इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୮

ଗୀତ ୧ ୟହୋୱା କି ଖୁବିୟାଁ

ନ୍ୟାୟ ଓ ଦୟାର ଈଶ୍ୱରଙ୍କ ଉପରେ ଭରସା ରଖନ୍ତୁ

ନ୍ୟାୟ ଓ ଦୟାର ଈଶ୍ୱରଙ୍କ ଉପରେ ଭରସା ରଖନ୍ତୁ

“ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ ?”ଆଦି. ୧୮:୨୫.

କʼଣ ଶିଖିବା ?

ଏହି ଲେଖାରେ ଯିହୋବାଙ୍କ ଦୟା ଓ ନ୍ୟାୟର ଗୁଣ ବିଷୟରେ ଆମକୁ ଆହୁରି ଜ୍ଞାନ ମିଳିବ । ଆମେ ଜାଣିବା ଯେ ଯେବେ ନୂଆ ଦୁନିଆରେ ଅଧାର୍ମିକ ଲୋକମାନଙ୍କୁ ଜୀବିତ କରାଯିବ, ତେବେ ଆମେ କ‘ଣ ଆଶା କରିପାରିବା ।

୧. ଯିହୋବା ଅବ୍ରହାମଙ୍କୁ କେଉଁ ଜରୁରୀ କଥା ଶିଖାଇଲେ, ଯେଉଁଥିରୁ ଆମକୁ ବି ସାନ୍ତ୍ୱନା ମିଳେ ?

 ଅନେକ ବର୍ଷ ପୂର୍ବେ ଯିହୋବା ନିଜ ବିଶ୍ୱସ୍ତ ସେବକ ଅବ୍ରହାମଙ୍କୁ କହିଲେ ଯେ ସେ ସଦୋମ ଓ ହମୋରାର ବିନାଶ କରିବାକୁ ଯାଉଛନ୍ତି, ଏହା ଶୁଣି ଅବ୍ରହାମ ବହୁତ ଚିନ୍ତିତ ହୋଇଗଲେ । ସେ ବୁଝିପାରୁ ନ ଥିଲେ ଯେ ଈଶ୍ୱର ଏପରି କାହିଁକି କରୁଛନ୍ତି, ତେଣୁ ସେ ଈଶ୍ୱରଙ୍କୁ ପଚାରିଲେ, “ଆପଣ କି ଦୁଷ୍ଟ ସହିତ ଧାର୍ମିକକୁ ସଂହାର କରିବେ ? . . . ସମସ୍ତ ପୃଥିବୀର ବିଚାରକର୍ତ୍ତା କି ନ୍ୟାୟ ବିଚାର କରିବେ ନାହିଁ ?” ସେସମୟରେ ଯିହୋବା ବହୁତ ପ୍ରେମ ଓ ଧୈର୍ଯ୍ୟର ସହ ଅବ୍ରହାମଙ୍କୁ ଗୋଟିଏ ଜରୁରୀ କଥା ଶିଖାଇଲେ, ଯେଉଁଥିରୁ ଆଜି ଆମକୁ ବି ବହୁତ ଲାଭ ହୁଏ ଏବଂ ସାନ୍ତ୍ୱନା ମିଳେ । ତାହା ହେଉଛି, ଯିହୋବା କେବେ ବି ଧାର୍ମିକ ଲୋକମାନଙ୍କୁ ବିନାଶ କରିବେ ନାହିଁ ।—ଆଦି. ୧୮:୨୩-୩୩.

୨. ଆମେ କାହିଁକି କହିପାରିବା ଯେ ଯିହୋବା ନ୍ୟାୟ କରିବା ସହ ଦୟା ମଧ୍ୟ କରନ୍ତି ?

ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ଯେବେ ବି ନ୍ୟାୟ କରନ୍ତି, ତାହା ସବୁବେଳେ ସଠିକ୍‌ ହୋଇଥାଏ ଏବଂ ସେ ନ୍ୟାୟ କରିବା ସହ ଦୟା ମଧ୍ୟ କରନ୍ତି ? କାରଣ ଯିହୋବା ଲୋକମାନଙ୍କ “ଅନ୍ତଃକରଣ ଦେଖନ୍ତି ।” (୧ ଶାମୁ. ୧୬:୭) ସେ ଜାଣନ୍ତି ଯେ “ସମୁଦାୟ ମନୁଷ୍ୟ ସନ୍ତାନର ଅନ୍ତଃକରଣ” କିପରି ଅଟେ । (୧ ରାଜା. ୮:୩୯; ୧ ବଂଶା. ୨୮:୯) ଏହା କେତେ ଅଦ୍ଭୁତ କଥା ! ଯିହୋବା ଆମଠୁ ବହୁତ ବୁଦ୍ଧିମାନ ଅଟନ୍ତି, ତେଣୁ ଆମେ ତାଙ୍କ କିଛି ନିଷ୍ପତ୍ତିକୁ ପୂରାପୂରି ବୁଝିପାରିବାନି । ଆଉ ସେଥିପାଇଁ ପ୍ରେରିତ ପାଉଲ ଈଶ୍ୱରଙ୍କ ପ୍ରେରଣାରେ ଏହା ଲେଖିଲେ, “ତାହାଙ୍କର ବିଚାରସବୁ କିପରି ବୋଧର ଅଗମ୍ୟ ।”—ରୋମୀ. ୧୧:୩୩.

୩-୪. (କ) ଆମ ମନରେ ହୁଏତ କେଉଁ ପ୍ରଶ୍ନ ଉଠିବ ? (ଖ) ଏହି ଲେଖାରେ ଆମେ କʼଣ ଜାଣିବା ? (ଯୋହନ ୫:୨୮, ୨୯)

ଏହା ଜାଣିବା ପରେ ବି ହୁଏତ ଆମେ ବେଳେବେଳେ ଅବ୍ରହାମଙ୍କ ଭଳି ପ୍ରଶ୍ନ କରିପାରୁ । ଆମେ ହୁଏତ ଭାବିପାରୁ ଯେ ‘ଯେଉଁ ଲୋକମାନଙ୍କ ବିନାଶ ଯିହୋବା ନିଜେ କରିଥିଲେ, କʼଣ ସେମାନଙ୍କୁ ବି ଜୀବିତ କରାଯିବ, ଯେପରି ସଦୋମ ଓ ହମୋରାର ଲୋକମାନଙ୍କୁ ? ଯେବେ “ଅଧାର୍ମିକ” ଲୋକମାନଙ୍କ “ପୁନରୁତ୍‌ଥାନ ହେବ,” ତେବେ କʼଣ ସେଥିରେ ସେହି ଲୋକମାନେ ବି ଥିବେ ?’—ପ୍ରେରି. ୨୪:୧୫.

ଆସନ୍ତୁ ଦେଖିବା ଯେ ମୃତ ଲୋକମାନଙ୍କୁ ଜୀବିତ କରାଯିବା ବିଷୟରେ ଆମେ କʼଣ ଜାଣିଛୁ । କିଛି ସମୟ ପୂର୍ବେ ଯୋହନ ୫:୨୮, ୨୯ ଉପରେ ଆମ ଜ୍ଞାନରେ ପରିବର୍ତ୍ତନ କରାଯାଇଥିଲା । (ପଢ଼ନ୍ତୁ ।) ଆମକୁ ବୁଝାଇ ଦିଆଯାଇଥିଲା ଯେ କିଛି ଲୋକଙ୍କୁ “ଜୀବନର ପୁନରୁତ୍‌ଥାନ ନିମନ୍ତେ” ଏବଂ କିଛି ଲୋକଙ୍କୁ “ଦଣ୍ଡର [‘ନ୍ୟାୟ,’ NWT] ପୁନରୁତ୍‌ଥାନ ନିମନ୍ତେ” ଜୀବିତ କରିବାର ଅର୍ଥ କʼଣ । a ଏହାକୁ ଧ୍ୟାନରେ ରଖି ଆମ ଜ୍ଞାନରେ ଆହୁରି କିଛି ବି ପରିବର୍ତ୍ତନ କରାଯାଇଛି, ଯାହା ବିଷୟରେ ଆମେ ଏହି ଲେଖାରେ ଏବଂ ପରବର୍ତ୍ତୀ ଲେଖାରେ ଜାଣିବା । ଆମେ ଦେଖିବା ଯେ ଯିହୋବାଙ୍କ ନ୍ୟାୟ ବିଷୟରେ ଆମେ କʼଣ ଜାଣିନୁ ଏବଂ ଆମେ କʼଣ ଜାଣିଛୁ ।

ଆମେ କʼଣ ଜାଣିନୁ ?

୫. ଆମ ପ୍ରକାଶନଗୁଡ଼ିକରେ ପୂର୍ବେ ସଦୋମ ଓ ହମୋରାର ଲୋକମାନଙ୍କ ବିଷୟରେ କʼଣ କୁହାଯାଇଥିଲା ?

ପୂର୍ବରୁ ଆମ ପ୍ରକାଶନଗୁଡ଼ିକରେ କୁହାଯାଇଥିଲା ଯେ ସେହି ଅଧାର୍ମିକ ଲୋକମାନଙ୍କ କʼଣ ହେବ ଯେଉଁମାନଙ୍କୁ ଯିହୋବା ବିନାଶ କରି ଦେଇଥିଲେ । ଆମେ କହିଥିଲୁ ଯେ ଏପରି ଅଧାର୍ମିକ ଲୋକମାନଙ୍କୁ ଭବିଷ୍ୟତରେ ଜୀବିତ କରାଯିବ ନାହିଁ, ଯେପରି ସଦୋମ ଓ ହମୋରାର ଲୋକମାନଙ୍କୁ । କିନ୍ତୁ ଅନେକ ପ୍ରାର୍ଥନା ଓ ଅଧ୍ୟୟନ କଲା ପରେ ଆମେ ଜାଣିଲୁ ଯେ ଆମେ ଏହା ନିଶ୍ଚିତ ଭାବେ କହିପାରିବାନି । କାହିଁକି ?

୬. (କ) କିଛି ଘଟଣା ବିଷୟରେ କହନ୍ତୁ ଯେବେ ଯିହୋବା ଅଧାର୍ମିକ ଲୋକମାନଙ୍କୁ ବିନାଶ କରିଥିଲେ । (ଖ) ଏହି ଘଟଣାଗୁଡ଼ିକ ବିଷୟରେ ଆମେ କʼଣ ଜାଣିନୁ ?

ବାଇବଲରେ ଏପରି ଅନେକ ଘଟଣା ଦିଆଯାଇଛି ଯେବେ ଯିହୋବା ଅଧାର୍ମିକ ଲୋକମାନଙ୍କୁ ବିନାଶ କରିଥିଲେ । ଯେପରି, ଯିହୋବା ନୋହ ଓ ତାଙ୍କ ପରିବାର ଛଡ଼ା ବାକି ସମସ୍ତ ଲୋକଙ୍କୁ ଜଳପ୍ଳାବନରେ ବିନାଶ କରି ଦେଇଥିଲେ । ସେ ଇସ୍ରାଏଲୀୟମାନଙ୍କ ଜରିଆରେ ପ୍ରତିଜ୍ଞାତ ଦେଶରେ ରହୁଥିବା ସାତଟି ଜାତିକୁ ମଧ୍ୟ ବିନାଶ କରିଦେଇଥିଲେ । ଆଉ ସେ ଜଣେ ସ୍ୱର୍ଗଦୂତଙ୍କ ଜରିଆରେ ଗୋଟିଏ ରାତି ୧,୮୫,୦୦୦ ଅଶୂରୀୟ ସୈନିକମାନଙ୍କୁ ମଧ୍ୟ ମାରି ଦେଇଥିଲେ । (ଆଦି. ୭:୨୩; ଦ୍ୱିବି. ୭:୧-୩; ଯିଶା. ୩୭:୩୬, ୩୭) କିନ୍ତୁ ଏବେ ପ୍ରଶ୍ନ ଉଠେ ଯେ କʼଣ ବାଇବଲରେ ଏହାର ପ୍ରମାଣ ଦିଆଯାଇଛି ଯେ ଯିହୋବା ଏହି ସମସ୍ତ ଲୋକଙ୍କୁ ସବୁଦିନ ପାଇଁ ବିନାଶ କରିଦେଇଛନ୍ତି ଏବଂ ସେ ଏମାନଙ୍କ ମଧ୍ୟରୁ କାହାରିକୁ ବି ଜୀବିତ କରିବେ ନାହିଁ ? ନା, ବାଇବଲରେ ଏବିଷୟରେ କୌଣସି ପ୍ରମାଣ ଦିଆଯାଇ ନାହିଁ । ଆସନ୍ତୁ ଏବିଷୟରେ ଆହୁରି ଜାଣିବା ।

୭. ଜଳପ୍ଳାବନ ସମୟରେ ବିନାଶ ହୋଇଥିବା ଲୋକମାନଙ୍କ ବିଷୟରେ ଏବଂ କିଣାନର ଅଧାର୍ମିକ ଲୋକମାନଙ୍କ ବିଷୟରେ ଆମେ କେଉଁ କଥା ଜାଣିନୁ ? (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

ଆମେ ଜାଣିନୁ ଯେ ଯେଉଁ ଲୋକମାନଙ୍କ ବିନାଶ କରାଯାଇଥିଲା, ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବ୍ୟକ୍ତି ବିଷୟରେ ଯିହୋବା କʼଣ ଭାବିଥିଲେ । ଆଉ ନା ଆମେ ଏହା ଜାଣିଛୁ ଯେ ସେମାନଙ୍କୁ ଯିହୋବାଙ୍କ ବିଷୟରେ ଜାଣିବା ଏବଂ ପଶ୍ଚାତାପ କରିବାର ସୁଯୋଗ ମିଳିଥିଲା ନା ନାହିଁ । ଯେପରି, ଜଳପ୍ଳାବନ ସମୟ ବିଷୟରେ ଏହା ତ କୁହାଯାଇଛି ଯେ ନୋହ “ଧର୍ମପ୍ରଚାରକ” ଥିଲେ, କିନ୍ତୁ ଏହା କୁହାଯାଇନି ଯେ ନୋହ ସେସମୟର ସମସ୍ତ ଲୋକଙ୍କୁ ପ୍ରଚାର କରିଥିଲେ । (୨ ପିତ. ୨:୫) ଠିକ୍‌ ସେହିପରି କିଣାନ ଦେଶର ସେହି ସାତଟି ଜାତି ବିଷୟରେ ମଧ୍ୟ ଆମେ ଜାଣିନୁ ଯେ ସେହି ସମସ୍ତ ଅଧାର୍ମିକ ଲୋକମାନଙ୍କୁ ଈଶ୍ୱରଙ୍କ ବିଷୟରେ ଜାଣିବା ଏବଂ ନିଜଠାରେ ପରିବର୍ତ୍ତନ କରିବାର ସୁଯୋଗ ମିଳିଥିଲା ନା ନାହିଁ ।

ନୋହ ଓ ତାଙ୍କ ପରିବାର ମିଶି ଜାହାଜ ତିଆରି କରୁଛନ୍ତି । ଆମେ ଜାଣିନୁ ଯେ ଜଳପ୍ଳାବନ ଆସିବା ପୂର୍ବରୁ ନୋହ ଜାହାଜ ତିଆରି କରିବା ସହ ପୃଥିବୀରେ ରହୁଥିବା ସମସ୍ତ ଲୋକଙ୍କୁ ପ୍ରଚାର କରିଥିଲେ ନା ନାହିଁ (ପାରାଗ୍ରାଫ ୭)


୮. ସଦୋମ ଓ ହମୋରାର ଲୋକମାନଙ୍କ ବିଷୟରେ ଆମେ କʼଣ ଜାଣିନୁ ?

ସଦୋମ ଓ ହମୋରାର ଲୋକମାନଙ୍କ ବିଷୟରେ କʼଣ କୁହାଯାଇପାରିବ ? ଲୋଟ ସେହି ଲୋକମାନଙ୍କ ମଧ୍ୟରେ ରହୁଥିଲେ ଆଉ ସେ ଜଣେ ଧାର୍ମିକ ବ୍ୟକ୍ତି ଥିଲେ । କିନ୍ତୁ କʼଣ ସେ ସେଠାରେ ରହୁଥିବା ସମସ୍ତ ଲୋକଙ୍କୁ ପ୍ରଚାର କରିଥିଲେ ? ଏବିଷୟରେ ଆମେ କିଛି ଜାଣିନୁ । ଏହା ତ ସତ ଯେ ସଦୋମରେ ରହୁଥିବା ସମସ୍ତ ଲୋକ ଦୁଷ୍ଟ ଥିଲେ, କିନ୍ତୁ କʼଣ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ଜଣ ଜାଣିଥିଲେ ଯେ ସେମାନେ ଯାହା କରୁଛନ୍ତି ତାହା ଭୁଲ ଅଟେ ? ମନେପକାନ୍ତୁ, ସଦୋମର ପୁରୁଷମାନେ ଲୋଟଙ୍କ ଘରେ ଆସିଥିବା ଅତିଥିମାନଙ୍କ ସହ ଖରାପ କାମ କରିବା ପାଇଁ ଚାହୁଁଥିଲେ, ସେବିଷୟରେ ବାଇବଲରେ କʼଣ କୁହାଯାଇଛି । ଏହା ଲେଖାଅଛି ଯେ ପୁରୁଷମାନଙ୍କ ମଧ୍ୟରେ ‘ଯୁବାରୁ ବୃଦ୍ଧା’ ଯାଏ ଥିଲେ । ହୁଏତ ଏମାନଙ୍କ ମଧ୍ୟରୁ ଅନେକଙ୍କ ଲାଳନପାଳନ ଖରାପ ପରିବେଶରେ ହୋଇଥିଲା, ତେଣୁ ସେମାନଙ୍କୁ ଅନୁଭବ ହେଉ ନ ଥିଲା ଯେ ସେମାନେ ଯାହା କରୁଛନ୍ତି ତାହା ଭୁଲ ଅଟେ । (ଆଦି. ୧୯:୪; ୨ ପିତ. ୨:୭) ଏବେ ଭାବନ୍ତୁ, କʼଣ ଦୟା କରୁଥିବା ଈଶ୍ୱର ସେହି ସମସ୍ତ ଲୋକମାନଙ୍କୁ ସବୁଦିନ ପାଇଁ ବିନାଶ କରିଦେଇଛନ୍ତି ଏବଂ ସେମାନଙ୍କୁ କେବେ ବି ଜୀବିତ କରିବେ ନାହିଁ । ସଦୋମର ଲୋକମାନେ ସତରେ ବହୁତ ଖରାପ ଥିଲେ । ତେଣୁ ଯିହୋବା ଅବ୍ରହାମଙ୍କୁ ଭରସାର ସହ କହିପାରିଲେ ଯେ ସଦୋମରେ ଦଶ ଜଣ ଧାର୍ମିକ ଲୋକ ନାହାନ୍ତି । (ଆଦି. ୧୮:୩୨) ଆଉ ସେମାନଙ୍କ ଦୁଷ୍ଟତା ଯୋଗୁଁ ହିଁ ଯିହୋବା ସେମାନଙ୍କୁ ଦଣ୍ଡ ଦେଲେ । ତ କʼଣ ଆମେ ପୂରା ଭରସାର ସହ କହିପାରିବା ଯେ ଯେବେ ନୂଆ ଦୁନିଆରେ ‘ଅଧାର୍ମିକ ଲୋକମାନଙ୍କ ପୁନରୁତ୍‌ଥାନ ହେବ,’ ତେବେ ସେଠାରେ ସଦୋମର ଜଣେ ବି ବ୍ୟକ୍ତି ନ ଥିବେ ? ନା, ଆମେ ଏହା ନିଶ୍ଚିତ ଭାବରେ କହିପାରିବା ନାହିଁ ।

୯. ଆମେ ଶଲୋମନଙ୍କ ବିଷୟରେ କʼଣ ଜାଣିନୁ ?

ବାଇବଲରେ କିଛି ଏପରି ଲୋକମାନଙ୍କ ବିଷୟରେ ମଧ୍ୟ କୁହାଯାଇଛି ଯେଉଁମାନେ ପୂର୍ବେ ଭଲ କାମ କରୁଥିଲେ କିନ୍ତୁ ପରେ ଦୁଷ୍ଟ ହୋଇଗଲେ । ଟିକେ ରାଜା ଶଲୋମନଙ୍କ ବିଷୟରେ ଭାବନ୍ତୁ । ସେ ଯିହୋବାଙ୍କ ଆଜ୍ଞାଗୁଡ଼ିକୁ ଭଲଭାବେ ଜାଣିଥିଲେ ଏବଂ ଯିହୋବା ତାଙ୍କୁ ଅନେକ ଆଶିଷଗୁଡ଼ିକ ଦେଇଥିଲେ । କିନ୍ତୁ ପରେ ସେ ମିଥ୍ୟା ଦେବାଦେବୀମାନଙ୍କୁ ପୂଜା କରିବାକୁ ଲାଗିଲେ । ଏହା ଯୋଗୁଁ ଯିହୋବା ବହୁତ ରାଗିଗଲେ ଏବଂ ସାରା ଇସ୍ରାଏଲ ରାଷ୍ଟ୍ରକୁ ଅନେକ ବର୍ଷ ଯାଏ ଏହାର ଖରାପ ପରିଣାମ ଭୋଗିବାକୁ ପଡ଼ିଲା । କିନ୍ତୁ ବାଇବଲରେ ଲେଖାଇଛି ଯେ ଶଲୋମନଙ୍କ ମୃତ୍ୟୁ ପରେ ସେ “ଆପଣା ପିତୃଲୋକଙ୍କର ସହିତ ଶୟନ” କଲେ । ତାଙ୍କ ପିତୃଲୋକମାନେ ଯିହୋବାଙ୍କ ବିଶ୍ୱସ୍ତ ଥିଲେ ଏବଂ ଦାଉଦ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ଥିଲେ । (୧ ରାଜା. ୧୧:୫-୯, ୪୩; ୨ ରାଜା. ୨୩:୧୩) ଏହା ଯୋଗୁଁ ଆମେ ଅନେକ ବର୍ଷ ଯାଏ ମାନୁଥିଲୁ ଯେ ଶଲୋମନଙ୍କୁ ଜୀବିତ କରାଯିବ । କିନ୍ତୁ କʼଣ ଶଲୋମନଙ୍କୁ ତାଙ୍କ ପିତୃଲୋକଙ୍କ ସହ ପୋତି ଦେବା ଏହାର ଗ୍ୟାରେଣ୍ଟି ଅଟେ ଯେ ଯିହୋବା ତାଙ୍କୁ ନିଶ୍ଚୟ ଜୀବିତ କରିବେ ? ବାଇବଲରେ ଏହା ବିଷୟରେ କିଛି କୁହାଯାଇ ନାହିଁ । କିନ୍ତୁ ହୁଏତ କିଛି ଲୋକ ଭାବନ୍ତି, “ଯେ ମରିଅଛି, ସେ ପାପରୁ ମୁକ୍ତ ହୋଇଅଛି ।” (ରୋମୀ. ୬:୭) ଏହା ତ ସତ, କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଯେତେ ବି ଲୋକଙ୍କ ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ ପୁଣିଥରେ ଜୀବନ ମିଳିବ ହିଁ ମିଳିବ । ପୁଣିଥରେ ଜୀବିତ କରାଯିବା ଯିହୋବାଙ୍କ ତରଫରୁ ଗୋଟିଏ ଉପହାର ଏବଂ ସେ ହିଁ ନିର୍ଦ୍ଧାରିତ କରନ୍ତି ଯେ ସେ ଏହି ଉପହାର କାହାକୁ ଦେବେ ଯାହାଦ୍ୱାରା ସେ ସବୁଦିନ ପାଇଁ ତାଙ୍କ ସେବା କରିପାରିବ । (ଆୟୁ. ୧୪:୧୩, ୧୪; ଯୋହ. ୬:୪୪) କʼଣ ଯିହୋବା ଶଲୋମନଙ୍କୁ ଏହି ଉପହାର ଦେବେ ? ଏହା ଯିହୋବା ହିଁ ଜାଣନ୍ତି । କିନ୍ତୁ ଆମେ ଏହା ନିଶ୍ଚୟ ଜାଣୁ ଯେ ଯିହୋବା ଯାହା ବି କରିବେ, ତାହା ନିଶ୍ଚିତ ଠିକ୍‌ ହେବ ।

ଆମେ କʼଣ ଜାଣିଛୁ ?

୧୦. ଯେବେ ଯିହୋବା ଲୋକମାନଙ୍କ ନ୍ୟାୟ କରନ୍ତି ତେବେ କିପରି ଅନୁଭବ କରନ୍ତି ? (ଯିହିଜିକଲ ୩୩:୧୧) (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ଯିହିଜିକଲ ୩୩:୧୧ ପଢ଼ନ୍ତୁ । ଯିହୋବା ଆମକୁ କହିଛନ୍ତି ଯେ ଯେବେ ସେ ଲୋକମାନଙ୍କ ନ୍ୟାୟ କରନ୍ତି, ତେବେ ତାଙ୍କୁ କିପରି ଲାଗେ । ପ୍ରେରିତ ପିତର ଈଶ୍ୱରଙ୍କ ପ୍ରେରଣାରେ ଯିହିଜିକଲଙ୍କ ଶବ୍ଦଗୁଡ଼ିକୁ ଦୋହରାଇଲେ ଏବଂ କହିଲେ, “ଯେପରି କେହି ବିନଷ୍ଟ ହୁଅନ୍ତି,” ଯିହୋବା “ଏହା ଇଚ୍ଛା” କରନ୍ତି । (୨ ପିତ. ୩:୯) ଏହା ଜାଣି କେତେ ସାନ୍ତ୍ୱନା ମିଳେ ଯେ ଯିହୋବା କାହାରିକୁ ବି ସବୁଦିନ ପାଇଁ ବିନାଶ କରିବାକୁ ଚାହାନ୍ତି ନାହିଁ । ଯିହୋବା ବହୁତ ଦୟାଳୁ ଅଟନ୍ତି ଏବଂ ଯେବେ ବି ସମ୍ଭବ ହୁଏ ସେ ଦୟା କରନ୍ତି ।

ଯେବେ ଅଧାର୍ମିକ ଲୋକଙ୍କୁ ଜୀବିତ କରାଯିବ, ତେବେ ଅଲଗା ଅଲଗା ଦେଶ ଏବଂ ଭାଷାର ଲୋକ ଜୀବିତ ହେବେ ଆଉ ସେମାନଙ୍କୁ ଯିହୋବାଙ୍କ ବିଷୟରେ ଜାଣିବାର ସୁଯୋଗ ମିଳିବ (ପାରାଗ୍ରାଫ ୧୦)


୧୧. କେଉଁ ଲୋକମାନଙ୍କୁ ଜୀବିତ କରାଯିବ ନାହିଁ ଏବଂ ଆମେ ଏପରି କାହିଁକି କହିପାରିବା ?

୧୧ ଆମେ ଏହା ବି ଜାଣୁ ଯେ କେଉଁମାନଙ୍କୁ ଜୀବିତ କରାଯିବ ନାହିଁ । ବାଇବଲରେ କେବଳ କିଛି ଲୋକମାନଙ୍କ ବିଷୟରେ ଏପରି କୁହାଯାଇଛି ଯେ ସେମାନଙ୍କୁ ଜୀବିତ କରାଯିବ ନାହିଁ । b ଯୀଶୁଙ୍କ କଥାଗୁଡ଼ିକରୁ ଜଣାପଡ଼େ ଯେ ଇଷ୍କାରିୟୋତୀୟ ଯିହୂଦାକୁ ଜୀବିତ କରାଯିବ ନାହିଁ, କାରଣ ସେ ଜାଣିଶୁଣି ଯିହୋବା ଈଶ୍ୱର ଏବଂ ତାଙ୍କ ପୁତ୍ରଙ୍କ ବିରୁଦ୍ଧରେ ପାପ କରିଥିଲା । c (ମାର୍କ ୩:୨୯; ୧୪:୨୧; ଯୋହ. ୧୭:୧୨) ଯୀଶୁ କିଛି ଧର୍ମଗୁରୁଙ୍କ ବିଷୟରେ ବି ଏହା କହିଥିଲେ ଯେ ସେମାନଙ୍କୁ ଜୀବିତ କରାଯିବ ନାହିଁ, କାରଣ ସେମାନେ ତାଙ୍କ ବିରୋଧ କରିଥିଲେ । d (ମାଥି. ୨୩:୩୩; ଯୋହ. ୧୯:୧୧) ପ୍ରେରିତ ପାଉଲ ବି କହିଲେ ଯେ ସେହି ଧର୍ମତ୍ୟାଗୀମାନଙ୍କୁ ଜୀବିତ କରାଯିବ ନାହିଁ ଯେଉଁମାନେ ପଶ୍ଚାତାପ କଲେ ନାହିଁ ।—ଏବ୍ରୀ ୬:୪-୮; ୧୦:୨୯.

୧୨. ଆମେ ଯିହୋବାଙ୍କ ଦୟା ବିଷୟରେ କ‘ଣ ଜାଣିଛୁ ? କିଛି ଉଦାହରଣ ଦିଅନ୍ତୁ ।

୧୨ ଏବେ ଆସନ୍ତୁ ଯିହୋବାଙ୍କ ଦୟା ବିଷୟରେ କଥା ହେବା । ଆମେ ଏହି ବିଷୟରେ କ‘ଣ ଜାଣିଛୁ ? ଆମେ ଦେଖିଲୁ ଯେ ‘ଯେପରି କେହି ବିନଷ୍ଟ ନ ହୁଅନ୍ତି, ଏହା ସେ ଇଚ୍ଛା କରନ୍ତି ।’ ଏହି କଥା ଯିହୋବା କିପରି ପ୍ରମାଣିତ କଲେ ? ଟିକେ ଧ୍ୟାନ ଦିଅନ୍ତୁ ଯେ ସେ ସେହି ଲୋକମାନଙ୍କ ସହ କିପରି ବ୍ୟବହାର କଲେ ଯେଉଁମାନେ ଗମ୍ଭୀର ପାପ କରିଥିଲେ । ରାଜା ଦାଉଦ ବ୍ୟଭିଚାର କରିଥିଲେ ଏବଂ ଜଣେ ବ୍ୟକ୍ତିର ହତ୍ୟା ମଧ୍ୟ କରାଇଥିଲେ । କିନ୍ତୁ ସେ ହୃଦୟରୁ ପଶ୍ଚାତାପ କଲେ ତେଣୁ ଯିହୋବା ତାଙ୍କ ଉପରେ ଦୟା କଲେ ଏବଂ କ୍ଷମା କରିଦେଲେ । (୨ ଶାମୁ. ୧୨:୧-୧୩) ରାଜା ମନଃଶି ସାରା ଜୀବନ ଅନେକ ଖରାପ କାମ କରିଥିଲେ । କିନ୍ତୁ ସେ ଯେବେ ପଶ୍ଚାତାପ କଲେ ତେବେ ଯିହୋବା ତାଙ୍କ ହୃଦୟ ଦେଖି ତାଙ୍କ ଉପରେ ଦୟା କଲେ ଏବଂ କ୍ଷମା କରିଦେଲେ । (୨ ବଂଶା. ୩୩:୯-୧୬) ଏହି ଉଦାହରଣଗୁଡ଼ିକରୁ ଜଣାପଡ଼େ ଯେ ଯେବେ ବି ଯିହୋବାଙ୍କୁ ଦୟା କରିବାର କାରଣ ମିଳେ ସେ ନିଶ୍ଚୟ ଦୟା କରନ୍ତି । ତେଣୁ ଆମେ ଭରସା ରଖିପାରିବା ଯେ ଯିହୋବା ସେହି ଲୋକମାନଙ୍କୁ ନିଶ୍ଚୟ ଜୀବିତ କରିବେ, ଯେଉଁମାନେ ନିଜ ପାପ ସ୍ୱୀକାର କରିଥିଲେ ଏବଂ ପଶ୍ଚାତାପ କରିଥିଲେ ।

୧୩. (କ) ଯିହୋବା ନୀନିବୀର ଲୋକମାନଙ୍କ ଉପରେ ଦୟା କାହିଁକି କଲେ ? (ଖ) ଆଗକୁ ଯାଇ ଯୀଶୁ ନୀନିବୀର ଲୋକମାନଙ୍କ ବିଷୟରେ କʼଣ କହିଲେ ?

୧୩ ଆମେ ଆଉ ଗୋଟିଏ କଥା ଜାଣିଛୁ । ଆମେ ଜାଣିଛୁ ଯେ ଯିହୋବା ନୀନିବୀର ଲୋକମାନଙ୍କ ଉପରେ ଦୟା କରିଥିଲେ । ସେ ଯୂନସଙ୍କୁ ନୀନିବୀ ସହର ବିଷୟରେ କହିଥିଲେ, ‘ଉଠ ଓ ତହିଁ ବିରୁଦ୍ଧରେ ଘୋଷଣା କର; କାରଣ ସେମାନଙ୍କର ଦୁଷ୍ଟତା ଆମ୍ଭ ସମ୍ମୁଖରେ ଉପସ୍ଥିତ ହୋଇଅଛି ।’ କିନ୍ତୁ ତାʼପରେ ନୀନିବୀର ଲୋକମାନେ ନିଜ ଖରାପ କାମଗୁଡ଼ିକ ଛାଡ଼ିଦେଲେ ଏବଂ ପଶ୍ଚାତାପ କଲେ । ଏହା ଦେଖି ଯିହୋବା ସେମାନଙ୍କୁ କ୍ଷମା କରିଦେଲେ । ଯିହୋବା ଯୂନସଙ୍କଠାରୁ କେତେ ଅଲଗା ଥିଲେ ! ଯୂନସ ବହୁତ ରାଗି ଯାଇଥିଲେ ଏବଂ ତାଙ୍କୁ ନୀନିବୀର ଲୋକମାନଙ୍କ ଉପରେ ଟିକେ ବି ଦୟା ଲାଗୁ ନ ଥିଲା । ତେବେ ଯିହୋବା ଯୂନସଙ୍କୁ ମନେପକାଇ ଦେଲେ ଯେ ନୀନିବୀର ଲୋକମାନେ ଠିକ୍‌ ଓ ଭୁଲ ମଧ୍ୟରେ ‘ପ୍ରଭେଦ ଜାଣନ୍ତି’ ନାହିଁ । (ଯୂନ. ୧:୧, ୨; ୩:୧୦; ୪:୯-୧୧) ଆଗକୁ ଯାଇ ଯୀଶୁ ଏହି ଘଟଣାରୁ ଲୋକମାନଙ୍କୁ ଶିଖାଇଲେ ଯେ ଯିହୋବା ଜଣେ ଦୟାଳୁ ଈଶ୍ୱର ଅଟନ୍ତି ଏବଂ ତାଙ୍କ ନ୍ୟାୟ ସବୁବେଳେ ସଠିକ୍‌ ହୋଇଥାଏ । ନୀନିବୀର ଲୋକମାନେ ପଶ୍ଚାତାପ କରିଥିଲେ, ତେଣୁ ଯୀଶୁ କହିଲେ ଯେ ସେମାନେ “ବିଚାର” ସମୟରେ ଉଠିବେ ଅର୍ଥାତ୍‌ ସେମାନଙ୍କୁ ଜୀବିତ କରାଯିବ ।—ମାଥି. ୧୨:୪୧.

୧୪. ଜୀବିତ କଲାପରେ ଯେବେ ‘ଅଧାର୍ମିକ ଲୋକମାନଙ୍କ ନ୍ୟାୟ କରାଯିବ’ ତେବେ ନୀନିବୀର ଲୋକମାନଙ୍କ କ’ଣ ହେବ ?

୧୪ ନୀନିବୀର ଲୋକମାନେ “ବିଚାର” ସମୟରେ ‘ଉଠିବେ’ ଅର୍ଥାତ୍‌ ଜୀବିତ କରାଯିବେ । ଏଠାରେ କେଉଁ ବିଚାର ବିଷୟରେ କୁହାଯାଉଛି ? ଯୀଶୁ କହିଥିଲେ ଯେ ଭବିଷ୍ୟତରେ ମରିଯାଇଥିବା ଲୋକମାନେ ‘ନ୍ୟାୟର ପୁନରୁତ୍‌ଥାନ ନିମନ୍ତେ ବାହାର ହୋଇ ଆସିବେ ।’ (ଯୋହ. ୫:୨୯) ଯୀଶୁ ସେସମୟ ବିଷୟରେ କହୁଥିଲେ ଯେବେ ସେ ହଜାର ବର୍ଷ ଶାସନ ସମୟରେ “ଧାର୍ମିକ ଓ ଅଧାର୍ମିକ” ଉଭୟ ପ୍ରକାରର ଲୋକମାନଙ୍କୁ ଜୀବିତ କରିବେ । (ପ୍ରେରି. ୨୪:୧୫) ଅଧାର୍ମିକ ଲୋକମାନଙ୍କ ‘ନ୍ୟାୟ ନିମନ୍ତେ ପୁନରୁତ୍‌ଥାନ’ ହେବ । ଏହାର ଅର୍ଥ ନୂଆ ଦୁନିଆରେ ସେମାନଙ୍କୁ ଜୀବିତ କଲା ପରେ ଈଶ୍ୱରଙ୍କ ବିଷୟରେ ଶିଖାଯିବ ଏବଂ ତା‘ପରେ ସେମାନଙ୍କ ନ୍ୟାୟ କରାଯିବ । ଯିହୋବା ଓ ଯୀଶୁ ଏହା ଦେଖିବେ ଯେ ସେହି ଲୋକମାନଙ୍କର ବ୍ୟବହାର କିପରି ଅଛି ଏବଂ ସେମାନେ ନିଜକୁ ପରିବର୍ତ୍ତନ କରୁଛନ୍ତି ନା ନାହିଁ । ଆଉ ତା’ପରେ ତାʼ ଅନୁସାରେ ସେମାନଙ୍କ ନ୍ୟାୟ କରିବେ । ଯଦି ନୀନିବୀର କୌଣସି ବ୍ୟକ୍ତି ଯିହୋବାଙ୍କ ଉପାସନା ସ୍ୱୀକାର କରେ ନାହିଁ ତେବେ ତାକୁ ଦୋଷୀ ମନେ କରାଯିବ ଏବଂ ତାକୁ ବିନାଶ କରିଦିଆଯିବ । (ଯିଶା. ୬୫:୨୦) କିନ୍ତୁ ଯେଉଁ ଲୋକମାନେ ଯିହୋବାଙ୍କୁ ଉପାସନା କରିବାର ନିଷ୍ପତ୍ତି ନେବେ, ସେମାନେ ଜୀବନ ପାଇବେ ଏବଂ ସବୁଦିନ ପାଇଁ ବଞ୍ଚିବେ ।—ଦାନି. ୧୨:୨.

୧୫. (କ) ଏହା କହିବା କାହିଁକି ଠିକ୍‌ ହେବନି ଯେ ସଦୋମ ଓ ହମୋରାରେ ଯେଉଁ ଲୋକମାନଙ୍କ ବିନାଶ ହୋଇଯାଇଥିଲା, ସେମାନଙ୍କ ମଧ୍ୟରୁ କାହାରିକୁ ବି ଜୀବିତ କରାଯିବ ନାହିଁ ? (ଖ) ଯିହୂଦା ୭ରେ ଲେଖାଥିବା କଥାର ଅର୍ଥ କʼଣ ? (“ ଯିହୂଦାଙ୍କ କହିବାର ଅର୍ଥ କʼଣ ଥିଲା ?” ନାମକ ବକ୍ସ ଦେଖନ୍ତୁ ।)

୧୫ ଯୀଶୁ କହିଥିଲେ ଯେ “ବିଚାର—ଦିନରେ” ସଦୋମ ଓ ହମୋରାର ଲୋକମାନଙ୍କ ପରିସ୍ଥିତି ସେହି ଲୋକମାନଙ୍କଠୁ ଅଧିକ ଭଲ ହେବ, ଯେଉଁମାନେ ତାଙ୍କୁ ଓ ତାଙ୍କ ଶିକ୍ଷାଗୁଡ଼ିକୁ ମାନିବାରୁ ମନା କରିଦେଇଥିଲେ । (ମାଥି. ୧୦:୧୪, ୧୫; ୧୧:୨୩, ୨୪; ଲୂକ ୧୦:୧୨) କ’ଣ ଯୀଶୁ ସଦୋମ ଓ ହମୋରାର ଲୋକମାନଙ୍କ ବିଷୟରେ କହି ଏହା ଜଣାଇବା ପାଇଁ ଚାହୁଁଥିଲେ ଯେ ସେମାନେ କେତେ ଖରାପ ଥିଲେ ? ହୁଏତ ଆମକୁ ଏପରି ହିଁ ଲାଗିପାରେ । କିନ୍ତୁ ଯୀଶୁଙ୍କ ଶବ୍ଦରୁ ଏପରି ଜଣାପଡ଼େ ଯେ ସଦୋମ ଓ ହମୋରାର ଲୋକମାନଙ୍କ ପାଇଁ ସତରେ ଆଶା ଅଛି । ସେମାନଙ୍କ ବିଷୟରେ କଥା ହେବା ସମୟରେ ଯୀଶୁ “ବିଚାର—ଦିନ” ବିଷୟରେ କଥା ହେଲେ । ଆଉ ମନେପକାନ୍ତୁ ଯୀଶୁ ନୀନିବୀର ଲୋକମାନଙ୍କ ବିଷୟରେ କଥା ହେବା ସମୟରେ ମଧ୍ୟ ନ୍ୟାୟର ଦିନ ବିଷୟରେ କହିଥିଲେ ଏବଂ କହିଥିଲେ ଯେ ସେମାନେ ସତରେ ଜୀବିତ ହେବେ । ତେଣୁ ଆମେ କହିପାରିବା ଯେ ସଦୋମ ଓ ହମୋରାର କିଛି ଲୋକଙ୍କୁ ମଧ୍ୟ ଜୀବିତ କରାଯାଇପାରିବ । ଆଉ ଗୋଟିଏ କଥା ଉପରେ ଧ୍ୟାନ ଦିଅନ୍ତୁ ଯେ ନୀନିବୀର ଲୋକମାନଙ୍କ ଭଳି ସଦୋମ ଓ ହମୋରାର ଲୋକମାନେ ବି ଖରାପ କାମଗୁଡ଼ିକ କରିଥିଲେ । ନୀନିବୀର ଲୋକମାନଙ୍କୁ ତ ପଶ୍ଚାତାପ କରିବାର ସୁଯୋଗ ମିଳିଥିଲା କିନ୍ତୁ ସଦୋମ ଓ ହମୋରାର ଲୋକମାନଙ୍କୁ ନୁହେଁ । ଆଉ ଯୀଶୁ କହିଥିଲେ ଯେ “ଯେଉଁମାନେ ଅସତ୍‌ କର୍ମ କରିଅଛନ୍ତି, ସେମାନେ ଦଣ୍ଡର ପୁନରୁତ୍‌ଥାନ ନିମନ୍ତେ ବାହାର ହୋଇ ଆସିବେ ।” (ଯୋହ. ୫:୨୯) ଏହା ଯୋଗୁଁ ଆମେ କହିପାରିବା ଯେ ସଦୋମ ଓ ହମୋରାର କିଛି ଲୋକଙ୍କୁ ଜୀବିତ କରାଯାଇପାରେ ଏବଂ ହୁଏତ ଆମକୁ ସେମାନଙ୍କୁ ଯିହୋବା ଓ ଯୀଶୁଙ୍କ ବିଷୟରେ ଶିଖାଇବାର ସୁଯୋଗ ମିଳିବ ।

୧୬. ଯିହୋବା କିପରି ନିର୍ଦ୍ଧାରିତ କରିବେ ଯେ ସେ କାହାକୁ ଜୀବିତ କରିବେ ଏବଂ କାହାକୁ ନୁହେଁ ? (ଯିରିମୀୟ ୧୭:୧୦)

୧୬ ଯିରିମୀୟ ୧୭:୧୦ ପଢ଼ନ୍ତୁ । ଏହି ପଦରେ ଆଉ ଗୋଟିଏ କଥା କୁହାଯାଇଛି ଯାହା ଆମେ ଜାଣିଛୁ । ତାହା ହେଉଛି ଯେ ଯିହୋବା ‘ପ୍ରତ୍ୟେକ ମନୁଷ୍ୟର ଅନ୍ତଃକରଣ ଅନୁସନ୍ଧାନ କରନ୍ତି ଏବଂ ମର୍ମ ପରୀକ୍ଷା କରନ୍ତି’ ଅର୍ଥାତ୍‌ ହୃଦୟରେ ଥିବା ବିଚାରଗୁଡ଼ିକୁ ପରୀକ୍ଷା କରନ୍ତି । ତେଣୁ ଭବିଷ୍ୟତରେ ଯେବେ ଈଶ୍ୱର ନିର୍ଦ୍ଧାରିତ କରିବେ ଯେ କାହାକୁ ଜୀବିତ କରିବାର ଅଛି, ତେବେ ସେ “ପ୍ରତ୍ୟେକ ମନୁଷ୍ୟକୁ ତାହାର ଆଚରଣ ଅନୁସାରେ ତାହାର କର୍ମର ଫଳ” ଦେବେ । ଯେବେ ଜରୁରୀ ତେବେ ସେ ନିଜ ନିଷ୍ପତ୍ତିରେ ଅଟଳ ରହିବେ । କିନ୍ତୁ ଯେବେ ବି ସମ୍ଭବ ସେ ଦୟା କରିବେ । ତେଣୁ ଆମେ କୌଣସି ବ୍ୟକ୍ତି ବିଷୟରେ ଏହା କହିବା ଉଚିତ୍‌ ନୁହେଁ ଯେ ତାଙ୍କୁ ଜୀବିତ କରାଯିବ ନାହିଁ । ବାଇବଲରେ ଯେଉଁମାନଙ୍କ ବିଷୟରେ ଏହା ସ୍ପଷ୍ଟ ଭାବେ କୁହାଯାଇଛି ଆମେ କେବଳ ସେମାନଙ୍କ ବିଷୟରେ ହିଁ ଏପରି କହିପାରିବା ।

“ସମସ୍ତ ପୃଥିବୀର ବିଚାରକର୍ତ୍ତା” କେବେ ଅନ୍ୟାୟ କରିବେ ନାହିଁ

୧୭. ଯେଉଁ ଲୋକମାନଙ୍କ ମୃତ୍ୟୁ ହୋଇଯାଇଛି ସେମାନଙ୍କର କʼଣ ହେବ ?

୧୭ ଯେବେ ଆଦମ ହବା, ଶୟତାନର ସହଯୋଗ କଲେ ଏବଂ ଯିହୋବାଙ୍କ ବିରୁଦ୍ଧରେ ଗଲେ ତେବେଠୁ ଆଜି ଯାଏ କୋଟି କୋଟି ଲୋକଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ଆମ “ଶତ୍ରୁ” ଏବଂ ଏହା ଅସଂଖ୍ୟ ଲୋକମାନଙ୍କୁ ନିଜ ଶିକାର କରିଛି । (୧ କରି. ୧୫:୨୬) କିନ୍ତୁ ଯେଉଁ ଲୋକମାନଙ୍କ ମୃତ୍ୟୁ ହୋଇଯାଇଛି ସେମାନଙ୍କ କʼଣ ହେବ ? ୧,୪୪,୦୦୦ ମଧ୍ୟରୁ ଯେଉଁ ଲୋକମାନଙ୍କ ମୃତ୍ୟୁ ହୋଇଯାଇଛି, ସେମାନଙ୍କୁ ସ୍ୱର୍ଗରେ ଜୀବନ ମିଳିଯାଇଛି । ଆଉ ସେମାନଙ୍କ ମଧ୍ୟରୁ ଯେଉଁମାନେ ପୃଥିବୀରେ ରହି ଯାଇଛନ୍ତି ସେମାନଙ୍କୁ ବି ସ୍ୱର୍ଗରେ ଅମର ଜୀବନ ମିଳିବ । (ପ୍ରକା. ୧୪:୧) ଏହାଛଡ଼ା ପୃଥିବୀରେ ବଡ଼ ମାତ୍ରାରେ “ଧାର୍ମିକ” ଲୋକମାନଙ୍କୁ ଜୀବିତ କରାଯିବ । ଏମାନେ ସେହି ଲୋକମାନେ ଅଟନ୍ତି ଯେଉଁମାନେ ଯିହୋବାଙ୍କୁ ପ୍ରେମ କରୁଥିଲେ । ଆଉ ଯଦି ସେମାନେ ଖ୍ରୀଷ୍ଟଙ୍କ ହଜାର ବର୍ଷ ଶାସନ ସମୟରେ ଏବଂ ଶେଷ ପରୀକ୍ଷାରେ ମଧ୍ୟ ବିଶ୍ୱସ୍ତ ରହିବେ, ତେବେ ସେମାନେ ପୃଥିବୀରେ ସବୁଦିନ ପାଇଁ ବଞ୍ଚିବେ । (ଦାନି. ୧୨:୧୩; ଏବ୍ରୀ ୧୨:୧) ହଜାର ବର୍ଷ ସମୟରେ “ଅଧାର୍ମିକ” ଲୋକମାନଙ୍କୁ ବି ଜୀବିତ କରାଯିବ । ସେମାନଙ୍କ ମଧ୍ୟରେ ସେହି ଲୋକମାନେ ଥିବେ, ଯେଉଁମାନେ କେବେ ବି ଯିହୋବାଙ୍କ ସେବା କରିନାହାନ୍ତି କିମ୍ବା “ଯେଉଁମାନେ ଅସତ୍‌ କର୍ମ କରିଅଛନ୍ତି ।” ସେମାନଙ୍କୁ ସୁଯୋଗ ମିଳିବ ଯେ ସେମାନେ ନିଜକୁ ବଦଳାନ୍ତୁ ଏବଂ ଯିହୋବାଙ୍କ ସେବା କରନ୍ତୁ । (ଲୂକ ୨୩:୪୨, ୪୩) କିନ୍ତୁ କିଛି ଲୋକ ବହୁତ ଦୁଷ୍ଟ ଥିଲେ । ସେମାନେ ଜାଣିଶୁଣି ଯିହୋବା ଓ ତାଙ୍କ ଉଦ୍ଦେଶ୍ୟ ବିରୁଦ୍ଧରେ ଗଲେ । ତେଣୁ ଯିହୋବା ନିଷ୍ପତ୍ତି ନେଇଛନ୍ତି ଯେ ସେ ସେମାନଙ୍କୁ ଜୀବିତ କରିବେ ନାହିଁ ।—ଲୂକ ୧୨:୪, ୫.

୧୮-୧୯. (କ) ଆମେ କାହିଁକି ଭରସା ରଖିପାରିବା ଯେ ଯିହୋବା ସବୁବେଳେ ସଠିକ୍‌ ନ୍ୟାୟ କରନ୍ତି ? (ଯିଶାଇୟ ୫୫:୮, ୯) (ଖ) ପରବର୍ତ୍ତୀ ଲେଖାରେ ଆମେ କʼଣ ଜାଣିବା ?

୧୮ ଆମେ ଭରସା ରଖିପାରିବା ଯେ ଯିହୋବା ଯେବେ ବି ଲୋକମାନଙ୍କ ନ୍ୟାୟ କରନ୍ତି ତାହା ସବୁବେଳେ ସଠିକ୍‌ ହୋଇଥାଏ । ଅବ୍ରହାମ ମଧ୍ୟ ଏକଥା ଭଲଭାବେ ଜାଣିଥିଲେ । ତାଙ୍କୁ ଜଣାଥିଲା ଯେ “ସମସ୍ତ ପୃଥିବୀର ବିଚାରକର୍ତ୍ତା” ଯିହୋବା ଈଶ୍ୱର ବହୁତ ଦୟାଳୁ, ସେ ସବୁକିଛି ଜାଣନ୍ତି ଏବଂ ସବୁବେଳେ ତାହା କରନ୍ତି ଯାହା ସଠିକ୍‌ ହୋଇଥାଏ । ଯିହୋବା ନିଜ ପୁଅଙ୍କୁ ମଧ୍ୟ ନ୍ୟାୟ କରିବା ଶିଖାଇଛନ୍ତି ଏବଂ ତାଙ୍କୁ ନ୍ୟାୟ କରିବାର ସବୁ ଦାୟିତ୍ୱ ଦେଇଛନ୍ତି । (ଯୋହ. ୫:୨୨) ସେମାନେ ଦୁହେଁ ମନୁଷ୍ୟର ହୃଦୟ ଦେଖିପାରନ୍ତି ଏବଂ ଜାଣିପାରନ୍ତି ଯେ ସେମାନେ ଭିତରୁ କିପରି । (ମାଥି. ୯:୪) ତେଣୁ ସେମାନେ ‘ନ୍ୟାୟ ବିଚାର କରିବା ସମୟରେ’ କେବେ ବି ଅନ୍ୟାୟ କରିବେ ନାହିଁ, ସବୁବେଳେ ତାହା ହିଁ କରିବେ ଯାହା ସଠିକ୍‌ ଥିବ ।

୧୯ ଆସନ୍ତୁ ଆମେ ଭରସା ରଖିବା ଯେ ଯିହୋବା ସବୁକିଛି ଜାଣନ୍ତି ଏବଂ ଏହା ମନେରଖିବା ଯେ ଆମେ କେବେ ବି ଅନ୍ୟମାନଙ୍କ ନ୍ୟାୟ କରିପାରିବା ନାହିଁ, କେବଳ ଯିହୋବା ହିଁ ଲୋକମାନଙ୍କ ନ୍ୟାୟ କରିପାରିବେ । (ଯିଶାଇୟ ୫୫:୮, ୯ ପଢ଼ନ୍ତୁ ।) ଆମେ ଭରସା ରଖିପାରିବା ଯେ ଯିହୋବା ଓ ଯୀଶୁ ସଠିକ୍‌ ନ୍ୟାୟ କରିବେ । ଆମ ରାଜା ଯୀଶୁ ପୂରାପୂରି ନିଜ ପିତାଙ୍କ ଭଳି ଅଟନ୍ତି । ସେ ସଠିକ୍‌ ନ୍ୟାୟ କରିବେ ଏବଂ ଦୟା ମଧ୍ୟ କରିବେ । (ଯିଶା. ୧୧:୩, ୪) କିନ୍ତୁ ଯିହୋବା ଓ ଯୀଶୁ ମହାକ୍ଳେଶ ସମୟରେ କିପରି ଲୋକମାନଙ୍କ ନ୍ୟାୟ କରିବେ ? ଏବିଷୟରେ ଆମେ କʼଣ ଜାଣିଛୁ ? ଏବଂ କʼଣ ଜାଣିନୁ ? ପରବର୍ତ୍ତୀ ଲେଖାରେ ଏହି ପ୍ରଶ୍ନଗୁଡ଼ିକର ଉତ୍ତର ମିଳିବ ।

ଗୀତ ୫୭ ହର୍‌ କିସ୍ମ କେ ଲୋଗୋଁ କୋ ସଚ୍ଚାଇ ବାତାଏଁ

b ଆଦମ, ହବା ଓ କୟିନକୁ ଜୀବିତ କରାଯିବ ନା ନାହିଁ, ଏହା ଜାଣିବା ପାଇଁ ୧ ଜାନୁୟାରୀ, ୨୦୧୩ର ପ୍ରହରୀଦୁର୍ଗର ପୃଷ୍ଠା ୧୨ରେ ଦିଆଯାଇଥିବା ଫୁଟନୋଟ୍‌ ପଢ଼ନ୍ତୁ ।

c ଯୋହନ ୧୭:୧୨ ପଦରେ ଯିହୂଦାକୁ “ବିନାଶର ସନ୍ତାନ” କୁହାଯାଇଛି । ଏହାର ଅର୍ଥ ହେଉଛି ଯେ ମୃତ୍ୟୁ ପରେ ତାʼର ସବୁଦିନ ପାଇଁ ବିନାଶ ହୋଇଯାଇଛି ଏବଂ ତାକୁ ମୃତଲୋକଙ୍କ ମଧ୍ୟରୁ ଜୀବିତ କରାଯିବ ନାହିଁ ।