इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୦

ପ୍ରକାଶିତ ବାକ୍ୟରେ ଈଶ୍ୱରଙ୍କ ଶତ୍ରୁମାନଙ୍କ ବିନାଶର ସନ୍ଦେଶ

ପ୍ରକାଶିତ ବାକ୍ୟରେ ଈଶ୍ୱରଙ୍କ ଶତ୍ରୁମାନଙ୍କ ବିନାଶର ସନ୍ଦେଶ

“ଅପବିତ୍ର ଆତ୍ମାମାନେ ରାଜାମାନଙ୍କୁ ଏବ୍ରୀ ଭାଷାରେ ହର୍ମିଗିଦ୍ଦୋନ୍‌ ନାମକ ସ୍ଥାନରେ ଏକତ୍ର କଲେ ।”—ପ୍ରକା. ୧୬:୧୬.

ଗୀତ ୧୫୦ ଅପନେ ବଚାୱ କେ ଲିଏ ୟହୋୱା କୀ ଖୋଜ କରେଁ

ଲେଖାର ଝଲକ a

୧. ଯେପରି ପ୍ରକାଶିତ ବାକ୍ୟରେ କୁହାଯାଇଛି, ଆଜି ଈଶ୍ୱରଙ୍କ ଲୋକମାନଙ୍କ ସହ କʼଣ ହେଉଛି ?

 ପ୍ରକାଶିତ ବାକ୍ୟ ବହିରୁ ଜଣାପଡ଼େ ଯେ ସ୍ୱର୍ଗରେ ଈଶ୍ୱରଙ୍କ ରାଜ୍ୟ ଶାସନ କରିବା ଆରମ୍ଭ କରିସାରିଛି ଓ ଶୟତାନକୁ ପୃଥିବୀରେ ଫିଙ୍ଗି ଦିଆଯାଇଛି । (ପ୍ରକା. ୧୨:୧-୯) ତେଣୁ ସ୍ୱର୍ଗରେ ଶାନ୍ତି ହୋଇଯାଇଛି, କିନ୍ତୁ ପୃଥିବୀରେ ଆମ ପାଇଁ ସମସ୍ୟା ବଢ଼ିଯାଇଛି । ଶୟତାନ ବହୁତ ରାଗିଛି ଓ ସେ ତାʼର ସବୁ ରାଗ ଯିହୋବାଙ୍କ ବିଶ୍ୱସ୍ତ ସେବକମାନଙ୍କ ଉପରେ ବାହାର କରୁଛି ।—ପ୍ରକା. ୧୨:୧୨, ୧୫, ୧୭.

୨. ଆମେ ଯିହୋବାଙ୍କ ବିଶ୍ୱସ୍ତ କିପରି ରହିପାରିବା ?

ଶୟତାନର ଆକ୍ରମଣ ସତ୍ତ୍ୱେ ଆମେ ଯିହୋବାଙ୍କ ବିଶ୍ୱସ୍ତ କିପରି ରହିପାରିବା ? (ପ୍ରକା. ୧୩:୧୦) ଆମକୁ ଅନେକ କଥାରୁ ସାହାଯ୍ୟ ମିଳିପାରେ । ସେମଧ୍ୟରୁ ଗୋଟିଏ ହେଉଛି, ଏହା ଜାଣିବା ଯେ ଆଗକୁ କʼଣ ହେବ । ଉଦାହରଣ ପାଇଁ, ପ୍ରକାଶିତ ବାକ୍ୟରେ ପ୍ରେରିତ ଯୋହନ କହିଲେ ଯେ ଭବିଷ୍ୟତରେ ଆମକୁ କʼଣ ଆଶିଷଗୁଡ଼ିକ ମିଳିବ । ଗୋଟିଏ ହେଉଛି, ଈଶ୍ୱରଙ୍କ ଶତ୍ରୁମାନଙ୍କୁ ସବୁଦିନ ପାଇଁ ବିନାଶ କରିଦିଆଯିବ । ତେବେ ଆସନ୍ତୁ ପ୍ରକାଶିତ ବାକ୍ୟ ବହିରୁ ଜାଣିବା ଯେ ସେହି ଶତ୍ରୁମାନେ କିଏ ଓ ତାଙ୍କର କʼଣ ହେବ ।

ଶତ୍ରୁମାନଙ୍କୁ ଚିହ୍ନିବା ପାଇଁ ଥିବା “ଚିହ୍ନଗୁଡ଼ିକ”

୩. ପ୍ରକାଶିତ ବାକ୍ୟରେ କୁହାଯାଇଥିବା କିଛି ଚିହ୍ନଗୁଡ଼ିକ କʼଣ ଅଟେ ?

ପ୍ରକାଶିତ ବାକ୍ୟ ବହିର ପ୍ରଥମ ପଦରେ ହିଁ କୁହାଯାଇଛି ଯେ ଏଥିରେ ଦିଆଯାଇଥିବା କଥାଗୁଡ଼ିକ “ଚିହ୍ନଗୁଡ଼ିକ” ଜରିଆରେ କୁହାଯାଇଛି । (ପ୍ରକା. ୧:୧, NWT) ଏଥିରେ ଅନେକ ବିଚିତ୍ର ପଶୁଗୁଡ଼ିକ ବିଷୟରେ କୁହାଯାଇଛି । ‘ସମୁଦ୍ର ମଧ୍ୟରୁ ଗୋଟିଏ ଜଙ୍ଗଲୀ ପଶୁ ଉଠିଆସେ ।’ ତାହାର “ଦଶ ଶୃଙ୍ଗ ଓ ସପ୍ତ ମସ୍ତକ” ଅଛି । (ପ୍ରକା. ୧୩:୧) ତାʼପରେ ‘ଆଉ ଗୋଟିଏ ଜଙ୍ଗଲୀ ପଶୁ ଭୂମି ମଧ୍ୟରୁ ଉଠି ଆସେ ।’ ସେ ଅଜଗର ପରି କଥା କହେ ଓ “ଆକାଶରୁ ପୃଥିବୀ ଉପରେ ଅଗ୍ନିବୃଷ୍ଟି କରାଏ ।” (ପ୍ରକା. ୧୩:୧୧-୧୩) ତାʼପରେ ‘ଲୋହିତବର୍ଣ୍ଣର ଆଉ ଗୋଟିଏ ପଶୁ’ ଦେଖାଯାଏ, ଯାହା ଉପରେ ଗୋଟିଏ ବେଶ୍ୟା ବସିଛି । ଏହି ତିନୋଟି ପଶୁ ଏପରି ଶତ୍ରୁମାନଙ୍କୁ ଦର୍ଶାନ୍ତି, ଯେଉଁମାନେ ଲମ୍ବା ସମୟ ଯାଏ ଯିହୋବା ଓ ତାଙ୍କ ରାଜ୍ୟର ବିରୁଦ୍ଧରେ କାମ କରୁଛନ୍ତି । ତେଣୁ ସେମାନଙ୍କୁ ଚିହ୍ନିବା ବହୁତ ଜରୁରୀ ।—ପ୍ରକା. ୧୭:୧, ୩.

ଚାରୋଟି ବୃହତ ପଶୁ

ଏଗୁଡ଼ିକ “ସମୁଦ୍ରରୁ ଉଠି ଆସିଲେ ।” (ଦାନି. ୭:୧-୮, ୧୫-୧୭) ଏଗୁଡ଼ିକ ସେହି ଚାରୋଟି ବିଶ୍ୱଶକ୍ତିଗୁଡ଼ିକୁ ଦର୍ଶାଏ, ଯେଉଁଗୁଡ଼ିକ ଦାନିୟେଲର ସମୟରେ ଗୋଟିଏ ପରେ ଗୋଟିଏ ଆସିଲେ ଓ ଯେଉଁମାନେ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଅତ୍ୟାଚାର କଲେ । (ପାରାଗ୍ରାଫ ୪, ୭)

୪-୫. ପ୍ରକାଶିତ ବାକ୍ୟରେ କୁହାଯାଇଥିବା ପଶୁଗୁଡ଼ିକ କେଉଁମାନଙ୍କୁ ଦର୍ଶାନ୍ତି ଏବଂ ଏହା ଆମକୁ ଦାନିୟେଲ ୭:୧୫-୧୭ ପଦରୁ କିପରି ଜଣାପଡ଼େ ?

ଏହି ଶତ୍ରୁମାନଙ୍କୁ ଚିହ୍ନିବା ପୂର୍ବରୁ ଆମକୁ ଜାଣିବାକୁ ହେବ ଯେ ଏହି ପଶୁଗୁଡ଼ିକ କେଉଁମାନଙ୍କୁ ଦର୍ଶାନ୍ତି । ଏହାକୁ ବୁଝିବା ପାଇଁ ବାଇବଲର ଅନ୍ୟ ବହିଗୁଡ଼ିକରୁ ସାହାଯ୍ୟ ମିଳେ । ଗୋଟିଏ ବହି ହେଉଛି ଦାନିୟେଲ । ଭବିଷ୍ୟଦ୍‌ବକ୍ତା ଦାନିୟେଲ ଲେଖିଲେ ଯେ ସେ ଗୋଟିଏ ସ୍ୱପ୍ନ ଦେଖିଲେ, ଯେଉଁଥିରେ ସେ ‘ଚାରି ବୃହତ ପଶୁ ଉଠି ଆସିବାର’ ଦେଖିଲେ । (ଦାନି. ୭:୧-୩) ସେ ଏହା ମଧ୍ୟ ଲେଖିଲେ ଯେ ଏହି ଚାରୋଟି ବଡ଼ ବଡ଼ ପଶୁର ଅର୍ଥ ହେଉଛି, ଚାରୋଟି “ରାଜା” ବା ସରକାର । (ଦାନିୟେଲ ୭:୧୫-୧୭ ପଢ଼ନ୍ତୁ ।) ଏଥିରୁ ଆମକୁ ଜଣାପଡ଼େ ଯେ ପ୍ରକାଶିତ ବାକ୍ୟରେ କୁହାଯାଇଥିବା ପଶୁଗୁଡ଼ିକ ମଧ୍ୟ ସରକାରଗୁଡ଼ିକୁ ଦର୍ଶାନ୍ତି ।

ଏହି କଥାଗୁଡ଼ିକୁ ଧ୍ୟାନରେ ରଖି ଆସନ୍ତୁ ପ୍ରକାଶିତ ବାକ୍ୟରେ କୁହାଯାଇଥିବା କିଛି ଚିହ୍ନଗୁଡ଼ିକ ଉପରେ ଧ୍ୟାନ ଦେବା । ଏଗୁଡ଼ିକୁ ବୁଝିବା ପାଇଁ ଆମେ ବାଇବଲର ଅଲଗା ଅଲଗା ପଦଗୁଡ଼ିକ ଉପରେ ଧ୍ୟାନ ଦେବା । ଆସନ୍ତୁ ପ୍ରଥମେ ଏହା ଜାଣିବା ଯେ ଏ ପଶୁଗୁଡ଼ିକ କେଉଁ ସରକାରଗୁଡ଼ିକୁ ଦର୍ଶାନ୍ତି । ଆମେ ଏହା ମଧ୍ୟ ଜାଣିବା ଯେ ଆଗକୁ ସେମାନଙ୍କର କʼଣ ହେବ ଓ ଏହା ଜାଣି ଆମକୁ କʼଣ କରିବା ଉଚିତ୍‌ ।

ଈଶ୍ୱରଙ୍କ ଶତ୍ରୁମାନଙ୍କର ପରିଚୟ

ସପ୍ତ ମସ୍ତକ ଥିବା ଜଙ୍ଗଲୀ ପଶୁ

ଏହା ‘ସମୁଦ୍ର ମଧ୍ୟରୁ’ ଉଠି ଆସେ ଓ ଏହାର ସାତଟି ମସ୍ତକ, ଦଶଟି ଶୃଙ୍ଗ ଓ ଦଶଟି ମୁକୁଟ ଅଛି । (ପ୍ରକା. ୧୩:୧-୪) ଏହା ଏବେଯାଏ ଆସିଥିବା ସବୁ ସରକାରଗୁଡ଼ିକୁ ଦର୍ଶାଏ । ଏହାର ସାତଟି ମସ୍ତକ ସାତଟି ବିଶ୍ୱଶକ୍ତିଗୁଡ଼ିକୁ ଦର୍ଶାଏ, ଯେଉଁମାନେ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଅତ୍ୟାଚାର କରି ଆସୁଛନ୍ତି । (ପାରାଗ୍ରାଫ ୬-୮)

୬. ପ୍ରକାଶିତ ବାକ୍ୟ ୧୩:୧-୪ ପଦରେ କୁହାଯାଇଥିବା ସାତଟି ମସ୍ତକ ଥିବା ଜଙ୍ଗଲୀ ପଶୁ କିଏ ଅଟେ ?

ସାତଟି ମସ୍ତକ ଥିବା ଜଙ୍ଗଲୀ ପଶୁ କିଏ ଅଟେ ? ଯେପରି ଆମେ ୪ ପାରାଗ୍ରାଫରେ ଜାଣିଲୁ, ଦାନିୟେଲ ୭ ଅଧ୍ୟାୟରେ ଚାରୋଟି ଅଲଗା ଅଲଗା ପଶୁଗୁଡ଼ିକ ବିଷୟରେ କୁହାଯାଇଛି, ଯେଉଁଗୁଡ଼ିକ ଅଲଗା ଅଲଗା ସରକାରଗୁଡ଼ିକୁ ଦର୍ଶାନ୍ତି । ସେଠାରେ ଲେଖାଅଛି ଗୋଟିଏ ପଶୁ ଚିତାବାଘ ଭଳି ଅଟେ, ଦ୍ୱିତୀୟଟି ଭାଲୁ ଭଳି ଓ ତୃତୀୟଟି ସିଂହ ଭଳି ଅଟେ ଏବଂ ଚତୁର୍ଥ ପଶୁର ମୁଣ୍ଡରେ ଦଶଟି ଶୃଙ୍ଗ ଅଛି । କିନ୍ତୁ ପ୍ରକାଶିତ ବାକ୍ୟ ୧୩:୧-୪ ପଦରେ କୁହାଯାଇଛି ଯେ ସାତଟି ମସ୍ତକ ଥିବା ପଶୁ ସେହି ଚାରୋଟି ପଶୁ ଭଳି ଦେଖାଯାଏ । (ପଢ଼ନ୍ତୁ) ତାʼର ଶରୀର ଚିତାବାଘ ଭଳି ଅଛି, ତାʼର ପାଦ ଭାଲୁର ପାଦ ଭଳି ଅଛି, ପାଟି ସିଂହର ପାଟି ଭଳି ଅଛି ଓ ତାʼର ଦଶଟି ଶୃଙ୍ଗ ଅଛି । ଏହା ଦେଖାଏ ଯେ ସାତଟି ମସ୍ତକ ଥିବ ଜଙ୍ଗଲୀ ପଶୁ କୌଣସି ଗୋଟିଏ ସରକାରକୁ ଦର୍ଶାଏ ନାହିଁ । ପ୍ରକାଶିତ ବାକ୍ୟରେ ଲେଖାଅଛି ଯେ ଏହି ପଶୁ “ସମସ୍ତ ଗୋଷ୍ଠୀ, ବଂଶ, ଭାଷାବାଦୀ ଓ ଜାତି ଉପରେ” ଶାସନ କରେ । (ପ୍ରକା. ୧୩:୭) ଏସବୁ କଥାରୁ ଜଣାପଡ଼େ ଯେ ସାତଟି ମସ୍ତକ ଥିବା ଜଙ୍ଗଲୀ ପଶୁ ଏବେ ଯାଏ ଆସିଥିବା ସବୁ ସରକାରଗୁଡ଼ିକୁ ଦର୍ଶାଏ । bଉପ. ୮:୯.

୭. ଜଙ୍ଗଲୀ ପଶୁର ସାତଟି ମସ୍ତକ କେଉଁମାନଙ୍କୁ ଦର୍ଶାଏ ?

ଜଙ୍ଗଲୀ ପଶୁର ସାତଟି ମସ୍ତକ କେଉଁମାନଙ୍କୁ ଦର୍ଶାଏ ? ଏହା ଜାଣିବା ପାଇଁ ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ ୧୭ ଉପରେ ଧ୍ୟାନ ଦେବା । ସେଠାରେ ପଶୁର ପ୍ରତିମା ବିଷୟରେ କୁହାଯାଇଛି । ପ୍ରକାଶିତ ବାକ୍ୟ ୧୭:୧୦ ପଦରେ ଲେଖାଅଛି, “ସପ୍ତ ମସ୍ତକ ମଧ୍ୟ ସପ୍ତ ରାଜାଙ୍କୁ ବୁଝାଏ, ସେମାନଙ୍କ ମଧ୍ୟରୁ ପାଞ୍ଚ ଜଣ ପତିତ ହୋଇଅଛନ୍ତି, ଜଣେ ବର୍ତ୍ତମାନ ଅଛି, ଆଉ ଜଣେ ଏପର୍ଯ୍ୟନ୍ତ ଆସି ନାହିଁ, ସେ ଆସିଲେ ଅଳ୍ପ କାଳ ମାତ୍ର ରହିବ ।” ଶୟତାନ ଏବେ ଯାଏ ଅନେକ ସରକାରଗୁଡ଼ିକୁ ବ୍ୟବହାର କରିଛି, ଯେଉଁଗୁଡ଼ିକ ମଧ୍ୟରୁ ସାତଟି ସରକାର ଅଧିକ ଶକ୍ତିଶାଳୀ ରହିଛି । ତେଣୁ ସେଗୁଡ଼ିକୁ ବିଶ୍ୱଶକ୍ତି କୁହାଯାଏ ଓ ପ୍ରକାଶିତ ବାକ୍ୟରେ ସେମାନଙ୍କର ତୁଳନା “ମସ୍ତକ” ସହ କରାଯାଇଛି । ଈଶ୍ୱରଙ୍କ ଲୋକମାନଙ୍କୁ ଏମାନଙ୍କ ମଧ୍ୟରୁ କିଛି ବିଶ୍ୱଶକ୍ତିଗୁଡ଼ିକର ଅଧୀନରେ ରହିବାକୁ ପଡ଼ିଛି ଏବଂ ଆଉ କିଛି ବିଶ୍ୱଶକ୍ତିଗୁଡ଼ିକଠାରୁ ଅତ୍ୟାଚାର ସହିବାକୁ ପଡ଼ିଛି । ପ୍ରେରିତ ଯୋହନଙ୍କ ସମୟ ଯାଏ, ପାଞ୍ଚଟି ବିଶ୍ୱଶକ୍ତି ଆସି ଚାଲିଯାଇଥିଲା । ସେମାନେ ଥିଲେ ମିଶର, ଅଶୂର, ବାବିଲ, ମାଦୀୟ-ପାରସ୍ୟ ଓ ଗ୍ରୀସ୍‌ ଏବଂ ଷଷ୍ଠ ବିଶ୍ୱଶକ୍ତି ରୋମର ଶାସନ ଚାଲିଥିଲା । ତାହେଲେ ଏବେ ପ୍ରଶ୍ନ ଉଠେ ଯେ ସପ୍ତମ ଓ ଶେଷ ବିଶ୍ୱଶକ୍ତି କିଏ ହୁଅନ୍ତା ?

୮. ଜଙ୍ଗଲୀ ପଶୁର ସପ୍ତମ ମସ୍ତକ କେଉଁ ବିଶ୍ୱଶକ୍ତିକୁ ଦର୍ଶାଏ ?

‘ପ୍ରଭୁଙ୍କ ଦିନରେ’ ଅର୍ଥାତ୍‌ ଏହି ଶେଷକାଳରେ କେଉଁ ବିଶ୍ୱଶକ୍ତି ଶାସନ କରୁଛି ? (ପ୍ରକା. ୧:୧୦) ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତି । ତେଣୁ ଆମେ କହିପାରିବା ଯେ ପ୍ରକାଶିତ ବାକ୍ୟ ୧୩:୧-୪ ପଦରେ ଯେଉଁ ଜଙ୍ଗଲୀ ପଶୁ ବିଷୟରେ କୁହାଯାଇଛି, ତାହାର ସପ୍ତମ ମସ୍ତକ ଏହି ବିଶ୍ୱଶକ୍ତି ଅଟେ । ଏହାର ପ୍ରମାଣ ଆମକୁ ଦାନିୟେଲ ବହିରୁ ମଧ୍ୟ ମିଳେ ।

ଜଙ୍ଗଲୀ ପଶୁ ଯାହାର ମେଷଶାବକ ଭଳି ଦୁଇଟି ଶୃଙ୍ଗ ଅଛି

ଏହା “ଭୂମି ମଧ୍ୟରୁ ଉଠି” ଆସେ ଓ ‘ଅଜଗର ଭଳି’ କଥା କହେ । ଏହା ଆକାଶରୁ “ପୃଥିବୀ ଉପରେ ଅଗ୍ନିବୃଷ୍ଟି କରାଏ” ଏବଂ “ଭଣ୍ଡ ଭାବବାଦୀ” ବା ମିଥ୍ୟା ଭବିଷ୍ୟଦ୍‌ବକ୍ତାଙ୍କ ଭଳି ଚମତ୍କାର କରେ । (ପ୍ରକା. ୧୩:୧୧-୧୫; ୧୬:୧୩; ୧୯:୨୦) ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତି, ଦୁଇଟି ଶୃଙ୍ଗଥିବା ପଶୁ ଓ ମିଥ୍ୟା ଭବିଷ୍ୟଦ୍‌ବକ୍ତା ଅଟେ । ଏହି ବିଶ୍ୱଶକ୍ତି ପୃଥିବୀର ଲୋକମାନଙ୍କୁ ଭ୍ରାନ୍ତ କରେ ଓ ସେମାନଙ୍କୁ ‘ଜଙ୍ଗଲୀ ପଶୁର ପ୍ରତିମା ନିର୍ମାଣ’ କରିବାକୁ କହେ, ଯାହାର ସାତଟି ମସ୍ତକ ଓ ଦଶଟି ଶୃଙ୍ଗ ଅଛି । (ପାରାଗ୍ରାଫ ୯)

୯. ଯେଉଁ ଜଙ୍ଗଲୀ ପଶୁର ‘ମେଷଶାବକ ପରି ଦୁଇଟା ଶୃଙ୍ଗ ଅଛି,’ ସେ କାହାକୁ ଦର୍ଶାଏ ?

ପ୍ରକାଶିତ ବାକ୍ୟ ୧୩ ଅଧ୍ୟାୟରେ ସେହି ସପ୍ତମ ମସ୍ତକକୁ, ଅର୍ଥାତ୍‌ ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତିକୁ ଗୋଟିଏ ଏପରି ପଶୁ ସହ ତୁଳନା କରାଯାଇଛି ଯାହାର ‘ମେଷଶାବକ ପରି ଦୁଇଟା ଶୃଙ୍ଗ ଅଛି ଆଉ ଯିଏ ଅଜଗର ପରି କଥା କହେ ।’ ଏହି ପଶୁ “ମହା ମହା ଆଶ୍ଚର୍ଯ୍ୟ କର୍ମ କରେ, ଏପରିକି ମନୁଷ୍ୟମାନଙ୍କ ସାକ୍ଷାତରେ ଆକାଶରୁ ପୃଥିବୀ ଉପରେ ଅଗ୍ନିବୃଷ୍ଟି କରାଏ ।” (ପ୍ରକା. ୧୩:୧୧-୧୫) ପ୍ରକାଶିତ ବାକ୍ୟ ୧୬ ଓ ୧୯ ଅଧ୍ୟାୟରେ ଏହାକୁ “ଭଣ୍ଡ ଭାବବାଦୀ” ବା ମିଥ୍ୟା ଭବିଷ୍ୟଦ୍‌ବକ୍ତା ବୋଲି କୁହାଯାଇଛି । ଦାନିୟେଲର ବହିରେ ମଧ୍ୟ କୁହାଯାଇଛି ଯେ ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତି ‘ଭୟଙ୍କର ବିନାଶ’ ଆଣିବ । (ଦାନି. ୮:୧୯, ୨୩, ୨୪) ଏହି ଭବିଷ୍ୟତବାଣୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପୂରା ହେଲା । ବ୍ରିଟେନ୍‌ ଓ ଆମେରିକାର ବୈଜ୍ଞାନିକମାନେ ମିଶି ପରମାଣୁ ବୋମା ତିଆରି କଲେ ଓ ସେହି ଦୁଇଟି ଦେଶ ଜାପାନ ଉପରେ ଏହି ବୋମା ପକାଇଲେ । ଏଥିରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହୋଇଗଲା । ଏପରି ଭାବେ ବ୍ରିଟେନ୍‌-ଆମେରିକା ବିଶ୍ୱଶକ୍ତି ‘ଆକାଶରୁ ପୃଥିବୀ ଉପରେ ଅଗ୍ନିବୃଷ୍ଟି କରାଇଲା ।’

ଲାହିତବର୍ଣ୍ଣର ଜଙ୍ଗଲୀ ପଶୁ

ଏହା ଉପରେ ଗୋଟିଏ ବେଶ୍ୟା ଅର୍ଥାତ୍‌ ମହାନଗରୀ ବାବିଲ ବସିଛି । ଏହି ପଶୁକୁ ଅଷ୍ଟମ ରାଜା ମଧ୍ୟ କୁହାଯାଇଛି । (ପ୍ରକା. ୧୭:୩-୬, ୮, ୧୧) ବେଶ୍ୟା ପ୍ରଥମେ ଏହି ଜଙ୍ଗଲୀ ପଶୁ ଉପରେ ନିୟନ୍ତ୍ରଣ କରେ, କିନ୍ତୁ ପରେ ଏହି ପଶୁ ତାକୁ ବିନାଶ କରିଦିଏ । ବେଶ୍ୟା ସାରା ଦୁନିଆରେ ଥିବା ମିଥ୍ୟା ଧର୍ମକୁ ଦର୍ଶାଏ । ଜଙ୍ଗଲୀ ପଶୁ ସଂଯୁକ୍ତରାଷ୍ଟ୍ର ଅଟେ, ଯିଏ ସାରା ଦୁନିଆରେ ଥିବା ସରକାରଗୁଡ଼ିକୁ ସହଯୋଗ କରେ । (ପାରାଗ୍ରାଫ ୧୦, ୧୪-୧୭)

୧୦. “ପଶୁର ପ୍ରତିମା” କାହାକୁ ଦର୍ଶାଏ ? (ପ୍ରକାଶିତ ବାକ୍ୟ ୧୩:୧୪, ୧୫; ୧୭:୩, ୮, ୧୧)

୧୦ ଏବେ ଆମେ ଆଉ ଗୋଟିଏ ଜଙ୍ଗଲୀ ପଶୁ ବିଷୟରେ କଥା ହେବା । ଏହା ଦେଖିବାକୁ ବିଲକୁଲ୍‌ ସେହି ସାତଟି ମସ୍ତକ ଥିବା ପଶୁ ଭଳି ଅଟେ, କେବଳ ତାହାର ରଙ୍ଗ ଲୋହିତବର୍ଣ୍ଣ । ଏହାକୁ “ପଶୁର ପ୍ରତିମା” ଓ ‘ଅଷ୍ଟମ ରାଜା’ ମଧ୍ୟ କୁହାଯାଇଛି । c (ପ୍ରକାଶିତ ବାକ୍ୟ ୧୩:୧୪, ୧୫; ୧୭:୩, ୮, ୧୧ ପଢ଼ନ୍ତୁ ।) ଭବିଷ୍ୟତବାଣୀରେ କୁହାଯାଇଥିବା ଏହି “ରାଜା” ଆସିବ, କିଛି ସମୟ ପରେ ନିଜ ଅସ୍ତିତ୍ୱ ହରାଇବ ଏବଂ ପୁଣିଥରେ ଆସିବ । ଏକଥା ସଂଯୁକ୍ତ ରାଷ୍ଟ୍ର ଉପରେ ବିଲକୁଲ୍‌ ଠିକ୍‌ ଲାଗୁ ହୁଏ । ପ୍ରଥମେ ଏହା ରାଷ୍ଟ୍ର ସଂଘ ନାମରେ ଜଣାଯାଉଥିଲା । ତାʼପରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସେ ତାହାର ଅସ୍ତିତ୍ୱ ହରାଇଲା । କିନ୍ତୁ ତାʼପରେ ସେ ପୁଣି ଆସିଲା ଓ ଆଜି ଆମ ସମୟରେ ସଂଯୁକ୍ତ ରାଷ୍ଟ୍ର ନାମରେ ଜଣାଯାଏ । ଏହା ସାରାଦୁନିଆରେ ଥିବା ସରକାରଗୁଡ଼ିକୁ ସହଯୋଗ କରେ ।

୧୧. (କ) ଜଙ୍ଗଲୀ ପଶୁଗୁଡ଼ିକ କʼଣ କରିବେ ? (ଖ) ସେସମୟରେ ଆମେ କାହିଁକି ଡରିବା ନାହିଁ ?

୧୧ ସବୁ ଜଙ୍ଗଲୀ ପଶୁ, ଅର୍ଥାତ୍‌ ସରକାରଗୁଡ଼ିକ ଲୋକମାନଙ୍କୁ ଯିହୋବା ଓ ତାଙ୍କ ସେବକମାନଙ୍କ ବିରୁଦ୍ଧରେ ଯିବା ପାଇଁ ଭଡ଼କାଇବେ । ଏହିପରି ସରକାରଗୁଡ଼ିକ “ସମସ୍ତ ଜଗତର ରାଜାମାନଙ୍କୁ” “ସର୍ବଶକ୍ତିମାନ ଈଶ୍ୱରଙ୍କ ମହାଦିନର ଯୁଦ୍ଧ” ଅର୍ଥାତ୍‌ ହର୍ମିଗିଦ୍ଦୋନ୍‌ ପାଇଁ ଏକାଠି କରିବେ । (ପ୍ରକା. ୧୬:୧୩, ୧୪, ୧୬) କିନ୍ତୁ ସେସମୟରେ ଆମକୁ ଡରିବା ଦରକାର ନାହିଁ । ଆମ ଈଶ୍ୱର ଯିହୋବା ଆମକୁ ରକ୍ଷା କରିବା ପାଇଁ ତୁରନ୍ତ ପଦକ୍ଷେପ ନେବେ ।—ଯିହି. ୩୮:୨୧-୨୩.

୧୨. ସବୁ ଜଙ୍ଗଲୀ ପଶୁଗୁଡ଼ିକର କʼଣ ହେବ ?

୧୨ ସବୁ ଜଙ୍ଗଲୀ ପଶୁଗୁଡ଼ିକର କʼଣ ହେବ ? ପ୍ରକାଶିତ ବାକ୍ୟ ୧୯:୨୦ ପଦରେ ଲେଖାଅଛି, “ସେହି ପଶୁ ଧରାପଡ଼ିଲା, ଆଉ ଯେଉଁ ଭଣ୍ଡ ଭାବବାଦୀ ତାହାର ସାକ୍ଷାତରେ ଆଶ୍ଚର୍ଯ୍ୟ କର୍ମସବୁ କରି ତଦ୍ଦ୍ୱାରା ପଶୁର ମୁଦ୍ରାଙ୍କପ୍ରାପ୍ତ ଲୋକମାନଙ୍କୁ ଓ ତାହାର ପ୍ରତିମାପୂଜକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ମଧ୍ୟ ତାହାର ସଙ୍ଗରେ ଧରାପଡ଼ିଲା; ସେମାନେ ଉଭୟେ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ନିକ୍ଷିପ୍ତ ହେଲେ ।” ଧ୍ୟାନ ଦିଅନ୍ତୁ ଏହି ପଦରେ ଲେଖାଅଛି ଯେ ସେମାନଙ୍କୁ ଜୀବିତ ଅବସ୍ଥାରେ ଗନ୍ଧକ ପ୍ରଜ୍ୱଳିତ ହ୍ରଦରେ ଫିଙ୍ଗିଦିଆଯିବ । ଏହାର ଅର୍ଥ, ସରକାରଗୁଡ଼ିକର ଶାସନ ଚାଲୁଥିବା ସମୟରେ ହିଁ ଈଶ୍ୱର ସେମାନଙ୍କର ବିନାଶ କରିଦେବେ ।

୧୩. ସରକାରଗୁଡ଼ିକ ଆମ ଉପରେ କʼଣ ଚାପ ପକାଏ ?

୧୩ ଏହା ଜାଣି ଆମେ କʼଣ କରିବା ଉଚିତ୍‌ ? ଆମେ ଯିହୋବା ଓ ତାଙ୍କ ରାଜ୍ୟର ବିଶ୍ୱସ୍ତ ରହିବା ଉଚିତ୍‌ । (ଯୋହ. ୧୮:୩୬) ତାʼପାଇଁ ଜରୁରୀ ଯେ ଆମେ ପୂରାପୂରି ନିଷ୍ପକ୍ଷ ରହିବା ଓ ଦୁନିଆର ରାଜନୈତିକ ମାମଲାରେ ନ ପଡ଼ିବା । ଏପରି କରିବା ହୁଏତ କଷ୍ଟକର ହୋଇପାରେ । କାରଣ ସରକାରଗୁଡ଼ିକ ଚାହେଁ ଯେ ଆମେ ନିଜ କଥାବାର୍ତ୍ତା ଓ କାମଗୁଡ଼ିକରୁ ତାଙ୍କୁ ପୂରା ପୂରା ସହଯୋଗ କରୁ । କିନ୍ତୁ ଯେଉଁ ଲୋକମାନେ ସେମାନଙ୍କୁ ସହଯୋଗ କରନ୍ତି, ସେମାନେ ନିଜ ଉପରେ ଜଙ୍ଗଲୀ ପଶୁର ଚିହ୍ନ ଲଗାଉଥାʼନ୍ତି । (ପ୍ରକା. ୧୩:୧୬, ୧୭) ଯାହା ଉପରେ ଏହି ଚିହ୍ନ ଥିବ, ତାକୁ ଯିହୋବା ସ୍ୱୀକାର କରିବେ ନାହିଁ ଓ ସେ ଅନନ୍ତ ଜୀବନ ପାଇବାର ସୁଯୋଗ ହରାଇଦେବ । (ପ୍ରକା. ୧୪:୯, ୧୦; ୨୦:୪) ତେଣୁ ସରକାରଗୁଡ଼ିକ ଆମ ଉପରେ ଯେତେ ବି ଚାପ ପକାଇଲେ ମଧ୍ୟ ଆମେ ପୂରାପୂରି ନିଷ୍ପକ୍ଷ ରହିବା ଉଚିତ୍‌ ।

ମହାବେଶ୍ୟାର ଲଜ୍ଜାଜନକ ଅନ୍ତ

୧୪. ପ୍ରେରିତ ଯୋହନ କʼଣ ଦେଖି ଆଶ୍ଚର୍ଯ୍ୟ ହୋଇଯାʼନ୍ତି ? (ପ୍ରକା. ୧୭:୩-୫)

୧୪ ପ୍ରକାଶିତ ବାକ୍ୟ ୧୭:୩-୫ ପଢ଼ନ୍ତୁ । ପ୍ରେରିତ ଯୋହନ ଦର୍ଶନରେ ଯାହା ଦେଖନ୍ତି, ତାହାଯୋଗୁଁ ସେ ଆଶ୍ଚର୍ଯ୍ୟ ହୋଇଯାʼନ୍ତି । ସେ ଦେଖନ୍ତି ଯେ ଜଣେ ସ୍ତ୍ରୀ ଲୋହିତବର୍ଣ୍ଣ ପଶୁ ଉପରେ ବସିଛି । ସେ ସ୍ତ୍ରୀ “ମହାବେଶ୍ୟା” ଅଟେ, ଯାହାକୁ “ମହାନଗରୀ ବାବିଲ” ମଧ୍ୟ କୁହାଯାଇଛି ଓ ଯିଏ ‘ପୃଥିବୀର ରାଜାମାନଙ୍କ ସହ ବ୍ୟଭିଚାର’ କରେ ।—ପ୍ରକାଶିତ ବାକ୍ୟ ୧୭:୧, ୨, ୬.

୧୫-୧୬. ମହାନଗରୀ ବାବିଲ କିଏ ଅଟେ ଓ ଆମେ ଏହା କିପରି କହିପାରିବା ?

୧୫ ମହାନଗରୀ ବାବିଲ କିଏ ଅଟେ ? ସେ ବେଶ୍ୟା କୌଣସି ସରକାରକୁ ଦର୍ଶାଇପାରିବ ନାହିଁ । କାରଣ ପ୍ରକାଶିତ ବାକ୍ୟରେ କୁହାଯାଇଛି ଯେ ସେ ପୃଥିବୀର ରାଜାମାନଙ୍କ ସହ ବ୍ୟଭିଚାର କରେ । (ପ୍ରକା. ୧୮:୯) ସେଥିରେ ଏହା ମଧ୍ୟ କୁହାଯାଇଛି ଯେ ସେ ଜଙ୍ଗଲୀ ପଶୁ ଉପରେ ବସିଛି ଅର୍ଥାତ୍‌ ସରକାରଗୁଡ଼ିକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରେ । ସେ ବେଶ୍ୟା ଲୋଭୀ ବେପାରୀମାନଙ୍କୁ ମଧ୍ୟ ଦର୍ଶାଇପାରିବ ନାହିଁ । କାରଣ ପ୍ରକାଶିତ ବାକ୍ୟରେ ସେମାନଙ୍କୁ କିଛି ଅଲଗା କୁହାଯାଇଛି, ତାହା ହେଉଛି, “ପୃଥିବୀର ବଣିକ ।”—ପ୍ରକା. ୧୮:୧୧, ୧୫, ୧୬.

୧୬ ବାଇବଲରେ ବେଶ୍ୟା କାମ ଓ ବ୍ୟଭିଚାରକୁ ଅନେକ ସମୟରେ ଲାକ୍ଷଣିକ ଭାବରେ ବ୍ୟବହାର କରାଯାଇଛି । ଏହା ସେମାନଙ୍କ ପାଇଁ ବ୍ୟବହାର କରାଯାଇଛି ଯେଉଁମାନେ ଯିହୋବାଙ୍କ ସେବା କରିବାର ଦାବି କରନ୍ତି, କିନ୍ତୁ ମୂର୍ତ୍ତିପୂଜା କରନ୍ତି କିମ୍ବା ଅନ୍ୟ କୌଣସି ଉପାୟରେ ଦୁନିଆର ଭାଗ ହୁଅନ୍ତି । (୧ ବଂଶା. ୫:୨୫; ଯାକୁ. ୪:୪) କିନ୍ତୁ ଯେଉଁ ଲୋକମାନେ ସମ୍ପୂର୍ଣ୍ଣ ହୃଦୟରୁ ଯିହୋବାଙ୍କର ଉପାସନା କରନ୍ତି ଓ ତାଙ୍କର ବିଶ୍ୱସ୍ତ ରହନ୍ତି, ସେମାନଙ୍କୁ ବାଇବଲରେ “ସତୀ” କିମ୍ବା “କୁମାରୀ” କୁହାଯାଇଛି । (୨ କରି. ୧୧:୨; ପ୍ରକା. ୧୪:୪, ଫୁ.) ତାʼଛଡ଼ା ପ୍ରାଚୀନ ବାବିଲରୁ ହିଁ ମିଥ୍ୟା ଧର୍ମଗୁଡ଼ିକର ଆରମ୍ଭ ହୋଇଥିଲା । ଏସବୁ କଥାଗୁଡ଼ିକରୁ ଜଣାପଡ଼େ ଯେ ମହାନଗରୀ ବାବିଲ ସାରା ଦୁନିଆରେ ଥିବା ସବୁ ମିଥ୍ୟା ଧର୍ମଗୁଡ଼ିକୁ ଦର୍ଶାଏ ।—ପ୍ରକା. ୧୭:୫, ୧୮; jw.org ୱେବସାଇଟ୍‌ରେ ଥିବା ଲେଖା, “ମହାନଗରୀ ବାବିଲ କିଏ ଅଟେ ?” ପଢ଼ନ୍ତୁ ।

୧୭. ମହାନଗରୀ ବାବିଲର କʼଣ ହେବ ?

୧୭ ମହାନଗରୀ ବାବିଲର କʼଣ ହେବ ? ପ୍ରକାଶିତ ବାକ୍ୟ ୧୭:୧୬, ୧୭ ପଦରେ ଲେଖାଅଛି, “ଯେଉଁ ଦଶ ଶୃଙ୍ଗ ଦେଖିଲ, ସେହିସବୁ ଓ ସେହି ପଶୁ, ବେଶ୍ୟାକୁ ଘୃଣା କରିବେ ଏବଂ ତାହାକୁ ଉଚ୍ଛିନ୍ନ ଓ ଉଲଙ୍ଗ କରିବେ, ଆଉ ତାହାର ମାଂସ ଭକ୍ଷଣ କରିବେ ଓ ତାହାକୁ ଅଗ୍ନିରେ ଦଗ୍ଧ କରିବେ; କାରଣ ଈଶ୍ୱରଙ୍କ ସମସ୍ତ ବାକ୍ୟ ଯେପର୍ଯ୍ୟନ୍ତ ସଫଳ ନ ହୁଏ, ସେପର୍ଯ୍ୟନ୍ତ ସେମାନେ ଯେପରି ତାହାର ଅଭିପ୍ରାୟ ସିଦ୍ଧ କରନ୍ତି ଓ ଏକମନା ହୋଇ ଆପଣାମାନଙ୍କ ରାଜ୍ୟ ପଶୁକୁ ଦାନ କରନ୍ତି, ଏଥିନିମନ୍ତେ ଈଶ୍ୱର ସେମାନଙ୍କ ମନରେ ପ୍ରବୃତ୍ତି ଦେଲେ ।” ଏହି ପଦଗୁଡ଼ିକରୁ ଜଣାପଡ଼େ ଯେ ଯିହୋବା ଦୁନିଆର ସରକାରଗୁଡ଼ିକୁ ଉସକାଇବେ ଯେ ସେମାନେ ଲୋହିତବର୍ଣ୍ଣର ଜଙ୍ଗଲୀ ପଶୁ, ଅର୍ଥାତ୍‌ ସଂଯୁକ୍ତ ରାଷ୍ଟ୍ର ଜରିଆରେ ଦୁନିଆର ସବୁ ମିଥ୍ୟା ଧର୍ମଗୁଡ଼ିକୁ ପୂରାପୂରି ବିନାଶ କରନ୍ତୁ ।—ପ୍ରକା. ୧୮:୨୧-୨୪.

୧୮. ମହାନଗରୀ ବାବିଲରୁ ନିଜ ସମ୍ପର୍କ ପୂରାପୂରି ଭାଙ୍ଗିବା ପାଇଁ ଆମକୁ କʼଣ କରିବାକୁ ହେବ ?

୧୮ ଏହା ଜାଣି ଆମେ କʼଣ କରିବା ଉଚିତ୍‌ ? ଆମେ ଧ୍ୟାନ ରଖିବା ଯେ ଆମ ଉପାସନା ‘ଈଶ୍ୱରଙ୍କ ଦୃଷ୍ଟିରେ ବିଶୁଦ୍ଧ ଓ ନିର୍ମଳ ହେଉ ।’ (ଯାକୁ. ୧:୨୭) ତାʼପାଇଁ ଆମେ ମହାନଗରୀ ବାବିଲରୁ ନିଜ ସମ୍ପର୍କ ପୂରାପୂରି ଭାଙ୍ଗିଦେବା ଜରୁରୀ । ଆମେ ମିଥ୍ୟା ଶିକ୍ଷାଗୁଡ଼ିକୁ ମାନିବା ଉଚିତ୍‌ ନୁହେଁ, ମିଥ୍ୟା ଉପାସନା ସହ ଜଡ଼ିତ ପର୍ବପର୍ବାଣୀ ପାଳନ କରିବା ଉଚିତ୍‌ ନୁହେଁ, ନିଜ ନୈତିକ ସ୍ତରଗୁଡ଼ିକୁ ଖସିବାକୁ ଦେବା ଉଚିତ୍‌ ନୁହେଁ ଓ ଯାଦୁବିଦ୍ୟା କରିବା ଉଚିତ୍‌ ନୁହେଁ । କେବଳ ଏତିକି ନୁହେଁ, ଆମେ ଅନ୍ୟମାନଙ୍କୁ ବି ପ୍ରୋତ୍ସାହନ ଦେବା ଯେ ସେମାନେ ମଧ୍ୟ ଏଥିରୁ ‘ବାହାରି ଆସନ୍ତୁ,’ ଯାହାଫଳରେ ସେମାନେ ସେମାନଙ୍କର ପାପର ସହଭାଗୀ ନ ହୁଅନ୍ତୁ ।—ପ୍ରକା. ୧୮:୪.

ଈଶ୍ୱରଙ୍କ ସବୁଠାରୁ ବଡ଼ ଶତ୍ରୁର ବିନାଶ

ଲୋହିତବର୍ଣ୍ଣର ଅଜଗର

ଏହା ଶୟତାନ ଅଟେ ଯିଏ ସାତଟି ମସ୍ତକ ଥିବା ଜଙ୍ଗଲୀ ପଶୁକୁ କ୍ଷମତା ଦିଏ । (ପ୍ରକା. ୧୨:୩, ୯, ୧୩; ୧୩:୪; ୨୦:୨, ୧୦) ଶୟତାନ, ଯିହୋବାଙ୍କର ସବୁଠାରୁ ବଡ଼ ଶତ୍ରୁ ଅଟେ । ତାକୁ ୧,୦୦୦ ବର୍ଷ ପାଇଁ ପାତାଳକୁଣ୍ଡରେ ବନ୍ଦ କରିଦିଆଯିବ ଓ ତାʼପରେ “ଅଗ୍ନି ଓ ଗନ୍ଧକମୟ ହ୍ରଦରେ” ଫିଙ୍ଗି ଦିଆଯିବ । (ପାରାଗ୍ରାଫ ୧୯-୨୦)

୧୯. ‘ଲୋହିତବର୍ଣ୍ଣର ପ୍ରକାଣ୍ଡ ସର୍ପ [ଅଜଗର]’ କିଏ ଅଟେ ?

୧୯ ପ୍ରକାଶିତ ବାକ୍ୟ ବହିରେ ‘ଲୋହିତବର୍ଣ୍ଣର ପ୍ରକାଣ୍ଡ ସର୍ପ [ଅଜଗର]’ ବିଷୟରେ ମଧ୍ୟ କୁହାଯାଇଛି । (ପ୍ରକା. ୧୨:୩) ଏହି ଅଜଗର ଯୀଶୁ ଓ ତାଙ୍କ ସ୍ୱର୍ଗଦୂତମାନଙ୍କ ସହ ଯୁଦ୍ଧ କଲା । (ପ୍ରକା. ୧୨:୭-୯) ସେ ଈଶ୍ୱରଙ୍କ ଲୋକମାନଙ୍କ ଉପରେ ଅତ୍ୟାଚାର କଲା ଓ ସେ ହିଁ ଜଙ୍ଗଲୀ ପଶୁଗୁଡ଼ିକୁ ଅର୍ଥାତ୍‌ ଦୁନିଆର ସବୁ ସରକାରଗୁଡ଼ିକୁ କ୍ଷମତା ଦେଇଛି । (ପ୍ରକା. ୧୨:୧୭; ୧୩:୪) ଏହି ଅଜଗର କିଏ ? ସେ ‘ସେହି ପୁରାତନ ସର୍ପ ଅଟେ, ଯିଏ ଦିଆବଳ ଓ ଶୟତାନ ନାମରେ ଖ୍ୟାତ ।’ (ପ୍ରକା. ୧୨:୯; ୨୦:୨) ସେ ଯିହୋବାଙ୍କର ସବୁଠାରୁ ବଡ଼ ଶତ୍ରୁ ଅଟେ ଓ ସେ ହିଁ ଯିହୋବାଙ୍କର ବାକି ସବୁ ଶତ୍ରୁମାନଙ୍କୁ ନିୟନ୍ତ୍ରଣ କରେ ।

୨୦. ଅଜଗରର କʼଣ ହେବ ?

୨୦ ଅଜଗରର କʼଣ ହେବ ? ପ୍ରକାଶିତ ବାକ୍ୟ ୨୦:୧-୩ ପଦରେ କୁହାଯାଇଛି ଯେ ଜଣେ ସ୍ୱର୍ଗଦୂତ, ଶୟତାନକୁ ପାତାଳକୁଣ୍ଡରେ ଫିଙ୍ଗିଦେବେ ଓ ତାକୁ ୧,୦୦୦ ବର୍ଷ ପାଇଁ ବନ୍ଦ କରିଦେବେ । ସେସମୟରେ ଶୟତାନ “ଜାତିସମୂହକୁ ଆଉ ଭ୍ରାନ୍ତ କରି ପାରିବ ନାହିଁ ।” ହଜାର ବର୍ଷ ଶେଷ ହେବା ପରେ ତାକୁ ଓ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ “ଅଗ୍ନି ଓ ଗନ୍ଧକମୟ ହ୍ରଦରେ” ଫିଙ୍ଗି ଦିଆଯିବ । (ପ୍ରକା. ୨୦:୧୦) ଏହାର ଅର୍ଥ ସେମାନଙ୍କୁ ସବୁଦିନ ପାଇଁ ବିନାଶ କରିଦିଆଯିବ । ଟିକେ ଭାବି ଦେଖନ୍ତୁ, ଯେତେବେଳେ ଶୟତାନ ଓ ଦୁଷ୍ଟ ସ୍ୱର୍ଗଦୂତମାନେ ନ ଥିବେ, ସେସମୟରେ କେତେ ଶାନ୍ତି ଥିବ !

୨୧. ପ୍ରକାଶିତ ବାକ୍ୟର ଭବିଷ୍ୟତବାଣୀଗୁଡ଼ିକ ପଢ଼ି ଆମକୁ କାହିଁକି ଖୁସି ମିଳେ ?

୨୧ ପ୍ରକାଶିତ ବାକ୍ୟ ବହିରେ ଦିଆଯାଇଥିବା ଚିହ୍ନଗୁଡ଼ିକର ଅର୍ଥ ଜାଣି ଆମକୁ ବହୁତ ଖୁସି ଓ ସାହସ ମିଳିଛି । ଆମେ ଜାଣିପାରିଲୁ ଯେ ଈଶ୍ୱରଙ୍କ ଶତ୍ରୁ କିଏ ଏବଂ ଏହା ବି ଜାଣିଲୁ ଯେ ସେମାନଙ୍କର ଆଗକୁ ଯାଇ କʼଣ ହେବ । ସତରେ, ‘ଯେ ପାଠ କରେ ଓ ଯେଉଁମାନେ ଏହି ଭାବବାଣୀ ଶ୍ରବଣ କରନ୍ତି, ସେମାନେ ଧନ୍ୟ ।’ (ପ୍ରକା. ୧:୩) କିନ୍ତୁ ପ୍ରଶ୍ନ ଉଠେ ଯେ ଶତ୍ରୁମାନଙ୍କର ବିନାଶ ହେବା ପରେ ଈଶ୍ୱରଙ୍କ ଲୋକମାନଙ୍କୁ କʼଣ କʼଣ ଆଶିଷ ମିଳିବ ? ଏହାର ଉତ୍ତର ପରବର୍ତ୍ତୀ ଲେଖାରେ ଦିଆଯିବ ।

ଗୀତ ୨୩ ୟହୋୱା କା ରାଜ୍‌ ଶୁରୁ ହୁଆ

a ପ୍ରକାଶିତ ବାକ୍ୟ ବହିରେ କିଛି ଚିହ୍ନଗୁଡ଼ିକ ଦିଆଯାଇଛି, ଯେଉଁଥିରୁ ଆମେ ଜାଣିପାରିବା ଯେ ଈଶ୍ୱରଙ୍କ ଶତ୍ରୁ କିଏ । ଏହି ଚିହ୍ନଗୁଡ଼ିକର ଅର୍ଥ ଜାଣିବା ପାଇଁ ଆମେ ଦାନିୟେଲ ବହି ଯାଞ୍ଚ କରିପାରିବା । କାରଣ ସେଥିରେ ଓ ପ୍ରକାଶିତ ବାକ୍ୟରେ ଥିବା କିଛି ଭବିଷ୍ୟତବାଣୀଗୁଡ଼ିକ ପରସ୍ପର ସହ ମେଳ ଖାଏ । ଏହି ଲେଖାରେ ଆମେ ସେହି ଭବିଷ୍ୟତବାଣୀଗୁଡ଼ିକ ଉପରେ ଆଲୋଚନା କରିବା । ଏପରି ଭାବେ ଆମେ ଈଶ୍ୱରଙ୍କ ଶତ୍ରୁମାନଙ୍କୁ ଚିହ୍ନିପାରିବା ଓ ଏହା ବି ଜାଣିପାରିବା ଯେ ସେମାନଙ୍କର କʼଣ ହେବ ।

b ସାତଟି ମସ୍ତକ ଥିବା ଜଙ୍ଗଲୀ ପଶୁର ଦଶଟି ଶୃଙ୍ଗ ଅଛି । ଏଥିରୁ ବି ଜଣାପଡ଼େ ଯେ ଏହି ପଶୁ ସମସ୍ତ ସରକାରଗୁଡ଼ିକୁ ଦର୍ଶାଏ । ବାଇବଲରେ ଅଧିକାଂଶ ସମୟରେ ସଂଖ୍ୟା ଦଶକୁ ପୂର୍ଣ୍ଣତା ଭାବେ ଦର୍ଶାଯାଇଛି ।

c ପ୍ରଥମ ଜଙ୍ଗଲୀ ପଶୁ ଓ ତାʼର ପ୍ରତିମା ଭିତରେ ଆଉ ଗୋଟିଏ ପାର୍ଥକ୍ୟ ଅଛି । ପ୍ରତିମାର ଶୃଙ୍ଗଗୁଡ଼ିକରେ “ମୁକୁଟ” ନାହିଁ । (ପ୍ରକା. ୧୩:୧) ଏପରି ଏଥିପାଇଁ ଅଛି, କାରଣ ଏହା ନିଜେ କୌଣସି ସରକାର ନୁହେଁ, ବରଂ ଏହା ‘ସାତ [ବିଶ୍ୱଶକ୍ତିଗୁଡ଼ିକରୁ] ବାହାରିଛି ।’—jw.org ୱେବସାଇଟ୍‌ରେ ଥିବା ଲେଖା, “ପ୍ରକାଶିତ ବାକ୍ୟ ୧୭ ଅଧ୍ୟାୟରେ ଲୋହିତବର୍ଣ୍ଣର ପଶୁ କାହାକୁ ଦର୍ଶାଏ ?” ଦେଖନ୍ତୁ ।