इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୪୦

ପିତରଙ୍କ ଭଳି ହୁଅନ୍ତୁ, ହାର୍‌ ମାନନ୍ତୁ ନାହିଁ !

ପିତରଙ୍କ ଭଳି ହୁଅନ୍ତୁ, ହାର୍‌ ମାନନ୍ତୁ ନାହିଁ !

‘ହେ ପ୍ରଭୁ, ମୋʼ ନିକଟରୁ ଚାଲି ଯାଅ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ ।’—ଲୂକ ୫:୮.

ଗୀତ ୩୮ ୱହ୍‌ ତୁମ୍‌ହେ ମଜ୍‌ବୁତ୍‌ କରେଗା

ଲେଖାର ଝଲକ a

୧. ଯେବେ ଜାଲରେ ବହୁତ ପରିମାଣରେ ମାଛ ଫସିଲା, ତେବେ ପିତରଙ୍କୁ କିପରି ଲାଗିଲା ?

 ପିତର ସାରା ରାତି ପରିଶ୍ରମ କଲେ, କିନ୍ତୁ ଗୋଟିଏ ବି ମାଛ ଧରିପାରିଲେ ନାହିଁ । ତଥାପି ଯୀଶୁ ତାଙ୍କୁ କହିଲେ, ‘ଗଭୀର ଜଳକୁ ଯାଇ, ତୁମ୍ଭମାନଙ୍କର ଜାଲ ପକାଅ ।’ (ଲୂକ ୫:୪) ପିତରଙ୍କୁ ଲାଗୁଥିଲା ଯେ ସେ ଗୋଟେ ବି ମାଛ ଧରିପାରିବେନି, ତଥାପି ସେ ଯୀଶୁଙ୍କ କଥା ମାନିଲେ । ତେଣୁ ସେମାନେ ଏତେ ମାଛ ଧରିପାରିଲେ ଯେ ସେମାନଙ୍କ ଜାଲ ଛିଣ୍ଡିବାକୁ ଲାଗିଲା । ଏହି ଚମତ୍କାର ଦେଖି ପିତର ଓ ତାଙ୍କ ସମସ୍ତ ସାଥୀ “ବିସ୍ମୟାନ୍ୱିତ ହେଲେ ।” ସେସମୟରେ ପିତର ଯୀଶୁଙ୍କୁ କହିଲେ, ‘ହେ ପ୍ରଭୁ, ମୋʼ ନିକଟରୁ ଚାଲି ଯାଅ, ଯେଣୁ ମୁଁ ଜଣେ ପାପୀ ମନୁଷ୍ୟ ।’ (ଲୂକ ୫:୬-୯) ପିତରଙ୍କୁ ହୁଏତ ଲାଗୁଥିଲା ଯେ ସେ ଯୀଶୁଙ୍କ ଆଗରେ ଛିଡ଼ା ହେବାର ଯୋଗ୍ୟ ନୁହଁନ୍ତି ।

୨. ପିତରଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ଦ୍ୱାରା ଆମକୁ କିପରି ସାହାଯ୍ୟ ମିଳିପାରିବ ?

ପିତର ନିଜ ବିଷୟରେ ପୂରା ଠିକ୍‌ କଥା କହିଲେ ଯେ ସେ ଜଣେ “ପାପୀ ମନୁଷ୍ୟ” ଅଟନ୍ତି । ବାଇବଲରୁ ଜଣାପଡ଼େ ଯେ ସେ ଅନେକଥର ଏପରି କିଛି କହିଲେ କିମ୍ବା କଲେ, ଯାହାଯୋଗୁଁ ପରେ ତାଙ୍କୁ ବହୁତ ଦୁଃଖ ହେଲା । କʼଣ ଆପଣ ବି ବେଳେବେଳେ ପିତରଙ୍କ ଭଳି ଅନୁଭବ କରନ୍ତି ? କʼଣ ଆପଣଙ୍କ ସ୍ୱଭାବରେ କିଛି ତୃଟି ଅଛି, ଯାହାକୁ ଆପଣ ସୁଧାରିବା ପାଇଁ ବହୁତ ପରିଶ୍ରମ କରୁଛନ୍ତି ? କିମ୍ବା ଆପଣଙ୍କଠାରେ ଏପରି କିଛି ଦୁର୍ବଳତା ଅଛି, ଯାହାକୁ ଆପଣ କାବୁ କରିବା ପାଇଁ ଅନେକ ସମୟରୁ ଚେଷ୍ଟା କରୁଛନ୍ତି ? ଯଦି ହଁ, ତେବେ ପିତରଙ୍କ ଉଦାହରଣରୁ ଆପଣଙ୍କୁ ବହୁତ ସାହସ ମିଳିପାରିବ ଏବଂ ଆପଣ ତାଙ୍କଠାରୁ ଅନେକ କଥା ଶିଖିପାରିବେ । ଆମେ ଏପରି କାହିଁକି କହିପାରିବା ? ଟିକେ ଭାବନ୍ତୁ, ଯିହୋବା ଚାହିଁଥିଲେ ପିତର ଯାହା ଭୁଲ କଲେ, ସେବିଷୟରେ ବାଇବଲରେ ଲେଖାଇ ନ ଥାନ୍ତେ । କିନ୍ତୁ ଯିହୋବା ସେଗୁଡ଼ିକ ବିଷୟରେ ଲେଖାଇଲେ, ଯାହାଦ୍ୱାରା ଆମେ ସେମାନଙ୍କଠାରୁ ଶିଖିପାରୁ । (୨ ତୀମ. ୩:୧୬, ୧୭) ପିତରଙ୍କ ଦ୍ୱାରା ଯାହା ଭୁଲ ହେଲା ଆଉ ତାʼପରେ ସେ ଯେପରି ଅନୁଭବ କଲେ, ସେବିଷୟରେ ଅଧ୍ୟୟନ କରିବା ଦ୍ୱାରା ଆମେ କʼଣ ଶିଖିପାରିବା ? ଏଥିରୁ ଆମେ ଜାଣିପାରିବା ଯେ ଯିହୋବା ଆମଠାରୁ ଏହା ଆଶା କରନ୍ତିନି ଯେ ଆମଦ୍ୱାରା କେବେ ବି କୌଣସି ଭୁଲ ହେବନି । ସେ ଚାହାନ୍ତି ଯେ ଆମେ କେବେ ବି ହାର୍‌ ନ ମାନୁ ଏବଂ ନିଜ ଦୁର୍ବଳତାଗୁଡ଼ିକ ସତ୍ତ୍ୱେ ମଧ୍ୟ ଲଗାତାର ତାଙ୍କ ବିଶ୍ୱସ୍ତ ରହିବା ପାଇଁ ଚେଷ୍ଟା କରୁ ।

୩. ଆମକୁ କାହିଁକି ହାର୍‌ ମାନିବା ଉଚିତ୍‌ ନୁହେଁ ?

ହାର୍‌ ନ ମାନିବା କାହିଁକି ଜରୁରୀ ଅଟେ ? ଏପରି କୁହାଯାଏ ଯେ ଲଗାତାର ଅଭ୍ୟାସ କଲେ ଆମେ କୌଣସି ବି କାମରେ ଦକ୍ଷ ହୋଇପାରିବା । ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଜଣେ ବ୍ୟକ୍ତି ଭଲଭାବେ ଗିଟାର ବଜାଇବା ଶିଖିବା ପାଇଁ ହୁଏତ ଅନେକ ବର୍ଷ ପରିଶ୍ରମ କରିଥିବ । ଆଉ ସେସମୟ ମଧ୍ୟରେ ଅନେକଥର ତାʼଦ୍ୱାରା ଭୁଲ ବି ହୋଇଥିବ । ତଥାପି ସେ ଅଭ୍ୟାସ କରିବା ଜାରି ରଖିଲା, ତେଣୁ ଗିଟାର ବଜାଇବାରେ ସେ ଦକ୍ଷ ହୋଇପାରିଲା । କିନ୍ତୁ ଦକ୍ଷ ହେବା ପରେ ବି ବେଳେବେଳେ ହୁଏତ ତାʼଦ୍ୱାରା ଭୁଲ ହୋଇଯିବ, କିନ୍ତୁ ସେ ହାର୍‌ ମାନେନି । ସେ ନିଜ ଦକ୍ଷତା ବଢ଼ାଇବା ପାଇଁ ଚେଷ୍ଟା କରୁଥାଏ । ସେହିଭଳି ଯେବେ ଆମକୁ ଲାଗେ ଯେ ଆମେ ନିଜ ଦୁର୍ବଳତାଗୁଡ଼ିକ ଉପରେ କାବୁ କରି ନେଇଛୁ, ତାʼପରେ ବି ହୁଏତ ଆମଦ୍ୱାରା ପୁଣି ସେହି ଭୁଲ ହୋଇଯିବ । କିନ୍ତୁ ଆମକୁ ନିଜ ଦୁର୍ବଳତାଗୁଡ଼ିକ ଉପରେ କାବୁ କରିବା ପାଇଁ ଲଗାତାର ଚେଷ୍ଟା କରିବା ଉଚିତ୍‌ । ଆମ ସମସ୍ତଙ୍କ ଦ୍ୱାରା ଅନେକଥର ଭୁଲ ହୋଇଯାଏ ଆଉ ତାʼପାଇଁ ପରେ ଆମକୁ ଅବଶୋଷ ହୁଏ । କିନ୍ତୁ ଯଦି ଆମେ ହାର୍‌ ମାନିବାନି, ତେବେ ଯିହୋବା ଆମ ପରିଶ୍ରମ ଉପରେ ଆଶିଷ ଦେବେ । (୧ ପିତ. ୫:୧୦) ଆସନ୍ତୁ ଧ୍ୟାନ ଦେବା ଯେ ପିତର କିପରି ହାର୍‌ ମାନିଲେନି । ଆମେ ଏହା ବି ଜାଣିବା ଯେ ତାଙ୍କ ଦୁର୍ବଳତାଗୁଡ଼ିକ ସତ୍ତ୍ୱେ ମଧ୍ୟ ଯୀଶୁ କିପରି ଭାବେ ତାଙ୍କୁ କରୁଣା ଦେଖାଇଲେ । ଏହା ଜାଣିବା ଦ୍ୱାରା ଆମକୁ ଲଗାତାର ଯିହୋବାଙ୍କ ସେବା କରିବା ପାଇଁ ସାହସ ମିଳିବ ।

ପିତରଙ୍କ ଦ୍ୱାରା ଭୁଲ ହେଲା, ତଥାପି ତାଙ୍କୁ ଆଶିଷଗୁଡ଼ିକ ମିଳିଲା

ଯଦି ଆପଣଙ୍କୁ ବି କେବେ ପିତରଙ୍କ ଭଳି ଲାଗେ, ତେବେ ଆପଣ କʼଣ କରିବେ ? (ପାରାଗ୍ରାଫ ୪)

୪. ଯେପରି ଲୂକ ୫:୫-୧୦ ପଦରେ କୁହାଯାଇଛି, ପିତର ନିଜ ବିଷୟରେ କʼଣ କହିଲେ, କିନ୍ତୁ ଯୀଶୁ କିପରି ତାଙ୍କ ଉତ୍ସାହ ବଢ଼ାଇଲେ ?

ବାଇବଲରେ ଏହା ସ୍ପଷ୍ଟ ଭାବେ କୁହାଯାଇ ନାହିଁ ଯେ ପିତର କାହିଁକି ନିଜକୁ “ପାପୀ ମନୁଷ୍ୟ” କହିଲେ କିମ୍ବା ସେସମୟରେ ସେ ନିଜର କେଉଁ ଭୁଲଗୁଡ଼ିକ ବିଷୟରେ ଭାବୁଥିଲେ । (ଲୂକ ୫:୫-୧୦ ପଢ଼ନ୍ତୁ ।) ହୋଇପାରେ, ସେ କିଛି ବଡ଼ ବଡ଼ ଭୁଲ କରିଥିବେ । ସେ ନିଜକୁ ଅଯୋଗ୍ୟ ମନେ କରୁଥିଲେ, ତେଣୁ ସେ ଡରୁ ଥିଲେ । ଯୀଶୁ ବୁଝିଗଲେ ଯେ ପିତର ଡରୁଛନ୍ତି, କିନ୍ତୁ ସେ ଏହା ବି ଜାଣିଥିଲେ ଯେ ପିତର ବିଶ୍ୱସ୍ତ ରହିପାରିବେ । ତେଣୁ ଯୀଶୁ ପିତରଙ୍କୁ ପ୍ରେମର ସହ କହିଲେ, “ଭୟ କର ନାହିଁ ।” ଯୀଶୁଙ୍କୁ ପିତରଙ୍କ ଉପରେ ଯେଉଁ ଭରସା ଥିଲା, ତାହାର ପିତରଙ୍କ ଉପରେ ଗଭୀର ପ୍ରଭାବ ପଡ଼ିଲା । ପରେ ପିତର ଏବଂ ତାଙ୍କ ଭାଇ ଆନ୍ଦ୍ରିୟ ମାଛ ଧରିବାର ନିଜ ବ୍ୟବସାୟ ଛାଡ଼ିଦେଲେ ଏବଂ ଯୀଶୁଙ୍କ ସହ ମିଶି ପୂର୍ଣ୍ଣ ସମୟର ସେବା କରିବାକୁ ଲାଗିଲେ । ଏହି ନିଷ୍ପତ୍ତି ଯୋଗୁଁ ଯିହୋବା ସେମାନଙ୍କୁ ଅନେକ ଆଶିଷ ଦେଲେ ।—ମାର୍କ ୧:୧୬-୧୮.

୫. ପିତର ତାଙ୍କ ଭାବନାଗୁଡ଼ିକୁ ନିଜ ଉପରେ କାବୁ କରିବାକୁ ଦେଲେନି ଏବଂ ସେ ମସୀହଙ୍କ ଶିଷ୍ୟ ହୋଇରହିଲେ, ତେଣୁ ତାଙ୍କୁ କେଉଁ ଆଶିଷଗୁଡ଼ିକ ମିଳିଲା ?

ମସୀହଙ୍କ ଶିଷ୍ୟ ହେବା ଯୋଗୁଁ ପିତରଙ୍କୁ ଅନେକ ଆଶ୍ଚର୍ଯ୍ୟଜନକ ଆଶିଷଗୁଡ଼ିକ ମିଳିଲା । ଯେବେ ଯୀଶୁ ରୋଗୀମାନଙ୍କୁ ଠିକ୍‌ କଲେ, ଲୋକମାନଙ୍କ ମଧ୍ୟରୁ ଦୁଷ୍ଟ ସ୍ୱର୍ଗଦୂତମାନଙ୍କୁ ବାହାର କଲେ, ଏପରିକି ମୃତ ଲୋକମାନଙ୍କୁ ଜୀବିତ କଲେ, ତେବେ ଏହି ସବୁ ଚମତ୍କାର ପିତର ନିଜ ଆଖିରୁ ଦେଖିଲେ । b (ମାଥି. ୮:୧୪-୧୭; ମାର୍କ ୫:୩୭, ୪୧, ୪୨) ପିତର ଗୋଟିଏ ଦର୍ଶନ ବି ଦେଖିଲେ । ସେହି ଦର୍ଶନରେ ସେ ଦେଖିଲେ ଯେ ଯେବେ ଯୀଶୁ ଭବିଷ୍ୟତରେ ରାଜା ହେବେ, ତେବେ ତାଙ୍କର କିପରି ମହିମା ହେବ । ଏହି ଦର୍ଶନ ସେ କେବେ ବି ଭୁଲିପାରି ନ ଥିବେ । (ମାର୍କ ୯:୧-୮; ୨ ପିତ. ୧:୧୬-୧୮) ଭାବନ୍ତୁ, ଯୀଶୁଙ୍କ ଶିଷ୍ୟ ହେବା ଯୋଗୁଁ ପିତରଙ୍କୁ ସେସବୁ ଦେଖିବାର ସୁଯୋଗ ମିଳିଲା, ଯାହା ବିଷୟରେ ସେ କେବେ ଭାବି ବି ନ ଥିବେ । ଏବିଷୟରେ ଭାବି ପିତରଙ୍କୁ ବହୁତ ଖୁସି ହୋଇଥିବ ଯେ ସେ ତାଙ୍କ ଭାବନାଗୁଡ଼ିକୁ ନିଜ ଉପରେ କାବୁ କରିବାକୁ ଦେଲେନି । ଯଦି ସେ ଏପରି କରନ୍ତେ, ତେବେ ତାଙ୍କୁ ଏହି ଆଶିଷଗୁଡ଼ିକ ମିଳିପାରି ନ ଥାନ୍ତା ।

୬. କʼଣ ପିତର ତୁରନ୍ତ ନିଜ ଦୁର୍ବଳତାଗୁଡ଼ିକ ଉପରେ କାବୁ କରିପାରିଲେ ? ବୁଝାନ୍ତୁ ।

ଏସବୁ ଦେଖିବା ଶୁଣିବା ପରେ ବି ପିତରଙ୍କ ଦ୍ୱାରା ଅନେକ ଭୁଲ ହେଲା । ସେମଧ୍ୟରୁ କିଛି ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ଯେବେ ଯୀଶୁ ଏହା ବୁଝାଉଥିଲେ ଯେ ବାଇବଲର ଭବିଷ୍ୟତବାଣୀଗୁଡ଼ିକ ଅନୁସାରେ ତାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିବ ଏବଂ ମାରି ଦିଆଯିବ, ତେବେ ପିତର ତାଙ୍କ ସହ ଅନୁଯୋଗ କରିବାକୁ ଲାଗିଲେ । (ମାର୍କ ୮:୩୧-୩୩) ଆଉ ଅନ୍ୟ ପ୍ରେରିତମାନଙ୍କ ସହ ପିତର ବି ଅନେକଥର ଏହା ତର୍କ କଲେ ଯେ ସେମାନଙ୍କ ମଧ୍ୟରୁ ଶ୍ରେଷ୍ଠ କିଏ । (ମାର୍କ ୯:୩୩, ୩୪) ଯୀଶୁଙ୍କ ମୃତ୍ୟୁର ଗୋଟେ ରାତି ପୂର୍ବେ ପିତର ଜଣେ ଲୋକଙ୍କୁ ଆଘାତ କଲେ ଏବଂ ତାʼର କାନ କାଟି ଦେଲେ । (ଯୋହ. ୧୮:୧୦) ଆଉ ସେହି ରାତି ପିତର ଡର ଯୋଗୁଁ ନିଜ ସାଙ୍ଗ ଯୀଶୁଙ୍କୁ ତିନି ଥର ଅସ୍ୱୀକାର କରିଦେଲେ । (ମାର୍କ ୧୪:୬୬-୭୨) ତାʼଯୋଗୁଁ ପରେ ପିତର ବ୍ୟାକୁଳ ହୋଇ ରୋଦନ କଲେ ।—ମାଥି. ୨୬:୭୫.

୭. ଯୀଶୁଙ୍କ ଜୀବିତ ହେବା ପରେ ପିତରଙ୍କୁ କʼଣ କରିବା ପାଇଁ ସୁଯୋଗ ମିଳିଲା ?

ପିତର ବହୁତ ଦୁଃଖି ଥିଲେ, କିନ୍ତୁ ଯୀଶୁ ତାଙ୍କୁ ତାଙ୍କ ଅବସ୍ଥାରେ ଛାଡ଼ି ଦେଲେନି । ଯୀଶୁ ଜୀବିତ ହେବା ପରେ ପିତରଙ୍କୁ ଭେଟିଲେ ଏବଂ ପିତରଙ୍କୁ ଏହା ପ୍ରମାଣିତ କରିବାର ସୁଯୋଗ ଦେଲେ ଯେ ସେ ତାଙ୍କୁ ପ୍ରେମ କରନ୍ତି । ଯୀଶୁ ପିତରଙ୍କୁ କହିଲେ ଯେ ସେ ନମ୍ର ହୋଇ ମେଷପାଳକ ଭଳି ତାଙ୍କ ମେଷମାନଙ୍କ ପ୍ରତିପାଳନ କରନ୍ତୁ । (ଯୋହ. ୨୧:୧୫-୧୭) ପିତର ଏହି ଦାୟିତ୍ୱ ସ୍ୱୀକାର କଲେ । ସେ ପେଣ୍ଟିକଷ୍ଟ ଦିନ ଯିରୂଶାଲମରେ ଥିଲେ ଏବଂ ଯେଉଁ ଲୋକମାନଙ୍କ ପ୍ରଥମ ଥର ପବିତ୍ର ଶକ୍ତିରୁ ଅଭିଷେକ କରାଗଲା, ସେମାନଙ୍କ ମଧ୍ୟରୁ ପିତର ବି ଜଣେ ଥିଲେ ।

୮. ପ୍ରେରିତ ପିତର ଆନ୍ତିୟଖିଆରେ କେଉଁ ବଡ଼ ଭୁଲ କଲେ ?

ପବିତ୍ର ଶକ୍ତିରୁ ଅଭିଷିକ୍ତ ହେବା ପରେ ବି ପିତରଙ୍କ ଦ୍ୱାରା ଭୁଲଗୁଡ଼ିକ ହେଲା । ୩୬ ଖ୍ରୀଷ୍ଟାବ୍ଦରେ ପିତରଙ୍କୁ କୁହାଗଲା ଯେ ସେ କର୍ଣ୍ଣିଲୀୟଙ୍କ ଘରକୁ ଯାନ୍ତୁ, ଯିଏ ଜଣେ ଅସୁନ୍ନତ ଅଣଯିହୁଦୀ ଥିଲେ । ତାʼପରେ ପବିତ୍ର ଶକ୍ତିରୁ କର୍ଣ୍ଣିଲୀୟଙ୍କ ଅଭିଷେକ କରାଗଲା । ଏହା ଏକଥାର ପ୍ରମାଣ ଥିଲା ଯେ ଈଶ୍ୱର କାହାରିକୁ ବି ‘ଭେଦଭାବ କରନ୍ତି ନାହିଁ’ ଆଉ ଏବେ ଅଣଯିହୁଦୀମାନେ ମଧ୍ୟ ଖ୍ରୀଷ୍ଟୀୟ ମଣ୍ଡଳୀର ଭାଗ ହୋଇପାରିବେ । (ପ୍ରେରି. ୧୦:୩୪, ୪୪, ୪୫) ତାʼ ପରଠାରୁ ପିତର ଅଣଯିହୁଦୀମାନଙ୍କ ସହ ମିଳାମିଶା କରିବାକୁ ଲାଗିଲେ ଏବଂ ତାଙ୍କ ସହ ଭୋଜନ କରିବାକୁ ଲାଗିଲେ । ସେ ହୁଏତ ଜୀବନରେ ପ୍ରଥମ ଥର ଏପରି କିଛି କରୁଥିବେ । (ଗାଲା. ୨:୧୨) କିନ୍ତୁ କିଛି ଯିହୁଦୀ ଖ୍ରୀଷ୍ଟିୟାନମାନଙ୍କୁ ଲାଗୁଥିଲା ଯେ ଯିହୁଦୀମାନଙ୍କୁ ଅଣଯିହୁଦୀମାନଙ୍କ ସହ ଭୋଜନ କରିବା ଉଚିତ୍‌ ନୁହେଁ । ଯେବେ ଏପରି ହିଁ ଚିନ୍ତାଧାରା ରଖୁଥିବା କିଛି ଖ୍ରୀଷ୍ଟିୟାନ ଆନ୍ତିୟଖିଆ ଆସିଲେ, ତେବେ ପିତର ଅଣଯିହୁଦୀ ଭାଇମାନଙ୍କ ସହ ଭୋଜନ କରିବା ବନ୍ଦ କରିଦେଲେ । ତାଙ୍କୁ ହୁଏତ ଡର ଥିଲା ଯେ ଯିହୁଦୀ ଖ୍ରୀଷ୍ଟିୟାନମାନେ କାଳେ ଖରାପ ଭାବିବେ । ଯେବେ ପ୍ରେରିତ ପାଉଲ ଏହି ଭେଦଭାବ ଦେଖିଲେ, ତେବେ ସେ ସମସ୍ତଙ୍କ ଆଗରେ ପିତରଙ୍କୁ ସୁଧାରିଲେ । (ଗାଲା. ୨:୧୩, ୧୪) ଏହି ଭୁଲ ପରେ ବି ପିତର ଈଶ୍ୱରଙ୍କ ସେବା କରିବା ଜାରି ରଖିଲେ । ତାଙ୍କୁ ଏପରି କରିବା ପାଇଁ କେଉଁ କଥାରୁ ସାହାଯ୍ୟ ମିଳିଲା ?

ପିତର କାହିଁକି ହାର୍‌ ମାନିଲେନି ?

୯. ଯୋହନ ୬:୬୮, ୬୯ ପଦରୁ କିପରି ଜଣାପଡ଼େ ଯେ ପିତର ଜଣେ ବିଶ୍ୱସ୍ତ ଖ୍ରୀଷ୍ଟିୟାନ ଥିଲେ ?

ପିତର ଜଣେ ବିଶ୍ୱସ୍ତ ଖ୍ରୀଷ୍ଟିୟାନ ଥିଲେ । ସେ ଯେକୌଣସି ବି ପରିସ୍ଥିତିରେ ଯୀଶୁଙ୍କୁ ଛାଡ଼ିଲେନି । ଥରେ ଯୀଶୁ ଏପରି କିଛି କହିଲେ, ଯାହା ତାଙ୍କ ଶିଷ୍ୟମାନଙ୍କୁ ବୁଝାପଡ଼ିଲାନି । (ଯୋହନ ୬:୬୮, ୬୯ ପଢ଼ନ୍ତୁ ।) ତେବେ ଅନେକ ଲୋକ ଯୀଶୁଙ୍କୁ ଛାଡ଼ିଦେଲେ । ସେମାନେ ସେହି କଥାର ଅର୍ଥ ବୁଝିବା ପାଇଁ ଚେଷ୍ଟା କଲେନି ଏବଂ ଏକଥାର ବି ଅପେକ୍ଷା କଲେନି ଯେ ଯୀଶୁ ତାହାର ଅର୍ଥ ବୁଝାନ୍ତୁ । କିନ୍ତୁ ପିତର ଯୀଶୁଙ୍କ ବିଶ୍ୱସ୍ତ ରହିଲେ ଏବଂ ତାଙ୍କ ସହଯୋଗ କରିବା ଛାଡ଼ିଲେନି । ସେ ଜାଣିଥିଲେ ଯେ ଯୀଶୁଙ୍କ ପାଖରେ ହିଁ “ଅନନ୍ତ ଜୀବନର ବାକ୍ୟ ଅଛି ।”

ଯୀଶୁଙ୍କୁ ପିତରଙ୍କ ଉପରେ ପୂରା ଭରସା ଥିଲା, ଏହାଜାଣି ଆପଣଙ୍କ ଉତ୍ସାହ କାହିଁକି ବଢ଼େ ? (ପାରାଗ୍ରାଫ ୧୦)

୧୦. ଯୀଶୁଙ୍କୁ ପିତରଙ୍କ ଉପରେ ପୂରା ଭରସା ଥିଲା, ଏହା କିପରି ଜଣାପଡ଼େ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ଯୀଶୁ ବି ପିତରଙ୍କୁ ଛାଡ଼ିଲେନି । ଧ୍ୟାନ ଦିଅନ୍ତୁ ଯେ ପୃଥିବୀରେ ଯୀଶୁଙ୍କ ଜୀବନର ଶେଷ ରାତି କʼଣ ହେଲା । ଯୀଶୁ ଜାଣିଥିଲେ ଯେ ପିତର ଏବଂ ଅନ୍ୟ ପ୍ରେରିତମାନେ ତାଙ୍କୁ ଛାଡ଼ି ପଳାଇଯିବେ । ତଥାପି ଯୀଶୁ ଯାହା କହିଲେ ସେଥିରୁ ଜଣାପଡ଼ିଲା ଯେ ତାଙ୍କୁ ପିତରଙ୍କ ଉପରେ ପୂରା ଭରସା ଅଛି । ଯୀଶୁଙ୍କୁ ପୂରା ବିଶ୍ୱାସ ଅଛି ଯେ ପିତର ଅନୁତାପ କରି ଫେରି ଆସିବେ ଏବଂ ତାଙ୍କ ବିଶ୍ୱସ୍ତ ରହିବେ । (ଲୂକ ୨୨:୩୧, ୩୨) ଯୀଶୁ ଏହା ବି ବୁଝିଲେ ଯେ ସେମାନଙ୍କ ‘ହୃଦୟ ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ ।’ (ମାର୍କ ୧୪:୩୮) ତେଣୁ ଯେବେ ପିତର ଯୀଶୁଙ୍କୁ ଅସ୍ୱୀକାର କରି ଦେଇଥିଲେ, ତେବେ ବି ଯୀଶୁ ଏହି କାରଣ ଯୋଗୁଁ ପିତରଙ୍କୁ ଛାଡ଼ିଲେ ନାହିଁ । ଯୀଶୁ ଜୀବିତ ହେବା ପରେ ପିତରଙ୍କୁ ଦର୍ଶନ ଦେଲେ, ସେସମୟରେ ଯେବେ ହୁଏତ ସେ ଏକୁଟିଆ ଥିଲେ । (ମାର୍କ ୧୬:୭; ଲୂକ ୨୪:୩୪; ୧ କରି. ୧୫:୫) ପିତର ବହୁତ ଦୁଃଖି ଥିଲେ, କିନ୍ତୁ ନିଜ ପ୍ରଭୁଙ୍କୁ ଦେଖି ତାଙ୍କୁ ବହୁତ ସାହସ ମିଳିଥିବ !

୧୧. ଯୀଶୁ ପିତରଙ୍କୁ କିପରି ଭରସା କରାଇଲେ ଯେ ଯିହୋବା ତାଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କରିବେ ?

୧୧ ଯୀଶୁ ପିତରଙ୍କୁ ଭରସା କରାଇଲେ ଯେ ଯିହୋବା ତାଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କରିବେ । ଜୀବିତ ହେବା ପରେ ଯୀଶୁ ପୁଣିଥରେ ଆଉ ଗୋଟିଏ ଚମତ୍କାର କଲେ, ଯାହାଯୋଗୁଁ ପିତର ଏବଂ ଅନ୍ୟ ପ୍ରେରିତମାନେ ବହୁତ ମାଛ ଧରିପାରିଲେ । (ଯୋହ. ୨୧:୪-୬) ଏହି ଚମତ୍କାରରୁ ପିତରଙ୍କୁ ପୁଣିଥରେ ଭରସା ହୋଇଯାଇଥିବ ଯେ ଯିହୋବା ତାଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କରିବେ । ହୁଏତ ତାଙ୍କୁ ଯୀଶୁଙ୍କ ଏହି କଥା ବି ମନେପଡ଼ିଥିବ ଯେ ଯେଉଁ ଲୋକମାନେ ସବୁବେଳେ ‘ଈଶ୍ୱରଙ୍କ ରାଜ୍ୟର ଅନ୍ୱେଷଣ’ କରନ୍ତି, ଯିହୋବା ସେମାନଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତି । (ମାଥି. ୬:୩୩) ଏହି କାରଣ ଯୋଗୁଁ ପିତର ମାଛ ଧରିବାର ନିଜ ବ୍ୟବସାୟକୁ ନୁହେଁ, ବରଂ ପ୍ରଚାର କାମକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେଲେ । ତାʼପରେ ୩୩ ଖ୍ରୀଷ୍ଟାବ୍ଦର ପେଣ୍ଟିକଷ୍ଟ ଦିନରେ ସେ ସାହସର ସହ ଯୀଶୁଙ୍କ ବିଷୟରେ ଲୋକମାନଙ୍କୁ କହିଲେ, ଯାହାଯୋଗୁଁ ହଜାର ହଜାର ଲୋକ ସୁସମାଚାର ସ୍ୱୀକାର କଲେ । (ପ୍ରେରି. ୨:୧୪, ୩୭-୪୧) ତାʼପରେ ସେ ଶମିରୋଣୀୟ ଏବଂ ଅଣଯିହୁଦୀମାନଙ୍କୁ ମଧ୍ୟ ଖ୍ରୀଷ୍ଟଙ୍କ ଶିଷ୍ୟ ହେବା ପାଇଁ ସାହାଯ୍ୟ କଲେ । (ପ୍ରେରି. ୮:୧୪-୧୭; ୧୦:୪୪-୪୮) ଯିହୋବା ବହୁତ ବଢ଼ିଆ ଉପାୟରୁ ତାଙ୍କୁ ସେବା କରିବାର ସୁଯୋଗ ଦେଲେ ! ପିତରଙ୍କ ଜରିଆରୁ ଯିହୋବା ସମସ୍ତ ଜାତିର ଲୋକମାନଙ୍କୁ ଖ୍ରୀଷ୍ଟୀୟ ମଣ୍ଡଳୀରେ ଆଣିଲେ ।

ଆମେ କʼଣ ଶିଖୁ

୧୨. ଯଦି ଆମେ କୌଣସି ଦୁର୍ବଳତା ଉପରେ କାବୁ କରିବା ପାଇଁ ଚେଷ୍ଟା କରୁଛୁ, ତେବେ ପିତରଙ୍କ ଭଳି ଆମେ କେଉଁ କଥାର ଭରସା ରଖିପାରିବା ?

୧୨ ଯିହୋବା ଆମକୁ ଲଗାତାର ତାଙ୍କ ସେବା କରିବା ପାଇଁ ସାହାଯ୍ୟ କରିପାରିବେ । କିନ୍ତୁ ବେଳେବେଳେ ଏପରି କରିବା କଠିନ ହୋଇପାରେ, ବିଶେଷ କରି ସେସମୟରେ ଯେବେ ଆମେ କୌଣସି ଦୁର୍ବଳତାକୁ କାବୁ କରିବା ପାଇଁ ଲମ୍ବା ସମୟରୁ ଚେଷ୍ଟା କରୁଥିବା । ବେଳେବେଳେ ହୁଏତ ଆମକୁ ଲାଗିପାରେ ଯେ ଆମେ ଯେଉଁ ଦୁର୍ବଳତାଗୁଡ଼ିକ ସହ ଲଢ଼ୁଛୁ, ତାହା ପିତରଙ୍କ ଦୁର୍ବଳତାଗୁଡ଼ିକରୁ ମଧ୍ୟ ଅଧିକ କଠିନ ଅଟେ । କିନ୍ତୁ ଯିହୋବା ଆମକୁ ହାର୍‌ ନ ମାନିବା ପାଇଁ ଶକ୍ତି ଦେଇପାରିବେ । (ଗୀତ. ୯୪:୧୭-୧୯) ଜଣେ ଭାଇଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସତ୍ୟ ଶିଖିବା ଆଗରୁ ସେ ଅନେକ ବର୍ଷରୁ ସମଲିଙ୍ଗୀ ଜୀବନ ବିତାଉଥିଲେ । କିନ୍ତୁ ପରେ ସେ ନିଜଠାରେ ପରିବର୍ତ୍ତନ କଲେ ଏବଂ ବାଇବଲ ଅନୁସାରେ ବଞ୍ଚିବାକୁ ଲାଗିଲେ । ତାʼପରେ ବି ବେଳେବେଳେ ତାଙ୍କଠାରେ ଖରାପ ଇଚ୍ଛାଗୁଡ଼ିକ ଆସୁଥିଲା । କିନ୍ତୁ ସେ ହାର୍‌ ମାନିଲେନି । ତାଙ୍କୁ କେଉଁ କଥାରୁ ସାହାଯ୍ୟ ମିଳିଲା ? ସେ କହନ୍ତି, ‘ଯିହୋବା ଆମକୁ ଶକ୍ତି ଦିଅନ୍ତି । ମୁଁ ଶିଖିଛି ଯେ ଯିହୋବାଙ୍କ ପବିତ୍ର ଶକ୍ତି ସାହାଯ୍ୟରୁ ଆମେ ସତ୍ୟର ରାସ୍ତାରେ ଲଗାତାର ଚାଲିପାରିବା । ଯିହୋବା ମୋତେ ତାଙ୍କ ସେବା କରିବାର ସୁଯୋଗ ଦେଇଛନ୍ତି ଏବଂ ମୋ ଦୁର୍ବଳତାଗୁଡ଼ିକ ସତ୍ତ୍ୱେ ବି ସେ ମୋତେ ଲଗାତାର ଶକ୍ତି ଦିଅନ୍ତି ।’

ଭାଇ ହର୍ସଟ୍‌ ହେନସଲ୍‌ ୧ ଜାନୁୟାରୀ ୧୯୫୦ ମସିହାରେ ପୂର୍ଣ୍ଣ ସମୟର ସେବା ଆରମ୍ଭ କରିଥିଲେ ଏବଂ ନିଜସାରା ଜୀବନ ଯିହୋବାଙ୍କ ସେବାରେ ଲଗାଇ ଦେଲେ । କʼଣ ଆପଣଙ୍କୁ ଲାଗେ ଯେ ତାଙ୍କୁ କେବେ ଏକଥାର ଅବଶୋଷ ହୋଇଥିବ ? (ପାରାଗ୍ରାଫ ୧୩, ୧୫) d

୧୩. ପ୍ରେରିତ ୪:୧୩, ୨୯, ୩୧ ପଦ ଅନୁସାରେ ପିତର କିପରି ସାହସର ସହ କାମ କରିପାରିଲେ ଏବଂ ଆମେ ତାଙ୍କ ଭଳି କିପରି ହୋଇପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୩ ଯେପରି ଆମେ ଦେଖିଲୁ, ପିତର ଅନେକଥର ମଣିଷମାନଙ୍କଠାରୁ ଡରିଗଲେ ଏବଂ ବଡ଼ ବଡ଼ ଭୁଲ କରିଦେଲେ । କିନ୍ତୁ ଯେବେ ସେ ସାହସ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କଲେ, ତେବେ ସେ ସାହସର ସହ କାମ କରିପାରିଲେ । (ପ୍ରେରିତ ୪:୧୩, ୨୯, ୩୧ ପଢ଼ନ୍ତୁ ।) ଆମେ ବି ନିଜ ଡର ଉପରେ କାବୁ କରିପାରିବା । ଟିକେ ଭାଇ ହର୍ସଟ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯିଏ ଜର୍ମାନୀରେ ରହୁଥିଲେ । ଏହା ସେସମୟର କଥା ଅଟେ, ଯେବେ ସେ ସ୍କୁଲରେ ଥିଲେ ଏବଂ ନାଜି ଶାସନ ଚାଲୁଥିଲା । ସେ ଅନେକଥର ନିଜ ସ୍କୁଲର ଟିଚର ଏବଂ ପିଲାମାନଙ୍କୁ ଡରିଗଲେ ଆଉ ସେ “ହେଲ ହିଟଲର” କହିଦେଲେ । ଯାହାର ଅର୍ଥ ହେଉଛି, “ହିଟଲର ଆମକୁ ବଞ୍ଚାଇବେ ।” ଯେବେ ଭାଇ ହର୍ସଟ୍‌ଙ୍କ ବାପାମାଆଙ୍କୁ ଏବିଷୟରେ ଜଣାପଡ଼ିଲା, ତେବେ ସେମାନେ ତାଙ୍କୁ ରାଗିଲେ ନାହିଁ, ବରଂ ତାଙ୍କ ସହ ମିଶି ସାହସ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କଲେ । ନିଜ ବାପାମାଆଙ୍କ ସାହାଯ୍ୟରୁ ଏବଂ ଯିହୋବାଙ୍କ ଉପରେ ଭରସା ରଖିବା ଯୋଗୁଁ ଆଗକୁ ଯାଇ ଭାଇ ହର୍ସଟ୍‌ ସାହସର ସହ କାମ କରିପାରିଲେ ଏବଂ ଯିହୋବାଙ୍କ ବିଶ୍ୱସ୍ତ ରହିପାରିଲେ । ପରେ ସେ କହିଲେ, “ଯିହୋବା ମୋତେ କେବେ ବି ଛାଡ଼ିଲେ ନାହିଁ ।” c

୧୪. ପ୍ରାଚୀନମାନେ ସେହି ଭାଇଭଉଣୀମାନଙ୍କ ଉତ୍ସାହ କିପରି ବଢ଼ାଇପାରିବେ, ଯେଉଁମାନେ ସାହସ ହରାଇବାକୁ ଲାଗିଛନ୍ତି ?

୧୪ ଯିହୋବା ଏବଂ ଯୀଶୁ ଆମକୁ କେବେ ବି ଛାଡ଼ିବେନି । ଯେବେ ପିତର ଯୀଶୁଙ୍କୁ ଅସ୍ୱୀକାର କରିଦେଇଥିଲେ, ତେବେ ସେ ଦ୍ୱନ୍ଦରେ ପଡ଼ିଯାଇଥିଲେ ଯେ କʼଣ ସେ ହାର୍‌ ମାନି ନେବେ ନା ଯୀଶୁଙ୍କ ଶିଷ୍ୟ ହୋଇରହିବେ । ଯୀଶୁ ଯିହୋବାଙ୍କୁ ପ୍ରାର୍ଥନା କରିଥିଲେ ଯେ ପିତରଙ୍କ ବିଶ୍ୱାସ ଦୁର୍ବଳ ନ ହେଉ । ଯୀଶୁ ନିଜ ସେହି ପ୍ରାର୍ଥନା ବିଷୟରେ ପିତରଙ୍କୁ କହିଲେ ଏବଂ ଏହା ବି କହିଲେ ଯେ ତାଙ୍କୁ ପୂରା ଭରସା ଅଛି ଯେ ଆଗକୁ ଯାଇ ପିତର ତାଙ୍କ ଭାଇମାନଙ୍କୁ ଦୃଢ଼ କରିବେ । (ଲୂକ ୨୨:୩୧, ୩୨) ଭାବନ୍ତୁ, ଯେବେ ପିତର ଯୀଶୁଙ୍କ ଏହି କଥାଗୁଡ଼ିକ ବିଷୟରେ ଭାବିଥିବେ, ତେବେ ତାଙ୍କୁ କେତେ ସାହସ ମିଳିଥିବ । ଅନେକଥର ହୁଏତ ଆମେ ବି ଦ୍ୱନ୍ଦରେ ପଡ଼ିଯାଉ । ଏପରି ସମୟରେ ଯିହୋବା ପ୍ରାଚୀନମାନଙ୍କ ଜରିଆରେ ଆମକୁ ହୁଏତ ଭରସା କରାଇବେ ଯେ ଆମେ ତାଙ୍କ ବିଶ୍ୱସ୍ତ ରହିପାରିବା । (ଏଫି. ୪:୮, ୧୧) ଭାଇ ପୋଲ୍‌, ଯିଏ ଲମ୍ବା ସମୟରୁ ଜଣେ ପ୍ରାଚୀନ ଅଟନ୍ତି, ଏହିପରି ଭାବେ ଲୋକମାନଙ୍କ ସାହସ ବଢ଼ାନ୍ତି । ଯେଉଁ ଲୋକମାନେ ଧିରେ ଧିରେ ସାହସ ଛାଡ଼ି ଦିଅନ୍ତି, ସେମାନଙ୍କୁ ସେ କହନ୍ତି ଯେ ଭାବନ୍ତୁ ଆରମ୍ଭରେ ଯିହୋବା ଆପଣମାନଙ୍କୁ କିପରି ସତ୍ୟ ଆଡ଼କୁ ଆକର୍ଷିତ କଲେ । ତାʼପରେ ସେ ସେମାନଙ୍କୁ ଭରସା କରାନ୍ତି ଯେ ଯିହୋବାଙ୍କ ପ୍ରେମ ଅଟଳ ଅଟେ ଏବଂ ସେ କେବେ ବି ସେମାନଙ୍କୁ ଛାଡ଼ିବେନି । ସେ ଏହା ବି କହନ୍ତି, “ମୁଁ ଏପରି ଅନେକ ଲୋକମାନଙ୍କୁ ଦେଖିଛି ଯେଉଁମାନେ ସାହସ ହରାଇବାକୁ ଲାଗିଥିଲେ, କିନ୍ତୁ ଯିହୋବାଙ୍କ ସାହାଯ୍ୟରୁ ସେମାନେ ଲଗାତାର ତାଙ୍କ ସେବା କରିପାରିଲେ ।”

୧୫. ପ୍ରେରିତ ପିତର ଏବଂ ଭାଇ ହର୍ସଟ୍‌ଙ୍କ ଉଦାହରଣରୁ କିପରି ଜଣାପଡ଼େ ଯେ ମାଥିଉ ୬:୩୩ ପଦରେ ଲେଖାଥିବା କଥା ସଠିକ୍‌ ଅଟେ ?

୧୫ ଯିହୋବା ପିତର ଏବଂ ଅନ୍ୟ ପ୍ରେରିତମାନଙ୍କ ଆବଶ୍ୟକତାଗୁଡ଼ିକୁ ପୂରା କଲେ । ସେମାନଙ୍କ ଭଳି ଯଦି ଆମେ ଈଶ୍ୱରଙ୍କ ସେବାକୁ ନିଜ ଜୀବନରେ ପ୍ରଥମ ସ୍ଥାନ ଦେବା, ତେବେ ସେ ଆମ ମଧ୍ୟ ଆବଶ୍ୟକତାଗୁଡ଼ିକୁ ପୂରା କରିବେ । (ମାଥି. ୬:୩୩) ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଭାଇ ହର୍ସଟ୍‌ ଅଗ୍ରଦୂତ ସେବା କରିବାକୁ ଚାହୁଁଥିଲେ । କିନ୍ତୁ ଗୋଟେ ସମସ୍ୟା ଥିଲା, ସେ ବହୁତ ଗରିବ ଥିଲେ । ସେ ଭାବିବାକୁ ଲାଗିଲେ ଯେ ପୂର୍ଣ୍ଣ ସମୟର ସେବା କରିବା ସହ କʼଣ ମୁଁ ନିଜ ଆବଶ୍ୟକତା ପୂରା କରିପାରିବି । ସେ କʼଣ କଲେ ? ସେ ଭାବିଲେ ଯେ ସେ ଯିହୋବାଙ୍କୁ ପରଖି ଦେଖିବେ । ସର୍କିଟ ଅଧ୍ୟକ୍ଷଙ୍କ ପରିଦର୍ଶନ ସମୟରେ ସେ ପୂରା ସପ୍ତାହ ପ୍ରଚାର କାମରେ ବିତାଇବା ପାଇଁ ଭାବିଲେ । ସପ୍ତାହର ଶେଷରେ ସର୍କିଟ ଅଧ୍ୟକ୍ଷ ତାଙ୍କୁ ଗୋଟିଏ ଲଫାଫା ଦେଲେ, ଯେଉଁଥିରେ କିଛି ପଇସା ଥିଲା । କିନ୍ତୁ ସେହି ଲଫାଫାରେ କାହାରି ନାମ ଲେଖା ହୋଇ ନ ଥିଲା । ତାହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଗଲେ । ସେଥିରେ ଏତେ ପଇସା ଥିଲା ଯେ ସେ ଅନେକ ମାସ ଯାଏ ନିଜର ଆବଶ୍ୟକତା ପୂରା କରିପାରିଥାନ୍ତେ ଏବଂ ସେ ଅଗ୍ରଦୂତ ସେବା ମଧ୍ୟ କରିପାରିଥାନ୍ତେ । ଏହି ଉପହାର ଦେଖି ଭାଇ ହର୍ସଟ୍‌ଙ୍କୁ ଭରସା ହୋଇଗଲା ଯେ ଯିହୋବା ତାଙ୍କୁ ସମ୍ଭାଳିବେ । ତାʼ ପରଠୁ ସେ ସବୁବେଳେ ଈଶ୍ୱରଙ୍କ ରାଜ୍ୟକୁ ଜୀବନରେ ପ୍ରଥମ ସ୍ଥାନ ଦେଲେ ।—ମଲାଖି ୩:୧୦.

୧୬. ଆମକୁ ପିତରଙ୍କ ଉଦାହରଣ ଏବଂ ତାଙ୍କ ଚିଠିଗୁଡ଼ିକ ଉପରେ କାହିଁକି ଧ୍ୟାନ ଦେବା ଉଚିତ୍‌ ?

୧୬ ପିତର ଏହା ଭାବି ବହୁତ ଖୁସି ହୋଇଥିବେ ଯେ ଯେବେ ସେ ଯୀଶୁଙ୍କୁ ଅନୁରୋଧ କରିଥିଲେ ଯେ ସେ ତାଙ୍କ ପାଖରୁ ଚାଲି ଯାନ୍ତୁ, ତେବେ ଯୀଶୁ ତାଙ୍କ କଥା ଶୁଣିଲେନି । ଯୀଶୁ ଲଗାତାର ପିତରଙ୍କୁ ଶିଖାଉଥିଲେ, ଯାହାଯୋଗୁଁ ସେ ଜଣେ ବିଶ୍ୱସ୍ତ ପ୍ରେରିତ ହୋଇପାରିଲେ । ଆଉ ଆମ ସମସ୍ତ ଖ୍ରୀଷ୍ଟିୟାନମାନଙ୍କ ପାଇଁ ଗୋଟିଏ ବଢ଼ିଆ ଉଦାହରଣ ରଖିଲେ । ଯୀଶୁ ପିତରଙ୍କୁ ଯେପରି ଭାବେ ଶିଖାଇଲେ, ସେଥିରୁ ଆଜି ଆମେ ସମସ୍ତେ ବହୁତ କିଛି ଶିଖିପାରିବା । ସେମଧ୍ୟରୁ କିଛି କଥାଗୁଡ଼ିକ ଆଜି ଆମକୁ ସେହି ଦୁଇଟି ଚିଠିରେ ମିଳିପାରିବ, ଯାହା ପିତର ପ୍ରଥମ ଶତାବ୍ଦୀର ମଣ୍ଡଳୀଗୁଡ଼ିକୁ ଲେଖିଥିଲେ । ସେହି ଚିଠିଗୁଡ଼ିକରେ ପିତର ଆଉ କିଛି କଥା ବି ଜଣାଇଲେ, ଯାହାଦ୍ୱାରା ଆମକୁ ଲାଭ ହୋଇପାରିବ । ପରବର୍ତ୍ତୀ ଲେଖାରେ ଆମେ ସେହି ଚିଠିଗୁଡ଼ିକର କିଛି କଥାଗୁଡ଼ିକ ଉପରେ ଚର୍ଚ୍ଚା କରିବା ଆଉ ଦେଖିବା ଯେ ଆମେ ସେହି କଥାଗୁଡ଼ିକୁ କିପରି ମାନିପାରିବା ।

ଗୀତ ୧୨୬ ଜାଗ୍‌ତେ ରହୋ, ଶକ୍ତିଶାଲୀ ବନ୍‌ତେ ଜାଓ

a ଏହି ଲେଖା ସେହି ଲୋକମାନଙ୍କ ଉତ୍ସାହ ବଢ଼ାଇବା ପାଇଁ ପ୍ରସ୍ତୁତ କରାଯାଇଛି, ଯେଉଁମାନେ ନିଜ ଦୁର୍ବଳତାଗୁଡ଼ିକ ସହ ଲଢ଼ୁଛନ୍ତି । ଏଥିରୁ ସେମାନଙ୍କୁ ଭରସା ହୋଇଯିବ ଯେ ସେମାନେ ନିଜ ଦୁର୍ବଳତାଗୁଡ଼ିକ ଉପରେ କାବୁ କରିପାରିବେ ଏବଂ ଲଗାତାର ଯିହୋବାଙ୍କ ସେବା କରିପାରିବେ ।

b ଏହି ଲେଖାରେ ଦିଆଯାଇଥିବା ଅନେକ ପଦ ମାର୍କ ବହିରୁ ନିଆଯାଇଛି । ସେହି ପଦଗୁଡ଼ିକରେ କୁହାଯାଇଥିବା କଥାଗୁଡ଼ିକ ସେ ନିଶ୍ଚୟ ପିତରଙ୍କଠାରୁ ଶୁଣିଥିବେ, ଯିଏ ନିଜ ଆଖିରୁ ଏସବୁ ହେବାର ଦେଖିଥିଲେ ।

c jw.org ୱେବସାଇଟ୍‌ରେ ହର୍ସଟ୍‌ ହେନସଲ୍‌: ୟହୋୱା ମେରା ଦୃଢ଼ ଗଢ଼ ହୈ ଭିଡିଓ ଦେଖନ୍ତୁ ।

d ଚିତ୍ର ବିଷୟରେ: ଯେପରି ଚିତ୍ରରେ ଦର୍ଶାଯାଇଛି, ହର୍ସଟ୍‌ ହେନସଲ୍‌ଙ୍କ ବାପାମାଆ ତାଙ୍କ ସହ ପ୍ରାର୍ଥନା କଲେ ଏବଂ ଯିହୋବାଙ୍କ ବିଶ୍ୱସ୍ତ ରହିବା ପାଇଁ ତାଙ୍କୁ ସାହାଯ୍ୟ କଲେ ।