इस जानकारी को छोड़ दें

ସିଧାସଳଖ ବିଷୟ ସୂଚୀକୁ ଯାଆନ୍ତୁ

ଅଧ୍ୟୟନ ଲେଖା ୩୭

ଶାମ୍‌ଶୋନ୍‌ଙ୍କ ଭଳି ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ

ଶାମ୍‌ଶୋନ୍‌ଙ୍କ ଭଳି ଯିହୋବାଙ୍କ ଉପରେ ନିର୍ଭର ରହନ୍ତୁ

“ହେ ପ୍ରଭୋ ସଦାପ୍ରଭୋ, ନିବେଦନ କରୁଅଛି, ମୋତେ ସ୍ମରଣ କର ।”—ବିଚା. ୧୬:୨୮.

ଗୀତ ୩୦ ୟହୋୱା, ମେରା ପରମେଶ୍ୱର୍‌, ପିତା ଔର ଦୋସ୍ତ

ଲେଖାର ଝଲକ a

୧-୨. ଶାମ୍‌ଶୋନ୍‌ଙ୍କ ବିଷୟରେ ଅଧ୍ୟୟନ କରିବା କାହିଁକି ଭଲ ଅଟେ ?

 ଯେବେ ଆପଣ ଶାମ୍‌ଶୋନ୍‌ଙ୍କ ବିଷୟରେ ଶୁଣନ୍ତି, ତେବେ ଆପଣଙ୍କ ମନରେ କେଉଁ ଚିତ୍ର ଆସେ ? କʼଣ ଆପଣ ଭାବନ୍ତି ଯେ ସେ ଅତ୍ୟନ୍ତ ବଳବାନ ଥିଲେ । ଏହା ସତ ଅଟେ । କିନ୍ତୁ ସେ ଗୋଟିଏ ଭୁଲ ନିଷ୍ପତ୍ତି ନେଇଥିଲେ, ଯାହାଯୋଗୁଁ ତାଙ୍କୁ ତାʼର ଖରାପ ପରିଣାମ ଭୋଗିବାକୁ ପଡ଼ିଲା । ତଥାପି ଯିହୋବା ଏକଥାକୁ ଧ୍ୟାନ ଦେଲେ ଯେ ଶାମ୍‌ଶୋନ୍‌ ନିଜ ସାରା ଜୀବନ ତାଙ୍କ ପାଇଁ କʼଣ କʼଣ କଲେ ଓ ଶାମ୍‌ଶୋନ୍‌ଙ୍କୁ ତାଙ୍କ ଉପରେ କେତେ ବିଶ୍ୱାସ ଥିଲା । ତେଣୁ ଯିହୋବା ଶାମ୍‌ଶୋନ୍‌ଙ୍କ ବିଷୟରେ ବାଇବଲରେ ଲେଖାଇଲେ, ଯାହାଦ୍ୱାରା ଆମେ ତାଙ୍କଠାରୁ ଶିଖିପାରିବା ।

ଯିହୋବା ଶାମ୍‌ଶୋନ୍‌ଙ୍କ ଜରିଆରେ ନିଜ ବାଛିଥିବା ଲୋକମାନଙ୍କୁ ଅର୍ଥାତ୍‌ ଇସ୍ରାଏଲୀୟମାନଙ୍କୁ ସାହାଯ୍ୟ କରିବା ପାଇଁ ବହୁତ ବଡ଼ ବଡ଼ କାମ କରାଇଲେ । ତାʼପରେ ଶାମ୍‌ଶୋନ୍‌ଙ୍କ ମୃତ୍ୟୁର ଅନେକ ବର୍ଷ ପରେ ଯିହୋବା ପ୍ରେରିତ ପାଉଲଙ୍କୁ ଏପରି ଲୋକମାନଙ୍କ ବିଷୟରେ ଲେଖିବା ପାଇଁ କହିଲେ ଯେଉଁମାନଙ୍କ ବିଶ୍ୱାସ ବହୁତ ଦୃଢ଼ ଥିଲା, ତେବେ ସେ ଶାମ୍‌ଶୋନ୍‌ଙ୍କ ନାମ ମଧ୍ୟ ଲେଖିବା ପାଇଁ କହିଲେ । (ଏବ୍ରୀ ୧୧:୩୨-୩୪) ଶାମ୍‌ଶୋନ୍‌ଙ୍କ ଉଦାହରଣରୁ ଆଜି ଆମକୁ ବି ବହୁତ ଉତ୍ସାହ ମିଳିପାରେ । ଶାମ୍‌ଶୋନ୍‌ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଯିହୋବାଙ୍କ ଉପରେ ଭରସା ରଖିଲେ । ଆସନ୍ତୁ ଜାଣିବା ଯେ ଆମେ ଶାମ୍‌ଶୋନ୍‌ଙ୍କଠାରୁ କିପରି ସାହସ ପାଇପାରିବା ଏବଂ କେଉଁ କଥାଗୁଡ଼ିକ ଶିଖିପାରିବା ।

ଶାମ୍‌ଶୋନ୍‌ଙ୍କ ଯିହୋବାଙ୍କ ଉପରେ ଭରସା

୩. ଶାମ୍‌ଶୋନ୍‌ଙ୍କୁ କେଉଁ ଦାୟିତ୍ୱ ଦିଆଗଲା ?

ଯେବେ ଶାମ୍‌ଶୋନ୍‌ ଜନ୍ମ ହେଲେ, ତେବେ ପଲେଷ୍ଟୀୟମାନେ ଇସ୍ରାଏଲ ରାଷ୍ଟ୍ରରେ ଶାସନ କରୁଥିଲେ ଏବଂ ସେମାନଙ୍କ ଉପରେ ବହୁତ ଅତ୍ୟାଚାର କରୁଥିଲେ । (ବିଚା. ୧୩:୧) ପଲେଷ୍ଟୀୟମାନେ ବହୁତ କ୍ରୁର ଥିଲେ, ତେଣୁ ଇସ୍ରାଏଲୀୟମାନଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ୁଥିଲା । ଯିହୋବା ଶାମ୍‌ଶୋନ୍‌ଙ୍କୁ ବାଛିଲେ ଯେ ‘ସେ ପଲେଷ୍ଟୀୟମାନଙ୍କ ହସ୍ତରୁ ଇସ୍ରାଏଲକୁ ଉଦ୍ଧାର କରନ୍ତୁ ।’ (ବିଚା. ୧୩:୫) ଏହା ବହୁତ କଠିନ କାମ ଥିଲା ! ଶାମ୍‌ଶୋନ୍‌ ଏହି ବଡ଼ ଦାୟିତ୍ୱକୁ ଯିହୋବାଙ୍କ ଉପରେ ନିର୍ଭର ରହିବା ଦ୍ୱାରା ହିଁ ପୂରା କରିପାରନ୍ତେ ।

ଶାମ୍‌ଶୋନ୍‌ ଯିହୋବାଙ୍କ ଉପରେ ଭରସା ରଖିଲେ ଏବଂ ସେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ । ଈଶ୍ୱରଙ୍କ ଇଚ୍ଛା ପୂରା କରିବା ପାଇଁ ତାଙ୍କୁ ଯାହା ମିଳିଲା, ସେ ତାହା ବ୍ୟବହାର କଲେ (ପାରାଗ୍ରାଫ ୪-୫)

୪. ଯିହୋବା କିପରି ଭାବେ ଶାମ୍‌ଶୋନ୍‌ଙ୍କୁ ସାହାଯ୍ୟ କଲେ ? (ବିଚାରକର୍ତ୍ତା ୧୫:୧୪-୧୬)

ଗୋଟିଏ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ, ଯେଉଁଥିରୁ ଜଣାପଡ଼େ ଯେ ଶାମ୍‌ଶୋନ୍‌ ଯିହୋବାଙ୍କ ଉପରେ ଭରସା ରଖିଲେ ଏବଂ ଯିହୋବା ତାଙ୍କୁ ସହଯୋଗ କଲେ । ଥରେ ପଲେଷ୍ଟୀୟ ସେନାର ଗୋଟିଏ ଦଳ ଶାମ୍‌ଶୋନ୍‌ଙ୍କୁ ଧରିବା ପାଇଁ ଲିହୀ ନାମକ ଜାଗାରେ ଆସିଲା, ଯାହା ଯିହୁଦାରେ ଥିଲା । ଏହା ଦେଖି ଯିହୁଦାର ଲୋକମାନେ ଡରିଗଲେ ଏବଂ ଭାବିଲେ ଯେ ସେମାନେ ଶାମ୍‌ଶୋନ୍‌ଙ୍କୁ ଶତ୍ରୁମାନଙ୍କ ହାତରେ ସମର୍ପଣ କରିଦେବେ । ଶାମ୍‌ଶୋନ୍‌ଙ୍କ ନିଜ ଲୋକମାନେ ହିଁ ତାଙ୍କୁ ଦୁଇଟି ନୂଆ ଦଉଡ଼ିରେ ବାନ୍ଧି ପଲେଷ୍ଟୀୟମାନଙ୍କ ପାଖକୁ ନେଇଗଲେ । (ବିଚା. ୧୫:୯-୧୩) କିନ୍ତୁ ‘ସଦାପ୍ରଭୁଙ୍କ ପବିତ୍ର ଶକ୍ତି’ ତାହାଙ୍କ ଉପରେ କାମ କଲା । ସେ ରସିଗୁଡ଼ିକୁ ଛିଣ୍ଡାଇ ଦେଲେ ଓ ନିଜକୁ ବଞ୍ଚାଇଲେ । ତାʼପରେ ତାଙ୍କୁ ଗୋଟିଏ ‘ଗଧର ପାଟିର କଞ୍ଚା ଥୋମଣି’ ଅର୍ଥାତ୍‌ ହାଡ଼ ମିଳିଲା । ସେ ସେହି ହାଡ଼କୁ ଉଠାଇଲେ ଏବଂ ସେଥିରୁ ୧,୦୦୦ ପଲେଷ୍ଟୀୟମାନଙ୍କୁ ମାରିଦେଲେ ।ବିଚାରକର୍ତ୍ତା ୧୫:୧୪-୧୬ ପଢ଼ନ୍ତୁ ।

୫. ଶାମ୍‌ଶୋନ୍‌ କିପରି ଦେଖାଇଲେ ଯେ ତାଙ୍କୁ ଯିହୋବାଙ୍କ ଉପରେ ଭରସା ଅଛି ?

ଗଧର ପାଟିର ହାଡ଼ ଲଢ଼େଇରେ ବ୍ୟବହାର କରାଯାଉଥିବା କୌଣସି ଅସ୍ତ୍ର ନୁହେଁ । ତାହେଲେ ଶାମ୍‌ଶୋନ୍‌ କାହିଁକି ଏହାର ବ୍ୟବହାର କଲେ ? କାରଣ ଶାମ୍‌ଶୋନ୍‌ ଜାଣିଥିଲେ ଯେ ତାଙ୍କ ସଫଳତା କୌଣସି ଅସ୍ତ୍ର ଉପରେ ନୁହେଁ, ବରଂ ଯିହୋବାଙ୍କ ଉପରେ ନିର୍ଭର କରେ । ଯିହୋବାଙ୍କ ଏହି ବିଶ୍ୱସ୍ତ ସେବକଙ୍କୁ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ ଯାହା ବି ମିଳିଲା, ସେ ତାହା ବ୍ୟବହାର କଲେ । ଶାମ୍‌ଶୋନ୍‌ଙ୍କୁ ଯିହୋବାଙ୍କ ଉପରେ ପୂରା ଭରସା ଥିଲା, ତେଣୁ ଯିହୋବା ତାଙ୍କୁ ଜୟ ହାସଲ କରାଇଲେ ।

୬. ଆମେ ଶାମ୍‌ଶୋନ୍‌ଙ୍କ ଘଟଣାରୁ କʼଣ ଶିଖିପାରିବା ?

ଯିହୋବା ଆମକୁ ଯେଉଁ କାମ ଦିଅନ୍ତି, ତାହା ପୂରା କରିବା ପାଇଁ ସେ ଆମକୁ ଶକ୍ତି ମଧ୍ୟ ଦିଅନ୍ତି, ଏପରି କାମ ପୂରା କରିବା ପାଇଁ ମଧ୍ୟ ଯାହା ହୁଏତ ଆମକୁ ବହୁତ କଠିନ ଲାଗେ । ଅନେକଥର ଈଶ୍ୱର ହୁଏତ ଏପରି ଭାବେ ଆମର ସାହାଯ୍ୟ କରିବେ, ଯାହା ବିଷୟରେ ଆମେ କେବେ ବି ଭାବି ନ ଥିବା । ଯଦି ଆପଣ ସାହାଯ୍ୟ ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହିବେ, ତେବେ ଭରସା ରଖନ୍ତୁ ଯେ ଯେଉଁ ଈଶ୍ୱର ଶାମ୍‌ଶୋନ୍‌ଙ୍କୁ ଶକ୍ତି ଦେଲେ ସେ ଆପଣଙ୍କୁ ମଧ୍ୟ ଶକ୍ତି ଦେବେ, ଯାହାଦ୍ୱାରା ଆପଣ ଯିହୋବାଙ୍କ ଇଚ୍ଛା ପୂରା କରିପାରିବେ ।—ହିତୋ. ୧୬:୩.

୭. ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ଯେ ଯିହୋବାଙ୍କଠାରୁ ମାର୍ଗଦର୍ଶନ ନେବା କାହିଁକି ବହୁତ ଜରୁରୀ ଅଟେ ?

ନିର୍ମାଣ କାମରେ ସହଯୋଗ ଦେଉଥିବା ଅନେକ ଭାଇଭଉଣୀ ମଧ୍ୟ ଯିହୋବାଙ୍କ ଉପରେ ଭରସା ରଖିଛନ୍ତି । ପୂର୍ବେ ଆମ ଭାଇମାନେ ହିଁ ରାଜ୍ୟଘର ଏବଂ ଅନ୍ୟ ବିଲ୍‌ଡିଙ୍ଗଗୁଡ଼ିକର ନକ୍ସା ତିଆରି କରୁଥିଲେ ଆଉ ସେଗୁଡ଼ିକୁ ପୂରାପୂରି ଆରମ୍ଭରୁ ନିର୍ମାଣ କରୁଥିଲେ । କିନ୍ତୁ ପରେ ଯେବେ ଯିହୋବାଙ୍କ ସଂଗଠନ ଉନ୍ନତି କରିବାକୁ ଲାଗିଲା, ସେସମୟରେ ନିର୍ମାଣ କାମରେ ନେତୃତ୍ୱ ନେଉଥିବା ଭାଇମାନଙ୍କୁ ଲାଗିଲା ଯେ ଏଥିରେ ସେମାନଙ୍କୁ କିଛି ପରିବର୍ତ୍ତନ କରିବାର ଦରକାର ଅଛି । ସେମାନେ ମାର୍ଗଦର୍ଶନ ପାଇଁ ଯିହୋବାଙ୍କୁ ପ୍ରାର୍ଥନା କଲେ ଏବଂ କିଛି ନୂଆ ଉପାୟ ଆପଣାଇଲେ । ଯେପରି, ସେମାନେ ନିର୍ମାଣ କରାଯାଇଥିବା ବିଲ୍‌ଡିଙ୍ଗଗୁଡ଼ିକୁ କିଣିଲେ ଓ ସେଗୁଡ଼ିକର ମରାମତି କଲେ । ଭାଇ ରୋବର୍ଟ ପୂର୍ବ କିଛି ବର୍ଷ ମଧ୍ୟରେ ପୂରା ଦୁନିଆରେ ଆମ ଅନେକ ବିଲ୍‌ଡିଙ୍ଗଗୁଡ଼ିକର ନିର୍ମାଣ କାମରେ ସହଯୋଗ ଦେଇଛନ୍ତି । ସେ କହନ୍ତି, “ଆରମ୍ଭରେ କିଛି ଭାଇଭଉଣୀମାନଙ୍କୁ କାମ କରିବାର ଏହି ନୂଆ ଉପାୟ ପସନ୍ଦ ଆସିଲାନି । ଆମେ ଅନେକ ବର୍ଷ ଯାଏ ଯେପରି ଭାବେ କାମ କରୁଥିଲୁ ତାʼଠାରୁ ଏହି ନୂଆ ଉପାୟ ପୂରା ଅଲଗା ଥିଲା । କିନ୍ତୁ ଆମ ଭାଇମାନେ ପରିବର୍ତ୍ତନ କରିବା ପାଇଁ ପ୍ରସ୍ତୁତ ଥିଲେ । ଆଉ ଏବେ ଆମେ ସ୍ପଷ୍ଟ ଭାବେ ଦେଖିପାରୁଛୁ ଯେ ଯିହୋବା ଆମ କାମ ଉପରେ ଆଶିଷ ଦେଉଛନ୍ତି ।” ଏହା କେବଳ ଗୋଟିଏ ଉଦାହରଣ ଅଟେ, ଯେଉଁଥିରୁ ଜଣାପଡ଼େ ଯେ ଯିହୋବା ନିଜ ଇଚ୍ଛା ପୂରା କରିବା ପାଇଁ ନିଜ ଲୋକମାନଙ୍କର ମାର୍ଗଦର୍ଶନ କରନ୍ତି । ମଝି ମଝିରେ ଆମ ମଧ୍ୟରୁ ପ୍ରତ୍ୟେକଙ୍କୁ ନିଜକୁ ପଚାରିବା ଉଚିତ୍‌, ‘କʼଣ ମୁଁ ପ୍ରାର୍ଥନା କରି ଯିହୋବାଙ୍କ ମାର୍ଗଦର୍ଶନ ନିଏ ଓ ତାଙ୍କ ସେବା କରିବା ପାଇଁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ରହେ ?’

ଶାମ୍‌ଶୋନ୍‌ଙ୍କୁ ଯିହୋବାଙ୍କ ବ୍ୟବସ୍ଥାଗୁଡ଼ିକରୁ ଲାଭ ମିଳିଲା

୮. ଥରେ ଯେବେ ଶାମ୍‌ଶୋନ୍‌ଙ୍କୁ ବହୁତ ପାଣି ଶୋଷ ଲାଗିଥିଲା, ତେବେ ସେ କʼଣ କଲେ ?

ଆପଣ ହୁଏତ ଶାମ୍‌ଶୋନ୍‌ଙ୍କ ଆଶ୍ଚର୍ଯ୍ୟଜନକ କାମ ବିଷୟରେ ଆହୁରି ଅନେକ ଘଟଣା ପଢ଼ିଥିବେ । ଯେପରି ଥରେ ସେ ଏକୁଟିଆ ଗୋଟିଏ ସିଂହ ସହ ଲଢ଼ିଲେ ଓ ତାକୁ ମାରିଦେଲେ । ଆଉ ଗୋଟିଏ ଥରେ ସେ ପଲେଷ୍ଟୀୟମାନଙ୍କ ସହର ଅସ୍କିଲୋନରେ ୩୦ ଜଣ ଲୋକମାନଙ୍କୁ ମାରିଦେଲେ । (ବିଚା. ୧୪:୫, ୬, ୧୯) ଶାମ୍‌ଶୋନ୍‌ ଜାଣିଥିଲେ ଯେ ସେ ଏହା ନିଜ ଶକ୍ତିରୁ ନୁହେଁ, ବରଂ ଯିହୋବାଙ୍କ ସାହାଯ୍ୟରୁ ହିଁ କରିପାରିଛନ୍ତି । ଆମେ ଏପରି କାହିଁକି କହିପାରିବା ? ଧ୍ୟାନ ଦିଅନ୍ତୁ ଯେ ୧,୦୦୦ ପଲେଷ୍ଟୀୟମାନଙ୍କୁ ମାରିବା ପରେ ଯେବେ ତାଙ୍କୁ ବହୁତ ପାଣି ଶୋଷ ଲାଗିଥିଲା, ତେବେ ସେ କʼଣ କଲେ । ସେ ନିଜେ ହିଁ ପାଣି ଖୋଜିବା ପରିବର୍ତ୍ତେ ଯିହୋବାଙ୍କୁ ସାହାଯ୍ୟ ପାଇଁ ଡାକିଲେ ।—ବିଚା. ୧୫:୧୮.

୯. ଯେବେ ଶାମ୍‌ଶୋନ୍‌ ସାହାଯ୍ୟ ପାଇଁ ଯିହୋବାଙ୍କୁ ଡାକିଲେ, ତେବେ ସେ କʼଣ କଲେ ? (ବିଚାରକର୍ତ୍ତା ୧୫:୧୯)

ଯିହୋବା ଶାମ୍‌ଶୋନ୍‌ଙ୍କ ଡାକ ଶୁଣିଲେ ଓ ଚମତ୍କାର କରି ତାଙ୍କ ପାଇଁ ପାଣିର ଉତ୍ସର ବ୍ୟବସ୍ଥା କଲେ । ଯେବେ ଶାମ୍‌ଶୋନ୍‌ ସେଥିରୁ ପାଣି ପିଇଲେ, ତେବେ ତାଙ୍କ ‘ଶକ୍ତି ଫେରି ଆସିଲା ଓ ସେ ସତେଜ ହେଲେ ।’ (ବିଚାରକର୍ତ୍ତା ୧୫:୧୯ ପଢ଼ନ୍ତୁ ।) ଏପରି ଜଣାପଡ଼େ ଯେ ଅନେକ ବର୍ଷ ପରେ ଯେବେ ଭବିଷ୍ୟଦ୍‌ବକ୍ତା ଶାମୁୟେଲ ଈଶ୍ୱରଙ୍କ ପ୍ରେରଣାରୁ ବିଚାରକର୍ତ୍ତା ବହି ଲେଖିଲେ, ସେସମୟରେ ବି ସେହି ଉତ୍ସ ସେଠାରେ ଥିଲା । ଯେଉଁ ଇସ୍ରାଏଲୀୟମାନେ ପାଣିର ସେହି ଉତ୍ସ ଦେଖିଥିବେ, ସେମାନଙ୍କୁ ଏହି କଥା ମନେପଡ଼ିଥିବ ଯେ ଯିହୋବାଙ୍କ ବିଶ୍ୱସ୍ତ ସେବକମାନେ ଯେବେ ଦରକାର ସମୟରେ ଯିହୋବାଙ୍କ ଉପରେ ନିର୍ଭର ରହନ୍ତି, କିମ୍ବା ତାଙ୍କୁ ସାହାଯ୍ୟ ପାଇଁ ଡାକନ୍ତି, ତେବେ ସେ ସେମାନଙ୍କ ଶୁଣନ୍ତି ।

ଯିହୋବା ଯେଉଁ ପାଣିର ବ୍ୟବସ୍ଥା କଲେ, ତାହା ପିଇବା ଦ୍ୱାରା ଶାମ୍‌ଶୋନ୍‌ଙ୍କ ଭିତରେ ଶକ୍ତି ଆସିଗଲା । ଯିହୋବା ଆଜି ଯେଉଁ ବ୍ୟବସ୍ଥା କରିଛନ୍ତି, ଆମେ ସେଥିରୁ ପୂରା ଲାଭ ପାଇବା ଉଚିତ୍‌, ଯାହାଦ୍ୱାରା ଆମେ ତାଙ୍କର ବିଶ୍ୱସ୍ତ ରହିପାରିବା (ପାରାଗ୍ରାଫ ୧୦)

୧୦. ସାହାଯ୍ୟ ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହିବାର ଅର୍ଥ କʼଣ ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୦ ଆଜି ଆମକୁ ବି ସାହାଯ୍ୟ ପାଇଁ ଯିହୋବାଙ୍କ ଉପରେ ନିର୍ଭର ରହିବା ଉଚିତ୍‌, ଯଦିଓ ଆମ ପାଖରେ ଅନେକ ପ୍ରତିଭା କିମ୍ବା ଦକ୍ଷତା ଥିବ କିମ୍ବା ଆମେ ଯିହୋବାଙ୍କ ସଂଗଠନରେ ବହୁତ କିଛି କରିଥିବା । ଆମେ ଏହା ସ୍ୱୀକାର କରିବା ଉଚିତ୍‌ ଯେ ଯେବେ ଆମେ ଯିହୋବାଙ୍କ ଉପରେ ନିର୍ଭର ରହିବା, ତେବେ ଆମେ ତାଙ୍କ ଦିଆଯାଇଥିବା କାମଗୁଡ଼ିକୁ ଭଲଭାବେ କରିପାରିବା । ଯିହୋବା ଶାମ୍‌ଶୋନ୍‌ଙ୍କ ପାଇଁ ଯେଉଁ ପାଣିର ବ୍ୟବସ୍ଥା କରିଥିଲେ, ତାହା ପିଇବା ଦ୍ୱାରା ତାଙ୍କ ଭିତରେ ଶକ୍ତି ଆସି ଯାଇଥିଲା । ସେହିପରି ଆଜି ଯିହୋବା ଆମ ପାଇଁ ଯେଉଁ ବ୍ୟବସ୍ଥା କରିଛନ୍ତି, ତାହାର ପୂରା ଲାଭ ଉଠାଇବା ଦ୍ୱାରା ଆମ ଭିତରେ ବି ସାହସ ଓ ଶକ୍ତି ଆସିଯିବ ଓ ଆମେ ଲଗାତାର ତାଙ୍କ ସେବା କରିପାରିବା ।—ମାଥି. ୧୧:୨୮.

୧୧. ଯିହୋବାଙ୍କ ଉପରେ ନିର୍ଭର ରହିବା ପାଇଁ କʼଣ ଜରୁରୀ ଅଟେ ? ଗୋଟିଏ ଉଦାହରଣ ଦେଇ ବୁଝାନ୍ତୁ ।

୧୧ ରୁଷରେ ଆମ ଅନେକ ଭାଇଭଉଣୀଙ୍କ ଉପରେ ବହୁତ ଅତ୍ୟାଚାର କରାଯାଉଛି । ତଥାପି ସେମାନେ ବିଶ୍ୱସ୍ତତାର ସହ ଯିହୋବାଙ୍କ ସେବା କରୁଛନ୍ତି । ଟିକେ ଏପରି ହିଁ ଜଣେ ଭାଇଙ୍କ ଉପରେ ଧ୍ୟାନ ଦିଅନ୍ତୁ ଯାହାଙ୍କ ନାମ ଆଲେକ୍ସେ ଅଟେ । ସେ ଏପରି କଠିନ ପରିସ୍ଥିତିରେ କେଉଁ କାରଣ ଯୋଗୁଁ ଧୈର୍ଯ୍ୟ ଧରିପାରୁଛନ୍ତି ? ସେ ଓ ତାଙ୍କ ସ୍ତ୍ରୀ ଲଗାତାର ବାଇବଲର ଅଧ୍ୟୟନ କରନ୍ତି ଓ ଉପାସନା ସହ ଜଡ଼ିତ ଅନ୍ୟ କାମଗୁଡ଼ିକ କରନ୍ତି । ଭାଇ କହନ୍ତି, “ମୁଁ ଲଗାତାର ବ୍ୟକ୍ତିଗତ ଅଧ୍ୟୟନ କରେ ଓ ପ୍ରତିଦିନ ବାଇବଲ ପଢ଼ିବା ପାଇଁ ଚେଷ୍ଟା କରେ । ପ୍ରତି ସକାଳେ ମୁଁ ଓ ମୋ ସ୍ତ୍ରୀ ଦୈନିକ ପାଠ ଉପରେ ଚର୍ଚ୍ଚା କରୁ ଏବଂ ତାʼପରେ ସାଙ୍ଗରେ ଯିହୋବାଙ୍କୁ ପ୍ରାର୍ଥନା କରୁ ।” ଏଥିରୁ ଆମେ କʼଣ ଶିଖୁ ? ଆମକୁ ନିଜ ଉପରେ ଭରସା କରିବା ପରିବର୍ତ୍ତେ ଯିହୋବାଙ୍କ ଉପରେ ନିର୍ଭର ରହିବା ଉଚିତ୍‌ । ତାʼପାଇଁ ଜରୁରୀ ଯେ ଆମେ ଲଗାତାର ବ୍ୟକ୍ତିଗତ ଅଧ୍ୟୟନ କରୁ ଓ ଉପାସନା ସହ ଜଡ଼ିତ ଅନ୍ୟ କାମଗୁଡ଼ିକ କରି ନିଜ ବିଶ୍ୱାସ ବଢ଼ାଉ, ତେବେ ଯିହୋବା ଆମ ପରିଶ୍ରମ ଉପରେ ଆଶିଷ ଦେବେ । ଯେପରି ସେ ଶାମ୍‌ଶୋନ୍‌ଙ୍କୁ ଶକ୍ତି ଦେଇଥିଲେ, ସେ ଆମକୁ ମଧ୍ୟ ସାହସ ଓ ଶକ୍ତି ଦେଇପାରିବେ ।

ଶାମ୍‌ଶୋନ୍‌ ହାର୍‌ ମାନିଲେ ନାହିଁ

୧୨. ଶାମ୍‌ଶୋନ୍‌ କେଉଁ ଭୁଲ ନିଷ୍ପତ୍ତି ନେଲେ ଏବଂ ଏହା କିପରି ଅନ୍ୟ ନିଷ୍ପତ୍ତିଗୁଡ଼ିକରୁ ଅଲଗା ଥିଲା ?

୧୨ ଶାମ୍‌ଶୋନ୍‌ ଆମ ଭଳି ଅପରିପୂର୍ଣ୍ଣ ଥିଲେ, ତେଣୁ କିଛି ପରିସ୍ଥିତିରେ ତାଙ୍କ ଦ୍ୱାରା ବି ଅନେକ ଭୁଲ ହେଲା । ଯେପରି ଥରେ ସେ ଏପରି କିଛି ପଦକ୍ଷେପ ନେଲେ, ଯାହାଯୋଗୁଁ ତାଙ୍କୁ ତାʼର ଖରାପ ପରିଣାମ ଭୋଗିବାକୁ ପଡ଼ିଲା । କିଛି ସମୟ ଯାଏ ବିଚାରକର୍ତ୍ତା ଭାବେ ସେବା କରିବା ପରେ ଶାମ୍‌ଶୋନ୍‌ “ସୋରେକ୍‌ ଉପତ୍ୟକାରେ ଏକ ସ୍ତ୍ରୀକି ପ୍ରେମ କଲେ, ତାହାର ନାମ ଦଲୀଲା” ଥିଲା । (ବିଚା. ୧୬:୪) ଆଗରୁ ଥରେ ଶାମ୍‌ଶୋନ୍‌ ଜଣେ ପଲେଷ୍ଟୀୟ ସ୍ତ୍ରୀ ସହ ବିବାହ କରିବା ପାଇଁ ଚାହୁଁଥିଲେ । ଆଉ ସେହି ନିଷ୍ପତ୍ତି ପଛରେ ଯିହୋବାଙ୍କ ହାତ ଥିଲା, ‘କାରଣ ସେ ପଲେଷ୍ଟୀୟମାନଙ୍କ ପ୍ରତିକୂଳରେ ପଦକ୍ଷେପ ନେବା ପାଇଁ ରାସ୍ତା ପାଇବାକୁ ଚେଷ୍ଟା କରୁଥିଲେ ।’ ତାʼପରେ ଶାମ୍‌ଶୋନ୍‌ ପଲେଷ୍ଟୀୟର ଘସା ସହରରେ ଜଣେ ବେଶ୍ୟାର ଘରେ ରହିଲେ । ସେସମୟରେ ଯିହୋବା ଶାମ୍‌ଶୋନ୍‌ଙ୍କୁ ଏତେ ଶକ୍ତି ଦେଲେ ଯେ ସେ ସେହି ନଗର ଦ୍ୱାର କବାଟ ଉପାଡ଼ି ପକାଇଲେ ଓ ଏପରି ଭାବେ ସହରକୁ ଦୁର୍ବଳ କରିଦେଲେ । (ବିଚା. ୧୪:୧-୪; ୧୬:୧-୩) କିନ୍ତୁ ହୁଏତ ଦଲୀଲାର ମାମଲା ଅଲଗା ଥିଲା, କାରଣ ସେ ହୁଏତ ଜଣେ ଇସ୍ରାଏଲୀୟ ଥିଲା ଆଉ ଶାମ୍‌ଶୋନ୍‌ ନିଜ ଇଚ୍ଛାରୁ ଏହି କାମ କରୁଥିଲେ ।

୧୩. ଦଲୀଲା ଶାମ୍‌ଶୋନ୍‌ଙ୍କୁ କିପରି ସମସ୍ୟାରେ ପକାଇଦେଲା ?

୧୩ ଦଲୀଲା ଶାମ୍‌ଶୋନ୍‌ଙ୍କୁ ଧୋକା ଦେବା ପାଇଁ ପଲେଷ୍ଟୀୟମାନଙ୍କଠାରୁ ବଡ଼ ଲାଞ୍ଚ ନେଲା । କʼଣ ଶାମ୍‌ଶୋନ୍‌ ଦଲୀଲାର ପ୍ରେମରେ ଏତେ ଅନ୍ଧ ହୋଇଯାଇଥିଲେ ଯେ ସେ ତାʼ ଉଦ୍ଦେଶ୍ୟ ବୁଝିପାରିଲେ ନାହିଁ ? ଏହାର କାରଣ ଯାହା ବି ଥାଉ ନା କାହିଁକି, କିନ୍ତୁ ଏହା ସତ ଅଟେ ଯେ ଦଲୀଲା ଶାମ୍‌ଶୋନ୍‌ଙ୍କୁ ତାଙ୍କ ଶକ୍ତିର ରହସ୍ୟ ଜାଣିବା ପାଇଁ ବହୁତ ଜିଦ୍‌ କଲା । ଶେଷରେ ଶାମ୍‌ଶୋନ୍‌ ତାକୁ ସବୁକିଛି କହିଦେଲେ । ଦୁଃଖର କଥା, ଶାମ୍‌ଶୋନ୍‌ ନିଜ ଭୁଲ ଯୋଗୁଁ କିଛି ସମୟ ପାଇଁ ଯିହୋବାଙ୍କ ମଞ୍ଜୁରି ହରାଇଦେଲେ ଏବଂ ନିଜ ଶକ୍ତି ମଧ୍ୟ ।—ବିଚା. ୧୬:୧୬-୨୦.

୧୪. ଦଲୀଲା ଉପରେ ଭରସା କରିବା ଯୋଗୁଁ ଶାମ୍‌ଶୋନ୍‌ଙ୍କୁ କେଉଁ ପରିଣାମ ଭୋଗିବାକୁ ପଡ଼ିଲା ?

୧୪ ଶାମ୍‌ଶୋନ୍‌ ଯିହୋବାଙ୍କ ଉପରେ ଭରସା କରିବା ପରିବର୍ତ୍ତେ ଦଲୀଲା ଉପରେ ଭରସା କଲେ ଓ ତାʼଯୋଗୁଁ ତାଙ୍କୁ ବହୁତ କଷ୍ଟଦାୟକ ପରିଣାମ ଭୋଗିବାକୁ ପଡ଼ିଲା । ପଲେଷ୍ଟୀୟମାନେ ଶାମ୍‌ଶୋନ୍‌ଙ୍କୁ ଧରିନେଲେ ଏବଂ ତାଙ୍କ ଆଖି ବାହାର କରିଦେଲେ । ଏବେ ସେ ଅନ୍ଧ ହୋଇଯାଇଥିଲେ ଓ ସେମାନେ ତାଙ୍କୁ ଘସାକୁ ନେଇ ଗୋଟିଏ କାରାଗାରରେ ବନ୍ଦ କରିଦେଲେ । ସେମାନେ ତାଙ୍କୁ ଚକି ପେସିବାର କାମ ଦେଲେ । ଏହା ସେହି ସହର ଥିଲା, ଯାହାର ନଗର ଦ୍ୱାରର କବାଟ ଉପାଡ଼ି ଶାମ୍‌ଶୋନ୍‌ ସେଠାର ଲୋକମାନଙ୍କୁ ନୀଚ ଦେଖାଇଥିଲେ । ଏବେ ସେହି ଜାଗାରେ ପଲେଷ୍ଟୀୟମାନେ ଗୋଟିଏ ଭୋଜ ରଖିଲେ ଓ ଶାମ୍‌ଶୋନ୍‌ଙ୍କୁ ନୀଚ ଦେଖାଇଲେ । ସେମାନେ ନିଜ ଦେବତା ଦାଗୋନ୍‌ ପାଇଁ ବଳିଦାନ ଚଢ଼ାଇଲେ, କାରଣ ସେମାନଙ୍କୁ ଲାଗିଲା ଯେ ସେମାନଙ୍କ ଦେବତା ହିଁ ଶାମ୍‌ଶୋନ୍‌ଙ୍କୁ ସେମାନଙ୍କ ହାତରେ ସମର୍ପଣ କରିଛନ୍ତି । ତାʼପରେ ଶାମ୍‌ଶୋନ୍‌ଙ୍କୁ କାରାଗାରରୁ ବାହାର କରି ଭୋଜ ପାଇଁ ଅଣାଗଲା, ଯାହାଦ୍ୱାରା ସେ “କୌତୁକ” ଅର୍ଥାତ୍‌ ମନୋରଞ୍ଜନ କରି ଦେଖାନ୍ତୁ ଓ ଏପରି ଭାବେ ସେମାନେ ତାଙ୍କର ଥଟ୍ଟା କରିଲେ ।—ବିଚା. ୧୬:୨୧-୨୫.

ଯିହୋବା ପଲେଷ୍ଟୀୟମାନଙ୍କୁ ଦଣ୍ଡ ଦେବା ପାଇଁ ଶାମ୍‌ଶୋନ୍‌ଙ୍କୁ ଶକ୍ତି ଦେଲେ (ପାରାଗ୍ରାଫ ୧୫)

୧୫. ଶାମ୍‌ଶୋନ୍‌ ପୁଣିଥରେ କିପରି ଦେଖାଇଲେ ଯେ ତାଙ୍କୁ ଯିହୋବାଙ୍କ ଉପରେ ଭରସା ଅଛି ? (ବିଚାରକର୍ତ୍ତା ୧୬:୨୮-୩୦) (ବାହାରେ ଦିଆଯାଇଥିବା ଚିତ୍ର ଦେଖନ୍ତୁ ।)

୧୫ ଶାମ୍‌ଶୋନ୍‌ ଗୋଟିଏ ବଡ଼ ଭୁଲ କରିଥିଲେ, କିନ୍ତୁ ସେ ହାର୍‌ ମାନିଲେନି । ତାଙ୍କୁ ମନେଥିଲା ଯେ ଯିହୋବା ତାଙ୍କୁ ପଲେଷ୍ଟୀୟମାନଙ୍କ ସହ ଲଢ଼େଇ କରିବାର ଦାୟିତ୍ୱ ଦେଇଛନ୍ତି ଓ ସେ ତାହା ପୂରା କରିବା ପାଇଁ ଲାଗାତାର ସୁଯୋଗ ଖୋଜୁଥିଲେ । (ବିଚାରକର୍ତ୍ତା ୧୬:୨୮-୩୦ ପଢ଼ନ୍ତୁ ।) ତେଣୁ ଭୋଜ ସମୟରେ ଶାମ୍‌ଶୋନ୍‌ ଯିହୋବାଙ୍କୁ ବିନତି କଲେ ଯେ ସେ ତାଙ୍କୁ ଶକ୍ତି ଦିଅନ୍ତୁ, ଯାହାଦ୍ୱାରା ସେ ‘ପଲେଷ୍ଟୀୟମାନଙ୍କଠାରୁ ପ୍ରତିଶୋଧ ନେଇପାରିବେ ।’ ସତ୍ୟ ଈଶ୍ୱର ଶାମ୍‌ଶୋନ୍‌ଙ୍କ ଡାକ ଶୁଣିଲେ ଓ ତାʼପରେ ସେ ତାଙ୍କୁ ବହୁତ ଶକ୍ତି ଦେଲେ । ତାʼର ପରିଣାମ ଏହା ହେଲା ଯେ ଶାମ୍‌ଶୋନ୍‌ ନିଜ ବଞ୍ଚିଥିବା ଯାଏ ଯେତେ ପଲେଷ୍ଟୀୟମାନଙ୍କୁ ମାରିଥିଲେ, ତାʼଠାରୁ ଅଧିକ ପଲେଷ୍ଟୀୟମାନଙ୍କୁ ଏହି ସମୟରେ ମାରିଲେ ।

୧୬. ଶାମ୍‌ଶୋନ୍‌ ଭୁଲ କରିବା ପରେ ଯାହା କଲେ, ସେଥିରୁ ଆମେ କʼଣ ଶିଖିପାରିବା ?

୧୬ ଏହା ସତ ଯେ ଶାମ୍‌ଶୋନ୍‌ଙ୍କୁ ନିଜ ଭୁଲ ପାଇଁ ବହୁତ କଷ୍ଟଦାୟକ ପରିଣାମ ଭୋଗିବାକୁ ପଡ଼ିଲା । ତଥାପି ସେ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ ଲଗାତାର ଚେଷ୍ଟା କଲେ । ସେହିପରି ଯଦି ଆମଦ୍ୱାରା କୌଣସି ଭୁଲ ହୋଇଯାଏ ଏବଂ ସୁଧାର କରିବା ପାଇଁ କୁହାଯାଏ କିମ୍ବା ଯେବେ ଆମଠାରୁ କୌଣସି ଦାୟିତ୍ୱ ଫେରାଇ ନିଆଯାଏ, ତେବେ ଆମକୁ ହାର୍‌ ମାନିବା ଉଚିତ୍‌ ନୁହେଁ । ମନେରଖନ୍ତୁ ଯିହୋବା ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ ରହନ୍ତି ଓ ସେ ଆମକୁ କେବେ ବି ଛାଡ଼ନ୍ତି ନାହିଁ । ତେଣୁ ଆମକୁ ବି ତାଙ୍କ ସେବା କରିବା କେବେ ବି ଛାଡ଼ିବା ଉଚିତ୍‌ ନୁହେଁ । (ଗୀତ. ୧୦୩:୮-୧୦) ଆମଦ୍ୱାରା ଭୁଲ ହେବା ପରେ ବି ଯିହୋବା ଆମକୁ ତାଙ୍କ ଇଚ୍ଛା ପୂରା କରିବା ପାଇଁ ସାହସ ଦେଇପାରିବେ, ଯେପରି ସେ ଶାମ୍‌ଶୋନ୍‌ଙ୍କୁ ଦେଇଥିଲେ ।

ଭୁଲ କଲା ପରେ ଶାମ୍‌ଶୋନ୍‌ଙ୍କୁ ବହୁତ ଖରାପ ଲାଗିଥିବ, କିନ୍ତୁ ସେ ହାର୍‌ ମାନିଲେନି ଓ ଆମକୁ ବି ହାର୍‌ ମାନିବା ଉଚିତ୍‌ ନୁହେଁ (ପାରାଗ୍ରାଫ ୧୭-୧୮)

୧୭-୧୮. ମାଇକେଲ୍‌ଙ୍କ ଅନୁଭୂତିରୁ ଆପଣଙ୍କୁ କେଉଁ କଥା ଭଲ ଲାଗିଲା ? (ଚିତ୍ର ମଧ୍ୟ ଦେଖନ୍ତୁ ।)

୧୭ ଟିକେ ମାଇକେଲ୍‌ ନାମକ ଜଣେ ଯୁବା ଭାଇଙ୍କ ଉଦାହରଣ ଉପରେ ଧ୍ୟାନ ଦିଅନ୍ତୁ । ସେ ଯିହୋବାଙ୍କ ସେବା ସହ ଜଡ଼ିତ କାମଗୁଡ଼ିକୁ କରିବାରେ ବହୁତ ବ୍ୟସ୍ତ ରହୁଥିଲେ । ସେ ଜଣେ ସହାୟକ ସେବକ ଥିଲେ ଓ ଅଗ୍ରଦୂତ ସେବା କରୁଥିଲେ । କିନ୍ତୁ ଦୁଃଖର କଥା ଯେ ତାଙ୍କଦ୍ୱାରା ଗୋଟିଏ ଭୁଲ ହୋଇଗଲା, ଯାହାଯୋଗୁଁ ମଣ୍ଡଳୀର କୌଣସି ଦାୟିତ୍ୱ ତାଙ୍କ ପାଖରେ ରହିଲାନି । ସେ କହନ୍ତି, “ଏବେ ଯାଏ ମୋ ଜୀବନ ବହୁତ ଭଲଭାବେ ଚାଲୁଥିଲା ଏବଂ ମୁଁ ଉତ୍ସାହର ସହ ଯିହୋବାଙ୍କ ସେବା କରୁଥିଲି । କିନ୍ତୁ ହଠାତ୍‌ ସବୁକିଛି ଶେଷ ହୋଇଗଲା ଯେପରି ମୋ ଜୀବନର ଗାଡ଼ି କାନ୍ଥରେ ଯାଇ ବାଡ଼େଇ ହେଲା । ମୁଁ କେବେ ବି ଏହା ଭାବି ନ ଥିଲି ଯେ ଯିହୋବା ମୋତେ ଛାଡ଼ିଦେବେ, କିନ୍ତୁ ଅନେକଥର ମୋ ମନରେ ଏପରି ଭାବନା ନିଶ୍ଚୟ ଆସୁଥିଲା ଯେ କେଜାଣେ ଯିହୋବାଙ୍କ ସହ ମୋ ସମ୍ପର୍କ ପୂର୍ବ ଭଳି ହେବ ନା ନାହିଁ କିମ୍ବା କʼଣ ମୁଁ ମଣ୍ଡଳୀରେ ପୂର୍ବ ଭଳି ଯିହୋବାଙ୍କ ସେବା କରିପାରିବି ।”

୧୮ ଖୁସିର କଥା ଯେ ମାଇକେଲ୍‌ ହାର୍‌ ମାନିଲେନି । ସେ କହନ୍ତି, “ମୁଁ ଯିହୋବାଙ୍କ ସହ ନିଜ ସମ୍ପର୍କ ସୁଧାରିବା ପାଇଁ ପରିଶ୍ରମ କଲି । ମୁଁ ବାରମ୍ବାର ଯିହୋବାଙ୍କୁ ପ୍ରାର୍ଥନା କରୁଥିଲି, ମୁଁ ତାଙ୍କୁ ନିଜ ହୃଦୟର ସବୁ କଥା କହୁଥିଲି, ଅଧ୍ୟୟନ କରୁଥିଲି ଏବଂ ଚିନ୍ତନ କରୁଥିଲି ।” କିଛି ସମୟ ପରେ ମାଇକେଲ୍‌ ପୁଣିଥରେ ମଣ୍ଡଳୀରେ ଗୋଟିଏ ଭଲ ନାମ ଅର୍ଜନ କଲେ । ଏବେ ସେ ଜଣେ ପ୍ରାଚୀନ ଅଟନ୍ତି ଏବଂ ଅଗ୍ରଦୂତ ସେବା କରୁଛନ୍ତି । ସେ କହନ୍ତି, “ଭାଇଭଉଣୀମାନେ ଯେପରି ଭାବେ ମୋ ସହଯୋଗ କଲେ ଓ ମୋ ସାହସ ବଢ଼ାଇଲେ, ବିଶେଷ କରି ପ୍ରାଚୀନମାନେ, ସେଥିରୁ ମୋତେ ଅନୁଭବ ହେଲା ଯେ ଯିହୋବା ଏବେ ବି ମୋତେ ପ୍ରେମ କରନ୍ତି ଓ ମୁଁ ପୁଣିଥରେ ଶୁଦ୍ଧ ବିବେକର ସହ ମଣ୍ଡଳୀରେ ସେବା କରିପାରିବି । ଏହି ଅନୁଭବରୁ ମୁଁ ଶିଖିଲି ଯେ ଯେଉଁ ଲୋକମାନେ ହୃଦୟରୁ ଅନୁତାପ କରନ୍ତି, ସେମାନଙ୍କୁ ଯିହୋବା କ୍ଷମା କରିଦିଅନ୍ତି ।” ଏଥିରୁ ଆମେ କʼଣ ଶିଖିପାରିବା ? ଭୁଲ ହେବା ପରେ ବି ଯଦି ଆମେ ସୁଧାର କରିବା ପାଇଁ ପୂରା ଚେଷ୍ଟା କରିବା ଓ ଯିହୋବାଙ୍କ ଉପରେ ନିର୍ଭର ରହିବା, ତେବେ ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ଆମକୁ ନିଜ ଇଚ୍ଛା ପୂରା କରିବା ପାଇଁ ସୁଯୋଗ ଦେବେ ଏବଂ ଆମକୁ ଅନେକ ଆଶିଷ ଦେବେ ।—ଗୀତ. ୮୬:୫; ହିତୋ. ୨୮:୧୩.

୧୯. ଶାମ୍‌ଶୋନ୍‌ଙ୍କ ଉଦାହରଣ ଉପରେ ଧ୍ୟାନ ଦେବା ଯୋଗୁଁ ଆପଣଙ୍କୁ କିପରି ସାହସ ମିଳିଛି ?

୧୯ ଏହି ଲେଖାରୁ ଆମେ ଶାମ୍‌ଶୋନ୍‌ଙ୍କ ଜୀବନର ଅନେକ ବିଶେଷ ଘଟଣା ଉପରେ ଚର୍ଚ୍ଚା କଲୁ । ସେ ପରିପୂର୍ଣ୍ଣ ନ ଥିଲେ, ଦଲୀଲାର ମାମଲାରେ ତାଙ୍କଦ୍ୱାରା ମଧ୍ୟ ଭୁଲ ହେଲା । କିନ୍ତୁ ସେ ହାର୍‌ ମାନିଲେନି ଓ ସେ ଯିହୋବାଙ୍କ ଇଚ୍ଛା ପୂରା କରିବା ପାଇଁ ଲଗାତାର ଚେଷ୍ଟା କଲେ । ଯିହୋବା ବି ତାଙ୍କୁ ଛାଡ଼ିଲେନି । ସେ ଶାମ୍‌ଶୋନ୍‌ଙ୍କ ଜରିଆରେ ପୁଣିଥରେ ଆଶ୍ଚର୍ଯ୍ୟଜନକ ଉପାୟରେ ନିଜ ଇଚ୍ଛା ପୂରା କରାଇଲେ । ଯିହୋବାଙ୍କ ଦୃଷ୍ଟିରେ ସେ ଜଣେ ବିଶ୍ୱସ୍ତ ସେବକ ଥିଲେ । ତେଣୁ ଯେବେ ଯିହୋବା ଶାସ୍ତ୍ରରେ ସେହି ଲୋକମାନଙ୍କ ନାମ ଲେଖାଇଲେ ଯେଉଁମାନେ ତାଙ୍କ ଉପରେ ବିଶ୍ୱାସ କରୁଥିଲେ, ତେବେ ସେ ସେଥିରେ ଶାମ୍‌ଶୋନ୍‌ଙ୍କ ନାମ ବି ଲେଖାଇଲେ । (ଏବ୍ରୀ ୧୧) ଏହାଜାଣି ଆମର ଉତ୍ସାହ ବଢ଼େ ଯେ ଆମ ଈଶ୍ୱର ଜଣେ ବାପାଙ୍କ ଭଳି ଆମକୁ ପ୍ରେମ କରନ୍ତି ଏବଂ ଆମକୁ ଶକ୍ତି ଦିଅନ୍ତି, ବିଶେଷ କରି ଯେବେ ଆମେ ଦୁର୍ବଳ ହେଉ । ତେଣୁ ଆସନ୍ତୁ ଶାମ୍‌ଶୋନ୍‌ଙ୍କ ଭଳି ଆମେ ବି ଯିହୋବାଙ୍କୁ ପ୍ରାର୍ଥନା କରିବା, ‘ମୋତେ ସ୍ମରଣ କର ମୋତେ ବଳବାନ କର ।’—ବିଚା. ୧୬:୨୮.

ଗୀତ ୩ ହାମାରି ତାକତ୍‌, ଆଶା ଔର ଭରସା

a ଶାମ୍‌ଶୋନ୍‌ ବାଇବଲର ଜଣେ ଜଣାଶୁଣା ଚରିତ୍ର ଅଟନ୍ତି । ତାଙ୍କ ବିଷୟରେ ଅନେକ ନାଟକ ଓ ଗୀତ ଲେଖାଯାଇଛି ଏବଂ ଫିଲ୍ମଗୁଡ଼ିକ ମଧ୍ୟ ତିଆରି କରାଯାଇଛି । କିନ୍ତୁ ସେ କେବଳ କାହାଣୀର ଚରିତ୍ର ନୁହଁନ୍ତି, ବରଂ ସେ ସତରେ ବଞ୍ଚିଥିଲେ । ତାଙ୍କୁ ଈଶ୍ୱରଙ୍କ ଉପରେ ଯେଉଁ ଦୃଢ଼ ବିଶ୍ୱାସ ଥିଲା, ସେଥିରୁ ଆଜି ଆମେ ବହୁତ କିଛି ଶିଖିପାରିବା ।