इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୩

ବାପାମାଆମାନେ, ନିଜ ପିଲାମାନଙ୍କୁ ପ୍ରେମ କରିବା ଶିଖାନ୍ତୁ

ବାପାମାଆମାନେ, ନିଜ ପିଲାମାନଙ୍କୁ ପ୍ରେମ କରିବା ଶିଖାନ୍ତୁ

“ତୁମ୍ଭେ ଆପଣାର ସମସ୍ତ ଅନ୍ତଃକରଣ, ସମସ୍ତ ପ୍ରାଣ ଓ ସମସ୍ତ ମନ ଦେଇ ପ୍ରଭୁ, ଆପଣା ଈଶ୍ୱରଙ୍କୁ ପ୍ରେମ କର ।”—ମାଥି. ୨୨:୩୭.

ଗୀତ ୧୩୪ ବାଚ୍ଚେ ୟହୋବା କି ଆମାନାତ୍‌

ଲେଖାର ଝଲକ a

୧-୨. ଯେବେ ଆମ ପରିସ୍ଥିତି ବଦଳେ, ତେବେ ବାଇବଲର କିଛି ପଦଗୁଡ଼ିକ ବିଷୟରେ ଆମ ଦୃଷ୍ଟିକୋଣ କିପରି ବଦଳିଯାଏ ?

 ଯେବେ ଦୁଇ ଜଣ ସାକ୍ଷୀ ବିବାହ କରନ୍ତି, ତେବେ ପ୍ରାୟ ଜଣେ ପ୍ରାଚୀନ ଭାଷଣ ଦିଅନ୍ତି । ସେହି ଭାଷଣରେ ସ୍ୱାମୀ ସ୍ତ୍ରୀଙ୍କ ପାଇଁ ଅନେକ ପରାମର୍ଶ ଓ ସିଦ୍ଧାନ୍ତ ଥାଏ । ଏହା ସତ ଯେ ବରକନ୍ୟା ଏହି କଥାଗୁଡ଼ିକୁ ଆଗରୁ ବି ଶୁଣିଥିବେ, କିନ୍ତୁ ଏବେ ସେମାନେ ବହୁତ ଧ୍ୟାନ ଦେଇ ଶୁଣନ୍ତି, କାରଣ ଏବେ ସେମାନଙ୍କୁ ସେହି ସିଦ୍ଧାନ୍ତଗୁଡ଼ିକୁ ମାନିବାକୁ ହେବ ।

ସେହି ଭଳି ସ୍ୱାମୀ ସ୍ତ୍ରୀ ଅନେକ ବର୍ଷରୁ ପିଲାମାନଙ୍କୁ ଲାଳନପାଳନ କରିବା ବିଷୟରେ ଅନେକ ଭାଷଣ ଶୁଣିଥିବେ । କିନ୍ତୁ ଯେବେ ସେମାନେ ବାପାମାଆ ହୁଅନ୍ତି, ତେବେ ସେକଥାଗୁଡ଼ିକୁ ସେମାନେ ଆହୁରି ଧ୍ୟାନ ଦେଇ ଶୁଣନ୍ତି । ସେମାନେ ଜାଣନ୍ତି ଯେ ପିଲାମାନଙ୍କୁ ବଡ଼ କରିବା ଗୋଟେ ବଡ଼ ଦାୟିତ୍ୱ ଅଟେ । ଏଥିରୁ ଆମେ ଶିଖୁ ଯେ ଯେବେ ପରିସ୍ଥିତି ବଦଳେ, ତେବେ ଆମେ ବାଇବଲର କିଛି ପଦଗୁଡ଼ିକୁ ଆହୁରି ଅଧିକ ଧ୍ୟାନ ଦେଉ । ଏହା ଗୋଟିଏ କାରଣ ଯାହା ଯୋଗୁଁ ଯିହୋବାଙ୍କ ସେବକମାନେ “ପ୍ରତିଦିନ” ବାଇବଲ ପଢ଼ନ୍ତି ଆଉ ତାʼ ଉପରେ ଚିନ୍ତନ କରନ୍ତି, ଠିକ୍‌ ଯେପରି ଇସ୍ରାଏଲର ରାଜାମାନଙ୍କୁ କରିବା ପାଇଁ କୁହାଯାଇଥିଲା ।—ଦ୍ୱିବି. ୧୭:୧୯, NWT.

୩. ଏହି ଲେଖାରେ ଆମେ କʼଣ ଜାଣିବା ?

ବାପାମାଆମାନେ ଆପଣମାନଙ୍କୁ ଗୋଟିଏ ଖାସ୍‌ ଦାୟିତ୍ୱ ଦିଆଯାଇଛି । ଆପଣଙ୍କୁ ନିଜ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବାର ଅଛି । କିନ୍ତୁ ଏହାର ଅର୍ଥ ନୁହେଁ ଯେ ଆପଣ ସେମାନଙ୍କୁ କେବଳ ତଥ୍ୟ ଦେବେ, ବରଂ ଆପଣଙ୍କୁ ସେମାନଙ୍କୁ ଯିହୋବାଙ୍କୁ ପ୍ରେମ କରିବା ପାଇଁ ମଧ୍ୟ ଶିଖାଇବାକୁ ହେବ । ଏଥିପାଇଁ ଆପଣ କʼଣ କରିପାରିବେ ? ଏହି ଲେଖାରେ ବାଇବଲରୁ ଚାରୋଟି ପରାମର୍ଶ ଦିଆଯାଇଛି, ଯାହା ଆପଣ ଧ୍ୟାନ ରଖିପାରିବେ । (୨ ତୀମ. ୩:୧୬) ଆମେ ଏହା ବି ଦେଖିବା ଯେ କିଛି ବାପାମାଆମାନେ ଯେବେ ଏହି ପରାମର୍ଶକୁ ମାନିଲେ, ତେବେ ସେମାନଙ୍କୁ କʼଣ ଲାଭ ହେଲା ।

ବାପାମାଆମାନଙ୍କ ପାଇଁ ବାଇବଲରୁ ପରାମର୍ଶ

ଯଦି ଆପଣ ସବୁବେଳେ ଯିହୋବାଙ୍କୁ ସାହାଯ୍ୟ ମାଗିବେ ଆଉ ନିଜେ ବି ଗୋଟେ ଭଲ ଉଦାହରଣ ରଖିବେ, ତେବେ ତାର ଆପଣଙ୍କ ପିଲାମାନଙ୍କ ଉପରେ କʼଣ ପ୍ରଭାବ ପକାଇବ ? (ପାରାଗ୍ରାଫ ୪, ୮)

୪. ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ବେଳେ ବାପାମାଆମାନେ କେଉଁ ପରାମର୍ଶ ମନେ ରଖିପାରିବେ ? (ଯାକୁବ ୧:୫)

ପ୍ରଥମ ପରାମର୍ଶ: ଯିହୋବାଙ୍କୁ ସାହାଯ୍ୟ ମାଗନ୍ତୁ । ତାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କୁ ବୁଦ୍ଧି ଦେବେ ଯେପରି ଆପଣ ନିଜ ପିଲାମାନଙ୍କ ହୃଦୟରେ ଯିହୋବାଙ୍କ ପାଇଁ ପ୍ରେମ ବଢ଼ାଇପାରିବେ । (ଯାକୁବ ୧:୫ ପଢ଼ନ୍ତୁ ।) ଦେଖିବାକୁ ଗଲେ ଯିହୋବା ହିଁ ଆମକୁ ସବୁଠୁ ଭଲ ପରାମର୍ଶ ଦେଇପାରିବେ । ଏପରି କହିବାର ଆମ ପାଖରେ ଅନେକ କାରଣ ଅଛି । ପ୍ରଥମ ହେଉଛି ଯିହୋବା ବି ଜଣେ ବାପା ଅଟନ୍ତି ଆଉ ତାଙ୍କଠାରେ ସବୁଠୁ ବେଶି ଅଭିଜ୍ଞତା ଅଛି । (ଗୀତ. ୩୬:୯) ଦ୍ୱିତୀୟ ସେ ସବୁଠୁ ବେଶି ବୁଦ୍ଧିମାନ ଅଟନ୍ତି ଆଉ ସେ ଯାହା ବି ପରାମର୍ଶ ଦିଅନ୍ତି ସେଥିରୁ ସବୁବେଳେ ଆମର ଲାଭ ହୁଏ ।—ଯିଶା. ୪୮:୧୭.

୫. (କ) ଯିହୋବାଙ୍କ ସଂଗଠନ ଜରିଆରେ ବାପାମାଆଙ୍କୁ କʼଣ ସାହାଯ୍ୟ ମିଳେ ? (ଖ) ଭାଇ ଓ ଭଉଣୀ ଓମରିନଙ୍କ ଭିଡିଓରୁ ଆପଣ ପିଲାମାନଙ୍କ ଲାଳନପାଳନ କରିବା ବିଷୟରେ କʼଣ ଶିଖିଲେ ?

ଯିହୋବା ନିଜ ସଂଗଠନ ଜରିଆରେ ବାଇବଲ ଆଧାରିତ ଅନେକ ପ୍ରକାଶନ ଦେଇଛନ୍ତି । (ମାଥି. ୨୪:୪୫) ଏହା ସାହାଯ୍ୟରେ ବାପାମାଆମାନେ ନିଜ ପିଲାମାନଙ୍କୁ ଯିହୋବାଙ୍କୁ ପ୍ରେମ କରିବା ଶିଖାଇପାରିବେ । ଉଦାହରଣ ପାଇଁ ଆପଣ “ପରିବାର ପାଇଁ ସାହାଯ୍ୟ” ଭାଗରେ ଦିଆଯାଇଥିବା ଲେଖା ପଢ଼ିପାରିବେ । ଏହି ଲେଖା ଆଗ ସଜାଗ ହୁଅ  ! ପତ୍ରିକାରେ ଆସୁଥିଲା ଆଉ ଏବେ jw.org ୱେବସାଇଟ୍‌ରେ ଅଛି । ତାʼଛଡ଼ା ଆମ ୱେବସାଇଟ୍‌ରେ ଅନେକ ଭିଡିଓ ମଧ୍ୟ ଅଛି । କିଛି ଭିଡିଓଗୁଡ଼ିକରେ ବାପାମାଆଙ୍କ ଅନୁଭୂତି ଦିଆଯାଇଛି ଏବଂ ଆଉ କିଛି ଭିଡିଓରେ ଦିଆଯାଇଛି ଯେ ବାପାମାଆମାନେ କିପରି ଯିହୋବାଙ୍କ ପରାମର୍ଶ ମାନି ନିଜ ପିଲାମାନଙ୍କ ଲାଳନପାଳନ କରିପାରିବେ । bହିତୋ. ୨:୪-୬.

୬. ଯିହୋବାଙ୍କ ସଂଗଠନରୁ ମିଳୁଥିବା ସାହାଯ୍ୟ ବିଷୟରେ ଜଣେ ବାପା କʼଣ କହିଲେ ?

ଯିହୋବା ନିଜ ସଂଗଠନ ଜରିଆରେ ଅନେକ ବହି, ପତ୍ରିକା ଓ ଭିଡିଓ ଦେଇଛନ୍ତି, ଯେଉଁଥିରୁ ବାପାମାଆମାନଙ୍କୁ ବହୁତ ସାହାଯ୍ୟ ମିଳିଛି । ଏହାର ଗୋଟିଏ ଉଦାହରଣ ହେଉଛି ଯୋସେଫ ଆଉ ତାଙ୍କ ସ୍ତ୍ରୀ । ସେମାନେ କହନ୍ତି ଏହି ପ୍ରକାଶନଗୁଡ଼ିକ ଯୋଗୁଁ ସେମାନଙ୍କ ପିଲାମାନେ ଯିହୋବାଙ୍କ ନିକଟତର ହୋଇପାରିଛନ୍ତି । ଯୋସେଫ କହନ୍ତି, “ଆମ ତିନି ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ସହଜ ନୁହେଁ । ମୁଁ ଓ ମୋ ସ୍ତ୍ରୀ ସବୁବେଳେ ଯିହୋବାଙ୍କୁ ପ୍ରାର୍ଥନା କରି ସାହାଯ୍ୟ ମାଗୁ ।” ଅନେକ ଥର ଆମେ ବୁଝିପାରି ନ ଥାଉ ଯେ ଆମେ କʼଣ କରିବା, କିନ୍ତୁ ଏପରି ସମୟରେ ଯିହୋବା ବହୁତ ବଢ଼ିଆ ଉପାୟରେ ଆମ ପ୍ରାର୍ଥନାର ଉତ୍ତର ଦିଅନ୍ତି । ସେ ନିଜ ସଂଗଠନ ଜରିଆରେ ସଠିକ୍‌ ସମୟରେ ଅନେକ ଭିଡିଓ କିମ୍ବା ଲେଖା ଦିଅନ୍ତି । ଯଦି ଯିହୋବା ଆମକୁ ସାହାଯ୍ୟ କରନ୍ତେ ନାହିଁ, ତେବେ ବୋଧେ ଆମେ ନିଜ ଦାୟିତ୍ୱ ଭଲଭାବେ ତୁଲାଇ ପାରନ୍ତେ ନାହିଁ ।

୭. ବାପାମାଆମାନଙ୍କୁ କାହିଁକି ଗୋଟେ ଭଲ ଉଦାହରଣ ରଖିବା ଉଚିତ୍‌ ? (ରୋମୀୟ ୨:୨୧)

ଦ୍ୱିତୀୟ ପରାମର୍ଶ: ନିଜେ ଗୋଟିଏ ଭଲ ଉଦାହରଣ ରଖନ୍ତୁ । ପିଲାମାନେ ସାଧାରଣତଃ ନିଜ ବାପାମାଆମାନଙ୍କୁ ଦେଖିକି ଶିଖନ୍ତି । ଏହା ସତ ଯେ ବାପାମାଆମାନେ ପରିପୂର୍ଣ୍ଣ ନୁହନ୍ତି, ତଥାପି ସେମାନେ ନିଜ ପିଲାମାନଙ୍କ ପାଇଁ ଭଲ ଉଦାହରଣ ରଖିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍‌ । (ରୋମୀୟ ୨:୨୧ ପଢ଼ନ୍ତୁ; ରୋମୀ. ୩:୨୩) ଜଣେ ବାପା କହନ୍ତି, “ପିଲାମାନେ ସ୍ପଞ୍ଜ ଭଳି ଅଟନ୍ତି । ସେମାନେ ନିଜ ଆଖପାଖର ସବୁ କଥାକୁ ଟାଣି ନିଅନ୍ତି ।” କେବଳ ସେତିକି ନୁହେଁ, ଯଦି ଆମେ କହୁଛୁ ଗୋଟେ କଥା କିନ୍ତୁ କରୁଛୁ ଅନ୍ୟ, ତେବେ ସେମାନେ ତୁରନ୍ତ ଧରିପକାନ୍ତି । ତେଣୁ ଯଦି ଆମେ ଚାହୁଁ ଯେ ଆମ ପିଲାମାନେ ଯିହୋବାଙ୍କୁ ପ୍ରେମ କରନ୍ତୁ, ତେବେ ପ୍ରଥମେ ଆମକୁ ଦେଖାଇବାକୁ ହେବ ଯେ ଆମେ ଯିହୋବାଙ୍କୁ କେତେ ପ୍ରେମ କରୁ ଏବଂ ଏହା ଆମ କାମଗୁଡ଼ିକରୁ ଦେଖାଯିବା କଥା ।

୮-୯. ଆପଣ ଏଣ୍ଡ୍ରୁ ଓ ଏମ୍ମାଙ୍କଠାରୁ କʼଣ ଶିଖିଲେ ?

ବାପାମାଆମାନେ ଅନେକ ଉପାୟରେ ନିଜ ପିଲାମାନଙ୍କୁ ଯିହୋବାଙ୍କୁ ପ୍ରେମ କରିବା ଶିଖାଇପାରିବେ । ସତର ବର୍ଷର ଜଣେ ଯୁବା ଭାଇ ଏଣ୍ଡ୍ରୁ କହନ୍ତି, “ଛୋଟ ବେଳୁ ହିଁ ମୋ ବାପାମାଆ ମୋତେ ଶିଖାଇଲେ ଯେ ପ୍ରାର୍ଥନା କରିବା ବହୁତ ଜରୁରୀ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ମୋ ବାପା ଆସି ମୋ ସହିତ ପ୍ରାର୍ଥନା କରୁଥିଲେ । ଅନେକ ଥର ମୁଁ ପ୍ରାର୍ଥନା କରି ସାରିଥାଏ, ତଥାପି ସେ ମୋ ସହିତ ପ୍ରାର୍ଥନା କରୁଥିଲେ । ବାପାମାଆ ସବୁବେଳେ କହୁଥିଲେ, ‘ତମେ ଯିହୋବାଙ୍କୁ ଯେତେ ଥର ଚାହିଁବ ସେତେ ଥର ପ୍ରାର୍ଥନା କରିପାର ।’ ଏହି କଥା ମୋ ମନରେ ବସିଗଲା । ଏବେ ମୁ ଯିହୋବାଙ୍କୁ ମୋ ବାପା ମାନେ ଓ ମନ ଖୋଲି ପ୍ରାର୍ଥନା କରେ ।” ବାପାମାଆମାନେ ମନେରଖନ୍ତୁ, ଆପଣ ଯେତେ ଅଧିକ ଯିହୋବାଙ୍କୁ ପ୍ରେମ କରିବେ, ଆପଣଙ୍କ ପିଲାମାନେ ସେତେ ଅଧିକ ଯିହୋବାଙ୍କୁ ପ୍ରେମ କରିବେ ।

ଏମ୍ମାଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ । ଯେବେ ତାଙ୍କ ବାପା ସେମାନଙ୍କ ପରିବାରକୁ ଛାଡ଼ିଦେଲେ, ତେବେ ତାଙ୍କ ମାଆଙ୍କୁ ସବୁ ଋଣ ସୁଝିବାକୁ ପଡ଼ିଲା ଯାହା ତାଙ୍କ ବାପା ନେଇଥିଲେ । ଏମ୍ମା କହନ୍ତି, “ଅନେକ ଥର ଆମ ପାଖରେ ପଇସା ରହୁ ନ ଥିଲା, କିନ୍ତୁ ଆମ ମାଆ ଆମକୁ ମନେପକାଇ ଦେଉଥିଲେ ଯେ ଯିହୋବା ନିଜ ଲୋକମାନଙ୍କ ପାଇଁ ବହୁତ ଚିନ୍ତା କରନ୍ତି । ଆଉ ସେମାନଙ୍କ ଆବଶ୍ୟକତା ପୂରା କରନ୍ତି ।” କିନ୍ତୁ ସେ କେବଳ କଥାରେ ନୁହେଁ କାମରେ ବି ଦେଖାଇଲେ ଯେ ତାଙ୍କୁ ଯିହୋବାଙ୍କ ଉପରେ କେତେ ଭରସା ଅଛି । ସତରେ, ମାଆ ମୋ ପାଇଁ ଗୋଟିଏ ଭଲ ଉଦାହରଣ ରଖିଲେ ।” ଏଥିରୁ ଜଣାପଡ଼େ ଯେ ପରିସ୍ଥିତି ଯେତେ କଠିନ ଥାଉନା କାହିଁକି ବାପାମାଆମାନେ ନିଜ ପିଲାମାନଙ୍କ ପାଇଁ ଗୋଟିଏ ଭଲ ଉଦାହରଣ ରଖିପାରିବେ ।—ଗାଲା. ୬:୯.

୧୦. ଇସ୍ରାଏଲୀ ବାପା ମାଆ କେଉଁ କେଉଁ ସମୟରେ ନିଜ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇପାରନ୍ତେ ? (ଦ୍ୱିତୀୟ ବିବରଣ ୬:୬, ୭)

୧୦ ତୃତୀୟ ପରାମର୍ଶ: ନିଜ ପିଲାମାନଙ୍କ ସହ କଥା ହେବା ପାଇଁ ସମୟ ବାହାର କରନ୍ତୁ । ଯିହୋବା ଇସ୍ରାଏଲୀମାନଙ୍କୁ କହିଥିଲେ ଯେ ସେମାନେ ନିଜ ପିଲାମାନଙ୍କୁ ଭିନ୍ନ ଭିନ୍ନ ସମୟ ଓ ସୁଯୋଗ ଦେଖି ତାଙ୍କ ବିଷୟରେ ଶିଖାନ୍ତୁ । (ଦ୍ୱିତୀୟ ବିବରଣ ୬:୬, ୭ ପଢ଼ନ୍ତୁ ।) ସେଇ ସମୟରେ ଯେବେ ବାପାମାଆ କାମ କରୁଥିଲେ, ତେବେ ସେମାନଙ୍କ ପିଲାମାନେ ବି ସେମାନଙ୍କ ସହ ରହୁଥିଲେ । ତେଣୁ ସେମାନେ ଲଗାତାର ସେମାନଙ୍କ ସହ କଥା ହୋଇପାରୁଥିଲେ ଏବଂ ଯିହୋବାଙ୍କୁ ପ୍ରେମ କରିବା ଶିଖାଇପାରୁଥିଲେ । ଯେପରି, ଯଦି ଜଣେ ବାପା କ୍ଷେତରେ ବୀଜ ବୁଣୁଛି କିମ୍ବା ଫସଲ କାଟୁଛି, ତେବେ ତାʼ ପୁଅ ମଧ୍ୟ ତାକୁ ସାହାଯ୍ୟ କରୁଥିଲା । ଆଉ ଯେବେ ମାଆ ଶିଲେଇ କିମ୍ବା ଅନ୍ୟ କାମ କରୁଥିଲା, ତେବେ ତାʼ ଝିଅ ବି ତାକୁ ସାହାଯ୍ୟ କରୁଥିଲା । ସେହି ସମୟରେ ସେମାନେ ଯିହୋବାଙ୍କ ବିଷୟରେ କଥା ହେଉଥିଲେ, ଯେପରି ଯିହୋବା କେତେ ଭଲ ଅଟନ୍ତି ଏବଂ ସେ କିପରି ତାଙ୍କ ପରିବାରକୁ ସାହାଯ୍ୟ କରୁଛନ୍ତି ।

୧୧. ଆଜି ବାପାମାଆମାନେ ପିଲାମାନଙ୍କ ସହିତ କେତେବେଳେ କଥା ହୋଇପାରିବେ ?

୧୧ କିନ୍ତୁ ଏବେ ସମୟ ବଦଳି ଯାଇଛି । ଅନେକ ବାପାମାଆ ନିଜ ପିଲାମାନଙ୍କ ସହ ପୂରା ଦିନ ବିତାଇପାରନ୍ତି ନାହିଁ । ସେମାନଙ୍କୁ କାମକୁ ଯିବାକୁ ପଡ଼େ ଏବଂ ପିଲାମାନଙ୍କୁ ସ୍କୁଲକୁ । ତେଣୁ ବାପାମାଆମାନେ ନିଜ ପିଲାମାନଙ୍କ ସହିତ କଥା ହେବା ପାଇଁ ସମୟ ବାହାର କରିବାକୁ ହେବ । (ଏଫି. ୫:୧୫, ୧୬; ଫିଲିପ୍‌. ୧:୧୦) ଏପରି କରିବାର ଗୋଟିଏ ଭଲ ସମୟ ହେଉଛି, ଯେବେ ସେମାନେ ମିଶିକି ପାରିବାରିକ ଉପାସନା କରନ୍ତି । ଏଲେକଜାଣ୍ଡାର ନାମକ ଜଣେ ଭାଇ କହନ୍ତି, “ମୋ ବାପା ଧ୍ୟାନ ରଖନ୍ତି ଯେ ପ୍ରତି ସପ୍ତାହ ଆମ ପାରିବାରିକ ଉପାସନା ହେଉ ଏବଂ କୌଣସି କାମ ଯୋଗୁଁ ଏହା ବନ୍ଦ ନ ହେଉ । ପାରିବାରିକ ଉପାସନା ପରେ ଆମ ଜୀବନରେ କʼଣ ଚାଲୁଛି ସେ ବିଷୟରେ ଆମେ ସମସ୍ତେ କଥା ହେଉ ।”

୧୨. ପାରିବାରିକ ଉପାସନା କରିବା ବିଷୟରେ ଜଣେ ବାପାକୁ କେଉଁ କଥାଗୁଡ଼ିକୁ ଧ୍ୟାନ ରଖିବା ଉଚିତ୍‌ ?

୧୨ ଯଦି ଆପଣ ଜଣେ ବାପା ଅଟନ୍ତି ତେବେ ଆପଣ କʼଣ କରିପାରିବେ, ଯାହାଫଳରେ ଆପଣଙ୍କ ପିଲାମାନଙ୍କୁ ପାରିବାରିକ ଉପାସନା କରିବାରେ ମଜା ଆସିବ । ଆପଣ ଚାହିଁଲେ ନିଜ ପିଲାମାନଙ୍କ ସହିତ ସାଙ୍ଗରେ ମିଶି ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ବହିରୁ ଅଧ୍ୟୟନ କରିପାରିବେ । ଏପରି କଲେ ଆପଣଙ୍କୁ ପିଲାମାନଙ୍କ ସହିତ ଖୋଲିକି କଥା ହେବାର ଅନେକ ସୁଯୋଗ ମିଳିବ । ଆପଣ ନିଶ୍ଚୟ ଚାହୁଁଥିବେ ଯେ ଆପଣଙ୍କ ପିଲାମାନେ ଖୋଲିକି ନିଜ ଭାବନା ଓ ଚିନ୍ତାଗୁଡ଼ିକୁ କୁହନ୍ତୁ । ତେଣୁ ପାରିବାରିକ ଉପାସନା କରିବା ସମୟରେ ସେମାନଙ୍କୁ ଭାଷଣ ଦିଅନ୍ତୁ ନାହିଁ ଏବଂ ରାଗିକି ମଧ୍ୟ କିଛି କୁହନ୍ତୁ ନାହିଁ । ଯଦି ଆପଣଙ୍କ ପିଲା ଏପରି କିଛି କହେ ଯାହା ବାଇବଲ ମୁତାବକ ଠିକ୍‌ ନୁହେଁ, ତେବେ ତୁରନ୍ତ ରାଗି ଯାଆନ୍ତୁ ନାହିଁ । ତାʼ ପରିବର୍ତ୍ତେ ଏକଥା ଉପରେ ଧ୍ୟାନ ଦିଅନ୍ତୁ ଯେ ସେ ଆପଣଙ୍କୁ ସତ ସତ କହିଲା । ତାକୁ ପ୍ରୋତ୍ସାହନ ଦିଅନ୍ତୁ ଯେ ସେ ଆଗକୁ ମଧ୍ୟ ଏପରି ହିଁ ଖୋଲିକି କଥା ହେଉ । ଯେବେ ଆପଣ ଜାଣିବେ ଯେ ଆପଣଙ୍କ ପିଲାର ହୃଦୟରେ କʼଣ ଅଛି, ତେବେ ଯାଇ ଆପଣ ତାକୁ ସାହାଯ୍ୟ କରିପାରିବେ ।

ବାପାମାଆମାନେ, ଆପଣ ନିଜ ପିଲାମାନଙ୍କୁ ଯିହୋବା ସୃଷ୍ଟି କରିଥିବା ଜିନିଷଗୁଡ଼ିକୁ ଦେଖାଇ, ତାଙ୍କ ବିଷୟରେ କିପରି ଶିଖାଇପାରିବେ ? (ପାରାଗ୍ରାଫ ୧୩)

୧୩. ବାପାମାଆ ଆଉ କେଉଁ ସମୟରେ ପିଲାମାନଙ୍କୁ ଯିହୋବାଙ୍କ ନିକଟତର ହେବାରେ ସାହାଯ୍ୟ କରିପାରିବେ ?

୧୩ ବାପାମାଆ କେବଳ ବାଇବଲ ଅଧ୍ୟୟନ ସମୟରେ ନୁହଁ ବରଂ ଅନ୍ୟ ସମୟରେ ମଧ୍ୟ ନିଜ ପିଲାମାନଙ୍କ ସହ କଥା ହୋଇପାରିବେ । ଭାବନ୍ତୁ ଯେ ଆପଣ ଆଉ କେଉଁ ସମୟରେ ପିଲାମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇପାରିବେ ଆଉ ତାଙ୍କ ନିକଟତର ହେବା ପାଇଁ ସେମାନଙ୍କୁ ସାହାଯ୍ୟ କରିପାରିବେ । ଲିଜା ନାମକ ଜଣେ ଭଉଣୀ କହନ୍ତି, “ଆମେ ନିଜ ପିଲାମାନଙ୍କ ସହିତ ପ୍ରାକୃତିକ ଜିନିଷଗୁଡ଼ିକ ବିଷୟରେ କଥା ହେଉଥିଲୁ । ଯେପରି, ଯେବେ ଆମ ପିଲାମାନେ ଆମ ଡଗିକୁ କିଛି କରୁଥିବାର ଦେଖୁଥିଲେ ଓ ହସୁଥିଲେ, ତେବେ ଆମେ ସେମାନଙ୍କୁ କହୁଥିଲୁ ଏଥିରୁ ଆମେ ଯିହୋବାଙ୍କ ବିଷୟରେ କʼଣ ଶିଖୁ । ଆମେ ଶିଖୁ ଯେ ସେ ଖୁସି ରୁହନ୍ତି ଓ ଚାହାନ୍ତି ଯେ ଆମେ ବି ଖୁସିରେ ରହୁ, ହସ ମଜାକ କରୁ ଆଉ ଜୀବନର ମଜା ନେଉ ।”

ବାପାମାଆମାନେ କʼଣ ଆପଣ ଆପଣଙ୍କ ପିଲାମାନଙ୍କ ସାଙ୍ଗମାନଙ୍କୁ ଜାଣନ୍ତି ? (ପାରାଗ୍ରାଫ ୧୪) d

୧୪. ବାପାମାଆମାନେ କାହିଁକି ଧ୍ୟାନ ରଖିବା ଉଚିତ୍‌ ଯେ ସେମାନଙ୍କ ପିଲାମାନଙ୍କର ଭଲ ସାଙ୍ଗ ଥାଆନ୍ତୁ ? (ହିତୋପଦେଶ ୧୩:୨୦)

୧୪ ଚତୁର୍ଥ ପରାମର୍ଶ: ନିଜ ପିଲାମାନଙ୍କୁ ଭଲ ସାଙ୍ଗ ବାଛିବା ପାଇଁ ସାହାଯ୍ୟ କରନ୍ତୁ । ବାଇବଲରେ ସ୍ପଷ୍ଟ କୁହାଯାଇଛି ଯେ ଯଦି ଆମର ଭଲ ସାଙ୍ଗ ଥିବେ ତେବେ ତାʼର ଆମ ଉପରେ ଭଲ ପ୍ରଭାବ ପଡ଼ିବ, କିନ୍ତୁ ଯଦି ଆମର ଖରାପ ସାଙ୍ଗ ଥିବେ ତେବେ ଆମ ଉପରେ ତାʼର ଖରାପ ପ୍ରଭାବ ପଡ଼ିବ । (ହିତୋପଦେଶ ୧୩ :୨୦ ପଢ଼ନ୍ତୁ ।) ବାପାମାଆ, କʼଣ ଆପଣ ଜାଣନ୍ତି ଯେ ଆପଣଙ୍କ ପିଲାମାନଙ୍କ ସାଙ୍ଗ କିଏ ? କʼଣ ଆପଣ ସେମାନଙ୍କୁ ଭେଟିଛନ୍ତି ? କʼଣ ଆପଣ ସେମାନଙ୍କ ସହ କିଛି ସମୟ ବିତାଇଛନ୍ତି ? ଯଦି ଆପଣ ଚାହାନ୍ତି ଯେ ଆପଣଙ୍କ ପିଲାମାନେ ଏପରି ଲୋକଙ୍କ ସହ ସାଙ୍ଗ ହୁଅନ୍ତୁ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ତେବେ ଆପଣ କʼଣ କରିପାରିବେ ? (୧ କରି. ୧୫:୩୩) ଯେବେ ଆପଣଙ୍କ ପରିବାର ଏକା ସହ ମିଶି କିଛି କରିବାକୁ ଭାବେ, ତେବେ ଆପଣ କିଛି ଭାଇଭଉଣୀମାନଙ୍କୁ ଡାକିପାରିବେ । ଏପରି ଭାବେ ଆପଣଙ୍କ ପିଲାମାନେ ଭଲ ସାଙ୍ଗ ବାଛିପାରିବେ ।—ଗୀତ. ୧୧୯:୬୩.

୧୫. ବାପାମାଆ ନିଜ ପିଲାମାନଙ୍କୁ ଭଲ ସାଙ୍ଗ ଖୋଜିବା ପାଇଁ କିପରି ସାହାଯ୍ୟ କରିବେ ?

୧୫ ଟୋନି ଓ ତାଙ୍କ ସ୍ତ୍ରୀଙ୍କ ଉଦାହରଣ ପ୍ରତି ଧ୍ୟାନ ଦିଅନ୍ତୁ, ଯେଉଁମାନେ ନିଜ ପିଲାମାନଙ୍କୁ ଭଲ ସାଙ୍ଗ ବାଛିବା ପାଇଁ ସାହାଯ୍ୟ କରିଛନ୍ତି । ଟୋନି କହନ୍ତି, “ଆମେ ଅଲଗା ଅଲଗା ବୟସ ଆଉ ସଂସ୍କୃତିର ଭାଇଭଉଣୀମାନଙ୍କୁ ସାଙ୍ଗରେ ଖାଇବା ପାଇଁ ଓ ପାରିବାରିକ ଉପାସନା କରିବା ପାଇଁ ଘରକୁ ଡାକିଥାଉ । ଏପରି ଭାବେ ଆମେ ଏପରି ଭାଇଭଉଣୀମାନଙ୍କୁ ଜାଣିପାରିଛୁ, ଯେଉଁମାନେ ଯିହୋବାଙ୍କୁ ପ୍ରେମ କରନ୍ତି ଆଉ ତାଙ୍କ ସେବା ଖୁସି ଖୁସି କରନ୍ତି । ଆମେ ସର୍କିଟ ଅଧ୍ୟକ୍ଷ, ମିଶନାରୀ ଓ ଅନ୍ୟ ଭାଇଭଉଣୀମାନଙ୍କୁ ଘରେ ରହିବା ପାଇଁ ମଧ୍ୟ ଡାକିଥାଉ । ସେମାନଙ୍କ ଅନୁଭୂତି ଶୁଣି, ସେମାନଙ୍କ ଉତ୍ସାହ ଓ ପରିଶ୍ରମକୁ ଦେଖି ଆମ ପିଲାମାନେ ବହୁତ କିଛି ଶିଖିଛନ୍ତି ଆଉ ଯିହୋବାଙ୍କ ନିକଟତର ହୋଇପାରିଛନ୍ତି ।” ତେଣୁ ବାପାମାଆମାନେ ନିଜ ପିଲାଙ୍କୁ ଭଲ ସାଙ୍ଗ ଖୋଜିବା ପାଇଁ ସାହାଯ୍ୟ କରିବା ଜାରି ରଖନ୍ତୁ ।

ଆଶା ହରାନ୍ତୁ ନାହିଁ  !

୧୬. ଯଦି ଆପଣଙ୍କ ଜଣେ ପିଲା କହେ ଯେ ସେ ଯିହୋବାଙ୍କ ସେବା କରିବାକୁ ଚାହେଁ ନାହିଁ, ତେବେ ଆପଣ କʼଣ କରିବେ ?

୧୬ ଭାବନ୍ତୁ ଆପଣ ନିଜ ପିଲାମାନଙ୍କୁ ଶିଖାଇବା ପାଇଁ ବହୁତ ପରିଶ୍ରମ କଲେ, ତଥାପି ଆପଣଙ୍କ ଜଣେ ପିଲା କହେ ଯେ ସେ ଯିହୋବାଙ୍କ ସେବା କରିବାକୁ ଚାହେଁ ନାହିଁ, ତେବେ ଆପଣ କʼଣ କରିବେ ? ନିଜକୁ ଦୋଷ ଦିଅନ୍ତୁ ନାହିଁ । ଏପରି ଭାବନ୍ତୁ ନାହିଁ ଯେ ଆପଣ ନିଜ ଦାୟିତ୍ୱ ଭଲଭାବେ ତୁଲାଇ ପାରିଲେ ନାହିଁ । ଯିହୋବା ଆମ ସମସ୍ତଙ୍କୁ ଏହି ନିଷ୍ପତ୍ତି ନେବାର ସ୍ୱାଧୀନତା ଦେଇଛନ୍ତି ଯେ ଆମେ ତାଙ୍କ ସେବା କରିବା ନା ନାହିଁ । ଯଦି ଆପଣଙ୍କ ପିଲା ଯିହୋବାଙ୍କ ସେବା ନ କରିବାର ନିଷ୍ପତ୍ତି ନିଏ, ତେବେ ହାର ମାନନ୍ତୁ ନାହିଁ । ଭରସା ରଖନ୍ତୁ ଯେ ଯେ ସେ ଦିନେ ନା ଦିନେ ନିଶ୍ଚୟ ଫେରିଆସିବ । ଆପଣ ହଜିଯାଇଥିବା ପୁଅର ଉଦାହରଣ ବି ମନେ ରଖିପାରିବେ । (ଲୂକ ୧୫:୧୧-୧୯, ୨୨-୨୪) ସେ ଠିକ୍‌ ରାସ୍ତାରୁ ବହୁତ ଦୂରକୁ ଚାଲିଯାଇଥିଲା, କିନ୍ତୁ ସେ ପୁଣି ଫେରିଆସିଲା । ହୁଏତ କିଛି ଲୋକ କହିବେ, “ତାହା ତ କାହାଣୀ ଥିଲା । ସତରେ ତ ଏପରି ହୁଏନି ।” କିନ୍ତୁ ବିଶ୍ୱାସ କରନ୍ତୁ, ଏପରି ସତରେ ହୁଏ । ଇଲି ନାମକ ଜଣେ ବ୍ୟକ୍ତିଙ୍କ ସହ ଏପରି ହିଁ ହେଲା ।

୧୭. ଇଲିଙ୍କ ଉଦାହରଣରୁ ଆମେ କʼଣ ଶିଖୁ ?

୧୭ ଇଲି ନିଜ ବାପାମାଆଙ୍କ ବିଷୟରେ କହିଲେ, “ସେମାନେ ମୋ ଭିତରେ ଯିହୋବା ଓ ବାଇବଲ ପାଇଁ ପ୍ରେମ ବଢ଼ାଇବା ପାଇଁ ବହୁତ ପରିଶ୍ରମ କଲେ । କିନ୍ତୁ ଯେବେ ମୁଁ ଯୁବା ହେଲି ମୁଁ ବିଦ୍ରୋହ କରିବାକୁ ଲାଗିଲି ।” ଇଲି ଦୋହରା ଜୀବନ ଜୀଇଁବାକୁ ଲାଗିଲା । ତାʼ ବାପାମାଆ ବହୁତ ଚେଷ୍ଟା କଲେ ଯେ ସେ ଯିହୋବାଙ୍କ ନିକଟତର ରହୁ କିନ୍ତୁ ସେ ଶୁଣିଲା ନାହିଁ । କିଛି ସମୟ ପରେ ସେ ଘର ଛାଡ଼ି ଚାଲିଗଲା ଆଉ ବହୁତ ଖରାପ ଖରାପ କାମ କରିବାକୁ ଲାଗିଲା । କିନ୍ତୁ ସେ ସମୟରେ ସେ ମଝି ମଝିରେ ତାʼ ସାଙ୍ଗକୁ ବାଇବଲ ବିଷୟରେ କହୁଥିଲା । ଇଲି କହେ, “ମୁଁ ଯେତେ ଅଧିକ ମୋ ସାଙ୍ଗକୁ ଯିହୋବାଙ୍କ ବିଷୟରେ କହୁଥିଲି, ସେତେ ଅଧିକ ମୁଁ ଯିହୋବାଙ୍କ ବିଷୟରେ ଭାବୁଥିଲି । ମୋ ହୃଦୟରେ ସତ୍ୟର ଯେଉଁ ବୀଜ ଦବି ହୋଇ ରହିଥିଲା ଯାହା ମୋ ବାପାମାଆ ବୁଣି ଥିଲେ ତାହା ଧିରେ ଧିରେ ଅଙ୍କୁରିତ ହେବାକୁ ଲାଗିଲା ।” ଅନେକ ବର୍ଷ ପରେ ଇଲି ଯିହୋବାଙ୍କ ପାଖକୁ ଫେରିଆସିଲା । c ଟିକେ ଭାବନ୍ତୁ, ତାʼ ବାପାମାଆଙ୍କୁ କେତେ ଖୁସି ଲାଗିଥିବ । ସେମାନେ ଛୋଟ ବେଳେ ତାକୁ ଯାହା ଶିଖାଇଥିଲେ ତାହା ସେ ଭୁଲିଲା ନାହିଁ ।—୨ ତୀମ. ୩:୧୪, ୧୫.

୧୮. ଆପଣ ସେହି ବାପାମାଆଙ୍କ ବିଷୟରେ କʼଣ କହିବେ, ଯେଉଁମାନେ ବହୁତ ପରିଶ୍ରମ କରି ନିଜ ପିଲାମାନଙ୍କୁ ଯିହୋବାଙ୍କୁ ପ୍ରେମ କରିବା ପାଇଁ ଶିଖାନ୍ତି ?

୧୮ ବାପାମାଆମାନେ ଆପଣଙ୍କୁ ଗୋଟିଏ ଖାସ୍‌ ଦାୟିତ୍ୱ ଦିଆଯାଇଛି । ତାହା ହେଉଛି ନୂଆ ପିଢ଼ିକୁ ଯିହୋବାଙ୍କ ବିଷୟରେ ଶିଖାଇବା । (ଗୀତ. ୭୮:୪-୬) ଏହା କୌଣସି ଛୋଟ ଦାୟିତ୍ୱ ନୁହେଁ । ଏଥିରେ ବହୁତ ପରିଶ୍ରମ ଲାଗେ । ତେଣୁ ଆପଣ ଯେଉଁ ପରିଶ୍ରମ କରନ୍ତି ସେଥିପାଇଁ ଆମେ ଆପଣଙ୍କୁ ହୃଦୟରୁ ପ୍ରଶଂସା କରିବାକୁ ଚାହୁଁ । ଯଦି ଆପଣ ନିଜ ପିଲାମାନଙ୍କୁ ଯିହୋବାଙ୍କୁ ପ୍ରେମ କରିବା ଓ ତାଙ୍କ ଆଜ୍ଞା ମାନିବା ପାଇଁ ଶିଖାଇବା ଜାରି ରଖିବେ, ତେବେ ଆପଣ ଭରସା ରଖିପାରିବେ ଯେ ଆପଣଙ୍କ ପରିଶ୍ରମରୁ ଯିହୋବା ବହୁତ ଖୁସି ହେବେ ।—ଏଫି. ୬:୪.

ଗୀତ ୧୩୫ ୟହୋବା କି ପ୍ୟାର ଭାରି ଗୁଜାରିସ୍‌: “ମେରେ ବେଟେ, ବୁଦ୍ଧିମାନ ବାନ”

a ଖ୍ରୀଷ୍ଟିୟାନ ବାପାମାଆମାନେ ନିଜ ପିଲାମାନଙ୍କୁ ବହୁତ ପ୍ରେମ କରନ୍ତି, ତେଣୁ ପିଲାମାନଙ୍କ ଆବଶ୍ୟକତା ପୂରା କରିବା ପାଇଁ ଆଉ ସେମାନଙ୍କୁ ଖୁସିରେ ରଖିବା ପାଇଁ ସେମାନେ ବହୁତ ପରିଶ୍ରମ କରନ୍ତି । କିନ୍ତୁ ସବୁଠୁ ବଡ଼ କଥା ହେଲା ସେମାନେ ଚାହାନ୍ତି ଯେ ସେମାନଙ୍କ ପିଲାମାନେ ଯିହୋବାଙ୍କୁ ପ୍ରେମ କରନ୍ତୁ, ତେଣୁ ସେମାନଙ୍କୁ ଯିହୋବାଙ୍କ ବିଷୟରେ ଶିଖାଇବା ପାଇଁ ସେମାନେ ଆହୁରି ଅଧିକ ପରିଶ୍ରମ କରନ୍ତି । ଏପରି କରିବା ସମୟରେ ସେମାନେ ବାଇବଲର କିଛି ପରାମର୍ଶକୁ ମନେ ରଖିପାରିବେ । ଏହି ଲେଖାରେ ଆମେ ଚାରୋଟି ପରାମର୍ଶ ଉପରେ ଆଲୋଚନା କରିବା ।

b jw.org ୱେବସାଇଟ୍‌ରେ “ଯିହୋବା ଆମକୁ ପିଲାମାନଙ୍କ ଲାଳନପାଳନ କରିବା ଶିଖାଇଲେ” ନାମକ ଭିଡିଓ ଦେଖନ୍ତୁ ।

c ଜୁଲାଇ-ସେପ୍ଟେମ୍ବର ୨୦୧୨ ପ୍ରହରୀଦୁର୍ଗର (ହିନ୍ଦୀ) ଲେଖା, ବାଇବଲ ଜୀବନ ବଦଳାଇ ଦିଏ ପଢ଼ନ୍ତୁ ।

d ଚିତ୍ର ବିଷୟରେ: ଜଣେ ବାପା ନିଜ ପୁଅର ସାଙ୍ଗକୁ ଜାଣିବା ପାଇଁ ସେ ଦୁହିଁଙ୍କ ସହ ବାସ୍କେଟ ବଲ ଖେଳୁଛନ୍ତି ।