ଅଧ୍ୟୟନ ଲେଖା ୩୯
ଗୀତ ୧୨୫ ଖୁସ୍ ହୈ ରହମ୍ଦିଲ୍ !
ଅନ୍ୟମାନଙ୍କୁ ଦେଲେ ବହୁତ ଖୁସି ମିଳେ
“ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଶ୍ରେୟସ୍କର ।”—ପ୍ରେରି. ୨୦:୩୫.
କʼଣ ଶିଖିବା ?
ଆମେ ଜାଣିବା ଯେ କେଉଁ ଉପାୟଗୁଡ଼ିକରୁ ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା ଏବଂ ଅନ୍ୟମାନଙ୍କୁ ଦେଇ କିପରି ନିଜ ଖୁସି ବଢ଼ାଇପାରିବା ।
୧-୨. ଯିହୋବା ଆମକୁ କାହିଁକି ଏପରି ସୃଷ୍ଟି କରିଛନ୍ତି ଯେ ଯଦି ଆମେ ଅନ୍ୟମାନଙ୍କୁ କିଛି ଦେଉ, ତାହେଲେ ଆମକୁ ଖୁସି ଲାଗେ ?
ଯିହୋବା ମଣିଷମାନଙ୍କୁ ଗୋଟିଏ ନିଆରା ଦକ୍ଷତା ଦେଇ ସୃଷ୍ଟି କରିଛନ୍ତି । ତାହା ହେଉଛି, ଯେବେ ଆମେ ଅନ୍ୟମାନଙ୍କୁ କିଛି ଦେଉ କିମ୍ବା ସେମାନଙ୍କ ପାଇଁ କିଛି କରୁ, ତେବେ ଆମକୁ ହୃଦୟରୁ ଖୁସି ଲାଗେ । କିନ୍ତୁ ତାʼଅର୍ଥ ଏହା ନୁହେଁ ଯେ ଯେବେ କେହି ଆମକୁ ଉପହାର ଦିଅନ୍ତି, ତେବେ ଆମକୁ ଖୁସି ଲାଗେନି ବରଂ ତେବେ ବି ଆମକୁ ବହୁତ ଖୁସି ଲାଗେ । କିନ୍ତୁ ଯେବେ ଆମେ ଅନ୍ୟମାନଙ୍କୁ କିଛି ଦେଉ, ତେବେ ଆମକୁ ଆହୁରି ଅଧିକ ଖୁସି ଲାଗେ । (ପ୍ରେରି. ୨୦:୩୫) କିନ୍ତୁ ଯିହୋବା ଆମକୁ ଏପରି କାହିଁକି ସୃଷ୍ଟି କରିଛନ୍ତି ?
୨ କାରଣ ଏପରି କଲେ ଆମେ ନିଜ ଖୁସି ବଢ଼ାଇପାରିବା । ଆମେ ଯେତେ ଅଧିକ ଅନ୍ୟମାନଙ୍କୁ ସାହାଯ୍ୟ କରୁ, ସେତେ ଆମର ଖୁସି ବି ବଢ଼ିଥାଏ । ତେଣୁ ଆମକୁ ଭିନ୍ନ ଭିନ୍ନ ଉପାୟରୁ ଅନ୍ୟମାନଙ୍କର ସାହାଯ୍ୟ କରିବା ଉଚିତ୍ । ସତରେ, ଯିହୋବା ଆମକୁ ନିଆରା ଭାବେ ସୃଷ୍ଟି କରିଛନ୍ତି !—ଗୀତ. ୧୩୯:୧୪.
୩. ଯିହୋବାଙ୍କୁ “ଆନନ୍ଦିତ ଈଶ୍ୱର” କାହିଁକି କୁହାଯାଇଛି ?
୩ ଅନ୍ୟମାନଙ୍କୁ ଦେଲେ ଖୁସି ଲାଗେ, ତେଣୁ ବାଇବଲରେ ଯିହୋବାଙ୍କ ବିଷୟରେ କୁହାଯାଇଛି ଯେ ସେ “ଆନନ୍ଦିତ ଈଶ୍ୱର” ଅଟନ୍ତି । (୧ ତୀମ. ୧:୧୧, NWT) ଅନ୍ୟମାନଙ୍କୁ ଦେବା ମାମଲାରେ ଯିହୋବା ସବୁଠୁ ଭଲ ଉଦାହରଣ । ଆଉ ଦେଖିବାକୁ ଗଲେ ସେ ହିଁ ଦେବାର ଆରମ୍ଭ କରିଛନ୍ତି । ପ୍ରେରିତ ପାଉଲ ଈଶ୍ୱରଙ୍କ ବିଷୟରେ ଲେଖିଲେ, “ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି” ଅଛି । (ପ୍ରେରି. ୧୭:୨୮) ବାଇବଲରେ ଏହା ବି ଲେଖାଅଛି, “ସମସ୍ତ ଉତ୍ତମ ଦାନ ଓ ସମସ୍ତ ସିଦ୍ଧ ବର ଊର୍ଦ୍ଧ୍ୱରୁ” ଅର୍ଥାତ୍ ଯିହୋବାଙ୍କଠାରୁ ମିଳେ ।—ଯାକୁ. ୧:୧୭.
୪. ଆମେ ନିଜ ଖୁସି କିପରି ବଢ଼ାଇପାରିବା ?
୪ ଦେଲେ ଯେଉଁ ଖୁସି ମିଳେ, ସେହି ଖୁସି ଆମେ ସମସ୍ତେ ଅନୁଭବ କରିବା ପାଇଁ ଚାହୁଁ । ଯଦି ଆମେ ଯିହୋବାଙ୍କ ଭଳି ଅନ୍ୟମାନଙ୍କର ହୃଦୟରୁ ସାହାଯ୍ୟ କରିବା, ତେବେ ଆମେ ନିଜ ଖୁସି ବଢ଼ାଇପାରିବା । (ଏଫି. ୫:୧) ଏହି ଲେଖାରେ ଆମେ ଜାଣିବା ଯେ ଯିହୋବା କିପରି ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି ଏବଂ ଆମେ କିପରି ତାଙ୍କ ଭଳି ହୋଇପାରିବା । ଆମେ ଏହା ବି ଜାଣିବା ଯେ ଯେବେ ଆମେ ଅନ୍ୟମାନଙ୍କ ପାଇଁ କିଛି କରୁ, କିନ୍ତୁ ସେମାନେ ତାʼପାଇଁ କୃତଜ୍ଞତା ଦେଖାନ୍ତି ନାହିଁ, ତାହେଲେ ଆମେ କʼଣ କରିପାରିବା । ଏହି କଥାଗୁଡ଼ିକ ଉପରେ ଚର୍ଚ୍ଚା କଲେ ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ଜାରି ରଖିବା ଓ ଦେଲେ ଯେଉଁ ଖୁସି ମିଳେ ତାହାକୁ ବଢ଼ାଇବା ପାଇଁ ଆମକୁ ପ୍ରୋତ୍ସାହନ ମିଳିବ ।
ଯିହୋବାଙ୍କ ଭଳି ହୃଦୟ ଖୋଲି ଦିଅନ୍ତୁ
୫. ଯିହୋବା ଆମକୁ କେଉଁ ଜରୁରୀ ଜିନିଷଗୁଡ଼ିକ ଦେଇଛନ୍ତି ?
୫ ଯିହୋବା ହୃଦୟ ଖୋଲି ଆମକୁ ସାହାଯ୍ୟ କରନ୍ତି । ଏପରି ସେ ଅନେକ ଉପାୟରେ କରନ୍ତି, ଯେପରି ସେ ଆମ ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତି । ହୁଏତ ଆମ ପାଖରେ ସବୁ ସୁବିଧା ନ ଥିବ, କିନ୍ତୁ ଯିହୋବା ଏ କଥାର ଧ୍ୟାନ ରଖନ୍ତି ଯେ ଆମ ପାଖରେ ଜରୁରୀ ଜିନିଷ ରହୁ । ଯେପରି, ଖାଦ୍ୟ, କପଡ଼ା ଓ ରହିବା ପାଇଁ ଘର । (ଗୀତ. ୪:୮; ମାଥି. ୬:୩୧-୩୩; ୧ ତୀମ. ୬:୬-୮) କିନ୍ତୁ ସେ ଏପରି ନିଜ କର୍ତ୍ତବ୍ୟ ଭାବି କରନ୍ତି ନାହିଁ । ତାହେଲେ ଯିହୋବା କାହିଁକି ଆମ ପାଇଁ ଏପରି କରନ୍ତି ?
୬. ମାଥିଉ ୬:୨୫, ୨୬ ପଦରୁ ଆମେ କʼଣ ଶିଖୁ ?
୬ ଯିହୋବା ଆମର ଆବଶ୍ୟକତାଗୁଡ଼ିକୁ ଏଥିପାଇଁ ପୂରା କରନ୍ତି, କାରଣ ସେ ଆମକୁ ପ୍ରେମ କରନ୍ତି । ଯୀଶୁ ସୃଷ୍ଟିର ଉଦାହରଣ ଦେଇ ଆମକୁ ଏହି କଥା ବୁଝାଇଲେ । ମାଥିଉ ୬:୨୫, ୨୬ ପଦରେ ଦିଆଯାଇଥିବା ଯୀଶୁଙ୍କ କଥା ଉପରେ ଧ୍ୟାନ ଦିଅନ୍ତୁ । (ପଢ଼ନ୍ତୁ ।) ଯୀଶୁ ପକ୍ଷୀମାନଙ୍କ ବିଷୟରେ କହିଲେ, “ସେମାନେ ବୁଣନ୍ତି ନାହିଁ କି କାଟନ୍ତି ନାହିଁ କିଅବା ଅମାରରେ ସଞ୍ଚୟ କରନ୍ତି ନାହିଁ, ଆଉ ତୁମ୍ଭମାନଙ୍କର ସ୍ୱର୍ଗସ୍ଥ ପିତା ସେମାନଙ୍କୁ ଆହାର ଦିଅନ୍ତି ।” ତାʼପରେ ସେ ପଚାରିଲେ, “ତୁମ୍ଭେମାନେ କଅଣ ସେମାନଙ୍କଠାରୁ ଶ୍ରେଷ୍ଠ ନୁହଁ ?” ଏଥିରୁ ଆମେ କʼଣ ଶିଖୁ ? ଯିହୋବାଙ୍କ ପାଇଁ ତାଙ୍କ ସେବକମାନେ ପକ୍ଷୀମାନଙ୍କଠାରୁ ବହୁମୂଲ୍ୟ ଅଟନ୍ତି । ଯଦି ଯିହୋବା ସେମାନଙ୍କର ଯତ୍ନ ନିଅନ୍ତି, ତାହେଲେ ଆମେ ପୂରା ଭରସା ରଖିପାରିବା ଯେ ଯିହୋବା ଆମର ବି ଯତ୍ନ ନେବେ । ସତରେ, ଯିହୋବା ଜଣେ ପିତାଙ୍କ ଭଳି ଆମକୁ ବହୁତ ପ୍ରେମ କରନ୍ତି, ତେଣୁ ସେ ଆମର ଆବଶ୍ୟକତାଗୁଡ଼ିକୁ ପୂରା କରନ୍ତି ।—ଗୀତ. ୧୪୫:୧୬; ମାଥି. ୬:୩୨.
୭. ଆମେ ଯିହୋବାଙ୍କ ଭଳି କିପରି ହୃଦୟ ଖୋଲି ଅନ୍ୟମାନଙ୍କୁ ସାହାଯ୍ୟ କରିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୭ ଯିହୋବାଙ୍କ ଭଳି ଆମେ ବି ଅନ୍ୟମାନଙ୍କୁ ପ୍ରେମ କରୁ, ତେଣୁ ଆମେ ସେମାନଙ୍କୁ ସାହାଯ୍ୟ କରୁ । କʼଣ ଆପଣ କୌଣସି ଏପରି ଭାଇ କିମ୍ବା ଭଉଣୀଙ୍କୁ ଜାଣନ୍ତି ଯାହାକୁ ଖାଇବା, ପିଇବା କିମ୍ବା ପିନ୍ଧିବା ପାଇଁ କପଡ଼ାର ଆବଶ୍ୟକ ଅଛି ? ଯିହୋବା ଆପଣଙ୍କ ଜରିଆରେ ସେମାନଙ୍କର ଆବଶ୍ୟକତାଗୁଡ଼ିକୁ ପୂରା କରିପାରିବେ । ଯେବେ କୌଣସି ପ୍ରାକୃତିକ ବିପତ୍ତି ଆସେ, ତେବେ ଯିହୋବାଙ୍କ ଲୋକମାନେ ଆହୁରି ଅଧିକ ଅନ୍ୟମାନଙ୍କୁ ସାହାଯ୍ୟ କରନ୍ତି । ଯେପରି, ଯେବେ କୋଭିଡ୍-୧୯ ମହାମାରୀ ବ୍ୟାପିଥିଲା, ତେବେ ଭାଇଭଉଣୀମାନେ ସେମାନଙ୍କୁ ଖାଇବା, କପଡ଼ା ଓ ଅନ୍ୟ ଜିନିଷ ଦେଲେ, ଯେଉଁମାନଙ୍କୁ ସେସବୁ ଜିନିଷର ଦରକାର ଥିଲା । ଅନେକ ଭାଇଭଉଣୀ ସାରା ଦୁନିଆରେ ହେଉଥିବା କାମ ପାଇଁ ହୃଦୟରୁ ଦାନ ଦେଲେ, ଯାହାଯୋଗୁଁ ଭିନ୍ନ ଭିନ୍ନ ଜାଗାରେ ରିଲିଫ୍ କାମ କରାଗଲା । ଯେଉଁ ଭାଇଭଉଣୀମାନେ ଦାନ ଦେଲେ, ସେମାନେ ଏବ୍ରୀ ବହିରେ ଦିଆଯାଇଥିବା ଏହି କଥାକୁ ମାନିଲେ, “ପରୋପକାର ଓ ଦାନ କରିବାକୁ ପାସୋର ନାହିଁ, କାରଣ ଏହିପରି ବଳିରେ ଈଶ୍ୱରଙ୍କର ପରମ ସନ୍ତୋଷ ।”—ଏବ୍ରୀ ୧୩:୧୬.
୮. ଯିହୋବା ଆମକୁ ଯେଉଁ ଶକ୍ତି ଦିଅନ୍ତି, ସେଥିରୁ ଆମେ କʼଣ କରିପାରୁ ? (ଫିଲିପ୍ପୀୟ ୨:୧୩)
୮ ଯିହୋବା ଶକ୍ତି ଦିଅନ୍ତି । ଯିହୋବାଙ୍କ ପାଖରେ ଅସୀମ ଶକ୍ତି ଅଛି । ଆଉ ସେ ଖୁସି ଖୁସି ନିଜ ବିଶ୍ୱସ୍ତ ସେବକମାନଙ୍କୁ ମଧ୍ୟ ଶକ୍ତି ଦିଅନ୍ତି । (ଫିଲିପ୍ପୀୟ ୨:୧୩ ପଢ଼ନ୍ତୁ ।) ଯେବେ ଆପଣଙ୍କ ଆଗରେ ପ୍ରଲୋଭନ ଆସିଲା କିମ୍ବା ଆପଣ କୌଣସି ସମସ୍ୟାର ସାମନା କରୁଥିଲେ, ତେବେ କʼଣ ଆପଣ ଯିହୋବାଙ୍କୁ ସାହସ ମାଗିଲେ ? ହୋଇପାରେ ଆପଣ ଯିହୋବାଙ୍କୁ ଏପରି ପ୍ରାର୍ଥନା କରିଥିବେ, ‘ଯିହୋବା ମୋତେ ଆଜିର ଦିନ ବିତାଇବା ପାଇଁ ଶକ୍ତି ଦିଅନ୍ତୁ ।’ ତାʼପରେ ଯେବେ ଯିହୋବା ଆପଣଙ୍କର ପ୍ରାର୍ଥନାର ଉତ୍ତର ଦେଲେ, ତେବେ ଆପଣ ହୁଏତ ପ୍ରେରିତ ପାଉଲଙ୍କ ଭଳି ଅନୁଭବ କରିଥିବେ, ଯିଏ କହିଥିଲେ, “ମୋହର ଶକ୍ତିଦାତାଙ୍କ ସାହାଯ୍ୟରେ ମୁଁ ସମସ୍ତ କରି ପାରେ ।”—ଫିଲିପ୍. ୪:୧୩.
୯. ଯିହୋବାଙ୍କ ଭଳି, ଆମେ ଅନ୍ୟମାନଙ୍କର ସାହାଯ୍ୟ କରିବା ପାଇଁ କିପରି ନିଜ ଶକ୍ତିର ବ୍ୟବହାର କରିପାରିବା ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୯ ଆମ ପାଖରେ ଯିହୋବାଙ୍କ ଭଳି ଶକ୍ତି ନାହିଁ । କିନ୍ତୁ ଆମେ ତାଙ୍କ ଭଳି ଉଦାର ନିଶ୍ଚୟ ହୋଇପାରିବା । ତାହା କିପରି ? ଆମେ ଅନ୍ୟମାନଙ୍କୁ ଶକ୍ତି ଦେଇପାରିବାନି, କିନ୍ତୁ ଆମ ଶକ୍ତିର ବ୍ୟବହାର ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଲଗାଇପାରିବା । ଉଦାହରଣ ପାଇଁ, ଆମେ ବୃଦ୍ଧ କିମ୍ବା ରୋଗରେ ପୀଡ଼ିତ ଥିବା ଭାଇଭଉଣୀମାନଙ୍କ ପାଇଁ କିଣାକିଣି କରିପାରିବା କିମ୍ବା ସେମାନଙ୍କ ଘରର କାମ କରିପାରିବା । ଆଉ ଯଦି ସମ୍ଭବ ତାହେଲେ ଆମେ ରାଜ୍ୟଘର ସଫାସୁତୁରା କିମ୍ବା ଦେଖାରେଖା କରିବା କାମରେ ସାହାଯ୍ୟ କରିପାରିବା । ଏହି କାମଗୁଡ଼ିକରେ ନିଜ ଶକ୍ତିର ବ୍ୟବହାର କରି ଆମେ ନିଜ ଭାଇଭଉଣୀମାନଙ୍କର ସାହାଯ୍ୟ କରିପାରୁ ।
୧୦. ଆପଣ କିପରି ନିଜ କଥାରୁ ଅନ୍ୟମାନଙ୍କର ସାହସ ବଢ଼ାଇପାରିବେ ?
୧୦ ଏହା ବି ମନେ ରଖନ୍ତୁ ଯେ ଆମ କଥାରେ ମଧ୍ୟ ବହୁତ ଶକ୍ତି ଅଛି । ତେଣୁ ଭାବନ୍ତୁ ଯେ କʼଣ ଆପଣ ଏପରି କୌଣସି ଭାଇ କିମ୍ବା ଭଉଣୀଙ୍କୁ ଜାଣନ୍ତି ଯାହାଙ୍କୁ ସାହସ କିମ୍ବା ସାନ୍ତ୍ୱନାର ଦରକାର ଅଛି ? ଯଦି ହଁ, ତାହେଲେ ଆପଣ ତାଙ୍କର ସାହସ ବଢ଼ାଇବା ପାଇଁ ଆଗକୁ ଆସିପାରିବେ ! ଆପଣ ତାଙ୍କୁ ଭେଟିବା ପାଇଁ ଯାଇପାରିବେ, ଫୋନ୍ କରିପାରିବେ କିମ୍ବା ତାଙ୍କ ପାଇଁ କାର୍ଡ଼ ପ୍ରସ୍ତୁତ କରିପାରିବେ, ଇମେଲ୍ କିମ୍ବା ମେସେଜ ପଠାଇପାରିବେ । ଏପରି ଭାବନ୍ତୁ ନାହିଁ ଯେ ଆପଣ ତାଙ୍କୁ କʼଣ କହିବେ । ଆପଣଙ୍କୁ ବହୁତଗୁଡ଼ିଏ କଥା କହିବା ଦରକାର ନାହିଁ, କେବଳ ହୃଦୟରୁ ତାଙ୍କ ସହିତ କଥା ହୁଅନ୍ତୁ । କାହାରି ଉତ୍ସାହ ବଢ଼ାଇବା ପାଇଁ ଏହା ଯଥେଷ୍ଟ, କାରଣ ଜଣା ନାହିଁ ହୁଏତ ଆପଣଙ୍କ କୌଣସି କଥାରୁ ସେହି ଭାଇ କିମ୍ବା ଭଉଣୀ ଆଉ ଗୋଟିଏ ଦିନ ଯିହୋବାଙ୍କ ବିଶ୍ୱସ୍ତ ରହିପାରିବେ ଏବଂ ନିଜ ପରିସ୍ଥିତିକୁ ନେଇ ସଠିକ୍ ଦୃଷ୍ଟିକୋଣ ରଖିପାରିବେ ।—ହିତୋ. ୧୨:୨୫; ଏଫି. ୪:୨୯.
୧୧. ଯିହୋବା ଆଉ କେଉଁ ମାମଲାରେ ଉଦାର ଅଟନ୍ତି ?
୧୧ ଯିହୋବା ବୁଦ୍ଧି ଦିଅନ୍ତି । ଯାକୁବ ଲେଖିଲେ, “ତୁମ୍ଭମାନଙ୍କ ମଧ୍ୟରୁ ଯେବେ କାହାରି ଜ୍ଞାନର ଅଭାବ ଥାଏ, ତେବେ ଯେଉଁ ଈଶ୍ୱର ଦୋଷ ନ ଧରି ମୁକ୍ତ ହସ୍ତରେ ସମସ୍ତଙ୍କୁ ଦାନ କରନ୍ତି, ତାହାଙ୍କ ଛାମୁରେ ସେ ପ୍ରାର୍ଥନା କରୁ, ସେଥିରେ ତାହାକୁ ଦିଆଯିବ ।” (ଯାକୁ. ୧:୫) ଏହି ପଦରୁ ଜଣାପଡ଼େ ଯେ ଯିହୋବା ବୁଦ୍ଧିକୁ କେବଳ ନିଜ ପାଖରେ ରଖନ୍ତି ନାହିଁ, ବରଂ ସେ ହୃଦୟ ଖୋଲି ଅନ୍ୟମାନଙ୍କୁ ଦିଅନ୍ତି । ଆଉ ଏହି କଥା ଉପରେ ବି ଧ୍ୟାନ ଦିଅନ୍ତୁ ଯେ ସେ “ଦୋଷ ନ ଧରି” ଏପରି କରନ୍ତି । ସେ କେବେବି ଆମକୁ ଏପରି ଅନୁଭବ କରାନ୍ତି ନାହିଁ ଯେ କୌଣସି ମାମଲାରେ ଆମେ କମ୍ ଜାଣୁ । ତାʼ ପରିବର୍ତ୍ତେ ସେ ଆମକୁ ଅନୁରୋଧ କରନ୍ତି ଯେ ଆମେ ତାଙ୍କୁ ବୁଦ୍ଧି ମାଗୁ, କାରଣ ସେ ଆମକୁ ବୁଦ୍ଧି ଦେବା ପାଇଁ ଚାହାନ୍ତି ।—ହିତୋ. ୨:୧-୬.
୧୨. ଆମ ପାଖରେ ଯେଉଁ ଜ୍ଞାନ ଅଛି, ତାହା ଆମେ ଅନ୍ୟମାନଙ୍କୁ କିପରି ବାଣ୍ଟିପାରିବା ?
୧୨ କʼଣ ଆମେ ଯିହୋବାଙ୍କ ଭଳି ହୋଇପାରିବା ଓ ଅନ୍ୟମାନଙ୍କୁ ନିଜ ଜ୍ଞାନ ବାଣ୍ଟିପାରିବା ? ନିଶ୍ଚୟ । (ଗୀତ. ୩୨:୮) ଆମ ପାଖରେ ଏପରି କରିବାର ଅନେକ ସୁଯୋଗ ଥାଏ । ଉଦାହରଣ ପାଇଁ, ଆମେ ସେହି ଭାଇଭଉଣୀମାନଙ୍କୁ ଭଲଭାବେ ପ୍ରଚାର କରିବା ପାଇଁ ଶିଖାଇପାରିବା ଯେଉଁମାନେ ନୂଆ ନୂଆ ପ୍ରଚାର କାମରେ ଭାଗ ନେଉଛନ୍ତି । ପ୍ରାଚୀନମାନେ ଭାଇମାନଙ୍କ ସହିତ ଧୈର୍ଯ୍ୟ ଧରିପାରିବେ । ସେମାନେ ବାପ୍ତିସ୍ମ ନେଇଥିବା ଭାଇ ଏବଂ ସହାୟକ ସେବକମାନଙ୍କୁ ମଣ୍ଡଳୀର ଦାୟିତ୍ୱଗୁଡ଼ିକୁ ତୁଲାଇବା ପାଇଁ ଶିଖାଇପାରିବେ । ଆଉ ଯେଉଁ ଭାଇଭଉଣୀମାନଙ୍କୁ ନିର୍ମାଣ କାମ ଓ ତାହାର ଦେଖାରେଖା କରିବାରେ ଅନୁଭବ ରହିଛି, ସେମାନେ ସେହି ଭାଇଭଉଣୀମାନଙ୍କୁ ଏହି କାମ ଶିଖାଇପାରିବେ ଯେଉଁମାନଙ୍କୁ ଏଥିରେ କମ୍ ଅନୁଭୂତି ରହିଛି ।
୧୩. ଅନ୍ୟମାନଙ୍କୁ ଶିଖାଇବା ମାମଲାରେ ଆମେ କିପରି ଯିହୋବାଙ୍କ ଭଳି ହୋଇପାରିବା ?
୧୩ ଅନ୍ୟମାନଙ୍କୁ ଶିଖାଇବା କିମ୍ବା ଟ୍ରେନିଙ୍ଗ ଦେବା ସମୟରେ ଆପଣ ଯିହୋବାଙ୍କ ଭଳି ହେବା ପାଇଁ ଚେଷ୍ଟା କରନ୍ତୁ । ଯିହୋବା ନିଜ ବୁଦ୍ଧି ନିଜ ପାଖରେ ହିଁ ରଖନ୍ତି ନାହିଁ, ବରଂ ସେ ହୃଦୟ ଖୋଲି ଅନ୍ୟମାନଙ୍କୁ ଦିଅନ୍ତି । ଠିକ୍ ସେହିଭଳି ଆମେ ମଧ୍ୟ ନିଜ ଜ୍ଞାନ ଓ ଅନୁଭବ ଅନ୍ୟମାନଙ୍କ ସହ ବାଣ୍ଟିବା ଉଚିତ୍ । ଆମକୁ ଏପରି ଭାବିବା ଉଚିତ୍ ନୁହେଁ, ‘ଯଦି ମୁଁ ତାହାକୁ ସବୁ ଶିଖାଇ ଦିଏ, ତାହେଲେ ସେ ମୋ ଜାଗା ନେଇଯିବ ।’ ଆଉ ଏପରି ବି ଭାବିବା ଉଚିତ୍ ନୁହେଁ, ‘ମୋତେ ତ କେହି ଶିଖାଇ ନ ଥିଲେ, ତାହେଲେ ମୁଁ ଅନ୍ୟମାନଙ୍କୁ କାହିଁକି ଶିଖାଇବି ।’ ଆମେ ଏପରି ଚିନ୍ତାଧାରା ରଖିବା ଉଚିତ୍ ନୁହେଁ । ଏହା ପରିବର୍ତ୍ତେ ଆମେ ଯାହା ବି ଜାଣିଛୁ ତାହା ଅନ୍ୟମାନଙ୍କୁ ଖୁସି ଖୁସି କହିବା ଓ ସେମାନଙ୍କୁ ମନପ୍ରାଣ ଦେଇ ଶିଖାଇବା ଉଚିତ୍ । (୧ ଥେସ. ୨:୮) ଆମେ ସେମାନଙ୍କୁ ଏପରି ଶିଖାଇବା ଉଚିତ୍ ଯେ ସେମାନେ “ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ” ହେବେ । (୨ ତୀମ. ୨:୧, ୨) ଏପରି ଭାବେ ଯେବେ ଆମେ ଅନ୍ୟମାନଙ୍କ ସହ ନିଜ ଜ୍ଞାନ ବାଣ୍ଟିବା, ତେବେ ଏଥିରୁ ସମସ୍ତଙ୍କୁ ଲାଭ ହେବ ଏବଂ ଆମ ସମସ୍ତଙ୍କ ଖୁସି ବଢ଼ିଯିବ ।
ଯେବେ କେହି କୃତଜ୍ଞତା ଦେଖାନ୍ତି ନାହିଁ
୧୪. ଯେବେ ଆମେ ଅନ୍ୟମାନଙ୍କ ପାଇଁ କିଛି କରୁ, ତେବେ ତାʼ ବଦଳରେ ଅଧିକାଂଶ ଲୋକ କʼଣ କରନ୍ତି ?
୧୪ ଯେବେ ଆମେ ହୃଦୟରୁ ଅନ୍ୟମାନଙ୍କୁ କିଛି ଦେଉ, ବିଶେଷ କରି ନିଜ ଭାଇଭଉଣୀମାନଙ୍କୁ ତେବେ ପ୍ରାୟ ସେମାନେ କୃତଜ୍ଞତା ଦେଖାନ୍ତି । ଯେପରି, ହୁଏତ ସେମାନେ କାର୍ଡ଼ରେ ଧନ୍ୟବାଦ ଲେଖି କିମ୍ବା ଅନ୍ୟ ଉପାୟରେ ନିଜ କୃତଜ୍ଞତା ଦେଖାଇବେ । (କଲ. ୩:୧୫) ଏପରି ଭାବେ ଯେବେବି କେହି ଆମ ପାଇଁ କୃତଜ୍ଞତା ଦେଖାନ୍ତି, ତେବେ ଆମର ଖୁସି ଆହୁରି ବଢ଼ିଯାଏ ।
୧୫. ଯଦି କେହି ଆମ ପାଇଁ କୃତଜ୍ଞତା ଦେଖାନ୍ତି ନାହିଁ, ତେବେ ଆମେ କେଉଁ କଥା ମନେ ରଖିବା ଉଚିତ୍ ?
୧୫ କିନ୍ତୁ ଏହା ବି ସତ ଯେ କିଛି ଲୋକ ହୁଏତ ଆମକୁ ଧନ୍ୟବାଦ ଦେବେନି ଆଉ କୃତଜ୍ଞତା ଦେଖାଇବେନି । ଯେପରି ହୋଇପାରେ, ଆମେ କୌଣସି ଭାଇ କିମ୍ବା ଭଉଣୀଙ୍କୁ ସାହାଯ୍ୟ କରିବା ପାଇଁ ବହୁତ ପରିଶ୍ରମ କରିଥିବା କିମ୍ବା ନିଜର ସମୟ ଓ ଶକ୍ତି ଲଗାଇଥିବା । କିନ୍ତୁ ସେ ତାʼପାଇଁ କୃତଜ୍ଞତା ଦେଖାଇବେନି । ଏପରି ସମୟରେ ଆମେ କʼଣ କରିପାରିବା ? ଆମେ ନିଜ ଖୁସି କିପରି ବଜାୟ ରଖିପାରିବା ଏବଂ ନିରାଶ ହେବାନି ? ଏହି ଲେଖାରେ ଯେଉଁ ମୁଖ୍ୟ ପଦ ଅଛି, ପ୍ରେରିତ ୨୦:୩୫ ପଦକୁ ମନେ ରଖନ୍ତୁ, ଯେଉଁଥିରୁ ଜଣାପଡ଼େ ଯେ ଅନ୍ୟମାନେ ଆମକୁ କୃତଜ୍ଞତା ଦେଖାନ୍ତି ବା ନୁହେଁ, ତାʼ ଉପରେ ଆମର ଖୁସି ନିର୍ଭର କରେନି । ଯଦି କେହି ଆମର କୃତଜ୍ଞ ମନେ କରନ୍ତି ନାହିଁ, ତେବେ ବି ଆମେ ନିଜ ଖୁସି ବଜାୟ ରଖିପାରିବା । ତାହା କିପରି ? ଆସନ୍ତୁ ଏହାର କିଛି ଉପାୟଗୁଡ଼ିକ ଉପରେ ଧ୍ୟାନ ଦେବା ।
୧୬. ଯେବେ ଆମେ ଅନ୍ୟମାନଙ୍କ ପାଇଁ କିଛି କରୁ, ତେବେ ଆମକୁ କେଉଁ କଥା ମନେ ରଖିବା ଉଚିତ୍ ?
୧୬ ମନେ ରଖନ୍ତୁ, ଅନ୍ୟମାନଙ୍କୁ ସାହାଯ୍ୟ କରି ଆପଣ ଯିହୋବାଙ୍କ ଭଳି ହୋଇପାରିବେ । ଲୋକମାନେ ଯିହୋବାଙ୍କୁ କୃତଜ୍ଞତା ଦେଖାନ୍ତୁ ବା ନ ଦେଖାନ୍ତୁ, ତଥାପି ଯିହୋବା ସେମାନଙ୍କୁ ଭଲ ଜିନିଷ ଦିଅନ୍ତି । (ମାଥି. ୫:୪୩-୪୮) ଯିହୋବା ପ୍ରତିଜ୍ଞା କରନ୍ତି ଯେ ଯଦି ଆମେ ତାଙ୍କ ଭଳି ଅନ୍ୟମାନଙ୍କୁ ଦେବା ଓ “ପରିଶୋଧର ଆଶା” ରଖିବା ନାହିଁ, ତେବେ ଆମ “ପୁରସ୍କାର ପ୍ରଚୁର ହେବ ।” (ଲୂକ ୬:୩୫) “ପରିଶୋଧର ଆଶା” ରଖିବାରେ ପ୍ରଶଂସା କିମ୍ବା ଧନ୍ୟବାଦ ପାଇବାର ଇଚ୍ଛା ମଧ୍ୟ ସାମିଲ୍ ଅଛି । ତାହେଲେ ଯଦି କେହି ଆମକୁ ଧନ୍ୟବାଦ ଦିଅନ୍ତୁ ବା ନୁହେଁ, ଆମେ ମନେ ରଖିବା ଯେ ଯିହୋବା ସବୁବେଳେ ଆମ ଭଲ କାମଗୁଡ଼ିକ ପାଇଁ ଆମକୁ ପୁରସ୍କାର ଦେବେ, କାରଣ ସେ “ହୃଷ୍ଟଚିତ୍ତ ଦାତାକୁ” ଭଲ ପାଆନ୍ତି ।—ହିତୋ. ୧୯:୧୭; ୨ କରି. ୯:୭.
୧୭. ଯିହୋବାଙ୍କ ଭଳି ହେବା ପାଇଁ ଆମେ ଆଉ କʼଣ କରିପାରିବା ? (ଲୂକ ୧୪:୧୨-୧୪)
୧୭ ଦେବା ମାମଲାରେ ଆମେ ଆଉ ଗୋଟିଏ ଉପାୟରୁ ଯିହୋବାଙ୍କ ଭଳି ହୋଇପାରିବା । ତାʼପାଇଁ ଆମେ ଯୀଶୁଙ୍କ ସେହି ପରାମର୍ଶକୁ ମାନିପାରିବା ଯାହା ଲୂକ ୧୪:୧୨-୧୪ ପଦରେ ଦିଆଯାଇଛି । (ପଢ଼ନ୍ତୁ ।) ଏହି ପଦଗୁଡ଼ିକରେ ଯୀଶୁ ଏହା କହୁ ନ ଥିଲେ ଯେ ସେହି ଲୋକମାନଙ୍କୁ ଅତିଥି ସତ୍କାର କରିବା କିମ୍ବା ସେମାନଙ୍କୁ କିଛି ଦେବା ଭୁଲ ଅଟେ, ଯେଉଁମାନେ ତାʼ ବଦଳରେ ଆମ ପାଇଁ କିଛି କରିପାରିବେ । କିନ୍ତୁ ଯଦି ଆମ ମନରେ ଏପରି ଭାବନା ଆସେ ଯେ ଆମେ ଅନ୍ୟମାନଙ୍କଠାରୁ ପାଇବା ଆଶାରେ ତାଙ୍କୁ ସାହାଯ୍ୟ କରୁଛୁ, ତାହେଲେ ଏପରି ଚିନ୍ତାଧାରାକୁ ବଦଳାଇବା ଦରକାର । ଆମେ ସେହି ଲୋକମାନଙ୍କୁ ମଧ୍ୟ ଅତିଥି ସତ୍କାର କରିବା ଉଚିତ୍ ଏବଂ ଦେବା ଉଚିତ୍, ଯେଉଁମାନଙ୍କ ପାଖରେ ଆମକୁ ଦେବା ପାଇଁ କିଛି ନାହିଁ । ଏପରି ଭାବେ ଆମେ ଯିହୋବାଙ୍କ ଭଳି ହେଉଥିବା ଆଉ ସେସମୟରେ ବି ଖୁସି ରହିବା ଯେବେ କେହି ଆମକୁ ଧନ୍ୟବାଦ ଦିଅନ୍ତି ନାହିଁ ।
୧୮. ଆମକୁ ନିଜ ଭାଇଭଉଣୀମାନଙ୍କ ବିଷୟରେ କʼଣ ଭାବିବା ଉଚିତ୍ ନୁହେଁ ଏବଂ କାହିଁକି ?
୧୮ ସନ୍ଦେହ କରନ୍ତୁ ନାହିଁ । (୧ କରି. ୧୩:୭) ଯେବେ ଆପଣ ଅନ୍ୟମାନଙ୍କର ସାହାଯ୍ୟ କରନ୍ତି ଓ ସେମାନେ ଆପଣଙ୍କୁ ଧନ୍ୟବାଦ ଦିଅନ୍ତି ନାହିଁ, ତେବେ ତାଙ୍କ ଉପରେ ସନ୍ଦେହ କରନ୍ତୁ ନାହିଁ । ତାʼ ପରିବର୍ତ୍ତେ ଏହା ଭାବନ୍ତୁ: ‘କʼଣ ସେ ସତରେ କୃତଜ୍ଞ ମନେ କରନ୍ତି ନାହିଁ ନା ସେ ଧନ୍ୟବାଦ ଦେବା ଭୁଲିଗଲେ ।’ ହୋଇପାରେ ଯେ ଲୋକମାନେ ଆମେ ଯେପରି ଭାବିଥିଲୁ ସେପରି କୃତଜ୍ଞତା ଦେଖାଇବେନି । ବେଳେବେଳେ କିଛି ଲୋକ ହୃଦୟରୁ ଅନ୍ୟମାନଙ୍କ ପାଇଁ କୃତଜ୍ଞତା ଅନୁଭବ କରନ୍ତି କିନ୍ତୁ କଥାରେ କହିପାରନ୍ତି ନାହିଁ । ଆଉ କିଛି ଲୋକମାନଙ୍କୁ ଏହା ଭାବି ବହୁତ ଖରାପ ଲାଗେ ଯେ ସେମାନେ ପୂର୍ବେ ଅନ୍ୟମାନଙ୍କର ସାହାଯ୍ୟ କରୁଥିଲେ, କିନ୍ତୁ ଏବେ ସେମାନଙ୍କୁ ଅନ୍ୟମାନଙ୍କ ସାହାଯ୍ୟର ଦରକାର ପଡ଼ୁଛି । କାରଣ ଯାହା ବି ଥାଉ ନା କାହିଁକି, ଯଦି ଆମେ ନିଜ ଭାଇଭଉଣୀମାନଙ୍କୁ ପ୍ରେମ କରୁ, ତେବେ ଆମେ ତାଙ୍କୁ ଭୁଲ ଭାବିବାନି, ବରଂ ଖୁସି ଖୁସି ତାଙ୍କର ସାହାଯ୍ୟ କରିବା ଜାରି ରଖିବା ।—ଏଫି. ୪:୨.
୧୯-୨୦. ଯେବେ ଆମେ ଅନ୍ୟମାନଙ୍କୁ ସାହାଯ୍ୟ କରୁ, ତାହେଲେ ଆମକୁ କାହିଁକି ଧୈର୍ଯ୍ୟ ଧରିବା ଉଚିତ୍ ? (ଚିତ୍ର ମଧ୍ୟ ଦେଖନ୍ତୁ ।)
୧୯ ଧୈର୍ଯ୍ୟ ଧରନ୍ତୁ । ଆମେ ଅନ୍ୟମାନଙ୍କୁ ହୃଦୟ ଖୋଲି ସାହାଯ୍ୟ କରିବା ଉଚିତ୍ । ଏବିଷୟରେ ରାଜା ଶଲୋମନ କହିଲେ, “ତୁମ୍ଭେ ଜଳ ଉପରେ ଆପଣା ଭକ୍ଷ୍ୟ ପକାଅ, କାରଣ ଅନେକ ଦିନ ଉତ୍ତାରେ ତାହା ପାଇବ ।” (ଉପ. ୧୧:୧) ଏଥିରୁ ଜଣାପଡ଼େ ଯେ ଯେବେ ଆମେ ଅନ୍ୟମାନଙ୍କ ସାହାଯ୍ୟ କରୁ, ତାହେଲେ ହୁଏତ ସେମାନେ ‘ଅନେକ ଦିନ ପରେ’ ଆମକୁ ଧନ୍ୟବାଦ ଦେବେ । ଏହି କଥାକୁ ବୁଝିବା ପାଇଁ ଆସନ୍ତୁ ଗୋଟିଏ ଅନୁଭୂତି ଉପରେ ଧ୍ୟାନ ଦେବା ।
୨୦ ଅନେକ ବର୍ଷ ପୂର୍ବରୁ ଜଣେ ସର୍କିଟ ଅଧ୍ୟକ୍ଷଙ୍କ ସ୍ତ୍ରୀ ଜଣେ ଭଉଣୀଙ୍କୁ ଚିଠି ଲେଖିଲେ, ଯିଏ କିଛି ସମୟ ପୂର୍ବରୁ ହିଁ ବାପ୍ତିସ୍ମ ନେଇଥିଲେ । ଚିଠିରେ ସେ ଲେଖିଲେ ଯେ ସେ ସବୁବେଳେ ଯିହୋବାଙ୍କ ବିଶ୍ୱସ୍ତ ରହନ୍ତୁ । ଏହାର ପ୍ରାୟ ଆଠ ବର୍ଷ ପରେ, ସେହି ଭଉଣୀ ସର୍କିଟ ଅଧ୍ୟକ୍ଷଙ୍କ ସ୍ତ୍ରୀଙ୍କୁ ଗୋଟିଏ ଚିଠି ଲେଖିଲେ । ସେ ଲେଖିଲେ, “ଆପଣ ଭାବି ବି ପାରିବେନି ଯେ ଗତ ଆଠ ବର୍ଷରୁ ଆପଣ ମୋତେ କେତେ ସାହାଯ୍ୟ କରିଛନ୍ତି । ଆପଣ ମୋତେ ଯେଉଁ ଚିଠି ଲେଖିଥିଲେ ତାହା ପଢ଼ି ମୋତେ ବହୁତ ଭଲ ଲାଗିଥିଲା । ଆପଣ ସେଥିରେ ଯେଉଁ ପଦ ଲେଖିଥିଲେ, ତାହା ମୋ ହୃଦୟକୁ ଛୁଇଁଗଲା ଆଉ ମୁଁ ତାହାକୁ କେବେବି ଭୁଲି ପାରିଲିନି ।” a ତାʼପରେ ଭଉଣୀ ଚିଠିରେ ଲେଖିଲେ ଯେ ସେ କେଉଁ କେଉଁ ସମସ୍ୟାର ସାମନା କଲେ । ଆଉ ତାʼପରେ ସେ ଲେଖନ୍ତି, “ଅନେକଥର ଏମିତି ଲାଗୁଥିଲା ଯେ ସବୁକିଛି ଛାଡ଼ିକି ଚାଲିଯିବି, ଯିହୋବାଙ୍କ ସେବା କରିବା ବି ଛାଡ଼ି ଦେବି । କିନ୍ତୁ ଆପଣ ଯେଉଁ ପଦ ଲେଖିଥିଲେ, ତାହାକୁ ମୁଁ ସବୁବେଳେ ମନେ ରଖୁଥିଲି । ସେଥିରୁ ମୋତେ ବହୁତ ସାହସ ମିଳିଲା ଆଉ ମୁଁ ହାର ମାନିଲି ନାହିଁ ।” ଭଉଣୀ ଏହା ବି ଲେଖିଲେ, “ଗତ ଆଠ ବର୍ଷରେ ମୋତେ କୌଣସି କଥାରୁ ଏତେ ସାହସ ମିଳି ନ ଥିଲା ଯେତିକି ଆପଣଙ୍କ ଚିଠିରୁ ଓ ସେଥିରେ ଥିବା ପଦରୁ ମିଳିଲା ।” ଟିକେ ଭାବି ଦେଖନ୍ତୁ ଯେ ଯେବେ ସର୍କିଟ ଅଧ୍ୟକ୍ଷଙ୍କ ସ୍ତ୍ରୀଙ୍କୁ ‘ଅନେକ ଦିନ ପରେ’ ତାଙ୍କ ଚିଠିର ଉତ୍ତର ମିଳିଲା, ତେବେ ତାଙ୍କୁ କିପରି ଲାଗିଥିବ । ସତରେ, ତାଙ୍କୁ ବହୁତ ଖୁସି ଲାଗିଥିବ ! ହୋଇପାରେ, ଆମ ସହିତ ବି ଏପରି ହିଁ ହୁଏ । ଆମେ ହୁଏତ କାହାରି ପାଇଁ କିଛି କରୁ, କିନ୍ତୁ ଅନେକ ସମୟ ପରେ ଯାଇ ସେ ଆମକୁ ତାʼପାଇଁ ଧନ୍ୟବାଦ ଦିଅନ୍ତି ।
୨୧. ଆପଣ କାହିଁକି ଯିହୋବାଙ୍କ ଭଳି ହେବା ପାଇଁ ଓ ହୃଦୟ ଖୋଲି ଅନ୍ୟମାନଙ୍କୁ ଦେବା ପାଇଁ ଚାହାନ୍ତି ?
୨୧ ଆମେ ପୂର୍ବରୁ ଦେଖିଥିଲୁ ଯେ ଯିହୋବା ଆମକୁ ଗୋଟିଏ ନିଆରା ଦକ୍ଷତା ଦେଇ ସୃଷ୍ଟି କରିଛନ୍ତି । ଯେବେ ଅନ୍ୟମାନେ ଆମକୁ କିଛି ଦିଅନ୍ତି, ତାହେଲେ ଆମକୁ ବହୁତ ଖୁସି ଲାଗେ । କିନ୍ତୁ ଯେବେ ଆମେ ଅନ୍ୟମାନଙ୍କୁ ଦେଉ, ତାହେଲେ ଆମକୁ ତାʼଠୁ ବି ଅଧିକ ଖୁସି ଲାଗେ । ନିଜ ଭାଇଭଉଣୀମାନଙ୍କୁ ସାହାଯ୍ୟ କରି ଆମକୁ ବହୁତ ଭଲ ଲାଗେ । ଆଉ ଯେବେ ସେମାନେ ଆମକୁ ଧନ୍ୟବାଦ ଦିଅନ୍ତି ଓ କୃତଜ୍ଞତା ଦେଖାନ୍ତି, ତାହେଲେ ବି ଆମକୁ ଖୁସି ଲାଗେ । କିନ୍ତୁ ଯଦି କେହି ଆମକୁ ଧନ୍ୟବାଦ ଦିଅନ୍ତି ନାହିଁ, ତେବେ ବି ଆମେ ଏଥିପାଇଁ ଖୁସି ହୋଇପାରିବା ଯେ ଆମେ ଯିହୋବାଙ୍କ ଦୃଷ୍ଟିରେ ଯାହା ଠିକ୍ ତାହା ହିଁ କରିଛୁ । ତାʼ ସହିତ ଆମକୁ ମନେ ରଖିବା ଉଚିତ୍ ଯେ ଆମେ ଅନ୍ୟମାନଙ୍କୁ ଯାହା ବି ଦେଇଛୁ, ‘ଯିହୋବା [ଆମକୁ] ଅତି ଅଧିକ ଦେବାକୁ ସମର୍ଥ ଅଟନ୍ତି ।’ (୨ ବଂଶା. ୨୫:୯) ଯିହୋବା ଆମକୁ ସବୁଠୁ ଅଧିକ ଦେଇପାରିବେ ! ସେ ଆମକୁ ପୁରସ୍କାର ଦେବେ, ଏହାଠୁ ବଡ଼ ଖୁସିର କଥା ଆଉ କʼଣ ହୋଇପାରେ । ତାହେଲେ ଆସନ୍ତୁ ଆମେ ନିଜ ପିତା ଯିହୋବାଙ୍କ ଭଳି ହେବା ଆଉ ହୃଦୟ ଖୋଲି ଅନ୍ୟମାନଙ୍କୁ ଦେବା ଜାରି ରଖିବା ।
ଗୀତ ୧୭ “ମୈଁ ଚାହ୍ତା ହୁଁ”
b ଚିତ୍ର ବିଷୟରେ: ସର୍କିଟ ଅଧ୍ୟକ୍ଷଙ୍କ ସ୍ତ୍ରୀ ଜଣେ ଭଉଣୀଙ୍କ ଉତ୍ସାହ ବଢ଼ାଇବା ପାଇଁ ତାଙ୍କୁ ଚିଠି ଲେଖୁଛନ୍ତି । ଆଉ ଅନେକ ବର୍ଷ ପରେ ଯାଇ ସର୍କିଟ ଅଧ୍ୟକ୍ଷଙ୍କ ସ୍ତ୍ରୀଙ୍କୁ ଗୋଟିଏ ଚିଠି ମିଳେ, ସେଥିରେ ସେହି ଭଉଣୀ ତାଙ୍କୁ ଧନ୍ୟବାଦ ଦେଉଛନ୍ତି । ଚିତ୍ରଗୁଡ଼ିକରେ ଯେଉଁ ଭଉଣୀମାନଙ୍କୁ ଦେଖାଇଦିଆଯାଇଛି, ପ୍ରକୃତରେ ସେମାନେ ସେହି ଭଉଣୀ ନୁହନ୍ତି ଯେଉଁମାନଙ୍କ ଅନୁଭବ ପାରାଗ୍ରାଫରେ ଦିଆଯାଇଛି ।