इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୪

ଆପଣ ନିଜ ଲକ୍ଷ୍ୟ ହାସଲ କରିପାରିବେ !

ଆପଣ ନିଜ ଲକ୍ଷ୍ୟ ହାସଲ କରିପାରିବେ !

“ଆମ୍ଭେମାନେ ଉତ୍ତମ କର୍ମ କରିବାରେ ଶ୍ରାନ୍ତ ନ ହେଉ; କାରଣ କ୍ଳାନ୍ତ ନୋହିଲେ ଉପଯୁକ୍ତ ସମୟରେ ଶସ୍ୟ କାଟିବା ।”​—ଗାଲା. ୬:୯.

ଗୀତ ୮୪ ବଢ଼ତେ ହୈ ଆଗେ

ଲେଖାର ଝଲକ a

୧. ଆମ ମଧ୍ୟରୁ କିଛି ଲୋକଙ୍କ ଆଗରେ କʼଣ ସମସ୍ୟା ଆସିଛି ?

 ଆମେ ସମସ୍ତେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହୁଁ ଓ ତାଙ୍କର ଭଲଭାବେ ସେବା କରିବା ପାଇଁ ଚାହୁଁ । ତେଣୁ ଆମେ ହୁଏତ କିଛି ଲକ୍ଷ୍ୟ ରଖୁ । ଯେପରି, ପ୍ରତିଦିନ ବାଇବଲ ପଢ଼ିବା, ଭଲଭାବେ ବ୍ୟକ୍ତିଗତ ଅଧ୍ୟୟନ କରିବା, ପ୍ରଚାରରେ ନିଜ ଦକ୍ଷତା ବଢ଼ାଇବା କିମ୍ବା ନିଜ ଭିତରେ କିଛି ଗୁଣ ବଢ଼ାଇବା । ହୋଇପାରେ ଆପଣ ମଧ୍ୟ ଏପରି କିଛି ଲକ୍ଷ୍ୟ ରଖିଥିବେ, କିନ୍ତୁ ଏବେ ତାହା ହାସଲ କରିବା ଆପଣଙ୍କ ପାଇଁ କଠିନ ହେଉଥିବ । ଯଦି ଆପଣଙ୍କୁ ଏପରି ଲାଗୁଛି, ତାହେଲେ ଆପଣ ଏକୁଟିଆ ନାହାଁନ୍ତି । ଟିକେ ଏହି ଉଦାହରଣଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ଫିଲିପ୍‌ ଭଲଭାବେ ଓ ଅଧିକ ପ୍ରାର୍ଥନା କରିବା ପାଇଁ ଚାହୁଁଥିଲେ, କିନ୍ତୁ ସେ ପ୍ରାର୍ଥନା କରିବା ପାଇଁ ସମୟ ହିଁ ବାହାର କରି ପାରୁ ନ ଥିଲେ । ଏରିକା ଠିକ୍‌ ସମୟରେ ପ୍ରଚାର ସଭାରେ ପହଞ୍ଚିବା ପାଇଁ ଲକ୍ଷ୍ୟ ରଖିଥିଲେ । ତଥାପି ପ୍ରାୟ ସବୁବେଳେ ତାଙ୍କୁ ଡେରି ହୋଇଯାଉଥିଲା । ତୋମାସ୍‌ ପୂରା ବାଇବଲ ପଢ଼ିବା ପାଇଁ ଚାହୁଁଥିଲେ । କିନ୍ତୁ ସେ କହନ୍ତି, “ମୋତେ ବାଇବଲ ପଢ଼ିବାରେ ମଜା ହିଁ ଆସୁ ନ ଥିଲା । ମୁଁ ତିନିଥର ଚେଷ୍ଟା କଲି, କିନ୍ତୁ ପ୍ରତିଥର ମୁଁ ଲେବୀ ପୁସ୍ତକରୁ ଆଗକୁ ହିଁ ପଢ଼ି ପାରୁ ନ ଥିଲି ।”

୨. ଯଦି ଆମେ ଏବେ ଯାଏ ନିଜ ଲକ୍ଷ୍ୟ ହାସଲ କରିପାରି ନାହୁଁ, ତେବେ ଆମକୁ କାହିଁକି ନିରାଶ ହେବା ଉଚିତ୍‌ ନୁହେଁ ?

ଯଦି ଆପଣ କିଛି ଲକ୍ଷ୍ୟ ରଖିଛନ୍ତି ଓ ତାହା ଏବେ ଯାଏ ହାସଲ କରିପାରି ନାହାନ୍ତି, ତେବେ ଏହା ଭାବନ୍ତୁନି ଯେ ଆପଣଙ୍କ ଦ୍ୱାରା କିଛି ବି ହୋଇପାରିବନି । ଗୋଟେ ଛୋଟ ଲକ୍ଷ୍ୟ ହାସଲ କରିବା ପାଇଁ ମଧ୍ୟ ଅନେକଥର ବହୁତ ସମୟ ଓ ପରିଶ୍ରମ ଲାଗେ । ତଥାପି ଯଦି ଆପଣ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଚେଷ୍ଟା କରୁଛନ୍ତି, ତେବେ ଏହା ଦେଖାଏ ଯେ ଆପଣ ଯିହୋବାଙ୍କ ସହ ନିଜ ସମ୍ପର୍କକୁ ବହୁତ ବହୁମୂଲ୍ୟ ମନେକରନ୍ତି ଓ ତାଙ୍କ ଭଲଭାବେ ସେବା କରିବା ପାଇଁ ଚାହାଁନ୍ତି । ଯିହୋବା ଆପଣଙ୍କ ପରିଶ୍ରମକୁ ବହୁତ ବହୁମୂଲ୍ୟ ମନେକରନ୍ତି । ସେ କେବେ ବି ଆପଣଙ୍କଠାରୁ ଏପରି କିଛି କରିବା ପାଇଁ ଆଶା କରନ୍ତିନି ଯାହା ଆପଣ କରିପାରିବେନି । (ଗୀତ. ୧୦୩:୧୪; ମୀଖା ୬:୮) ତେଣୁ ନିଜ ପରିସ୍ଥିତିକୁ ଧ୍ୟାନରେ ରଖି ଏପରି ଲକ୍ଷ୍ୟ ରଖନ୍ତୁ ଯାହା ଆପଣ ହାସଲ କରିପାରିବେ । ଆସନ୍ତୁ କିଛି ପରାମର୍ଶ ଉପରେ ଧ୍ୟାନ ଦେବା ଯାହାକୁ ମାନି ଆପଣ ନିଜ ଲକ୍ଷ୍ୟ ହାସଲ କରିପାରିବେ ।

ଲକ୍ଷ୍ୟ ହାସଲ କରିବା ପାଇଁ ଇଚ୍ଛା ବଢ଼ାନ୍ତୁ

ନିଜ ଇଚ୍ଛା ବଢ଼ାଇବା ପାଇଁ ପ୍ରାର୍ଥନା କରନ୍ତୁ (ପାରାଗ୍ରାଫ ୩-୪)

୩. ଲକ୍ଷ୍ୟ ହାସଲ କରିବା ପାଇଁ ଇଚ୍ଛା ଥିବା କାହିଁକି ଜରୁରୀ ଅଟେ ?

କିଛି ଲକ୍ଷ୍ୟ ହାସଲ କରିବା ପାଇଁ ଇଚ୍ଛା ହେବା ବହୁତ ଜରୁରୀ । ଯେବେ ଆମ ଭିତରେ ଇଚ୍ଛା ଥିବ, ତେବେ ଆମେ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ କଠିନ ପରିଶ୍ରମ କରିବା । ଏହି ଇଚ୍ଛା ନଦୀର ପ୍ରବାହ ଭଳି ଅଟେ । ଯେପରି ନଦୀର ପ୍ରବାହ ଡଙ୍ଗାକୁ ନିଜ ଲକ୍ଷ୍ୟସ୍ଥଳ ଯାଏ ବଢ଼ିବା ପାଇଁ ସାହାଯ୍ୟ କରେ, ସେହିପରି ଆମ ଇଚ୍ଛା ଆମକୁ ନିଜ ଲକ୍ଷ୍ୟ ଆଡ଼କୁ ବଢ଼ିବା ପାଇଁ ସାହାଯ୍ୟ କରେ । ଆଉ ଯଦି ନଦୀର ପ୍ରବାହ ବହୁତ ଜୋର୍‌ ଅଛି, ତେବେ ନାବିକ ହୁଏତ ଶୀଘ୍ର ନିଜ ଲକ୍ଷ୍ୟସ୍ଥଳ ଯାଏ ପହଞ୍ଚିବ । ଠିକ୍‌ ସେହିପରି ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ଆମ ଭିତରେ ଯେତେ ଇଚ୍ଛା ଥିବ, ଆମେ ସେତେ ଶୀଘ୍ର ନିଜ ଲକ୍ଷ୍ୟକୁ ହାସଲ କରିପାରିବା । ଏଲ୍‌ ସାଲ୍‌ୱାଡୋର୍‌ରେ ରହୁଥିବା ଭାଇ ଡେଭିଡ୍‌ କହନ୍ତି, ‘ଯେବେ କିଛି କରିବା ପାଇଁ ଆପଣଙ୍କ ଭିତରେ ବହୁତ ଇଚ୍ଛା ଥାଏ, ତେବେ ଆପଣ ତାʼପାଇଁ କଠିନ ପରିଶ୍ରମ କରନ୍ତି । ତାʼଆଗରେ କୌଣସି ବାଧା ଆସିବା ପାଇଁ ଦିଅନ୍ତିନି ।’ ତାହେଲେ ଆପଣ ଏପରି କʼଣ କରିପାରିବେ, ଯାହାଦ୍ୱାରା ଆପଣଙ୍କ ଇଚ୍ଛା ଆହୁରି ବଢ଼ିବ ?

୪. ଆମେ କେଉଁ କଥା ପାଇଁ ପ୍ରାର୍ଥନା କରିପାରିବା ? (ଫିଲିପ୍‌ପୀୟ ୨:୧୩) (ଚିତ୍ର ମଧ୍ୟ ଦେଖନ୍ତୁ ।)

ପ୍ରାର୍ଥନା କରନ୍ତୁ ଯେ ଆପଣଙ୍କ ଭିତରେ ନିଜ ଲକ୍ଷ୍ୟକୁ ହାସଲ କରିବା ପାଇଁ ଇଚ୍ଛା ବଢ଼ୁ । ଯେବେ ଆପଣ ପ୍ରାର୍ଥନା କରିବେ, ତେବେ ଯିହୋବା ଆପଣଙ୍କୁ ନିଜ ପବିତ୍ର ଶକ୍ତି ଦେବେ । ତାʼପରେ ଆପଣଙ୍କୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଆହୁରି ଇଚ୍ଛା ହେବ । (ଫିଲିପ୍‌ପୀୟ ୨:୧୩ ପଢ଼ନ୍ତୁ ।) ବେଳେବେଳେ ଆମେ ଏଥିପାଇଁ କିଛି ଲକ୍ଷ୍ୟ ରଖୁ କାରଣ ଆମେ ଜାଣୁ ଯେ ଏପରି କରିବା ଉଚିତ୍‌ ଓ ଏହା ଭଲ କଥା ଅଟେ । କିନ୍ତୁ ହୋଇପାରେ, ଆମ ଭିତରେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଇଚ୍ଛା ନ ଥିବ । ଉଗାଣ୍ଡାରେ ରହୁଥିବା ଭଉଣୀ ନୌଉରିନ୍‌ଙ୍କ ସହ ବି ଏପରି ହିଁ କିଛି ହେଲା । ସେ ବାଇବଲ ଅଧ୍ୟୟନ କରାଇବା ପାଇଁ ଲକ୍ଷ୍ୟ ରଖିଥିଲେ । କିନ୍ତୁ ଏପରି କରିବା ପାଇଁ ତାଙ୍କ ଭିତରେ ବହୁତ ଇଚ୍ଛା ନ ଥିଲା, କାରଣ ତାଙ୍କୁ ଲାଗୁଥିଲା ଯେ ସେ ଭଲଭାବେ ଶିଖାଇପାରିବେନି । ତାଙ୍କୁ କେଉଁ କଥାରୁ ସାହାଯ୍ୟ ମିଳିଲା ? ସେ କହନ୍ତି, “ମୁଁ ପ୍ରତିଦିନ ଯିହୋବାଙ୍କୁ ପ୍ରାର୍ଥନା କରୁଥିଲି ଯେ ମୋ ଭିତରେ ବାଇବଲ ଅଧ୍ୟୟନ କରାଇବା ପାଇଁ ଇଚ୍ଛା ବଢ଼ୁ । ତାʼସହ ମୁଁ ଶିଖାଇବାର ଦକ୍ଷତା ବଢ଼ାଇବା ପାଇଁ ବହୁତ ପରିଶ୍ରମ କଲି । କିଛି ମାସ ପରେ ମୁଁ ଦେଖିଲି ଯେ ବାଇବଲ ଅଧ୍ୟୟନ କରାଇବା ପାଇଁ ମୋ ଭିତରେ ଆହୁରି ଇଚ୍ଛା ବଢ଼ିବାକୁ ଲାଗିଲା । ସେହି ବର୍ଷ ମୁଁ ଦୁଇଟି ବାଇବଲ ଅଧ୍ୟୟନ ଆରମ୍ଭ କରିପାରିଲି ।”

୫. କେଉଁ ବିଷୟରେ ଭାବିଲେ ନିଜ ଲକ୍ଷ୍ୟ ହାସଲ କରିବାର ଆମ ଇଚ୍ଛା ବଢ଼ିପାରେ ?

ଭାବନ୍ତୁ ଯେ ଯିହୋବା ଆପଣଙ୍କ ପାଇଁ ଏବେ ଯାଏ କʼଣ କʼଣ କରିଛନ୍ତି । (ଗୀତ. ୧୪୩:୫) ପ୍ରେରିତ ପାଉଲ ଏବିଷୟରେ ଚିନ୍ତନ କଲେ ଯେ ଯିହୋବା କିପରି ତାଙ୍କ ଉପରେ ମହାକୃପା କରିଛନ୍ତି, ତେବେ ସେ ଆହୁରି ମନପ୍ରାଣ ଦେଇ ଯିହୋବାଙ୍କ ସେବା କଲେ । (୧ କରି. ୧୫:୯, ୧୦; ୧ ତୀମ. ୧:୧୨-୧୪) ସେହିପରି ଯଦି ଆପଣ ଏବିଷୟରେ ଭାବୁଥିବେ ଯେ ଯିହୋବା ଆପଣଙ୍କ ପାଇଁ କʼଣ କʼଣ କରିଛନ୍ତି, ତେବେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଆପଣଙ୍କ ଇଚ୍ଛା ଆହୁରି ବଢ଼ିଯିବ । (ଗୀତ. ୧୧୬:୧୨) ଧ୍ୟାନ ଦିଅନ୍ତୁ ଯେ ହୋଣ୍ଡୁରାସ୍‌ରେ ରହୁଥିବା ଜଣେ ଭଉଣୀଙ୍କୁ କେଉଁ କଥାରୁ ସାହାଯ୍ୟ ମିଳିଲା । ସେ ଅଗ୍ରଦୂତ ସେବା କରିବା ପାଇଁ ଚାହୁଁଥିଲେ । ସେ କହନ୍ତି, “ମୁଁ ଏବିଷୟରେ ଭାବିଲି ଯେ ଯିହୋବା ମୋତେ କେତେ ପ୍ରେମ କରନ୍ତି । ସେ ମୋତେ ନିଜ ପରିବାରର ସଦସ୍ୟ କରିଛନ୍ତି । ସେ ମୋର ଚିନ୍ତା କରନ୍ତି, ମୋତେ ସୁରକ୍ଷା ଦିଅନ୍ତି । ଏପରି ଚିନ୍ତନ କରିବା ଦ୍ୱାରା ମୁଁ ଯିହୋବାଙ୍କୁ ଆହୁରି ପ୍ରେମ କରିବାକୁ ଲାଗିଲି ଓ ଅଗ୍ରଦୂତ ସେବା କରିବା ପାଇଁ ମୋତେ ଆହୁରି ଇଚ୍ଛା ହେବାକୁ ଲାଗିଲା ।”

୬. ନିଜ ଲକ୍ଷ୍ୟ ହାସଲ କରିବାର ଇଚ୍ଛା ବଢ଼ାଇବା ପାଇଁ ଆମେ ଆହୁରି କʼଣ କରିପାରିବା ?

ଭାବନ୍ତୁ ଯେ ଲକ୍ଷ୍ୟ ହାସଲ କରିବା ଦ୍ୱାରା ଆପଣଙ୍କୁ କʼଣ କʼଣ ଲାଭ ହୋଇପାରିବ । ପୁଣିଥରେ ଟିକେ ଏରିକାଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯାହାଙ୍କ ଲକ୍ଷ୍ୟ ପ୍ରଚାର ସେବାରେ ଠିକ୍‌ ସମୟରେ ପହଞ୍ଚିବାର ଥିଲା । ସେ କହନ୍ତି, “ମୁଁ ଭାବିଲି ଯେ ଡେରିରେ ପହଞ୍ଚିଲେ ମୁଁ ଅନେକ କିଛି କରିପାରେନି । କିନ୍ତୁ ଯଦି ମୁଁ ଶୀଘ୍ର ପହଞ୍ଚେ, ତାହେଲେ ମୁଁ ଭାଇଭଉଣୀଙ୍କୁ ଭେଟିପାରିବି, ସେମାନଙ୍କ ସହ ସମୟ ବିତାଇପାରିବି ଓ ସେଠାରେ ଯେଉଁ ବଢ଼ିଆ ପରାମର୍ଶ ଦିଆଯାଏ, ସେଗୁଡ଼ିକୁ ମଧ୍ୟ ଶୁଣିପାରିବି । ତାʼପରେ ମୁଁ ଭଲଭାବେ ପ୍ରଚାର କରିପାରିବି ଓ ମୋତେ ମଜା ବି ଆସିବ ।” ଏରିକା ଭାବିଲେ ଯେ ଠିକ୍‌ ସମୟରେ ପହଞ୍ଚିବା ଦ୍ୱାରା କʼଣ କʼଣ ଲାଭ ହୋଇପାରିବ, ତେଣୁ ସେ ନିଜ ଲକ୍ଷ୍ୟ ହାସଲ କରିପାରିଲେ । କʼଣ ଆପଣ ବି କିଛି ଲାଭ ବିଷୟରେ ଭାବିପାରିବେ ? ଯଦି ଆପଣ ଲକ୍ଷ୍ୟ ରଖନ୍ତି ଯେ ଆପଣ ଆହୁରି ଭଲଭାବେ ପ୍ରାର୍ଥନା କରିବେ କିମ୍ବା ବାଇବଲ ପଢ଼ିବେ, ତେବେ ଭାବନ୍ତୁ ଯେ ଏପରି କରିବା ଦ୍ୱାରା ଯିହୋବାଙ୍କ ସହ ଆପଣଙ୍କ ସମ୍ପର୍କ ଆହୁରି ଦୃଢ଼ ହୋଇଯିବ । (ଗୀତ. ୧୪୫:୧୮, ୧୯) କିମ୍ବା ଯଦି ଆପଣ ନିଜ ଭିତରେ କିଛି ଗୁଣ ବଢ଼ାଇବା ପାଇଁ ଚାହାଁନ୍ତି, ତେବେ ଭାବନ୍ତୁ ଯେ ଏଥିରୁ ଭାଇଭଉଣୀମାନଙ୍କ ସହ ଆପଣଙ୍କ ସମ୍ପର୍କ ଆହୁରି ଭଲ ହୋଇଯିବ । (କଲ. ୩:୧୪) କେତେ ଭଲ ହେବ ଯେ ଆପଣ ଗୋଟେ ଜାଗାରେ ସେସବୁ କଥାକୁ ଲେଖିରଖନ୍ତୁ ଯେ ଆପଣ କାହିଁକି କୌଣସି ଲକ୍ଷ୍ୟକୁ ହାସଲ କରିବା ପାଇଁ ଚାହାଁନ୍ତି । ତାʼପରେ ମଝି ମଝିରେ ସେ କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ । ତୋମାସ୍‌, ଯାହାଙ୍କ ବିଷୟରେ ପୂର୍ବେ ଚର୍ଚ୍ଚା କରାଯାଇଥିଲା, ସେ କହନ୍ତି, “କିଛି ଲକ୍ଷ୍ୟ ହାସଲ କରିବା ପାଇଁ ମୋ ପାଖରେ ଯେତେ ଅଧିକ କାରଣ ଥାଏ, ମୁଁ ସେହି ଲକ୍ଷ୍ୟକୁ ହାସଲ କରିବା ପାଇଁ ସେତେ ଅଧିକ ପରିଶ୍ରମ କରେ ।”

୭. ଭାଇ ହୁଲିୟୋ ଓ ତାଙ୍କ ସ୍ତ୍ରୀଙ୍କୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କିପରି ସାହାଯ୍ୟ ମିଳିଲା ?

ସେହି ଲୋକମାନଙ୍କ ସହ ସମୟ ବିତାନ୍ତୁ ଯେଉଁମାନେ ଲକ୍ଷ୍ୟ ହାସଲ କରିବା ପାଇଁ ଆପଣଙ୍କୁ ସାହାଯ୍ୟ କରିବେ । (ହିତୋ. ୧୩:୨୦) ଭାଇ ହୁଲିୟୋ ଓ ତାଙ୍କ ସ୍ତ୍ରୀ ଏପରି ଜାଗାରେ ଯାଇ ସେବା କରିବାର ଲକ୍ଷ୍ୟ ରଖିଥିଲେ, ଯେଉଁଠି ପ୍ରଚାରକମାନଙ୍କର ଅଧିକ ଆବଶ୍ୟକ ଥିଲା । ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ସେମାନଙ୍କୁ କେଉଁ କଥା ସାହାଯ୍ୟ କଲା ? ଭାଇ କହନ୍ତି, “ଆମେ ଏପରି ସାଙ୍ଗ କରିଲୁ ଯେଉଁମାନେ ଆମକୁ ଆହୁରି ପରିଶ୍ରମ କରିବା ପାଇଁ ପ୍ରୋତ୍ସାହନ ଦେଲେ । ଆମେ ସେମାନଙ୍କ ସହ ନିଜ ଲକ୍ଷ୍ୟଗୁଡ଼ିକ ବିଷୟରେ ଖୋଲିକି କଥା ହେଉଥିଲୁ । ଆଉ ସେମଧ୍ୟରୁ ଅନେକ ଏପରି ସାଙ୍ଗ ଥିଲେ ଯେଉଁମାନେ ଆମ ଭଳି ନିଜ ଲକ୍ଷ୍ୟ ହାସଲ କରିଥିଲେ । ତେଣୁ ସେମାନେ ଆମକୁ ଭଲ ପରାମର୍ଶ ବି ଦେଇପାରିଲେ । ସମୟ ସମୟରେ ସେମାନେ ଆମକୁ ପଚାରୁଥିଲେ ଯେ ସବୁକିଛି କିପରି ଚାଲୁଛି ଓ ଦରକାର ସମୟରେ ସେମାନେ ଆମର ଉତ୍ସାହ ବି ବଢ଼ାଉଥିଲେ ।”

ଯେବେ ଲକ୍ଷ୍ୟ ହାସଲ କରିବାର ଇଚ୍ଛା କମ୍‌ ହେବାକୁ ଲାଗେ

ଲକ୍ଷ୍ୟ ହାସଲ କରିବା ପାଇଁ ପରିଶ୍ରମ କରିବା ଜାରି ରଖନ୍ତୁ (ପାରାଗ୍ରାଫ ୮)

୮. ଯଦି ଆମେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ କେବଳ ସେସମୟରେ ପରିଶ୍ରମ କରିବା, ଯେବେ ଆମକୁ ଇଚ୍ଛା ହେବ, ତେବେ କʼଣ ହୋଇପାରେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

ଦେଖିବାକୁ ଗଲେ ସମସ୍ତଙ୍କ ଜୀବନରେ ଅନେକଥର ଏପରି ସମୟ ଆସେ, ଯେବେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଇଚ୍ଛା ହିଁ ହୁଏନି । ତାହେଲେ କʼଣ ଆମେ କିଛି ବି କରିପାରିବାନି ? ଏପରି ନୁହେଁ । ପୁଣିଥରେ ଟିକେ ଡଙ୍ଗା ବିଷୟରେ ଭାବନ୍ତୁ । ନଦୀର ପ୍ରବାହରେ ବହୁତ ଶକ୍ତି ଥାଏ, ଯାହାଯୋଗୁଁ ଡଙ୍ଗା ନିଜ ଲକ୍ଷ୍ୟସ୍ଥଳ ଯାଏ ପହଞ୍ଚେ । କିନ୍ତୁ ଅନେକଥର ପ୍ରବାହ ଜୋର୍‌ ନ ଥାଏ ଓ ବେଳେବେଳେ ଏପରି ଲାଗେ ଯେ ପାଣି ଅଟକି ଯାଇଛି । ଏପରି ସମୟରେ କʼଣ ନାବିକ ଆଗକୁ ବଢ଼ିପାରିବନି ? ନିଶ୍ଚୟ ବଢ଼ିପାରିବ । କିଛି ଡଙ୍ଗାରେ ମୋଟର ଲାଗି ଥାଏ ଓ କିଛିରେ କାତ ତାʼସାହାଯ୍ୟରେ ନାବିକ ନିଜ ଲକ୍ଷ୍ୟସ୍ଥଳ ଯାଏ ବଢ଼ିପାରିବ । ନିଜ ଲକ୍ଷ୍ୟ ହାସଲ କରିବାର ଆମ ଇଚ୍ଛା ବି ନଦୀର ପ୍ରବାହ ଭଳି କମ୍‌ ହୋଇପାରେ କିମ୍ବା ବେଶି ହୋଇପାରେ । ବେଳେବେଳେ ହୁଏତ ଆମକୁ ବହୁତ କିଛି କରିବା ପାଇଁ ଇଚ୍ଛା ହେବ, କିନ୍ତୁ ବେଳେବେଳେ ଆମକୁ କିଛି ବି କରିବା ପାଇଁ ଇଚ୍ଛା ହେବନି । ଯଦି ଆମେ ଏପରି ଭାବିବା ଯେ ଯେବେ ମୋ ଇଚ୍ଛା ହେବ ତେବେ ହିଁ ମୁଁ ପରିଶ୍ରମ କରିବି, ତେବେ ହୁଏତ ଆମେ କେବେ ବି ନିଜ ଲକ୍ଷ୍ୟ ହାସଲ କରିପାରିବାନି । ତେଣୁ ଆମକୁ ଇଚ୍ଛା ନ ହେଲେ ବି ନାବିକ ଭଳି ଆଗକୁ ବଢ଼ିବା ପାଇଁ ଆମେ ଅଲଗା ଅଲଗା ଉପାୟ ଆପଣାଇପାରିବା । ଏପରି କରିବା ପାଇଁ ହୁଏତ ଆମକୁ ନିଜ ସହ କଠୋର ହେବାକୁ ପଡ଼ିବ, କିନ୍ତୁ ଯେବେ ଆମେ ନିଜ ଲକ୍ଷ୍ୟ ହାସଲ କରିନେବା, ତେବେ ଆମକୁ ବହୁତ ଖୁସି ମିଳିବ । ତାହେଲେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଆମେ କʼଣ କʼଣ କରିପାରିବା ? ଏହା ଜାଣିବା ପୂର୍ବେ ଆସନ୍ତୁ ଗୋଟିଏ ଜରୁରୀ ପ୍ରଶ୍ନ ଉପରେ ଧ୍ୟାନ ଦେବା ।

୯. ଯେବେ ଆମକୁ ଲକ୍ଷ୍ୟ ହାସଲ କରିବା ପାଇଁ ଇଚ୍ଛା ହିଁ ହେଉ ନ ଥିବ, କʼଣ ତେବେ ବି ଆମେ ତାʼପାଇଁ ପରିଶ୍ରମ କରିବା ଉଚିତ୍‌ ? ବୁଝାନ୍ତୁ ।

ଯିହୋବା ଚାହାଁନ୍ତି ଯେ ଆମେ ଖୁସି ଖୁସି ଓ ନିଜ ଇଚ୍ଛାରୁ ତାଙ୍କ ସେବା କରୁ । (ଗୀତ. ୧୦୦:୨; ୨ କରି. ୯:୭) ଯେବେ ଆମକୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଇଚ୍ଛା ହୁଏନି, ତେବେ ବି କʼଣ ଆମେ ଲଗାତାର ପରିଶ୍ରମ କରିବା ଉଚିତ୍‌ ? ପ୍ରେରିତ ପାଉଲଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ କହିଲେ, “ମୋହର ନିଜ ଶରୀରକୁ କଷ୍ଟ ଦେଇ ବଶରେ ଦାସ କରି ରଖୁଅଛି ।” (୧ କରି. ୯:୨୫-୨୭) ପାଉଲ ନିଜକୁ କଷ୍ଟ ପହଞ୍ଚାଉଥିଲେ ଓ ଠିକ୍‌ କାମ କରୁଥିଲେ, ସେସମୟରେ ବି ଯେବେ ତାଙ୍କୁ ଏପରି କରିବା ପାଇଁ ଇଚ୍ଛା ହେଉ ନ ଥିଲା । କʼଣ ଯିହୋବା ପାଉଲଙ୍କ ସେବାରେ ଖୁସି ଥିଲେ ? ନିଶ୍ଚୟ । ଯିହୋବା ତାଙ୍କ ପରିଶ୍ରମ ପାଇଁ ପୁରସ୍କାର ମଧ୍ୟ ଦେଲେ ।—୨ ତୀମ. ୪:୭, ୮.

୧୦. ଯେବେ ଆମକୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ପରିଶ୍ରମ କରିବାର ଇଚ୍ଛା ହୁଏନି, ତଥାପି ଏପରି କଲେ କେଉଁ କେଉଁ ଲାଭ ମିଳିବ ?

୧୦ ସେହିପରି ଯଦି ଆମେ ବି ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ପରିଶ୍ରମ କରୁଥିବା, ଯଦିଓ ତାହା କରିବା ପାଇଁ ଆମକୁ ଇଚ୍ଛା ହୁଏନି, ତେବେ ଯିହୋବା ଆମଠାରୁ ମଧ୍ୟ ଖୁସି ହେବେ । କାରଣ ସେ ଜାଣନ୍ତି ଯେ ବେଳେବେଳେ ଆମକୁ କୌଣସି କାମ କରିବା ପାଇଁ ଇଚ୍ଛା ହୁଏନି, ତଥାପି ଆମେ କରୁଛୁ, କାରଣ ଆମେ ତାଙ୍କୁ ପ୍ରେମ କରୁ । ଯେପରି ସେ ପାଉଲଙ୍କୁ ଆଶିଷ ଦେଲେ ସେହିପରି ସେ ଆମ ପରିଶ୍ରମ ଉପରେ ମଧ୍ୟ ଆଶିଷ ଦେବେ । (ଗୀତ. ୧୨୬:୫) ଆଉ ଯେବେ ଆମେ ଦେଖିବା ଯେ ଯିହୋବା ଆମ ପରିଶ୍ରମ ଉପରେ ଆଶିଷ ଦେଉଛନ୍ତି, ତେବେ ହୁଏତ ଆମକୁ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଇଚ୍ଛା ହେବ । ପୋଲାଣ୍ଡରେ ରହୁଥିବା ଭଉଣୀ ଲୁସିନା କହନ୍ତି, “ଅନେକଥର ମୋତେ ପ୍ରଚାର କରିବା ପାଇଁ ଇଚ୍ଛା ହୁଏନି, ବିଶେଷ କରି ଯେବେ ମୁଁ ଥକି ଯାଇଥାଏ । ତଥାପି ଯଦି ମୁଁ ପ୍ରଚାରରେ ଯାଏ, ତେବେ ମୋତେ ଏତେ ଖୁସି ଲାଗେ ଯେ ଆଉ ମୁଁ କʼଣ କହିବି ।” ଆସନ୍ତୁ ଦେଖିବା ଯେ ଯଦି ଆମର ଲକ୍ଷ୍ୟ ହାସଲ କରିବାର ଇଚ୍ଛା କମ୍‌ ହେବାକୁ ଲାଗେ, ତେବେ ଆମେ କʼଣ କରିପାରିବା ।

୧୧. ଯିହୋବା ନିଜ ଉପରେ କାବୁ କରିବା ପାଇଁ ଆମକୁ କିପରି ସାହାଯ୍ୟ କରିପାରିବେ ?

୧୧ ସଂଯମତା ବଢ଼ାଇବା ପାଇଁ ପ୍ରାର୍ଥନା କରନ୍ତୁ । ସଂଯମର ଅର୍ଥ ହେଉଛି, ନିଜ ଭାବନା ଓ କାମ ଉପରେ କାବୁ ରଖିବା । ଯେବେ ସଂଯମ ବା ନିଜ ଉପରେ କାବୁ ରଖିବାର କଥା ଆସେ, ତେବେ ପ୍ରାୟ ତାʼର ଅର୍ଥ ଥାଏ ଯେ ଆମେ ନିଜକୁ ଖରାପ କାମଗୁଡ଼ିକରୁ ରୋକିବା ପାଇଁ ଚାହୁଁ । କିନ୍ତୁ ସଂଯମ ରଖିବା ତେବେ ବି ଜରୁରୀ ହୋଇଥାଏ, ଯେବେ ଆମକୁ ସଠିକ୍‌ କାମ କରିବାର ଥାଏ, ବିଶେଷ କରି ଯେବେ ସେ କାମ କଠିନ ଥାଏ କିମ୍ବା ତାହା ଆମକୁ କରିବା ପାଇଁ ଇଚ୍ଛା ହୁଏନି । ମନେରଖନ୍ତୁ ଈଶ୍ୱରଙ୍କ ପବିତ୍ର ଶକ୍ତିର ସାହାଯ୍ୟରେ ଆମେ ସଂଯମର ଗୁଣ ବଢ଼ାଇପାରିବା, ତେଣୁ ପବିତ୍ର ଶକ୍ତି ପାଇଁ ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ । (ଲୂକ ୧୧:୧୩; ଗାଲା. ୫:୨୨, ୨୩) ଡେଭିଡ୍‌ ଯାହାଙ୍କ ବିଷୟରେ ପୂର୍ବେ ଚର୍ଚ୍ଚା କରାଯାଇଥିଲା, ସେ ବ୍ୟକ୍ତିଗତ ଅଧ୍ୟୟନ ପାଇଁ ଭଲ ଅଭ୍ୟାସ କରିବାକୁ ଚାହୁଁଥିଲେ । ସେ କହନ୍ତି ଯେ ପ୍ରାର୍ଥନା ଦ୍ୱାରା କିପରି ତାଙ୍କୁ ସାହାଯ୍ୟ ମିଳିଲା । ସେ କହନ୍ତି, “ମୁଁ ବାରମ୍ବାର ଯିହୋବାଙ୍କୁ ପ୍ରାର୍ଥନା କରୁଥିଲି ଯେ ସେ ମୋତେ ନିଜ ଉପରେ କାବୁ କରିବା ପାଇଁ ସାହାଯ୍ୟ କରନ୍ତୁ । ତାଙ୍କ ସାହାଯ୍ୟରେ ମୁଁ ବ୍ୟକ୍ତିଗତ ଅଧ୍ୟୟନ କରିବାର ଭଲ ସେଡ୍ୟୁଲ କରିପାରିଲି ଓ ତାʼଅନୁସାରେ ଚାଲିପାରିଲି ।”

୧୨. ଉପଦେଶକ ୧୧:୪ ପଦରେ ଦିଆଯାଇଥିବା ସିଦ୍ଧାନ୍ତ ଉପରେ ଧ୍ୟାନ ଦେବା ଯୋଗୁଁ ଆମେ କିପରି ନିଜ ଲକ୍ଷ୍ୟ ହାସଲ କରିପାରିବା ?

୧୨ ଏହା ଭାବନ୍ତୁନି ଯେ ସବୁକିଛି ଠିକ୍‌ ହୋଇଯିବ, ତେବେ ମୁଁ କିଛି କରିବି । ଏହି ଦୁନିଆରେ ହୁଏତ ଏପରି ସମୟ କେବେ ବି ଆସିବନି ଯେବେ ସବୁକିଛି ଠିକ୍‌ ହୋଇଯିବ । ଯଦି ଆମେ ଭଲ ପରିସ୍ଥିତିର ଅପେକ୍ଷା କରୁଥିବା, ତେବେ ହୁଏତ ଆମେ କେବେ ବି ନିଜ ଲକ୍ଷ୍ୟ ହାସଲ କରିପାରିବାନି । (ଉପଦେଶକ ୧୧:୪ ପଢ଼ନ୍ତୁ ।) ଭାଇ ଡେନିୟେଲ୍‌ କହନ୍ତି, “ଏପରି କେବେ ବି ହୋଇପାରିବନି ଯେବେ ପରିସ୍ଥିତି ପୂରାପୂରି ଠିକ୍‌ ହୋଇଯିବ । ତେଣୁ ଆମକୁ ଅପେକ୍ଷା କରିବା ଉଚିତ୍‌ ନୁହେଁ, କେବଳ କାମ କରିବା ଆରମ୍ଭ କରି ଦେବା ଉଚିତ୍‌ ।” ୟୁଗାଣ୍ଡାରେ ରହୁଥିବା ଭାଇ ପୋଲ୍‌ ଆଉ ଗୋଟିଏ କାରଣ କହନ୍ତି ଯେ ଆମେ କାହିଁକି ଏଡ଼ାଇବା ଉଚିତ୍‌ ନୁହେଁ: “ଯେବେ ଆମେ କଠିନ ପରିସ୍ଥିତିରେ ମଧ୍ୟ କୌଣସି କାମ କରିବା ଆରମ୍ଭ କରିଦେଉ, ତେବେ ଆମେ ଯିହୋବାଙ୍କୁ ଆଶିଷ ଦେବାର ସୁଯୋଗ ଦେଉଥାଉ ।”—ମଲାଖି ୩:୧୦.

୧୩. ଆରମ୍ଭରେ ଛୋଟ ଛୋଟ ଲକ୍ଷ୍ୟ ରଖିବା କାହିଁକି ଭଲ ହୁଏ ?

୧୩ ପ୍ରଥମେ ଛୋଟ ଛୋଟ ଲକ୍ଷ୍ୟ ରଖନ୍ତୁ । ହୋଇପାରେ, ଆମେ ଯେଉଁ ଲକ୍ଷ୍ୟ ରଖିଥିବା ତାହା ପୂରା କରିବା ଆମକୁ ବହୁତ କଠିନ ଲାଗୁଥିବ, ତେଣୁ ତାʼପାଇଁ ପରିଶ୍ରମ କରିବା ଆମକୁ ଇଚ୍ଛା ହିଁ ହେଉ ନ ଥିବ । ଯଦି ଆପଣଙ୍କ ସହ ଏପରି ହୁଏ, ତାହେଲେ ଆପଣ ଯେଉଁ ଲକ୍ଷ୍ୟ ରଖିଛନ୍ତି, ତାହା ପାଇବା ପାଇଁ ଛୋଟ ଛୋଟ ଲକ୍ଷ୍ୟ ରଖନ୍ତୁ । ଯେପରି, ଆପଣ କୌଣସି ଗୁଣ ବଢ଼ାଇବାର ଲକ୍ଷ୍ୟ ରଖିଛନ୍ତି, ତାହେଲେ ଆପଣ ଚାହିଁଲେ ପ୍ରଥମେ ସେହି ଗୁଣଗୁଡ଼ିକୁ ଛୋଟ ଛୋଟ ଉପାୟରୁ ଦେଖାଇପାରିବେ । କିମ୍ବା ଯଦି ଆପଣ ପୂରା ବାଇବଲ ପଢ଼ିବାର ଲକ୍ଷ୍ୟ ରଖିଛନ୍ତି, ତାହେଲେ କʼଣ ଆପଣ ପ୍ରତିଦିନ କିଛି ସମୟ ପାଇଁ ବାଇବଲ ପଢ଼ିବା ଆରମ୍ଭ କରିବେ ? ତୋମାସ୍‌, ଯାହାଙ୍କ ବିଷୟରେ ପୂର୍ବେ ଚର୍ଚ୍ଚା କରାଯାଇଥିଲା, ସେ ଗୋଟେ ବର୍ଷରେ ବାଇବଲ ପଢ଼ିବାର ଲକ୍ଷ୍ୟ ରଖିଥିଲେ । କିନ୍ତୁ ତାହା ସେ ହାସଲ କରିପାରୁ ନ ଥିଲେ । ସେ କହନ୍ତି, “ମୋତେ ଅନୁଭବ ହେଲା ଯେ ମୁଁ ଏକାଥରେ ବହୁତ ଭାଗ ପଢ଼ିବା ପାଇଁ ଚେଷ୍ଟା କରୁଥିଲି । ତେଣୁ ମୁଁ ପୁଣିଥରେ ପଢ଼ିବା ପାଇଁ ଆରମ୍ଭ କଲି, କିନ୍ତୁ ଏଥର ମୁଁ ପ୍ରତିଦିନ କିଛି ପଦ ପଢ଼ିବା ଓ ସେବିଷୟରେ ଚିନ୍ତନ କରିବା ପାଇଁ ଭାବିଲି । ତାʼପରେ ମୋତେ ବାଇବଲ ପଢ଼ିବା ପାଇଁ ମଜା ଆସିବାକୁ ଲାଗିଲା ।” ଯେବେ ତୋମାସ୍‌କୁ ବାଇବଲ ପଢ଼ିବା ପାଇଁ ମଜା ଆସିବାକୁ ଲାଗିଲା, ତେବେ ସେ ଡେରି ଯାଏ ବାଇବଲ ପଢ଼ିବାକୁ ଲାଗିଲେ । ଶେଷରେ ସେ ପୂରା ବାଇବଲ ପଢ଼ିକି ବି ଶେଷ କରିଦେଲେ ! b

ବାଧା ଆସିଲେ, ହାର୍‌ ମାନନ୍ତୁନି

୧୪. ଆମ ଆଗରେ କେଉଁ କେଉଁ ବାଧା ଆସିପାରେ ?

୧୪ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ଆମ ଭିତରେ ଯେତେ ବି ଇଚ୍ଛା ଥାଉ କିମ୍ବା ନିଜ ସହିତ ଆମେ କେତେ ବି କଠୋରତାର ସହ ବ୍ୟବହାର କରୁ, କିନ୍ତୁ କିଛି ନା କିଛି ବାଧା ଆସି ହିଁ ଯାଏ । ହୋଇପାରେ, ହଠାତ୍‌ କୌଣସି “ଅଘଟଣ” ହୋଇପାରେ, ଯାହାଯୋଗୁଁ ଆମଠାରେ ନିଜ ଲକ୍ଷ୍ୟକୁ ପୂରା କରିବା ପାଇଁ ସମୟ ହିଁ ରହିବନି । (ଉପ. ୯:୧୧, NWT) କିମ୍ବା ହୋଇପାରେ ଆମେ କୌଣସି ସମସ୍ୟାର ସାମନା କରୁଥିବା, ଯାହାଯୋଗୁଁ ଆମେ ନିରାଶ ହୋଇଯିବା ଓ ଆମ ପାଖରେ ଶକ୍ତି ହିଁ ରହିବନି । (ହିତୋ. ୨୪:୧୦) ତାʼଛଡ଼ା ଆମେ ଅପରିପୂର୍ଣ୍ଣ ଅଟୁ, ତେଣୁ ହୁଏତ ଆମ ଦ୍ୱାରା କୌଣସି ଭୁଲ ହୋଇଯିବ, ତାʼଯୋଗୁଁ ହୁଏତ ଆମେ ନିଜ ଲକ୍ଷ୍ୟଠାରୁ ଆହୁରି ଦୂରେଇ ଯିବା । (ରୋମୀ. ୭:୨୩) କିମ୍ବା ହୁଏତ ଆମେ ଥକି ଯାଉଥିବା । (ମାଥି. ୨୬:୪୩) ଯଦି ଆମ ଆଗରେ ଏପରି କୌଣସି ବାଧା ଆସେ, ତେବେ ଆମେ କʼଣ କରିପାରିବା ?

୧୫. ଯଦି ଆମ ଆଗରେ କୌଣସି ବାଧା ଆସେ, ତେବେ କʼଣ ତାʼଅର୍ଥ ଏହା ଯେ ଆମେ ବିଫଳ ହୋଇଯାଇଛୁ ? ବୁଝାନ୍ତୁ । (ଗୀତସଂହିତା ୧୪୫:୧୪)

୧୫ ବାଧା ଆସିବାର ଅର୍ଥ ଏହା ନୁହେଁ ଯେ ଆମେ ବିଫଳ ହୋଇଯାଇଛୁ । ବାଇବଲରେ କୁହାଯାଇଛି ଯେ ଆମେ ବାରମ୍ବାର ପଡ଼ିପାରୁ ଅର୍ଥାତ୍‌ ଆମ ଆଗରେ ସମସ୍ୟା ଆସିପାରେ । କିନ୍ତୁ ବାଇବଲରେ ଏହା ବି କୁହାଯାଇଛି ଯେ ଆମେ ଉଠିପାରିବା, ବିଶେଷ କରି ଯେବେ ଯିହୋବା ଆମ ସାଙ୍ଗରେ ଥିବେ । (ଗୀତସଂହିତା ୧୪୫:୧୪ ପଢ଼ନ୍ତୁ ।) ଫିଲିପ୍‌ ଯାହାଙ୍କ ବିଷୟରେ ପୂର୍ବେ ଚର୍ଚ୍ଚା କରାଯାଇଥିଲା, କହନ୍ତି, “ମୋ ସଫଳତା ଏଥିରୁ ଜଣାପଡ଼େନି ଯେ ମୁଁ କେତେଥର ପଡ଼ିଛି, ବରଂ ଏଥିରୁ ଜଣାପଡ଼େ ଯେ ମୁଁ କେତେଥର ଉଠି ନିଜ ଲକ୍ଷ୍ୟ ଆଡ଼କୁ ବଢ଼ିଲି ।” ଡେଭିଡ୍‌ ଯାହାଙ୍କ ବିଷୟରେ ପୂର୍ବେ ଚର୍ଚ୍ଚା କରାଯାଇଥିଲା, କହନ୍ତି, “ମୋ ଆଗରେ ଯେବେ କୌଣସି ବାଧା ଆସେ, ତେବେ ମୁଁ ଏହା ଭାବେନି ଯେ ଏବେ ମୁଁ ନିଜ ଲକ୍ଷ୍ୟ ହାସଲ କରିପାରିବିନି, ବରଂ ଏହା ଭାବେ ଯେ ମୁଁ ଯିହୋବାଙ୍କୁ କେତେ ପ୍ରେମ କରେ ତାହା ଦେଖାଇବାର ମୋତେ ସୁଯୋଗ ମିଳିଛି ।” ସତରେ, ଯେବେ କୌଣସି ବାଧା ଆସିଲେ ମଧ୍ୟ ଆମେ ନିଜ ଲକ୍ଷ୍ୟ ଆଡ଼କୁ ବଢ଼ିବା ଜାରି ରଖୁ, ତେବେ ଏଥିରୁ ଜଣାପଡ଼େ ଯେ ଆମେ ଯିହୋବାଙ୍କୁ ଖୁସି କରିବା ପାଇଁ ଚାହୁଁ । ଭାବନ୍ତୁ, ଯେବେ ଯିହୋବା ଆପଣଙ୍କ ପରିଶ୍ରମକୁ ଦେଖୁଥିବେ, ତେବେ ତାଙ୍କୁ କେତେ ଖୁସି ହେଉଥିବ !

୧୬. ଯେବେ କୌଣସି ବାଧା ଆସେ, ତେବେ ହୁଏତ ଆମକୁ ସେଥିରୁ କʼଣ ଜଣାପଡ଼ିବ ?

୧୬ ଯେବେ କୌଣସି ବାଧା ଆସେ, ତେବେ ସେଥିରୁ ଶିଖନ୍ତୁ । ଭାବନ୍ତୁ ଯେ ତାହା କାହିଁକି ଆସିଲା ଓ ତାʼପରେ ନିଜକୁ ପଚାରନ୍ତୁ, ‘ମୁଁ ଏପରି କʼଣ କରିପାରିବି ଯାହାଦ୍ୱାରା ତାହା ପୁଣିଥରେ ନ ହେଉ ?’ (ହିତୋ. ୨୭:୧୨) କିନ୍ତୁ ବେଳେବେଳେ ଯେବେ କୌଣସି ବାଧା ଆସେ, ତେବେ ସେଥିରୁ ହୁଏତ ଆମକୁ ଜଣାପଡ଼ିବ ଯେ ଆମେ ଯେଉଁ ଲକ୍ଷ୍ୟ ରଖିଛୁ, ତାହା ଆମ ପରିସ୍ଥିତି ହିସାବରେ ଠିକ୍‌ ନୁହେଁ । ଯଦି ଆପଣଙ୍କୁ ବି ଏପରି ଲାଗେ, ତେବେ ନିଜ ଲକ୍ଷ୍ୟ ବିଷୟରେ ପୁଣିଥରେ ଭାବନ୍ତୁ ଓ ଦେଖନ୍ତୁ ଯେ ଆପଣ ସେହି ଲକ୍ଷ୍ୟକୁ ହାସଲ କରିପାରିବେ ନା ନାହିଁ । c ମନେରଖନ୍ତୁ, ଯଦି ଆପଣ ନିଜ ଲକ୍ଷ୍ୟକୁ ହାସଲ କରିପାରିବେନି, ତାହେଲେ ଯିହୋବା ଏପରି କେବେ ଭାବିବେନି ଯେ ଆପଣ ବିଫଳ ହୋଇଯାଇଛନ୍ତି ।—୨ କରି. ୮:୧୨.

୧୭. ଆମେ ଏବେ ଯାଏ ଯାହା ଯାହା ହାସଲ କରିଛୁ, ସେଗୁଡ଼ିକୁ କାହିଁକି ମନେରଖିବା ଉଚିତ୍‌ ?

୧୭ ଆପଣ ଏବେ ଯାଏ ଯାହା ଯାହା କରିଛନ୍ତି, ସେଗୁଡ଼ିକୁ ମନେରଖନ୍ତୁ । ବାଇବଲରେ ଲେଖାଅଛି ଯେ ‘ଈଶ୍ୱର ତୁମ୍ଭମାନଙ୍କର କର୍ମ, ତାହା ଯେ ଭୁଲିଯିବେ, ଏପରି ଅନ୍ୟାୟକାରୀ ସେ ନୁହନ୍ତି ।’ (ଏବ୍ରୀ ୬:୧୦) ଆପଣଙ୍କୁ ବି ନିଜ କାମଗୁଡ଼ିକୁ ଭୁଲିବା ଉଚିତ୍‌ ନୁହେଁ । ଭାବନ୍ତୁ ଯେ ଆପଣ ଏବେ ଯାଏ କʼଣ କʼଣ ହାସଲ କରିଛନ୍ତି । ଯେପରି ଆପଣ ଯିହୋବାଙ୍କ ସହ ଗୋଟିଏ ଭଲ ସମ୍ପର୍କ ଗଢ଼ିଛନ୍ତି, ଅନ୍ୟମାନଙ୍କୁ ଯିହୋବାଙ୍କ ବିଷୟରେ କହନ୍ତି କିମ୍ବା ଆପଣ ବାପ୍ତିସ୍ମ ନେଇଛନ୍ତି । ଯେପରି ଭାବେ ଏବେ ଯାଏ ଆପଣ ଉନ୍ନତି କରିଛନ୍ତି ଓ ନିଜ ଲକ୍ଷ୍ୟ ହାସଲ କରିଛନ୍ତି, ଠିକ୍‌ ସେହିପରି ଆପଣ ଆଗକୁ ବି ଉନ୍ନତି କରିପାରିବେ ଓ ନିଜ ଲକ୍ଷ୍ୟ ହାସଲ କରିପାରିବେ ।—ଫିଲିପ୍‌. ୩:୧୬.

ଯାତ୍ରାର ମଜା ନିଅନ୍ତୁ (ପାରାଗ୍ରାଫ ୧୮)

୧୮. ଯେବେ ଆମେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ପରିଶ୍ରମ କରୁ, ତେବେ ଆମେ କʼଣ ମନେରଖିବା ଉଚିତ୍‌ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୮ ଯେପରି ଜଣେ ନାବିକ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ଖୁସି ପାଏ, ଠିକ୍‌ ସେହିପରି ଯିହୋବାଙ୍କ ସାହାଯ୍ୟରେ ଆପଣ ମଧ୍ୟ ନିଜ ଲକ୍ଷ୍ୟ ହାସଲ କରିପାରିବେ ଓ ଖୁସି ପାଇପାରିବେ । କିନ୍ତୁ ମନେରଖନ୍ତୁ, ଅନେକ ନାବିକ ନିଜ ଯାତ୍ରାର ବି ମଜା ନିଅନ୍ତି । ଠିକ୍‌ ସେହିପରି, ଯେବେ ଆପଣ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ପରିଶ୍ରମ କରନ୍ତି, ତେବେ ଧ୍ୟାନ ରଖନ୍ତୁ ଯେ ଯିହୋବା କିପରି ଆପଣଙ୍କୁ ସାହାଯ୍ୟ କରୁଛନ୍ତି ଓ ଆଶିଷଗୁଡ଼ିକ ଦେଉଛନ୍ତି ଆଉ ଏକଥାରୁ ଖୁସି ପାଆନ୍ତୁ । (୨ କରି. ୪:୭) ଯଦି ଆପଣ ସାହସ ଛାଡ଼ିବେନି, ତାହେଲେ ଆପଣଙ୍କୁ ଆହୁରି ଆଶିଷ ମିଳିବ !—ଗାଲା. ୬:୯.

ଗୀତ ୧୨୬ ଜାଗତେ ରହୋ, ଶକ୍ତିଶାଳୀ ବାନତେ ଜାଓ

a ଆମକୁ ଲଗାତାର ପ୍ରୋତ୍ସାହନ ଦିଆଯାଏ ଯେ ଆମେ ଯିହୋବାଙ୍କ ସେବା ଆହୁରି ଭଲଭାବେ କରିବା ପାଇଁ କିଛି ଲକ୍ଷ୍ୟ ରଖୁ । ହୋଇପାରେ ଆମେ କିଛି ଲକ୍ଷ୍ୟ ରଖିଥିବା, କିନ୍ତୁ ତାହା ପୂରା କରିବା ଆମ ପାଇଁ କଠିନ ହେଉଥିବ । ଏହି ଲେଖାରେ ଦିଆଯାଇଥିବା ପରାମର୍ଶଗୁଡ଼ିକୁ ମାନିଲେ ଆମେ ନିଜ ଲକ୍ଷ୍ୟ ହାସଲ କରିପାରିବା ।

c ଏବିଷୟରେ ଆହୁରି ଜାଣିବା ପାଇଁ ୧୫ ଜୁଲାଇ, ୨୦୦୮ ମସିହାର ପ୍ରହରୀଦୁର୍ଗରେ ଦିଆଯାଇଥିବା ଲେଖା “ଅପନେ ହାଲାତ କେ ମୁତାବିକ ଲକ୍ଷ୍ୟ ରଖିଏ ଔର ଖୁସି ପାଇଏ” ପଢ଼ନ୍ତୁ ।