इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୧୯

ଗୀତ ୨୨ ରାଜ ଜାଲ୍‌ଦ ତେରା ଆଏ ୟହାଁ !

ଯିହୋବା ଭବିଷ୍ୟତରେ ଲୋକମାନଙ୍କର କିପରି ଭାବେ ନ୍ୟାୟ କରିବେ ?

ଯିହୋବା ଭବିଷ୍ୟତରେ ଲୋକମାନଙ୍କର କିପରି ଭାବେ ନ୍ୟାୟ କରିବେ ?

‘ଯିହୋବା କେହି ବିନଷ୍ଟ ନ ହୁଅନ୍ତି ବୋଲି ଇଚ୍ଛା କରନ୍ତି ।’୨ ପିତ. ୩:୯.

କʼଣ ଶିଖିବା ?

ଆମେ ଭରସା ରଖିପାରିବା ଯେ ଭବିଷ୍ୟତରେ ଈଶ୍ୱର ଲୋକମାନଙ୍କର ଯାହା ବି ନ୍ୟାୟ କରିବେ ତାହା ସଠିକ୍‌ ଥିବ ।

୧. ଆମେ କାହିଁକି କହିପାରିବା ଯେ ଆମେ ଗୋଟିଏ ରୋମାଞ୍ଚକ ସମୟରେ ବଞ୍ଚୁଛୁ ?

 ଆମେ ଗୋଟିଏ ରୋମାଞ୍ଚକ ସମୟରେ ବଞ୍ଚୁଛୁ । ପ୍ରତ୍ୟେକ ଦିନ ଆମେ ବାଇବଲର ଭବିଷ୍ୟତବାଣୀଗୁଡ଼ିକୁ ପୂରା ହେବାର ଦେଖୁଛୁ । ଯେପରି “ଦକ୍ଷିଣ ଦେଶର ରାଜା” ଏବଂ “ଉତ୍ତର ଦେଶର ରାଜା” ଦୁନିଆ ଉପରେ ନିଜ ଶାସନ ଚଳାଇବା ପାଇଁ ପରସ୍ପର ସହ ଲଢ଼ୁଛି । (ଦାନି. ୧୧:୪୦) ଆମେ ଏହା ବି ଦେଖିପାରୁଛୁ ଯେ କିପରି ବଡ଼ ମାତ୍ରାରେ ଈଶ୍ୱରଙ୍କ ସୁସମାଚାର ଶୁଣାଯାଉଛି ଏବଂ ଲକ୍ଷ ଲକ୍ଷ ଲୋକ ଈଶ୍ୱରଙ୍କ ସେବା କରିବାର ନିଷ୍ପତ୍ତି ନେଉଛନ୍ତି । (ଯିଶା. ୬୦:୨୨; ମାଥି. ୨୪:୧୪) ଏହାଛଡ଼ା ଆମକୁ “ଯଥା ସମୟରେ” ପ୍ରକାଶନ ଓ ପତ୍ରିକାଗୁଡ଼ିକ ମିଳୁଛି, ଯାହାଦ୍ୱାରା ଈଶ୍ୱରଙ୍କ ସହ ଆମେ ନିଜ ସମ୍ପର୍କ ଦୃଢ଼ କରିପାରୁଛୁ ।—ମାଥି. ୨୪:୪୫-୪୭.

୨. ଆମେ କେଉଁ କଥାର ଭରସା ରଖିପାରିବା କିନ୍ତୁ କେଉଁ କଥାକୁ ଆମେ ସ୍ୱୀକାର ମଧ୍ୟ କରୁ ?

ଆଗକୁ ଯାଇ ବଡ଼ ବଡ଼ ଘଟଣାଗୁଡ଼ିକ ଘଟିବାକୁ ଯାଉଛି ଏବଂ ଯିହୋବା ଲଗାତାର ଆମକୁ ଏବିଷୟରେ ଜ୍ଞାନ ଦେଉଛନ୍ତି । (ହିତୋ. ୪:୧୮; ଦାନି. ୨:୨୮) ଆମେ ଭରସା ରଖିପାରିବା ଯେ ମହାକ୍ଳେଶ ଆରମ୍ଭ ହେବା ପୂର୍ବରୁ ଆମମାନଙ୍କୁ ସେସବୁ କଥା ଜଣା ଥିବ, ଯାହାଦ୍ୱାରା ଆମେ ସମସ୍ୟା ସମୟରେ ମଧ୍ୟ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବା ଏବଂ ନିଜ ଏକତା ବଜାୟ ରଖିପାରିବା । କିନ୍ତୁ ଆମେ ଏହା ବି ସ୍ୱୀକାର କରୁ ଯେ ଭବିଷ୍ୟତ ବିଷୟରେ ଏପରି ବି କିଛି କଥା ଅଛି ଯାହା ଆମେ ଜାଣିନୁ । ଏହି ଲେଖାରେ ଆମେ ଦେଖିବା ଯେ ଆଗକୁ ଯେଉଁ ଘଟଣାଗୁଡ଼ିକ ଘଟିବ ସେବିଷୟରେ ଆମ ଜ୍ଞାନରେ କʼଣ ପରିବର୍ତ୍ତନ ହୋଇଛି । ଆମେ ଏହା ବି ଦେଖିବା ଯେ ଭବିଷ୍ୟତରେ ଯିହୋବା ଯାହା କରିବେ ଏବଂ ସେସମୟରେ ଯେଉଁ ଘଟଣାଗୁଡ଼ିକ ଘଟିବ, ସେବିଷୟରେ ଆମକୁ କʼଣ ଜଣା ଅଛି ।

ଆମେ କʼଣ ଜାଣିନୁ ?

୩. ଯେଉଁ ଲୋକମାନେ ଯିହୋବାଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ବିଷୟରେ ପୂର୍ବରୁ ଆମେ କʼଣ ମାନୁ ଥିଲୁ ଏବଂ କାହିଁକି ?

ପୂର୍ବେ ଆମେ କହିଥିଲୁ ଯେ ଥରେ ମହାକ୍ଳେଶ ଆରମ୍ଭ ହୋଇଗଲେ ଲୋକମାନଙ୍କୁ ଯିହୋବାଙ୍କ ଉପରେ ବିଶ୍ୱାସ କରିବା ଏବଂ ହର୍ମିଗିଦ୍ଦୋନ୍‌ରୁ ରକ୍ଷା ପାଇବା ପାଇଁ ସୁଯୋଗ ମିଳିବନି । ଆମେ ଏକଥା ଏଥିପାଇଁ କହିଥିଲୁ, କାରଣ ଆମେ ବୁଝିଥିଲୁ ଯେ ଜଳପ୍ଳାବନ ସମୟରେ ଯାହା ବି ହେଲା ତାହା ଭବିଷ୍ୟତରେ ହେବାକୁ ଯାଉଥିବା କଥାଗୁଡ଼ିକର ଝଲକ ଥିଲା । ଉଦାହରଣ ପାଇଁ ଆମେ ଭାବୁଥିଲୁ ଯେ ଯେପରି ଜଳପ୍ଳାବନ ଆରମ୍ଭ ହେବା ପୂର୍ବରୁ ଯିହୋବା ଜାହାଜର କବାଟ ବନ୍ଦ କରିଦେଇଥିଲେ, ଠିକ୍‌ ସେହିପରି ମହାକ୍ଳେଶ ଆରମ୍ଭ ହେଲେ ସେ ଏହି ଦୁନିଆର ଲୋକମାନଙ୍କ ପାଇଁ ମଧ୍ୟ “ପ୍ରବେଶ ଦ୍ୱାର” ବା କବାଟକୁ ବନ୍ଦ କରିଦେବେ ଏବଂ ସେସମୟରେ ସେମାନଙ୍କ ପାଖରେ ବଞ୍ଚିବାର ଆଉ କୌଣସି ସୁଯୋଗ ରହିବନି ।—ମାଥି. ୨୪:୩୭-୩୯.

୪. ଏବେ ଆମେ ଏହା କାହିଁକି ବିଶ୍ୱାସ କରୁ ନାହୁଁ ଯେ ନୋହଙ୍କ ସମୟରେ ଯାହା ବି ହେଲା, ତାହା ଭବିଷ୍ୟତରେ ହେବାକୁ ଯାଉଥିବା କଥାଗୁଡ଼ିକୁ ଦର୍ଶାଏ ? ବୁଝାନ୍ତୁ ।

କʼଣ ଏହା କହିବା ଠିକ୍‌ ହେବ ଯେ ଜଳପ୍ଳାବନ ସମୟରେ ଯାହା ବି ହେଲା ତାହା ଭବିଷ୍ୟତରେ ହେବାକୁ ଯାଉଥିବା କଥାଗୁଡ଼ିକୁ ଦର୍ଶାଏ ? ନା, ଆମେ ଏପରି କାହିଁକି କହିପାରିବା ? କାରଣ ବାଇବଲରେ ଏବିଷୟରେ କିଛି ବି କୁହାଯାଇନି । a ଯୀଶୁ ନିଜ ଆଗମନର ତୁଳନା ‘ନୋହଙ୍କ ସମୟ’ ସହ କରିଥିଲେ ସତ, କିନ୍ତୁ ସେ କେବେ ବି ଏହା କହିଲେନି ଯେ ନୋହଙ୍କ ସମୟରେ ହୋଇଥିବା ପ୍ରତ୍ୟେକ ଘଟଣା ଭବିଷ୍ୟତରେ ହେବାକୁ ଯାଉଥିବା କୌଣସି କଥାକୁ ଦର୍ଶାଏ । ଯେପରି ଗୋଟେ ହେଉଛି, ଜାହାଜର କବାଟ ବନ୍ଦ କରାଯିବା । ତଥାପି ଆମେ ନୋହ ଓ ଜଳପ୍ଳାବନର ଘଟଣାରୁ ଅନେକ କିଛି ଶିଖିପାରିବା ।

୫. (କ) ଜଳପ୍ଳାବନ ଆରମ୍ଭ ହେବା ପୂର୍ବରୁ ନୋହ କିପରି ଦେଖାଇଲେ ଯେ ତାଙ୍କୁ ଈଶ୍ୱରଙ୍କ ଉପରେ ବିଶ୍ୱାସ ଅଛି ? (ଏବ୍ରୀ ୧୧:୭; ୧ ପିତ. ୩:୨୦) (ଖ) ଯଦି ପ୍ରଚାର ବିଷୟରେ କଥା ହେବା, ତେବେ ନୋହ ଏବଂ ଆମ ସମୟର କେଉଁ କଥା ଏକା ଭଳି ଅଟେ ?

ଯେବେ ଯିହୋବା ନୋହଙ୍କୁ କହିଲେ ଯେ ସେ କʼଣ କରିବାକୁ ଯାଉଛନ୍ତି, ତେବେ ନୋହ ତୁରନ୍ତ ପଦକ୍ଷେପ ନେଲେ । ସେ ଜାହାଜ ତିଆରି କରି ଦେଖାଇଲେ ଯେ ତାଙ୍କୁ ଈଶ୍ୱରଙ୍କ କଥା ଉପରେ ବିଶ୍ୱାସ ଅଛି । (ଏବ୍ରୀ ୧୧:୭; ୧ ପିତର ୩:୨୦ ପଢ଼ନ୍ତୁ ।) ଠିକ୍‌ ସେହିପରି ଆଜି ଯେବେ ଲୋକମାନେ ଈଶ୍ୱରଙ୍କ ରାଜ୍ୟର ଖୁସିର ଖବର ଶୁଣନ୍ତି, ତେବେ ସେମାନଙ୍କୁ ମଧ୍ୟ ପଦକ୍ଷେପ ନେବା ଦରକାର । (ପ୍ରେରି. ୩:୧୭-୨୦) ପିତର ଲେଖିଲେ ଯେ ନୋହ “ଧର୍ମପ୍ରଚାରକ” ଥିଲେ । (୨ ପିତ. ୨:୫) ସେ ଉତ୍ସାହର ସହ ଲୋକମାନଙ୍କୁ ପ୍ରଚାର କରିଥିଲେ । କିନ୍ତୁ ଯେପରି ଆମେ ପୂର୍ବ ଲେଖାରେ ଦେଖିଲୁ ବାଇବଲରେ ଏହି ବିଷୟରେ କୁହାଯାଇ ନାହିଁ ଯେ ଜଳପ୍ଳାବନ ପୂର୍ବରୁ ସେ ପୃଥିବୀରେ ରହୁଥିବା ସମସ୍ତ ଲୋକଙ୍କୁ ପ୍ରଚାର କରିଥିଲେ । ଯଦି ଆମ ବିଷୟରେ ଦେଖିବା ତ ଆଜି ଆମେ ସାରା ଦୁନିଆରେ ଲୋକମାନଙ୍କୁ ଖୁସିର ଖବର ଶୁଣାଇବା ପାଇଁ ଉତ୍ସାହର ସହ ପ୍ରଚାର କରୁଛୁ । କିନ୍ତୁ ଆମେ ଯେତେ ଚେଷ୍ଟା କଲେ ବି ଅନ୍ତ ଆସିବା ପୂର୍ବରୁ ପ୍ରତ୍ୟେକ ବ୍ୟକ୍ତିକୁ ପ୍ରଚାର କରିପାରିବା ନାହିଁ । କାହିଁକି ?

୬-୭. ଆମେ ଏହା କାହିଁକି କହିପାରିବା ଯେ ବିନାଶ ଆସିବା ପୂର୍ବରୁ ଆମେ ସବୁ ଲୋକଙ୍କୁ ଖୁସିର ଖବର ଶୁଣାଇ ପାରିବା ନାହିଁ ? ବୁଝାନ୍ତୁ ।

ଧ୍ୟାନ ଦିଅନ୍ତୁ ଯେ ଯୀଶୁ ପ୍ରଚାର କାମ ବିଷୟରେ କ’ଣ କହିଥିଲେ । ସେ କହିଥିଲେ ଯେ ଖୁସିର ଖବର କେତେ ବଡ଼ ମାତ୍ରାରେ ଶୁଣାଯିବ । ସେ କହିଥିଲେ, ‘ସମସ୍ତ ଜାତି ନିକଟରେ ସାକ୍ଷ୍ୟ ଦେବା ନିମନ୍ତେ ଏହି ସୁସମାଚାର ସମୁଦାୟ ପୃଥିବୀରେ ଘୋଷଣା କରାଯିବ ।’ (ମାଥି. ୨୪:୧୪) ଆମେ ସ୍ପଷ୍ଟ ଦେଖିପାରୁଛୁ ଯେ ଆଜି ଏହି ଭବିଷ୍ୟତବାଣୀ ପୂରା ହେଉଛି ! ରାଜ୍ୟର ସନ୍ଦେଶ ୧୦୦୦ରୁ ବି ଅଧିକ ଭାଷାରେ ଶୁଣାଯାଉଛି ଏବଂ ପ୍ରକାଶିତ କରାଯାଉଛି । ଆଉ ଆମ ୱେବସାଇଟ୍‌ jw.org ଜରିଆରେ ଏହାକୁ ଦୁନିଆର ଅଧିକରୁ ଅଧିକ ଲୋକମାନଙ୍କ ପାଇଁ ଉପଲବ୍ଧ କରାଯାଉଛି ।

କିନ୍ତୁ ଯୀଶୁ ନିଜ ଶିଷ୍ୟମାନଙ୍କୁ ଏହା ବି କହିଥିଲେ ଯେ ତାଙ୍କ ଆସିବା ଯାଏ ସେମାନେ ‘ନଗରଗୁଡ଼ିକରେ ଭ୍ରମଣ ଶେଷ’ କରିବେ ନାହିଁ ଅର୍ଥାତ୍‌ ସମସ୍ତ ଲୋକଙ୍କୁ ପ୍ରଚାର କରିପାରିବେ ନାହିଁ । (ମାଥି. ୧୦:୨୩; ୨୫:୩୧-୩୩) ଯୀଶୁଙ୍କ କଥା ଆଜି ଆମ ସମୟରେ ପୂରା ହେବ । ଆଜି ଲକ୍ଷ ଲକ୍ଷ ଲୋକ ଏପରି ଜାଗାଗୁଡ଼ିକରେ କିମ୍ବା ଦେଶଗୁଡ଼ିକରେ ରହନ୍ତି ଯେଉଁଠି ଆମକୁ ପ୍ରଚାର କରିବାର ସ୍ୱାଧୀନତା ନାହିଁ । ଏହାଛଡ଼ା ସାରା ଦୁନିଆରେ ପ୍ରତ୍ୟେକ ମିନିଟ୍‌ ଶହ ଶହ ଶିଶୁ ଜନ୍ମ ହେଉଛନ୍ତି, ଆମେ ‘ସମସ୍ତ ଜାତି, ଗୋଷ୍ଠୀ, ଭାଷାବାଦୀ ଓ ବଂଶୀୟ ଲୋକଙ୍କୁ’ ଖୁସିର ଖବର ଶୁଣାଇବା ପାଇଁ ପୂରା ଚେଷ୍ଟା କରୁଛୁ । କିନ୍ତୁ ଏହା ସତ ଯେ ଆମେ ବିନାଶ ଆସିବା ପୂର୍ବରୁ ଦୁନିଆର ସମସ୍ତ ଲୋକଙ୍କୁ ଖୁସିର ଖବର ଶୁଣାଇ ପାରିବା ନାହିଁ ।—ପ୍ରକା. ୧୪:୬.

୮. ଭବିଷ୍ୟତରେ ଈଶ୍ୱର ଯେପରି ଭାବେ ଲୋକମାନଙ୍କ ନ୍ୟାୟ କରିବେ ସେବିଷୟରେ ଆମ ମନରେ କ’ଣ ପ୍ରଶ୍ନ ଉଠିପାରେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

ଏବେ ଆମେ ଯାହା କଥା ହେଲୁ, ସେଥିରୁ ଗୋଟିଏ ପ୍ରଶ୍ନ ଉଠେ: ଯେଉଁମାନଙ୍କୁ ହୁଏତ ମହାକ୍ଳେଶ ଆସିବା ପୂର୍ବରୁ ଖୁସିର ଖବର ଶୁଣିବାର ସୁଯୋଗ ମିଳିଲାନି ସେହି ଲୋକମାନଙ୍କ ବିଷୟରେ କʼଣ କୁହାଯାଇପାରିବ ? ଯିହୋବା ଏବଂ ତାଙ୍କ ପୁଅ ଯାହାକୁ ସେ ନ୍ୟାୟ କରିବାର କାମ ଦେଇଛନ୍ତି, ସେ ଲୋକମାନଙ୍କ ନ୍ୟାୟ କିପରି କରିବେ ? (ଯୋହ. ୫:୧୯, ୨୨, ୨୭; ପ୍ରେରି. ୧୭:୩୧) ଏହାର ଉତ୍ତର ଆମକୁ ଜଣା ନାହିଁ, କାରଣ ଯିହୋବା ଏବେ ଯାଏ ଆମକୁ ଏହା ବିଷୟରେ ଜଣାଇ ନାହାନ୍ତି । ସେମିତି ବି ଯିହୋବାଙ୍କୁ ଆମକୁ ଏହା ଜଣାଇବା ଦରକାର ନାହିଁ ଯେ ସେ ଏବେ ଯାଏ କʼଣ କଲେ ଏବଂ ଆଗକୁ କʼଣ କରିବେ ? କିନ୍ତୁ ଆମେ ଗୋଟିଏ କଥା ଜାଣୁ, ଯାହା ଏହି ଲେଖାର ମୁଖ୍ୟ ପଦରେ ମଧ୍ୟ କୁହାଯାଇଛି । ତାହା ହେଉଛି, ‘କେହି ବି ବିନଷ୍ଟ ନ ହୁଅନ୍ତି, ବରଂ ସମସ୍ତେ ମନ ପରିବର୍ତ୍ତନ କରନ୍ତି, ଏହା ସେ ଇଚ୍ଛା କରନ୍ତି ।’—୨ ପିତ. ୩:୯; ୧ ତୀମ. ୨:୪.

ଯିହୋବା ସେହି ଲୋକମାନଙ୍କର ନ୍ୟାୟ କିପରି କରିବେ, ଯେଉଁମାନଙ୍କୁ ମହାକ୍ଳେଶ ପୂର୍ବରୁ ଖୁସିର ଖବର ଶୁଣିବାର ସୁଯୋଗ ମିଳିଲା ନାହିଁ ? (ପାରାଗ୍ରାଫ ୮) c


୯. ନିଜ ବାକ୍ୟ ବାଇବଲରୁ ଯିହୋବା ଆମକୁ କʼଣ ଜଣାଇଛନ୍ତି ?

ଯିହୋବା ଭବିଷ୍ୟତରେ କʼଣ କରିବେ ଏବିଷୟରେ ଆମକୁ ସବୁକିଛି ତ ଜଣା ନାହିଁ କିନ୍ତୁ ସେ ନିଜ ବାକ୍ୟ ବାଇବଲରେ ଆମକୁ କିଛି କଥା ନିଶ୍ଚୟ କହିଛନ୍ତି । ଯେପରି ଏଥିରେ ଲେଖାଅଛି ଯିହୋବା ସେହି “ଅଧାର୍ମିକ” ଲୋକମାନଙ୍କୁ ଜୀବିତ କରିବେ ଯେଉଁମାନଙ୍କୁ ସତ୍ୟ ଶିଖିବାର ଏବଂ ନିଜକୁ ପରିବର୍ତ୍ତନ କରିବାର ସୁଯୋଗ ମିଳିଲା ନାହିଁ । (ପ୍ରେରି. ୨୪:୧୫; ଲୂକ ୨୩:୪୨, ୪୩) ଏଥିରୁ ଆହୁରି କିଛି ଜରୁରୀ ପ୍ରଶ୍ନ ଉଠେ ଯାହା ଆମେ ଆଗକୁ ଚର୍ଚ୍ଚା କରିବା ।

୧୦. ଆମ ମନରେ ଆଉ କʼଣ ପ୍ରଶ୍ନ ଆସିପାରେ ?

୧୦ ମହାକ୍ଳେଶ ସମୟରେ ହେବାକୁ ଯାଉଥିବା ଘଟଣାଗୁଡ଼ିକରେ ଯେଉଁ ଲୋକମାନଙ୍କ ମୃତ୍ୟୁ ହୋଇଯିବ, କʼଣ ସେହି ସମସ୍ତଙ୍କ ମୃତ୍ୟୁ ସବୁଦିନ ପାଇଁ ହୋଇଯିବ ଏବଂ ସେମାନଙ୍କୁ ଆଉ କେବେ ଜୀବିତ କରାଯିବ ନାହିଁ ? ବାଇବଲରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ଯେଉଁ ଲୋକମାନେ ଯିହୋବାଙ୍କ ବିରୋଧ କରିବେ, ସେମାନଙ୍କୁ ଯିହୋବା ଆଉ ତାଙ୍କ ସେନା ହର୍ମିଗିଦ୍ଦୋନ୍‌ରେ ବିନାଶ କରିଦେବ ଏବଂ ସେମାନଙ୍କୁ କେବେ ବି ଜୀବିତ କରାଯିବ ନାହିଁ । (୨ ଥେସ. ୧:୬-୧୦) କିନ୍ତୁ ସେହି ଲୋକମାନଙ୍କର କʼଣ ହେବ ଯେଉଁମାନଙ୍କର ବୃଦ୍ଧାବସ୍ଥା, ରୋଗ କିମ୍ବା କୌଣସି ଦର୍ଘଟଣା ଯୋଗୁଁ କିମ୍ବା ହତ୍ୟା ଯୋଗୁଁ ମୃତ୍ୟୁ ହୋଇଯିବ ? (ଉପ. ୯:୧୧; ଯିଖ. ୧୪:୧୩) କʼଣ ଏମାନଙ୍କ ମଧ୍ୟରେ କିଛି ଲୋକ ସେହି “ଅଧାର୍ମିକ” ଲୋକମାନଙ୍କ ମଧ୍ୟରେ ଥିବେ ଯେଉଁମାନଙ୍କୁ ନୂଆ ଦୁନିଆରେ ଜୀବିତ କରାଯିବ ? ଏହା ବିଷୟରେ ଆମକୁ ଜଣା ନାହିଁ ।

ଆମେ କʼଣ ଜାଣିଛୁ ?

୧୧. ଯୀଶୁ କେଉଁ ଆଧାରରେ ଲୋକମାନଙ୍କର ନ୍ୟାୟ କରିବେ ?

୧୧ ଆମେ ଭବିଷ୍ୟତରେ ହେବାକୁ ଯାଉଥିବା ଘଟଣାଗୁଡ଼ିକ ବିଷୟରେ କିଛି କଥା ନିଶ୍ଚୟ ଜାଣିଛୁ । ଯେପରି ଆମକୁ ଜଣା ଅଛି ଯେ ଯୀଶୁ ଲୋକମାନଙ୍କ ନ୍ୟାୟ ଏହା ଆଧାରରେ କରିବେ ଯେ ସେମାନେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କ ସହ କିପରି ବ୍ୟବହାର କଲେ । (ମାଥି. ୨୫:୪୦) ଯେଉଁ ଲୋକମାନେ ଅଭିଷିକ୍ତ ଖ୍ରୀଷ୍ଟିୟାନମାନଙ୍କୁ ଏବଂ ଖ୍ରୀଷ୍ଟଙ୍କୁ ସହଯୋଗ କଲେ, ସେମାନଙ୍କୁ ମେଷ ଗଣନା କରାଯିବ । ଆମେ ଏହା ବି ଜାଣୁ ଯେ ମହାକ୍ଳେଶ ଆରମ୍ଭ ହେବା ପରେ ଖ୍ରୀଷ୍ଟଙ୍କ କିଛି ଭାଇ ପୃଥିବୀରେ ଥିବେ । କିନ୍ତୁ ହର୍ମିଗିଦ୍ଦୋନ୍‌ ଆରମ୍ଭ ହେବାର ଠିକ୍‌ ପୂର୍ବେ ସେମାନଙ୍କୁ ସ୍ୱର୍ଗ ନିଆଯିବ । ତେଣୁ ଯେବେ ଯାଏ ରହିଯାଇଥିବା ଅଭିଷିକ୍ତ ଖ୍ରୀଷ୍ଟିୟାନ ଏହି ପୃଥିବୀରେ ଅଛନ୍ତି, ଭଲ ମନ ରଖୁଥିବା ଲୋକମାନଙ୍କ ପାଖରେ ସୁଯୋଗ ଅଛି ଯେ ସେମାନେ ସେମାନଙ୍କ ସହଯୋଗ କରନ୍ତୁ ଏବଂ ପ୍ରଚାର କାମରେ ସେମାନଙ୍କୁ ସାହାଯ୍ୟ କରନ୍ତୁ । (ମାଥି. ୨୫:୩୧, ୩୨; ପ୍ରକା. ୧୨:୧୭) ଏହି କଥାଗୁଡ଼ିକ କାହିଁକି ଏତେ ମହତ୍ତ୍ୱପୂର୍ଣ୍ଣ ?

୧୨-୧୩. ‘ମହାନଗରୀ ବାବିଲର’ ବିନାଶ ଦେଖି କିଛି ଲୋକ ହୁଏତ କʼଣ କରିବେ ? (ଚିତ୍ରଗୁଡ଼ିକ ମଧ୍ୟ ଦେଖନ୍ତୁ ।)

୧୨ ହୋଇପାରେ ମହାକ୍ଳେଶ ଆରମ୍ଭ ହେବା ପରେ କିଛି ଲୋକଙ୍କୁ ମନେପଡ଼ିବ ଯେ ଯିହୋବାଙ୍କ ସାକ୍ଷୀମାନେ ସେମାନଙ୍କୁ କହିଥିଲେ ଯେ ସମସ୍ତ ମିଥ୍ୟା ଧର୍ମର ଅର୍ଥାତ୍‌ ‘ମହାନଗରୀ ବାବିଲର’ ବିନାଶ ହୋଇଯିବ । ତେବେ କ’ଣ ସେମାନଙ୍କ ମଧ୍ୟରୁ କିଛି ଲୋକ ଯିହୋବାଙ୍କ ଉପରେ ବିଶ୍ୱାସ କରିବା ଓ ତାଙ୍କର ସେବା କରିବାକୁ ଲାଗିବେ ?—ପ୍ରକା. ୧୭:୫; ଯିହି. ୩୩:୩୩.

୧୩ ମନେପକାନ୍ତୁ ଯେ ମୋଶାଙ୍କ ସମୟରେ ବି ଏପରି ହିଁ କିଛି ହୋଇଥିଲା । ଯେବେ ମିସରର ଲୋକମାନେ ଦେଖିଲେ ଯେ ମୋଶା ୧୦ଟି ଦଣ୍ଡ ବିଷୟରେ ଯାହା କହିଥିଲେ ତାହା ପୂରା ହେଲା, ତେବେ ହୁଏତ ସେମାନଙ୍କ ମଧ୍ୟରୁ କିଛି ଲୋକ ଯିହୋବାଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିଥିବେ । ତେଣୁ ବାଇବଲରେ ଲେଖାଅଛି ଯେ ଯେବେ ଇସ୍ରାଏଲୀୟ ମିସରରୁ ବାହାରିଲେ ସେ ସମୟରେ ‘ମିଶ୍ରିତ ଲୋକମାନଙ୍କର ଏକ ମହାଜନତା ମଧ୍ୟ ପ୍ରସ୍ଥାନ କଲା ।’ (ଯାତ୍ରା. ୧୨:୩୮) ହୁଏତ ମହାନଗରୀ ବାବିଲର ବିନାଶ ପରେ ବି ଏପରି ହିଁ କିଛି ହୋଇପାରେ । କିଛି ଲୋକ ହୁଏତ ହର୍ମିଗିଦ୍ଦୋନ୍‌ ଆସିବା ଠିକ୍‌ ପୂର୍ବରୁ ଯିହୋବାଙ୍କ ଉପରେ ବିଶ୍ୱାସ କରିବାକୁ ଲାଗିବେ ଏବଂ ତାଙ୍କ ସେବା କରିବାକୁ ଲାଗିବେ । କʼଣ ଏହା ଦେଖି ଆମକୁ ଖରାପ ଲାଗିବ କିମ୍ବା ଆମେ ନିରାଶ ହୋଇଯିବା ? ବିଲକୁଲ୍‌ ନୁହେଁ । ଏହା ପରିବର୍ତ୍ତେ ଆମେ ନିଜ ପିତା ଯିହୋବାଙ୍କ ଭଳି ହେବା, ଯିଏ “ସ୍ନେହଶୀଳ ଓ କୃପାମୟ, କ୍ରୋଧରେ ଧୀର, ଦୟା ଓ ସତ୍ୟତାରେ ପରିପୂର୍ଣ୍ଣ ।” bଯାତ୍ରା. ୩୪:୬.

କିଛି ଲୋକ ‘ମହାନଗରୀ ବାବିଲର’ ବିନାଶ ଦେଖି ହୁଏତ ମନେ ପକାଇବେ ଯେ ଯିହୋବାଙ୍କ ସାକ୍ଷୀମାନେ ସେମାନଙ୍କୁ ଏବିଷୟରେ କହିଥିଲେ (ପାରାଗ୍ରାଫ ୧୨-୧୩) d


୧୪-୧୫. ଜଣେ ମଣିଷକୁ ସବୁଦିନ ପାଇଁ ବଞ୍ଚିବାର ସୁଯୋଗ ମିଳିବ ନା ନାହିଁ, ଏହା କେଉଁ କଥା ଉପରେ ନିର୍ଭର କରେ ନାହିଁ ? ବୁଝାନ୍ତୁ । (ଗୀତସଂହିତା ୩୩:୪, ୫)

୧୪ ବେଳେବେଳେ କିଛି ଲୋକ ନିଜ ଅବିଶ୍ୱାସୀ ସମ୍ପର୍କୀୟମାନଙ୍କ ବିଷୟରେ ଭାବନ୍ତି ଯେ ଯଦି ମହାକ୍ଳେଶ ଆରମ୍ଭ ହେବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇଯାଏ ତେବେ ହୁଏତ ଯିହୋବା ସେମାନଙ୍କୁ ନୂଆ ଦୁନିଆରେ ଜୀବିତ କରିଦେବେ । ଏପରି ଭାବିବା ପଛରେ ସେମାନଙ୍କ ଉଦ୍ଦେଶ୍ୟ ଭଲ ହୋଇଥାଏ । କିନ୍ତୁ ଜଣେ ମଣିଷକୁ ସବୁଦିନ ପାଇଁ ବଞ୍ଚିବାର ସୁଯୋଗ ମିଳିବ ନା ନାହିଁ, ତାହା ଏକଥା ଉପରେ ନିର୍ଭର କରେ ନାହିଁ ଯେ ତାʼର ମୃତ୍ୟୁ କେବେ ହୁଏ । ଯିହୋବା ନ୍ୟାୟକୁ ପ୍ରେମ କରନ୍ତି ଏବଂ ସେ ଯାହା ବି ନିଷ୍ପତ୍ତି ନିଅନ୍ତି, ତାହା ସଠିକ୍‌ ହୋଇଥାଏ ଏବଂ ତାଙ୍କ ସ୍ତରଗୁଡ଼ିକ ଅନୁସାରେ ହୋଇଥାଏ । (ଗୀତସଂହିତା ୩୩:୪, ୫ ପଢ଼ନ୍ତୁ ।) ତେଣୁ ଆମେ ପୂରା ଭରସା ରଖିପାରିବା ଯେ “ସମସ୍ତ ପୃଥିବୀର ବିଚାରକର୍ତ୍ତା” ସବୁବେଳେ ସଠିକ୍‌ ନ୍ୟାୟ କରିବେ ।—ଆଦି. ୧୮:୨୫.

୧୫ ଏହା କହିବା ମଧ୍ୟ ଠିକ୍‌ ହେବ ଯେ ଜଣେ ମଣିଷକୁ ସବୁଦିନ ପାଇଁ ବଞ୍ଚିବାର ସୁଯୋଗ ମିଳିବ ନା ନାହିଁ, ଏହା ଏକଥା ଉପରେ ନିର୍ଭର କରେ ନାହିଁ ଯେ ସେ କେଉଁଠି ରହେ । ଏପରି ସମ୍ଭବ ନୁହେଁ ଯେ ଯିହୋବା ସେହି ଲକ୍ଷ ଲକ୍ଷ ଲୋକମାନଙ୍କୁ “ଛାଗ” ଗଣନା କରିବେ ଯେଉଁମାନେ ଏପରି ଦେଶରେ ରହନ୍ତି, ଯେଉଁଠି ସେମାନଙ୍କୁ ରାଜ୍ୟର ଖୁସିଖବର ଶୁଣିବା ପାଇଁ କେବେ ବି ସୁଯୋଗ ମିଳିଲା ନାହିଁ । (ମାଥି. ୨୫:୪୬) ସମସ୍ତ ପୃଥିବୀର ବିଚାରକର୍ତ୍ତା ଏମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ଯେତେ ଚିନ୍ତା କରନ୍ତି ସେତେ କେହି ବି ସେମାନଙ୍କ ଚିନ୍ତା କରନ୍ତି ନାହିଁ । ଆମେ ଜାଣିନୁ ଯେ ଯିହୋବା ମହାକ୍ଳେଶ ସମୟରେ ଘଟିବାକୁ ଯାଉଥିବା ଘଟଣାଗୁଡ଼ିକୁ କିପରି ବଦଳାଇବେ । ହୁଏତ ଏମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ଯିହୋବାଙ୍କ ବିଷୟରେ ଶିଖିବା ଆଉ ତାଙ୍କ ଉପରେ ବିଶ୍ୱାସ କରିବାର ସୁଯୋଗ ମିଳିଯିବ । ଆଉ ଯେବେ ଯିହୋବା ରାଷ୍ଟ୍ରଗୁଡ଼ିକ ଆଗରେ ନିଜ ନାମକୁ ମହାନ କରିବେ, ତେବେ ହୁଏତ ସେମାନେ ଯିହୋବାଙ୍କୁ ସହଯୋଗ କରିବେ ।—ଯିହି. ୩୮:୧୬.

ମହାକ୍ଳେଶ ଆରମ୍ଭ ହେବା ପରେ କʼଣ କିଛି ଲୋକ ଯିହୋବାଙ୍କ ଉପରେ ବିଶ୍ୱାସ କରିବା ଓ ତାଙ୍କର ସେବା କରିବାକୁ ଲାଗିବେ ?

୧୬. ଆମେ ଯିହୋବାଙ୍କ ବିଷୟରେ କʼଣ ଜାଣିଛୁ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୬ ବାଇବଲର ଅଧ୍ୟୟନ କରି ଆମେ ଜାଣିଲୁ ଯେ ଯିହୋବା ପ୍ରତ୍ୟେକ ମଣିଷର ଜୀବନକୁ ବହୁମୂଲ୍ୟ ମନେକରନ୍ତି । ଆମେ ସମସ୍ତେ ସବୁଦିନ ପାଇଁ ବଞ୍ଚୁ ବୋଲି ସେ ନିଜ ପୁଅଙ୍କୁ ବଳିଦାନ କରିଦେଲେ । (ଯୋହ. ୩:୧୬) ଏବଂ ଆମେ ସମସ୍ତେ ଅନୁଭବ କରୁ ଯେ ଯିହୋବା ଆମର କେତେ ଚିନ୍ତା କରନ୍ତି, ଆମକୁ କେତେ ପ୍ରେମ କରନ୍ତି । (ଯିଶା. ୪୯:୧୫) ସେ ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ଜାଣନ୍ତି । ସେ ଆମକୁ ଏତେ ଭଲଭାବେ ଜାଣନ୍ତି ଯେ ଯଦି ଆମର ମୃତ୍ୟୁ ବି ହୋଇଯାଏ, ତେବେ ସେ ଆମକୁ ପୁଣିଥରେ ଜୀବନ ଦେଇପାରିବେ, ଆମକୁ ସେହି ଚେହେରା ଦେଇପାରିବେ ଯାହା ଆମର ପୂର୍ବେ ଥିଲା । କେବଳ ଏତିକି ନୁହେଁ ସେ ଆମର ସ୍ୱଭାବ, ଆମ ସବୁ ସ୍ମୃତିକୁ ମଧ୍ୟ ଆମକୁ ଫେରାଇ ପାରିବେ । (ମାଥି. ୧୦:୨୯-୩୧) ତେଣୁ ଆମେ ଭରସା ରଖିପାରିବା ଯେ ଆମକୁ ପ୍ରେମ କରୁଥିବା ପିତା ଯିହୋବା ପ୍ରତ୍ୟେକଙ୍କର ସଠିକ୍‌ ନ୍ୟାୟ କରିବେ ତାଙ୍କ ନ୍ୟାୟ ସଠିକ୍‌ ହେବ ଏବଂ ତାଙ୍କ ସ୍ତରଗୁଡ଼ିକ ଅନୁସାରେ ହେବ ଏବଂ ସେ ଦୟା ମଧ୍ୟ କରିବେ ।—ଯାକୁ. ୨:୧୩.

ଆମେ ପୂରା ଭରସା ରଖିପାରିବା ଯେ ଯିହୋବା କେବେ କାହାରି ସହ ଅନ୍ୟାୟ କରିବେ ନାହିଁ; ସେ ସଠିକ୍‌ ନ୍ୟାୟ କରିବେ, ତାହା ତାଙ୍କ ସ୍ତରଗୁଡ଼ିକ ଅନୁସାରେ ଥିବ ଏବଂ ସେ ଦୟା ମଧ୍ୟ କରିବେ (ପାରାଗ୍ରାଫ ୧୬)


୧୭. ପରବର୍ତ୍ତୀ ଲେଖାରେ କʼଣ ଜାଣିବା ?

୧୭ ଆମ ଜ୍ଞାନରେ ଯେଉଁ ପରିବର୍ତ୍ତନ କରାଯାଇଛି ସେଥିରୁ ଆମକୁ ଅନୁଭବ ହୁଏ ଯେ ପ୍ରଚାର କାମ ଆଜି ଆଗ ଅପେକ୍ଷା ବହୁତ ଜରୁରୀ ହୋଇଯାଇଛି । ଆମେ ଏପରି କାହିଁକି କହିପାରିବା ? ଆଉ ପୂରା ଉତ୍ସାହର ସହ ଖୁସିର ଖବର ଶୁଣାଇବା ପାଇଁ କେଉଁ କଥା ଆମମାନଙ୍କୁ ସାହାଯ୍ୟ କରିପାରିବ ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଆମକୁ ପରବର୍ତ୍ତୀ ଲେଖାରେ ମିଳିବ ।

ଗୀତ ୭୬ କୈସା ଲଗତା ହେ ?

a ଏହି ପରିବର୍ତ୍ତନ କାହିଁକି କରାଗଲା, ଏବିଷୟରେ ଜାଣିବା ପାଇଁ ୧୫ ମାର୍ଚ୍ଚ, ୨୦୧୫ର ପ୍ରହରୀଦୁର୍ଗର ୭-୧୧ ପୃଷ୍ଠାରେ ଦିଆଯାଇଥିବା ଲେଖା, “ତୁଝେ ଏସା ହି କାରନା ମାଞ୍ଜୁର ହୁଆ” ପଢ଼ନ୍ତୁ ।

b ମହାନଗରୀ ବାବିଲର ବିନାଶ ପରେ ଯେବେ ମାଗୋଗ୍‌ ଦେଶୀୟ ଗୋଗ୍‌ ଆକ୍ରମଣ କରିବ, ତେବେ ଯିହୋବାଙ୍କ ସମସ୍ତ ସେବକମାନଙ୍କ ବିଶ୍ୱାସର ପରୀକ୍ଷା କରାଯିବ । ଏହାଛଡ଼ା, ସେସମୟରେ ଯେଉଁ ଲୋକମାନେ ଯିହୋବାଙ୍କ ସେବକମାନଙ୍କୁ ସହଯୋଗ କରିବେ ସେମାନଙ୍କ ମଧ୍ୟ ବିଶ୍ୱାସର ପରୀକ୍ଷା କରାଯିବ ।

c ଚିତ୍ର ବିଷୟରେ: ତିନୋଟି ଚିତ୍ରରେ ଦେଖାଇ ଦିଆଯାଇଛି ଯେ କେଉଁ କାରଣ ଯୋଗୁଁ ହୁଏତ ଆମକୁ କିଛି ଲୋକଙ୍କୁ ଖୁସିର ଖବର ଶୁଣାଇବାର ସୁଯୋଗ ମିଳିବନି: (୧) ଜଣେ ମହିଳା ଏପରି ଦେଶରେ ରହନ୍ତି ଯେଉଁଠି ଅଧିକାଂଶ ଲୋକ ଅନ୍ୟ ଧର୍ମକୁ ମାନନ୍ତି ଏବଂ ଯେଉଁଠାରେ ଖୁସିର ଖବର ଶୁଣାଇବା ବିପଦପୂର୍ଣ୍ଣ ଅଟେ, (୨) ଦମ୍ପତି ଜଣକ ଏପରି ଦେଶରେ ରହନ୍ତି ଯେଉଁଠି ସରକାର ଖୁସିଖବର ଶୁଣାଇବା କାମରେ ରୋକ ଲଗାଇଛି ଏବଂ ଯେଉଁଠି ପ୍ରଚାର କରିବା ବିପଦପୂର୍ଣ୍ଣ ଏବଂ (୩) ଜଣେ ବ୍ୟକ୍ତି ଏପରି ଜାଗାରେ ରହନ୍ତି ଯେଉଁଠି ପହଞ୍ଚିବା ବହୁତ କଷ୍ଟ ।

d ଚିତ୍ର ବିଷୟରେ: ମହାନଗରୀ ବାବିଲର ବିନାଶ ହୋଇସାରିଛି । ଜଣେ ମହିଳା ଯିଏ ଯିହୋବାଙ୍କ ସେବା କରିବା ଛାଡ଼ି ଦେଇଥିଲେ, ମନେ ପକାଉଛନ୍ତି ଯେ ସେ ଏବିଷୟରେ କʼଣ ଶିଖିଥିଲେ । ସେ ପଶ୍ଚାତାପ କରନ୍ତି ଏବଂ ନିଜ ବାପାମାଆଙ୍କ ପାଖକୁ ଫେରି ଆସନ୍ତି, ଯେଉଁମାନେ ଯିହୋବାଙ୍କ ସାକ୍ଷୀ ଅଟନ୍ତି । ଯଦି ଆଗକୁ ଯାଇ କାହାରି ସହ ଏପରି ହୁଏ, ତେବେ ଆମେ ନିଜ ପିତା ଯିହୋବାଙ୍କ ଭଳି ତାଙ୍କ ଉପରେ ଦୟା କରିବା, ସହାନୁଭୂତି ଦେଖାଇବା ଏବଂ ଖୁସି ମନାଇବା ଯେ ସେ ଯିହୋବାଙ୍କ ପାଖକୁ ଫେରି ଆସିଲେ ।