इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୨୨

‘ପବିତ୍ରତାର ପଥରେ’ ଚାଲିବା ଜାରି ରଖନ୍ତୁ

‘ପବିତ୍ରତାର ପଥରେ’ ଚାଲିବା ଜାରି ରଖନ୍ତୁ

“ଏକ ରାଜଦାଣ୍ଡ ଓ ପଥ ହେବ, ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ ।”​—ଯିଶା. ୩୫:୮.

ଗୀତ ୩୧ ଚଲ୍‌ ୟାହ କେ ସାଥ !

ଲେଖାର ଝଲକ a

୧-୨. ବାବିଲରେ ରହୁଥିବା ଯିହୁଦୀମାନଙ୍କୁ କେଉଁ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଥିଲା ? (ଏଜ୍ରା ୧:୨-୪)

 ବାବିଲରେ ଗୋଟିଏ ଘୋଷଣା କରାଯାଇଛି ଯେ ଯିହୁଦୀମାନେ ନିଜ ଦେଶ ଇସ୍ରାଏଲକୁ ଯାଇପାରିବେ । ସେମାନେ ୭୦ ବର୍ଷରୁ ବାବିଲରେ ବନ୍ଦୀ ଥିଲେ, କିନ୍ତୁ ଏବେ ସେମାନେ ମୁକ୍ତ ହୋଇଯାଇଛନ୍ତି । (ଏଜ୍ରା ୧:୨-୪ ପଢ଼ନ୍ତୁ ।) ଏହା କେବଳ ଯିହୋବାଙ୍କ ଯୋଗୁଁ ହିଁ ହୋଇପାରିଲା । ଆମେ ଏପରି କାହିଁକି କହିପାରିବା ? ସାଧାରଣତଃ ବାବିଲ ନିଜ ବନ୍ଦୀମାନଙ୍କୁ ମୁକ୍ତ କରୁ ନ ଥିଲା । (ଯିଶା. ୧୪:୪, ୧୭) କିନ୍ତୁ ଏବେ ସବୁକିଛି ପରିବର୍ତ୍ତନ ହୋଇଯାଇଛି । ଏବେ ସେଠାରେ ଯେଉଁ ରାଜା ଅଛନ୍ତି, ସେ ଯିହୁଦୀମାନଙ୍କୁ କହିଛନ୍ତି ଯେ ସେମାନେ ବାବିଲ ଛାଡ଼ି ଯାଇପାରିବେ । ତେଣୁ ଏବେ ପ୍ରତ୍ୟେକ ଯିହୁଦୀଙ୍କୁ ବିଶେଷ କରି ପରିବାରର ମୁଖିଆଙ୍କୁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାର ଅଛି: କʼଣ ତାଙ୍କ ପରିବାର ବାବିଲ ଛାଡ଼ି ଇସ୍ରାଏଲକୁ ଯିବ ନା ସେଇଠି ହିଁ ରହିବ । କିନ୍ତୁ ଏହି ନିଷ୍ପତ୍ତି ନେବା ହୁଏତ ଏତେ ସହଜ ହୋଇ ନ ଥିବ । କାହିଁକି ?

ଅନେକ ଯିହୁଦୀ ବୟସ୍କ ହୋଇଯାଇଥିଲେ । ତେଣୁ ସେମାନଙ୍କ ପାଇଁ ଏତେ ଦୂର ବାଟ ଯିବା ବହୁତ କଠିନ ହୁଅନ୍ତା । ତାʼଛଡ଼ା ଅଧିକାଂଶ ଯିହୁଦୀ ବାବିଲରେ ହିଁ ଜନ୍ମ ହୋଇଥିଲେ । ସେମାନଙ୍କୁ ଲାଗୁଥିଲା ଯେ ତାଙ୍କର ସବୁକିଛି ସେଇଠି ହିଁ ଅଛି ଓ ଇସ୍ରାଏଲ ତ ସେମାନଙ୍କ ପୂର୍ବଜମାନଙ୍କ ଦେଶ ଅଟେ । ଆଉ ଏପରି ଲାଗେ ଯେ କିଛି ଯିହୁଦୀମାନେ ସେଠାରେ ବହୁତ ଧନୀ ହୋଇଯାଇଥିଲେ ଓ ବହୁତ ଶାନ୍ତିରେ ବଞ୍ଚୁଥିଲେ । ତେଣୁ ହୁଏତ ସେମାନଙ୍କ ମନରେ ଚାଲୁଥିବ ଯେ ସେଠାର ଏତେ ଭଲ ଜୀବନ ଓ ବଢ଼ୁଥିବା କାରବାର ଛାଡ଼ି ଗୋଟିଏ ଅଜଣା ଜାଗାରେ ଯାଇ ରହିବା, କʼଣ ବୁଦ୍ଧିମାନି ହେବ ।

୩. ଯେଉଁ ବିଶ୍ୱସ୍ତ ଯିହୁଦୀମାନେ ଇସ୍ରାଏଲ ଫେରନ୍ତେ, ସେମାନଙ୍କୁ କʼଣ ଆଶିଷ ମିଳନ୍ତା ?

ଯେଉଁ ଯିହୁଦୀମାନେ ଯିହୋବାଙ୍କ ବିଶ୍ୱସ୍ତ ଥିଲେ, ସେମାନେ ଜାଣିଥିଲେ ଯେ ଏହି ଯାତ୍ରାରେ ସେମାନଙ୍କୁ ଅନେକ ତ୍ୟାଗ କରିବାକୁ ପଡ଼ିବ । କିନ୍ତୁ ସେମାନେ ଏହା ବି ଜାଣିଥିଲେ ଯେ ଇସ୍ରାଏଲ ଫେରିଲେ ଯେଉଁ ଆଶିଷଗୁଡ଼ିକ ମିଳିବ, ତାʼଆଗରେ ଏହି ତ୍ୟାଗ କିଛି ବି ନୁହେଁ । ସବୁଠୁ ବଡ଼ ଆଶିଷ ଏହା ହୁଅନ୍ତା ଯେ ଏବେ ସେମାନେ ଭଲଭାବେ ଯିହୋବାଙ୍କ ଉପାସନା କରିପାରନ୍ତେ । ବାବିଲ ସହରରେ ମିଥ୍ୟା ଦେବାଦେବୀଙ୍କ ୫୦ରୁ ବି ଅଧିକ ମନ୍ଦିର ଥିଲା । କିନ୍ତୁ ସେଠାରେ ଯିହୋବାଙ୍କ କୌଣସି ମନ୍ଦିର ନ ଥିଲା ଓ କୌଣସି ବେଦି ବି ନ ଥିଲା, ଯେଉଁଥିରେ ସେମାନେ ମୋଶାଙ୍କ ନିୟମ ଅନୁସାରେ ବଳିଦାନ ଚଢ଼ାଇପାରନ୍ତେ । ଆଉ ସେହି ବଳିଦାନଗୁଡ଼ିକୁ ଚଢ଼ାଇବା ପାଇଁ ଯାଜକମାନଙ୍କ ବି ବ୍ୟବସ୍ଥା ନ ଥିଲା । ତାʼଛଡ଼ା ସେମାନଙ୍କ ଚାରିଆଡ଼େ ଏପରି ଲୋକମାନେ ରହୁଥିଲେ, ଯେଉଁମାନେ ମିଥ୍ୟା ଦେବାଦେବୀମାନଙ୍କୁ ପୂଜା କରୁଥିଲେ ଓ ଯିହୋବାଙ୍କ ସ୍ତରଗୁଡ଼ିକୁ ଆଦର କରୁ ନ ଥିଲେ । ସେମାନଙ୍କ ଗଣନା ଯିହୁଦୀମାନଙ୍କଠାରୁ ବହୁତ ବେଶି ଥିଲା । ଏହି ସବୁ କାରଣ ଯୋଗୁଁ ହଜାର ହଜାର ଯିହୁଦୀ ନିଜ ଦେଶକୁ ଫେରିବା ପାଇଁ ବହୁତ ଉତ୍ସୁକ ଥିଲେ, ଯେଉଁଠି ସେମାନେ ସତ୍ୟ ଉପାସନା କରିପାରନ୍ତେ ।

୪. ଇସ୍ରାଏଲକୁ ଫେରି ଯାଉଥିବା ଯିହୁଦୀମାନଙ୍କୁ ଯିହୋବା କʼଣ ପ୍ରତିଜ୍ଞା କଲେ ?

ବାବିଲରୁ ଇସ୍ରାଏଲ ଯାଏ ଯାତ୍ରା କରିବା ବହୁତ କଠିନ ଥିଲା ଓ ଏହି ଯାତ୍ରାରେ ପ୍ରାୟ ଚାରି ମାସ ଲାଗିଯାନ୍ତା । କିନ୍ତୁ ଯିହୋବା ଯିହୁଦୀମାନଙ୍କୁ ପ୍ରତିଜ୍ଞା କଲେ ଯେ ସେ ତାଙ୍କ ରାସ୍ତାର ସବୁ ବାଧା ଦୂର କରିଦେବେ । ଯିଶାଇୟ ଲେଖିଥିଲେ, “ସଦାପ୍ରଭୁଙ୍କ ପଥ ପ୍ରସ୍ତୁତ କର, ମରୁଭୂମି ମଧ୍ୟରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ନିମନ୍ତେ ରାଜପଥ ସଳଖ କର । . . . ବକ୍ର ସଳଖ କରାଯିବ, ଆଉ ରଗଡ଼ା ସ୍ଥାନସବୁ ସମାନ କରାଯିବ ।” (ଯିଶା. ୪୦:୩, ୪) ଟିକେ କଳ୍ପନା କରନ୍ତୁ, ମରୁଭୂମିର ମଝିରେ ଗୋଟିଏ ରାଜପଥ କିମ୍ବା ହାଇୱେ ଅଛି । ତାହା ପୂରାପୂରି ସମତଳ ଓ କେଉଁଠି ବି ଉଚ୍ଚ ନୀଚ୍ଚ ବା ବୁଲାଣି ନାହିଁ । ଏଥିରେ ଯାତ୍ରା କରୁଥିବା ଲୋକମାନଙ୍କୁ ପାହାଡ଼ିଆ ଅଞ୍ଚଳ କିମ୍ବା ଘାଟିଗୁଡ଼ିକ ଦେଇ ଯିବାକୁ ପଡ଼ିବନି, ବରଂ ସେମାନେ ସିଧା ସିଧା ଚାଲିକି ଯାଇପାରିବେ । ସେମାନେ ଏହି ରାସ୍ତା ଦେଇ ସହଜରେ ଯାତ୍ରା କରିପାରିବେ ଓ ନିଜ ଲକ୍ଷ୍ୟସ୍ଥଳ ଯାଏ ଶୀଘ୍ର ପହଞ୍ଚିପାରିବେ ।

୫. ବାବିଲରୁ ଇସ୍ରାଏଲ ଯାଏ ଯାଉଥିବା ରାଜପଥକୁ କʼଣ ନାମ ଦିଆଯାଇଥିଲା ?

ଆଜି ଅଧିକାଂଶ ହାଇୱେ କିମ୍ବା ରାଜପଥର କୌଣସି ନାମ ଥାଏ କିମ୍ବା ଗୋଟିଏ ନମ୍ବର ଦିଆଯାଇଥାଏ । ଯିଶାଇୟ ଯେଉଁ ରାଜପଥ ବିଷୟରେ କହିଲେ, ତାʼର ବି ଗୋଟିଏ ନାମ ଅଛି । ବାଇବଲରେ ଲେଖାଅଛି, ‘ଏକ ରାଜପଥ ହେବ, ତାହା ପବିତ୍ରତାର ପଥ ବୋଲି ବିଖ୍ୟାତ ହେବ । ମାତ୍ର କୌଣସି ଅଶୁଚି ଲୋକ ତହିଁ ଉପରେ ଗମନ କରିବ ନାହିଁ ।’ (ଯିଶା. ୩୫:୮) ଈଶ୍ୱର ଯିହୁଦୀମାନଙ୍କୁ ଯେଉଁ ପ୍ରତିଜ୍ଞା କରିଥିଲେ, ତାହା ସେମାନଙ୍କ ପାଇଁ କʼଣ ମହତ୍ତ୍ୱ ରଖୁଥିଲା ? ଏହା ଆଜି ଆମ ପାଇଁ କʼଣ ମହତ୍ତ୍ୱ ରଖେ ?

“ପବିତ୍ରତାର ପଥ”—ପୂର୍ବେ ଓ ବର୍ତ୍ତମାନ

୬. ଏହି ପଥକୁ ପବିତ୍ର କାହିଁକି କୁହାଯାଇଛି ?

“ପବିତ୍ରତାର ପଥ”—ଏହି ରାଜପଥର ବହୁତ ଭଲ ନାମ ରଖାଯାଇଛି । କିନ୍ତୁ ଏହାକୁ ପବିତ୍ର କାହିଁକି କୁହାଯାଇଛି ? କାରଣ ଯେବେ ଯିହୁଦୀମାନେ ପୁଣିଥରେ ଇସ୍ରାଏଲ ଦେଶରେ ରହନ୍ତେ, ତେବେ ସେଠାରେ କେହି ବି ଅଶୁଚି ଲୋକମାନଙ୍କୁ ରହିବାକୁ ଦିଆଯାନ୍ତାନି । ତାʼଅର୍ଥ ଯଦି କେହି ବ୍ୟକ୍ତି ଅନୈତିକ କାମ, ମୂର୍ତ୍ତିପୂଜା କିମ୍ବା ଅନ୍ୟ ବଡ଼ ବଡ଼ ପାପଗୁଡ଼ିକୁ କରିବା ଛାଡ଼ନ୍ତାନି, ତାହେଲେ ତାକୁ ସେଠାରେ ରହିବା ପାଇଁ ସୁଯୋଗ ମିଳନ୍ତାନି । ଯେଉଁ ଯିହୁଦୀମାନେ ନିଜ ଦେଶକୁ ପୁଣିଥରେ ଫେରୁଥିଲେ, ସେମାନଙ୍କୁ ଈଶ୍ୱରଙ୍କ ପାଇଁ “ପବିତ୍ର ଲୋକ” ହେବାର ଥିଲା । (ଦ୍ୱିବି. ୭:୬) କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଯେଉଁ ଲୋକମାନେ ବାବିଲରୁ ଇସ୍ରାଏଲକୁ ଫେରନ୍ତେ, ସେମାନଙ୍କୁ ଯିହୋବାଙ୍କୁ ଖୁସି କରିବା ପାଇଁ ଆଉ କୌଣସି ପରିବର୍ତ୍ତନ କରିବାର ନ ଥିଲା ।

୭. କିଛି ଯିହୁଦୀଙ୍କୁ କʼଣ ପରିବର୍ତ୍ତନ କରିବାର ଥିଲା ? ଗୋଟିଏ ଉଦାହରଣ ଦିଅନ୍ତୁ ।

ଆମେ ଦେଖିଲୁ ଯେ ବାବିଲରେ ରହୁଥିବା ଅଧିକାଂଶ ଯିହୁଦୀ ସେଇଠି ହିଁ ଜନ୍ମ ହୋଇଥିଲେ ଓ ଏପରି ଲାଗେ ଯେ ସେମଧ୍ୟରୁ ଅନେକ ଯିହୁଦୀ ବାବିଲର ଲୋକମାନଙ୍କ ଭଳି ଭାବୁଥିଲେ ଓ ସେମାନଙ୍କ ଭଳି କାମ କରୁଥିଲେ । ଯେବେ ଆରମ୍ଭରେ ଯିହୁଦୀ ଇସ୍ରାଏଲ ଫେରିଥିଲେ, ତାʼର କିଛି ବର୍ଷ ପରେ ଏଜ୍ରାଙ୍କୁ ଜଣାପଡ଼ିଲା ଯେ କିଛି ଯିହୁଦୀମାନେ ମିଥ୍ୟା ଦେବାଦେବୀମାନଙ୍କୁ ପୂଜା କରୁଥିବା ସ୍ତ୍ରୀମାନଙ୍କ ସହ ବିବାହ କରିଛନ୍ତି । (ଯାତ୍ରା. ୩୪:୧୫, ୧୬; ଏଜ୍ରା ୯:୧, ୨) ପରେ ଯେବେ ରାଜ୍ୟପାଳ ନିହିମୀୟା ଆସିଲେ, ତେବେ ତାଙ୍କୁ ଏହାଜାଣି ବହୁତ ଦୁଃଖ ଲାଗିଲା ଯେ ଇସ୍ରାଏଲରେ ଯେଉଁ ପିଲା ଜନ୍ମ ହୋଇଥିଲେ ସେମାନଙ୍କୁ ଯିହୁଦୀମାନଙ୍କ ଭାଷା ବି ଆସୁ ନ ଥିଲା । (ଦ୍ୱିବି. ୬:୬, ୭; ନିହି. ୧୩:୨୩, ୨୪) ଈଶ୍ୱରଙ୍କ ବାକ୍ୟର ଅଧିକାଂଶ ଭାଗ ଏବ୍ରୀ ଭାଷାରେ ହିଁ ଲେଖାଯାଇଥିଲା, କିନ୍ତୁ ଏହି ପିଲାମାନେ ଏବ୍ରୀ ଭାଷା ବି ବୁଝୁ ନ ଥିଲେ । ତାହେଲେ ସେମାନେ ଯିହୋବାଙ୍କୁ କିପରି ପ୍ରେମ କରନ୍ତେ ? ତାଙ୍କ ଉପାସନା କରିବା ବିଷୟରେ କିପରି ଜାଣନ୍ତେ ? (ଏଜ୍ରା ୧୦:୩, ୪୪) ଏହି ଉଦାହରଣଗୁଡ଼ିକରୁ ସ୍ପଷ୍ଟ ଜଣାପଡ଼େ ଯେ ଯେଉଁ ଯିହୁଦୀମାନେ ଇସ୍ରାଏଲ ଫେରିଥିଲେ, ସେମାନଙ୍କୁ ଅନେକ ବଡ଼ ବଡ଼ ପରିବର୍ତ୍ତନ କରିବାର ଥିଲା । ଆଉ ଇସ୍ରାଏଲରେ ରହି ଏହି ପରିବର୍ତ୍ତନ କରିବା ସେମାନଙ୍କ ପାଇଁ ଅଧିକ ସହଜ ହୋଇଯାଇଥିଲା, ଯେଉଁଠି ଧୀରେ ଧୀରେ ଯିହୋବାଙ୍କ ସତ୍ୟ ଉପାସନା ହେବାକୁ ଲାଗିଥିଲା ।—ନିହି. ୮:୮, ୯.

୧୯୧୯ ମସିହାରୁ ଲକ୍ଷ ଲକ୍ଷ ପୁରୁଷ, ସ୍ତ୍ରୀ ଓ ପିଲାମାନେ ମହାନଗରୀ ବାବିଲକୁ ଛାଡ଼ି ‘ପବିତ୍ରତାର ପଥରେ’ ଚାଲୁଛନ୍ତି (ପାରାଗ୍ରାଫ ୮)

୮. ଅନେକ ବର୍ଷ ପୂର୍ବେ ଘଟିଥିବା ଘଟଣାଗୁଡ଼ିକ ଆଜି ଆମ ପାଇଁ କାହିଁକି ମହତ୍ତ୍ୱ ରଖେ ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

କିଛି ଲୋକ ହୁଏତ କହିବେ, ‘ଏହା ଶୁଣିବାକୁ ବହୁତ ବଢ଼ିଆ ଲାଗୁଛି, କିନ୍ତୁ ଏହାଜାଣି ଆଜି ଆମେ କʼଣ କରିବା ?’ ଆମକୁ ଏହା ଜାଣିବା ଦରକାର, କାରଣ ଆମେ ସମସ୍ତେ ଦେଖିବାକୁ ଗଲେ ‘ପବିତ୍ରତାର ପଥରେ’ ହିଁ ଚାଲୁଛୁ । ଆମେ ହୁଏତ ଅଭିଷିକ୍ତ ଖ୍ରୀଷ୍ଟିୟାନ ହୋଇଥାଉ କିମ୍ବା ‘ଅନ୍ୟ ମେଷର’ ଲୋକ, ଆମ ସମସ୍ତଙ୍କୁ ଏହି ‘ପବିତ୍ରତାର ପଥରେ’ ଚାଲିବା ଜାରି ରଖିବାର ଅଛି । ଏହି ପଥରେ ଚାଲିବା ଦ୍ୱାରା ଆଜି ଆମେ ଯିହୋବାଙ୍କ ଉପାସନା କରିପାରୁ ଓ ଭବିଷ୍ୟତରେ ଯେବେ ଈଶ୍ୱରଙ୍କ ରାଜ୍ୟ ପୃଥିବୀରେ ଶାସନ କରିବା ଆରମ୍ଭ କରିବ, ତେବେ ଆମ ସମସ୍ତଙ୍କୁ ଆହୁରି ଆଶିଷ ମିଳିବ । b (ଯୋହ. ୧୦:୧୬) ୧୯୧୯ ମସିହାରୁ ଲକ୍ଷ ଲକ୍ଷ ପୁରୁଷ, ସ୍ତ୍ରୀ ଓ ପିଲାମାନେ ମହାନଗରୀ ବାବିଲ, ଅର୍ଥାତ୍‌ ପୂରା ଦୁନିଆରେ ସାମ୍ରାଜ୍ୟ ଭଳି ବ୍ୟାପିଥିବା ମିଥ୍ୟା ଧର୍ମଗୁଡ଼ିକୁ ଛାଡ଼ି ଏହି ପଥରେ ଚାଲୁଛନ୍ତି । ହୁଏତ ଆପଣ ବି ସେମାନଙ୍କ ମଧ୍ୟରୁ ଜଣେ ଥିବେ । ଦେଖିବାକୁ ଗଲେ ଏହି ପଥ ପ୍ରାୟ ୧୦୦ ବର୍ଷ ପୂର୍ବେ ହିଁ ଖୋଲାଯାଇଛି, କିନ୍ତୁ ଏହାକୁ ତିଆରି କରିବାର କାମ ଅନେକ ବର୍ଷ ପୂର୍ବେ ହିଁ ଆରମ୍ଭ ହୋଇଯାଇଥିଲା ।

ରାସ୍ତା ତିଆରି କରାଗଲା

୯. ଯିଶାଇୟ ୫୭:୧୪ ପଦରେ “ପବିତ୍ରତାର ପଥ” ତିଆରି କରାଯିବା ବିଷୟରେ ଯାହା କୁହାଯାଇଛି, ତାହା ଆମ ସମୟରେ କିପରି ପୂରା ହେଲା ?

ଯିହୋବା ଏକଥାର ଧ୍ୟାନ ରଖିଲେ ଯେ ଯେଉଁ ଯିହୁଦୀମାନେ ବାବିଲ ଛାଡ଼ି ଯାଉଥିଲେ, ସେମାନଙ୍କ ରାସ୍ତାରୁ ପ୍ରତ୍ୟେକ ବାଧା ଦୂର କରିଦିଆଯାଉ । (ଯିଶାଇୟ ୫୭:୧୪ ପଢ଼ନ୍ତୁ ।) ଆଜି ଯିହୋବା ‘ପବିତ୍ରତାର ପଥରୁ’ କିପରି ପ୍ରତ୍ୟେକ ବାଧା ଦୂର କରିଛନ୍ତି ? ୧୯୧୯ ମସିହାର ଅନେକ ବର୍ଷ ପୂର୍ବେ ଏପରି ଅନେକ ଲୋକ ଥିଲେ, ଯେଉଁମାନେ ଈଶ୍ୱରଙ୍କ ବହୁତ ଆଦର କରୁଥିଲେ ଓ ପ୍ରେମ କରୁଥିଲେ । ଯିହୋବା ସେମାନଙ୍କ ଜରିଆରେ ମହାନଗରୀ ବାବିଲରୁ ବାହାରିବା ପାଇଁ ରାସ୍ତା ତିଆରି କଲେ । (ଯିଶାଇୟ ୪୦:୩ ପଦ ସହ ତୁଳନା କରନ୍ତୁ ।) ସେମାନେ ଏହି ପଥ ତିଆରି କରିବା ପାଇଁ କଠିନ ପରିଶ୍ରମ କଲେ, ତେଣୁ ଆଗକୁ ଯାଇ ଧାର୍ମିକ ଲୋକମାନେ ମହାନଗରୀ ବାବିଲକୁ ଛାଡ଼ିପାରିଲେ ଓ ଯିହୋବାଙ୍କ ଲୋକମାନଙ୍କ ସହ ମିଶି ସତ୍ୟ ଉପାସନା କରିପାରିଲେ । ଏହି ପଥ ତିଆରି କରିବା ପାଇଁ ବହୁତ କିଛି କରାଗଲା । ଆସନ୍ତୁ କିଛି କାମଗୁଡ଼ିକ ଉପରେ ଧ୍ୟାନ ଦେବା ।

ଅନେକ ବର୍ଷ ପୂର୍ବରୁ ହିଁ ଈଶ୍ୱରଙ୍କୁ ଆଦର କରୁଥିବା ଲୋକମାନେ ମହାନଗରୀ ବାବିଲରୁ ବାହାରିବା ପାଇଁ ପଥ ତିଆରି କରୁଥିଲେ (ପାରାଗ୍ରାଫ ୧୦-୧୧)

୧୦-୧୧. ବାଇବଲର ଛପାଇ କାମ ଓ ତାʼର ଅନୁବାଦରୁ କିପରି ଅଧିକରୁ ଅଧିକ ଲୋକ ବାଇବଲର ସତ୍ୟଗୁଡ଼ିକୁ ଜାଣିପାରିଲେ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ବାଇବଲର ଛପାଇ କାମ । ପ୍ରାୟ ୧୪୫୦ ମସିହା ଯାଏ ବାଇବଲର ନକଲଗୁଡ଼ିକୁ ହାତରେ ପ୍ରସ୍ତୁତ କରାଯାଉଥିଲା । ଏଥିରେ ବହୁତ ସମୟ ଲାଗୁଥିଲା, ତେଣୁ ବାଇବଲର ଅଧିକ ନକଲ ନ ଥିଲା ଓ ଯାହା ଥିଲା ତାହା ବହୁତ ମହଙ୍ଗା ଥିଲା । କିନ୍ତୁ ଯେବେ ଛପାଇ କାମ ପାଇଁ ମେସିନ୍‌ଗୁଡ଼ିକ ଆସିଲା, ତେବେ ବାଇବଲ ଛାପିବା ପାଇଁ ବହୁତ କମ୍‌ ସମୟ ଲାଗିଲା ଓ ତାହା ଲୋକମାନଙ୍କୁ ବଣ୍ଟାଗଲା ।

୧୧ ବାଇବଲର ଅନୁବାଦ । ଅନେକ ବର୍ଷ ଯାଏ ବାଇବଲ ବିଶେଷ କରି ଲାଟିନ୍‌ ଭାଷାରେ ହିଁ ଥିଲା, ଯାହାକୁ ଉଚ୍ଚ ଶିକ୍ଷିତ ଲୋକମାନେ ହିଁ ବୁଝିପାରୁଥିଲେ । କିନ୍ତୁ ଛପାଇ କାମ ସହଜ ହେବା ପରେ ଆହୁରି ଅନେକ ଭାଷାରେ ବାଇବଲର ଅନୁବାଦ କରାଗଲା । ଈଶ୍ୱରଙ୍କୁ ଆଦର କରୁଥିବା କିଛି ଲୋକେ ସେହି ଭାଷାଗୁଡ଼ିକରେ ଅନୁବାଦ କରିବା ପାଇଁ କଠିନ ପରିଶ୍ରମ କଲେ, ଯେଉଁ ଭାଷା ସେସମୟର ଲୋକମାନେ କହୁଥିଲେ । ଏବେ ସେମାନେ ନିଜ ଭାଷାରେ ବାଇବଲ ପଢ଼ିପାରନ୍ତେ ଓ ଜାଣିପାରନ୍ତେ ଯେ ସେମାନଙ୍କୁ ଚର୍ଚ୍ଚରେ ଯାହା ଶିଖାଯାଉଛି, ତାହା ବାଇବଲ ଅନୁସାରେ ଠିକ୍‌ ଅଟେ ନା ନୁହେଁ ।

ଈଶ୍ୱରଙ୍କୁ ଆଦର କରୁଥିବା ଲୋକମାନେ ମହାନଗରୀ ବାବିଲରୁ ବାହାରିବା ପାଇଁ ପଥ ତିଆରି କରିବା ଆରମ୍ଭ କରିବାକୁ ଲାଗିଲେ (ପାରାଗ୍ରାଫ ୧୨-୧୪) c

୧୨-୧୩. ଗୋଟେ ଉଦାହରଣ ଦେଇ ବୁଝାନ୍ତୁ ଯେ ବାଇବଲର ଅଧ୍ୟୟନ କରୁଥିବା କିଛି ଲୋକ ୧୮୩୫ ମସିହାରୁ କିପରି ଚର୍ଚ୍ଚର ଶିକ୍ଷାଗୁଡ଼ିକୁ ପର୍ଦ୍ଦାଫାସ କରିବାକୁ ଲାଗିଲେ ।

୧୨ ବାଇବଲ ଅଧ୍ୟୟନ କରିବା ପାଇଁ ପ୍ରକାଶନ । କିଛି ଲୋକ ବହୁତ ଧ୍ୟାନର ସହ ବାଇବଲର ଅଧ୍ୟୟନ କଲେ ଓ ତାʼଯୋଗୁଁ ସେମାନେ ଅନେକ ସତ୍ୟ ବିଷୟରେ ଜାଣିଲେ । ସେମାନେ ଯାହା ଶିଖୁଥିଲେ ତାହା ଅନ୍ୟମାନଙ୍କୁ ବି କହୁଥିଲେ । ଏହା ଦେଖି ପାଦରିମାନେ ସେମାନଙ୍କୁ ବହୁତ ରାଗୁଥିଲେ । ଉଦାହରଣ ପାଇଁ, ପ୍ରାୟ ୧୮୩୫ ମସିହାରେ କିଛି ନମ୍ର ଲୋକ ଏପରି କାଗଜ ଛାପିବାକୁ ଲାଗିଲେ ଯେଉଁଥିରେ ଚର୍ଚ୍ଚରେ ଶିଖାଯାଉଥିବା ମିଛ କଥାଗୁଡ଼ିକର ପର୍ଦ୍ଦାଫାସ କରାଯାଇଥିଲା ।

୧୩ ସେମଧ୍ୟରୁ ଜଣେ ଥିଲେ ହେନ୍‌ରି ଗ୍ରୁ । ସେ ଈଶ୍ୱରଙ୍କ ବହୁତ ଆଦର କରୁଥିଲେ ଓ ୧୮୩୫ ମସିହାର ଆଖପାଖରେ ସେ ଗୋଟିଏ କାଗଜ ଛାପିଲେ, ସେଥିରେ କୁହାଯାଇଥିଲା ଯେ ମୃତ୍ୟୁ ପରେ କʼଣ ହୁଏ । ଏହି କାଗଜରେ ସେମାନେ ବାଇବଲର ପଦଗୁଡ଼ିକରୁ ଏହା ପ୍ରମାଣିତ କରି କହିଲେ ଯେ ଚର୍ଚ୍ଚରେ ଅମର ଆତ୍ମା ବିଷୟରେ ଯେଉଁ ଶିକ୍ଷା ଦିଆଯାଏ, ତାହା ଭୁଲ ଅଟେ । କେହି ବି ଜନ୍ମରୁ ଅମର ନ ଥାଏ, ଯଦି ଈଶ୍ୱର କାହାରିକୁ ଅମର ଜୀବନର ଆଶିଷ ଦିଅନ୍ତି, ତେବେ ହିଁ ସେ ସବୁଦିନ ପାଇଁ ଅମର ହୋଇପାରିବ । ତାʼପରେ ୧୮୩୭ ମସିହାରେ ଜୋର୍ଜ ଷ୍ଟାର୍ଜ ନାମକ ଜଣେ ପାଦରି ଯେବେ ଟ୍ରେନ୍‌ରୁ ଯାତ୍ରା କରୁଥିଲେ, ତେବେ ତାଙ୍କୁ ସେହି କାଗଜ ମିଳିଲା । ସେହି କାଗଜ ପଢ଼ି ତାଙ୍କୁ ଭରସା ହୋଇଗଲା ଯେ ତାଙ୍କୁ ଗୋଟିଏ ମହତ୍ତ୍ୱପୂର୍ଣ୍ଣ ସତ୍ୟ ମିଳିଯାଇଛି । ସେ ଭାବିଲେ ଯେ ଏହି ସତ୍ୟ ବିଷୟରେ ସେ ଅନ୍ୟମାନଙ୍କୁ ବି କହିବେ । ତେଣୁ ୧୮୪୨ ମସିହାରେ ସେ ଗୋଟିଏ ରୋମାଞ୍ଚକ ବିଷୟ ଉପରେ ଗୋଟେ ପରେ ଗୋଟେ ଅନେକ ଭାଷଣ ଦେଲେ । ସେହି ଭାଷଣର ବିଷୟ ଥିଲା, “କʼଣ ଦୁଷ୍ଟ ଲୋକମାନେ ସତରେ ଅମର ଅଛନ୍ତି ?—ଏବିଷୟ ଉପରେ ଅନୁସନ୍ଧାନ ।” ଜୋର୍ଜ ଷ୍ଟାର୍ଜ ଯେଉଁ କଥା ଲେଖିଥିଲେ, ତାହା ଜଣେ ଯୁବକଙ୍କ ଉପରେ ଗଭୀର ପ୍ରଭାବ ପକାଇଲା । ସେହି ଯୁବକଙ୍କ ନାମ ଥିଲା, ଚାର୍ଲସ୍‌ ଟେଜ୍‌ ରସେଲ୍‌ ।

୧୪. ପ୍ରାଚୀନ ସମୟରେ “ପବିତ୍ରତାର ପଥ” ତିଆରି କରିବା ପାଇଁ ଯେଉଁ ପରିଶ୍ରମ କରାଯାଇଥିଲା, ସେଥିରୁ ଭାଇ ରସେଲ୍‌ ଓ ତାଙ୍କ ସାଥିମାନଙ୍କୁ କିପରି ଲାଭ ହେଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୪ ‘ପବିତ୍ରତାର ପଥକୁ’ ତିଆରି କରିବା ପାଇଁ ପୂର୍ବେ ଯାହା ପରିଶ୍ରମ କରାଯାଇଥିଲା, ସେଥିରୁ ଭାଇ ରସେଲ୍‌ ଓ ତାଙ୍କ ସାଥିମାନଙ୍କୁ କିପରି ଲାଭ ହେଲା ? ଯେବେ ସେମାନେ ଅଧ୍ୟୟନ କରୁଥିଲେ, ତେବେ ବାଇବଲର ଅନ୍ୟ ଅନ୍ୟ ଅନୁବାଦ, ଶବ୍ଦକୋଷ (ଡିକ୍ସନାରୀ) ଓ ଶବ୍ଦ ସୂଚୀଗୁଡ଼ିକୁ ଅନୁସନ୍ଧାନ କରୁଥିଲେ, ଯାହା ତାଙ୍କ ସମୟଠାରୁ ବହୁତ ପୂର୍ବେ ପ୍ରସ୍ତୁତ କରାଯାଇଥିଲା । ତାʼଛଡ଼ା ହେନ୍‌ରି ଗ୍ରୁ, ଜୋର୍ଜ ଷ୍ଟାର୍ଜ ଓ ଅନ୍ୟ ଲୋକମାନେ ଅନୁସନ୍ଧାନ କରି ବାଇବଲର ଯେଉଁ ସତ୍ୟଗୁଡ଼ିକ ବିଷୟରେ ଜାଣିଲେ, ସେଥିରୁ ମଧ୍ୟ ସେମାନଙ୍କୁ ଅନେକ ଲାଭ ହେଲା । ଭାଇ ରସେଲ୍‌ ଓ ତାଙ୍କ ସାଥିମାନେ ଅନେକ ବହି ଓ କାଗଜ ଛାପିଲେ, ଯେଉଁଥିରେ ବାଇବଲର ଅଲଗା ଅଲଗା ବିଷୟରେ ଲେଖା ଥିଲା । ଏପରି ଭାବେ ପବିତ୍ରତାର ପଥ ତିଆରି କରିବା କାମରେ ସେମାନେ ସାହାଯ୍ୟ କଲେ ।

୧୫. ୧୯୧୯ ମସିହାରେ କʼଣ କʼଣ ହେଲା ?

୧୫ ୧୯୧୯ ମସିହାରେ ଈଶ୍ୱରଙ୍କ ଲୋକମାନେ ମହାନଗରୀ ବାବିଲର ବନ୍ଦୀରୁ ମୁକ୍ତ ହେଲେ । ଆଉ ସେହି ବର୍ଷ ‘ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ’ ନିଯୁକ୍ତ କରାଗଲା । ଏହା ବିଲକୁଲ୍‌ ସଠିକ୍‌ ସମୟ ଥିଲା । “ପବିତ୍ରତାର ପଥ” ଏବେ ଏବେ ହିଁ ଖୋଲା ଯାଇଥିଲା ! ବର୍ତ୍ତମାନ ଏହି ଦାସ ନିଜ କାମ ଆରମ୍ଭ କରିଦେଲା ଓ ଏହି ପବିତ୍ରତାର ପଥରେ ଚାଲିବା ପାଇଁ ନମ୍ର ଲୋକମାନଙ୍କୁ ସ୍ୱାଗତ କରିବାକୁ ଲାଗିଲା । (ମାଥି. ୨୪:୪୫-୪୭) ପ୍ରାଚୀନ ସମୟରେ ବିଶ୍ୱସ୍ତ ଲୋକମାନେ “ପବିତ୍ରତାର ପଥ” ପ୍ରସ୍ତୁତ କରିବା ପାଇଁ ଯେଉଁ ପରିଶ୍ରମ କଲେ, ତାʼଯୋଗୁଁ ହିଁ ଏହି ମାର୍ଗରେ ଚାଲୁଥିବା ନୂଆ ଲୋକମାନେ ଯିହୋବା ଓ ତାଙ୍କ ଉଦ୍ଦେଶ୍ୟ ବିଷୟରେ ଆହୁରି ଶିଖିପାରନ୍ତେ । (ହିତୋ. ୪:୧୮) ସେମାନେ ଯିହୋବାଙ୍କ ସ୍ତର ଅନୁସାରେ ନିଜ ଜୀବନରେ ବି ପରିବର୍ତ୍ତନ କରିପାରନ୍ତେ । କିନ୍ତୁ ଯିହୋବା ଏହା ଆଶା କରନ୍ତିନି ଯେ ତାଙ୍କ ଲୋକମାନେ ଗୋଟେ ଦିନରେ ହିଁ ସବୁ ପରିବର୍ତ୍ତନ କରିନିଅନ୍ତୁ । ସେ ଜାଣନ୍ତି ଯେ ଏଥିରେ ସମୟ ଲାଗେ, ତେଣୁ ସେ ଧୀରେ ଧୀରେ ସେମାନଙ୍କ ଚିନ୍ତାଧାରା ସୁଧାରନ୍ତି । (“ ଯିହୋବା ଧୀରେ ଧୀରେ ନିଜ ଲୋକମାନଙ୍କ ଚିନ୍ତାଧାରା ସୁଧାରନ୍ତି” ନାମକ ବକ୍ସ ଦେଖନ୍ତୁ ।) ଟିକେ ଭାବନ୍ତୁ ତାହା କେତେ ଭଲ ସମୟ ହେବ ଯେବେ ଆମେ ନିଜ ସବୁ କାମରୁ ଯିହୋବାଙ୍କ ହୃଦୟ ଖୁସି କରିପାରିବା ।—କଲ. ୧:୧୦.

“ପବିତ୍ରତାର ପଥ” ଏବେ ବି ଖୋଲା ଅଛି

୧୬. ୧୯୧୯ ମସିହାରୁ ‘ପବିତ୍ରତାର ପଥରେ’ କʼଣ କାମ ହୋଇଛି ? (ଯିଶାଇୟ ୪୮:୧୭; ୬୦:୧୭)

୧୬ ରାସ୍ତାଗୁଡ଼ିକର ଲଗାତାର ମରାମତି କରିବା ଜରୁରୀ ହୋଇଥାଏ । ସେହିପରି ୧୯୧୯ ମସିହାରୁ ‘ପବିତ୍ରତାର ପଥରେ’ ଲଗାତାର କାମ ଚାଲିଛି, ଯାହାଦ୍ୱାରା ଆହୁରି ଅନେକ ନମ୍ର ଲୋକ ମହାନଗରୀ ବାବିଲକୁ ଛାଡ଼ି ଏହି ପଥରେ ଚାଲିପାରିବେ । ଯେବେଠୁ ବିଶ୍ୱସ୍ତ ଓ ବୁଦ୍ଧିମାନ ଦାସକୁ ନିଯୁକ୍ତ କରାଗଲା, ସେସମୟରୁ ସେ କାମ କରୁଛି । ଆଉ ୧୯୨୧ ମସିହାରେ ସେମାନେ ଗୋଟିଏ ବହି ପ୍ରସ୍ତୁତ କଲେ, ଯାହାର ଅଧ୍ୟୟନ କରି ଲୋକମାନେ ବାଇବଲର ସତ୍ୟଗୁଡ଼ିକ ବିଷୟରେ ଜାଣିପାରନ୍ତେ । ସେହି ବହିର ନାମ ଥିଲା, ପରମେଶ୍ୱାର କା ସୁର୍‌ମଣ୍ଡଲ । ପରେ ଏହି ବହିକୁ ୩୬ ଭାଷାରେ ଅନୁବାଦ କରାଗଲା ଓ ଏହାର ପ୍ରାୟ ୬୦ ଲକ୍ଷ କପି ଛପାଗଲା । ଏହାଦ୍ୱାରା ଅନେକ ଲୋକ ବାଇବଲର ସତ୍ୟଗୁଡ଼ିକ ବିଷୟରେ ଜାଣିଲେ । ଆଉ ଏବେ ଏବେ ବାଇବଲର ଅଧ୍ୟୟନ କରାଇବା ପାଇଁ ଆମକୁ ଆଉ ଗୋଟିଏ ବଢ଼ିଆ ପ୍ରକାଶନ ଦିଆଯାଇଛି, ଖୁସିଭରା ଜୀବନ ଆଜି ଓ ଭବିଷ୍ୟତରେ ! ଏହି ଶେଷ ସମୟରେ ଯିହୋବା ସବୁବେଳେ ଏକଥାର ଧ୍ୟାନ ରଖିଛନ୍ତି ଯେ ‘ପବିତ୍ରତାର ପଥରେ’ କାମ ଜାରି ରହୁ । ସେ ନିଜ ସଙ୍ଗଠନ ଜରିଆରେ ଲଗାତାର ନିଜ ବାକ୍ୟ ଦ୍ୱାରା ପରାମର୍ଶଗୁଡ଼ିକ ଦେଉଛନ୍ତି, ଯାହାଦ୍ୱାରା ଆମେ ସମସ୍ତେ ଏହି ମାର୍ଗରେ ଚାଲିବା ଜାରି ରଖୁ ।ଯିଶାଇୟ ୪୮:୧୭; ୬୦:୧୭ ପଢ଼ନ୍ତୁ ।

୧୭-୧୮. “ପବିତ୍ରତାର ପଥ” ଆମକୁ କେଉଁଠି ନେବ ?

୧୭ ଯେବେ ଜଣେ ବ୍ୟକ୍ତି ବାଇବଲ ଅଧ୍ୟୟନ କରିବା ଆରମ୍ଭ କରେ, ତେବେ ଏହା କୁହାଯାଇପାରିବ ଯେ ସେ ‘ପବିତ୍ରତାର ପଥରେ’ ଚାଲିବା ଆରମ୍ଭ କରିଛି । କିଛି ଲୋକ ଟିକେ ଦୂର ଯାଏ ହିଁ ଏହି ପଥରେ ଚାଲନ୍ତି ଓ ତାʼପରେ ଛାଡ଼ିଦିଅନ୍ତି । କିନ୍ତୁ କିଛି ଲୋକମାନେ ଦୃଢ଼ ନିଷ୍ପତ୍ତି ନେଇଛନ୍ତି ଯେ ସେମାନେ ନିଜ ଲକ୍ଷ୍ୟସ୍ଥଳ ପହଞ୍ଚିବା ଯାଏ ଏହି ପଥରେ ଚାଲୁଥିବେ । ତାହେଲେ ସେହି ଲକ୍ଷ୍ୟସ୍ଥଳ କʼଣ ଅଟେ ?

୧୮ ଯେଉଁ ଲୋକମାନଙ୍କୁ ସ୍ୱର୍ଗରେ ବଞ୍ଚିବାର ଆଶା ଅଛି ସେମାନଙ୍କୁ ଏହି “ପବିତ୍ରତାର ପଥ” ସ୍ୱର୍ଗରେ “ଈଶ୍ୱରଙ୍କ ପାରଦୀଶରେ” ନେଇଯିବ । (ପ୍ରକା. ୨:୭) କିନ୍ତୁ ଯେଉଁ ଲୋକମାନଙ୍କ ଆଶା ଏହି ପୃଥିବୀରେ ବଞ୍ଚିବାର ଅଛି ସେମାନଙ୍କୁ ଏହି ରାଜପଥ ଖ୍ରୀଷ୍ଟଙ୍କ ୧,୦୦୦ ବର୍ଷର ଶେଷରେ ନେଇଯିବ, ଯେବେ ସମସ୍ତେ ପରିପୂର୍ଣ୍ଣ ହୋଇଯିବେ । ଯଦି ଆଜି ଆପଣ ଏହି ରାଜପଥରେ ଚାଲୁଛନ୍ତି ତାହେଲେ ପଛକୁ ଅନାନ୍ତୁ ନାହିଁ । ଯେବେ ଯାଏ ଆପଣଙ୍କ ଯାତ୍ରା ପୂରା ହୋଇ ନ ଯାଏ ଓ ଆପଣ ନୂଆ ଦୁନିଆ ଯାଏ ପହଞ୍ଚି ନ ଯାଆନ୍ତି, ତେବେ ଯାଏ ଆପଣ ଏହି ପଥରେ ଚାଲିବା ଜାରି ରଖନ୍ତୁ । ଆମ ପ୍ରାର୍ଥନା ଯେ “ଆପଣଙ୍କ ଯାତ୍ରା ସୁଖମୟ ହେଉ ।”

ଗୀତ ୨୪ ୟହୋୱା କି ଇବାଦତ୍‌ କରେଁ !

a ବାଇବଲରେ ବାବିଲରୁ ଇସ୍ରାଏଲ ଯାଏ ଯାଉଥିବା ଗୋଟିଏ ରାଜପଥ ବିଷୟରେ କୁହାଯାଇଛି, ଯାହାକୁ ଯିହୋବା “ପବିତ୍ରତାର ପଥ” କହିଲେ । କʼଣ ଯିହୋବା ଆଜି ବି ନିଜ ଲୋକମାନଙ୍କ ପାଇଁ କୌଣସି ରାଜପଥ ତିଆରି କରିଛନ୍ତି ? ହଁ । ୧୯୧୯ ମସିହାରୁ ଲକ୍ଷ ଲକ୍ଷ ଲୋକ ମହାନଗରୀ ବାବିଲକୁ ଛାଡ଼ି ଏହି ‘ପବିତ୍ରତାର ପଥରେ’ ଚାଲୁଛନ୍ତି । ଯେବେ ଯାଏ ଆମ ଲକ୍ଷ୍ୟସ୍ଥଳ ପହଞ୍ଚିନି, ସେସମୟ ଯାଏ ଆମେ ସମସ୍ତେ ଏଥିରେ ଚାଲିବା ଜାରି ରଖିବା ଉଚିତ୍‌ ।

c ଚିତ୍ର ବିଷୟରେ: ଭାଇ ରସେଲ୍‌ ଓ ତାଙ୍କ ସାଥିମାନେ ବାଇବଲ ଅଧ୍ୟୟନ ପାଇଁ ସେହି ପ୍ରକାଶନ ବ୍ୟବହାର କଲେ, ଯାହା ସେମାନଙ୍କ ସମୟଠାରୁ ପୂର୍ବେ ପ୍ରସ୍ତୁତ କରାଯାଇଥିଲା ।