इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୨

ଯିହୋବାଙ୍କ ପରାମର୍ଶ ମାନନ୍ତୁ, ବୁଦ୍ଧିମାନ ହୁଅନ୍ତୁ

ଯିହୋବାଙ୍କ ପରାମର୍ଶ ମାନନ୍ତୁ, ବୁଦ୍ଧିମାନ ହୁଅନ୍ତୁ

‘ସଦାପ୍ରଭୁ ବୁଦ୍ଧି ଦିଅନ୍ତି ।’—ହିତୋ. ୨:୬.

ଗୀତ ୮୯ ସୁନକେ ଆମଲ୍‌ କାରେଁ

ଲେଖାର ଝଲକ a

୧. ଆମ ସମସ୍ତଙ୍କୁ କାହିଁକି ଈଶ୍ୱରଙ୍କଠାରୁ ମିଳୁଥିବା ବୁଦ୍ଧି ଦରକାର ? (ହିତୋପଦେଶ ୩:୧୩, ୧୫)

 ସଠିକ୍‌ ନିଷ୍ପତ୍ତି ନେବା ପାଇଁ ଆମକୁ ବୁଦ୍ଧି ଦରକାର ହୋଇଥାଏ । ଯେବେ ବି ଆପଣ କୌଣସି କଠିନ ନିଷ୍ପତ୍ତି ନେଇଥିବେ, ତେବେ ଆପଣ ନିଶ୍ଚୟ ଯିହୋବାଙ୍କୁ ପ୍ରାର୍ଥନା କରିଥିବେ ଓ ତାଙ୍କୁ ବୁଦ୍ଧି ମାଗିଥିବେ । (ଯାକୁ. ୧:୫) ରାଜା ଶଲୋମନ ବୁଦ୍ଧି ବିଷୟରେ ଲେଖିଲେ, “କୌଣସି ଇଷ୍ଟବସ୍ତୁ ତାହାର ତୁଲ୍ୟ ହେବାକୁ ଯୋଗ୍ୟ ନୁହେଁ ।” (ହିତୋପଦେଶ ୩:୧୩, ୧୫ ପଢ଼ନ୍ତୁ ।) ଶଲୋମନ ଏହା କହୁ ନ ଥିଲେ ଯେ ଆମକୁ ମଣିଷମାନଙ୍କଠାରୁ ବୁଦ୍ଧି ହାସଲ କରିବା ଉଚିତ୍‌, ବରଂ ସେ ଏହା କହୁଥିଲେ ଯେ ଆମକୁ ଯିହୋବା ଈଶ୍ୱରଙ୍କଠାରୁ ବୁଦ୍ଧି ହାସଲ କରିବା ଉଚିତ୍‌ । (ହିତୋ. ୨:୬) କିନ୍ତୁ କʼଣ ଆଜିର ସମସ୍ୟାଗୁଡ଼ିକର ସାମନା କରିବା ପାଇଁ ଈଶ୍ୱରଙ୍କଠାରୁ ମିଳୁଥିବା ବୁଦ୍ଧି ସାହାଯ୍ୟ କରିପାରିବ । ବିଲକୁଲ୍‌ । ଆସନ୍ତୁ ସେ ବିଷୟରେ ଜାଣିବା ।

୨. ବୁଦ୍ଧିମାନ ହେବାର ଗୋଟିଏ ଉପାୟ କʼଣ ?

ବାଇବଲରେ ଏପରି ଦୁଇ ଜଣ ବ୍ୟକ୍ତିଙ୍କ ବିଷୟରେ କୁହାଯାଇଛି, ଯେଉଁମାନେ ନିଜ ବୁଦ୍ଧି ପାଇଁ ଜଣାଯାଉଥିଲେ । ସେ ମଧ୍ୟରୁ ଜଣେ ଥିଲେ ଶଲୋମନ । ତାଙ୍କ ବିଷୟରେ ଲେଖା ଅଛି, ‘ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି ଦେଲେ ।’ (୧ ରାଜା. ୪:୨୯) ଆଉ ଜଣେ ଥିଲେ ଯୀଶୁ । ତାଙ୍କ ସେତିକି ବୁଦ୍ଧିମାନ ବ୍ୟକ୍ତି ଆଜି ପର୍ଯ୍ୟନ୍ତ କେହି ନାହାନ୍ତି । (ମାଥି. ୧୨:୪୨) ତାଙ୍କ ବିଷୟରେ ଭବିଷ୍ୟତବାଣୀ କରାଯାଇଥିଲା, “ତାଙ୍କ ଉପରେ ଯିହୋବାଙ୍କର ପବିତ୍ର ଶକ୍ତି ରହିବ, ତେଣୁ ସେ ବୁଦ୍ଧିମାନ ହେବେ, ତାଙ୍କ ପାଖରେ ବୁଝିବାର ଶକ୍ତି ଥିବ ।” (ଯିଶା. ୧୧:୨, NWT) ଏମାନେ ଦୁହେଁ ଯେଉଁ କଥାଗୁଡ଼ିକ ଶିଖାଇଲେ, ଯଦି ଆମେ ସେଗୁଡ଼ିକୁ ପଢ଼ିବା ଓ ତାʼ ଅନୁସାରେ କାମ କରିବା ତାହେଲେ ଆମେ ମଧ୍ୟ ବୁଦ୍ଧିମାନ ହୋଇପାରିବା ।

୩. ଏହି ଲେଖାରେ ଆମେ କେଉଁ ବିଷୟରେ ଚର୍ଚ୍ଚା କରିବା ?

ଈଶ୍ୱରଙ୍କଠାରୁ ମିଳୁଥିବା ବୁଦ୍ଧି ଯୋଗୁଁ ଶଲୋମନ ଓ ଯୀଶୁ ଜୀବନର ଅନେକ ମାମଲାଗୁଡ଼ିକରେ ଭଲ ପରାମର୍ଶ ଦେଇପାରିଲେ । ଏହି ଲେଖାରେ ଆମେ ସେ ମଧ୍ୟରୁ ତିନୋଟି ମାମଲାଗୁଡ଼ିକ ଉପରେ ଚର୍ଚ୍ଚା କରିବା । ଆମେ ଜାଣିବା ଯେ ଆମେ ପଇସା, କାମ ଓ ନିଜ ବିଷୟରେ ସଠିକ୍‌ ଦୃଷ୍ଟିକୋଣ କିପରି ରଖିପାରିବା ।

ପଇସା ବିଷୟରେ

୪. ଶଲୋମନ ଓ ଯୀଶୁଙ୍କ ଭିତରେ କʼଣ ତଫାତ୍‌ ଥିଲା ?

ଶଲୋମନ ବହୁତ ଧନୀ ଥିଲେ ଓ ବଡ଼ ବଡ଼ ଘରେ ରହୁଥିଲେ । (୧ ରାଜା. ୧୦:୭, ୧୪, ୧୫) କିନ୍ତୁ ଯୀଶୁଙ୍କ ପାଖରେ ବେଶି କିଛି ନ ଥିଲା, ଏପରିକି ତାଙ୍କ ପାଖରେ ନିଜର ଗୋଟିଏ ଘର ମଧ୍ୟ ନ ଥିଲା । (ମାଥି. ୮:୨୦) କିନ୍ତୁ ପଇସା ବିଷୟରେ ସେ ଦୁହିଁଙ୍କର ସଠିକ୍‌ ଦୃଷ୍ଟିକୋଣ ଥିଲା । ଏପରି କାହିଁକି ? କାରଣ ସେ ଦୁହିଁଙ୍କୁ ବୁଦ୍ଧି ଯିହୋବା ଈଶ୍ୱରଙ୍କଠାରୁ ମିଳିଥିଲା ।

୫. ପଇସା ବିଷୟରେ ଶଲୋମନଙ୍କର କʼଣ ଦୃଷ୍ଟିକୋଣ ଥିଲା ?

ଶଲୋମନ କହିଲେ, ‘ଧନ ଆଶ୍ରୟ ସ୍ୱରୂପ ।’ (ଉପ. ୭:୧୨) ଆମେ ପଇସାରୁ ଦରକାରୀ ଜିନିଷ କିଣିପାରିବା ଓ କିଛି ଇଚ୍ଛା ମଧ୍ୟ ପୂରା କରିପାରିବା । ଏହା ସତ ଯେ ଶଲୋମନ ପାଖରେ ବହୁତ ଧନ ସମ୍ପତ୍ତି ଥିଲା, ତଥାପି ସେ ଜାଣିଥିଲେ ଯେ ପଇସା ହିଁ ସବୁକିଛି ନୁହେଁ । ସେ ଲେଖିଲେ, “ବହୁତ ଧନ ଅପେକ୍ଷା ସୁନାମ ମନୋନୀତ ହେବା ଯୋଗ୍ୟ, ପୁଣି ରୂପା ଓ ସୁନା ଅପେକ୍ଷା ସ୍ନେହସୂଚକ ଅନୁଗ୍ରହ ଉତ୍ତମ ।” (ହିତୋ. ୨୨:୧) ସେ ଏହା ମଧ୍ୟ ଦେଖିଲେ ଯେ ଯେଉଁ ଲୋକମାନେ ପଇସାକୁ ପ୍ରେମ କରନ୍ତି ସେମାନେ ଅଧିକାଂଶ ସମୟରେ ଖୁସିରେ ରହନ୍ତି ନାହିଁ । (ଉପ. ୫:୧୦, ୧୨) ସେ କହିଲେ ଯେ ଆମେ ପଇସାକୁ ହିଁ ସବୁକିଛି ଭାବିବା ଉଚିତ୍‌ ନୁହେଁ, କାରଣ ପଇସା ଆଜି ଅଛି ହୁଏତ କାଲି ନ ଥିବ ।—ହିତୋ. ୨୩:୪, ୫.

ପଇସା କମାଇବା ଓ ଅନ୍ୟ ଜିନିଷଗୁଡ଼ିକ ହାସଲ କରିବା ବିଷୟରେ ଆମର ଦୃଷ୍ଟିକୋଣ କʼଣ ? କʼଣ ଆମେ ଏଗୁଡ଼ିକୁ ପ୍ରଥମ ସ୍ଥାନ ଦେଉଛୁ ନା ଯିହୋବାଙ୍କ ସେବାକୁ ? (ପାରାଗ୍ରାଫ ୬-୭) d

୬. ପଇସା ଓ ଜିନିଷଗୁଡ଼ିକ ବିଷୟରେ ଯୀଶୁଙ୍କର କʼଣ ଦୃଷ୍ଟିକୋଣ ଥିଲା ? (ମାଥିଉ ୬:୩୧-୩୩)

ଯୀଶୁ ମଧ୍ୟ ପଇସା ଓ ଜିନିଷଗୁଡ଼ିକ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖୁଥିଲେ । ସେ ଖାଇବା ପିଇବା ଜିନିଷର ମଜା ନେଲେ । (ଲୂକ ୧୯:୨, ୬, ୭) ସେ ନିଜ ପ୍ରଥମ ଚମତ୍କାରରେ ପାଣିକୁ ଭଲ ଦ୍ରାକ୍ଷା ରସରେ ବଦଳାଇ ଦେଲେ । (ଯୋହ. ୨:୧୦, ୧୧) ଯେଉଁ ଦିନ ତାଙ୍କର ମୃତ୍ୟୁ ହେଲା, ସେ ଦିନ ସେ ଏକ ଦାମୀ ଅଙ୍ଗରଖା ପିନ୍ଧି ଥିଲେ । (ଯୋହ. ୧୯:୨୩, ୨୪) କିନ୍ତୁ ସେ କେବେ ବି ସେ ଜିନିଷଗୁଡ଼ିକୁ ସବୁଠୁ ବେଶି ମହତ୍ତ୍ୱ ଦେଲେ ନାହିଁ । ସେ ନିଜ ଶିଷ୍ୟମାନଙ୍କୁ କହିଲେ, “କୌଣସି ଲୋକ ଦୁଇ ପ୍ରଭୁଙ୍କର ଦାସ ହୋଇ ପାରେ ନାହିଁ; . . . ତୁମ୍ଭେମାନେ ଈଶ୍ୱର ଓ ଧନ, ଉଭୟର ଦାସ ହୋଇ ପାର ନାହିଁ ।” (ମାଥି. ୬:୨୪) ସେ ସେମାନଙ୍କୁ ଏହା ମଧ୍ୟ ଶିଖାଇଲେ ଯେ ଯଦି ସେମାନେ ରାଜ୍ୟର ଅନ୍ୱେଷଣ କରିବେ, ତେବେ ଯିହୋବା ସେମାନଙ୍କର ସବୁ ଆବଶ୍ୟକତା ପୂରା କରିବେ ।—ମାଥିଉ ୬:୩୧-୩୩ ପଢ଼ନ୍ତୁ ।

୭. ଯେବେ ଜଣେ ଭାଇ ପଇସା ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିଲେ, ତେବେ ତାଙ୍କୁ କʼଣ କʼଣ ଆଶିଷ ମିଳିଲା ?

ଯେବେ ଅନେକ ଭାଇଭଉଣୀମାନେ ପଇସା ବିଷୟରେ ଯିହୋବାଙ୍କର ପରାମର୍ଶ ମାନିଲେ, ତେବେ ସେମାନଙ୍କୁ ଅନେକ ଲାଭ ହେଲା । ଦାନିୟେଲ ନାମକ ଜଣେ ଅବିବାହିତ ଭାଇଙ୍କର ଉଦାହରଣ ନିଅନ୍ତୁ । ସେ କହନ୍ତି, “ଯେତେବେଳେ ମୁଁ ଯୁବା ଥିଲି, ସେତେବେଳରୁ ହିଁ ମୁଁ ଭାବି ନେଇଥିଲି ଯେ ମୁଁ ମୋ ସାରା ଜୀବନ ଯିହୋବାଙ୍କ ସେବାରେ ଲଗେଇବି ।” ସେ କମ୍‌ ଜିନିଷରେ ଚଳିବା ଶିଖିଲେ । ତେଣୁ ସେ ରିଲିଫ କାମରେ ସାହାଯ୍ୟ କରିପାରିଲେ ଓ ବୈଥେଲ ମଧ୍ୟ ଯାଇପାରିଲେ । ସେ କହନ୍ତି, “ମୋତେ ମୋ ନିଷ୍ପତ୍ତିର କିଛି ଅବଶୋଷ ନାହିଁ । ମୁଁ ଚାହିଁଥିଲେ ବହୁତ ପଇସା କମାଇପାରିଥାʼନ୍ତି, କିନ୍ତୁ କʼଣ ମୋତେ ସେହି ଆଶିଷ ମିଳିଥାʼନ୍ତା, ଯାହା ମୋତେ ଆଜି ମିଳୁଛି ? ମୁଁ ବହୁତ ଖୁସି ଯେ ମୁଁ ଈଶ୍ୱରଙ୍କ ରାଜ୍ୟକୁ ପ୍ରଥମ ସ୍ଥାନ ଦେଲି ଓ ଅନେକ ଭଲ ସାଙ୍ଗ କରିପାରିଲି । ଦୁନିଆର ସବୁ ପଇସା ମଧ୍ୟ ମୋତେ ଏହି ଖୁସି ଦେଇପାରିବ ନାହିଁ ।” ସତରେ ଯେବେ ଆମେ ପଇସା ପଛରେ ନ ଗୋଡ଼ାଇ ଯିହୋବାଙ୍କ ସେବା କରୁ, ତେବେ ଆମକୁ ଅନେକ ଆଶିଷ ମିଳେ ।

କାମ ବିଷୟରେ

୮. କାମ ବିଷୟରେ ଶଲୋମନଙ୍କର କʼଣ ଦୃଷ୍ଟିକୋଣ ଥିଲା ? (ଉପଦେଶକ ୫:୧୮, ୧୯)

ଶଲୋମନ କହିଲେ ଯେ ପରିଶ୍ରମ କଲେ ଖୁସି ମିଳେ ଓ ଏହା ‘ପରମେଶ୍ୱରଙ୍କ ଦାନ ଅଟେ ।’ (ଉପଦେଶକ ୫:୧୮, ୧୯ ପଢ଼ନ୍ତୁ ।) ସେ ଲେଖିଲେ, “ସବୁ ପ୍ରକାର ପରିଶ୍ରମରେ ଫଳ ଅଛି ।” (ହିତୋ. ୧୪:୨୩) ଶଲୋମନ ନିଜେ ବହୁତ ପରିଶ୍ରମ କଲେ । ସେ ନିଜ ପାଇଁ ଘର ତିଆରି କଲେ, ଦ୍ରାକ୍ଷାକ୍ଷେତ୍ର ପ୍ରସ୍ତୁତ କଲେ ଓ ବଗିଚା ଲଗାଇଲେ ଏବଂ ପୋଖରୀ ଖୋଳାଇଲେ । ସେ କିଛି ସହର ମଧ୍ୟ ତିଆରି କଲେ । (୧ ରାଜା. ୯:୧୯; ଉପ. ୨:୪-୬) ଏଥିରୁ ନିଶ୍ଚୟ ଶଲୋମନଙ୍କୁ ବହୁତ ଖୁସି ମିଳିଥିବ । କିନ୍ତୁ ସେ ଜାଣିଲେ ଯେ ସବୁଠୁ ଅଧିକ ଖୁସି ଏହି କାମଗୁଡ଼ିକରୁ ନୁହେଁ, ବରଂ ଯିହୋବାଙ୍କ ସେବାରୁ ମିଳେ । ତେଣୁ ସେ ଯିହୋବାଙ୍କ ପାଇଁ ଏକ ସୁନ୍ଦର ମନ୍ଦିର ତିଆରି କଲେ, ଯାହାକୁ ତିଆରି କରିବା ପାଇଁ ସାତ ବର୍ଷ ଲାଗିଲା । (୧ ରାଜା. ୬:୩୮; ୯:୧) ସବୁ ପ୍ରକାରର କାମ କରିବା ପରେ ଶଲୋମନ ବୁଝିଗଲେ ଯେ ଯିହୋବାଙ୍କ ସେବା କରିବା ହିଁ ସବୁଠୁ ଜରୁରୀ କାମ ଅଟେ । ସେ ଲେଖିଲେ, “ସାର କଥା ଏହି; ସବୁ ଶୁଣାଯାଇଅଛି; ପରମେଶ୍ୱରଙ୍କୁ ଭୟ କର ଓ ତାହାଙ୍କର ଆଜ୍ଞାସବୁ ପାଳନ କର ।”—ଉପ. ୧୨:୧୩.

୯. ଆମେ କିପରି ଜାଣୁ ଯେ ଯୀଶୁ କାମକୁ ବେଶି ମହତ୍ତ୍ୱ ଦେଲେ ନାହିଁ ?

ଯୀଶୁ ମଧ୍ୟ ବହୁତ ପରିଶ୍ରମୀ ଥିଲେ । ଯେତେବେଳେ ସେ ଯୁବା ଥିଲେ, ସେତେବେଳେ ସେ ବଢ଼େଇ କାମ କରୁଥିଲେ । (ମାର୍କ ୬:୩) ତାଙ୍କ ବାପାମାଆ ତାଙ୍କ ପରିଶ୍ରମକୁ ବହୁତ ଆଦର କରୁଥିଲେ । କାରଣ ତାଙ୍କ ପରିବାର ବହୁତ ବଡ଼ ଥିଲା ଓ ଘର ଚଳାଇବା କଷ୍ଟକର ଥିଲା । ଯୀଶୁ ପରିପୂର୍ଣ୍ଣ ଥିଲେ, ତେଣୁ ସେ ଯାହା ବି ତିଆରି କରୁଥିଲେ ତାହା ବହୁତ ଭଲ ରହୁଥିବ ଆଉ ସବୁ ଲୋକମାନେ ତାଙ୍କଠାରୁ ହିଁ କାମ କରାଇବା ପାଇଁ ଚାହୁଁଥିବେ । ଯୀଶୁଙ୍କୁ ନିଶ୍ଚୟ ଏହି କାମରୁ ଖୁସି ମିଳୁଥିବ । କିନ୍ତୁ ସେ ସବୁବେଳେ ଏହି କାମରେ ହିଁ ଲାଗି ରହିଲେ ନାହିଁ । ସେ ଯିହୋବାଙ୍କ ଉପାସନା କରିବା ପାଇଁ ମଧ୍ୟ ସମୟ ବାହାର କଲେ । (ଯୋହ. ୭:୧୫) ଆଗକୁ ଯାଇ ଯେତେବେଳେ ସେ ପୂର୍ଣ୍ଣ ସମୟ ପ୍ରଚାର କରିବାକୁ ଲାଗିଲେ, ସେତେବେଳେ ସେ ଲୋକମାନଙ୍କୁ କହିଲେ, “କ୍ଷୟୀ ଭକ୍ଷ୍ୟ ନିମନ୍ତେ ଶ୍ରମ ନ କରି, ବରଞ୍ଚ ଯେଉଁ ଅନନ୍ତ ଜୀବନଦାୟକ ଭକ୍ଷ୍ୟ ଅକ୍ଷୟ ରହେ, ସେଥିନିମନ୍ତେ ଶ୍ରମ କର ।” (ଯୋହ. ୬:୨୭) ସେ ନିଜ ପାର୍ବତ୍ୟ ଉପଦେଶରେ ମଧ୍ୟ କହିଲେ, “ସ୍ୱର୍ଗରେ ଆପଣା ଆପଣା ନିମନ୍ତେ ଧନ ସଞ୍ଚୟ କର ।”—ମାଥି. ୬:୨୦.

ଆମେ କାମ ସହିତ ଯିହୋବାଙ୍କ ସେବା କରିବା ପାଇଁ ସମୟ କିପରି ବାହାର କରିପାରିବା ? (ପାରାଗ୍ରାଫ ୧୦-୧୧) e

୧୦. ଆମକୁ କାମ ଜାଗାରେ ପରିଶ୍ରମ କରିବା ଉଚିତ୍‌, କିନ୍ତୁ କʼଣ କରିବା ଉଚିତ୍‌ ନୁହେଁ ?

୧୦ ଯଦି ଆମେ ବାଇବଲରେ ଦିଆଯାଇଥିବା ଯିହୋବାଙ୍କ ପରାମର୍ଶ ମାନିବା, ତାହେଲେ ଆମେ କାମ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିପାରିବା । ବାଇବଲରେ ଲେଖାଅଛି ଯେ ଆମେ ପରିଶ୍ରମ କରୁ ଓ ସଚ୍ଚୋଟ ରହୁ । (ଏଫି. ୪:୨୮) ଅନେକ ଥର ଆମ ସଚ୍ଚୋଟତା ଓ କଠିନ ପରିଶ୍ରମ ଦେଖି ଆମ ବସ୍‌ ଆମ କାମକୁ ପ୍ରଶଂସା କରନ୍ତି ଓ କହନ୍ତି ଯେ ସେ ଆମ ଉପରେ କେତେ ଖୁସି ଅଛନ୍ତି । କିନ୍ତୁ ହୋଇପାରେ ତାଙ୍କୁ ଆହୁରି ଖୁସି କରିବା ଉଦ୍ଦେଶ୍ୟରେ ଆମେ ବେଶି ଘଣ୍ଟା କାମ କରିବାକୁ ଲାଗିପାରୁ । ଆମକୁ ଲାଗିପାରେ ଯେ ଏପରି କଲେ ସେ ସାକ୍ଷୀମାନଙ୍କ ବିଷୟରେ ଭଲ ଭାବିବେ । କିନ୍ତୁ କାମ ଜାଗାରେ ଅଧିକ ଘଣ୍ଟା ବିତାଇଲେ ଯିହୋବା ଓ ନିଜ ପରିବାର ପାଇଁ ଆମ ପାଖରେ ସମୟ ହିଁ ରହିବ ନାହିଁ । ଯଦି ଆମ ସହ ଏପରି ହେଉଛି, ତେବେ ଆମକୁ କିଛି ପରିବର୍ତ୍ତନ କରିବାକୁ ପଡ଼ିବ ।

୧୧. ୱିଲିୟମ୍‌ କାମ ବିଷୟରେ କିପରି ସଠିକ୍‌ ଦୃଷ୍ଟିକୋଣ ରଖିବା ଶିଖିଲେ ?

୧୧ ୱିଲିୟମ୍‌ ନାମକ ଜଣେ ଯୁବା ଭାଇ ପୂର୍ବେ ଜଣେ ପ୍ରାଚୀନଙ୍କ ପାଖରେ କାମ କରୁଥିଲେ । ସେ ପ୍ରାଚୀନଙ୍କଠାରୁ ଶିଖିଲେ ଯେ ସେ କାମ ବିଷୟରେ କିପରି ସଠିକ୍‌ ଦୃଷ୍ଟିକୋଣ ରଖିପାରିବେ । ୱିଲିୟମ୍‌ କହନ୍ତି, “[ସେ ଭାଇ] ସନ୍ତୁଳିତ ଭାବେ କାମ କରିବାରେ ଗୋଟିଏ ବଢ଼ିଆ ଉଦାହରଣ ଅଟନ୍ତି । ସେ କଠିନ ପରିଶ୍ରମ କରନ୍ତି ଓ ତାଙ୍କର ଗ୍ରାହକମାନଙ୍କ ଭିତରେ ବି ଭଲ ନାମ ଅଛି, କାରଣ ସେ ନିଜ କାମ ଭଲଭାବେ କରନ୍ତି । କିନ୍ତୁ ସନ୍ଧ୍ୟା ସମୟରେ ସେ ନିଜ କାମ ବନ୍ଦ କରିଦିଅନ୍ତି ଓ ନିଜ ପରିବାର ଏବଂ ଉପାସନା ଉପରେ ଧ୍ୟାନ ଦିଅନ୍ତି । କʼଣ ଆପଣ ଜାଣନ୍ତି ସେ ସବୁବେଳେ ଖୁସି ରହନ୍ତି ।” b

ନିଜ ବିଷୟରେ

୧୨. (କ) ଆମେ କିପରି କହିପାରିବା ଯେ ଶଲୋମନଙ୍କୁ  ନିଜ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ଥିଲା ? (ଖ) ଆଗକୁ ଯାଇ ସେ କିପରି ବଦଳି ଗଲେ ?

୧୨ ଯେବେଯାଏ ଶଲୋମନ ଯିହୋବାଙ୍କ ବିଶ୍ୱସ୍ତ ରହିଲେ, ତେବେଯାଏ ତାଙ୍କର ନିଜ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ଥିଲା । ଯେତେବେଳେ ସେ ଯୁବା ଥିଲେ ଓ ନୂଆ ନୂଆ ରାଜା ହୋଇଥିଲେ, ସେତେବେଳେ ସେ ବହୁତ ନମ୍ର ଥିଲେ । ସେ ସ୍ୱୀକାର କଲେ ଯେ ତାଙ୍କଠାରେ କମ୍‌ ଅଭିଜ୍ଞତା ଅଛି, ତେଣୁ ସେ ଯିହୋବାଙ୍କୁ ସାହାଯ୍ୟ ମାଗିଲେ । (୧ ରାଜା. ୩:୭-୯) ସେ ଏହା ମଧ୍ୟ ଜାଣିଥିଲେ ଯେ ଅହଂକାର କଲେ କେତେ ଖରାପ ପରିଣାମ ହୋଇପାରେ । ତେଣୁ ସେ ଲେଖିଲେ, “ଅହଙ୍କାର ସର୍ବନାଶର ସମ୍ମୁଖରେ ଥାଏ, ପୁଣି ଦାମ୍ଭିକ ମନ ପତନର ସମ୍ମୁଖରେ ଥାଏ ।” (ହିତୋ. ୧୬:୧୮) କିନ୍ତୁ ଦୁଃଖର କଥା ଆଗକୁ ଯାଇ ସେ ନିଜେ ହିଁ ଏହି କଥା ଭୁଲିଗଲେ । ସେ ଏତେ ଅହଂକାରୀ ହୋଇଗଲେ ଯେ ସେ ଈଶ୍ୱରଙ୍କ ଆଜ୍ଞାଗୁଡ଼ିକୁ ମାନିବା ଛାଡ଼ିଦେଲେ । ଉଦାହରଣ ପାଇଁ ଯିହୋବା ରାଜାମାନଙ୍କୁ ଆଜ୍ଞା ଦେଇଥିଲେ, “ଅନେକ ସ୍ତ୍ରୀ ବିବାହ କରିବ ନାହିଁ, କଲେ ତାହାର ହୃଦୟ ବିପଥଗାମୀ ହେବ ।” (ଦ୍ୱିବି. ୧୭:୧୭) କିନ୍ତୁ ଶଲୋମନ ଏହି ଆଜ୍ଞା ମାନିଲେ ନାହିଁ ଓ ସେ ଅନେକ ସ୍ତ୍ରୀଙ୍କୁ ବିବାହ କଲେ । ତାଙ୍କର ୭୦୦ ରାଜପତ୍ନୀ ଓ ୩୦୦ ଉପପତ୍ନୀ ଥିଲେ, ସେ ମଧ୍ୟରୁ ଅଧିକାଂଶ ମିଥ୍ୟା ଦେବାଦେବୀଙ୍କୁ ପୂଜା କରୁଥିଲେ । (୧ ରାଜା. ୧୧:୧-୩) ହୁଏତ ଶଲୋମନଙ୍କୁ ଲାଗିଥିବ ଯେ ତାଙ୍କୁ କିଛି ହେବ ନାହିଁ, କିନ୍ତୁ ସେ ଭୁଲ ଥିଲେ । ତାଙ୍କ ସ୍ତ୍ରୀମାନଙ୍କ ଯୋଗୁଁ ସେ ଯିହୋବାଙ୍କଠାରୁ ଦୂରକୁ ଚାଲିଗଲେ ।—୧ ରାଜା. ୧୧:୯-୧୩.

୧୩. ଆପଣ ଯୀଶୁଙ୍କ ଭଳି ନମ୍ର କିପରି ହୋଇପାରିବେ ?

୧୩ ଯୀଶୁ ସବୁବେଳେ ନମ୍ର ରହିଲେ । ପୃଥିବୀରେ ଆସିବା ପୂର୍ବରୁ ସେ ସ୍ୱର୍ଗରେ ନିଜ ପିତାଙ୍କ ସହ ମିଶି ଅନେକ କାମ କରିଥିଲେ । “ସ୍ୱର୍ଗରେ ଓ ପୃଥିବୀରେ ସମସ୍ତ ବିଷୟ ତାହାଙ୍କ ଦ୍ୱାରା ସୃଷ୍ଟି ହେଲା ।” (କଲ. ୧:୧୬) ଯେତେବେଳେ ଯୀଶୁଙ୍କ ବାପ୍ତିସ୍ମ ହେଲା, ସେତେବେଳେ ଏସବୁ କଥା ତାଙ୍କୁ ମନେ ପଡ଼ିଯାଇଥିବ । (ମାଥି. ୩:୧୬; ଯୋହ. ୧୭:୫) କିନ୍ତୁ ସେସବୁ ଭାବି ସେ ଅହଂକାରୀ ହେଲେ ନାହିଁ । ସେ କେବେ ବି ନିଜ କଥା ଓ କାମଗୁଡ଼ିକରୁ ଏପରି ଦେଖାଇଲେ ନାହିଁ ଯେ ସେ ଅନ୍ୟମାନଙ୍କଠାରୁ ଶ୍ରେଷ୍ଠ ଅଟନ୍ତି । ତାʼ ପରିବର୍ତ୍ତେ ସେ ନିଜ ଶିଷ୍ୟମାନଙ୍କୁ କହିଲେ ଯେ ସେ ପୃଥିବୀରେ “ସେବା ପାଇବାକୁ ଆସି ନାହାନ୍ତି, ମାତ୍ର ସେବା କରିବାକୁ ଓ ଅନେକଙ୍କ ନିମନ୍ତେ ମୁକ୍ତିର ମୂଲ୍ୟସ୍ୱରୂପ ପ୍ରାଣ ଦେବାକୁ ଆସିଅଛନ୍ତି ।” (ମାଥି. ୨୦:୨୮) ସେ ଏହା ମଧ୍ୟ କହିଲେ ଯେ ସେ ନିଜ ଇଚ୍ଛା ମୁତାବକ କାମ କରନ୍ତି ନାହିଁ, ବରଂ ଯିହୋବା ଯାହା ଚାହାନ୍ତି ତାହା କରନ୍ତି । (ଯୋହ. ୫:୧୯) ସତରେ ଯୀଶୁ କେତେ ନମ୍ର ଥିଲେ ! ଆମେ ବି ତାଙ୍କ ଭଳି ନମ୍ର ହେବା ଉଚିତ୍‌ ।

୧୪. ନିଜ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିବା ପାଇଁ ଆମେ ଯୀଶୁଙ୍କର କେଉଁ କଥା ମନେ ରଖିପାରିବା ?

୧୪ ଏହା ସତ ଯେ ଆମେ ନମ୍ର ରହିବା ଉଚିତ୍‌, କିନ୍ତୁ ଆମେ ନିଜକୁ ବେକାର ବା ତୁଚ୍ଛ ମନେ କରିବା ଉଚିତ୍‌ ନୁହେଁ । ଏହି କଥା ଯୀଶୁ ମଧ୍ୟ ଶିଖାଇଲେ । ଥରେ ସେ କହିଲେ, “ତୁମ୍ଭମାନଙ୍କ ମସ୍ତକର ସମସ୍ତ କେଶ ହିଁ ଗଣାଯାଇଅଛି ।” (ମାଥି. ୧୦:୩୦) ଏଥିରୁ ଆମକୁ ଜଣାପଡ଼େ ଯେ ଯିହୋବା ଆମର ବହୁତ ଚିନ୍ତା କରନ୍ତି ଓ ତାଙ୍କ ଦୃଷ୍ଟିରେ ଆମେ ବହୁମୂଲ୍ୟ ଅଟୁ । ତେଣୁ ଯଦି ଯିହୋବା ଆମକୁ ତାଙ୍କ ଉପାସକ ହେବା ପାଇଁ ଓ ଅନନ୍ତ ଜୀବନ ଦେବା ପାଇଁ ବାଛିଛନ୍ତି, ତାହେଲେ ଆମେ କେବେ ବି ତାଙ୍କର ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇବା ଉଚିତ୍‌ ନୁହେଁ ।

ଯଦି ଆମେ କେବଳ ନିଜ ବିଷୟରେ ଭାବୁ, ତାହେଲେ ଆମେ କେଉଁ କେଉଁ ଆଶିଷଗୁଡ଼ିକ ହରାଇପାରୁ ? (ପାରାଗ୍ରାଫ ୧୫) f

୧୫. (କ) ପ୍ରହରୀଦୁର୍ଗରେ ଆମକୁ କିପରି ଚିନ୍ତାଧାରା ରଖିବା ପାଇଁ ପ୍ରୋତ୍ସାହନ ଦିଆଯାଇଥିଲା ? (ଖ) ଯେପରି ଚିତ୍ରରେ ଦିଆଯାଇଛି, ଯଦି ଆମେ କେବଳ ନିଜ ବିଷୟରେ ଭାବୁ, ତାହେଲେ ଆମେ କେଉଁ କେଉଁ ଆଶିଷଗୁଡ଼ିକ ହରାଇପାରୁ ?

୧୫ ପ୍ରାୟ ୧୫ ବର୍ଷ ପୂର୍ବେ, ପ୍ରହରୀଦୁର୍ଗରେ କୁହାଯାଇଥିଲା ଯେ ଯଦି ଆମେ ନିଜ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିବା, ତେବେ ଆମକୁ ହିଁ ଲାଭ ହେବ । ସେଥିରେ ଲେଖାଥିଲା, “ଏହା ସତ ଯେ ଆମେ ନିଜକୁ ଏତେ ବଡ଼ ମନେକରିବା ନାହିଁ ଯେ ଆମେ ଅହଂକାରୀ ହୋଇଯିବା । କିନ୍ତୁ ଆମେ ନିଜକୁ ବହୁତ ତୁଚ୍ଛ ମଧ୍ୟ ମନେକରିବା ନାହିଁ । ତାʼ ପରିବର୍ତ୍ତେ ଆମେ ନିଜ ଭଲ ଗୁଣ ଓ ଖରାପ ଗୁଣଗୁଡ଼ିକୁ ଧ୍ୟାନରେ ରଖି ନିଜ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିବା ପାଇଁ ଚେଷ୍ଟା କରିବା ଉଚିତ୍‌ । ଏହି କଥା ବିଷୟରେ ଜଣେ ଖ୍ରୀଷ୍ଟିୟାନ ସ୍ତ୍ରୀ କହନ୍ତି: ‘ମୁଁ ସାଧୁ ନୁହେଁ କିନ୍ତୁ ଦୁଷ୍ଟ ମଧ୍ୟ ନୁହେଁ । ଅନ୍ୟମାନଙ୍କ ଭଳି ମୋ ଭିତରେ ବି କିଛି ଭଲ ଗୁଣ ଅଛି ଓ କିଛି ଖରାପ ଗୁଣ ଅଛି ।’ ” c

୧୬. ଯିହୋବା କାହିଁକି ଆମକୁ ପରାମର୍ଶ ଦିଅନ୍ତି ?

୧୬ ଯିହୋବା ଆମକୁ ବହୁତ ପ୍ରେମ କରନ୍ତି ଓ ଚାହାନ୍ତି ଯେ ଆମେ ଖୁସିରେ ରହୁ । ତେଣୁ ସେ ନିଜ ବାକ୍ୟ ଜରିଆରେ ଆମକୁ ପରାମର୍ଶ ଦିଅନ୍ତି, ଯେଉଁଗୁଡ଼ିକୁ ମାନି ଆମେ ବୁଦ୍ଧିମାନ ହୋଇପାରିବା । (ଯିଶା. ୪୮:୧୭, ୧୮) ଆଜି ଦୁନିଆର ଲୋକମାନେ କେବଳ ପଇସା, କାମ ଓ ନିଜ ବିଷୟରେ ଭାବନ୍ତି ଓ ଏହା ଯୋଗୁଁ ଅନେକ ସମସ୍ୟାରେ ପଡ଼ିଯାʼନ୍ତି । କିନ୍ତୁ ଯଦି ଆମେ ଯିହୋବାଙ୍କ ପରାମର୍ଶ ମାନିବା ଓ ତାଙ୍କ ସେବାକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା, ତାହେଲେ ଆମେ ପଇସା, କାମ ଓ ନିଜ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିପାରିବା ଏବଂ ଖୁସି ରହିପାରିବା । ତେଣୁ ଆସନ୍ତୁ ଆମେ ଦୃଢ଼ ନିଷ୍ପତ୍ତି ନେବା ଯେ ଆମେ ବୁଦ୍ଧିମାନ ହୋଇ ନିଜ ପିତା ଯିହୋବାଙ୍କ ହୃଦୟ ଖୁସି କରିବା !—ହିତୋ. ୨୩:୧୫.

ଗୀତ ୯୪ ୟାହୋବାକେ ୱାଚାନ କେଲିୟେ ଏହସାନମାନ୍ଦ

a ଶଲୋମନ ଓ ଯୀଶୁ ବହୁତ ବୁଦ୍ଧିମାନ ଥିଲେ, କାରଣ ସେମାନଙ୍କୁ ଯିହୋବା ବୁଦ୍ଧି ଦେଇଥିଲେ । ସେମାନେ ଦୁହେଁ ଅନେକ ପରାମର୍ଶ ଦେଲେ, ଯେଉଁଗୁଡ଼ିକୁ ମାନିଲେ ଆମେ ପଇସା, କାମ ଓ ନିଜ ବିଷୟରେ ସଠିକ୍‌ ଦୃଷ୍ଟିକୋଣ ରଖିପାରିବା । ଏହି ଲେଖାରେ ଆମେ ଏପରି ହିଁ କିଛି ପରାମର୍ଶଗୁଡ଼ିକ ଉପରେ ଧ୍ୟାନ ଦେବା । ଆମେ ଏହା ମଧ୍ୟ ଜାଣିବା ଯେ ସେଗୁଡ଼ିକୁ ମାନି କିଛି ଭାଇଭଉଣୀଙ୍କୁ କʼଣ ଲାଭ ହୋଇଛି ।

b ୧ ଫେବୃୟାରୀ, ୨୦୧୫ ପ୍ରହରୀଦୁର୍ଗର (ହିନ୍ଦୀ) ଲେଖା, “ନିଜ ପରିଶ୍ରମରୁ ଖୁସି କିପରି ପାଇବା ?” ପଢ଼ନ୍ତୁ ।

c ୧ ଅଗଷ୍ଟ, ୨୦୦୫ ପ୍ରହରୀଦୁର୍ଗର (ହିନ୍ଦୀ) ଲେଖା, “ଖୁସି ପାଇବା ପାଇଁ ବାଇବଲ ଆପଣଙ୍କୁ ସାହାଯ୍ୟ କରିପାରିବ” ପଢ଼ନ୍ତୁ ।

d ଚିତ୍ର ବିଷୟରେ: ଜନ୍‌ ଓ ଟମ୍‌ ଗୋଟିଏ ମଣ୍ଡଳୀର ଅଟନ୍ତି । ଜନ୍‌ ନିଜ ଗାଡ଼ିର ଯତ୍ନ ନେବାରେ ଅଧିକ ସମୟ ଲଗାଏ କିନ୍ତୁ ଟମ୍‌ ନିଜ ଗାଡ଼ିରେ ଅନ୍ୟମାନଙ୍କୁ ପ୍ରଚାର ଓ ସଭାଗୁଡ଼ିକୁ ନେଇଯାଏ ।

e ଚିତ୍ର ବିଷୟରେ: ଜନ୍‌ ଅଭରଟାଇମ୍‌ କରୁଛନ୍ତି । ଯେବେ ବି ତାଙ୍କ ବସ୍‌ ତାଙ୍କୁ ଅଭରଟାଇମ୍‌ କରିବା ପାଇଁ କହନ୍ତି, ତେବେ ସେ ତାଙ୍କୁ ଖୁସି କରିବା ପାଇଁ ରାଜି ହୋଇଯାʼନ୍ତି । ସେହି ଦିନ ସନ୍ଧ୍ୟାରେ ଟମ୍‌ ଯିଏ ଜଣେ ସହାୟକ ସେବକ ଅଟନ୍ତି ଜଣେ ପ୍ରାଚୀନଙ୍କ ସାଙ୍ଗରେ ମିଶି ପ୍ରତିପାଳକ ସାକ୍ଷାତ କରିବା ପାଇଁ ଯାଇଛନ୍ତି । ଟମ୍‌ ନିଜ ବସ୍‌କୁ ଆଗରୁ କହିଦେଇଛନ୍ତି ଯେ ସପ୍ତାହର କିଛି ଦିନ ସନ୍ଧ୍ୟା ସମୟରେ ତାଙ୍କର ସଭା ଥାଏ ଓ ତାଙ୍କୁ ଅନ୍ୟ ଦାୟିତ୍ୱଗୁଡ଼ିକ ମଧ୍ୟ ତୁଲାଇବାର ଥାଏ, ତେଣୁ ସେ ଡେରିଯାଏ କାମ କରିପାରିବେ ନାହିଁ ।

f ଚିତ୍ର ବିଷୟରେ: ଜନ୍‌ କେବଳ ନିଜ ବିଷୟରେ ଭାବନ୍ତି, କିନ୍ତୁ ଟମ୍‌ ଯିହୋବାଙ୍କ ସେବାକୁ ଜୀବନରେ ପ୍ରଥମ ସ୍ଥାନ ଦିଅନ୍ତି । ସେ ଗୋଟିଏ ରାଜ୍ୟଘରର ମରାମତି କରିବାରେ ସାହାଯ୍ୟ କରୁଛନ୍ତି । ତେଣୁ ସେ ଆହୁରି ସାଙ୍ଗ କରିପାରିଛନ୍ତି ।