ୍ୱରଙ୍କ ଲୋକମାନେ କେବଳ ରାଜ୍ୟର ସୁସମାଚାର ଶୁଣାନ୍ତି ନାହିଁ, ବରଂ ସେମାନେ ଶୟତାନର ଦୁନିଆର ଲୋକମାନଙ୍କୁ ନ୍ୟାୟଦଣ୍ଡ ମଧ୍ୟ ଶୁଣାନ୍ତି । ତାଙ୍କର ଏହି ସନ୍ଦେଶର ତୁଳନା ‘ଅଗ୍ନି ଓ ଶିଳା’ ସହ କରାଯାଇଛି । (ପ୍ରକା. ୮:୭, ୧୩) ଏପରି ଭାବେ ସେମାନେ ସ୍ୱର୍ଗଦୂତମାନଙ୍କର କାମକୁ ସହଯୋଗ କରନ୍ତି । ପ୍ରକାଶିତ ବାକ୍ୟ ଅଧ୍ୟାୟ ୮ରୁ ୧୦ରେ କୁହାଯାଇଛି ଯେ ସ୍ୱର୍ଗଦୂତମାନେ ଘୋଷଣା କରନ୍ତି ଯେ ଯେଉଁ ଲୋକମାନେ ଈଶ୍ୱରଙ୍କ ରାଜ୍ୟର ଅଧୀନରେ ରହନ୍ତି ନାହିଁ, ସେମାନଙ୍କ ଉପରେ ବଡ଼ ବଡ଼ ସମସ୍ୟା ଆସିବ । ଯିହୋବାଙ୍କ ସାକ୍ଷୀମାନେ ଜାଣନ୍ତି ଯେ ଲୋକମାନଙ୍କ ଜୀବନ ବିପଦରେ ଅଛି । ତେଣୁ ସେମାନେ ଲୋକମାନଙ୍କୁ କହନ୍ତି ଯେ ଯଦି ସେମାନେ ଯୁଗାନ୍ତ ଆସିବା ପୂର୍ବରୁ ନିଜକୁ ବଦଳାଇବେ, ତାହେଲେ ଯିହୋବାଙ୍କ କ୍ରୋଧର ଦିନରୁ ରକ୍ଷା ପାଇପାରିବେ । (ସିଫ. ୨:୨, ୩) କିନ୍ତୁ ଅନେକ ଲୋକଙ୍କୁ ଏହି ସନ୍ଦେଶ ଭଲ ଲାଗେନି । ତେଣୁ ଏହାକୁ ଶୁଣାଇବା ପାଇଁ ସାହସ ଦରକାର । ଯେତେବେଳେ ମହାକ୍ଳେଶ ଆରମ୍ଭ ହେବ, ସେତେବେଳେ ଆମକୁ ଆହୁରି ଅଧିକ ସାହସର ସହ କାମ କରିବାକୁ ହେବ, କାରଣ ଆମେ ସେସମୟରେ ଶେଷ ଥର ପାଇଁ ଲୋକମାନଙ୍କୁ ସିଧା ସଳଖ ନ୍ୟାୟର ସନ୍ଦେଶ ଶୁଣାଇବା ଓ ଅନେକ ଲୋକ ଆମର ବିରୋଧ କରିବେ ।—ପ୍ରକା. ୧୬:୨୧.

ଏହି ଭବିଷ୍ୟତବାଣୀରେ ଲିଖିତ ବିଷୟ ସବୁ ପାଳନ କରନ୍ତୁ

୨୦. ପରବର୍ତ୍ତୀ ଦୁଇଟି ଲେଖାରେ ଆମେ କʼଣ ଜାଣିବା ?

୨୦ ଆଜି ପ୍ରକାଶିତ ବାକ୍ୟର ଅନେକ ଭବିଷ୍ୟତବାଣୀ ପୂରା ହେଉଛି । କେବଳ ଏତିକି ନୁହେଁ, ଏଗୁଡ଼ିକୁ ପୂରା କରିବାରେ ଆମେ ମଧ୍ୟ ଭାଗ ନେଉଛୁ । ତେଣୁ ଆମେ ଏଥିରେ ଲେଖାଥିବା କଥାଗୁଡ଼ିକୁ ମାନିବା ଉଚିତ୍‌ । (ପ୍ରକା. ୧:୩) ଆମେ ଅତ୍ୟାଚାର ସହିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍‌ ଓ ସାହସର ସହ ପ୍ରଚାର କରିବା ଉଚିତ୍‌ । ଏପରି କରିବା ପାଇଁ ଆମକୁ ପ୍ରକାଶିତ ବାକ୍ୟରେ ଦିଆଯାଇଥିବା ଦୁଇଟି କଥା ମନେ ରଖିବା ଉଚିତ୍‌ । ପ୍ରଥମ, ଈଶ୍ୱରଙ୍କ ଶତ୍ରୁମାନଙ୍କର କʼଣ ହେବ ଓ ଦ୍ୱିତୀୟ, ଯଦି ଆମେ ଯିହୋବାଙ୍କ ବିଶ୍ୱସ୍ତ ରହିବା, ତାହେଲେ ଆମକୁ କେଉଁ କେଉଁ ଆଶିଷ ମିଳିବ । ପରବର୍ତ୍ତୀ ଦୁଇଟି ଲେଖାରେ ଆମେ ଏବିଷୟରେ ଜାଣିବା ।

ଗୀତ ୩୨ ୟହୋୱାକି ଓର୍‌ ହୋଜା !

a ଆମେ ବହୁତ ରୋମାଞ୍ଚକର ସମୟରେ ବଞ୍ଚୁଛୁ ! ଆଜି ପ୍ରକାଶିତ ବାକ୍ୟ ବହିରେ ଲେଖାଥିବା ଅନେକ ଭବିଷ୍ୟତବାଣୀଗୁଡ଼ିକ ପୂରା ହେଉଛି । ଏହି ଲେଖାରେ ଓ ପରବର୍ତ୍ତୀ ଦୁଇଟି ଲେଖାରେ ଆମେ ପ୍ରକାଶିତ ବାକ୍ୟ ବହିର ବିଶେଷ କଥାଗୁଡ଼ିକ ବିଷୟରେ ଜାଣିବା । ଯେବେ ଆମେ ଏହି କଥାଗୁଡ଼ିକୁ ଧ୍ୟାନରେ ରଖି ଯିହୋବାଙ୍କର ଉପାସନା କରିବା, ତେବେ ସେ ଆମ ଉପରେ ଖୁସି ହେବେ ।

b ୧୫ ନଭେମ୍ବର, ୨୦୧୪ ପ୍ରହରୀଦୁର୍ଗର (ହିନ୍ଦୀ) ୩୦ ପୃଷ୍ଠାରେ ଦିଆଯାଇଥିବା ଲେଖା, “ଆପଣଙ୍କ ପ୍ରଶ୍ନ” ପଢ଼ନ୍ତୁ ।