ଅଧ୍ୟୟନ ଲେଖା ୩୯
କୋମଳତା ଆପଣଙ୍କର ଶକ୍ତି ଅଟେ, ଦୁର୍ବଳତା ନୁହେ !
‘ପ୍ରଭୁଙ୍କ ଦାସ ବିରୋଧ କରିବା ଉଚିତ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳତାର ସହ ବ୍ୟବହାର କରିବା ।’—୨ ତୀମ. ୨:୨୪.
ଗୀତ ୧୨୦ ୟୀଶୁ ଜୈଶେ କୋମଲ୍ ବନେଁ
ଲେଖାର ଝଲକ a
୧. ଆମ କାମ ଜାଗାରେ କିମ୍ବା ସ୍କୁଲରେ ଲୋକମାନେ କେଉଁ ବିଷୟରେ ଆମକୁ ପ୍ରଶ୍ନ ପଚାରିପାରନ୍ତି ?
ଆପଣ ଯାହା ବିଶ୍ୱାସ କରନ୍ତି, ସେବିଷୟରେ ଯେବେ କେହି ଆପଣଙ୍କୁ ସ୍କୁଲ କିମ୍ବା କାମ ଜାଗାରେ କୌଣସି ପ୍ରଶ୍ନ ପଚାରନ୍ତି, ତେବେ ଆପଣଙ୍କୁ କିପରି ଲାଗେ ? କʼଣ ଆପଣ ଡରିଯାନ୍ତି ? ଆମ ମଧ୍ୟରୁ ଅଧିକାଂଶ ଲୋକ ହୁଏତ ଡରିଯିବେ । କିନ୍ତୁ ଯେବେ କେହି ଏପରି ପ୍ରଶ୍ନ ପଚାରନ୍ତି, ତେବେ ଆମକୁ ସେହି ବ୍ୟକ୍ତିଙ୍କ ଚିନ୍ତାଧାରା କିମ୍ବା ତାଙ୍କ ବିଶ୍ୱାସ ବିଷୟରେ ଜଣାପଡ଼େ । ଆଉ ତାʼଯୋଗୁଁ ହୁଏତ ଆମକୁ ସେହି ବ୍ୟକ୍ତିଙ୍କୁ ସାକ୍ଷ୍ୟ ଦେବାର ବି ସୁଯୋଗ ମିଳିପାରେ । କିନ୍ତୁ ଅନେକଥର ଜଣେ ବ୍ୟକ୍ତି ହୁଏତ ଏଥିପାଇଁ ଆମକୁ ପ୍ରଶ୍ନ ପଚାରିବେ, କାରଣ ସେ ଆମ କଥାରେ ସହମତ ନାହାନ୍ତି କିମ୍ବା ସେ ଆମ ସହ ଯୁକ୍ତିତର୍କ କରିବାକୁ ଚାହାନ୍ତି । ଯଦି ଏପରି ଅଟେ, ତେବେ ସେସମୟରେ ଆମକୁ ଆଶ୍ଚର୍ଯ୍ୟ ହେବା ଉଚିତ୍ ନୁହେଁ । ତାହା ଏଥିପାଇଁ କାରଣ ଆମେ ଯାହା ବିଶ୍ୱାସ କରୁ, ସେବିଷୟରେ ହୁଏତ ସେ ପୂରାପୂରି ଜାଣି ନ ଥିବେ କିମ୍ବା ହୁଏତ ତାଙ୍କୁ କେହି ଭୁଲ ସୂଚନା ଦେଇଥିବେ । (ପ୍ରେରି. ୨୮:୨୨) ତାʼଛଡ଼ା ଆମେ “ଶେଷକାଳରେ” ବଞ୍ଚୁଛୁ, ଏପରି ସମୟରେ ଯେବେ ଅଧିକାଂଶ ଲୋକ “ଅମିଳନପ୍ରିୟ” ଅର୍ଥାତ୍ କୌଣସି କଥାରେ ରାଜି ହୁଅନ୍ତିନି ଏବଂ କିଛି “ପ୍ରଚଣ୍ଡ” ହୋଇଯାଇଛନ୍ତି ।—୨ ତୀମ ୩:୧, ୩.
୨. କୋମଳତା ଦେଖାଇବା କାହିଁକି ଭଲ ଅଟେ ?
୨ ଆପଣ ହୁଏତ ଭାବିବେ, ‘ମୁଁ ଯାହା ବିଶ୍ୱାସ କରେ, ସେବିଷୟରେ ଯଦି କେହି ମୋ ସହିତ ଯୁକ୍ତିତର୍କ କରିବାକୁ ଚେଷ୍ଟା କରିବେ, ତେବେ ମୁଁ ଶାନ୍ତ କିପରି ରହିପାରିବି ଏବଂ ତାଙ୍କୁ ପ୍ରେମର ସହ କିପରି ଉତ୍ତର ଦେଇପାରିବି ?’ ଏପରି ସମୟରେ କୋମଳତା ଦେଖାଇବା ଦ୍ୱାରା ଆପଣଙ୍କୁ ସାହାଯ୍ୟ ମିଳିପାରିବ । ଯେଉଁ ବ୍ୟକ୍ତି କୋମଳ ସ୍ୱଭାବର ଥାନ୍ତି, ସେ ଶୀଘ୍ର ଖରାପ ଭାବନ୍ତିନି । ଯେବେ ତାଙ୍କୁ କେହି ଏପରି କିଛି ପଚାରନ୍ତି ଯାହାର ଉତ୍ତର କିପରି ଦେବାର ଅଛି, ସେ ବୁଝିପାରନ୍ତିନି କିମ୍ବା କେହି ତାଙ୍କୁ ରଗାନ୍ତି, ତେବେ ସେ ନିଜ ଉପରେ କାବୁ କରିପାରନ୍ତି । (ହିତୋ. ୧୬:୩୨) କିନ୍ତୁ ଆପଣ ହୁଏତ ଭାବିବେ, ‘ଏହା କହିବା ବହୁତ ସହଜ, କିନ୍ତୁ କରିବା ସେତେ ହିଁ କଷ୍ଟ ।’ ତାହେଲେ ଆପଣ କିପରି କୋମଳତା ଦେଖାଇପାରିବେ ? ଆପଣ ଯାହା ବିଶ୍ୱାସ କରନ୍ତି, ଯଦି ସେବିଷୟରେ କେହି ପ୍ରଶ୍ନ ପଚାରନ୍ତି, ତେବେ ଆପଣ କୋମଳତାର ସହ କିପରି ଉତ୍ତର ଦେଇପାରିବେ ? ଆଉ ବାପାମାଆମାନେ, ଯଦି ଆପଣଙ୍କ ପିଲାମାନଙ୍କୁ କେହି ତାଙ୍କ ବିଶ୍ୱାସ ବିଷୟରେ ପଚାରନ୍ତି, ତେବେ ତାଙ୍କୁ ଶାନ୍ତିର ସହ ଉତ୍ତର ଦେବା ପାଇଁ ଆପଣ କିପରି ଶିଖାଇପାରିବେ ?
ଆପଣ କୋମଳତାର ଗୁଣ କିପରି ବଢ଼ାଇପାରିବେ ?
୩. କୋମଳ ସ୍ୱଭାବର ହେବା କୌଣସି ଦୁର୍ବଳତା ନୁହେଁ, ଆମେ ଏପରି କାହିଁକି କହିପାରିବା ? (୨ ତୀମଥି ୨:୨୪, ୨୫)
୩ ଆମଠାରେ କୋମଳତାର ଗୁଣ ହେବା କୌଣସି ଦୁର୍ବଳତା ନୁହେଁ । କାରଣ ଯଦି ଏହି ଗୁଣ ଆମଠାରେ ଅଛି, ତେବେ ଆମେ କଠିନ ପରିସ୍ଥିତିରେ ନିଜ ଉପରେ କାବୁ ରଖିପାରିବା । କୋମଳତା ‘ପବିତ୍ର ଶକ୍ତିର ଫଳର’ ଗୋଟିଏ ଅଂଶ ଅଟେ । (ଗାଲା. ୫:୨୨, ୨୩, NWT) ବାଇବଲରେ ଯେଉଁ ଗ୍ରୀକ୍ ଶବ୍ଦର ଅନୁବାଦ “ଦୀର୍ଘସହିଷ୍ଣୁତା” ଅର୍ଥାତ୍ କୋମଳତା କରାଯାଇଛି, ସେହି ଶବ୍ଦର ବ୍ୟବହାର ଅନେକଥର ଏପରି ଜଙ୍ଗଲୀ ଘୋଡ଼ା ବିଷୟରେ କହିବା ପାଇଁ ବ୍ୟବହାର କରାଯାଉଥିଲା, ଯାହାକୁ କାବୁରେ ରହିବା ପାଇଁ ତାଲିମ ଦିଆଯାଇଛି । ଭାବନ୍ତୁ, ଗୋଟିଏ ଜଙ୍ଗଲୀ ଘୋଡ଼ା ଶାନ୍ତ ରହିବା ଶିଖିଯାଇଛି । ଏହା ସତ ଯେ ଏବେ ସେ ଶାନ୍ତ ରହେ, କିନ୍ତୁ ସେ ଏବେ ବି ଶକ୍ତିଶାଳୀ ଅଟେ । ତାହେଲେ ଆମେ କୋମଳ ହେବା ସହିତ କିପରି ଶକ୍ତିଶାଳୀ ମଧ୍ୟ ହୋଇପାରିବା ? ଏହା ଆମେ ନିଜ ଶକ୍ତିରୁ କରିପାରିବାନି । ଆମକୁ ଈଶ୍ୱରଙ୍କୁ ପବିତ୍ର ଶକ୍ତି ମାଗିବାକୁ ପଡ଼ିବ, ତେବେ ଯାଇ ଆମେ ନିଜଠାରେ ଏହି ବଢ଼ିଆ ଗୁଣ ବଢ଼ାଇପାରିବା । ଆଉ ଅନେକ ଭାଇଭଉଣୀ ଏପରି ହିଁ କରିଛନ୍ତି । ଯେବେ ଲୋକମାନେ ତାଙ୍କ ସହିତ ଯୁକ୍ତିତର୍କ କରିବା ପାଇଁ ଚେଷ୍ଟା କଲେ, ତେବେ ସେମାନେ ଶାନ୍ତ ରହିପାରିଲେ ଏବଂ ଏହାର ଅନ୍ୟମାନଙ୍କ ଉପରେ ବି ଭଲ ପ୍ରଭାବ ପଡ଼ିଲା । (୨ ତୀମଥି ୨:୨୪, ୨୫ ପଢ଼ନ୍ତୁ ।) ତାହେଲେ ଆପଣ କୋମଳ ହେବା ସହିତ ଶକ୍ତିଶାଳୀ କିପରି ହୋଇପାରିବେ ?
୪. ଇସ୍ହାକଙ୍କଠାରୁ ଆମେ କୋମଳତାର ସହ ବ୍ୟବହାର କରିବା ବିଷୟରେ କʼଣ ଶିଖିପାରିବା ?
୪ ବାଇବଲରେ ଏପରି ଅନେକ ଘଟଣା ଅଛି, ଯେଉଁଥିରୁ ଜଣାପଡ଼େ ଯେ କୋମଳତାର ସହ ବ୍ୟବହାର କରିବା ଦ୍ୱାରା ଅନେକ ଲାଭ ହୁଏ । ଟିକେ ଇସ୍ହାକଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଯେବେ ଗରାରରେ ରହିବାକୁ ଲାଗିଲେ ଯାହା ପଲେଷ୍ଟୀୟମାନଙ୍କ ଅଞ୍ଚଳରେ ଥିଲା, ତେବେ ସେଠାର ଲୋକମାନେ ତାଙ୍କୁ ଈର୍ଷା କରିବାକୁ ଲାଗିଲେ ଏବଂ ତାଙ୍କ ପିତା ଯେଉଁ କୂପଗୁଡ଼ିକ ଖୋଳାଇ ଥିଲେ, ତାହା ପଲେଷ୍ଟୀୟମାନେ ବନ୍ଦ କରାଇଦେଲେ । ଇସ୍ହାକ ନିଜ ଅଧିକାର ପାଇଁ ଝଗଡ଼ା କରିବା ପରିବର୍ତ୍ତେ ନିଜ ପରିବାରକୁ ନେଇ ଅନ୍ୟ ଜାଗାକୁ ଚାଲିଗଲେ ଏବଂ ଅନ୍ୟ କୂପ ଖୋଳାଇଲେ । (ଆଦି. ୨୬:୧୨-୧୮) କିନ୍ତୁ ପଲେଷ୍ଟୀୟମାନେ ଦାବି କଲେ ଯେ ସେହି କୂପଗୁଡ଼ିକ ବି ସେମାନଙ୍କର ହିଁ ଅଟେ, କାରଣ ତାହା ସେମାନଙ୍କ ଜମିରେ ଅଛି । ତଥାପି ଇସ୍ହାକ ଝଗଡ଼ା କଲେନି, ବରଂ ଶାନ୍ତ ରହିଲେ । (ଆଦି. ୨୬:୧୯-୨୫) ପଲେଷ୍ଟୀୟମାନେ ଇସ୍ହାକଙ୍କ ସହ ଯେପରି ଝଗଡ଼ା କରିବା ପାଇଁ ପ୍ରତିଜ୍ଞା କରି ନେଇଥିଲେ, ତଥାପି ସେ ନିଜକୁ କାବୁରେ ରଖିଲେ । ସେ ଏହା କିପରି କରିପାରିଲେ ? ସେ ନିଶ୍ଚୟ ନିଜ ବାପାମାଆଙ୍କଠାରୁ ଶିଖିଥିବେ । ସେ ଧ୍ୟାନ ଦେଇଥିବେ ଯେ ତାଙ୍କ ପିତା ଅବ୍ରହାମ କିପରି ଶାନ୍ତିର ସହ ବ୍ୟବହାର କରୁଥିଲେ ଏବଂ ତାଙ୍କ ମାଆ ସାରା ‘କୋମଳ ଓ ଶାନ୍ତ’ ସ୍ୱଭାବର ଥିଲେ ।—୧ ପିତ. ୩:୪-୬; ଆଦି. ୨୧:୨୨-୩୪.
୫. ବାପାମାଆ କେଉଁ କଥାର ଭରସା ରଖିପାରିବେ ? ଉଦାହରଣ ଦେଇ ବୁଝାନ୍ତୁ ।
୫ ବାପାମାଆମାନେ, ଭରସା ରଖନ୍ତୁ ଯେ ଆପଣ ବି ନିଜ ପିଲାମାନଙ୍କୁ ଏହା ଶିଖାଇପାରିବେ ଯେ କୋମଳତାର ସହ ବ୍ୟବହାର କଲେ କେତେ ଲାଭ ହୁଏ । ଟିକେ ୧୭ ବର୍ଷର ମ୍ୟାକସନ୍ସର ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ତାʼ ସ୍କୁଲରେ କିଛି ଲୋକ ତାକୁ ବହୁତ ରାଗୁଥିଲେ ଏବଂ ପ୍ରଚାର ସମୟରେ ବି ତାକୁ ଏପରି ହିଁ ରାଗିବା ଲୋକ ମିଳୁଥିଲେ । ତାʼ ବାପାମାଆ ଧୈର୍ଯ୍ୟ ଧରିଲେ ଏବଂ ପ୍ରେମର ସହ ତାକୁ ଶିଖାଇଲେ ଯେ ସେ କିପରି କୋମଳତାର ସହ ବ୍ୟବହାର କରିପାରିବ । ସେମାନେ କହନ୍ତି, “ମ୍ୟାକସନ୍ସ ଜାଣିଗଲା ଯେ ପ୍ରତିଶୋଧ ନେବା ବହୁତ ସହଜ, କିନ୍ତୁ ସେ ଏହା ବି ଜାଣିଲା ଯେ ପ୍ରକୃତ ଶକ୍ତି ଶାନ୍ତ ରହିବାରେ ଅଛି ।” ଏହା ବହୁତ ଖୁସିର କଥା ଅଟେ ଯେ ମ୍ୟାକସନ୍ସ ବୁଝିଗଲା ଯେ କୋମଳତା କୌଣସି ଦୁର୍ବଳତା ନୁହେଁ, ବରଂ ଶକ୍ତି ଅଟେ ।
୬. କୋମଳତାର ସହ ବ୍ୟବହାର କରିବା ପାଇଁ ଆମକୁ ପ୍ରାର୍ଥନାରୁ କିପରି ସାହାଯ୍ୟ ମିଳିପାରିବ ?
୬ ହୋଇପାରେ ଅନେକଥର ଲୋକେ ଆମକୁ ରଗାଇବା ପାଇଁ ଚେଷ୍ଟା କରିବେ । ଯେପରି, ହୁଏତ ସେମାନେ ଈଶ୍ୱରଙ୍କ ନାମ ବଦନାମ କରିବେ କିମ୍ବା ବାଇବଲ ବିଷୟରେ ଓଲଟା ସିଧା କଥା କହିବେ । ଏପରି ସମୟରେ ଆମେ କʼଣ କରିବା ଉଚିତ୍ ? ଆମେ ଈଶ୍ୱରଙ୍କୁ ପବିତ୍ର ଶକ୍ତି ଏବଂ ବୁଦ୍ଧି ପାଇଁ ପ୍ରାର୍ଥନା କରିବା ଉଚିତ୍, ଯାହାଦ୍ୱାରା ଆମେ ଶାନ୍ତ ରହି ସେମାନଙ୍କୁ ଉତ୍ତର ଦେଇପାରିବା । କିନ୍ତୁ ଯଦି ଆମକୁ ପରେ ଏହା ଅନୁଭବ ହୁଏ ଯେ ଆମେ ଆହୁରି ଭଲଭାବେ ସେମାନଙ୍କ ସହ ବ୍ୟବହାର କରିପାରିଥାନ୍ତୁ, ତେବେ ଆମେ କʼଣ କରିବା ଉଚିତ୍ ? ଆମକୁ ପୁଣିଥରେ ଯିହୋବାଙ୍କୁ ସେବିଷୟରେ ପ୍ରାର୍ଥନା କରିବା ଉଚିତ୍ ଏବଂ ଭାବିବା ଉଚିତ୍ ଯେ ଆରଥର ଆମେ କିପରି ଆହୁରି ଭଲଭାବେ ବ୍ୟବହାର କରିପାରିବା । ତେବେ ଯିହୋବା ଆମକୁ ନିଜ ପବିତ୍ର ଶକ୍ତି ଦେବେ, ଆମେ ନିଜକୁ କାବୁରେ ରଖିପାରିବା ଏବଂ କୋମଳତାର ସହ ବ୍ୟବହାର କରିପାରିବା ।
୭. ବାଇବଲର କିଛି ପଦଗୁଡ଼ିକୁ ମନେରଖିବା କାହିଁକି ଲାଭଦାୟକ ହୋଇପାରେ ? (ହିତୋପଦେଶ ୧୫:୧, ୧୮)
୭ ବାଇବଲରେ ଦିଆଯାଇଥିବା କିଛି ପଦଗୁଡ଼ିକୁ ମନେରଖିବା ବି ଲାଭଦାୟକ ହୋଇପାରେ । କାରଣ ଯଦି ଆମ ଆଗରେ ଏପରି କିଛି ପରିସ୍ଥିତି ଆସେ, ଯେବେ ଆମକୁ ଶାନ୍ତ ରହିବା କଠିନ ଲାଗେ, ତେବେ ଯିହୋବାଙ୍କ ପବିତ୍ର ଶକ୍ତି ଆମକୁ ସେହି ପଦଗୁଡ଼ିକୁ ମନେପକାଇ ଦେବ । (ଯୋହ. ୧୪:୨୬) ଯେପରି ହିତୋପଦେଶ ବହିରେ ଏପରି ସିଦ୍ଧାନ୍ତଗୁଡ଼ିକ ଦିଆଯାଇଛି, ଯାହାକୁ ମାନିଲେ ଆମେ ଶାନ୍ତ ରହି ଉତ୍ତର ଦେଇପାରିବା । (ହିତୋପଦେଶ ୧୫:୧, ୧୮ ପଢ଼ନ୍ତୁ ।) ଏହି ବହିରେ ଏହା ବି କୁହାଯାଇଛି ଯେ କଠିନ ପରିସ୍ଥିତିରେ ଶାନ୍ତ ରହିବା କାହିଁକି ଭଲ ଅଟେ ।—ହିତୋ. ୧୦:୧୯; ୧୭:୨୭; ୨୧:୨୩; ୨୫:୧୫.
ସୁବୁଦ୍ଧି ଥିଲେ ଆମେ କୋମଳତା ଦେଖାଇପାରିବା
୮. ଆମକୁ ସୁବୁଦ୍ଧିର ବ୍ୟବହାର କାହିଁକି କରିବା ଉଚିତ୍ ?
୮ କୋମଳତାର ସହ ବ୍ୟବହାର କରିବା ପାଇଁ ସୁବୁଦ୍ଧି ହେବା ବି ଜରୁରୀ । (ହିତୋ. ୧୯:୧୧) ଆମେ ଯାହା ବିଶ୍ୱାସ କରୁ, ଯଦି ସେବିଷୟରେ କେହି ଆମକୁ ପ୍ରଶ୍ନ ପଚାରନ୍ତି, ତେବେ ସୁବୁଦ୍ଧି ଥିଲେ ଆମେ ରାଗିବାନି, ବରଂ ଶାନ୍ତ ରହିବା । ଅନେକଥର ଲୋକେ ଆମକୁ ଯେଉଁ ପ୍ରଶ୍ନ ପଚାରନ୍ତି, ତାହା ପୋଖରୀର ଗଭୀର ପାଣି ଭଳି ଥାଏ । ଉପରୁ ଦେଖିଲେ ପ୍ରାୟ ପୋଖରୀର ଗଭୀରତା ଜଣାପଡ଼େନି । ସେହିଭଳି ଯେବେ କେହି ଆମକୁ ପ୍ରଶ୍ନ ପଚାରନ୍ତି, ତେବେ ତାଙ୍କ ମନରେ କʼଣ ଚାଲୁଛି, ସେ କାହିଁକି ସେହି ପ୍ରଶ୍ନ ପଚାରୁଛନ୍ତି, ତାହା ଅନେକ ସମୟରେ ଆମକୁ ଜଣାପଡ଼େନି । ଆମେ ସେମାନଙ୍କ ଉଦ୍ଦେଶ୍ୟ ଜାଣି ନ ଥାଉ, ତେଣୁ ଆମକୁ ଧ୍ୟାନ ଦେବା ଉଚିତ୍ । ଆଉ ଭଲ ହେବ ଯେ ଆମେ ସେମାନଙ୍କୁ ତୁରନ୍ତ କୌଣସି ଉତ୍ତର ନ ଦେଉ ।—ହିତୋ. ୧୬:୨୩.
୯. ଯେବେ ଇଫ୍ରୟିମର ଲୋକମାନେ ଗିଦିୟୋନ୍ଙ୍କ ସହ ଝଗଡ଼ା କରିବାକୁ ଲାଗିଲେ, ତେବେ ସେ କିପରି ବୁଝିବିଚାରି କାମ କଲେ ଏବଂ କୋମଳତାର ସହ ବ୍ୟବହାର କଲେ ?
୯ ଧ୍ୟାନ ଦିଅନ୍ତୁ ଯେ ଥରେ ଗିଦିୟୋନ୍ ଇଫ୍ରୟିମର ଲୋକମାନଙ୍କୁ କିପରି ଉତ୍ତର ଦେଲେ । ସେମାନେ ରାଗିକି ଗିଦିୟୋନ୍ଙ୍କ ସହ ଝଗଡ଼ା କରିବାକୁ ଲାଗିଲେ ଏବଂ କହିବାକୁ ଲାଗିଲେ ଯେ ଯେବେ ଗିଦିୟୋନ୍ ଶତ୍ରୁମାନଙ୍କ ସହ ଲଢ଼ିବାକୁ ଯାଇଥିଲେ, ତେବେ ସେ କାହିଁକି ସେମାନଙ୍କୁ ଡାକିଲେନି । ସେମାନଙ୍କ ରାଗିବାର କାରଣ କʼଣ ଥିଲା ? କʼଣ ସେମାନଙ୍କୁ ଲାଗୁଥିଲା ଯେ ଗିଦିୟୋନ୍ ସେମାନଙ୍କ ଅପମାନ କରିଛନ୍ତି ? କାରଣ ଯାହା ବି ଥାଉ ନା କାହିଁକି, ଧ୍ୟାନ ଦେବା କଥା ତ ଏହା ଯେ ଗିଦିୟୋନ୍ ବୁଝିବିଚାରି କାମ କଲେ । ସେ ସେମାନଙ୍କ ଭାବନାର ଆଦର କଲେ ଏବଂ ସେମାନଙ୍କୁ କୋମଳତାର ସହ ଉତ୍ତର ଦେଲେ । ଏହାର ପରିଣାମ କʼଣ ହେଲା ? ବାଇବଲରେ ଲେଖାଅଛି, ‘ସେମାନଙ୍କର କ୍ରୋଧ ଶାନ୍ତ ହେଲା ।’—ବିଚା. ୮:୧-୩.
୧୦. କʼଣ ବୁଝିବା ଦ୍ୱାରା ଆମେ ଜଣେ ବ୍ୟକ୍ତିଙ୍କୁ ସଠିକ୍ ଭାବେ ଉତ୍ତର ଦେଇପାରିବା ? (୧ ପିତର ୩:୧୫)
୧୦ ହୋଇପାରେ, ଆପଣଙ୍କ ସ୍କୁଲ କିମ୍ବା କାମ ଜାଗାରେ କେହି ଆପଣଙ୍କୁ କହିବେ ଯେ ଆପଣ ବାଇବଲର ସ୍ତରଗୁଡ଼ିକ ଅନୁସାରେ କାହିଁକି ବଞ୍ଚନ୍ତି । ଏପରି ବ୍ୟକ୍ତିଙ୍କୁ ଆମେ ଏହା ବୁଝାଇବା ପାଇଁ ଚେଷ୍ଟା କରିବା ଯେ ଆମେ କାହିଁକି ବାଇବଲର ସ୍ତରଗୁଡ଼ିକ ଅନୁସାରେ ବଞ୍ଚୁ । କିନ୍ତୁ ଆମେ ଏହା ବି ଧ୍ୟାନ ରଖିବା ଯେ ପ୍ରତ୍ୟେକଙ୍କର ନିଜ ନିଜ ଚିନ୍ତାଧାରା ଥାଏ ଏବଂ ଆମକୁ ସମସ୍ତଙ୍କର ଆଦର କରିବାର ଅଛି । (୧ ପିତର ୩:୧୫ ପଢ଼ନ୍ତୁ ।) ଯେବେ କେହି ଆମକୁ ପ୍ରଶ୍ନ ପଚାରନ୍ତି, ତେବେ ଆମେ ସବୁବେଳେ ଏପରି ଭାବିବାନି ଯେ ସେ ଆମର ଥଟ୍ଟା କରୁଛନ୍ତି କିମ୍ବା ଆମକୁ ନୀଚ ଦେଖାଇବା ପାଇଁ ଚେଷ୍ଟା କରୁଛନ୍ତି । ତାʼ ପରିବର୍ତ୍ତେ ଆମେ ଭାବିବା ଉଚିତ୍ ଯେ ତାଙ୍କ ମନରେ କʼଣ ଚାଲୁଛି ଏବଂ ତାଙ୍କ ପାଇଁ କେଉଁ କଥାଗୁଡ଼ିକ ମହତ୍ତ୍ୱ ରଖେ । ତାଙ୍କ ପ୍ରଶ୍ନ ପଚାରିବାର କାରଣ ଯାହା ବି ଥାଉ ନା କାହିଁକି, ଆମେ ତାଙ୍କୁ ଶାନ୍ତିର ସହ ଉତ୍ତର ଦେବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍ । ହୋଇପାରେ, ଆମ କଥା ଶୁଣି ସେ ବି ଭାବିବାକୁ ଲାଗିବେ ଯେ ସେ ଯାହା ବିଶ୍ୱାସ କରନ୍ତି, ତାହା କାହିଁକି କରନ୍ତି । ଯଦି ସେ ଆମ ସହ ଖରାପ ବ୍ୟବହାର କରନ୍ତି କିମ୍ବା ଆମର ଥଟ୍ଟା କରିବା ପାଇଁ ଚେଷ୍ଟା କରନ୍ତି, ତେବେ ବି ଆମେ କୋମଳତାର ସହ ବ୍ୟବହାର କରିବା ପାଇଁ ପୂରା ଚେଷ୍ଟା କରିବା ଉଚିତ୍ ।—ରୋମୀ. ୧୨:୧୭.
୧୧-୧୨. (କ) ଯେବେ କେହି ଆମକୁ ପ୍ରଶ୍ନ ପଚାରନ୍ତି, ତେବେ ଆମକୁ ପ୍ରଥମେ କʼଣ କରିବା ଉଚିତ୍ ? (ଚିତ୍ର ମଧ୍ୟ ଦେଖନ୍ତୁ ।) (ଖ) ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ଏପରି କରିବା ଦ୍ୱାରା କିପରି ଭଲ କଥାବାର୍ତ୍ତା ହୋଇପାରିବ ।
୧୧ ଭାବନ୍ତୁ, ଆପଣଙ୍କ ସହ କାମ କରୁଥିବା ବ୍ୟକ୍ତି ଆପଣଙ୍କୁ ପଚାରନ୍ତି ଯେ ଆପଣ ଜନ୍ମଦିନ କାହିଁକି ପାଳନ କରନ୍ତି ନାହିଁ । ତାଙ୍କୁ ଉତ୍ତର ଦେବା ପୂର୍ବରୁ ଭାବନ୍ତୁ: ସେ ଏହି ପ୍ରଶ୍ନ କାହିଁକି ପଚାରୁଛନ୍ତି, କʼଣ ତାଙ୍କୁ ଏହା ଲାଗେ ଯେ ଆମେ ମଜା କରିପାରିବାନି ? କିମ୍ବା କʼଣ ତାଙ୍କ ମନରେ ଏହା ଚାଲୁଛି ଯେ ଆମ ଯୋଗୁଁ କମ୍ପାନୀର ପରିସ୍ଥିତି ଖରାପ ହୋଇପାରିବ ? ତାʼପରେ ଆମେ ଏକଥା ପାଇଁ ତାଙ୍କ ପ୍ରଶଂସା କରିପାରିବା ଯେ ସେ ଅନ୍ୟମାନଙ୍କ ପାଇଁ ଏତେ ଚିନ୍ତା କରନ୍ତି ଏବଂ ତାଙ୍କୁ ଭରସା କରାଇପାରିବା ଯେ ଆମେ ବି କମ୍ପାନୀର ପରିସ୍ଥିତି ଭଲ ହେଉ ବୋଲି ଚାହୁଁ । ଏପରି ଭାବେ ଉତ୍ତର ଦେବା ଯୋଗୁଁ ହୋଇପାରେ ଯେ ସେହି ବ୍ୟକ୍ତି ଆମ କଥା ଶୁଣିବା ପାଇଁ ପ୍ରସ୍ତୁତ ହୋଇଯିବେ । ଆଉ ତାʼପରେ ହୁଏତ ଆମେ ବାଇବଲରୁ ତାଙ୍କୁ ଏହା କହିପାରିବା ଯେ ଆମେ କାହିଁକି ଜନ୍ମଦିନ ପାଳନ କରି ନ ଥାଉ ।
୧୨ ଆମେ ଏହି ଉପାୟ ସେସମୟରେ ବି ଆପଣାଇପାରିବା, ଯେବେ ଲୋକମାନେ ଏପରି ହିଁ କୌଣସି ଅନ୍ୟ ମାମଲାରେ ଆମକୁ ପ୍ରଶ୍ନ କରିବେ । ଯେପରି ହୋଇପାରେ, ସ୍କୁଲରେ କେହି ଆମକୁ କହନ୍ତି ଯେ ଯିହୋବାଙ୍କ ସାକ୍ଷୀମାନଙ୍କୁ ସମଲିଙ୍ଗୀ ସମ୍ପର୍କ ବିଷୟରେ ନିଜ ଚିନ୍ତାଧାରା ବଦଳାଇବା ଉଚିତ୍ । ଏପରି ସମୟରେ ଆମେ ଭାବିବା ଉଚିତ୍ ଯେ ସେ କାହିଁକି ଏପରି ଭାବନ୍ତି । କʼଣ ଯିହୋବାଙ୍କ ସାକ୍ଷୀ ସମଲିଙ୍ଗୀ ସମ୍ପର୍କ ବିଷୟରେ ଯାହା ବିଶ୍ୱାସ କରନ୍ତି, ସେବିଷୟରେ ତାଙ୍କୁ ଭୁଲ ସୂଚନା ମିଳିଛି ? କିମ୍ବା ତାଙ୍କ ସାଙ୍ଗ କିମ୍ବା ସମ୍ପର୍କୀୟ ସମଲିଙ୍ଗୀ ତ ନୁହଁନ୍ତି ? କିମ୍ବା କʼଣ ତାଙ୍କୁ ଲାଗେ ଯେ ଯିହୋବାଙ୍କ ସାକ୍ଷୀ ସମଲିଙ୍ଗୀ ସମ୍ପର୍କ ରଖୁଥିବା ଲୋକମାନଙ୍କୁ ଘୃଣା କରନ୍ତି ? ଯେବେ ଆମେ ଏବିଷୟରେ ଭାବିବା, ତେବେ ହୁଏତ ଆମେ ତାଙ୍କୁ ଭରସା କରାଇପାରିବା ଯେ ଆମେ ସମସ୍ତଙ୍କୁ ପ୍ରେମ କରୁ ଏବଂ ଏହା ମାନୁ ଯେ ପ୍ରତ୍ୟେକଙ୍କୁ ନିଜେ ନିଷ୍ପତ୍ତି ନେବାର ଅଧିକାର ଅଛି ଯେ ସେ କିପରି ଜୀବନ ବଞ୍ଚିବେ । b (୧ ପିତ. ୨:୧୭) ତାʼପରେ ହୁଏତ ଆମେ ତାଙ୍କୁ ଏହା ବି କହିପାରିବା ଯେ ବାଇବଲର ସ୍ତରଗୁଡ଼ିକ ଅନୁସାରେ ବଞ୍ଚିଲେ କେତେ ଲାଭ ହୁଏ ।
୧୩. ଆପଣ ଏପରି ଜଣେ ବ୍ୟକ୍ତିଙ୍କୁ କିପରି ସାହାଯ୍ୟ କରିପାରିବେ, ଯାହାଙ୍କ କଥାରୁ ଜଣାପଡ଼େ ଯେ ସେ ଈଶ୍ୱରଙ୍କ ଉପରେ ବିଶ୍ୱାସ କରନ୍ତି ନାହିଁ ?
୧୩ ଯଦି କେହି ବାଇବଲର କଥାଗୁଡ଼ିକରୁ ଜମା ବି ସହମତ ନୁହଁନ୍ତି, ତେବେ ଆମକୁ ଏହା ଭାବିବା ଉଚିତ୍ ନୁହେଁ ଯେ ଆମକୁ ଜଣାଅଛି ଯେ ସେ କʼଣ ବିଶ୍ୱାସ କରନ୍ତି । (ତୀତ. ୩:୨) ହୋଇପାରେ, ସ୍କୁଲରେ କେହି ଜଣେ ପିଲା କହିବ, ‘ଆଜିର ଦୁନିଆରେ ଈଶ୍ୱରଙ୍କ ଉପରେ କିଏ ବିଶ୍ୱାସ କରେ ?’ ଏପରି ସମୟରେ କʼଣ ଆପଣଙ୍କୁ ଏହା ଭାବିବା ଉଚିତ୍ ଯେ ସେ ବିବର୍ତ୍ତନର ଶିକ୍ଷାକୁ ମାନେ ଏବଂ ସେବିଷୟରେ ତାକୁ ସବୁକିଛି ଜଣାଅଛି ? ଦେଖିବାକୁ ଗଲେ ଏବିଷୟରେ ହୁଏତ ସେ ଅଧିକ ଭାବି ବି ନ ଥିବ । ତେଣୁ ବିବର୍ତ୍ତନର ଶିକ୍ଷା ଠିକ୍ ଅଟେ ନା ଭୁଲ, ଏବିଷୟରେ ତର୍କ କରିବା ପରିବର୍ତ୍ତେ କʼଣ ଆପଣ ତାକୁ ଏପରି କିଛି ପ୍ରଶ୍ନ ପଚାରିପାରିବେ ଯାହା ବିଷୟରେ ସେ ପରେ ଭାବିବ ? ଆପଣ ଚାହିଁଲେ ତାକୁ jw.org ୱେବସାଇଟ୍ରେ ସୃଷ୍ଟି ବିଷୟରେ ଦିଆଯାଇଥିବା ଲେଖା କିମ୍ବା ଭିଡିଓ ଦେଖାଇପାରିବେ । ହୋଇପାରେ, ପରେ ସେ ସେବିଷୟରେ କଥା ହେବା ପାଇଁ ପ୍ରସ୍ତୁତ ହୋଇଯିବ । ଏପରି ଭାବେ ଯେବେ ଆମେ ଅନ୍ୟମାନଙ୍କ ଚିନ୍ତାଧାରାର ଆଦର କରୁ ଏବଂ ବୁଝିବିଚାରି କଥା ହେଉ, ତେବେ ହୁଏତ ତାଙ୍କୁ ବାଇବଲ ବିଷୟରେ ଆହୁରି ଜାଣିବା ପାଇଁ ଇଚ୍ଛା ହେବ ।
୧୪. ନିଲ୍ ଆମ ୱେବସାଇଟ୍ର କିପରି ଭଲ ବ୍ୟବହାର କଲା ?
୧୪ ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ଲୋକମାନଙ୍କ ମନରେ ଯେଉଁ ଭୁଲ ଧାରଣା ଅଛି, ସେଗୁଡ଼ିକୁ ଦୂର କରିବା ପାଇଁ ନିଲ୍ ନାମକ ଜଣେ ଯୁବା ଆମ ୱେବସାଇଟ୍ର ଭଲ ବ୍ୟବହାର କଲା । ସେ କହେ, “ମୋ କ୍ଲାସର ଜଣେ ପିଲା ପ୍ରାୟ କହୁଥିଲା ଯେ ମୁଁ ବିଜ୍ଞାନ ଉପରେ ଏଥିପାଇଁ ବିଶ୍ୱାସ କରେନି, କାରଣ ମୁଁ ପ୍ରମାଣଗୁଡ଼ିକ ଉପରେ ନୁହେଁ, ବରଂ କଥା କାହାଣୀଗୁଡ଼ିକ (ବାଇବଲ) ଉପରେ ବିଶ୍ୱାସ କରେ ।” ନିଲ୍ ଯେବେ ବି ତାକୁ ବୁଝାଇବା ପାଇଁ ଚେଷ୍ଟା କରୁଥିଲା ଯେ ସେ କʼଣ ବିଶ୍ୱାସ କରେ, ତେବେ ସେ ଶୁଣୁ ହିଁ ନ ଥିଲା । ତାʼପରେ ନିଲ୍ ତାକୁ jw.org ୱେବସାଇଟ୍ରେ ଦିଆଯାଇଥିବା “ବିଜ୍ଞାନ ଓ ପବିତ୍ର ଶାସ୍ତ୍ର” ଭାଗ ବିଷୟରେ କହିଲା । ପରେ ନିଲ୍ ବୁଝିଗଲା ଯେ ସେହି ପିଲା ନିଶ୍ଚୟ ଆମ ୱେବସାଇଟ୍ରେ ଦିଆଯାଇଥିବା ସୂଚନା ପଢ଼ିଥିବ । ତାʼପରେ ନିଲ୍ ସେହି ପିଲା ସହ ଜୀବନର ଆରମ୍ଭ ବିଷୟରେ କଥା ହୋଇପାରିଲା । ଆପଣଙ୍କ ପାଖରେ ବି ହୁଏତ ଏପରି ଭଲ ଅନୁଭବ ଥିବ ।
ସାଙ୍ଗରେ ମିଶି ଅଭ୍ୟାସ କରନ୍ତୁ
୧୫. ବାପାମାଆ ନିଜ ପିଲାମାନଙ୍କୁ କୋମଳତାର ସହ ଉତ୍ତର ଦେବା ପାଇଁ କିପରି ଶିଖାଇପାରିବେ ?
୧୫ ବାପାମାଆମାନେ ଆପଣ ନିଜ ପିଲାମାନଙ୍କୁ ଶିଖାଇପାରିବେ ଯେ ସେମାନଙ୍କ ଆଗରେ ଯେବେ ଏପରି କୌଣସି କଠିନ ପରିସ୍ଥିତି ଆସେ, ତେବେ ସେମାନେ କିପରି କୋମଳତାର ସହ ଉତ୍ତର ଦେଇପାରିବେ । (ଯାକୁ. ୩:୧୩) କିଛି ବାପାମାଆ ପାରିବାରିକ ଉପାସନା ସମୟରେ ନିଜ ପିଲାମାନଙ୍କୁ ଏପରି କରିବା ପାଇଁ ଶିଖାନ୍ତି । ପ୍ରଥମେ ସେମାନେ ଏହା ଭାବନ୍ତି ଯେ ସ୍କୁଲରେ ସେମାନଙ୍କ ପିଲାମାନଙ୍କୁ କେଉଁ ବିଷୟରେ ପ୍ରଶ୍ନ ପଚରାଯାଇପାରେ । ତାʼପରେ ସେମାନେ ସେ ବିଷୟଗୁଡ଼ିକ ଉପରେ ଚର୍ଚ୍ଚା କରନ୍ତି । ସେମାନେ ଏବିଷୟରେ ବି କଥା ହୁଅନ୍ତି ଯେ ସେସମୟରେ ପିଲାମାନେ କʼଣ କହିପାରିବେ ଏବଂ କିପରି ନମ୍ର ରହିବେ ଓ କୋମଳତାର ସହ ଉତ୍ତର ଦେଇପାରିବେ । ତାʼପରେ ସେମାନେ ନିଜ ପିଲାମାନଙ୍କ ସହ ଏପରି କରିବାର ଅଭ୍ୟାସ ବି କରନ୍ତି ।—“ ଅଭ୍ୟାସ କଲେ ଲାଭ ହେବ” ନାମକ ବକ୍ସ ଦେଖନ୍ତୁ ।
୧୬-୧୭. ଯୁବାମାନଙ୍କ ସହ ଅଭ୍ୟାସ କରିବା ଦ୍ୱାରା କିପରି ସେମାନଙ୍କୁ ସାହାଯ୍ୟ ମିଳିପାରିବ ?
୧୬ ପିଲାମାନଙ୍କ ସହ ଅଭ୍ୟାସ କରିବା ଦ୍ୱାରା କʼଣ ଲାଭ ହୋଇପାରେ ? ପ୍ରଥମ, ପିଲାମାନଙ୍କୁ ନିଜେ ବିଶ୍ୱାସ ହୋଇଯିବ ଯେ ସେମାନେ ଯାହା ବିଶ୍ୱାସ କରନ୍ତି, ତାହା କାହିଁକି କରନ୍ତି । ଦ୍ୱିତୀୟ, ଏବିଷୟରେ ସେମାନେ ଅନ୍ୟମାନଙ୍କୁ ବିଶ୍ୱାସର ସହ କହିପାରିବେ । jw.org ୱେବସାଇଟ୍ରେ “ଯୁବକ-ଯୁବକତୀମାନଙ୍କ ପ୍ରଶ୍ନ” ସିରିଜ୍ ଏବଂ ଯୁବକ-ଯୁବତୀମାନଙ୍କ ପାଇଁ ଅନୁଶୀଳନୀ ପୁସ୍ତିକା ଦିଆଯାଇଛି । ଏହା ଯୁବାମାନଙ୍କ ବିଶ୍ୱାସ ବଢ଼ାଇବା ପାଇଁ ପ୍ରସ୍ତୁତ କରାଯାଇଛି ଏବଂ ଏହା ସାହାଯ୍ୟରୁ ସେମାନେ ନିଜ ଶବ୍ଦରେ ଉତ୍ତର ଦେବା ପାଇଁ ଶିଖିପାରିବେ । ଯଦି ପୂରା ପରିବାର ମିଶି ଏହାର ଅଧ୍ୟୟନ କରିବେ, ତେବେ ସମସ୍ତେ ଶିଖିପାରିବେ ଯେ ସେମାନେ ଯାହା ବିଶ୍ୱାସ କରନ୍ତି, ସେବିଷୟରେ କିପରି ପ୍ରେମ ଏବଂ କୋମଳତାର ସହ ଉତ୍ତର ଦେଇପାରିବେ ।
୧୭ ମ୍ୟାଥ୍ୟୁ ନାମକ ଯୁବା କହେ ଯେ ଏପରି ଅଭ୍ୟାସ କରିବା ଦ୍ୱାରା ତାକୁ କିପରି ସାହାଯ୍ୟ ମିଳିଛି । ତାʼ ବାପାମାଆ ତାʼ ସହିତ ପ୍ରାୟ ପାରିବାରିକ ଉପାସନାରେ ଏପରି ବିଷୟଗୁଡ଼ିକ ଉପରେ ଅନୁସନ୍ଧାନ କରନ୍ତି, ଯାହା ବିଷୟରେ ସ୍କୁଲରେ ତାକୁ ପ୍ରଶ୍ନ ପଚରାଯାଇପାରେ । ସେ କହେ, “ଆମେ ଭାବୁଥିଲୁ ଯେ ସ୍କୁଲରେ ଲୋକେ କେଉଁ ପ୍ରଶ୍ନ ପଚାରିପାରନ୍ତି । ତାʼପରେ ଆମେ ଅଭ୍ୟାସ କରୁଥିଲୁ ଯେ ଆମେ ଯାହା ଅନୁସନ୍ଧାନ କରିଛୁ, ତାହା ଧ୍ୟାନରେ ରଖି ମୁଁ କିପରି ଉତ୍ତର ଦେଇପାରିବି । ଯେବେ ମୁଁ ଏହା ବୁଝିଯାଏ ଯେ ମୁଁ କାହିଁକି କୌଣସି କଥା ଉପରେ ବିଶ୍ୱାସ କରେ, ତେବେ ମୋତେ ଡର ଲାଗେନି ଏବଂ ମୁଁ ଅନ୍ୟମାନଙ୍କୁ କୋମଳତାର ସହ ଉତ୍ତର ଦେଇପାରେ ।”
୧୮. କଲସୀୟ ୪:୬ ପଦରୁ କେଉଁ କଥାର ମହତ୍ତ୍ୱ ଜଣାପଡ଼େ ?
୧୮ ଆମେ ଲୋକମାନଙ୍କୁ ବହୁତ ଭଲଭାବେ ଏବଂ ପୂରା ବିଶ୍ୱାସର ସହ ବୁଝାଇବା, କିନ୍ତୁ ଜରୁରୀ ନୁହେଁ ଯେ ପ୍ରତ୍ୟେକ ଜଣ ଆମ କଥା ଶୁଣିବେ । କିନ୍ତୁ ଯଦି ଆମେ ବୁଝିବିଚାରି ଏବଂ କୋମଳତାର ସହ ଉତ୍ତର ଦେବା, ତେବେ ହୁଏତ ତାʼର ଭଲ ପରିଣାମ ମିଳିବ । (କଲସୀୟ ୪:୬ ପଢ଼ନ୍ତୁ ।) ଆମେ ଯାହା ବିଶ୍ୱାସ କରୁ, ସେବିଷୟରେ ଲୋକମାନଙ୍କ ସହ କଥା ହେବା ବଲ୍ ଖେଳିବା ଭଳି ଅଟେ । ଆମେ ଚାହିଁଲେ ସାମନା ବ୍ୟକ୍ତି ପାଖକୁ ଧିରେ କିମ୍ବା ଜୋର୍ରେ ବଲ୍ ଫିଙ୍ଗିପାରିବା । କିନ୍ତୁ ଯଦି ଆମେ ବଲ୍ ଧିରେ ଫିଙ୍ଗିବା, ତେବେ ହୁଏତ ସେହି ବ୍ୟକ୍ତି ତାହା ଧରିପାରିବ ଏବଂ ଖେଳ ଜାରି ରହିବ । ସେହିପରି ଯଦି ଆମେ ବୁଝିବିଚାରି ଏବଂ କୋମଳତାର ସହ କଥା ହେବା, ତେବେ ହୁଏତ ଲୋକେ ଆମ କଥା ଶୁଣିବା ପାଇଁ ରାଜି ହୋଇଯିବେ ଏବଂ ସେମାନଙ୍କ ସହ ଆମ କଥାବାର୍ତ୍ତା ଜାରି ରହିବ । ଏହା ସତ ଯେ କିଛି ଲୋକମାନେ କେବଳ ଆମ ସହ ତର୍କ କରିବାକୁ ଚାହାନ୍ତି କିମ୍ବା ଆମ ଥଟ୍ଟା କରିବା ପାଇଁ ଚାହାନ୍ତି । ଏପରି ଲୋକମାନଙ୍କ ସହ କଥା ଜାରି ରଖିବା ଜରୁରୀ ନୁହେଁ । (ହିତୋ. ୨୬:୪) କିନ୍ତୁ ସମସ୍ତେ ଏପରି ନ ଥାନ୍ତି । ଅଧିକାଂଶ ଲୋକେ ହୁଏତ ଆମ କଥା ଶୁଣିବା ପାଇଁ ପ୍ରସ୍ତୁତ ହୋଇଯିବେ ।
୧୯. କେଉଁ କଥା ମନେରଖିବା ଦ୍ୱାରା ଆମେ ସବୁବେଳେ କୋମଳତାର ସହ ବ୍ୟବହାର କରିବା ?
୧୯ ଯେପରି ଆମେ ଦେଖିଲୁ, କୋମଳ ସ୍ୱଭାବ ଥିଲେ ଅନେକ ଲାଭ ହୁଏ । ଯିହୋବାଙ୍କୁ ପ୍ରାର୍ଥନା କରନ୍ତୁ ଯେ ସେ ଆପଣଙ୍କୁ କୋମଳତାର ସହ ବ୍ୟବହାର କରିବା ପାଇଁ ଶକ୍ତି ଦିଅନ୍ତୁ, ଯାହାଦ୍ୱାରା ଯେବେ ଆପଣଙ୍କୁ ପ୍ରଶ୍ନ ପଚରାଯାଏ କିମ୍ବା ଆପଣଙ୍କ ଥଟ୍ଟା କରାଯାଏ, ତେବେ ଆପଣ ନମ୍ର ହୋଇ ଉତ୍ତର ଦେଇପାରିବେ । ମନେରଖନ୍ତୁ, ଯେଉଁମାନଙ୍କ ମତ ଆମଠାରୁ ଅଲଗା, ସେମାନଙ୍କୁ କୋମଳତାର ସହ ଉତ୍ତର ଦେବା ଦ୍ୱାରା କଥାବାର୍ତ୍ତା ଯୁକ୍ତି ଆଡ଼କୁ ଯିବନି । ତାʼଛଡ଼ା ଏପରି ଆଦର ଏବଂ ନମ୍ର ହୋଇ ଉତ୍ତର ଦେଲେ ହୁଏତ କିଛି ଲୋକମାନେ ଆମ ବିଷୟରେ ଏବଂ ବାଇବଲର ଶିକ୍ଷାଗୁଡ଼ିକ ବିଷୟରେ ନିଜ ଚିନ୍ତାଧାରା ବଦଳାଇବେ । ଆପଣ ଯାହା ମାନନ୍ତି, ସେବିଷୟରେ ‘ଉତ୍ତର ଦେବାକୁ ପ୍ରସ୍ତୁତ’ ରହନ୍ତୁ, କିନ୍ତୁ “ନମ୍ର ଭାବରେ ଓ ସଭୟରେ ଉତ୍ତମ ବିବେକ ସହ ।” (୧ ପିତ. ୩:୧୫) ମନେରଖନ୍ତୁ, କୋମଳତା ଆପଣଙ୍କ ଦୁର୍ବଳତା ନୁହେଁ, ବରଂ ଆପଣଙ୍କ ଶକ୍ତି ଅଟେ ।
ଗୀତ ୮୮ ମୁଝେ ଅପ୍ନି ରାହେଁ ଶିଖା
a ଆମେ ଯାହା ବିଶ୍ୱାସ କରୁ, ସେବିଷୟରେ ଯେବେ କେହି ପ୍ରଶ୍ନ ପଚାରନ୍ତି କିମ୍ବା ଆମକୁ ଓଲଟା ସିଧା କଥା କହନ୍ତି, ତେବେ ଆମେ କିପରି ତାଙ୍କୁ କୋମଳତାର ସହ ଉତ୍ତର ଦେଇପାରିବା ? ଏବିଷୟରେ ଏହି ଲେଖାରେ କିଛି ବଢ଼ିଆ ପରାମର୍ଶ ଦିଆଯିବ ।
b ଅଧିକ ଜାଣିବା ପାଇଁ ୨୦୧୬ ମସିହାର ସଜାଗ ହୁଅ ! ପତ୍ରିକାର ସଂଖ୍ୟା ୩ରେ ଦିଆଯାଇଥିବା ଲେଖା, “ପୱିତ୍ର ଶାସ୍ତ୍ର ମେଁ ସମ୍ଲୈଙ୍ଗିକ୍ତା କେ ବାରେ ମେଁ କ୍ୟା ବତାୟା ଗୟା ହୈ ?” ପଢ଼ନ୍ତୁ ।
c jw.org ୱେବସାଇଟ୍ରେ “ଯୁବକ-ଯୁବତୀମାନଙ୍କ ପ୍ରଶ୍ନ” ସିରିଜ୍ରେ ଏବଂ “ଯିହୋବାଙ୍କ ସାକ୍ଷୀମାନଙ୍କ ବିଷୟରେ ବାରମ୍ବାର ପଚରାଯାଉଥିବା ପ୍ରଶ୍ନ” ଭାଗରେ ଆପଣଙ୍କୁ ଆହୁରି ବଢ଼ିଆ ପରାମର୍ଶ ମିଳିବ ।